“ଏଇ ନିଅ ତୁମର ଉପହାର,” ଗୁମଲା ଜିଲ୍ଲା ତେତ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ ଟେରେସା ଲାକ୍ରାଙ୍କୁ ଏହା କହିଲେ ସେଠାକାର ‘ହିତାଧିକାରୀ କମିଟି’ ସଦସ୍ୟ ବିହାରୀ ଲାକ୍ରା। ଏବଂ ତାଙ୍କ ହାତରେ ଗୁଞ୍ଜି ଦେଲେ ୫,୦୦୦ ଟଙ୍କା। ‘ଉପହାର’ ରୂପରେ ନଗଦ ୫,୦୦୦ ଟଙ୍କା ଥାଇପାରେ ବୋଲି ଟେରେସାଙ୍କର ଆଦୌ ଧାରଣା ନଥିଲା। ନା ସତରେ ତାଙ୍କୁ ସେହି ଟଙ୍କା ମିଳିଲା - କାରଣ, ଠିକ୍‌ ସେହି ମୁହୂର୍ତ୍ତରେ, ରାଞ୍ଚିରୁ ଯାଇଥିବା ଦୁର୍ନୀତି ନିରୋଧକ ବ୍ୟୁରୋ (ACB)ର ଏକ ଟିମ୍‌ ସରପଞ୍ଚଙ୍କୁ ଘେରିଗଲେ ଏବଂ ‘ବେଆଇନ ପାରିତୋଷିକ’ ଦାବି କରିବା ବା ଲାଞ୍ଚ ମାଗିବା ଅପରାଧରେ ଦୁର୍ନୀତି ନିବାରଣ ଆଇନ-୧୯୮୮ ଅନୁସାରେ ତାଙ୍କୁ ଗିରଫ କଲେ।

ଏହି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭାଙ୍ଗି ପଡ଼ିଲେ ଓରାଓଁ ଆଦିବାସୀ ସଂପ୍ରଦାୟର ୪୮ ବର୍ଷୀୟା ଟେରେସା, ଏବଂ ଯେଉଁ ବ୍ଲକ୍‌ରେ ତାଙ୍କ ପଞ୍ଚାୟତ ରହିଛି, ଝାଡ଼ଖଣ୍ଡର ସେହି ବସିଆ ବ୍ଲକ୍‌ର ୮୦,୦୦୦ରୁ ଅଧିକ ଲୋକଙ୍କୁ ଏହା ମର୍ମାହତ କଲା। କେହି ଜଣେ ହେଲେ ଏ କଥା ଭାବିଲେନି ଯେ, ୫,୦୦୦ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ଜଣଙ୍କୁ ଗିରଫ କରିବା ପାଇଁ ଦୁର୍ନୀତି ନିରୋଧକ ବ୍ୟୁରୋର ଏକ ଟିମ୍‌ ରାଞ୍ଚିରୁ ଏଠାକୁ, ପାଖାପାଖି ୧୦୦ କିଲୋମିଟର ଦୂରକୁ କାହିଁକି ଆସିଲା - ମୋତେ ସେଠାକୁ ଯିବା ପାଇଁ ଗୋଟିଏ ବଡ଼ କାର୍‌ରେ- ଏସ୍‌ୟୁଭିରେ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଗଲା। ଅବଶ୍ୟ, ଯେଉଁ ବିଚାରପତିଙ୍କ ସମ୍ମୁଖରେ ତାଙ୍କୁ ପେଶ୍‌ କରାଯାଇଥିଲା, ସେ ମଧ୍ୟ ଏ ସଂପର୍କରେ ସ୍ପଷ୍ଟ ମନ୍ତବ୍ୟ ଦେଇଥିଲେ। ହୁଏତ କାର୍‌ରେ ଦୁର୍ନୀତି ନିରୋଧକ ବ୍ୟୁରୋ ଟିମ୍‌ର ଯିବା ଆସିବାରେ ପ୍ରାୟ ପାଞ୍ଚ ଘଣ୍ଟା ଲାଗିଥିବ ଏବଂ କେବଳ ସେହି ବାବଦରେ ହିଁ ଜବତ ଅର୍ଥ ପରିମାଣର ଅଧା ଖର୍ଚ୍ଚ କରିବାକୁ ପଡ଼ିଥିବ- ତା ଛଡ଼ା ଅନ୍ୟାନ୍ୟ ଖର୍ଚ୍ଚ ବି ଅଛି।

ଟେରେସାଙ୍କୁ ଘଟଣାସ୍ଥଳକୁ, ଅର୍ଥାତ୍‌ ବସିଆ ବ୍ଲକ୍‌ର ପଞ୍ଚାୟତ ଅଫିସ୍‌କୁ, ତାଙ୍କ ସହଯୋଗୀ ଗ୍ରାମ ପଞ୍ଚାୟତ ସଦସ୍ୟମାନେ ନେଇ ଯାଇଥିଲେ ସୁଦ୍ଧା ଏହା କାହାରିକୁ ଆଶ୍ଚର୍ଯ୍ୟଜନକ ମନେ ହୋଇ ନଥିଲା। ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିମାନେ ହିଁ ତାଙ୍କ ବିରୋଧରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହା ବି କମ୍‌ କୌତୁହଳର କଥା ନୁହେଁ ଯେ, ଟେରେସାଙ୍କୁ ଗିରଫ କରିଥିବା ଟିମ୍‌ ତାଙ୍କୁ, ଟେରେସାଙ୍କ କହିବା ଅନୁସାରେ, “ସେମାନେ ମୋତେ ବସିଆ ଥାନାକୁ ନେଇ ନଥିଲେ”- ଯାହା କି ବ୍ଲକ୍‌ ପଞ୍ଚାୟତ କାର୍ଯ୍ୟାଳୟର ଠିକ୍‌ ସାମନାରେ ଅବସ୍ଥିତ। ନାଟକର ଏହି ଦୃଶ୍ୟଠାରୁ ମାତ୍ର କେଇ ମିଟର ଦୂରରେ। ତା ବଦଳରେ “ସେମାନେ ମୋତେ ଗାଡ଼ିରେ ବସାଇ ୧୦-୧୫ କିଲୋମିଟର ଦୂର କାମଦରା ବ୍ଲକ୍‌ର ଏକ ଥାନାକୁ ନେଇଗଲେ।”

ତାହା ଥିଲା ୨୦୧୭, ଜୁନ୍‌ ମାସ ପାଖାପାଖି ସମୟର ଘଟଣା।

ପଛକଥାକୁ ମନେ ପକାଇ, ୧୨ଶ ଶ୍ରେଣୀ ପାସ୍‌ କରିଥିବା ଏହି ମହିଳା ଜଣକ ଏବେ ତାହାର କାରଣ ବୁଝି ପାରନ୍ତି, “ବସିଆ ଥାନାରେ, ସମସ୍ତେ ମୋତେ ଜାଣନ୍ତି। ସେମାନେ ସମସ୍ତେ ଜାଣନ୍ତି ଯେ ମୁଁ ଅପରାଧୀ ନୁହେଁ।” ପରବର୍ତ୍ତୀ ସମୟରେ, ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତରେ ତାଙ୍କ ମାମଲାର ଶୁଣାଣି ଆରମ୍ଭ ହେଲା।

Teresa Lakra, sarpanch of the Tetra gram panchayat in Gumla district of Jharkhand
PHOTO • P. Sainath

ଟେରେସା ଲାକ୍ରା, ଝାଡ଼ଖଣ୍ଡର ଗୁମଲା ଜିଲ୍ଲା ଅନ୍ତର୍ଗତ ତେତ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ

ଜାମିନରେ ମୁକୁଳିବା ପୂର୍ବରୁ, ଦୁଇ ମାସ ୧୨ ଦିନ କାଳ ଜେଲ୍‌ରେ କାଟିଲେ ଟେରେସା ଲାକ୍ରା। ଗିରଫ ହେବାର ତିନି ଦିନ ମଧ୍ୟରେ ତାଙ୍କୁ ତାଙ୍କ ସରପଞ୍ଚ (ଝାଡ଼ଖଣ୍ଡରେ ‘ମୁଖିଆ’ କୁହାଯାଏ) ପଦବୀରୁ ନିଲମ୍ବନ କରାଗଲା। ପଞ୍ଚାୟତର ସମସ୍ତ କ୍ଷମତା ତାଙ୍କ ସହକାରୀଙ୍କ ହାତକୁ ଚାଲିଗଲା। ସେ ହେଉଛନ୍ତି ସେହି ଉପ ସରପଞ୍ଚ ଗୋବିନ୍ଦ ବଡ଼ାଇକ, ଯିଏ କି ଫୋନ୍‌ କରି ତାଙ୍କୁ ତୁରନ୍ତ ବସିଆ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ବାରମ୍ବାର କହି ଚାଲିଥିଲେ।

ଏବଂ ସେ ଜେଲ୍‌ରେ ଥିବା ସମୟରେ ଅନେକ ଲିଜ୍‌ ଓ ଠିକା ସଂପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ ଓ ହସ୍ତାନ୍ତରିତ ହୋଇଥିଲା। ହେଲେ ସେ ସବୁ କେଉଁ କାମ ସମ୍ବନ୍ଧିତ, ତାହା ସ୍ପଷ୍ଟ ହୋଇନାହିଁ।

*****

ଏହି ନାଟକ ଏବଂ ତାଙ୍କ ଗିରଫଦାରି ଯୋଗୁଁ ଟେରେସା, ତାଙ୍କ ସ୍ୱାମୀ ଓ ଦୁଇ ସନ୍ତାନ- ଦୁଇ ଜଣ ଯାକ ଝିଅ, ଖୁବ୍‌ ମାନସିକ ଯନ୍ତ୍ରଣା ଭୋଗିଲେ। ସେ ଆମକୁ କହିଲେ, “ବଡ଼ ଝିଅ ସରିତା ୨୫ ବର୍ଷର ଏବଂ ସେ ବିବାହିତା। ସେ ୧୨ଶ ଶ୍ରେଣୀ ଯାଏ ପଢ଼ିଥିଲା।” ସାନଝିଅ, ଆଞ୍ଜେଲାର ବୟସ ୧୮। ସେ ଏବେ ୧୨ଶ ଶ୍ରେଣୀରେ ପଢୁଛି ଏବଂ ଆହୁରି ଆଗକୁ ପଢ଼ିବା ଲାଗି ମନ କରିଛି। ଟେରେସାଙ୍କ ପରିବାରର ଏକମାତ୍ର ସଦସ୍ୟ, ଯିଏ କଲେଜ ଯାଏ ଯାଇପାରିଛନ୍ତି, ସେ ହେଲେ ତାଙ୍କ ସ୍ୱାମୀ ରାଜେଶ ଲାକ୍ରା। ହେଲେ, ବାଣିଜ୍ୟରେ ସ୍ନାତକ ଯୋଗ୍ୟତା ସତ୍ତ୍ୱେ ସେ ଓ ଟେରେସା ସହରକୁ ଚାଲିଯିବା ବଦଳରେ ତେତ୍ରା ଗାଁରେ ରହି ଚାଷବାସ କରିବାକୁ ସ୍ଥିର କରିଥିଲେ।

ସରପଞ୍ଚ ପଦବୀରୁ ବହିଷ୍କାର ଏବଂ ଜେଲ୍‌ରେ ରହିବା ଘଟଣାରୁ ଖୁବ୍‌ ମାନସିକ ଆଘାତ ପାଇଥିଲେ ହେଁ ପଦଚ୍ୟୁତ ମୁଖିଆ ଜଣକ ହାର ମାନିବାକୁ ପ୍ରସ୍ତୁତ ନଥିଲେ। ସେ କହନ୍ତି, “ମୁଁ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି, ମୁଁ ଖୁବ୍‌ ଦୁଃଖିତ ହୋଇଥିଲି।” କିନ୍ତୁ ଜେଲରୁ ବାହାରି ଆସିବା ପରେ ଟେରେସା ତାଙ୍କ ବିରୋଧରେ ସଂଘଟିତ ଚକ୍ରାନ୍ତର ମୁକାବିଲା କରିବାକୁ ସ୍ଥିର କଲେ।”

ତେତ୍ରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସେହି ଏକା ନାଁର ଗାଁରେ ସେ ମତେ କହିଲେ, “ମୁଁ ମୋ ପଦବୀରୁ ବହିଷ୍କାର ବିରୋଧରେ ଲଢ଼େଇ କଲି। ଏହା ବେଆଇନ ଭାବେ କରାଯାଇଥିଲା।” ତାଙ୍କୁ ବହିଷ୍କାର କରାଯିବା ସମୟରେ ଅଦାଲତଙ୍କ ରାୟ ତ ଦୂରର କଥା, ଶୁଣାଣି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ନଥିଲା। ଟେରେସା ରାଜ୍ୟ ନିର୍ବାଚନ କମିସନ(SEC)ଙ୍କ ପାଖରେ ଆପତ୍ତି କଲେ ଏବଂ ବେଆଇନ ଭାବେ ପଦବୀରୁ ବହିଷ୍କାର ପ୍ରସଙ୍ଗରେ ରାଞ୍ଚିର ଅମଲାତନ୍ତ୍ର ସହ ମୁହାଁମୁହିଁ ମୁକାବିଲା କଲେ।

ଟେରେସା କହନ୍ତି, “ଏଇ କେତେ ମାସ ଭିତରେ ମୁଁ ୧୨-୧୪ ଥର ରାଞ୍ଚି ଯାଇଛି ଏବଂ ସେଠାରେ ରାଜ୍ୟ ନିର୍ବାଚନ କମିସନ ଏବଂ ଅନ୍ୟାନ୍ୟ ଅଫିସ୍‌କୁ ଯାଇଛି।” ଏଥର ବି, ସବୁଥର ଭଳି ବିଳମ୍ବିତ ହେଲେ ସୁଦ୍ଧା, ନ୍ୟାୟ ମିଳିଛି। ତାଙ୍କ ଦୁଃଖଦ ପ୍ରକରଣର ଗୋଟିଏ ଦିଗରେ ହେଉ ପଛକେ। ବର୍ଷକରୁ କିଛି ଅଧିକ ସମୟ ଲାଗିଗଲା ସତ, କିନ୍ତୁ ତାଙ୍କୁ ମୁଖିଆ ପଦବୀରେ ପୁନଃ ଅବସ୍ଥାପିତ କରିବା ଲାଗି ନିର୍ଦ୍ଦେଶ ଦିଆଗଲା। ଏବଂ ସେ ଜେଲ୍‌ରେ ଥିବା ସମୟରେ ମନମୁଖୀ କ୍ଷମତାର ଉପଯୋଗ କରିଥିବା ଉପ ସରପଞ୍ଚ ଗୋବିନ୍ଦ ବଡ଼ାଇକ ପୁଣି ନିଜ ସୀମା ଭିତରକୁ ଫେରିଗଲେ।

ଏହି ମାମଲା ବାବଦ ସମସ୍ତ ଖର୍ଚ୍ଚର ବୋଝ ସେହି ପରିବାରକୁ ବୋହିବାକୁ ପଡ଼ିଲା ଯାହାର ବର୍ଷା ଉପରେ ନିର୍ଭରଶୀଳ ପାଞ୍ଚ ଏକର ଚାଷ ଜମିରୁ ବାର୍ଷିକ ଆୟ ୨ ଲକ୍ଷ ଟଙ୍କାରୁ ଅଧିକ ନୁହେଁ। ଏହି ଜମିରେ ସେମାନେ ଧାନ, ମାଣ୍ଡିଆ, ବିରି ଡାଲି ଚାଷ କରି ବଜାରରେ ବିକ୍ରି କରନ୍ତି। ଏବଂ ନିଜ ଘରେ ବ୍ୟବହାର କରିବା ଲାଗି ଚିନାବାଦାମ, ମକା, ଆଳୁ ଏବଂ ପିଆଜ ଚାଷ କରନ୍ତି।

Lakra has fought the bribery allegations with her own limited resources.
PHOTO • P. Sainath
Lakra has fought the bribery allegations with her own limited resources. With her are other women (right) from Tetra village, gathered at the village middle school building
PHOTO • Purusottam Thakur

ଲାକ୍ରା ନିଜର ସୀମିତ ସମ୍ବଳରେ ଲାଞ୍ଚ ଅଭିଯୋଗ ମାମଲାରେ ଲଢ଼େଇ କରିଛନ୍ତି। ଗାଁର ମାଧ୍ୟମିକ ଵିଦ୍ୟାଳୟ ଭବନ ରେ ତାଙ୍କ ସହିତ ଏକତ୍ର ହୋଇଛନ୍ତି (ଡାହାଣ) ତେତ୍ରା ଗାଁର ଅନ୍ୟ ମହିଳାମାନେ

ଅପରନ୍ତୁ, ବେଆଇନ ଭାବେ ତାଙ୍କୁ ପଦବୀରୁ ବହିଷ୍କାର କରାଯିବାର ବର୍ଷକରୁ ଅଧିକ ସମୟ ପରେ ରାଜ୍ୟ ନିର୍ବାଚନ କମିସନଙ୍କ ପାଖରୁ ସେ ପାଇଥିବା ନିର୍ଦ୍ଦେଶନାମା ହିଁ ତାଙ୍କର ବିଜୟ ସଦୃଶ ଥିଲା।

ଛୋଟିଆ ହସଟିଏ ହସି ଟେରେସା କହନ୍ତି, “ଏହି ନିର୍ଦ୍ଦେଶନାମା ମୁତାବକ ବସିଆର ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ତୁରନ୍ତ କାର୍ଯ୍ୟ କରିଥିଲେ ଏବଂ ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶର ଗୋଟିଏ ସପ୍ତାହ ଭିତରେ ମୁଁ ପୁଣି ମୁଖିଆ ପଦବୀରେ ଅବସ୍ଥାପିତ ହୋଇଥିଲି।” ତାହା ଥିଲା ପାଖାପାଖି ୨୦୧୮ ସେପ୍‌ଟେମ୍ବର ମାସର ଘଟଣା।

ବାସ୍ତବରେ ଦେଖିବାକୁ ଗଲେ ଷଡ଼ଯନ୍ତ୍ରରୁ ବର୍ତ୍ତି ଯାଇଥିବା ଏହି ମହିଳା ଜଣକ ସର୍ବମୋଟ ପାଖାପାଖି ସାତ ବର୍ଷ ଧରି ମୁଖିଆ ପଦବୀରେ ରହିଲେ। ତାଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ସରିବାକୁ ଯାଉଥିବା ସମୟରେ କୋଭିଡ୍‌-୧୯ ବିଶ୍ୱ ମହାମାରୀ ବ୍ୟାପିବା ଆରମ୍ଭ କରିଥିଲା। ବିଶ୍ୱ ମହାମାରୀ ଯୋଗୁଁ ପଞ୍ଚାୟତ ନିର୍ବାଚନ ସ୍ଥଗିତ ରହିବା କାରଣରୁ, ତେତ୍ରା ପଞ୍ଚାୟତର ପ୍ରାୟ ୫,୦୦୦ ଲୋକଙ୍କ ମୁଖିଆ ପଦବୀରେ ତାଙ୍କର କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବଢ଼ି ଯାଇଥିଲା। ଏଣିକି ସରକାରୀ ରେକର୍ଡରେ ଦର୍ଶାଯିବ ଯେ ସାତ ବର୍ଷ ପାଇଁ ସେ ମୁଖିଆ ପଦବୀରେ ରହିଥିଲେ ଏବଂ ସେଥିରେ ଯେଉଁ ଗୋଟିଏ ବର୍ଷ ପାଇଁ ସେ ରାଜନୈତିକ ମାୟାଜାଲରେ ଛନ୍ଦି ହୋଇଥିଲେ, ସେହି ବର୍ଷକୁ ବି ସାମିଲ କରାଯିବ।

ସାରା ପଞ୍ଚାୟତର ଲୋକେ ଜାଣିଛନ୍ତି ଯେ ଟେରେସା ଜଣେ ଠିକାଦାର ଯାଚିଥିବା ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେଇ ନଥିଲେ। ତାଙ୍କ ପଞ୍ଚାୟତର ସୋଲଙ୍ଗବିଡ଼ା ଗାଁରେ ଥିବା ଏକ ଛୋଟ ପାହାଡ଼କୁ ଲିଜ୍‌ରେ ନେବାକୁ ଏବଂ ସେଥିରୁ ପଥର ଖଣ୍ଡ ସଂଗ୍ରହ କରି ତାହାକୁ ନଷ୍ଟ କରିବା ଲାଗି ଏହି ଠିକାଦାର ଚାହୁଁଥିଲେ। କିନ୍ତୁ ୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା।

*****

ଟେରେସାଙ୍କ ଗିରଫଦାରିର ଢଙ୍ଗକୁ ନେଇ ଅନେକ ରହସ୍ୟପୂର୍ଣ୍ଣ ପ୍ରଶ୍ନର ଉତ୍ତର ଏ ପର୍ଯ୍ୟନ୍ତ ମିଳିନାହିଁ। ପୂର୍ବରୁ ସ୍ଥିରୀକୃତ ଯୋଜନା ନଥିଲେ, ଲାଞ୍ଚ ଦେବାକୁ ଆସିଥିବା ଜଣେ ବ୍ୟକ୍ତି ସର୍ବସାଧାରଣ ସ୍ଥାନରେ କାହିଁକି ଟଙ୍କା ଦେବ ? ସେ ପଚାରନ୍ତି, ଅନ୍ୟ ଏକ ସ୍ଥାନରେ ସେ କାମରେ ବ୍ୟସ୍ତ ଥିବା ସମୟରେ, ଉପ ସରପଞ୍ଚ ଗୋବିନ୍ଦ ବଡ଼ାଇକଙ୍କ ସମେତ ତାଙ୍କ ସହଯୋଗୀ ପଞ୍ଚାୟତ ସଦସ୍ୟମାନେ କାହିଁକି ତାଙ୍କୁ ବାରମ୍ବାର ଫୋନ୍‌ କରି ତୁରନ୍ତ ବ୍ଲକ୍‌ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ କହୁଥିଲେ ?

ଆଉ, କେଉଁଥି ପାଇଁ ‘ଲାଞ୍ଚ’ ଦିଆଯାଇଥିଲା?

ଟେରେସା କହନ୍ତି, “ଏଠାକାର ଏହି ଅଙ୍ଗନବାଡ଼ି (ଗ୍ରାମାଞ୍ଚଳରେ ମାଆ ଓ ଶିଶୁଙ୍କ ସେବାଯତ୍ନ କେନ୍ଦ୍ର)ର ଅବସ୍ଥା ଅତି ଖରାପ। ଏଥିପାଇଁ ପାଣ୍ଠିବରାଦ କରାଯାଇଥିବା ମୁଁ ଜାଣିଲି। ମୁଁ ଏହାର ମରାମତି କରାଇଲି।” ଏଭଳି ଅନେକ କ୍ଷେତ୍ର ଭଳି, ଏହି ଅଙ୍ଗନବାଡ଼ି ମରାମତି ପ୍ରକଳ୍ପ କ୍ଷେତ୍ରରେ ମଧ୍ୟ ଏକ ‘ହିତାଧିକାରୀ କମିଟି’ ଗଠିତ ହେଲା। “ଏହି ବିହାରୀ ଲାକ୍ରା ସେହି କମିଟିର ଜଣେ ସଦସ୍ୟ ଥିଲେ। କାମ ସଂପୂର୍ଣ୍ଣ ହେବା ପରେ ଆହୁରି ୮୦,୦୦୦ ଟଙ୍କା ବଳକା ରହିଥିଲା ଏବଂ ସେ ଆମକୁ ଏହି ଟଙ୍କା ଫେରାଇ ଦେବା କଥା। ମୋତେ ବସିଆ ବ୍ଲକ୍‌ ପଞ୍ଚାୟତ ଅଫିସ୍‌କୁ ତୁରନ୍ତ ଆସିବା ଲାଗି ଗୋବିନ୍ଦ ବଡ଼ାଇକ ଫୋନ୍‌ କରିବାରେ ଲାଗିଥିଲେ। ଏବଂ ମୁଁ ସେଠାକୁ ଯାଇଥିଲି।”

ବଳକା ଟଙ୍କା ତେତ୍ରା ଗ୍ରାମ ପଞ୍ଚାୟତରେ ଫେରସ୍ତ ଦେବା ପରିବର୍ତ୍ତେ ବସିଆ ବ୍ଲକ୍‌ ଅଫିସ୍‌ରେ ଫେରସ୍ତ ଦେବାର କୌଣସି କାରଣ ନଥିଲା। ଅଧିକନ୍ତୁ, ବିହାରୀ ଲାକ୍ରା ତାଙ୍କ ପାଖକୁ ଆସିବା ବେଳକୁ ସେ ଅଫିସ୍‌ ଭିତରେ ପଶି ହିଁ ନଥିଲେ। ଠିକ୍‌ ସେହି ସମୟରେ ତାଙ୍କ ହାତରେ ୫,୦୦୦ ଟଙ୍କା ଗୁଞ୍ଜି ଦେବାର ନାଟକ ମଞ୍ଚସ୍ଥ ହେଲା - ନୋଟ୍‌ ଉପରେ ତାଙ୍କ ଆଙ୍ଗୁଠି ଛାପ ନେବାକୁ ପୂର୍ବରୁ ବ୍ୟବସ୍ଥା କରାଯାଇଥିଲା। ଏବଂ ସେହି ସମୟରୁ ହିଁ ଆରମ୍ଭ ହେଲା ଟେରେସାଙ୍କ ଦୁଃସ୍ୱପ୍ନ।

Teresa is known across the panchayat for having turned down a 10-lakh-rupee bribe from a big contractor seeking to lease and destroy a nearby hillock in Solangbira village in her panchayat for rock chips
PHOTO • Purusottam Thakur

ପଥର ଖଣ୍ଡ ଭାଙ୍ଗିବା ପାଇଁ ତାଙ୍କ ପଞ୍ଚାୟତର ସୋଲଙ୍ଗବିଡ଼ା ଗାଁର ଏକ ଛୋଟ ପାହାଡ଼କୁ ଲିଜ୍‌ରେ ନେଇ ନଷ୍ଟ କରିବାକୁ ଚାହୁଁଥିବା ଜଣେ ବଡ଼ ଠିକାଦାର ତାଙ୍କୁ ଯାଚିଥିବା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାକୁ ଟେରେସା ମନା କରିଦେଇଥିଲେ ବୋଲି ସାରା ପଞ୍ଚାୟତର ଲୋକେ ଜାଣନ୍ତି

ଯାହାହେଉ, ସମ୍ଭବତଃ ସେହି ‘ଲାଞ୍ଚ’ ମାମଲାରୁ ଆଉ ଗୋଟିଏ ମାମଲାକୁ ବାଟ ଫିଟିଥିଲା - ଯେଉଁଥିରେ ଲାଞ୍ଚ ନିଆଯାଇ ନଥିଲା।

ଜଣେ ବଡ଼ ଠିକାଦାରଙ୍କ ପାଖରୁ ବିପୁଳ ପରିମାଣର ଟଙ୍କା ଲାଞ୍ଚ ନ ନେବା କାରଣରୁ ହିଁ ତାଙ୍କୁ ଫସାଇ ଦିଆଗଲା ବୋଲି ଟେରେସା ମନେ କରନ୍ତି। ଏ ପ୍ରସଙ୍ଗରେ ବେଶ୍ ପ୍ରଗଳ୍‌ଭତାର ସହିତ ସେ ତାଙ୍କ ସହଯୋଗୀ ପଞ୍ଚାୟତ ସଦସ୍ୟମାନଙ୍କୁ ଖୋଲାଖୋଲି ସମାଲୋଚନା କରନ୍ତି। ବୋଧହୁଏ, ଜଣେ ଜାତୀୟସ୍ତରରେ ଖୁବ୍‌ ପ୍ରଭାବଶାଳୀ ରାଜନେତାଙ୍କ ସହିତ ସେହି ଠିକାଦାରଙ୍କର ସଂପର୍କ ଥିବା କାରଣରୁ ସେହି ପ୍ରସଙ୍ଗରେ ଅଧିକ କିଛି କହିବା ବେଳେ ସେ ସତର୍କ ହୋଇଉଠନ୍ତି।

ଟେରେସା କହନ୍ତି, “ସେଇଟା ଗୋଟିଏ ବଡ଼ ପ୍ରକଳ୍ପ ଥିଲା, ସେଥିରେ ରାସ୍ତା ତିଆରି ଆଉ ଅନ୍ୟାନ୍ୟ କାମ ବି ସାମିଲ ଥିଲା। ସେମାନେ ଆମ ଅଞ୍ଚଳର ସେହି ଛୋଟିଆ ପାହାଡ଼କୁ ଭାଙ୍ଗି ଗୋଡ଼ି ତିଆରି କରୁଥିଲେ ଏବଂ ଏହା ବିରୋଧରେ ମୁଁ ଲୋକଙ୍କୁ ସଂଗଠିତ କରାଇଲି। ଅନ୍ୟଥା, ସେମାନେ ସେହି ଛୋଟ ପାହାଡ଼ଟିକୁ ପୂରା ଭାଙ୍ଗି ଦେଇଥାଆନ୍ତେ। ଏହାକୁ ମୁଁ ଛାଡ଼ି ଦେଇ ପାରି ନଥାଆନ୍ତି।” ଥରେ ତ ସେମାନେ ତାଙ୍କ ପାଖକୁ ଆସି ଗୋଟିଏ କାଗଜ ଦେଖାଇଲେ ଏବଂ ଗ୍ରାମ ସଭାରେ ଏହି କାମକୁ ଅନୁମୋଦନ ମିଳିଛି ବୋଲି ଦାବି କଲେ।

ଅଳ୍ପ ହସି ସେ କହିଲେ, “ସେଥିରେ ବହୁତ ଲୋକଙ୍କ ଦସ୍ତଖତ ଥିଲା, ତା’ ଭିତରେ ଏମିତି ଲୋକ ବି ଥିଲେ ଯେଉଁମାନେ ନିରକ୍ଷର ଏବଂ ନିଜ ନାଁ ଲେଖି ଜାଣିନାହାନ୍ତି।” ଏଥିରେ ପୂରା ଜାଲିଆତି ହୋଇଥିଲା। କିନ୍ତୁ ଆମେ ଆଶ୍ଚର୍ଯ୍ୟ ହେଲୁ। ବିନା ମୁଖିଆରେ ସେମାନେ ଗ୍ରାମସଭା ବୈଠକ କେମିତି କରିପାରିଲେ ? ସେ ନିଜେ ବୈଠକ ଡାକିବା କଥା ନୁହେଁ କି ?

ସେହି ସମୟରେ ହିଁ ଏ ଅଞ୍ଚଳର ଜଣେ ସାମାଜିକ କର୍ମୀ ସନ୍ନି ମୋର ମନେ ପକାଇ ଦେଲେ ଯେ ଆମେ PESA ଅଞ୍ଚଳରେ ରହୁଛୁ। ତା’ ହେଉଛି, ଅଧିସୂଚିତ ଅଞ୍ଚଳକୁ ପଞ୍ଚାୟତ ସଂପ୍ରସାରଣ ଆଇନ, ୧୯୯୬। ସନ୍ନି ସୂଚାଇ ଦେଲେ, “ଏଥିରେ, ଗାଁର ପାରମ୍ପରିକ ମୁଖିଆ ବି ଗ୍ରାମସଭା ଡକାଇ ପାରିବେ।” ଯାହା ହେଲେ ବି ସେହି କାଗଜକୁ ଜାଲ୍‌ ବୋଲି କହି ଟେରେସା ତାହାକୁ ପ୍ରତ୍ୟାଖ୍ୟାନ କଲେ।

ତା’ ପରେ ପରେ ପ୍ରକୃତରେ ତାଙ୍କୁ ଲାଞ୍ଚ ଯଚାଗଲା - ୧୦ ଲକ୍ଷ ଟଙ୍କାର ଲାଞ୍ଚ ଯାଚିଥିଲେ ବଡ଼ ଠିକାଦାରଙ୍କ ପାଖ ଲୋକମାନେ। ଯାହାକୁ ଟେରେସା ସିଧାସଳଖ ମନା କରିଦେଲେ, ଏମିତି ଉପାୟରେ ତାଙ୍କୁ କିଣି ପାରିବେ ବୋଲି ସେମାନେ କେମିତି ଭାବିଲେ ବୋଲି କହି ସେମାନଙ୍କୁ ଅପମାନିତ କଲେ।

ଆଉ ୩-୪ ମାସ ପରେ, ଏହି ‘ଲାଞ୍ଚ’ ଯାଚିବା ଚକ୍ରାନ୍ତ କାର୍ଯ୍ୟକାରୀ ହେଲା। ପରିଶେଷରେ, ଠିକାଦାର ଯେଉଁ ଦୁଇଟି ଛୋଟ ପାହାଡ଼କୁ ନେବାକୁ ଚାହୁଁଥିଲେ ସେଥିରୁ ଗୋଟିଏ ତାଙ୍କ ଅକ୍ତିଆରକୁ ଚାଲିଗଲା।

କୌତୁହଳର କଥା ଯେ, ଉପହାର ବାବଦରେ କୌଣସି ସାଧାରଣ ଏବଂ ପାରମ୍ପରିକ ସାମଗ୍ରୀ ଦିଆଯାଇଥିଲେ ସେ ତାକୁ ଗ୍ରହଣ କରିବାକୁ ମନା କରିଥାଆନ୍ତେ ବୋଲି ଟେରେସା ଥରେ ହେଲେ କହି ନଥିଲେ। ସେ କହନ୍ତି, “କେବେହେଲେ ମୁଁ ଟଙ୍କା ଚାହୁଁ ନଥିଲି। ଏମିତିକା ଏଠାକାର ସବୁ ପ୍ରକଳ୍ପ କାମରେ ଏଭଳି ଉପହାର ଦିଆନିଆ ହୋଇଥାଏ।” ଏକଦମ୍‌ ସଚ୍ଚୋଟ ଭାବରେ ସେ କହନ୍ତି, “ମୁଁ ବି ନେଇ ଥାଆନ୍ତି।” ଏମିତି କେବଳ ଝାଡ଼ଖଣ୍ଡରେ ହୁଏନି, ବରଂ ସର୍ବତ୍ର ଏଭଳି କାରବାରରେ ଉପହାର ଦିଆନିଆ ସାମିଲ ହୋଇଥାଏ।  ଉପହାରର ପ୍ରକାର ଅଲଗା ଅଲଗା ହୋଇପାରେ, କିନ୍ତୁ ଦେଶର ସବୁ ରାଜ୍ୟରେ ଏହି ରୀତି ପ୍ରଚଳିତ। ଅବଶ୍ୟ ଏକଥା ସତ ଯେ, ଏମିତି କେତେଜଣ ମୁଖିଆ ଓ ପଞ୍ଚାୟତ ସଦସ୍ୟ ଅଛନ୍ତି, ଯେଉଁମାନେ କୌଣସି ପ୍ରକାର ଉପହାର ନିଅନ୍ତି ନାହିଁ। କିନ୍ତୁ ଏହି ଧାରା ସବୁ କ୍ଷେତ୍ରରେ ଅନୁସୃତ ହୁଏନାହିଁ।

ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଥିବା ଗୋଷ୍ଠୀ ସହିତ ପାଲଟା ଲଢ଼େଇ ସତ୍ତ୍ୱେ ଟେରେସା ଲାକ୍ରାଙ୍କ ସମସ୍ୟା ଏଯାବତ ଶେଷ ହୋଇନାହିଁ। ତାଙ୍କୁ ଫସାଇବା ଉଦ୍ୟମର ଛଅ ବର୍ଷ ପରେ ବି ଅଦାଲତରେ ମକଦ୍ଦମା ଚାଲିଛି ଏବଂ ଏଥିରେ ତାଙ୍କର ଶକ୍ତି ଓ ସମ୍ବଳର ଅଯଥା ବରବାଦ ହେଉଛି। ତାଙ୍କର ସହାୟତା ଦରକାର, ହେଲେ କେଉଁଠାରୁ ଯେ ସହାୟତାର ପ୍ରସ୍ତାବ ଆସୁଛି ସେ ସଂପର୍କରେ ବି ସେ ସାବଧାନ ରହିବା ଦରକାର।

ଉପହାରବାଲା ଠିକାଦାରଙ୍କ ପ୍ରତି ସତର୍କ ରହିବାକୁ ହେବ ବୋଲି ସେ ଶିଖିଯାଇଛନ୍ତି।


ପ୍ରଛଦ ଫଟୋ: ପୁରୁଷୋତ୍ତମ ଠାକୁର

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Photographs : Purusottam Thakur

Purusottam Thakur is a 2015 PARI Fellow. He is a journalist and documentary filmmaker and is working with the Azim Premji Foundation, writing stories for social change.

Other stories by Purusottam Thakur
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE