“ଯେତେବେଳେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରନ୍ତି କିମ୍ବା ଏହାକୁ ନଷ୍ଟ କରିଥାନ୍ତି, ସେମାନଙ୍କୁ ଅପରାଧୀ ଆଖ୍ୟା ଦିଆଯାଇଥାଏ। ସରକାର ସେପରି କଲେ କ’ଣ ହେବ? ସେମାନେ ଆମକୁ ଯାହା କହୁଛନ୍ତି, ସେମାନେ ତାହା ନୁହନ୍ତି କି?” ପଞ୍ଜାବର ମୋଗା ଜିଲ୍ଲାର ମେହନା ଗ୍ରାମର ଚାଷୀ ୭୦ ବର୍ଷ ବୟସ୍କ ହରିନ୍ଦର ସିଂ ଲାଖା କହିଥାନ୍ତି।
ପଞ୍ଜାବରୁ ଆସୁଥିବା ଚାଷୀମାନଙ୍କୁ ଦିଲ୍ଲୀରେ ପ୍ରବେଶ କରାଇ ନଦେବା ଲାଗି ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ରାସ୍ତାରେ ଖୋଳା ହୋଇଥିବା ୧୦ ଫୁଟର ଗାତ ବିଷୟରେ ଲାଖା କହୁଛନ୍ତି। କିଛିଦିନ ଧରି ଏହି ରାଜ୍ୟ ଏବଂ ଉତ୍ତର ପ୍ରଦେଶ ଓ ହରିୟାଣାର ଏକ ଲକ୍ଷରୁ ଅଧିକ ଚାଷୀ ସେମାନଙ୍କ ନିଜ ଦେଶର ରାଜଧାନୀରେ ପ୍ରବେଶ କରିବା ଲାଗି ପୋଲିସ ଓ ଅନ୍ୟ ସୁରକ୍ଷାବାହିନୀ ସହ ସଂଘର୍ଷ କରିବା ଲାଗି ବାଧ୍ୟ ହେଉଛନ୍ତି।
ତିନି ଦିନ ଧରି ମୁକାବିଲା କରିବା ପରେ ଦିଲ୍ଲୀ ପୋଲିସ କୋହଳ ହୋଇଥିବା ବେଳେ ହରିୟାଣା ସରକାର ଏବେ ସୁଦ୍ଧା ଆନ୍ଦୋଳନକାରୀମାନଙ୍କୁ ରାଜ୍ୟ ସୀମାରେ ପ୍ରବେଶ କରିବାରୁ ଅଟକାଉଛନ୍ତି। ଯଦିଓ ସେମାନେ ରାଜଧାନୀରେ ପ୍ରବେଶ କରିବା ଲାଗି ଔପଚାରିକ ଅନୁମୋଦନ ପାଇଛନ୍ତି ତଥାପି ସେମାନଙ୍କୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ମିଳିପାରିନାହିଁ। ‘ଅନୁମତି’ ଥିଲେ ମଧ୍ୟ, ଖାଲ, କଣ୍ଟା ତାରବାଡ଼, ବ୍ୟାରିକେଡ-ଏସବୁ ସେମିତି ରହିଛି। ଲୁହବୁହା ଗ୍ୟାସ ଗୋଳା ଓ ପାଣି ମାଡ଼ ସରଞ୍ଜାମଗୁଡ଼ିକ ଅତ୍ୟାଚାର ଛାପ ଛାଡ଼ିଯାଇଛି।
ଚଳିତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିଥିବା ତିନୋଟି କୃଷି ଆଇନ ବିରୋଧରେ ଚାଷୀମାନେ ଏକତ୍ରିତ ହୋଇ ଆନ୍ଦୋଳନ କରିବାକୁ ଆସିଛନ୍ତି। ସେମାନେ ଉଲ୍ଲେଖ କରିଛନ୍ତି ଯେ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ସହ ଜଡ଼ିତ
ଆଇନ
ମଣ୍ଡି ବ୍ୟବସ୍ଥାକୁ ଧ୍ୱଂସ କରିଦେବ, ଯାହାକି ସେମାନଙ୍କ ପାଇଁ ଉପକାରୀସିଦ୍ଧ ହେଉଥିଲା। ଏହା ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରକ୍ରିୟାକୁ ଉଚ୍ଛେଦ କରିଦେବ ଏବଂ ବଡ଼ କୃଷି ସଂସ୍ଥା ଓ କର୍ପୋରେସନଗୁଡ଼ିକ ଦରକୁ ନିୟନ୍ତ୍ରଣ କରିବେ। ସେମାନେ ଜାଣନ୍ତି ଏହା ଏବଂ ଅନ୍ୟ ଦୁଇଟି ଆଇନ କେବଳ ଏମଏସପି ନିର୍ଦ୍ଧାରଣରେ ବିଫଳ ହୋଇନାହିଁ, ବରଂ ଏଥିରେ ସ୍ୱାମୀନାଥନ (କୃଷକଙ୍କ ପାଇଁ ଜାତୀୟ ଆୟୋଗ) ରିପୋର୍ଟ ବିଷୟରେ କୌଣସି ପ୍ରକାର ଉଲ୍ଲେଖ ନାହିଁ। ଚାଷୀମାନେ ଦର୍ଶାଇଛନ୍ତି ଯେ ଏହି ଆଇନଗୁଡ଼ିକ ମଧ୍ୟରୁ ଦ୍ୱିତୀୟ ଆଇନ-
ଦର ସୁନିଶ୍ଚିତତା ଏବଂ କୃଷି ସେବା ସଂକ୍ରାନ୍ତ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ରାଜିନାମା ଆଇନ, ୨୦୨୦
ରେ ଚୁକ୍ତିନାମା ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକି ଘରୋଇ ବେପାରୀ ଏବଂ ବଡ଼ କର୍ପୋରେସନଗୁଡ଼ିକୁ ସୁହାଇବ। ଅନୁରୂପ ଭାବେ ସଂଶୋଧିତ
ଅତ୍ୟାବଶ୍ୟକ ସାମଗ୍ରୀ ଆଇନ
କର୍ପୋରେସନଗୁଡ଼ିକୁ ସହାୟକ ହେବ, ଯାହାକି ଷ୍ଟକପିଲିଂ ଓ ହୋର୍ଡିଂଙ୍କୁ ଅନୁମତି ଦେବା ସହିତ ଚାଷୀଙ୍କ ବିପଣନ କ୍ଷମତାକୁ ସଙ୍କୁଚିତ କରିବ।
ଆନ୍ଦୋଳନକାରୀଙ୍କ ଦାବି ମଧ୍ୟରେ ଏହି ତିନୋଟି ଆଇନର ଉଚ୍ଛେଦ ସାମିଲ ରହିଛି।


ନଭେମ୍ବର ୨୭: ‘ମୁଁ କଣ୍ଟାଯୁକ୍ତ ତାର ଦେଖିଛି’, ପାକିସ୍ତାନ ସୀମା ନିକଟବର୍ତ୍ତୀ ପଞ୍ଜାବର କୋଟ ବୁଢା ଗ୍ରାମର ୭୨ ବର୍ଷ ବୟସ୍କ ବଳଦେବ ସିଂ (ଫଟୋରେ ନାହାନ୍ତି) କୁହନ୍ତି। ‘ମୋତେ ଯେ ଦିନେ ଏପରି ପରିସ୍ଥିତିର ସମ୍ମୁଖୀନ ହେବାର ଥିଲା, ମୋ ସହ ଏପରି ପୂର୍ବରୁ କେବେ ଘଟିନଥିଲା। ତାହା ପୁଣି ମୋ ଦେଶର ରାଜଧାନୀରେ ପ୍ରବେଶ କରିବାକୁ ଚେଷ୍ଟା କରିବା ସମୟରେ’
“ଏହା (ଏପିଏମସି ସହ ଜଡ଼ିତ ଆଇନ) ଏକ ମୃତ୍ୟୁ ପରୱାନା”, ସୁରଜିତ ମାନ କୁହନ୍ତି, ତାଙ୍କ ଘର ହରିୟାଣାର କର୍ଣ୍ଣାଲ ଜିଲ୍ଲା ଅନ୍ତର୍ଗତ ବାହୋଲା ଗ୍ରାମରେ ଯେଉଁଠାରେ ସେ ନିଜର ୨.୫ ଏକର ଜମିରେ ଗହମ ଓ ଧାନ ଚାଷ କରିଥାନ୍ତି। “ଆମ ଫସଲ ପଛେ ନଷ୍ଟ ହୋଇଯାଉ (ମୁଁ ଆନ୍ଦୋଳନ କରିବା ସମୟରେ), ପରୱା ନାହିଁ। କିନ୍ତୁ ଆମର ପରବର୍ତ୍ତୀ ପିଢ଼ି ସଙ୍କଟର ସମ୍ମୁଖୀନ ନହେବା ଆବଶ୍ୟକ।
ଚାଷୀମାନେ ସତର୍କ ଓ ଚିନ୍ତିତ ଅଛନ୍ତି-ଏହି ଆଇନ ଦ୍ୱାରା ସଶକ୍ତ ହୋଇ-ଘରୋଇ ସଂସ୍ଥାଗୁଡ଼ିକ ଦେଶର କୃଷି କ୍ଷେତ୍ର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରି ନେଇପାରନ୍ତି। “ଆମେ ଆଦାନି ଓ ଅମ୍ବାନୀମାନଙ୍କୁ ପଞ୍ଜାବରେ ପ୍ରବେଶ କରିବାକୁ ଦେବୁ ନାହିଁ”, ପଞ୍ଜାବର ତର୍ନ ତରନ ଜିଲ୍ଲାର କୋଟ ବୁଢ଼ା ଗ୍ରାମର ୭୨ ବର୍ଷ ବୟସ୍କ ବଳଦେବ ସିଂ କୁହନ୍ତି। ଏଠାକୁ ଆସିବା ଲାଗି ତାଙ୍କୁ ୫୦୦ କିମି ରାସ୍ତା, ସଂଖ୍ୟାଧିକ ବ୍ୟାରିକେଡ ଅତିକ୍ରମ କରିବାକୁ ପଡ଼ିଛି। ସିଂ ସାରା ଜୀବନ ନିଜ ପରିବାରର ୧୨ ଏକର ଜମିରେ ଖାଦ୍ୟଶସ୍ୟ ଚାଷ କରି ଆସିଛନ୍ତି, ବର୍ତ୍ତମାନ ସମୟରେ ତାଙ୍କୁ ସେଠାରେ ରହିବାର ଥିଲା। କିନ୍ତୁ, ସେ କୁହନ୍ତି, “ମୋ ଜୀବନର ଅନ୍ତିମ କ୍ଷଣରେ, ମୁଁ ରାସ୍ତା ଉପରେ ଅଛି, ଅନିଶ୍ଚିତତାର ଏହି କଳାବାଦଲ ମଧ୍ୟରେ।”
କୋଟ ବୁଢା ଗ୍ରାମ ଭାରତ-ପାକିସ୍ତାନ ସୀମାର ଖୁବ ନିକଟରେ ରହିଛି। “ମୁଁ କଣ୍ଟାଯୁକ୍ତ ତାର ଦେଖିଛି”, ସିଂ କୁହନ୍ତି। ମୋ ସହ ଏହା ପୂର୍ବରୁ କେବେ ଘଟିନଥିଲା କିନ୍ତୁ ଦିନେ ଘଟିବାର ଥିଲା। ତାହାପୁଣି ମୋ ଦେଶର ରାଜଧାନୀରେ ପ୍ରବେଶ କରିବା ଲାଗି।”
“କେନ୍ଦ୍ର ସହ ଏହା ସିଧାସଳଖ ଲଢ଼େଇ,” ଭୀମ ସିଂ ଆଖି ବଡ଼ ବଡ଼ କରି କୁହନ୍ତି। ହରିୟାଣାର ସୋନିପତ ଜିଲ୍ଲା ଅନ୍ତର୍ଗତ ଖାନପୁର କାଲାନ ଗ୍ରାମର ଏହି ୬୮ ବର୍ଷୀୟ କୃଷକ ଦେଢ଼ ଏକର ଜମିରେ ଚାଷ କରିଥାନ୍ତି। ସେ ଆହୁରି କୁହନ୍ତି ଯେ ସରକାର କୃଷି ଆଇନକୁ ଫେରାଇ ନିଅନ୍ତୁ, ନଚେତ ସେ ଓ ତାଙ୍କର ଭାଇମାନେ ଅନ୍ୟମାନଙ୍କ ପାଇଁ ଖାଦ୍ୟଶସ୍ୟ ଉତ୍ପାଦନ ବନ୍ଦ କରିଦେବେ।
ସେ ସାର୍ ଛୋଟୁ ରାମଙ୍କ ସ୍ମୃତିଚାରଣ କରିଥିଲେ, ଯିଏକି ଚାଷୀଙ୍କ ପାଇଁ ବ୍ରିଟିଶ ସରକାରଙ୍କ ବିରୋଧରେ ଲଢ଼ିଥିଲେ। “ଇଂରେଜମାନେ ପ୍ରତି କୁଇଣ୍ଟାଲ ଖାଦ୍ୟଶସ୍ୟ ପାଇଁ ୨୫-୫୦ ପଇସା ଦେଉଥିଲେ ଏବଂ ସାର୍ ସିଧାସଳଖ ୧୦ ଟଙ୍କା ମାଗୁଥିଲେ। ସେ କହିଥିଲେ, ଉପନିବେଶବାଦୀ ଶକ୍ତି ଆଗରେ ମୁଣ୍ଡ ନୂଆଁଇବା ଅପେକ୍ଷା ଚାଷୀମାନେ ସେମାନଙ୍କ ଫସଲ ଜାଳିଦେବାକୁ ଶ୍ରେୟସ୍କର ମଣିବେ”, ଭୀମ କୁହନ୍ତି। “ଯଦି ମୋଦୀ ସରକାର ନଶୁଣନ୍ତି, ଆମେ ହୁଏତ ତାହା କରିପାରୁ”।


ନଭେମ୍ବର ୨୭: ‘“ଯେତେବେଳେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରନ୍ତି କିମ୍ବା ଏହାକୁ ନଷ୍ଟ କରିଥାନ୍ତି, ସେମାନଙ୍କୁ ଅପରାଧୀ ଆଖ୍ୟା ଦିଆଯାଇଥାଏ। ସରକାର ସେପରି କଲେ କ’ଣ ହେବ? ସେମାନେ ଆମକୁ ଯାହା କହୁଛନ୍ତି, ସେମାନେ ତାହା ନୁହନ୍ତି କି?” ପଞ୍ଜାବର ମେହନା ଗ୍ରାମର ଜନୈକ ଚାଷୀ ୭୦ ବର୍ଷ ବୟସ୍କ ହରିନ୍ଦର ସିଂ ଲାଖା (ଫଟୋରେ ନାହାନ୍ତି) କୁହନ୍ତି
ଅକ୍ଟୋବର ୨୦୧୮ରେ ପ୍ରଧାନମନ୍ତ୍ରୀ ରୋହତକଠାରେ ସାର୍ ଛୋଟୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ କହିଥିଲେ ମାତ୍ର ଗୋଟିଏ ରାଜ୍ୟ ମଧ୍ୟରେ ତାଙ୍କର ଆଦର୍ଶ ଓ ବିଚାରକୁ ସୀମିତ ରଖି ଭାରତ ସେଥିରୁ ବଞ୍ଚିତ ହୋଇଛି। କିନ୍ତୁ ଏବେ, ଭୀମ ସିଂ କୁହନ୍ତି, “ତାଙ୍କ ସରକାର ଏସବୁ ଆଇନ ଆଣି ଆମ ସାର୍ଙ୍କୁ ଅପମାନିତ କରୁଛନ୍ତି”।
ପଞ୍ଜାବର ମୋଗା ଜିଲ୍ଲାରେ ଥିବା ମେହନା ଗ୍ରାମରେ ନିଜର ପାଞ୍ଚ ଏକର ଜମିରେ ଚାଷ କରୁଥିବା ୭୦ ବର୍ଷ ବୟସ୍କ ହରିନ୍ଦର ସିଂ କୁହନ୍ତି, “ମୁଁ ମୋ ଦେଶକୁ ଭୋକରେ ମରୁଥିବା ଦେଖିପାରିବି ନାହିଁ।” “ସରକାର ଚାଷୀଙ୍କ ଉତ୍ପାଦ କିଣିବାର କୌଣସି ଗ୍ୟାରେଣ୍ଟି ରହିବ ନାହିଁ (ଏହି ନୂଆ ଆଇନ କାରଣରୁ) ଏବଂ ସମ୍ପୂର୍ଣ୍ଣ ସାର୍ବଜନୀନ ବିତରଣ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବ।”
କର୍ପୋରେଟମାନେ ଗରିବଙ୍କୁ ଖାଦ୍ୟ ଦେବେ ନାହିଁ କି? ମୁଁ ପଚାରିଲି। “ଗରିବଙ୍କୁ ଖାଦ୍ୟ ଦେବେ? ଗରିବଙ୍କୁ ମାରି କର୍ପୋରେଟ ଖାଉଛନ୍ତି,” ସେ ଉତ୍ତର ଦେଇଥିଲେ। “ଯଦି ସେମାନେ ଏପରି କରୁନଥାନ୍ତେ, ଆମେ ଆପଣଙ୍କ ଏହି ପ୍ରଶ୍ନର ଉତ୍ତର ଦେଇପାରିଥାନ୍ତୁ।”
ମାସେ ପାଖାପାଖି ହେବ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ସରକାରଙ୍କ ସହିତ ସେମାନଙ୍କ ଆଲୋଚନା ବିଭିନ୍ନ ସ୍ତରରେ ଜାରି ରହିଥିଲେ ସୁଦ୍ଧା କୌଣସି ନିଷ୍କର୍ସରେ ପହଞ୍ଚିପାରିନାହିଁ। “କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହିତ କୌଣସି ଆଲୋଚନା ହେବ ନାହିଁ। ବର୍ତ୍ତମାନ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଆଲୋଚନା କରିବୁ,” କର୍ଣ୍ଣାଲର ବାହୋଲା ଗ୍ରାମର ସୁରଜିତ ମାନ କୁହନ୍ତି।
“ପ୍ରଥମେ ଆମେ ଏକ ବୈଠକ ପାଇଁ ଦିଲ୍ଲୀ ଆସିଲୁ(ସଂସଦ ଅଧିବେଶନ ଚାଲିଥିବା ସମୟରେ)। ସେମାନେ ଆମକୁ ଅପମାନିତ କଲେ। ଏବେ ଆମେ ପୁଣିଥରେ ଆସିଛୁ। ଏଥର ସେମାନେ ଆମକୁ ପିଟୁଛନ୍ତି”, କୋଟ ବୁଢା ଗ୍ରାମର ବଳଦେବ ସିଂ କହିଥିଲେ। “ପ୍ରଥମେ ଆମକୁ ଠକିଲେ, ତା’ପରେ ଆଘାତ ଦେଉଛନ୍ତି”।
“ଏହା ଆମ ଆଖିରେ ଲୁହ ଭରି ଦେଉଛି, ଦେଶକୁ କ୍ଷୁଧାମୁକ୍ତ କରିବା ଲାଗି ସରକାରଙ୍କ ପ୍ରତି ଏହା ଆମର ଉତ୍ତର”, ବଳଦେବ ସିଂ ଓ ହରିନ୍ଦର ସିଂ କୁହନ୍ତି।
![November 28: 'The police personnel [at the protests] are our children. They too understand that the government is harming the farmers. It is pitting them against us. If they are getting salaries for lathi-charging us, they have our bodies. We will feed them either way'](/media/images/04a-IMG_20201128_132001-AM.max-1400x1120.jpg)
![November 28: 'The police personnel [at the protests] are our children. They too understand that the government is harming the farmers. It is pitting them against us. If they are getting salaries for lathi-charging us, they have our bodies. We will feed them either way'](/media/images/04b-IMG_20201128_125657-AM.max-1400x1120.jpg)
ନଭେମ୍ବର ୨୮: ‘ପୋଲିସ କର୍ମୀ (ଆନ୍ଦୋଳନ ସ୍ଥଳରେ)ମାନେ ଆମ ପିଲା। ସରକାର ଚାଷୀଙ୍କୁ କ୍ଷତି ପହଞ୍ଚାଉଥିବା ସେମାନେ ବୁଝିଛନ୍ତି। ଏହା ସେମାନଙ୍କୁ ଆମ ଆଗରେ ଛିଡ଼ା କରିଛି। ଆମକୁ ଲାଠିମାଡ଼ କରିବା ଲାଗି ଯଦି ସେମାନଙ୍କୁ ଦରମା ମିଳୁଛି, ଆମେ ଏହା ସହିବାକୁ ପ୍ରସ୍ତୁତ। ତଥାପି ଆମେ ହିଁ ତାଙ୍କୁ ଖାଇବାକୁ ଦେବୁ’
“କଂଗ୍ରେସ ହେଉ, ଅବା ଭାରତୀୟ ଜନତା ପାର୍ଟୀ କିମ୍ବା ସ୍ଥାନୀୟ ଅକାଳି ଦଳ, ସବୁ ରାଜନୈତିକ ଦଳ ମିଳିମିଶି ପଞ୍ଜାବକୁ ଲୁଟି ଚାଲିଛନ୍ତି। ଆମ୍ ଆଦମୀ ପାର୍ଟୀ ସେମାନଙ୍କ ରାସ୍ତାରେ ଚାଲିଛି”, ୬୨ ବର୍ଷ ବୟସ୍କ ଯୋଗରାଜ ସିଂ କୁହନ୍ତି, ଯାହାଙ୍କର ପଞ୍ଜାବର ମୋଗାରେ ୧୨ ଏକର ଚାଷ ଜମି ରହିଛି।
ଚାଷୀମାନେ ଜାତୀୟ ଗଣମାଧ୍ୟମ ବିରୋଧରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। “ସେମାନେ ଆମକୁ ନକାରାତ୍ମକ ଭାବେ ପ୍ରଦର୍ଶିତ କରୁଛନ୍ତି। ରିପୋର୍ଟରମାନେ ଆମ ସହିତ ବିସ୍ତୃତ ଭାବେ ଆଲୋଚନା କରୁନାହାନ୍ତି”, ଯୋଗରାଜ ସିଂ କୁହନ୍ତି। “ପୀଡ଼ିତଙ୍କ ସହିତ ଆଲୋଚନା ନକରି ସେମାନେ ପ୍ରସଙ୍ଗକୁ କିପରି ଭାବେ ବୁଝିପାରିବେ? ସେମାନେ ସତ ଦେଖାଇବା ଉଚିତ। ସରକାର ଆମ ପାଇଁ ମୃତ୍ୟୁ ପରୱାନା ପ୍ରସ୍ତୁତ କରିଛନ୍ତି। ସରକାର ଯଦି ଆମ ଜମି ଆମଠାରୁ ଛଡ଼ାଇ ନେବାକୁ ଚାହୁଁଛନ୍ତି, ତାହା ସେମାନେ ସମସ୍ତଙ୍କୁ ଦେଖାଇବା ଉଚିତ। କିନ୍ତୁ ଏଥିପାଇଁ ଆମକୁ ଖଣ୍ଡ ଖଣ୍ଡ କରି କାଟିବାକୁ ହେବ।
ଅନ୍ୟ ଆନ୍ଦୋଳନକାରୀମାନେ ଏକସଙ୍ଗେ କହିଲେ :
“ଚୁକ୍ତିଭିତ୍ତିକ ଚାଷ ବୃଦ୍ଧି ପାଇବ। ଯଦିଓ ଆରମ୍ଭରୁ ସେମାନେ ଆମକୁ ଅଧିକ ମୂଲ୍ୟ ଦେବେ, ପରେ ଏହା ମାଗଣା ଜିଓ ସିମ କାର୍ଡ ଯୋଜନା ଭଳି କାମ କରିବ। ଧୀରେ ଧୀରେ ସେମାନେ ଆମ ଜମିର ମାଲିକ ପାଲଟିଯିବେ।”
“ଚୁକ୍ତି ଜରିଆରେ, ସେମାନେ ଆମ ଜମି ଉପରେ ଢାଞ୍ଚା ନିର୍ମାଣ କରିବେ ଏବଂ ଏଥିପାଇଁ ସେମାନଙ୍କୁ ଋଣ ମିଳିବ। ଫସଲ ଭଲ ନହେଲେ କିମ୍ବା ଚୁକ୍ତି ଭଙ୍ଗ କ୍ଷେତ୍ରରେ ସେମାନେ ଛାଡ଼ି ଚାଲିଯିବେ। ଆମକୁ ଋଣ ସୁଝିବାକୁ ପଡ଼ିବ। ସୁଝିବାକୁ ସକ୍ଷମ ନହେଲେ, ଆମ ଜମି ଆମ ହାତରୁ ଚାଲିଯିବ।”
ପୋଲିସ କର୍ମୀ (ଆନ୍ଦୋଳନ ସ୍ଥଳରେ)ମାନେ ଆମ ପିଲା। ସରକାର ଚାଷୀଙ୍କୁ କ୍ଷତି ପହଞ୍ଚାଉଥିବା ସେମାନେ ବୁଝିଛନ୍ତି। ଏହା ସେମାନଙ୍କୁ ଆମ ଆଗରେ ଛିଡ଼ା କରିଛି। ଆମକୁ ଲାଠିମାଡ଼ କରିବା ଲାଗି ଯଦି ସେମାନଙ୍କୁ ଦରମା ମିଳୁଛି, ଆମେ ଏହା ସହିବାକୁ ପ୍ରସ୍ତୁତ। ତଥାପି ଆମେ ହିଁ ତାଙ୍କୁ ଖାଇବାକୁ ଦେବୁ।’’
ଅନୁବାଦ: ଓଡ଼ିଶାଲାଇଭ୍