‘‘ଜବ ପ୍ୟାର କିୟା ତୋ ଡରନା କ୍ୟା... ପ୍ୟାର କିୟା କୋଇ ଚୋରି ନହିଁ... ଘୁଟ୍‌ ଘୁଟ୍‌ କର୍‌ ୟୁଁ ମରନା କ୍ୟା...’’
ପ୍ରେମ ଯଦି କରିଛ ଡର କାହିଁକି... ପ୍ରେମ ଏକ ଅପରାଧ ନୁହେଁ... ଏମିତି ଶ୍ୱାସରୁଦ୍ଧ ହୋଇ ମରିବା କାହିଁକି...

ବିଧି ଗତ କିଛି ଦିନ ହେବ ୬୦ ଦଶକର ଲୋକପ୍ରିୟ ଚଳଚ୍ଚିତ୍ର ମୁଗଲ-ଏ-ଆଜମର ଏହି ଗୀତକୁ ଗୁଣୁ ଗୁଣୁ ହୋଇ ଗାଇ ଚାଲିଛନ୍ତି । ସେ କେନ୍ଦ୍ରୀୟ ମୁମ୍ବାଇରେ ନିଜର ଭଡ଼ା ଘରେ ରହୁଛନ୍ତି ଏବଂ ଗାଇବା ମଝିରେ ସାମାନ୍ୟ ଅଟକି ଯାଇ ପଚାରନ୍ତି, ‘‘ଆମେ ବି କିଛି ଅପରାଧ କରିନାହୁଁ। ଆମେ କାହିଁକି ଭୟଭୀତ ହୋଇ ରହିବୁ?’’

ତାଙ୍କର ପ୍ରଶ୍ନ ଆଳଙ୍କାରିକ ନୁହେଁ କିନ୍ତୁ ଚିନ୍ତାଜନକ। ହତ୍ୟାର ଶିକାର ହେବା ଭୟ ତାଙ୍କ ପାଇଁ ସମ୍ପୂର୍ଣ୍ଣ ବାସ୍ତବିକ ଅଟେ। ଯେଉଁଦିନ ସେ ନିଜ ପ୍ରେମିକ-ତାଙ୍କ ସ୍କୁଲ ସହପାଠିନୀ ଆରୁଷୀଙ୍କ ସହ ଘର ଛାଡ଼ି ପଳାଇ ଆସିଥିଲେ ଓ ପରିବାର ବିରୋଧରେ ବିଦ୍ରୋହ ଘୋଷଣା କଲେ, ସେଦିନଠାରୁ ସେ ଏମିତି ଡରି ଡରି ବଞ୍ଚି ରହିଛନ୍ତି । ଉଭୟ ପରସ୍ପରକୁ ଭଲ ପାଉଛନ୍ତି ଏବଂ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ସେମାନଙ୍କ ମିଳନକୁ ବୈଧ ସାବ୍ୟସ୍ତ କରିବାର ରାସ୍ତା ଦୀର୍ଘ, ଶ୍ରମସାଧ୍ୟ ଓ ଅନେକ କଠିନ ଆହ୍ୱାନରେ ପରିପୂର୍ଣ୍ଣ। ସେମାନଙ୍କ ଡର ହେଉଛି ଯେ ତାଙ୍କ ପରିବାର ଉଭୟଙ୍କ ସମ୍ପର୍କକୁ ସ୍ୱୀକାର କରିବ ନାହିଁ କି ଜଣେ ମହିଳା ଭାବେ ଆରୁଷୀ ନିଜର ପରିଚୟକୁ ନେଇ କରୁଥିବା ସଂଘର୍ଷକୁ ବୁଝିପାରିବ ନାହିଁ। ଆରୁଷୀ ଜଣେ ପରଲିଙ୍ଗି ପୁରୁଷ (ଟ୍ରାନ୍ସମ୍ୟାନ) ଭାବେ ନିଜକୁ ପରିଚୟ ଦେଉଛନ୍ତି ଏବଂ ସେ ଏବେ ନିଜ ନାଁ ଆରୁଷ ରଖିଛନ୍ତି।

ମହାନଗରକୁ ଆସିବା ପରେ ସେମାନଙ୍କୁ ଲାଗିଲା ଯେ ସେମାନେ ଏବେ ପରିବାରଠାରୁ ସ୍ୱାଧୀନତା ପାଇଯାଇଛନ୍ତି। ବିଧିଙ୍କ ପରିବାର ଠାଣେ ଜିଲ୍ଲାର ଏକ ଗାଁରେ ରୁହନ୍ତି, ଆରୁଷଙ୍କ ଗାଁ ଏଠାରୁ ୨୦ କିଲୋମିଟର ଦୂର ପାଲଘର ଜିଲ୍ଲାରେ ରହିଛି। ବିଧି (୨୨) ମହାରାଷ୍ଟ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଭାବେ ବର୍ଗୀକୃତ ଅଗ୍ରୀ ସମ୍ପ୍ରଦାୟର ବାସିନ୍ଦା। ଆରୁଷ (୨୩) ମଧ୍ୟ ଓବିସି ଭାବେ ତାଲିକାଭୁକ୍ତ କୁନବୀ ସମୁଦାୟର ବାସିନ୍ଦା, କିନ୍ତୁ କଠୋର ଜାତିଗତ ଭେଦଭାବ ଥିବା ସେମାନଙ୍କ ଗ୍ରାମରେ ଏହି ସମୁଦାୟକୁ ଅଗ୍ରୀମାନଙ୍କ ଠାରୁ ‘ନୀଚ’ ଭାବେ ଦେଖାଯାଏ।

ଗୋଟିଏ ବର୍ଷ ହେବ ସେମାନେ ଘର ଛାଡ଼ି ମୁମ୍ବାଇ ଚାଲି ଆସିଛନ୍ତି; ଘରକୁ ଫେରିବା ଲାଗି ସେମାନଙ୍କର କୌଣସି ଯୋଜନା ନାହିଁ। ଗାଁରେ ଥିବା ନିଜ ପରିବାର ବିଷୟରେ ଆରୁଷ ଖୁବ୍‌ କମ୍‌ କଥା କୁହନ୍ତି, କିନ୍ତୁ କହିଥାନ୍ତି ଯେ, ‘‘ମୁଁ ସବୁବେଳେ କଚ୍ଚା ଘରେ ରହୁଥିଲି ଏବଂ ମୋତେ ସବୁବେଳେ ଏହାକୁ ନେଇ ଲଜ୍ଜା ଲାଗୁଥିଲା। ଏହାକୁ ନେଇ ସବୁବେଳେ ମୁଁ ମୋ ଆଇ (ମା’)ଙ୍କ ସହ ଝଗଡ଼ା କରୁଥିଲି’’, ସେ କୁହନ୍ତି।

Vidhhi and Aarush left their homes in the village after rebelling against their families. They moved to Mumbai in hope of a safe future together
PHOTO • Aakanksha

ପରିବାର ଲୋକଙ୍କ ଇଚ୍ଛା ବିରୋଧରେ ଯାଇ ବିଧି ଓ ଆରୁଷ ଗାଁରେ ଥିବା ସେମାନଙ୍କ ଘରୁ ଲୁଚି ପଳାଇ ଆସିଥିଲେ। ସାଥୀ ହୋଇ ଏକ ନିରାପଦ ଭବିଷ୍ୟତର ଆଶା ନେଇ ସେମାନେ ମୁମ୍ବାଇକୁ ଚାଲି ଆସିଥିଲେ

ଆରୁଷଙ୍କ ମା’ ଏକ ଅଣ୍ଡା କାରଖାନାରେ କାମ କରନ୍ତି ଓ ମାସିକ ୬,୦୦୦ ଟଙ୍କା ରୋଜଗାର କରିଥାନ୍ତି। ‘‘ ବାବା (ବାପା) କଥା ପଚାରନ୍ତୁ ନାହିଁ। ତାଙ୍କୁ ଯାହା କିଛି କାମ ମିଳୁଥିଲା ସେ କରୁଥିଲେ : ବଢ଼େଇ କାମ, କୃଷି ଶ୍ରମିକ ଆଦି। ସେ ଯେତିକି ଟଙ୍କା ରୋଜଗାର କରୁଥିଲେ ମଦ ପିଇବାରେ ଉଡ଼ାଇ ଦେଉଥିଲେ, ଆଉ ତା’ପରେ ଘରକୁ ଫେରି ଆଇ ଓ ଆମକୁ ପିଟୁଥିଲେ,’’ ଆରୁଷ କୁହନ୍ତି। ଏହାପରେ ତାଙ୍କ ବାପା ଅସୁସ୍ଥ ହୋଇପଡ଼ିଲେ ଓ କାମ କରିବା ଛାଡ଼ି ଦେଲେ। ଏଥର ମା’ଙ୍କ ରୋଜଗାରରେ ଘର ଚଳାଇବାକୁ ପଡ଼ିଲା। ଏହି ସମୟରେ ଆରୁଷ ସ୍କୁଲ ଛୁଟି ବେଳେ ଇଟାଭାଟି, କାରଖାନା ଓ ମେଡ଼ିକାଲ ଷ୍ଟୋରରେ ଛୋଟମୋଟ କାମ କରିଥିଲେ।

*****

୨୦୧୪ରେ ଆରୁଷ ଯେତେବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ ସେ ଏକ ନୂଆ ସ୍କୁଲରେ ନାମ ଲେଖାଇଥିଲେ, ଏହି ଠାରେ ହିଁ ସେ ପ୍ରଥମ ଥର ଲାଗି ବିଧିଙ୍କୁ ଭେଟିଥିଲେ। ଏହି ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚିବା ଲାଗି ତାଙ୍କୁ ଘରଠାରୁ ଚାରି କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡ଼ୁଥିଲା। ‘‘ମୋ ଗାଁରେ ଥିବା ଜିଲ୍ଲା ପରିଷଦ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଥିଲା ଏବଂ ଏହାପରେ ଆମକୁ ଅନ୍ୟତ୍ର ଯିବାକୁ ପଡ଼ୁଥିଲା,’’ ସେ କୁହନ୍ତି।  ନୂଆ ବିଦ୍ୟାଳୟରେ ପ୍ରଥମ ବର୍ଷ, ଉଭୟ ପରସ୍ପର ସହ ସେତେଟା କଥା ହୋଇନଥିଲେ। ‘‘ଆମେ ଅଗ୍ରୀ ସମୁଦାୟର ଲୋକଙ୍କ ସହିତ ମିଶୁନଥିଲୁ। ସେମାନଙ୍କର ଏକ ଭିନ୍ନ ସମୁଦାୟ ଥିଲା ଏବଂ ବିଧି ଏହି ସମୂହର ଏକ ଅଂଶବିଶେଷ ଥିଲା,’’ ଆରୁଷ କୁହନ୍ତି।

ନବମ ଶ୍ରେଣୀରେ ସେମାନଙ୍କର ବନ୍ଧୁତା ବଢ଼ିଥିଲା। ଆରୁଷ ଧୀରେ ଧୀରେ ବିଧିଙ୍କୁ ପସନ୍ଦ କରିବାକୁ ଲାଗିଲେ।

ଦିନେ, ସାଥୀ ହୋଇ ଖେଳୁଥିବା ସମୟରେ ଆରୁଷ ନିଜ ମନର ଭାବନା ବିଧିଙ୍କ କାନରେ ଖୁବ୍‌ ଧୀର ସ୍ୱରରେ କହିଥିଲେ। ସାମାନ୍ୟ ଦ୍ୱିଧାରେ ଆରୁଷ ନିଜର ମନ କଥା କହିଥିଲେ। ଜବାବରେ ବିଧି କହିଥିଲେ ଯେ କ’ଣ କହିବାକୁ ହେବ ସେ ଜାଣନ୍ତି ନାହିଁ। ସେ ଦ୍ୱନ୍ଦ୍ୱରେ ପଡ଼ିଗଲେ। ‘‘ଆରୁଷ ମୋତେ ଅନ୍ୟ ଜଣେ ଝିଅ ସହିତ ତାଙ୍କ ପୂର୍ବ ସମ୍ପର୍କ ବିଷୟରେ କହିଥିଲେ। ଏହା ଭୁଲ ନଥିଲା କିନ୍ତୁ ସେମାନେ (ଦୁଇ ଝିଅ) ଏକ ସଙ୍ଗେ ରହିବା ଅଜବ ଅନୁଭବ ଥିଲା,’’ ବିଧି କୁହନ୍ତି।

‘‘ପ୍ରଥମେ ମୁଁ ‘ନା’ ବୋଲି କହିଲି, କିନ୍ତୁ ଦୀର୍ଘ ସମୟ ପରେ ଶେଷରେ ମୁଁ ରାଜି ହୋଇଗଲି। ମୁଁ ଜାଣେ ନାହିଁ ମୁଁ କାହିଁକି ‘ହଁ’ ବୋଲି କହିଲି। ଏହା ସେମିତି ଘଟିଯାଇଥିଲା। ମୁଁ ଆରୁଷକୁ ପସନ୍ଦ କରୁଥିଲି। ମୋ ମନ ଭୁଲ କିମ୍ବା ଠିକର ହିସାବ କରୁନଥିଲା,’’ ବିଧି କୁହନ୍ତି। ‘‘ଆମ ଶ୍ରେଣୀରେ କେହି ଆମ ବିଷୟରେ ଜାଣି ପାରିନଥିଲେ,’’ ଏତିକି କହିବା ସହିତ ସେ ଆଶ୍ୱସ୍ତି ପ୍ରକଟ କରିଥାନ୍ତି । ଏହାପରେ ଆରୁଷ କୁହନ୍ତି, ‘‘ବାକି ଦୁନିଆ ଆମକୁ କେବଳ ଦୁଇ ଜଣ ଭଲ ଝିଅ ବନ୍ଧୁ ଭାବେ ଦେଖିଲା।’’

ଧୀରେ ଧୀରେ, ସମ୍ପର୍କୀୟମାନେ ସେମାନଙ୍କର ବନ୍ଧୁତା ଓ ଜାତିଗତ ଭେଦଭାବ ଉପରେ ମନ୍ତବ୍ୟ ଦେବା ଆରମ୍ଭ କଲେ। ‘‘ଏକଦା ଆମ ଲୋକମାନଙ୍କୁ (କୁନବୀ) ଅଗ୍ରୀ ପରିବାରରେ ଚାକର ଭାବେ ବିବେଚନା କରାଯାଉଥିଲା ଏବଂ ନୀଚ ଜାତି ବୋଲି କୁହାଯାଉଥିଲା। ଏହା ବହୁତ ଦିନ ତଳର କଥା, କିନ୍ତୁ କିଛି ଲୋକଙ୍କ ମନରେ ଏବେ ବି ଏମିତି ଭାବନା ରହିଛି,’’ ଆରୁଷ କୁହନ୍ତି। କିଛି ବର୍ଷ ତଳେ ଘଟିଥିବା ଏକ ଘଟଣା ବିଷୟରେ ସେ କହିଥାନ୍ତି, ଯେତେବେଳେ ସେମାନଙ୍କ ଗାଁର ଏକ ବିଷମଲିଙ୍ଗି ପ୍ରେମୀଯୁଗଳ ଘର ଛାଡ଼ି ପଳାୟନ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କୁନବୀ ଓ ଅନ୍ୟ ଜଣେ ଅଗ୍ରୀ ସମ୍ପ୍ରଦାୟର ଥିଲେ। ଦୁହିଁଙ୍କ ପରିବାର ଲୋକମାନେ ସେମାନଙ୍କୁ ଖୋଜିଥିଲେ ଓ ମାଡ଼ ମାରିଥିଲେ।

ଆରମ୍ଭରୁ, ଆରୁଷଙ୍କ ମା’ ସେମାନଙ୍କ ବନ୍ଧୁତାଙ୍କୁ ନେଇ କିଛି କହୁନଥିଲେ। ସେ ଏହାକୁ ଦୁଇ ଝିଅଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବା ଭଳି ଦେଖୁଥିଲେ, କିନ୍ତୁ ବିଧିଙ୍କ ଘରକୁ ଆରୁଷ ବାରମ୍ବାର ଯିବାକୁ ନେଇ ସେ ଚିନ୍ତିତ ଥିଲେ ଓ ଏହାକୁ ନିୟନ୍ତ୍ରିତ କରିବା ଲାଗି ଚେଷ୍ଟା କରିଥିଲେ।

Aarush's family struggles to accept him as a trans man
PHOTO • Aakanksha

ଆରୁଷଙ୍କ ପରିବାର ତାଙ୍କୁ ଜଣେ ପରଲିଙ୍ଗୀ ପୁରୁଷ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି

ବିଧିଙ୍କ ବାପା ଘର ନିର୍ମାଣ ପାଇଁ କଞ୍ଚାମାଲ ଯୋଗାଇ ଦେବା କାମ କରୁଥିଲେ। ତାଙ୍କୁ ୧୩ ବର୍ଷ ହୋଇଥିବା ସମୟରେ ମା’ ଓ ବାପା ପରସ୍ପରଠାରୁ ଅଲଗା ହୋଇଯାଇଥିଲେ। ତାଙ୍କ ବାପା ପୁଣିଥରେ ବିବାହ କରିଥିଲେ। ସେ ତାଙ୍କ ବାପା, ସାବତ ମା’ ଓ ଚାରି ଭାଇଭଉଣୀ- ବଡ଼ ଭାଇ, ଦୁଇ ଭଉଣୀ ଏବଂ ସାନ ସାବତ ଭାଇ ସହିତ ରହୁଥିଲେ। ତାଙ୍କର ସାବତ ମା’ ଆରୁଷଙ୍କୁ ଭଲ ପାଉନଥିଲେ ଏବଂ ତାଙ୍କ ସହିତ ଅଧିକାଂଶ ସମୟରେ ଝଗଡ଼ା କରୁଥିଲେ। ବିଧିଙ୍କ ବଡ଼ ଭାଇଙ୍କୁ ଏବେ ୩୦ ବର୍ଷ, ବେଳେବେଳେ ସେ ତାଙ୍କ ବାପାଙ୍କ ସହିତ କାମ କରିଥାନ୍ତି ଓ ପରିବାର ଉପରେ ତାଙ୍କର ନିୟନ୍ତ୍ରଣ ରହିଛି। ସେ ପ୍ରାୟ ସମୟ ତାଙ୍କ ଭଉଣୀମାନଙ୍କୁ ମାଡ଼ ମାରିଥାନ୍ତି ଓ ଗାଳି ଦିଅନ୍ତି।

ସେହି ଭାଇ ବେଳେବେଳେ ବୁଲିବାକୁ ଯିବାକୁ ଚାହିଁଲେ ବିଧିଙ୍କୁ ନେଇ ଆରୁଷଙ୍କ ଘର ପାଖରେ ଛାଡ଼ି ଦିଅନ୍ତି। ‘‘ମୋ ଭାଇ ବେଳେବେଳେ ମନ୍ତବ୍ୟ ଦେଉଥିଲେ ଯେ ସେ ଆରୁଷକୁ ପସନ୍ଦ କରୁଛନ୍ତି। ତାହା ନିରାଶାଜନକ ଥିଲା। କ’ଣ କରିବାକୁ ହେବ ଆମେ ଜାଣିନଥିଲୁ,’’ ବିଧି ମନେ ପକାଇ କୁହନ୍ତି। ‘‘ଆରୁଷ ଚୁପ ରହୁଥିଲେ ଏବଂ ତାଙ୍କ କଥାକୁ ଧ୍ୟାନ ଦେଉନଥିଲେ ଯାହାଫଳରେ ଆମେ ପରସ୍ପର ସହ ମିଶିପାରିବୁ।’’

ଶେଷରେ, ବିଧିଙ୍କ ଭାଇ ମଧ୍ୟ ତାଙ୍କୁ ଆରୁଷଙ୍କ ଘରକୁ ଯିବାରୁ ବିରୋଧ କରିଥିଲେ। ‘‘ଆରୁଷ କୌଣସି ସକାରାତ୍ମକ ଜବାବ ନଦେବା କିମ୍ବା ମୋ ସହିତ ତା’ର ନିବିଡ଼ତା, କ’ଣ ପାଇଁ ଭାଇ ଏତେ ରାଗି ଯାଇଥିଲେ ତାହା ମୁଁ ଜାଣିନଥିଲି,’’ ସେ କୁହନ୍ତି। ଆରୁଷ କାହିଁକି ଏତେ ଥର ଆମ ଘରକୁ ଆସୁଛନ୍ତି ଏବଂ ତାଙ୍କୁ ଦିନରେ ଏତେ ଥର କଲ୍ ଓ ମେସେଜ କରୁଛନ୍ତି ସେ ସମ୍ପର୍କରେ ବଡ଼ ଭଉଣୀମାନେ ବିଧିଙ୍କୁ ପଚାରୁଥିଲେ।

ଏହି ସମୟ ବେଳକୁ, ଆରୁଷ ତାଙ୍କର ଲିଙ୍ଗଗତ ପ୍ରାଥମିକତାକୁ ଅଧିକ ଖୋଲାଖୋଲି ଭାବେ ବ୍ୟକ୍ତ କରୁଥିଲେ ଏବଂ ଏକ ପୁରୁଷ ଶରୀର ପାଇବା ପାଇଁ ନିଜର ଇଚ୍ଛା ଜାହିର କରିଥିଲେ। ତେବେ ସେ କେବଳ ବିଧିଙ୍କ ସହିତ ନିଜର ମନ କଥା ବାଣ୍ଟି ପାରୁଥିଲେ। ‘‘ମୁଁ ସେତେବେଳେ ଜାଣିନଥିଲି ଯେ ‘ପରଲିଙ୍ଗି’ (ଟ୍ରାନ୍ସମ୍ୟାନ)ର ଅର୍ଥ କ’ଣ,’’ ଆରୁଷ କୁହନ୍ତି। ‘‘ମୁଁ ନିଜ ମନରେ ଏହି ଅନୁଭବ କରୁଥିଲି ଯେ, ମୁଁ ଏକ ପୁରୁଷ ଶରୀର ଚାହୁଁଛି।’’

ସେ ଟ୍ରାକ ପ୍ୟାଣ୍ଟ, କାର୍ଗୋ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିବାକୁ ଭଲ ପାଉଥିଲେ। ତାଙ୍କର ଏମିତି ପୁରୁଷ ବେଶ ହେବାକୁ ତାଙ୍କ ମା’ ପସନ୍ଦ କରୁନଥିଲେ ଏବଂ ମା’ ତାଙ୍କର ପୋଷାକକୁ ଲୁଚାଇ ଦେଉଥିଲେ କିମ୍ବା ଚିରି ଦେଉଥିଲେ। ପୁଅଙ୍କ ଭଳି ବେଶ ହେଉଥିବାରୁ ଆରୁଷଙ୍କ ମା’ ତାଙ୍କୁ ଗାଳି ଦେଉଥିଲେ ଓ ମାଡ଼ ମଧ୍ୟ ମାରୁଥିଲେ। ସେ ତାଙ୍କୁ ଝିଅଙ୍କ ପୋଷାକ ଆଣି ଦେଇଥିଲେ। ‘‘ମୁଁ ସାଲୱାର କମୀଜ ପିନ୍ଧିବାକୁ ଭଲ ପାଉନଥିଲି,’’ ସେ କୁହନ୍ତି। ଆରୁଷ କେବଳ ସ୍କୁଲରେ ହିଁ ଏହାକୁ ପିନ୍ଧୁଥିଲେ କାରଣ ତାହା ଝିଅମାନଙ୍କ ପାଇଁ ୟୁନିଫର୍ମ ଥିଲା। ତାହା ତାଙ୍କୁ ‘‘ଅଣନିଶ୍ୱାସୀ’’ କରି ଦେଉଥିଲା, ସେ କୁହନ୍ତି।

Aarush liked to dress up as a boy and felt suffocated when dressed in a salwar kameez his mother had bought him. His family would say, ‘Be more like a girl...stay within your limits.'
PHOTO • Aakanksha

ଆରୁଷ ପୁଅଙ୍କ ଭଳି ପୋଷାକ ପିନ୍ଧିବାକୁ ଭଲ ପାଉଥିଲେ ଏବଂ ମା’ ତାଙ୍କ ପାଇଁ ଆଣିଥିବା ସାଲୱାର କମୀଜ ପିନ୍ଧିବା ସମୟରେ ସେ ଅଣନିଶ୍ୱାସୀ ହୋଇପଡ଼ୁଥିଲେ। ପରିବାର ଲୋକମାନେ ତାଙ୍କୁ କହୁଥିଲେ, ‘ଝିଅଙ୍କ ଭଳି ହୁଅ... ନିଜ ସୀମା ଭିତରେ ରୁହ’

ଦଶମ ଶ୍ରେଣୀରେ ଆରୁଷଙ୍କର ଯେତେବେଳେ ଋତୁସ୍ରାବ ହେଲା, ତାଙ୍କ ମା’ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହିନଥିଲା। ପାଖାପାଖି ଏକ ବର୍ଷ ପରେ, ଆରୁଷଙ୍କର ଋତୁସ୍ରାବ ଅନିୟମିତ ହୋଇଯାଇଥିଲା ଏବଂ ଶେଷରେ ବନ୍ଦ ହୋଇଗଲା। ତାଙ୍କ ମା’ ତାଙ୍କୁ ଡାକ୍ତର ଓ ବୈଦ୍ୟଙ୍କୁ ନେଇ ଦେଖାଇଲେ। ସେମାନେ ଭିନ୍ନ ବଟିକା ଓ ମିଶ୍ରଣ ଦେଲେ, କିନ୍ତୁ କିଛି ପରିବର୍ତ୍ତନ ହେଲା ନାହିଁ।

ପଡ଼ୋଶୀ, ଶିକ୍ଷକ ଓ ସ୍କୁଲ ସହପାଠୀମାନେ ତାଙ୍କୁ ଉପହାସ କରୁଥିଲେ। ‘‘ସେମାନେ କହୁଥିଲେ, ‘ଝିଅଙ୍କ ଭଳି ରୁହ... ନିଜ ସୀମା ଭିତରେ ରୁହ।’ ଏହା ମଧ୍ୟ ମୋତେ ସଚେତନ କରିଥିଲା ଯେ ମୋର ଏବେ ବିବାହ ବୟସ ଆସିଯାଇଛି।’’ ଭିନ୍ନ ଅନୁଭବ କରିବା ଲାଗି, ଆରୁଷ ସବୁବେଳେ ନିଜ ଉପରେ ସନ୍ଦେହ କରିବାକୁ ଲାଗିଲେ ଏବଂ ନିଜକୁ ନେଇ ହତାଶ ହୋଇପଡ଼ୁଥିଲେ। ‘‘ଲାଗିଲା ଯେମିତି ମୁଁ କିଛି ଭୁଲ କରି ଦେଇଛି,’’ ସେ କୁହନ୍ତି।

ଏକାଦଶ ଶ୍ରେଣୀରେ ଆରୁଷଙ୍କୁ ଯେତେବେଳେ ଏକ ମୋବାଇଲ ଫୋନ୍‌ ମିଳିଲା, ସେ ଘଣ୍ଟା ଘଣ୍ଟା ଅନଲାଇନରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ମାଧ୍ୟମରେ ମହିଳାରୁ ପୁରୁଷରେ ପରିବର୍ତ୍ତିତ ହେବାର ସମ୍ଭାବନା ଖୋଜୁଥିଲେ। ଏହାକୁ ନେଇ ବିଧି ପ୍ରଥମେ ପ୍ରଥମେ ଦ୍ୱିଧା ଅନୁଭବ କରୁଥିଲେ। ‘‘ସେ ଯେମିତି ଥିଲେ; ମୁଁ ତାଙ୍କୁ ସେମିତି ପସନ୍ଦ କରୁଥିଲି। ଆରମ୍ଭରୁ ସେ ଏହାକୁ ନେଇ ସଚ୍ଚୋଟ ଥିଲେ। ସେ ଶାରୀରିକ ଭାବେ ପରିବର୍ତ୍ତିତ ହେବାକୁ ଚାହୁଁଥିଲେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ତାଙ୍କର ପ୍ରକୃତି ବଦଳିଯିବ,’’ ସେ କୁହନ୍ତି।

*****

୨୦୧୯ରେ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ସମୟରେ ବିଧି ସ୍କୁଲ ଛାଡ଼ି ଦେଇଥିଲେ। ଆରୁଷ, ଜଣେ ପୋଲିସ ଅଧିକାରୀ ହେବାକୁ ଚାହୁଁଥିଲେ। ପୋଲିସ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଲାଗି ସେ ପାଲଘରର ଏକ କୋଚିଂ ସେଣ୍ଟରରେ ନାମ ଲେଖାଇଥିଲେ। ଆରୁଷୀ ନାମରେ, ଜଣେ ମହିଳା ପ୍ରାର୍ଥୀ ଭାବେ ତାଙ୍କୁ ଆବେଦନ କରିବାର ଥିଲା। କିନ୍ତୁ, ୨୦୨୦ରେ ହେବାକୁ ଥିବା ପରୀକ୍ଷା, ଦେଶବ୍ୟାପୀ କୋଭିଡ-୧୯ ଲକଡାଉନ ଲାଗୁ ହେବା କାରଣରୁ ବାତିଲ କରି ଦିଆଗଲା। ତେଣୁ ସେ ପତ୍ର ବିନିମୟ ପାଠ୍ୟକ୍ରମ ଜରିଆରେ କଳାରେ ସ୍ନାତକ ପଢ଼ିବା ଲାଗି ନିଷ୍ପତ୍ତି ନେଲେ।

ଆରୁଷ ଓ ବିଧିଙ୍କ ପାଇଁ ଲକଡାଉନ୍‌ ଅତି କଷ୍ଟକର ସମୟ ଥିଲା। ବିଧିଙ୍କ ଘରେ ତାଙ୍କ ବାହାଘରକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ସେ ଆରୁଷଙ୍କ ସହିତ ରହିବା ଲାଗି ଚାହୁଁଥିଲେ। ଏଭଳି ସ୍ଥିତିରେ ଘରୁ ଲୁଚି ପଳାଇବା ହିଁ ଏକମାତ୍ର ବିକଳ୍ପ ଥିଲା। ପୂର୍ବରୁ ତାଙ୍କ ସହିତ ଲୁଚି ପଳାଇବା ଲାଗି ଆରୁଷ ଯେତେବେଳେ ବିଧିଙ୍କୁ ପ୍ରସ୍ତାବ ଦେଇଥିଲେ, ସେ ରାଜି ହେଉନଥିଲେ। ‘‘ତାହା ଭୟଙ୍କର ଥିଲା... ଏମିତି ଛାଡ଼ି ଚାଲିଯିବା ସହଜ ନଥିଲା’’ ସେ କୁହନ୍ତି।

Running away was the only option and Mumbai seemed to offer dreams, choices and freedom
PHOTO • Aakanksha

ଲୁଚି ପଳାଇବା ହିଁ ଏକମାତ୍ର ବିକଳ୍ପ ଥିଲା ଏବଂ ମୁମ୍ବାଇ ସେମାନଙ୍କୁ ସ୍ୱପ୍ନ, ପସନ୍ଦ ଏବଂ ସ୍ୱାଧୀନତା ଦେଉଥିଲା

ଲକଡାଉନ ପରେ, ଆରୁଷ ଅଗଷ୍ଟ ୨୦୨୦ରେ ଏକ ଔଷଧ ବିନିର୍ମାଣ ୟୁନିଟ୍‌ରେ କାମ ଆରମ୍ଭ କଲେ ଏବଂ ମାସିକ ୫,୦୦୦ ଟଙ୍କା ପାରିଶ୍ରମିକ ପାଉଥିଲେ। ‘‘ମୁଁ କେମିତି ରହିବାକୁ ଚାହୁଁଥିଲି କେହି ବୁଝିପାରୁନଥିଲେ। ଏହା ଅତ୍ୟନ୍ତ ଅଶ୍ୱସ୍ତିକର ଥିଲା। ମୁଁ ଜାଣିଥିଲି ଯେ ଘରୁ ଲୁଚି ପଳାଇଯିବା ହିଁ ଏକମାତ୍ର ବିକଳ୍ପ,’’ ସେ କୁହନ୍ତି। ବିଧି ଏବଂ ନିଜ ପାଇଁ ଆଶ୍ରୟ ଖୋଜିବା ଲାଗି ଘରୋଇ ହିଂସା ପୀଡ଼ିତଙ୍କ ଉଦ୍ଧାର ପାଇଁ କାର୍ଯ୍ୟ କରୁଥିବା ଗୋଷ୍ଠୀ ଓ ଅଣ-ସରକାରୀ ସଂଗଠନ (ଏନଜିଓ) ସହ ସେ ଯୋଗାଯୋଗ କରିବା ଆରମ୍ଭ କଲେ।

ଅପବାଦ ଓ ଉତ୍ପୀଡ଼ନ କାରଣରୁ ଅଧିକାଂଶ ସମଲିଙ୍ଗୀ ଲୋକ, ବିଶେଷ କରି ଗ୍ରାମୀଣ ଭାରତରେ, ଘର ଛାଡ଼ି ଏକ ନିରାପଦ ସ୍ଥାନକୁ ଚାଲିଯାଇଥାନ୍ତି। ୨୦୨୧ରେ ଜାତୀୟ ମାନବାଧିକାର ଆୟୋଗଙ୍କ ପକ୍ଷରୁ ପଶ୍ଚିମବଙ୍ଗର ସମଲିଙ୍ଗୀ ଲୋକମାନଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ‘‘ଲିଙ୍ଗଗତ ଅଭିବ୍ୟକ୍ତିକୁ ଲୁଚାଇବାକୁ ପରିବାର ପକ୍ଷରୁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥାଏ।’’ ସେମାନଙ୍କ ପରିବାର, ବନ୍ଧୁ ଓ ସମାଜର ଭେଦଭାବପୂର୍ଣ୍ଣ ବ୍ୟବହାର କାରଣରୁ ପ୍ରାୟ ଅଧା ଲୋକ ଘର ଛାଡ଼ି ଚାଲି ଯାଇଥାନ୍ତି।

ଆରୁଷ ଓ ବିଧିଙ୍କ ପାଇଁ ମୁମ୍ବାଇ ଏକ ସୁଲଭ ସ୍ଥାନ ଥିଲା। ଆରୁଷ ସେଠାରେ ନିଜର ଅସ୍ତ୍ରୋପଚାର ମଧ୍ୟ କରାଇପାରିଥାନ୍ତେ । ତେଣୁ ମାର୍ଚ୍ଚ ୨୦୨୧ର ଏକ ଅପରାହ୍ଣରେ, ବିଧି ଡାକ୍ତରଖାନାକୁ ଯିବାକୁ କହି ଏବଂ ଆରୁଷ କାମକୁ ଯାଉଥିବା କହି ଘରୁ ଚାଲି ଆସିଲେ। ଉଭୟ ଗୋଟିଏ ସ୍ଥାନରେ ବସ୍‌ ଧରିବା ଲାଗି ପହଞ୍ଚିଥିଲେ। ଆରୁଷ ନିଜ ରୋଜଗାରରୁ ସଞ୍ଚୟ କରି ରଖିଥିବା ୧୫,୦୦୦ ଟଙ୍କା ସାଥୀରେ ଆଣିଥିଲେ। ସେ ମଧ୍ୟ ତାଙ୍କ ମା’ଙ୍କର ଏକମାତ୍ର ସୁନା ଚେନ ଓ ହଳେ କାନଫୁଲ ସାଥୀରେ ନେଇ ଆସିଥିଲେ। ସୁନା ବିକ୍ରି କରି ସେ ୧୩,୦୦୦ ଟଙ୍କା ପାଇଥିଲେ। ‘‘ଏହାକୁ ବିକ୍ରି କରିବା ମୋତେ ଭଲ ଲାଗିଲା ନାହିଁ କିନ୍ତୁ ମୁଁ ଭୟଭୀତ ଥିଲି ଓ ନଗଦ ଟଙ୍କା ହାତରେ ସୁରକ୍ଷିତ ଭାବେ ରଖିଥିଲି। ମୁଁ କୌଣସି ରିସ୍କ ନେବାକୁ ଚାହୁଁନଥିଲି, କାରଣ ଆମେ ଘରକୁ ଫେରିପାରିବୁ ନାହିଁ,’’ ସେ କହିଥାନ୍ତି।

*****

ମୁମ୍ବାଇରେ ଏକ ଏନଜିଓର ସ୍ୱେଚ୍ଛାସେବୀମାନେ ଏହି ଯୋଡ଼ିକୁ ସହରରେ ଊର୍ଜା ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏକ ଆଶ୍ରୟସ୍ଥଳୀକୁ ନେଇଗଲେ। ସ୍ଥାନୀୟ ପୋଲିସ ଷ୍ଟେସନକୁ ସୂଚନା ଦିଆଗଲ। ‘‘ଯେହେତୁ ଉଭୟ ବୟସ୍କ ଥିଲେ, ସେଥିପାଇଁ ପୋଲିସକୁ ସୂଚନା ଦିଆଯିବାର କୌଣସି ଆବଶ୍ୟକତା ନଥିଲା। କିନ୍ତୁ, ବେଳେବେଳେ କେତେକ ଜଟିଳ ମାମଲାରେ, ପରିବାର ଏମାନଙ୍କୁ କ୍ଷତି ପହଞ୍ଚାଇବା ଲାଗି ଚେଷ୍ଟା କରିପାରେ, ସେଥିପାଇଁ ଆମେ ସେମାନଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ପୋଲିସକୁ ସାମିଲ କରିବା ପାଇଁ ଚେଷ୍ଟା କରିଥାଉ,’’ ମାନବାଧିକାର କର୍ମୀ ଓ ଊର୍ଜା ଟ୍ରଷ୍ଟର କାର୍ଯ୍ୟକ୍ରମ ପରିଚାଳନ ଅଙ୍କିତା କୋହିରକର କୁହନ୍ତି ।

ତେବେ, ଏହି ପଦକ୍ଷେପର ବିପରୀତ ପରିଣାମ ମିଳିଲା। ପୋଲିସ ଷ୍ଟେସନରେ ଅଧିକାରୀମାନେ ଓଲଟା ସେମାନଙ୍କୁ ପ୍ରଶ୍ନ କରିବା ଆରମ୍ଭ କଲେ। ‘‘ସେମାନେ ଆମକୁ ଗାଁକୁ ଫେରିଯିବା ଲାଗି କହିଲେ। ଏମିତି ସମ୍ପର୍କ ବେଶୀଦିନ ତିଷ୍ଠି ରହିବ ନାହିଁ। ଏହା ଭୁଲ ବୋଲି ସେମାନେ କହିଥିଲେ,’’ ଆରୁଷ ସେଦିନ କଥା ମନେ ପକାଇ କୁହନ୍ତି। ପୋଲିସ ଉଭୟଙ୍କ ପରିବାରକୁ ଖବର ଦେଲା। ପରିବାର ଲୋକମାନେ ଏବେ ବି ସେମାନଙ୍କ ଘର ଛାଡ଼ି ଚାଲିଯିବାକୁ ନେଇ ଅସନ୍ତୁଷ୍ଟ ଥିଲେ। ସେତେବେଳକୁ, ଆରୁଷଙ୍କ ମା’ ନିକଟସ୍ଥ ପୋଲିସ ଥାନାରେ ଏକ ନିଖୋଜ ଅଭିଯୋଗ କରିସାରିଥିଲେ ଏବଂ ବିଧିଙ୍କ ପରିବାର ଆରୁଷଙ୍କ ଘରକୁ ଯାଇ ପରିବାରକୁ ଧମକଚମକ ଦେଇ ଆସିଥିଲେ।

Vidhhi has put aside her dreams to study further, and instead is helping save for Aarush's hormone therapy and gender reassignment surgeries
PHOTO • Aakanksha

ଅଧିକ ପଢ଼ିବା ପାଇଁ ନିଜର ସ୍ୱପ୍ନ କୁ ପରିତ୍ୟାଗ କରି ଆରୁଷଙ୍କ ହରମୋନ ଥେରାପୀ ଓ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାରରେ ସହାୟତା କରିବା ଲାଗି ବିଧି ରୋଜଗାର କରୁଛନ୍ତି

ଉଭୟ କେଉଁଠି ଅଛନ୍ତି ବୋଲି ଯେଉଁ ଦିନ ଦୁଇ ପରିବାର ଜାଣିଲେ, ଠିକ୍‌ ସେହି ଦିନ ହିଁ ସେମାନେ ମୁମ୍ବାଇ ଚାଲି ଆସିଲେ। ‘‘ଭାଇ (ବଡ଼ ଭାଇ) ମୋତେ ଶାନ୍ତ ଭାବେ ଫେରିଯିବା ଲାଗି କହିଲା। ମୁଁ ତା’କୁ କେବେ ବି ଏମିତି ଦେଖିନଥିଲି। ସେଠାରେ ପୋଲିସ ଥିବାରୁ ସେ ଏମିତି ବ୍ୟବହାର କରିଥିଲା,’’ ବିଧି କୁହନ୍ତି।

ଆରୁଷଙ୍କ ମା’ ସେମାନଙ୍କୁ ଫେରିଯିବା ପାଇଁ ବେଶୀ ବାଧ୍ୟ କରିଥିଲେ। ‘‘ଏପରିକି ଆମକୁ ସାଥୀରେ ନେଇଯିବା ପାଇଁ ପୋଲିସ ଆଇ ଙ୍କୁ କହିଥିଲା କାରଣ ସେହି କେନ୍ଦ୍ର ମହିଳାଙ୍କ ପାଇଁ ଠିକ୍ ସ୍ଥାନ ନଥିଲା,’’ ଆରୁଷ ମନେ ପକାଇ କୁହନ୍ତି। ସୌଭାଗ୍ୟବଶତଃ ଉର୍ଜାର କର୍ମୀମାନେ ହସ୍ତକ୍ଷେପ କରିଥିଲେ ଏବଂ ଉଭୟଙ୍କୁ ବାଧ୍ୟ କରି ନେଇଯିବାରୁ ପରିବାର ଲୋକଙ୍କୁ ଅଟକାଇଥିଲେ। ମା’ର ଗହଣା ବିକ୍ରି କରି ଆଣିଥିବା ଟଙ୍କା ମଧ୍ୟ ଆରୁଷ ଫେରାଇ ଦେଇଥିଲେ। ‘‘ଏହାକୁ ପାଖରେ ରଖି ମୋତେ ଭଲ ଲାଗୁନଥିଲା,’’ ସେ କୁହନ୍ତି।

ଗାଁରେ ସେଠି, ବିଧିଙ୍କ ପରିବାର ଲୋକମାନେ ଆରୁଷଙ୍କୁ ଦେହ ବ୍ୟବସାୟରେ ଲିପ୍ତ ଥିବା ଅଭିଯୋଗ ଆଣିଥିଲେ ଏବଂ ବିଧିଙ୍କୁ ବାଧ୍ୟ କରି ସାଥୀରେ ନେଇଯାଇଥିବା କହିଥିଲେ। ପରିଣାମ ଭଲ ହେବ ନାହିଁ ବୋଲି କହି ତାଙ୍କ ଭାଇ ଓ ପରିବାର ଲୋକମାନେ ଆରୁଷଙ୍କ ପରିବାରକୁ ଧମକ ଦେବା ଜାରି ରଖିଥିଲେ। ‘‘ବିଧିର ଭାଇ ମୋ ଭାଇଙ୍କୁ ମାମଲା ସମାଧାନ କରିବା ଲାଗି ଏକାକୀ ଦେଖା କରିବାକୁ ଡାକୁଛନ୍ତି। କିନ୍ତୁ ସେ ଯିବେ ନାହିଁ; ସେମାନେ କିଛି ବି କରିପାରନ୍ତି,’’ ଆରୁଷ କୁହନ୍ତି।

*****

କେନ୍ଦ୍ରୀୟ ମୁମ୍ବାଇର ଆଶ୍ରୟସ୍ଥଳୀରେ ରହିଥିଲେ ମଧ୍ୟ, ଆରୁଷ ଓ ବିଧି ନିଜକୁ ଅସୁରକ୍ଷିତ ମଣିଥିଲେ। ‘‘ଆମେ କାହା ଉପରେ ବିଶ୍ୱାସ କରିପାରିବୁ ନାହିଁ। କିଏ ଜାଣେ ଗାଁରୁ କେତେବେଳେ କେହି ଫେରିଆସିବ,’’ ଆରୁଷ କୁହନ୍ତି। ତେଣୁ ସେମାନେ ୧୦,୦୦୦ ଟଙ୍କା ଜମା ଦେଇ ଏକ ଭଡ଼ା ଘରକୁ ଚାଲି ଆସିଥିଲେ। ସେମାନେ ଏହି ଘର ପାଇଁ ମାସିକ ୫,୦୦୦ ଟଙ୍କା ଭଡ଼ା ଦେଉଛନ୍ତି। ‘‘ଜମି ମାଲିକ ଆମ ସମ୍ପର୍କ ବିଷୟରେ ଜାଣନ୍ତି ନାହିଁ। ଆମକୁ ଏହା ଲୁଚାଇବାକୁ ହେବ। ଆମେ ଘର ଖାଲି କରିବାକୁ ଚାହୁଁନାହୁଁ,’’ ସେ କୁହନ୍ତି।

ଆରୁଷ ଏବେ ଲିଙ୍ଗ ପରିବର୍ତ୍ତନ ଉପରେ ଧ୍ୟାନ ଦେଉଛନ୍ତି, ଏଥିରେ ଅସ୍ତ୍ରୋପଚାର ଓ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ରହିଛି। ସେ କେବଳ ଗୁଗଲ ଓ ହ୍ୱାଟ୍ସଆପ୍‌ ଗ୍ରୁପରୁ ଏହାର ପ୍ରକ୍ରିୟା, ଡାକ୍ତର ଓ ଖର୍ଚ୍ଚ ବିଷୟରେ ସୂଚନା ପାଇପାରୁଛନ୍ତି ।

ଥରେ ସେ ମୁମ୍ବାଇର ଏକ ସରକାରୀ ଡାକ୍ତରଖାନାରେ ଯୋଗାଯୋଗ କରିଥିଲେ, କିନ୍ତୁ ଆଉ ସେଠାକୁ ଗଲେ ନାହିଁ। ‘‘ଡାକ୍ତର ମୋର ସହାୟତା କରିବା ପରିବର୍ତ୍ତେ ମୋତେ ଅସ୍ତ୍ରୋପଚାର ନକରିବା ଲାଗି ରାଜି କରାଉଥିଲେ। ସେ ପରିସ୍ଥିତି ବୁଝି ପାରୁନଥିଲେ। ଏପରିକି ସେ ମୋତେ ମୋର ମାତାପିତାଙ୍କୁ ଫୋନ୍‌ କରି ଅନୁମତି ନେବା ପାଇଁ କହିଥିଲେ। ମୁଁ ଖୁବ୍‌ ରାଗି ଯାଇଥିଲି। ସେ ମୋ ପାଇଁ ପରିସ୍ଥିତିକୁ ଆହୁରି ଜଟିଳ କରି ଦେଉଥିଲେ,’’ ଆରୁଷ କୁହନ୍ତି ।

Vidhhi has noticed changes in Aarush's behaviour. 'There have been fights, but we have also sat down to discuss the issues. It affects me, too, but I am with him'
PHOTO • Aakanksha

ଆରୁଷଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିବା ବିଧି ଦେଖିଛନ୍ତି। ‘ଆମ ଭିତରେ ଝଗଡ଼ା ହେଉଛି କିନ୍ତୁ ଆମେ ଏକାଠି ବସି ଆଲୋଚନା କରି ସମସ୍ୟା ସମାଧାନ କରୁଛୁ। ଏହା ମୋତେ ପ୍ରଭାବିତ କରୁଛି, କିନ୍ତୁ ମୁଁ ତାଙ୍କ ସହିତ ରହିଛି’

ଆରୁଷ ଏବେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇବାର ବିକଳ୍ପ ଚୟନ କରିଛନ୍ତି। କାଉନସେଲିଂ ପରେ, ତାଙ୍କ ଠାରେ ଜେଣ୍ଡର ଡିସ୍ଫୋରିଆ ଥିବା ଚିହ୍ନଟ ହୋଇଛି। ଏଥିରେ କୌଣସି ବ୍ୟକ୍ତିଙ୍କ ଜୈବିକ ଲିଙ୍ଗ ଓ ଲିଙ୍ଗଗତ ପରିଚୟ ମଧ୍ୟରେ ଅମେଳ ଦେଖା ଦେଇଥାଏ । ଏହି କାରଣରୁ ସେ ଚାପ ଓ ଅସୁବିଧା ଭୋଗ କରିଥାନ୍ତି। ଡାକ୍ତରମାନେ ଆରୁଷଙ୍କୁ ହରମୋନ ଥେରାପୀ ନେବା ଲାଗି ସୁପାରିସ କରିଛନ୍ତି। ତେବେ, ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟା ବେଶ ଲମ୍ବା ଓ ବ୍ୟୟସାପେକ୍ଷ।

ପ୍ରତି ୨୧ ଦିନରେ ଥରେ ଟେଷ୍ଟୋଷ୍ଟୋରେନ୍‌ ଇଞ୍ଜେକ୍ସନ ଦିଆଯାଇଥାଏ, ଏହାର ପ୍ରତି କିଟ୍‌ ଦାମ୍‌ ୪୨୦ ଟଙ୍କା । ଇଞ୍ଜେକ୍ସନ ଦେବା ଲାଗି ଡାକ୍ତର ୩୫୦ ଟଙ୍କା ନେଇଥାନ୍ତି। ତା’ଛଡ଼ା ପ୍ରତି ୧୫ ଦିନରେ ଥରେ ଖାଇବା ଔଷଧ କିଣିବା ଲାଗି ୨୦୦ ଟଙ୍କା ଖର୍ଚ୍ଚ ପଡ଼ିଥାଏ। ପ୍ରତି ୨-୩ ମାସରେ, ଥରେ ହରମୋନ ଚିକିତ୍ସାର ପାର୍ଶ୍ଵ ପ୍ରତିକ୍ରିୟା ଜାଣିବା ଲାଗି ଆରୁଷଙ୍କୁ ରକ୍ତ ପରୀକ୍ଷା କରିବାକୁ ପଡ଼ିଥାଏ; ଏସବୁ ପରୀକ୍ଷା ପାଇଁ ପାଖାପାଖି ୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହୁଏ। ଥରେ ଡାକ୍ତରଖାନାକୁ ଗଲେ କାଉନସେଲରଙ୍କ ଚାର୍ଜ ୧,୫୦୦ ଟଙ୍କା ଏବଂ ଡାକ୍ତରୀ ପରାମର୍ଶ ପାଇଁ ୮୦୦-୧୦୦୦ ଟଙ୍କା ଦେବାକୁ ପଡ଼ିଥାଏ।

ଥେରାପୀର ପରିଣାମ ଏବେ ମିଳିବା ଆରମ୍ଭ କଲାଣି, ଯଦିଓ, ‘‘ମୋ ଭିତରେ ମୁଁ ପରିବର୍ତ୍ତନକୁ ଅନୁଭବ କରିପାରୁଛି,’’ ସେ କୁହନ୍ତି। ‘‘ଏବେ ମୋ କଣ୍ଠସ୍ୱର ଭାରୀ ହେଉଛି। ମୁଁ ଖୁସି ଅନୁଭବ କରୁଛି,’’ ଆରୁଷ କୁହନ୍ତି, ଆହୁରି ଚିକିତ୍ସାର ପାର୍ଶ୍ଵ ପ୍ରତିକ୍ରିୟା ସମ୍ପର୍କରେ ସେ କହିଥାନ୍ତି ଯେ, ‘‘ମୁଁ ବେଳେବେଳେ ବିରକ୍ତ ହେଉଛି ଏବଂ ରାଗି ମଧ୍ୟ ଯାଉଛି।’’

ଆରୁଷଙ୍କ ମନରେ ଏହି ଭୟ ରହିଛି ଯେ, ବିଧି ଦିନେ ତାଙ୍କ ସହିତ ଚାଲି ଆସିବାକୁ ନେଇ ଅନୁତାପ କରିବେ ଏବଂ ତାଙ୍କୁ ଆଉ ପସନ୍ଦ କରିବେ ନାହିଁ। ଆରୁଷ କୁହନ୍ତି, ‘‘ସେ ଏକ ଭଲ (ଉଚ୍ଚ ଜାତି) ପରିବାରରୁ ଆସିଛନ୍ତି। କିନ୍ତୁ କେବେ ବି ମୋତେ ନ୍ୟୁନ ଅନୁଭବ କରିବାକୁ ଦେଇନାହାନ୍ତି। ସେ ମଧ୍ୟ ଆମ ପାଇଁ କାମ (ରୋଜଗାର) କରୁଛନ୍ତି’’।

ଆରୁଷଙ୍କଠାରେ ବ୍ୟବହାରିକ ପରିବର୍ତ୍ତନକୁ ଦେଖି ବିଧି କୁହନ୍ତି, ‘‘ଆମ ଭିତରେ ଝଗଡ଼ା ଲାଗୁଛି, କିନ୍ତୁ ଉଭୟ ବସି ସମସ୍ୟାର ସମାଧାନ ପାଇଁ ଆଲୋଚନା କରୁଛୁ। ଏହା ମୋତେ ମଧ୍ୟ ପ୍ରଭାବିତ କରୁଛି, କିନ୍ତୁ ମୁଁ ତାଙ୍କ ସହିତ ଅଛି।’’ କମ୍ପ୍ୟୁଟର କିମ୍ବା ନର୍ସିଂ ଭଳି ଧନ୍ଦାମୂଳକ ପାଠ ପଢ଼ିବାର ବିଚାର ବିଧି ମନରୁ ବାହାର କରି ଦେଇଛନ୍ତି। ଘର ଚଳାଇବାରେ ସହାୟତା କରିବା ଲାଗି ସେ ଛୋଟମୋଟ କାମ କରୁଛନ୍ତି। ଏକ ଦକ୍ଷିଣ ଭାରତୀୟ ରେସ୍ତୋରାଁରେ ସେ  ବାସନ ଧୋଇ ମାସିକ ୧୦,୦୦୦ ଟଙ୍କା ଆୟ କରୁଛନ୍ତି । (ଡିସେମ୍ବର ୨୦୨୨ ଶେଷ ଭାଗରେ ତାଙ୍କର ଚାକିରି ଚାଲିଯାଇଛି) ଏହି ରୋଜଗାରର କିଛି ଭାଗ ଆରୁଷଙ୍କ ଚିକିତ୍ସାରେ ବିନିଯୋଗ ହେଉଛି।

Vidhhi in a shy moment
PHOTO • Aakanksha
Aarush is happy to have Vidhhi's support. 'She comes from a better [upper caste] family. But she never makes me feel less'
PHOTO • Aakanksha

ବାମ: ଏକ ଲାଜକୁଳା ମୁହୂର୍ତ୍ତରେ ବିଧି। ଡାହାଣ: ବିଧିଙ୍କ ସମର୍ଥନ ପାଇଁ ଆରୁଷ ଖୁସି। ‘ସେ ଭଲ (ଉଚ୍ଚ ଜାତି) ପରିବାରରୁ ଆସିଛନ୍ତି। କିନ୍ତୁ ସେ କେବେ ମୋତେ ଏହି ଅନୁଭବ କରିବାକୁ ଦେଇନାହାନ୍ତି’

ଗୋଟିଏ କୋଠାରେ ସୁରକ୍ଷା କର୍ମୀ ଭାବେ କାମ କରି ଆରୁଷ ପ୍ରତି ମାସରେ ୧୧,୦୦୦ ଟଙ୍କା ରୋଜଗାର କରୁଛନ୍ତି। ସହକର୍ମୀମାନେ ତାଙ୍କୁ ଜଣେ ପୁଅ ବୋଲି ଜାଣିଛନ୍ତି। ସେ ଛାତିକୁ ଚାପି ରଖିବା ପାଇଁ ଏକ ବାଇଣ୍ଡର ପିନ୍ଧୁଛନ୍ତି, ଯାହା ତାଙ୍କୁ ବେଶ୍‌ କଷ୍ଟ ଦେଉଛି।

‘‘ଆମେ ଦୁହେଁ ସାଥୀ ହୋଇ ଖୁବ୍‌ କମ ସମୟ ବିତାଉଛୁ କାରଣ ଆମେ ସକାଳୁ ଉଠି କାମ କରିବାକୁ ଚାଲିଯାଉଛୁ। କାମରୁ ଥକି ଯାଇ ଫେରୁଛୁ ଏବଂ ଆମ ଭିତରେ ଯୁକ୍ତିତର୍କ ହେଉଛି,’’ ବିଧି କୁହନ୍ତି।

ସେପ୍ଟେମ୍ବର ୨୦୨୨ରୁ ଡିସେମ୍ବର ୨୦୨୨ ମଧ୍ୟରେ ଆରୁଷ ନିଜ ଚିକିତ୍ସାରେ ୨୫,୦୦୦ ଟଙ୍କା ଖର୍ଚ୍ଚ କରିସାରିଲେଣି। ହରମୋନ ଥେରାପୀ ଚିକିତ୍ସା ପରେ, ସେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ବା ଏସଆରଏସ କରିବାକୁ ଚାହୁଁଛନ୍ତି, ଏଥିରେ ଛାତି ଓ ଲିଙ୍ଗ ପୁନର୍ଗଠନ ସାମିଲ ରହିଛି । ଏହି ଅସ୍ତ୍ରୋପଚାର ପାଇଁ ୫ ଲକ୍ଷରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେ ଏହି ଖର୍ଚ୍ଚ ବହନ କରିପାରିବେ ନାହିଁ କାରଣ ସେ ଓ ବିଧି ମିଶି ସେମାନଙ୍କର ବର୍ତ୍ତମାନର ଆୟରୁ ଅର୍ଥ ସଞ୍ଚୟ କରିବାରେ ସକ୍ଷମ ହେଉନାହାନ୍ତି।

ଅସ୍ତ୍ରୋପଚାର ନସରିବା ପର୍ଯ୍ୟନ୍ତ ଆରୁଷଙ୍କ ପରିବାର ଲୋକମାନେ ଏହି ଚିକିତ୍ସା ବିଷୟରେ ଜାଣନ୍ତୁ ବୋଲି ସେ ଚାହାନ୍ତି ନାହିଁ। ତାଙ୍କର ମନେ ଅଛି ସେ କେଶ ଛୋଟ କରି କାଟି ଦେବା ପରେ ଫୋନ୍‌ରେ ମା’ଙ୍କ ସହିତ ତାଙ୍କର ପ୍ରବଳ ଝଗଡ଼ା ହୋଇଥିଲା। ‘‘ସେ ଭାବୁଛନ୍ତି ଯେ ମୁମ୍ବାଇର ଲୋକମାନେ ମୋ ମୁଣ୍ଡରେ ଭୁଲ ଚିନ୍ତାଧାରା ଭର୍ତ୍ତି କରି ଦେଉଛନ୍ତି,’’ ଆରୁଷ କୁହନ୍ତି। ମା’ ତାଙ୍କୁ ଥରେ ମିଛ କହି ଗାଁ ପାଖରେ ଥିବା ଏକ ସ୍ଥାନକୁ ନେଇଯାଇଥିଲେ ଏବଂ ତାଙ୍କୁ ଜଣେ ତାନ୍ତ୍ରିକକୁ ଦେଖାଇଥିଲେ। ‘‘ସେ ଲୋକଟି ମୋତେ ପିଟିବାକୁ ଲାଗିଲା, ମୋ ମୁଣ୍ଡକୁ ବାଡ଼େଇ ବାରମ୍ବାର କହି ଚାଲିଲା ଯେ, ‘ତୁମେ ଜଣେ ଝିଅ, ପୁଅ ନୁହଁ’।’’ ଭୟରେ ଅତିଷ୍ଠ ହୋଇ ଆରୁଷ ସେଠାରୁ ଦୌଡ଼ି ଚାଲି ଆସିଥିଲେ ।

*****

‘‘ଯଦି ସରକାରୀ ଡାକ୍ତରମାନେ ଭଲ ହୋଇଥାନ୍ତେ, ତା’ହେଲେ ମୋତେ ଏତେ ବ୍ୟୟବହୁଳ ଚିକିତ୍ସା ନେବାକୁ ଦରକାର ପଡ଼ିନଥାନ୍ତା,’’ ଆରୁଷ କୁହନ୍ତି। ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ଏବଂ ହରମୋନ ଥେରାପୀ ପୂର୍ବରୁ ଏବଂ ପରେ ଆବଶ୍ୟକ ପରାମର୍ଶ ଯୋଗାଇ ଦେବା ସହିତ ଚିକିତ୍ସା ସୁବିଧା ପ୍ରଦାନ କରିବା ଲାଗି ସମଲିଙ୍ଗ ବ୍ୟକ୍ତି (ଅଧିକାର ସୁରକ୍ଷା) ଆଇନ, ୨୦୧୯ରେ ସରକାରଙ୍କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଇନରେ କୁହାଯାଇଛି ଯେ ଚିକିତ୍ସା ବାବଦ ଖର୍ଚ୍ଚ ସ୍ଵାସ୍ଥ୍ୟ ବୀମା ଯୋଜନା ମାଧ୍ୟମରେ ବହନ କରାଯିବ। ସମଲିଙ୍ଗିମାନଙ୍କୁ ଚିକିତ୍ସା ଓ ଉପଚାରରୁ ବଞ୍ଚିତ ନକରିବା ଲାଗି ମଧ୍ୟ ଏହି ଆଇନରେ ଅଧିକାର ପ୍ରଦାନ କରାଯାଇଛି।

ଏହି ଆଇନ କାର୍ଯ୍ୟକାରୀ ହେବା ପରଠାରୁ, କେନ୍ଦ୍ର ସାମାଜିକ ନ୍ୟାୟ ଓ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ରେ ସମଲିଙ୍ଗି ବ୍ୟକ୍ତିଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ୨୦୨୦ରେ ସରକାର ସମଲିଙ୍ଗ ବ୍ୟକ୍ତିଙ୍କ ପାଇଁ ଜାତୀୟ ପୋର୍ଟାଲର ଶୁଭାରମ୍ଭ କରିଥିଲେ। କୌଣସି ସରକାରୀ କାର୍ଯ୍ୟାଳୟକୁ ନଯାଇ ସମଲିଙ୍ଗି ଲୋକମାନେ ଏଥିରୁ ପରିଚୟ ପ୍ରମାଣପତ୍ର ଏବଂ ପରିଚୟପତ୍ର ପାଇପାରିବେ।

Vidhhi wearing a ring that Aarush gave her as a neckpiece
PHOTO • Aakanksha
Aarush and Vidhhi are full of hope. 'Why should we live in fear?'
PHOTO • Aakanksha

ବାମ: ଆରୁଷ ଦେଇଥିବା ଏକ ରିଙ୍ଗକୁ ବିଧି ଗଳାରେ ପକାଇଛନ୍ତି। ଡାହାଣ: ଆରୁଷ ଓ ବିଧି ସମ୍ପୂର୍ଣ୍ଣ ଆଶାରେ ରହିଛନ୍ତି। ‘ଆମେ କାହିଁକି ଭୟଭୀତ ହୋଇ ବଞ୍ଚିବୁ?’

ଆରୁଷ ଅନେକ ଯୋଜନା ବିଷୟରେ ଅନଭିଜ୍ଞ ଅଛନ୍ତି ତେବେ ସେ ପରିଚୟ ଦସ୍ତାବିଜ ପାଇଁ ଆବେଦନ କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେ ଏହାକୁ ପାଇନାହାନ୍ତି। ତେବେ, ପୋର୍ଟାଲ କହୁଛି ଯେ, ‘‘ଆବେଦନ ମିଳିବାର ୩୦ ଦିନ ମଧ୍ୟରେ ସମଲିଙ୍ଗ ପ୍ରମାଣପତ୍ର ଓ ପରିଚୟପତ୍ର ଜାରି କରିବା ଜିଲ୍ଲା କର୍ତ୍ତୃପକ୍ଷଙ୍କ ପାଇଁ ବାଧ୍ୟତାମୂଳକ।’’ ଜାନୁଆରୀ ୨, ୨୦୨୩ ସୁଦ୍ଧା ମହାରାଷ୍ଟ୍ର ରାଜ୍ୟରେ ଏଭଳି ଦସ୍ତାବିଜ ପାଇଁ ୨,୦୮୦ ଆବେଦନ ମିଳିଥିବା ବେଳେ ୪୫୨ଟି ଆବେଦନ ମଞ୍ଜୁରି ଅପେକ୍ଷାରେ ପଡ଼ି ରହିଛି।

ପରିଚୟ ପ୍ରମାଣପତ୍ର ନମିଳିଲେ ତାଙ୍କୁ ଆରୁଷୀ ନାମରେ ବିଏ ଡିଗ୍ରୀ ମିଳିବ ଏବଂ ଏଥିପାଇଁ ଆଗକୁ ଆହୁରି ଜଟିଳ କାଗଜପତ୍ର କାମ କରିବାକୁ ପଡ଼ିବ ଯାହାକୁ ନେଇ ନେଇ ଆରୁଷ ଚିନ୍ତିତ ଅଛନ୍ତି। ଏବେ ବି ସେ ପୁଲିସ ବାହିନୀରେ ଯୋଗ ଦେବାକୁ ଆଗ୍ରହୀ ଅଛନ୍ତି, କିନ୍ତୁ ଜଣେ ପୁରୁଷ ଭାବେ ଏବଂ ତାଙ୍କର ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ପରେ। ବିହାରରେ ପ୍ରଥମ ପରଲିଙ୍ଗି ପୁରୁଷ ରାଜ୍ୟ ପୋଲିସ ବାହିନୀରେ ନିଯୁକ୍ତି ପାଇବା ଲାଗି ତାଙ୍କର ଆଶା ବଢ଼ାଇ ଦେଇଛି। ‘‘ଏହା ଦେଖି ଭଲ ଲାଗିଥାଏ। ମୁଁ ଅଧିକ ଆଶାବାଦୀ ଅନୁଭବ କରିଥାଏ,’’ ଆରୁଷ କୁହନ୍ତି। ସେ ଏବେ ନିଜର ଅସ୍ତ୍ରୋପଚାର ପାଇଁ କାମ କରୁଛନ୍ତି ଓ ଅର୍ଥ ସଞ୍ଚୟ କରୁଛନ୍ତି।

ଲୋକମାନେ ସମସ୍ତଙ୍କୁ ଗ୍ରହଣ କରିବା ଶିଖି ନିଅନ୍ତୁ ବୋଲି ଆରୁଷଙ୍କର ଆଶା ରହିଛି। ତା’ହେଲେ ଯାଇ ସେମାନଙ୍କୁ ନିଜ ଘର ଓ ଗାଁ ଛାଡ଼ି ଏମିତି ଲୁଚିବାକୁ ପଡ଼ିବ ନାହିଁ। ‘‘ମୁଁ ବହୁତ କାନ୍ଦିଛି ଓ ଜୀବନ ହାରି ଦେବାକୁ ଚାହିଁଛି। ଆମେ କାହିଁକି ଭୟଭୀତ ହୋଇ ବଞ୍ଚିବୁ? କୌଣସି ଦିନ ଆମେ ନିଜ ନାଁ ନଲୁଚାଇ ନିଜର କାହାଣୀ କହିବା ଲାଗି ଚାହୁଁଛୁ,’’ ଆରୁଷ କୁହନ୍ତି।

‘‘ ମୁଗଲ-ଇ-ଆଜମ ର ଶେଷ ଭାଗ ଦୁଃଖଦାୟକ ଥିଲା। ଆମର ସେମିତି ନହେଉ,’’ ବିଧି ସ୍ମିତ ହସି କୁହନ୍ତି।

ଉଭୟଙ୍କ ଗୋପନୀୟତା ବଜାୟ ରଖିବା ଲାଗି ଛଦ୍ମନାମ ବିଧି ଓ ଆରୁଷ ବ୍ୟବହାର କରାଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Aakanksha

Aakanksha (she uses only her first name) is a Reporter and Content Editor at the People’s Archive of Rural India.

Other stories by Aakanksha
Editor : Pratishtha Pandya

Pratishtha Pandya is a poet and a translator who works across Gujarati and English. She also writes and translates for PARI.

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE