ଉଭୟଙ୍କର ବୟସ ୧୭, ଉଭୟ ଗର୍ଭବତୀ। ନଜର ତଳକୁ ରଖିବା ଲାଗି ବାପାମାଆଙ୍କ ନିର୍ଦ୍ଦେଶକୁ ଭୁଲି ଯାଇ ଉଭୟ ସହଜରେ ହସି ହସି ଗଡ଼ି ଯାଆନ୍ତି। ଏବଂ ଆଗକୁ ସେମାନଙ୍କର କ’ଣ ହେବ ବୋଲି ଉଭୟ ଆଶଙ୍କିତ।

ଉଭୟ ସଲିମା ପରବୀନ ଏବଂ ଆସ୍‌ମା ଖାତୁନ (ପରିବର୍ତ୍ତିତ ନାମ) ଗତ ବର୍ଷ ୭ମ ଶ୍ରେଣୀରେ ପଢୁଥିଲେ, ଯଦିଚ ୨୦୨୦ ଶିକ୍ଷା ବର୍ଷ ସାରା ଗାଁର ସରକାରୀ ସ୍କୁଲଟି ବନ୍ଦ ରହିଥିଲା । ଲକ୍‌ଡାଉନ୍‌ ଅବଧି ବଢ଼ି ଚାଲିବା ସହିତ ପାଟନା, ଦିଲ୍ଲୀ ଓ ମୁମ୍ବାଇରେ ରହି କାମ କରିଆସୁଥିବା ସେମାନଙ୍କ ପରିବାରର ପୁରୁଷମାନେ ବିହାରର ଅରରିୟା ଜିଲ୍ଲା ଅନ୍ତର୍ଗତ ବଙ୍ଗାଲି ଟୋଲା ପଲ୍ଲୀକୁ ଫେରିଆସିଲେ । ଏହା ପରେ ପରେ ଆରମ୍ଭ ହେଲା ବୈବାହିକ ସଂପର୍କ ସ୍ଥାପନର ଏକ କ୍ଷୁଦ୍ର ଘଟଣାକ୍ରମ ।

“କରୋନା ମେଁ ହୁଇ ଶାଦି ,” ଉଭୟଙ୍କ ମଧ୍ୟରୁ ଅଧିକ ପ୍ରଗଳ୍‌ଭ ଆସମା କହନ୍ତି, “କରୋନା ସମୟରେ ମୁଁ ବାହା ହେଲି ।”

ଦୁଇ ବର୍ଷ ପୂର୍ବରୁ ସଲିମାଙ୍କ ନିକାହ (ବିବାହ ଉତ୍ସବ) ସଂପନ୍ନ ହୋଇଥିଲା ଏବଂ ୧୮ ବର୍ଷ ବୟସ ହେଲା ବେଳକୁ ସେ ତାଙ୍କ ସ୍ଵାମୀଙ୍କ ସହ ଏକାଠି ରହିବେ ବୋଲି ସ୍ଥିର କରାଯାଇଥିଲା। ଏହା ପରେ ଲକ୍‌ଡାଉନ୍‌ ଆରମ୍ଭ ହେଲା ଏବଂ ସଲିମା ସେମାନଙ୍କ ପାଖରେ ରହନ୍ତୁ ବୋଲି ଦର୍ଜି ଭାବେ କାମ କରୁଥିବା ତାଙ୍କର୨୦ ବର୍ଷ ବୟସ୍କ ସ୍ଵାମୀ ଓ ସେହି ପଲ୍ଲୀରେ ରହୁଥିବା ତାଙ୍କ ପରିବାର ଜିଦ୍‌ ଧରିଲେ । ପାଖାପାଖି ୨୦୨୦ ଜୁଲାଇ ବେଳର କଥା । ତାଙ୍କ ସ୍ଵାମୀଙ୍କ ପାଖରେ କାମ ନଥିଲା ଏବଂ ସେ ସାରା ଦିନ ଘରେ ରହୁଥିଲେ । ଅନ୍ୟ ପୁରୁଷମାନେ ବି ଘରେ ରହୁଥିଲେ ଏବଂ ଘରକାମ ଲାଗି ଆଉ ଜଣେ ଦରକାର ହେବ ବୋଲି ଭାବିଥିଲେ ।

ନିଜ ମନକୁ ଦୃଢ଼ କରିବା ଲାଗି ଆସମାଙ୍କ ପାଖରେ ତ ଆହୁରି କମ୍‌ ସମୟ ଥିଲା । ୨୦୧୯ରେ ତାଙ୍କ ୨୩ ବର୍ଷୀୟା ଭଉଣୀ କ୍ୟାନ୍‌ସରରେ ପ୍ରାଣ ହରାଇଥିଲେ ଏବଂ ପାଇପ୍‌ ମିସ୍ତ୍ରୀ କାମ କରୁଥିବା ଭଉଣୀଙ୍କ ସ୍ଵାମୀ ଲକ୍‌ଡାଉନ୍‌ ସମୟରେ ହିଁ ଆସମାଙ୍କୁ ବିବାହ କରିବା ଲାଗି ଅଡ଼ି ବସିଲେ । ୨୦୨୦ ଜୁନ୍‌ରେ ହିଁ ବିବାହ ଉତ୍ସବ ସଂପନ୍ନ ହେଲା ।

ଦୁଇ ଝିଅଙ୍କ ମଧ୍ୟରୁ କେହି ହେଲେ ଜାଣି ନଥିଲେ ଯେ, ପିଲା କେମିତି ଜନ୍ମ ହୁଅନ୍ତି । ଆସମାଙ୍କ ମାଆ ରୁକ୍‌ସାନା କହନ୍ତି, “ଝିଅମାନଙ୍କୁ ମାଆମାନେ ଏସବୁ କଥା ବୁଝାଇ ନଥିଲେ ।” ଝିଅମାନଙ୍କର ଖିଲିଖିଲି ହସ ଭିତରେ ସେ କହନ୍ତି, “ ଲାଜ୍‌ କି ବାତ୍‌ ହୈ (ଏହା ଲାଜର କଥା)।” ସମସ୍ତେ ଗୋଟିଏ କଥାରେ ସମ୍ମତ ହୁଅନ୍ତି ଯେ, କନ୍ୟାର ଭାଭୀ ବା ତା’ର ଭାଇଙ୍କ ସ୍ତ୍ରୀ ହିଁ ଏହି ବିଷୟରେ ଏବଂ ଅନ୍ୟାନ୍ୟ ବିଷୟରେ ତାଙ୍କୁ ବୁଝାଇ ଦେବା କଥା । କିନ୍ତୁ ସଲିମା ଓ ଆସ୍‌ମା ଦୁହେଁ ନଣନ୍ଦ ଓ ଭାଉଜ ଏବଂ ଗର୍ଭଧାରଣ ସଂପର୍କରେ କେହି କାହାରିକୁ କିଛି ପରାମର୍ଶ ଦେବା ଭଳି ସ୍ଥିତିରେ ନଥିଲେ ।

Health workers with display cards at a meeting of young mothers in a village in Purnia. Mostly though everyone agrees that the bride’s bhabhi is the correct source of information on such matters
PHOTO • Kavitha Iyer

ପୂର୍ଣ୍ଣିଆ ଜିଲ୍ଲାର ଏକ ଗାଁରେ ଯୁବତୀ ମାଆମାନଙ୍କର ଏକ ବୈଠକରେ ପୋଷ୍ଟର ପ୍ରଦର୍ଶନ କରୁଥିବା ସ୍ଵାସ୍ଥ୍ୟକର୍ମୀମାନେ । ହେଲେ ପ୍ରାୟତଃ ସମସ୍ତେ ଏଥିରେ ସମ୍ମତ ହୁଅନ୍ତି ଯେ, କନ୍ୟାର ଭାଭୀ ହିଁ ଏ ସବୁ କଥା ସଂପର୍କରେ ସଠିକ ଧାରଣା ଦେବା ଉଚିତ ।

ଆସମାଙ୍କ ମାଉସୀ, ଯିଏ କି ରାଣୀଗଞ୍ଜ ବ୍ଲକ୍‌ ଅନ୍ତର୍ଗତ ବେଲୱା ପଞ୍ଚାୟତରେ ପ୍ରାୟ ୪୦ଟି ପରିବାର ରହୁଥିବା ବଙ୍ଗାଲି ଟୋଲା ପଲ୍ଲୀର ଜଣେ ‘ଆଶା’ କର୍ମୀ (ସ୍ଵୀକୃତିପ୍ରାପ୍ତ ସାମାଜିକ ସ୍ଵାସ୍ଥ୍ୟ କର୍ମୀ), ଝିଅମାନଙ୍କୁ “ଖୁବ୍‌ ଶୀଘ୍ର” ସବୁ କଥା ବୁଝାଇ ଦେବେ ବୋଲି କଥା ଦିଅନ୍ତି ।

ତା’ ନହେଲେ ଝିଅମାନେ ଜାକିୟା ପରବୀନଙ୍କୁ ମଧ୍ୟ ପଚାରି ପାରିବେ । ଜାକିୟା ସେମାନଙ୍କ ଅପେକ୍ଷା ଦୁଇ ବର୍ଷ ବଡ଼ ଏବଂ ୨୫ ଦିନର ଶିଶୁ ନିଜାମର (ପରିବର୍ତ୍ତିତ ନାମ) ମାଆ । କଜ୍ଜଳ ଗାରଟଣା ଆଖିରେ ଅପଲକ ଚାହିଁ ରହିଥାଏ ନିଜାମ ଏବଂ ‘ଅଶୁଭ ନଜର’କୁ ଦୂରେଇ ରଖିବା ଲାଗି ତା ଗାଲରେ ବି କଜ୍ଜଳର ଟୋପାଟିଏ ଲାଗିଥାଏ । ତାଙ୍କୁ ଏବେ ୧୯ ବର୍ଷ ବୋଲି ଜାକିୟା କହନ୍ତି, କିନ୍ତୁ ସେ ଆହୁରି କମ୍‌ ବୟସର ଭଳି ଦେଖାଯାଆନ୍ତି । ତାଙ୍କ ସୂତା ଶାଢ଼ିରେ ପଡ଼ିଥିବା ଲୋଚାକୋଚା ଭାଙ୍ଗ କାରଣରୁ ସେ ଆହୁରି ଅଧିକ ଦୁର୍ବଳ ଏବଂ ମଳିନ ଦିଶନ୍ତି । ସେ କେବେହେଲେ ସ୍କୁଲ ଯାଇ ନଥିଲେ ଏବଂ ପ୍ରାୟ ୧୬ ବର୍ଷ ବୟସରେ ହିଁ ଜଣେ ଦୂର ସଂପର୍କୀୟ ଭାଇ ସହ ତାଙ୍କର ବିବାହ କରିଦିଆଯାଇଥିଲା ।

ସ୍ଵାସ୍ଥ୍ୟକର୍ମୀ ଓ ଗବେଷକମାନେ ମଧ୍ୟ ଲକ୍ଷ୍ୟ କରନ୍ତି ଯେ, ବିହାରର ଅନେକ ଅଳ୍ପବୟସ୍କା ‘କୋଭିଡ୍‌ ବାଳିକା ବଧୂ’ ଏବେ ଗର୍ଭବତୀ ଏବଂ ସେମାନେ ପୁଷ୍ଟି ଓ ତଥ୍ୟର ଘୋର ଅଭାବ ସହ ସଂଘର୍ଷରତ। ତେବେ, ଲକ୍‌ଡାଉନ୍‌ ପୂର୍ବରୁ ମଧ୍ୟ ସମଗ୍ର ବିହାରର ବିଭିନ୍ନ ଗାଁରେ କିଶୋରୀମାନେ ଗର୍ଭଧାରଣ କରିବା ଏକ ସାଧାରଣ କଥା ଥିଲା । ବ୍ଲକ୍‌ ସ୍ଵାସ୍ଥ୍ୟ ପରିଚାଳିକା ପ୍ରେରଣା ବର୍ମା କହନ୍ତି, “ଏଠାରେ ଏହା କୌଣସି ଅସାଧାରଣ କଥା ନୁହେଁ, ବାହା ହେବାର ଠିକ୍‌ ପରେ ପରେ କିଶୋରୀମାନେ ଗର୍ଭବତୀ ହୁଅନ୍ତି ଏବଂ ପ୍ରଥମ ବର୍ଷରେ ହିଁ ଶିଶୁ ଜନ୍ମ ଦିଅନ୍ତି ।”

ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୫, ୨୦୧୯-୨୦) ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହି ସର୍ଭେ କରାଯିବା ସମୟରେ ୧୫-୧୯ ବର୍ଷ ବୟସ ବର୍ଗର ଝିଅମାନଙ୍କ ମଧ୍ୟରୁ ୧୧ ପ୍ରତିଶତ ଝିଅ ମାଆ ହୋଇସାରିଥିଲେ କିମ୍ବା ଗର୍ଭବତୀ ଥିଲେ । ଦେଶର ମୋଟ ଅପ୍ରାପ୍ତବୟସ୍କା (୧୮ ବର୍ଷ ହେବା ପୂର୍ବରୁ) ବାଳିକାମାନଙ୍କ ବିବାହ ମଧ୍ୟରୁ ୧୧ ପ୍ରତିଶତ ଏବଂ ଅପ୍ରାପ୍ତବୟସ୍କ (୨୧ ବର୍ଷ ବୟସ ପୂର୍ବରୁ) ପୁଅଙ୍କ ମଧ୍ୟରୁ ୮ ପ୍ରତିଶତ ପୁଅଙ୍କ ବିବାହ ବିହାରରେ ହୋଇଥାଏ ।

ବିହାରରେ ୨୦୧୬ ମସିହାରେ କରାଯାଇଥିବା ଆଉ ଏକ ସର୍ଭେ ରିପୋର୍ଟରେ ମଧ୍ୟ ଏହା ଦର୍ଶାଯାଇଛି । ସ୍ଵାସ୍ଥ୍ୟ ଓ ବିକାଶ ପ୍ରସଙ୍ଗରେ କାର୍ଯ୍ୟରତ ‘ପପୁଲେସନ କାଉନ୍‌ସିଲ’ ନାମକ ଏକ ଅଣ-ଲାଭକାରୀ ସଂସ୍ଥା ପକ୍ଷରୁ କରାଯାଇଥିବା ଏହି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ,୧୫ରୁ ୧୯ ବର୍ଷ ବୟସ୍କା ଝିଅମାନଙ୍କ ମଧ୍ୟରୁ ୭ ପ୍ରତିଶତ ଝିଅଙ୍କ ବିବାହ ସେମାନଙ୍କୁ ୧୫ ବର୍ଷ ବୟସ ହେବା ପୂର୍ବରୁ କରାଯାଇଥାଏ । ଗ୍ରାମାଞ୍ଚଳରେ୧୮-୧୯ ବର୍ଷୀୟା ଝିଅମାନଙ୍କ ମଧ୍ୟରୁ ୪୪ ପ୍ରତିଶତ ଝିଅଙ୍କର ବିବାହ ସେମାନଙ୍କୁ ୧୮ ବର୍ଷ ହେବା ପୂର୍ବରୁ ହିଁ କରାଯାଇଥାଏ ।

ତେଣେ, ସେମାନଙ୍କ ସ୍ଵାମୀମାନେ ସହରର କର୍ମସ୍ଥଳୀକୁ ଫେରିଯିବା ପରେ, ଗତ ବର୍ଷ ଲକ୍‌ଡାଉନ୍‌ ସମୟରେ ବିବାହ କରିଥିବା ବିହାରର ଅନେକ ଅଳ୍ପବୟସ୍କା ଝିଅ ଏବେ ଅଜଣା ପରିବେଶରେ ଏବଂ ଜୀବନ ସାଥୀ ବିନା ରହିଆସୁଛନ୍ତି ।

Early marriage and pregnancies combine with poor nutrition and facilities in Bihar's villages, where many of the houses (left), don't have toilets or cooking gas. Nutrition training has become a key part of state policy on women’s health – an anganwadi worker in Jalalgarh block (right) displays a balanced meal’s components
PHOTO • Kavitha Iyer
Early marriage and pregnancies combine with poor nutrition and facilities in Bihar's villages, where many of the houses (left), don't have toilets or cooking gas. Nutrition training has become a key part of state policy on women’s health – an anganwadi worker in Jalalgarh block (right) displays a balanced meal’s components
PHOTO • Kavitha Iyer

କମ୍‌ ବୟସରେ ବିବାହ ଏବଂ ଗର୍ଭଧାରଣ ସହିତ ପୁଷ୍ଟିକର ଆହାର ଓ ସୁବିଧା ସୁଯୋଗ ନଥିବା ବିହାରର ବିଭିନ୍ନ ଗାଁରେ ରହିଥିବା ଘରଗୁଡ଼ିକରେ (ବାମ) ଶୌଚାଳୟ କିମ୍ବା ରନ୍ଧନ ଗ୍ୟାସ୍‌ ସଂଯୋଗ ବି ନାହିଁ । ରାଜ୍ୟରେ ମହିଳାଙ୍କ ସ୍ଵାସ୍ଥ୍ୟ ସଂପର୍କିତ ନୀତି ପ୍ରଣୟନ କ୍ଷେତ୍ରରେ ପୁଷ୍ଟିକର ଆହାର ସଂପର୍କରେ ଲୋକଙ୍କୁ ତାଲିମ ପ୍ରଦାନ ଏକ ପ୍ରମୁଖ ଅଂଶ ରୂପେ ପରିଗଣିତ ହୋଇଆସୁଛି- ଜଲାଲଗଡ଼ ବ୍ଲକ୍‌ର ଜଣେ ଅଙ୍ଗନବାଡ଼ି କର୍ମୀ (ଡାହାଣ) ସନ୍ତୁଳିତ ଖାଦ୍ୟ ଉପାଦାନର ଏକ ତାଲିକା ପ୍ରଦର୍ଶନ କରୁଛନ୍ତି

ଏ ବର୍ଷ ଜାନୁଆରୀରେ, ନିଜାମ ଜନ୍ମ ନେବାର କିଛି ଦିନ ପରେ, ମୁମ୍ବାଇର ଏକ ଜରିକାମ ବା ଏମ୍ବ୍ରୋଡୋରି ସଂସ୍ଥାରେ କାମ କରୁଥିବା ଜାକିୟାଙ୍କ ସ୍ଵାମୀ ସେଠାକୁ ଫେରିଗଲେ । ପ୍ରସବ ପରବର୍ତ୍ତୀ ଅବସ୍ଥା ପାଇଁ ନିର୍ଦ୍ଧାରିତ କୌଣସି ପ୍ରକାର ପୁଷ୍ଟିକର ଆହାର ଜାକିୟା ଖାଉନାହାନ୍ତି କି ଶିଶୁ ଜନ୍ମ ପରବର୍ତ୍ତୀ କେତେକ ମାସ ପାଇଁ ଉଦ୍ଦିଷ୍ଟ ସରକାରୀ ଆଇରନ୍‌ ଓ କ୍ୟାଲ୍‌ସିୟମ୍‌ ତାଙ୍କୁ ଏ ପର୍ଯ୍ୟନ୍ତ ମିଳିନାହିଁ । ତେବେ ଗର୍ଭଧାରଣ ସମୟରେ ତାଙ୍କୁ ଅଙ୍ଗନବାଡ଼ିରୁ ସଠିକ୍‌ ପରିମାଣର ପୁଷ୍ଟିକର ଆହାର ପ୍ରଦାନ କରାଯାଇଥିଲା ।

ତାଙ୍କର ଦୈନନ୍ଦିନ ଆହାର ତାଲିକା ସଂପର୍କରେ ସେ କହନ୍ତି, “ ଆଲୁ କା ତରକାରୀ ଔର ଚାୱଲ (ରନ୍ଧା ଆଳୁ ଏବଂ ଭାତ)”। କୌଣସି ଶାଗ ନାହିଁ କି ଫଳ ନାହିଁ । ତାଙ୍କ ଶିଶୁ ଜଣ୍ଡିସ୍‌ ବା କାମଳ ରୋଗରେ ଆକ୍ରାନ୍ତ ହେବା ଆଶଙ୍କାରେ ପରିବାର ଲୋକେ ତାଙ୍କୁ କିଛି ଦିନ ପାଇଁ କୌଣସି ପ୍ରକାର ଆମିଷ ବା ଅଣ୍ଡା ଖାଇବାକୁ ମନା କରିଛନ୍ତି । ତାଙ୍କ ଘର ଦୁଆରେ ଗୋଟିଏ ଦୁହାଁଳିଆ ଗାଈ ବନ୍ଧା ହୋଇଛି ସତ, ହେଲେ ଜାକିୟାଙ୍କୁ କିଛି ମାସ ପାଇଁ କ୍ଷୀର ଦିଆଯିବ ନାହିଁ । ଏହିସବୁ ଖାଦ୍ୟ ଜଣ୍ଡିସ୍‌ର ମୂଳ କାରଣ ବୋଲି ସେମାନେ ବିଶ୍ଵାସ କରନ୍ତି ।

ଜାକିୟା ୧୬ ବର୍ଷ ବୟସରେ ବିବାହ କରିଥିଲେ ଏବଂ ଏହାର ପ୍ରାୟ ଦୁଇ ବର୍ଷ ପରେ ଜନ୍ମ ନେଇଥିବା ନିଜାମର ସୁରକ୍ଷା ସଂପର୍କରେ ପରିବାର ଲୋକେ ବେଶ୍‌ ସଚେତନ । “ଆମେ ତାକୁ କେଶରାରା ଗାଁର ଜଣେ ବାବା ଙ୍କ ପାଖକୁ ନେଇଗଲୁ । ସେଠାରେ ଆମର ସଂପର୍କୀୟମାନେ ଅଛନ୍ତି । ଜାକିୟାକୁ ଖାଇବାକୁ ଦେବା ପାଇଁ ସେ ଆମକୁ ଗୋଟିଏ ଜଡ଼ି (ଚେରମୂଳି) ଦେଲେ ଏବଂ ଠିକ୍‌ ତା’ ପରେ ସେ ଗର୍ଭଧାରଣ କଲା । ଏହା ଗୋଟିଏ ଜଙ୍ଗଲି ଦୱା (ବନ୍ୟ ଔଷଧୀୟ ବୃକ୍ଷ),” କହନ୍ତି ଜାକିୟାଙ୍କ ମାଆ, ଯିଏ କି ଜଣେ ଗୃହିଣୀ (ତାଙ୍କ ବାପା ଜଣେ ଶ୍ରମିକ) । ଯଦି ସେ ଠିକ୍‌ ସମୟରେ ଦ୍ଵିତୀୟ ଥର ପାଇଁ ଗର୍ଭଧାରଣ ନ କରନ୍ତି, ତେବେ ସେମାନେ ତାଙ୍କୁ ପୁଣି ସେଠାରୁ ୫୦ କିଲୋମିଟର ଦୂର କେଶରାରାକୁ ନେଇଯିବେ କି ? “ନା, ଯେତେବେଳେ ଆଲ୍ଲା ଆମକୁ ଶିଶୁଟିଏ ଦେବେ, ସେତେବେଳେ ହିଁ ଦ୍ଵିତୀୟ ସନ୍ତାନ ଆସିବ।”

ଜାକିୟାଙ୍କର ତିନିଟି ସାନ ଭଉଣୀ ଅଛନ୍ତି, ସବା ସାନଟିକୁ ପାଞ୍ଚ ବର୍ଷ ହୋଇନାହିଁ, ଏବଂ ପ୍ରାୟ ୨୦ ବର୍ଷ ବୟସର ଜଣେ ବଡ଼ଭାଇ ଅଛନ୍ତି, ସେ ବି ଶ୍ରମିକ ଭାବରେ କାମ କରନ୍ତି । ସବୁ ଭଉଣୀ ସ୍କୁଲରେ ଏବଂ ଏକ ମଦ୍ରାସାରେ ପାଠ ପଢ଼ନ୍ତି । ପରିବାରର ସୀମିତ ଆର୍ଥିକ ସମ୍ବଳ ଯୋଗୁଁ ସ୍କୁଲରେ ଜାକିୟାଙ୍କ ନାମଲେଖା ହୋଇ ନଥିଲା ।

ପ୍ରସବ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ତଳିପେଟରେ ଷ୍ଟିଚ୍‌ କରିବା ଦରକାର ହୋଇଥିଲା କି ? ଜାକିୟା ମୁଣ୍ଡ ଟୁଙ୍ଗାରନ୍ତି । ଏହା ତାଙ୍କୁ କଷ୍ଟ ଦେଉଛି କି ? ଝିଅଟିର ଆଖି ଲୁହରେ ଭରିଯାଏ, କିନ୍ତୁ ସେ କିଛି କହନ୍ତିନି, ତା ବଦଳରେ କୁନି ନିଜାମ ଉପରକୁ ନଜର ଫେରାଇ ନିଅନ୍ତି ।

A test for under-nourished mothers – the norm is that the centre of the upper arm must measure at least 21 cms. However, in Zakiya's family, worried that her baby could get jaundice, she is prohibited from consuming non-vegetarian food, eggs and milk
PHOTO • Kavitha Iyer

ମାଆମାନଙ୍କ କ୍ଷେତ୍ରରେ ପୁଷ୍ଟିହୀନତାର ଅଭାବ ଜାଣିବା ପାଇଁ ଏକ ପରୀକ୍ଷଣ-ନିୟମ ହେଲା ଯେ ବାହୁର ଉପର ଭାଗ ଅତି କମ୍‌ରେ ୨୧ ସେଣ୍ଟିମିଟର ହେଉଥିବ । ତେବେ, ତାଙ୍କ ଶିଶୁଟି ଜଣ୍ଡିସ୍‌ରେ ଆକ୍ରାନ୍ତ ହେବା ଆଶଙ୍କାରେ ଜାକିୟାଙ୍କ ପରିବାର ଲୋକେ ତାଙ୍କୁ ଆମିଷ, ଅଣ୍ଡା ଓ କ୍ଷୀର ଖାଇବାକୁ ମନା କରିଛନ୍ତି ।

ଛୁଆ ଜନ୍ମ ଦେବା ସମୟରେ ସେ କାନ୍ଦିଥିଲେ କି ବୋଲି ଅନ୍ୟ ଦୁଇ ଜଣ ଗର୍ଭବତୀ ବାଳିକା ପଚାରନ୍ତି ଏବଂ ସେଠାରେ ରୁଣ୍ଡ ହୋଇଥିବା ମହିଳାମାନେ ହସି ଉଠନ୍ତି ।“ ବହୁତ ରୋୟି (ବହୁତ କାନ୍ଦିଛି),” ସ୍ପଷ୍ଟ ଭାବରେ ଜାକିୟା କହନ୍ତି । ଏ ପର୍ଯ୍ୟନ୍ତ ଏହି କଥାବାର୍ତ୍ତା ମଧ୍ୟରେ, ସବୁଠାରୁ ଉଚ୍ଚସ୍ଵରରେ । ଆପାତତଃ ଜଣେ ସ୍ଵଚ୍ଛଳ ପଡ଼ୋଶୀଙ୍କର ଅଧାଗଢ଼ା ଘର ଚଟାଣରେ ଏଣେତେଣେ ପଡ଼ିଥିବା ସିମେଣ୍ଟ ଗଦା ଉପରେ ପକାଯାଇଥିବା କେତେକ ପ୍ଲାଷ୍ଟିକ୍‌ ଚଉକିରେ ଆମେ ସମସ୍ତେ ବସିଛୁ ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ବିଶ୍ଵସ୍ତରୀୟ ସ୍ଵାସ୍ଥ୍ୟ ଆକଳନ ୨୦୧୬: ଦେଶ ଓ ଅଞ୍ଚଳ ଭିତ୍ତିରେ କାରଣ, ବୟସ, ଲିଙ୍ଗ ଆଧାରରେ ମୃତ୍ୟୁସଂଖ୍ୟା, ୨୦୦୦-୨୦୧୬ ରିପୋର୍ଟରେ ) ଉଲ୍ଲେଖ କରେ ଯେ, ସାରା ବିଶ୍ଵରେ୨୦ରୁ ୨୪ବର୍ଷ ବୟସ ବର୍ଗର ମହିଳାମାନଙ୍କ ତୁଳନାରେ ୧୦ରୁ ୧୯ ବର୍ଷ ବୟସ ବର୍ଗର କିଶୋରୀ ମାଆମାନେ ଏକ୍ଲାମ୍ପସିଆ (ଶିଶୁ ଜନ୍ମ ସମୟରେ କିମ୍ବା ପରବର୍ତ୍ତୀ ଅବସ୍ଥାରେ ମସ୍ତିଷ୍କରେ ଆଘାତ ପାଇବା ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ହେବା), ପ୍ୟୁରପେରାଲ (ଶିଶୁ ଜନ୍ମର ଛଅ ସପ୍ତାହ ପରେ) ଏଣ୍ଡୋମେଟ୍ରିଓସିସ୍‌ ବା ମୂତ୍ରନଳୀ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହେବାର ଆଶଙ୍କା ଅଧିକ । ଜନ୍ମ ସମୟରେ କମ୍‌ ଓଜନରୁ ଆରମ୍ଭ କରି ପ୍ରସବ ପରବର୍ତ୍ତୀ ସମୟରେ ଆହୁରି ଅଧିକ ଗୁରୁତର ସମସ୍ୟା ଉପୁଜିବା ସମ୍ଭାବନା ଯୋଗୁଁ ନବଜାତ ଶିଶୁର ସ୍ଵାସ୍ଥ୍ୟ ପ୍ରତି ମଧ୍ୟ ବିପଦ ଆଶଙ୍କା ଥାଏ ।

ଜାକିୟାଙ୍କ ସଂପର୍କରେ ଅରାରିଆର ବ୍ଲକ୍‌ ସ୍ଵାସ୍ଥ୍ୟ ପରିଚାଳିକା ପ୍ରେରଣା ବର୍ମାଙ୍କର ଆଉ ଏକ ଚିନ୍ତା ରହିଛି । “ତୁମ ସ୍ଵାମୀଙ୍କ ପାଖକୁ ଯାଅ ନାହିଁ,” କିଶୋରୀ ମାଆଟିକୁ ସେ ପରାମର୍ଶ ଦିଅନ୍ତି - ବିହାରର ବିଭିନ୍ନ ଗାଁରେ କିଶୋରୀ ମାଆମାନେ ପୁନର୍ବାର ଗର୍ଭଧାରଣ କରିବା ଭଳି ବାସ୍ତବତା ସହ ସ୍ଵାସ୍ଥ୍ୟ କର୍ମୀମାନେ ଭଲ ଭାବେ ପରିଚିତ ।

ତେଣେ, ମାସକର ଗର୍ଭବତୀ (ଫେବ୍ରୁଆରୀରେ ମୁଁ ସେଠାକୁ ଯାଇଥିବା ସମୟରେ) ସଲିମାଙ୍କ ଗର୍ଭଧାରଣ ସମୟରେ ସେବାଯତ୍ନ ନିମନ୍ତେ ସ୍ଥାନୀୟ ଅଙ୍ଗନବାଡ଼ିରେ ନାମ ପଞ୍ଜୀକୃତ ହେବାକୁ ବାକି ଥାଏ । ଆସମା ଛଅ ମାସର ଗର୍ଭବତୀ । ଏ ପର୍ଯ୍ୟନ୍ତ ତାଙ୍କ ପେଟ ସାମାନ୍ୟ ଫୁଲିଥାଏ । ତାଙ୍କୁ ତାକତ କା ଦୱା (ଶକ୍ତି ପାଇଁ ଔଷଧ), କ୍ୟାଲସିୟମ ଏବଂ ଆଇରନ୍‌ ମିଶ୍ରିତ ଆହାର ମିଳିବା ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାର ଗର୍ଭବତୀ ମହିଳାମାନଙ୍କୁ ୧୮୦ ଦିନ ପାଇଁ ଏହା ପ୍ରଦାନ କରନ୍ତି ।

କିନ୍ତୁ ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ-୫ (NFHS-5) ଅନୁସାରେ ବିହାରରେ ମାଆମାନଙ୍କ ମଧ୍ୟରୁ ୯.୩ ପ୍ରତିଶତ ହିଁ ଗର୍ଭଧାରଣ ସମୟରେ ୧୮୦ଦିନ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଆଇରନ୍‌ ଫୋଲିକ୍‌ ଏସିଡ୍‌ ଗ୍ରହଣ କରିଛନ୍ତି । ପ୍ରସବ ପରବର୍ତ୍ତୀ ସେବାଯତ୍ନ ପାଇଁ ମାତ୍ର ୨୫.୨ ପ୍ରତିଶତ ମାଆ ହିଁ ଅତି କମ୍‌ରେ ଚାରି ଥର କୌଣସି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯାଇଛନ୍ତି ।

ବିବାହ କରିବା ଲାଗି ତାଙ୍କ ଭାବୀ ସ୍ଵାମୀ କାହିଁକି ଆଉ ବର୍ଷେ ଅପେକ୍ଷା କଲେ ନାହିଁ ବୋଲି ତାଙ୍କ ମାଆ ବୁଝାଇ ଦେଉଥିବା ବେଳେ ଆସମା ଅସ୍ଥିର ଭାବରେ ଅଳ୍ପ ହସନ୍ତି । ରୁକ୍‌ସାନା କହନ୍ତି, “ପୁଅର ପରିବାର ଭାବିଲେ ଆସମା ହୁଏତ ଅନ୍ୟ କେଉଁ ପିଲାକୁ ପ୍ରେମ କରି ତା ସହ ଗାଁରୁ ଲୁଚି ପଳାଇଯିବ । ସେ ସେତେବେଳେ ସ୍କୁଲ ଯାଉଥିଲା ଏବଂ ବଡ଼କଥା ହେଲା ଯେ ଏମିତି ଘଟଣା ଆମ ଗାଁରେ ଘଟିଥାଏ ।”

PHOTO • Priyanka Borar

ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ଭେ (୨୦୧୯-୨୦) ଅନୁସାରେ, ଏହି ସର୍ଭେ ସମୟରେ ୧୫-୧୯ ବର୍ଷ ବୟସ ବର୍ଗର ୧୧ ପ୍ରତିଶତ ବାଳିକା ମାଆ ହୋଇସାରିଥିଲେ କିମ୍ବା ଗର୍ଭବତୀ ଥିଲେ

*****

୨୦୧୬ ମସିହାରେ ପପୁଲେସନ୍‌ କାଉନସିଲ ସଂସ୍ଥା ପକ୍ଷରୁ, ସ୍ଵାମୀମାନଙ୍କ ଦ୍ଵାରା ଅଳ୍ପବୟସ୍କା ଝିଅମାନଙ୍କ ବିରୋଧରେ ଭାବଗତ, ଶାରୀରିକ ଏବଂ ଯୌନ ହିଂସା ସଂପର୍କରେ ସର୍ଭେ (ଶୀର୍ଷକ ଥିଲା ଉଦୟ-ଅଣ୍ଡରଷ୍ଟାଣ୍ଡିଂ ଆଡୋଲେସେନ୍‌ସ ଆଣ୍ଡ ୟଙ୍ଗ ଆଡଲ୍‌ଟସ୍‌) ମଧ୍ୟ କରାଯାଇଥିଲା:୧୫ରୁ ୧୯ ବର୍ଷ ବୟସ ବର୍ଗର ବିବାହିତା ଝିଅମାନଙ୍କ ମଧ୍ୟରୁ ୨୭ ପ୍ରତିଶତ ଝିଅଙ୍କୁ ଅନ୍ତତଃ ଥରଟିଏ ଚାପୁଡ଼ା ମରାଯାଇଥିଲା, ଏବଂ ୩୭.୪ ପ୍ରତିଶତ ଝିଅଙ୍କୁ ଅନ୍ୟୂନ ଥରଟିଏ ଯୌନକ୍ରିୟା ଲାଗି ବଳପୂର୍ବକ ବାଧ୍ୟ କରାଯାଇଥିଲା । ବିବାହର ଅବ୍ୟବହିତ ପରେ ପରେ ଗର୍ଭଧାରଣ କରିବା ଲାଗି ଏହି ବୟସ ବର୍ଗର ୨୪.୭ ପ୍ରତିଶତ ଝିଅଙ୍କ ଉପରେ ପରିବାର ପକ୍ଷରୁ ଚାପ ପ୍ରୟୋଗ କରାଯାଇଥିଲା ଏବଂ ବିବାହର ତୁରନ୍ତ ପରେ ଗର୍ଭଧାରଣ ନ କଲେ ସେମାନଙ୍କୁ ‘ବନ୍ଧ୍ୟା’ ରୂପରେ ଅଭିହିତ କରାଯିବ ବୋଲି ୨୪.୩ ପ୍ରତିଶତ ଝିଅ ଆଶଙ୍କା କରୁଥିଲେ ।

‘ସକ୍ଷମା: ଇନିସିଏଟିଭ୍‌ ଫର୍‌ ହ୍ଵାଟ ୱାର୍କସ, ବିହାର’ ସଂସ୍ଥାର ଗବେଷଣା ମୁଖ୍ୟ ପାଟନା ନିବାସୀ ଅନାମିକା ପ୍ରିୟଦର୍ଶିନୀଙ୍କ କହିବା ଅନୁସାରେ, ଏହା ସ୍ପଷ୍ଟ ଯେ, ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟରେ ବାଲ୍ୟ ବିବାହ ଜନିତ ସମସ୍ୟାର ମୁକାବିଲା ଜଟିଳ ହୋଇଛି। ସେ କହନ୍ତି, “ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ୨୦୧୬-୧୭ ମସିହାରେ ଆରମ୍ଭ ହୋଇଥିବା ‘ବନ୍ଧନ ତୋଡ୍‌’ ଆପ୍‌ ଜରିଆରେ ବାଲ୍ୟ ବିବାହ ସଂପର୍କିତ ଅନେକ ରିପୋର୍ଟ କିମ୍ବା ଅଭିଯୋଗ ମିଳିଥିଲା ।” ଏହି ଆପ୍‌ ଜରିଆରେ ଯୌତୁକ ଏବଂ ଯୌନ ଅପରାଧ ପ୍ରସଙ୍ଗରେ ତଥ୍ୟ ଉପଲବ୍‌ଧ ହୋଇଥାଏ ଏବଂ ଏଥିରେ ଥିବା ଜରୁରୀକାଳୀନ ‘ଏସ୍‌ଓଏସ୍‌’ ବଟନ୍‌ ବ୍ୟବହାର କରି ନିକଟବର୍ତ୍ତୀ ଥାନା ସହିତ ଯୋଗାଯୋଗ କରାଯାଇପାରିବ ।

୨୦୨୧ ଜାନୁଆରୀରେ, ‘ସକ୍ଷମା’ ପକ୍ଷରୁ ବାଲ୍ୟ ବିବାହ ସଂପର୍କିତ ଏକ ବିସ୍ତୃତ ସର୍ଭେ କରାଯିବାର ଯୋଜନା କରାଯାଇଥିଲା ଏବଂ ଏ କ୍ଷେତ୍ରରେ ପ୍ରଚଳିତ ଯୋଜନା ସମୂହର ଆକଳନ ସମ୍ବଳିତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହାର ଶୀର୍ଷକ ଥିଲା ‘ଅର୍ଲି ମ୍ୟାରିଏଜେସ୍‌ ଇନ୍‌ ଇଣ୍ଡିଆ ଉଇଥ୍‌ ସ୍ପେସିଆଲ ରେଫରେନ୍‌ସ ଟୁ ବିହାର’। ଅନାମିକା କହନ୍ତି ଯେ, ଶିକ୍ଷାଦାନ ବ୍ୟବସ୍ଥାରେ ଉନ୍ନତି, ଅନ୍ୟାନ୍ୟ କେତେକ ସରକାରୀ ହସ୍ତକ୍ଷେପ, ସର୍ତ୍ତମୂଳକ ନଗଦ ଟଙ୍କା ହସ୍ତାନ୍ତରଣ ଏବଂ ଅନ୍ୟାନ୍ୟ ପଦକ୍ଷେପ ଜରିଆରେ ଅଳ୍ପ ବୟସର ଝିଅମାନଙ୍କ ବିବାହକୁ ବିଳମ୍ବିତ କରିବା ଲାଗି କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନାରୁ ମିଶ୍ରିତ ଫଳାଫଳ ମିଳିଥିଲା। ସେ କହନ୍ତି, “ଏଥିରୁ କେତେକ କାର୍ଯ୍ୟକ୍ରମର ସକାରାତ୍ମକ ପ୍ରଭାବ ପଡ଼ିଥିଲା। ଉଦାହରଣ ସ୍ଵରୂପ, ସ୍କୁଲରେ ଝିଅମାନଙ୍କର ପାଠପଢ଼ା ଜାରି ରଖିବା କ୍ଷେତ୍ରରେ ଅର୍ଥ ପୁରସ୍କାର କିମ୍ବା ସାଇକେଲ ଯୋଜନା ଯୋଗୁଁ ବିହାରର ମାଧ୍ୟମିକ ସ୍କୁଲରେ ନାମ ଲେଖାଉଥିବା ଝିଅମାନଙ୍କର ସଂଖ୍ୟା ବୃଦ୍ଧି ସହିତ ସ୍କୁଲକୁ ସେମାନଙ୍କର ଯିବାଆସିବା ମଧ୍ୟ ବୃଦ୍ଧି ପାଇଥିଲା। ଏହି ସବୁ ଯୋଜନାର ହିତାଧିକାରୀ ଝିଅମାନଙ୍କୁ ୧୮ ବର୍ଷ ବୟସରେ ବାହା କରିଦିଆଗଲେ ମଧ୍ୟ ଏହା ସ୍ଵାଗତଯୋଗ୍ୟ।”

ବାଲ୍ୟ ବିବାହ ବିରୋଧୀ ଆଇନ, ୨୦୦୬କୁ ଉପଯୁକ୍ତ ଭାବରେ ଲାଗୁ କରାଯାଇ ନପାରିବାର କାରଣ ସଂପର୍କରେ ଏହି ରିପୋର୍ଟରେ କୁହାଯାଇଛି, “ବିହାରରେ ବାଲ୍ୟ ବିବାହ ସଂପର୍କିତ ବିଭିନ୍ନ ଆଇନକୁ କେତେ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଇଛି ସେ ସଂପର୍କରେ କୌଣସି ଅନୁଧ୍ୟାନ ରିପୋର୍ଟ ଉପଲବ୍‌ଧ ନୁହେଁ । ତେବେ, ଆନ୍ଧ୍ର ପ୍ରଦେଶ, ଗୁଜରାଟ, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଭଳି ଅନ୍ୟାନ୍ୟ ରାଜ୍ୟରେ କରାଯାଇଥିବା ଅନୁଧ୍ୟାନରୁ ଜଣାଯାଇଛି ଯେ, ରାଜନୈତିକ ପୃଷ୍ଠପୋଷକତା, ଏବଂ ସଂଗଠିତ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ ଓ ନେଟ୍‌ୱାର୍କ ସମୂହର ପ୍ରଭାବ କାରଣରୁ ବାଲ୍ୟବିବାହ ବିରୋଧୀ ଆଇନ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ସଂଘର୍ଷ କରିବାକୁ ପଡୁଛି’’।

ଅନ୍ୟ ଭାଷାରେ, ରାଜନୈତିକ ଭାବେ ସଂପୃକ୍ତ କିମ୍ବା ସୁଯୋଗପ୍ରାପ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବ୍ୟାପକ ସାମାଜିକ ଗ୍ରହଣୀୟତା ଯୋଗୁଁ ବାଲ୍ୟ ବିବାହର ପ୍ରତିରୋଧ କରିବା ସହଜ ନୁହେଁ । ସାଂସ୍କୃତିକ ଏବଂ ଧାର୍ମିକ ଆସ୍ଥା ସହିତ ମଧ୍ୟ ଏହି ପ୍ରଥା ଅଙ୍ଗାଙ୍ଗୀ ଭାବେ ସଂଯୁକ୍ତ ହୋଇଥିବାରୁ ସରକାରୀ ହସ୍ତକ୍ଷେପ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ରହିଛି ।

Many young women who are pregnant learn about childbirth from display cards such as these. But 19-year-old Manisha Kumari of Agatola village says she doesn’t have much information about contraception, and is relying mostly on fate to defer another pregnancy
PHOTO • Kavitha Iyer
Many young women who are pregnant learn about childbirth from display cards such as these. But 19-year-old Manisha Kumari of Agatola village says she doesn’t have much information about contraception, and is relying mostly on fate to defer another pregnancy
PHOTO • Kavitha Iyer

ଅନେକ ଅଳ୍ପବୟସ୍କା ଗର୍ଭବତୀ ମହିଳା ଏହିଭଳି ପ୍ରଦର୍ଶିତ କାର୍ଡକୁ ଦେଖି ଶିଶୁ ଜନ୍ମ ସଂପର୍କରେ ଶିକ୍ଷାଲାଭ କରିଥାଆନ୍ତି । କିନ୍ତୁ ଆଗାଟୋଲା ଗାଁର ୧୯ ବର୍ଷୀୟା ମନୀଷା କୁମାରୀ କହନ୍ତି ଯେ ସେ ଗର୍ଭନିରୋଧ ଉପାୟ ସଂପର୍କରେ ବେଶୀ କିଛି ଜାଣିନାହାନ୍ତି ଏବଂ ପୁନର୍ବାର ଗର୍ଭଧାରଣ କ୍ଷେତ୍ରରେ ବ୍ୟବଧାନ ସୃଷ୍ଟି ଲାଗି ମୁଖ୍ୟତଃ ଭାଗ୍ୟ ଉପରେ ହିଁ ନିର୍ଭର କରନ୍ତି

ଅରାରିଆରୁ ପ୍ରାୟ ୫୦ କିଲୋମିଟର ପୂର୍ବରେ ପୂର୍ଣ୍ଣିଆ ଜିଲ୍ଲା ଅନ୍ତର୍ଗତ ପୂର୍ଣ୍ଣିଆ ଇଷ୍ଟ ବ୍ଲକ୍‌ର ଆଗାଟୋଲା ଗାଁର ମନୀଷା କୁମାରୀ, ତାଙ୍କ ମାଆଙ୍କ ଘର ବାରଣ୍ଡାର ଶୀତଳ ଛାଇରେ ତାଙ୍କ ବର୍ଷକର ପୁଅର ଲାଳନପାଳନ କରୁଛନ୍ତି । ସେ କହନ୍ତି ଯେ ତାଙ୍କୁ ଏବେ ୧୯ ବର୍ଷ । ଗର୍ଭନିରୋଧ ଉପାୟ ସଂପର୍କରେ ସେ ବେଶୀ କିଛି ଜାଣିନାହାନ୍ତି ଏବଂ ପୁନର୍ବାର ଗର୍ଭଧାରଣରେ ବ୍ୟବଧାନ ରଖିବା ଲାଗି ମୁଖ୍ୟତଃ ଭାଗ୍ୟ ଉପରେ ଭରସା କରନ୍ତି । ତାଙ୍କର ୧୭ ବର୍ଷୀୟା ସାନ ଭଉଣୀ ମନିକା ଏବେ ବିବାହ କରିବା ଲାଗି ପରିବାରର ଚାପ ଆଗରେ ହାର ମାନିବା ଆରମ୍ଭ କରିଛନ୍ତି । ସେମାନଙ୍କ ମାଆ ଜଣେ ଗୃହିଣୀ ଏବଂ ବାପା ଜଣେ କୃଷି ଶ୍ରମିକ ରୂପେ କାମ କରନ୍ତି ।

ମନିକା କହନ୍ତି, “ମୋ ସାର୍‌ କହିଛନ୍ତି ଯେ ବିବାହ କରିବାର ସର୍ବନିମ୍ନ ବୟସ ହେଉଛି ୧୮ ବର୍ଷ ।” ସେ ପୂର୍ଣ୍ଣିଆର ଏକ ଆବାସିକ ବିଦ୍ୟାଳୟର ଜଣେ ଶିକ୍ଷକଙ୍କ କଥା ଉଦ୍ଧାର କରି ଏହା କହନ୍ତି । ୨୦୨୦ ମାର୍ଚ୍ଚ ମାସରେ ଲକ୍‌ଡାଉନ୍‌ ଜାରି ହେବା ଯୋଗୁଁ ନିଜ ଘରକୁ ଫେରିଆସିବା ସକାଶେ ବାଧ୍ୟ ନହେବା ପର୍ଯ୍ୟନ୍ତ ସେ ସେହି ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିଲେ । ତାଙ୍କୁ ପୁଣି ସ୍କୁଲକୁ ପଠାଇବା ସଂପର୍କରେ ତାଙ୍କ ପରିବାର ଲୋକେ ନିଶ୍ଚିତ ନୁହନ୍ତି । ଏ ବର୍ଷ ଆହୁରି ଅନେକ ଜିନିଷ ପାଇଁ ଖର୍ଚ୍ଚ କରିବା ଅସମ୍ଭବ ହୋଇପଡ଼ିଛି । ଘରକୁ ଫେରି ଆସିବା ପରେ ତାଙ୍କ ବିବାହ ଚୂଡାନ୍ତ ହୋଇଯିବା ସମ୍ଭାବନାର ସମ୍ମୁଖୀନ ହୁଅନ୍ତି ମନିକା । ସେ କହନ୍ତି, “ସମସ୍ତେ କହୁଛନ୍ତି ଯେ ବାହା ହୋଇଯାଆ ।”

ପ୍ରାୟ ୨୦-୨୫ଟି ପରିବାର ରହୁଥିବା ପାଖ ରାମଘାଟ ପଲ୍ଲୀର ବିବି ତାନଜିଲା ମାତ୍ର ୩୮ କି ୩୯ ବର୍ଷ ବୟସରେ ଏବେ ଜଣେ ଆଠ ବର୍ଷୀୟ ପୁଅ ଓ ଦୁଇ ବର୍ଷୀୟା ଝିଅର ଆଈ ପାଲଟିଗଲେଣି । ତାନଜିଲା କହନ୍ତି, “ଯଦି ୧୯ ବର୍ଷ ବୟସରେ ବି ଜଣେ ଝିଅ ବିବାହ କରି ନଥାଏ, ତେବେ ସେ ବୁଢ଼ିୟା (ବୁଢ଼ୀ) ବୋଲି ବିବେଚିତ ହୁଏ ଏବଂ କେହି ତାକୁ ବିବାହ କରିବେନି ।” ଗର୍ଭନିରୋଧ ଉପାୟକୁ ବାରଣ କରାଯାଇଛି ଏବଂ ଯୌବନାବସ୍ଥା ଲାଭ କରିବାର ବର୍ଷ କେଇଟା ପରେ ଝିଅମାନଙ୍କର ବିବାହ କରିଦିଆଯାଉଥିବା ସଂପର୍କରେ ବୁଝାଇବାକୁ ଯାଇ ସେ ଆହୁରି କହନ୍ତି, “ଆମେ ହେଲୁ ଶେରଶାହବାଦୀ ମୁସଲମାନ ଏବଂ ଆମେ ଆମ ଧାର୍ମିକ ନୀତିକୁ ନିଷ୍ଠାର ସହ ଅନୁସରଣ କରୁ ।” ସେ ୧୪ ବର୍ଷ ବୟସରେ ବିବାହ କରିଥିଲେ ଏବଂ ଏହାର ଗୋଟିଏ ବର୍ଷ ପରେ ମାଆ ହୋଇଥିଲେ । ଚତୁର୍ଥ ସନ୍ତାନ ଜନ୍ମ ନେବା ପରେ ତାଙ୍କ ଶରୀରରେ ସମସ୍ୟା ଦେଖାଦେଲା ଏବଂ ତାଙ୍କୁ ଏକ ବନ୍ଧ୍ୟାକରଣ ପ୍ରକ୍ରିୟା ଅବଲମ୍ବନ କରିବାକୁ ପଡ଼ିଲା । ହିଷ୍ଟେରେକ୍‌ଟୋମୀ ବା ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର ଏବଂ ‘ଟ୍ୟୁବାଲ ଲିଗେସନ’ ବା ଡିମ୍ବାଣୁ ବାହକ ନଳୀର ବନ୍ଧନ ଦ୍ଵାରା ବନ୍ଧ୍ୟାକରଣ ପ୍ରକ୍ରିୟା ଭଳି ବିହାରର ସବୁଠାରୁ ଲୋକପ୍ରିୟ ଜନ୍ମ ନିୟନ୍ତ୍ରଣ ପଦ୍ଧତି (ଏନ୍‌ଏଫ୍‌ଏଚ୍‌ଏସ୍‌-୫ ଅନୁସାରେ) ସଂପର୍କରେ ସେ କହନ୍ତି, “କେହି କହନ୍ତିନି ଯେ ଆମର ୪-୫ଟି ପିଲା ଅଛନ୍ତି ଏବଂ ଆଉ ଅଧିକ ପିଲାଙ୍କ ଯତ୍ନ ନେଇପାରିବୁନି।”

ରାମଘାଟର ଶେରଶାହବାଦୀ ମୁସଲମାନମାନଙ୍କର ନିଜସ୍ଵ ଚାଷଜମି ନାହିଁ, ପୁରୁଷମାନେ ପାଖ ପୂର୍ଣ୍ଣିଆ ସହରରେ ଶ୍ରମିକ ଭାବରେ କାମ କରି ଦୈନିକ ମଜୁରି ଉପରେ ନିର୍ଭର କରନ୍ତି ଏବଂ କେତେଜଣ ପାଟନା କିମ୍ବା ଦିଲ୍ଲୀ ଭଳି ଦୂରବର୍ତ୍ତୀ ନଗରୀକୁ ଚାଲିଯାଉଥିବା ବେଳେ ଆଉ କେତେଜଣ ବଢ଼େଇ ଏବଂ ପାଇପ୍‌ ମିସ୍ତ୍ରୀ ରୂପେ କାମ କରନ୍ତି । ସେମାନେ କହନ୍ତି ଯେ ଶେରଶାହ ସୂରୀଙ୍କ ନାମରେ ନାମିତ ପଶ୍ଚିମବଙ୍ଗର ମାଲଦାରେ ଅବସ୍ଥିତ ଶେରଶାହବାଦ ସହର ଅନୁସାରେ ସେମାନଙ୍କ ନାମକରଣ ହୋଇଛି । ସେମାନେ ନିଜ ନିଜ ଭିତରେ ବଙ୍ଗାଳୀରେ କଥାବାର୍ତ୍ତା କରନ୍ତି ଏବଂ ଖୁବ୍‌ ଲଗାଲଗି ହୋଇ ରହିଥିବା ଘରଗୁଡ଼ିକରେ ଗୋଟିଏ ସମୂହରେ ରହନ୍ତି ଏବଂ ଲୋକମୁଖରେ ସେମାନଙ୍କ ସମୂହକୁ ପ୍ରାୟତଃ ବ୍ୟଙ୍ଗାତ୍ମକ ଭାବେ ବାଂଲାଦେଶୀ ବୋଲି କୁହାଯାଇଥାଏ ।

Women of the Shershahbadi community in Ramghat village of Purnia
PHOTO • Kavitha Iyer

ପୂର୍ଣ୍ଣିଆର ରାମଘାଟ ଗାଁରେ ଶେରଶାହବାଦୀ ସଂପ୍ରଦାୟର ମହିଳାମାନେ

ଗାଁର ଆଶା କର୍ମୀ ସୁନୀତା ଦେବୀ କହନ୍ତି, ରାମଘାଟ ଭଳି ପଲ୍ଲୀରେ ଶିକ୍ଷାଲାଭର ହାର ଖୁବ୍‌ କମ୍‌ ରହିଥିବା, ବାଲ୍ୟ ବିବାହ ଏକ ସାଧାରଣ ଘଟଣା ହୋଇଥିବା ଏବଂ ଗର୍ଭନିରୋଧ ଉପାୟକୁ ପ୍ରକାଶ୍ୟରେ ବାରଣ କରାଯାଉଥିବା କାରଣରୁ ସେଠାରେ ପରିବାର ନିୟୋଜନ ଏବଂ ଜନ୍ମ ନିୟନ୍ତ୍ରଣ ଦିଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରୁ ନାମକୁ ମାତ୍ର ଫଳାଫଳ ହାସଲ ହୋଇଥାଏ । ଅତି ଅଳ୍ପ ବୟସରେ ଦୁଇଟି ସନ୍ତାନର ମାଆ ହୋଇଥିବା ଏବଂ ୨୦୨୦ ମେ ମାସରେ, ଲକ୍‌ଡାଉନ୍‌ ସମୟରେ ନିଜର ଦ୍ଵିତୀୟ ସନ୍ତାନକୁ ଜନ୍ମ ଦେଇଥିବା ୧୯ ବର୍ଷୀୟା ସାଦିୟାଙ୍କ (ପରିବର୍ତ୍ତିତ ନାମ) ସହ ସେ ପରିଚୟ କରାଇ ଦିଅନ୍ତି । ତାଙ୍କର ଦୁଇଟି ସନ୍ତାନଙ୍କ ମଧ୍ୟରେ ପ୍ରାୟ ୧୩ ମାସର ବ୍ୟବଧାନ ରହିଛି । ଏବେ ସାଦିୟାଙ୍କ ସ୍ଵାମୀଙ୍କ ଭଉଣୀ ତାଙ୍କ ସ୍ଵାମୀଙ୍କ ଅନୁମତି ନେଇ ଇଞ୍ଜେକ୍‌ସନ ଭାବରେ ଦିଆଯାଉଥିବା ଏକ ଗର୍ଭନିରୋଧ ପଦ୍ଧତି ଗ୍ରହଣ କରିଛନ୍ତି - ତାଙ୍କ ସ୍ଵାମୀ ସେଠାକାର ବାରିକ -ଆଶା କର୍ମୀଙ୍କ ଆପତ୍ତି ଯୋଗୁଁ ନୁହେଁ, ବରଂ ନିଜର ଆର୍ଥିକ ଦୁଃସ୍ଥିତି କାରଣରୁ ସେ ଏହି ପଦ୍ଧତିକୁ ଆପଣେଇଛନ୍ତି ।

ତାନଜିଲା କହନ୍ତି ଯେ, ଧୀରେ ଧୀରେ ସମୟ ବଦଳିବା ଆରମ୍ଭ ହୋଇଛି । ସେ କହନ୍ତି, “ଅବଶ୍ୟ ଶିଶୁ ଜନ୍ମ କରିବା କଷ୍ଟଦାୟକ ଥିଲା, କିନ୍ତୁ ଆଜି ଯେତିକି କଷ୍ଟକର ମନେ ହେଉଛି ଆଗରୁ ସେତେଟା ନଥିଲା । ହୁଏତ ଆଜିକାଲି ଆମେ ଖାଉଥିବା ଖାଦ୍ୟରେ ପୁଷ୍ଟିସାର ମାତ୍ରାର ଅଭାବ ଯୋଗୁଁ ହୋଇପାରେ ।” ରାମଘାଟର କେତେକ ମହିଳା ଗର୍ଭନିରୋଧକ ବଟିକା, କିମ୍ବା ଇଞ୍ଜେକ୍‌ସନ, କିମ୍ବା ଏମିତି କି ଗର୍ଭନିରୋଧକ ଉପକରଣ ବ୍ୟବହାର କରିବା ବି ଆରମ୍ଭ କଲେଣି । “ଗର୍ଭଧାରଣ ବନ୍ଦ କରାଇବା ଭୁଲ କଥା, କିନ୍ତୁ ମନେହୁଏ, ଆଜିକାଲି ଲୋକଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ ।”

ତେଣେ, ପ୍ରାୟ ୫୫ କିଲୋମିଟର ଦୂର ଅରାରିୟାର ବଙ୍ଗାଲି ଟୋଲାରେ ଆସମା କହନ୍ତି ଯେ, ସେ ସ୍କୁଲ ଯିବା ବନ୍ଦ କରିନାହାନ୍ତି । ଲକ୍‌ଡାଉନ୍‌ ଯୋଗୁଁ ସ୍କୁଲ ବନ୍ଦ ହୋଇଯିବା ସମୟରେ ତାଙ୍କ ବାହାଘର ହେଲା ଏବଂ ତାଙ୍କୁ ୭୫ କିଲୋମିଟର ଦୂର କିଶନଗଞ୍ଜ ବ୍ଲକ୍‌କୁ ଯିବାକୁ ପଡ଼ିଲା । ତାଙ୍କ ସ୍ଵାସ୍ଥ୍ୟ ପ୍ରତି ବିପଦ ଆଶଙ୍କା କାରଣରୁ ୨୦୨୧ ଫେବ୍ରୁଆରୀରେ ସେ ତାଙ୍କ ମାଆଙ୍କ ସହ ରହିବାକୁ ଫେରିଆସିଲେ ଏବଂ ସେ କହନ୍ତି ଯେ ଶିଶୁ ଜନ୍ମ ଦେବା ପରେ ସେ ତାଙ୍କ ସ୍କୁଲ, କନ୍ୟା ମଧ୍ୟ ବିଦ୍ୟାଳୟକୁ ଚାଲି ଚାଲି ଯାଇପାରିବେ। ଏଥିରେ ତାଙ୍କ ସ୍ଵାମୀ ଆପତ୍ତି କରିବେ ନାହିଁ ବୋଲି ସେ କହନ୍ତି ।

ତାଙ୍କ ସ୍ଵାସ୍ଥ୍ୟ ପ୍ରତି କେଉଁଭଳି ବିପଦ ଥିଲା ବୋଲି ପ୍ରଶ୍ନର ଉତ୍ତର ଦିଅନ୍ତି ରୁକ୍‌ସାନା:“ଦିନେ ସନ୍ଧ୍ୟାରେ ମୁଁ ତା’ ଶାଶୁ-ଶ୍ଵଶୁରଙ୍କ ପାଖରୁ ଫୋନ୍‌ କଲ୍‌ ପାଇଲି ଯେ ତା’ର କିଛିଟା ରକ୍ତସ୍ରାବ ହେଉଛି । ମୁଁ ତୁରନ୍ତ ବସ୍‌ରେ ବସି କିଶନଗଞ୍ଜ ଗଲି । ଆମେ ସମସ୍ତେ ଡରି ଯାଇଥିଲୁ ଏବଂ କାନ୍ଦୁଥିଲୁ। ସେ ଶୌଚାଳୟକୁ ଯାଇଥିଲା ଏବଂ ସେଠାରେ ନିଶ୍ଚିତ ଭାବରେ ଗୋଟିଏ ଚୁଡୈଲ ଭଳି କୌଣସି ଦୁଷ୍ଟାତ୍ମା ରହିଥିବ। ମାଆ ହେବାକୁ ଯାଉଥିବା ଆସମାର ସୁରକ୍ଷା ନିମନ୍ତେ ପୂଜାପାଠ କରିବା ଲାଗି ଜଣେ ବାବାଙ୍କୁ ଡକାହେଲା। ତେଣେ ତାଙ୍କ ଘରେ, ସେ ଡାକ୍ତର ପାଖକୁ ଯିବାକୁ ଚାହୁଁଛନ୍ତି ବୋଲି ଆସ୍‌ମା ପରିବାର ଲୋକଙ୍କୁ କହିଲେ। ପରଦିନ ସେମାନେ ତାଙ୍କୁ କିଶନଗଞ୍ଜର ଏକ ଘରୋଇ କ୍ଲିନିକ୍‌କୁ ନେଲେ ଏବଂ ସେଠାରେ ଅଲ୍‌ଟ୍ରାସାଉଣ୍ଡ ପରୀକ୍ଷାରୁ ଜଣାପଡ଼ିଲା ଯେ ତାଙ୍କ ଗର୍ଭସ୍ଥ ଭ୍ରୂଣ ଅକ୍ଷତ ଅବସ୍ଥାରେ ରହିଛି ।

ଝାପ୍‌ସା ଝାପ୍‌ସା ମନେ ପଡୁଥିଲେ ବି ନିଜ ଅଙ୍ଗେନିଭା କଥାକୁ ମନେ ପକାଇ ସାମାନ୍ୟ ହସିଦିଅନ୍ତି ଆସ୍‌ମା । ସେ କହନ୍ତି, “ମୋର ଓ ମୋ ଶିଶୁର ସ୍ଵାସ୍ଥ୍ୟ ଭଲ ରହୁ ବୋଲି ସୁନିଶ୍ଚିତ କରିବାକୁ ମୁଁ ଚାହୁଁଥିଲି।” ସେ ଗର୍ଭନିରୋଧକ ସଂପର୍କରେ ଜାଣିନାହାନ୍ତି, ହେଲେ ଏହି କଥାବାର୍ତ୍ତା ଯୋଗୁଁ ଏ ସଂପର୍କରେ ତାଙ୍କର କୌତୁହଳ ବଢ଼ିଥିଲା । ସେ ଆହୁରି ଅଧିକ କଥା ଜାଣିବାକୁ ଚାହାଁନ୍ତି ।

ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଉଦ୍ୟମ କ୍ରମେ ଗ୍ରାମୀଣ ଭାରତର କିଶୋରୀ ଝିଅ ଏବଂ ଯୁବତୀମାନଙ୍କ ସଂପର୍କରେ ସମଗ୍ର ଦେଶରୁ ଖବର ସଂଗ୍ରହ କରିବା ଏବଂ ଏହି ଗୁରୁତ୍ଵପୂର୍ଣ୍ଣ କିନ୍ତୁ ଅବହେଳିତ ଗୋଷ୍ଠୀର ସ୍ଥିତିକୁ ସାଧାରଣ ଲୋକଙ୍କ ସ୍ଵର ଏବଂ ଅଙ୍ଗେନିଭା ଅନୁଭୂତି ଜରିଆରେ ଉପସ୍ଥାପନ କରିବାର ଏହି ପ୍ରକଳ୍ପ, ପପୁଲେସନ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସହାୟତାରେ ଆରମ୍ଭ ହୋଇଥିବା ଏକ ଅଭିଯାନର ଅଂଶବିଶେଷ ।

ଏହି ଲେଖାର ପୁନଃପ୍ରକାଶ କରିବାକୁ ଚାହୁଁଛନ୍ତି କି ? [email protected] କୁ ଲେଖନ୍ତୁ ଏବଂ [email protected] କପି ପଠାନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

Kavitha Iyer

Kavitha Iyer has been a journalist for 20 years. She is the author of ‘Landscapes Of Loss: The Story Of An Indian Drought’ (HarperCollins, 2021).

Other stories by Kavitha Iyer
Illustration : Priyanka Borar

Priyanka Borar is a new media artist experimenting with technology to discover new forms of meaning and expression. She likes to design experiences for learning and play. As much as she enjoys juggling with interactive media she feels at home with the traditional pen and paper.

Other stories by Priyanka Borar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE