ତାଙ୍କ ହାତରେ ହାତକଡ଼ି ପଡ଼ିଛି ଏବଂ ବେକରେ ବନ୍ଧା ହୋଇଥିବା ଶିକୁଳି ତାଙ୍କର ପାଦ ଯାଏ ଲମ୍ବିଛି। ତାଙ୍କର ବେଶପୋଷାକ- କଳା ରଙ୍ଗର ଗାର ପଡ଼ିଥିବା ଧଳା କୁର୍ତ୍ତା -ଏପରି ଲାଗୁଛି ଯେମିତି ସେ ଜଣେ ଜେଲର କଏଦୀ।

କିନ୍ତୁ ୪୨ ବର୍ଷୀୟ ବୟସ୍କ କବଲ  ସିଂ କୌଣସି ଅପରାଧର ଦୋଷୀ ନୁହନ୍ତି ଏବଂ ତାଙ୍କ ଶରୀରରେ ପଡ଼ିଥିବା ଶିକୁଳିକୁ ସେ ନିଜେ ପକାଇଛନ୍ତି। ପଞ୍ଜାବର ଫଜିଲ୍କା ଜିଲ୍ଲାର ରୁକନପୁରା (ଖୁଇ ଖେରା ନାମରେ ମଧ୍ୟ ପରିଚିତ)ର ସେ ଜଣେ ଚାଷୀ।

ନିକଟରେ ଅଣାଯାଇଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ। ଏହି ଆଇନ ପ୍ରଥମେ ଜୁନ ୫,୨୦୨୦ରେ ଅଧ୍ୟାଦେଶ ଭାବେ ଆଗତ ହୋଇଥିଲା, ଏହାପରେ ସେପ୍ଟେମ୍ବର ୧୪ ତାରିଖରେ ଏହାକୁ ସଂସଦରେ ଏକ ବିଲ୍‌ ଭାବେ ଆଗତ କରାଯାଇଥିଲା ଏବଂ ସେହିମାସ ୨୦ ତାରିଖରେ ଏହାକୁ ଆଇନ ଭାବେ ପାରିତ କରାଯାଇଥିଲା।

ତା’ହେଲେ ସେ କାହିଁକି ନିଜକୁ ଏପରି ଶିକୁଳିରେ ବାନ୍ଧିଛନ୍ତି?

“ଚାଷୀମାନେ ଦୀର୍ଘଦିନ ଧରି ସେମାନଙ୍କର ଅଧିକାର ଦାବି କରୁଥିବା ଦେଖି ମୁଁ ସେମାନଙ୍କର ଯନ୍ତ୍ରଣା ସହିପାରିଲି ନାହିଁ। ମୋ ଶରୀର ସାରା ଆପଣ ଯେଉଁ ଶିକୁଳି ଦେଖୁଛନ୍ତି ତାହା ସେମାନଙ୍କର କଷ୍ଟର ପ୍ରତିଫଳନ। ସେମାନେ ମନ ଭିତରେ ଯାହା ଅନୁଭବ କରୁଛନ୍ତି, ମୁଁ ମଧ୍ୟ ସେପରି ଅନୁଭବ କରୁଛି।”

“ଆପଣମାନେ ମୋ ଚାରି ପାଖରେ ଯେଉଁ ଶିକୁଳି ଦେଖୁଛନ୍ତି, ସେହି ବନ୍ଧନ ଆମ ଚାରିପାଖରେ ମଧ୍ୟ ରହିଛି, ଆପଣ କେବଳ ଏହାକୁ ଦେଖି ଅନୁଭବ କରିପାରିବେ”, କବଲ  ସିଂ ତିନୋଟି ବିବାଦୀୟ ଆଇନକୁ ଏହି ଶିକୁଳି ଭଳି ସଦ୍ୟ ବନ୍ଧନ ଭାବେ ଦେଖୁଛନ୍ତି।

ଭିଡ଼ିଓ ଦେଖନ୍ତୁ : “ଆମେ ସମସ୍ତେ ଚାଷୀ ବନ୍ଦୀ ହୋଇ ରହିଥିବା ଅନୁଭବ କରୁଛୁ”

ଠିକ୍‌ ଦିଲ୍ଲୀ ସୀମାରେ ଥିବା ହରିୟାଣା ସୋନିପତ୍ ଜିଲ୍ଲାର ସିଂଘୁସ୍ଥିତ ସବୁଠୁ ବଡ଼ ଆନ୍ଦୋଳନସ୍ଥଳୀରେ ସେ ଆମ ସହିତ କଥା ହେଉଛନ୍ତି।

“ଭଗବାନ ଆମକୁ କର୍ପୋରେଟମାନଙ୍କଠାରୁ ରକ୍ଷା କରନ୍ତୁ ଯେଉଁମାନେ ଆମକୁ ଭୂମିହୀନ ଚାଷୀରେ ପରିଣତ କରିଦେବେ। ଆମ ନିଜର ଚାଷ ଜମି ଥିବା ବେଳେ ଆମେ କାହିଁକି ମଜୁରିଆ ହେବାକୁ ଚାହିଁବୁ? ଆମେ କିପରି ବଡ଼ କର୍ପୋରେଟମାନଙ୍କୁ ଆମ ଜମିକୁ ନିୟନ୍ତ୍ରିତ କରିବାକୁ ଦେଇପାରିବୁ?” ସେ ପଚାରନ୍ତି।

“ଅମ୍ବାନୀ ଓ ଆଦାନୀଙ୍କ ହାତରେ ମୋ ଶିକୁଳି ତାଲାର ଚାବି ରହିଛି। ମୋଦୀ ସରକାର ସେମାନଙ୍କ ଠାରୁ ଚାବି ନେଇ ତାଲା ଖୋଲିବା ଉଚିତ୍। ଏହି ଆଇନକୁ ଉଚ୍ଛେଦ କରିବା ଲାଗି ମୁଁ ପ୍ରଧାନମନ୍ତ୍ରୀଙ୍କୁ ହାତଯୋଡ଼ି ଅନୁରୋଧ କରୁଛି।’’

ଚାଷୀମାନେ ବିରୋଧ କରୁଥିବା ଆଇନଗୁଡ଼ିକ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।

ଏହି ନୂଆ ଆଇନଗୁଡ଼ିକ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି, ଏହା ସେମାନଙ୍କର ଜୀବିକା ନଷ୍ଟ କରିଦେବ ବୋଲି ସେମାନେ କହିଛନ୍ତି କାରଣ ଏହା ବଡ଼ କର୍ପୋରେଟମାନଙ୍କୁ ଚାଷୀ ଓ ଚାଷ ତୁଳନାରେ ଅଧିକ କ୍ଷମତା ଦେବ। ସେମାନେ ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ଚାଷୀଙ୍କୁ ସହାୟତାର ପ୍ରମୁଖ ଆଧାରଗୁଡ଼ିକୁ ଅଣଦେଖା କରିବେ।

କବଲ  ସିଂ କହିଥିଲେ, “ଯନ୍ତ୍ରଣା କଥା କହିଲେ, ଏହି ପାଞ୍ଚ କିଗ୍ରା ଓଜନର ଶିକୁଳିକୁ ସାରା ଦିନ ନିଜ ଶରୀରରେ ପକାଇ ରଖିବା ଫଳରେ ମୁଁ ଅବସନ୍ନ ହୋଇପଡ଼େ। କିନ୍ତୁ ମୋର ଶାରୀରିକ ଯନ୍ତ୍ରଣା କୃଷକମାନଙ୍କ ଯନ୍ତ୍ରଣା ତୁଳନାରେ କିଛି ନୁହେଁ”।

Holding the five-kilo chain throughout the day makes Kabal Singh go numb. But it's nothing compared to the farmers' pain, he says
PHOTO • Amir Malik
Holding the five-kilo chain throughout the day makes Kabal Singh go numb. But it's nothing compared to the farmers' pain, he says
PHOTO • Amir Malik

ପାଞ୍ଚ କିଗ୍ରା ଓଜନର ଶିକୁଳି ବୋହି ଚାଲିବା କବଲ ସିଂଙ୍କୁ ଅବସନ୍ନ କରି ଦେଇଥାଏ। କିନ୍ତୁ ଚାଷୀଙ୍କ କଷ୍ଟ ତୁଳନାରେ ଏହା କିଛି ନୁହେଁ, ସେ କୁହନ୍ତି।

ଆମ ସହିତ କଥାବାର୍ତ୍ତା ହେବା ସମୟରେ ସେ ନିଜର ହାତ ଉପରକୁ ଉଠାଇ ରଖିଥିଲେ। ଦିନର ଅଧିକାଂଶ ସମୟରେ ଏପରି ଅବସ୍ଥାରେ ରହିବା ଫଳରେ ସେ ଥକିପଡ଼ିଥାନ୍ତି ଓ ଚାପଗ୍ରସ୍ତ ହୋଇପଡ଼ନ୍ତି। “ମୁଁ ଭୋର ୫ଟାରେ ନିଜକୁ ଶିକୁଳିରେ ଆବଦ୍ଧ କରିଥାଏ”, ସେ କହିଥିଲେ। “ଏବଂ ସନ୍ଧ୍ୟା ପର୍ଯ୍ୟନ୍ତ ନିଜକୁ ଏହିପରି ଭାବେ ବନ୍ଦୀ କରି ରଖିଥାଏ।’’

ଅଢ଼େଇ ବର୍ଷ ପୂର୍ବରୁ ଏହି ଚାଷୀ ଜଣଙ୍କର ପାଞ୍ଚ ଏକର ଜମି ରହିଥିଲା, ସେ କୁହନ୍ତି, “ମୁଁ ମୋ ଗାଁରେ ଏହି ଶିକୁଳି ତିଆରି କରିଥିଲି”। ବର୍ତ୍ତମାନ ତାଙ୍କ ପାଖରେ ମାତ୍ର ତିନି ଏକର ଜମି ରହିଛି ସେଥିରେ ମୁଖ୍ୟତଃ ସେ ଗହମ ଏବଂ କପା ଚାଷ କରିଥାନ୍ତି। ତାଙ୍କର ଅସୁସ୍ଥ ଝିଅ ଓ ବାପାଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିବା ନିମନ୍ତେ ତାଙ୍କୁ ଦୁଇ ଏକର ଜମି ବିକ୍ରି କରିବାକୁ ହୋଇଥିଲା।

ଜମି ବିକ୍ରି କରି ସେମାନଙ୍କର ଚିକିତ୍ସା ପାଇଁ ସେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। “କିନ୍ତୁ”, ସେ ଦୁଃଖର ସହିତ କହିଥାନ୍ତି ଯେ, “ମୁଁ ସେମାନଙ୍କୁ ବଞ୍ଚାଇ ପାରିଲି ନାହିଁ”। ତାଙ୍କର ୨୦ ବର୍ଷୀୟା ଝିଅ ଜଣ୍ଡିସରେ ପ୍ରାଣ ହରାଇଲେ। ଏହାର କିଛିଦିନ ପରେ ତାଙ୍କ ବାପା ଦୀର୍ଘଦିନର ଅସୁସ୍ଥତା ଯୋଗୁଁ ଆରପାରିକୁ ଚାଲିଗଲେ। ତାଙ୍କ ପାଖରେ ଥିବା ଦୁଇଟି ଗାଈର କ୍ଷୀର ବିନା ସେ କିପରି ନିଜ ଜୀବନ ନିର୍ବାହ କରିପାରିବେ ତାହା ସେ ଜାଣନ୍ତି ନାହିଁ।

“ମୋର ମା’ ବଲବୀର କୌର ଆନ୍ଦୋଳନରେ ଯୋଗ ଦେବା ଲାଗି ଆସିଛନ୍ତି। କିନ୍ତୁ ସେ ଏଠାରେ ପହଞ୍ଚିବା ସମୟରେ ପଡ଼ିଯାଇଥିଲେ(ଯାତ୍ରା ସମୟରେ, ଅନ୍ୟମାନଙ୍କ ଭଳି, ଟ୍ରାକ୍ଟର ଟ୍ରଲିରେ) ଏବଂ ଆମେ ଜାଣିବାକୁ ପାଇଲୁ ସେ ସେ ନିଜର ନିତମ୍ବ ହାଡ଼ ଭାଙ୍ଗି ଦେଇଛନ୍ତି”, ସେ କହିଥିଲେ। “ମୋର ପୂର୍ବଜମାନେ ଚାଷୀ ଥିଲେ। ମୁଁ ଆମ ପ୍ରତି ସରକାରଙ୍କ ଅନ୍ୟାୟ ଦେଖିପାରୁଛି। ଏହା ବିରୋଧରେ ଆମେ ଲଢ଼ୁଛୁ। ମୁଁ ଚାହୁଁନାହିଁ ଯେ ମୋର ପିଲାମାନେ ମଧ୍ୟ ଏହାର ସମ୍ମୁଖୀନ ହୁଅନ୍ତୁ”।

ସେ ଆହୁରି କହିଥିଲେ ଯେ ଭାରତ ସୀମାରେ ଥିବା ସୈନିକମାନେ ମଧ୍ୟ ଚାଷୀମାନଙ୍କର ପୁଅ। “ସେମାନେ ଶହୀଦ ହେଲେ ଆମେ ସେମାନଙ୍କୁ ନାୟକ ମାନ୍ୟତା ଦେଇଥାଉ। ଏହା ଠିକ୍। କିନ୍ତୁ ଏଠାରେ ଆମେ ଯେତେବେଳେ ଆମର ଅଧିକାର ଦାବି କରୁଛୁ, ଆମକୁ ଅପରାଧୀ ସଜେଇ ଦିଆଯାଉଛି। ଏପରି କାହିଁକି?

କବଲ  ସିଂଙ୍କ ପାଇଁ ବର୍ତ୍ତମାନ, “ଗୋଟିଏ କଥା ନିଶ୍ଚିତ : ମୋଦୀ ସରକାର କୃଷି ଆଇନ ପ୍ରତ୍ୟାହାର ନକରିବା ପର୍ଯ୍ୟନ୍ତ ମୁଁ ମୋର ଶିକୁଳି ଫିଟାଇବି ନାହିଁ।”

ପ୍ରଚ୍ଛଦ ଫଟୋ : ଶ୍ରଦ୍ଧା ଅଗ୍ରୱାଲ

ଅନୁବାଦ: ଓଡ଼ିଶାଲାଇଭ୍‍

Amir Malik

Amir Malik is an independent journalist. He tweets at @_amirmalik.

Other stories by Amir Malik
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE