ମଙ୍ଗଳା ହରିଜନ ସେହି ସମସ୍ତ ଗ୍ରାମଗୁଡ଼ିକ ବିଷୟରେ ମନେପକାନ୍ତି, ଯେଉଁଠାକୁ ସେ କାମ ପାଇଁ ଯାଇଛନ୍ତି। “କୁଞ୍ଚୁର, କୁରାଗୁଣ୍ଡ, କ୍ୟାତଙ୍କେରି... ମୁଁ ଗୋଟିଏ ବର୍ଷ ରତ୍ତିହାଲ୍ଲି ମଧ୍ୟ ଯାଇଥିଲି,” ବୋଲି ସେ କର୍ଣ୍ଣାଟକର ହାବେରି ଜିଲ୍ଲାର ହିରେକେରୁର୍‌ ତାଲୁକା ଅନ୍ତର୍ଗତ ଗ୍ରାମଗୁଡ଼ିକର ନାମର ତାଲିକା ପ୍ରସ୍ତୁତ କରୁକରୁ କହିଲେ । ଜଣେ କୃଷି ଶ୍ରମିକ ଭାବେ ଫାର୍ମଗୁଡ଼ିକରେ ଦୈନିକ ମଜୁରି ନେଇ କାମ କରିବାକୁ ମଙ୍ଗଳା ପ୍ରତ୍ୟେକ ଦିନ ତାଙ୍କର ଦୂରବର୍ତ୍ତୀ ଗ୍ରାମରୁ ପ୍ରାୟ ୧୭-୨୦ କିଲୋମିଟର ରାସ୍ତା ଯିବାଆସିବା କରଥାନ୍ତି ।

“ମୁଁ ଦୁଇ ବର୍ଷ ହେବ କୋନନତଳିକୁ ଯାଉଛି,” ବୋଲି ସେ ମତେ କହିଲେ । କୋନନତଳି ଓ ମଙ୍ଗଳାଙ୍କ ଗ୍ରାମ ମେନାସିନାହଲ୍‌, ଉଭୟ ହାବେରିର ରାଣୀବେନ୍ନୁର ତାଲୁକ ରେ ଅବସ୍ଥିତ । ହିରେକେରୁର୍‌ ତାଲୁକ ଏଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଅଛି। ମଙ୍ଗଳା ଓ ତାଙ୍କ ଆଖପାଖରେ ରହୁଥିବା ଅନ୍ୟ ମହିଳାମାନେ, ଯେଉଁମାନେ ମେନାସିନାହଲ୍‌ର ମଡିଗା କେରି ମଡ଼ିଗାର ଏକ ଦଳିତ ସମ୍ପ୍ରଦାୟର କଲୋନୀ-ରେ ରୁହନ୍ତି, ସମସ୍ତେ ୮ -୧୦ସଦସ୍ୟ ବିଶିଷ୍ଟ ଛୋଟ ଛୋଟ ଦଳ ଗଠନ କରି ହାବେରିର ବିଭିନ୍ନ ସ୍ଥାନକୁ କାମ କରିବାକୁ ଯାଇଥାନ୍ତି ।

ସାଧାରଣତଃ ସେମାନେ ସମସ୍ତେ ଦୈନିକ ୧୫୦ଟଙ୍କା ରୋଜଗାର କରିଥାନ୍ତି, ହେଲେ ବର୍ଷର କେତେକ ମାସରେ ସେମାନେ ଦିନକୁ ଅଧିକ ୯୦ଟଙ୍କା ପାଇଥାନ୍ତି, ଯେତେବେଳେ ସେମାନେ ହସ୍ତ-ପରାଗସଙ୍ଗମକାରୀ ଭାବେ କାମ କରନ୍ତି । ଏହି କାମ ପାଇଁ ସେମାନଙ୍କୁ ପୂରା ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ପଡ଼ିଥାଏ ଓ ଯେଉଁ ଚାଷୀମାନେ ସେମାନଙ୍କୁ ନିଜ ଜମିରେ ଭଡ଼ା ସୂତ୍ରରେ କାମ କରିବାକୁ ନିଅନ୍ତି, ସେହି ଚାଷୀମାନେ ସେମାନଙ୍କୁ ଅଟୋରିସ୍କାରେ ସେମାନଙ୍କ ଘରୁ ଆଣିବା ଓ ଘରେ ଛାଡ଼ିବା ବ୍ୟବସ୍ଥା କରିଥାନ୍ତି । “ଅଟୋଚାଳକମାନେ ଦିନକୁ ୮୦୦- ୯୦୦ ଟଙ୍କା ଭଡ଼ା ନେଇଥାନ୍ତି, ଏଣୁ ସେମାନେ (ଚାଷୀମାନେ) ଏଥିପାଇଁ ଆମ ମଜୁରିରୁ ୧୦ଟଙ୍କା କାଟି ଦିଅନ୍ତି,” ବୋଲି ମଙ୍ଗଳା କହିବା ସହିତ “ପୂର୍ବେ ଯିବା ପାଇଁ କୌଣସି ଅଟୋ ନଥିଲା, ଆମେ ଚାଲିଚାଲି ଯାଉଥିଲୁ” ବୋଲି ମଧ୍ୟ କୁହନ୍ତି ।

ପତଳା ଶରୀର ଓ ସ୍ୱାଭାବିକ ଓଜନଠାରୁ କମ୍‌ ଓଜନ ଥିବା ଭଳି ଜଣାପଡୁଥିବା ୩୦ ବର୍ଷ ବୟସ୍କ ମଙ୍ଗଳା ତାଙ୍କ ସ୍ୱାମୀ – ସେ ମଧ୍ୟ ଜଣେ ଦିନ ମଜୁରିଆ – ଓ ସେମାନଙ୍କର ଚାରି ସନ୍ତାନଙ୍କ ସହିତ ଏକ ବଖରା ବିଶିଷ୍ଟ ଏକ ଛପର ଘରେ ରୁହନ୍ତି । ଏକ ତାପଦୀପ୍ତ ବଲ୍‌ବ ପ୍ରଜ୍ୱଳିତ ହୋଇଛି ସେମାନଙ୍କ କୁଡ଼ିଆରେ, ଯାହାର ଗୋଟିଏ କୋଣକୁ ରୋଷେଇ ଘର ପାଇଁ ଓ ଅନ୍ୟ କୋଣକୁ ପୋଷାକ ଥାକ କରି ରଖିବା ପାଇଁ ଚିହ୍ନଟ କରାଯାଇଛି। ଅନ୍ୟ ପାଖର କାନ୍ଥକୁ ଲାଗି ଏକ ଭଙ୍ଗା ଷ୍ଟିଲ୍‌ ଲୁଗା ଆଲମାରୀ ରହିଛି ଓ ମଝିରେ ଖାଲି ଥିବା ସ୍ଥାନକୁ ଖାଇବା ଓ ଶୋଇବା ସ୍ଥାନ ଭାବେ ବ୍ୟବହାର କରଯାଉଛି । ବାହାରେ ଉପରକୁ ଉଠି ଏକ ପଥର ରହିଛି ଯେଉଁଠାରେ ସେ ତାଙ୍କର କପଡ଼ା ଓ ବାସନକୁସନ ସଫା କରିଥାନ୍ତି ।

Mangala Harijan (left) and a coworker wear a plastic sheet to protect themselves from rain while hand pollinating okra plants.
PHOTO • S. Senthalir
Mangala and other women from Menashinahal village in Ranibennur taluk, working at the okra farm in Konanatali, about 12 kilometres away
PHOTO • S. Senthalir

ବାମ : ମଙ୍ଗଳା ହରିଜନ ( ବାମ ) ଓ ଜଣେ ସହକର୍ମୀ ହାତରେ ଭେଣ୍ଡି ଗଛର ପରାଗସଙ୍ଗମ କରିବାବେଳେ ନିଜକୁ ବର୍ଷାରୁ ରକ୍ଷା କରିବାକୁ ପ୍ଲାଷ୍ଟିକ୍‌ ସିଟ୍‌ ପିନ୍ଧିଛନ୍ତି । ଡାହାଣ : ରାଣୀବେନ୍ନୁର ତାଲୁକର ମେନାସିନାହଲ ଗ୍ରାମର ମଙ୍ଗଳା ଓ ଅନ୍ୟ ମହିଳାମାନେ , ଏଠାରୁ ପ୍ରାୟ ୧୨କିଲୋମିଟର ଦୂରରେ ଅବସ୍ଥିତ କୋନନତଳିରେ ଏକ ଭେଣ୍ଡି ଫାର୍ମରେ କାମ କରୁଛନ୍ତି

“ଚଳିତ ବର୍ଷ ହିଁ କ୍ରସିଂ କାମ ପାଇଁ ଆମକୁ ଦିନକୁ୨୪୦ଟଙ୍କା ପ୍ରାପ୍ୟ ମିଳୁଛି । ଗତ ବର୍ଷ ପର୍ଯ୍ୟନ୍ତ, ଆମକୁ ୧୦ଟଙ୍କା କମ୍‌ ମିଳୁଥିଲା,” ବୋଲି ମଙ୍ଗଳା କୁହନ୍ତି । ତାଙ୍କ ଭଳି ଶ୍ରମିକମାନେ, ଯେଉଁମାନେ ହାତ ଦ୍ୱାରା ଫସଲର ପରାଗସଙ୍ଗମ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି , (ସେତେବେଳେ ଫସଲ ବୀଜ ପାଇଁ ଅମଳ କରାଯାଇଥାଏ) ଏହି ପ୍ରକ୍ରିୟାକୁ କ୍ରସ୍‌ ବା କ୍ରସିଂ ବୋଲି କହିଥାନ୍ତି ।

ଶୀତ ଓ ମୌସୁମୀ ଋତୁରେ, ଯେତେବେଳେ ହାତରେ ପରାଗସଙ୍ଗମ କରିବା କାମ ମିଳିଥାଏ, ସେତେବେଳେ ମଙ୍ଗଳା ମାସରେ ଅତିକମ୍‌ରେ ୧୫-୨୦ଦିନ ଉପାର୍ଜନ କରିବାକୁ ସମର୍ଥ ହୁଅନ୍ତି । ସେ ବିଭିନ୍ନ ହାଇବ୍ରିଡ୍‌ କିଷମର ଟମାଟ, ଭେଣ୍ଡି ଓ ଲାଉର ମଞ୍ଜି ଉତ୍ପନ୍ନ କରିବାରେ ସାହାଯ୍ୟ କରିଥାନ୍ତି, ଯାହା ବିଭିନ୍ନ ଘରୋଇ କମ୍ପାନିଗୁଡ଼ିକ ପାଇଁ ଚାଷୀମାନେ ଉତ୍ପାଦନ କରିଥାନ୍ତି । ନ୍ୟାସ୍‌ନାଲ୍‌ ସିଡ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ଏଆଇ) ମୁତାବକ ଭାରତରେ ହାଇବ୍ରିଡ୍‌ ପରିବାର ବୀଜ ଶିଳ୍ପ , ଯାହାପାଇଁ ମଙ୍ଗଳା ପ୍ରାଥମିକସ୍ତରରେ ଗଛର ଫୁଲଗୁଡ଼ିକର ପରାଗ ସଙ୍ଗମ କାମ କରିଥାନ୍ତି, ର ମୂଲ୍ୟ ୨,୬୦୦ କୋଟି ($୩୪୯ ମିଲିୟନ୍‌) ଅଟେ । ଦେଶରେ ସର୍ବାଧିକ ପରିବା ବୀଜ ଉତ୍ପାଦନ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ହୋଇଥାଏ ଓ କର୍ଣ୍ଣାଟକର ହାବେରି ଓ କୋପ୍ପାଲ୍‌ ଜିଲ୍ଲା ପରିବା ବୀଜ ଉତ୍ପାଦନର କେନ୍ଦ୍ର ଅଟେ ।

ହାବେରିର ଗ୍ରାମାଞ୍ଚଳରେ, ମହିଳାମାନେ ସେମାନଙ୍କ ଗ୍ରାମର ଫାର୍ମଗୁଡ଼ିକରେ କାମ କରି ଯାହା ଉପାର୍ଜନ କରିଥାନ୍ତି, ସେ ତୁଳନାରେ ସାମାନ୍ୟ ଅଧିକ ଉପାର୍ଜନ କରିବାକୁ ବହୂ ଦୂରକୁ ଯିବାକୁ ପ୍ରସ୍ତୁତ ଅଛନ୍ତି । ରଜିୟା ଆଲ୍ଲାଦିନ ସେଖ୍‌ସନ୍ନାଦି, ୨୮, ଯେତେବେଳେ ନିରାପତ୍ତା ପାଇଁ ଚାରିବର୍ଷର ଏକ ଅପମାନଜନକ ବିବାହରୁ ପଳାୟନ କରି ହିରାକେରୁର୍‌ର କୁଡ଼ାପଲି ଗ୍ରାମ ସ୍ଥିତ ତାଙ୍କର ପୈତୃକ ଗୃହକୁ ଫେରିଆସିଲେ, ତାଙ୍କୁ ତାଙ୍କର ଦୁଇ ଝିଅଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ କାମର ସନ୍ଧାନ କରିବାକୁ ପଡ଼ିଥିଲା ।

ତାଙ୍କ ଗ୍ରାମରେ, ଚାଷୀମାନେ ମକା, ତୁଳା, ଚିନାବାଦାମ ଓ ରସୁଣ ଚାଷ କରନ୍ତି । “ଆମେ ଦିନକୁ ମାତ୍ର ୧୫୦ ଟଙ୍କା ପାଇଥାଉ (ଚାଷ କାମ କରି) । ଏଥିରେ ତ ଆମେ ଏକ ଲିଟର ତେଲ ମଧ୍ୟ କିଣି ପାରିବୁନାହିଁ । ସେଥିପାଇଁ ଆମେ ଅନ୍ୟ ସ୍ଥାନକୁ କାମ କରିବାକୁ ଯାଉଛୁ,” ବୋଲି ରଜିୟା କୁହନ୍ତି । ତାଙ୍କ ପଡୋଶୀ ଯେତେବେଳେ ତାଙ୍କୁ  ହସ୍ତ- ପରାଗସମଙ୍ଗମକାରୀଙ୍କ ଦଳରେ ଯୋଗ ଦେବାପାଇଁ କହିଲେ, ସେ ଏ ନେଇ ଦ୍ୱିତୀୟ ଥର ଚିନ୍ତା ମଧ୍ୟ କରିନଥିଲେ । “ମୁଁ ଘରେ ରହି କି କାମ କରିପାରିବି, ବୋଲି ସେ ମୋତେ ପଚାରିଥିଲେ । ଆଉ, ସେ ମୋତେ ତାଙ୍କ ସହିତ କାମକୁ ନେଇଗଲେ। ଏହି କାମ ପାଇଁ ଆମେ ଦିନକୁ ୨୪୦ଟଙ୍କା ପାଇଥାଉ ।

Rajiya Aladdin Shekh Sannadi harvesting the crop of hand-pollinated tomatoes in Konanatali village in Haveri district
PHOTO • S. Senthalir
Rajiya Aladdin Shekh Sannadi harvesting the crop of hand-pollinated tomatoes in Konanatali village in Haveri district
PHOTO • S. Senthalir

ରଜିୟା ଆଲାଦିନ ସେଖସନ୍ନାଦି ହାବେରି ଜିଲ୍ଲାର କୋନନତଳି ଗ୍ରାମରେ ହାତ ରେ ପରାଗସଙ୍ଗମ ହୋଇଥିବା ଟମାଟ ଅମଳ କରୁଛନ୍ତି

ଉଚ୍ଚ ଓ ପତଳା ରଜିଆଙ୍କ ଗଠନ ମୁଗ୍ଧକର । ୨୦ବର୍ଷ ବୟସରେ ଜଣେ ମଦୁଆ ବ୍ୟକ୍ତିଙ୍କ ସହିତ ତାଙ୍କର ବିବାହ ହୋଇଥିଲା ଓ ତା’ପରେ ସେ ତାଙ୍କ ସହିତ ଗଡଗ୍‌ ଜିଲ୍ଲାର ସିରାହତ୍ତି ତାଲୁକରେ ରହିବାକୁ ଚାଲିଯାଇଥିଲେ । ହେଲେ, ତାଙ୍କର ବାପାମା ସେମାନଙ୍କ ସାମର୍ଥ୍ୟ ମୁତାବକ ଯାହା ସମ୍ଭବ ସବୁ ଦେବାପରେ ମଧ୍ୟ ସେ ଯୌତୁକ ନିର୍ଯ୍ୟାତନା ପାଇବାରୁ ବଞ୍ଚିତ ହୋଇ ପାରିନଥିଲେ । “ମୋର ବାପା ତିନି ସୋଭେରନ୍‌ ସୁନା (ଏକ ସୋଭେରନ୍‌ ଆଠ ଗ୍ରାମ ସହିତ ସମାନ) ଓ ୩୫,୦୦୦ଟଙ୍କା ନଗଦ ଦେଇଥିଲେ । ଆମ ସମ୍ପ୍ରଦାୟରେ ଆମେ ବାସନକୁସନ, ବହୁତ ମାତ୍ରାରେ ଓ ପୋଷାକ ଦେଇଥାଉ । ଆମ ଘରେ ଆଉ କିଛି ନଥିଲା, ସେମାନେ ସବୁ ଦେଇଦେଇଥିଲେ,” ବୋଲି ରଜିୟା କୁହନ୍ତି । ‘‘ମୋର ସ୍ୱାମୀ ଆମ ବିବାହ ପୂର୍ବର ଏକ ଦୁର୍ଘଟଣାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିଲେ । ସେ ବିଧିକ ବ୍ୟୟ ପାଇଁ ମୋର ବାପାମା’ଙ୍କଠାରୁ ୫,୦୦୦ - ୧୦,୦୦୦ ଟଙ୍କା ଆଣିବା ପାଇଁ ମୋତେ ସବୁବେଳେ ବାଧ୍ୟ କରୁଥିଲେ’’।

ବିପତ୍ନୀକ ବୋଲି ଦାବି କରି, ରଜିଆଙ୍କ ସ୍ୱାମୀ ପୁନଃବିବାହ କରିଛନ୍ତି । ସେ ତାଙ୍କ ବିରୁଦ୍ଧରେ ଚାରିମାସ ପୂର୍ବେ ଏକ ମକଦ୍ଦମା ଦାଏର୍‌ କରି ତାଙ୍କର ପ୍ରତିପାଳନ ଓ ପିଲାମାନଙ୍କ ପାଇଁ ସହାୟତା ରାଶି ଦାବି କରିଛନ୍ତି । “ସେ ଗୋଟିଏ ଥର ମଧ୍ୟ ତାଙ୍କ ପିଲାମାନଙ୍କୁ ଦେଖିବାକୁ ଆସିନାହାନ୍ତି” ବୋଲି ସେ କୁହନ୍ତି । ରଜିୟାଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ମହିଳା କମିଶନ ପରି ସଂସ୍ଥା ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମଧ୍ୟ ରହିଛି ଯାହାର ସହାୟତା ସେ ନେଇ ପାରିବେ । ତାଙ୍କ ଗ୍ରାମରେ ଏପରି ମଧ୍ୟ କେହି ନାହାନ୍ତି, ଯିଏ ତାଙ୍କୁ କୃଷି ଶ୍ରମିକମାନଙ୍କ ପାଇଁ ରହିଥିବା ସରକାରୀ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ବିଷୟରେ ତାଙ୍କର ମାର୍ଗଦର୍ଶନ କରିପାରିବ । ସେ ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ କୌଣସି ସୁବିଧା ଲାଭ ପାଇଁ ଦାବି କରିପାରିବେ ନାହିଁ କାରଣ ତାଙ୍କୁ ଜଣେ ଚାଷୀ ଭାବେ ବିବେଚନା କରାଯାଏନାହିଁ ।

“ଯଦି ମୁଁ ଏକ ବିଦ୍ୟାଳୟରେ ରାନ୍ଧୁଣିଆର କାମ ପାଇଯାଏ, ତାହାହେଲେ ମୋର ଆୟ ନିୟମିତ ହୋଇଯାଆନ୍ତା,” ବୋଲି ରଜିୟା ମୋତେ କହିଲେ । “ହେଲେ, କେବଳ ସେମାନଙ୍କୁ ନିଯୁକ୍ତି ମିଳିଥାଏ ଯେଉଁମାନେ ଯୋଗାଯୋଗରେ ରହିଥାନ୍ତି । ମୁଁ ଏପରି କାହାରିକୁ ଜାଣିନାହିଁ । ସବୁକିଛି ଠିକ୍‌ ହୋଇଯିବ ବୋଲି ସମସ୍ତେ କହୁଛନ୍ତି, ହେଲେ, ମୋତେ ଏକଲା ହିଁ ସବୁ କରିବାକୁ ହେବ, ମୋତେ ସାହାଯ୍ୟ କରିବାକୁ କେହି ନାହିଁ”।

ବର୍ତ୍ତମାନ ଯେଉଁ ଚାଷୀଙ୍କ ପାଇଁ ରଜିୟା କାମ କରୁଛନ୍ତି, ସେ ଏକ ବିଶାଳ ବହୁରାଷ୍ଟ୍ରୀୟ କମ୍ପାନିକୁ ତାଙ୍କର ବୀଜ ବିକ୍ରି କରନ୍ତି ଯାହାର ବାର୍ଷିକ ରାଜସ୍ୱ ୨୦୦ କୋଟି ଟଙ୍କା ରୁ ୫୦୦ କୋଟି ଟଙ୍କା ମଧ୍ୟରେ ଅଟେ । ହେଲେ, ରଜିୟା ଏହାର ରାଜସ୍ୱର ଅତ୍ୟନ୍ତ ନଗଣ୍ୟ ଅଂଶ ଉପାର୍ଜନ କରନ୍ତି । “ଏଠାରେ (ହାବେରି ଜିଲ୍ଲାରେ)  ଉତ୍ପାଦନ ହେଉଥିବା ବୀଜଗୁଡିକ ନାଇଜେରିଆ, ଥାଇଲାଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ୟୁଏସ୍‌କୁ ରପ୍ତାନି ହୋଇଥାଏ,” ବୋଲି ସେହି ବୀଜ କମ୍ପାନିର ଜଣେ କର୍ମଚାରୀ କୁହନ୍ତି, ଯିଏ ରାଣୀବେନ୍ନୁର ତାଲୁକର ୧୩ଟି ଗ୍ରାମରେ ବୀଜ ଉତ୍ପାଦନର ସମୀକ୍ଷା କରୁଛନ୍ତି ।

Women from Kudapali village in Haveri's Hirekerur taluk preparing to harvest the 'crossed' tomatoes in Konanatali. They are then crushed to remove the seeds.
PHOTO • S. Senthalir
Leftover pollen powder after the hand-pollination of tomato flowers
PHOTO • S. Senthalir

ବାମ : ହାବେରିର ହିରେକେରୁର୍‌ ତାଲୁକର କୁଡାପଲି ଗ୍ରାମର ମହିଳାମାନେ କୋନନତଳିରେ କ୍ରସ୍‌ଡ୍‌ ଟମାଟ ଅମଳ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତାପରେ ବୀଜ ଅପସାରଣ ପାଇଁ ସେଗୁ ଡ଼ିକୁ ପେଷା ଯାଇଥାଏ । ଡାହାଣ : ଟମାଟ ଫୁଲର ହସ୍ତ - ପରାଗ ସଙ୍ଗମ ପରେ ବଳି ଯାଇଥିବା ପରାଗରେଣୁ ଗୁଣ୍ଡ

ମଙ୍ଗଳାଙ୍କ ପରି ଆଭ୍ୟନ୍ତରୀଣ ପ୍ରବାସୀ ଶ୍ରମିକମାନେ ଭାରତର ବୀଜ ଉତ୍ପାଦନ ଶ୍ରମବଳର ଏକ ଅପରିହାର୍ଯ୍ୟ ଅଂଶ । ଭାରତର ବୀଜ ଶିଳ୍ପର ମୂଲ୍ୟ ଅତି କମ୍‌ରେ ୨୨,୫୦୦ କୋଟି ($୩ ବିଲିୟନ୍‌) ଟଙ୍କାର ହୋଇଥିବା ଏନ୍‌ଏସ୍‌ଆଇ ଆକଳନ କରିଛି, ଯାହା ହେଉଛି ବିଶ୍ୱର ପଞ୍ଚମ ବୃହତ୍‌ ବୀଜ ଶିଳ୍ପ । ହାଇବ୍ରିଡ୍‌ ବୀଜ ଶିଳ୍ପର ସେୟାର୍‌, ଯାହା ମଧ୍ୟରେ ରହିଛି ମକା, ମାଣ୍ଡିଆ, ତୁଳା, ପନିପରିବା ଫସଲ, ହାଇବ୍ରିଡ୍‌ ଚାଉଳ ଓ ତୈଳବୀଜ, ହେଉଛି ୧୦,୦୦୦ କୋଟି ଟଙ୍କା ($୧.୩୩ ବିଲିୟନ୍‌)।

ଗତ କିଛି ବର୍ଷ ହେବ ସରକାରୀ ନୀତି ଦ୍ୱାରା ସହାୟତା ପ୍ରାପ୍ତ କରି ଘରୋଇ କ୍ଷେତ୍ରଗୁଡ଼ିକ ମଧ୍ୟ ବୀଜ ଶିଳ୍ପରେ ଉଲ୍ଲେଖନୀୟ  ଭୂମିକା ଗ୍ରହଣ କରିଛିନ୍ତି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଭାରତର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟର ଦ୍ୱାରା ଲୋକସଭାରେ ଦାଖଲ କରାଯାଇଥିବା ଏକ ବିବୃତି ମୁତାବକ, ଦେଶରେ ୫୪୦ଟି ଘରୋଇ ବୀଜ କମ୍ପାନି ରହିଛି । ଏ ମଧ୍ୟରୁ, ୮୦ଟିର ଗବେଷଣା ଓ ବିକାଶ କ୍ଷମତା ରହିଛି । ଭାରତରେ ବୀଜ ଉତ୍ପାଦନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ସେୟାର, ମନ୍ତ୍ରାଳୟ ମୁତାବକ, ୨୦୧୭ -୧୮ରେ ୫୭. ୨୮ ଥିବାବେଳେ ୨୦୨୦-୨୦୨୧ରେ ୬୪. ୪୬କୁ ବୃଦ୍ଧି ପାଇଛି ।

ବିଲିୟନ୍‌-ଡଲାର୍‌ ବୀଜ କ୍ଷେତ୍ରର ଅଭିବୃଦ୍ଧି ମଙ୍ଗଳା ଓ ହାବେରିର ଅନ୍ୟ ମହିଳା କୃଷି ଶ୍ରମିକମାନଙ୍କର ଜୀବନଧାରଣର ମାନ ଉନ୍ନତ କରିପାରିନାହିଁ । ମଙ୍ଗଳାଙ୍କ ପଡୋଶୀ, ୨୮ ବର୍ଷ ବୟସ୍କ ଦୀପା ଦୋନେପ୍ପାପୁଜାର, କୁହନ୍ତି : “ଏକ କିଲୋ ପରିବା ବୀଜ ପାଇଁ, ସେମାନେ (ଚାଷୀମାନେ) ୧୦,୦୦୦-୨୦,୦୦୦ ଟଙ୍କା ପାଇପାରିବେ । ୨୦୧୦ରେ ସେମାନେ କିଲୋ ପିଛା  ୬,୦୦୦ଟଙ୍କା ପାଉଥିଲେ, ହେଲେ, ବର୍ତ୍ତମାନ ସେମାନେ କେତେ ଉପାର୍ଜନ କରୁଛନ୍ତି, ତାହା ସେମାନେ ଆମକୁ କହୁନାହାନ୍ତି । ସେମାନେ କେବଳ ସେହି ମୂଲ୍ୟ ଅପରିବର୍ତ୍ତିତ ରହିଥିବା କୁହନ୍ତି । ତାଙ୍କ ଭଳି କର୍ମଚାରୀଙ୍କର ପ୍ରାପ୍ୟ ବୃଦ୍ଧି ହେବା ଆବଶ୍ୟକ,” ବୋଲି ସେ କୁହନ୍ତି । “ଆମର ଦୈନିକ ମଜୁରି ବଢିବା ଦରକାର । ଆମେ କଠିନ ପରିଶ୍ରମ କରୁଛୁ, ହେଲେ, କିଛି ସଞ୍ଚୟ କରିପାରୁନାହୁଁ; ଆମ ହାତରେ କେବେ ମଧ୍ୟ ପଇସା ରହିପାରୁନାହିଁ,” ବୋଲି ସେ କୁହନ୍ତି ।

ହସ୍ତ-ପରାଗ ସଙ୍ଗମ କାମ ସହିତ ଅନ୍ୟାନ୍ୟ ଦାୟିତ୍ୱ ମଧ୍ୟ ନିର୍ବାହ କରିବାକୁ ପଡିଥାଏ,ବୋଲି ଦୀପା ବୁଝାଇ କୁହନ୍ତି”। ଏହା ଭାରି କାମ ଅଟେ । ଆମକୁ ରାନ୍ଧିବା, ଝାଡୁ କରିବା, ଘର ପରିଷ୍କାର କରିବା, ବାସନ ଧୋଇବା ଭଳି କାମ କରିବାକୁ ପଡ଼ିଥାଏ --- ଆମକୁ ସବୁକିଛି କରିବାକୁ ପଡ଼ିଥାଏ’’।

“ଯେତେବେଳେ ଆମେ କ୍ରସିଂ କରିବାକୁ ଯାଉ, ସେମାନେ (ଚାଷୀମାନେ) କେବଳ ସମୟ ଉପରେ ନଜର ରଖିଥାନ୍ତି । ଯଦି ଆମେ ଟିକିଏ ବିଳମ୍ବରେ ପହଞ୍ଚିଥାଉ, ତାହାହେଲେ ସେମାନେ ଆମକୁ ପଚାରନ୍ତି ଯେ ବିଳମ୍ବରେ ଆସିକି ଆମେ ୨୪୦ଟଙ୍କା ପାଇବାକୁ କିଭଳି ଆଶା କରିପାରିବୁ? ସେଠାରୁ ଆମେ ସନ୍ଧ୍ୟା ୫.୩୦ରେ ବାହାରିଯାଉ ଓ ଘରେ ପହଞ୍ଚିବା ବେଳକୁ ୭.୩୦ ହୋଇଯାଏ, ବୋଲି ମଧ୍ୟ ଦୀପା କୁହନ୍ତି । “ତା’ପରେ ଆମେ ଘର ପରିଷ୍କାର କରୁ, ଚା’ ପିଉ ଓ ରାତ୍ରି ଭୋଜନ ପ୍ରସ୍ତୁତ କରୁ । ଆମେ ଶୋଇବାକୁ ଯିବା ବେଳକୁ ମଧ୍ୟରାତ୍ରି ହୋଇଯାଏ । ଆମକୁ କାମ ପାଇଁ ସେଠାକୁ ଯିବାକୁ ପଡ଼ିବ କାରଣ ଏଠାରେ କରିବାକୁ କୌଣସି କାମ ନାହିଁ ।’’ ଫୁଲର ଫଳିକାଶୀର୍ଷକୁ ଦେଖି ଦେଖି ଆଖିରେ ଯନ୍ତ୍ରଣା ହେବାକୁ ଲାଗେ, ବୋଲି ସେ କୁହନ୍ତି। “ଏହା ଏକ କେଶର ଖିଅ ଆକାରର ଅଟେ”।

A woman agricultural labourer peels the outer layer of an okra bud to expose the stigma for pollination.
PHOTO • S. Senthalir
Deepa Doneappa Pujaar (in grey shirt) ties the tomato plants to a wire while preparing to pollinate the flowers at a farm in Konanatali
PHOTO • S. Senthalir

ବାମ : ଜଣେ ମହିଳା କୃଷି ଶ୍ରମିକ ପରାଗ ସଙ୍ଗମ ପାଇଁ ଭେଣ୍ଡିର ଫଳିକାଶୀର୍ଷକୁ ଅନାବୃତ୍ତ କରିବାକୁ ଏହାର କଢର ବାହ୍ୟସ୍ତରକୁ ଛଡାଉଛନ୍ତି । ଡାହାଣ : ଦୀପା ଦୋନେପ୍ପାପୁଜାର ( ଗ୍ରେ ସାର୍ଟରେ ) କୋନନତଳିର ଏକ ଫାର୍ମରେ ଟମାଟ ଫୁଲଗୁ ଡ଼ିକୁ ସଙ୍ଗମ ପାଇଁ ପ୍ରସ୍ତୁତ କରିବାବେଳେ ଟମାଟ ଗଛଗୁଡ଼ିକୁ ତାର ସହାୟତାରେ ବାନ୍ଧୁଛନ୍ତି

ସ୍ୱଳ୍ପ ସମୟ ଅବଧି ପାଇଁ ହସ୍ତ-ପରାଗସଙ୍ଗମକାରୀଙ୍କର ଚାହିଦା ରହୁଥିବାରୁ, ମହିଳାମାନେ ବର୍ଷର ଅନ୍ୟ ସମୟରେ ନିମ୍ନ-ମଜୁରି ନେଇ କାମ କରିବାକୁ ବାଧ୍ୟ ହେଉଛନ୍ତି । “ଆମେ ପୁଣିଥରେ ଦୈନିକ ୧୫୦ଟଙ୍କା ମଜୁରିରେ କାମ କରିବାକୁ ଆରମ୍ଭ କରୁ,” ବୋଲି ଦୀପା କୁହନ୍ତି । “ସେଥିରେ ଆମେ କ’ଣ କରିପାରିବୁ? ଗୋଟେ କିଲୋ ଫଳର ଦାମ୍‌ ହେଉଛି ୧୨୦ଟଙ୍କା । ଆମକୁ ପୁଣି କିରାଣା ସାମାନ, ପିଲାମାନଙ୍କ ପାଇଁ ସ୍ନାକ୍‌ସ କିଣିବାକୁ ପଡ଼ିଥାଏ, ଘରକୁ ଆସୁଥିବା ଅତିଥିଙ୍କ ସତ୍କାର ମଧ୍ୟ କରିବାକୁ ପଡ଼ିଥାଏ । ଯଦି କୌଣସି କାରଣରୁ ଆମେ ସାନ୍ଥେ (ସାପ୍ତାହିକ ବଜାର) ଯାଇନପାରୁ, ତାହାହେଲେ ଆମେ କିଛି ମଧ୍ୟ କିଣିବାକୁ ସମର୍ଥ ହେବୁନାହିଁ । ଏଣୁ ଆମେ ବୁଧବାର ଦିନ କାମକୁ ଯାଉନାହୁଁ – ଆମେ ସାପ୍ତାହର ଅତ୍ୟାବଶ୍ୟକ ଜିନିଷ କିଣିବାକୁ ତୁମ୍ମିନାକଟ୍ଟିରେ (ଏଠାରୁ ପ୍ରାୟ ୨୫ କିଲୋମିଟର ଦୂର) ବସୁଥିବା ସାନ୍ଥେକୁ ଯାଇଥାଉ ।

ଶ୍ରମିକମାନଙ୍କ କାର୍ଯ୍ୟ ସମୟ ମଧ୍ୟ ପରିବର୍ତ୍ତନଶୀଳ ଅଟେ ଓ ଏହା ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ହୋଇଥାଏ, ଯାହା ଅମଳ ହେବାକୁ ଥିବା ଫସଲ ଉପରେ ନିର୍ଭର କରିଥାଏ । “ଆମେ ଯେତେବେଳେ ମକା ଅମଳ କରିବାକୁ ଯାଉ, ଆମକୁ ଫାର୍ମରେ ଭୋର୍‌ ପାଞ୍ଚଟା ସୁଦ୍ଧା ପହଞ୍ଚିବାକୁହୁଏ, ଏଣୁ ଆମେ ଭୋର୍‌ ଚାରିଟା ବେଳେ ଉଠିଥାଉ । ବେଳେବେଳେ, ଯଦି ରାସ୍ତା କଚ୍ଚା ଥାଏ, ତାହାହେଲେ ଅଟୋ ଆସେ ନାହିଁ ଓ ଆମକୁ ଚାଲିଚାଲି ଯିବାକୁ ହୁଏ, ଏଣୁ ଆମେ ମୋବାଇଲ୍‌ (ଫୋନ୍‌) ବା ଏକ ବ୍ୟାଟେରୀ ଟର୍ଚ୍ଚ ଲାଇଟ୍‌ ବ୍ୟବହାର କରିଥାଉ । ଆମେ ମଧ୍ୟାହ୍ନ ଗୋଟାଏ ବେଳେ ଘରକୁ ଫେରୁ’’ । ଚିନାବାଦାମ ଅମଳ କରିବାକୁ, ସେମାନେ ଭୋର୍‌ ୩ଟା ବେଳେ ବାହାରିପଡ଼ନ୍ତି ଓ ମଧ୍ୟାହ୍ନ ପୂର୍ବରୁ ଘରକୁ ବାହୁଡ଼ି ଆସନ୍ତି । ଚିନାବାଦାମ ଅମଳ କରିବା ପାଇଁ ଆମେ ଦିନକୁ ୨୦୦ଟଙ୍କା ପାଇଥାଉ, ହେଲେ ଏହି କାମ କେବଳ ଏକ ମାସ ପର୍ଯ୍ୟନ୍ତ ଚାଲିଥାଏ”। ବେଳେବେଳେ ସେମାନଙ୍କୁ ନେବାପାଇଁ ଚାଷୀମାନେ ଯାନ ମଧ୍ୟ ପଠାଇଥାନ୍ତି । “ନଚେତ୍‌, ସେମାନେ ଆମକୁ ପରିବହନର ବ୍ୟବସ୍ଥା କରିବାକୁ କୁହନ୍ତି,” ବୋଲି ଦୀପା କୁହନ୍ତି ।

ଏସବୁ ବ୍ୟତୀତ, ସେମାନଙ୍କ କାର୍ଯ୍ୟସ୍ଥଳଗୁଡ଼ିକରେ ସାଧାରଣ ମୌଳିକ ସୁବିଧା ମଧ୍ୟ ଉପଲବ୍ଧ ନାହିଁ । “ସେଠାରେ ଶୌଚାଳୟ ନାହିଁ । ଏଣୁ, ଆମକୁ ଏପରି ଏକ ସ୍ଥାନର ସନ୍ଧାନ କରିବାକୁ ପଡ଼େ ଯେଉଁଠାରେ ଆମକୁ କେହି ଦେଖିପାରିବେ ନାହିଁ,” ବୋଲି ଦୀପା କୁହନ୍ତି । “କାମକୁ ଆସିବା ପୂର୍ବରୁ ଘରେ ସମସ୍ତ କାମ ଶେଷ କରି ଆସିବାକୁ ଜମିମାଲିକମାନେ ଆମକୁ କହୁଛନ୍ତି । ସେମାନେ ଏହାକୁ କାର୍ଯ୍ୟ ପାଇଁ ଧାର୍ଯ୍ୟ ସମୟ ଅପଚୟ କରିବା ସହିତ ସମାନ ବୋଲି ଭାବନ୍ତି”। ମାସିକ ଋତୁଚକ୍ର ସମୟରେ ପରିସ୍ଥିତି ଅଧିକ ଜଟିଳ ହୋଇଯାଏ । “ଆମର ଋତୁସ୍ରାବ ହେବା ସମୟରେ ଆମେ ମୋଟା କପଡ଼ା ବା ଏକ ସାନିଟାରୀ ପ୍ୟାଡ୍‌ ବ୍ୟବହାର କରିଥାଉ । କାମ ପରେ ଘରେ ନ ପହଞ୍ଚିବା ପର୍ଯ୍ୟନ୍ତ ବଦଳାଇବା ପାଇଁ ସେପରି କୌଣସି ସ୍ଥାନ ନାହିଁ । ଦିନସାରା ଠିଆ ହୋଇ ରହିବା ଯୋଗୁ ବହୁତ କଷ୍ଟ ହୋଇଥାଏ।’’

ଦୀପା ବିଶ୍ୱାସ କରନ୍ତି ଯେ ଦୋଷ ହେଉଛି ସେମାନଙ୍କ ପରିସ୍ଥିତିର । “ଆମର ଗାଁ ଅତ୍ୟନ୍ତ ଅନୁନ୍ନତ ଅଟେ । ଏହା କୌଣସି କ୍ଷେତ୍ରରେ ମଧ୍ୟ ଆଗୁଆ ନୁହେଁ,” ବୋଲି ସେ ଲକ୍ଷ୍ୟ କରିଛନ୍ତି । “ନଚେତ୍‌, ଆମକୁ ଏପରି ଭାବେ କାମ କରିବା କ’ଣ ଦରକାର?”

ଅନୁବାଦ: ଓଡ଼ିଶାଲାଇଭ୍‍

S. Senthalir

S. Senthalir is Senior Editor at People's Archive of Rural India and a 2020 PARI Fellow. She reports on the intersection of gender, caste and labour. Senthalir is a 2023 fellow of the Chevening South Asia Journalism Programme at University of Westminster.

Other stories by S. Senthalir
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE