ଏ ବାବଦରେ କିଛି ଭୁଲ ନାହିଁ। ତାହା ଗୋଟିଏ ହାତୀ ଥିଲା। ତା ଉପରେ ଜଣେ ଲୋକ ବସିଥିଲେ। ସରଗୁଜା-ପାଲାମୁ ସୀମାର ଗୋଟିଏ ଜନଶୂନ୍ୟ ଅଞ୍ଚଳ ଦେଇଯିବା ବେଳେ ଆମେ ପ୍ରଥମେ ସେହି ଲୋକ ଓ ଜୀବକୁ ଦେଖିଲୁ। ଅତିକମରେ ଆମେ ଭାବିଲୁ ଆମେ ଦେଖିଛୁ। ଆମ ଭିତରୁ ତିନି ଜଣ ଏ ନେଇ ପୁଣି ଥରେ ପରସ୍ପରକୁ ପଚାରିନେଲୁ। ତେବେ ଆମେ ଅତି ନିକଟକୁ ଯାଇ ତନଖି କରିବା ନେଇ କୌଣସି ବ୍ୟସ୍ତତାରେ ନ ଥିଲୁ ।

ଏହା ଦଲିପ କୁମାରଙ୍କୁ ଚିଡାଇ ଦେଲା, ଯିଏ ଚଣ୍ଡୱାରୁ ମୋତେ ଭେଟିବାକୁ ଆସିଥିଲେ। ସେ କହିଲେ, ଆମ ଦୃଷ୍ଟିକୋଣ ଅଯଥା ଥିଲା।  “ଯଦି ଆମେ ସମାନ ଦୃଶ୍ୟ ପାଟନା ବା ରାଞ୍ଚି ବା ଅନ୍ୟ କୌଣସି ସହରରେ ଦେଖିଥାନ୍ତେ, ଏହା ଆମକୁ ଆଦୌ ଅସାଧାରଣ ଲାଗି ନ ଥାନ୍ତା। ଏହା ଜଙ୍ଗଲ, ଏଠାରେ ହାତୀ ରହନ୍ତି। ଏବଂ ଆମେ ବୋକା ବନିଲେ।”

ହୋଇପାରେ ଏଥିପାଇଁ ଆମେ ବୋକା ବନୁଛନ୍ତି। ଏହା ଜଙ୍ଗଲ  ଥିଲା। ଦଲୀପଙ୍କ କଥା ସମ୍ପୂର୍ଣ ଭାବେ ଯୁକ୍ତିସଂଗତ ଥିଲା। କିନ୍ତୁ କାର୍ଯ୍ୟ   କ୍ଷେତ୍ରରେ ସେହି ତର୍କକୁ ଦର୍ଶାଇବା ନେଇ ସେ ଯେଉଁ ସ୍ୱୀକାରୋକ୍ତି କଲେ ସେଥିରେ ତାଙ୍କର ଉତ୍ସାହ ନ ଥିବା ଭଳି ଦେଖାଗଲା। ଏହାଛଡା କିଛି ସମୟ ପାଇଁ ଆମେ  ହାତୀ ପିଠିରେ ଜଣେ ଲୋକକୁ ଦେଖିଛୁ ବୋଲି ନିଶ୍ଚିତ ନ ଥିଲୁ ।

ଅବଶ୍ୟ ସେହି ସମୟ ମଧ୍ୟରେ ସେହି ଲୋକ ଜଣକ ଆମକୁ ଦେଖି ସାରିଥିଲେ। ସେ ଖୁସିରେ ଉଲ୍ଲସିତ ହୋଇ ଉଠିଥିଲେ, ଏବଂ ତାଙ୍କର ବିଶାଳ ଯାନଟିକୁ ଆମ ଆଡକୁ ମୋଡି ଦେଇଥିଲେ। ତାର ନାଁ ଥିଲା ପାର୍ବତୀ ଏବଂ ସେ ଶାନ୍ତ ସ୍ୱଭାବର ଥିଲା। ତାର ନାଁ ବି ଖାପ ଖାଉଥିଲା ପ୍ରଭୁ ଞ୍ଚା ସେ ତାକୁ ଗୋଟିଏ ମନ୍ଦିର ପାଖକୁ ନେଇ  ଯାଉଥିଲେ, ଯାହା ବାବଦରେ ଆମେ ଶୁଣି ନ ଥିଲୁ। ସେ କହିଲେ, ସେମାନେ ଅଞ୍ଚଳରେ ଥିବା ସବୁ ମନ୍ଦିରକୁ ବୁଲୁଥିଲେ। ଆଉ ସେଥିରୁ ସେ କିଛି ଅର୍ଥ ଆୟ କରୁଥିଲେ। କୌଣସି ପର୍ବ ଥିଲେ ସେମାନେ ଅଧିକ ଆୟ କରୁଥିଲେ। ରାସ୍ତାରେ ଗାଁର କେତେକ ଭଲ ଲୋକ ସେମାନଙ୍କୁ କିଛି ଖାଦ୍ୟ ଓ ଟଙ୍କା ଦେଉଥିଲେ ।

ପ୍ରଭୁ କହିଲେ, ସେ ମଧ୍ୟପ୍ରଦେଶର ସରଗୁଜାର ବାସିନ୍ଦା। କିନ୍ତୁ ସେ ଓ ପାର୍ବତୀ ପାଲାମୁରେ ସୀମା ରେଖାର ଉଭୟ ପଟକୁ ଯାଇଛନ୍ତି। ଦିଲ୍ଲୀ, ଗୋଆ ଓ ନାଗାଲାଣ୍ଡକୁ ମିଶାଇଲେ ଆକାରରେ ଯାହା ହେବ ସରଗୁଜା ଜିଲ୍ଲା ତାଠାରୁ ବଡ। ପାଲାମୁ ବିହାର** ଅନ୍ତର୍ଭୁକ୍ତ। ଉଭୟ ଦେଶର ଦରିଦ୍ରତମ ଜିଲ୍ଲା ମଧ୍ୟରୁ ଅନ୍ୟତମ। ଅର୍ଥାତ୍ ସେଠାରେ ବହୁ ସଂଖ୍ୟାରେ ଗରିବ ଲୋକ ରହନ୍ତି। ସମ୍ପଦ ଦୃଷ୍ଟିରୁ ଦେଖିଲେ, ଉଭୟ ଜିଲ୍ଲା ଅତ୍ୟନ୍ତ ସମୃଦ୍ଧ ।

ପାର୍ବତୀ ସମ୍ଭବତଃ ଏକ ଭିନ୍ନ ପ୍ରଜାତି। ସରଗୁଜାର ହାତୀ ଯୁଦ୍ଧ ଭୂଇଁରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବା ନେଇ ଇତିହାସରେ ପ୍ରସିଦ୍ଧ। ଜିଲ୍ଲା ଗେଜେଟରେ ଉଲ୍ଲେଖ ଅନୁସାରେ, ‘‘ମଧ୍ୟଯୁଗୀୟ ଯୁଦ୍ଧ ସମୟରେ, ହାତୀ ଗୁଡିକ ଶକ୍ତିର ସବୁଠାରୁ ଗୁରୁତ୍ୱପୂର୍ଣ ଉତ୍ସ ଥିଲେ। ତେଣୁ ସେହି ସମୟରେ ଛତିଶଗଡର ସରଗୁଜା ଥିଲା ଅନ୍ୟତମ ଗୁରୁତ୍ୱପୂର୍ଣ ସ୍ଥାନ ଯେଉଁଠାରୁ ହାତୀ କିଣାଯାଉଥିଲା। ମାଲୱାର ସୁଲତାନମାନଙ୍କ ସହ ସରଗୁଜାର ଶାସକଙ୍କ ସମ୍ପର୍କ ଏହି ଆଧାରରେ ହିସାବ କରାଯାଉଥିଲା,ଯେ ସେମାନେ ମାଲୱାକୁ ନିୟମିତ ହାତୀ ଯୋଗାଣ ନିଶ୍ଚିତ କରୁଥିଲେ।’’

ସରଗୁଜା ଉପରେ ଆଧିପତ୍ୟ ବଜାୟ ରଖିବା ଲାଗି ମାଲୱା ଏହାକୁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଚିନ୍ତା କରୁଥିଲା। ଅବଶ୍ୟ ପ୍ରଭୁ ଓ ପାର୍ବତୀର ପୂର୍ବପୁରୁଷ ଦୁର୍ଦ୍ଧର୍ଷ ଏବଂ ଲଢୁଆ ଥିଲେ ବୋଲି ସେମାନଙ୍କୁ ଦେଖି ବିଶ୍ୱାସ କରିବା କଷ୍ଟକର ହେଉଥିଲା। ପ୍ରଭୁ ଅତି ବିନୟୀ ଭଳି ଲାଗୁଥିଲା। ଯୁଦ୍ଧ କଥା କହିଲେ ପାର୍ବତୀ ଗୋଟିଏ ଠେକୁଆ ଭଳି ଲାଗୁଥିଲା ।(ଯଦି ଆପଣ କଳ୍ପନା କରିବେ ତାହା ଗୋଟିଏ ଖୁବ୍ ବଡ଼ ଶାନ୍ତିପ୍ରିୟ ଠେକୁଆ ଭଳି ଲାଗୁଥିଲା) ।

ଯାଯାବରମାନଙ୍କଠାରୁ ଶିକ୍ଷା

ଦଲୀପ, ମୁଁ ଏବଂ ଅମ୍ବିକାପୁର***ରୁ ଆମେ ଭଡ଼ା କରିଥିବା ପୁରୁଣା ଜିପର ଡ୍ରାଇଭର ଗୋଟିଏ ଗାଁ ଖୋଜୁଥିଲୁ ଯାହା ଆମେ ଶେଷରେ ପାଇଲୁନାହିଁ। ଆମେ ଆମର ଜିପକୁ ଏକ ବିରହର ସଂପ୍ରଦାୟର ଆଦିବାସୀମାନଙ୍କର ଏକ କଲୋନୀ ନିକଟରେ ରଖିଲୁ। ହୋ, ସାନ୍ତାଳ, ମୁଣ୍ଡାଙ୍କ ପରି ବିରହରମାନେ ହେଉଛନ୍ତି ଏକ ପ୍ରାଚୀନ ଆଦିବାସୀ ସଂପ୍ରଦାୟ। ଏମାନେ ଦକ୍ଷିଣ ପୂର୍ବ ଏସିଆରେ ପ୍ରଚଳିତ ଭାଷା କହନ୍ତି। ଛୋଟନାଗପୁର ଅଞ୍ଚଳର ଏହି ଯାଯାବର ସଂପ୍ରଦାୟର ଲୋକେ ମୁଖ୍ୟତଃ ପାଲାମୁ, ରାଞ୍ଚି, ଲୋହାରଗଡ଼ା, ହଜାରିବାଗ ଏବଂ ସିଂହଭୂମ ଅଞ୍ଚଳରେ ବୁଲିଥାନ୍ତି। ଏହି ଆଦିବାସୀମାନଙ୍କର ସଂଖ୍ୟା କମୁଛି। ଏବେ ସେମାନଙ୍କ ମଧ୍ୟରୁ ମାତ୍ର ୨,୦୦୦ ବା ତା’ ଠାରୁ କମ୍ ଲୋକ ଅଛନ୍ତି।

ସେଠାକାର ବିରହରମାନେ ଆମକୁ ‘ନିକଟରେ’ ଥିବା ଆଉ ଏକ ବିସ୍ମୟକର ଗାଁ ବିଷୟରେ କହିଲେ। ଆମେ ଏବେ ଶିକ୍ଷା ଗ୍ରହଣ କଲୁ, ସେଠାରୁ ବହୁ ମାଇଲ ତଳକୁ ଖସିବାକୁ ପଡ଼ିଲା, ଯାଯାବର ସଂପ୍ରଦାୟର ଜଣେ ଲୋକ ଯାହାକୁ ‘ନିକଟରେ’ ବୋଲି କହିଥିଲେ ତାକୁ ଗ୍ରହଣ କରିବା ସଂଘାତିକ ଥିଲା। ଜିପକୁ ଆମକୁ ଅସୁବିଧା କରୁଥିଲାବେଳେ ଆମେ ତାକୁ ବିରହରମାନଙ୍କ ଦାୟିତ୍ୱରେ ଛାଡ଼ି ପାଦରେ ଚାଲି ଆଗକୁ ଗଲୁ ।

ଡ୍ରାଇଭର ଆମ ସହ ଯିବାକୁ ଚାହୁଁଥିଲା। ବିରହରମାନେ ଯେଉଁଭଳି ଦେଖାଯାଉଥିଲେ ସେଥିଯୋଗୁ ସେ ଭୟଭୀତ ଥିବାର କହିଥିଲା। ଏବେ ପାର୍ବତୀକୁ ଦେଖି ସେ ଡରି ଯାଇଥିଲା। ଡ୍ରାଇଭର କିଭଳି ଚାହିଁଲା ସେ ସଂପର୍କରେ ଦଲୀପ ଥଟ୍ଟାକରି କିଛି ବୟାନ ଦେଲେ କିନ୍ତୁ ଲୋକଜଣକ ସେହିଭଳି ଆମ ସହିତ ଚାଲିଲା ।

ପ୍ରଭୁ ଆମକୁ ଖୁସି ମନରେ ହାତୀ ପିଠିରେ ବସିବା ପାଇଁ ପ୍ରସ୍ତାବ ଦେଲେ। ଆମେ ତାକୁ ଗ୍ରହଣ କଲୁ। ୧୯୯୩ ମସିହାର ମଧ୍ୟଭାଗରେ କିଛି ମାସ ତଳୁ ମୁଁ ମୋ ପ୍ରକଳ୍ପ ପାଇଁ ବାହାରିବା ପରେ କେତେ ପ୍ରକାର ଯାନବାହନ ବ୍ୟବହାର କରିଥିଲି ତାହା ହିସାବ କରୁଥିଲି। ସେଥିମଧ୍ୟରେ ଡଙ୍ଗାଠାରୁ ଆରମ୍ଭ କରି ଟ୍ରେନ୍ ଉପରେ ଯାତ୍ରା କରିବା ସାମିଲ ଥିଲା। କିନ୍ତୁ ହାତୀସବାରି ସେହି ତାଲିକାରେ ନଥିଲା। କିଛି ବାଟ ଯିବା ପରେ ଆମେ ବସିପଡ଼ିଲୁ ଏବଂ ପ୍ରଭୁଙ୍କ ସହ କଥା ହେଲୁ। ଗାଁ ଖୋଜିବା କଥା ଆମେ ଭୁଲିଯାଇଥିଲୁ। ସେଠାରେ କିଛି ପ୍ରକୃତରେ କୌତୁହଳପ୍ରଦ କଥା ଥିଲା ଏବଂ ‘ନିକଟରେ’ ଥିଲା। ସେ କିଭଳି ପାର୍ବତୀକୁ ଖୁଆଇବା ସହ ଚଳାଉଥିଲେ ତାହା ଆମେ ଜାଣିବାକୁ ଚାହିଁଲୁ।

ଆମର ସାକ୍ଷାତକାର ନେବାର ଦକ୍ଷତା ବଳରେ ଆମେ ପରବର୍ତ୍ତୀ ଦେଢଘଣ୍ଟା କିଛି ନଶିଖି ବସିରହିଲୁ। ପ୍ରଭୁ ବିନୟୀ କିନ୍ତୁ ସାବଧାନ ଥିଲେ। ସେ କହିଲେ ଯେ, ଲୋକଙ୍କର ଦାନ ଏବଂ ମନ୍ଦିରରେ ଆୟୋଜିତ ମେଳାରୁ ଉପାର୍ଜିତ ଟଙ୍କାରେ ସେମାନେ ଭଲ ଭାବେ ଚଳୁଥିଲେ। ଦେଶର କିଛି ଅଞ୍ଚଳରେ ତାହା ସତ ହୋଇପାରେ। କିନ୍ତୁ ଏଠାରେ ତାହା ନୁହେଁ। ଦଲୀପ କହିଲେ,’ ‘ତୁମେ *%*#* ମିଛ କହୁଛ। ହାତୀଟି ଦିନକୁ ୨୦୦ କିଲୋ ଘାସ ଓ ଅନ୍ୟାନ୍ୟ ଖାଦ୍ୟ ଆବଶ୍ୟକ କରେ। ତୁମେ କ’ଣ କରୁଥିବ ମୁଁ କହୁଛି। ତୁମେ ନିକଟବର୍ତ୍ତୀ ଚାଷଜମିରେ ତାକୁ ଖାଇବାକୁ ଛାଡ଼ିଦେଉଥିବ, ନୁହେଁ କି?’’

ବୋଧହୁଏ ତାହା ସତ୍ୟ ଥିଲା। ପ୍ରଭୁ କିନ୍ତୁ ସିଧାସଳଖ ମନା କରିଦେଲେ। ଦଲୀପ କହିଲେ, ‘‘ ଆମେ ହାତୀର ବି ସାକ୍ଷାତକାର ନେଇପାରୁ। ସେ ଅଧିକ ବିଶ୍ୱାସୀ। ତାକୁ ଖୁଆଇବା ଲାଗି ସେ ଗଭୀର ଜଙ୍ଗଲକୁ ଯାଇପାରିବେ ନାହିଁ। ସେଠାରେ ପ୍ରକୃତରେ ବଣୁଆହାତୀ ଏବଂ ଅନ୍ୟାନ୍ୟ ଜୀବମାନେ ଅଛନ୍ତି। ନାଁ, ସେ ଚାଷଜମିକୁ ଲୁଟ୍ କରନ୍ତି ନାହିଁ। ସେ କେବଳ ହାତୀକୁ ସେଠାକୁ ନେଇଯାନ୍ତି ଏବଂ ତାକୁ ଫସଲନଷ୍ଟ କରିବାକୁ ଛାଡ଼ିଦିଅନ୍ତି ।’’ ଆମେ ପାର୍ବତୀର ଖାଦ୍ୟ ଏବଂ ଖର୍ଚ୍ଚ ବିଷୟରେ ଆଲୋଚନା କରିବା ସମୟରେ , ସେ ପ୍ରଭୁଙ୍କ ସହ ଖେଳୁଥିଲା। ତାର ଶୁଣ୍ଢ ପ୍ରଭୁଙ୍କ ମୁଣ୍ଡ ଉପରେ ଘଷୁଥିଲା। ସେଥିରୁ ତାର ଭଲ ପାଇବା ସ୍ପଷ୍ଟ ହେଉଥିଲା। ଯଦି ବି ସେ ଜମିକୁ ଲୁଟ୍ କରିଥାନ୍ତି, ତାହା ଏକ ଭଲ କାମ ପାଇଁ କରିଛନ୍ତି ।

ପ୍ରଭୁ କହନ୍ତି, ସମୟ ଥିଲା ଯେତେବେଳେ ବଡ଼ ଲୋକମାନେ ସେମାନଙ୍କର ସେବା ନେଉଥିଲେ। ଉଦାହରଣସ୍ୱରୂପ ଏକ ବିବାହ ଉତ୍ସବରେ ସୁସଜ୍ଜିତ ପାର୍ବତୀ ଏକ ଦର୍ଶନୀୟ ଜିନିଷ ହୋଇଥାଏ। ଅବଶ୍ୟ ଶେଷ ଥର ପାଇଁ ସେମାନେ ଯେଉଁ ଉତ୍ସବରେ ଯୋଗ ଦେଇଥିଲେ ତାହା ସେତେ ଲାଭଜନକ ନଥିଲା। ପ୍ରଭୁ କହନ୍ତି, ‘‘ ମାଲିକ ଆମଠାରୁ ମୋଟ ଉପରେ ୫୦ଟଙ୍କା କାଟିନେଲା।  ସେଦିନ ପାର୍ବତୀ ଭୋକିଲା ଥିଲା। ତେଣୁ ସେ କିଛି ଖାଦ୍ୟ ଖାଇଦେଲା ଯେତେବେଳେ କିଛି ତାର ଖାଇବାର ନଥିଲା ।’’ ସେକଥା ମନେ ପକାଇ ପ୍ରଭୁ ତାର ଶୁଣ୍ଢରେ ଆସ୍ତେ କରି ଚାପୁଡ଼ା ମାରିଲେ। ବୋଧହୁଏ ସେ ୫୦ ଟଙ୍କା ହରାଇବା କଥା ମନେ ପକାଉଥିଲେ। ସେ ଆସ୍ତେ କରି ନିଃଶ୍ୱାସ ନେଲା। ବୋଧହୁଏ ବାହାଘରରେ ସେ ଖାଇଥିବା ମିଲ୍ କଥା ମନେ ପକାଉଥିଲା ।

ପ୍ରଭୁ ଦୁଃଖର ସହ କହିଲେ, ‘‘ଥରେ ଜଣେ ଲୋକ ଆସିଲେ ଏବଂ କହିଲେ ଯେ ସେ ଏକ ଶୋଭାଯାତ୍ରା ପାଇଁ ପାର୍ବତୀକୁ ନେବାକୁ ଚାହୁଁଛନ୍ତି। ତାଙ୍କର ନେତା ଏକ ନିର୍ବାଚନରେ ଲଢ଼ୁଥିଲେ। କିନ୍ତୁ ତାହା ହେଲାନାହିଁ। ପରେ ସେ କହିଲେ କି, କିଛି ଲୋକ ତାଙ୍କୁ ପାର୍ବତୀ  ବିଷୟରେ ଖରାପ କଥା କହିଥିଲେ। ସେ ବିଶ୍ୱାସ ଯୋଗ୍ୟ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ। ଲୋକମାନେ ଏପରି କହନ୍ତି ।’’

ସେ ଗାଁମାନଙ୍କରେ ପ୍ରବେଶ କଲେ ପାର୍ବତୀକୁ ଦେଖିବା ଲାଗି ଯେଉଁ ଉତ୍ସାହ ସୃଷ୍ଟିହୁଏ ସେଥିଯୋଗୁ ତାଙ୍କୁ କିଛି ସମସ୍ୟା ହୁଏନାହିଁ କି? ପ୍ରଭୁ କହିଲେ, ‘‘ଥରେ ହୋଇଥିଲା। କିଛି କୁକୁର ପାର୍ବତୀକୁ ଦେଖି ଭୁକିବା ଆରମ୍ଭ କଲେ ଏବଂ ତା’ ଆଡକୁ ମାଡ଼ି ଆସିଲେ। ସେ ମଧ୍ୟ ଭୟଭୀତ ହୋଇ ସେହି ସ୍ଥାନ ଛାଡ଼ି ବାକୁ ଉଦ୍ୟମ କଲା।  ସେ ଏକ ଘର ମଧ୍ୟକୁ ପଶିଗଲା ଏବଂ ସେଠାରେ କିଛି କ୍ଷତି ହେଲା। ଘରର ମାଲିକ ଖୁବ୍ ରାଗିଯାଇଥିଲେ ।’’

କିଛି ସମୟ ପାଇଁ ଆମେ ନିରବତା ଖେଳିଯିବାର ଆଶଙ୍କା କଲୁ।  ଯେଉଁ ଘରେ ପାର୍ବତୀ ପଶିଗଲା ତାର ମାଲିକଙ୍କୁ କିପରି ଲାଗିଥିବ? ସେହି ଘଟଣା ପରେ ଘରର ଅବସ୍ଥା କ’ଣ ହୋଇଥିବ? ଘରର ମାଲିକ ଖୁବ୍ ରାଗିଯାଇଥିଲେ ନା କେବଳ ମୃତ୍ୟୁ ପାଇଁ ଭୟଭୀତ ହୋଇଯାଇଥିଲେ?

ପ୍ରଭୁ କହିଲେ, ‘‘ ଆଉ ଥରେ ଲୋକମାନେ ଏକ ଗାଁ ବାହାରେ ପାର୍ବତୀ ଉପରକୁ ପଥର ଫିଙ୍ଗିଲେ...’’ ।

‘‘ଓହୋ’ ସେଇଥିପାଇଁ ତୁମେ ଲୋକମାନଙ୍କର ଚାଷଜମିକୁ ଲୁଟୁଛ’’, ଦଲୀପ ବିଜୟୀ ଭାବରେ କହିଲେ।

“ନାଁ, ନାଁ। ଆମେ କେବଳ ସେମାନଙ୍କର ଜମି ଦେଇ ଅତିକ୍ରମ କରୁଥିଲୁ। ମୁଁ ଭାବୁଛି କିଛି ଲୋକ ମଦ ପିଇଥିଲେ। ସେମାନେ ପଥର ଫିଙ୍ଗିଲେ। ଆମେ ଅନ୍ୟ ଏକ ଦିଗରେ ପଳାୟନ କଲୁ। ଦୁର୍ଭାଗ୍ୟବଶତଃ ସେତେବେଳେ ଅନ୍ଧାର ହୋଇଥିଲା। ଆମେ ଆଉ ଏକ ବସ୍ତିରେ ପ୍ରବେଶ କରିଯାଇଥିଲୁ। ପାର୍ବତୀ ଖୁବ୍ ଶୀଘ୍ର ଚାଲୁଥିଲା। ତେଣୁ ସେଠାରେ ଲୋକମାନେ ଭୟଭୀତ ହୋଇଗଲେ। ସେତେବେଳେ ସେ ବିଲକୁଲ ରାଗିନଥିଲା। ସେମାନେ ଅନାବଶ୍ୟକୀୟ ଭାବେ ଭୟଭୀତ ହୋଇ ଚିତ୍କାର କଲେ ।’’

ଆମେ ଆଶ୍ଚର୍ଯ୍ୟ ହେଲୁ ଯଦି ଅନ୍ଧାରରେ ଏକ ହାତୀ ଆମ ମଧ୍ୟକୁ ପଶିଆସେ ଆମେ କ’ଣ କରିବୁ? ହୁଏତ ଆମେ ତା’ ଉପରକୁ ପଥର ଫିଙ୍ଗିବୁ ନାହିଁ। କିନ୍ତୁ ଭୟଭୀତ ହୋଇ ଚିତ୍କାର କରିବା ଥୟ।

ହାତୀକୁ କିଭଳି ଖୁଆଇବେ

ଆମେ ଏଥିପ୍ରତି ଯେତେ ଅଧିକ ଦୃଷ୍ଟି ଦେଲୁ, ପ୍ରଭୁ ଓ ପାର୍ବତୀଙ୍କର ସମସ୍ୟା ସେତେ ଅଧିକ ଜଟିଳ ଜଣାଗଲା। ସରଗୁଜାର ବର୍ଧିଷ୍ଣୁ ଜନସଂଖ୍ୟା ନିଜେ ଠିକ୍ ଭାବେ ଖାଇପାରୁନଥିଲେ। ତା’ ହେଲେ କିଭଳି ଗୋଟେ ହାତୀକୁ ଖୁଆଇବେ? କିମ୍ବା ପାର୍ବତୀ ନିଜେ ରୋଜଗାର କରୁଥିବା ଅର୍ଥରୁ ପ୍ରଭୁଙ୍କୁ ଖୁଆଉଥିଲା? ହାତୀ ବ୍ୟତୀତ ସରଗୁଜା ଐତିହାସିକ ଭାବେ ତାର ଗରିବି ନେଇ ପ୍ରସିଦ୍ଧ(କୁଖ୍ୟାତ) ଥିଲା ।

ମୋଗଲ, ମରାଠା ଏବଂ ବ୍ରିଟିଶ ସବୁ ସାମ୍ରାଜ୍ୟ ସମ୍ମାନ ସ୍ୱରୂପ ସେମାନଙ୍କର ସର୍ବନିମ୍ନ ଖଜଣା ଏହି ରାଜ୍ୟ ଉପରେ ଲଗାଇଥିଲେ। ସୁଲତାନ ଓ ମୋଗଲମାନେ ମୁଖ୍ୟତଃ ହାତୀ ପାଇଁ ଏଠାରେ ରହୁଥିଲେ। ୧୯୧୯ ମସିହାର ଶେଷ ଆଡକୁ ପଡେ଼ାଶୀରାଜ୍ୟମାନଙ୍କରୁ ଧନସମ୍ପଦ ଠୁଳ କରୁଥିବା ବ୍ରିଟିଶମାନେ ଅଳ୍ପ ଖଜଣା ପାଇଁ ଏଠାକୁ ଆସିଲେ। ପ୍ରତିବର୍ଷ ସେମାନେ ସାମନ୍ତ ରାଜ୍ୟ ସରଗୁଜା, କୋରିଆ ଏବଂ ଚଙ୍ଗ ଭଖାରଠାରୁ ଯଥାକ୍ରମେ ୨,୫୦୦, ୫୦୦ ଏବଂ ୩୮୭ ଟଙ୍କା ନେଉଥିଲେ ।

୧୮ଶ ଶତାବ୍ଦୀର ଶେଷ ଆଡ଼କୁ ମରାଠାମାନେ ସାମନ୍ତରାଜ୍ୟ କୋରିଆକୁ ଲୁଟିନେଲେ, ସେତେବେଳେ ତାହା  ସରଗୁଜା ଅଧୀନରେ ଥିଲା।  କିନ୍ତୁ ଶକ୍ତିଶାଳୀ ମରାଠାମାନେ ମଧ୍ୟ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ନିଜ ଅକ୍ତିଆରକୁ ନେଇପାରିନଥିଲେ। ଏହାକୁ ନିୟନ୍ତ୍ରଣ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ତା’ ବଦଳରେ ସେମାନେ କୋରିଆର ରାଜାଙ୍କ ନିକଟରୁ ମାତ୍ର ୨,୦୦୦ ଟଙ୍କା ମାଗିଲେ। ସେ ଟଙ୍କା ଦେଇପାରିବେ ନାହିଁ ବୋଲି ଜାଣିବା ପରେ ସେମାନେ ପାଞ୍ଚ ବର୍ଷ ପାଇଁ ବର୍ଷକୁ ୨୦୦ ଟଙ୍କା ଲେଖାଏଁ ଦେବାକୁ ବିଧାନ କଲେ ଏବଂ ଧମକ ସ୍ୱରୂପ ଅନେକ ଗାଈଗୋରୁଙ୍କୁ ଅପହରଣ କରିନେଲେ। ଜିଲ୍ଲା ଗେଜେଟ୍ ଅନୁସାରେ ଖୁବ୍ ଶୀଘ୍ର ରାଜା ଟଙ୍କାଟିଏ ବି ଦେଇପାରିବେ ନାହିଁ ବୋଲି ନିଷ୍ଠୁର ମରାଠାମାନେ ବୁଝିଗଲେ। ତେଣୁ ସେମାନେ ‘‘ପାଞ୍ଚଟି ଛୋଟ ଘୋଡ଼ା, ତିନୋଟି ବଳଦ ଏବଂ ଗୋଟେ ମଇଁଷି ବଦଳରେ କଥା ଛିଣ୍ଡାଇଲେ ।’’

ପରେ ସେମାନେ ଅପହରଣ କରିଥିବା ଗାଈଗୁଡ଼ିକୁ ଖଲାସ କଲେ, ଏପରିକି ଲୁଟ କରିଥିବା ଅନ୍ୟ ଗାଈଗୋରୁଙ୍କୁ ବି  ମୂଲ୍ୟହୀନ ବୋଲି ଭାବି ଫେରାଇଦେଲେ। ଅତ୍ୟାଚାରର ଅନ୍ତ ଘଟିଲା, ମରାଠାମାନେ ଆଶ୍ଚର୍ଯ୍ୟ ହୋଇ ଫେରିଗଲେ ।

ତେଣୁ ସରଗୁଜାରେ ଜଣେ କିଭଳି ଗୋଟିଏ ହାତୀକୁ ପୋଷିପାରିବ? ଯାହାକୁ ଆପଣ ଜଙ୍ଗଲର ଅତି ଗଭୀରକୁ ନେଇ ପାରିବେ ନାହିଁ? ଆମେ ଏବେ ପୂର୍ବଭଳି ଉତ୍ତର ଦେବାର ପାଖାପାଖି ନଥିଲୁ। ଶେଷରେ ଏକ ଆଶାହୀନ ଉପାୟ କାମ ଦେଲା। ଆମେ ତାହା କଲୁ ।

ପ୍ରଭୁଙ୍କୁ ତଳକୁ ଆଣିବାଲାଗି ଆମେ ଯୁକ୍ତି, ଖୋସାମଦ ଏବଂ ଅନୁନୟ କଲୁ। ଅତି ବିନୟ ଏବଂ ସଂଯମର ସହ ସେ ଆମ ପ୍ରଶ୍ନର ଉତ୍ତର ଦେଲେ, କିନ୍ତୁ କିଛି କହିଲେ ନାହିଁ। ପାର୍ବତୀ ମଧ୍ୟ ଖୁବ୍ ଶାନ୍ତ ଓ ପ୍ରସନ୍ନତାର ସହ ଏହି ପ୍ରକ୍ରିୟାକୁ ଅନୁଧ୍ୟାନ କରୁଥିଲା ।

ଘଣ୍ଟାଏ ପରେ ସେମାନେ ତାଙ୍କର ଯାତ୍ରା ଆରମ୍ଭ କଲେ। ‘‘ପରବର୍ତ୍ତୀ ମନ୍ଦିର ଆଡକୁ’’ ମୁଁ କହିଲି। ଦଲିପ କହିଲେ “କାହାର କ୍ଷେତକୁ ଲୁଟ କରିବା ପାଇଁ ।’’

ସେ ଏହା ଯାହା କରୁଥିଲେ, ତା’ ମାଧ୍ୟମରେ ଦିନକୁ ୨୦୦ କିଲୋ ଘାସ ଏବଂ ଅନ୍ୟାନ୍ୟ ଖାଦ୍ୟ ଯୋଗାଡ଼ କରିପାରୁଥିଲେ। କିନ୍ତୁ କିପରି କରୁଥିଲେ ତାହା ଆମେ ଜାଣିନଥିଲୁ ।

*ପ୍ରଭୁ ହେଉଛି ଭଗବାନ ଶିବଙ୍କର ଆଉ ଏକ ନାଁ, ଯାହାଙ୍କର ସାଥୀ ହେଉଛନ୍ତି ପାର୍ବତୀ ।

** ପରେ ଏହା ଝାଡ଼ଖଣ୍ଡର ଅଂଶବିଶେଷ ହୋଇଗଲା ।

*** ସରଗୁଜାର ଜିଲ୍ଲା ମୁଖ୍ୟାଳୟ, ଏବେ ତାହା ଛତିଶଗଡ଼ରେ ଅଛି ।

ଚିତ୍ର: ପ୍ରିୟଙ୍କା ବୋରର

ପ୍ରିୟଙ୍କା ବୋରର ହେଉଛନ୍ତି ଜଣେ ନିଉ ମିଡିଆ କଳାକାର ଏବଂ ଗବେଷକ, ମାଧ୍ୟମର ପରଫୋରମେଟିଭ ଚରିତ୍ର ପ୍ରତି ଆଗ୍ରହୀ। ସେ ଇଣ୍ଟରଆକ୍ଟିଭ ମିଡିଆରେ କାମ କରନ୍ତି, କିନ୍ତୁ ଚିତ୍ର ଆଙ୍କିବା ତାଙ୍କର ପ୍ରଥମ ନିଶା ଏବଂ ଏବେ ସେ କାର୍ଟୁନ ପ୍ରତି ଅଧିକ ଆଗ୍ରହୀ।

ସେପ୍ଟେମ୍ବର ୧୯୯୮ରେ ଏହି ଆଲେଖ୍ୟର କିଛି ଅଂଶ ଭିନ୍ନ ଚିତ୍ର ସହ ପ୍ରଥମେ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ହୋଇଥିଲା। ଏବଂ ପରେ ପେଙ୍ଗୁଇନ୍ ଦ୍ୱାରା ପ୍ରକାଶିତ ଏଲସହୋୟାର: ଅନୟୁଜଆଲ ଟେକ୍ସ ଅନ୍ ଇଣ୍ଡିଆରେ ଅକ୍ଟୋବର ୨୦୦୦ରେ ପ୍ରକାଶିତ ହୋଇଥିଲା। କାଇ ଫ୍ରାଇଜ ତାକୁ ସଂପାଦନା କରିଥିଲେ ।


ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath