ରାଜୀବ କୁମାର ଓଝା ଜାଣନ୍ତି ନାହିଁ ଯେ ଅଧିକ ଚିନ୍ତାଜଣକ କ’ଣ : ଭଲ ଫସଲ କାଟିବା ନା ତାହାକୁ ବିକ୍ରି କରିବା ଲାଗି ଚେଷ୍ଟା କରିବା। “ଆପଣଙ୍କୁ ଏହା ଅଦ୍ଭୂତ ଲାଗିପାରେ, କିନ୍ତୁ ଫସଲ କାଟିବା ଋତୁ ଶେଷରେ ଭଲ ଫସଲ ମିଳିଲେ ମୋର ସମସ୍ୟା ଆରମ୍ଭ ହୋଇଯାଇଥାଏ”, ସେ ଉତ୍ତର-ମଧ୍ୟ ବିହାରର ଚୌମୁଖ ଗ୍ରାମରେ ନିଜର ପୁରୁଣା ଘର ବାରଣ୍ଡାରେ ବସି କହିଥିଲେ।

ମୁଜଫରପୁର ଜିଲ୍ଲାର ବେଚହା ତାଲୁକାରେ ଥିବା ଗ୍ରାମରେ ନିଜର ପାଞ୍ଚ ଏକର ଜମିରେ୪୭ ବର୍ଷୀୟ ଓଝା, ଖରିଫ ଋତୁରେ (ଜୁନ-ନଭେମ୍ବର)ରେ ଧାନ, ଏବଂ ରବି (ଡିସେମ୍ବର-ମାର୍ଚ୍ଚ) ସମୟରେ ଗହମ ଏବଂ ମକା ଚାଷ କରିଥାନ୍ତି। “ଆମକୁ ଭଲ ଫସଲ ପାଇବା ଲାଗି ପାଣିପାଗ, ଜଳ, ଶ୍ରମ ଓ ଆହୁରି ଅନେକ ଜିନିଷ ଏକ ସଙ୍ଗେ ଆବଶ୍ୟକ ହୋଇଥାଏ”, ସେ ନଭେମ୍ବର ୨୦୨୦ରେ ମୋତେ କହିଥିଲେ। “କିନ୍ତୁ ଏହା ପରେ ମଧ୍ୟ, କୌଣସି ବଜାର ନାହିଁ। ମୋତେ ଗାଁରେ କମିଶନ ଏଜେଣ୍ଟକୁ ନିଜ ଖାଦ୍ୟଶସ୍ୟ ବିକ୍ରି କରିବାକୁ ହୋଇଥାଏ, ଏବଂ ତାଙ୍କ ଦ୍ୱାରା ସ୍ଥିର କରାଯାଇଥିବା ମୂଲ୍ୟରେ ବିକ୍ରି କରିବାକୁ ହୋଇଥାଏ।” ଏହାପରେ କମିଶନ ପାଇବା ଲାଗି ସେହି ଏଜେଣ୍ଟ ଏହାକୁ ପାଇକାରୀ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି।

ଓଝା ୨୦୧୯ରେ ସାଇତି ରଖିଥିବା କଞ୍ଚା ଧାନକୁ କୁଇଣ୍ଟାଲ ପ୍ରତି ୧,୧୦୦ ଟଙ୍କାରେ ବିକ୍ରି କରିଥିଲେ-ଏହା ସେ ସମୟର ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ୧୮୧୫ ଟଙ୍କା ଠାରୁ ୩୯ ପ୍ରତିଶତ କମ ଥିଲା। “ମୋ ପାଖରେ କୌଣସି ବିକଳ୍ପ ନଥିଲା। ଏଜେଣ୍ଟ ସବୁବେଳେ କମ୍‌ ଦରରେ କିଣିଥାନ୍ତି କାରଣ ସେମାନେ ଜାଣିଥାନ୍ତି ଯେ ଆମେ (ବିକ୍ରି କରିବା ଲାଗି) ଅନ୍ୟ କେଉଁଆଡ଼େ ଯାଇପାରିବୁ ନାହିଁ। ସେଥିପାଇଁ ଆମକୁ ଲାଭ ମିଳିବା ଅତି କଷ୍ଟକର”, ସେ କହିଥିଲେ।

ବିହାରର କୃଷକ ଗୋଟିଏ ଏକର ଜମିରେ ଧାନ ଚାଷ କରିବା ଲାଗି ୨୦,୦୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି, ଓଝା କହିଥିଲେ। “ମୋତେ ଗୋଟିଏ ଏକର ଜମିରୁ ୨୦-୨୫ କୁଇଣ୍ଟାଲ ଫସଲ ମିଳିଥାଏ। ୧,୧୦୦ ଟଙ୍କା କୁଇଣ୍ଟାଲ ପ୍ରତି, ମୁଁ ଛଅ ମାସର କଠିନ ପରିଶ୍ରମ ପରେ ୨,୦୦୦-୭,୦୦୦ ଟଙ୍କା (ଏକରପ୍ରତି) ଲାଭ ପାଇପାରିଥାଏ। ଏହା ଏକ ଭଲ ଦର ବୋଲି ଆପଣ ଭାବୁଛନ୍ତି କି?”

ଓଝାଙ୍କ ଭଳି, ବିହାରର ବହୁସଂଖ୍ୟକ କୃଷକ ନିଜ ଫସଲର ଉନ୍ନତ ଦାମ୍ ପାଇବା ଲାଗି ସଂଘର୍ଷ କରୁଛନ୍ତି, ବିଶେଷ କରି ରାଜ୍ୟ ସରକାରଙ୍କ ଦ୍ୱାରା ୨୦୦୬ରେ ବିହାର କୃଷି ଉତ୍ପାଦ ମଣ୍ଡି ଆଇନ, ୧୯୬୦କୁ ଉଚ୍ଛେଦ କରାଯିବା ପରଠାରୁ। ଏଥିସହିତ ରାଜ୍ୟରେ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରି ଦିଆଯାଇଛି।

Rajiv Kumar Ojha's five-acre farmland in Chaumukh village
PHOTO • Parth M.N.

ଚୌମୁଖ ଗ୍ରାମରେ ରାଜୀବ କୁମାର ଓଝାଙ୍କ ପାଞ୍ଚ ଏକର ଜମି

ଏଥିରୁ ଜଣାପଡ଼ିଥାଏ ଯେ ସେପ୍ଟେମ୍ବର ୨୦୨୦ରେ ପାରିତ ହୋଇଥିବା ତିନୋଟି କୃଷି ଆଇନ ଫଳରେ ଅବଶିଷ୍ଟ ଭାରତର କୃଷକମାନେ କେଉଁ ପରିସ୍ଥିତିର ସମ୍ମୁଖୀନ ହେବେ। ଲକ୍ଷାଧିକ କୃଷକ ୨୬ ନଭେମ୍ବର, ୨୦୨୦ରୁ ଦିଲ୍ଲୀ ସୀମାରେ ଏବଂ ସାରା ଦେଶରେ ନୂଆ କୃଷି ଆଇନଗୁଡ଼ିକୁ ବିରୋଧ କରି ଆସୁଛନ୍ତି।

ଏହି ତିନୋଟି ଆଇନ ହେଲା, କୃଷକ ଉତ୍ପାଦ ବ୍ୟବସାୟ ଏବଂ ବାଣିଜ୍ୟ (ସମ୍ବର୍ଦ୍ଧନ ଓ ସରଳୀକରଣ) ଆଇନ, ୨୦୨୦ ; କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ) ମୂଲ୍ୟ ସୁନିଶ୍ଚିତତା ଓ କୃଷି ସେବା ଉପରେ ଚୁକ୍ତି ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । କୃଷକମାନେ ଯେଉଁ ଆଇନକୁ ବିରୋଧ କରୁଛନ୍ତି ସେଗୁଡ଼ିକୁ ସର୍ବପ୍ରଥମେ, ୫ ଜୁନ, ୨୦୨୦ ରେ ଅଧ୍ୟାଦେଶ ଆକାରରେ ପାରିତ କରାଯାଇଥିଲା, ଏହାପରେ ୧୪ ସେପ୍ଟେମ୍ବରରେ କୃଷି ବିଲ୍‌ ଭାବେ ଉପସ୍ଥାପନ କରାଯାଇଥିଲା। ପରେ ସେହି ମାସର ୨୦ତାରିଖ ହିଁ ବର୍ତ୍ତମାନର ସରକାର ଅତି ତରବରିଆ ଭାବେ ଏହାକୁ ଆଇନରେ ପରିଣତ କରି ଦେଇଥିଲେ।

ଏଥିମଧ୍ୟରୁ, କୃଷକ ଉତ୍ପାଦ ବ୍ୟବସାୟ ଏବଂ ବାଣିଜ୍ୟ ଆଇନ, ୨୦୨୦ ରାଜ୍ୟଗୁଡ଼ିକର ଏପିଏମସି ଆଇନକୁ ନିଷ୍କ୍ରିୟ କରିଦେବ। ଏହି ଆଇନ କୃଷକମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ମଣ୍ଡି (ଏପିଏମସି) ବାହାରେ ବ୍ୟବସାୟିକ କାରବାର ପାଇଁ ବ୍ୟବସ୍ଥା ରହିଛି, ଯାହାଫଳରେ ଘରୋଇ କମ୍ପାନୀଗୁଡ଼ିକ ଲାଗି କୃଷି ଉତ୍ପାଦ କ୍ରୟ କରିବାର ରାସ୍ତା ଖୋଲିଯିବ। ଏହାର ଉଦ୍ଦେଶ୍ୟ କୃଷି କ୍ଷେତ୍ରକୁ ଉଦାର କରିବା, ଏବଂ ଏହି ଆଇନକୁ ସମର୍ଥନ କରୁଥିବା ଲୋକମାନେ ଦାବି କରନ୍ତି ଯେ କୃଷକମାନଙ୍କୁ ଏବେ ଦଲାଲଙ୍କ ମାଧ୍ୟମରେ ନିଜର ଉତ୍ପାଦ ବିକ୍ରି କରିବାକୁ ପଡ଼ିବ ନାହିଁ।

ବିହାର ଏହି ଚିନ୍ତାଧାରା ସହିତ ନିଜର ଏପିଏମସି ଆଇନକୁ ନିଷ୍କ୍ରିୟ କରିଥିଲା, କିନ୍ତୁ ୧୪ ବର୍ଷ ମଧ୍ୟରେ କୃଷକମାନଙ୍କ ସ୍ଥିତି ଆହୁରି ଖରାପରୁ ଖରାପ ହୋଇଚାଲିଲା। ଜାତୀୟ ନମୁନା ସର୍ବେକ୍ଷଣ (୭୦ତମ ପର୍ଯ୍ୟାୟ) ଅନୁସାରେ, ବିହାର ଭାରତର ଏପରି ଛଅଟି ରାଜ୍ୟ ମଧ୍ୟରୁ ଗୋଟିଏ, ଯେଉଁଠି କୃଷକ ପରିବାରର ମାସିକ ଆୟ ୫,୦୦୦ ଟଙ୍କାରୁ କମ୍‌ ଅଟେ।

“ଅନେକ ଅର୍ଥଶାସ୍ତ୍ରୀମାନେ କହିଥିଲେ ଯେ ବିହାର ଭାରତରେ ଏକ ନୂଆ ବଜାର ଉନ୍ମୁଖ କ୍ରାନ୍ତିର ଅଗ୍ରଦୂତ ହେବାକୁ ଯାଉଛି”, ଚଣ୍ଡିଗଡ଼ର କୃଷି ଅର୍ଥଶାସ୍ତ୍ରୀ ଦେବିନ୍ଦର ଶର୍ମା କହିଥିଲେ। “ଏହି ତର୍କ ଦିଆଯାଇଥିଲା ଯେ ଘରୋଇ ନିବେଶ କୃଷକମାନଙ୍କ ଲାଗି ଉନ୍ନତ ମୂଲ୍ୟ ସୁନିଶ୍ଚିତ କରିବ। କିନ୍ତୁ ଏପରି କିଛି ହେଲା ନାହିଁ।”

ବିହାର କୃଷି ମନ୍ତ୍ରଣାଳୟର ଜଣେ ଅଧିକାରୀ ଏହି ସ୍ଥିତିକୁ ସୁନିଶ୍ଚିତ କରିଥିଲେ। “ଦୁର୍ଭାଗ୍ୟବଶତଃ ଆମ ପାଖରେ ୨୦୦୬ ପରେ (କୃଷି କ୍ଷେତ୍ରରେ) ଆସୁଥିବା ଘରୋଇ ନିବେଶର ସଠିକ ତଥ୍ୟ ନାହିଁ। କିନ୍ତୁ ଏପିଏମସିକୁ ରଦ୍ଦ କରି ଦେବା ପରେ ବିହାରରେ ଘରୋଇ ମଡେଲକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିଛି”, ଅଧିକାରୀ ଜଣକ କହିଥିଲେ। “ଉଦାହରଣ ସ୍ଵରୂପ, ପୂର୍ଣ୍ଣିୟାର କୃଷକ (ରାଜ୍ୟ) ବାହାରର ସେହି ବ୍ୟବସାୟୀମାନଙ୍କୁ କଦଳୀ ବିକ୍ରି କରିଥାନ୍ତି, ଯେଉଁମାନେ ସେମାନଙ୍କ ଘରକୁ ଆସିଥାନ୍ତି।

ଜାତୀୟ ପ୍ରାୟୋଗିକ ଆର୍ଥିକ ଗବେଷଣା ପରିଷଦ (ଏନସିଏଇଆର) ପକ୍ଷରୁ ୨୦୧୯ରେ ପ୍ରକାଶିତ , ଭାରତର ବିହାର ରାଜ୍ୟ ପାଇଁ କୃଷି ନିଦାନ ସଂକ୍ରାନ୍ତ ଅଧ୍ୟୟନ ରୁ ଜଣାପଡ଼ିଥାଏ ଯେ ବିହାରରେ ଧାନ, ଗହମ, ମକା, ଡାଲି, ସୋରିଷ ଏବଂ କଦଳୀ ସମେତ ପାଖାପାଖି ୯୦ ପ୍ରତିଶତ ଫସଲ ଗାଁ ଭିତରେ କମିଶନ ଏଜେଣ୍ଟ ଏବଂ ବ୍ୟବସାୟୀମାନଙ୍କୁ ବିକ୍ରି କରାଯାଇଥାଏ। “୨୦୦୬ରେ ଏପିଏମସି ଆଇନକୁ ନିଷ୍କ୍ରିୟ କରିବା ପରେ ମଧ୍ୟ, ବିହାରରେ ନୂଆ ବଜାର ନିର୍ମାଣ ଏବଂ ବର୍ତ୍ତମାନର ବଜାରରେ ସୁବିଧାର ସୁଦୃଢ଼ୀକରଣରେ ଘରୋଇ ନିବେଶ ହୋଇନାହିଁ, ଯାହାଫଳରେ ବଜାର ଘନତା ହ୍ରାସ ପାଇଛି”, ରିପୋର୍ଟରେ କୁହାଯାଇଛି।

A locked Primary Agriculture Credit Society (PACS) centre in Khapura, where farmers can sell their paddy. Procurement by the PACS centres has been low in Bihar
PHOTO • Parth M.N.
A locked Primary Agriculture Credit Society (PACS) centre in Khapura, where farmers can sell their paddy. Procurement by the PACS centres has been low in Bihar
PHOTO • Parth M.N.

ଖପୁରାର ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) କେନ୍ଦ୍ରରେ ତାଲା ଝୁଲୁଛି, ଯେଉଁଠି ଚାଷୀମାନେ ସେମାନଙ୍କର ଧାନ ବିକ୍ରି କରିପାରୁଥିଲେ। ବିହାରରେ ପ୍ୟାକ୍ସ କେନ୍ଦ୍ରଗୁଡିକ ଦ୍ୱାରା କ୍ରୟ ହ୍ରାସ ପାଉଛି

ଏପିଏମସି, ଯାହାକି କୃଷକ, ବ୍ୟବସାୟୀ ଓ କୃଷି ସମବାୟ ସମିତି ଭଳି ଏଜେନ୍ସିଗୁଡ଼ିକର ନିର୍ବାଚିତ ସଂସ୍ଥାର ଉଦ୍ଦେଶ୍ୟ ହେଉଛି ଏହା ସୁନିଶ୍ଚିତ କରିବା ଯେ ବଡ଼ କ୍ରେତାମାନେ ଯେପରି କୃଷକମାନଙ୍କୁ ଶୋଷଣ କରିବେ ନାହିଁ। “ସେଗୁଡ଼ିକୁ ଉଚ୍ଛେଦ କରିବା ପରିବର୍ତ୍ତେ, ସେଥିରେ ସୁଧାର ଏବଂ ସେଗୁଡ଼ିକର ନେଟୱର୍କ ବିସ୍ତାର କରିବାର ଆବଶ୍ୟକତା ରହିଥିଲା, ଯାହାଫଳରେ କୃଷକମାନଙ୍କଠାରୁ ସେଗୁଡ଼ିକୁ ଆହୁରି ଅଧିକ ସାମଗ୍ରୀ କ୍ରୟ କରିପାରିବେ”, ଏପିଏମସି ବିଶେଷଜ୍ଞ ଏବଂ ଆଇଆଇଏସ ଅହମ୍ମଦାବାଦର କୃଷି ପରିଚାଳନା କେନ୍ଦ୍ର (ସିଏମଏ)ର ଅଧ୍ୟକ୍ଷ, ପ୍ରଫେସର ସୁଖପାଲ ସିଂ କହିଥିଲେ। “କୌଣସି ପ୍ରସ୍ତୁତ ବିକଳ୍ପ ବିନା ଏଗୁଡ଼ିକୁ ସମାପ୍ତ କରି ଦେବା ଫଳରେ ସ୍ଥିତି ଆହୁରି ଖରାପ ହୋଇଯାଇଛି।”

ବିହାରରେ ଏପିଏମସି ଆଇନକୁ ନିରସ୍ତ୍ର କରିଦେବାର ଦୂରଗାମୀ ପରିଣାମ ଦେଖାଦେଲା। ଏନସିଏଇଆର ରିପୋର୍ଟ ଅନୁଯାୟୀ, ୨୦୦୬ ପରେ ପ୍ରମୁଖ ଫସଲଗୁଡ଼ିକର ମୂଲ୍ୟ ବୃଦ୍ଧିପାଇଛି, କିନ୍ତୁ ମୂଲ୍ୟ ଅସ୍ଥିରତାରେ ମଧ୍ୟ ବୃଦ୍ଧି ଘଟିଛି। “ଆମର ସ୍ଥିର ମୂଲ୍ୟର ଆବଶ୍ୟକତା ରହିଛି, ଅସ୍ଥିର ନୁହେଁ। ଅନ୍ୟଥା, ଆମକୁ ତରବର ହୋଇ ବିକ୍ରି କରିବାକୁ ପଡ଼ିବ”, ଓଝା କହିଥିଲେ। ଦେବୀନ୍ଦର ଶର୍ମା ଆଶଙ୍କା କରୁଛନ୍ତି ଯେ ନୂଆ କୃଷି ଆଇନଗୁଡ଼ିକ ସାରା ଭାରତରେ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବା ପରେ ଭାରତରେ କୃଷକମାନଙ୍କୁ ଏପରି ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡ଼ିବ।

କମିଶନ ଏଜେଣ୍ଟମାନଙ୍କୁ ବିକ୍ରି କରିବା ପରିବର୍ତ୍ତେ, ଓଝା ରାଜ୍ୟ –ପରିଚାଳିତ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)କୁ ମଧ୍ୟ ନିଜର ଧାନ ବିକ୍ରି କରିପାରିବେ, ଯାହାକୁ ବିହାରରେ ଏପିଏମସି ଆଇନକୁ ନିରସ୍ତ୍ର କରାଯିବା ପରେ ପ୍ରତିଷ୍ଠା କରାଯାଇଥିଲା। ଏଗୁଡ଼ିକ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ଏମଏସପିରେ କ୍ରୟ କରିଥାନ୍ତି। କିନ୍ତୁ ଏନସିଏଇଆରର ୨୦୧୯ର ଅଧ୍ୟୟନ ଅନୁଯାୟୀ, ବିହାରରେ ପ୍ୟାକ୍ସ ଦ୍ୱାରା କ୍ରୟ ଖୁବ କମ ରହିଛି-୯୧.୭ପ୍ରତିଶତ ଧାନ କମିଶନ ଏଜେଣ୍ଟମାନଙ୍କୁ ବିକ୍ରି କରାଯାଇଥିଲା।

“ପ୍ୟାକ୍ସର କ୍ରୟ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ,” ଓଝା କହିଥିଲେ। “ମୁଁ ନଭେମ୍ବରରେ ନିଜର ଧାନ କାଟିଥାଏ। ରବି ଋତୁ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଲାଗି ମୋତେ ଟଙ୍କା ଦରକାର ପଡ଼ିଥାଏ, ଯାହା ଡିସେମ୍ବରରେ ଆରମ୍ଭ ହୋଇଥାଏ । ଯଦି ମୁଁ ଧାନ ଭଣ୍ଡାରଣ କରି ରଖିଥାନ୍ତି, ଏବଂ ବର୍ଷା ହୋଇଥାନ୍ତା, ତା’ହେଲେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଯାଇଥାନ୍ତା।” ପର୍ଯ୍ୟାପ୍ତ ଭଣ୍ଡାରଣ ସୁବିଧା ନଥିବା କାରଣରୁ ପ୍ୟାକ୍ସରେ ଫସଲ ବିକ୍ରି କରିବା ପାଇଁ ଅପେକ୍ଷା କରିବା ଓଝାଙ୍କ ପାଇଁ ଅସମ୍ଭବ ହୋଇପଡ଼ିଥାଏ। “ଏହା ବେଶ ବିପଦପୂର୍ଣ୍ଣ।”

ପାଟନା ଜିଲ୍ଲାର ମାଜିଷ୍ଟ୍ରେଟ୍, କୁମାର ରବି କହିଥିଲେ ଯେ ପ୍ୟାକ୍ସ କେନ୍ଦ୍ରରେ କ୍ରୟ ପ୍ରକ୍ରିୟା ନଭେମ୍ବରରେ ଆରମ୍ଭ ହୋଇଥାଏ। “ଶୀତ କାରଣରୁ ଅନେକ ଧାନରେ ଆର୍ଦ୍ରତା ଆସିଯାଏ। ଯେଉଁ କୃଷକମାନେ ନିଜ ଫସଲକୁ ଶୁଖିଲା ରଖିବା ଲାଗି ବ୍ୟବସ୍ଥା କରି ନେଇଥାନ୍ତି ସେମାନେ ଏହାକୁ ପ୍ୟାକ୍ସରେ ବିକ୍ରି କରିଥାନ୍ତି, ଯାହାର ଅନୁଧ୍ୟାନ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ରାଜ୍ୟ ସମବାୟ ବିଭାଗ କରିଥାନ୍ତି।

ଚୌମୁଖ ଗ୍ରାମର ପ୍ୟାକ୍ସ କେନ୍ଦ୍ର ସଭାପତି, ଅଜୟ ମିଶ୍ରା କହିଥିଲେ ଯେ ଜିଲ୍ଲା ମାଜିଷ୍ଟ୍ରେଟ କ୍ରୟ ଲାଗି ଧାର୍ଯ୍ୟ ଲକ୍ଷ୍ୟ ପରିମାଣ ନିର୍ଦ୍ଧାରଣ କରିଥାନ୍ତି। “ପ୍ରତ୍ୟେକ ପ୍ୟାକ୍ସର ଗୋଟିଏ ସୀମା ଥାଏ, ଯାହାକୁ ସେ ପାର୍ କରିପାରନ୍ତି ନାହିଁ। ଗତ ଋତୁ (୨୦୧୯-୨୦)ରେ, ଆମକୁ ୧୭୦୦ କୁଇଣ୍ଟାଲ କ୍ରୟ କରିବା ଲାଗି ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଇଥିଲା”, ସେ କହିଥିଲେ। “ଚୌମୁଖ (ଗ୍ରାମ ପଞ୍ଚାୟତ)ରେ ପାଖାପାଖି ୨୦,୦୦୦ କୁଇଣ୍ଟାଲ ଧାନ ଉତ୍ପାଦନ ହୋଇଥାଏ। ମୁଁ ଭୟଙ୍କର ସ୍ଥିତିରେ ରହିଛି। ଫେରାଇ ଦେବା କାରଣରୁ ଅଧିକାଂଶ ସମୟରେ କୃଷକମାନେ ମୋତେ ଗାଳି ଦେଇଥାନ୍ତି। କିନ୍ତୁ ମୁଁ ଆଉ କିଛି କରିପାରିବି ନାହିଁ।”

Small and marginal farmers end up dealing with agents, says Ajay Mishra, chairman of the PACS centre in Chaumukh
PHOTO • Parth M.N.

ଛୋଟ ଏବଂ ନାମମାତ୍ର କୃଷକମାନଙ୍କୁ ଏଜେଣ୍ଟଙ୍କ ସହିତ କାରବାର କରିବାକୁ ପଡ଼ିଥାଏ, ଚୌମୁଖରେ ପ୍ୟାକ୍ସ କେନ୍ଦ୍ରର ସଭାପତି ଅଜୟ ମିଶ୍ରା କହିଥିଲେ।

ଏନସିଏଇଆରର ରିପୋର୍ଟ ଅନୁଯାୟୀ, ୨୦୧୫-୧୬ରେ ବିହାରରେ ପାଖାପାଖି ୯୭ ପ୍ରତିଶତ କୃଷକଙ୍କ ପାଖରେ ଛୋଟ କିମ୍ବା ଖୁବ କମ୍ ଜମି ରହିଥିଲା। ଏହି ତଥ୍ୟ ଭାରତର ୮୬.୨୧ ପ୍ରତିଶତ ହାରାହାରୀଠାରୁ ଖୁବ ଅଧିକ। “ଛୋଟ ଏବଂ ନାମମାତ୍ର ଚାଷୀଙ୍କୁ ଏଜେଣ୍ଟମାନଙ୍କ ସହିତ କାରବାର କରିବାକୁ ପଡ଼ିଥାଏ, ଅନ୍ୟପଟେ ବଡ଼ ଚାଷୀମାନେ ପ୍ୟାକ୍ସକୁ ନିଜର ଫସଲ ବିକ୍ରି କରିଥାନ୍ତି”, ମିଶ୍ରା କହିଥିଲେ।

ପ୍ୟାକ୍ସ କେବଳ ଧାନ କ୍ରୟ କରିଥାଏ, ସେଥିପାଇଁ ଓଝା ନିଜ ଗହମ ଏବଂ ମକା ଫସଲ ଏମଏସପିଠାରୁ କମ୍‌ ଦରରେ ଏଜେଣ୍ଟମାନଙ୍କୁ ବିକ୍ରି କରିଥାନ୍ତି। “ମୁଁ ଚାରି କିଲୋ ମକା ବିକ୍ରି କରିବା ପରେ ଅତି କଷ୍ଟରେ ଗୋଟିଏ କିଲୋଗ୍ରାମ ଆଳୁ କିଣିପାରିଲି”, ସେ କହିଥିଲେ। “ଚଳିତ ବର୍ଷ (୨୦୨୦), ମୁଁ ଲକଡାଉନ କାରଣରୁ ନିଜର ମକା କୁଇଣ୍ଟାଲ ପ୍ରତି ମାତ୍ର ୧୦୦୦ ଟଙ୍କାରେ ବିକ୍ରି କଲି। ଗତ ବର୍ଷ, ଏହା ୨,୨୦୦ ଟଙ୍କାରେ ବିକ୍ରି ହୋଇଥିଲା। ଆମେ ଏଜେଣ୍ଟଙ୍କ ଦୟାରେ ରହିଛୁ ।”

ଏହି ମୂଲ୍ୟ ଦେବା ବଦଳରେ, ଏଜେଣ୍ଟମାନେ ପ୍ରାୟତଃ ଓଜନରେ ମଧ୍ୟ ହେରଫେର କରିଥାନ୍ତି, ୪୦ ବର୍ଷୀୟ କୃଷକ କମଲ ଶର୍ମା କହିଥିଲେ, ଯାହାଙ୍କ ପାଖରେ ପାଟନାର ପାଲିଗଞ୍ଜ ତାଲୁକାର ଖପୁରା ଗ୍ରାମରେ ପାଞ୍ଚ ଏକର ଜମି ରହିଛି। “ସେମାନେ ପ୍ରତି କୁଇଣ୍ଟାଲରେ ୫ କିଗ୍ରା ଚୋରାଇ ନେଇଥାନ୍ତି। ଏପିଏମସିର ଓଜନ ଏବଂ ଏଜେଣ୍ଟମାନଙ୍କ ଓଜନ ସବୁବେଳେ ସମାନ ପରିମାଣର ଶସ୍ୟ ପାଇଁ ଭିନ୍ନ ଭିନ୍ନ ଦେଖାଦେଇଥାଏ”, ସେ କହିଥିଲେ।

“ଯଦି କେହି ଏଜେଣ୍ଟ କୃଷକମାନଙ୍କ ସହିତ ଠକାମି କରିଥାଏ, ତା’ହେଲେ ତାଙ୍କୁ ଉପଭୋକ୍ତା ଅଦାଲତଙ୍କୁ ଯିବାକୁ ପଡ଼ିଥାଏ। କେତେଜଣ କୃଷକ ଏପରି କରିପାରିବେ?” ସିଏମଏ ସିଂହ କହିଥିଲେ। ଏପିଏମସିରେ କାମ କରୁଥିବା ବ୍ୟବସାୟୀମାନଙ୍କୁ ଲାଇସେନ୍ସ ଦିଆଯାଇଥାଏ ଏବଂ ସେମାନଙ୍କୁ ସେମାନଙ୍କର କାର୍ଯ୍ୟ ପାଇଁ ଉତ୍ତରଦାୟୀ କରାଯାଇପାରିବ, ସେ କହିଥିଲେ। “ସମସ୍ତ ଅଂଶୀଦାରଙ୍କ ପାଇଁ ଉପଯୁକ୍ତ ବ୍ୟବହାର ପାଇଁ ନିୟମ ପରିବର୍ତ୍ତେ କୃଷକ ବଜାର ଚାଲିପାରିବ ନାହିଁ। ଏପିଏମସି ସେହି ବିନିୟାମକକୁ ନେଇ ଆସିଥିଲା।’’

ଏଜେଣ୍ଟମାନଙ୍କ ଦ୍ୱାରା ଠକାମି କାରବାର  କାରଣରୁ ଅଧିକାଂଶ ଲୋକ ବିହାରରୁ ପଳାୟନ କରିବା ଲାଗି ବାଧ୍ୟ ହେଉଛନ୍ତି, କମଲ ଶର୍ମା କହିଥିଲେ। “ଆମର ସେତେ ଭଲ ଆୟ ନାହିଁ ଯେ ଆମେ ସେମାନଙ୍କୁ ଭଲ ବେତନରେ କାମରେ ରଖିପାରିବୁ। ଏହି କାରଣରୁ ସେମାନେ ପଞ୍ଜାବ ଓ ହରିୟାଣାକୁ ଚାଲିଯାଆନ୍ତି।”

Left: Kamal Sharma in his farm in Khapura. Right: Vishwa Anand says farmers from Bihar migrate to work because they can't sell their crops at MSP
PHOTO • Parth M.N.
Left: Kamal Sharma in his farm in Khapura. Right: Vishwa Anand says farmers from Bihar migrate to work because they can't sell their crops at MSP
PHOTO • Parth M.N.

ବାମ : କମଲ ଶର୍ମା ଖପୁରାରେ ନିଜ ଚାଷ ଜମିରେ। ଡାହାଣ : ବିଶ୍ୱ ଆନନ୍ଦ କହିଛନ୍ତି ଯେ ବିହାରର କୃଷକମାନେ କାମ ସନ୍ଧାନରେ ଏଥିପାଇଁ ପଳାୟନ କରିଥାନ୍ତି କାରଣ ସେମାନେ ନିଜର ଫସଲ ଏମଏସପିରେ ବିକ୍ରି କରିପାରିବେ ନାହିଁ।

ପଞ୍ଜାବ ଓ ହରିୟାଣାରେ ଚାଷ କରାଯାଉଥିବା ଅଧିକାଂଶ ଗହମ ଓ ଧାନର କ୍ରୟ ଏହି ରାଜ୍ୟଗୁଡ଼ିକର ସରକାରଙ୍କ ଦ୍ୱାରା କରାଯାଇଥାଏ। “ସେଠାକାର କୃଷକମାନଙ୍କୁ ଉଚିତ ମୂଲ୍ୟ ମିଳିଥାଏ ସେଥିପାଇଁ ସେମାନେ ମଜୁରିଆମାନଙ୍କୁ ଅଧିକ ମଜୁରି ଦେଇପାରିବେ,” ଚୌମୁଖର ଜଣେ କୃଷକ କର୍ମୀ, ବିଶ୍ୱ ଆନନ୍ଦ କହିଥିଲେ। “ଆମେ ବିହାରରେ କାମ ନକରିବା ଲାଗି ମଜୁରିଆମାନଙ୍କୁ ଦୋଷ ଦେଇପାରିବୁ ନାହିଁ। ଯଦି କୃଷକମାନେ ନିଜ ଫସଲ ଏମଏସପିରେ ବିକ୍ରି କରିପାରିଥାନ୍ତେ, ତା’ହେଲେ ସେମାନେ ଏଠାରୁ ପଳାୟନ କରିନଥାନ୍ତେ।”

ବିହାରର ଅଧିକାଂଶ ଜିଲ୍ଲାର କୃଷକ, ଯେଉଁମାନଙ୍କ ସହିତ ମୁଁ ଅକ୍ଟୋବର-ନଭେମ୍ବର୨୦୨୦ରେ ଆଲୋଚନା କରିଥିଲି, କହିଥିଲେ ଯେ ସରକାର ଏମଏସପିରେ ଫସଲ କ୍ରୟକୁ ବାଧ୍ୟତାମୂଳକ କରିବା ଉଚିତ। ବର୍ତ୍ତମାନ ଦିଲ୍ଲୀ ସୀମାରେ ଜାରି ରହିଥିବା କୃଷକ ଆନ୍ଦୋଳନରେ ମଧ୍ୟ ଏହି ଦାବି କରାଯାଉଛି।

କୃଷକମାନେ ଏହି ଆଇନଗୁଡ଼ିକୁ ନିଜ ଜୀବିକା ପାଇଁ ବିନାଶକାରୀ ବୋଲି ଭାବୁଛନ୍ତି କାରଣ ଏହିସବୁ ଆଇନ ବଡ଼ କର୍ପୋରେଟଗୁଡ଼ିକୁ କୃଷକ ଏବଂ କୃଷି ଉପରେ ଅଧିକ କ୍ଷମତା ପ୍ରଦାନ କରିବ। ଏହି ଆଇନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ସମେତ, କୃଷକମାନଙ୍କୁ ସହାୟତା କରୁଥିବା ମୁଖ୍ୟ ଆଧାରଗୁଡ଼ିକୁ ଦୁର୍ବଳ କରିଦେବ। ଏହି ଆଇନକୁ ଏଥିପାଇଁ ମଧ୍ୟ ସମାଲୋଚନା କରାଯାଉଛି ଯେ ଏହା ପ୍ରତ୍ୟେକ ନାଗରିକଙ୍କୁ ପ୍ରଭାବିତ କରିବ। ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨କୁ ଦୁର୍ବଳ କରି ସମସ୍ତ ନାଗରିକମାନଙ୍କର ଆଇନଗତ ପଦକ୍ଷେପ ନେବାର ଅଧିକାରକୁ ଅକ୍ଷମ କରିଦେବ।

“(କେନ୍ଦ୍ର) ସରକାର ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି ଏବଂ ଏହାପରେ ସେହି କୃଷକମାନଙ୍କୁ ଭୁଲି ଯାଇଥାନ୍ତି ଯେଉଁମାନେ ଏମଏସପିରେ ବିକ୍ରି କରିପାରିବେ ନାହିଁ। ଯଦି କେହି ଏମଏସପିରେ କ୍ରୟ କରୁନାହାନ୍ତି ତା’ହେଲେ ସରକାର ତାହାକୁ ଅପରାଧ ବୋଲି କାହିଁକି ମାନ୍ୟତା ଦେଇପାରିବେ ନାହିଁ?” ଆନନ୍ଦ କହିଥିଲେ। “ଯେତେବେଳେ ବ୍ୟବସାୟୀ ସେମାନଙ୍କ ସହିତ ବିଶ୍ୱାସଘାତକତା କରିବେ ସେମାନେ କେଉଁଠିକୁ ଯିବେ?”

ଖପୁରାରେ, କମଲ ଶର୍ମା ଓ ତାଙ୍କର ପତ୍ନୀ ପୁନମ ସେହି ୨୫୦୦ ଟଙ୍କା ଫେରି ପାଇବାକୁ ଅପେକ୍ଷା କରିଛନ୍ତି, ଯାହାକୁ ଜଣେ ବ୍ୟବସାୟୀ ୧୨ ବର୍ଷ ପୂର୍ବେ ତାଙ୍କ ଠାରୁ ଉଧାର ନେଇଥିଲେ। “ଏହା ଥିଲା ଆମର ଧାନ ଫସଲ ନେଇଯିବା ଲାଗି ଅଗ୍ରୀମ ପରିଶୋଧ”, କମଲ କହିଥିଲେ।

“ଏହା ଆମ ପାଇଁ ଆଜି ମଧ୍ୟ ଏକ ବହୁତ ଅଧିକ ପରିମାଣର ଅର୍ଥରାଶି, କିନ୍ତୁ ସେତେବେଳେ ଏହା ଆହୁରି ଅଧିକ ଥିଲା। ଆଜି ଗୋଟିଏ ବସ୍ତା ସାର ପାଇଁ ଯେତିକି ଟଙ୍କା ପଡ଼ୁଛି, ସେତେବେଳେ ଏହାର ମାତ୍ର ପାଞ୍ଚ ଭାଗ ଦେବାକୁ ପଡ଼ୁଥିଲା”, ପୁନମ କହିଥିଲେ। “କିନ୍ତୁ ବିହାରରେ ଏପରି ଘଟଣା ଘଟିଚାଲିଥାଏ। ଏବେ ଏହା ଆମକୁ ସେତେ ଅସ୍ୱାଭାବିକ ମଧ୍ୟ ଲାଗୁ ନାହିଁ।”

ଅନୁବାଦ - ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE