ତାଙ୍କର ବୟସ ମାତ୍ର ୧୯ବର୍ଷ , ହେଲେ, ଶିବାନୀଙ୍କୁ ଲାଗୁଛି ଯେପରି ତାଙ୍କ ପାଖରେ ଆଉ ସମୟ ନାହିଁ ।

ପ୍ରାୟ ଚାରି ବର୍ଷ ହେବ ସେ ତାଙ୍କ ପରିବାରକୁ କୌଣସି ପ୍ରକାରେ ତାଙ୍କ ବିବାହ ଆୟୋଜନ କରିବାଠାରୁ ଦୂରେଇ ରଖିବାରେ ସମର୍ଥ ହୋଇପାରିଛନ୍ତି – ଏପରି ଏକ ବିଳାସ ଯାହା ସେ ଆଉ ବହୁଦିନ ପର୍ଯ୍ୟନ୍ତ ଉପଭୋଗ କରିବାକୁ ସମର୍ଥ ହୋଇପାରିବେନି ବୋଲି ସେ ବିଶ୍ୱାସ କରନ୍ତି । “ଆଉ କେତେଦିନ ପର୍ଯ୍ୟନ୍ତ ମୁଁ ସେମାନଙ୍କୁ ଅଟକାଇ ରଖିପାରିବି, ତାହା ମୁଁ ଜାଣେନାହିଁ,” ବୋଲି ସେ କୁହନ୍ତି । “ ଦିନେ ନା ଦିନେ ଏହା ନିଶ୍ଚିତଭାବେ ଶେଷ ହୋଇଯିବ’’।

ବିହାରର ସମସ୍ତିପୁର ଜିଲ୍ଲାରେ ଥିବା ତାଙ୍କ ଗ୍ରାମ ଗଙ୍ଗସରାରେ ଝିଅମାନଙ୍କୁ ସାଧାରଣତଃ ସେମାନେ ବିଦ୍ୟାଳୟରେ ଦଶମ ଶ୍ରେଣୀ ସମ୍ପୂର୍ଣ୍ଣ କରିବା ପୂର୍ବରୁ ବା ସେମାନଙ୍କୁ ୧୭ - ୧୮ ବର୍ଷ ହୋଇଗଲେ ସେମାନଙ୍କ ବିବାହ କରିଦିଆଯାଏ ।

ଶିବାନୀ ( ଏହି କାହାଣୀରେ ସମସ୍ତ ନାମ ବଦଳାଯାଇଛି) କୌଣସି ପ୍ରକାରେ ଏହାର ପ୍ରତିରୋଧ ଜାରି ରଖିବାକୁ ସମର୍ଥ ହୋଇପାରିଛନ୍ତି ଓ ସେ ବର୍ତ୍ତମାନ ବିକମ୍‌ ଡିଗ୍ରୀ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ସେ ମହାବିଦ୍ୟାଳୟକୁ ଯିବା ପାଇଁ ସବୁବେଳେ ଇଚ୍ଛୁକ ଥିଲେ, ହେଲେ, ସେ ଏତେ ଏକଲା ହୋଇଯିବେ ବୋଲି କେବେ ମଧ୍ୟ ଭାବିନଥିଲେ । “ଗାଁରେ ଥିବା ମୋର ସମସ୍ତ ସାଙ୍ଗ ବାହା ହୋଇଗଲାଣି । ମୋର ସମସ୍ତ ସାଙ୍ଗସାଥି ଯେଉଁମାନଙ୍କ ସହିତ ମିଶି ମୁଁ ସାନରୁ ବଡ ହୋଇଛି ଓ ଯେଉଁମାନଙ୍କ ସହିତ ମୁଁ ବିଦ୍ୟାଳୟକୁ ଯାଉଥିଲି, ସେମାନେ ସମସ୍ତେ ମତେ ଛାଡି ଚାଲିଗଲେଣି” ବୋଲି ସେ ତାଙ୍କ ନିଜ ଘରେ ବସି ଏ ବିଷୟରେ ଖୋଲାଖୋଲି କଥା ହେବା ବିପଦପୂର୍ଣ୍ଣ ଭାବି  ଦିନେ ଅପରାହ୍ନରେ ତାଙ୍କ ପଡୋଶୀ ଘରେ ବସି କହିଲେ ।  ଏପରିକି ଏଠାରେ ମଧ୍ୟ ସେ ଘର ବାଡିପଟେ, ଯେଉଁଠାରେ ଛେଳିମାନେ ରୁହନ୍ତି, ସେଠାରେ କଥା ହେବା ଉପରେ ଜୋର୍‌ ଦେଇଥିଲେ ।  "କରୋନା ସମୟରେ ମହାବିଦ୍ୟାଳୟରେ ମୋ ସହିତ ପଢୁଥିବା ମୋର ଶେଷ ସାଥିର ମଧ୍ୟ ବିବାହ ହୋଇଯାଇଛି” ବୋଲି ମଧ୍ୟ ସେ ଜଣାଇଲେ ।

ତାଙ୍କ ସମ୍ପ୍ରଦାୟରେ, ସେ କୁହନ୍ତି ଯେ ମହାବିଦ୍ୟାଳୟକୁ ଯିବା ପାଇଁ ଝିଅମାନେ କ୍ୱଚିତ୍‌ ସୁଯୋଗ ପାଇଥାନ୍ତି । ଶିବାନୀ ରବିଦାସ ସମ୍ପ୍ରଦାୟର ଅଟନ୍ତି ( ଚାମର ଜାତିର ଏକ ଉପ-ଗୋଷ୍ଠୀ ) ,ଏକ ମହାଦଳିତ – ଏକ ସମଷ୍ଟିଗତ ଶବ୍ଦ ଯାହା ୨୦୦୭ରେ ବିହାର ସରକାରଙ୍କ ଦ୍ୱାରା ୨୧ଟି ଚରମ ଅବହେଳିତ ଅନୁସୂଚିତ ଜାତି ସମ୍ପ୍ରଦାୟକୁ ସୂଚିତ କରିବା ପାଇଁ ବ୍ୟବହାର କରାଯାଇଥିଲା ।

ତାଙ୍କର ଏକଲାପଣ ଏପର୍ଯ୍ୟନ୍ତ ଅବିବାହିତ ରହିଥିବା ଯୋଗୁ ସେ ସମ୍ମୁଖୀନ ହେଉଥିବା ସାମାଜିକ ଅପବାଦ ଓ ବିବାହ କରିବା ପାଇଁ ତାଙ୍କର ପରିବାରର ସଦସ୍ୟ, ପଡୋଶୀ ଓ ପରିଚିତ ବ୍ୟକ୍ତିମାନଙ୍କଠାରୁ ପଡୁଥିବା ଚାପ ଯୋଗୁ ବହୁଗୁଣିତ ହୋଇଯାଇଛି । “ମୋର ବାପା କହୁଛନ୍ତି ଯେ ମୁଁ ଯଥେଷ୍ଟ ପାଠ ପଢିଲିଣି । ହେଲେ, ମୁଁ ଜଣେ ପୋଲିସ୍‌ ଅଧିକାରୀ ହେବାକୁ ଚାହୁଁଛି । ମୁଁ ଏତେ ମହତ୍ୱାକାଂକ୍ଷୀ ହେବା ଉଚିତ ନୁହେଁ ବୋଲି ସେ ଭାବନ୍ତି । ସେ କୁହନ୍ତି ଯଦି ମୁଁ ମୋର ପାଠପଢା ଜାରି ରଖେ, ତାହାହେଲେ କିଏ ମତେ ବାହା ହେବ ?” ବୋଲି ସେ କୁହନ୍ତି । “ଏପରିକି ଆମ ସମ୍ପ୍ରଦାୟରେ ପୁଅମାନେ ମଧ୍ୟ ଶୀଘ୍ର ବିବାହ କରନ୍ତି । ବେଳେବେଳେ ମୁଁ ଭାବେ ଯେ ମୁଁ କ’ଣ ଏସବୁ ଛାଡିଦେବା ଦରକାର , ହେଲେ, ଏବେ ମୁଁ ଏତେ ଦୂର ଆସିଗଲିଣି ଓ ମୁଁ ମୋର ସ୍ୱପ୍ନ ସାକାର କରିବାକୁ ଚାହୁଁଛି ।’’

Shivani Kumari (left, with her mother, Meena Devi), says: 'Sometimes I wonder if I should give up...'
PHOTO • Amruta Byatnal
Shivani Kumari (left, with her mother, Meena Devi), says: 'Sometimes I wonder if I should give up...'
PHOTO • Antara Raman

ଶିବାନୀ କୁମାରୀ ( ବାମ , ତାଙ୍କ ମା ମୀନା ଦେବିଙ୍କ ସହିତ ), କୁହନ୍ତି ଯେ : ‘ ବେଳେବେଳେ ମୁଁ ଭାବେ ଯେ ମୁଁ ଛାଡିଦେବା ଉଚିତ …’

ସମସ୍ତିପୁରର କେ.ଏସ୍‌.ଆର୍‌ ମହାବିଦ୍ୟାଳୟ, ଯେଉଁଠାରେ ଶିବାନୀ ପଢନ୍ତି, ତାଙ୍କ ଗ୍ରାମଠାରୁ ପାଖାପାଖି ସାତ କିଲୋମିଟର ଦୂରରେ ଅବସ୍ଥିତ । ସେ କିଛି ବାଟ ଚାଲିଚାଲି ଯାଆନ୍ତି, ତା’ପରେ ବସ୍‌ ଧରନ୍ତି ଓ ଶେଷରେ ଏକ ସେୟାର୍‌ ଅଟୋରେ ଯାଆନ୍ତି । ବେଳେବେଳେ, ତାଙ୍କର ମହାବିଦ୍ୟାଳୟରେ ପଢୁଥିବା ପୁଅପିଲାମାନେ ତାଙ୍କୁ ସେମାନଙ୍କ ମଟର୍‌ସାଇକେଲ୍‌ରେ ଆଣି ଛାଡିଦେବେ ବୋଲି କୁହନ୍ତି, ହେଲେ ଗୋଟିଏ ପୁଅ ସହିତ ଆସୁଥିବା ଦେଖିବା ପରେ ଯେଉଁ ପରିଣତି ଭୋଗିବାକୁ ପଡିବ, ତାହା ଭାବି ସେ ସବୁବେଳେ ମନା କରିଦିଅନ୍ତି । “ଗାଁ ଲୋକେ ନିର୍ଦ୍ଦୟ ଭାବେ ମୋ ନାମରେ ବିଭିନ୍ନ ଗୁଜବ ପ୍ରଚାର କରିବେ । ମୋର ପ୍ରିୟବନ୍ଧୁକୁ ତା’ର ବିଦ୍ୟାଳୟର ଜଣେ ବାଳକ ସହିତ ଦେଖିବା ପରେ ଯଥାଶୀଘ୍ର ତାର ବିବାହ କରିଦିଆଗଲା । “ମୁଁ ଚାହୁଁନି ଯେ ଏପରି କିଛି ମୋର ମହାବିଦ୍ୟାଳୟ ଡିଗ୍ରୀ ହାସଲ କରିବା ଓ ମୁଁ ପୋଲିସ୍ ଓମେନ୍‌ ହେବା ପଥରେ ପ୍ରତିବନ୍ଧକ ହେଉ" ।

ଶିବାନୀଙ୍କ ବାପା ମା’ କୃଷି ଶ୍ରମିକ ଭାବେ କାମ କରନ୍ତି, ଯେଉଁମାନେ ମିଳିତ ଭାବେ ମାସକୁ ପ୍ରାୟ ୧୦,୦୦୦  ଟଙ୍କା ଉପାର୍ଜନ କରନ୍ତି । ତାଙ୍କର ୪୨ବର୍ଷ ବୟସ୍କ ମା ମୀନା ଦେବି, ତାଙ୍କ ପାଞ୍ଚ ସନ୍ତାନ – ଦୁଇ ପୁଅ, ଯଥାକ୍ରମେ ୧୩ ଓ ୧୭ ବର୍ଷ ଓ ତିନି ଝିଅ ଯଥାକ୍ରମେ ୧୦, ୧୫ ଓ ୧୯ ବର୍ଷ ବୟସ୍କ ଶିବାନିଙ୍କୁ ନେଇ ଚିନ୍ତିତ ଅଛନ୍ତି । ‘ମୁଁ ଦିନସାରା ମୋର ପିଲାମାନଙ୍କ ବିଷୟରେ ଚିନ୍ତା କରେ । ମତେ ମୋର ଝିଅମାନଙ୍କ ପାଇଁ ଯୌତୁକ ଯୋଗାଡ କରିବାକୁ ହେବ,” ବୋଲି ମୀନା ଦେବି କୁହନ୍ତି । ସେ ଏକ ବଡ ଘର ନିର୍ମାଣ କରିବାକୁ ମଧ୍ୟ ଭାବୁଛନ୍ତି – ତାଙ୍କର ଆଜ୍‌ବେଷ୍ଟସ୍‌ ଛାତ ଥିବା ଇଟା ଘରେ କେବଳ ଗୋଟିଏ ବଖରା ଅଛି ଓ ପରିବାରକୁ ଅନ୍ୟ ତିନି ପଡୋଶୀ ପରିବାର ସହିତ ମିଶି ଗୋଟିଏ ଶୌଚାଳୟ ବ୍ୟବହାର କରିବାକୁ ପଡୁଛି । “ମତେ ଏହା ନିଶ୍ଚିତ କରିବାକୁ ହେବ ଯେ ଯେଉଁ ଝିଅମାନେ (ବୋହୁମାନେ) ମୋ ଘରକୁ ଆସିବେ, ସେମାନେ ଯେପରି ଏଠାରେ ଆରାମରେ ତଥା ଖୁସିରେ ରହିବେ” ବୋଲି ମଧ୍ୟ ସେ  କହିଲେ । ଏସବୁ ଚିନ୍ତା ମଧ୍ୟରେ ଶିବାନୀ ମହାବିଦ୍ୟାଳୟକୁ ଯିବାକୁ ଦୃଢନିଶ୍ଚୟ କରିନଥିଲେ ବୋଧହୁଏ ତାଙ୍କର ଶିକ୍ଷା ପ୍ରତି ସର୍ବନିମ୍ନ ଗୁରୁତ୍ୱ ପ୍ରଦାନ କରାଯାଇଥାନ୍ତା ।

ମୀନାଦେବି, ଯିଏ ନିଜେ କେବେ ମଧ୍ୟ ବିଦ୍ୟାଳୟ ଯାଇନଥିଲେ, ସେ ହେଉଛନ୍ତି ପରିବାରର ଏକମାତ୍ର ସଦସ୍ୟ ଯିଏ ଶିବାନୀଙ୍କର ଯୋଜନାକୁ ସମର୍ଥନ କରି ଆସୁଛନ୍ତି । “ସେ ଅନ୍ୟ ପୋଲିସ୍‌ଓମେନଙ୍କୁ ଦେଖୁଛି ଓ ସେମାନଙ୍କ ଭଳି ହେବାକୁ ଚାହୁଁଛି । ମୁଁ ତାକୁ କିଭଳି ଅଟକାଇ ପାରିବି?” ବୋଲି ସେ ପଚାରନ୍ତି । “ଜଣେ ମା ଭାବେ ମୁଁ ଗର୍ବ ଅନୁଭବ କରିବି (ଯଦି ସେ ପୋଲିସ୍‌ ହୋଇଯାଏ, ତାହାହେଲେ)। ହେଲେ, ସମସ୍ତେ ତାକୁ ଉପହାସ କରୁଛନ୍ତି ଓ ମତେ ତାହା ଭଲ ଲାଗେନି ।’’

ଗ୍ରାମର କିଛି ଝିଅ ଓ ମହିଳାଙ୍କ କ୍ଷେତ୍ରରେ ଏହା କେବଳ ଉପହାସ ପର୍ଯ୍ୟନ୍ତ ସିମୀତ ରହିନି ।

୧୭ ବର୍ଷ ବୟସ୍କ ନେହା କୁମାରୀଙ୍କ ପରିବାରରେ, ବିବାହ ପ୍ରତିରୋଧର ପରିଣତି ସ୍ୱରୂପ ମାରପିଟ ସହିବାକୁ ହୁଏ ।  “ ପ୍ରତ୍ୟେକଥର ଯେତେବେଳେ ଏକ ନୂଆ ପ୍ରସ୍ତାବ ଆସେ ଓ ମୁଁ ସେଥିପାଇଁ ନା କହିଦିଏ, ସେତେବେଳେ ମୋ ବାପା ରାଗି ଯାଆନ୍ତି ଓ ମୋର ମା’କୁ ମାରନ୍ତି । ମୁଁ ଜାଣେ ମୁଁ ମୋର ମା’କୁ ସୀମା ବାହାରେ ମୋ ପାଇଁ କରିବାକୁ କହୁଛି,,” ବୋଲି ବୈଠକ ଘର ଯେଉଁଠାରେ ତାଙ୍କ ବାପା ଦ୍ୱିପହରରେ ବିଶ୍ରାମ କରୁଥିଲେ, ସେଠାରୁ ଦୂରରେ ଥିବା ଏକ ଛୋଟ ବଖରା, ଯେଉଁଥିରେ ସେ ଓ ତାଙ୍କ ଭଉଣୀ ରୁହନ୍ତି, ରେ କହିଲେ । ଏହି ବଖରାର ଗୋଟିଏ କୋଣରେ ନେହାଙ୍କର ପଢିବା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି  ଓ ତାଙ୍କର ପାଠ୍ୟପୁସ୍ତକଗୁଡିକୁ କାହାରିକୁ ଛୁଇଁବା ପାଇଁ ଅନୁମତି ନାହିଁ, ବୋଲି ସେ ହସି ହସି କୁହନ୍ତି ।

ତାଙ୍କର ମା ନୈନା ଦେବି କୁହନ୍ତି ଯେ, ମାଡ ତ ଏଥିପାଇଁ ଅତି ଛୋଟ ମୂଲ୍ୟ ଅଟେ । ସେ ନେହାର ମହାବିଦ୍ୟାଳୟ ପାଠପଢା ପାଇଁ ଏପରିକି ତାଙ୍କର ଗହଣାଗୁଡିକୁ ମଧ୍ୟ ବିକ୍ରି କରିବାକୁ ବିଚାର କରୁଛନ୍ତି । “ଯଦି ସେ ପାଠ ପଢି ପାରିବନି ଓ ବିବାହ କରିବାକୁ ବାଧ୍ୟ ହେବ, ତାହାହେଲେ ସେ ବିଷ ଖାଇଦେବ ଓ ମରିଯିବ ବୋଲି ସେ କୁହନ୍ତି । ମୁଁ ତାହା ହେବା କିଭଳି ଦେଖି ପାରିବି?” ବୋଲି ସେ ପଚାରିଲେ । ୨୦୧୭ରେ ଏକ ଦୁର୍ଘଟଣାରେ ନୈନା ଦେବି, ୩୯, ଙ୍କ ସ୍ୱାମୀ ତାଙ୍କର ଗୋଡ ହରାଇବା ପରେ, ସେ ବର୍ତ୍ତମାନ ତାଙ୍କ ପରିବାରର ଏକମାତ୍ର ଉପାର୍ଜନକାରୀ ସଦସ୍ୟ ଅଟନ୍ତି । ଏହି ପରିବାର ଭୁୟା ସମ୍ପ୍ରଦାୟ ଅନ୍ତର୍ଭୁକ୍ତ ଅଟେ, ଯାହା ମଧ୍ୟ ଏକ ମହାଦଳିତ ଜାତି ଅଟେ । ନୈନା କୃଷି ଶ୍ରମିକ ଭାବେ କାମକରି ମାସକୁ ପ୍ରାୟ ୫୦୦୦ଟଙ୍କା ଉପାର୍ଜନ କରନ୍ତି ଯାହା ତାଙ୍କ ପରିବାର ଚଳାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ, ବୋଲି ସେ କହୁନ୍ତି । ସେ ଯାହାହେଉ, ସେମାନଙ୍କର ସମ୍ପର୍କୀୟଙ୍କ ସହାୟତାରେ ଯେ କୌଣସି ପ୍ରକାରେ ଚଳି ଯାଆନ୍ତି ।

In Neha Kumari and Naina Devi's family, resistance to marriage brings a beating
PHOTO • Amruta Byatnal

ନେହା କୁମାରୀ ନୈନା ଦେବିଙ୍କ ପରିବାରରେ , ବିବାହର ପ୍ରତିରୋଧ କଲେ ମାରପିଟ ସହିବାକୁ ପଡେ

ନୈନା ଦେବି କୁହନ୍ତି ଯେ, ମାଡ ତ ଏଥିପାଇଁ ଅତି ଛୋଟ ମୂଲ୍ୟ ଅଟେ । ସେ ନେହାର ମହାବିଦ୍ୟାଳୟ ପାଠପଢା ପାଇଁ ଏପରିକି ତାଙ୍କର ଗହଣାଗୁଡିକୁ ମଧ୍ୟ ବିକ୍ରି କରିବାକୁ ବିଚାର କରୁଛନ୍ତି । “ଯଦି ସେ ପାଠ ପଢି ପାରିବନି ଓ ବିବାହ କରିବାକୁ ବାଧ୍ୟ ହେବ, ତାହାହେଲେ ସେ ବିଷ ଖାଇଦେବ ଓ ମରିଯିବ ବୋଲି ସେ କୁହନ୍ତି । ମୁଁ ତାହା ହେବା କିଭଳି ଦେଖି ପାରିବି?” ବୋଲି ସେ ପଚାରିଲେ ।

ନେହା ୧୨ଶ ଶ୍ରେଣୀରେ ପଢନ୍ତି ଓ ସେ ପାଟ୍‌ନାରେ କୌଣସି କାର୍ଯ୍ୟାଳୟରେ କାମ କରିବାକୁ ସ୍ୱପ୍ନ ଦେଖୁଛନ୍ତି । “ମୋ ପରିବାରର କେହି ମଧ୍ୟ କୌଣସି କାର୍ଯ୍ୟାଳୟରେ କେବେ ମଧ୍ୟ କାମ କରିନାହାନ୍ତି – ମୁଁ ଏପରି କରିବାରେ ସର୍ବପ୍ରଥମ ହେବାକୁ ଚାହୁଁଛି,’’ ବୋଲି ସେ କୁହନ୍ତି । ତାଙ୍କର ବଡ ଭଉଣୀ ୧୭ ବର୍ଷ ବୟସରେ ବିବାହ କରିଥିଲେ ଆଉ ୨୨ ବର୍ଷ ହେବାବେଳକୁ ତାଙ୍କର ତିନିଟି ପିଲା ହୋଇସାରିଥିଲେ । ତାଙ୍କର ଦୁଇ ଭାଇ ଯଥାକ୍ରମେ ୧୯ ଓ ୧୫ ବର୍ଷ ବୟସ୍କ ଅଟନ୍ତି । “ମୁଁ ମୋ ଭଉଣୀକୁ ଭଲପାଏ ହେଲେ ତାଭଳି ଜୀବନ ବଞ୍ଚିବାକୁ ଚାହୁଁନି,” ବୋଲି ମଧ୍ୟ ନେହା କୁହନ୍ତି ।

ଗଙ୍ଗସରା – ସରାଇରଞ୍ଜନ ତହସିଲ ଅନ୍ତର୍ଗତ ୬,୮୬୮ ଜନସଂଖ୍ୟା ବିଶିଷ୍ଟ (୨୦୧୧ ଜନଗଣନା) ଏକ ଗ୍ରାମ – ରେ ଥିବା ସରକାରୀ ବିଦ୍ୟାଳୟ ଯେଉଁଠାରେ ନେହା ପଢନ୍ତି, ସେଠାରେ କେବଳ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଅଛି । ସେ କୁହନ୍ତି ଯେ ତାଙ୍କ ଶ୍ରେଣୀରେ କେବଳ ଛଅ ଝିଅ ଓ ୧୨ ପୁଅ ନାମ ଲେଖାଇଛନ୍ତି । “୮ମ ଶ୍ରେଣୀ ପରେ ବିଦ୍ୟାଳୟରେ ଝିଅମାନଙ୍କ ସଂଖ୍ୟା କ୍ରମଶଃ କମିବା ଆରମ୍ଭ ହୁଏ,” ବୋଲି ନେହାଙ୍କ ବିଦ୍ୟାଳୟର ଜଣେ ଶିକ୍ଷକ ଅନିଲ କୁମାର କୁହନ୍ତି । “ବେଳେବେଳେ ସେମାନଙ୍କୁ କାମକୁ ପଠାଯିବା କାରଣରୁ ଆଉ ବେଳେବେଳେ ସେମାନେ ବିବାହ କରିବା କାରଣରୁ ଏପରି ହୋଇଥାଏ ।’’

ବିହାରରେ ଆମ ଦେଶରେ ଝିଅମାନେ ବିବାହ ଯୋଗ୍ୟ ହେବା ପାଇଁ ବୈଧ ବୟସ ୧୮ ବର୍ଷ  ( ବାଲ୍ୟବିବାହ ନିରୋଧ ଅଧିନିୟମ  ୨୦୦୬ ନିର୍ଦ୍ଦେଶ ପ୍ରକାରେ) ପୂର୍ବରୁ ୪୨.୫ ପ୍ରତିଶତ ଝିଅଙ୍କ ବିବାହ କରିଦିଆଯାଏ। ଏହି ସଂଖ୍ୟା ୨୮.୦୬ର ସର୍ବ-ଭାରତୀୟ ସ୍ତରଠାରୁ ଯଥେଷ୍ଟ ଅଧିକ ବୋଲି ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ( ଏନ୍‌.ଏଫ୍‌.ଏଚ୍‌.ଏସ୍‌ – ୪, ୨୦୧୫ – ୧୬ରେ ) ଉଲ୍ଲେଖ କରାଯାଇଛି । ସମସ୍ତିପୁରରେ ଏହି ସଂଖ୍ୟା ଆହୁରି ଅଧିକ ବୃଦ୍ଧି ପାଇ ୫୨.୩ ପ୍ରତିଶତ ରେ ପହଞ୍ଚିଛି ।

ଶିବାନୀ ଓ ନେହାଙ୍କ ଭଳି ଝିଅମାନଙ୍କର ଶିକ୍ଷା ବାଧାପ୍ରାପ୍ତ ହେବା ସହିତ ଏହାର ଆହୁରି ଅନେକ କୁପରିଣତି ରହିଛି । “ଏପରିକି ଯଦିଓ ଆମେ ବିହାରର ଗତ କିଛି ବର୍ଷ ଧରି ପ୍ରଜନନ ହାର ହ୍ରାସ ପାଇଥିବା ଦେଖିବାକୁ ପାଉଛେ (୨୦୦୫- ୬ରେ ୪ ପ୍ରତିଶତ  ଓ ୨୦୧୫ – ୧୬ରେ ୩.୪ ପ୍ରତିଶତ ଥିବାବେଳେ ୨୦୧୯- ୨୦ରେ ୩ ପ୍ରତିଶତରେ ପହଞ୍ଚିଛି – ଏନ୍‌. ଏଫ୍‌.ଏଚଏସ୍) ତଥାପି ଏହା ଆମ ସମସ୍ତଙ୍କୁ ଜଣା ଯେ ଅଳ୍ପ ବୟସରେ ଯେଉଁ ଝିଅମାନେ ବାହା ହୁଅନ୍ତି ସେମାନେ ଦୁର୍ବଳ ଓ କୁପୋଷଣର ଶିକାର ହେବା ସମ୍ଭାବନା ଅଧିକ ରହିଛି ଓ ସେମାନଙ୍କୁ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସୁବିଧା ମଧ୍ୟ ଉପଲବ୍ଧ ହୋଇପାରେନାହିଁ,” ବୋଲି ମହିଳା ଓ ଝିଅମାନଙ୍କ ଶିକ୍ଷା, ଅଳ୍ପ ବୟସରେ ବିବାହ ଓ ସ୍ୱାସ୍ଥ୍ୟ ମଧ୍ୟରେ ରହିଥିବା ସମ୍ପର୍କ ଅଧ୍ୟୟନ କରିଥିବା ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ଅନୁଷ୍ଠାନ, ନୂଆଦିଲ୍ଲୀର ବରିଷ୍ଠ ଗବେଷକ ପୂର୍ଣ୍ଣିମା ମେନନ୍‌ କୁହନ୍ତି ।

ଅବସ୍ଥାନ୍ତର ପାଇଁ ପର୍ଯ୍ୟାପ୍ତ ସମୟ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ମେନନ୍‌ ଆହୁରି କୁହନ୍ତି ଯେ -–ବିଦ୍ୟାଳୟ ଓ ବିବାହ, ଗର୍ଭଧାରଣ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରହିବା ଉଚିତ । “ଆମେ ଝିଅମାନଙ୍କ ଜୀବନର ପ୍ରମୁଖ ରୂପାନ୍ତରଣଗୁଡିକ ମଧ୍ୟରେ ରହିଥିବା ବ୍ୟବଧାନକୁ ଆହୁରି ବୃଦ୍ଧି କରିବାକୁ ହେବ,” ବୋଲି ସେ କୁହନ୍ତି । “ଆଉ ଏହା ଆମେ ଝିଅମାନେ ଝିଅ ଅବସ୍ଥାରେ ଥିବା ବେଳଠାରୁ ହିଁ ଆରମ୍ଭ କରିବା ଆବଶ୍ୟକ ।’’ ମେନନ୍‌ ବିଶ୍ୱାସ କରନ୍ତି ଯେ ନଗଦ ହସ୍ତାନ୍ତର କାର୍ଯ୍ୟକ୍ରମ ଓ ପରିବାର ନିୟୋଜନ ପ୍ରୋତ୍ସାହନ ଭଳି ସହାୟତା ପ୍ରଦାନ କରିବା ଦ୍ୱାରା କିଛି ଅଧିକା ସମୟ ବିଳମ୍ବ କରିବା ସମ୍ଭବ ହୋଇପାରିବ ତଥା ଝିଅମାନଙ୍କୁ ସେମାନଙ୍କର ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇପାରିବ ।

“ଆମେ ଏହା ବିଶ୍ୱାସ କରୁ ଯେ, ଯଦି ଝିଅମାନଙ୍କୁ ଆବଶ୍ୟକ ସମୟ ବିଳମ୍ବରେ ବିବାହ କରାଯିବ, ତାହାହେଲେ ସେମାନେ ଭଲଭାବେ ପଢିପାରିବେ ତଥା ଏକ ସୁସ୍ଥ ଜୀବନ ବଞ୍ଚିପାରିବେ,’’ ବୋଲି ସମସ୍ତିପୁରର ସରାଇରଞ୍ଜନ ତହସିଲରେ କାମ କରୁଥିବା ଏକ ଏନ୍‌ଜିଓ ଜବାହାର ଜ୍ୟୋତି ବାଳ ବିକାଶ କେନ୍ଦ୍ରର ପ୍ରୋଗ୍ରାମ ମ୍ୟାନେଜର କିରଣ କୁମାରୀ କୁହନ୍ତି ।  କୁମାରୀ ଅଳ୍ପ ବୟସରେ କରାଯାଉଥିବା ଅନେକ ବିବାହ ବନ୍ଦ କରିବା ଓ ଏହା ସହିତ ଯଦି ଝିଅ ଇଚ୍ଛା କରୁଛି ତାହାହେଲେ ବିଳମ୍ବରେ ବିବାହ କରାଇବା ପାଇଁ ପରିବାର ସଦସ୍ୟଙ୍କୁ ରାଜି କରାଇବାରେ ପ୍ରମୂଖ ଭୂମିକା ଗ୍ରହଣ କରିଛନ୍ତି । ‘‘ଆମର କାମ କେବଳ ଅଳ୍ପ ବୟସରେ କରାଯାଉଥିବା ବିବାହକୁ ବନ୍ଦ କରିବା ପାଇଁ ପ୍ରୟାସ କରିବା ମଧ୍ୟରେ ସିମୀତ ନୁହେଁ,” ବରଂ “ଲକ୍ଷ୍ୟ ହେଉଛି ଝିଅମାନଙ୍କୁ ପର୍ଯ୍ୟାପ୍ତ ଅଧ୍ୟୟନ କରିବାକୁ ଓ ସେମାନେ ନିଜ ପାଇଁ ବାଛିଥିବା ଜୀବନ ବଞ୍ଚିବାକୁ ପ୍ରେରିତ କରିବା” ବୋଲି ସେ କୁହନ୍ତି ।

Every time, Gauri had succeeded in convincing her parents to wait. But in May 2020, she wasn’t so lucky
PHOTO • Amruta Byatnal
Every time, Gauri had succeeded in convincing her parents to wait. But in May 2020, she wasn’t so lucky
PHOTO • Antara Raman

ପ୍ରତ୍ୟେକ ଥର ଗୌରୀ ତାଙ୍କ ବାପାମା’ଙ୍କୁ ଆଉ କିଛି ଅଧିକ ସମୟ ପ୍ରତୀକ୍ଷା କରିବାକୁ ରାଜି କରାଇବାରେ ସଫଳ ହେଉଥିଲେ । ହେଲେ, ମେ ୨୦୨୦ରେ ଭାଗ୍ୟ ତାଙ୍କ ସପକ୍ଷରେ ନଥିଲା ।

ହେଲେ, ମାର୍ଚ୍ଚ ୨୦୨୦ରେ ମହାମାରୀ – ତାଲାବନ୍ଦ ଆରମ୍ଭ ହେବା ପରଠାରୁ ଅଭିବାବକମାନଙ୍କୁ ବୁଝାଇବା ଅତ୍ୟନ୍ତ କଷ୍ଟକର ହୋଇଯାଇଥିବା କୁମାରୀ ଲକ୍ଷ୍ୟ କରୁଛନ୍ତି । “ବାପାମା’ମାନେ ଆମକୁ କହୁଛନ୍ତି ଯେ : ‘ଆମେ ଆମ ଆୟର ପନ୍ଥା ହରାଇବାରେ ଲାଗିଛୁ ( ଆଉ ଭବିଷ୍ୟତର ଉପାର୍ଜନ ନେଇ ଆମେ ଅନିଶ୍ଚିତତା ମଧ୍ୟରେ ଅଛୁ) । କିଛି ନ ହେଲେ ମଧ୍ୟ ଝିଅମାନଙ୍କର ବିବାହ କରି ଆମେ ଅତିକମ୍‌ରେ ଆମର ଗୋଟିଏ ଦାୟିତ୍ୱ ସମ୍ପନ୍ନ କରିବାକୁ ଚାହିଁବୁ’ । ଆମେ ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କରୁଛୁ ଓ ଝିଅମାନେ ବୋଝ ନୁହଁନ୍ତି , ସେମାନେ ତୁମର ସହାୟତା କରିବେ  କରିବେ ବୋଲି କହୁଛୁ ।’’

କିଛି ସମୟ ପର୍ଯ୍ୟନ୍ତ, ୧୬ ବର୍ଷ  ବୟସ୍କ ଗୌରୀ କୁମାରୀଙ୍କ ପାଇଁ ସମୟ ଅନୁକୂଳ ରହିଥିଲା । ୯ -୨୪ ବର୍ଷ ବୟସ ମଧ୍ୟରେ ଥିବା ସମସ୍ତ ସାତ ଭାଇଭଉଣୀଙ୍କ ମଧ୍ୟରେ ସେ ସବୁଠାରୁ ବଡ ହୋଇଥିବାରୁ, ତାଙ୍କର ଅଭିବାବକ – ଏହି ପରିବାର ମଧ୍ୟ ଭୁୟାଁ ଜାତିର –  ଅନେକ ଥର ତାଙ୍କ ବିବାହ କରିବାକୁ ଚେଷ୍ଟାଥିଲେ । ପ୍ରତ୍ୟେକ ଥର ସେ ତାଙ୍କୁ ଆଉ କିଛି ସମୟ ପ୍ରତୀକ୍ଷା କରିବା ପାଇଁ ରାଜି କରାଇବାରେ ସଫଳ ହୋଇଥିଲେ । ହେଲେ, ମେ ୨୦୨୦ରେ ଭାଗ୍ୟ ତାଙ୍କ ସପକ୍ଷରେ ନଥିଲା ।

ଗୋଟିଏ ଦିନ ସମସ୍ତିପୁରରେ ଅବସ୍ଥିତ ତାଙ୍କ ଗ୍ରାମ ମହୁଲି ଦାମୋଦର ଗ୍ରାମ ବାହାରେ ଥିବା ଏକ ବସ୍‌ଷ୍ଟାଣ୍ଡ ନିକଟରେ କଥା ହେବାବେଳେ, ଗୌରୀ ତାଙ୍କର ବିବାହ ପୂର୍ବର ଘଟଣାଗୁଡିକ ମନେ ପକାଇ କହିଲେ ଯେ :‘‘ପ୍ରଥମେ ବେଗୁସରାଇର ଏକ ଅଶିକ୍ଷିତ ପିଲା ସହିତ ମୋର ବିବାହ କରିବାକୁ ମୋର ମା ଇଚ୍ଛା କରିଥିଲେ, ହେଲେ, ମୁଁ ମୋ ଭଳି ଜଣେ ଶିକ୍ଷିତ ବ୍ୟକ୍ତି ସହିତ ବିବାହ କରିବାକୁ ଚାହୁଁଥିଲି” ବୋଲି ସେ କୁହନ୍ତି । “ପରେ ମୁଁ ଆତ୍ମହତ୍ୟାର ଧମକ ଦେବାପରେ ଓ ଜୱାହର ଜ୍ୟୋତିର ସାର୍‌ ଓ ମାଡାମ୍‌ମାନଙ୍କୁ ଡାକିବା ପରେ ଯାଇ ସେ ତାଙ୍କର ଏହି ଧାରଣା ତ୍ୟାଗ କଲେ’’।

ହେଲେ, ଗୌରୀଙ୍କ ବାରମ୍ବାର ପ୍ରତ୍ୟାଖ୍ୟାନ ଓ ପୋଲିସ୍‌ଙ୍କୁ ଡାକିବା ଧମକର ପ୍ରଭାବ ବେଶୀଦିନ ରହିପାରିଲାନି ।  ଗତବର୍ଷ ମେ ମାସରେ, ତାଙ୍କର ପରିବାର ମହାବିଦ୍ୟାଳୟରେ ପଢୁଥିବା ଏକ ପିଲାକୁ ଖୋଜି ବାହାର କଲେ ଓ ତା‘ପରେ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ଗୌରୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଏପରିକି, ତାଙ୍କ ବାପା, ଯିଏ ମୁମ୍ବାଇର ପାଇକାରୀ ବଜାରରେ ଦିନ ମଜୁରୀଆ ଭାବେ କାମ କରନ୍ତି, ସେ ମଧ୍ୟ ତାଲାବନ୍ଦ କାରଣରୁ ଏହି ବିବାହରେ ଯୋଗ ଦେଇପାରିନଥିଲେ ।

“ମୋର ଏହି ସ୍ଥିତି ପାଇଁ ମୁଁ ଦୁଃଖିତ । ବାସ୍ତବରେ, ମୁଁ ଭାବିଥିଲି ଯେ ମୁଁ ପଢିବି ଓ ଦିନେ ଜଣେ ବଡ ଲୋକ ହେବି । ହେଲେ, ବର୍ତ୍ତମାନ ମଧ୍ୟ, ମୁଁ ମୋର ହାର୍‌ ମାନିବାକୁ ପ୍ରସ୍ତୁତ ନୁହେଁ । ଦିନେ ମୁଁ ଜଣେ ଶିକ୍ଷୟତ୍ରୀ ହେବି,”  “ଆଉ, ଛୋଟ ଝିଅମାନଙ୍କୁ ସେମାନଙ୍କ ହାତରେ ସେମାନେ ତାଙ୍କ ଭବିଷ୍ୟତ ପଢିପାରିବେ ବୋଲି ଶିଖାଇ ପାରିବି’’ ବୋଲି ସେ କୁହନ୍ତି ।

ପରୀ ଓ କାଉଣ୍ଟର ମିଡିଆ ଟ୍ରଷ୍ଟର ଗ୍ରାମାଞ୍ଚଳରେ କିଶୋରୀ ଝିଅ ଓ ଯୁବତୀ ସମ୍ବନ୍ଧିତ ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆର ସହାୟତାରେ ଏହି ପ୍ରମୁଖ ଅଥଚ ଅଣଦେଖା ସମୁଦାୟର ସ୍ଥିତିର ଅନୁସନ୍ଧାନ କରିବା ପାଇଁ ସାଧାରଣ ଲୋକଙ୍କ ସ୍ୱର ଓ ଜୀବନ ଅନୁଭୂତି ଆଧାରରେ ଆରମ୍ଭ କରାଯାଇଥିବା ଏକ ପ୍ରୟାସ ।

ଏହି ଆଲେଖର ପୁନଃ ପ୍ରକାଶନ କରିବାକୁ ଚାହୁଁଛନ୍ତି କି? ଦୟାକରି [email protected]କୁ cc କରିବା ସହିତ [email protected]କୁ ଲେଖନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Amruta Byatnal

Amruta Byatnal is an independent journalist based in New Delhi. Her work focuses on health, gender and citizenship.

Other stories by Amruta Byatnal
Illustration : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

Other stories by Antara Raman
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE