ଚେନ୍ନାଇସ୍ଥିତ ନୂତନ ମହାନଗର ନିଗମ ଦ୍ୱାରା ପରିଚାଳିତ ସ୍କୁଲରେ ପ୍ରଥମ ଦିନରେ ୮ବର୍ଷ ବୟସ୍କ ରଘୁ କଳାପଟାରେ କିମ୍ବା ତାଙ୍କ ସାମ୍ନାରେ ଥିବା ପାଠବହିର ତାମିଲ ଭାଷାରେ ଲେଖାଯାଇଥିବା ପାଠରୁ ଗୋଟିଏ ଅକ୍ଷର ମଧ୍ୟ ବୁଝିପାରିଲେ ନାହିଁ । ଘରେ  ଅର୍ଥାତ୍‌ ଉତ୍ତରପ୍ରଦେଶର ନାଓଲି ଗାଁରେ ଥିବା ତାଙ୍କ ବିଦ୍ୟାଳୟରେ ସେ ହିନ୍ଦୀ କିମ୍ବା ଭୋଜପୁରି ଭାଷାରେ ପଢ଼ିବା, ଲେଖିବା ଏବଂ କଥାବାର୍ତ୍ତା କରିବାରେ ଅଭ୍ୟସ୍ତ ଥିଲେ ।

ବର୍ତ୍ତମାନ ସେ କେବଳ ବହିରେ ଥିବା ଚିତ୍ରଗୁଡ଼ିକୁ ଦେଖି ଏଥିରେ କ’ଣ ଲେଖା ହୋଇଛି ତାହା ଅନୁମାନ କରିବାକୁ ଚେଷ୍ଟା କରିପାରିବେ । ସେ କୁହନ୍ତି, ‘‘ଗୋଟିଏ ବହିରେ ମିଶାଣ-ଫେଡ଼ାଣ ଚିହ୍ନ ଅଛି, ତେଣୁ ତାହା ଗଣିତ ବହି ଥିଲା; ଅନ୍ୟ ବହି ହୁଏତ ବିଜ୍ଞାନ ଥିଲା ଏବଂ ଆଉ ଏକ ବହିରେ ମହିଳା, ଛୋଟପିଲା, ଘର ଏବଂ ଗୋଟିଏ ପର୍ବତ ଥିଲା ।’’

ଚତୁର୍ଥ ଶ୍ରେଣୀର ଦ୍ୱିତୀୟ ଧାଡ଼ିରେ ଗୋଟିଏ ବେଞ୍ଚରେ ସେ ଚୁପ୍‌ଚାପ୍‌ ବସିଥିବା ବେଳେ ତାଙ୍କ ପାଖରେ ବସିଥିବା ବାଳକଟିଏ ରଘୁଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲା । ‘‘ ଏହା ପରେ ସମସ୍ତେ ମୋତେ ଘେରିଗଲେ ଏବଂ ତାମିଲରେ ମୋତେ କିଛି ପଚାରିଲେ, ମୁଁ କିଛି ବୁଝିପାରିଲି ନାହିଁ, ସେମାନେ କ’ଣ କହୁଥିଲେ । ତେଣୁ ମୁଁ କେବଳ କହିଲି, ‘ମେରା ନାମ୍‌ ରଘୁ ହେ’ । ସେମାନେ ହସିବା ଆରମ୍ଭ କଲେ । ମୁଁ ଡରିଗଲି ।’’

୨୦୧୫ ମେ’ ରେ ଯେତେବେଳେ ଜଲୌନ ଜିଲ୍ଲାର ନନ୍ଦିଗାଁଓ ବ୍ଲକ୍‌ରେ ଥିବା ସେମାନଙ୍କ ଗାଁ ଛାଡ଼ିବା ପାଇଁ ରଘୁଙ୍କ ପିତାମାତା ନିଷ୍ପତ୍ତି ନେଲେ ସେତେବେଳେ ସେମାନେ ଟ୍ରେନରେ ଚେନ୍ନାଇ ପାଇଁ ବାହାରିବା ସମୟରେ ସେ ତଳେ ଗଡ଼ି କାନ୍ଦୁଥିଲା । ତା’ର ପାଞ୍ଚବର୍ଷର ଭାଇ ସନି ସେମାନଙ୍କ ବାପାଙ୍କ ହାତକୁ ଧରିଥିଲା । ତା’ର ମାଆ ଗାୟତ୍ରୀ ପାଲ କୁହନ୍ତି, ‘‘ସେ [ରଘୁ] ଯିବାକୁ ଚାହୁଁନଥିଲା । ତାକୁ ଏମିତି ଦେଖି ମୋ ହୃଦୟ ମଧ୍ୟ କାନ୍ଦି ଉଠିଲା ।’’

କିନ୍ତୁ ସେମାନଙ୍କ ଗାଁ ଛାଡ଼ି ଅନ୍ୟ କେଉଁ ସ୍ଥାନରେ କାମ କରିବା ରଘୁଙ୍କ ପିତାମାତାଙ୍କ ପାଇଁ ଅତି ଜରୁରୀ ଥିଲା । ୩୫ ବର୍ଷ ବୟସ୍କା ଗାୟତ୍ରୀ କୁହନ୍ତି, ‘‘ଯଦି ଆମେ ଚାଷରୁ କିଛି ନ ପାଉ, ତେବେ ଆମକୁ ନିଶ୍ଚୟ ଅନ୍ୟ ସ୍ଥାନକୁ ଯିବାକୁ ହେବ, ସେହି ବର୍ଷ [୨୦୧୩-୧୪] ଆମେ ଅତି ବେଶୀରେ ଦୁଇ କ୍ୱିଣ୍ଟାଲ ବାଜରା ପାଉଥିଲୁ । ଫସଲ ପାଇଁ ପାଣି ନଥିଲା, ଗାଁରେ କାମ ନଥିଲା । ଆମ ଗାଁର ଅଧା ରାଜ୍ୟ ବାହାରକୁ ଚାଲିଯାଇଥିଲେ, ଯେଉଁଠାରେ ସେମାନେ କାମ ପାଇଥିଲେ ।’’ ସେ ଏବଂ ତାଙ୍କର ସ୍ୱାମୀ ୪୫ ବର୍ଷ ବୟସ୍କ ମନିଷ ଚେନ୍ନାଇରେ ଏକ ନିର୍ମାଣ କ୍ଷେତ୍ରରେ କାମ ପାଇଲେ, ଯେଉଁଠାରେ ସେମାନଙ୍କ ଗାଁର କେଇଜଣ ପୂର୍ବରୁ କାମ କରୁଥିଲେ ।

Left: When Raghu (standing behind his father Manish Pal) and his brother Sunny, moved with their parents from UP to Chennai to Maharashtra, at each stop, Raghu tried valiantly to go to school. Right: Manish and other migrant workers wait at labour nakas in Alibag every morning for contractors to hire them for daily wages
PHOTO • Jyoti Shinoli
Left: When Raghu (standing behind his father Manish Pal) and his brother Sunny, moved with their parents from UP to Chennai to Maharashtra, at each stop, Raghu tried valiantly to go to school. Right: Manish and other migrant workers wait at labour nakas in Alibag every morning for contractors to hire them for daily wages
PHOTO • Jyoti Shinoli

ବାମ: ଯେତେବେଳେ ରଘୁ (ତାଙ୍କ ପିତା ମନିଷ ପାଲଙ୍କ ପାଖରେ ଛିଡ଼ା ହୋଇଥିବା) ଏବଂ ତାଙ୍କ ଭାଇ ସନି ସେମାନଙ୍କ ପିତାମାତାଙ୍କ ସହ ଉତ୍ତରପ୍ରଦେଶରୁ ଚେନ୍ନାଇ କିମ୍ବା ମହାରାଷ୍ଟ୍ର ଯାଆନ୍ତି, ପ୍ରତ୍ୟେକ ରହଣି ସ୍ଥାନରେ ରଘୁ ସାହାସର ସହିତ ସ୍କୁଲକୁ ଯିବା ପାଇଁ ଚେଷ୍ଟା କରନ୍ତି । ଡାହାଣ: ମନିଷ ଏବଂ ଅନ୍ୟ ପ୍ରବାସୀ ଶ୍ରମିକମାନେ ପ୍ରତିଦିନ ଠିକାଦାରମାନେ ସେମାନଙ୍କୁ ଦିନ ମଜୁରୀରେ ନେବା ପାଇଁ ଆଲିବାଗର ଶ୍ରମିକ ନାକାଗୁଡ଼ିକରେ ଅପେକ୍ଷା କରନ୍ତି

ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂତନ ହୋଇଥିବା ଗୋଟିଏ ସହରରେ ରଘୁ ଘର ପ୍ରତି ଆସକ୍ତ ହୋଇପଡ଼ନ୍ତି । ସେ ମନେପକାନ୍ତି, ‘‘ମୁଁ କ୍ରିକେଟ୍‌, ଗିଲିଦଣ୍ଡା, କବାଡ଼ି ଆଦି ଗାଁରେ ମୋ ସାଙ୍ଗମାନଙ୍କ ସହ ଖେଳୁଥିଲି । ଆମେ ଗଛ ଚଢ଼ୁଥିଲୁ ଏବଂ ଆମ୍ବ ଖାଉଥିଲୁ ।’’ ଉତ୍ତର ଚେନ୍ନାଇର ରୋୟାପୁରମ ଅଞ୍ଚଳରେ ତାଙ୍କର ଅଗଣା ଥିବା ଦୁଇ ମହଲା ଘର ଏବଂ ଦୁଇଟି ବଳଦ ପରିବର୍ତ୍ତେ ଟିଣ ଚାଦରର ଗୋଟିଏ କୋଠରି ଥିଲା । ବବୁଲ ଜାମ୍ମୁ ଏବଂ ଆମ୍ବ ଗଛ ବଦଳରେ ଏକ ନିର୍ମାଣାଧୀନ ଆବାସିକ ଅଟାଳିକାର ବଡ଼ ବଡ଼ ଭାରା, ସିମେଣ୍ଟର ଗଦା ଏବଂ ଜେସିବି ମେସିନ ସବୁ ଥିଲା । ଏହି ସ୍ଥାନ ଥିଲା ଯେଉଁଠାରେ ତାଙ୍କ ପିତାମାତା ଦୈନିକ ଟ. ୩୫୦ ଲେଖାଏଁ ପାଇଁ କାମ କରୁଥିଲେ ।

ଏସବୁ ପରିବର୍ତ୍ତନ ସହିତ ବର୍ତ୍ତମାନ ସୁଦ୍ଧା ସଂଘର୍ଷ କରୁଥିବା ରଘୁଙ୍କ ପାଇଁ ସବୁଠାରୁ ବଡ଼ ପରିବର୍ତ୍ତନ ଥିଲା ନୂଆ ସ୍କୁଲ । ସେ ଭାଷା ବୁଝିପାରୁନଥିଲେ ଏବଂ କୌଣସି ସାଙ୍ଗସାଥୀ ନଥିଲେ, ଯଦିଓ ସ୍କୁଲରେ ସେ ବିହାରରୁ ଯାଇଥିବା ଦୁଇଜଣ ବାଳକଙ୍କ ନିକଟରେ ବସିବାକୁ ଚେଷ୍ଟା କରୁଥିଲେ । ଚେନ୍ନାଇ ସ୍କୁଲରେ ମାତ୍ର ୩ ସପ୍ତାହ ଯୋଗ ଦେବା ପରେ ସେ କାନ୍ଦି କାନ୍ଦି ଘରକୁ ଫେରିଲେ । ଗାୟତ୍ରୀ ମନେପକାନ୍ତି, ‘‘ସେ କହିଲା ସେ ଆଉ ସ୍କୁଲକୁ ଯିବାକୁ ଚାହେଁ ନାହିଁ । କାରଣ ସେ ସେଠାରେ କିଛି ବୁଝିପାରୁନି ଏବଂ ଅନୁଭବ କରୁଥିଲା ସମସ୍ତେ ତାହା ସହ ରାଗି କଥା ହେଉଛନ୍ତି । ତେଣୁ ଆମେ ତାକୁ ବାଧ୍ୟ କଲୁନି ।’’

କେତେକ ଛାତ୍ରଙ୍କ ପିତାମାତା ସେମାନଙ୍କୁ ଟ୍ୟୁସନ ଦେବାକୁ ସକ୍ଷମ କିମ୍ବା ନିଜ ପିଲାଙ୍କୁ ହୋମ୍‌ଓ୍ୱାର୍କରେ ସାହାଯ୍ୟ କରିପାରନ୍ତି । ଏହାର ବିପରିତରେ ଗାୟତ୍ରୀ ଏବଂ ମନିଷ ରଘୁକୁ ପାଠ ପଢ଼ାଇପାରିବା ସ୍ଥିତିରେ ନାହାନ୍ତି । ମନିଷ ମାତ୍ର ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ବେଳେ ଗାୟତ୍ରୀ ମାତ୍ର ବର୍ଷେ ତଳେ ତାଙ୍କ ନାମ ହିନ୍ଦୀରେ ଲେଖିବା ଶିଖିଥିଲେ – ରଘୁ ତାଙ୍କୁ ଶିଖାଇ ଦେଇଥିଲା । ସେ ତାଙ୍କର ପିଲାଦିନ ମଇଁଷି ଚରାଇବାରେ ଏବଂ ଅନ୍ୟ ଚାରି ସାନ ଭଉଣୀଙ୍କ ସହ କ୍ଷେତରେ କାମ କରିବାରେ କଟାଇଥିଲେ । ସେ କୁହନ୍ତି, ‘‘ଯେତେବେଳେ ତାକୁ କେବଳ ସ୍କୁଲକୁ ପଠାଇବା କଷ୍ଟକର, ଆମେ ତା’ର ଟ୍ୟୁସନ ପାଇଁ ଅଧିକ ପଇସା କେଉଁଠୁ ଜୁଟାଇପାରିବୁ?’’

ଚେନ୍ନାଇ ସ୍କୁଲରୁ ପାଠପଢ଼ା ବନ୍ଦ କରିବା ପରେ ରଘୁ ତାଙ୍କ ବାପା ମାଆ ନିର୍ମାଣ କ୍ଷେତ୍ରରେ କାମ କରିବା ସମୟରେ ତାଙ୍କୁ ଦେଖୁଥିଲେ ଏବଂ ସାନଭାଇ ସନିର ଯତ୍ନ ନେଉଥିଲେ , ଯିଏ କି ସେତେବେଳକୁ କିଣ୍ଡରଗାର୍ଟେନରେ ମଧ୍ୟରେ ନାମ ଲେଖାଇନଥିଲା। ବେଳେବେଳେ ସେ ତା ମାଆ ସହିତ ରୋଷେଇ ପାଇଁ ଚୁଲ୍ଲା ଜଳାଇବାକୁ ବାଡ଼ି, ପ୍ଲାଷ୍ଟିକ ଏବଂ କାଗଜ ସଂଗ୍ରହ କରୁଥିଲା ।

ସ୍କୁଲରେ ପଢ଼ିବା କଷ୍ଟକର ହେବା ଏବଂ ସେମାନଙ୍କ ପିତାମାତା ବ୍ୟସ୍ତ ଥିବା ବେଳେ ନିର୍ମାଣ କ୍ଷେତ୍ରର ମାଲିକମାନେ ମଧ୍ୟ ରଘୁ ଏବଂ ସନିଙ୍କ ପରି ପ୍ରବାସି ପିଲାମାନଙ୍କର ଯତ୍ନ, ପାଠପଢ଼ା, ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ପାଇଁ କୌଣସି ବ୍ୟବସ୍ଥା କରିନଥିଲେ । ୟୁନିସେଫ୍‌—ଇସିଏସ୍‌ଏସ୍‌ଆର୍‌ ଦ୍ୱାରା ହୋଇଥିବା ଏକ ୨୦୧୧ ଓ୍ୱାର୍କସପ୍‌ ରିପୋର୍ଟ ଦର୍ଶାଏ ଯେ ଭାରତରେ ଏଭଳି ନିର୍ମାଣ କ୍ଷେତ୍ର ୪୦ ନିୟୁତ ପ୍ରବାସୀଙ୍କ ନିଯୁକ୍ତି ଦେଇଥାଏ ।
Left: The zilla parishad school in Vaishet that Raghu and Sunny attend, where half of the students are children of migrant parents. Right: At the government-aided Sudhagad Education Society in Kurul village, students learn Marathi by drawing pictures and describing what they see
PHOTO • Jyoti Shinoli
Left: The zilla parishad school in Vaishet that Raghu and Sunny attend, where half of the students are children of migrant parents. Right: At the government-aided Sudhagad Education Society in Kurul village, students learn Marathi by drawing pictures and describing what they see
PHOTO • Jyoti Shinoli

ବାମ: ରଘୁ ଏବଂ ସନି ପଢ଼ୁଥିବା ବୈଶେଟ୍‌ ସ୍ଥିତ ଜିଲ୍ଲା ପରିଷଦ ସ୍କୁଲ, ଯେଉଁଠାରେ ଅର୍ଦ୍ଧେକ ଛାତ୍ର ହେଉଛନ୍ତି ପ୍ରବାସୀ ପିତାମାତାଙ୍କ ସନ୍ତାନ । ଡାହାଣ: କୁରୁଲ ଗାଁରେ ଥିବା ସରକାର ସାହାଯ୍ୟପ୍ରାପ୍ତ ସୁଧାଗଡ଼ ଶିକ୍ଷା ସମାଜରେ ଛାତ୍ରଛାତ୍ରୀମାନେ ଚିତ୍ର ଆଙ୍କି ଏବଂ ସେମାନେ କ’ଣ ଦେଖୁଛନ୍ତି ତାହା ବର୍ଣ୍ଣନା କରି ମରାଠୀ ଶିଖନ୍ତି

ସାରା ଭାରତରେ ଏହି ଦୁଇଭାଇଙ୍କ ପରି ୧୫ ନିୟୁତ ଶିଶୁ ଯେଉଁମାନେ କି ସ୍ୱାଧୀନ ଭାବରେ କିମ୍ବା ସେମାନଙ୍କ ପିତାମାତାଙ୍କ ସହ ଅନ୍ୟ ସ୍ଥାନକୁ ଯାଆନ୍ତି, ସେମାନେ ଏକ ସ୍ଥିର ଶିକ୍ଷା କିମ୍ବା କୌଣସି ପ୍ରକାର ଶିକ୍ଷା ହରାନ୍ତି ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି  ସର୍ବେକ୍ଷଣ ରିପୋର୍ଟରେ ଉଲ୍ଲେଖ ହୋଇଥିବା ତଥ୍ୟ ଅନୁଯାୟୀ, ‘‘ଋତୁକାଳୀନ, ଚକ୍ରକାଳୀନ କିମ୍ବା ଅସ୍ଥାୟୀ ପ୍ରବାସ ପିଲାମାନଙ୍କର ଶିକ୍ଷାକୁ ବିପୁଳ ଭାବରେ ପ୍ରଭାବିତ କରିଥାଏ । ଶିଶୁମାନେ ସ୍କୁଲ ପାଠପଢ଼ା ବନ୍ଦ କରିବା ପାଇଁ ବାଧ୍ୟ ହୁଅନ୍ତି ଏବଂ ଏହିପରି ଭାବରେ ଶିକ୍ଷାର ଅଭାବରେ ପିଡ଼ିତ ହୁଅନ୍ତି… ପ୍ରବାସୀ ଶ୍ରମିକମାନଙ୍କ ସନ୍ତାନମାନଙ୍କ [ଯେଉଁମାନେ ତାଙ୍କ ପିତାମାତାଙ୍କ ସହ ଯାଆନ୍ତି ଏବଂ ଅନ୍ୟ ପରିବାର ସହିତ ଗାଁରେ ରୁହନ୍ତି ନାହିଁ]ମଧ୍ୟରୁ ପ୍ରାୟ ଏକତୃତୀୟାଂଶ ସ୍କୁଲରେ ଯୋଗ ଦେବାକୁ ଅକ୍ଷମ । ’’

ଏବଂ ଯେତେବେଳେ ପିତାମାତା କାମର ସନ୍ଧାନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି, ପାଠପଢ଼ିବାରେ ପ୍ରତିବନ୍ଧକ ରଘୁ ପରି ପିଲାମାନଙ୍କ ପାଇଁ ଅଧିକ ହୋଇଯାଏ । ଯେତେବେଳେ ୨୦୧୮ ମାର୍ଚ୍ଚରେ ଚେନ୍ନାଇର ନିର୍ମାଣ ସ୍ଥଳରେ କାମ ଶେଷ ହୋଇଗଲା ମନୀଷ ଏବଂ ଗାୟତ୍ରୀ ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ଆଲିବାଗ ତାଲୁକାକୁ ଚାଲିଆସିଲେ । ସେଠାରେ ତାଙ୍କର ଜଣେ ସମ୍ପର୍କୀୟ ଦୁଇବର୍ଷ ହେବ ରହୁଥିଲେ ।

ମନୀଷ ଜଣେ ନିର୍ମାଣ ଶ୍ରମିକ ଭାବରେ କାର୍ଯ୍ୟ କରିବା ଜାରି ରଖିଲେ, ଗାୟତ୍ରୀ ନିୟମିତ ପିଠି ଯନ୍ତ୍ରଣା ଯୋଗୁଁ କାମ ବନ୍ଦ କଲେ ଏବଂ ବର୍ତ୍ତମାନ ତାଙ୍କ ଘର ଓ ପିଲାମାନଙ୍କ କଥା ବୁଝୁଛନ୍ତି । ପ୍ରତିଦିନ ସକାଳ ୮ଟାରେ ମନିଷ ଆଲିବାଗ ସହରର ମହାବୀର ଚୌକ୍‌ରେ ଥିବା ଲେବର ନାକା ରେ ଶ୍ରମିକ ଠିକାଦାରମାନଙ୍କ ପାଇଁ ଅପେକ୍ଷା କରନ୍ତି ଏବଂ ମାସରେ ପ୍ରାୟ ୨୫ଦିନ ଦିନକୁ ଟ. ୪୦୦ ଲେଖାଏଁ ଆୟ କରନ୍ତି । ସେ କୁହନ୍ତି, ‘‘ବେଳେ ବେଳେ ୪-୫ଦିନ ଏମିତି ଚାଲିଯାଏ, ଯେତେବେଳେ କେହି ମୋତେ କାମ ପାଇଁ ମିଳନ୍ତି ନାହିଁ । ତେଣୁ ସେହିଦିନ କୌଣସି ଆୟ ହୁଏନାହିଁ ।’’

ଆଲିବାଗକୁ ଯିବା ସହିତ ରଘୁ ପାଇଁ ଆଉ ଏକ ସଂଘର୍ଷ ଆରମ୍ଭ ହେଲା – ବର୍ତ୍ତମାନ ତାଙ୍କୁ ମରଠୀରେ ଲେଖା ହୋଇଥିବା ପାଠ୍ୟପୁସ୍ତକ ପଢ଼ିବା ପାଇଁ ଏବଂ ବୁଝିବା ପାଇଁ ଚେଷ୍ଟା କରିବାକୁ, ଆଉ ଏକ ନୂଆ ସ୍କୁଲରେ ଯୋଗ ଦେବାକୁ ଏବଂ ନୂତନ ସାଙ୍ଗସାଥୀ କରିବାକୁ ହେଲା । ଯେତେବେଳେ ସେ ଜଣେ ପଡ଼ୋଶୀ ବାଳକର ମରାଠୀ ଭାଷାରେ ଲେଖାଯାଇଥିବା ଚତୁର୍ଥଶ୍ରେଣୀ ଭୁଗୋଳ ବହି ଦେଖିଲେ, ସେ ଦେବନାଗରି ଲିପି ମଧ୍ୟ ପଢ଼ିବାକୁ ଅସମର୍ଥ ହୋଇଥିଲେ । ତିନିବର୍ଷ ସ୍କୁଲକୁ ନ ଯିବା ପରେ ତାଙ୍କୁ ଅନେକ କିଛି ପଛରୁ ଧରିବାକୁ ହେଉଛି । ତଥାପି ୨୦୧୮ ଜୁଲାଇ ମାସର ମଧ୍ୟ ଭାଗରେ ସ୍କୁଲକୁ ଯିବା ପୁଣି ଆରମ୍ଭ କଲେ, ୧୧ବର୍ଷ ବୟସରେ ତାଙ୍କଠାରୁ ସାନ ପିଲାମାନଙ୍କ ସହ ଚତୁର୍ଥ ଶ୍ରେଣୀରେ ଯୋଗ ଦେଲେ ।

ସେ କୁହନ୍ତି, ‘‘ମୁଁ ଭୁଲିଯାଇଥିଲି ଯେ ମରାଠି ଅକ୍ଷରଗୁଡ଼ିକ ହିନ୍ଦୀ ପରି ସମାନ, କିନ୍ତୁ ଏଗୁଡ଼ିକ ଭିନ୍ନ ଭାବରେ ଲେଖାଯାଇଥିଲା। ସୁରେଶ [ପଡ଼ିଶାରେ ରହୁଥିବା ସାଙ୍ଗ] ମୋତେ କେମିତି ପଢ଼ାଯାଏ ତା’ର ମୂଳକଥାଗୁଡ଼ିକ ଏବଂ ଶବ୍ଦଗୁଡ଼ିକର ଅର୍ଥ ଶିଖାଇଦେଲା, ମୁଁ ବୁଝିପାରିବା ଆରମ୍ଭ କଲି ’’।
Students at the Sudhagad school draw pictures like these and write sentences in Bhojpuri or Hindi, as well as in Marathi. The exercise helps them memorise new words
PHOTO • Jyoti Shinoli
Students at the Sudhagad school draw pictures like these and write sentences in Bhojpuri or Hindi, as well as in Marathi. The exercise helps them memorise new words
PHOTO • Jyoti Shinoli

ସୁଧାଗଡ଼ ସ୍କୁଲର ଛାତ୍ରଛାତ୍ରୀମାନେ ଏଭଳି ଚିତ୍ର ଆଙ୍କନ୍ତି ଏବଂ ବାକ୍ୟଗୁଡ଼ିକ ଭୋଜପୁରୀ କିମ୍ବା ହିନ୍ଦୀ ଏବଂ ଏଥିସହିତ ମରାଠୀରେ ଲେଖନ୍ତି । ଏହି ଅଭ୍ୟାସ ସେମାନଙ୍କୁ ନୂଆ ଶବ୍ଦଗୁଡ଼ିକ ମନେରଖିବାରେ ସାହାଯ୍ୟ କରେ

ରଘୁ ବୈସେଟ୍‌ ଗ୍ରାମର ଜିଲ୍ଲା ପରିଷଦ (ଜେପି) ସ୍କୁଲରେ ପାଠ ପଢ଼ନ୍ତି । ସ୍କୁଲରେ ୧ରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ୪୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣ ପ୍ରବାସୀ ପିତାମାତାଙ୍କ ସନ୍ତାନ ବୋଲି କୁହନ୍ତି ଏହାର ଜଣେ ପ୍ରାଥମିକ ଶ୍ରେଣୀ ଶିକ୍ଷକ ସ୍ୱାତି ଗଓ୍ୱାଡେ । ଏଠାରେ ରଘୁ ବିହାର ଏବଂ ଉତ୍ତର ପ୍ରଦେଶର ଅନ୍ୟ ପିଲାମାନଙ୍କୁ ଭେଟିଥିଲେ । ବର୍ତ୍ତମାନ ସେ ୫ମ ଶ୍ରେଣୀ ପାଠପଢ଼ୁଛନ୍ତି ଏବଂ ମରାଠୀରେ ପଢ଼ିବା, ଲେଖିବା ଏବଂ କଥା କହିବାକୁ ସକ୍ଷମ । ସେମାନଙ୍କ ପିତାମାତା ସନିର ମଧ୍ୟ ନାମ ଲେଖାଇ ଦେଇଛନ୍ତି ଏବଂ ସେ ଏବେ ୩ୟ ଶ୍ରେଣୀରେ ପାଠପଢ଼ୁଛି ।

ଆଲିବାଗ ହେଉଛି ଏକ ବଢ଼ୁଥିବା ଉପକୂଳ ସହର । ଏହା ମୁମ୍ବାଇ ମହାନଗରଠାରୁ ପ୍ରାୟ ୧୨୨ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଗତ ଦୁଇଦଶକ ହେବ ବୃଦ୍ଧି ପାଉଥିବା ରିୟଲ ଇଷ୍ଟେଟ୍‌ ବ୍ୟବସାୟ ଅନେକ ପ୍ରବାସୀ ଶ୍ରମିକଙ୍କୁ ଆକର୍ଷିତ କରିଛି, ଯେଉଁମାନେ କି ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରୁ ସେମାନଙ୍କ ପରିବାର ସହ ଆସିଛନ୍ତି । ସେମାନଙ୍କ ପିଲାମାନେ ସାଧାରଣତଃ ତାଲୁକାର ଜେପି କିମ୍ବା ସରକାରୀ ସହାୟତା ପ୍ରାପ୍ତ ମରାଠୀ ମାଧ୍ୟମ ସ୍କୁଲରେ ପାଠପଢ଼ନ୍ତି ।

ଏହି ରୂପାନ୍ତରଣକୁ ସହଜ କରିବା ପାଇଁ କେତେଜଣ ଶିକ୍ଷକ ଆରମ୍ଭରେ ପ୍ରବାସୀ ଛାତ୍ରମାନଙ୍କ ସହ ହିନ୍ଦୀରେ କଥାବାର୍ତ୍ତା କରନ୍ତି ବୋଲି କୁହନ୍ତି ଗଓ୍ୱାଡେ । ‘‘ଆଲିବାଗର ଜେପି ସ୍କୁଲଗୁଡ଼ିକରେ ପ୍ରବାସୀ ପରିବାରରୁ ଆସିଥିବା ଅନେକ ଛାତ୍ରଛାତ୍ରୀ ଅଛନ୍ତି ଏବଂ ଗୋଟିଏ ପିଲା ସମ୍ପୂର୍ଣ୍ଣ ଭାବରେ ଏକ ନୂତନ ପରିବେଶରେ ଖାପ ଖୁଆଇବା ଖୁବ୍‌ କଷ୍ଟକର । ଶିକ୍ଷକ ଭାବରେ ଆମେ ଏହି ପିଲାମାନଙ୍କ ପାଇଁ ପାଠ୍ୟ ପୁସ୍ତକ ପରିବର୍ତ୍ତନ କରିପାରିବୁ ନାହିଁ । କିନ୍ତୁ ଅତିକମ୍‌ରେ ଆମେ ଅଳ୍ପ କିଛି ଦିନ ପାଇଁ ଆମ କଥାବାର୍ତ୍ତାର ଭାଷା ବଦଳାଇପାରିବୁ । ପିଲାମାନେ ନୂଆ ଜିନିଷ ଖୁବ୍‌ ସହଜରେ ଗ୍ରହଣ କରିପାରନ୍ତି । କିନ୍ତୁ ଉଦ୍ୟମ ଶିକ୍ଷକମାନଙ୍କ ପକ୍ଷରୁ ପ୍ରଥମେ ଆରମ୍ଭ ହେବା ଉଚିତ୍‌ ।

ବୈଶେଟ୍‌ ଠାରୁ ପ୍ରାୟ ୫ କିଲୋମିଟର ଦୂରରେ କୁରୁଲ ଗ୍ରାମର ସରକାରୀ ସାହାଯ୍ୟପ୍ରାପ୍ତ ସ୍କୁଲ ସୁଧାଗଡ଼ ଶିକ୍ଷା ସମାଜରେ ୫ମ ଶ୍ରେଣୀରେ ଗୋଟିଏ ମରାଠୀ ଭାଷା କାର୍ଯ୍ୟକ୍ରମ ଚାଲିଛି । ଶିକ୍ଷୟିତ୍ରୀ ମାନସୀ ପାଟିଲ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି ପାଇଁ  ପ୍ରତ୍ୟେକ ପିଲାଙ୍କୁ ଶ୍ରେଣୀ ସାମ୍ନାରେ କେଇମିନିଟ୍‌ କହିବା ପାଇଁ କହିଛନ୍ତି । ଏହା ୧୦ବର୍ଷ ବୟସ୍କ ସତ୍ୟମ ନିଶାଦଙ୍କ ପାଳି । ‘‘ଆମ ଗାଁର ଲୋକମାନେ ଚାଷ ଜମିରେ କାମ କରନ୍ତି, ଆମର ମଧ୍ୟ ଗୋଟିଏ ଚାଷ ଜମି ଅଛି, ଯେତେବେଳେ ବର୍ଷା ହୁଏ ସେମାନେ ବିହନ ବୁଣନ୍ତି ଏବଂ ଏହାର କେଇମାସ ପରେ ସେମାନେ ଫସଲ କାଟନ୍ତି । ସେମାନେ କୁଟାରୁ ଶସ୍ୟ ଅଲଗା [ଥ୍ରେସ୍‌] କରନ୍ତି ।  ଏହାପରେ ସେମାନେ ଏହାକୁ ଚଲାନ୍ତି ଏବଂ ଘରେ ଅଖା ବସ୍ତାରେ ସାଇତି ରଖନ୍ତି । ସେମାନେ ଏହାକୁ ପେସନ୍ତି ଏବଂ ରୋଟି ଖାଆନ୍ତି ।’’ ଶ୍ରେଣୀ କକ୍ଷରେ ଥିବା ୨୨ଜଣ ଛାତ୍ର କରତାଳି ଦିଅନ୍ତି ।

ପାଟିଲ କୁହନ୍ତି, ‘‘ସତ୍ୟମ ଆଗରୁ ଖୁବ୍‌ ଦୁଃଖୀ ଥିଲା ଏବଂ କାହା ସହିତ କଥାବାର୍ତ୍ତା କରିପାରୁନଥିଲା । ଏକଦମ ମୂଳରୁ ପିଲାକୁ ଶିଖାଇବା ଅକ୍ଷର ସହ ପରିଚୟ ଆରମ୍ଭ କରିବା, ଶିକ୍ଷକ ଏବଂ ଅନ୍ୟ ପିଲାମାନଙ୍କ ସହ କଥା କହିବା ପାଇଁ ସେମାନଙ୍କୁ କିଛି ଆତ୍ମବିଶ୍ୱାସ ଦେବା । ଆପଣ ସେମାନଙ୍କ ଉପରେ ସେମାନେ କେବେ ବି ଶୁଣି ନଥିବା ଗୋଟିଏ ଭାଷାରେ ଲମ୍ବା ବାକ୍ୟ ଥୋପି ପାରିବେ ନାହିଁ । ଆପଣ ସେମାନଙ୍କ ସହ କୋମଳ ହେବା ଆବଶ୍ୟକ । ’’

PHOTO • Jyoti Shinoli

ଉପର ଧାଡ଼ି: ସତ୍ୟ ନିଷାଦଙ୍କ ପରିବାର ୨୦୧୭ରେ ଉତ୍ତରପ୍ରଦେଶରୁ ସ୍ଥାନାନ୍ତରିତ ହେବା ପରେ ସୁଧାଗଡ଼ ସ୍କୁଲରେ ତାଙ୍କ ନାମ ଲେଖାଯାଇଥିଲା, ଯେଉଁଠାରେ ଥିବା ୨୭୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୮ ଜଣ ଥିଲେ ପ୍ରବାସୀ ଶିଶୁ । ତଳ ଧାଡ଼ି : ସତ୍ୟମଙ୍କ ପିତାମାତା ଆରତୀ ନିଷାଦ ଏବଂ ବ୍ରିଜମୋହନ ନିଶାଦ ମଧ୍ୟ ନିର୍ମାଣ କ୍ଷେତ୍ରରେ କାମ କରନ୍ତି । ସେମାନେ ନିଜ ଗାଁରେ ସେମାନଙ୍କ ଏକ ଏକର ଜମିରେ ବାଜରା ଚାଷ କରୁଥିଲେ

ସତ୍ୟମ (ଉପରେ ପ୍ରଚ୍ଛଦ ଫଟୋରେ ପଛ ପାଖରେ) ୨୦୧୭ରେ ତାଙ୍କ ପିତାମାତାଙ୍କ ସହ ଆଲିବାଗକୁ ଆସିଲେ ଏହା ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଥିବା ତାଙ୍କ ଗାଁ ରାମପୁର ଦୁଲ୍ଲାରୁ ତାଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଥିଲା । ସେତେବେଳେ ମାତ୍ର ୮ବର୍ଷ ବୟସ ଏବଂ ୩ୟ ଶ୍ରେଣୀରେ ପଢ଼ୁଥିବା ସତ୍ୟମକୁ ଏକ ହିନ୍ଦୀ ମାଧ୍ୟମ ସ୍କୁଲ ଏବଂ ଘରେ ଭୋଜପୁରୀ କହୁଥିବା ପରିବେଶରୁ ମରାଠୀ ସହିତ ଅଭ୍ୟସ୍ତ ହେବାକୁ ହୋଇଥିଲା। ସତ୍ୟମ କୁହନ୍ତି, ‘‘ଯେତେବେଳେ ମୁଁ ପ୍ରଥମ ଥର ପାଇଁ ମରାଠୀ ଦେଖିଥିଲି, ସେତେବେଳେ ମୁଁ ମୋ ପିତାମାତାଙ୍କୁ କହିଥିଲି ଏହା ଭୁଲ୍‌ ହିନ୍ଦୀ । ଏଥିରେ ଶେଷରେ ବାଡ଼ି ନାହିଁ… ମୁଁ ଅକ୍ଷରଗୁଡ଼ିକ ପଢ଼ିପାରୁଥିଲି କିନ୍ତୁ ସମୁଦାୟ ଶବ୍ଦର ଅର୍ଥ ବୁଝିପାରୁନଥିଲି । ’’

ସତ୍ୟମଙ୍କ ମାଆ ଆରତୀ, ୩୫ ବର୍ଷ ତାଙ୍କର ଶହେ ବର୍ଗଫୁଟର ଭଡ଼ା ଘରେ ବସିଥିବା ଅବସ୍ଥାରେ କୁହନ୍ତି, ‘‘ଆମ ପିଲାମାନଙ୍କୁ ମରାଠୀ ମାଧ୍ୟମ ସ୍କୁଲକୁ ଯିବାକୁ ହେବ, ଇଂରାଜୀ ସ୍କୁଲର ଦେୟ ଖୁବ୍‌ ଅଧିକ ଏବଂ ଆମେ ତାହା ଦେଇପାରିବୁ ନାହିଁ ।’’ ଆରତୀ ନିଜେ ୨ୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି, ସେ ଜଣେ ଗୃହିଣୀ ଏବଂ କୃଷକ, ଯିଏ କି ରାମପୁର ଦୁଲ୍ଲାରେ ପରିବାରର ଏକ ଏକର ଜମିରେ ବାଜରା ଚାଷ କରନ୍ତି । ତାଙ୍କ ସ୍ୱାମୀ ୪୨ ବର୍ଷ ବୟସ୍କ ବ୍ରିଜମୋହନ ନିଷାଦ ମଧ୍ୟ ଜମିରେ କାମ କରୁଥିଲେ । କିନ୍ତୁ ଖରାପ ଜଳସେଚନ କାରଣରୁ ବାରମ୍ବାର ଫସଲ ନଷ୍ଟ ହେବା ପରେ ସେ କାମର ସନ୍ଧାନରେ ଗାଁ ଛାଡ଼ିଥିଲେ ।

ବର୍ତ୍ତମାନ ନିର୍ମାଣ ଶ୍ରମିକ ଭାବରେ ସେ ମାସରେ ୨୫ ଦିନ ନିମନ୍ତେ ଦୈନିକ ଟ. ୫୦୦ ମଜୁରୀ ପାଆନ୍ତି । ଏହି ଆୟ ମଧ୍ୟରେ ପରିବାରର ୫ଜଣ (ଦୁଇ ଝିଅ- ସାଧନା ୭, ଏବଂ ସଞ୍ଜନା ୬, ଯିଏ କି ସତ୍ୟମ ପଢ଼ୁଥିବା ସେହି ସମାନ ସ୍କୁଲରେ ପାଠପଢ଼ନ୍ତି)ଙ୍କ ଖର୍ଚ୍ଚ ଚଳାଇବାକୁ ହୁଏ ।  ଏବଂ ସେ ପ୍ରତିମାସ ସେମାନଙ୍କ ଗାଁରେ ଥିବା ବୟସ୍କ ପିତାମାତାଙ୍କ ପାଇଁ ଟ. ୫୦୦୦ ପଠାନ୍ତି ।

କୁରୁଲୁରେ ଥିବା ସେମାନଙ୍କ ଘରଠାରୁ ୨୦ କିଲୋମିଟର ଦୂରରେ ଥିବା ଶଶାଓ୍ୱାନେ ଗାଁରେ ଉଦୁଉଦିଆ ଖରାରେ ଏକ ଅଟ୍ଟାଳିକାରେ କାମ କରୁଥିବା ବ୍ରିଜମୋହନ ମୋତେ କହିଥିଲେ, ‘‘ମୋ ପରି ମୋ ପିଲାମାନେ କଠିନ ପରିଶ୍ରମ କରିବା ମୁଁ ଚାହେଁ ନାହିଁ । ସେମାନେ ପଢ଼ିବା ମୁଁ ଚାହେଁ । ଏସବୁ ଉଦ୍ୟମ ସେମାନଙ୍କ ପାଇଁ । ’’

ସତ୍ୟମଙ୍କ ପରି ଖୁସି ନିଷାଦ ମଧ୍ୟ ଭାଷା ପରିବର୍ତ୍ତନ ସହ ଚାପଗ୍ରସ୍ତ । ସିଂହଗାଡ଼ ସ୍କୁଲରେ ୬ଷ୍ଠ ଶ୍ରେଣୀର ଛାତ୍ର ହୋଇଥିବା ସେ କୁହନ୍ତି, ‘‘ମୁଁ ମୋ ଗାଁ ସ୍କୁଲରେ ଭୋଜପୁରୀରେ ପାଠପଢ଼ୁଥିଲି । ମୁଁ ମରାଠୀ ବୁଝିପାରେ ନାହିଁ ଏବଂ ସ୍କୁଲକୁ ଯିବାକୁ ଆଗ୍ରହୀ ହୁଏ ନାହିଁ । ଅକ୍ଷର ଗୁଡ଼ିକ ହିନ୍ଦୀ ସହ ସମାନ କିନ୍ତୁ ଏହାର ଧ୍ୱନି ଭିନ୍ନ । କିନ୍ତୁ କ୍ରମଶଃ ମୁଁ ଏହା ଶିଖିଲି । ବର୍ତ୍ତମାନ ମୁଁ ଜଣେ ଶିକ୍ଷକ ହେବାକୁ ଚାହୁଁଛି ।’’

PHOTO • Jyoti Shinoli

ଉପର ବାମ: ଅଳ୍ପ କେଇଟି ସ୍କୁଲ ଯେମିତିକି କୁରୁଲୁରେ ଥିବା ସୁଧାଗଡ଼ ଶିକ୍ଷା ସମାଜରେ ଛାତ୍ରମାନେ ପ୍ରବାସୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଭାଷା ସଂଘର୍ଷକୁ ସହଜ କରିବାକୁ ଚେଷ୍ଟା କରନ୍ତି । ଉପର ଡାହାଣ : ଏ ସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଖୁସି ରାମଦାସ ଯେତେବେଳେ ଆସିଥିଲେ ସେତେବେଳେ କେବଳ ଭୋଜପୁରୀ କହୁଥିଲେ । ତଳ ବାମ : ସୁଧାଗଡ଼ ସ୍କୁଲରେ ଛାତ୍ରଛାତ୍ରୀମାନେ ମରାଠୀରେ ଏକ ବହି ପଢ଼ୁଥିବା ସମୟରେ । ତଳ ଡାହାଣ: ଏକ ମଧ୍ୟାହ୍ନ ଭୋଜନ ସମୟରେ, ସାଧାରଣତଃ ନାମ ଲେଖା ପାଇଁ ଏକ ମୁଖ୍ୟ କାରଣ

ଖୁସୀଙ୍କ ପରିବାର ଉତ୍ତରପ୍ରଦେଶର ଉଲ୍ଲାରାପୁର ଗ୍ରାମରୁ ଆଲିବାଗକୁ ଆସିଥିଲେ । ତାଙ୍କ ମାଆ ଇନ୍ଦ୍ରମତି କୁରୁଲୁ ଗ୍ରାମରେ ସେମାନଙ୍କ ଘର ନିକଟରେ ଥିବା ଗୋଟେ ଛୋଟ ଜଳଖିଆ ଦୋକାନ ପାଇଁ ପ୍ରାୟ ୫୦ଟି ସିଙ୍ଗଡ଼ା ତିଆରି କରି ଦିନକୁ ଟ. ୧୫୦ ରୋଜଗାର କରୁଥିଲେ । ତାଙ୍କ ବାପା ରାଜେନ୍ଦ୍ର ଦିନକୁ ଟ. ୫୦୦ରେ ଏକ ନିର୍ମାଣ କ୍ଷେତ୍ରରେ କାମ କରନ୍ତି । ଇନ୍ଦ୍ରମତୀ କୁହନ୍ତି, ‘‘ଆମର ଜମି ନାହିଁ, ଆମେ ସାଧାରଣତଃ ଅନ୍ୟମାନଙ୍କ ଜମିରେ କାମ କରୁ । କିନ୍ତୁ ଅନେକ କୃଷକ କାମର ସନ୍ଧାନରେ ଗାଁ ଛାଡ଼ିଛନ୍ତି । ଗାଁରେ ମଧ୍ୟ ଅନ୍ୟ କୌଣସି କାମ ନଥିଲା। ଆମେ ଆଲିବାଗରେ ଏକ ନୂଆ ଜୀବନ ଆରମ୍ଭ କଲୁ । ଏସବୁ ଉଦ୍ୟମ ସେମାନଙ୍କ ପାଇଁ ।’’ ଇନ୍ଦ୍ରମତୀ ତାଙ୍କର ଦୁଇ ଝିଅ ଏବଂ ଗୋଟିଏ ପୁଅ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏହା କହିଥିଲେ ।

ସୁଧାଗଡ଼ ସ୍କୁଲରେ ଖୁସି ଏବଂ ସତ୍ୟମଙ୍କ ପରି ଅଣ ମରାଠୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବା ସହ ଅଧ୍ୟକ୍ଷା ସୁଜାତା ପାଟିଲ ପର୍ବପର୍ବାଣୀ, ଗଣତନ୍ତ୍ର ଦିବସ, କ୍ରୀଡ଼ା, ବ୍ୟକ୍ତିତ୍ୱ, ସ୍ୱାଧୀନତା ସଂଗ୍ରାମୀ, ଋତୁ ଆଦି ବିଭିନ୍ନ ପ୍ରସଙ୍ଗରେ ସାପ୍ତାହିକ ଦଳଗତ ଆଲୋଚନା କରୁଛନ୍ତି । ଏହି ସ୍କୁଲରେ କିଣ୍ଡର ଗାର୍ଟେନରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୨୭୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୮ଜଣ ପ୍ରବାସୀ ପରିବାରର । ଶିକ୍ଷକମାନେ ପିକ୍ଚର କାର୍ଡ ବ୍ୟବହାର କରନ୍ତି, ପିଲାମାନେ କ’ଣ ଦେଖୁଛନ୍ତି ତାହା ସେମାନଙ୍କର ମାତୃ ଭାଷାରେ କହିବା ପାଇଁ ଅନୁମତି ଦିଅନ୍ତି ଏବଂ ଏହା ପରେ ଏହାର ଶବ୍ଦଗୁଡ଼ିକ ମରଠୀ ଭାଷାରେ କୁହନ୍ତି ।  ଆଲୋଚନା ପରେ ଛାତ୍ରଛାତ୍ରୀମାନେ ମଧ୍ୟ ଚିତ୍ର ଆଙ୍କନ୍ତି ଏବଂ ଗୋଟିଏ ବାକ୍ୟକୁ ଭୋଜପୁରୀ କିମ୍ବା ହିନ୍ଦୀ ସହିତ ମରାଠିରେ ଲେଖନ୍ତି । ଏହି ଅଭ୍ୟାସ ସେମାନଙ୍କୁ ଶବ୍ଦଗୁଡ଼ିକ ମନେରଖିବାରେ ସାହାଯ୍ୟ କରେ ।

ଏହି ସ୍କୁଲ ମଧ୍ୟ ଜଣେ ନୂତନ ହିନ୍ଦୀ କିମ୍ବା ଭୋଜପୁରୀ ଭାଷାଭାଷି ଶିଶୁଙ୍କୁ ମରାଠୀ ଜାଣିଥିବା ପିଲା ସହିତ ଯୋଡ଼ି କରାଏ । ତେଣୁ ୧୧ବର୍ଷ ବୟସ୍କ ସୁରଜ ପ୍ରସାଦ ପଶୁମାନଙ୍କ ଉପରେ ଥିବା ଏକ ଗପ ବହିରୁ ମରାଠୀ ଭାଷାରେ ଗୋଟିଏ ବାକ୍ୟ ପଢ଼ୁଛନ୍ତି ଏବଂ ତାଙ୍କର ନୂତନ ସହପାଠୀ ୧୧ବର୍ଷ ବୟସ୍କ ଦେବେନ୍ଦ୍ର ରାହିଦାସ ସେହି ବାକ୍ୟଟିକୁ ପୁନରାବୃତ୍ତି କରୁଛନ୍ତି । ଉଭୟ ବାଳକ ସେମାନଙ୍କ ପିତାମାତାଙ୍କ ସହ ଉତ୍ତରପ୍ରଦେଶରୁ ଆସିଛନ୍ତି- ସୁରଜ ୨୦୧୫ରେ ଏବଂ ଦେବେନ୍ଦ୍ର ୨୦୧୮ରେ ।

ଅଧ୍ୟକ୍ଷା ପାଟିଲ କୁହନ୍ତି, ‘‘ଭାଷା ରାଜ୍ୟରୁ ରାଜ୍ୟକୁ ଭିନ୍ନ ହୁଏ ଏବଂ ଭିନ୍ନ ଭିନ୍ନ ପରିବାରର ମଧ୍ୟ ଭିନ୍ନ ଭିନ୍ନ ମାତୃଭାଷା ରହିଛି । ତେଣୁ ଜଣେ ପ୍ରବାସୀ ଶିଶୁକୁ ଶିକ୍ଷା ଗ୍ରହଣର ମାଧ୍ୟମ ଭାବରେ ସ୍ଥାନୀୟ ଭାଷା ସହିତ ସୁବିଧାଜନକ କରାଇବା ଗୁରୁତ୍ୱପୂର୍ଣ୍ଣ । ଯାହାଦ୍ୱାରା ସେମାନେ ପାଠପଢ଼ା ଜାରି ରଖିବାକୁ ସକ୍ଷମ ହେବେ । ତାଙ୍କର ବିଶ୍ୱାସ ଏଭଳି ଉଦ୍ୟମଗୁଡ଼ିକ ସ୍କୁଲ ଛାଡ଼ିବା ହାର ହ୍ରାସ କରିପାରିବ ।
Left: Indramati Rahidas, Khushi’s mother, supplies 50 samosas a day to a small eatery. 'All these efforts are for them,” she says Indramati, pointing to her children. Right: Mothers of some of the migrant children enrolled in the Sudhagad Education Society
PHOTO • Jyoti Shinoli
Left: Indramati Rahidas, Khushi’s mother, supplies 50 samosas a day to a small eatery. 'All these efforts are for them,” she says Indramati, pointing to her children. Right: Mothers of some of the migrant children enrolled in the Sudhagad Education Society
PHOTO • Jyoti Shinoli

ବାମ: ଇନ୍ଦ୍ରାମତୀ ରାହିଦା, ଖୁସୀଙ୍କ ମାଆ ଏକ ଛୋଟ ଜଳଖିଆ ଦୋକାନକୁ ଦିନକୁ ୫୦ଟି ସିଙ୍ଗଡ଼ା ଯୋଗାନ୍ତି । ଇନ୍ଦ୍ରମତୀ କୁହନ୍ତି, ‘ଏସବୁ ଉଦ୍ୟମ ସେମାନଙ୍କ ପାଇଁ ’ ସେ ତାଙ୍କ ପିଲାମାନଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି । ଡାହାଣ: ସୁଧାଗଡ଼ ଶିକ୍ଷା ସମାଜରେ ନାମ ଲେଖାଇଥିବା କେତେକ ପ୍ରବାସୀ ଶିଶୁଙ୍କ ମାଆ ମାନେ

ଭାଷା କିମ୍ବା ନିର୍ଦ୍ଦେଶ ଦେବାର ଏକ ଅଣ ପରିଚିତ ମାଧ୍ୟମ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରୁ ଦୂରେଇ ଦେବାର ଅନ୍ୟତମ କାରଣ ବୋଲି ଜାତୀୟ ନମୁନା ସର୍ବେକ୍ଷଣ ଉଲ୍ଲେଖ କରିଛି । ଅନ୍ୟ କାରଣଗୁଡ଼ିକ ମଧ୍ୟରେ ରହିଛି ଆର୍ଥକ ପ୍ରତିବନ୍ଧକ ମାନ ଏବଂ ଶିକ୍ଷାଗତ ଭିତ୍ତିଭୂମି । ୨୦୧୭-୧୮ ରିପୋର୍ଟ ଉଲ୍ଲେଖ କରିଛି ଯେ, ଭାରତରେ ପ୍ରାଥମିକ ସ୍ତରରେ ଅଧାରୁ ପାଠପଢ଼ା ଛାଡ଼ିବା ହାର ୧୦ ପ୍ରତିଶତ, ଉଚ୍ଚ ପ୍ରାଥମିକ ବା ମାଧ୍ୟମିକ ସ୍କୁଲରେ ୧୭.୫ ପ୍ରତିଶତ ଏବଂ ସେକେଣ୍ଡାରୀ ସ୍ତରରେ ୧୯.୮ ପ୍ରତିଶତ ।

ୟୁନିସେଫ୍‌-ଆଇସିଏସ୍‌ଏସ୍‌ଆର୍‌ ରିପୋର୍ଟ ମଧ୍ୟ ଉଲ୍ଲେଖ କରିଛି : ‘‘ପିଲାମାନଙ୍କର ଆନ୍ତଃରାଜ୍ୟ ପ୍ରବାସ ଭାଷା, ପ୍ରତିବନ୍ଧକ ବିଭିନ୍ନ ପ୍ରଶାସନିକ ବ୍ୟବସ୍ଥା କାରଣରୁ ଅଧିକ ସମସ୍ୟା ଆଣିଥାଏ।  ମୂଳ ରାଜ୍ୟ କିମ୍ବା ସ୍ଥାନାନ୍ତର ହୋଇଥିବା ରାଜ୍ୟ କେହି ମଧ୍ୟ ପ୍ରବାସୀ ପିଲାମାନଙ୍କ ପାଇଁ ସହଯୋଗ ଯୋଗାନ୍ତି ନାହିଁ। ଯଦିଓ ଶିକ୍ଷାର ଅଧିକାର [ଆର୍‌ଟିଇ] ଆଇନ ସଂସଦରେ ପାରିତ ହୋଇଛି ।’’

ଅହମ୍ମଦ ନଗରର ଜଣେ ଶିକ୍ଷାକର୍ମୀ ହେରାମ କୁଲକର୍ଣ୍ଣି କୁହନ୍ତି, ‘‘ଆନ୍ତଃରାଜ୍ୟ ପ୍ରବାସୀ ଶିଶୁମାନଙ୍କ ଭାଷା ପ୍ରତିବନ୍ଧକ ବିଲୋପ ଦ୍ୱାରା ମାନଯୁକ୍ତ ଶିକ୍ଷାପ୍ରଦାନ ନିମନ୍ତେ ଏକ ସମାଧାନ ପାଇବା, ନୀତି ନିର୍ଦ୍ଧାରଣ କରିବା, ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।’’ ବୈଶେଟ୍‌ ଜେପି ସ୍କୁଲର ଶିକ୍ଷକ ସ୍ୱାତି ଗଓ୍ୱାଡେ କୁହନ୍ତି, ‘‘ ଏହା ଅଧିକ ଜରୁରୀ, କାରଣ ଥରେ ଗୋଟିଏ ଶିଶୁ ସ୍କୁଲରୁ ବାହାରିଗଲା  ପରେ ସେ କୌଣସି ନିରାପଦ ଭବିଷ୍ୟତ ବିନା ଜଣେ ଶିଶୁ ଶ୍ରମିକ ପାଲଟିଥାଏ । ସେ ପରାମର୍ଶ ଦିଅନ୍ତି ଯେ, ରାଜ୍ୟ କର୍ତ୍ତୃପକ୍ଷ ପ୍ରବାସୀ ପିଲାମାନଙ୍କ ଉପରେ ନଜର ରଖିବା ଏବଂ ଆର୍‌ଟିଇ ଅଧୀନରେ ସେମାନଙ୍କର ସ୍କୁଲ ଶିକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ ।

ରାଜ୍ୟଗୁଡ଼ିକର ପ୍ରାୟତଃ ସହଯୋଗ ନଥାଇ କିନ୍ତୁ ସାଙ୍ଗସାଥୀ ଏବଂ ଶିକ୍ଷକମାନଙ୍କଠାରୁ କିଛି ସାହାଯ୍ୟ ଦ୍ୱାରା ରଘୁ, ସତ୍ୟମ ଏବଂ ଖୁସୀ ବର୍ତ୍ତମାନ ମରାଠୀରେ କଥାବାର୍ତ୍ତା କରିପାରିବେ, ଲେଖିପାରିବେ ଏବଂ ବୁଝିପାରିବେ । କିନ୍ତୁ ସ୍ଥାନାନ୍ତରର ଖଡ୍‌ଗ ଏବେ ବି ସେମାନଙ୍କ ମୁଣ୍ଡ ଉପରେ ଝୁଲୁଛି । ସେମାନଙ୍କ ପିତାମାତା ପୁଣି କାମର ସନ୍ଧାନରେ ଅନ୍ୟ ରାଜ୍ୟକୁ ଯାଇପାରନ୍ତି – ଯେଉଁଠି ଆଉ ଏକ ଭାଷା ଥିବ । ରଘୁଙ୍କ ପିତାମାତା ମେ ମାସରେ ଗୁଜରାଟର ଅହମ୍ମଦାବାଦକୁ ଯିବାକୁ ନପେତ୍ତି ନେଇଥିଲେ । ତାଙ୍କ ବାପା ବ୍ୟସ୍ତ ହୋଇ କହିଥିଲେ, ‘‘ପ୍ରଥମେ ତା’ର ପରୀକ୍ଷା ସରିଯାଉ । ପରୀକ୍ଷା ଫଳ ବାହାରିବା ପରେ ଆମେ ସେମାନଙ୍କୁ କହିବୁ।’’

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jyoti Shinoli is a senior reporter at the People’s Archive of Rural India; she has previously worked with news channels like ‘Mi Marathi’ and ‘Maharashtra1’.

Other stories by Jyoti Shinoli