ସେମାନଙ୍କୁ କେହି ନିରୀକ୍ଷଣ କରୁଥିବା ଧାରଣାକୁ ନା ଘନରାତ୍ରିର ଅନ୍ଧକାର ନା ସମୟ ବ୍ୟବଧାନରେ ଗତି କରୁଥିବା ଟ୍ରେନଗୁଡ଼ିକର ହୁଇସିଲ୍‍  ଚେତାଇପାରେ।

୧୭ ବର୍ଷୀୟା ନୀତୁ କୁମାରୀ କୁହନ୍ତି, "ରାତିରେ ଉପଲବ୍ଧ ଏକମାତ୍ର ଶୌଚାଳୟ ହେଉଛି ରେଳ ଟ୍ରାକ୍"।

ନୀତୁ ଦକ୍ଷିଣ-କେନ୍ଦ୍ରୀୟ ପାଟଣାର ୟାରପୁର ଅଞ୍ଚଳରେ ୱାର୍ଡ ନମ୍ବର ୯ ବସ୍ତି କଲୋନୀରେ ରୁହନ୍ତି। ଏକା ପରି ଦେଖାଯାଉଥିବା ଘରଗୁଡ଼ିକର ମଧ୍ୟ ଭାଗରେ ଏକ ସିମେଣ୍ଟରେ ନିର୍ମିତ ଚଉତରା ଅଛି ଯେଉଁଥିରେ ଧାଡ଼ି ହୋଇ ଟ୍ୟାପ୍ ଲାଗିଛି। ସେଠାରେ ଦୁଇଜଣ ବ୍ୟକ୍ତି  ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ନିଜ ଦେହରେ ଜୋରରେ ସାବୁନ୍‍ ଲଗାଉଛନ୍ତି। ପ୍ରାୟ ଏକ ଡଜନ ବାଳକ ଖସଡ଼ା ଚଟାଣରେ ଓଲଟି, ପରସ୍ପରକୁ ଟାଣି କରି, ହସଖୁସିରେ ପାଣି ସହିତ ଖେଳୁଛନ୍ତି।

ପାଖାପାଖି ୫୦ ମିଟର ଦୂରରେ ସ୍ଥିତ ଏକ ଶୌଚାଳୟ ବ୍ଲକ - ଏହି କଲୋନୀରେ ଏକମାତ୍ର - ଅବ୍ୟବହୃତ ହୋଇ ରହିଛି, ଏହାର ପ୍ରତ୍ୟେକ ୧୦ଟି କୋଠରୀ ବନ୍ଦ ରହିଥିଲା, ମହାମାରୀ କାରଣରୁ ଏହି ସର୍ବସାଧାରଣ ସୁବିଧାଟି ଗୋଷ୍ଠିକୁ ହସ୍ତାନ୍ତର କରିବାରେ ବିଳମ୍ବ ଘଟିଛି । ଏକ ଛେଳି ନିଜର ଛୁଆମାନଙ୍କ ସହ ଏହି  ଉଚ୍ଚତର ବ୍ଲକର ଦୁଇଟି ପାହାଚ ଉପରେ ବାସ କରୁଛି । ରେଳ ଟ୍ରାକର ପଛପଟେ ଏକ ଅଳିଆ ଗଦା ଅଛି । ନିକଟରେ କାର୍ଯ୍ୟକ୍ଷମ ସର୍ବସାଧାରଣ ଶୌଚାଳୟକୁ ଚାଲିକରି ଯିବା ପାଇଁ ୧୦ ମିନିଟ୍ ସମୟ ଲାଗେ, ଏବଂ କେତେକ ଟ୍ରାକ୍ ଅତିକ୍ରମ କରି ୟାରପୁର ପ୍ରାନ୍ତରେ ଥିବା ଶୌଚାଳୟକୁ ଯିବାକୁ ପସନ୍ଦ କରନ୍ତି - ଏଠାକୁ ମଧ୍ୟ ଚାଲିକରି ଆସିବା ପାଇଁ ୧୦ମିନିଟ୍‍ ସମୟ ଲାଗିଥାଏ।

‘‘ପୁଅମାନେ ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଏହା କରିଦିଅନ୍ତି। ଝିଅମାନେ କେବଳ ରାତିରେ ଟ୍ରାକକୁ ବ୍ୟବହାର କରନ୍ତି’’ ପ୍ରଥମ ବର୍ଷର ବିଏ ଛାତ୍ରୀ ନୀତୁ କୁହନ୍ତି । (ଏହି କାହାଣୀର ସମସ୍ତ ନାମ ପରିବର୍ତ୍ତନ କରାଯାଇଛି )। ଦିନରେ ସେ ୨୦୦ ମିଟର ଦୂରରେ ଥିବା ମାଉସୀଙ୍କ ଘରେ ଥିବା ଶୌଚାଳୟ ବ୍ୟବହାର କରିପାରୁଥିବାରୁ ସେ ନିଜ ଅଞ୍ଚଳର ଅନ୍ୟ ଝିଅମାନଙ୍କ ଅପେକ୍ଷା ନିଜକୁ ଭାଗ୍ୟବାନ ମନେ କରନ୍ତି।

‘‘ଆହୁରି ମଧ୍ୟ, ଆମ ଘରେ ଦୁଇଟି କୋଠରୀ ଅଛି, ଗୋଟିଏରେ ମୋର ସାନ ଭାଇ ଶୋଇଥାଏ ଏବଂ ଅନ୍ୟଟିରେ ମୁଁ ଓ ମୋର ମା’ ଶୋଇଥାଉ। ତେଣୁ ଅନ୍ତତଃ ପକ୍ଷେ ଘରେ ପ୍ୟାଡ୍ ବଦଳାଇବା ପାଇଁ ମୋର ଏକ ବ୍ୟକ୍ତିଗତ ସ୍ଥାନ ରହିଛି’’, ନୀତୁ କୁହନ୍ତି।  “ଅନେକ ଝିଅ ଏବଂ ମହିଳା ରେଲୱେ ଟ୍ରାକରେ ରାତିର ଘନ ଅନ୍ଧକାରରେ ନାପକିନ୍ ବଦଳାଇବାକୁ ଦିନସାରା ଅପେକ୍ଷା କରିଥାନ୍ତି।”

A public toilet block – the only one in this colony – stands unused, its handover to the community delayed by the pandemic
PHOTO • Kavitha Iyer

ଏକ ସର୍ବସାଧାରଣ ଶୌଚାଳୟ ବ୍ଲକ୍‍- ଏହି କଲୋନୀରେ ଥିବା ଏକମାତ୍ର- ଅବ୍ୟବହୃତ ହୋଇ ରହିଛି, ମହାମାରୀ କାରଣରୁ ଏହାର ଗୋଷ୍ଠୀକୁ ହସ୍ତାନ୍ତର ପ୍ରକ୍ରିୟା ବିଳମ୍ବିତ ହୋଇଛି

ତାଙ୍କର ଛୋଟିଆ ବସ୍ତି ୱାର୍ଡ ନମ୍ବର ୯ ଏବଂ ଏହାର ନିକଟବର୍ତ୍ତୀ ବୃହତ୍‍ ୟାରପୁର ଆମ୍ବେଦକର ନଗରରେ ପାଖାପାଖି ୨,୦୦୦ ପରିବାର ରୁହନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଏବଂ ନୀତୁଙ୍କ ପରି ଅନେକ ଦ୍ୱିତୀୟ ପିଢିର ପାଟନା ବାସିନ୍ଦା। ଦଶନ୍ଧି ପୂର୍ବରୁ ସହରରେ କାମ ଅନ୍ୱେଷଣରେ ଅଧିକାଂଶ ପରିବାର ବିହାରର ବିଭିନ୍ନ ସ୍ଥାନରୁ ଏଠାକୁ ଆସିଥିଲେ।

ୟାରପୁର ଆମ୍ବେଦକର ନଗରର ମହିଳାମାନେ କହିଛନ୍ତି ଯେ ସେମାନେ ଦୀର୍ଘ ଦିନ ଧରି ସାନିଟାରୀ ନାପକିନ୍ ବ୍ୟବହାର କରିଆସୁଛନ୍ତି, କିନ୍ତୁ ମହାମାରୀ କାରଣରୁ ଜୀବିକା ହରାଇ ଆର୍ଥିକ ଅନାଟନରେ ଗତି କରୁଥିବା କିଛି ମହିଳା ଘରେ ତିଆରି କପଡା ନାପକିନ୍ ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ଅଧିକାଂଶ ମହିଳା - ମୋ ସହ କଥା ହେବା ପାଇଁ ଏକ ମନ୍ଦିରର ବାରଣ୍ଡାରେ ଏକତ୍ରିତ ହୋଇଥିଲେ, ସେମାନେ କହିଲେ ଯେ ସେମାନଙ୍କର ଶୌଚାଳୟ ଅଛି କିନ୍ତୁ ରକ୍ଷଣାବେକ୍ଷଣ କିମ୍ବା ମରାମତି ଅଭାବରୁ ଏବଂ ରାତିରେ ଆଲୋକ ଅଭାବରୁ ଏଗୁଡିକର ଅବସ୍ଥା ଅତ୍ୟନ୍ତ ଖରାପ। ଶୌଚାଳୟ ସବୁ ସମୟରେ ଖୋଲା ରହିଥାଏ, କିନ୍ତୁ ଅନ୍ଧାରରେ ଯିବା ଏକ ବଡ଼ ସମସ୍ୟା।

୨୦୨୦ ମସିହା ମାର୍ଚ୍ଚ ମାସରେ ସ୍କୁଲ୍‍ ବନ୍ଦ ହେବା ପୂର୍ବରୁ ସ୍କୁଲ୍‍ ବସରେ ସହାୟିକା ଭାବରେ କାମ କରି ୩୫୦୦ ଟଙ୍କା ରୋଜଗାର କରୁଥିବା ୩୮ ବର୍ଷୀୟା ପ୍ରତିମା ଦେବୀ କୁହନ୍ତି, "ଟ୍ରାକ୍‍ର ଅନ୍ୟ ପାର୍ଶ୍ୱରେ ଥିବା ୱାର୍ଡ ନମ୍ବର ୯ ରେ ଗୋଟିଏ ବି ଶୌଚାଳୟ ନାହିଁ।" ତା’ପର ଠାରୁ ତାଙ୍କ ପାଖରେ କୌଣସି କାମ ନଥିଲା। ତାଙ୍କର ସ୍ୱାମୀ ଏକ ରେଷ୍ଟୁରାଣ୍ଟରେ ରୋଷେୟା ଭାବରେ କାମ କରୁଥିଲେ, ଯାହାଙ୍କୁ କି ମଧ୍ୟ ୨୦୨୦ ମସିହା ଶେଷ ସୁଦ୍ଧା କାମରୁ ବାହାର କରି ଦିଆଯାଇଥିଲା।

ୟାରପୁରକୁ ଯାଉଥିବା ମୁଖ୍ୟ ରାସ୍ତାରେ ଏକ ଠେଲା ଗାଡିରେ ସିଙ୍ଗଡା ଏବଂ ଅନ୍ୟାନ୍ୟ ସ୍ନାକ୍ସ ବିକ୍ରି କରି ଏହି ଦମ୍ପତି ରୋଜଗାର କରୁଛନ୍ତି। ପ୍ରତିମା ସକାଳ ୪ ଟାରୁ ଉଠି, ଖାଦ୍ୟ ରାନ୍ଧନ୍ତି, ସାମଗ୍ରୀ କ୍ରୟ କରନ୍ତି, ଦିନରେ ବିକ୍ରି କରିବା ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପରେ ଘର ସଫା କରନ୍ତି ଏବଂ ପରିବାର ପାଇଁ ପୁଣି ଭୋଜନ ପ୍ରସ୍ତୁତ କରିଥାନ୍ତି। ସେ କୁହନ୍ତି, "ଆମେ ପୂର୍ବ ପରି ୧୦,୦୦୦ ରୁ ୧୨,୦୦୦ ରୋଜଗାର କରିପାରୁ ନାହୁଁ, ତେଣୁ ଆମକୁ ଭାବିଚିନ୍ତି ଖର୍ଚ୍ଚ କରିବାକୁ ପଡ଼ିବ"। ୟାରପୁରର ବର୍ତ୍ତମାନ ସାନିଟାରୀ ନାପକିନ୍ କିଣିବା ବନ୍ଦ କରିଥିବା ମହିଳାମାନଙ୍କ ମଧ୍ୟରୁ ପ୍ରତିମା ଜଣେ।

କଲେଜରେ ପାଠ ପଢୁଥିବା ନୀତୁ କିଛି ବର୍ଷ ପୂର୍ବରୁ ନିଜର ପିତାଙ୍କୁ ହରାଇଥିଲେ ଯିଏକି ଜଣେ ମଦ୍ୟପ ଥିଲେ। ତାଙ୍କର ମା’ ବସ୍ତିଠାରୁ ୫ କିଲୋମିଟର ଚଲାପଥ ବୋରିଂ ରୋଡ୍‌ରେ କିଛି ବ୍ୟକ୍ତିଙ୍କ ଘରେ ରୋଷେୟା ଭାବରେ କାମ କରନ୍ତି। ଏହା ସହିତ ସେ ଅନ୍ୟ କେତେକ ସ୍ଥାନରେ ଘରୋଇ ସହାୟିକା କାମ କରି ୫୦୦୦ ରୁ ୬୦୦୦ ଟଙ୍କା ରୋଜଗାର କରିବାରେ ସମର୍ଥ ହୋଇଥାନ୍ତି।

ନୀତୁ କୁହନ୍ତି, "ଆମ କଲୋନୀରେ ପ୍ରାୟ ୮ ରୁ ୧୦ ଟି ଘର ମଧ୍ୟରେ ସେମାନଙ୍କର ଶୌଚାଳୟ ରହିଛି, ଅନ୍ୟ ସମସ୍ତେ ଟ୍ରାକ ବ୍ୟବହାର କରନ୍ତି କିମ୍ବା ବିଭିନ୍ନ ସର୍ବସାଧାରଣ ଶୌଚାଳୟ ବ୍ୟବହାର କରନ୍ତି"। ଏଥିରେ ତାଙ୍କ ପିଉସି, ମାଉସୀଙ୍କ ଘର ଅନ୍ତର୍ଭୁକ୍ତ - ଯଦିଓ ଏହି ଶୌଚାଳୟଗୁଡ଼ିକରେ ପ୍ରାଥମିକ ଡ୍ରେନେଜ୍ ଅଛି ଏବଂ ଏହାକୁ କୌଣସି ଆବର୍ଜନା ଲାଇନ ସହିତ ସଂଯୁକ୍ତ କରାଯାଇ ନାହିଁ। ସେ କୁହନ୍ତି, “କେବଳ ରାତି ସମୟରେ ମୋର ସମସ୍ୟା ହୋଇଥାଏ। କିନ୍ତୁ ମୋର ଏବେ ଏହା ଅଭ୍ୟାସ ହୋଇଗଲାଣି।

The Ward Number 9 slum colony in Yarpur: 'At night, the only toilet available is the railway track'
PHOTO • Kavitha Iyer

ୟାରପୁର ବସ୍ତି କଲୋନିର ୱାର୍ଡ ନମ୍ବର :‘ ରାତିରେ ଉପଲବ୍ଧ ଥିବା ଏକ ମାତ୍ର ଶୌଚାଳୟ ହେଉଛି ରେଳ ଟ୍ରାକ୍‍

ସେହି ରାତିଗୁଡ଼ିକରେ ଯେତେବେଳେ ତାଙ୍କୁ ରେଳ ଟ୍ରାକ୍ ବ୍ୟବହାର କରିବାକୁ ପଡ଼େ, ନୀତୁ ଟ୍ରେନର ହର୍ଣ୍ଣ ଶବ୍ଦ ଏବଂ ଏହା ଆସିବା ପୂର୍ବରୁ ଟ୍ରାକରେ ସୃଷ୍ଟି ହେଉଥିବା କମ୍ପନ ଶୁଣି ସତର୍କ ହୋଇଯାନ୍ତି। ସେ କୁହନ୍ତି, ଏହି ଅଂଚଳରେ ଟ୍ରେନର ଆସିବାର ବାରମ୍ବାରତା ବିଷୟରେ ତାଙ୍କର ଧାରଣା ହୋଇଗଲାଣି।

ସେ କୁହନ୍ତି, "ଏହା ନିରାପଦ ନୁହେଁ ଏବଂ ମୋତେ ଏହା କରିବାକୁ ପଡୁନଥାନ୍ତା, କିନ୍ତୁ ଏହାର ବିକଳ୍ପ କ’ଣ? ଅନେକ ଝିଅ ଏବଂ ମହିଳା ମଧ୍ୟ ଟ୍ରାକର ଅନ୍ଧାରୁଆ ସ୍ଥାନରେ ସାନିଟାରୀ ନାପକିନ୍ ବଦଳାଇ ଥାନ୍ତି। ବେଳେବେଳେ ଏପରି ଲାଗେ ଯେପରି ପୁରୁଷମାନେ ଆମକୁ ସବୁବେଳେ ଦେଖୁଛନ୍ତି"। ସେ ଆହୁରି ମଧ୍ୟ କହିଛନ୍ତି ଯେ ଧୋଇବା ସବୁବେଳେ ସମ୍ଭବ ହୋଇ ନଥାଏ, କିନ୍ତୁ ବେଳେବେଳେ ଯଦି ଘରେ ପର୍ଯ୍ୟାପ୍ତ ପରିମାଣର ଜଳ ଗଚ୍ଛିତ ଥାଏ, ତେବେ ସେ ଏକ ବାଲ୍‍ଟିରେ ପାଣି ନେଇଯାନ୍ତି।

ଯଦିଓ ସେ ତାଙ୍କୁ କେହି ନିରୀକ୍ଷଣ କରୁଥିବା ଭାବନା ବିଷୟରେ ଉଲ୍ଲେଖ କରିଛନ୍ତି, ନୀତୁ କିମ୍ବା ଅନ୍ୟ ଯୁବତୀ ଏବଂ ବାଳିକାମାନେ ଶୌଚାଳୟକୁ ଯିବା ସମୟରେ କୌଣସି ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ବିଷୟରେ ଅଭିଯୋଗ କରିନାହାନ୍ତି । ସେମାନେ ସେଠାକୁ ଯିବାକୁ ନିରାପଦ ମନେ କରୁଛନ୍ତି କି? ନୀତୁଙ୍କ ପରି, ସମସ୍ତେ କୁହନ୍ତି ଯେ ସେମାନେ ଏଥିରେ ଅଭ୍ୟସ୍ତ ଏବଂ ସାଧାରଣତଃ ଦୁଇ ଜଣ କିମ୍ବା ଗୋଷ୍ଠୀରେ ଯଥେଷ୍ଟ ସତର୍କତାର ସହ ଯାଆନ୍ତି ।

ନୀତୁଙ୍କ ମା’ ମହାମାରୀ ସମୟରେ କିଛି ମାସ ପାଇଁ ସାନିଟାରୀ ନାପକିନ୍‍ କିଣୁ ନଥିଲେ। ନୀତୁ କୁହନ୍ତି, "କିନ୍ତୁ ମୁଁ ତାଙ୍କୁ ବୁଝାଇଲି ଏହା  କେତେ ଜରୁରୀ । ଆମେ ସେଗୁଡ଼ିକୁ ଏବେ କିଣୁଛୁ। ବେଳେବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକ ଦ୍ୱାରା ଏହା ପ୍ରଦାନ କରାଯାଇଥାଏ’’। କିନ୍ତୁ  କିପରି ଓ କେଉଁଠାରେ ଏହି ବ୍ୟବହୃତ ପ୍ୟାଡଗୁଡ଼ିକୁ ଫୋପାଡ଼ିବୁ ତାହା ଏକ ସମସ୍ୟା ହୋଇ ରହିଛି। ସେ କୁହନ୍ତି, "ଅନେକ ଝିଅ ଏଗୁଡ଼ିକୁ ସାର୍ବଜନୀନ ଶୌଚାଳୟରେ କିମ୍ବା ରେଳ ଟ୍ରାକ୍‍ ଉପରେ ଛାଡି ଆସିଥାନ୍ତି କାରଣ ଏକ ଛୋଟ ପୁଟୁଳି ଧରି ଚାଲିକି ଯାଇ ଡଷ୍ଟବିନ୍‍ ଖୋଜିବାକୁ ଲାଜ ଲାଗିଥାଏ’’।

ନୀତୁ ନିଜର ବ୍ୟବହୃତ ସାନିଟାରି ନାପକିନ୍‍ ଆବର୍ଜନା ଗାଡ଼ିରେ ଫୋପାଡ଼ିଥାନ୍ତି ଯଦି ସେ ଠିକ୍‍ ସମୟରେ ତାକୁ ପାଇଥାନ୍ତି, କିମ୍ବା ଆମ୍ବେଦକର ନଗର ବସ୍ତିର ଅନ୍ୟ ପାର୍ଶ୍ୱ ଶେଷରେ ଥିବା ବଡ଼ ଆବର୍ଜନା କୁଣ୍ଡରେ ଚାଲିକରି ଯାଇ ପକାଇ ଦିଅନ୍ତି। ଯଦି ତାଙ୍କ ପାଖରେ ଚାଲିବା ପାଇଁ ଦଶ ମିନିଟ୍‍ ସମୟ ନଥାଏ, ସେ ଏହାକୁ ଟ୍ରାକ୍‌ରେ ଫୋପାଡ଼ି ଦିଅନ୍ତି।

Left: Neetu's house is located alongside the railway track. Right: Women living in the colony have to wash and do other cleaning tasks on the unpaved street
PHOTO • Kavitha Iyer
Left: Neetu's house is located alongside the railway track. Right: Women living in the colony have to wash and do other cleaning tasks on the unpaved street
PHOTO • Kavitha Iyer

ବାମ : ରେଲୱେ ଟ୍ରାକ୍‍ ପାର୍ଶ୍ୱରେ ନିତୁଙ୍କର ଘର ଅବସ୍ଥିତ ଏହି କଲୋନୀର ମହିଳାମାନେ ଅଣଓସାରିଆ ରାସ୍ତାରେ ଲୁଗାପଟା ଧୋଇବା ଅନ୍ୟାନ୍ୟ ସଫେଇ କାର୍ଯ୍ୟ କରନ୍ତି

ୟାରପୁରଠାରୁ ପ୍ରାୟ ତିନି କିଲୋମିଟର ଦୂରରେ, ଦକ୍ଷିଣ-ମଧ୍ୟ ପାଟନାରେ ହଜ୍ ଭବନ ପଛରେ ଥିବା ସାଗଡି ମସଜିଦ୍ ରୋଡରେ, ଏକ ଖୋଲା ଡ୍ରେନର ଉଭୟ ପାର୍ଶ୍ୱରେ ନିର୍ମିତ ସେମି-ପକ୍କା ଘରର ଏକ ଲମ୍ବା ଧାଡ଼ି ରହିଛି। ଏଠାର ବାସିନ୍ଦାମାନେ ମଧ୍ୟ ସହରକୁ ଦୀର୍ଘ ସମୟ ପୂର୍ବେ ପ୍ରବାସୀ ହୋଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଛୁଟିଦିନ, ବିବାହ କିମ୍ବା ଅନ୍ୟାନ୍ୟ ଉତ୍ସବ ପାଇଁ ବେଗୁସରାଇ, ଭାଗଲପୁର କିମ୍ବା ଖାଗରିଆ ଜିଲ୍ଲାରେ ରହୁଥିବା ସେମାନଙ୍କର ପରିବାର ଏବଂ ଘରକୁ ଯାଇଥାନ୍ତି।

ବନ୍ଧର ତଳ ଅଂଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ୧୮ ବର୍ଷୀୟା ପୁଷ୍ପା କୁମାରି ଜଣେ। ସେ କୁହନ୍ତି, “ୟାହାଁ ତକ ପାନି ଭର ଜାତା ହୈ” ପ୍ରବଳ ବର୍ଷା ହେଲେ ଜଳ ସ୍ତରକୁ ସୂଚାଇବା ପାଇଁ ସେ ତାଙ୍କ ପାପୁଲିକୁ ପିଚାରେ ନେଇ ରଖି ଦେଖାଇଥିଲେ। "ଡ୍ରେନରେ ଅତ୍ୟଧିକ ପରିମାଣର ଜଳ ପ୍ରବାହିତ ହୋଇ ଆମ ଘର ଏବଂ ଶୌଚାଳୟକୁ ବୁଡ଼ାଇ ଦେଇଥାଏ। "

ଏଠାରେ ଥିବା ପ୍ରାୟ ୨୫୦ ପରିବାର ନିଜ ଘର ବାହାରେ ଡ୍ରେନ୍ ଧାରରେ ଶୌଚାଳୟ ନିର୍ମାଣ କରିଛନ୍ତି। ଜବରଦଖଲ କରାଯାଇଥିବା ସ୍ଥାନରେ ଥିବା ଶୌଚାଳୟର ବର୍ଜ୍ୟବସ୍ତୁ ଦୁଇ ମିଟର ଚଉଡ଼ା  ଖୋଲା ଡ୍ରେନର ଦୁର୍ଗନ୍ଧମୟ ଜଳରେ ସିଧାସଳଖ ମିଶିଥାଏ।

କିଛି ଘର ଦୂରରେ ରହୁଥିବା ୨୧ ବର୍ଷୀୟା ସୋନି କୁମାରୀ କୁହନ୍ତି ଯେ ବର୍ଷା ମାସରେ ଶୌଚାଳୟରୁ ଡ୍ରେନ୍ ଜଳ କମିବାକୁ ବେଳେବେଳେ ଗୋଟିଏ ଦିନ ଲାଗିଯାଏ ଏବଂ ତାପରେ ସେ ଏହାକୁ ବ୍ୟବହାର କରିପାରନ୍ତି। ଏହି ସମୟରେ, କେବଳ ଅପେକ୍ଷା କରିବା ବ୍ୟତୀତ ତାଙ୍କର ପାଖରେ କୌଣସି ବିକଳ୍ପ ନଥାଏ।

ଖାଗରିଆ ଜିଲ୍ଲାର ଏକ ଭୂମିହୀନ ପରିବାରର ତାଙ୍କ ପିତା, ପାଟନା ମ୍ୟୁନିସିପାଲିଟି କର୍ପୋରେସନର ଚୁକ୍ତିଭିତ୍ତିକ ପରିମଳ କର୍ମଚାରୀ ଅଟନ୍ତି। ସେ ଏକ ଅଳିଆ ଗାଡି ଚଲାଇ ଏକ ବଡ କୁଣ୍ଡରେ ଥିବ ଆବର୍ଜନା ସଂଗ୍ରହ କରିବାକୁ ଗଳିଗୁଡ଼ିକୁ ଯାଇଥାନ୍ତି। ସେ ତାଲାବନ୍ଦ ସମୟରେ ମଧ୍ୟ କାମ କରୁଥିଲେ। ବିଏ ଡିଗ୍ରୀରେ ଦ୍ୱିତୀୟ ବର୍ଷର ପାଠ ପଢ଼ା ଆରମ୍ଭ କରିଥିବା ସୋନି କୁହନ୍ତି, "ସେମାନଙ୍କୁ [ତାଙ୍କ ଦଳ] ମାସ୍କ ଏବଂ ସାନିଟାଇଜର ଦିଆଯାଇଥିଲା ଏବଂ ତାଙ୍କୁ କାମକୁ ଯିବାକୁ କୁହାଯାଇଥିଲା। ତାଙ୍କ ମା’ ନିକଟସ୍ଥ ଜଣଙ୍କ ଘରେ ଆୟା ଭାବରେ କାମ କରନ୍ତି। ସେମାନଙ୍କର ଘରର ମାସିକ ଆୟ ପ୍ରାୟ ୧୨,୦୦୦ ଟଙ୍କା।

ପୁଷ୍ପ କୁହନ୍ତି, "ଏହି କଲୋନୀରେ ଖୋଲା ଡ୍ରେନ୍‍ ପାର୍ଶ୍ୱରେ ରହିଥିବା ପ୍ରତ୍ୟେକ ଶୌଚାଳୟ ଘର ସାମ୍ନାରେ ରହିଛି ଏବଂ ଯେଉଁ ଶୌଚାଳୟର ମାଲିକ ଯିଏ ସେ ହିଁ କେବଳ ତାକୁ ବ୍ୟବହାର କରିଥାନ୍ତି"। ପୁଷ୍ପାଙ୍କର ମା’ ଜଣେ ଗୃହିଣୀ ଓ ବାପା ଜଣେ ରାଜମିସ୍ତ୍ରୀ ଓ ନିର୍ମାଣ ଶ୍ରମିକ ଅଟନ୍ତି। ଯିଏକି ମାସ ମାସ ଧରି କାମ ପାଇଁ ବାହାରେ ରହିଥାନ୍ତି।

Left: Pushpa Kumari holding up the curtain to her family's toilet cubicle. Right: In the Sagaddi Masjid Road colony, a flimsy toilet stands in front of each house
PHOTO • Kavitha Iyer
Left: Pushpa Kumari holding up the curtain to her family's toilet cubicle. Right: In the Sagaddi Masjid Road colony, a flimsy toilet stands in front of each house
PHOTO • Kavitha Iyer

ବାମ : ପୁଷ୍ପା କୁମାରୀ ତାଙ୍କ ପରିବାରର ଶୌଚାଳୟର ପରଦା ଧରିଛନ୍ତି ଡାହାଣ : ସାଗଡି ମସଜିଦ୍ ରୋଡ୍ କଲୋନୀର ପ୍ରତ୍ୟେକ ଘର ସାମ୍ନାରେ ଏକ ଜରାଜୀର୍ଣ୍ଣ ଶୌଚାଳୟ ରହିଛି

ଶୌଚାଳୟଗୁଡ଼ିକ ହେଉଛି ଛୋଟିଆ ଆଜବେଷ୍ଟସ୍ କିମ୍ବା ଟିଣ ଚାଦର ଦ୍ୱାରା ବାଉଁଶ ପୋଲ ଏବଂ ଅନ୍ୟ କିଛି ସାମଗ୍ରୀ ଯଥା ପରିତ୍ୟକ୍ତ ରାଜନୈତିକ ଦଳର ବ୍ୟାନର, କାଠ ଫଳକ, କିଛି ଇଟାରେ ତିଆରି ଛୋଟିଆ କକ୍ଷ। ଏହାରି ଭିତରେ ଏକ ଚିନାମାଟି ପାତ୍ର ଅଛି - ଏଥି ମଧ୍ୟରୁ ଅନେକ ଭାଙ୍ଗି ଯାଇଛି, ଖଣ୍ଡ ହୋଇଯାଇଛି କିମ୍ବା ଦାଗ ହୋଇଛି, ଯେଉଁଗୁଡ଼ିକ ସାମାନ୍ୟ ଉପରକୁ ଉଠିଥିବା ପ୍ଲାଟଫର୍ମ ଉପରେ ନିର୍ମାଣ କରାଯାଇଛି। ଏହି ଶୌଚାଳୟଗୁଡ଼ିକର କବାଟ ନାହିଁ  ଓ ଅଳ୍ପ କିଛି ଗୋପନୀୟତା ରକ୍ଷା କରିବା ପାଇଁ କବାଟଗୁଡ଼ିକ ମଇଳା କପଡ଼ାରେ ତିଆରି ପରଦାରେ କରାଯାଇଥାଏ ।

ବସ୍ତିର ପ୍ରଥମ ଘରଠାରୁ ମାତ୍ର କିଛି ମିଟର ଦୂରରେ ସାଗାଡୀ ମସଜିଦ୍ ରାସ୍ତାର ପ୍ରାୟ ଏକ ପ୍ରାନ୍ତରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି। ୨୦୨୦ ମସିହା ମାର୍ଚ୍ଚ ମାସରୁ ମହାମାରୀ ଆରମ୍ଭ ହେବା ପରଠାରୁ ଏହି ବିଲଡିଂ ବାହାରେ ଥିବା ଦୁଇଟି ଶୌଚାଳୟ ଅନ୍ୟ ବିଦ୍ୟାଳୟ ପରି ତାଲା ପଡ଼ିଛି।

ଏହି କଲୋନୀର ବାସିନ୍ଦାମାନେ ନିକଟସ୍ଥ ସର୍ବସାଧାରଣ ଟ୍ୟାପରୁ ଜଳ ସଂଗ୍ରହ କରନ୍ତି, ଯାହାକି ଗାଧୋଇବା ସ୍ଥାନ ମଧ୍ୟ ଅଟେ। କିଛି ମହିଳା ନିଜ ଘରର ପଛ ଭାଗରେ ପରଦା ଆଢୁଆଳରେ କିମ୍ବା କୋଣରେ ଗୋପନୀୟତା ରକ୍ଷା କରି ସ୍ନାନ କରନ୍ତି। ମୁଁ କଥା ହୋଇଥିବା ଅନେକ ଝିଅ ଏବଂ ଯୁବତୀଙ୍କୁ ବାହାରେ କିମ୍ବା ସର୍ବସାଧାରଣ ଟ୍ୟାପରେ, ଗୋଷ୍ଠୀରେ ସମ୍ପୂର୍ଣ୍ଣ ପୋଷାକ ପିନ୍ଧି ସ୍ନାନ କରିବାକୁ ପଡ଼ିଥାଏ।

ସୋନି କୁହନ୍ତି, "ଆମ ମଧ୍ୟରୁ କିଛି ପାଣି ନେଇ ନିଜ ଘର ପଛପଟ କୋଣରେ ସ୍ନାନ କରିଥାନ୍ତି। ସେଠାରେ କିଛି ଅଧିକ ଗୋପନୀୟତା ମିଳିଥାଏ।"

ଖୋଲା ସ୍ଥାନରେ ଗାଧୋଇବା ବିଷୟରେ ପୁଷ୍ପା କୁହନ୍ତି, "ଆଡଜଷ୍ଟ କର ଲେତେ ହେଁ"। ସେ ହସିକରି କୁହନ୍ତି, “କିନ୍ତୁ ପାଣି ଟ୍ୟାପରୁ ଶୌଚାଳୟ ପର୍ଯ୍ୟନ୍ତ ଚାଲିବାରୁ ରକ୍ଷା ପାଇପାରୁ ନାହିଁ। ସମସ୍ତେ ଜାଣନ୍ତି ଯେ ତୁମେ ତୁମର ନିତ୍ୟକର୍ମ କରିବାକୁ ଯାଉଛ’’।

Left: During the monsoon, sometimes drain water recedes from the toilet after an entire day. Right: Residents use public taps, which are also bathing areas
PHOTO • Kavitha Iyer
Left: During the monsoon, sometimes drain water recedes from the toilet after an entire day. Right: Residents use public taps, which are also bathing areas
PHOTO • Kavitha Iyer

ବା : ମୌସୁ ମୀ ସମୟରେ , ବେଳେବେଳେ ବର୍ଷା ଜଳ ଶୌଚାଳୟରୁ ନିଷ୍କାସିତ ହେବାକୁ ଗୋଟିଏ ଦିନର ସମୟ ଲାଗିଥାଏ ଡାହାଣ : ବାସିନ୍ଦାମାନେ ସର୍ବସାଧାରଣ ଟ୍ୟାପ୍‍ ବ୍ୟବହାର କରୁଛନ୍ତି , ଯାହା ଗାଧୋଇବା ସ୍ଥାନ ମଧ୍ୟ ଅଟେ

ଜଳର ଅନ୍ୟ ଏକ ଉତ୍ସ ହେଉଛି ବସ୍ତିରେ ଲଗାଯାଇଥିବା କିଛି ନଳକୂପ କିମ୍ବା ହ୍ୟାଣ୍ଡପମ୍ପ। ସମାନ ଜଳ (ଟ୍ୟାପ୍ ଏବଂ ହ୍ୟାଣ୍ଡପମ୍ପରୁ) ରୋଷେଇ ଏବଂ ପିଇବା ସହିତ ସମସ୍ତ ଘରୋଇ କାମରେ ବ୍ୟବହୃତ ହୁଏ। ଯଦିଓ ଏନଜିଓ ସ୍ୱେଚ୍ଛାସେବୀ ଏବଂ ବିଦ୍ୟାଳୟର ଶିକ୍ଷକମାନେ ସେମାନଙ୍କୁ ସୁରକ୍ଷିତ ପାନୀୟ ଜଳ ବିଷୟରେ ପରାମର୍ଶ ଦେଉଥିଲେ, କେହି ପାଣି ଫୁଟାଇ ନଥାନ୍ତି ବୋଲି ଝିଅମାନେ କୁହନ୍ତି।

ସାନିଟାରୀ ନାପକିନ୍ ର ବ୍ୟବହାର ହେଉଛି ମାନକ ଏବଂ ଖୁବ୍ କମ୍ ଝିଅଙ୍କୁ କପଡ଼ା ବ୍ୟବହାର କରିବାକୁ ପଡ଼ିଥାଏ ବୋଲି ସେମାନେ କୁହନ୍ତି, ଯଦିଓ ତାଲାବନ୍ଦ ସମୟରେ ଦୋକାନରୁ କ୍ରୟ କରିବାରେ କିଛି ଅସୁବିଧା ହୋଇଥିଲା। ଅନେକ ଝିଅ କୁହନ୍ତି ଯେ ସେମାନଙ୍କ ମା’ ସବୁବେଳେ ସେମାନଙ୍କ ପାଇଁ ପ୍ୟାଡ୍ କିଣି ଆଣିଥାନ୍ତି, ଯଦିଓ ବୟସ୍କ ମହିଳାମାନେ ନିଜେ କପଡ଼ା ବ୍ୟବହାର କରିଥାନ୍ତି।

ପ୍ରାୟତଃ ବ୍ୟବହୃତ ସାନିଟାରୀ ନାପକିନ୍ ଖୋଲା ଡ୍ରେନ୍ ଭିତରକୁ ଫୋପଡ଼ା ଯାଇଥାଏ ଯେଉଁଠାରେ ସେଗୁଡିକ ବେଳେବେଳେ କିଛିଦିନ କିମ୍ବା ସପ୍ତାହ ପରେ ପଲିଥିନ କିମ୍ବା କାଗଜ ପୁଡ଼ିଆ ଭିତରୁ ବାହାରି ଦେଖାଯାଇଥାଏ। ସୋନି କୁହନ୍ତି, "ଆମକୁ [ଏନଜିଓ ସ୍ୱେଚ୍ଛାସେବୀଙ୍କ ଦ୍ୱାରା] ମ୍ୟୁନିସିପାଲର ଅଳିଆ ଗାଡ଼ିରେ ସଠିକ୍ ଭାବରେ ପ୍ୟାଡ୍ କୁ ଗୁଡାଇ ପକାଇବାକୁ ଶିକ୍ଷା ଦିଆଯାଇଛି, କିନ୍ତୁ ଏହି ପ୍ୟାଡ୍ ବହୁତ ଭଲ ଭାବରେ ଗୁଡ଼ାଯାଇଥିଲେ ମଧ୍ୟ ଏହାକୁ ଧରି ଚାଲିକି ଯାଇ ସମସ୍ତ ପୁରୁଷଙ୍କ ସାମ୍ନାରେ ଅଳିଆଗଦାରେ ପକାଇବା ଲଜ୍ଜାଜନକ ଅଟେ।"

ମୋ ସହିତ କଥାବାର୍ତ୍ତା ହେବା ପାଇଁ ଏକ ସ୍ଥାନୀୟ କମ୍ୟୁନିଟି ହଲରେ ଏକତ୍ରିତ ହୋଇଥିବା ଝିଅମାନଙ୍କ ମଧ୍ୟରେ ହସ ଖୁସି ଚାଲିଥିଲା ଏବଂ ଏଠାରେ ଅନେକ ନିଆରା ଅନୁଭୁତି ଓ ଘଟଣା ଦୃଷ୍ଟିଗୋଚର ହୋଇଥିଲା। ପୁଷ୍ପା କୁହନ୍ତି, "ମନେପଡୁଛି, ଗତ ମୌସୁମୀରେ ଆମେ ଗୋଟିଏ ଦିନ ଖାଦ୍ୟ ଖାଇ ନଥିଲୁ ସେଥିପାଇଁ ଆମକୁ ବନ୍ୟା ପାଣିରେ ଭରି ରହିଥିବା ଶୌଚାଳୟ ବ୍ୟବହାର କରିବାକୁ ପଡିନଥିଲା?"

ସ୍ନାତକ ପରେ ଚାକିରି ପାଇବାକୁ ଆଶାୟୀ ସୋନି କୁହନ୍ତି "ଯାହାଦ୍ୱାରା ମୋର ପିତାମାତା ବର୍ତ୍ତମାନ କରୁଥିବା କାମ ଆଉ ସେମାନଙ୍କୁ କରିବାକୁ ପଡ଼ିବ ନାହିଁ"। ସେ କୁହନ୍ତି ଯେ ସେମାନେ ଶିକ୍ଷା, କିଛି ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବାରେ ସଫଳ ହୋଇଥିଲେ ମଧ୍ୟ ସେମାନଙ୍କର ନିରନ୍ତର ପ୍ରତିବନ୍ଧକ ହେଉଛି ପରିମଳ: ବସ୍ତିରେ ଥିବା ଶୌଚାଳୟ ଝିଅମାନଙ୍କର ସବୁଠାରୁ ବଡ଼ ସମସ୍ୟା ଅଟେ।

ଜଣେ ସାମ୍ବାଦିକଙ୍କ କଲମରୁ : ଏହି ଲେଖାକୁ ସାହାଯ୍ୟ ଏବଂ ସମର୍ଥନ କରିଥିବାରୁ ମୁଁ  ଦୀକ୍ଷା ଫାଉଣ୍ଡେସନକୁ ଧନ୍ୟବାଦ ଜଣାଉଛି। ଫାଉଣ୍ଡେସନ୍ (UNFPA ଏବଂ ପାଟନା ମ୍ୟୁନିସିପାଲିଟି କର୍ପୋରେସନ୍ ସହିତ) ପାଟନା ସହରର ବସ୍ତି ମହିଳା ଏବଂ ଶିଶୁମାନଙ୍କ ମଧ୍ୟରେ ପରିମଳ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ କାର୍ଯ୍ୟ କରିଥାଏ ।

ପରୀ ଓ କାଉଣ୍ଟର ମେଡିଆ ଟ୍ରଷ୍ଟ  ସାରା ଦେଶରେ ଗ୍ରାମୀଣ ଭାରତର କିଶୋର ବାଳିକା ଓ ତରୁଣ ମହିଳାମାନଙ୍କ ଉପରେ ଗବେଷଣା ବିବରଣୀ ପ୍ରସ୍ତୁତ କରିବା ଯାହାକି ପପୁଲେସନ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆଙ୍କର ସହାୟତାରେ ଏହି ଗୁରୁତ୍ୱପୂର୍ଣ୍ଣ ତଥା ଅବହେଳିତ ବର୍ଗଙ୍କ ଅବସ୍ଥା ବିଷୟରେ ସେମାନଙ୍କଠାରୁ ଶୁଣି ଓ ସାଧାରଣ ଲୋକଙ୍କ ଜୀବନ୍ତ ଅନୁଭୂତିକୁ ଅନୁଭବ କରି ପରିପ୍ରକାଶ କରିବା ହେଉଛି ଲକ୍ଷ୍ୟ।

ଏହି ଅନୁଚ୍ଛେଦକୁ  ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected] କୁ cc ସହିତ [email protected] ଲେଖନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

Kavitha Iyer

Kavitha Iyer has been a journalist for 20 years. She is the author of ‘Landscapes Of Loss: The Story Of An Indian Drought’ (HarperCollins, 2021).

Other stories by Kavitha Iyer
Illustration : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar
Editor and Series Editor : Sharmila Joshi

Sharmila Joshi is former Executive Editor, People's Archive of Rural India, and a writer and occasional teacher.

Other stories by Sharmila Joshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE