“ଘରୋ ଯାଓ ରଜ୍ଜ କେ, କାମ ହୋଗା ଗଜ୍ଜ କେ (ଘରୁ ପେଟପୂରା ଖାଦ୍ୟ ଖାଇ ବାହାରିଲେ ଆପଣ ନିଶ୍ଚିତ ଭାବେ ନିଜର ଲକ୍ଷ୍ୟରେ ସଫଳ ହୋଇପାରିବେ)।”

ଶାହଜାହାନପୁରରେ ଆନ୍ଦୋଳନ କରୁଥିବା କୃଷକମାନଙ୍କ ପାଇଁ ଲଙ୍ଗର ଚଳାଉଥିବା ବିଲାୱଲ ସିଂଙ୍କର ଏହା ହେଉଛି ସାଧାରଣ ଦର୍ଶନ। “ଏ ସରକାରଙ୍କର ଭୋକିଲା ଆନ୍ଦୋଳନକାରୀଙ୍କ ସହିତ ମୁକାବିଲା କରିବାର ଅଭ୍ୟାସ ରହିଛି”, ସେ ପଞ୍ଜାବୀ ଭାଷାରେ ଆଗକୁ କଥାବାର୍ତ୍ତା ଜାରି ରଖିଲେ। “ଦେଖିବା ପେଟପୂରା ଖାଉଥିବା ଆନ୍ଦୋଳନକାରୀଙ୍କ ସହିତ କିପରି ମୁକାବିଲା କରିବେ।”

ରାଜସ୍ଥାନର ଗଙ୍ଗାନଗର ଜିଲ୍ଲାର ୪୧ ଆରବି ଗ୍ରାମର ୩୦ ବର୍ଷୀୟ କୃଷକ ବିଲାୱଲ ଏବଂ ତାଙ୍କର କକା ପୁଅ ଭାଇ,  ୩୨ ବର୍ଷୀୟ ରଶୱିନ୍ଦର ସିଂ ଦିଲ୍ଲୀଠାରୁ ଦକ୍ଷିଣରେ ପାଖାପାଖି ୧୨୦କିମି ଦୂର, ରାଜସ୍ଥାନ-ହରିୟାଣା ସୀମାର ଶାହାଜାହାନପୁରରେ ଡେରା ପକାଇ ରହିଥିବା ହଜାର ହଜାର ଆନ୍ଦୋଳନକାରୀଙ୍କ ମଧ୍ୟରେ ସାମିଲ ଅଛନ୍ତି।

ଏହା ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ମଧ୍ୟରୁ ଗୋଟିଏ ଯେଉଁଠି ଲକ୍ଷ ଲକ୍ଷ କୃଷକ ଏବଂ ଅନେକଗୁଡ଼ିଏ ସଂଘ, ମୁଖ୍ୟତଃ ହରିୟାଣା, ପଞ୍ଜାବ ଓ ରାଜସ୍ଥାନରୁ ଆସି ୨୬ ନଭେମ୍ବରଠାରୁ ଧାରଣା-ପ୍ରଦର୍ଶନ କରୁଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବର ମାସରେ ପାସ୍‌ କରାଯାଇଥିବା ତିନୋଟି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ଦାବି କରି ଆସୁଛନ୍ତି।

ଏହି ଆଇନଗୁଡ଼ିକୁ ସର୍ବପ୍ରଥମେ ୫ ଜୁନ, ୨୦୨୦ରେ ଅଧ୍ୟାଦେଶ ମାଧ୍ୟମରେ ପାସ କରାଯାଇଥିଲା, ଏହାପରେ ୧୪ ସେପ୍ଟେମ୍ବରରେ ସଂସଦରେ କୃଷି ବିଲ ରୂପରେ ଆଗତ କରାଯାଇଥିଲା ଏବଂ ସେହି ମାସ ୨୦ ତାରିଖରେ ବର୍ତ୍ତମାନର ସରକାରଙ୍କ ଦ୍ୱାରା ତରବରିଆ ଭାବେ ଆଇନରେ ପରିଣତ କରି ଦିଆଯାଇଥିଲା। କୃଷକମାନେ ଏହି ଆଇନକୁ ନିଜ ଜୀବିକା ପାଇଁ ବିନାଶକାରୀ ବୋଲି ଭାବୁଛନ୍ତି କାରଣ ଏହି ଆଇନ ଫଳରେ କୃଷି ଓ କୃଷକଙ୍କ ଉପରେ ବଡ଼ ବଡ଼ କର୍ପୋରେଟ ସଂସ୍ଥାଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ କରିବ। ଏହି ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ, କୃଷି ଉତ୍ପାଦ ବିପଣନ ସମିତି, ରାଜ୍ୟ ଦ୍ୱାରା କ୍ରୟ ଆଦି ସମେତ, କୃଷକମାନଙ୍କୁ ସହାୟତା କରୁଥିବା ମୁଖ୍ୟ ବ୍ୟବସ୍ଥାଗୁଡ଼ିକୁ ଦୁର୍ବଳ କରିଦେବେ।

Bilawal Singh (left) and his cousin Rashwinder run a langar at the Shajahanpur site: 'We have enough supplies coming in. We can stay here till the 2024 elections'
PHOTO • Parth M.N.
Bilawal Singh (left) and his cousin Rashwinder run a langar at the Shajahanpur site: 'We have enough supplies coming in. We can stay here till the 2024 elections'
PHOTO • Parth M.N.

ବିଲାୱଲ ସିଂ (ବାମ) ଏବଂ ତାଙ୍କର ସମ୍ପର୍କୀୟ ରଶୱିନ୍ଦର ଶାହାଜାହାନପୁର ଆନ୍ଦୋଳନସ୍ଥଳୀରେ ଏକ ଲଙ୍ଗର ଚଳାଉଛନ୍ତି : “ଆମ ପାଖକୁ ଯଥେଷ୍ଟ ପରିମାଣରେ ଖାଦ୍ୟସାମଗ୍ରୀ ଆସୁଛି। ଆମେ ଏଠାରେ ୨୦୨୪ ନିର୍ବାଚନ ଲାଗି ରହିବା ଲାଗି ପ୍ରସ୍ତୁତ ଅଛୁ”।

କୃଷକମାନେ ଯେଉଁ ଆଇନଗୁଡ଼ିକୁ ବିରୋଧ କରୁଛନ୍ତି, ସେଗୁଡ଼ିକ ହେଉଛି କୃଷକ ଉତ୍ପାଦ ବିପଣନ ଏବଂ ବାଣିଜ୍ୟ (ସମ୍ବର୍ଦ୍ଧନ ଏବଂ ସରଳୀକରଣ) ଆଇନ, ୨୦୨୦ ; କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଚୁକ୍ତି ଆଇନ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦। ଏସବୁ ଆଇନ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରିବ ବୋଲି ଏଗୁଡ଼ିକୁ ସମାଲୋଚନା କରାଯାଉଛି। ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨କୁ ଦୁର୍ବଳ କରି ସମସ୍ତ ନାଗରିକମାନଙ୍କୁ ଆଇନଗତ ସମାଧାନ ଅଧିକାର ଲାଗି ଅକ୍ଷମ କରିବ।

“ଆମେ ଏଠାରେ ଡିସେମ୍ବର ତୃତୀୟ ସପ୍ତାହଠାରୁ ଲଙ୍ଗର ଚଳାଇଛୁ”, ବିଲାୱଲ କହିଥାନ୍ତି, ଯିଏକି ଦିନ ପାଇଁ ତିଆରି ହୋଇଥିବା କଢ଼ି  ଓ ପୁରି ର ବଡ଼ କଢ଼େଇ ପାଖରେ ବସିଛନ୍ତି। “ଏଥିପୂର୍ବରୁ ଆମେ ଟିକରୀ ସୀମାରେ (ପଶ୍ଚିମ ଦିଲ୍ଲୀସ୍ଥିତ) ଥିଲୁ।”

ବିଲାୱଲ ଓ ରଶୱିନ୍ଦର ଶାହଜାହାନପୁର ସେତିକି ବେଳେ ଆସିଥିଲେ ଯେତେବେଳେ ସେମାନଙ୍କୁ ଲାଗିଲା ଯେ ଏଠାରେ ଅଧିକ ଲୋକଙ୍କର ଆବଶ୍ୟକତା ରହିଛି; ଟିକରୀ ଏବଂ ସିଂଘୁ ଅଧିକ ବଡ଼ ବିରୋଧ ସ୍ଥଳୀ, ସେଠାରେ ଏକତ୍ରିତ ହୋଇଥିବା ପ୍ରଦର୍ଶନକାରୀଙ୍କ ପାଇଁ ସମ୍ବଳ ଅପେକ୍ଷାକୃତ ଉନ୍ନତ।

ଶାହଜାହାନପୁରରେ ଏବେ ପାଞ୍ଚଟି ଲଙ୍ଗର ଚାଲୁଛି, ଏଥିମଧ୍ୟରୁ ଅଧିକାଂଶ ଅନ୍ୟ ଆନ୍ଦୋଳନସ୍ଥଳୀରୁ ଏଠାକୁ ସ୍ଥାନାନ୍ତରିତ ହୋଇଛି। “ଚାଷ ଆମର ଧର୍ମ”, ବିଲାୱଲ କହିଥାନ୍ତି। “ଆମେ ଲୋକମାନଙ୍କୁ ଖୁଆଇବା ଲାଗି ପସନ୍ଦ କରିଥାଉ। କୃଷକ ଓ ଗୁରୁଦ୍ୱାରଗୁଡ଼ିକ (ଖାଦ୍ୟ ପ୍ରସ୍ତୁତ କରିବା ଲାଗି) କଞ୍ଚା ମାଲ ଦାନ କରୁଛନ୍ତି। ଆମ ପାଖକୁ ଯଥେଷ୍ଟ ପରିମାଣରେ ସାମଗ୍ରୀ ଆସୁଛି। ଆମେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଏଠାରେ ରହିପାରିବୁ।”

ଦୁଇ ସମ୍ପର୍କୀୟ ଭାଇଙ୍କ ପାଖରେ ୪୦ ଏକର ଲେଖାଏଁ ଚାଷ ଜମି ରହିଛି ଏବଂ ମୁଖ୍ୟତଃ ସେମାନେ ଗହମ, ଧାନ, ସୋରିଷ, ଚଣା ଏବଂ ତୁଳା ଚାଷ କରିଥାନ୍ତି। ଏମାନେ କୃଷି ଆଇନକୁ ଖୋଲାଖୋଲି ଭାବେ ବିରୋଧ କରୁଛନ୍ତି-ସେମାନେ କେବଳ ଏହାର ଦସ୍ତାବିଜ ଅଧ୍ୟୟନ କରିନାହାନ୍ତି, ବରଂ ନିଜର ଅଭିଜ୍ଞତାରୁ ମଧ୍ୟ କହିଥାନ୍ତି। ବିବାଦୀୟ ଆଇନରେ ଚୁକ୍ତିଭିତ୍ତିକ କୃଷିକୁ ମଧ୍ୟ ସାମିଲ କରାଯାଇଛି। ଏହି ଚୁକ୍ତିରେ ସାମିଲ ହେଉଥିବା ବଡ଼ ବଡ଼ କର୍ପୋରେଟମାନଙ୍କର ହିତକୁ ସୁରକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ କୃଷକଙ୍କର ସୁବିଧା ପାଇଁ ଏଥିରେ କୌଣସି ରାସ୍ତା ଛଡ଼ାଯାଇନାହିଁ। ବିଲାୱଲ ଏ ସମ୍ପର୍କରେ ଗୋଟିଏ-ଦୁଇଟି କଥା ଜାଣିଛନ୍ତି।

One of the new laws covers contract farming and protects large corporations, leaving no redressal for farmers. Bilawal has already had this experience
PHOTO • Parth M.N.
One of the new laws covers contract farming and protects large corporations, leaving no redressal for farmers. Bilawal has already had this experience
PHOTO • Parth M.N.

ନୂଆ ଆଇନ ମଧ୍ୟରୁ ଗୋଟିଏରେ ଚୁକ୍ତିଭିତ୍ତିକ କୃଷିକୁ ସାମିଲ କରାଯାଇଛି। ଏହି ଚୁକ୍ତିରେ ସାମିଲ ହେଉଥିବା ବଡ଼ ବଡ଼ କର୍ପୋରେଟମାନଙ୍କର ହିତକୁ ସୁରକ୍ଷା ଦେବାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ କୃଷକଙ୍କର ସୁବିଧା ପାଇଁ ଏଥିରେ କୌଣସି ରାସ୍ତା ଛଡ଼ାଯାଇନାହିଁ। ବିଲାୱଲଙ୍କର ପୂର୍ବରୁ ଏହାର ଅଭିଜ୍ଞତା ରହିଛି।

ନଭେମ୍ବର ୨୦୧୯ରେ ସେ ଚାଷ କରିବା ଲାଗି ପେପ୍ସିକୋ ସହିତ ଏକ ଚୁକ୍ତି କରିଥିଲେ, ଏବଂ ଫସଲ ଅମଳ କରିବା ଲାଗି କମ୍ପାନୀଠାରୁ ବିହନ କିଣିଥିଲେ। “ସେମାନେ ମୋ ଠାରୁ କୁଇଣ୍ଟାଲ ପ୍ରତି ୧୫୨୫ ଟଙ୍କାରେ ଫସଲ କିଣିବା ଲାଗି ପ୍ରତିଶ୍ରୁତି ଦେଇଥିଲେ”, ବିଲାୱଲ କହିଥିଲେ। “କିନ୍ତୁ ଯେତେବେଳେ ମୁଁ ଫସଲ କାଟିଲି (ଏପ୍ରିଲ, ୨୦୨୦ ପାଖାପାଖି), ସେମାନେ ମୋତେ ଦୁଇ ମାସ ପର୍ଯ୍ୟନ୍ତ ଦୌଡ଼ାଇଲେ, ବାରମ୍ବାର ଏକଥା କହିଲେ ଯେ ଗୁଣବତ୍ତା ଠିକ ନାହିଁ କିମ୍ବା ଆମକୁ ଆହୁରି ନମୁନା ଦେଖାଅ।”

ବିଲାୱଲ କୁହନ୍ତି ଯେ ଲକଡାଉନ କାରଣରୁ ମଦ ବିକ୍ରି କମିଯାଇଥିଲା ଫଳରେ କମ୍ପାନୀ ଯଅର ଭଣ୍ଡାରଣ ହ୍ରାସ କରି ଦେଇଥିଲା। “ତେଣୁ ପେପ୍ସିକୋ ନିଜ ପ୍ରତିଶ୍ରୁତିରୁ ଓହରିଗଲା”, ସେ କହିଥିଲେ। ଶେଷରେ ବିଲାୱଲ ଜୁନ ୨୦୨୦ରେ, ପଦମପୁର ମଣ୍ଡି (ସେହି ତାଲୁକାରେ ତାଙ୍କର ଗ୍ରାମରେ ରହିଛି)ର ଖୋଲା ବଜାରେ ଏହାକୁ କୁଇଣ୍ଟାଲ ପ୍ରତି ୧୧୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ।

ବିଲାୱଲ ଯେତିକି ଟଙ୍କାରେ ଯଅ ବିକ୍ରି କରିବା ଲାଗି ଆଶା କରିଥିଲେ ତା’ଠାରୁ କୁଇଣ୍ଟାଲ ପ୍ରତି ୪୧୫ ଟଙ୍କା କମ୍‌ରେ ବିକ୍ରି କରିବା କାରଣରୁ ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। “କୌଣସି ମାମଲାର ସମାଧାନ ନିମନ୍ତେ କିଛି ବ୍ୟବସ୍ଥା ନାହିଁ”, ସେ କୁହନ୍ତି। “ଏହି ବିଲ୍‌(ନୂଆ ଆଇନ) ଏହାକୁ ଆହୁରି କ୍ଷତିକାରକ କରି ଦେଇଛି।”

ଇତିହାସରୁ ଶିକ୍ଷା ଲାଭ କରି  ରଶୱିନ୍ଦର କହିଥାନ୍ତି ଯେତେବେଳେ ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲ ୧୯୧୭ରେ ବିହାରର ଚମ୍ପାରଣରେ ନୀଳ ଚାଷ କରୁଥିବା ଚାଷୀଙ୍କ ପାଇଁ ଆନ୍ଦୋଳନ କରିଥିଲେ, ସେମାନେ ମଧ୍ୟ ଚୁକ୍ତିଭିତ୍ତିକ କୃଷିର ବିରୋଧ କରିଥିଲେ। “ମୋଦୀ ନିଜ ଭାଷଣରେ ସବୁବେଳେ ଏହି ଦୁଇ ଜଣଙ୍କର ଉଦାହରଣ ଦେଇଥାନ୍ତି”, ସେ କହିଥିଲେ।

ରଶୱିନ୍ଦର ଆଉ ଏକ ଶିକ୍ଷା ବିଷୟରେ ମଧ୍ୟ ଉଲ୍ଲେଖ କରିଥାନ୍ତି। “ଘରୋଇ କରଣ ପରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟର କ’ଣ ହେଲା?” ସେ ପଚାରିଥାନ୍ତି। “ଆଜି ସରକାରୀ ସ୍କୁଲ ଏବଂ ଡାକ୍ତରଖାନାର ସ୍ଥିତି ଅତ୍ୟନ୍ତ ଭୟାବହ ରହିଛି। ଗୃହମନ୍ତ୍ରୀ ଅସୁସ୍ଥ ହେଲେ, ସେ ମଧ୍ୟ ଘରୋଇ ଡାକ୍ତରଖାନାକୁ ଯାଉଛନ୍ତି। କୃଷିର ଘରୋଇକରଣ କରି ସରକାର ନିଜ ଦାୟିତ୍ୱରୁ ପଳାୟନ କରିବାକୁ ଚେଷ୍ଟା କରୁଛନ୍ତି।”

Gurudeep Singh (in white turban), says, 'MSP [minimum support price] is very important for us. Without it, we are finished'
PHOTO • Parth M.N.
PHOTO • Parth M.N.

ଗୁରୁଦୀପ ସିଂ (ଧଳା ପଗଡ଼ିରେ) କହିଥାନ୍ତି, “ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବିନା ଆମେ ମରିଯିବୁ।

ନିଜ କଥାକୁ ଆହୁରି ବିସ୍ତାର ପୂର୍ବକ ଆଲୋଚନା କରି, ରଶୱିନ୍ଦର ବଲିଭିଆନ ଜଳ ସଂକଟର ଉଦାହରଣ ଦେଇଥାନ୍ତି, ଏଠାରେ ପାଣି ଯୋଗାଣର ଘରୋଇକରଣ କାରଣରୁ ୧୯୯୯-୨୦୦୦ରେ ପାଣିକୁ ନେଇ ଦେଶରେ ଦଙ୍ଗା ଦେଖାଦେଇଥିଲା। “ଘରୋଇକରଣ ମାଧ୍ୟମରେ କୌଣସି ସମାଧାନ ହୋଇପାରିବ ନାହିଁ”, ସେ କହିଥାନ୍ତି। “ଏ ସରକାର ବାରମ୍ବାର କହୁଛନ୍ତି ଯେ କୃଷକମାନଙ୍କୁ ଭ୍ରମିତ କରାଯାଉଛି। କିନ୍ତୁ ଆମେ ସମ୍ପୂର୍ଣ୍ଣ ଭାବେ ଅବଗତ ଅଛୁ। ଯଦି ଆପଣଙ୍କ ପାଖରେ ସଠିକ ସୂଚନା ରହିବ ନାହିଁ, ତା’ହେଲେ ସାରା ଦୁନିଆ ଆପଣଙ୍କୁ ଖାଇଯିବ”।

ନୂଆ ଆଇନକୁ ନେଇ କୃଷକମାନଙ୍କର ଚିନ୍ତା ଓ କ୍ରୋଧ ଥିବା ସତ୍ତ୍ୱେ ଶାହଜାହନପୁରରେ ରଶୱିନ୍ଦର ଓ ବିଲାୱଲଙ୍କ ଲଙ୍ଗର ନିକଟରେ ଆନ୍ଦୋଳନସ୍ଥଳୀରେ, ପ୍ରାୟତଃ ଉତ୍ସବ ଭଳି ପରିବେଶ ରହିଛି, ଯାହାକି ସେମାନଙ୍କର ଏକଜୁଟ ଭାବନା ଦ୍ୱାରା ଅନୁପ୍ରାଣିତ। କିଛି କୃଷକ ଖୁବ ଜୋରରେ ପଞ୍ଜାବୀ ଗୀତ ବଜାଇ ଟ୍ରାକ୍ଟର ଚଳାଉଛନ୍ତି। ଅନ୍ୟ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ପ୍ୟାରୋଡ଼ି ଗୀତ ଗାଉଛନ୍ତି ଏବଂ ନାଚୁଛନ୍ତି। କିନ୍ତୁ ବିଲାୱଲ କହିଥାନ୍ତି, “ଆମେ ନିଜ ସମସ୍ୟାକୁ ଦୂର କରିବା ଲାଗି ଗାଉଛୁ ଏବଂ ନାଚୁଛୁ। ଏଠାକାର କୃଷକମାନେ ଏକ ଲଢ଼େଇ ଲଢ଼ୁଛନ୍ତି।” ଏବଂ ଏହି ଲଢ଼େଇରେ ରଶୱିନ୍ଦର କହିଥାନ୍ତି, “ଏଠାରେ ବିରୋଧ ପ୍ରଦର୍ଶନ କରୁଥିବା ଆନ୍ଦୋଳନକାରୀମାନେ ଦିନ ବିତିବା ସହିତ ଆହୁରି ସୁଦୃଢ଼ ହୋଇଯାଉଛନ୍ତି’’।

ଏହି ଦୁଇ ଭାଇଙ୍କ ଲଙ୍ଗରଠାରୁ ପାଖାପାଖି ଅଧା କିମି ଦୂରରେ ୫୪ ବର୍ଷୀୟ ଗୁରୁଦୀପ ସିଂ ଏକ ବଡ଼ ତାୱାରେ ରୁଟି ସେକୁଛନ୍ତି। ସେ ମଧ୍ୟ ଏଠାକୁ ସ୍ଥାନାନ୍ତରିତ ହେବା ପୂର୍ବରୁ ଟିକରୀରେ ଲଙ୍ଗର ଚଳାଉଥିଲେ। ତାଙ୍କ ପାଖରେ ପଞ୍ଜାବର ଫିରୋଜପୁର ଜିଲ୍ଲାର ମମଦୋତ ତହସିଲର ଅଲଫୁକେ ଗ୍ରାମରେ ୪୦ ଏକର ଜମି ରହିଛି, ଏବଂ ସେ କହିଥାନ୍ତି ଏହି ତିନୋଟି ନୂଆ ଆଇନ କୃଷକମାନଙ୍କ ପାଇଁ “ମୃତ୍ୟୁର ୱାରେଣ୍ଟ” ଅଟେ। “ମୁଁ ଧାନ ଓ ଗହମ ଚାଷ କରିଥାଏ”, ସେ କହିଥାନ୍ତି। “ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଆମ ପାଇଁ ଅତ୍ୟନ୍ତ  ଗୁରୁତ୍ୱପୂର୍ଣ୍ଣ। ଏହା ବିନା, ଆମେ ମରିଯିବୁ।

ଗୁରୁଦୀପ ଆନ୍ଦୋଳନ ଆରମ୍ଭ ହେବା ପରଠାରୁ ନିଜ ଘରଠାରୁ ଦୂରରେ ରହିଛନ୍ତି। “ମୁଁ ୨୬ ନଭେମ୍ବରଠାରୁ ଘରୁ ବାହାରିଥିଲି”, ସେ କହିଥାନ୍ତି। “ମୁଁ ଏକ ମାସରୁ ଅଧିକ ସମୟ ହେବ ମୋର ପତ୍ନୀ ଓ ପିଲାମାନଙ୍କୁ ଭେଟିପାରିନାହିଁ। ସେମାନେ ମୋତେ ଭିଡିଓ କଲ୍‌ କରିଥାନ୍ତି ଏବଂ ଘରକୁ ଫେରିଆସିବା ଲାଗି କହିଥାନ୍ତି।”

ହେଲେ ଗୁରୁଦୀପ ଏଇଠି ଅଟକି ରହିବା ଲାଗି ଦୃଢ଼ସଂକଳ୍ପବଦ୍ଧ। ଯେପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର କରାନଯିବ, ସେ ପର୍ଯ୍ୟନ୍ତ ସେ ଏଠାରୁ ହଟିବେ ନାହିଁ। “ମୁଁ ସେମାନଙ୍କୁ (ପରିବାର ସଦସ୍ୟମାନଙ୍କୁ) ଏକ ମାଳା କିଣିବା ଲାଗି କହିଛି”, ସେ କହିଥାନ୍ତି। “ଯଦି ଆଇନ ପ୍ରତ୍ୟାହାର କରି ନିଆଯାଏ, ଫେରିବା ପରେ ସେହି ମାଳା ପିନ୍ଧାଇ ତାଙ୍କୁ ସ୍ୱାଗତ କରିବେ। ଯଦି ମୁଁ ଏଠାରେ ମରିଯାଏ, ତା’ହେଲେ ସେ ମାଳା ମୋର ଫଟୋରେ ଚଢ଼ାଇଦେବେ।”

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.