ଅଗଷ୍ଟ ମାସର ଏକ କୁହୁଡ଼ିପୂର୍ଣ୍ଣ ସକାଳେ ନିଜ ଘରୁ ଦିନ ମଜୁରିଆ ଭାବେ କାମ କରୁଥିବା ରତ୍ନବା ଏସ୍‌. ହରିଜନ କ୍ଷେତକୁ ଦ୍ରୁତ ଗତିରେ ଚାଲିକରି ଯିବା ସମୟରେ କୁହନ୍ତି,"ମୁଁ ଜନ୍ମ ହେବାଠାରୁ ଏହି ପରି ଚଲିଛି; ମୁଁ ଏଠାରେ ଦିନମଜୁରିଆ ଭାବରେ କାମ କରିଆସୁଛି"। ଅଳ୍ପ ନଇଁ କରି ଦ୍ରୁତଗତିରେ ଚାଲିକରି ଯିବା ସମୟରେ ତାଙ୍କର  ଛୋଟେଇ ହୋଇ ଚାଲିବା ଲୁଚିଯାଏ ଯାହାକି ତାଙ୍କର ପିଲାଦିନରୁ ରହି ଆସିଛି।

ଚାଷ ଜମିରେ ପହଁଚିବା ପରେ, ସେ ନିଜ ସହିତ ନେଇଥିବା କାର୍ଯ୍ୟ ପୋଷାକ ବାହାର କରିଦିଅନ୍ତି। ପ୍ରଥମେ, ସେ ନିଜ ଶାଢି ଉପରେ ଏକ ନୀଳ ରଙ୍ଗର ସାର୍ଟ ପିନ୍ଧନ୍ତି ଏବଂ ତା’ପରେ ପରାଗ ରେଣୁ କଣିକାରୁ ରକ୍ଷା ପାଇବା ପାଇଁ ଅଣ୍ଟାରେ ଏକ ଲମ୍ବା, ହଳଦିଆ ପ୍ରିଣ୍ଟେଡ୍‍ ନାଇଟି ଗୁଡ଼ାଇ ଦିଅନ୍ତି। ଏହା ଉପରେ, ସେ ଏକ ଛିଣ୍ଡା ନୀଳ ସିଫନ୍ କପଡ଼ାକୁ ଥଳି ସଦୃଶ ବାନ୍ଧି, ଭେଣ୍ଡି ଗଛର କିଛି ଗାଣ୍ଡୁ ହୁଭୁ ('ପୁରୁଷ ଫୁଲ') ସଂଗ୍ରହ କରନ୍ତି। ନିଜ ମୁଣ୍ଡରେ ଏକ ଧଳା ଟାୱେଲ ବାନ୍ଧି ୪୫ ବର୍ଷୀୟା ରତ୍ନବା ବାମ ହାତରେ ଏକ ସୂତା ବଣ୍ଡଲ ଧରି କାମ ଆରମ୍ଭ କରନ୍ତି।

ସେ ଗୋଟିଏ ଫୁଲ ଧରନ୍ତି ଏବଂ ଧୀରେ ଧୀରେ ପାଖୁଡ଼ାକୁ ବଙ୍କା କରି ପୁରୁଷ ଫୁଲରୁ ପରାଗରେଣୁକୁ ପ୍ରତ୍ୟେକ ଫଳିକାଶୀର୍ଷରେ ସ୍ପର୍ଶ କରାନ୍ତି। ସେ ଏହାର ଚାରିପାଖରେ ଏକ ସୂତା ବାନ୍ଧି ପରାଗଣ ଫଳିକାକୁ ଚିହ୍ନିତ କରନ୍ତି। ନଇଁକରି ସେ ଚାଷ ଜମିରେ ଥିବା ଭେଣ୍ଡି ଗଛ ଧାଡ଼ିର ପ୍ରତ୍ୟେକ ଫୁଲରେ ପରାଗ ସଂଗମ କରାନ୍ତି। ସେ ହାତ-ପରାଗ ସଂଗମରେ ପାରଙ୍ଗମ - ସେ ପିଲାଦିନରୁ ଏହି କାମ କରୁଛନ୍ତି।

ରତ୍ନବା କର୍ଣ୍ଣାଟକର ମାଡ଼ିଗା ସମ୍ପ୍ରଦାୟର ଏକ ଦଳିତ ଜାତିର ଅଟନ୍ତି। ସେ କର୍ଣ୍ଣାଟକର ହାଭେରୀ ଜିଲ୍ଲାର ରାନିବେନୁର ତାଲୁକାର କୋଣାନାଟାଲି ଗାଁର ମାଡ଼ିଗାରାକେରୀ (ମାଡିଗା କ୍ୱାର୍ଟର୍) ରେ ରୁହନ୍ତି।

Ratnavva S. Harijan picks the gandu hoovu (' male flower') from the pouch tied to her waist to pollinate the okra flowers. She gently spreads the pollen from the male cone to the stigma and ties the flower with a thread held in her left hand to mark the pollinated stigma
PHOTO • S. Senthalir
Ratnavva S. Harijan picks the gandu hoovu (' male flower') from the pouch tied to her waist to pollinate the okra flowers. She gently spreads the pollen from the male cone to the stigma and ties the flower with a thread held in her left hand to mark the pollinated stigma
PHOTO • S. Senthalir

ରତ୍ନବା ଏସ୍ ହରିଜନ ଭେଣ୍ଡି ଫୁଲର ପରାଗ ସଂଗମ କରିବା ପାଇଁ ଅଣ୍ଟାରେ ବନ୍ଧା ହୋଇଥିବା ଥଳିରୁ ଗାଣ୍ଡୁ ହୁଭୁ ('ପୁରୁଷ ଫୁଲ') ବାଛନ୍ତି। ସେ ଧୀରେ ଧୀରେ ପୁରୁଷ ଫୁଲରୁ ପରାଗରେଣୁ ଫଳିକାଶୀର୍ଷରେ ସ୍ପର୍ଶ କରାନ୍ତି ଏବଂ ପରାଗଣ ହୋଇଥିବା ଫୁଲକୁ ଚିହ୍ନିବା ପାଇଁ ବାମ ହାତରେ ଧରିଥିବା ସୂତା ଖଣ୍ଡେରେ ସେହି ଫୁଲକୁ ବାନ୍ଧିଥାନ୍ତି

ତାଙ୍କର ରୁଟିନ୍ ପ୍ରତ୍ୟେକ ଦିନ ଭୋର ୪ ଟାରୁ ଆରମ୍ଭ ହୁଏ। ସେ ଘରର କାମ ସମାପ୍ତ କରନ୍ତି, ନିଜ ପରିବାରକୁ ଜଳଖିଆ ଏବଂ ଚା ଦିଅନ୍ତି, ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି ଏବଂ ଶୀଘ୍ର ଖାଇବା ସାରି ସକାଳ ୯ ଟାରେ ଫାର୍ମକୁ ବାହାରିଯାଆନ୍ତି।

ତାଙ୍କ ଦିନର ପ୍ରଥମାର୍ଦ୍ଧ ତିନି ଏକର ଜମିର ଅଧାରୁ ଅଧିକ ଅଂଶକୁ ପ୍ରାୟ ୨୦୦ ଭେଣ୍ଡି ଗଛର ପରାଗରେଣୁ ସଂଗ୍ରହ କରିବାରେ ବିତାଇଥାନ୍ତି। ସେ ମଧ୍ୟାହ୍ନରେ ଏକ କ୍ଷିପ୍ର ଅଧ ଘଣ୍ଟିଆ  ମଧ୍ୟାହ୍ନ ଭୋଜନ ବିରତି ନେଇ ଚାଷଜମିକୁ ଫେରି ଫୁଲ କଢ଼ର ପାଖୁଡ଼ାଗୁଡ଼ିକୁ ଛେଦନ କରି  ପରଦିନ ଏହାର ପରାଗ ସଂଗମ କରାଇବା ପାଇଁ ପ୍ରସ୍ତୁତ ରୁହନ୍ତି। ଏହି କାମ ପାଇଁ ଜମି ମାଲିକଙ୍କ ଦ୍ୱାରା ଦୈନିକ ମଜୁରୀ ୨୦୦ ଟଙ୍କା ସ୍ଥିର କରାଯାଇଛି।

ସେ ହାତ-ପରାଗ ସଂଗମର କୌଶଳଗୁଡ଼ିକ ଖୁବ୍ ଶୀଘ୍ର ଶିଖିଥିଲେ। ସେ କୁହନ୍ତି, "ଆମର ଜମି ନାହିଁ, ତେଣୁ ଆମେ ଅନ୍ୟମାନଙ୍କ ଜମିରେ କାମ କରୁଛୁ।" "ମୁଁ ସ୍କୁଲ ଯାଇ ନାହିଁ। ମୁଁ ଯୌବନାବସ୍ଥା ପାଇବା ପୂର୍ବରୁ ମଧ୍ୟ କାମ କରିବା ଆରମ୍ଭ କରିଥିଲି। ତୁମେ ଦେଖୁଛ ଆମେ ଗରିବ, ତେଣୁ ଆମକୁ ଏହା କରିବାକୁ ପଡିଲା। ସେତେବେଳେ ମୁଁ ଘାସଗୁଡ଼ିକୁ ବାଛୁଥିଲି ଓ ଟମାଟୋ ଫସଲର ପରାଗ ସଂଗମ କରୁଥିଲି। ” ସେ କ୍ରସ୍ ଏବଂ କ୍ରସିଂ ଶବ୍ଦକୁ ହାତରେ ଫୁଲର ପରାଗ ସଂଗମ କାର୍ଯ୍ୟକୁ ସୂଚାଇବା ପାଇଁ ବ୍ୟବହାର କରନ୍ତି।

ରତ୍ନବା ରାନୀବେନୁର ତାଲୁକାର ତିରୁମାଲାଦେବରାକୋପ୍ପା ଗ୍ରାମରେ ଭୂମିହୀନ କୃଷି ଶ୍ରମିକଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ। ହାଭେରୀରେ ସମୁଦାୟ ଶ୍ରମିକଙ୍କ ମଧ୍ୟରୁ ୪୨.୬ ପ୍ରତିଶତ କୃଷି ଶ୍ରମିକ ଅଟନ୍ତି। ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରାୟ ୭୦ ପ୍ରତିଶତ ମହିଳା ଶ୍ରମିକ (ଜନଗଣନା ୨୦୧୧) ଅଟନ୍ତି। ରତ୍ନବାଙ୍କ ପାଇଁ ଯୁବତୀ ଅବସ୍ଥାରୁ କାମ ଆରମ୍ଭ କରିବା ଅସ୍ୱାଭାବିକ ନଥିଲା।

ଆଠ ଜଣ ପିଲାଙ୍କ ମଧ୍ୟରେ ସବୁଠାରୁ ବଡ଼, ସେମାନଙ୍କ ମଧ୍ୟରୁ ଅଧିକାଂଶ ଝିଅ, ସେ କୋନନତାଲିର କୃଷି ଶ୍ରମିକ ସନ୍ନାଚୌଦପ୍ପା ଏମ ହରିଜନଙ୍କୁ ବିବାହ କରିଥିଲେ। ସେ କୁହନ୍ତି, "ମୋ ବାପା ଜଣେ ମଦ୍ୟପ ଥିଲେ, ତେଣୁ ମୁଁ ଯୌବନାବସ୍ଥାରେ ପହଞ୍ଚିବାର ଏକ ବର୍ଷ ମଧ୍ୟରେ ଶୀଘ୍ର ବିବାହ କରିଥିଲି। ମୁଁ ଜାଣେ ନାହିଁ ସେତେବେଳେ ମୋର ବୟସ କେତେ ଥିଲା।"

Left: Flowers that will be used for pollination are stored in a vessel. Right: Ratnavva pollinates the stigmas of about 200 okra plants within the first half of the day
PHOTO • S. Senthalir
Left: Flowers that will be used for pollination are stored in a vessel. Right: Ratnavva pollinates the stigmas of about 200 okra plants within the first half of the day
PHOTO • S. Senthalir

ବାମ: ପରାଗ ସଂଗମ ପାଇଁ ବ୍ୟବହୃତ ଫୁଲଗୁ ଡ଼ି କ ଏକ ପାତ୍ରରେ ଗଚ୍ଛିତ କରି ରଖାଯାଏ ଡାହାଣ: ରତ୍ନବା ଦିନର ପ୍ରଥମାର୍ଦ୍ଧରେ ପ୍ରାୟ ୨୦୦ ଭେଣ୍ଡି ଗଛର ପରାଗ ସଂଗମ କରାନ୍ତି

ତିରୁମାଲାଦେବରାକୋପ୍ପାରେ, ରତ୍ନବା ହାତରେ ଉଦ୍ଭିଦକୁ ପରାଗଣ କରିବା ପାଇଁ ଦିନ ପିଛା ୭୦ ଟଙ୍କା ରୋଜଗାର କରୁଥିଲେ। ଯେତେବେଳେ ସେ ୧୫ ବର୍ଷ ପୂର୍ବେ କୋନନତାଲିରେ କାମ କରିବା ଆରମ୍ଭ କରିଥିଲେ, ସେତେବେଳେ ମଜୁରୀ ଦିନକୁ ୧୦୦ ଟଙ୍କା ଥିଲା, ସେ କୁହନ୍ତି। "ସେମାନେ [ଜମିଦାରମାନେ] ଏହାକୁ ପ୍ରତିବର୍ଷ ଦଶ-ଦଶ ଟଙ୍କା ବୃଦ୍ଧି କରି ଚାଲିଥିଲେ ଏବଂ ବର୍ତ୍ତମାନ ମୁଁ ୨୦୦ ଟଙ୍କା ପାଉଛି।"

କୋନନତାଲିରେ ବିହନ ଉତ୍ପାଦନରେ ହାତ-ପରାଗ ସଂଗମ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା, ଯେଉଁଠାରେ ଭେଣ୍ଡି, ଟମାଟୋ, ଜହ୍ନି ଏବଂ କାକୁଡି ପରି ହାଇବ୍ରିଡ୍ କିସମର ପନିପରିବା ଚାଷ କରାଯାଏ। ଏହା ସାଧାରଣତଃ ମୌସୁମୀ ଏବଂ ଶୀତ ଋତୁରେ କରାଯାଏ। କପା ପରେ ପନିପରିବା ମଞ୍ଜି ଗାଁରେ ଉତ୍ପାଦିତ ହେଉଥିବା ପ୍ରମୁଖ କୃଷିଜାତ ଦ୍ରବ୍ୟ ଅଟେ, ଯେଉଁଠାରେ (ଜନଗଣନା ୨୦୧୧) ମୋଟ୍‍ ୫୬୮ ଏକର କ୍ଷେତ୍ରରେ ବୁଣାଯାଇଥାଏ। ଦେଶରେ ପନିପରିବା ବିହନ ଉତ୍ପାଦନରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଅଗ୍ରଣୀ ଅଟନ୍ତି ଏବଂ ଏଥିରେ ଘରୋଇ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

ହାତ-ପରାଗ ସଂଗମ ଅତ୍ୟନ୍ତ ପରିଶ୍ରମୀ ଓ କୁଶଳୀ ଶ୍ରମିକ ଆବଶ୍ୟକ କରିଥାଏ ଯେଉଁମାନେ କି ତୀକ୍ଷ୍ଣ ଦୃଷ୍ଟିଶକ୍ତିରେ, କ୍ଷିପ୍ର ହାତରେ, ଅପାର ଧୈର୍ଯ୍ୟ ଏବଂ ଏକାଗ୍ରତା ସହିତ ଫୁଲର ସର୍ବନିମ୍ନ ଅଂଶକୁ ଅତି ଯତ୍ନର ସହିତ ହାତରେ ଧରି କାର୍ଯ୍ୟ କରନ୍ତି। ଏହି କାର୍ଯ୍ୟ କରିବାକୁ ମହିଳାଙ୍କୁ ପୁରୁଷଙ୍କ ଅପେକ୍ଷା ଅଧିକ ପସନ୍ଦ କରାଯାଏ-ତେଣୁ ଏହି ଋତୁରେ ପଡୋଶୀ ଗ୍ରାମରୁ ମହିଳା କୃଷି ଶ୍ରମିକମାନଙ୍କୁ ଆଣିବା ପାଇଁ ଅଟୋରିକ୍ସା ଭଡ଼ାରେ ନିଯୁକ୍ତ କରାଯାଇଥାଏ।

ଯେ କୌଣସି ଦିନ, ରତ୍ନବା ଆମ୍ବିଗା ସମ୍ପ୍ରଦାୟର (ଅନ୍ୟ ପଛୁଆ ଶ୍ରେଣୀରେ ତାଲିକାଭୁକ୍ତ, କିମ୍ବା ଓବିସି, ବର୍ଗରେ ତାଲିକାଭୁକ୍ତ) ଜମି ମାଲିକ ପରମେଶାପ୍ପା ପାକିରାପ୍ପାଜଦାରଙ୍କ ଫାର୍ମରେ କାମ କରନ୍ତି, ଯାହାଙ୍କର ୧.୫ ଲକ୍ଷ ଟଙ୍କା ଋଣ ତାଙ୍କ ଉପରେ ରହିଛି। ସେ କହିଛନ୍ତି ଯେ ବିନା ସୁଧରେ ତାଙ୍କ ଠାରୁ ନେଇଥିବା ଋଣ ଟଙ୍କା ତାଙ୍କ କାମ ପାଇଁ ଅଗ୍ରୀମ ଦେୟ ଭାବରେ ବିବେଚନା କରାଯାଏ।

ସେ କୁହନ୍ତି, "ମୁଁ ବର୍ତ୍ତମାନ ନଗଦ ଟଙ୍କା ପାଉ ନାହିଁ। ଜମି ମାଲିକ ଲେଖି ରଖିଛନ୍ତି [କେତେ ଦିନ କାମ କରିଛି] ଏବଂ ଋଣ ପରିଶୋଧ ପାଇଁ ମୋର ମଜୁରୀ ରଖୁଛନ୍ତି। "ଆମେ ଚାଷ ଜମିରେ କାମ କରି ଆମର ଋଣ ପରିଶୋଧ କରୁ ଏବଂ ଯେତେବେଳେ ଆମର ଆବଶ୍ୟକ ହୁଏ ସେତେବେଳେ ପୁନର୍ବାର ଋଣ କରିଥାଉ। ତେଣୁ ଆମେ ଋଣ କରିବା ଏବଂ ପରିଶୋଧ କରିବା ଜାରି ରଖିଥାଉ। "

Left: Pollen powder is applied on the stigma of a tomato plant flower from a ring. Right : Ratnavva plucks the ‘crossed’ tomatoes, which will be harvested for the seeds
PHOTO • S. Senthalir
Left: Pollen powder is applied on the stigma of a tomato plant flower from a ring. Right : Ratnavva plucks the ‘crossed’ tomatoes, which will be harvested for the seeds
PHOTO • S. Senthalir

ବାମ: ଏକ ରିଙ୍ଗରୁ ଟମାଟୋ ଗଛ ଫୁଲର ଫଳିକଶୀର୍ଷ ଉପରେ ପରାଗରେଣୁ ପ୍ରୟୋଗ କରାଯାଏ ଡାହାଣ: ରତ୍ନବା ସଙ୍କର ଟମାଟୋଗୁ ଡ଼ି କୁ ତୋଳୁଛନ୍ତି ଯେଉଁଗୁ ଡ଼ି କ ମଞ୍ଜି ପାଇଁ ଅମଳ ହେଉଛି

ରତ୍ନବାଙ୍କ ପାଇଁ କଠିନ କାର୍ଯ୍ୟ ସମୟ ହେଉଛି ମୌସୁମୀ ଯାହା ଜୁଲାଇ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସମୟ ଅଟେ, ଯେତେବେଳେ ଭେଣ୍ଡି ଏବଂ କାକୁଡି ଗଛର ପରାଗ ସଂଗମ କରାଯାଏ। କାକୁଡ଼ିର ପରାଗ ସଂଗମ ପାଇଁ କୌଣସି ବିରତି ବିନା ଅତି କମ୍‌ରେ ଛଅ ଘଣ୍ଟା ପର୍ଯ୍ୟନ୍ତ ଏକ ଲୟରେ କାମ କରିବା ଆବଶ୍ୟକ ହୋଇଥାଏ। ଏବଂ ଭେଣ୍ଡି ଗଛରେ ତୀକ୍ଷ୍ଣ କଣ୍ଟା ରହିଥାଏ ଯାହା ଆଙ୍ଗୁଠିରେ କ୍ଷତ ସୃଷ୍ଟି କରିଥାଏ।

ଅଗଷ୍ଟ ମାସର ଯେଉଁ ଦିନ ମୁଁ ତାଙ୍କୁ ଭେଟିଥିଲି, ରତ୍ନବା ତାଙ୍କ ପୁଅର ନଖର ଏକ ଖଣ୍ଡକୁ ନିଜ ବୁଢ଼ା ଆଙ୍ଗୁଠିରେ ଅଠା ସାହାଯ୍ୟରେ ଲଗାଉଥିଲେ କାରଣ ସେ ଭେଣ୍ଡି ଗଛର ପାଖୁଡ଼ା ଗୁଡ଼ିକୁ ଛାଣିବା ପାଇଁ ଏକ ତୀକ୍ଷ୍ଣ ଧାର ଆବଶ୍ୟକ କରୁଥିଲେ। ସେ ପରମେଶପ୍ପାଙ୍କ ଫାର୍ମରୁ ଦୁଇ ଦିନିଆ ଛୁଟି ନେଇ ଅନ୍ୟ ଏକ ଫାର୍ମରେ ଅସୁସ୍ଥ ଥିବା ତାଙ୍କ ୧୮ ବର୍ଷର ପୁଅ, ଲୋକେଶର ଅନୁପସ୍ଥିତିରେ କାମ କରିବା ପାଇଁ ଯାଇଥିଲେ। ସେ ତାଙ୍କ ମା’ଙ୍କୁ ୩୦୦୦  ଟଙ୍କା ଋଣ ପରିଶୋଧ କରିବାରେ ସାହାଯ୍ୟ କରିବା ପାଇଁ କାମ ଆରମ୍ଭ କରିଥିଲେ। ଯେଉଁ ଋଣ ସେ ତାଙ୍କ କଲେଜରେ ଆଡମିଶନ ପାଇଁ ନେଇଥିଲେ।

ରତ୍ନବା ଯିଏକି ନିଜର ୬ ଜଣ ସଦସ୍ୟ ବିଶିଷ୍ଟ ପରିବାରର ସମ୍ପୂର୍ଣ୍ଣ ଆର୍ଥିକ ବୋଝ ବହନ କରନ୍ତି। ତାଙ୍କ ସ୍ୱାମୀ, ଶାଶୁ, ତିନି କଲେଜ ଯାଉଥିବା ପିଲା ଏବଂ ନିଜର ଦୈନନ୍ଦିନ ଖର୍ଚ୍ଚ ବହନ କରିବା ବ୍ୟତୀତ ସେ ନିଜ ଅସୁସ୍ଥ ସ୍ୱାମୀଙ୍କ ଅତ୍ୟଧିକ ଚିକିତ୍ସା ବିଲ୍ ଖର୍ଚ୍ଚ ମଧ୍ୟ ବହନ କରନ୍ତି।

କେବଳ ଅଗଷ୍ଟ ମାସରେ ସେ ନିଜ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ପାଇଁ ଜମିମାଲିକଙ୍କ ଠାରୁ ୨୨,୦୦୦ ଟଙ୍କା ଋଣ ନେଇଥିଲେ। ଜଣ୍ଡିସ ରୋଗ ପରେ ତାଙ୍କର ରକ୍ତାଣୁଚକ୍ରିକା ଗଣନା ବହୁତ ହ୍ରାସ ପାଇଥିଲା ଏବଂ ତାଙ୍କୁ ରକ୍ତଦାନ ପାଇଁ ନେବାକୁ ପଡ଼ିଲା। ଏହି ସୁବିଧା ଥିବା ନିକଟତମ ସରକାରୀ ଡାକ୍ତରଖାନା ସେମାନଙ୍କ ଗାଁଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ମାଙ୍ଗାଲୋରରେ ରହିଛି।

ଯେତେବେଳେ ସେ ଆବଶ୍ୟକ କରନ୍ତି ଜମି ମାଲିକ ତାଙ୍କୁ ଟଙ୍କା ଧାର ଦିଅନ୍ତି। ରତ୍ନବା କୁହନ୍ତି,  “ମୁଁ ଖାଦ୍ୟ, ଡାକ୍ତରଖାନା ଏବଂ ଦୈନନ୍ଦିନ ଆବଶ୍ୟକତା ପାଇଁ ଋଣ ନିଏ। ସେ ଆମର ସମସ୍ୟାକୁ ଟିକିଏ ବୁଝନ୍ତି ଏବଂ ଆମକୁ ଏତେ ଟଙ୍କା ଋଣ ଦିଅନ୍ତି। ମୁଁ କେବଳ ସେଠାକୁ [କାମ କରିବାକୁ] ଯାଏ, ଏବଂ ଅନ୍ୟ କେଉଁ ସ୍ଥାନକୁ ନୁହେଁ ”। “ମୁଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାଶି ଫେରସ୍ତ କରି ନାହିଁ। ମୁଁ ନିଜେ ଏକୁଟିଆ କେତେ ପରିଶୋଧ କରିପାରିବି?

Left: Ratnavva looks for flowers of the okra plants to pollinate them. Right: Her bright smile belies her physically strenuous labour over long hours
PHOTO • S. Senthalir
Left: Ratnavva looks for flowers of the okra plants to pollinate them. Right: Her bright smile belies her physically strenuous labour over long hours
PHOTO • S. Senthalir

ବାମ: ରତ୍ନବା ଭେଣ୍ଡି ଗଛଗୁ ଡ଼ି କର ଫୁଲଗୁ ଡ଼ି କୁ ପରାଗ ସଂଗମ କରିବା ପାଇଁ ଖୋଜନ୍ତି ଡାହାଣ: ତାଙ୍କର ଉଜ୍ଜ୍ୱଳ ହସ ଦୀର୍ଘ ଘଣ୍ଟା ଧରି ସେ କରୁଥିବା ଯନ୍ତ୍ରଣାଦାୟକ ଶାରୀରିକ ପରିଶ୍ରମକୁ ଲୁଚାଇଦିଏ

ଏହି ଚିରସ୍ଥାୟୀ ଆର୍ଥିକ ନିର୍ଭରଶୀଳତାର ଚକ୍ର ଯେତେବେଳେ ଜମି ମାଲିକ ଇ଼ଚ୍ଛା କରନ୍ତି ସେତେବେଳ ତାଙ୍କୁ କାମ କରିବାକୁ ବାଧ୍ୟ କରିଥାଏ। ମଜୁରୀ ମୂଲଚାଲ କରିବା ପାଇଁ ମଧ୍ୟ ତାଙ୍କୁ ସୁଯୋଗ ମିଳେ ନାହିଁ। ପଡୋଶୀ ଗାଁର ମହିଳାମାନେ କୋନନତାଲିରେ ୮ ଘଣ୍ଟାର କାମ ପାଇଁ ୨୫୦ ଟଙ୍କା ପାଉଥିବାବେଳେ ରତ୍ନବା ଦିନରେ ଯେତେ ଘଣ୍ଟା କାମ କଲେ ମଧ୍ୟ ୨୦୦ ଟଙ୍କା ମଜୁରୀ ପାଇଥାନ୍ତି।

ସେ ବୁଝାଇ କହିଛନ୍ତି,"ସେଥିପାଇଁ ଯେତେବେଳେ ବି ସେମାନେ ମୋତେ କାମ କରିବାକୁ ଡାକନ୍ତି ମୋତେ ଯିବାକୁ ପଡ଼ିବ। ବେଳେବେଳେ କାମ ସକାଳ ୬ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ସାତଟା ପର ଯାଏଁ ଚାଲିଥାଏ। ଯଦି କୌଣସି ପରାଗ ସଂଗମ କାମ ନଥାଏ, ତେବେ ଘାସ ବାଛିବା ପାଇଁ ମୁଁ ଦିନକୁ ମାତ୍ର ୧୫୦ ଟଙ୍କା ପାଇଥାଏ।" “ତେଣୁ, ଯେହେତୁ ମୁଁ ଟଙ୍କା ଋଣ କରେ ତେଣୁ ମୁଁ କିଛି କହିପାରିବି ନାହିଁ, ଯେତେବେଳେ ମୋତେ ଡକାଯିବ ମୋତେ ଯିବାକୁ ପଡ଼ିବ। ମୁଁ ଅଧିକ ମଜୁରୀ ମାଗିପାରିବି ନାହିଁ। ”

ଯେ ରତ୍ନବା ପରିଶ୍ରମ ଅନୁଯାୟୀ ମଜୁରୀ ନପାଇବାର ଋଣ ଏକମାତ୍ର କାରଣ ନୁହେଁ । ବିଭିନ୍ନ ସମୟରେ, ରତ୍ନବାଙ୍କୁ ଏକ ଲିଙ୍ଗାୟତ ପରିବାରର ଘରୋଇ କାମ କରିବାକୁ ଡକାଯାଏ। ଓକ୍କାଲୁପଦ୍ଧତୀଙ୍କ ପୁରୁଣା ଜାତି ପ୍ରଥା (ବିଟିଚାକ୍ରି ମଧ୍ୟ କୁହାଯାଏ, ‘ଅବୈତନିକ ଶ୍ରମ’), ଯଦିଓ ଏହାକୁ ନିଷିଦ୍ଧ କରାଯାଇଛି, ତଥାପି ତାହା କୋନନତାଲିରେ ଏବେବି ପ୍ରଚଳିତ ରହିଅଛି। ଏହି ପ୍ରଥା ଏକ ମାଡିଗା ପରିବାରକୁ ଏକ ପ୍ରମୁଖ ଓବିସି ଗୋଷ୍ଠୀ ଲିଙ୍ଗାୟତ ସମ୍ପ୍ରଦାୟର ଏକ ପରିବାର ସହିତ ବାନ୍ଧି ରଖିଥାଏ ଏବଂ ସେମାନଙ୍କୁ ତାଙ୍କ ଘରେ ମାଗଣାରେ କାମ କରିବାକୁ ବାଧ୍ୟ କରିଥାଏ।

ରତ୍ନବା କୁହନ୍ତି, "ଏହା ଏକ ବିବାହ ହେଉ କିମ୍ବା କୌଣସି ଉତ୍ସବ କାର୍ଯ୍ୟ ହେଉ କିମ୍ବା ଯଦି କେହି ସେମାନଙ୍କ ଘରେ ମରିଯାଏ ତେବେ ଆମକୁ ସେମାନଙ୍କର ଘର ସଫା କରିବାକୁ ପଡ଼ିବ। ଏହି କାମ କରିବାକୁ ପୁରା ଦିନ ଲାଗିଯାଏ। ଆମକୁ ସମସ୍ତ କାର୍ଯ୍ୟ କରିବାକୁ ପଡ଼ିବ। ଯଦି ବିବାହ ହୁଏ, ତେବେ ଆମେ ଆଠ ଦିନ ସେଠାରେ କାମ କରିଥାଉ। “କିନ୍ତୁ ସେମାନେ ଆମକୁ ସେମାନଙ୍କ ଘର ଭିତରକୁ ଯିବାକୁ ଦିଅନ୍ତି ନାହିଁ; ସେମାନେ ଆମକୁ ବାହାରେ ରଖନ୍ତି ଏବଂ ଆମକୁ କିଛି ମୁଢି ଏବଂ ଚା ଦିଅନ୍ତି। ସେମାନେ ଆମକୁ ଏକ ଥାଳି ମଧ୍ୟ ଦିଅନ୍ତି ନାହିଁ । ଆମେ ଆମ ଘରୁ ଥାଳି ଆଣିଥାଉ। ବେଳେବେଳେ ସେମାନେ ଗୋଟିଏ ମେଣ୍ଢା କିମ୍ବା ବାଛୁରୀ ଦିଅନ୍ତି, କିନ୍ତୁ ସେମାନେ ଆମକୁ ଟଙ୍କା ଦିଅନ୍ତି ନାହିଁ। ଯେତେବେଳେ ସେମାନଙ୍କର ଗୋରୁ ମରିଯାଆନ୍ତି, ସେମାନେ ଆମକୁ ଶବ କାଢିବାକୁ ଡାକନ୍ତି।”

ଚାରି ବର୍ଷ ପୂର୍ବେ, ଯେତେବେଳେ ସେହି ଲିଙ୍ଗାୟତ ପରିବାରର ଜଣେ ସଦସ୍ୟ ବିବାହ କରିଥିଲେ, ରତ୍ନବାଙ୍କୁ ଜାତି ପରମ୍ପରାର ଏକ ଅଂଶ ଭାବରେ ଏକ ନୂତନ ଚପଲ କିଣି, ଏହାକୁ ପୂଜା କରି ବରକୁ ଉପହାର ଦେବାକୁ ପଡିଥିଲା। ଦୁଇ ବର୍ଷ ପୂର୍ବେ ନିଜ ପରିଶ୍ରମରୁ ରୋଜଗାର କରିବାରେ ଅନେକଥର ବିଫଳ ହେବା ପରେ ପରେ ସେ ସେଠାରେ କାମ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କୁହନ୍ତି ଯେ ତାଙ୍କ ନିଷ୍ପତ୍ତି ଲିଙ୍ଗାୟତ ପରିବାରକୁ କ୍ରୋଧିତ କରିଥିଲା।

Left: Ratnavva at home in Konanatali. Right: Her daughter Suma walks through their land with her cousin, after rains had washed away Ratnavva's okra crop in July
PHOTO • S. Senthalir
Left: Ratnavva at home in Konanatali. Right: Her daughter Suma walks through their land with her cousin, after rains had washed away Ratnavva's okra crop in July
PHOTO • S. Senthalir

ବାମ: କୋନନତାଲିରେ ଘରେ ରତ୍ନବା। ଡାହାଣ: ଜୁଲାଇ ମାସରେ ବର୍ଷାରେ ରତ୍ନବାଙ୍କ ଭେଣ୍ଡି ଫସଲ ଧୋଇଯିବା ପରେ ତାଙ୍କ ଝିଅ ସୁମା ତାଙ୍କ ସମ୍ପର୍କୀୟଙ୍କ ସହ ସେମାନଙ୍କ କୃଷିକ୍ଷେତ୍ରରେ ବୁଲୁଛନ୍ତି

ଚଳିତ ବର୍ଷ ପରମେଶପ୍ପାଙ୍କ କିଛି ଆର୍ଥିକ ସାହାଯ୍ୟରେ ରତ୍ନବା ଗ୍ରାମରେ ଥିବା ଅଧା ଏକର ଜମିରେ ଭେଣ୍ଡି ଏବଂ ମକା ଲଗାଇଥିଲେ, ଯେଉଁଟିକୁ ତାଙ୍କ ସ୍ୱାମୀଙ୍କୁ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ତେବେ ଜୁଲାଇ ମାସରେ ଅତ୍ୟଧିକ ବର୍ଷା କାରଣରୁ କୋନନତାଲିର ମାଡ଼ଗା-ମାସୁର ହ୍ରଦ କୂଳରେ ମାଡ଼ିଗାସକୁ ଦିଆଯାଇଥିବା କ୍ଷୁଦ୍ର ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ କୁହନ୍ତି, "ଚଳିତ ବର୍ଷ ହରିଜନମାନଙ୍କ [ମାଡିଗାସ୍] ଜମିରେ ଭେଣ୍ଡି ଲଗାଯାଇଥିଲା, କିନ୍ତୁ ସବୁକିଛି ଉପରେ ପାଣି ମାଡିଗଲା।"

ରାଜ୍ୟ ସରକାରୀ କଳ ରତ୍ନବାଙ୍କ ଭାରକୁ ହ୍ରାସ କରିବାକୁ କୌଣସି ପଦକ୍ଷେପ ନେଇ ନାହାନ୍ତି। ଜଣେ ଭୂମିହୀନ ଶ୍ରମିକ ଭାବରେ ସେ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ କୌଣସି ସରକାରୀ କଲ୍ୟାଣକାରୀ ପଦକ୍ଷେପଗୁଡ଼ିକର ହିତାଧିକାରୀ ଭାବରେ ବିବେଚିତ ହୋଇନାହାନ୍ତି । ସେ ହରାଇଥିବା ଫସଲ ପାଇଁ କ୍ଷତିପୂରଣ ପାଇ ନାହାଁନ୍ତି କିମ୍ବା ରାଜ୍ୟର ମାସିକ ୧ହଜାର ଟଙ୍କା ଭିନ୍ନକ୍ଷମ ଭତ୍ତା ପାଇବାକୁ ସକ୍ଷମ ହୋଇ ନାହାନ୍ତି ଯଦିଓ ତାଙ୍କର ଏକ ଅକ୍ଷମତା ପ୍ରମାଣପତ୍ର ଅଛି।

କଠିନ ଶାରୀରିକ ପରିଶ୍ରମ କରିବା ସତ୍ତ୍ୱେ ସବୁବେଳେ ଅର୍ଥାଭାବରେ ରହୁଥିବା ରତ୍ନବା ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡ଼ିକର ଋଣ ଉପରେ ନିର୍ଭର କରନ୍ତି, ଯାହାକି ତାଙ୍କର ଋଣଭାରକୁ ଆହୁରି ବଢାଇଦେଇଥିଲା। ପରମେଶପ୍ପାଙ୍କ ଋଣ ବ୍ୟତୀତ ସେ ୨ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାରରେ ପାଖାପାଖି ୨ଲକ୍ଷ ଟଙ୍କା ଋଣ କରିଛନ୍ତି।

ଗତ ଦୁଇ ବର୍ଷ ମଧ୍ୟରେ, ସେ ତାଙ୍କ ଘରେ ଏକ କୋଠରୀ ନିର୍ମାଣ, କଲେଜ ଫି ଏବଂ ଚିକିତ୍ସା ଖର୍ଚ୍ଚ ପାଇଁ ଅତି କମ୍‌ରେ ୧୦ ଟି ବିଭିନ୍ନ ଉତ୍ସରୁ ଋଣ ନେଇଛନ୍ତି। ଦୈନନ୍ଦିନ ଖର୍ଚ୍ଚ ପାଇଁ, ସେ ଲିଙ୍ଗାୟତ ପରିବାରର ମହିଳାମାନଙ୍କ ନିକଟରେ ପହଞ୍ଚନ୍ତି । ସେ କୁହନ୍ତି,“ଗତ ବର୍ଷ, ମୁଁ କରିଥିବା ଋଣ [ସମସ୍ତ ଉତ୍ସରୁ] ବାବଦକୁ ମାସିକ ୨୬୫୦ ଟଙ୍କା ସୁଧ ପୈଠ କରିଥିଲି । କୋଭିଡ -19 ଲକଡାଉନ୍ ପରଠାରୁ ସୁଧ ରାଶି ମଧ୍ୟ ଦେବାକୁ ମୋ ପାଖରେ  ଟଙ୍କାଟିଏ ନାହିଁ, କିନ୍ତୁ ମୁଁ ପ୍ରତ୍ୟେକ ମାସ ଘରଖର୍ଚ୍ଚ ପାଇଁ ଋଣ କରିବା ଜାରି ରଖିଛି।”

ଯଦିଓ ରତ୍ନବାଙ୍କର ଋଣ ଭାର ବୃଦ୍ଧି ପାଇବାରେ ଲାଗିଥିଲା, ସେ ନିଜ ପିଲାମାନଙ୍କୁ କଲେଜରୁ ବାହାର ନକରିବାକୁ ସ୍ଥିର କରିଛନ୍ତି। ସେ ଏହା ମଧ୍ୟ ସୁନିଶ୍ଚିତ କରିଛନ୍ତି ଯେ ତାଙ୍କ ଝିଅ, ସୁମା, ବିଟିଚକ୍ରୀର ପରମ୍ପରା ଜାରି ରଖିବେ ନାହିଁ। ସେ କୁହନ୍ତି, “ମୋର ଗୋଡ଼ କିମ୍ବା ମୁଁ ଏବେ ଭଲ ସ୍ଥିତିରେ ନାହିଁ। ମୁଁ ଚାଲିପାରୁ ନାହିଁ। କିନ୍ତୁ ମୋ ପିଲାମାନଙ୍କୁ ଏହି [ଦାସତ୍ୱ] ରୁ ମୁକ୍ତ କରିବାକୁ ପଡ଼ିବ, ନଚେତ୍ ସେମାନଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ପଡ଼ିବ। ତେଣୁ ମୁଁ କେବଳ କାମ କରିବା ଜାରି ରଖିଥିଲି। ତାଙ୍କ ଅସୁବିଧାଗୁଡ଼ିକ ଦ୍ୱାରା ନିରାଶ ନହୋଇ ରତ୍ନବା ଘୋଷଣା କରି କୁହନ୍ତି, “ସେମାନେ ଯେତିକି ଚାହିଁବେ ସେମାନଙ୍କୁ ମୁଁ ସେତିକି ଶିକ୍ଷା ଦେବି।

ଅନୁବାଦ: ଓଡ଼ିଶାଲାଇଭ୍‍

S. Senthalir

S. Senthalir is Senior Editor at People's Archive of Rural India and a 2020 PARI Fellow. She reports on the intersection of gender, caste and labour. Senthalir is a 2023 fellow of the Chevening South Asia Journalism Programme at University of Westminster.

Other stories by S. Senthalir
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE