ଘଣ୍ଟା କଣ୍ଟା ଭଳି, ପ୍ରତି ମାସରେ ଏକ ଭୟାନକ ପେଟ ଯନ୍ତ୍ରଣା ଗାୟତ୍ରୀ କଚ୍ଛରାବିଙ୍କୁ ଅତିଷ୍ଠ କରି ଦେଇଥାଏ। ଗତ ଏକ ବର୍ଷ ପୂର୍ବରୁ ତାଙ୍କର ଋତୁସ୍ରାବ ବନ୍ଦ ହୋଇସାରିଛି କିନ୍ତୁ ଏହି ତିନି ଦିନର ଯନ୍ତ୍ରଣା ତାଙ୍କୁ ସେହି ଦିନ କଥା ମନେ ପକାଇ ଦେଇଥାଏ।

ଗାୟତ୍ରୀ କୁହନ୍ତି, ‘‘ମୁଁ ଜାଣିଛି ଏହା ମୋର ମାସିକ ଧର୍ମ କିନ୍ତୁ, ମୋର ରକ୍ତସ୍ରାବ ହେଉନାହିଁ।’’ ଏହି ୨୮ ବର୍ଷ ମହିଳା ଜଣଙ୍କ ଆହୁରି କୁହନ୍ତି, ‘‘ବୋଧହୁଏ ତିନି ଜଣ ପିଲାଙ୍କୁ ଜନ୍ମ ଦେବା ପରେ ମୋ ମାସିକ ଧର୍ମରେ ଆଉ ରକ୍ତସ୍ରାବ ହେଉନାହିଁ।’’ କିନ୍ତୁ ଏମେନୋରିୟା – ମାସିକ ଧର୍ମର ଅନୁପସ୍ଥିତି – ମାସିକ ପେଟ ଯନ୍ତ୍ରଣା ଓ ପିଠି ଦରଜ କମାଇ ନାହିଁ। ଏହା ଏତେ କଷ୍ଟ ଦେଇଥାଏ ଯେ ଗାୟତ୍ରୀ କୌଣସି ଶାରୀରିକ ଶ୍ରମ କଲା ଭଳି ଅନୁଭବ କରିଥାନ୍ତି ବୋଲି କୁହନ୍ତି। ‘‘ଉଠିବା ମଧ୍ୟ କଷ୍ଟକର ହୋଇପଡ଼େ।’’

ଗାୟତ୍ରୀ ଡେଙ୍ଗା ଓ ପତଳା, ତାଙ୍କର ଆଖି ଆକର୍ଷଣୀୟ ଏବଂ କହିବାରେ ତାଙ୍କର ଏକ ସ୍ଥିର ଶୈଳୀ ରହିଛି। ସେ କର୍ଣ୍ଣାଟକର ହାବେରୀ ଜିଲ୍ଲାର ରାନୀବେନ୍ନୁର ତାଲୁକ ଅନ୍ତର୍ଗତ ଅସୁଣ୍ଡି ଗାଁର ବାହ୍ୟ ଇଲାକାରେ ଥିବା ଦଳିତ ସମ୍ପ୍ରଦାୟ ମଡ଼ିଗାମାନଙ୍କର କଲୋନୀ ମଡ଼ିଗାର କେରୀରେ ସେ ରହିଥାନ୍ତି। ସେ ଜଣେ କୃଷି ଶ୍ରମିକ ଏବଂ ଫସଲର କୁଶଳୀ ହସ୍ତ ପରାଗସଙ୍ଗମକାରୀ ଭାବେ ତାଙ୍କର ପରିଚୟ ରହିଛି।

ଗୋଟିଏ ବର୍ଷ ପୂର୍ବରୁ ପରିସ୍ରା କରିବାରେ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥିଲେ। ତାଙ୍କ ଗାଁଠାରୁ ୧୦ କିଲୋମିଟର ଦୂର ବ୍ୟାଡ଼ଗିରେ ଥିବା ଏକ ଘରୋଇ କ୍ଲିନିକରେ ସେ ଦେଖାଇଥିଲେ।

Gayathri Kachcharabi and her children in their home in the Dalit colony in Asundi village
PHOTO • S. Senthalir

ଅସୁଣ୍ଡି ଗ୍ରାମର ଦଳିତ କଲୋନୀରେ ଥିବା ସେମାନଙ୍କ ଘରେ ଗାୟତ୍ରୀ କଚ୍ଛରବୀ ଓ ତାଙ୍କର ପିଲାମାନେ

ସେ କୁହନ୍ତି, ‘‘ସରକାରୀ ଡାକ୍ତରଖାନାରେ ସେମାନେ ଠିକ୍‌ ଭାବେ ଧ୍ୟାନ ଦିଅନ୍ତି ନାହିଁ। ମୁଁ ସେଠାକୁ ଯାଏ ନାହିଁ। ମାଗଣା ଚିକିତ୍ସା ପାଇବା ଲାଗି ମୋ ପାଖରେ ସେହି କାର୍ଡ ନାହିଁ।’’ ସେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଷୟରେ କହିଥିଲେ ଯାହାକି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଦ୍ୱିତୀୟକ ଏବଂ ତୃତୀୟକ ଚିକିତ୍ସା ପାଇବା ଲାଗି ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରିଥାଏ।

ଘରୋଇ କ୍ଲିନିକରେ, ଡାକ୍ତର ତାଙ୍କୁ ରକ୍ତ ପରୀକ୍ଷା ଏବଂ ତଳି ପେଟ ଅଲଟ୍ରାସାଉଣ୍ଡ କରିବା ପାଇଁ ପରାମର୍ଶ ଦେଇଥିଲେ।

ଗୋଟିଏ ବର୍ଷ ପରେ ମଧ୍ୟ, ଗାୟତ୍ରୀ କୌଣସି ପରୀକ୍ଷା କରିନାହାନ୍ତି। ଏଥିପାଇଁ ଅତିକମ୍‌ରେ ୨,୦୦୦ ଟଙ୍କା ଖର୍ଚ୍ଚ ହେବ ଯାହାକି ତାଙ୍କ ପାଇଁ କଷ୍ଟକର। ‘‘ମୁଁ ଏହା କରିପାରିବି ନାହିଁ। ଯଦି ମୁଁ ଏସବୁ ରିପୋର୍ଟ ବିନା ଡାକ୍ତରଙ୍କ ପାଖକୁ ଯାଏ, ତା’ହେଲେ ସେ ମୋତେ ଗାଳି କରିବେ। ତେଣୁ ମୁଁ କେବେ ସେଠାକୁ ଯାଇନାହିଁ,’’ ସେ କୁହନ୍ତି।

ବରଂ, ସେ ଯନ୍ତ୍ରଣାରୁ ଉପଶମ ପାଇବା ଲାଗି ମେଡ଼ିକାଲ ଷ୍ଟୋରରେ କହିଥିଲେ – ଏହା ଥିଲା ଶସ୍ତା ଏବଂ ଦ୍ରୁତ ସମାଧାନ। ‘‘ଏନ୍ତା ଗୁଲିଗେ ଅଦାଓ ଗୋଟିଲା (ମୁଁ ଜାଣି ନାହିଁ କେଉଁ ବଟିକା),’’ ସେ କୁହନ୍ତି। ‘‘ଯଦି ଆମେ ସରଳ ଭାବେ ପେଟ ଯନ୍ତ୍ରଣା ହେଉଛି ବୋଲି କହିବୁ, ମେଡ଼ିସିନ ଷ୍ଟୋରରୁ ଆମକୁ ଔଷଧ ମିଳିଥାଏ।’’

୩,୮୦୮ ଜନସଂଖ୍ୟା ବିଶିଷ୍ଟ ଅସୁଣ୍ଡିରେ ବର୍ତ୍ତମାନର ସରକାରୀ ଚିକିତ୍ସା ସେବା ଯଥେଷ୍ଟ ନୁହେଁ। ଗାଁରେ ଥିବା କୌଣସି ଚିକିତ୍ସକ ଏମବିବିଏସ ଡିଗ୍ରୀଧାରୀ ନୁହନ୍ତି ଏବଂ ଏଠାରେ କୌଣସି ଘରୋଇ ଡାକ୍ତରଖାନା କିମ୍ବା ନର୍ସିଂ ହୋମ ନାହିଁ।

A view of the Madigara keri, colony of the Madiga community, in Asundi.
PHOTO • S. Senthalir
Most of the household chores, like washing clothes, are done in the narrow lanes of this colony because of a lack of space inside the homes here
PHOTO • S. Senthalir

ବାମ: ଅସୁଣ୍ଡିରେ ମଡ଼ିଗା ସମ୍ପ୍ରଦାୟର କଲୋନୀ ମଡ଼ିଗରକେରୀର ଏକ ଦୃଶ୍ୟ। ଡାହାଣ: ଏଠାରେ ଥିବା ଘର ଭିତରେ ସ୍ଥାନାଭାବ କାରଣରୁ ଏଠାକାର ଲୋକମାନେ କଲୋନୀର ସଂକୀର୍ଣ୍ଣ ଗଳିରେ ଲୁଗା ସଫା କରିବା ଭଳି ଅଧିକାଂଶ ଘରକରଣା କାମ କରାଯାଇଥାଏ

ଗାଁ ଠାରୁ ଦଶ କିଲୋମିଟର ଦୂର ରାଣୀବେନ୍ନୁରରେ ଥିବା ସରକାରୀ ଚିକିତ୍ସାଳୟ ମାତୃ ଓ ଶିଶୁ ଡାକ୍ତରଖାନା (ଏମସିଏଚ)ରେ କେବଳ ଜଣେ ସ୍ତ୍ରୀ-ପ୍ରସୂତୀ ରୋଗ (ଓବିଜି) ବିଶେଷଜ୍ଞ ରହିଛନ୍ତି, ଯଦିଓ ଏଠାରେ ଦୁଇଟି ମଞ୍ଜୁରିପ୍ରାପ୍ତ ପଦବୀ ରହିଛି। ସ୍ଥାନୀୟ ଅଞ୍ଚଳର ଆଉ ଏକ ସରକାରୀ ଡାକ୍ତରଖାନା ହିରେକେରୁରରେ ରହିଛି ଯାହାକି ଅସୁଣ୍ଡିଠାରୁ ପ୍ରାୟ ୩୦ କିଲୋମିଟର ଦୂର। ଏଠାରେ ଗୋଟିଏ ଓବିଜି ବିଶେଷଜ୍ଞ ପଦବୀ ରହିଥିଲେ ବି କେହି ଡାକ୍ତର ନାହାନ୍ତି। କିନ୍ତୁ ଏଠାରୁ ପାଖାପାଖି ୨୫ କିଲୋମିଟର ଦୂର ହାଭେରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ ଜଣ ଓବିଜି ବିଶେଷଜ୍ଞ ଡାକ୍ତର ଅଛନ୍ତି। ଏଠାରେ ସାଧାରଣ ଚିକିତ୍ସା ଅଧିକାରୀଙ୍କ ୨୦ଟି ପଦବୀ ଏବଂ ୬ଟି ନର୍ସିଂ ସୁପରିଣ୍ଟେଡେଣ୍ଟ ପଦବୀ ଖାଲି ପଡ଼ିଛି।

ତାଙ୍କର ଋତୁସ୍ରାବ କାହିଁକି ବନ୍ଦ ହୋଇଯାଇଛି କିମ୍ବା ତାଙ୍କ ତଳିପେଟରେ କାହିଁକି ବାରମ୍ବାର ଯନ୍ତ୍ରଣା ହେଉଛି ସେ ସମ୍ପର୍କରେ ଗାୟତ୍ରୀ ଏବେ ସୁଦ୍ଧା ଜାଣନ୍ତି ନାହିଁ। ସେ କୁହନ୍ତି, ‘‘ମୋ ଶରୀର ଓଜନ ଲାଗୁଛି। ନିକଟରେ ଚେୟାରରେ ଖସି ପଡ଼ିଥିବାରୁ କିମ୍ବା କିଡନୀ ଷ୍ଟୋନ ଅଥବା ଋତୁସ୍ରାବ ସମସ୍ୟା, କେଉଁ କାରଣରୁ ମୋ ତଳିପେଟ ଯନ୍ତ୍ରଣା ହେଉଛି ତାହା ମୁଁ ଜାଣିନାହିଁ।’’

ହିରେକେରୁର ତାଲୁକର ଚିନ୍ନାମୁଲାଗଣ୍ଡ ଗ୍ରାମରେ ଗାୟତ୍ରୀ ବଡ଼ ହୋଇଥିଲେ, ପଞ୍ଚମ ଶ୍ରେଣୀ ପରେ ତାଙ୍କର ପାଠପଢ଼ା ବନ୍ଦ ହୋଇଯାଇଥିଲା। ସେ ହାତରେ ପରାଗସଙ୍ଗମ କରିବାର କୌଶଳ ଶିଖିଥିଲେ। ପ୍ରତି ଛଅ ମାସରେ ଥରେ ତାଙ୍କୁ ଅତିକମ୍‌ରେ ୧୫ କମ୍ବା ୨୦ ଦିନ ପର୍ଯ୍ୟନ୍ତ ସ୍ଥିର କାମ ଏବଂ ସୁନିଶ୍ଚିତ ରୋଜଗାର ମିଳିଗଲା। ସେ କୁହନ୍ତି, ‘‘ଗୋଟିଏ କ୍ରସିଂ (ହସ୍ତ ପରାଗସଙ୍ଗମ) ପାଇଁ ୨୫୦ ଟଙ୍କା ମିଳିଥାଏ।’’

ମାତ୍ର ୧୬ ବର୍ଷ ବୟସରେ ତାଙ୍କର ବାହାଘର ହୋଇଥିଲା। କୃଷି ଶ୍ରମିକ ଭାବେ ତାଙ୍କର ରୋଜଗାର ସବୁବେଳେ ଅନିଶ୍ଚିତତା ମଧ୍ୟରେ ରହିଥିଲା। ଜମି ମାଲିକ ସମୁଦାୟ, ବିଶେଷ କରି ଲିଙ୍ଗାୟତ ସମ୍ପ୍ରଦାୟର ଲୋକମାନଙ୍କୁ ସେମାନଙ୍କ ଚାଷ ଜମିରେ ମକା, ରସୁଣ ଏବଂ କପା ଚାଷ କରିବା ସମୟରେ ଏମାନଙ୍କର ଲୋଡ଼ା ପଡ଼ୁଥିଲା। ‘‘ଆମର କୁଲି (ମଜୁରି) ଦିନକୁ ୨୦୦ ଟଙ୍କା ଥିଲା,’’ ସେ କୁହନ୍ତି। ତିନି ମାସରୁ ଅଧିକ ସମୟ ମଧ୍ୟରେ, ତାଙ୍କୁ ୩୦ କିମ୍ବା ୩୬ ଦିନର କୃଷି କାମ ମିଳୁଥିଲା। ‘‘ଜମି ମାଲିକ ଡାକିଲେ ଆମକୁ କାମ ମିଳୁଥିଲା, ନଚେତ୍‌ ନାହିଁ।’’

Gayathri and a neighbour sitting in her house. The 7.5 x 10 feet windowless home has no space for a toilet. The absence of one has affected her health and brought on excruciating abdominal pain.
PHOTO • S. Senthalir
The passage in front is the only space where Gayathri can wash vessels
PHOTO • S. Senthalir

ବାମ: ଗାୟତ୍ରୀ ଓ ଜଣେ ପଡ଼ୋଶୀ ତାଙ୍କ ଘରେ ବସିଛନ୍ତି।  ୭.୫ x୧୦ ଫୁଟର ଝରକା ନଥିବା ଏ ଘରେ ଏକ ଶୌଚାଳୟ ପାଇଁ କୌଣସି ସ୍ଥାନ ନାହିଁ। ଶୌଚାଳୟ ନଥିବା କାରଣରୁ ତାଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଛି ଏବଂ ତଳିପେଟରେ ସେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ଡାହାଣ : ଆଗରେ ଥିବା ରାସ୍ତା ଏକମାତ୍ର ସ୍ଥାନ ଯେଉଁଠି ସେ ବାସନକୁସନ ସଫା କରିଥାନ୍ତି

କୃଷି ଶ୍ରମିକ ଏବଂ ହାତ ପରାଗସଙ୍ଗମକାରୀ ଭାବେ କାମ କରି ସେ ମାସିକ ୨,୪୦୦-୩୭୫୦ ଟଙ୍କା ରୋଜଗାର କରିଥାନ୍ତି। ଏହା ତାଙ୍କର ଚିକିତ୍ସା ସେବା ଆବଶ୍ୟକତା ପାଇଁ ଯଥେଷ୍ଟ ନୁହେଁ। ଖରା ଦିନେ ଆର୍ଥିକ ସମସ୍ୟା ଅଧିକ ସଙ୍ଗୀନ ହୋଇଥାଏ, ଯେତେବେଳେ ନିୟମିତ କାମ ନଥାଏ।

ତାଙ୍କର ସ୍ୱାମୀ ମଧ୍ୟ ଜଣେ କୃଷି ଶ୍ରମିକ। ସେ ଜଣେ ମଦ୍ୟପ ହୋଇଥିବାରୁ ଘର ଖର୍ଚ୍ଚରେ ବିଶେଷ ଯୋଗଦାନ କରିପାରିନଥାନ୍ତି। ସବୁବେଳେ ସେ ଅସୁସ୍ଥ ରହିଥାନ୍ତି। ଗତବର୍ଷ ଟାଇଫଏଡ ଏବଂ ଥକ୍କାପଣ ଯୋଗୁଁ ସେ ଛଅ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ କାମ କରିପାରିନଥିଲେ। ୨୦୨୨ର ଖରାଦିନେ, ଏକ ଦୁର୍ଘଟଣାର ଶିକାର ହେବା ଯୋଗୁଁ ତାଙ୍କର ହାତ ଭାଙ୍ଗି ଯାଇଥିଲା। ଗାୟତ୍ରୀ ତିନି ମାସ ପର୍ଯ୍ୟନ୍ତ ଘରେ ରହି ତାଙ୍କର ଚିକିତ୍ସା କରିଥିଲେ। ତାଙ୍କର ଚିକିତ୍ସା ବାବଦକୁ ପାଖାପାଖି ୨୦,୦୦୦ ଟଙ୍କା ଖର୍ଚ୍ଚ ହୋଇଥିଲା।

ଦଶ ପ୍ରତିଶତ ସୁଧ ହାରରେ ଜଣେ ଘରୋଇ ସାହୁକାରଙ୍କଠାରୁ ଗାୟତ୍ରୀ ଟଙ୍କା ଉଧାର ଆଣିଥିଲେ। ଏହାପରେ ସେହି ସୁଧ ପରିଶୋଧ କରିବା ଲାଗି ଆହୁରି ଟଙ୍କା ଉଧାର ନେଲେ। ତିନୋଟି ଭିନ୍ନ ଭିନ୍ନ ମାଇକ୍ରୋଫାଇନାନ୍ସ କମ୍ପାନୀ ଉପରେ ତାଙ୍କର ପ୍ରାୟ ୧ ଲକ୍ଷ ଟଙ୍କାର ବକେୟା ଋଣ ରହିଛି। ଏ ଋଣ ବାବଦକୁ ତାଙ୍କୁ ପ୍ରତି ମାସ ପ୍ରାୟ ୧୦,୦୦୦ ଟଙ୍କା ସୁଝିବାକୁ ପଡ଼ିଥାଏ।

‘‘କୁଲି ମାଦି ଦ୍ରାଗି ଜୀବନା ଆଗୋଲି ମାତେ’’ (ଦିନ ମଜୁରିରେ ଆମେ ଚଳି ପାରିବୁ ନାହିଁ),’’ ସେ ଜୋର ଦେଇ କହିଥିଲେ। ‘‘ଆମେ ଅସୁସ୍ଥ ଥିବା ସମୟରେ ଟଙ୍କା ଉଧାର ଆଣିଥାଉ। ଋଣ ପରିଶୋଧରୁ ଆମକୁ ରକ୍ଷା ମିଳିବ ନାହିଁ। ଏପରିକି ଖାଇବା ଜିନିଷ ନଥିଲେ, ଆମେ ସାପ୍ତାହିକ ବଜାରକୁ ଯାଇନଥାଉ। ପ୍ରତି ସପ୍ତାହରେ ଆମକୁ ସଂଘ (ମାଇକ୍ରୋଫାଇନାନ୍ସ କମ୍ପାନୀ) କୁ ଟଙ୍କା ଦେବାକୁ ପଡ଼ିଥାଏ। ତା’ପରେ ଟଙ୍କା ବଳିଲେ ଆମେ ପରିବା କିଣିଥାଉ।’’

Gayathri does not know exactly why her periods stopped or why she suffers from recurring abdominal pain.
PHOTO • S. Senthalir
Standing in her kitchen, where the meals she cooks are often short of pulses and vegetables. ‘Only if there is money left [after loan repayments] do we buy vegetables’
PHOTO • S. Senthalir

ବାମ: ଋତୁସ୍ରାବ କାହିଁକି ବନ୍ଦ ହୋଇଯାଇଛି କିମ୍ବା କାହିଁକି ସେ ବାରମ୍ବାର ପେଟ ଯନ୍ତ୍ରଣା ଭୋଗୁଛନ୍ତି ସେ ସମ୍ପର୍କରେ ଗାୟତ୍ରୀ ଠିକ୍‌ ଭାବେ ଜାଣନ୍ତି ନାହିଁ। ଡାହାଣ: ସେ ତାଙ୍କ ରୋଷେଇ ଘରେ ଛିଡ଼ା ହୋଇଛନ୍ତି, ଏଠାରେ ରନ୍ଧା ହେଉଥିବା ଖାଦ୍ୟରେ ଅଧିକାଂଶ ସମୟରେ ଡାଲି ଓ ପନିପରିବା ଅଭାବ ପଡ଼ିଥାଏ। ‘ଟଙ୍କା ବଳିଲେ (ଋଣ ପରିଶୋଧ କରିବା ପରେ) ଯାଇ ଆମେ ପରିବା କିଣିଥାଉ’

ଗାୟତ୍ରୀଙ୍କ ଖାଦ୍ୟରେ ପ୍ରାୟତଃ ଡାଲି କିମ୍ବା ପନିପରିବା ନଥାଏ। ଆଦୌ ଟଙ୍କା ନଥିଲେ, ସେ ପଡ଼ୋଶୀଙ୍କ ପାଖରୁ ଟମାଟୋ ଏବଂ ଲଙ୍କା ଆଣି ତରକାରୀ କରି ଦିଅନ୍ତି।

ବେଙ୍ଗାଲୁରୁସ୍ଥିତ ସେଣ୍ଟ ଜନ୍‌ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ସହାୟକ ପ୍ରାଧ୍ୟାପିକା ଡାକ୍ତର ଶୈବ୍ୟା ସଲଦାନା ଏହାକୁ ‘‘ଅନାହାର ଖାଦ୍ୟ’’ ବୋଲି କହିଥାନ୍ତି। ସେ କୁହନ୍ତି, ‘‘ଉତ୍ତର କର୍ଣ୍ଣାଟକର ଅଧିକାଂଶ କୃଷି ଶ୍ରମିକ ମହିଳା ଖାଦ୍ୟାଭାବ କାରଣରୁ ଅନାହାରରେ ରହିଥାନ୍ତି। ସେମାନେ ଭାତ ଏବଂ ପତଳା ଡାଲି ସାର୍‌ (ତରକାରୀ) ଖାଇଥାନ୍ତି, ଯେଉଁଥିରେ ଅଧିକ ପାଣି ଏବଂ ଲଙ୍କାଗୁଣ୍ଡ ଥାଏ। ଲଗାତାର ଅନାହାରରେ ରହିବା କାରଣରୁ ସେମାନଙ୍କଠାରେ ଗମ୍ଭୀର ରକ୍ତହୀନତା ଦେଖାଦେଇଥାଏ, ଯାହାକି ସେମାନଙ୍କୁ କ୍ଳାନ୍ତ କରି ଦେଇଥାଏ। ଡାକ୍ତର ସଲଦାନା କିଶୋରୀ ଏବଂ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏନଫୋଲ୍ଡ ଇଣ୍ଡିଆ ନାମକ ସଂଗଠନର ସହପ୍ରତିଷ୍ଠାତା। ସ୍ଥାନୀୟ ଅଞ୍ଚଳରେ ଦେଖା ଦେଉଥିବା ଅବାଞ୍ଝିତ ହିଷ୍ଟେରେକ୍ଟୋମିସ୍  ମାମଲାର ଅନୁଧ୍ୟାନ ପାଇଁ ୨୦୧୫ରେ କର୍ଣ୍ଣାଟକ ରାଜ୍ୟ ମହିଳା ଆୟୋଗଙ୍କ ଦ୍ୱାରା ଗଠିତ ଏକ କମିଟିରେ ସେ ସାମିଲ ଥିଲେ।

ଗାୟତ୍ରୀଙ୍କଠାରେ ମୁଣ୍ଡ ବୁଲାଇବା, ଗୋଡ଼ ହାତ ଥରିବା, ପିଠି ଯନ୍ତ୍ରଣା ଏବଂ ଥକ୍କାପଣ ଭଳି ସମସ୍ୟା ଦେଖାଦେଇଥାଏ। ଏସବୁ ଗମ୍ଭୀର ଅପପୁଷ୍ଟି ଏବଂ ରକ୍ତହୀନତାର ଲକ୍ଷଣ ବୋଲି ଡାକ୍ତର ସଲଦାନା କୁହନ୍ତି।

ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧ ( ଏନଏଫଏଚଏସ-୫ ) ର ତଥ୍ୟ ଅନୁଯାୟୀ, ବିଗତ ୪ ବର୍ଷ ମଧ୍ୟରେ କର୍ଣ୍ଣାଟକରେ ରକ୍ତହୀନତାରେ ପୀଡ଼ିତ ୧୫-୪୯ ବର୍ଷର ମହିଳାଙ୍କ ସଂଖ୍ୟା ୨୦୧୫-୧୬ରେ ୪୬.୨ ପ୍ରତିଶତରୁ ବୃଦ୍ଧି ପାଇ ୨୦୧୯-୨୦ରେ ୫୦.୩ ପ୍ରତିଶତରେ ପହଞ୍ଚିଛି। ହାଭେରୀ ଜିଲ୍ଲାରେ, ଏହି ବୟସ ବର୍ଗର ଅର୍ଦ୍ଧାଧିକ ମହିଳା ରକ୍ତହୀନତାରେ ପୀଡ଼ିତ।

ଗାୟତ୍ରୀଙ୍କ ଜୀର୍ଣ୍ଣ ସ୍ୱାସ୍ଥ୍ୟ ତାଙ୍କ ରୋଜଗାରକୁ ମଧ୍ୟ ପ୍ରଭାବିତ କରିଥାଏ। ‘‘ଦିନେ କାମକୁ ଗଲେ ମୁଁ ଅସୁସ୍ଥ ହୋଇପଡ଼ିଥାଏ, ତେଣୁ ପରଦିନ କାମକୁ ଯାଏ ନାହିଁ’’, ଦୁଃଖର ସହ ସେ କୁହନ୍ତି।

PHOTO • S. Senthalir

ସେହି କଲୋନୀର ଏକ ଦୁଇ ବଖୁରିଆ ଘରେ ମଞ୍ଜୁଳା ମହାଦେବପ୍ପା କଚ୍ଛରାବୀ ନିଜ ସ୍ୱାମୀ ଏବଂ ଅନ୍ୟ ୧୮ ଜଣ ପରିବାର ସଦସ୍ୟଙ୍କୁ ନେଇ ରୁହନ୍ତି। ସେ ଓ ତାଙ୍କର ସ୍ୱାମୀ ଯେଉଁ ଘରେ ଶୁଅନ୍ତି ତାହା ଦିନ ବେଳା ପରିବାରର ରୋଷେଇ ଘର ଭାବେ ବ୍ୟବହୃତ ହୋଇଥାଏ

ମଞ୍ଜୁଳା ମହାଦେବପ୍ପା କଚ୍ଛରାବୀ (୨୫) ମଧ୍ୟ ସବୁବେଳେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ମାସିକ ଧର୍ମ ସମୟରେ ତାଙ୍କର ପେଟ ଟାଣି ଧରିଥାଏ ଏବଂ ତଳି ପେଟ ଯନ୍ତ୍ରଣା ହୋଇଥାଏ। ଏହାପରେ ତାଙ୍କର ଋତୁସ୍ରାବ ହୁଏ।

‘‘ମାସିକ ଋତୁସ୍ରାବ ହେବାର ୫ ଦିନର ସମୟ ମୋ ପାଇଁ ଖୁବ ଯନ୍ତ୍ରଣାଦାୟକ,’’ ମଞ୍ଜୁଳା କୁହନ୍ତି। ସେ ଦିନକୁ ୨୦୦ ଟଙ୍କା ମଜୁରିରେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି। ‘‘ପ୍ରଥମ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ମୁଁ ଉଠି ପାରେ ନାହିଁ। ପେଟ ଜୋରରେ ଟାଣି ଧରିଥାଏ ଏବଂ ମୁଁ ଚାଲିପାରେ ନାହିଁ। କାମକୁ ଯାଏ ନାହିଁ। ଏପରିକି ଖାଏ ନାହିଁ ମଧ୍ୟ। କେବଳ ବିଶ୍ରାମ କରିଥାଏ।’’

ଯନ୍ତ୍ରଣା ବ୍ୟତୀତ ଗାୟତ୍ରୀ ଓ ମଞ୍ଜୁଳା ଆଉ ଏକ ସମାନ ସମସ୍ୟା ଭୋଗିଥାନ୍ତି: ନିରାପଦ ଏବଂ ସ୍ୱଚ୍ଛ ଶୌଚାଳୟ।

୧୨ ବର୍ଷ ତଳେ, ବାହାଘର ପରେ ଗାୟତ୍ରୀ ଅସୁଣ୍ଡିର ଦଳିତ କଲୋନୀରେ ଥିବା ୭.୫ x ୧୦ ଫୁଟ ଝରକା ନଥିବା ଘରେ ରହିବାକୁ ଆସିଥିଲେ। ଏ ଘର ଗୋଟିଏ ଟେନିସ କୋର୍ଟର ଏକ ଚତୁର୍ଥାଂଶ କ୍ଷେତ୍ରଫଳ ଠାରୁ ଟିକିଏ ବଡ଼। ଦୁଇଟି କାନ୍ଥ ରୋଷେଇ ଘର, ରହିବା ଓ ଗାଧୁଆ ଘରକୁ ଅଲଗା କରିଛି। ଶୌଚାଳୟ ପାଇଁ ସ୍ଥାନ ନାହିଁ।

ସେହି କଲୋନୀର ଏକ ଦୁଇ ବଖୁରିଆ ଘରେ ମଞ୍ଜୁଳା ମହାଦେବପ୍ପା କଚ୍ଛରାବୀ ନିଜ ସ୍ୱାମୀ ଏବଂ ଅନ୍ୟ ୧୮ ଜଣ ପରିବାର ସଦସ୍ୟଙ୍କୁ ନେଇ ରୁହନ୍ତି। ମାଟି କାନ୍ଥ ଏବଂ ପୁରୁଣା ଶାଢ଼ିରେ ତିଆରି ହୋଇଥିବା ପରଦା ସେହି ଦୁଇ କୋଠରୀକୁ ଛଅ ଭାଗରେ ବିଭକ୍ତ କରିଛି। ‘‘ଏନୁକ୍କୁଇମ୍ବିଲିରି (ଅନ୍ୟ କିଛି ପାଇଁ କୌଣସି ସ୍ଥାନ ନାହିଁ),’’ ସେ କୁହନ୍ତି। ‘‘ପର୍ବପର୍ବାଣୀ ସମୟରେ ସବୁ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ, ବସିବା ପାଇଁ ଜାଗା ମିଳିନଥାଏ।’’ ଏଭଳି ଦିନରେ ପରିବାରର ପୁରୁଷମାନେ ଗୋଷ୍ଠୀ କେନ୍ଦ୍ରକୁ ଶୋଇବା ପାଇଁ ଯାଇଥାନ୍ତି।

Manjula standing at the entrance of the bathing area that the women of her house also use as a toilet sometimes. Severe stomach cramps during her periods and abdominal pain afterwards have robbed her limbs of strength. Right: Inside the house, Manjula (at the back) and her relatives cook together and watch over the children
PHOTO • S. Senthalir
Inside the house, Manjula (at the back) and her relatives cook together and watch over the children
PHOTO • S. Senthalir

ଗାଧୁଆ ସ୍ଥାନର ପ୍ରବେଶ ପଥରେ ମଞ୍ଜୁଳା ଛିଡ଼ା ହୋଇଛନ୍ତି ଯାହାକି ବେଳେ ବେଳେ ଘରର ମହିଳାଙ୍କ ପାଇଁ ଶୌଚାଳୟ ଭାବେ ବ୍ୟବହୃତ ହୋଇଥାଏ। ମାସିକ ଧର୍ମ ସମୟରେ ପେଟ ଖୁବଜୋରରେ ଟାଣି ଧରିଥାଏ ଏବଂ ଏହାପରେ ହେଉଥିବା ତଳିପେଟ ଯନ୍ତ୍ରଣା ତାଙ୍କ ଶରୀରକୁ ଅବଶ କରି କରି ଦେଇଥାଏ। ଡାହାଣ: ଘର ଭିତରେ, ମଞ୍ଜୁଳା (ପଛରେ) ଏବଂ ତାଙ୍କର ସମ୍ପର୍କୀୟମାନେ ମିଳିମିଶି ରୋଷେଇ କରନ୍ତି ଏବଂ ପିଲାମାନଙ୍କୁ ଦେଖାଶୁଣା କରିଥାନ୍ତି

ତାଙ୍କ ଘର ବାହାରେ ଛୋଟ ସ୍ନାନ କ୍ଷେତ୍ରର ପ୍ରବେଶ ଦ୍ୱାର ଏକ ଶାଢ଼ିରେ ଆବଦ୍ଧ ହୋଇଛି। ମଞ୍ଜୁଳାଙ୍କ ଘରର ମହିଳାମାନେ ପରିସ୍ରା କରିବା ଲାଗି ଏହି ସ୍ଥାନକୁ ଉପଯୋଗ କରିଥାନ୍ତି, କିନ୍ତୁ ଘରେ ଅଧିକ ଲୋକ ଥିଲେ ଏମିତି କରନ୍ତି ନାହିଁ। ଗତ କିଛି ଦିନ ହେବ ଏଠାରୁ ଦୁର୍ଗନ୍ଧ ବାହାରୁଛି। କଲୋନୀର ସଙ୍କୀର୍ଣ୍ଣ ଗଳିକୁ ଯେତେବେଳେ ପାଇପ୍‌ ଲାଇନ୍‌ ବିଛାଇବା ପାଇଁ ଖୋଳାଗଲା ଏଠାରେ ପାଣି ଜମିଗଲା ଏବଂ ପାଚେରିରେ ଶିଉଳି ଲାଗିଲା। ଋତୁସ୍ରାବ ସମୟରେ ମଞ୍ଜୁଳା ଏହି ସ୍ଥାନରେ ସାନିଟାରୀ ପ୍ୟାଡ୍‌ ବଦଳାଇଥାନ୍ତି। ‘‘ମୋତେ କେବଳ ଦୁଇ ଥର ପ୍ୟାଡ୍‌ ବଦଳାଇବାକୁ ସୁଯୋଗ ମିଳିଥାଏ – ଥରେ ସକାଳୁ କାମକୁ ଯିବା ପୂର୍ବରୁ ଏବଂ ଆଉ ଥରେ ସନ୍ଧ୍ୟାରେ ଫେରିବା ପରେ।’’ ସେ ଯେଉଁ ଜମିରେ କାମ କରିଥାନ୍ତି, ସେଠାରେ ଶୌଚାଳୟ ନାହିଁ।

ପୃଥକ ଭାବେ ପ୍ରତିଷ୍ଠା ହୋଇଥିବା ଅନ୍ୟ ସମସ୍ତ ସ୍ଥାନିକ ଦଳିତ କଲୋନୀ ଭଳି ମଡ଼ିଗରକେରୀକୁ ମଧ୍ୟ ଗାଁ ପରିଧିଠାରୁ ବାହାରେ ରଖାଯାଇଛି। ଏଠାକାର ୬୭ଟି ଘରେ ପାଖାପାଖି ୬୦୦ ଲୋକ ରୁହନ୍ତି ଏବଂ ଅଧିକାଂଶ ଘରେ ତିନିରୁ ଅଧିକ ଲେଖାଏଁ ପରିବାର ରହିଛନ୍ତି।

୬୦ ବର୍ଷ ପୂର୍ବରୁ ଅସୁଣ୍ଡିର ମଡ଼ିଗା ସମୁଦାୟକୁ ଏହି ଦେଢ଼ ଏକର ଜମି ଆବଣ୍ଟନ କରାଯାଇଥିଲା, ଏହାପରଠାରୁ କଲୋନୀର ଜନସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। କିନ୍ତୁ ଅଧିକ ଘର ପାଇଁ ଦାବି କରି ବାରମ୍ବାର ବିରୋଧ ପ୍ରଦର୍ଶନ କରିବାର କୌଣସି ଫଳ ମିଳିନାହିଁ। ଯୁବପିଢ଼ି ଏବଂ ସେମାନଙ୍କ ବର୍ଦ୍ଧିତ ପରିବାର ପାଇଁ ସ୍ଥାନ ଯୋଗାଡ଼ କରିବା ନିମନ୍ତେ ଲୋକମାନେ ଉପଲବ୍ଧ ସ୍ଥାନକୁ କାନ୍ଥ ଓ ଶାଢ଼ି ପରଦାରେ ବିଭାଜନ କରି ଦେଇଛନ୍ତି।

ଏହିପରି ଭାବେ ୨୨.୫ x୩୦ ଫୁଟର ଏକ ବଡ଼ କୋଠରୀ ଥିବା ଗାୟତ୍ରୀଙ୍କ ଘର ଛୋଟ ଛୋଟ ଖଣ୍ଡରେ ପରିବର୍ତ୍ତିତ ହୋଇଯାଇଛି। ସେ, ତାଙ୍କର ସ୍ୱାମୀ, ତାଙ୍କର ଦୁଇ ପୁଅ ଏବଂ ସ୍ୱାମୀଙ୍କ ବାପା-ମା’ ସେଥିମଧ୍ୟରୁ ଗୋଟିଏ ଉପରେ କବ୍‌ଜା କରି ନେଲେ। ଅନ୍ୟ ଦୁଇ ବଖରାରେ ତାଙ୍କ ସ୍ୱାମୀଙ୍କ ପରିବାରର ଅନ୍ୟମାନେ ରହିଥିଲେ। ଘର ଆଗରେ ଏକ ସଂକୀର୍ଣ୍ଣ ଅପରିଷ୍କାର ଗଳି କାମ କରିବା ସ୍ଥାନ ଭାବେ ବ୍ୟବହୃତ ହୋଇଥାଏ। ଏଇଠି କପଡ଼ା ସଫା କରିବା, ବାସନ ମାଜିବା, ତାଙ୍କର ୭ ଓ ୧୦ ବର୍ଷର ଦୁଇ ପୁଅମାନଙ୍କୁ ଗାଧୋଇ ଦେବାରେ ବ୍ୟବହାର କରାଯାଇଥାଏ। ଅଣଓସାରିଆ ଘର ଭିତରେ ଏସବୁ କାମ ହୋଇପାରେ ନାହିଁ। ସେମାନଙ୍କ ଘର ବହୁତ ଛୋଟ ହୋଇଥିବାରୁ, ଗାୟତ୍ରୀ ନିଜର ୬ ବର୍ଷର ଝିଅକୁ ଚିନ୍ନମୁଲଗୁଣ୍ଡ ଗାଁରେ ଥିବା ତା’ର ଅଜାଆଈଙ୍କ ପାଖକୁ ରହିବା ପାଇଁ ପଠାଇ ଦେଇଛନ୍ତି।

Permavva Kachcharabi and her husband (left), Gayathri's mother- and father-in-law, at her house in Asundi's Madigara keri.
PHOTO • S. Senthalir
The colony is growing in population, but the space is not enough for the families living there
PHOTO • S. Senthalir

ବାମ: ଅସୁଣ୍ଡିର ମଡିଗରକେରୀରେ ଗାୟତ୍ରୀଙ୍କ ଶାଶୂ ଓ ଶ୍ୱଶୁର ପରମାଭ କଚ୍ଛରବୀ ଏବଂ ତାଙ୍କର ସ୍ୱାମୀ (ବାମ) ରୁହନ୍ତି। ଡାହାଣ: କଲୋନୀର ଜନସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି, କିନ୍ତୁ ସେଠାରେ ରହୁଥିବା ପରିବାର ପାଇଁ ଏହି ସ୍ଥାନ ଯଥେଷ୍ଟ ନୁହେଁ

ଏନଏଫଏଚଏସ ୨୦୧୯-୨୦ର ତଥ୍ୟ ଅନୁଯାୟୀ, କର୍ଣ୍ଣାଟକର ୭୪.୬ ପ୍ରତିଶତ ପରିବାର ପାଖରେ ‘ଭଲ ଶୌଚାଳୟ ସୁବିଧା’ ରହିଛି, ଅନ୍ୟପଟେ ହାଭେରୀ ଜିଲ୍ଲାର ୬୮.୯ ପ୍ରତିଶତ ପରିବାର ପାଖରେ ଏଭଳି ସୁବିଧା ରହିଛି। ଏନଏଫଏଚଏସର ମାପଦଣ୍ଡ ଅନୁଯାୟୀ, ଏକ ଉନ୍ନତ ଶୌଚାଳୟ ସୁବିଧାର ଅର୍ଥ ହେଉଛି ‘‘ଫ୍ଲସ୍‌ କିମ୍ବା ପୋର-ଫ୍ଲସଠାରୁ ଆରମ୍ଭ ପାଇପ ସିୱର ବ୍ୟବସ୍ଥା (ସେପ୍ଟିକ ଟାଙ୍କି କିମ୍ବା ପିଟ୍‌ ପାଇଖାନା), ପବନ ଚଳାଚଳ କରୁଥିବା ଉନ୍ନତ ପିଟ ପାଇଖାନା, ସ୍ଲାବ୍‌ ଥିବା ପିଟ୍‌ ପାଇଖାନା, କିମ୍ବା କମ୍ପୋଷ୍ଟିଂ ଶୌଚାଳୟ।’’ ଅସୁଣ୍ଡିର ମଡ଼ିଗର କେରୀରେ ଏମିତି କୌଣସି ସୁବିଧା ନାହିଁ। ‘‘ ହୋଲ୍‌ଦାଗା ହୋଗବେକରୀ (କ୍ଷେତରେ ଆମକୁ ଶୌଚ ହେବାକୁ ପଡ଼ିବ)’’, ଗାୟତ୍ରୀ କୁହନ୍ତି। ‘‘ଜମି ମାଲିକମାନେ କ୍ଷେତରେ ବାଡ଼ ବସାଇ ଦିଅନ୍ତି ଏବଂ ଆମକୁ ଦୁର୍ବ୍ୟବହାର କରିଥାନ୍ତି’’, ସେ ଆହୁରି କହିଥିଲେ। ତେଣୁ କଲୋନୀର ବାସିନ୍ଦାମାନଙ୍କୁ ଭୋରରୁ, ସୂର୍ଯ୍ୟୋଦୟ ପୂର୍ବରୁ ଯିବାକୁ ହୋଇଥାଏ।

ଏହାର ଏକ ସମାଧାନ ଭାବେ ଗାୟତ୍ରୀ ତାଙ୍କର ପାଣି ପିଇବା କମାଇ ଦେଇଛନ୍ତି। ଆଉ ଏବେ, ସେ ପରିସ୍ରା ନଯାଇ ଘରକୁ ଫେରୁଛନ୍ତି କାରଣ ଜମି ମାଲିକମାନେ ଆଖପାଖରେ ରହୁଛନ୍ତି, ତାଙ୍କୁ ଅକଥନୀୟ ପେଟ ଯନ୍ତ୍ରଣା ସହିବାକୁ ପଡ଼ୁଛି। ‘‘ଯଦି ମୁଁ କିଛି ସମୟ ପରେ ଯିବି, ପରିସ୍ରା କରିବା ଲାଗି ମୋତେ ଆହୁରି ଅଧ ଘଣ୍ଟା ଲାଗିବ। ଏହା ଆହୁରି ଅଧିକ ଯନ୍ତ୍ରଣାଦାୟକ ହେବ।

ଅନ୍ୟପଟେ, ଜରାଶୟ ସଂକ୍ରମଣ କାରଣରୁ ମଞ୍ଜୁଳାଙ୍କୁ ପେଟ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ପ୍ରତି ମାସରେ ତାଙ୍କର ମାସିକଧର୍ମ ଶେଷ ହେଲେ, ଜରାଶୟରୁ ସ୍ଖଳନ ଆରମ୍ଭ ହୋଇଥାଏ। ‘‘ଏହା ପରବର୍ତ୍ତୀ ଋତୁଚକ୍ର ପର୍ଯ୍ୟନ୍ତ ଜାରି ରହିଥାଏ। ମାସିକ ଧର୍ମ ହେବା ପର୍ଯ୍ୟନ୍ତ ମୋର ପେଟ ଓ ପିଠି ଯନ୍ତ୍ରଣା ଜାରି ରହିଥାଏ। ଏହା ଅତ୍ୟନ୍ତ ପୀଡ଼ାଦାୟକ। ମୋ ହାତ ଓ ଗୋଡ଼ରେ ଆଉ ବଳ ନାହିଁ।’’

ଏବେ ସୁଦ୍ଧା ସେ ୪-୫ଟି ଘରୋଇ କ୍ଲିନିକରେ ଦେଖାଇ ସାରିଲେଣି। ତାଙ୍କ ସ୍କାନରେ ସବୁ ଠିକ୍‌ ଥିବା ଦେଖାଯାଉଛି। ‘‘ମୋତେ କୁହାଗଲା, ମୋର ପିଲା ହେବ (ଗର୍ଭବତୀ ହେବା) ନ ହେବା ପର୍ଯ୍ୟନ୍ତ ଆଉ ଚେକ୍ ଅପ୍ କରିବା ଦରକାର ନାହିଁ। ଏହି କାରଣରୁ ମୁଁ ସେବେଠାରୁ ଆଉ ଡାକ୍ତରଖାନା ଯାଇନାହିଁ। କୌଣସି ରକ୍ତପରୀକ୍ଷା କରାଯାଇନାହିଁ।’’

ଡାକ୍ତରଙ୍କ ପରାମର୍ଶରେ ସନ୍ତୁଷ୍ଟ ନହେବାରୁ, ସେ ପାରମ୍ପରିକ ଆୟୁର୍ବେଦ ଔଷଧ ଏବଂ ସ୍ଥାନୀୟ ମନ୍ଦିର ପୂଜାରୀଙ୍କ ଶରଣ ନେଇଥିଲେ। କିନ୍ତୁ ଯନ୍ତ୍ରଣା ଓ ସ୍ରାବ ବନ୍ଦ ହେଲାନାହିଁ।

With no space for a toilet in their homes, or a public toilet in their colony, the women go to the open fields around. Most of them work on farms as daily wage labourers and hand pollinators, but there too sanitation facilities aren't available to them
PHOTO • S. Senthalir
With no space for a toilet in their homes, or a public toilet in their colony, the women go to the open fields around. Most of them work on farms as daily wage labourers and hand pollinators, but there too sanitation facilities aren't available to them
PHOTO • S. Senthalir

ସେମାନଙ୍କ ଘରେ ଶୌଚାଳୟ ଏବଂ କଲୋନୀରେ ସର୍ବସାଧାରଣ ଶୌଚାଳୟ ପାଇଁ ସ୍ଥାନାଭାବ କାରଣରୁ ମହିଳାମାନେ ଆଖପାଖରେ ଥିବା ଖୋଲା ପଡ଼ିଆକୁ ଯିବା ଲାଗି ବାଧ୍ୟ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଚାଷ ଜମିରେ ଦିନ ମଜୁରିଆ ଏବଂ ହାତରେ ପରାଗସଙ୍ଗମକାରୀ ଭାବେ କାମ କରିଥାନ୍ତି, କିନ୍ତୁ ସେଠାରେ ମଧ୍ୟ ଶୌଚାଳୟର କୌଣସି ସୁବିଧା ସେମାନଙ୍କ ପାଇଁ ନାହିଁ

ଡାକ୍ତର ସାଲ୍‌ଦାନା କୁହନ୍ତି, ଅପପୁଷ୍ଟି, କ୍ୟାଲସିୟମ ଅଭାବ, ଘଣ୍ଟା ଘଣ୍ଟା ଧରି ଶାରୀରିକ ପରିଶ୍ରମ ସହିତ – ଅପରିଷ୍କାର ପାଣି ଏବଂ ଖୋଲାରେ ଶୌଚ ହେବା କାରଣରୁ – ଜରାଶୟରୁ ସ୍ଖଳନ, ଗମ୍ଭୀର ପିଠି ଯନ୍ତ୍ରଣା, ପେଟ ବିନ୍ଧା ଏବଂ ତଳିପେଟ ଫୁଲା ଭଳି ସମସ୍ୟା ଦେଖାଦେଇଥାଏ।

୨୦୧୯ରେ ସେହି କ୍ଷେତ୍ରରେ ମାତୃ ମୃତ୍ୟୁହାରକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ ମାମଲା ଦାୟର କରିଥିବା କର୍ଣ୍ଣାଟକ ଜନଆରୋଗ୍ୟ ଚଲୁଭାଲି (କେଜେଏସ) ସଂଗଠନର ସଦସ୍ୟା ତଥା ଉତ୍ତର କର୍ଣ୍ଣାଟକର ସାମାଜିକ କର୍ମୀ ଟୀନା ଜେଭିୟର କୁହନ୍ତି ଯେ, ‘‘ଏହା କେବଳ ହାଭେରୀ କିମ୍ବା କିଛି ସ୍ଥାନର ସମସ୍ୟା ନୁହେଁ। ଦୁର୍ବଳ ବର୍ଗର ସବୁ ମହିଳାମାନେ ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଶିକାର ହୋଇଥାନ୍ତି।

କର୍ଣ୍ଣାଟକର ଗ୍ରାମୀଣ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଅଭାବ କାରଣରୁ ଗାୟତ୍ରୀ ଓ ମଞ୍ଜୁଳାଙ୍କ ଭଳି ମହିଳାମାନଙ୍କୁ ଘରୋଇ ସ୍ୱାସ୍ଥ୍ୟ ସେବା ବିକଳ୍ପର ସନ୍ଧାନ କରିବାକୁ ପଡ଼ିଥାଏ। ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପ୍ରଜନନ ଏବଂ ଶିଶୁ ସ୍ୱାସ୍ଥ୍ୟ ଉପରେ ୨୦୧୭ରେ ସାରା ଦେଶର କେତେକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା। କର୍ଣ୍ଣାଟକରେ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କର ଗୁରୁତର ଅଭାବ ରହିଥିବା ଏହାର ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଥିଲା।

ଏସବୁ ମୌଳିକ ସମସ୍ୟା ପ୍ରତି ଅନଭିଜ୍ଞ ତଥା ଶଙ୍କାଗ୍ରସ୍ତ ଗାୟତ୍ରୀ ଦିନେ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ବୋଲି ଆଶାବାଦୀ ରହିଛନ୍ତି। ଯନ୍ତ୍ରଣା ହେଉଥିବା ଦିନଗୁଡ଼ିକରେ ସେ ଆଶଙ୍କାଗ୍ରସ୍ତ ଥାଆନ୍ତି, ସେ କୁହନ୍ତି, ‘‘ମୋର କ’ଣ ହେବ? ମୁଁ କୌଣସି ରକ୍ତ ପରୀକ୍ଷା କରାଇନାହିଁ। ଯଦି ମୁଁ କରିଥାନ୍ତି, ସମସ୍ୟା କ’ଣ ମୁଁ ଜାଣିପାରିଥାନ୍ତି। ମୋତେ କୌଣସି ପ୍ରକାରରେ ଟଙ୍କା ଉଧାର ଆଣି ଚିକିତ୍ସା କରିବାକୁ ହେବ। ମୋର କ’ଣ ଅସୁସ୍ଥତା ରହିଛି ଅତିକମ୍‌ରେ ମୁଁ ତାହା ଜାଣିବା ଉଚିତ୍‌।’’

ଗ୍ରାମୀଣ ଭାରତର କିଶୋରୀ ଏବଂ ସ୍ୱ ଳ୍ପ ବୟସ୍କା ମହିଳାଙ୍କ ଉପରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ପକ୍ଷରୁ ଏକ ରାଷ୍ଟ୍ରବ୍ୟାପୀ ରିପୋର୍ଟିଂ ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି ସାଧାରଣ ଲୋକଙ୍କ ସ୍ୱ ର ଏବଂ ଜୀବନ୍ତ ଅନୁଭୂତି ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ତଥାପି ପଛୁଆ ସମୁଦାୟଙ୍କ ପରିସ୍ଥିତିକୁ ଲୋକଲୋଚନକୁ ଆଣିବା ଲାଗି ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆର ଏକ ପ୍ରୟାସର ଅଂଶବିଶେଷ ସ୍ୱ ରୂପ ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି

ଗ୍ରାମୀଣ ଭାରତର କିଶୋରୀ ଏବଂ ସ୍ୱ ଳ୍ପ ବୟସ୍କା ମହିଳାଙ୍କ ଉପରେ ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟ ପକ୍ଷରୁ ଏକ ରାଷ୍ଟ୍ରବ୍ୟାପୀ ରିପୋର୍ଟିଂ ପ୍ରକଳ୍ପ ପ୍ରସ୍ତୁତ କରାଯାଉଛି ସାଧାରଣ ଲୋକଙ୍କ ସ୍ୱ ର ଏବଂ ଜୀବନ୍ତ ଅନୁଭୂତି ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ ତଥାପି ପଛୁଆ ସମୁଦାୟଙ୍କ ପରିସ୍ଥିତିକୁ ଲୋକଲୋଚନକୁ ଆଣିବା ଲାଗି ପପୁଲେସନ ଫାଉଣ୍ଡେସନ ଅଫ ଇଣ୍ଡିଆର ଏକ ପ୍ରୟାସର ଅଂଶବିଶେଷ ସ୍ୱ ରୂପ ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି

ଏହି ସ୍ତମ୍ଭକୁ ପୁନଃପ୍ରକାଶିତ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] ଏବଂ [email protected] ଙ୍କୁ ଲେଖନ୍ତୁ।

ଅନୁବାଦ: ଓଡ଼ିଶାଲାଇଭ୍‍

S. Senthalir

S. Senthalir is Senior Editor at People's Archive of Rural India and a 2020 PARI Fellow. She reports on the intersection of gender, caste and labour. Senthalir is a 2023 fellow of the Chevening South Asia Journalism Programme at University of Westminster.

Other stories by S. Senthalir
Illustration : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar
Editor : Kavitha Iyer

Kavitha Iyer has been a journalist for 20 years. She is the author of ‘Landscapes Of Loss: The Story Of An Indian Drought’ (HarperCollins, 2021).

Other stories by Kavitha Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE