ଆସନ୍ତୁ ଏବେ ମୂଳରୁ ଆରମ୍ଭ କରିବା...

୨୦୧୪ ପରଠାରୁ ପିପୁଲ୍ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆ (ପରୀ) ଭାରତୀୟ ବିବିଧତାର କାଳଜୟୀ କାହାଣୀକୁ ଲିପିବଦ୍ଧ କରି ଆସୁଛି। ଏହି କାହାଣୀ ଭାରତୀୟ ଭାଷାଗୁଡ଼ିକଠାରୁ ଆରମ୍ଭ ହୋଇଥାଏ। ଦେଶର ଗ୍ରାମାଞ୍ଚଳରେ ୮୩୩ ନିୟୁତ ଲୋକ ୭୦୦ ଭିନ୍ନ ଭିନ୍ନ ଭାଷାରେ କଥା ହୋଇଥାନ୍ତି, ୮୬ଟି ଭିନ୍ନ ଲିପି ବ୍ୟବହାର କରିଥାନ୍ତି। କୌଣସି ଲିପି ନଥିବା କଥିତ ଭାଷାଗୁଡ଼ିକ ସମେତ ଏସବୁ ଭାଷା ଭାରତୀୟ ସାଂସ୍କୃତିକ ବିବିଧତାର କେନ୍ଦ୍ରରେ ରହିଛନ୍ତି । ଏଗୁଡ଼ିକ ବିନା, ଲୋକମାନଙ୍କ କାହାଣୀକୁ ନେଇ ଏକ ସଂକଳନ ପ୍ରସ୍ତୁତିକୁ ସାକାର କରିବା ତ’ ଦୂରର କଥା ଏ ବିଷୟରେ କଳ୍ପନା ସୁଦ୍ଧା କରାଯାଇପାରିବ ନାହିଁ। ଏସବୁ ଭାରତୀୟ ଭାଷାଗୁଡ଼ିକରେ ଅନୁବାଦ ପରୀର ପ୍ରତ୍ୟେକ କାହାଣୀର ଯାତ୍ରାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି।

‘‘ଏହି ସଂକଳ୍ପ ସାମ୍ବାଦିକତା ଜାଗତରେ ଅଗ୍ରଣୀ ଭାବେ ରହି ଆସିଛି; ଏହା ଅନୁବାଦକୁ ସାମାଜିକ ନ୍ୟାୟର ଦୃଷ୍ଟିକୋଣରେ ଦେଖିଥାଏ,’’ ସ୍ମିତା ଖାଟୋର କୁହନ୍ତି। ‘‘ଅଧିକାଂଶ ଗ୍ରାମୀଣ ଭାରତୀୟ ଏବେବି ଇଂରାଜୀ ଭାଷାଠାରୁ ଅନେକ ଆଲୋକବର୍ଷ ପଛରେ ରହିଥିବା ସମୟରେ, ଜ୍ଞାନର ସୃଷ୍ଟି ଓ ବିତରଣ ଯେପରି ଇଂରାଜୀ-ଶିକ୍ଷିତ, ଇଂରାଜୀ କହୁଥିବା ସ୍ୱଚ୍ଛଳ ବର୍ଗଙ୍କ ମଧ୍ୟରେ ସୀମିତ ନରହିବ ତାହା ପରୀ ସୁନିଶ୍ଚିତ କରିଥାଏ।’’

ସମ୍ପାଦକ ଓ ଅନୁବାଦକମାନଙ୍କୁ ନେଇ ଆମର ଟିମ୍‌ ବାରମ୍ବାର ଶବ୍ବଗୁଡ଼ିକର ସାଂସ୍କୃତିକ ପୃଷ୍ଠଭୂମି, ବାକ୍ୟାଂଶଗୁଡ଼ିକର ଉପଯୁକ୍ତ ପ୍ରୟୋଗ ଏବଂ ଆହୁରି ଅନେକ ବିଷୟ ଉପରେ ଲଗାତାର ବିତର୍କ, ଆଲୋଚନା ଓ ତଥ୍ୟ ଆଦାନପ୍ରଦାନ କରିଥାନ୍ତି। କିଛି ଦିନ ପୂର୍ବର କଥା...

ସ୍ମିତା : ପୁରୁଷୋତ୍ତମ ଠାକୁର ଲେଖିଥିବା ସେହି ପ୍ରସଙ୍ଗ କଥା ମନେ ପକାନ୍ତୁ ଯେଉଁଥିରେ ସେ ଏକ ଦୃଶ୍ୟର ବର୍ଣ୍ଣନା କରିଛନ୍ତି, ତେଲଙ୍ଗାନାର ଇଟାଭାଟିରେ କାମ କରୁଥିବା କୁରୁମପୁରୀ ପଞ୍ଚାୟତର କିଛି ପ୍ରବାସୀ ଶ୍ରମିକ ତାଙ୍କୁ ଦେଖି କେତେ ଖୁସି ହୋଇଯାଇଥିଲେ? ସେମାନଙ୍କ ମଧ୍ୟରୁ ଜଣେ ବୟସ୍କ ଲୋକ ତାଙ୍କୁ କହିଥାଏ, ‘ଅନେକ ଦିନ ପରେ ଓଡ଼ିଆ କହୁଥିବା ଜଣେ ଲୋକଙ୍କୁ ମୁଁ ଭେଟିଛି। ଆପଣଙ୍କୁ ଦେଖି ମୁଁ ବହୁତ ଖୁସି!’

ଆହୁରି ଏକ ପ୍ରସଙ୍ଗରେ ମହାରାଷ୍ଟ୍ରରୁ ଜ୍ୟୋତି ଶିନୋଲି ଜଣେ ପ୍ରବାସୀ ଶ୍ରମିକଙ୍କ ପୁଅ ରଘୁ ବିଷୟରେ ଲେଖିଥିଲେ। ରଘୁ ପାଇଁ ସବୁଠୁ ବଡ଼ ସମସ୍ୟା ହେଉଛି ଏକ ନୂଆ ସ୍କୁଲରେ ଅଭ୍ୟସ୍ତ ହେବା ଯେଉଁଠି ଶିକ୍ଷକ ଓ ସହପାଠୀମାନେ ଏପରି ଏକ ଭାଷାରେ କଥା ହେଉଛନ୍ତି ଯାହା ସେ ବୁଝିପାରୁନାହାନ୍ତି । କାହାଣୀରେ ପୁଅର ମା’ ଗାୟତ୍ରୀ କୁହନ୍ତି, ‘‘ମାତ୍ର ତିନି ସପ୍ତାହ ପର୍ଯ୍ୟନ୍ତ ଚେନ୍ନାଇ ସ୍କୁଲରେ ପଢ଼ିବା ପରେ, ସେ ଦିନେ କାନ୍ଦି କାନ୍ଦି ଘରକୁ ଫେରିଥିଲା। ସେ କହିଥିଲା ଯେ, ସେ ଆଉ ସ୍କୁଲକୁ ଯିବାକୁ ଚାହୁଁ ନାହିଁ । କାରଣ ସେ କିଛି ବୁଝିପାରୁନାହିଁ ଏବଂ ସମସ୍ତେ ରାଗିଯାଇ ତା’ ସହିତ କଥା ହେଉଥିବା ତା’କୁ ଲାଗୁଛି ।’’

ଗ୍ରାମୀଣ ଭାରତରେ ଲୋକଙ୍କ ପାଇଁ ଭାଷାଗତ ପରିଚୟ ଗୁରୁତ୍ୱପୂର୍ଣ୍ଣ, ବିଶେଷ କରି ଯେତେବେଳେ ସେମାନେ ଜୀବିକା ସନ୍ଧାନରେ ଦୂରବର୍ତ୍ତୀ ସ୍ଥାନକୁ ପଳାୟନ କରିବା ଲାଗି ବାଧ୍ୟ ହୋଇଥାନ୍ତି ।

PHOTO • Labani Jangi

ଶଙ୍କର : କିନ୍ତୁ ସ୍ମିତା, ବେଳେ ବେଳେ ଶବ୍ଦଗୁଡ଼ିକ ମଧ୍ୟ ପ୍ରବାସ କରିଥାନ୍ତି। ଯେତେବେଳେ ମୁଁ ହାତରେ ପରାଗଣ କରୁଥିବା ସେନ୍ତାଲିରଙ୍କ କାହାଣୀ ଉପରେ କାମ କରୁଥିଲି, ମୁଁ ସେତେବେଳେ ଅନୁଭବ କଲି ସେହି ଅଞ୍ଚଳରେ ମହିଳାମାନେ ହାତରେ ଫୁଲର ପର-ପରାଗଣ ବା କ୍ରସ-ପଲିନେଟିଂକୁ ଦର୍ଶାଇବା ପାଇଁ ଇଂରାଜୀ ଶବ୍ଦ ‘କ୍ରସ’ ବା ‘କ୍ରସିଂ’ ର ଉପଯୋଗ କରିଥାନ୍ତି । ଇଂରାଜୀର ଏକ ଶବ୍ଦ ଏବେ ସେମାନଙ୍କ କଥିତ ଭାଷାର ଅଂଶବିଶେଷ ପାଲଟିଛି। ଏପରି ଶବ୍ଦ ଆପଣଙ୍କୁ ଗ୍ରାମାଞ୍ଚଳରେ ପ୍ରାୟତଃ ଶୁଣିବାକୁ ମିଳିବ ।

ଏହା ଉଭୟ ରୋମାଞ୍ଚକର ଏବଂ ଆହ୍ୱାନପୂର୍ଣ୍ଣ। ବେଳେବେଳେ ଏମିତି ମଧ୍ୟ ହୋଇଥାଏ ଯେତେବେଳେ ମୁଁ ନିଜ ରାଜ୍ୟ, କର୍ଣ୍ଣାଟକରୁ ଇଂରାଜୀରେ ରିପୋର୍ଟ କରାଯାଇଥିବା କେତେକ ପ୍ରସଙ୍ଗ ପଢ଼ିଥାଏ ସେତେବେଳେ ଏଠାକାର କର୍ମଜୀବୀ ଲୋକଙ୍କ କଥା ମୋତେ ଏମିତି ଲାଗେ ଯେମିତି ସେମାନେ ଏଠାକାର ବାସିନ୍ଦା ନୁହନ୍ତି। ସେମାନେ କୌଣସି ବହିର କାଳ୍ପନିକ ଚରିତ୍ର ଭଳି ଲାଗନ୍ତି। ସେମାନଙ୍କ ଭିତରେ ଜୀବନ ଓ ରଙ୍ଗର ଅଭାବ ଦେଖିବାକୁ ମିଳେ। ସେଥିପାଇଁ, ମୁଁ ଯେତେବେଳେ ଅନୁବାଦ କରିବାକୁ ବସିଥାଏ, ମୁଁ ପ୍ରାୟତଃ ଲୋକଙ୍କ କଥା ଶୁଣିବା, ସେମାନେ କେମିତି କଥା ହୁଅନ୍ତି ତାହା ଜାଣିବାକୁ ସୁନିଶ୍ଚିତ କରିଥାଏ । ପ୍ରକୃତରେ ଏହା ସେମାନଙ୍କ କାହାଣୀ। ତେଣୁ ଏହା ଯେମିତି ରିପୋର୍ଟ ର ‘କଳା’ ହୋଇନଯିବ ସେଥିପ୍ରତି ଧ୍ୟାନ ଦେଇଥାଏ।

ପ୍ରତିଷ୍ଠା : ଏହି ପ୍ରକ୍ରିୟା ସବୁବେଳେ ସହଜ କିମ୍ବା ସ୍ପଷ୍ଟ ନୁହେଁ। ନିଜ ମାତୃଭାଷାରେ ରିପୋର୍ଟ କରିଥିବା ରିପୋର୍ଟରମାନଙ୍କ କପିକୁ ନେଇ ମୁଁ ପ୍ରାୟତଃ ସମସ୍ୟାରେ ପଡ଼ିଥାଏ। ଗୁଜରାଟୀ କିମ୍ବା ହିନ୍ଦୀରେ ଲେଖାଯାଇଥିବା ଏକ କାହାଣୀ ଭଲରେ ପଢ଼ିହୁଏ। କିନ୍ତୁ ଯେତେବେଳେ ମୁଁ ସଚ୍ଚୋଟତାର ସହିତ ତାହାର ଅନୁବାଦ କରିବା ଆରମ୍ଭ କରିଥାଏ, ଲେଖାକୁ ବ୍ୟବସ୍ଥିତ କରିବା, ବାକ୍ୟ ଗଠନ, ଉଚ୍ଚାରଣ ଯଥେଷ୍ଟ କାଳ୍ପନିକ ଲାଗିପାରେ। ତା’ପରେ ମୋତେ ଆଶ୍ଚର୍ଯ୍ୟ ହୋଇଥାଏ ଯେ ଏପରି ସ୍ଥିତିରେ ମୋର ବିଶ୍ୱସନୀୟତା କେଉଁଠି ରହିବା ଉଚିତ୍‌। ମୁଁ ଅନୁବାଦ କରିବା ସମୟରେ ଅବହେଳିତ ସମୁଦାୟର ଅନୁଭବକୁ ସାମିଲ କରି କାହାଣୀର ଭାବନା ପ୍ରତି ବିଶ୍ୱସନୀୟ ରହୁଛି କି, ନା ମୂଳ ଲେଖାରେ ବ୍ୟବହାର କରାଯାଇଥିବା ଶବ୍ଦ, ବାକ୍ୟଗଠନ ପ୍ରତି ସଚ୍ଚୋଟତା ପ୍ରଦର୍ଶନ କରିଛି? ମୁଁ ଭାରତୀୟ ଭାଷାରେ ସମ୍ପାଦନା କରୁଛି, ନା ଇଂରାଜୀ ଭାଷାରେ ସମ୍ପାଦନା କରୁଛି? ଶେଷରେ, ଏହା ଏକ ଲମ୍ବା ପ୍ରକ୍ରିୟା ହୋଇ ରହିଯାଏ, ଯେଉଁଥିରେ ବିଚାର ବିନିମୟ ଏବଂ ବେଳେବେଳେ ଆଗପଛ ବିତର୍କ ମଧ୍ୟ ହୋଇଥାଏ।

ଅନୁବାଦ ସମ୍ଭବ କାରଣ ବିଭିନ୍ନ ଭାଷା ମଧ୍ୟରେ ଯୋଡ଼ି ହେବା ଏବଂ ଭାବ ବିନିମୟ କରିବାର ଉପାୟ ରହିଛି। କିନ୍ତୁ ଛବି, ଧ୍ୱନି, ଉଚ୍ଚାରଣ, ଗୋଟିଏ ଭାଷାର ସଂଗ୍ରହ ଓ ଏହାର ସାଂସ୍କୃତିକ ଜଗତ, ଏହାର ସ୍ୱତନ୍ତ୍ର ଚରିତ୍ର - ଆଦି ଏପରି କିଛି ଜିନିଷ ଯାହାକୁ ମୁଁ ପରୀ ସହ କାମ କରିବା ସମୟରେ ଗ୍ରହଣ କରିପାରିଛି। ଅନେକ ଥର ଆମେ ଗୋଟିଏ କାହାଣୀକୁ ଦୁଇଟି ଭାଷାରେ ଦୁଇଟି ସଂସ୍ପରଣରେ ଉପସ୍ଥାପନ କରିଛୁ - ଭିନ୍ନ କାହାଣୀ ଭାବେ ନୁହେଁ କିନ୍ତୁ ଏତେ ଭିନ୍ନ ଯେ ମୁଁ ଗୋଟିଏ କାହାଣୀକୁ ଅନୁବାଦ ବୋଲି କହିବାରେ ସଙ୍କୋଚ କରିଥାଏ।

ଯୋଶୁଆ : ପ୍ରତିଷ୍ଠା ଦି , ଅନୁବାଦ କରିବା ସବୁବେଳେ ଏକ ପୁନଃସୃଜନ- ଏକ ଅନୁସୃଜନ ନୁହେଁ କି? ଯେତେବେଳେ ମୁଁ ବଙ୍ଗଳାରେ ଗ୍ରିଣ୍ଡମିଲ୍‌ ସଙ୍ଗୀତକୁ ନେଇ କାମ କରିଥାଏ, ମୁଁ ବାସ୍ତବରେ ଅନୁସୃଜନ କରିଥାଏ। ନିଜ ମାତୃଭାଷାରେ ଓଭିସ୍‌ ଗୁଡ଼ିକୁ ପୁଣିଥରେ ଲେଖିବା ମୋତେ ଛନ୍ଦ ଓ ଭାଷାକୁ ବାରମ୍ବାର ଶିଖିବା ଓ ଭୁଲିଯିବା ଲାଗି ବାଧ୍ୟ କରିଥାଏ। ମୁଁ ସବୁବେଳେ ଭାବୁଥିଲି କବି ହେବା କଷ୍ଟକର କିନ୍ତୁ କବିତାର ଅନୁବାଦ କରିବା ତା’ଠାରୁ ଆହୁରି କଷ୍ଟକର।

ଅଭିବ୍ୟକ୍ତି, ବିଚାର, କଳ୍ପନା, ଉଚ୍ଚାରଣ, ଛନ୍ଦ, ଲୟ ଏବଂ ରୂପକଗୁଡ଼ିକର ସମ୍ପୂର୍ଣ୍ଣ ସମାହାରକୁ ଅକ୍ଷୂଣ୍ଣ ରଖି ମରାଠୀ ମୌଖିକ ସାହିତ୍ୟକୁ ପୁନଃସର୍ଜନା କରିବା କିପରି ସମ୍ଭବ ହୋଇପାରିବ ? ଗ୍ରାମୀଣ ଗାୟକ-ଗୀତିକାରଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ନିଜ କବିତାକୁ ଜଣେ ମହିଳାଙ୍କ ଭଳି ଚିନ୍ତା କରିଥାଏ। ଜାତିପ୍ରଥା, ପୁରୁଷ ପ୍ରଧାନ ବ୍ୟବସ୍ଥା ଓ ବିଭିନ୍ନ ବର୍ଗମାନଙ୍କ ସଂଘର୍ଷ ମଧ୍ୟରେ ଚକିରେ ପେଶି ହେଉଥିବା ଅସହାୟ ଶସ୍ୟ ଭଳି ମୁଁ ନିଜ କବିତାକୁ ପ୍ରବାହିତ କରିଥାଏ। ପ୍ରତ୍ୟେକ ଥର ମୁଁ ଟୁସୁ , ଭାଦୁ , କୁଲୋ - ଝରଗାନ , ବା ବ୍ରୋତୋକଥା ଭଳି ସ୍ତ୍ରୀପ୍ରଧାନ ସଙ୍ଗୀତ-କାବ୍ୟର ମୌଖିକ ପରମ୍ପରାର ଗ୍ରାମୀଣ ବଙ୍ଗ ପରିଦୃଶ୍ୟରେ ନିଜର ନିଷ୍କର୍ଷ ଖୋଜିଥାଏ।

ଏକ ସମୟରେ ନିରାଶାଜନକ ଓ ଆକର୍ଷକ।

PHOTO • Labani Jangi

ମେଧା : ଅଧିକ ଆହ୍ୱାନପୂର୍ଣ୍ଣ କ’ଣ ମୁଁ ଆପଣମାନଙ୍କୁ କହିବି? ହାସ୍ୟ ଅନୁବାଦ। ସାଇନାଥଙ୍କ ଲେଖା! ମୁଁ ଯେତେବେଳେ ମାହୁନ୍ତ ଓ ପଶୁର ପେଟ ଲେଖା ପଢ଼ିଲି ନିଜ ହସ ରୋକିପାରିଲି ନାହିଁ, ନିଜ ମୁଣ୍ଡ କୁଣ୍ଡାଇବାକୁ ଲାଗିଲି। ପ୍ରତ୍ୟେକ ଧାଡ଼ି, ପ୍ରତ୍ୟେକ ଶବ୍ଦ, ଏକ ଶାନ୍ତ ହାତୀ ପାର୍ବତୀ ପିଠିରେ ବସିଥିବା ତିନି ଜଣ ଲୋକ ଏବଂ ତା’ର ମାହୁନ୍ତ ପରଭୁ ସହ ସେମାନଙ୍କ କଥାବାର୍ତ୍ତାର ଏକ ଆକର୍ଷଣୀୟ ଚିତ୍ର ଉପସ୍ଥାପନ କରିଥାଏ। ଏହି ବିଶାଳ ପଶୁର ପେଟ ଭୋଜନରେ କିଭଳି ଭର୍ତ୍ତି ହୋଇ ରହିଛି ତାହା ଜାଣିବା ଲାଗି ସେମାନଙ୍କ ପ୍ରୟାସ ବ୍ୟର୍ଥ ହୋଇଯାଏ।

ମୋତେ ଏହାର ବିବରଣୀ ସହ ସାଲିସ ନକରି ଏବଂ ହାତୀ ପିଠିରେ ବସିବାର ଲୟ ଓ ଗତିକୁ ବଜାୟ ରଖି ଏହାର ସ୍ୱାଦକୁ ମରାଠୀ ଭାଷାରେ ଅନୁବାଦ କରିବାର ଥିଲା।

ଶୀର୍ଷକ ଲେଖିବାଠାରୁ ହିଁ ଆହ୍ୱାନ ଆରମ୍ଭ ହୋଇଥିଲା, ପରୀର ପ୍ରାୟ ଅଧିକାଂଶ କାହାଣୀରେ ଏପରି ହୋଇଥାଏ। ଶେଷରେ ଏକ ବିଶାଳ ଜନ୍ତୁକୁ ଖାଇବାକୁ ଦେବାର ନିରନ୍ତର ଆବଶ୍ୟକତା ମୋତେ ‘ବକାସୁର’ ନାମକ ପ୍ରସିଦ୍ଧ ଚରିତ୍ର କଥା ମନେ ପକାଇ ଦେଇଥିଲା। ପ୍ରତିଦିନ ଏହି ବିଶାଳ ଅସୁରକୁ ଗାଁ ଲୋକମାନଙ୍କୁ ଖାଇବାକୁ ଦେବାକୁ ହେଉଥିଲା। ସେଥିପାଇଁ ମରାଠୀରେ ମୁଁ ଏହାର ଶୀର୍ଷକ ରଖିଲି : हत्ती दादा आणि बकासुराचं पोट (ହତ୍ତୀ ଦାଦା ଆଣି ବକାସୁରାଞ୍ଚପୋଟ)।

ବେଲି ଅଫ୍‌ ଦ ବିଷ୍ଟ କିମ୍ବା ପାଣ୍ଡୋରାସ୍‌ ବକ୍ସ ଅଥବା ଥିଏଟର ଅଫ୍‌ ଦ ଅପ୍ଟିକ୍ସ ଭଳି ବାକ୍ୟାଂଶକୁ ଅନୁବାଦ କରିବା ସମୟରେ ଆମ ଭାଷା ପାଠକଙ୍କୁ ଜ୍ଞାତ ଶବ୍ଦ, ଅବଧାରଣା, ଚରିତ୍ରକୁ ଖୋଜିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ପ୍ରତିଷ୍ଠା : ଆଉ ଏକ ସଂସ୍କୃତିର କବିତା ଅନୁବାଦ କରିବା ସମୟରେ ମୁଁ ଏଭଳି ସ୍ୱାଧୀନତା ଗ୍ରହଣ କରିଥାଏ। କିନ୍ତୁ ମୁଁ ଭାବେ ଯେ ପରୀ କାହାଣୀରେ କେହି କାହିଁକି ଏପରି କରିବ। ମୋ ମତରେ, ଅନୁବାଦର ଅର୍ଥ ହେଉଛି ଗୋଟିଏ ଭାଗ ସେହି ପାଠକଙ୍କ ଦ୍ୱାରା ପରିଭାଷିତ କରାଯିବା ଯାହାଙ୍କ ପାଇଁ ସେହି ଅଂଶର ଅନୁବାଦ କରାଯାଉଛି ।

PHOTO • Labani Jangi

'ପରୀ ଅନୁବାଦ କେବେ ବି ଏକ ଭାଷାଗତ କାର୍ଯ୍ୟ ନୁହେଁ, ବା ଇଂରାଜୀରେ ଏହାର ଉପସ୍ଥାପନା ଲାଗି ସବୁକିଛିକୁ ସୀମିତ କରିଦେବାର ବିଷୟ ନୁହେଁ। ଏହା ସେହି ସନ୍ଦର୍ଭ ପର୍ଯ୍ୟନ୍ତ ପହଞ୍ଚିବା ଉପରେ ଆଧାରିତ ଯାହା ଆମ ପରିଚିତ ଦୁନିଆଠାରୁ ଊର୍ଦ୍ଧ୍ୱରେ ରହିଛି' – ପି. ସାଇନାଥ

କମଲଜିତ୍ : ପଞ୍ଜାବୀରେ କ’ଣ ହୁଏ ଆସନ୍ତୁ ମୁଁ ଆପଣଙ୍କୁ କହିବି। ଅନେକ ଥର ଅନୁବାଦ କରିବା ସମୟରେ ମୋତେ ନିଜ ଭାଷାର ନିୟମକୁ ପରିବର୍ତ୍ତିତ କରି ଗ୍ରହଣ କରିବାକୁ ହୋଇଥାଏ! ଏପରି କରୁଥିବାରୁ ପ୍ରାୟତଃ ମୁଁ ସମାଲୋଚନାର ଶିକାର ହୋଇଥାଏ।

ଉଦାହରଣ ସ୍ୱରୂପ, ଇଂରାଜୀର ସବୁ କାହାଣୀରେ ସାମାଜିକ ଭିନ୍ନତାକୁ ଅଣଦେଖା କରି ସବୁ ଲୋକଙ୍କ ପାଇଁ ଏକସମାନ ସର୍ବନାମ ଉପଯୋଗ କରାଯାଏ। ଅନ୍ୟପଟେ ପଞ୍ଜାବୀରେ, ଅଧିକାଂଶ ଅନ୍ୟ ଭାରତୀୟ ଭାଷା ଭଳି, ବ୍ୟକ୍ତିଙ୍କ ପଦବୀ, ବୟସ, ବର୍ଗ ସାମାଜିକ ସ୍ଥିତି, ଲିଙ୍ଗ ଓ ଜାତି ଆଧାରରେ ସର୍ବନାମ ବଦଳିଥାଏ। ତେଣୁ, ପରୀ କାହାଣୀକୁ ଇଂରାଜୀରୁ ପଞ୍ଜାବୀରେ ଅନୁବାଦ କରିବା ସମୟରେ, ଯଦି ମୁଁ ନିଜ ଭାଷାକୁ ସାମାଜିକ-ଭାଷାଗତ ମାନଦଣ୍ଡକୁ ପାଳନ କରିବି, ତା’ହେଲେ ଏହା ଆମ ବିଚାରଗତ ମାନ୍ୟତା ସହ ଦ୍ୱନ୍ଦ୍ୱ ଉତ୍ପନ୍ନ କରିବ ।

ସେଥିପାଇଁ ଆମେ ଆରମ୍ଭରୁ ନିଷ୍ପତ୍ତି ନେଇଥିଲୁ ଯେ, ଗୁରୁ ହୁଅନ୍ତୁ, ରାଜନେତା ହୁଅନ୍ତୁ, ଅଥବା ବୈଜ୍ଞାନିକ, ସଫେଇ କର୍ମୀ, ପୁରୁଷ କିମ୍ବା କିନ୍ନର ହୁଅନ୍ତୁ, ଅନୁବାଦ ପ୍ରକ୍ରିୟାରେ ଆମେ ସବୁ ଲୋକଙ୍କ ସହିତ ଏକାଭଳି ସମ୍ମାନ ପ୍ରଦର୍ଶନ କରିବୁ,

ତେଣୁ ଆମେ ଯେତେବେଳେ ତରନତାରନରେ ଜମିଦାରଙ୍କ ଘରେ ଗାଈ ଗୋବର ଉଠାଉଥିବା ଦଳିତ ମହିଳା ମଞ୍ଜିତ କୌରଙ୍କ କାହାଣୀ ପ୍ରକାଶ କରିଥିଲୁ , ମୋତେ କିଛି ପାଠକଙ୍କ ବାର୍ତ୍ତା ମିଳିଥିଲା , ସେମାନେ ମୋତେ ପଚାରିଥିଲେ , ‘‘ ଆପଣ ନିଜ ଭାଷାରେ ମଞ୍ଜିତ କୌରଙ୍କୁ ଏତେ ସମ୍ମାନ କାହିଁକି ଦେଉଛନ୍ତି ?’’ ମଞ୍ଜିତ କୌର ଇକ ମଜହବୀ ଶୀଖନ। ଓହ ଜମିଦାରନ ଦେ ଘରନ ଦା ଗୋହାଚୁକଦିହନ ?’’  ‘ ହାଁ ସ୍ଥାନରେ ହେ ବ୍ୟବହାର କରି ମୁଁ ନିୟମ ପାଳନ କରିନଥିବାରୁ ଅନେକ ପାଠକ ଭାବିଥିଲେ ଯେ ମୁଁ ମେସିନରେ ଅନୁବାଦ କରୁଛି।

ଦେବେଶ : ଆରେ , ଅବହେଳିତ ବର୍ଗଙ୍କ ବିଷୟରେ ସମ୍ମାନପୂର୍ଣ୍ଣ କଥା କହିବା ଲାଗି ହିନ୍ଦୀ ଭାଷାରେ ମଧ୍ୟ ଶବ୍ଦର ଅଭାବ ରହିଛି। ଏପରି ଶବ୍ଦ ଖୋଜିବା କଷ୍ଟକର ଯାହା ସେମାନଙ୍କ ବାସ୍ତବିକତାର ଉପହାସ କରୁନଥିବ। କିନ୍ତୁ ଅନୁବାଦ ପ୍ରକ୍ରିୟା ଆମକୁ ଏହି ସମସ୍ୟାର ମୁକାବିଲା କରିବା ଏବଂ ଅନ୍ୟ ଭାଷାଠାରୁ ଶିକ୍ଷା ଲାଭ କରି ଶବ୍ଦ ଗଢ଼ିବା ପାଇଁ ବାଧ୍ୟ କରିଥାଏ।

ପ୍ରକୃତି, ବିଜ୍ଞାନ, ଲିଙ୍ଗ କିମ୍ବା ଲିଙ୍ଗଗତ ପରିଚୟ, ଏପରିକି ଅକ୍ଷମତା ସହ ଜଡ଼ିତ ସଠିକ୍‌ ଶବ୍ଦ ଖୋଜିବାରେ ମଧ୍ୟ ମୁଁ ସମସ୍ୟାର ସାମ୍ନା କରିଥିଲି। ହିନ୍ଦୀ ଶବ୍ଦକୋଷରେ ଉପଯୁକ୍ତ ଶବ୍ଦର ଅଭାବ ରହିଛି। ବେଳେବେଳେ ଭାଷାର ମହିମାମଣ୍ଡନ ମାଧ୍ୟମରେ, ମୌଳିକ ପ୍ରଶ୍ନଗୁଡ଼ିକୁ ଲୁଚାଇ ଦିଆଯାଇଥାଏ - ଯେପରିକି ମହିଳାଙ୍କୁ ଦେବୀ ରୂପରେ ବର୍ଣ୍ଣନା କରାଯାଏ କିମ୍ବା ବିକଳାଙ୍ଗ ଲୋକଙ୍କୁ ‘ଦିବ୍ୟାଙ୍ଗ’ କୁହାଯାଇଥାଏ; କିନ୍ତୁ ବାସ୍ତବତା ଉପରେ ଦୃଷ୍ଟି ପକାଇଲେ ଲୋକମାନଙ୍କ ଅବସ୍ଥା ପୂର୍ବାପେକ୍ଷା ଅଧିକ ଖରାପ ଥିବା ଦେଖିବାକୁ ମିଳେ।

ଆମେ ଯେତେବେଳେ କବିତା ଆୟାରଙ୍କ ‘मैं नलबंदी कराने के लिए घर से अकेली ही निकल गई थी’ କାହାଣୀର ଅନୁବାଦ କଲୁ, ଆମେ ଅନୁଭବ କରିଥିଲୁ ଯେ ସାହିତ୍ୟର ବିଶାଳ ଭଣ୍ଡାର ଥିବା ସତ୍ତ୍ୱେ ହିନ୍ଦୀରେ ଅଣ-ସାହିତ୍ୟିକ ବିଷୟରେ ଲୋକଙ୍କ ପୀଡ଼ାକୁ ଦର୍ଶାଇବା ଲାଗି ଖୁବ୍‌ କମ ଜୀବନ୍ତ ବିବରଣୀ ରହିଛି । ଜ୍ଞାନ, ବିଜ୍ଞାନ, ଚିକିତ୍ସା ଓ ସ୍ୱାସ୍ଥ୍ୟ ତଥା ସାମାଜିକ ପ୍ରସଙ୍ଗଗୁଡ଼ିକୁ ସମ୍ବୋଧିତ କରିବା ଭଳି ଶବ୍ଦାବଳୀ ଯଥେଷ୍ଟ ବିକଶିତ ହୋଇନାହିଁ ।

PHOTO • Labani Jangi

ସ୍ୱର୍ଣ୍ଣ କାନ୍ତା : ଭୋଜପୁରୀର ସ୍ଥିତି ମଧ୍ୟ ଅନୁରୂପ। କିମ୍ବା ଏହାଠାରୁ ଖରାପ, କାରଣ ଏହା ଏପରି ଏକ ଭାଷା ଯେଉଁଥିରେ ଲେଖକଙ୍କ ଅପେକ୍ଷା କହିବା ଲୋକଙ୍କ ସଂଖ୍ୟା ଅଧିକ। ଶିକ୍ଷାର ଏକ ମାନ୍ୟତାପ୍ରାପ୍ତ ମାଧ୍ୟମ ହୋଇନଥିବାରୁ ଭୋଜପୁରୀରେ ଚିକିତ୍ସା, ଇଞ୍ଜିନିୟରିଂ, ଇଣ୍ଟରନେଟ୍‌, ସୋଶାଲ ମିଡିଆ ଆଦି ନୂଆ ପେସା ସହ ଜଡ଼ିତ ଶବ୍ଦଗୁଡ଼ିକର ଅଭାବ ରହିଛି ।

ଦେବେଶ, ଆପଣ କହିବା ଭଳି ଜଣେ କିଛି ନୂଆ ଶବ୍ଦ ଗଠନ କରିପାରେ, କିନ୍ତୁ ଏହା ଭ୍ରମ ସୃଷ୍ଟି କରିବ। ‘କିନ୍ନର’ଙ୍କ ଭଳି ଶବ୍ଦ ପାଇଁ ଆମେ ପାରମ୍ପରିକ ଭାବେ ହିଜଡ଼ା ’, ‘ ଛକ୍କା ’, ‘ ଲୌଣ୍ଡା ଭଳି ଶବ୍ଦ ବ୍ୟବହାର କରିଥାଉ, ଯାହା ଆମେ ଇଂରାଜୀରେ ବ୍ୟବହାର କରୁଥିବା ଏହାର ପ୍ରତିଶବ୍ଦଠାରୁ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇଥାଏ। ସେହିପରି, ଆମେ ଯେତେ ଚେଷ୍ଟା କଲେ ମଧ୍ୟ, ମହିଳା ଦିବସ, ମାନସିକ ସ୍ୱାସ୍ଥ୍ୟ, କାର୍ଯ୍ୟ କିମ୍ବା ମୂର୍ତ୍ତିର ନାମ (ସ୍ୱାସ୍ଥ୍ୟ ସେବା ଆଇନ), କ୍ରୀଡ଼ା ପ୍ରତିଯୋଗିତାର ନାମ (ପୁରଷଙ୍କ ଅନ୍ତର୍ଜାତୀୟ ବିଶ୍ୱକପ) ଆଦିର ସହଜ ଅନୁବାଦ କରିବା ଆଦୌ ସମ୍ଭବ ନୁହେଁ।

ବିହାର ସମସ୍ତିପୁର ଜିଲ୍ଲାର ଜଣେ ମହାଦଳିତ ଝିଅ ଶିବାନୀ (୧୯)ଙ୍କ କାହାଣୀ ଅନୁବାଦ କରିବା କଥା ମୋର ମନେ ପଡ଼ୁଛି। ସେ ଜାତିଗତ ଭେଦଭାବ ବିରୋଧରେ ନିଜ ପରିବାର ଏବଂ ବାହାର ଦୁନିଆ ସହ ଲଢ଼ୁଛନ୍ତି। ମୁଁ ଅନୁଭବ କଲି ଯେ, ଯଦିଓ ଏଭଳି ଭେଦଭାବପୂର୍ଣ୍ଣ ପ୍ରଥା ବିଷୟରେ ମୋ ପାଖରେ ଗଭୀର ଧାରଣା ରହିଥିଲା, ତଥାପି ବାସ୍ତବ ଜୀବନରେ ଏପରି କାହାଣୀ ପଢ଼ିବା ଲାଗି ଆମକୁ କେବେ ସୁଯୋଗ ମିଳିନଥିଲା।

ମୋ ମତରେ, ଅନୁବାଦ ଏକ ସମାଜର ବୌଦ୍ଧିକ ଓ ସାମାଜିକ ଅଭିବୃଦ୍ଧିରେ ଯୋଗଦାନ କରିଥାଏ।

ନିର୍ମଳ : ଏକ ମାନକୀକୃତ ଭାଷାର ଅଭାବ ରହିଥିଲେ ନିର୍ଦ୍ଦିଷ୍ଟ ଭାଷାକୁ ନେଇ କାମ କରିବା ବେଳେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥାଏ। ଛତିଶଗଡ଼ର ପାଞ୍ଚଟି କ୍ଷେତ୍ର - ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଓ ମଧ୍ୟ ଭାଗରେ ୨୪ରୁ ଅଧିକ ଛତିଶଗଡ଼ୀ ଭାଷାର ଭିନ୍ନ ଭିନ୍ନ ରୂପ ରହିଛି । ତେଣୁ ଛତିଶଗଡ଼ୀରେ ଅନୁବାଦ କରିବା ସମୟରେ ଭାଷାର ମାନକ ରୂପ ଅଭାବ ଏକ ଆହ୍ୱାନ ହୋଇଥାଏ। କୌଣସି ବିଶେଷ ଶବ୍ଦକୁ ଚୟନ କରିବା ସମୟରେ ମୁଁ ପ୍ରାୟ ଦ୍ୱନ୍ଦ୍ୱରେ ଥାଏ। ମୁଁ ସାମ୍ବାଦିକ ବନ୍ଧୁ, ସମ୍ପାଦକ, ଲେଖକ, ଶିକ୍ଷକମାନଙ୍କଠାରୁ ସହାୟତା ନେଇଥାଏ ଏବଂ ବହି ଦେଖିଥାଏ।

ସାଇନାଥଙ୍କ କାହାଣୀ ଉପହାରବାଲା ଠିକାଦାରଙ୍କ ପ୍ରତି ସାବଧାନ ଉପରେ କାମ କରୁଥିବା ସମୟରେ ମୁଁ ଏପରି କିଛି ଛତିଶଗଡ଼ୀ ଶବ୍ଦ ପାଇଥିଲି ଯାହାର ସାଧାରଣରେ ପ୍ରଚଳନ ନଥିଲା। ଛତିଶଗଡ଼ ସୁରଗୁଜା ଅଞ୍ଚଳ ଝାଡ଼ଖଣ୍ଡ ସୀମାକୁ ଲାଗିଛି ଯେଉଁଠି ଅଧିକ ସଂଖ୍ୟାରେ ଓରାଓଁ ଆଦିବାସୀମାନେ ରହିଛନ୍ତି। ସେମାନଙ୍କ କଥିତ ଛତିଶଗଡ଼ୀ ଭାଷାରେ ଜଙ୍ଗଲ ସହ ଜଡ଼ିତ ଶବ୍ଦଗୁଡ଼ିକ ସାଧାରଣରେ ବ୍ୟବହୃତ ହୋଇଥାଏ। କାହାଣୀଟି ସେହି ସମୁଦାୟର ଜଣେ ମହିଳାଙ୍କ ଉପରେ କେନ୍ଦ୍ରିତ ହୋଇଥିବାରୁ, ମୁଁ ଆଦିବାସୀଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରିଥିଲି, ଏପରି ଶବ୍ଦ ବ୍ୟବହାର କରିଥିଲି ଯାହାକୁ ସେମାନେ ନିଜ ଅଞ୍ଚଳରେ ଦୈନନ୍ଦିନ ଜୀବନରେ ବ୍ୟବହାର କରିଥାନ୍ତି। ତେବେ, ଏହି ସମୁଦାୟର ଲୋକମାନେ କୁରୁଖ ଭାଷାରେ କଥା ହୋଇଥାନ୍ତି।

ମୁଁ ଏହା ଜାଣି ଚକିତ ହୋଇଥିଲି ଯେ, ପୂର୍ବରୁ ଦୈନନ୍ଦିନ ଜୀବନର ଅଭିନ୍ନ ଅଙ୍ଗ ପାଲଟିଥିବା ସୁକୁରଦୁମ , କାଓଭା , ହାଙ୍କା , ହାଙ୍କେ , ଲଣ୍ଡା , ଫନ୍ଦା , ଖେଦା , ଅଲକାଢ଼ା ଭଳି ଶବ୍ଦ ଆଉ ବ୍ୟବହୃତ ହେଉ ନାହିଁ କାରଣ ଲୋକମାନଙ୍କ ପାଖରେ ପାଣି, ଜଙ୍ଗଲ ଓ ଜମିର ଅଭାବ ରହିଛି ।

PHOTO • Labani Jangi

ଆମ ପରିବେଶ, ଜୀବିକା ଏବଂ ଗଣତନ୍ତ୍ର ଆମ ଭାଷାର ଭବିଷ୍ୟତ ସହିତ ନିବିଡ଼ ଭାବେ ଯୋଡ଼ି ହୋଇଛି।  ଯେଉଁ ବ୍ୟାପକ ବିବିଧତା ସୃଷ୍ଟି ହୋଇଛି ତାହା ପୂର୍ବରୁ କେବେ ବି ଏତେ ମୂଲ୍ୟବାନ ମନେ ହୋଇନଥିଲା’ – ପି ସାଇନାଥ

ପଙ୍କଜ : ଯେଉଁ ଲୋକଙ୍କ ବିଷୟରେ ଅନୁବାଦ କରାଯାଉଛି ସେମାନଙ୍କ ଦୁନିଆରେ ପ୍ରବେଶ କରିବା ଜଣେ ଅନୁବାଦକ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ମୁଁ ହୃଦୟଙ୍ଗମ କରିଛି । ଆରୁଷର କାହାଣୀ ଉପରେ କାମ କରୁଥିବା ସମୟରେ ମୁଁ କେବଳ ଜଣେ ଟ୍ରାନ୍ସଜେଣ୍ଡର (ଲିଙ୍ଗ ପରିବର୍ତ୍ତିତ) ପୁରୁଷ ଓ ମହିଳାଙ୍କ ସମ୍ପର୍କରେ ଜାଣିବାକୁ ପାଇନଥିଲି ବରଂ ସେମାନଙ୍କ ସଂଘର୍ଷର ଜଟିଳତାକୁ ଖୁବ୍‌ ନିକଟରୁ ଅନୁଭବ କରିପାରିଥିଲି। ଠିକ୍‌ ଶବ୍ଦ ପାଇବା ଲାଗି ମୁଁ ଧ୍ୟାନର ସହକାରେ ଶବ୍ଦାବଳୀକୁ ଖୋଜିଥିଲି ଏବଂ ଚିନ୍ତା କରିଥିଲି। ଉଦାହରଣ ସ୍ୱରୂପ, ବନ୍ଧନୀ ଭିତରେ ‘ରିଆସାଇନମେଣ୍ଟ ସର୍ଜରୀ’କୁ ରଖିଥିଲି ଏବଂ ‘ଜେଣ୍ଡର ଆଫରମେସନ ସର୍ଜରୀ’ (ଲିଙ୍ଗ ସୁନିଶ୍ଚିତକରଣ ଅସ୍ତ୍ରୋପଚାର)କୁ ହାଇଲାଇଟ୍‌ କରିଥିଲି।

ମୋତେ ଏପରି ଶବ୍ଦ ମିଳିଲା ଯାହା ଟ୍ରାନ୍ସଜେଣ୍ଡର ଲୋକଙ୍କ ପାଇଁ ଅପମାନସୂଚକ କିମ୍ବା କଦର୍ଥ ନୁହେଁ: ରୂପାନ୍ତୋରକାମୀ ପୁରୁଷ ବା ନାରୀ କିମ୍ବା ଯଦି ଲିଙ୍ଗ ନିର୍ଦ୍ଧାରିତ ହୋଇସାରିଛି, ତାହେଲେ ଆମେ ଏହାକୁ ରୂପାନ୍ତରିତ ପୁରୁଷ କିମ୍ବା ନାରୀ କହିଥାଉ। ଏହା ଏକ ସୁନ୍ଦର ଶବ୍ଦ। ତା’ଛଡ଼ା ଲେସବିୟାନ ବା ସମଲିଙ୍ଗିଙ୍କ ପାଇଁ ଆଉ ଏକ ଶବ୍ଦ ଅଛି ତାହା ହେଲା - ସମୋକାମୀ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମ ପାଖରେ କୌଣସି ମାନକ ଶବ୍ଦ ନାହିଁ ଯାହା ସମଲିଙ୍ଗି ଲୋକଙ୍କ ସମ୍ମାନ ବଜାୟ ରଖୁଥିବ, ସେଥିପାଇଁ ଆମେ ସାଧାରଣତଃ ଟ୍ରାନ୍ସଲିଟରେସନ ବା ଇଂରାଜୀ ଶବ୍ଦକୁ ନିଜ ଭାଷାରେ ସମାନ ଲେଖିଦେଉ।

ରାଜସଙ୍ଗୀତାନ: ମୁଁ ଆଉ ଏକ କାହାଣୀ ବିଷୟରେ ଚିନ୍ତା କରୁଛି ଯାହାକି କୋଭିଡ-୧୯ ସମୟରେ ଯୌନ କର୍ମୀଙ୍କ ଉପରେ ଆଧାରିତ ଥିଲା। ଏହାକୁ ପଢ଼ି ମୁଁ ବେଶ୍‌ ପ୍ରଭାବିତ ହୋଇଥିଲି। ଯେତେବେଳେ ଦୁନିଆ ଏକ ବ୍ୟବସ୍ଥିତ ଅହଂକାର ଏବଂ ଗରିବଙ୍କ ପ୍ରତି ଉଦାସୀନତାକୁ ନେଇ ଏହି ନୂଆ ରୋଗର ମୁକାବିଲା କରୁଥିଲା, ସାଧାରଣ ଭାରତୀୟଙ୍କ ସମସ୍ୟା ଅନେକ ଗୁଣ ବଢ଼ିଯାଇଥିଲା। ଏପରି ସମୟରେ ସ୍ୱଚ୍ଛଳ ବର୍ଗର ଲୋକମାନଙ୍କ ପାଇଁ ମଧ୍ୟ ଜୀବନ କଠିନ ଥିଲା, ସମାଜର ଅବହେଳିତ ବର୍ଗର ଲୋକଙ୍କ ପ୍ରତି ଧ୍ୟାନ ଦେବାକୁ କିଏ ଥିଲା? କାମାଠିପୁରା ଉପରେ ଆକାଂକ୍ଷାଙ୍କ ଲେଖା ଆମକୁ ସେହି ଲୋକଙ୍କ ଯନ୍ତ୍ରଣାର ସାମ୍ନା କରିବା ପାଇଁ ବାଧ୍ୟ କରିଥିଲା ଯେଉଁମାନେ ପୂର୍ବରୁ କେବେ ବି ଆମ ଚେତନା ଭିତରେ ପ୍ରବେଶ କରିନଥିଲେ।

ଅଣନିଃଶ୍ୱାସୀ କରି ଦେଉଥିବା ସେମାନଙ୍କର ସେହି ଛୋଟ ଘର ଯେଉଁଠି ସେମାନେ ରହୁଥିଲେ ଓ ଗ୍ରାହକମାନଙ୍କୁ ସ୍ୱାଗତ କରୁଥିଲେ, ସେଠାରେ ପିଲାମାନଙ୍କୁ ରଖିବାକୁ ପଡ଼ିଲା। କାରଣ ଦେଶବ୍ୟାପୀ ଲକଡାଉନ କାରଣରୁ ସ୍କୁଲ୍‌ ବନ୍ଦ ହେବା ଫଳରେ ପିଲାମାନେ ଘରକୁ ଫେରି ଆସିଥିଲେ। ଏହି ନୂଆ ପରିସ୍ଥିତି ପରିବାରରେ ଥିବା ପିଲାମାନଙ୍କ ପାଇଁ କ’ଣ କରିଥିଲା? ଜଣେ ଯୌନକର୍ମୀ ଓ ମା’ ରୂପରେ ପ୍ରୀୟା ନିଜର ଭାବନା ଓ ଅସ୍ତିତ୍ୱର ସଂଘର୍ଷ ମଧ୍ୟରେ ଫସି ଯାଇଥିଲେ। ତାଙ୍କ ପୁଅ ବିକ୍ରମ ସେମାନଙ୍କ ଅସ୍ତିତ୍ୱ ଚାରିପାଖରେ ଘେରି ରହିଥିବା ନିରାଶା ମଧ୍ୟରେ ଜୀବନର ଅର୍ଥ ଖୋଜିବା ପାଇଁ ସଂଘର୍ଷ କରୁଥିଲା ।

ଏ କାହାଣୀରେ ପରିବାର, ପ୍ରେମ, ଆଶା, ଖୁସି ଓ ଭରଣପୋଷଣକୁ ନେଇ ରହିଥିବା ବିଚାର ଆଶ୍ଚର୍ଯ୍ୟଜନକ ରୂପ ନେଇଥାଏ। ତେବେ ଏହାଠାରୁ ଆହୁରି ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହା ସମାନ ସାମାଜିକ ଅର୍ଥଗୁଡ଼ିକୁ ବଜାୟ ରଖିଥାଏ। ମୁଁ ଯେତେବେଳେ ଏହି କାହାଣୀକୁ ଅନୁବାଦ କଲି, ସେତେବେଳେ ଆଶା ବିରୋଧରେ ଆଶା ପାଇଁ ସବୁ ମଣିଷଙ୍କ ଆନ୍ତରିକ ଅନ୍ୱେଷଣକୁ ହୃଦୟଙ୍ଗମ କରିପାରିଥିଲି।

ସୁଧାମୟୀ: ଏହାଠାରୁ ଅଧିକ ମୁଁ ଆଉ ସହମତ ହୋଇପାରିବି ନାହିଁ। ଏଲଜିବିଟିକ୍ୟୁଆଇଏ+ ମାନଙ୍କର କାହାଣୀ ଅନୁବାଦ କରିବା ପୂର୍ବରୁ ସେମାନଙ୍କ ସମାଜ ବିଷୟରେ ମୋର କୌଣସି ଜ୍ଞାନ ନଥିଲା। ସତ କହିବାକୁ ଗଲେ, ଏହି ଲୋକ ଓ ବିଷୟକୁ ନେଇ ମୁଁ ଭୟ କରୁଥିଲି। କିନ୍ନରମାନଙ୍କୁ ରାସ୍ତାରେ, ଟ୍ରାଫିକ୍‌ ସିଗ୍ନାଲ ପାଖରେ ଦେଖିବା ବେଳେ କିମ୍ବା ସେମାନେ ଆମ ଘରକୁ ଆସିବା ସମୟରେ, ମୁଁ ସେମାନଙ୍କୁ ଚାହିଁବା ପାଇଁ ସୁଦ୍ଧା ଭୟ କରୁଥିଲି। ସେମାନେ ଏକପ୍ରକାର ଅସ୍ୱାଭାବିକ ଆଚରଣ କରନ୍ତି ବୋଲି ମୁଁ ଭାବୁଥିଲି।

ଏହି ସମାଜର କାହାଣୀ ଅନୁବାଦ କରିବା ସମୟରେ ମୁଁ ଏ ବିଷୟରେ ଜାଣିଥିବା ଲୋକଙ୍କୁ ଖୋଜିଥିଲି ଯିଏକି ଶବ୍ଦାବଳୀ ସହିତ ନ୍ୟାୟ କରିପାରିବେ । ସେସବୁ କାହାଣୀ ପଢ଼ିବା, ବୁଝିବା ଏବଂ ତା’ପରେ ସମ୍ପାଦନା କରିବାର ପ୍ରକ୍ରିୟାରେ ମୁଁ ଅଧିକ ଜ୍ଞାନ ହାସଲ କଲି ଏବଂ ତୃତୀୟଲିଙ୍ଗୀଙ୍କ ପ୍ରତି ରହିଥିବା ମୋର ଭୟ ଦୂର ହୋଇଥିଲା। ଏବେ ମୁଁ ସେମାନଙ୍କୁ ଯେଉଁଠି ଓ ଯେତେବେଳେ ଦେଖେ, ସେମାନଙ୍କ ସହିତ ଅତି ଆନନ୍ଦରେ କଥା ହୋଇଥାଏ।

ମୁଁ ଏତିକି କହିବି, ଅନୁବାଦ ହେଉଛି ପୂର୍ବାଗ୍ରହ ଦୂର କରିବା ଏବଂ ଆଗକୁ ବଢ଼ିବାର ଏକ ଉପାୟ।

PHOTO • Labani Jangi

ପ୍ରଣତୀ : ଆମେ ଅନେକ ସାଂସ୍କୃତିକ କାହାଣୀର ଅନୁବାଦ କରିଛୁ । ସେସବୁ ବିଷୟରେ ମୋତେ ଲାଗିଲା ଯେ, ବିଭିନ୍ନ ସାଂସ୍କୃତିକ ଉତ୍ସରୁ ଆସୁଥିବା ବିଷୟବସ୍ତୁକୁ ଧ୍ୟାନର ସହକାରେ ପଢ଼ି ଅନୁବାଦ କଲେ ବିବିଧ ସାଂସ୍କୃତିକ ପ୍ରଥା ବିଷୟରେ ଜାଣିବା ଲାଗି ଜଣେ ଅନୁବାଦକ ପାଇଁ ଯଥେଷ୍ଟ ସୁଯୋଗ ରହିଛି । କୌଣସି ବିଷୟବସ୍ତୁର ସାଂସ୍କୃତିକ ସୂକ୍ଷ୍ମତାକୁ ମୂଳ ଭାଷାରେ ବୁଝିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ଭାରତ ଭଳି ବ୍ରିଟିଶ ଉପନିବେଶବାଦ ଥିବା ଦେଶରେ, ଇଂରାଜୀ ଯୋଗାଯୋଗର ଭାଷା ପାଲଟିଛି। ବେଳେବେଳେ ଆମେ ଲୋକଙ୍କ ମୂଳ ଭାଷା ଜାଣିନଥାଉ ଏବଂ କାମ ପାଇଁ ଇଂରାଜୀ ଉପରେ ନିର୍ଭର କରିଥାଉ। କିନ୍ତୁ ଜଣେ ବିବେକୀ ଅନୁବାଦକ, ତତ୍ପରତାପୂର୍ବକ ଓ ଧୈର୍ଯ୍ୟର ସହିତ ଅନୁବାଦ କରି ବିଭିନ୍ନ ସାଂସ୍କୃତିକ ପ୍ରଥା, ଇତିହାସ ଓ ଭାଷା ଶିଖିବା ସହିତ ଭଲ ପରିଣାମ ଦେଇପାରିବ ।

ରାଜୀବ : ମୁଁ ଯେତେ ଧୈର୍ଯ୍ୟଶୀଳ ହୋଇଥାଏ ପଛେ, ବେଳେବେଳେ ମୁଁ ମୋ ଭାଷାରେ ଏକ ସମକକ୍ଷ ଶବ୍ଦ ପାଇବାରେ ବିଫଳ ହୋଇଥାଏ। ବିଶେଷ କରି ନିର୍ଦ୍ଦିଷ୍ଟ ବେଉସା ସହ ଜଡ଼ିତ କାହାଣୀ ଅନୁବାଦ କରିବା ସମୟରେ ଏଭଳି ହୋଇଥାଏ। ସେହି ଜଟିଳ ପ୍ରକ୍ରିୟାର ବିସ୍ତାର ଦ୍ୱାରା ଉପକରଣ ଏବଂ ସମସ୍ତଙ୍କ ପାଇଁ ସଠିକ ନାମ ସହିତ ବର୍ଣ୍ଣନା କରିବା ଏକ ଆହ୍ୱାନ। କାଶ୍ମୀର ବୁଣାକାରଙ୍କ ବିଷୟରେ ଉଫାକ୍‌ ଫାତିମାଙ୍କ କାହାଣୀରେ ମୋତେ ଚରଖାନା ଚଷମ-ଇ-ବୁଲବୁଲ ଭଳି ବୁଣା ପ୍ୟାଟର୍ଣ୍ଣ ନାମକୁ ଅନୁବାଦ କରିବା ପାଇଁ କଷ୍ଟ ହୋଇଥିଲା। ମାଲାୟଲମରେ କୌଣସି ସମାନ ଅର୍ଥବୋଧକ ଶବ୍ଦ ନଥିଲା, ସେଥିପାଇଁ ମୁଁ କେତେକ ବର୍ଣ୍ଣନାତ୍ମକ ବାକ୍ୟାଂଶ ଉପଯୋଗ କରିବା ଆରମ୍ଭ କରିଦେଲି। ଏପରିକି ପଟ୍ଟୁ ଶବ୍ଦ ମଧ୍ୟ ରୋଚକ ଥିଲା। କାଶ୍ମୀରରେ, ଏହାର ଅର୍ଥ ଥିଲା ବୁଣା ହୋଇଥିବା ଉଲ୍‌ କପଡ଼ା, ଅନ୍ୟପଟେ ମାଲାୟଲମରେ ପଟ୍ଟୁ ର ଅର୍ଥ ହେଉଛି ରେଶମ କପଡ଼ା।

କମର : ଊର୍ଦ୍ଦୁରେ ମଧ୍ୟ ଶବ୍ଦାବଳୀ ଏକ ଦୁର୍ବଳ ଦିଗ ହୋଇଥାଏ, ବିଶେଷ କରି ଜଳବାୟୁ ପରିବର୍ତ୍ତନ ଏବଂ ମହିଳା ପ୍ରଜନନ ଅଧିକାର ଉପରେ ପରୀ କାହାଣୀଗୁଡ଼ିକର ଅନୁବାଦ ସମୟରେ ଏପରି ସମସ୍ୟା ଦେଖାଦିଏ। ହିନ୍ଦୀ କଥା ସାମାନ୍ୟ ଅଲଗା। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଭାଷା; ଏହାକୁ ରାଜ୍ୟ ସରକାରଙ୍କଠାରୁ ସମର୍ଥନ ମିଳୁଛି। ସେମାନଙ୍କ ପାଖରେ ଏହାର ସମର୍ପିତ ପ୍ରତିଷ୍ଠାନ ରହିଛି । ସେଥିପାଇଁ ଭାଷାରେ ଦ୍ରୁତଗତିରେ ନୂଆ ଶବ୍ଦଗୁଡ଼ିକ ଆସିଥାଏ, ଅନ୍ୟପଟେ ଊର୍ଦ୍ଦୁରେ ଆମେ ଅନୁବାଦରେ ଅନେକ କଥା ପାଇଁ ଇଂରାଜୀ ଶବ୍ଦର ଉପଯୋଗ କରିବା ଜାରି ରଖିଥାଉ।

ଏକଦା ଊର୍ଦ୍ଦୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଦିଲ୍ଲୀ କଲେଜ ଏବଂ ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ଊର୍ଦ୍ଦୁ ଗ୍ରନ୍ଥର ଅନୁବାଦ କରିବା ଲାଗି ପ୍ରସିଦ୍ଧ ଥିଲେ ବୋଲି ଇତିହାସରେ ଲିପିବଦ୍ଧ ରହିଛି। କଲିକତାରେ ଥିବା ଫୋର୍ଟ ୱିଲିୟମ କଲେଜର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ବ୍ରିଟିଶ ଅଧିକାରୀମାନଙ୍କୁ ଭାରତୀୟ ଭାଷାରେ ପ୍ରଶିକ୍ଷିତ କରିବା, ଅନୁବାଦ କରାଇବା। ଆଜି ସେ ସବୁ ଅନୁଷ୍ଠାନ ମୃତପ୍ରାୟ। ଆମେ ଊର୍ଦ୍ଦୁ ଓ ହିନ୍ଦୀ ମଧ୍ୟରେ ବିବାଦ ଦେଖିଛୁ ଯାହା ୧୯୪୭ ପରେ ମଧ୍ୟ ଜାରି ରହିଥିଲା ଏବଂ ଊର୍ଦ୍ଦୁ ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇ ରହିଗଲା।

PHOTO • Labani Jangi

କମଲଜିତ୍‌ : ବିଭାଜନ କାରଣରୁ ଭାଷାଗତ ବିଭେଦ ଦେଖା ଦେଲା ବୋଲି ଆପଣ ଭାବୁଛନ୍ତି କି? ମୋ ମତରେ ଲୋକମାନଙ୍କ ମଧ୍ୟରେ ବିଭାଜନକାରୀ ମାନସିକତା ରହିଛି କିନ୍ତୁ ଭାଷା କେବେ ବିଭାଜନକାରୀ ହୋଇପାରିବ ନାହିଁ ।

କମର : ଏପରି ଏକ ସମୟ ଥିଲା ଯେତେବେଳେ ସାରା ଦେଶରେ ଊର୍ଦ୍ଦୁ ଭାଷା ପ୍ରଚଳିତ ଥିଲା। ଦକ୍ଷିଣରେ ମଧ୍ୟ ଏହି ଭାଷାର ଉପସ୍ଥିତି ଥିଲା। ସେମାନେ ଏହାକୁ ଦଖନୀ (ବା ଡେକାନୀ) ଊର୍ଦ୍ଦୁ କହୁଥିଲେ। ଊର୍ଦ୍ଦୁ ଭାଷାର କେତେଜଣ ଲେଖକ ଥିଲେ ଏବଂ ସେମାନଙ୍କ ଲେଖା ଶାସ୍ତ୍ରୀୟ ଊର୍ଦ୍ଦୁ ପାଠ୍ୟକ୍ରମର ଅଂଶବିଶେଷ ଥିଲା। କିନ୍ତୁ ମୁସଲିମ ଶାସନ ଶେଷ ହେବା ସହିତ ସେସବୁର ପରିସମାପ୍ତ ଘଟିଲା। ତେବେ ଆମେ ହିନ୍ଦୀ ଭାଷାଭାଷୀ ଅଞ୍ଚଳ ବୋଲି କହୁଥିବା ଆଧୁନିକ ଭାରତର ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଊର୍ଦ୍ଦୁ ବଞ୍ଚି ରହିଥିଲା।

ଏଠାକାର ବିଦ୍ୟାଳୟରେ ଲୋକମାନଙ୍କୁ ଊର୍ଦ୍ଦୁ ଶିକ୍ଷା ଦିଆଯାଉଛି । ଆଉ ଏହାର ହିନ୍ଦୁ ଓ ମୁସଲିମଙ୍କ ସହ କୌଣସି ସମ୍ପର୍କ ନାହିଁ । ମୁଁ ଏପରି କିଛି ହିନ୍ଦୁ ଲୋକଙ୍କୁ ଭେଟିଛି, ବରିଷ୍ଠ ଲୋକ ଯେଉଁମାନେ ଗଣମାଧ୍ୟମରେ କାମ କରୁଛନ୍ତି, ସେମାନେ ଊର୍ଦ୍ଦୁ ଜାଣିଥିବା ମୋତେ କୁହନ୍ତି । ସେମାନେ ପିଲାଦିନେ ନିଜ ବିଦ୍ୟାଳୟରେ ଊର୍ଦ୍ଦୁ ପଢ଼ିଛନ୍ତି । କିନ୍ତୁ ଏବେ ସେମାନେ ଊର୍ଦ୍ଦୁ ପଢ଼ାଉନାହାନ୍ତି । ଯଦି ଆପଣ ଗୋଟିଏ ଭାଷା ଶିଖାଇବେ ନାହିଁ ତାହା ତିଷ୍ଠି ରହିବ କିପରି?

ପୂର୍ବରୁ ଊର୍ଦ୍ଦୁ ପଢ଼ିଲେ ଜଣେ ବ୍ୟକ୍ତିଙ୍କୁ ଚାକିରି ମିଳୁଥିଲା, କିନ୍ତୁ ଏବେ ନାହିଁ । କିଛି ବର୍ଷ ପୂର୍ବରୁ କେତେକ ସମ୍ବାଦପତ୍ର ଓ ଊର୍ଦ୍ଦୁ ଗଣମାଧ୍ୟମ ପାଇଁ ଲେଖିବା ଲୋକ ଥିଲେ। କିନ୍ତୁ ୨୦୧୪ ପରେ ସମ୍ବାଦପତ୍ର ବନ୍ଦ ହୋଇଗଲା କାରଣ ସେମାନଙ୍କ ମିଳୁଥିବା ପାଣ୍ଠିକୁ ବନ୍ଦ କରି ଦିଆଗଲା। ଲୋକମାନେ ଏହି ଭାଷାରେ କଥା ହେଉଛନ୍ତି କିନ୍ତୁ ଏ ଭାଷାକୁ ପଢ଼ାଇବା ଓ ଲେଖିବା ଲୋକଙ୍କ ସଂଖ୍ୟା ନାଟକୀୟ ଢଙ୍ଗରେ ହ୍ରାସ ପାଉଛି ।

ଦେବେଶ : ଏହା ଭାଷା ଓ ରାଜନୀତିର ଏକ ବାସ୍ତବ ଓ ଦୁଃଖଦ କାହାଣୀ, କମର ଦା । କିନ୍ତୁ ଆପଣ ଏଠାରେ ଅନୁବାଦ କରୁଥିବା କାହାଣୀକୁ ପଢ଼ୁଛି କିଏ? ଆପଣଙ୍କ କାମର ଅର୍ଥ କ’ଣ ଆପଣ ଦେଖିପାରୁଛନ୍ତି?

କମର : ମୁଁ ପରୀରେ ଯୋଗ ଦେବାର ତୁରନ୍ତ ପରେ ଆୟୋଜିତ ଏହାର ବାର୍ଷିକ ବୈଠକରେ ମୁଁ ତାହା କହିଥିଲି। ଏଠାରେ ଥିବା ଲୋକମାନେ ମୋ ଭାଷାକୁ ସଂରକ୍ଷିତ ରଖିବା ଲାଗି ଆଗ୍ରହୀ ବୋଲି ମୁଁ ଅନୁଭବ କରିପାରିଥିଲି। ଏହି କାରଣରୁ ମୁଁ ଆଜି ବି ପରୀ ସହ ଅଛି । କେବଳ ଊର୍ଦ୍ଦୁ ନୁହେଁ, ବରଂ ଏହି ଆର୍କାଇଭ୍‌ ବିଲୁପ୍ତି ଓ ନିଶ୍ଚିହ୍ନ ହେବାର ଦ୍ୱାର ଦେଶରେ ଥିବା ପ୍ରତ୍ୟେକ ଲୁପ୍ତପ୍ରାୟ ଭାଷାର ସୁରକ୍ଷା ପାଇଁ ସଂକଳ୍ପବଦ୍ଧ।

ପରୀ ଭାଷା ଟିମ୍‌ - ଦେବେଶ (ହିନ୍ଦୀ), ଯୋଶୁଆ ବୋଧିନେତ୍ର (ବଙ୍ଗଳା), କମଲଜିତ କୌର (ପଞ୍ଜାବୀ), ମେଧା କାଲେ (ମରାଠୀ), ମହମ୍ମଦ କମର ତବ୍ରେଜ୍‌(ଊର୍ଦ୍ଦୁ), ନିର୍ମଳ କୁମାର ସାହୁ (ଛତିଶଗଡ଼ୀ), ପଙ୍କଜ ଦାସ (ଅହମୀୟା), ପ୍ରଣତୀ ପରିଡ଼ା (ଓଡ଼ିଆ), ପ୍ରତିଷ୍ଠା ପାଣ୍ଡ୍ୟା (ଗୁଜରାଟୀ), ରାଜସଙ୍ଗୀତା ନ (ତାମିଲ), ରାଜୀବ ଚେଲନାତ (ମାଲାୟଲମ), ସ୍ମିତା ଖାଟୋର (ବଙ୍ଗଳା), ସ୍ୱର୍ଣ୍ଣ କାନ୍ତା (ଭୋଜପୁରୀ), ଶଙ୍କର ଏନ. କିଞ୍ଚାନୁରୁ (କନ୍ନଡ଼) ଏବଂ ସୁଧାମୟୀ ସାତ୍ତେନାପଲ୍ଲୀ (ତେଲୁଗୁ)ଙ୍କ ଦ୍ୱାରା ଏହି ଲେଖା ପ୍ରସ୍ତୁତ ହୋଇଛି। ସ୍ମିତା ଖାଟୋର, ମେଧା କାଲେ, ଯୋଶୁଆ ବୋଧିନେତ୍ର ସମ୍ପାଦକୀୟ ସହାୟତାରେ ପ୍ରତିଷ୍ଠା ପାଣ୍ଡ୍ୟା ଏହାର ସମ୍ପାଦନା କରିଛନ୍ତି । ଫଟୋ ସମ୍ପାଦନା: ବିନାଇଫର ଭରୁଚା।

ଅନୁବାଦ: ଓଡ଼ିଶାଲାଇଭ୍‍

PARIBhasha Team

PARIBhasha is our unique Indian languages programme that supports reporting in and translation of PARI stories in many Indian languages. Translation plays a pivotal role in the journey of every single story in PARI. Our team of editors, translators and volunteers represent the diverse linguistic and cultural landscape of the country and also ensure that the stories return and belong to the people from whom they come.

Other stories by PARIBhasha Team
Illustrations : Labani Jangi

Labani Jangi is a 2020 PARI Fellow, and a self-taught painter based in West Bengal's Nadia district. She is working towards a PhD on labour migrations at the Centre for Studies in Social Sciences, Kolkata.

Other stories by Labani Jangi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE