ଚଳିତ ଋତୁରେ ଶୋଷ ହେଉଛି ମରାଠୱାଡାର ସବୁଠାରୁ ବଡ ଫସଲ। ଆଖୁ କଥା ଭୁଲିଯାଆନ୍ତୁ। ମଣିଷ ଏବଂ ଶିଳ୍ପର ଶୋଷ ଅନ୍ୟ ସବୁକିଛିକୁ ଗିଳି ପକାଉଛି। ଯେଉଁମାନେ ଏହାକୁ ଅମଳ କରୁଛନ୍ତି, ସେମାନେ ଏ ଅଞ୍ଚଳରେ ପ୍ରତିଦିନ ଦଶ ନିୟୁତ ଟଙ୍କା ପାଉଛନ୍ତି। ରାସ୍ତାରେ ଦେଖାଯାଉଥିବା ଭ୍ୟାନରେ ଲଦା ହୋଇ ଶୁଖି ଯାଇଥିବା ଆଖୁ ସବୁ ଗୋଶାଳାକୁ ଖାଦ୍ୟ ଭାବେ ବ୍ୟବହାର ହେବା ପାଇଁ ଯାଉଛି। ସମାନ ରାସ୍ତା ଦେଇ ସହର, ଗାଁ ଓ ଉଦ୍ୟୋଗ ସବୁକୁ ଲାଭ ପାଇଁ ଅଗଣିତ ଟ୍ୟାଙ୍କର ଯାଉଛନ୍ତି। ଏ ଅଞ୍ଚଳରେ ପାଣି ବଜାର ହିଁ ସବୁଠାରୁ ବଡ ଜିନିଷ। ଟ୍ୟାଙ୍କର ଗୁଡିକ ହେଉଛି ତାର ସଙ୍କେତ।

ସେଗୁଡିକ ମଧ୍ୟରୁ ପ୍ରତିଦିନ ହଜାର ହଜାର ଟ୍ୟାଙ୍କର ପାଣି ସଂଗ୍ରହ, ପରିବହନ ଓ ବିକ୍ରି କରି ମରାଠୱଡା ଦେଇ ଅତିକ୍ରମ କରୁଛନ୍ତି। ସେ ସବୁ ମଧ୍ୟରୁ ସରକାରଙ୍କ ଦ୍ୱାରା ଅନୁବନ୍ଧିତ ଟ୍ୟାଙ୍କର ସଂଖ୍ୟା ଖୁବ୍ କମ୍ ଏବଂ ସେଥିରୁ କେତେକ ବି କେବଳ କାଗଜ କଲମରେ ରହିଛି। ଦ୍ରୁତ ଗତିରେ ବଢୁଥିବା ପାଣି ବଜାର ପଛରେ ଘରୋଇ ଭାବେ ପରିଚାଳିତ ଟ୍ୟାଙ୍କର ଗୁଡିକ ହିଁ ରହିଛି।

ବିଧାୟକ ଏବଂ କର୍ପୋରେଟରରୁ କଣ୍ଟ୍ରାକ୍ଟର ହୋଇଥିବା ଏବଂ କଣ୍ଟ୍ରାକ୍ଟରରୁ କର୍ପୋରେଟର ହୋଇଥିବା ଏବଂ ବିଧାୟକମାନଙ୍କର ରହିଛି ଟ୍ୟାଙ୍କର ଅର୍ଥନୀତି ପଛରେ ପ୍ରମୁଖ ଭୂମିକା। ପ୍ରଶାସକମାନେ ମଧ୍ୟ। ଅଧିକାଂଶ ସିଧାସଳଖ ନିଜ ନାଁରେ ଟ୍ୟାଙ୍କର ରଖିଛନ୍ତି ବା ବେନାମି ଚଳାଉଛନ୍ତି।

ତେବେ ଗୋଟିଏ ଟ୍ୟାଙ୍କର କଣ ? ପ୍ରକୃତରେ କେବଳ ବଡ ଡ୍ରମ୍ ଉପରେ ଅଳ୍ପ ଷ୍ଟିଲ୍ ପ୍ଲେଟ୍ ଘୋଡା ହୋଇଥିବ। ଗୋଟିଏ ୧୦,୦୦୦ ଲିଟର ବିଶିଷ୍ଟ ପାଣି ଟ୍ୟାଙ୍କରରେ ୫ ଫୁଟ୍ ଓ ୧୮ ଫୁଟର ତିନିଟି ସିଟ୍ ଥାଏ, ଏଥିରୁ ପ୍ରତ୍ୟେକର ଓଜନ ୧୯୮ କିଲୋଗ୍ରାମ। ଘୋଡା ହୋଇଥିବା ଡ୍ରମ୍ ଗୁଡିକ ଏକା ସାଙ୍ଗରେ  ୱେଲଡିଂ ହୋଇଥାଏ। ଏଗୁଡିକ ଟ୍ରକ୍, ଲରି ଏବଂ ଅନ୍ୟ ବଡ ବାହନରେ ବିଭିନ୍ନ ଢଙ୍ଗରେ ଲଦା ହୋଇ ବୁହା ହୋଇପାରେ। ଛୋଟ ବାହନ ଗୁଡିକ କମ୍ କ୍ଷମତା ବିଶିଷ୍ଟ ସିଲିଣ୍ଡର ଗୁଡିକ ପରିବହନ କରନ୍ତି। ଗୋଟିଏ ୫,୦୦୦ ଲିଟର ବିଶିଷ୍ଟ କଣ୍ଟେନର ଗୋଟିଏ ବଡ ଭ୍ୟାନର ଟ୍ରେଲରରେ ଯାଇପାରେ। ତେବେ ଛୋଟ ଟ୍ରାକ୍ଟର, ଖୋଲା ଅଟୋ ରିକ୍ସା ଏବଂ ବଳଦ ଗାଡିରେ ୧,୦୦୦ ଏବଂ ୫୦୦ ଲିଟର ବିଶିଷ୍ଟ ଡ୍ରମ୍ ପରିବହନ ହୋଇଥାଏ।

ପାଣି ସଙ୍କଟ ଅଧିକ ହେବା ଯୋଗୁଁ, ସାରା ରାଜ୍ୟରେ ପ୍ରତିଦିନ ଏମିତି ଶହ ଶହ ନିର୍ମାଣ ହେଉଛି। ଜଲନା ଜିଲ୍ଲାର ଜଲନା ସହରରେ, ପ୍ରାୟ ୧,୨୦୦ ଟ୍ୟାଙ୍କର, ଟ୍ରକ୍, ଟ୍ରାକ୍ଟର ଏବଂ ଅଟୋ ରିକ୍ସା ବିଭିନ୍ନ ଆକାରର ଟ୍ୟାଙ୍କର ନେଇ ଘୁରି ବୁଲନ୍ତି। ସେମାନେ ପାଣି ଉତ୍ସ ଏବଂ ଏଥିପାଇଁ ଆତୁର ହେଉଥିବା ଲୋକଙ୍କ ପାଖକୁ ଯିବା ଆସିବା କରନ୍ତି। ଡ୍ରାଇଭରମାନେ ଗ୍ରାହକଙ୍କ ସହ ଫୋନ୍ ଯୋଗେ ମୂଲଚାଲ କରନ୍ତି। ତେବେ ଏଥିରୁ ଅଧିକ ପରିମାଣର ପାଣି ଶିଳ୍ପ ସଂସ୍ଥା ଗୁଡିକୁ ଯାଏ ଯେଉଁମାନେ ବିପୁଳ ପରିମାଣର କିଣନ୍ତି। ମରାଠୀ ଦୈନିକ ଲୋକସତ୍ତାର  ଲକ୍ଷଣ ରାଉତ କହନ୍ତି, “ଟ୍ୟାଙ୍କର ମାଲିକ ମାନେ ପ୍ରତିଦିନ ୬ ନିୟୁତରୁ ୭.୫ ନିୟୁତ ଟଙ୍କା ମଧ୍ୟରେ କାରବାର କରନ୍ତି। ଏହା ହେଉଛି ଏହି ଗୋଟିଏ ସହରରେ କେବଳ ଗୋଟିଏ କ୍ଷେତ୍ର ପାଣି ବଜାରର ଆକଳନ।” ରାଉତ ଏବଂ ତାଙ୍କ ସହକର୍ମୀ ରିପୋର୍ଟର ମାନେ ଏହି ଅଞ୍ଚଳର ପାଣି ବ୍ୟବସାୟ ଉପରେ ବର୍ଷ ବର୍ଷ ଧରି ନଜର ରଖିଛନ୍ତି।

କଣ୍ଟେନରର ଆକାରରେ ଫରକ ଥାଏ। ରାଉତ କହିଲେ, କିନ୍ତୁ ଏହି ସହରରେ, ସେଗୁଡିକର ହାରାହାରି କ୍ଷମତା ପ୍ରାୟ ୫,୦୦୦ ଲିଟର ହୋଇଥାଏ। ଏହି ୧,୨୦୦ ମଧ୍ୟରୁ ପ୍ରତ୍ୟେକ ଦିନକୁ ଅତି କମରେ ତିନି ଟ୍ରିପ୍ କରନ୍ତି। ଏଣୁ ସେମାନେ ମିଶି ଦିନକୁ ପ୍ରାୟ ୧୮ ନିୟୁତ ଲିଟର ପାଣି ପରିବହନ କରନ୍ତି। ପ୍ରତି ହଜାରେ ଲିଟରକୁ ୩୫୦ ଟଙ୍କା ହିସାବରେ ଏହା ଦିନକୁ ୬ ନିୟୁତ ଟଙ୍କାରୁ ଅଧିକ। ଏହି ବ୍ୟୟ ଘରୋଇ ବା ଗଚ୍ଛିତ ରଖିବା ବା ଶିଳ୍ପ କେଉଁ ଉଦେ୍ଧଶ୍ୟରେ ବ୍ୟବହୃତ ହେବ ତା ଉପରେ ନିର୍ଭର କରି ବଢିପାରେ।

ଅଭାବ ଟ୍ୟାଙ୍କର ଅର୍ଥନୀତିକୁ ଚଳାଉଛି। ଟ୍ୟାଙ୍କର ଗୁଡିକ ତିଆରି ହେଉଛି, ମରାମତି ହେଉଛି, ଭଡା ଦିଆଯାଉଛି, ବିକ୍ରି ଏବଂ କିଣା ଯାଉଛି। ଜଲନା ଯିବା ରାସ୍ତାରେ ଆମେ ରାହୁରି ନାମକ ଏମିତି ଏକ ବ୍ୟସ୍ତ ବହୁଳ ସ୍ଥାନ ଦେଖିଲୁ ଯାହା ପଡୋଶୀ  ଅହମ୍ମଦନଗର ଜିଲ୍ଲାରେ ଅବସ୍ଥିତ। ଏଠାରେ ଗୋଟିଏ ୧୦,୦୦୦ ଲିଟର ବିଶିଷ୍ଟ ଟ୍ୟାଙ୍କର ନିର୍ମାଣ କରିବାକୁ  ଆନୁମାନିକ ୩୦,୦୦୦ ଟଙ୍କା ଖର୍ଚ୍ଚ ହୁଏ। ଏହା ତାର ଦ୍ୱିଗୁଣ ମୂଲ୍ୟରେ ବିକ୍ରି ହୁଏ। ଗୋଟିଏ ଛୋଟ ଶିଳ୍ପାଞ୍ଚଳ, ରାହୁରି ଫ୍ୟାକ୍ଟ୍ରିରେ ଆମେ ଟ୍ୟାଙ୍କର କୌଶଳ ଉପରେ ଗୋଟିଏ କ୍ରାସ୍ କୋର୍ସ ବି କଲୁ। ନିର୍ମାଣ କେନ୍ଦ୍ରର ମାଲିକ ଶ୍ରୀକାନ୍ତ ମେଲାୱାନେ ଆମକୁ ବୁଝାଇଲେ, “ପ୍ରତ୍ୟେକ ୫ ଫୁଟରେ ୧୮ ଫୁଟ ଲମ୍ବର ଏମଏସ୍ ପ୍ଲେଟ୍ ୩.୫ ମିମି ମୋଟେଇ(୧୦ ଗଜ କୁହାଯାଏ) ”। ସେ ରୋଲିଂ ମେସିନ୍ ଦେଖାଇଲେ, ଯାହା ଉପରେ ପ୍ରତି ପ୍ଲେଟକୁ ହାତରେ ରୋଲ୍ କରାଯାଏ।

PHOTO • P. Sainath

ଏହି ମେସିନ ୧୫ରେ ୧୮ ଫୁଟର ଷ୍ଟିଲ୍ ସିଟକୁ ରୋଲ୍ କରେ ଏବଂ ତା ପରେ ଏକା ସାଙ୍ଗରେ ସେ ସବୁକୁ ୱେଲଡିଂ କରାଯାଏ, ଯାହା ପରେ ରାହୁରି ଫ୍ୟାକ୍ଟ୍ରି ପଛ ପଟେ ଦେଖାଯାଉଥିବା ଟ୍ୟାଙ୍କର ବା କଣ୍ଟେନର ତିଆରି ହୁଏ।

ସେ କହିଲେ, “ଗୋଟିଏ ୧୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ପ୍ରାୟ ୮୦୦ କିଲୋ ଓଜନର ହୋଇଥାଏ। ” ଏଥିପାଇଁ ଆବଶ୍ୟକ ହେଉଥିବା ୩ଟି ଷ୍ଟିଲ୍ ସିଟ୍ ଆନୁମାନିକ ୨୭,୦୦୦ ଟଙ୍କା(କେଜି ପିଛା ୩୫ ଟଙ୍କା ହିସାବରେ) ହୋଇଥାଏ। ଗଢା ମଜୁରୀ, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ମୋଟ ୩,୦୦୦ ଟଙ୍କା ଅଧିକ। ସେ କହିଲେ, “ଗୋଟିଏ ୧୦,୦୦୦ ଲିଟର ଟ୍ୟାଙ୍କର ତିଆରି କରିବାକୁ ପୁରା ଗୋଟିଏ ଦିନ ଲାଗିଯାଏ। ଚଳିତ ଋତୁ ଅଧିକ ବ୍ୟସ୍ତ ବହୁଳ ରହିଛି। ତିନିମାସରେ ଆମେ ୧୫୦ଟି(ଭିନ୍ନ ଭିନ୍ନ ଆକୃତିର) ଟ୍ୟାଙ୍କର ତିଆରି କରିଛୁ।” ଗୋଟିଏ କିଲୋମିଟର ପରିଧି ଭିତରେ ତାଙ୍କ ଫ୍ୟାକ୍ଟ୍ରି ଭଳି ଆଉ ୪ଟି ୟୁନିଟ୍ ଅଛି, ଯେଉଁମାନେ ସମାନ ଗତିରେ ନିର୍ମାଣ କରୁଛନ୍ତି। ଏବଂ ଅହମ୍ମଦନଗର ସହରର ୩ କିଲୋମିଟର ପରିଧି ଭିତରେ ଏହିପରି ୧୫ଟି ସମାନ ଫ୍ୟାକ୍ଟ୍ରି ରହିଛି।

ମେଲା ୱାନା କହିଲେ, “ବଡ ଆକାରର ୨୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ଗୋଶାଳା ଏବଂ ଶିଳ୍ପାନୁଷ୍ଠାନକୁ ଯାଏ। ୧୦,୦୦୦ ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କର ଗୁଡିକ ନଗର ଓ ବଡ ସହରକୁ ଯାଏ। ମୁଁ ତିଆରି କରିଥିବା ଛୋଟ ଆକୃତିର ଟ୍ୟାଙ୍କର ଗୁଡିକ ମାତ୍ର ୧,୦୦୦ ଲିଟର ପାଣି ଧରେ। ” ଛୋଟ ଆକାରର ଟ୍ୟାଙ୍କର ଗୁଡିକୁ “ଉଦ୍ୟାନବିତ୍ ମାନେ କିଣନ୍ତି। ସବୁଠାରୁ ଛୋଟ ଗୁଡିକୁ ଡାଳିମ୍ବ ଚାଷୀ ମାନେ କିଣନ୍ତି, ଯେଉଁମାନେ ବୁନ୍ଦା ଜଳସେଚନ ପାଇଁ ଖର୍ଚ୍ଚ କରିପାରନ୍ତି ନାହିଁ। ସେମାନେ ଏହି ସବୁ ଡ୍ରମକୁ ବଳଦ ଗାଡିରେ ବୋହି ନିଅନ୍ତି ଏବଂ ସେମାନେ ନିଜ ହାତରେ ପାଣି ଦେଉଥିବା ମୁଁ ଦେଖିଛି।”

ତେବେ ପାଣି କେଉଁଠାରୁ ଆସୁଛି ? ବହୁଳ ମାତ୍ରାରେ ଭୂତଳ ଜଳରୁ। କେବଳ ଅଭାବକୁ ଦୂର କରିବା ପାଇଁ ନୂଆ କରି ଖୋଳାଯାଇଥିବା  କେତେକ ଘରୋଇ ବୋରୱେଲରୁ। ଭୂତଳ ଜଳ ସ୍ଥିତି ଅଧିକ ଉକ୍ରଟ ହେଲେ ଏଗୁଡିକ ମଧ୍ୟ ଶୁଖିଯାଇପାରେ।  ସଟ୍ଟାବାଜ ମାନେ ପାଣି ଥିବା କୂଅ ଗୁଡିକୁ ଟଙ୍କା ରୋଜଗାର କରିବାକୁ କିଣି ନିଅନ୍ତି।  ଜଲନା ସହରରେ କେତେକ ବୋତଲ ପାଣି ପ୍ଲାଣ୍ଟ ବୁଲଧାନା(ବିଦର୍ଭର)ରୁ ପାଣି ଆଣନ୍ତି, ଯାହାକି ଏକ ଉତ୍କଟ ଜଳ ସଂକଟ ସ୍ଥିତି ଥିବା ଜିଲ୍ଲା। ଏଣୁ ଖୁବ୍ ଶୀଘ୍ର ଜଳ ସଙ୍କଟ ଅନ୍ୟ ଅଞ୍ଚଳକୁ ବ୍ୟାପିଯିବ। କେତେକ ଘରୋଇ ଉତ୍ସ, ଟ୍ୟାଙ୍କ ଏବଂ ଜଳ ଭଣ୍ଡାରରୁ ପାଣି ଲୁଟୁଛନ୍ତି।

ଟ୍ୟାଙ୍କର ମାଲିକ ୧୦,୦୦୦ ଲିଟର ପାଣି ୧,୦୦୦ ଟଙ୍କାରୁ ୧,୫୦୦ ଟଙ୍କା ମଧ୍ୟରେ କିଣନ୍ତି। ସେ ସେହି ପରିମାଣର ପାଣି ୩,୫୦୦ ଟଙ୍କାରେ ବିକ୍ରି କରନ୍ତି, ଗୋଟିଏ କାରବାରରେ ୨,୫୦୦ ଟଙ୍କା ଯାଏ ଲାଭ। ଯଦି ତାଙ୍କର ଗୋଟିଏ ସଚଳ ବୋରୱେଲ ବା ଉତ୍ସ କୂପ ଭଳି ପାଣି ମହଜୁଦ ଥିବା ବ୍ୟବସ୍ଥା ଥାଏ, ତେବେ ତାଙ୍କର ଖର୍ଚ୍ଚ ତାଠାରୁ ବି କମ୍। ଏବଂ ଯଦି ସେ ସର୍ବସାଧାରଣ ଜଳ ଉତ୍ସରୁ ପାଣି ଲୁଟ କରୁଥାନ୍ତି ତେବେ ତାଙ୍କର ଖର୍ଚ୍ଚ ପୁରା ଶୂନ।

ପ୍ରସାଦ ତାନପୁରେ, ପୂର୍ବତନ ସାଂସଦ(ଏବଂ ପୂର୍ବତନ ବିଧାୟକ) କହନ୍ତି ଯେ, “ଚଳିତ ବର୍ଷ ସାରା ରାଜ୍ୟରେ ୫୦,୦୦୦ରୁ ଅଧିକ (ମଧ୍ୟମ ଓ ବଡ) ଟ୍ୟାଙ୍କର ନିର୍ମାଣ ହୋଇଛି। ଏବଂ ଗତ ବର୍ଷ ଗୁଡିକର ହଜାର ହଜାର ଟ୍ୟାଙ୍କରକୁ ଭୁଲନ୍ତୁ ନାହିଁ। ଏଥିରୁ ଯେକେହି ଅନୁମାନ କରିପାରିବେ, ଏବେ କେତୋଟି ଏମିତି କାର୍ଯ୍ୟକ୍ଷମ ଥିବ। ” ସ୍ଥାନୀୟ ଅଞ୍ଚଳର ଜଣେ ରାଜନୈତିକ ଭେଟେରାନ୍ ତାନପୁରେ ପାଣିର ସ୍ଥିତିକୁ ଭଲ ଭାବେ ଜାଣିଛନ୍ତି। ଅନ୍ୟ ହିସାବ ଅନୁସାରେ ନୂଆ ଟ୍ୟାଙ୍କର ସଂଖ୍ୟା ୧ ଲକ୍ଷ ହେବ।

ଏମିତିକି ୫୦,୦୦୦ ନୂଆ ଟ୍ୟାଙ୍କର ଅର୍ଥ ଏହାର ନିର୍ମାଣକାରୀମାନେ ଗତ କେଇ ମାସ ଭିତରେ ପ୍ରାୟ ୨ ବିଲିୟନ୍ ଟଙ୍କାର ବ୍ୟବସାୟ କରିଛନ୍ତି। ଅନ୍ୟ କେତେ ଜଣ ଅନ୍ୟ କ୍ଷେତ୍ର ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ମେଲାୱାନେ କହିଲେ, ନିର୍ମାଣ କାମ ବନ୍ଦ ହୋଇଯାଇଛି। କୌଣସି ଗ୍ରୀଲ୍ ନାହିଁ, ବିମ୍ ନାହିଁ, ଅନ୍ୟ କିଛି ନାହିଁ। କିନ୍ତୁ ଅନ୍ୟପଟେ ସେହିମାନେ ମଧ୍ୟ ଅଛନ୍ତି ଯେଉଁମାନେ ଏହି ଲାଭଜନକ ବଜାରକୁ ପ୍ରବେଶ କଲେ। ଜଲନାରେ ନିଜେ ଜଣେ ଟ୍ୟାଙ୍କର ମାଲିକ ସୁରେଶ ପାୱାର କହିଲେ, “ଏହି ସହରରେ ୧୦୦ରୁ ଅଧିକ ଟ୍ୟାଙ୍କର ନିର୍ମାଣକାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ୯୦ ଏମିତି ଅଛନ୍ତି ଯେଉଁମାନେ ପୂର୍ବରୁ କେବେ ବି ଏହି କାମ କରିନଥିଲେ, କିନ୍ତୁ ଏବେ କରୁଛନ୍ତି।”

“ଜଲନା ଜିଲ୍ଲାର ସେଲଗାଁଓ ଜିଲ୍ଲାରେ, କୃଷକ(ଏବଂ ସ୍ଥାନୀୟ ରାଜନେତା) ଦୀପକ ଅମ୍ବୋରେ ଦିନକୁ ପ୍ରାୟ ୨,୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ମୋର ୧୮ ଏକର ଚାଷ ଜମି ପାଇଁ ମୁଁ ପାଞ୍ଚ ଟ୍ୟାଙ୍କର ପାଣି ପ୍ରତିଦିନ ଆଣେ, ଏଥିରେ ମୋର ୫ ଏକର ମୌସମ୍ବି ବଗିଚା ବି ଅଛି। ମୋତେ ଜଣେ ସାହୁକାରଠାରୁ ଧାର କରିବାକୁ ହୁଏ। ” ଯେତେବେଳେ ଫସଲ ଉଜୁଡିଯିବା ସ୍ଥିତିରେ ଅଛି ଏତେ ଖର୍ଚ୍ଚ କାହିଁକି କରୁଛନ୍ତି ? “ଏବେ କେବଳ ମୋର ବଗିଚାକୁ ବଞ୍ଚାଇ ରଖିବା ପାଇଁ।” ଏଠାରେ ଟଙ୍କା ଋଣର ସୁଧହାର ବାର୍ଷିକ ୨୪ ପ୍ରତିଶତ ବା ତାଠାରୁ ଅଧିକ ହୋଇପାରେ।

ସ୍ଥିତି ଖରାପ ଅଛି, କିନ୍ତୁ ସେତେ ବେଶୀ ଉତ୍କଟ ନାହିଁ। ଏ ଯାଏଁ ହୋଇନାହିଁ। ଜଲନାର ଅନେକ ଲୋକ ବର୍ଷ ବର୍ଷ ଧରି ଏହି ଟ୍ୟାଙ୍କର ସହାୟତାରେ ବଞ୍ଚି ଆସିଛନ୍ତି। କେବଳ ସଙ୍କଟର ପରିସର ଏବଂ ଟ୍ୟାଙ୍କରର ସଂଖ୍ୟା ବଢିଛି। ସ୍ଥିତି ଅତ୍ୟନ୍ତ ଉକ୍ରଟ ହେବାକୁ ଆହୁରି ଅନେକ ସମୟ ଲାଗିବ, ଏବଂ କେତେକ ଅଞ୍ଚଳକୁ ବାଦ୍ ଦେଲେ, ଏହା କେବଳ ବର୍ଷାର କଥା ନୁହେଁ। ଜଣେ ରାଜନେତା ବ୍ୟଙ୍ଗପୂର୍ବକ କହନ୍ତି, “ଯଦି ମୋର ୧୦ଟି ଟ୍ୟାଙ୍କର ଥାଆନ୍ତା, ଚଳିତ ବର୍ଷ ମଧ୍ୟ ମରୁଡି ହେଉ ବୋଲି ମୁଁ ପ୍ରାର୍ଥନା କରିଥାନ୍ତି। ”


ଏହି ଆଲେଖ୍ୟ ମୂଳତଃ ମାର୍ଚ୍ଚ ୨୭ , ୨୦୧୩ରେ ଦି ହିନ୍ଦୁରେ ପ୍ରକାଶିତ ହୋଇଥିଲା

ଆହୁରି ପଢନ୍ତୁ – କେମିତି ଅନ୍ୟ ଅର୍ଦ୍ଧେକ ଶୁଖିଯାଉଛି

ଏହି ଆଲେଖ୍ୟ ସେହି ସିରିଜର ଗୋଟିଏ ଅଂଶ ଯାହା ପାଇଁ ପି. ସାଇନାଥ ୱାର୍ଲଡ୍ ମିଡିଆ ସମିଟ୍ ଗ୍ଲୋବାଲ୍ ଆୱାର୍ଡ ଫର୍ ଏକ୍ସଲେନ୍ସ , ୨୦୧୪ ପାଇଥିଲେ


ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath