୭୦ ବର୍ଷୀୟା ଭୀମା ତଣ୍ଡାଲେ କହନ୍ତି, ‘‘ମୋ ପୁଅ ୪ ବର୍ଷ ପୂର୍ବରୁ ପ୍ରାଣ ହରାଇଲା । ତା’ର ଗୋଟିଏ ବର୍ଷ ପରେ ମୋ ସ୍ୱାମୀ ମଧ୍ୟ ଆରପାରିକୁ ଗଲେ ।’’ ଦକ୍ଷିଣ ମୁମ୍ବାଇର ଆଜାଦ୍‌ ମୈଦାନରେ ଟାଣ ଖରାରେ ବସିଥିବାବେଳେ ସେ ଗୋଟିଏ ବର୍ଷ ଭିତରେ ତାଙ୍କ ଜୀବନର ଦୁଇଟି ବଡ଼ କ୍ଷତିର ଦୁଃଖ ବାବଦରେ କହିଲେ । ତାଙ୍କର ସ୍ୱାମୀ ଓ ପୁଅ ଉଭୟ କ୍ଷେତରେ କାମ କରିବା ବେଳେ ଟଳି ପଡ଼ିଥିଲେ ।

ଭୀମାଙ୍କର ପୁଅ, ଦତ୍ତୁ ମାତ୍ର ୩୦ ବର୍ଷର ଥିଲା ଯେତେବେଳେ ତା’ର ମୃତ୍ୟୁ ହେଲା ଏବଂ ସ୍ୱାମୀ ଉତ୍ତମ ତାଙ୍କର ୬୦ ବର୍ଷରୁ ଅଧିକ ବୟସ୍କ ଥିଲେ । ଭୀମା, ଯିଏ ନିଜେ ବି ଜଣେ କୃଷି ଶ୍ରମିକ କହନ୍ତି, ସେବେଠାରୁ ମୁଁ ମୋ ବୋହୂ ସଂଗୀତା ସହ ମିଶି ଘର ଚଳାଉଛି ।’’ ‘‘ମୋ ନାତି ସୁମିତ ୧୪ ବର୍ଷର । ଆମକୁ ତା’ର ଦେଖାରେଖା କରିବାକୁ ଅଛି ।’’

ଜୀବନରେ ଏତେ କଷ୍ଟ ସତ୍ତ୍ୱେ ଭୀମା ୩ଟି ନୂଆ କୃଷି ଆଇନ ବିରୋଧୀ ଆନ୍ଦୋଳନରେ ଯୋଗଦେବାକୁ ଜାନୁଆରୀ ୨୫-୨୬ ତାରିଖରେ ମୁମ୍ବାଇ ଆସିଥିଲେ । ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସହ ଏକଜୁଟତା ଓ ସମର୍ଥନ ପ୍ରଦର୍ଶନ କରିବାକୁ ସଂଯୁକ୍ତ ସେତ୍‌କାରୀ କାମଗାର ମୋର୍ଚ୍ଚା ପକ୍ଷରୁ ଏହି ବିକ୍ଷୋଭର ଆୟୋଜନ କରାଯାଇଥିଲା । ଏଥିପାଇଁ ସର୍ବଭାରତୀୟ କିଷାନ ସଭା ଦ୍ୱାରା ଏକାଠି କରାଯାଇଥିବା ମହାରାଷ୍ଟ୍ରର ୨୧ଟି ଜିଲ୍ଲାରୁ ଚାଷୀମାନେ ଏଥିପାଇଁ ମୁମ୍ବାଇ ଆସିଥିଲେ ।

ଅନ୍ୟ ୧୨-୧୫ ଜଣ ମହିଳାଙ୍କ ସହ ଭୀମା, ଜାନୁଆରୀ ୨୩ ତାରିଖରେ ନିଜ ଗାଁ, ନାସିକ ଜିଲ୍ଲା ଡିଣ୍ଡୋରୀ ତହସିଲ ଅଧୀନ ଅମ୍ବେବାଣୀରୁ ବାହାରି ତା’ ପରଦିନ ମୁମ୍ବାଇରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ବିଧବା କୃଷକ ।

ସୁମନ ବମ୍ବାଲେଙ୍କର ସ୍ୱାମୀ ଗୋଟିଏ ଦଶକ ପୂର୍ବରୁ ପ୍ରାଣ ହରାଇଥିଲେ । ସୁମନ ଯାହାଙ୍କର ସ୍ୱାମୀ ମୋତିରାମ ୫୦ ବର୍ଷ ବୟସରେ ପ୍ରାଣ ହରାଇଥିଲେ କହନ୍ତି,‘‘ସେ ଅତ୍ୟଧିକ ପରିଶ୍ରମ ଓ ଅବସାଦ କାରଣରୁ ପ୍ରାଣ ହରାଇଲେ ।’’‘‘ଆମେ ବର୍ଷ ବର୍ଷ ଧରି ୫ ଏକର ଜଙ୍ଗଲ ଜମିରେ ଚାଷ କରିଆସୁଛୁ । କିନ୍ତୁ ଏବେ ବି ତାହା ଆମ ନାଁରେ ହୋଇନାହିଁ । ଜଙ୍ଗଲ ବିଭାଗ ଅଧିକାରୀମାନେ ଆମକୁ ଅପମାନିତ କରୁଛନ୍ତି । ମୋ ସ୍ୱାମୀ ସବୁବେଳେ ଏହାକୁ ନେଇ ଅବସାଦରେ ରହୁଥିଲେ ।’’ ଉତ୍ତମଙ୍କ ଭଳି ମୋତିରାମ ମଧ୍ୟ ଜମିରେ କାମ କରୁଥିବାବେଳେ ଟଳି ପଡ଼ିଥିଲେ ।

Left: Bhima Tandale at Azad Maidan. Right: Lakshmi Gaikwad (front) and Suman Bombale (behind, right) and Bhima came together from Ambevani village
PHOTO • Riya Behl
Left: Bhima Tandale at Azad Maidan. Right: Lakshmi Gaikwad (front) and Suman Bombale (behind, right) and Bhima came together from Ambevani village
PHOTO • Riya Behl

ବାମ : ଆଜାଦ ମୈଦାନରେ ଭୀମା ତଣ୍ଡାଲେ ଡାହାଣ : ଲକ୍ଷ୍ମୀ ଗାଏକୱାଡ଼ ( ସମ୍ମୁଖ ) ଏବଂ ସୁମନ ବମ୍ବାଲେ ( ପଛ , ଡାହାଣ ) ଏବଂ ଭୀମା ଅମ୍ବେବାଣୀ ଗାଁରୁ ସାଙ୍ଗରେ ଆସିଥିଲେ

୬୦ ବର୍ଷୀୟା ସୁମନ କହନ୍ତି,‘‘ସେହି ଜମିରେ ମୁଁ ସୋୟାବିନ, ବାଜରା ଓ ହରଡ଼ ଚାଷ କରେ । କିନ୍ତୁ ତାହା କେବଳ ମୌସୁମୀରେ କାରଣ ବର୍ଷର ବାକି ସମୟରେ ପାଣିର ସୁବିଧା ନାହିଁ । ବିଦ୍ୟୁତ୍‌ ସଂଯୋଗର ସୁବିଧା ମଧ୍ୟ ନାହିଁ ।’’ ସେ ମଧ୍ୟ ଦିନକୁ ୧୫୦-୨୦୦ ଟଙ୍କା ମଜୁରୀରେ ଜଣେ କୃଷି ଶ୍ରମିକ ଭାବେ କାମ କରନ୍ତି । ସେ କହନ୍ତି,‘‘ଆମର ଦାବିଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ମନରେଗାରେ ଅଧିକ କାମ ସୃଷ୍ଟି କରାଯାଉ ଯାହା ଫଳରେ ଆମେ ନିୟମିତ ରୋଜଗାର ପାଇବୁ ।’’

ମୁମ୍ବାଇ ବିକ୍ଷୋଭରେ ଯୋଗଦେବାକୁ ଅତି କମ୍‌ରେ ୪ ଦିନ ପାଇଁ ଘରୁ ବାହାରେ ରହିବା ଫଳରେ, ସୁମନ ଦିନ ମଜୁରୀ ଭାବେ ୬୦୦-୮୦୦ ଟଙ୍କା ହରାଇ ସାରିଛନ୍ତି । ସେ ପଚାରନ୍ତି, ‘‘ଆମ ପାଖରେ ଆଉ କ’ଣ ବିକଳ୍ପ ଅଛି ?’’ ‘‘ଆମକୁ ଆମ ଅଧିକାର ପାଇଁ ଲଢ଼େଇ ଜାରି ରଖିବାକୁ ହେବ । ଆମ ଗାଁର ତାଲାଥୀ ମୋତେ କହିଆସିଛନ୍ତି ସେ ମୋର ଜମି ମାଲିକାନା ସାବ୍ୟସ୍ତ କରିଦେବେ, କିନ୍ତୁ ଆଜିଯାଏଁ କିଛି ହୋଇପାରିନାହିଁ । ମୋର ନିଜର ଗୋଟିଏ ଏକର ବି ଚାଷଜମି ନାହିଁ । ମୋର ପିଲା ନାହାନ୍ତି । ମୁଁ କେବଳ ଏତିକି କରିପାରିବି । ମୁଁ ପୁରା ଏକୁଟିଆ ।’’

କିନ୍ତୁ ୬୫ ବର୍ଷୀୟା ଲକ୍ଷ୍ମୀ ଗାଏକୱାଡ଼ଙ୍କର ଗୋଟିଏ ଏକର ଜମି ଅଛି, ଯଦିଓ ସେ ବହୁତ ଅଧିକ ଜମି ପାଇବାକୁ ଯୋଗ୍ୟ । ସେ କହନ୍ତି, ‘‘ଆମେ ୫ ଏକରରେ ଚାଷ କରିଆସୁଥିଲୁ, କିନ୍ତୁ ଆମେ ଯେଉଁଠାରେ ଚାଷ କରୁଥିଲୁ, ଜଙ୍ଗଲ ବିଭାଗ ତା’ଉପରେ ଚେକ୍‌ ଡ୍ୟାମ୍‌ ନିର୍ମାଣ କଲା । ସେଥିପାଇଁ ଆମେ ଦୁଇ ଏକର ଜମି ହରାଇଲୁ । ଏବଂ ଯେତେବେଳେ ସେମାନେ ମୋତେ ଜମି ମାଲିକାନା ଦେଲେ ମୁଁ କେବଳ ଗୋଟିଏ ଏକର ପାଇଲି।’’

୧୨ ବର୍ଷ ପୂର୍ବରୁ ଲକ୍ଷ୍ମୀଙ୍କର ସ୍ୱାମୀ ହରିରାମ ୫୫ ବର୍ଷ ବୟସରେ ପ୍ରାଣ ହରାଇଥିଲେ । ନିଜ ଜମିରୁ ପଥର ବାହାର କରିବା ବେଳେ ସେ ଅସହଜ ଅସୁସ୍ଥ ଅନୁଭବ କଲେ ଓ ଅଚେତ ହୋଇଗଲେ । ସେ କହନ୍ତି,‘‘ସେ ଆଉ ଉଠିଲେ ନାହିଁ ।’’ କିନ୍ତୁ ନିଜର ୩୨ ଓ ୨୭ ବର୍ଷୀୟ ଦୁଇ ପୁଅଙ୍କ ସାହାଯ୍ୟ କ୍ରମେ ପରିବାରର ଜମି ଅଧିକାର ପାଇଁ ଅଧିକାରୀଙ୍କ ସହ ଲକ୍ଷ୍ମୀ ଯୋଗାଯୋଗରେ ରହିପାରିଲେ ।

ଲକ୍ଷ୍ମୀ, ସୁମନ ଓ ଭୀମା କୋଲି ମହାଦେବ ଆଦିବାସୀ ସମ୍ପ୍ରଦାୟର । ୨୦୦୬ରେ ଜଙ୍ଗଲ ଅଧିକାର ଆଇନ ପାରିତ ହେବା ଦିନଠାରୁ ସେମାନେ ସେମାନଙ୍କର ଜମି ଅଧିକାର ଦାବି କରିଆସୁଛନ୍ତି । ସେମାନଙ୍କର ବିଶ୍ୱାସ ଯେ ଆଇନ ଲାଗୁ କରିବାରେ କରାଯାଇଥିବା ଅବହେଳା ଯୋଗୁଁ ତାଙ୍କ ସ୍ୱାମୀମାନେ ପ୍ରାଣ ହରାଇଲେ ।

ଜମି ଅଧିକାର ପାଇଁ ଦାବି ସେମାନଙ୍କର ମୁଖ୍ୟ ଚିନ୍ତା, କିନ୍ତୁ ତିନିଟି କୃଷି ଆଇନ ବିରୋଧରେ ଦିଲ୍ଲୀ ଆଖପାଖରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ପ୍ରତି ସମର୍ଥନ ଦେବା ପାଇଁ ବି ସେମାନେ ମୁମ୍ବାଇ ଆସିଛନ୍ତି । ସେମାନେ ଦେଖିପାରୁଛନ୍ତି ଯେ ଆଇନଗୁଡ଼ିକ ସମୟକ୍ରମେ ଭାରତର ସବୁ ଚାଷୀଙ୍କୁ ପ୍ରଭାବିତ କରିବ ।

Lakshmi Gaikwad (left) and the other protestors carried blankets to Mumbai to get through the nights under the open sky in Azad Maidan
PHOTO • Riya Behl
Lakshmi Gaikwad (left) and the other protestors carried blankets to Mumbai to get through the nights under the open sky in Azad Maidan
PHOTO • Riya Behl

ଲକ୍ଷ୍ମୀ ଗାଏକୱାଡ଼(ବାମ) ଏବଂ ଅନ୍ୟ ବିକ୍ଷୋଭକାରୀମାନେ ଆଜାଦ ମୈଦାନର ଖୋଲା ଆକାଶ ତଳେ ରାତି ବିତାଇବାକୁ ମୁମ୍ବାଇକୁ ସାଙ୍ଗରେ କମ୍ବଳ ନେଇ ଆସିଥିଲେ

ସେମାନେ ଖାଇବାକୁ ଭାକ୍‌ରୀ ଓ ଚଟ୍‌ନୀ, ଏବଂ ଆଜାଦ ମୈଦାନର ଖୋଲା ଆକାଶ ତଳେ ରାତିରେ କଟାଇବାକୁ ସାଙ୍ଗରେ ଗୋଟିଏ କମ୍ବଳ ନେଇ ଆସିଥିଲେ । ଖାଲିପାଦରେ ମାଟିର ତାତି ସହୁଥିବା ଭୀମା କହନ୍ତି,‘‘ସରକାର ଜାଣିବା ଉଚିତ ଯେ ଦେଶର ସବୁ ଭାଗରେ ଚାଷୀମାନେ ଏହି ଆଇନଗୁଡ଼ିକ ବିରୋଧରେ ଆନ୍ଦୋଳନ କରୁଛନ୍ତି ।’’

କୃଷକମାନେ ବିରୋଧ କରୁଥିବା ତିନିଟି ଆଇନ ହେଲା କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ୨୦୨୦ ଜୁନ୍‌ ୫ ତାରିଖରେ କୃଷି ଆଇନଗୁଡ଼ିକ ଅଧ୍ୟାଦେଶ ଆକାରରେ ପାରିତ ହେଲା, ତା’ପରେ ଫାର୍ମ ବିଲ୍‌ ଆକାରରେ ସଂସଦରେ ସେପ୍ଟେମ୍ବର ୧୪ରେ ଉପସ୍ଥାପିତ କରାଗଲା ଏବଂ ସେହି ମାସ ୨୦ ତାରିଖରେ ଆଇନରେ ପରିଣତ ହେଲା ।

କୃଷକମାନେ ଏହି ୩ଟି ଆଇନକୁ ସେମାନଙ୍କ ଜୀବିକା ବିପର୍ଯ୍ୟସ୍ତ କରିଦେବା ଭଳି ଆଇନ ଭାବେ ଦେଖୁଛନ୍ତି କାରଣ ଏହାଦ୍ୱାରା ବଡ଼ ବ୍ୟାବସାୟିକ ସଂସ୍ଥା ଗୁଡ଼ିକର କୃଷକ ଓ କୃଷି କ୍ଷେତ୍ର ଉପରେ ଆହୁରି ଅଧିକ କ୍ଷମତା ଦଖଲ ପାଇଁ ପଥ ପ୍ରସାରିତ କରିବ ବୋଲି ସେମାନେ ଭାବୁଛନ୍ତି । ଏହି ଆଇନଗୁଡ଼ିକ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି), କୃଷି ଉତ୍ପାଦ ବଜାର କମିଟି (ଏପିଏମ୍‌ସି), ରାଜ୍ୟର ଫସଲ କ୍ରୟ ଏବଂ ଏହିଭଳି ଉତ୍ପାଦକଙ୍କୁ ସହାୟତା କରୁଥିବା ମୁଖ୍ୟ ନିୟମକୁ ମଧ୍ୟ ଉପେକ୍ଷା କରୁଛି । ଏହି ଆଇନ ଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି

ଦିଲ୍ଲୀ ଆଖପାଖରେ ଚାଲୁଥିବା ଆନ୍ଦୋଳନରେ ପଞ୍ଜାବ ଓ ହରିୟାଣାରୁ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେଇଛନ୍ତି, କାରଣ ଏହି ଦୁଇଟି ରାଜ୍ୟ ଧାନ ଓ ଗହମର ସର୍ବାଧିକ ଉତ୍ପାଦନକାରୀ, ଯାହା ରାଜ୍ୟ ସରକାରଙ୍କ ସଂସ୍ଥାଗୁଡ଼ିକ ଦ୍ୱାରା ଏମ୍‌ଏସ୍‌ପିରେ କିଣାଯାଏ

କିନ୍ତୁ ଆଜାଦ୍‌ ମୈଦାନରେ ଚାଷୀମାନେ ଏକଜୁଟ ହେବା ଦର୍ଶାଉଛି ଯେ ଏହି ଆନ୍ଦୋଳନ ବଡ଼ କୃଷି ସମୁଦାୟଙ୍କ ପାଇଁ ବି ଉଦ୍ଦିଷ୍ଟ । ଲକ୍ଷ୍ମୀ କହନ୍ତି,‘‘ଏହା (ଆଇନ ଗୁଡ଼ିକ) ଆମକୁ ସିଧାସଳଖ ପ୍ରଭାବିତ କରିନପାରେ କିନ୍ତୁ ଯଦି ଏହା ଦେଶର ଚାଷୀଙ୍କୁ ଆଘାତ ଦିଏ ତେବେ ଏହା ଆମକୁ ମଧ୍ୟ ଏବେ ବା ପରେ ପ୍ରଭାବିତ କରିବ ।’’ ଆମେ ସମସ୍ତେ କୃଷି ଶ୍ରମିକ ଭାବେ କାମ କରୁ । ଯଦି ଚାଷୀମାନେ ଆମକୁ କାମ ଦେବାରେ ଅକ୍ଷମ ହେବେ, ଆମେ କେଉଁଠାରୁ ରୋଜଗାର କରିବୁ ? ମୋଦି ସରକାର ତିନିଟି କୃଷି ଆଇନ ପ୍ରତ୍ୟାହାର କରିନେବା ଉଚିତ । ଆମେ ବିଶ୍ୱାସ କରୁନାହୁଁ ଯେ ବଡ଼ କମ୍ପାନୀଗୁଡ଼ିକ ଆମ ସହ ଠିକ୍‌ ବ୍ୟବହାର କରିବେ।’’

ସୁମନ କହିଲେ, ଯଦି ସରକାର ପ୍ରକୃତରେ ଚାଷୀଙ୍କର ସ୍ଥିତିରେ ଉନ୍ନତି ଚାହୁଁଥାଆନ୍ତେ ଏବଂ ଘରୋଇ କମ୍ପାନୀ ଗୁ଼ଡ଼ିକୁ ସମର୍ଥନ କରୁନଥାନ୍ତେ, ତେବେ ଆଦିବାସୀ ଚାଷୀଙ୍କୁ ସେମାନଙ୍କ ଜମି ଅଧିକାର ପାଇବା ସେତେ କଷ୍ଟକର ହେଉନଥାନ୍ତା । ସେ ଆହୁରି କହିଲେ,‘‘୨୦୧୮ରେ ଗୋଟିଏ ସପ୍ତାହ ଧରି ଆମେ ନାସିକରୁ ମୁମ୍ବାଇ ପଦଯାତ୍ରା କଲୁ । ଆମ ଭିତରୁ କେତେକ ଦିଲ୍ଲୀ ମଧ୍ୟ ଗଲେ । ଆମ ଲୋକେ ସେହି ଜମିରେ କାମ କରି ତା’ ଉପରେ ଜୀବନ ବି ହାରିଲେ, ତଥାପି ଆମେ ଚାଷ କରୁଥିବା ଜମିର ଆମେ ମାଲିକ ନୁହଁ।’’

ଅନୁବାଦ - ଓଡ଼ିଶାଲାଇଭ୍‍

Reporter : Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Photographer : Riya Behl

Riya Behl is a Content Coordinator at the People’s Archive of Rural India.

Other stories by Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE