“ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇ ଆମ ସ୍କ୍ୱାର୍ଡ ଟ୍ରେନ୍ ଉପରେ ଆକ୍ରମଣ କରିଥିଲେ, ଗୋଟିଏର ନେତୃତ୍ୱ ନେଉଥିଲେ ଜି.ଡି ବାପୁ ଲାଡ୍ ଅନ୍ୟଟିର ନେତୃତ୍ୱ ନେଉଥିଲି ମୁଁ। ଠିକ୍ ଯେଉଁଠି ଆମେ ଛିଡା ହୋଇଛନ୍ତି, ଏହିଠାରେ ରେଳଧାରଣାରେ ପଥର ରଖି ଆମେ ଟ୍ରେନ୍ ଅଟକାଇଦେଲୁ। ତା ପରେ ତା ପଛରେ ଆମେ ବୋଲଡର ରଖିଦେଲୁ,  ଫଳରେ ତାହା ଯେମିତି ପଛକୁ ଯାଇପାରିବ ନାହିଁ। ଆମ ପାଖରେ କୌଣସି ଗୋଳାବାରୁଦ ନ ଥିଲା, କୌଣସି ଅସ୍ତ୍ରଶସ୍ତ୍ର ନ ଥିଲା, କେବଳ ଥିଲା ଦାଆ, ଲାଠି ଏବଂ ଯୋଡାଏ ଖଣ୍ଡେ ଅନିଶ୍ଚିତ ଦେଶୀ ‘ବୋମା’। ମୁଖ୍ୟ  ଗାର୍ଡ ପାଖରେ ଗୋଟିଏ ବନ୍ଧୁକ ଥିଲା, କିନ୍ତୁ ସେ ଭୟଭୀତ ହୋଇଯାଇଥିଲା ଏବଂ ସହଜରେ ନିୟନ୍ତ୍ରଣକୁ ଆସିଗଲା। ଆମେ ଜଞ୍ଜିର ଓ ପେଞ୍ଚ ବାହାର କରିଦେଲୁ।”

ତାହା ଥିଲା ୭୩ ବର୍ଷ ପୂର୍ବରୁ। କିନ୍ତୁ ଲାଡ୍ କହୁଥିବା ‘କ୍ୟାପଟେନ୍ ଭାଉ’ ଶୁଣିବା ଏହା ଗତକାଲିର ଘଟଣା ଭଳି। ଏବେ ଭାଉ(ମରାଠୀରେ ଭାଇ ବା ବଡ ଭାଇ) ବୋଲି ଡକାଯାଉଥିବା ୯୪ ବର୍ଷ ବୟସ୍କ ରାମଚନ୍ଦ୍ର ଶ୍ରୀପତି ଲାଡ୍ ଅତ୍ୟନ୍ତ ସ୍ପଷ୍ଟ ଭାବେ ସେହି ଆକ୍ରମଣ ବାବଦରେ କହୁଛନ୍ତି, ଯାହା ବ୍ରିଟିଶ୍ ରାଜ୍ ସମୟରେ ସରକାରୀ ଅଧିକାରୀଙ୍କ ଦରମା ନେଇ ଆସୁଥିବା ପୁନେ-ମିରାଜ ଟ୍ରେନରେ ତାଙ୍କ ନେତୃତ୍ୱରେ ହୋଇଥିଲା। ବୟସ୍କ ସ୍ୱାଧୀନତା ସଂଗ୍ରାମୀଙ୍କର ଜଣେ ଅନୁଗାମୀ ବାଲାସାହେବ ଗଣପତି ସିନେ୍ଦ ଧୀର ଭାବେ କହିଲେ, “ତାଙ୍କର ଏହି ସ୍ପଷ୍ଟବାଦିତା ଏବେର ନୁହେଁ, ’’ ବରଂ ଏହି ନବେ ବର୍ଷୀୟ ଯାହାଙ୍କୁ  ସମସ୍ତେ କ୍ୟାପଟେନ୍ ବଡ ଭାଇ ବୋଲି ଡାକନ୍ତି, ତାଙ୍କର ସ୍ମୃତି ସବୁ ଜୀବନ୍ତ ହୋଇଉଠୁଛି, ଯେତେବେଳେ ରେଳ ଧାରଣାର ଠିକ୍ ସେହି ସ୍ଥାନରେ ଛିଡା ହୋଇଛନ୍ତି, ଯେଉଁଠି ୧୯୪୩ ମସିହା ଜୁନ୍ ୭ ତାରିଖରେ ସେ ଓ ବାପୁ ଲାଡ୍ ଆକ୍ରମଣ କରିଥିବା ସାହସୀ ତୁଫାନ୍ ସେନାର ନେତୃତ୍ୱ ନେଇଥିଲେ।

ସେହି ସଂଗ୍ରାମ ପରେ ଏହା ପ୍ରଥମ ଥର ଯେତେବେଳେ ସତାରା ଜିଲ୍ଲା ସେହନୋଲି ଗାଁର ଏହି ସ୍ଥାନକୁ ସେ ଆସିଛନ୍ତି। କେଇ ମୁହୂର୍ତ୍ତ ପାଇଁ ସେ ତାଙ୍କର ନିଜର ସ୍ମୃତିରେ ହଜିଗଲେ, ତା ପରେ ସବୁ ମନେ ପକାଇଲେ। ସେ ସେହି ଚଢାଉ କରିଥିବା ତାଙ୍କର କମ୍ରେଡ୍ ମାନଙ୍କର ନାଁ ମନେ ପକାଇଲେ। ଏବଂ ଆମର ଜାଣିବା ପାଇଁ କହିଲେ: “ସେହି ଟଙ୍କା କୌଣସି ବ୍ୟକ୍ତିର ପକେଟକୁ ଗଲା ନାହିଁ, ତାହା ପ୍ରତି ସରକାର(ବା  ସତାରାର ଅସ୍ଥାୟୀ ସରକାରକୁ ଦିଆଗଲା)। ଆମେ ଆବଶ୍ୟକତା ଥିବା ଏବଂ ଗରିବ ଲୋକମାନଙ୍କୁ ସେହି ଟଙ୍କା ଦେଲୁ।”

ଭିଡିଓ ଦେଖନ୍ତୁ - ନବେବର୍ଷୀୟ କ୍ୟାପଟେନ୍ ଭାଉ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସେହି ଦିନ ଗୁଡିକୁ ମନେ ପକାଉଛନ୍ତି

ସେ କଠୋର ଭାବେ କହିଲେ, “ଆମେ ଟ୍ରେନ୍ ଲୁଟି କରିଥିଲୁ ବୋଲି କହିବା ଠିକ୍ ହେବ ନାହିଁ।” “ଏହା ଚୋରା(ଭାରତୀୟ ଲୋକଙ୍କଠାରୁ ବ୍ରିଟିଶ୍ ଶାସକଙ୍କ ଦ୍ୱାରା) ଯାଇଥିବା ଅର୍ଥ ଆମେ ଫେରାଇ ଆଣିଲୁ। ତାଙ୍କ କଥା ସେହି କଥାର ପ୍ରତିଧ୍ୱନି ଥିଲା ଯାହା ଜି.ଡି ବାପୁ ମୋତେ ୨୦୧୦ରେ ତାଙ୍କ ମୃତ୍ୟୁର ଗୋଟିଏ ବର୍ଷ ପୂର୍ବରୁ କହିଥିଲେ।”

ତୋଫାନ୍ ସେନା(ଘୂର୍ଣ୍ଣିଝଡ ବା ତୋଫାନ ସେନା) ଥିଲା ପ୍ରତି ସରକାରର ସେନାବାହିନୀ। ପ୍ରତି ସରକାର ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଆଶ୍ଚର୍ଯ୍ୟଜନକ ଅଧ୍ୟାୟ। ୧୯୪୨ର ଭାରତ ଛାଡ ଆନେ୍ଦାଳନରୁ ଏକ ସୈନିକ ଦସ୍ତା ଭାବେ ସୃଷ୍ଟି ହୋଇଥିବା ବିପ୍ଳବୀ ମାନଙ୍କର ଏହି ଗୋଷ୍ଠୀ  ସତାରାରେ ଏକ ସମାନ୍ତରାଳ ସରକାର ଘୋଷଣା କରିଥିଲେ। ସତାରା ସେତେବେଳେ ଏକ ବଡ ଜିଲ୍ଲା ଥିଲା, ଯାହା ଏବେକାର ସାଙ୍ଗଲି ଅନ୍ତର୍ଭୁକ୍ତ। ସେ ଅଞ୍ଚଳର ଲୋକମାନେ ସେମାନଙ୍କର ସରକାରକୁ ଏକ ବିଧିବଦ୍ଧ କର୍ତ୍ତୃପକ୍ଷ ଭାବେ ଦେଖୁଥିଲେ ଏବଂ କ୍ୟାପଟେନ୍ ଭାଉ ଦାବି କରନ୍ତି ଅତି କମରେ ୧୫୦ ଏବଂ ପ୍ରାୟ ୬୦୦ରୁ ଅଧିକ ଗାଁ ବ୍ରିଟିଶ୍ ଶାସନକୁ ସଫଳତାର ସହ ଫିଙ୍ଗି ଦେଇଥିଲେ। “ଅଣ୍ଡରଗ୍ରାଉଣ୍ଡ ସରକାରର ଅର୍ଥ କଣ ତୁମେ କଣ ବୁଝୁଛ,’’ ମୁଁ ଏହି ଉକ୍ତି ବ୍ୟବହାର କରିବା ନେଇ ଅସନ୍ତୋଷ ପ୍ରକାଶ କରି କ୍ୟାପଟେନ୍ ଭାଉ ଚିତ୍କାର କରିଉଠିଲେ। “ଏଠାରେ ଆମେ ସରକାର ଥିଲୁ। ରାଜ୍ ପଶିପାରୁନଥିଲା। ଏମିତିକି ତୋଫାନ୍ ସେନାକୁ ପୋଲିସ୍ ବି ଭୟ କରୁଥିଲା।”
PHOTO • P. Sainath

୧୯୪୨ର ଗୋଟିଏ ଫଟୋରେ କ୍ୟାପଟେନ୍ ଭାଉ ଏବଂ (ଡାହାଣ) ସେ ଏବେ ୭୪ ବର୍ଷ ପରେ

ତାହା ଗୋଟିଏ ନାର୍ଯ୍ୟ ଦାବି ଥିଲା। ପ୍ରସିଦ୍ଧ କ୍ରାନ୍ତିସିହ୍ନ ନାନା ପାଟିଲଙ୍କ ନେତୃତ୍ୱାଧୀନ ପ୍ରତି ସରକାର ନିୟନ୍ତ୍ରଣାଧୀନ ଗାଁଗୁଡିକରେ ସରକାର ଭଳି କାର୍ଯ୍ୟ କରୁଥିଲା। ଖାଦ୍ୟ ଶସ୍ୟର ଯୋଗାଣ ଓ ବିତରଣର ପରିଚାଳନା, ଅନୁକୂଳ ବଜାର ବ୍ୟବସ୍ଥା ପ୍ରତିଷ୍ଠା କରିବା ଏବଂ ନ୍ୟାୟିକ ବ୍ୟବସ୍ଥା ସେ ସବୁ କରୁଥିଲା। ଏହା ମଧ୍ୟ ସାହୁକାର,  ମହାଜନ ଓ ବ୍ରିଟିଶଙ୍କ ସହ ସମ୍ପର୍କରେ ଥିବା ଜମିଦାରଙ୍କୁ ଦଣ୍ଡିତ କରୁଥିଲା। କ୍ୟାପଟେନ୍ ଭାଉ କହିଲେ, “ଆଇନ ଓ ବ୍ୟବସ୍ଥା ସବୁକିଛି ନିୟନ୍ତ୍ରଣରେ ଥିଲା। ଲୋକେ ଆମ ସହ ଥିଲେ।” ରାଜକୀୟ ଅସ୍ତ୍ରାଗାର, ଟ୍ରେନ୍, ଟ୍ରେଜେରୀ ଓ ପୋଷ୍ଟ ଅଫିସରେ ସାହସିକତା ପୂର୍ଣ ଚଢାଉ କରୁଥିଲା ତୋଫାନ୍ ସେନା। ଏହା ଅନାବୃଷ୍ଟି ସମୟରେ କୃଷକ ଓ ଶ୍ରମିକଙ୍କୁ ରିଲିଫ୍ ବଣ୍ଟନ କରୁଥିଲା।


କ୍ୟାପଟେନ୍ କେତେଥର ଜେଲ୍ ଯାଇଥିଲେ।  କିନ୍ତୁ ତାଙ୍କର ବଢୁଥିବା ମର୍ଯ୍ୟାଦା ଯୋଗୁଁ ଜେଲ୍ ଗାର୍ଡମାନେ ବି ତାଙ୍କୁ ସମ୍ମାନର ସହ ବ୍ୟବହାର କରୁଥିଲେ। ତୃତୀୟ ଥର ପାଇଁ ମୁଁ ଔନ୍ଧ ଜେଲକୁ ଯାଇଥିଲି। ସେ ଜୋରରେ ହସି କହିଲେ, “ଏହା ରାଜାଙ୍କ ଅତିଥି ଭାବେ ଗୋଟିଏ ରାଜଭବନରେ ରହିବା ଭଳି ଥିଲା।”  ୧୯୪୩ରୁ ୧୯୪୬ ମଧ୍ୟରେ ପ୍ରତି ସରକାର ଏବଂ ଏହାର ତୋଫାନୀ ସେନା ସତାରାରେ ଶାସନ ସମ୍ଭାଳିଥିଲେ। ଭାରତର ସ୍ୱାଧୀନତା ନିଶ୍ଚିତ ହୋଇଯିବା ପରେ ସେନା ଭାଙ୍ଗିଗଲା।

ଏବଂ ମୁଁ ତାଙ୍କୁ ଚିଡ଼ାଇ ଦେଇଥିଲି, ସେ ଗର୍ଜନ କରି କହିଲେ‘‘ମୁଁ କେବେ ତୋଫାନ୍ ସେନାରେ ଯୋଗ ଦେବା ଅର୍ଥ ତୁମେ କ’ଣ କହିବାକୁ ଚାହୁଁଛ ? ଏହାକୁ ମୁଁ ପ୍ରତିଷ୍ଠା କରିଥିଲି।’’ ନାନା ପାଟିଲ୍ ସରକାରର ନେତୃତ୍ୱ ନେଉଥିଲେ। ତାଙ୍କର ଡାହାଣ ହାତ ଥିଲେ ଜି.ଡି ବାପୁ ଲାଡ୍, ସେ ଥିଲେ ସେନାର ‘ଫିଲ୍ଡ ମାର୍ସଲ୍’। ଏହାର ପରିଚାଳନା ମୁଖ୍ୟ ଥିଲେ କ୍ୟାପଟେନ୍ ଭାଉ। ସେମାନଙ୍କର ଅନୁଗାମୀମାନଙ୍କ ସହ ସେମାନେ ବ୍ରିଟିଶ୍ ଶାସକଙ୍କୁ ବଡ଼ ଝଟକା ଦେଇଥିଲେ। ତାହା ପୁଣି ଏମିତି ଏକ ସମୟରେ ଯେତେବେଳେ ବେଙ୍ଗଲ, ବିହାର, ଉତ୍ତର ପ୍ରଦେଶ ଏବଂ ଓଡ଼ିଶାରେ ସମାନ ପ୍ରକାରର ଆନ୍ଦୋଳନକୁ ସମ୍ଭାଳିବା ବ୍ରିଟିଶ୍‌ଙ୍କ ପକ୍ଷରେ କଷ୍ଟକର ହେଉଥିଲା।
PHOTO • P. Sainath

୧୯୪୨ ବା ୧୯୪୩ରେ କୁନ୍ଦଲ ଅଞ୍ଚଳରେ ତୋଫାନ୍ ସେନାର ଏକ ପୁରୁଣା ଫଟୋ।

ଘରେ କ୍ୟାପଟେନ୍‌ଙ୍କ ବୈଠକ ଖାନା(କୋଠରୀ) ବିଭିନ୍ନ ସ୍ମାରକ ଓ ସ୍ମୃତିରେ ପୁରି ରହିଛି। ତାଙ୍କ ଘରେ ଆଡ଼ମ୍ବରହୀନ କିଛି ଆସବାବପତ୍ର ଥିଲା। କ୍ୟାପଟେନ୍ ଭାଉଙ୍କଠାରୁ ପ୍ରାୟ ୧୦ ବର୍ଷ ସାନ ତାଙ୍କ ସ୍ତ୍ରୀ କଳ୍ପନା ଗର୍ବର ସହ ତାଙ୍କର ପ୍ରସିଦ୍ଧ ସ୍ଵାମୀଙ୍କ ବାବଦରେ କହନ୍ତି, ‘‘ ଆଜି ବି ସେ ଜାଣି ନାହାନ୍ତି ଯେ ତାଙ୍କ ପରିବାରର ଚାଷ ଜମି କେଉଁଠି ଅଛି। ମୁଁ ଜଣେ ଏକୁଟିଆ ସ୍ତ୍ରୀ ଲୋକ, ପିଲାମାନଙ୍କର, ଘରର ଏବଂ କ୍ଷେତ ଦେଖାଶୁଣା କରୁଥିଲି। ୫ ଜଣ ପିଲା, ୧୩ ଜଣ ନାତି ନାତୁଣି ଏବଂ ୧୧ ଜଣ ଅଣନାତି-ନାତୁଣିଙ୍କ ସହ ଏତେ ବର୍ଷ ଧରି ମୁଁ ହିଁ ସବୁକିଛି କରୁଥିଲି। ସେ ଔନ୍ଧର ତାସଗାଁଓ ଜେଲ୍‌ରେ ଥିଲେ ଏବଂ କିଛି ଦିନ ପାଇଁ ଏରୱାଡ଼ା ଜେଲ୍‌ରେ ବି ଥିଲେ। ଯେତେବେଳେ ଜେଲ୍‌ରୁ ବାହାରୁଥିଲେ, ସେ ଗାଁ ସବୁକୁ ଚାଲି ଯାଉଥିଲେ, ଏବଂ ମାସ ମାସ ପରେ ଫେରୁଥିଲେ। ମୁଁ ହିଁ ସବୁ କିଛି ପରିଚାଳନା କରୁଥିଲି, ଆଜି ବି କରୁଛି। ’’

PHOTO • P. Sainath

କୁନ୍ଦଲରେ ଥିବା ଏକ ସ୍ତମ୍ଭରେ ସତାରା ଓ ସାଙ୍ଗଲିର ବିଭିନ୍ନ ସ୍ଥାନର ସ୍ଵାଧୀନତା ସଂଗ୍ରାମୀଙ୍କର ନାଁ ଅଛି। ବାମ ଧାଡ଼ିରେ ଷଷ୍ଠରେ ଅଛି କ୍ୟାପଟେନ୍‌ଙ୍କ ନାଁ। କଳ୍ପନା ଲାଡ୍, ତାଙ୍କ ସ୍ତ୍ରୀ ତାଙ୍କ ଘରେ ଅଛନ୍ତି।

ପ୍ରତି ସରକାର ଓ ତୋଫାନ୍ ସେନାରୁ ମହାରାଷ୍ଟ୍ରରେ ଭାରତୀୟ ସ୍ଵାଧୀନତା ସଂଗ୍ରାମର କେତେକ ପ୍ରମୁଖ ନେତାଙ୍କୁ ସୃଷ୍ଟି କରିଥିଲା। ନାନା ପାଟିଲ୍‌, ନାଗନାଥ ନାଏକୱାଡି, ଜି.ଡି ବାପୁ ଲାଡ୍, କ୍ୟାପଟେନ୍ ଭାଉ ଏବଂ ଅନ୍ୟ କେତେଜଣ। ସ୍ଵାଧୀନତା ପରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ସେମାନେ ପାଇବାକୁ  ଯୋଗ୍ୟ ଥିବା ଗୁରୁତ୍ଵ ପାଇଲେ ନାହିଁ। ସରକାର ଓ ସେନା ମଧ୍ୟରେ ବିଭିନ୍ନ ରାଜନୈତିକ ଶକ୍ତି ପଶିଗଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ତତ୍କାଳୀନ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିଲେ ବା ହୋଇଗଲେ। ସେମାନଙ୍କ ମଧ୍ୟରୁ, ନାନା ପାଟିଲ୍ ଯିଏ ପରେ ସର୍ବଭାରତୀୟ କିଷାନ ସଭାର ସଭାପତି ହେଲେ ଏବଂ ୧୯୫୭ରେ ସତାରା ଆସନରୁ ସିପିଆଇ ଟିକେଟ୍‌ରେ ଲୋକସଭାକୁ ନିର୍ବାଚିତ ହେଲେ। କ୍ୟାପଟେନ୍ ଭାଉ ଏବଂ ବାରୁ ଲାଡ୍‌ଙ୍କ ଭଳି ଅନ୍ୟମାନେ କ୍ଷେତ ମଜଦୂର ପାର୍ଟିରେ ଯୋଗଦେଲେ। ମାଧବରାଓ ମାନେଙ୍କ ଭଳି ବହୁ ଅନେକ କଂଗ୍ରେସରେ ରହିଲେ। ଜୀବିତ ଥିବା ପ୍ରାୟ ସମସ୍ତ ସ୍ଵାଧୀନତା ସଂଗ୍ରାମୀ,  ତତ୍କାଳୀନ ସୋଭିଏତ୍ ୟୁନିୟନ୍ ଏବଂ ହିଟଲରଙ୍କ ବିରୋଧରେ ପ୍ରତିବାଦକୁ ସେମାନଙ୍କର ଆନ୍ଦୋଳନ ପଛର ପ୍ରେରଣା ବୋଲି କହନ୍ତି।

୯୪ ବର୍ଷୀୟ ଏହି ସ୍ଵାଧୀନତା ସଂଗ୍ରାମୀ ଏବେ ଅବସନ୍ନ କିନ୍ତୁ ତାଙ୍କ ସ୍ମୃତି ତାଜା ଅଛି। ‘‘ଆମେ ସାଧାରଣ ଲୋକ ପାଇଁ ସ୍ଵଧୀନତା ଆଣିବାର ସ୍ଵପ୍ନ ଦେଖିଥିଲୁ। ଏହା ଏକ ସୁନ୍ଦର ସ୍ଵପ୍ନ ଥିଲା। ଆମେ ସ୍ଵାଧୀନତା ପାଇଲୁ।’’ ଏବଂ ସେ ଏହାକୁ ନେଇ ଗର୍ବିତ। ‘‘କିନ୍ତୁ ଆମେ ଭାବୁନାହୁଁ ଏହି ସ୍ଵପ୍ନ କେବେ ବି ପୂରଣ ହୋଇଛି। ଆଜି ଯାହା ପାଖରେ ଟଙ୍କା ଅଛି, ସେ ହିଁ ଶାସନ କରୁଛି। ଏହା ହିଁ ଆମ ସ୍ଵାଧୀନତାର ସ୍ଥିତି।’’

କ୍ୟାପଟେନ୍ ବଡ଼ ଭାଇଙ୍କ ପାଇଁ, ଅତି କମ୍‌ରେ ତାଙ୍କ ଆତ୍ମାରେ, ସେହି ଘୂର୍ଣ୍ଣିଝଡ଼ ସେନା ଏବେ ବି ବଞ୍ଚି ରହିଛି। ‘‘ଆଜି ବି ଏଠି ଲୋକଙ୍କ ପାଇଁ ତୋଫାନ୍ ସେନା ରହିଛି ଏବଂ ଯେତେବେଳେ ତା’ର ପୁଣି ଆବଶ୍ୟକତା ପଡ଼ିବ, ତାହା ପୁଣି ଥରେ ଉଠିବ।’’


PHOTO • P. Sainath

ଅନୁବାଦ: ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE