ଭିତରେ ଦୁଇଟି ଶିଶୁ ଅଛନ୍ତି, ରୋପି ଘରୋଇ ପ୍ରସୂତି କ୍ଲିନିକ୍‌ର ଡାକ୍ତରଙ୍କୁ ଆତ୍ମବିଶ୍ୱାସର ସହ କହିଲେ - ଯଦିଓ ତାଙ୍କ ପାଖରେ କୌଣସି ଅଲଟ୍ରାସାଉଣ୍ଡ ରିପୋର୍ଟ ନ ଥିଲା ।

ରୋପି ମାନୁ ବେଟେ ପ୍ରାୟ ଦୁଇ ବର୍ଷ ପୂର୍ବର ଏହି ଘଟଣାକୁ କିଛିଟା ଖୁସି ଓ ବହୁତ ଆନନ୍ଦର ସହ ବର୍ଣ୍ଣନା କଲେ । ସେ ଡାକ୍ତର ଷ୍ଟେଥୋସ୍କୋପ ବ୍ୟବହାର କରିବାର ଅନୁକରଣ କରି କହିଲେ, “କାନ ମେ ୱ ଲଗାୟା  [ସେ କାନରେ ତାକୁ ଲଗାଇଲେ]’’। ଦୁର୍ବଳ ଗର୍ଭବତୀ ମହିଳାଙ୍କ ମଧ୍ୟମ ଆକାରର ପେଟକୁ ଡାକ୍ତର ଶେଷ ଦୃଷ୍ଟି ଦେଲେ ଏବଂ ରୋପିଙ୍କ ଯାଆଁଳା ଶିଶୁଙ୍କ ପୂର୍ବାନୁମାନ ସହ ସେ ସହମତ ନୁହଁନ୍ତି ବୋଲି କହିଲେ ।

କ୍ଲିନିକ୍‌ର ଡେଲିଭରି ରୁମ୍‌ରେ ଏକ ଷ୍ଟୁଲ ଉପରେ ବସିବା ପାଇଁ ପଛକୁ ଫେରିବା ପୂର୍ବରୁ ସେ ପୁଣିଥରେ କହିଥିଲେ, “ମେଡାମ୍, ଦୋ ହୋତା, ଦୋ [ଦୁଇଟି ମ୍ୟାଡାମ୍, ଦୁଇଟି ପିଲା ହେବେ] ।’’ ପ୍ରାୟ ୭୦ ବର୍ଷୀୟା ରୋପି – ଏବଂ ସେତେବେଳେ ଯନ୍ତ୍ରଣାରେ କାତର ହେଉଥିବା ଗର୍ଭବତୀ ମହିଳା ଉଭୟ, ଉତ୍ତର-ପୂର୍ବ ମହାରାଷ୍ଟ୍ରର ମେଲଘାଟ ଜଙ୍ଗଲ ସୀମାନ୍ତରେ ଥିବା ତାଙ୍କ ଗାଁ ଜାଇତାଦେହିଠାରୁ ୨୦ କିଲୋମିଟର ଦୂରରେ ଥିବା ପାରାଟୱାଡ଼ା ସହରରେ ଥିଲେ ।

ସନ୍ଧ୍ୟା ସୁଦ୍ଧା ଏକ ଶିଶୁପୁତ୍ର ଜନ୍ମ ହେଲା ଏବଂ କିଛି ସେକେଣ୍ଡ ପରେ ଦ୍ୱିତୀୟ ଶିଶୁର ମୁଣ୍ଡ ବାହାରିଲା । ଏଥର ଗୋଟିଏ ଝିଅ, ତା’ର ଯାଆଁଳା ଭଉଣୀ।

କାଦୁଅରେ ନିର୍ମିତ ତାଙ୍କର ପାରମ୍ପରିକ ଘରର ବାରଣ୍ଡାର ଏକ ମୁଣ୍ଡରେ ଖାଲି କାଠ ଖଟ ଉପରେ ବସି ରୋପି ଜୋରରେ ହସିଲେ । ଘରର ଚଟାଣ ଗୋବରରେ ଲିପା ହୋଇ ଚିକ୍‌ଚିକ୍‌ ହୋଇଥିଲା । ଭିତରେ, କାଠର ଛାତ ଥିବା ତିନିଟି କୋଠରୀ ଖାଲି ଥିଲା, ତାଙ୍କର ଦୁଇ ପୁଅ ପରିବାର ଚାଷ କରୁଥିବା ଦୁଇ ଏକର ଜମିରେ କାମ କରିବାକୁ ବାହାରକୁ ଯାଇଥିଲେ ।

ସେ କୋର୍‌କୁ ଭାଷାରେ ଏକ ଅପଶବ୍ଦ କହିଲେ – ଯାହାର ଆକ୍ଷରିକ ଅର୍ଥ ଗଧର ଗୁପ୍ତାଙ୍ଗ ହେବ – ଏଥିସହ ସେ ଆହୁରି ହସିଲେ, ତାଙ୍କ ମୁହଁରେ ଅଙ୍କିତ ରେଖାସବୁ ଆହୁରି ଗଭୀର ହୋଇଗଲା। ସହରର ଜଣେ ଡାକ୍ତରଙ୍କୁ ଗାଳି ଦେବା କଥାକୁ ମନେ ପକାଇ ସେ କହିଲେ, ‘‘ତାହା ହିଁ ମୁଁ ତାଙ୍କୁ କହିଥିଲି’’।

Ropi, Jaitadehi village's last remaining traditional dai, says she must have delivered at least 500-600 babies
PHOTO • Kavitha Iyer

ଜୈତାଦେହି ଗ୍ରାମର ଶେଷ ଧାଈ ରୋପି କୁହନ୍ତି, ସେ ଅତିକମରେ 500-600 ପିଲାଙ୍କୁ ପ୍ରସବ କରାଇଛନ୍ତି

ସେହି ଆତ୍ମବିଶ୍ୱାସ ଚାରି ଦଶନ୍ଧିରୁ ଅଧିକ ଅଭିଜ୍ଞତାରୁ ଆସିଛି - କୋର୍‌କୁ ସମ୍ପ୍ରଦାୟର ଏହି ମହିଳା ରୋପି, ଜାଇତାଦେହିର ଶେଷ ପାରମ୍ପରିକ ଧାଈ । ସେ ନିଶ୍ଚିତ ଭାବରେ ଅତି କମ୍‌ରେ ୫୦୦-୬୦୦ ଶିଶୁ ପ୍ରସବ କରାଇଥିବେ ବୋଲି କହନ୍ତି । ସେ କେବେହେଲେ ଏହାକୁ ଗଣନା କରିନାହାନ୍ତି । ସେ କୁହନ୍ତି, ସେ ପ୍ରସବ ଦାୟିତ୍ୱରେ ଥିବା ସମୟରେ ଜଣେ ବି ମୃତ ଶିଶୁ ଜନ୍ମ ହୋଇନାହିଁ । “ସବ୍‌ ଚୋଖା [ସେମାନେ ସମସ୍ତେ ଭଲ ଥିଲେ] ।” ଧାଈମାନେ ହେଉଛନ୍ତି ପାରମ୍ପରିକ ପ୍ରସବ ସହାୟିକା (ଟିବିଏ) ଯେଉଁମାନେ ଧାତ୍ରୀ ଭାବରେ କାର୍ଯ୍ୟ କରନ୍ତି, ଯଦିଓ ସେମାନଙ୍କ ପାଖରେ କୌଣସି ଆଧୁନିକ ତାଲିମ କିମ୍ବା ପ୍ରମାଣପତ୍ର ନାହିଁ ।

ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳରେ ଅମରାବତୀ ଜିଲ୍ଲାର ଧର୍‌ନୀ ଏବଂ ଚିଖାଲଦରା ବ୍ଲକ୍‌ର ଗାଁରେ ରହୁଥିବା ମେଲଘାଟ ଜଙ୍ଗଲର କୋର୍‌କୁ ଆଦିବାସୀମାନଙ୍କ ପାଇଁ ରୋପିଙ୍କ ଭଳି ମହିଳାମାନେ କେବଳ ଦୀର୍ଘ ଦିନ ଧରି ଘରେ ପ୍ରସବ କରାଇବାର ପରମ୍ପରାର ରକ୍ଷକ ନୁହନ୍ତି। ଅଭିଜ୍ଞ ଧାତ୍ରୀ ଭାବରେ ସେମାନେ ମଧ୍ୟ ପ୍ରସବ ପୂର୍ବ ଯତ୍ନ, ପ୍ରସବ କରାଇବା ଏବଂ ଦୁର୍ଗମ, ଜଙ୍ଗଲୀ ଏବଂ ପାହାଡ଼ିଆ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାନ୍ତି ଯେଉଁଠାରୁ ଚିକିତ୍ସା ଉଦ୍ଦେଶ୍ୟରେ ଶୀଘ୍ର ବାହାରକୁ ଆସିବା ସର୍ବଦା ସମ୍ଭବ ହୁଏ ନାହିଁ ।

ରୋପି କୁହନ୍ତି, ମେଲଘାଟର ଅଧିକାଂଶ ଗାଁରେ ଏବେ ବି ଜଣେ ବା ଦୁଇ ଜଣ ଧାଈ ଅଛନ୍ତି, କିନ୍ତୁ ସେମାନେ ସମସ୍ତେ ବୃଦ୍ଧ, ଏବଂ ପରବର୍ତ୍ତୀ ପିଢ଼ିର ଟିବିଏମାନେ ସାମ୍ନାକୁ ଆସିନାହାନ୍ତି । ଜାଇତାଦେହିର ଅନ୍ୟ ଜଣେ ଧାଈ ବହୁ ବର୍ଷ ପୂର୍ବରୁ ପ୍ରାଣ ହରାଇଥିଲେ । ରୋପି ବିଶ୍ୱାସ କରନ୍ତି ଯେ ସେ ତାଙ୍କ ପଛରେ ଏହି କୌଶଳ ଶିଖିଥିବା ଜଣେ ଝିଅ ବା ବୋହୂଙ୍କୁ ଛାଡ଼ିଯାଇଥାଆନ୍ତେ, କିନ୍ତୁ ସେହି ପରିବାରରୁ କେହି ଜଣେ ବି ଏଯାଏଁ ଧାଈ ଭାବରେ କାମ କରିନାହାନ୍ତି ।

ରୋପିଙ୍କ ନିଜ ପିଲାମାନେ ସମସ୍ତେ ଘରେ ଜନ୍ମ ହୋଇଥିଲେ, ଏଥିରେ ତାଙ୍କ ମା’ ଏବଂ ଜଣେ ଧାଈ ସାହାଯ୍ୟ କରିଥିଲେ । ତାଙ୍କର ଚାରି ପୁଅ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଏକ ଦଶନ୍ଧି ପୂର୍ବରୁ ଅସୁସ୍ଥତା ଯୋଗୁଁ ପ୍ରାଣ ହରାଇଥିଲେ । ତାଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି, ଉଭୟ ବିବାହିତ ଏବଂ  ଜାଇତାଦେହିରେ ରହନ୍ତି ଏବଂ ତାଙ୍କର ବହୁ ନାତିନାତୁଣୀ ଏବଂ ଅଣନାତି ନାତୁଣୀ ଅଛନ୍ତି । (ରୋପି କହନ୍ତି, ତାଙ୍କ ଝିଅମାନେ ଏହି କାମ କରିବାକୁ ମନା କରି ଦେଇଛନ୍ତି, ଯଦିଓ ଜଣେ ଝିଅ ଟିକିଏ ଏହି କୌଶଳ ଶିଖିଥିଲେ)

ସେ ଆହୁରି କହିଲେ, “ମୋ ବୋହୂ ଏତେ ଭୟଭୀତ ହୁଏ ଯେ, ପ୍ରସବ କରାଯାଉଥିବା କୋଠରୀରେ ସେ ମୋ ସହିତ ଛିଡ଼ା ବି ହୁଏ ନାହିଁ । ସେ ଦେଖିବ ନାହିଁ ବା ମୋ ହାତକୁ ସୂତା ବା କପଡ଼ା କିଛି ବି ବଢ଼ାଇ ଦେବ ନାହିଁ ।’’ ରକ୍ତ ଦେଖି ତାଙ୍କ ବୋହୂ ଥରିବାକୁ ଅନୁକରଣ କରି ସେ କହନ୍ତି ‘‘ଏସା କାପନେ ଲଗ୍‌ତା ’’[ସେ ଥରିବା ଆରମ୍ଭ କରେ] ।

ରୋପି ମନେ ପକାନ୍ତି, ପୁରାତନ ପିଢ଼ିର ମହିଳାମାନେ ଶାରୀରିକ କାର୍ଯ୍ୟକୁ ଭୟ କରନ୍ତି ନାହିଁ, “ଆମର କୌଣସି ବିକଳ୍ପ ନଥିଲା, ଆମକୁ ସାହସୀ ହେବାକୁ ପଡ଼ିଲା। ପ୍ରତ୍ୟେକ ଛୋଟ ଜିନିଷ ପାଇଁ ଦୌଡ଼ିବାକୁ କୌଣସି ଡାକ୍ତର ଓ ନର୍ସ ନଥିଲେ ।”

Ropi with her great grandchildren: her own children were all born at home, assisted by her mother and a dai
PHOTO • Kavitha Iyer

ରୋପି ତାଙ୍କର ଅଣ ନାତି ନାତୁଣୀଙ୍କ ସହିତ : ତାଙ୍କ ନିଜ ପିଲାମାନେ ସମସ୍ତେ ଘରେ ଜନ୍ମ ହୋଇଥିଲେ , ତାଙ୍କ ମା’ ଏବଂ ଜଣେ ଧାଈ ସାହାଯ୍ୟ କରିଥିଲେ

ତାଙ୍କ ମା’ ଏବଂ ଜେଜେମା ଉଭୟ ଧାଈ ଥିଲେ, ଏବଂ ସେ କାମରେ ଜେଜେମା’ଙ୍କୁ ସହଯୋଗ କରିବା ବେଳେ ଏହି କୌଶଳ ଶିଖିଥିଲେ । ରୋପି କହନ୍ତି ଯେ ପ୍ରସବ କରିବା ପାଇଁ ଲୋକଙ୍କ ଘରକୁ ଯିବାବେଳେ ତାଙ୍କ ମା’ – ଘରେ ରହୁଥିବା- କେବେ ସ୍କୁଲ ଯାଇନଥିବା ଝିଅକୁ- ସାଙ୍ଗରେ ନେଉନଥିଲେ । ସେ ମନେ ରଖିଛନ୍ତି, ତାଙ୍କ ମା’ କୋର୍‌କୁ ଭାଷାରେ ଝିଅକୁ ଗାଳି ଦିଅନ୍ତି “ବକେଇ ହେଜେଦୋ [ପଛରେ ରୁହ]” । ‘‘କିନ୍ତୁ ମୁଁ ମାତ୍ର ୧୨ ବା ୧୩ ବର୍ଷ ବୟସର ହୋଇଥିବା ବେଳେ ବି ମୋ ଜେଜେ ମା’ ମୋତେ ସାଙ୍ଗରେ ନେଉଥିଲେ,” ଏବଂ ପ୍ରାୟ ୧୬ ବର୍ଷ ବୟସରେ ବିବାହ କରିବା ପୂର୍ବରୁ ମଧ୍ୟ ରୋପି ତାଙ୍କ ଜେଜେମା’ଙ୍କ ସହାୟକ ଭାବରେ କାମ କରିବା ଆରମ୍ଭ କରିଥିଲେ ।

*****

ମେଲଘାଟର ବିସ୍ତୀର୍ଣ୍ଣ ପାହାଡ଼ ଏବଂ ଜଙ୍ଗଲ - ଏକ ପ୍ରମୁଖ ଜୈବବିବିଧତା ସଂଗ୍ରହାଳୟ – ୧୫୦୦ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ ବିଶାଳ ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟ ରହିଛି । ଶୁଖିଲା, ପତଳା ଜଙ୍ଗଲରେ କିଛି ଗାଁ ରହିଛି ଯାହାକି କୋର୍‌କୁ ଏବଂ ଗଣ୍ଡ ଆଦିବାସୀ ସମ୍ପ୍ରଦାୟର ବାସସ୍ଥଳୀ । ଏହି ବସ୍ତିଗୁଡ଼ିକ ମଧ୍ୟରୁ ଅନେକ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରେ, ଏହାର ବଫର୍ ଅଞ୍ଚଳରେ ଏବଂ ସୀମାରେ ଅବସ୍ଥିତ । ଏଠାକାର ଅଧିବାସୀମାନେ ପ୍ରାୟତଃ କୃଷକ ଏବଂ ପଶୁପାଳକ, ଏବଂ ଆୟର ଉତ୍ସ ଭାବରେ ସେମାନେ ଜଙ୍ଗଲଜାତ ଉତ୍ପାଦ ଯେପରିକି ବାଉଁଶ ଏବଂ ଔଷଧୀୟ ବୃକ୍ଷ ଉପରେ ନିର୍ଭରଶୀଳ ।

ମୂଳ ଜଙ୍ଗଲ ଅଞ୍ଚଳରେ ୧୫୦ ପରିବାର ଥିବା ଏକ ଗାଁ ବୋର୍ଟ୍ୟାଖେଡ଼ା, ତାଲୁକା ସହର ଚିଖଲାଦାରଠାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ, ପ୍ରାୟ ୭୦ ବର୍ଷ ବୟସ୍କ ଚାର୍‌କୁ ବାବୁଲାଲ୍ କାସଡେକର, ‘‘ଯେବେଠାରୁ ମୁଁ ମନେ ରଖିଛି ସେବେଠାରୁ ଜଣେ ଧାଈ ଭାବେ କାମ କରୁଛନ୍ତି।’’ ସେ କହନ୍ତି ମେଲଘାଟର ଦୁର୍ଗମ ଗାଁଗୁଡ଼ିକରେ, ଯଦିଓ ଗତ ଦଶନ୍ଧି ଗୁଡ଼ିକରେ ମେଡିକାଲ୍‌ ସୁବିଧା ଅନେକାଂଶରେ ଉନ୍ନତ ହୋଇଛି, ତଥାପି ପ୍ରତି ୧୦ ଜଣ ଗର୍ଭବତୀଙ୍କ ମଧ୍ୟରୁ ୫ ଜଣଙ୍କର ପରିବାର ଘରେ ପ୍ରସବ କରାଇବାକୁ ପସନ୍ଦ କରନ୍ତି । (୨୦୧୫-୧୬ର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ, ଏନ୍‌ଏଫ୍‌ଏଚ୍‌ଏସ୍‌-୪ , ଅନୁସାରେ ଗ୍ରାମାଞ୍ଚଳର ୯୧ ପ୍ରତିଶତରୁ ଅଧିକ ଜନ୍ମ ଆନୁଷ୍ଠାନିକ ପ୍ରସବ ଥିଲା, ଏହି ପରିସଂଖ୍ୟାନ ମେଲଘାଟର ଦୂରଦୂରାନ୍ତ ଗାଁର ବିଶିଷ୍ଟ ବାସ୍ତବିକତାକୁ ଉଜାଗର କରିପାରେନାହିଁ ।)

୨୦୨୧ ଏପ୍ରିଲରେ, ବୋର୍ଟ୍ୟାଖେଡ଼ାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି) ପ୍ରତିଷ୍ଠା ହୋଇଥିଲା, ଏକ ମହଲା ବିଶିଷ୍ଟ ଭିତ୍ତିଭୂମି ଦୁଇ ମାସ ପରେ ଯେତେବେଳେ ମୁଁ ସେଠାକୁ ଯାଇଥିଲି ସେଠାକୁ ପାଇପ୍‌ ପାଣି ସଂଯୋଗ ହୋଇନଥିଲା । ଏଠାରେ ଜଣେ ସହାୟକ ନର୍ସ ଧାଈ (ଏଏନ୍‌ଏମ୍‌) ୨୪ ଘଣ୍ଟା ଉପଲବ୍ଧ ରହନ୍ତି । ସେ ପ୍ରଥମ ମହଲାରେ ଏକ ଆବାସିକ ସ୍ଥାନରେ ରହିବା କଥା, କିନ୍ତୁ ବୋର୍ଟ୍ୟାଖେଡ଼ାର ଏଏନ୍‌ଏମ୍‌, ଶାନ୍ତା ବିହିକା ଦୁର୍ବେ, ଜଣେ ସ୍ଥାନୀୟ ବାସିନ୍ଦା, ଯାହାଙ୍କର ବିବାହ ଗାଁରେ ହୋଇଛି ।

ଉପ-କେନ୍ଦ୍ରରେ ଜଣେ ଡାକ୍ତରଙ୍କ ପାଇଁ ନିଯୁକ୍ତି ପାଇଁ ପଦବୀ ରହିଛି, ଯିଏ କି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଭାବରେ କାର୍ଯ୍ୟ କରିବା କଥା, କିନ୍ତୁ ଏହି ପଦରେ ନିଯୁକ୍ତ ବ୍ୟକ୍ତିଙ୍କ ପାଇଁ ପାଇପ୍‌ ଜଳର ଅନୁପସ୍ଥିତି ଏକ ପ୍ରତିବନ୍ଧକ ବୋଲି ଗ୍ରାମବାସୀ ମୋତେ କହିଲେ। ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ସେମାଡୋହ ଗାଁର ପିଏଚ୍‌ସିରେ ତାଲିମ ନେଉଥିବା ଜଣେ ନୂତନ ଭାବେ ଶିକ୍ଷା ସମାପ୍ତ କରିଥିବା ଡାକ୍ତର ଏଠାରେ ଖୁବ୍ ଶୀଘ୍ର ଯୋଗଦେବେ ବୋଲି ଆଶା କରାଯାଉଥିଲା (ଗତ ବର୍ଷ ମୁଁ ପରିଦର୍ଶନ କରିଥିବା ସମୟରେ) ।

Bortyakheda’s ANM Shanta Durve (left) urges Charku, the village's elderly dai, to come along even for deliveries the PHC
PHOTO • Kavitha Iyer

ବୋର୍ଟ୍ୟାଖେଡ଼ାର ଏଏନ୍‌ଏମ୍‌ ଶାନ୍ତା ଦୁର୍ବେ(ବାମ), ଗାଁର ବୟସ୍କ ଧାଈ ଚାର୍‌କୁଙ୍କୁ ପିଏଚ୍‌ସିରେ ପ୍ରସବ କରାଇବାକୁ ଆସିବା ପାଇଁ ଡାକନ୍ତି

ଏଏନ୍‌ଏମ୍‌ କହନ୍ତି, କିନ୍ତୁ ବହୁ ଗର୍ଭବତୀ ମହିଳା ଉପକେନ୍ଦ୍ରକୁ ଆସିବାକୁ ପସନ୍ଦ କରନ୍ତି ନାହିଁ । ନିକଟସ୍ଥ ମୋର୍ସି ବ୍ଲକ୍‌ର ଉପକେନ୍ଦ୍ରରେ ପ୍ରାୟ ଏକ ଦଶନ୍ଧି ଧରି କାମ କରିବା ପରେ ଏଠାରେ ନିଯୁକ୍ତ ହୋଇଥିବା ପ୍ରାୟ ୩୦ ବର୍ଷୀୟା ଶାନ୍ତା ଆହୁରି କହନ୍ତି, ‘‘ତାଙ୍କ ନିଜ ଲୋକେ ପ୍ରସବ ସମୟରେ ଉପସ୍ଥିତ ରହିବା ମହିଳାଙ୍କ ମଧ୍ୟରେ ବିଶ୍ୱାସ ଆଣେ।’’

ସେମାଡୋହରେ ଥିବା ପିଏଚ୍‌ସିରେ ପ୍ରସବ ସମୟରେ ମଧ୍ୟ ଆସିବାକୁ ସେ ବୟସ୍କ ଧାଈ ଚାର୍‌କୁଙ୍କୁ ଆସିବାକୁ ଅନୁରୋଧ କରନ୍ତି । ଶାନ୍ତା କୁହନ୍ତି, ପରିବାରମାନେ ଧାଈଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ ଅଧିକ ସୁବିଧାଜନକ, ଏବଂ ଏହା ସତ୍ୟ ଯେ, ବୋର୍ଟ୍ୟାଖେଡ଼ାରେ ଆଉ କେହି ଯୁବ ଧାଈ ନାହାନ୍ତି, ଯିଏ ଚାର୍‌କୁଙ୍କର ସେବା ପରମ୍ପରାକୁ ଆଗକୁ ବଢ଼ାଇବେ। ଗାଁର ଦ୍ୱିତୀୟ ଧାଈ ବୃଦ୍ଧାବସ୍ଥା ହେତୁ କାମ କରିବା ପ୍ରାୟ ବନ୍ଦ କରିଦେଇଛନ୍ତି ଏବଂ କିଛି ବର୍ଷ ପୂର୍ବରୁ ୟୁନିସେଫ୍ ଏବଂ ସରକାରଙ୍କ ସହଭାଗିତାରେ ଆୟୋଜିତ ଏକ ସ୍ୱଳ୍ପ ଅବଧିର ତାଲିମ ମଧ୍ୟ ସେ ନେଇନଥିଲେ ।

ଦିନିକିଆ ପାଠ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଚାର୍‌କୁ କହନ୍ତି, “ଆମେ ଭାବୁଛୁ ଯେ ଆମେ ସବୁକିଛି ଜାଣୁ, କିନ୍ତୁ ସେମାନେ ଆମକୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଶିଖାଇଲେ, ଯେପରି ସାବୁନ୍ ବ୍ୟବହାର କରିବା, ହାତ ଧୋଇବା ଏବଂ ଏକ ନୂଆ ବ୍ଲେଡ୍ ବ୍ୟବହାର କରିବା କେତେ ଜରୁରୀ ଅଟେ।”

ଯେତେବେଳେ ସେ ପ୍ରସବ କରୁଥିବା ଜଣେ ମହିଳାଙ୍କୁ ନେଇ ପିଏଚ୍‌ସି କିମ୍ବା କେବେ କେବେ କୌଣସି ଘରୋଇ କ୍ଲିନିକ୍‌କୁ ଯାଆନ୍ତି, ସେଠାରେ ପ୍ରସବ  ଜଣେ (ମହିଳା) ନର୍ସ କରାଇଥାଆନ୍ତି। ଚାର୍‌କୁ କହନ୍ତି, ଯେ ମହିଳାମାନେ ନର୍ସ ସେହି କାମ ପାରିବେ ନାହିଁ ବୋଲି ନ କହିବା ଯାଏଁ ପୁରୁଷ ଡାକ୍ତରଙ୍କୁ ମନା କରନ୍ତି। ଯଦି କୌଣସି ଜଟିଳତା ଆସେ, ତେବେ ଡାକ୍ତରଙ୍କୁ ଡକାଯାଏ। ଏବଂ ଚାର୍‌କୁଙ୍କୁ ଏଥିପାଇଁ କୌଣସି ପାଉଣା ମିଳେନାହିଁ ।

ସେ ତଥାପି କାହିଁକି ସାଙ୍ଗରେ ଯାଆନ୍ତି ? ‘‘ଚଲୋ ବୋଲା ତୋ ଜାତି [ଯଦି ସେମାନେ ମୋତେ କହନ୍ତି ମୁଁ ଯାଏ]। ଯଦି ମୁଁ ଉପସ୍ଥିତ ରହିବା ଯୋଗୁଁ ମାଆକୁ ଆଶ୍ୱସ୍ତି ମିଳେ ତେବେ ମୁଁ କାହିଁକି ଯିବି ନାହିଁ ?’’

ଚାର୍‌କୁ କହନ୍ତି, ବହୁ ବର୍ଷ ପୂର୍ବରୁ, ତାଙ୍କୁ ଶସ୍ୟ, ଦୁଇ କିମ୍ବା ତିନି ପାଏ- ବଡ଼ ଗ୍ଲାସ୍‌ ଭଳି ଦେଖାଯାଉଥିବା ଏକ ପିତ୍ତଳର ପାରମ୍ପରିକ ବାସନରେ ଚାଉଳ ବା ଗହମ ଦିଆଯାଏ। ବେଳେବେଳେ ଅତିରିକ୍ତ ଭାବେ କିଛି ଟଙ୍କା ମଧ୍ୟ ମିଳେ ।

ଦଶନ୍ଧି ମଧ୍ୟରେ ଧାଈଙ୍କର ରୋଜଗାରରେ ବିଶେଷ କିଛି ଉନ୍ନତି ହୋଇନାହିଁ । ଜୁନ୍ ୨୦୨୧ରେ ମୁଁ ଭେଟିବାର ଏକ ସପ୍ତାହ ପୂର୍ବରୁ ଚାର୍‌କୁଙ୍କର ଶେଷ ପ୍ରସବ ପାଇଁ ତାଙ୍କୁ ୫୦୦ଟଙ୍କା ଦିଆଯାଇଥିଲା ଏବଂ ଚାରି କିଲୋ ଗହମ ମିଳିଥିଲା। ଏହା ଏକ ଶୀଘ୍ର ପ୍ରସବ ଥିଲା, ପ୍ରସବ ଯନ୍ତ୍ରଣା ଆରମ୍ଭ ହେବା ମାତ୍ରେ ଶିଶୁଟି ଜନ୍ମ ହେଲା। ସେ କହନ୍ତି, "ଏହା ଏକ ଦୀର୍ଘ ସମୟର ପ୍ରସବ ହୋଇଥିଲେ ବି ମୋତେ ସମାନ ପରିମାଣର ପାଉଣା ମିଳିଥାନ୍ତା।’’

Charku with two of her great grandkids: at least half of the babies born in Bortyakheda over the past three decades had Charku present at the time of their birth, and she has delivered her own grandchildren and a great-grandchild
PHOTO • Kavitha Iyer

ତାଙ୍କର ଦୁଇ ନାତିନାତୁଣୀଙ୍କ ସହିତ ଚାର୍‌କୁ: ଗତ ତିନି ଦଶନ୍ଧି ମଧ୍ୟରେ ବୋର୍ଟ୍ୟାଖେଡାରେ ଜନ୍ମ ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ଅତିକମ୍‌ରେ ଅର୍ଦ୍ଧେକଙ୍କ ଜନ୍ମ ସମୟରେ ଚାର୍‌କୁ ଉପସ୍ଥିତ ଥିଲେ, ଏବଂ ସେ ନିଜର ସମସ୍ତ ନାତିନାତୁଣୀ ଏବଂ ଜଣେ ଅଣନାତିର ପ୍ରସବ କରାଇଥିଲେ

ପ୍ରାୟ ପାଞ୍ଚ ବର୍ଷ ପୂର୍ବରୁ ଚାର୍‌କୁଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ସେ ସେହି ଏକ ଏକର ଜମିକୁ ଚାଷ କରୁଥିଲେ ଏବେ ଯାହାକୁ ତାଙ୍କର ଝିଅ ଓ ଜ୍ୱାଇଁ ଚାଷ କରୁଛନ୍ତି। ଚାର୍‌କୁ କହନ୍ତି ଜଣେ ଧାଈ ଭାବେ କେବେ ବି ତାଙ୍କର ଏକ ନିଶ୍ଚିତ ଆୟ ନ ଥିଲା। ବିଗତ କିଛି ବର୍ଷ ହେଲା ମାସକୁ ୪,୦୦୦ ଟଙ୍କା ପର୍ଯ୍ୟନ୍ତ ପାଉଥିଲେ, ଏବଂ କିଛି ମାସରେ ସେ ୧,୦୦୦ ଟଙ୍କା ମଧ୍ୟ ପାଉନଥିଲେ ।

ଏଠାକାର ମହିଳାମାନେ ଆକଳନ କରନ୍ତି, ଗତ ତିନି ଦଶନ୍ଧି ମଧ୍ୟରେ ବୋର୍ଟ୍ୟାଖେଡାଠାରେ ଜନ୍ମ ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକଙ୍କ ଜନ୍ମ ସମୟରେ ଚାର୍‌କୁ ଉପସ୍ଥିତ ଥିଲେ । ଚାର୍‌କୁ ନିଜର ନାତିନାତୁଣୀ ଏବଂ ଜଣେ ଅଣନାତିକୁ ପ୍ରସବ କରାଇଛନ୍ତି ।

ସେ ମନେ ପକାନ୍ତି, ସେ ପ୍ରସବ କରାଇଥିବା କେତେକ ନବଜାତକ କିଛି ଦିନ ପରେ ପ୍ରାଣ ହରାଇଥିଲେ । ‘‘ଜନ୍ମ ସମୟରେ ନୁହେଁ, କିନ୍ତୁ କିଛି ଦିନ ପରେ ।’’ ଏହିସବୁ ମୃତ୍ୟର କାରଣ ସେ ଜାଣନ୍ତି ନାହିଁ । ସେ କହନ୍ତି, କେହି ଜାଣନ୍ତି ନାହିଁ ।

ଏବେ ଯେହେତୁ ତାଙ୍କର ଦୃଷ୍ଟି ଶକ୍ତି କମିଆସିଲାଣି, ପରିବାରଗୁଡ଼ିକୁ ଅଧିକରୁ ଅଧିକ ପିଏଚ୍‌ସି ବା ନୂଆ ଉପକେନ୍ଦ୍ରକୁ ଯିବା ପାଇଁ ସେ କହନ୍ତି ।

*****

ରୋପି, ଯିଏ ନିଜର ସଠିକ୍‌ ବୟସ ଜାଣନ୍ତି ନାହିଁ, ଏବେ ତାଙ୍କର ଗୋଡ଼ରେ ସମସ୍ୟା ଅନୁଭବ କରୁଛନ୍ତି । ତାଙ୍କର ଗୋଇଠି ଚାରିପଟ ଫୁଲି ଯାଇଛି ଏବଂ ଆଣ୍ଠୁ ପ୍ରବଳ ଯନ୍ତ୍ରଣା ହେଉଛି । ସେ ଏଥିପାଇଁ ସହରର କୌଣସି ଡାକ୍ତରଙ୍କୁ ଦେଖାଇନାହାନ୍ତି ଏବଂ ଜଣେ ସ୍ଥାନୀୟ ବୈଦ୍ୟଙ୍କ(ଜଣେ ବିକଳ୍ପ ଚିକିତ୍ସକ) ପକ୍ଷରୁ ଦିଆଯାଇଥିବା ତେଲ ମାଲିସ କରିବା ଫଳରେ ତାଙ୍କୁ କୌଣସି ଉପଶମ ମିଳିନାହିଁ ।

ଯଦିଓ ଗାଁ ସାରା ବୁଲି ସେ ପୁରୁଣା ପରିଚିତଙ୍କୁ ଭେଟୁଛନ୍ତି ଏବଂ ନିଜ ଝିଅମାନଙ୍କ ଘରକୁ ଯିବା ଆସିବା କରୁଛନ୍ତି, ତେବେ ତାଙ୍କୁ ପ୍ରସବ ପାଇଁ ଅନୁରୋଧ କରୁଥିବା ଅଧିକାଂଶ ପରିବାରଙ୍କୁ ସେ ମନା କରିଦେଉଛନ୍ତି, ଘରୁ ବାହାରେ ଦୀର୍ଘ ସମୟ ଧରି ରହିବା ଏବଂ ତାଙ୍କର ଦୃଷ୍ଟିଶକ୍ତି ଭଲ ଥିବା ନେଇ ସେ ଅନିଶ୍ଚିତ । ରୋପି କହନ୍ତି, ‘‘ମୁଁ ସେମାନଙ୍କୁ ସହର କ୍ଲିନିକ୍‌କୁ(ପରାଟୱାଡା) କଲ୍‌ କରିବାକୁ କହେ ଏବଂ ଆମ୍ବୁଲାନ୍ସ ଆସିବା ଯାଏଁ ସେମାନଙ୍କ ସହ ଅପେକ୍ଷା କରେ । ଯଦି ଗାଡ଼ିଟି ତୁରନ୍ତ ଗାଁକୁ ଫେରିବାକୁ ଥାଏ, ତେବେ ବେଳେବେଳେ ମୁଁ ସେମାନଙ୍କ ସହ ଯାଏ।’’

Ropi's family has a small goat-rearing business, and they also cultivate two acres. Her earning as a dai remain modest, and have not improved greatly over the decades
PHOTO • Kavitha Iyer
Ropi's family has a small goat-rearing business, and they also cultivate two acres. Her earning as a dai remain modest, and have not improved greatly over the decades
PHOTO • Kavitha Iyer

ରୋପିଙ୍କ ପରିବାରର ଏକ ଛୋଟ ଛେଳି ପାଳନ ବ୍ୟବସାୟ ଅଛି, ଏବଂ ସେମାନେ ମଧ୍ୟ ଦୁଇ ଏକର ଜମିରେ ଚାଷ କରନ୍ତି । ଜଣେ ଧାଈ ଭାବେ ତାଙ୍କର ରୋଜଗାରର କିଛି ଠିକଣା ନାହିଁ ଏବଂ ବିଗତ କିଛି ଦଶନ୍ଧି ଧରି ସେତେବେଶୀ ବଢ଼ିନାହିଁ

ଯେଉଁ ବର୍ଷଗୁଡ଼ିକରେ ସେ ଖୁବ୍‌ ବ୍ୟସ୍ତ ଧାଈ ଥିଲେ, ସେ ଜାଇତାଦେହିରେ ଶୀଘ୍ର ଓ ଶାନ୍ତ ଭାବେ ପରିସ୍ଥିତିର ମୁକାବିଲା କରିବା ନେଇ ପ୍ରସିଦ୍ଧ ଥିଲେ। ‘‘ପୂର୍ବରୁ, ଯେତେବେଳେ ସେମାନେ ମୋତେ ଡାକିବାକୁ ଆସୁଥିଲେ, ମୁଁ ସେମାନଙ୍କୁ ପ୍ରଥମେ କହୁଥିଲି କେଉଁ ସବୁ ଜିନିଷ ମୁଁ ଆବଶ୍ୟକ କରେ – ଗୋଟିଏ ବ୍ଲେଡ୍‌, ଧାଗା [ସୂତା], ସୁଇ[ଛୁଞ୍ଚି]’’ । ସେ କହନ୍ତି, ବହୁ ଧାଈ ପ୍ରସବ ଦ୍ୱାର ସିଲେଇ କରିବାରେ ପାରଙ୍ଗମ, ଯେପରି ଏହା କୌଣସି ବଡ଼ କଥା ନୁହେଁ ।

ତା’ପରେ ପ୍ରସବ ଯନ୍ତ୍ରଣା ସାଙ୍ଗେ ସାଙ୍ଗେ ଆରମ୍ଭ ହୋଇଥିଲେ ବା ଅଧିକ ହୋଇଥିଲେ, ସେ ଅନୁସାରେ ନିଜ କାମ ସାରି ସେ ପ୍ରସୂତୀଙ୍କ ଘରକୁ ତୁରନ୍ତ ଯାଆନ୍ତି, ଯେଉଁଠାରେ ଉତ୍କଣ୍ଠାପୂର୍ଣ୍ଣ ପରିବାର ସଦସ୍ୟମାନେ ଏକାଠି ହୋଇଥାଆନ୍ତି ।

ରୋପି ସର୍ବଦା ଏକ ପ୍ରାର୍ଥନା ସହ ଆରମ୍ଭ କରନ୍ତି, ତା’ପରେ ପ୍ରସବ ବେଦନାଗ୍ରସ୍ତ ମହିଳାଙ୍କ ଯାଞ୍ଚ ପୂର୍ବରୁ ହାତ ଧୁଅନ୍ତି ।

“ମା’ [ହେବାକୁ ଥିବା ମା’ଙ୍କର] କିଛି କରନ୍ତି ନାହିଁ, କିନ୍ତୁ ସେ ସବୁବେଳେ ନିଜ ଝିଅ ପାଖରେ ଥାଆନ୍ତି, ଏବଂ କାନ୍ଦନ୍ତି ବି। ମା’ଙ୍କର ବେଦନା ଯନ୍ତ୍ରଣାରେ କାନ୍ଦୁଥିବା ତାଙ୍କ ଝିଅର କାନ୍ଦ ସହିତ ସମାନ ହୋଇଯାଏ। ‘ହେ ମାଇ, ଜଲଦି କର ଦୋ ମାଇ’, ମାଆମାନେ କହୁଥାଆନ୍ତି [‘ହେ ମା, ତା’ର ଯନ୍ତ୍ରଣା ଶୀଘ୍ର ଶେଷ କର, ମା’]। ସତେ ଯେମିତି ତାହା ମୋ ହାତରେ ଅଛି!” ରୋପି କହନ୍ତି ।

ବେଳେବେଳେ ପ୍ରସବ ଯନ୍ତ୍ରଣା ଘଣ୍ଟା ଘଣ୍ଟା ଧରି ଚାଲେ ଏବଂ ରୋପି ଶୀଘ୍ର କିଛି ଖାଇବା ପାଇଁ ବା ତାଙ୍କ ସ୍ୱାମୀ ବା ପୁଅକୁ ଭୋଜନ ପରଷିବାକୁ ଘରକୁ ଫେରନ୍ତି। “ସେହି ପରିସ୍ଥିତିରେ, ପ୍ରସବ ନ ହେବା ପର୍ଯ୍ୟନ୍ତ ସେ ସେହି ସ୍ଥାନ ନ ଛାଡ଼ିବା ପାଇଁ ମାଆମାନେ ଜୋରରେ ଚିତ୍କାର କରନ୍ତି। କିନ୍ତୁ ବେଳେବେଳେ ଯନ୍ତ୍ରଣା ରାତିସାରା କିମ୍ବା ଦିନସାରା ଜାରି ରହିପାରେ। ସେହି ପରିସ୍ଥିତିରେ ଅନ୍ୟ ସମସ୍ତେ ଭୟଭୀତ ହୁଅନ୍ତି, କିନ୍ତୁ ମୁଁ ନୁହେଁ।”

ସର୍ବଦା ସେ କିଛି ତେଲ ମାଗନ୍ତି (ରୋଷେଇ ଘରେ ଥିବା ଯେ କୌଣସି ତେଲ) ପ୍ରସୂତୀଙ୍କର ପେଟରେ ମାଲିସ କରିବା ପାଇଁ। ରୋପି କହନ୍ତି, ସେ ପେଟକୁ ଅନୁଭବ କରିପାରନ୍ତି ଏବଂ ଆକଳନ କରିପାରନ୍ତି ଯେ ପିଲାଟି କେଉଁ ସ୍ଥିତିରେ ଅଛି, ବା ମାଲିସ କରିବା ଫଳରେ ଗର୍ଭସ୍ଥ ଶିଶୁର ମୁଣ୍ଡ ସଠିକ୍ ଦିଗକୁ ଅଣାଯାଇପାରେ। ସେ ଏମିତି କେତେକ ସ୍ଥିତିର ସାମ୍ନା କରିଛନ୍ତି ଯେତେବେଳେ ଶିଶୁର ଗୋଡ଼ ପ୍ରଥମେ ବାହାରକୁ ଆସେ, କିନ୍ତୁ ସେ ଦାବି କରନ୍ତି ଏଭଳି ପ୍ରସବରେ ମଧ୍ୟ ତାଙ୍କୁ ସେପରି କିଛି ସମସ୍ୟା ହୋଇନଥିଲା ।

ଅନ୍ୟ ପାରମ୍ପରିକ ବିଶ୍ୱାସକୁ ଦୂର କରିବା କଷ୍ଟକର । ଯଦି ନଅ ମାସ ସମ୍ପୂର୍ଣ୍ଣ ହେବା ପରେ ବି ପ୍ରସବ ଯନ୍ତ୍ରଣା ନ ହୁଏ, ଚାର୍‌କୁ କହନ୍ତି, ସେ ଭୁମକାଳଙ୍କ ଦ୍ୱାରା ଆଶୀର୍ବାଦପ୍ରାପ୍ତ ପାଣିର କିଛି ଢୋକ ନେବାକୁ ପରାମର୍ଶ ଦିଅନ୍ତି

ରୋପି ଆହୁରି କହିଲେ, ପ୍ରସବ ସରିବା ପରେ ଧାଈ ସାଧାରଣତଃ ପ୍ରସବ ସ୍ଥାନକୁ ସଫା କରିଥାଆନ୍ତି। ସେ କହନ୍ତି, ‘‘ପୂର୍ବରୁ ଆମେ ନବଜାତକକୁ ତୁରନ୍ତ ଗାଧୋଇ ଦେଉଥିଲୁ। ଏବେ ଆମେ ତାହା କରିବା ବନ୍ଦ କରିଦେଇଛୁ ।’’ ପାରମ୍ପରିକ ପ୍ରଥା ଅନୁସାରେ ପ୍ରଥମେ ପିଲାକୁ ଗାଧୋଇ ଦିଆଯାଏ ଏବଂ କେବଳ ତା’ ପରେ ହିଁ ପିଲାଟିକୁ ମା’କୁ ପ୍ରଥମ ସ୍ତନ୍ୟପାନ ପାଇଁ ଦିଆଯାଏ ।

ଚାର୍‌କୁ କହିଲେ, ‘‘ପୂର୍ବରୁ ଆମେ ଜନ୍ମ ପରେ ନବଜାତକକୁ ସଙ୍ଗେ ସଙ୍ଗେ ଗରମ ପାଣିରେ ଗାଧୋଇ ଦେଉଥିଲୁ। ଏବଂ ବେଳେବେଳେ ଦୁଇ ଦିନ ପରେ ହିଁ ଶିଶୁଟିକୁ ମା’ କ୍ଷୀର ଦିଆଯାଉଥିଲା।’’ କେତେକ ପରିବାର ପ୍ରଥମ ଦିନରେ ଶିଶୁକୁ ଗୁଡ଼ ପାଣି ବା ମହୁପାଣି ଦେଉଥିଲେ ।

ସ୍ଥାନୀୟ ଏଏନ୍‌ଏମ୍‌ଙ୍କ ଉପଦେଶ, ଆନୁଷ୍ଠାନିକ ପ୍ରସବକୁ ପ୍ରୋତ୍ସାହିତ କରିବାର ଅଭିଯାନ ଏବଂ ଶିଶୁମୃତ୍ୟୁ ହାର ନେଇ ମେଲଘାଟର ସମସ୍ୟା ପ୍ରତି ରାଜ୍ୟସ୍ତରୀୟ ଦୃଷ୍ଟି ଫଳରେ ନବଜାତକକୁ ଗାଧୋଇଦେବାର ପରମ୍ପରା ଏବେ ଖୁବ୍‌ କମ୍‌ ପାଳନ କରାଯାଉଛି । (ଏହି ଅଞ୍ଚଳର ଉଚ୍ଚ ଶିଶୁ ମୃତ୍ୟୁ ହାର ଏବଂ ଗୁରୁତର ଅପପୁଷ୍ଟି ସମସ୍ୟା ବାବଦରେ ବିଭିନ୍ନ ଗବେଷଣା ଏବଂ ରିପୋର୍ଟରେ ଉଲ୍ଲେଖ କରାଯାଇଛି) । ବୋର୍ଟ୍ୟାଖେଡାର ଏଏନ୍‌ଏମ୍‌ ଶାନ୍ତା କହନ୍ତି ଏବେ ଜନ୍ମ ପରେ ପାଳନ କରାଯାଉଥିବା ପ୍ରଥା ଏବଂ ଦେବତାଙ୍କୁ ଉତ୍ସର୍ଗ କରିବା ଆଦି ଅପେକ୍ଷା ଶିଶୁର ସ୍ୱାସ୍ଥ୍ୟକୁ ଅଧିକ ପ୍ରାଥମିକତା ଦିଆଯାଉଛି  ଏବଂ ସରକାରୀ-ୟୁନିସେଫ୍‌ ତାଲିମ ଘରୋଇ ପ୍ରସବ ପ୍ରକ୍ରିୟାରେ ଉନ୍ନତ ସୁରକ୍ଷା ନିଶ୍ଚିତ କରିବାରେ ସହାୟକ ହୋଇଛି ।

ବର୍ତ୍ତମାନ, ଯେତେବେଳେ ମା’ କିଛି ମିନିଟ୍ ବିଶ୍ରାମ ନେବା ପରେ ଶିଶୁଟି ଯେତେବେଳେ ଅସ୍ଥିର ହେବାକୁ ଲାଗେ, ଶୋଇବା ସମୟରେ କିମ୍ବା ବସିବା ସମୟରେ କିପରି ସୁରକ୍ଷିତ ଭାବେ ସ୍ତନ୍ୟପାନ କରାଇବେ, ତାହା ଧାଈମାନେ ତାଙ୍କୁ ଦେଖାଇ ଦିଅନ୍ତି। ଚାର୍‌କୁ କୁହନ୍ତି, ବର୍ତ୍ତମାନ ଶିଶୁକୁ ଅଧ ଘଣ୍ଟା ମଧ୍ୟରେ ମା’ର କ୍ଷୀର ଦିଆଯାଉଛି ।

ଅନ୍ୟ ପାରମ୍ପରିକ ବିଶ୍ୱାସକୁ ଦୂର କରିବା କଷ୍ଟକର। ଯଦି ନଅ ମାସ ସମ୍ପୂର୍ଣ୍ଣ ହେବା ପରେ ବି ପ୍ରସବ ଯନ୍ତ୍ରଣା ନ ହୁଏ, ଚାର୍‌କୁ କହନ୍ତି, ସେ ଭୁମକାଳଙ୍କ(ଜଣେ ପାରମ୍ପରିକ ଧାର୍ମିକ ଉପଶମକାରୀ) ଦ୍ୱାରା ଆଶୀର୍ବାଦପ୍ରାପ୍ତ ପାଣିର କିଛି ଢୋକ ନେବାକୁ ପରାମର୍ଶ ଦିଅନ୍ତି ।

ରୋପି କହନ୍ତି ଗର୍ଭବତୀ ମହିଳାଙ୍କର ପୁଅ ହେବ ନା ଝିଅ ହେବ ସେ ବିଷୟରେ ଆକଳନ କରିବାକୁ ସେ ପସନ୍ଦ କରନ୍ତି। ସେ ଦାବି କରନ୍ତି ଯେ ପୁଅ ହେବାର ଥିଲେ ଭ୍ରୁଣ ପେଟକୁ ଅଧିକ ଆଗକୁ ଫୁଲାଇ ଦିଏ। ‘‘କନ୍ୟା ହେବାର ଥିଲେ ପେଟ ଚାରି ପଟେ ବିସ୍ତାର ହୋଇଥାଏ।” କିନ୍ତୁ ସେ ଏହି ଫର୍ମୁଲାକୁ ନେଇ ମଧ୍ୟ ହସନ୍ତି, କହନ୍ତି, ଏହା ଟିକିଏ ଅନୁମାନ କରିବା କାମ ଏବଂ ଜନ୍ମ ନ ହେବା ପର୍ଯ୍ୟନ୍ତ ମଣିଷ ପିଲାର ଲିଙ୍ଗ ଜାଣନ୍ତୁ ଏହା ଭଗବାନଙ୍କ ଉଦ୍ଦେଶ୍ୟ ନୁହେଁ ।

Charku's eyesight is dimming, and she tells families more and more frequently to head to the PHC or the new sub-centre.
PHOTO • Kavitha Iyer
Ropi too sends away most people who come to seek her help, tellign them, 'I can’t do it any longer'
PHOTO • Kavitha Iyer

ବାମ : ଚାର୍‌କୁଙ୍କର ଦୃଷ୍ଟିଶକ୍ତି କମିଯାଉଛି, ଏବଂ ପିଏଚ୍‌ସି ବା ନୂଆ ଉପକେନ୍ଦ୍ରକୁ ଯିବା ପାଇଁ ସେ ପରିବାରଗୁଡ଼ିକୁ ବାରମ୍ବାର କହନ୍ତି । ଡାହାଣ : ରୋପି ମଧ୍ୟ ତାଙ୍କ ପାଖକୁ ସାହାଯ୍ୟ ପାଇଁ ଆସୁଥିବା ଅଧିକାଂଶ ଲୋକଙ୍କୁ ଏକଥା କହି ପଠାଇ ଦିଅନ୍ତି, ‘ମୁଁ ଏହା ଆଉ କରିପାରିବି ନାହିଁ ’

ବୋର୍ଟ୍ୟାଖେଡାରେ ଗ୍ରାମବାସୀ କହନ୍ତି ଯେ ପାରମ୍ପରିକ ଧାଈମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ, ପ୍ରସୂତୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଯୋଗାଯାଉଥିବା ସହାୟତାକୁ ଶେଷ ଯାଏଁ ପହଞ୍ଚାଯାଇଥିବା ବ୍ୟବସ୍ଥାକୁ ଉନ୍ନତ କରିବା (ନିୟମିତ ପରୀକ୍ଷା, ଲୌହ-ଫୋଲିକ୍‌ ଏସିଡ୍‌ ଏବଂ କ୍ୟାଲସିୟମ ସପ୍ଲିମେଣ୍ଟ ଯୋଗାଇବା), ପ୍ରସବ ପାଇଁ ଯୋଜନା କରିବା ଏବଂ ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚାଇବା ନିଶ୍ଚିତ କରିବା ଦିଗରେ ସହାୟକ ହୁଅନ୍ତି ।

ପାରାଟୱାଡା ସହରର ଘରୋଇ ଚିକିତ୍ସକଙ୍କ ଖୁବ୍‌ ନିକଟବର୍ତ୍ତୀ ଜାଇତାଦେହିର ଗ୍ରାମବାସୀ, ଏକଥା ନେଇ କମ୍‌ ଚିନ୍ତିତ ଯେ ରୋପିଙ୍କ ପରେ ଆଉ ସେମାନଙ୍କର କେହି ଧାଈ ରହିବେ ନାହିଁ। ଏହି ସମୟରେ, ରୋପି କହନ୍ତି ଯେ ପ୍ରସବ କରାଯାଉଥିବା ସରକାରୀ ଅନୁଷ୍ଠାନକୁ ତାଙ୍କର କିଛି କଥା କହିବାକୁ ଅଛି, “କେତେକ ମହିଳା ଏତେ ପତଳା, ନଅ ମାସ ମଧ୍ୟରେ ପ୍ରତିଦିନ ବାନ୍ତି କରନ୍ତି। ସେମାନେ ମାଂସ ଖାଇବାକୁ ମନା କରନ୍ତି, ସେମାନେ କିଛି ପ୍ରକାରର ଖାଦ୍ୟ ଖାଇବାକୁ ନାକ ଟେକନ୍ତି। ଗର୍ଭବତୀ ମହିଳାମାନେ ସବୁକିଛି ଖାଇବା ଉଚିତ୍। କୌଣସି ଜିନିଷ ନିଷେଧ ନୁହେଁ। ଡାକ୍ତରମାନେ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଏହି ସବୁ ବିଷୟରେ ମଧ୍ୟ ପରାମର୍ଶ ଦେବା ଉଚିତ୍।”

ତାଙ୍କ ସମ୍ପ୍ରଦାୟରେ, କୋର୍‌କୁ ପରିବାରରେ ଗୋଟିଏ ପିଲା ଜନ୍ମ ହେବାର ପଞ୍ଚମ ଦିନରେ ଉତ୍ସବ ପାଳନ ପାଇଁ ଧାଈଙ୍କୁ ନିମନ୍ତ୍ରଣ କରାଯାଏ। ସର୍ବଦା ତାଙ୍କୁ ସେହିଦିନ ପାଉଣା ଦିଆଯାଏ, ଏହା ଏହି କଥାର ପ୍ରତୀକ ଯେ ନବଜାତକଟି ପ୍ରଥମ ଅନିଶ୍ଚିତ ସମୟକୁ ପାର କରିଯାଇଛି । ରୋପି ଦାର୍ଶନିକ ଭାବେ କହନ୍ତି, ‘‘କେତେକ ଦୁର୍ଘଟଣାରେ ପ୍ରାଣ ହରାନ୍ତି, କେତେକ ଅସୁସ୍ଥତା ଯୋଗୁଁ, କେତେକ ଜନ୍ମ ସମୟରେ। ସମସ୍ତେ ଦିନେ ନା ଦିନେ ମରିବେ। କିନ୍ତୁ ପ୍ରସବକାଳରେ ଜୀବିତ ରହିବା ଉଭୟ ମା’ ଓ ଶିଶୁ ପାଇଁ ଏକ ବିଜୟ।’’

ରୋପି କହନ୍ତି, ପିଲାଟି ଜୀବିତ ରହିବା ଫଳରେ ସେ ପାଉଥିବା କୃତଜ୍ଞତା ତାଙ୍କ ପାଇଁ ଜଣେ ଧାଈ ଭାବରେ ସବୁଠାରୁ ବଡ଼ ଆନନ୍ଦ ଏବଂ ଏବେ ଏତେ ସକ୍ରିୟ ନ ଥିବା ବେଳେ ସେ ଏହାକୁ ହିଁ ଖୋଜୁଛନ୍ତି। ତାଙ୍କ ସହାୟତା ନେବା ପାଇଁ ଆସୁଥିବା ଅଧିକାଂଶ ଲୋକଙ୍କୁ ସେ ଫେରାଇ ଦେଉଛନ୍ତି: ସେ ସେମାନଙ୍କୁ କହନ୍ତି, ‘‘ଜାଓ ବାବା, ଅବ୍‌ ମେରେ ସେ ହୋତା ନେହିଁ’’ ‘‘ମୁଁ ଆଉ ଏହାକୁ କରିପାରିବି ନାହିଁ । ’’

ଗ୍ରାମାଞ୍ଚଳର କିଶୋରୀ ଏବଂ ଯୁବତୀମାନଙ୍କ ଉପରେ ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଲୋକଙ୍କ ସ୍ୱର ଏବଂ ଅଭିଜ୍ଞତା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ ତଥାପି ବଞ୍ଚିତ ଗୋଷ୍ଠୀର ସ୍ଥିତିକୁ ଅନୁସନ୍ଧାନ କରିବା ପାଇଁ ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସମର୍ଥିତ ଅଭିଯାନର ଏକ ଅଂଶ।

ଏହି ପ୍ରବନ୍ଧକୁ ପୁନଃପ୍ରକାଶିତ କରିବାକୁ ଚାହୁଁଛନ୍ତି ? ଦୟାକରି ଲେଖନ୍ତୁ [email protected] , [email protected] .

ଅନୁବାଦ: ଓଡ଼ିଶାଲାଇଭ୍‍

Kavitha Iyer

Kavitha Iyer has been a journalist for 20 years. She is the author of ‘Landscapes Of Loss: The Story Of An Indian Drought’ (HarperCollins, 2021).

Other stories by Kavitha Iyer
Illustration : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE