ଶାନ୍ତି ମାନ୍‌ଝୀଙ୍କୁ ୩୬ ବର୍ଷ ବୟସ ହୋଇଥିଲା ଯେତେବେଳେ ଚଳିତ ବର୍ଷ ଜାନୁଆରୀରେ ସେ ପ୍ରଥମ ଥର ପାଇଁ ଜଣେ ଆଈ ହୋଇଥିଲେ । ସେହି ରାତିରେ, ସେ ଆଉ ଗୋଟିଏ କାମ ପ୍ରଥମ ଥର କରିଥିଲେ – ଏହି ବିସ୍ମୟ  ମହିଳା ଯେ ଦୁଇ ଦଶକ ସମୟ ମଧ୍ୟରେ ନିଜ ଘରର ଏକାନ୍ତତା ମଧ୍ୟରେ କୌଣସି ଡାକ୍ତର କିମ୍ବା ନର୍ସଙ୍କ ଉପସ୍ଥିତି ବିନା ସାତୋଟି ସନ୍ତାନ ଜନ୍ମ ଦେଇଛନ୍ତି, ଶେଷରେ ଗୋଟିଏ ଡାକ୍ତରଖାନାକୁ ଗଲେ ।

ଯେଉଁ ଦିନ ତାଙ୍କ ବଡ଼ ଝିଅ ମମତା ତାଙ୍କ ଘରେ ପ୍ରସବ ଯନ୍ତ୍ରଣା ଅନୁଭବ କଲା ସେ ଦିନକୁ ମନେପକାଇ ସେ କୁହନ୍ତି, ‘‘ମୋ ଝିଅ ଘଣ୍ଟା ଘଣ୍ଟା ଧରି ଯନ୍ତ୍ରଣା ପାଉଥିଲା କିନ୍ତୁ ଶିଶୁଟି ବାହାରି ଆସିନଥିଲା। ଆମକୁ ଏକ ଟେମ୍ପୋ ଡାକିବାକୁ ହୋଇଥିଲା ।’’ ତାଙ୍କ ପାଇଁ ଟେମ୍ପୋର ଅର୍ଥ ହେଉଛି ଏକ ତିନି ଚକିଆ ଯାତ୍ରୀବାହୀ ଯାନ ଯାହା ମାତ୍ର ୪ କିଲୋମିଟର ଦୂରରେ ଥିବା ଶେଓହାର ସହରରୁ ଆସିବା ପାଇଁ ପ୍ରାୟ ଏକ ଘଣ୍ଟା ସମୟ ନେଇଥିଲା, ପ୍ରାୟ ସନ୍ଧ୍ୟା ହୋଇଯାଇଥିଲା । ମମତାଙ୍କୁ ଶେଓହାରରେ ଥିବା ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ସେ କେଇ ଘଣ୍ଟା ପରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।

ଏ ପର୍ଯ୍ୟନ୍ତ ଟେମ୍ପୋ ଭଡ଼ା ସମ୍ପର୍କରେ ଅସନ୍ତୁଷ୍ଟ ଥିବା ଶାନ୍ତି ବିରକ୍ତ ହୋଇ କୁହନ୍ତି, ‘‘ସେ ଟ. ୮୦୦ ଦାବି କରିଥିଲା,’’ ଆମ ତୋଳାର କେହି ଡାକ୍ତରଖାନାକୁ ଯାଆନ୍ତି ନାହିଁ । ତେଣୁ ଆମେ ଜାଣିନଥିଲୁ ଆମ୍ବୁଲାନ୍ସ ଅଛି କି ନାହିଁ ।’’

ତାଙ୍କର ସବୁଠାରୁ ସାନ ସନ୍ତାନ, ଚାରି ବର୍ଷ ବୟସ୍କ କାଜଲ୍‌ ଶୋଇବା ପୂର୍ବରୁ କିଛି ଖାଇଛି କି ନାହିଁ ତାହା ଦେଖିବା ପାଇଁ ପରେ ସେହି ରାତିରେ ଶାନ୍ତିଙ୍କୁ ଘରକୁ ଫେରିବାକୁ ହୋଇଥିଲା । ସେ କୁହନ୍ତି, ‘‘ମୁଁ ଗୋଟିଏ ଆଈ ହୋଇଯାଇଛି କିନ୍ତୁ ଜଣେ ମାଆର ଦାୟିତ୍ୱ ମଧ୍ୟ ମୋର ରହିଛି ।’’ ମମତା ଏବଂ କାଜଲଙ୍କ ବ୍ୟତୀତ ତାଙ୍କର ଆଉ ତିନୋଟି ଝିଅ ଏବଂ ଦୁଇଟି ପୁଅ ଅଛନ୍ତି ।

ଏହି ମାନ୍‌ଝୀ ପରିବାର ମୂଷାହାର ତୋଲାରେ ରୁହନ୍ତି। ଏହା ଉତ୍ତର ବିହାରର ଶେଓହାର ବ୍ଲକ୍‌ ଏବଂ ଏହି ଜିଲ୍ଲାର ମାଧୋପୁର ଅନନ୍ତ ଗ୍ରାମ ବାହାରେ ପ୍ରାୟ ଏକ କିଲୋମିଟର ଦୂରରେ କୁଡ଼ିଆଗୁଡ଼ିକ ଏକ ସମୂହ। ପାଖାପାଖି ୪୦ଟି ମାଟି ଏବଂ ବାଉଁଶ କୁଡ଼ିଆ ଥିବା ଏହି ତୋଳାରେ ପ୍ରାୟ ୩୦୦-୪୦୦ ଲୋକ ବାସ କରନ୍ତି । ସେମାନଙ୍କ ମଧ୍ୟରୁ ସମସ୍ତେ ମୂଷାହାର ଜାତିର, ଏହାକୁ ଏକ ମହା ଦଳିତ ସମୂହ- ବିହାରର ସବୁଠାରୁ ଅବହେଳିତ ଭାବରେ ସ୍ୱୀକୃତି ଦିଆଯାଇଛି । କେତେଗୁଡ଼ିଏ କୁଡ଼ିଆରେ ସଂକୁଚିତ ଭିତର ଭାଗରେ ଏକ ବାଡ଼ ଦିଆଯାଇଥିବା କୋଣରେ କିଛି ଛେଳି ଓ ଗୋଟିଏ ଗାଈ ମଧ୍ୟ ବନ୍ଧା ହୋଇଛନ୍ତି ।

Shanti with four of her seven children (Amrita, Sayali, Sajan and Arvind): all, she says, were delivered at home with no fuss
PHOTO • Kavitha Iyer

ଶାନ୍ତି ତାଙ୍କର ସାତ ଜଣ ସନ୍ତାନଙ୍କ ମଧ୍ୟରୁ ଚାରି ଜଣଙ୍କ ସହିତ ( ଅମ୍ରିତା , ସୟାଲି , ସାଜନ ଏବଂ ଅରବିନ୍ଦ ): ସେ କୁହନ୍ତି ଏ ସମସ୍ତେ ବିନା ସମସ୍ୟାରେ ଘରେ ଜନ୍ମ ହୋଇଥିଲେ

ଶାନ୍ତି ଏଇମାତ୍ର ତୋଳାର ଗୋଟିଏ ମୁଣ୍ଡରେ ଥିବା ସାର୍ବଜନୀନ ନଳକୂପରୁ ଗୋଟିଏ ଲାଲ୍‌ ପ୍ଲାଷ୍ଟିକ୍‌ ବାଲ୍‌ଟିରେ ପାଣି ଆଣିଛନ୍ତି। ଏହା ପ୍ରାୟ ସକାଳ ୯ଟା ଏବଂ ସେ ତାଙ୍କ ଘର ବାହାରେ ଅଣଓସାରିଆ ରାସ୍ତାରେ ଛିଡ଼ା ହୋଇଛନ୍ତି ଯେଉଁଠାରେ ଜଣେ ପଡ଼ୋଶୀଙ୍କ ବଳଦ ରାସ୍ତା କଡ଼ରେ ସିମେଣ୍ଟ ତିଆରି ଏକ ନନ୍ଦିଆରୁ ପାଣି ପିଉଛି । ଏକ ସ୍ଥାନୀୟ କଥିତ ଭାଷାରେ ସେ କୁହନ୍ତି ଯେ ତାଙ୍କ ନିଜ ପ୍ରସବଗୁଡ଼ିକରେ କୌଣସି ସମସ୍ୟା ହୋଇନଥିଲା, ‘‘ସାତ୍‌ ଗୋ’’ ବା ସାତ ଜଣ ଯାକ ସମସ୍ତେ ଖୁବ୍‌ କମ୍‌ ସମସ୍ୟାରେ ଘରେ ଜନ୍ମ ହୋଇଥିଲେ ।

ଯେତେବେଳେ ତାଙ୍କୁ ପଚରା ଯାଇଥିଲା ନାଭିରଜ୍ଜୁ କିଏ କାଟିଲା ସେ ଅବିଳମ୍ବେ କହିଥିଲେ, ‘‘ମେରି ଦେୟାଦିନ୍‌,’’ ଦେୟାଦିନ୍‌ ହେଉଛନ୍ତି ସ୍ୱାମୀଙ୍କ ଭାଇର ପତ୍ନୀ । ସେହି ରଜ୍ଜୁ କାଟିବା ପାଇଁ କ’ଣ ବ୍ୟବହାର କରାଯାଇଥିଲା? ସେ ମୁଣ୍ଡ ହଲାନ୍ତି, ସେ ଜାଣନ୍ତି ନାହିଁ । ପାଖରେ ଜମା ହୋଇଥିବା ବସ୍ତିର ପ୍ରାୟ ୧୦-୧୨ ମହିଳା କୁହନ୍ତି ଘରେ ବ୍ୟବହାର ହେଉଥିବା ଏକ ଛୁରୀ ସଫା କରି ବ୍ୟବହାର କରାଯାଇଥିଲା – ମନେ ହେଉଥିଲା ଏହା ଏମିତି କିଛି ନଥିଲା ଯାହା ବିଷୟରେ କେହି କିଛି ଚିନ୍ତା କରିବେ ।

ମାଧୋପୁର ଅନନ୍ତର ଏହି ମୂଷାହାର ତୋଳାର ଅଧିକାଂଶ ମହିଳା ସେମାନଙ୍କ ନିଜ କୁଡ଼ିଆରେ ଏହିପରି ଭାବରେ ପ୍ରସବ କରିଛନ୍ତି – ସେମାନେ କୁହନ୍ତି ତଥାପି କେତେ ଜଣଙ୍କୁ ଜଟିଳତା କାରଣରୁ ଡାକ୍ତରଖାନାକୁ ନିଆଯାଇଥିଲା । ଏହି ବସ୍ତିରେ କୌଣସି ଅଭିଜ୍ଞ ପ୍ରସବ ସହାୟିକା ନାହାନ୍ତି । ଅଧିକାଂଶ ମହିଳାଙ୍କର ଅତି କମ୍‌ରେ ଚାରି କିମ୍ବା ପାଞ୍ଚ ସନ୍ତାନ ଅଛନ୍ତି ଏବଂ କେହି ଜାଣନ୍ତି ନାହିଁ ଗାଁରେ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି) ଅଛି କି ନାହିଁ କିମ୍ବା ସେଠାରେ ପ୍ରସବ କରାଯାଉଛି କି ନାହିଁ ।

ସେମାନଙ୍କ ଗ୍ରାମରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ସରକାରୀ ପରିଚାଳିତ ଚିକିତ୍ସା କେନ୍ଦ୍ର ଅଛି କି ତାହା ପଚରାଯିବାରେ ଶାନ୍ତି କୁହନ୍ତି, ‘‘ମୁଁ ଜାଣିନାହିଁ ।’’ ଭାଗୁଲାନିଆ ଦେବୀ, ୬୮ କୁହନ୍ତି ମାଧୋପୁର ଅନନ୍ତରେ ଏକ ନୂଆ କ୍ଲିନିକ୍‌ ବିଷୟରେ ସେ ଶୁଣିଛନ୍ତି, ‘‘କିନ୍ତୁ ମୁଁ କେବେ ସେଠାକୁ ଯାଇନାହିଁ । ମୁଁ ଜାଣିନି ସେମାନଙ୍କ ପାଖରେ ମହିଳା ଡାକ୍ତର ଅଛନ୍ତି କି ନାହିଁ ।’’ ଶାନ୍ତି ଚୁଲାଇ ମାନ୍‌ଝୀ, ୭୦ କୁହନ୍ତି କେହି କେବେ ତାଙ୍କ ତୋଳାର ମହିଳାମାନଙ୍କୁ ଜଣାଇନାହାନ୍ତି । ତେଣୁ ‘‘ଯଦି ନୂଆ କ୍ଲିନିକ୍‌ଟିଏ ଖୋଲିଛି, ଆମେ କେମିତି ଜାଣିବୁ ?’’

ମାଧୋପୁର ଅନନ୍ତରେ ଏକ ପିଏଚ୍‌ସି ନାହିଁ, କିନ୍ତୁ ଏହାର ଏକ ଉପକେନ୍ଦ୍ର ଅଛି । ଗ୍ରାମବାସୀମାନେ କୁହନ୍ତି ଏହା ଅଧିକାଂଶ ସମୟରେ ବନ୍ଦ ଥାଏ, ଯେମିତି ଆମେ ଯେଉଁ ଅପରାହ୍ଣରେ ଯାଇଥିଲୁ ତାହା ବନ୍ଦ ଥିଲା । ୨୦୧୧-୧୨ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାନୁଷ୍ଠାନ ଯୋଜନା ଦର୍ଶାଏ ଯେ ଶେଓହାର ବ୍ଲକ୍‌ ୨୪ଟି ଉପକେନ୍ଦ୍ର ଆବଶ୍ୟକ କରୁଛି – ଏଠାରେ ୧୦ଟି ଥିଲା ।

ଶାନ୍ତି କୁହନ୍ତି ତାଙ୍କର କୌଣସି ଗର୍ଭାବସ୍ଥା ସମୟରେ ସେ ଅଙ୍ଗନବାଡ଼ି ରୁ କୌଣସି ଲୌହ କିମ୍ବା କ୍ୟାଲ୍‌ସିୟମ୍‌ ବଟିକା ପାଇନଥିଲେ, ତାଙ୍କ ଝିଅ ମଧ୍ୟ ଏଗୁଡ଼ିକ ପାଇନଥିଲା । ଏବଂ ସେ କୌଣସି ଯାଞ୍ଚ ପାଇଁ କୌଣସି ସ୍ଥାନକୁ ଯାଇନଥିଲେ ।

ସେ ମଧ୍ୟ ତାଙ୍କର ପ୍ରତ୍ୟେକ ଗର୍ଭାବସ୍ଥା ଆରମ୍ଭ ସମୟରୁ ପ୍ରସବ ଦିନ ପର୍ଯ୍ୟନ୍ତ କାମ କରିଥିଲେ । ସେ କୁହନ୍ତି, ପ୍ରତିଟି ପ୍ରସବ ପରେ, ‘’୧୦ ଦିନ ପରେ ମୁଁ କାମକୁ ଫେରୁଥିଲି ।’’

Dhogari Devi (left), says she has never received a widow’s pension. Bhagulania Devi (right, with her husband Joginder Sah), says she receives Rs. 400 in her account every month, though she is not sure why
PHOTO • Kavitha Iyer
Dhogari Devi (left), says she has never received a widow’s pension. Bhagulania Devi (right, with her husband Joginder Sah), says she receives Rs. 400 in her account every month, though she is not sure why
PHOTO • Kavitha Iyer

ଢୋଗାରୀ ଦେବୀ ( ବାମ ) କୁହନ୍ତି , ସେ କେବେ ହେଲେ ବିଧବା ଭତ୍ତା ପାଇନାହାନ୍ତି । ଭାଗୁଲାନିଆ ଦେବୀ ( ଡାହାଣ , ତାଙ୍କ ସ୍ୱାମୀ ଯୋଗିନ୍ଦର ଶାହଙ୍କ ସହିତ ) କୁହନ୍ତି ସେ ପ୍ରତି ମାସ ତାଙ୍କ ଆକାଉଣ୍ଟରେ ଟ . ୪୦୦ ପାଆନ୍ତି ଯଦିଓ ସେ ଜାଣିନାହାନ୍ତି କାହିଁକି

ସରକାରଙ୍କ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) ଯୋଜନା ଅଧିନରେ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନେ, ଏଥିସହିତ ଶିଶୁମାନେ ପୋଷଣ ପରିପୂରକ ପାଇଁ ହକ୍‌ଦାର । ଏହା ଏକ ଗ୍ରସରୀ ସାମଗ୍ରୀ ଭାବରେ କିମ୍ବା ଅଙ୍ଗନବାଡ଼ିରେ ପରିବେଷଣ କରାଯାଉଥିବା ରନ୍ଧା ଖାଦ୍ୟ ଭାବରେ ହୋଇପାରେ । ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଗର୍ଭାବସ୍ଥା ମଧ୍ୟରେ ଆଇରନ୍‌ ଫୋଲିକ୍‌ଏସିଡ୍ ଟାବ୍‌ଲେଟ୍ ଏବଂ ଫୋଲିକ୍‌ ଏସିଡ୍ ସପ୍ଲିମେଣ୍ଟ ଅତି କମ୍‌ରେ ୧୮୦ ଦିନ ପାଇଁ ଯୋଗାଇ ଦିଆଯାଏ । ଯଦିଓ ତାଙ୍କର ସାତୋଟି ସନ୍ତାନ ଏବଂ ବର୍ତ୍ତମାନ ଏକ ନାତି ଅଛି, ଶାନ୍ତି କୁହନ୍ତି ସେ କେବେବି ଏଭଳି ଯୋଜନା ସମ୍ପର୍କରେ ଶୁଣିନାହାଁନ୍ତି ।

ନିକଟସ୍ଥ ମାଲି ପୋଖରା ଭିଣ୍ଡା ଗ୍ରାମରେ ଅଧିସ୍ୱୀକୃତ ସାମାଜିକ ସ୍ୱାସ୍ଥ୍ୟକର୍ମୀ (ଆଶା) କଲାବତୀ ଦେବୀ କୁହନ୍ତି ମୂଷାହାର ତୋଳାର ମହିଳାମାନେ ନିଜକୁ କୌଣସି ଅଙ୍ଗନବାଡ଼ିରେ ପଞ୍ଜୀକୃତ କରାଇନାହାଁନ୍ତି । ‘‘ଏହି ଅଞ୍ଚଳରେ ଦୁଇଟି ଅଙ୍ଗନବାଡ଼ି ରହିଛି । ଗୋଟିଏ ମାଲି ପୋଖରା ଭିଣ୍ଡାରେ ଏବଂ ଅନ୍ୟଟି ପଞ୍ଚାୟତ ଗ୍ରାମ ଖୈରୱା ଡରାପରେ । ଏହି ମହିଳାମାନେ ଜାଣନ୍ତି ନାହିଁ ସେମାନେ କେଉଁଠାରେ ପଞ୍ଜୀକରଣ କରାଇବା ଉଚିତ୍‌ ଏବଂ ଶେଷରେ ସେମାନେ କେଉଁଠାରେ ପଞ୍ଜୀକରଣ କରାନ୍ତି ନାହିଁ ।’’ ଉଭୟ ଗ୍ରାମ ମୂଷାହାର ତୋଳାଠାରୁ ପ୍ରାୟ ୨.୫ କିମି ଦୂରରେ ରହିଛି । ଶାନ୍ତି ଏବଂ ଅନ୍ୟ ମହିଳାମାନଙ୍କ ପାଇଁ ସେମାନେ ପ୍ରତିଦିନ ଜମିକୁ କିମ୍ବା ଇଟାଭାଟିକୁ କାମ କରିବା ପାଇଁ ଯିବାକୁ ଯେଉଁ ୪-୫ କିଲୋମିଟର ଚାଲନ୍ତି ତା’ ସହିତ ଏକ ଦୀର୍ଘ ରାସ୍ତା ହୋଇଯିବ । ଏହି ମହିଳାମାନଙ୍କ ମଧ୍ୟରୁ ସମସ୍ତେ ଭୂମିହୀନ ପରିବାରର ।

ରାସ୍ତାରେ ଶାନ୍ତିଙ୍କ ଚାରିପାଖରେ ଜମା ହୋଇଥିବା ମହିଳାମାନେ କୁହନ୍ତି, ସେମାନେ କୌଣସି ସପ୍ଲିମେଣ୍ଟ କିମ୍ବା ଅଙ୍ଗନବାଡ଼ିରେ ଏଗୁଡ଼ିକ ଦାବି କରିବା ସମ୍ପର୍କରେ ସେମାନଙ୍କ ଅଧିକାର ବିଷୟରେ ସୂଚନା ପାଇନାହାଁନ୍ତି ।

ବୟସ୍କ ମହିଳାମାନେ ଅଭିଯୋଗ କରନ୍ତି ଯେ ଅନ୍ୟ ସରକାରୀ ସୁବିଧାଗୁଡ଼ିକ ପାଇବା ମଧ୍ୟ ସେମାନଙ୍କ ପାଇଁ ପ୍ରାୟତଃ ଅସମ୍ଭବ। ଧୋଗାରୀ ଦେବୀ, ୭୧ କୁହନ୍ତି, ସେ କେବେବି ଗୋଟିଏ ବିଧବା ଭତ୍ତା ପାଇନାହାଁନ୍ତି । ବର୍ତ୍ତମାନ ବିଧବା ହୋଇଯାଇଥିବା ଭାଗୁଲାନିଆ ଦେବୀ କୁହନ୍ତି, ସେ ପ୍ରତି ମାସରେ ତାଙ୍କ ଆକାଉଣ୍ଟରେ ଟ. ୪୦୦ ପାଆନ୍ତି । ଯଦିଓ ସେ ନିଶ୍ଚିତ ନୁହଁନ୍ତି ଏହା କେଉଁ ସବ୍‌ସିଡି ।

ଆଶାକର୍ମୀ କଳାବତୀ ଗର୍ଭାବସ୍ଥା ସମୟରେ ଏବଂ ଏହା ପରେ ସେମାନଙ୍କର ହକ୍‌ ସମ୍ପର୍କରେ ଭ୍ରାନ୍ତି ନିମନ୍ତେ ମହିଳାମାନଙ୍କୁ ଏବଂ ସେମାନଙ୍କର ଶିକ୍ଷାହୀନତାକୁ ଦୋଷ ଦିଅନ୍ତି । ସେ କୁହନ୍ତି, ‘‘ପ୍ରତ୍ୟେକଙ୍କର ପାଞ୍ଚ, ଛଅ, ସାତ ପିଲା ଅଛନ୍ତି । ପିଲାମାନେ ଦିନସାରା ଦୌଡ଼ୁଥା’ନ୍ତି । ମୁଁ ସେମାନଙ୍କୁ ଅନେକ ଥର ଖୈରୱା ଦରାପ ଅଙ୍ଗନବାଡ଼ିରେ ପଞ୍ଜୀକରଣ କରାଇବା ପାଇଁ କହିଛି । କିନ୍ତୁ ସେମାନେ ଶୁଣନ୍ତି ନାହିଁ ।’’

ଏହି ରଜ୍ଜୁ କାଟିବା ପାଇଁ କ’ଣ ବ୍ୟବହାର ହୋଇଥିଲା? ନିକଟରେ ଜମା ହୋଇଥିବା ଏହି ବସ୍ତିର ପ୍ରାୟ ୧୦-୧୨ ମହିଳା କୁହନ୍ତି ଘରେ ବ୍ୟବହାର ହେଉଥିବା ଏକ ଛୁରୀ ସଫା ହୋଇ ବ୍ୟବହାର କରାଯାଇଥିଲା – ମନେ ହେଉଥିଲା ଏହା ଏମିତି କିଛି ନଥିଲା ଯାହା ବିଷୟରେ କେହି କିଛି ଚିନ୍ତା କରିବେ

ମାଧୋପୁର ଅନନ୍ତ ପାଇଁ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ତୋଳା ନିକଟରେ ରହିଛି, କିନ୍ତୁ ମୂଷାହାର ସମୂହର ଅଳ୍ପ କେଇଟି ପିଲା ଏଠାରେ ଯୋଗ ଦିଅନ୍ତି । ତାଙ୍କ ସ୍ୱାମୀ ଏବଂ ସେମାନଙ୍କର ସାତୋଟି ସନ୍ତାନଙ୍କ ପରି ଶାନ୍ତି ମଧ୍ୟ ସମ୍ପୂର୍ଣ୍ଣ ନିରକ୍ଷର। ବୟସ୍କା ମହିଳା ଢୋଗାରୀ ଦେବୀ କୁହନ୍ତି, ‘‘ଯେ କୌଣସି ମତେ ସେମାନଙ୍କୁ ଦୈନିକ ମଜୁରୀ ପାଇଁ କାମ କରିବାକୁ ହେବ ।’’

ବିହାରର ଅନୁସୂଚିତ ଜାତିଗୁଡ଼ିକର ନିରକ୍ଷରତା ହାର ଖୁବ୍‌ ନିମ୍ନ । ଅନୁସୂଚିତ ଜାତିଗୁଡ଼ିକ ମଧ୍ୟରେ ସର୍ବଭାରତୀୟ ସାକ୍ଷରତା ହାର ୫୪.୭ ହୋଇଥିବା ବେଳେ ଏଠାରେ ଏହା ପ୍ରାୟ ଅଧା ୨୮.୫ ପ୍ରତିଶତ ଥିଲା (ଜନଗଣନା ୨୦୦୧ରେ ସୂଚିତ ହୋଇଥିବା ଅନୁଯାୟୀ) । ଏହି ଗୋଷ୍ଠୀ ମଧ୍ୟରେ ମୂଷାହାରମାନଙ୍କର ସାକ୍ଷରତା ହାର ସର୍ବନିମ୍ନ ୯ ପ୍ରତିଶତ ।

ଐତିହାସିକ ସମୟରୁ ମୂଷାହାର ପରିବାରଗୁଡ଼ିକର କୃଷି ସମ୍ପତ୍ତି ନାହିଁ । ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ସାମାଜିକ ଉନ୍ନତି ସମ୍ପର୍କରେ ନୀତି ଆୟୋଗର ଏକ ସର୍ବେକ୍ଷଣ ରିପୋର୍ଟ ପ୍ରଦର୍ଶନ କରେ ଯେ ବିହାରର ମୂଷାହାରମାନଙ୍କ ମଧ୍ୟରୁ ମାତ୍ର ୧୦.୧ ପ୍ରତିଶତଙ୍କର ଦୁଧିଆଳୀ ପଶୁ ଅଛନ୍ତି ଯାହାକି ଏସ୍‌ସି ଗୋଷ୍ଠୀ ମଧ୍ୟରେ ସର୍ବନିମ୍ନ । ମାତ୍ର ୧.୪ ପ୍ରତିଶତ ମୂଷାହାର ପରିବାରର ଏକ ବଳଦ ରହିଛି ଯାହାକି ପୁଣି ସର୍ବନିମ୍ନ ।

ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ କେତେକ ମୂଷାହାର ଘୁଷୁରୀ ପାଳନ କରନ୍ତି, ଏକ ପାରମ୍ପରିକ ବୃତ୍ତି ଯାହାକୁ ଅନ୍ୟ ଜାତିମାନେ ଦୂଷିତ ମନେ କରନ୍ତି । ଏବଂ ଯେତେବେଳେ ସର୍ବେକ୍ଷଣ କରାଯାଇଥିବା ଅନ୍ୟ ଅନୁସୂଚିତ ଜାତି ଘରଗୁଡ଼ିକରେ ବାଇସାଇକେଲ୍‌, ରିସ୍କା, ସ୍କୁଟର କିମ୍ବା ମୋଟରସାଇକେଲ୍‌ ଥିବା ଜଣାପଡ଼ିଛି, ମୂଷାହାର ପରିବାରଗୁଡ଼ିକ ଯାନବାହନ ମାଲିକାନାରେ ସମ୍ପୂର୍ଣ୍ଣ ଶୂନ୍ୟ ।

ଶାନ୍ତିଙ୍କ ପରିବାର ଘୁଷୁରୀ ପାଳନ୍ତି ନାହିଁ । ଏବଂ ଯଦିଓ ସେମାନଙ୍କର କିଛି ଛେଳି ଏବଂ କିଛି କୁକୁଡ଼ା ଅଛନ୍ତି, ସେଗୁଡ଼ିକ ବିକ୍ରି କରାଯାଏ ନାହିଁ – ସେମାନେ ସେମାନଙ୍କର ନିଜସ୍ୱ ଭୋଜନ ପାଇଁ ଦୁଗ୍ଧ ଏବଂ ଅଣ୍ଡା ବ୍ୟବହାର କରନ୍ତି । ତାଙ୍କ ସ୍ୱାମୀ ଏବଂ ସେମାନଙ୍କର ସନ୍ତାନମାନଙ୍କୁ ସୂଚିତ କରି ସେ କୁହନ୍ତି, ‘‘ଆମେ ସବୁବେଳେ ବଞ୍ଚିବା ପାଇଁ କାମ କରିଛୁ । ଆମେ ଅନେକ ବର୍ଷ ବିହାରର ଅନ୍ୟ ଅଂଶରେ ଏବଂ ଅନ୍ୟ ରାଜ୍ୟରେ ମଧ୍ୟ କାମ କରିଛୁ ।’’ ଯେତେବେଳେ ଏହି ଦମ୍ପତ୍ତି ଏହି ରାଜ୍ୟର ବିଭିନ୍ନ ଇଟାଭାଟିରେ କାମ କରନ୍ତି ସେତେବେଳେ ପିଲାମାନେ ମଧ୍ୟ କାମରେ ସାହାଯ୍ୟ କରନ୍ତି ।

A shared drinking water trough (left) along the roadside constructed with panchayat funds for the few cattle in Musahar Tola (right)
PHOTO • Kavitha Iyer
A shared drinking water trough (left) along the roadside constructed with panchayat funds for the few cattle in Musahar Tola (right)
PHOTO • Kavitha Iyer

ପଞ୍ଚାୟତ ପାଣ୍ଠିରେ ମୂଷାହାର ତୋଳା ( ଡାହାଣ ) ରେ ଥିବା ଅଳ୍ପ କେଇଟି ଗୋରୁଗାଈଙ୍କ ପାଇଁ ରାସ୍ତା କଡ଼ରେ ଏକ ସର୍ବସାଧାରଣ ପାନୀୟ ଜଳ କୁଣ୍ଡ ( ବାମ ) ନିର୍ମାଣ କରାଯାଇଛି

ଶାନ୍ତି କୁହନ୍ତି, ‘‘ଆମେ ସେଠାରେ ତିନି ମାସ, ବେଳେ ବେଳେ ଏକାଥରକେ ଛଅ ମାସ ରହୁ । ଥରେ ଆମେ କାଶ୍ମୀରରେ ଇଟାଭାଟିରେ କାମ କରିବା ପାଇଁ ପ୍ରାୟ ଏକ ବର୍ଷ ରହିଥିଲୁ ।’’ ସେ ସମୟରେ ସେ ଗର୍ଭବତୀ ଥିଲେ ଯଦିଓ ସେ ମନେପକାଇ ପାରନ୍ତି ନାହିଁ ସେତେବେଳେ କେଉଁ ପୁଅ ବା ଝିଅ ତାଙ୍କ ଗର୍ଭରେ ଥିଲା । ‘‘ଏହା ପ୍ରାୟ ଛଅ ବର୍ଷ ପୂର୍ବ କଥା ।’’ ସେ ଏହା ମଧ୍ୟ ଜାଣନ୍ତି ନାହିଁ କାଶ୍ମୀରର କେଉଁ ଭାଗରେ ଥିଲା, କେବଳ ଏହା ଜାଣନ୍ତି ଯେ ଏହା ଏକ ବଡ଼ ଇଟାଭାଟି ଥିଲା ଯେଉଁଠାରେ ସବୁ ଶ୍ରମିକ ବିହାରର ଥିଲେ ।

ସେଠାରେ ମଜୁରୀ ବିହାରର ଟ. ୪୫୦ ଦରଠାରୁ ଭଲ ଥିଲା – ପ୍ରତି ୧,୦୦୦ ଇଟା ପାଇଁ ଟ. ୬୦୦ – ଟ. ୬୫୦ । ତାଙ୍କ ପିଲାମାନେ ମଧ୍ୟ ଭାଟିରେ କାମ କରୁଥିବାରୁ ଶାନ୍ତି ଏବଂ ତାଙ୍କ ସ୍ୱାମୀ ଗୋଟିଏ ଦିନରେ ସହଜରେ ଏହାଠାରୁ ଅଧିକ ଇଟା ତିଆରି କରିପାରୁଥିଲେ । ଯଦିଓ ସେ ମନେପକାଇ ପାରନ୍ତି ନାହିଁ ସେମାନେ ସେହି ବର୍ଷ ସମୁଦାୟ କେତେ ରୋଜଗାର କରିଥିଲେ । ସେ ମନେପକାନ୍ତି, ‘‘କିନ୍ତୁ ଆମେ କେବଳ ଘରକୁ ଫେରିବାକୁ ଚାହୁଁଥିଲୁ, ଏପରିକି କମ୍‌ ଅର୍ଥରେ ମଧ୍ୟ ।’’

ବର୍ତ୍ତମାନ ତାଙ୍କ ସ୍ୱାମୀ ଦୋରିକ ମାନ୍‌ଝୀ, ୩୮ ପଞ୍ଜାବରେ ଜଣେ କୃଷି ଶ୍ରମିକ ଭାବରେ କାମ କରୁଛନ୍ତି, ମାସିକ ଟ. ୪,୦୦୦ କିମ୍ବା ଟ. ୫,୦୦୦ ଘରକୁ ପଠାଉଛନ୍ତି । ସେ କାହିଁକି ଏଠାରେ ଧାନ କ୍ଷେତରେ କାମ କରୁଛନ୍ତି ତାହା ବୁଝାଇ ଶାନ୍ତି କୁହନ୍ତି, ଏହି ମହାମାରୀ ଏବଂ ଲକ୍‌ଡାଉନ୍‌ର ଅର୍ଥ ହେଉଛି କମ୍‌ କାମ ଉପଲବ୍ଧ ଏବଂ ଶ୍ରମିକ ଠିକାଦାର ବର୍ତ୍ତମାନ କେବଳ ପୁରୁଷ ଲୋକଙ୍କୁ କାମ ଦେବାକୁ ପସନ୍ଦ କରୁଛନ୍ତି । ତାଙ୍କୁ ତାଙ୍କର ବନିହାରୀ ବା ମଜୁରୀ ମାଗିବା ପାଇଁ ସେହି କୃଷକଙ୍କ ଘରକୁ ବାରମ୍ବାର ଆସିବାକୁ ହେଉଥିବା ଅଭିଯୋଗ କରି ସେ କୁହନ୍ତି, ‘‘କିନ୍ତୁ ପାଉଣା ହେଉଛି ଏକ ସମସ୍ୟା । ମାଲିକ ଅର୍ଥ ପୈଠ କରିବା ପାଇଁ ଗୋଟିଏ ଦିନ ବାଛିବା ନିମନ୍ତେ ଅପେକ୍ଷା କରନ୍ତି ।’’ ତେବେ ସେ କୁହନ୍ତି, ‘‘କିନ୍ତୁ ଅତି କମ୍‌ରେ ଆମେ ଘରେ ଅଛୁ।’’

ତାଙ୍କ ଝିଅ କାଜଲ ବସ୍ତିର ଅନ୍ୟ ପିଲାମାନଙ୍କ ସହ ଗୋଟିଏ ବର୍ଷା ଦିନର ସକାଳେ ରାସ୍ତା କଡ଼ରେ ଖେଳୁଛି, ସମସ୍ତେ ଭିଜିଯାଇଛନ୍ତି । ଆମ ଫଟୋ ପାଇଁ ଶାନ୍ତି ତାକୁ ତା’ ପାଖରେ ଥିବା ଦୁଇଟି ଭଲ ଫ୍ରକ୍‌ ମଧ୍ୟରୁ ଗୋଟିଏ ପିନ୍ଧିବାକୁ କୁହନ୍ତି । ଏହା ପରେ ପିଲାଟି କାଦୁଅ ରାସ୍ତାକୁ ଫେରିଯାଇଛି, ଫ୍ରକ୍‌ଟି କାଢ଼ି ଦେଇଛି, ଦଳେ ପିଲାଙ୍କ ସହ ଗୋଟିଏ ଗୋଲ୍‌ ପଥରକୁ ବାଡ଼ିରେ ଗଡ଼ାଉଛି ।

୧୯୯୪ରେ ସୀତାମାଢ଼ିରୁ ଅଲଗା ହୋଇଯାଇଥିବା ଶେଓହାର ହେଉଛି ଭୌଗୋଳିକ ଆକାର ଓ ଜନସଂଖ୍ୟାରେ ବିହାରର ସବୁଠାରୁ ଛୋଟ ଜିଲ୍ଲା । ଜିଲ୍ଲା ମୁଖ୍ୟାଳୟ ଶେଓହାର ହେଉଛି ଏହାର ଏକମାତ୍ର ସହର । ଜିଲ୍ଲାର ମୁଖ୍ୟ ନଦୀ ଏବଂ ଗଙ୍ଗାର ଏକ ଗୁରୁତ୍ୱପୂର୍ଣ୍ଣ ଶାଖା ନଦୀ ବାଗ୍‌ମତୀ ନେପାଳରେ ଏହାର ଉତ୍ସଠାରୁ ବୋହି ଆସୁଥିବା ବର୍ଷା ଜଳରେ ଫୁଲିଯାଏ, ଗ୍ରାମଗୁଡ଼ିକ ମୌସୁମୀ ସମୟରେ ଅନେକ ଥର ବୁଡ଼ିଯାଏ । କୋଶି ଏବଂ ଅନ୍ୟ ନଦୀ ପ୍ରଣାଳୀଗୁଡ଼ିକ ସେମାନଙ୍କର ବିପଦ ଚିହ୍ନ ନିକଟରେ ପହଞ୍ଚିବା ହେତୁ ସାରା ଉତ୍ତର ବିହାରରେ ହେଉଥିବା ବନ୍ୟା ସହିତ ଏକତ୍ର ହୋଇଥାଏ । ଏହି ଅଞ୍ଚଳରେ ଧାନ ଏବଂ ଆଖୁ ଲୋକପ୍ରିୟ, ଉଭୟ ଫସଲ ପାଣି ଆବଶ୍ୟକ କରିଥାଏ ।

ମୂଷାହାର ତୋଳା – ମାଧୋପୁର ଅନନ୍ତରେ ଲୋକମାନେ ସ୍ଥାନୀୟ ଧାନଜମି ଏବଂ ଦୂର ସ୍ଥାନରେ ଥିବା ନିର୍ମାଣ କ୍ଷେତ୍ର ଓ ଇଟାଭାଟିଗୁଡ଼ିକରେ କାମ କରନ୍ତି । କେତେକଙ୍କର ସମ୍ପର୍କୀୟ ଅଛନ୍ତି ଯେଉଁମାନଙ୍କର ଛୋଟ ଛୋଟ ଜମି ଅଛି, ଗୋଟିଏ କିମ୍ବା ଦୁଇଟି କଠା (ଗୋଟିଏ ଏକରର ଏକ ଅଂଶ), କିନ୍ତୁ ଏଠାରେ କାହାର ଜମି ନାହିଁ ।

Shanti laughs when I ask if her daughter will also have as many children: 'I don’t know that...'
PHOTO • Kavitha Iyer
Shanti laughs when I ask if her daughter will also have as many children: 'I don’t know that...'
PHOTO • Kavitha Iyer

ଯେତେବେଳେ ମୁଁ ତାଙ୍କୁ ପଚାରିଲି ତାଙ୍କ ଝିଅର ମଧ୍ୟ ଏତିକି ସନ୍ତାନ ହେବେ କି ସେ ହସନ୍ତି : ‘ ମୁଁ ତାହା ଜାଣିନି ...’

ଶାନ୍ତିଙ୍କ କେଶ, ଜଟ ହୋଇଯାଇଛି, ତାଙ୍କ ଚମକଦାର ହସଠାରୁ ଅଲଗା ଦେଖାଯାଉଛି । କିନ୍ତୁ ଯେତେବେଳେ ତାଙ୍କୁ ଏ ବିଷୟରେ ପଚରା ଯାଇଥିଲା ଅନ୍ୟ କେଇ ଜଣ ମହିଳା ମଧ୍ୟ ସେମାନସଙ୍କର ଜଟ ଦେଖାଇବା ପାଇଁ ସେମାନଙ୍କ ଶାଢ଼ୀର ଓଢ଼ଣା ତଳକୁ ଖସାଇଥିଲେ । ଶାନ୍ତି କୁହନ୍ତି, ‘‘ଏହା ଅଘୋରୀ ଶିବଙ୍କ ପାଇଁ ।’’ କିନ୍ତୁ ଏଥିସହ କୁହନ୍ତି ଯେ ଏହା ଏକ ସମର୍ପଣ ଭାବରେ ଲଣ୍ଡା ହେବା ପାଇଁ ନୁହେଁ । ସେ କୁହନ୍ତି, ‘‘ଏହା ମନକୁ ମନ ଏମିତି ହୋଇଯାଏ । ଗୋଟିଏ ରାତିରେ ।’’

କଳାବତୀ ଅବିଶ୍ୱାସ କରନ୍ତି ଏବଂ କୁହନ୍ତି ମୂଷାହାର ତୋଳାର ଲୋକମାନେ ବ୍ୟକ୍ତିଗତ ପରିଚ୍ଛନ୍ନତା ପାଇଁ ଯତ୍ନବାନ୍ ନୁହଁନ୍ତି । କଳାବତୀ କୁହନ୍ତି, ତାଙ୍କ ପରି ଆଶାମାନେ ପ୍ରତ୍ୟେକ ଆନୁଷ୍ଠାନିକ ପ୍ରସବ ନିମନ୍ତେ ଟ. ୬୦୦ ପ୍ରୋତ୍ସାହନ ଭାବରେ ପାଇବାର ହକ୍‌ଦାର କିନ୍ତୁ ଏହି ମହାମାରୀ ସମୟରେ ସେହି ଅର୍ଥ କେବଳ ଆଂଶିକ ଭାବରେ ଦିଆଯାଉଛି । ସେ ଏଥିସହ କୁହନ୍ତି, ‘‘ଲୋକମାନଙ୍କୁ ଡାକ୍ତରଖାନା ନେବା ପାଇଁ ବୁଝାଇବା ଏତେ କଷ୍ଟକର ଏବଂ ଏହା ପରେ ଅର୍ଥ ମଧ୍ୟ ଆସୁନାହିଁ ।’’

ଅଣମୂଷାହାରମାନଙ୍କ ମଧ୍ୟରେ ସାଧାରଣ ଦୃଷ୍ଟିକୋଣ ହେଉଛି ଯେ ‘‘ଏହି ଲୋକମାନେ’’ ଜିଦ୍‌ଖୋର ଭାବରେ ସେମାନଙ୍କ ମାର୍ଗରେ ରହିଛନ୍ତି ଯାହା ବୋଧହୁଏ ସମୂହର ରୀତିନୀତି ଏବଂ ପ୍ରଥା ସମ୍ପର୍କରେ ମୋତେ କହିବା ସମୟରେ ଶାନ୍ତିଙ୍କୁ ଅଧିକ ସାବଧାନ କରିଦେଇଥିଲା । ସେ ପୋଷଣ ସମ୍ପର୍କରେ କଥା ହେବାକୁ ପସନ୍ଦ କରନ୍ତି ନାହିଁ । ଯେତେବେଳେ ମୁଁ ନିର୍ଦ୍ଦିଷ୍ଟ ଭାବରେ ମୂଷାହାରମାନଙ୍କ ସମ୍ପର୍କରେ ଏକ ପ୍ରଚଳିତ ବିଶ୍ୱାସ ବିଷୟରେ ପଚାରିଲି ସେ କେବଳ କହିଥିଲେ, ‘‘ଆମେ ମୂଷା ଖାଉନି ।’’

କଳାବତୀ ସହମତି ପ୍ରକାଶ କରନ୍ତି – ଏହି ମୂଷାହାର ତୋଳାରେ, ଭୋଜନ ସାଧାରଣତଃ ଭାତ ଏବଂ ଆଳୁ । କଳାବତୀ କୁହନ୍ତି, ‘‘ଏ କଥା ନିଶ୍ଚିତ ଯେ କେହି ସବୁଜ ପନିପରିବା ଖାଆନ୍ତି ନାହିଁ ।’’ ଏଥିସହିତ ସେ କୁହନ୍ତି ପଡ଼ାର ମହିଳା ଏବଂ ଶିଶୁମାନଙ୍କ ମଧ୍ୟରେ ଖୁବ୍‌ ଅଧିକ ରକ୍ତହୀନତା ରହିଛି ।

ଶାନ୍ତି ପ୍ରତି ମାସରେ ସମୁଦାୟ ପ୍ରାୟ ୨୭ କିଲୋ ସବ୍‌ସିଡିରେ ମିଳୁଥିବା ଚାଉଳ ଏବଂ ଗହମ ଗ୍ରାମରେ ଥିବା ସୁଲଭ ମୂଲ୍ୟ ଦୋକାନ (ସାର୍ବଜନୀନ ବିତରଣ ବ୍ୟବସ୍ଥା ଦୋକାନ)ରୁ ପାଆନ୍ତି । ସେ କୁହନ୍ତି, ‘‘ସବୁ ପିଲାମାନେ ରେସନ୍‌ କାର୍ଡରେ ସଂଯୁକ୍ତ ହୋଇନାହାଁନ୍ତି ତେଣୁ ଆମେ ସାନ ପିଲାଟିର ଶସ୍ୟ ଭାଗ ପାଇବୁ ନାହିଁ ।’’ ସେ କୁହନ୍ତି, ଆଜିର ଭୋଜନ ହେଉଛି ଭାତ ଏବଂ ଆଳୁ ଓ ମୁଗ ଡାଲି । ରାତିରେ ରୋଟି ହେବ । ଅଣ୍ଡା, ଦୁଗ୍ଧ ଏବଂ ସବୁଜ ପନିପରିବା ପରିବାରଗୁଡ଼ିକରେ ବିରଳ, ଏବଂ ଫଳଗୁଡ଼ିକ ଆହୁରି ମଧ୍ୟ ବିରଳ ।

ଯେତେବେଳେ ମୁଁ ତାଙ୍କୁ ପଚାରିଲି ତାଙ୍କ ଝିଅର ମଧ୍ୟ ଏତେ ସଂଖ୍ୟକ ସନ୍ତାନ ହେବେ ସେତେବେଳେ ସେ ହସନ୍ତି, ‘‘ମୁଁ ତାହା ଜାଣିନି କିନ୍ତୁ ଯଦି ସେ ଗୋଟିଏ ଡାକ୍ତରଖାନା ଆବଶ୍ୟକ କରେ, ତା’କୁ ବୋଧହୁଏ ଏଠାକୁ ଆସିବାକୁ ହେବ ।’’ ମମତା ବିବାହ କରିଥିବା ପରିବାର ଠିକ୍‌ ସୀମା ଆରପଟେ ନେପାଳରେ ରୁହନ୍ତି ।

ପରି ଏବଂ କାଉଣ୍ଟର୍‌ମିଡିଆ ଟ୍ରଷ୍ଟ୍‌ର ଗ୍ରାମୀଣ ଭାରତରେ କିଶୋରୀ ବାଳିକା ଏବଂ ଯୁବତୀମାନଙ୍କ ଉପରେ ଦେଶବ୍ୟାପି ସମ୍ବାଦ ସଂଗ୍ରହ ପ୍ରକଳ୍ପ ହେଉଛି ସାଧାରଣ ଲୋକଙ୍କର ସ୍ୱର ଏବଂ ଜୀବନ୍ତ ଅଭିଜ୍ଞତା ଜରିଆରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ନଗଣ୍ୟ ଗୋଷ୍ଠୀର ପରିସ୍ଥିତି ଜାଣିବା ପାଇଁ ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସମର୍ଥିତ ଏକ ଉପକ୍ରମ ।

ଏହି ନିବନ୍ଧ ପୁନଃପ୍ରକାଶନ କରିବାକୁ ଚାହାଁନ୍ତି? ଦୟାକରି [email protected] ଙ୍କୁ ଏକ ସିସି ସହିତ [email protected]ଙ୍କୁ ଲେଖନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Kavitha Iyer

Kavitha Iyer has been a journalist for 20 years. She is the author of ‘Landscapes Of Loss: The Story Of An Indian Drought’ (HarperCollins, 2021).

Other stories by Kavitha Iyer
Illustration : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar
Editor and Series Editor : Sharmila Joshi

Sharmila Joshi is former Executive Editor, People's Archive of Rural India, and a writer and occasional teacher.

Other stories by Sharmila Joshi
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE