ଲକ୍ଷିମା ଦେବୀ ଏହି ଘଟଣାର ସଠିକ୍‌ ତାରିଖ ମନେ ପକାଇ ପାରୁନାହାନ୍ତି, ହେଲେ, ସେହି ଶୀତ ରାତିର ଅନୁଭୂତି ତାଙ୍କ ମନରେ ଏବେ ମଧ୍ୟ ସତେଜ ଅଛି । “ଗହମ ଫସଲ ଆଣ୍ଠୁଏ ଉଚ୍ଚ ହୋଇଯାଇଥିଲା, ଯେତେବେଳେ ତାଙ୍କର ପାଣି ଫାଟିଗଲା ଓ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଏହା ନିଶ୍ଚିତ ଭାବେ ଡିସେମ୍ବର କିମ୍ବା ଜାନୁୟାରୀ ହୋଇଥିବ (୨୦୧୮-୧୯),” ବୋଲି ସେ କୁହନ୍ତି ।

ବରଗାଓଁ ବ୍ଲକ୍‌ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ତାଙ୍କ ପରିବାର ଏକ ଅଟୋ ଭଡ଼ାରେ ନେଲେ । ଉତ୍ତର ପ୍ରଦେଶର ବାରଣାସୀ ଜିଲ୍ଲାରେ ସେମାନଙ୍କ ଗ୍ରାମ ଅଶ୍ୱରୀଠାରୁ ପିଏଚ୍‌ସି ଛଅ କିଲୋମିଟର୍‌ ଦୂରରେ ଅବସ୍ଥିତ । “ପିଏଚସିରେ ପହଞ୍ଚିବାବେଳକୁ ମୋତେ ଅସହ୍ୟ ଯନ୍ତ୍ରଣା ହେଉଥିଲା,” ବୋଲି ଅତୀତ କଥା ମନେପକାଇ ୩୦ବର୍ଷ ବୟସ୍କ ଲକ୍ଷିମା କୁହନ୍ତି । ୫ ରୁ ୧୧ ବର୍ଷ ବୟସ ମଧ୍ୟରେ ଥିବା ତାଙ୍କର ତିନି ସନ୍ତାନ, ରେଣୁ, ରାଜୁ ଆଉ ରେଶମ ଘରେ ଥିଲେ । “ଡାକ୍ତରଖାନାର କର୍ମଚାରୀମାନେ ମୋତେ ଭର୍ତ୍ତି କରିବାକୁ ମନା କରିଦେଲେ। ସେ କହିଲେ ଯେ ମୁଁ ଗର୍ଭବତୀ ନଥିଲି ଆଉ ଏକ ରୋଗ କାରଣରୁ ମୋର ପେଟ ଫୁଲି ଯାଇଛି।”

ଲକ୍ଷିମାଙ୍କ ଶାଶୁ, ହୀରାମଣି, ତାଙ୍କୁ ଭର୍ତ୍ତି କରାଇବା ପାଇଁ କର୍ମଚାରୀମାନଙ୍କୁ ନେହୁରା ହେଲେ, କିନ୍ତୁ ପିଏଚ୍‌ସିର କର୍ମଚାରୀମାନେ ମନା କରିଦେଲେ। ଶେଷରେ, ହୀରାମଣି ସେମାନଙ୍କୁ କହିଲେ ଯେ ସେ ସେଇଠାରେ ହିଁ ଲକ୍ଷିମାଙ୍କୁ ଶିଶୁ ଜନ୍ମ କରିବାରେ ସାହାଯ୍ୟ କରିବେ। “ମୋର ସ୍ୱାମୀ ମୋତେ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଏକ ଅଟୋ ଖୋଜୁଥିଲେ,” ବୋଲି ଲକ୍ଷିମା କୁହନ୍ତି। “ହେଲେ, ସେତେବେଳକୁ ଆଉ କୁଆଡ଼େ ଘୁଞ୍ଚିବାକୁ ମୋର ବଳ ନଥିଲା। ମୁଁ ପିଏଚ୍‌ସି ବାହାରେ ଗୋଟିଏ ଗଛ ତେଳେ ବସି ରହିଲି।”

ଷାଠିଏ ବର୍ଷ ବୟସ୍କ ହୀରାମଣି ତାଙ୍କ ହାତ ଧରି ତାଙ୍କ ପାଖରେ ବସିଥିଲେ ଆଉ ତାଙ୍କୁ ଦୀର୍ଘ ଶ୍ୱାସ ନେବାକୁ କହୁଥିଲେ । ପ୍ରାୟ ଏକ ଘଣ୍ଟା ପରେ, ମଧ୍ୟ ରାତ୍ରି ପାଖାପାଖି ସେ ପ୍ରସବ କଲେ । ତାହା ଏକ ଘନ ଅନ୍ଧକାର ଓ ଜାଡ଼ ରାତ୍ରି ଥିଲା ବୋଲି ଲକ୍ଷିମା ମନେପକାନ୍ତି ।

Lakshima with her infant son Amar, and daughters Resham (in red) and Renu. She remembers the pain of losing a child three years ago, when the staff of a primary health centre refused to admit her
PHOTO • Parth M.N.

ଲକ୍ଷିମା ତାଙ୍କର ଶିଶୁ ପୁତ୍ର ଅମର ଓ ଝିଅ ରେଶମ (ନାଲି ରଙ୍ଗରେ) ଓ ରେଣୁ ସହିତ । ସେ ତିନିବର୍ଷ ପୂର୍ବେ ତାଙ୍କର ଏକ ପିଲାକୁ ହରାଇଥିବାର ଯନ୍ତ୍ରଣା କଥା ମନେପକାନ୍ତି, ଯେତେବେଳେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତାଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲା

ପିଲାଟି ବଞ୍ଚି ପାରିଲାନି। ଲକ୍ଷିମା ଏତେ କ୍ଳାନ୍ତ ହୋଇ ଯାଇଥିଲେ ଯେ ସେ ଏସବୁ କିଛି ବୁଝିବାକୁ ସମର୍ଥ ହୋଇପାରି ନଥିଲେ। “ପିଏଚସିର କର୍ମଚାରୀମାନେ ମୋତେ ଏହା ପରେ ଭିତରକୁ ନେଇଯାଇଥିଲେ ଆଉ ପରବର୍ତ୍ତୀ ଦିନ ମୋତେ ଡିସଚାର୍ଜ କରିଥିଲେ, ବୋଲି ସେହି ରାତିରେ ସେ କେତେ ଦୁର୍ବଳ ଓ କ୍ଳାନ୍ତ ହୋଇଯାଇଥିଲେ, ସେ କଥା ମନେପକାଇ କୁହନ୍ତି। “ମୋର ଆବଶ୍ୟକତା ସମୟରେ ଯଦି ସେମାନେ ଧ୍ୟାନ ଦେଇଥାନ୍ତେ, ତେବେ ମୋର ଶିଶୁ ବଞ୍ଚିଥାନ୍ତେ।”

ଲକ୍ଷିମା ହେଉଛନ୍ତି ମୁସାହର ସମ୍ପ୍ରଦାୟର। ଉତ୍ତର ପ୍ରଦେଶର ସର୍ବାଧିକ ଅବହେଳିତ ଓ ଦରିଦ୍ର ଦଳିତ ଗୋଷ୍ଠୀ ମଧ୍ୟରୁ ଗୋଟିଏ। ଏହି ମୁସାହରମାନଙ୍କୁ ତୀବ୍ର ସାମାଜିକ ଭେଦଭାବର ସମ୍ମୁଖୀନ ହେବାକୁ ପଡ଼ିଥାଏ। “ଯେତେବେଳେ ଆମ ଭଳି ଲୋକମାନେ ଡାକ୍ତରଖାନାକୁ ଯାଇଥାନ୍ତି, ସେମାନଙ୍କ ସହିତ ଭଲ ବ୍ୟବହାର କରାଯାଏନାହିଁ।”

ସେହି ରାତ୍ରିରେ ଯେଉଁଭାବେ ତାଙ୍କର ଚିକିତ୍ସା ହୋଇଥିଲା ବା ଯାହା ସେ ପାଇନଥିଲେ, ତାହା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ କିମ୍ବା ସେ ଏପରି ପରିସ୍ଥିତିର ଶିକାର ହୋଇଥିବା ପ୍ରଥମ ବ୍ୟକ୍ତି ମଧ୍ୟ ନୁହନ୍ତି।

ଅଶ୍ୱରୀଠାରୁ କିଛି କିଲୋମିଟର ଦୂରରେ ଅବସ୍ଥିତ ଦାଲ୍ଲୀପୁରର ଏକ ମୁସହର ବସ୍ତିର ୩୬-ବର୍ଷ-ବୟସ୍କ ନିର୍ମଳା ଏହି ଭେଦଭାବ କିଭଳି କାମ କରିଥାଏ, ସେ ବିଷୟରେ ବର୍ଣ୍ଣନା କରନ୍ତି। “ଆମେମାନେ ଯେତେବେଳେ ଡାକ୍ତରଖାନାରେ ପହଞ୍ଚୁ, ସେମାନେ ଆମକୁ ଗ୍ରହଣ କରିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି,” ବୋଲି ସେ କୁହନ୍ତି। “କର୍ମଚାରୀମାନେ ଆବଶ୍ୟକତା ନଥିଲେ ମଧ୍ୟ ଅଯଥାରେ ଟଙ୍କା ମାଗିଥାନ୍ତି। ସେମାନେ ଆମକୁ ସେ ଭିତରକୁ ପ୍ରବେଶ କରିବାକୁ ହତୋତ୍ସାହିତ କରିବା ପାଇଁ ଯାହା ସମ୍ଭବ ହୁଏ ସେ ସବୁକିଛି କରନ୍ତି।” ଯଦି ଆମେ ଭିତରକୁ ଚାଲିଯାଉ, ତାହାହେଲେ ସେମାନେ ଆମକୁ ଚଟାଣ
ଉପରେ ବସିବାକୁ କୁହନ୍ତି। ଅନ୍ୟମାନଙ୍କ ପାଇଁ ସେମାନେ ଚୌକି ଆଣିଦିଅନ୍ତି ଆଉ ସେମାନଙ୍କ ସହିତ ସମ୍ମାନ ଦେଖାଇ କଥା ହୁଅନ୍ତି।

ମୁସହର ମହିଳାମାନେ ଏହି କାରଣରୁ ଡାକ୍ତରଖାନାକୁ ଯିବାକୁ କୁଣ୍ଠା ପ୍ରକାଶ କରିଥାନ୍ତି ବୋଲି ବାରଣାସୀର ପିପୁଲସ ଭିଜିଲାନ୍ସ କମିଟି ଅନ ହ୍ୟୁମାନ୍‌ ରାଇଟସ୍‌ର ୪୨ବର୍ଷ ବୟସ୍କ ସମାଜସେବୀ ମଙ୍ଗଳା ରାଜଭର କୁହନ୍ତି। “ଡାକ୍ତରଖାନାକୁ ଯିବାକୁ ଆମକୁ ସେମାନଙ୍କୁ ବୁଝାବୁଝି କରି ରାଜି କରାଇବାକୁ ପଡ଼ିଥାଏ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୃହରେ ଶିଶୁଙ୍କୁ ପ୍ରସବ କରିବାକୁ ଉଚିତ୍‌ ମନେ କରିଥାନ୍ତି” ବୋଲି ସେ କୁହନ୍ତି।

Mangla Rajbhar, an activist in Baragaon block, has been trying to convince Musahar women to seek medical help in hospitals
PHOTO • Parth M.N.

ମଙ୍ଗଳା ରାଜ୍‌ଭର୍‌, ବରଗାଓଁ ବ୍ଲକ୍‌ର ଜଣେ ସମାଜସେବୀ, ମୁସାହର ମହିଳାମାନଙ୍କୁ ଡାକ୍ତରଖାନାକୁ ଯାଇ ଡାକ୍ତରୀ ସହାୟତା ନେବାକୁ ରାଜି କରାଇବାକୁ ଚେଷ୍ଟା କରି ଆସୁଛନ୍ତି

NFHS-5 ମୁତାବକ, ୟୁପିର ପ୍ରାୟ ୮୧ ପ୍ରତିଶତ ଦଳିତ ମହିଳା କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରିବାକୁ ଚାହାନ୍ତି – ଯାହା ରାଜ୍ୟର ମୋଟ ସଂଖ୍ୟା ଠାରୁ ୨.୪ ପ୍ରତିଶତ କମ୍‌ । ଏହା ବୋଧହୁଏ ନବଜାତକଙ୍କ ମୃତ୍ୟୁ ହାରର ଏକ କାରଣ ଅଟେ. ଯାହା ଦଳିତମାନଙ୍କ ମଧ୍ୟରେ ସର୍ବାଧିକ ଅଟେ

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ-୫ ମୁତାବକ ୟୁପିର ପ୍ରାୟ ୮୧ ପ୍ରତିଶତ ଦଳିତ ମହିଳା କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରିବାକୁ ଚାହାନ୍ତି – ଯାହା ରାଜ୍ୟର ମୋଟ ସଂଖ୍ୟ ଠାରୁ ୨.୪ ପ୍ରତିଶତ କମ୍‌ । ଏହା ବୋଧହୁଏ ଜନ୍ମଠାରୁ ୨୮ ଦିନ ମଧ୍ୟରେ ହେଉଥିବା ନବଜାତକଙ୍କ ମୃତ୍ୟୁ ହାରର ଏକ କାରଣ  – ରାଜ୍ୟର ହାର (୩୫.୭) ତୁଳନାରେ ଦଳିତମାନଙ୍କ ମଧ୍ୟରେ ଏହା ସର୍ବାଧିକ ଅଟେ (୪୧.୬)।

ରାଜ୍‌ବାହାର୍‌ ଜାନୁୟାରୀ ୨୦୨୨ରେ କରିଥିବା ଏକ ସର୍ବେକ୍ଷଣରେ ଜଣାପଡ଼ିଛି ଯେ ବରଗାଓଁ ବ୍ଲକ୍‌ର ସାତଟି ମୁସାହର ବସ୍ତିରେ ଜନ୍ମ ହୋଇଥିବା ୬୪ଜଣ ଶିଶୁଙ୍କ ମଧ୍ୟରୁ ୩୫ଜଣଙ୍କ ଜନ୍ମ ଗୃହରେ ହୋଇଛି ।

ଲକ୍ଷିମା ମଧ୍ୟ ଏହି ବିକଳ୍ପ ବାଛିଥିଲେ, ଯେତେବେଳେ ସେ ୨୦୨୦ରେ ପୁଅ କିରଣକୁ ଜନ୍ମ ଦେଇଥିଲେ । “ପୂର୍ବରୁ ଯାହା ଘଟିଥିଲା ତାହା ମୁଁ ଭୂଲି ପାରିନଥିଲି । ସେଠାକୁ (ପିଏଚ୍‌ସିକୁ) ପୁଣି ଫେରିଯିବାର ପ୍ରଶ୍ନ ଉଠୁନଥିଲା,” ବୋଲି ସେ କୁହନ୍ତି। ଏଣୁ ମୁଁ ଜଣେ ଆଶା କର୍ମୀଙ୍କୁ ୫୦୦ଟଙ୍କା ପ୍ରାପ୍ୟ ପ୍ରଦାନ କଲି। ସେ ଘରକୁ ଆସିଲେ ଆଉ ମୋର ପ୍ରସବରେ ମୋତେ ସହାଯ୍ୟ କଲେ । ସେ ମଧ୍ୟ ଜଣେ ଦଳିତ ଥିଲେ ।”

ତାଙ୍କ ଭଳି ରାଜ୍ୟର ଆହୁରି ଅନେକ ଡାକ୍ତରଖାନା ବା ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀଙ୍କ ଦ୍ୱାରା ଭେଦଭାବ କରାଯାଉଥିବା ଅନୁଭବ କରୁଛନ୍ତି । ନଭେମ୍ବର ୨୦୨୧ରେ, ଅକ୍ସଫାମ୍‌ ଇଣ୍ଡିଆ ଦ୍ୱାରା ରୋଗୀମାନଙ୍କ ଅଧିକାର ଉପରେ କରାଯାଇଥିବା ଏକ ରାପିଡ୍‌ ସର୍ଭେରେ ଜଣାପଡିଛି ଯେ ୟୁପିରେ ପ୍ରତିକ୍ରିୟା ପ୍ରଦାନ କରିଥିବା ୪୭୦ ବ୍ୟକ୍ତିଙ୍କ ମଧ୍ୟରୁ ୫୨.୪୪ ପ୍ରତିଶତ ଆର୍ଥିକ ସ୍ଥିତି ଆଧାରରେ ଭେଦଭାବର ଶିକାର ହେଉଥିବା ଅନୁଭବ କରିଛନ୍ତି । ପ୍ରାୟ ୧୪, ୩୪ ପ୍ରତିଶତ ସେମାନଙ୍କ ଧର୍ମ କାରଣରୁ ଓ ୧୮.୬୮ ପ୍ରତିଶତ ସେମାନଙ୍କ ଜାତି କାରଣରୁ ଭେଦଭାବର ଶିକାର ହେଉଥିବା ଭାବନ୍ତି ।

ଏହି ପକ୍ଷପାତିତାର ପରିଣତି ଅତି ଉଦ୍‌ବେଗଜନକ ହୋଇପାରେ, ବିଶେଷକରି ଏପରି ଏକ ରାଜ୍ୟରେ ସ୍ୱାସ୍ଥ୍ୟଗତ ନ୍ୟାୟ ସୁନିଶ୍ଚିତ କରିବା ଯେଉଁଠାରେ ୨୦.୭ ଦଳିତ ଜାତିର ଓ ୧୯.୩ ପ୍ରତିଶତ ମୁସଲ୍‌ମାନ ଅଟନ୍ତି (ସେନ୍‌ସସ୍‌ ୨୦୧୧) ।

ବୋଧହୁଏ ଏହି କାରଣରୁ ଯେତେବେଳେ ୟୁପିରେ କୋଭିଡ୍‌-୧୯ ଏହାର କାୟା ବିସ୍ତାର କଲା, ଅନେକ କରୋନା ଭୂତାଣୁ ପାଇଁ ଟେଷ୍ଟ କରାଇଲେ ନାହିଁ । “ଗତବର୍ଷ ଆମ ଭିତରୁ ଅନେକ ବେମାର ପଡ଼ିଥିଲେ, ହେଲେ, ଆମେ ଘର ଭିତରେ ରହିଥିଲୁ,” ବୋଲି ନିର୍ମଳା ୨୦୨୧ର ମହାମାରୀର ଦ୍ୱିତୀୟ ଲହର କଥା ମନେପକାଇ କୁହନ୍ତି । “ଭୂତାଣୁକୁ ଭୟକରି କାଳ କାଟୁଥିବା ଜଣେ ମଣିଷ ପୁଣିଥରେ ଅପମାନିତ ହେବାକୁ କାହିଁକି ଚାହିଁବ?”

Salimun at home in Amdhha Charanpur village. She says she has faced humiliating experiences while visiting health facilities
PHOTO • Parth M.N.

ସାଲିମୁନ ଅମଦ୍ଧା ଚରଣପୁର ଗ୍ରାମରେ ତାଙ୍କ ଘରେ ଅଛନ୍ତି । ସେ କୁହନ୍ତି ଯେ ସ୍ୱାସ୍ଥ୍ୟ କେନ୍ଦ୍ରଗୁ ଡ଼ି କୁ ଯାଇ ସେ ଅପମାନଜନକ ସ୍ଥିତିର ସମ୍ମୁଖିନ ହୋଇଛନ୍ତି

ହେଲେ, ଚନ୍ଦୌଲି ଜିଲ୍ଲାର ଅମଦ୍ଧା ଚରଣପୁର ଗ୍ରାମରେ, ମାର୍ଚ୍ଚ ୨୦୨୧ରେ ଯେତେବେଳେ ୫୫ ବର୍ଷର ସାଲିମୁନ ବେମାର ପଡ଼ିଲେ, ସେ ଘରେ ରହିବାକୁ ଉଚିତ୍‌ ମନେ କଲେ ନାହିଁ । “ତାଙ୍କୁ ଟାଇଫଏଡ୍‌ ହୋଇଥିଲା,”ବୋଲି ସେ କୁହନ୍ତି । “ହେଲେ, ମୁଁ ଯେତେବେଳେ ପାଥଲୋଜି ଲ୍ୟାବ୍‌କୁ ଗଲି, ସେଠାରେ ଥିବା ବ୍ୟକ୍ତିଜଣକ ମୋର ରକ୍ତର ନମୁନା ସଂଗ୍ରହ କରିବା ପାଇଁ ଛୁଞ୍ଚି ଫୋଡ଼ିବାବେଳେ ମୋ ଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରୁଥିଲେ । ସେ ତାଙ୍କ ହାତଗୁଡ଼ିକୁ ଯଥାସମ୍ଭବ ଆଗକୁ ପ୍ରସାରିତ କରୁଥିଲେ। ଏହା ପୂର୍ବରୁ ଆପଣଙ୍କ ଭଳି ଅନେକଙ୍କୁ ଦେଖିଛି ବୋଲି ମୁଁ ତାଙ୍କୁ କହିଥିଲି।”

ସାଲିମୁନ ଲ୍ୟାବ୍‌ ଆସିଷ୍ଟାଣ୍ଟଙ୍କର ଆଚରଣ ସହିତ ପରିଚିତ ଥିଲେ। ମୁଁ ଜଣେ ମୁସଲ୍‌ମାନ ହୋଇଥିବାରୁ “ଏହା ତଗ୍‌ଲବି ଜମାତ୍‌ ଘଟଣା କାରଣରୁ ଘଟିଛି,” ବୋଲି ସେ ମାର୍ଚ୍ଚ ୨୦୨୦ର କାର୍ଯ୍ୟକ୍ରମକୁ ଇଙ୍ଗିତ କରି କହିଲେ। ସେହି ସମୟରେ ଧାର୍ମିକ ଗୋଷ୍ଠୀଗୁଡ଼ିକର ସଦସ୍ୟମାନେ, ଦିଲ୍ଲୀରେ ନିଜାମୁଦ୍ଦିନ୍ ମାର୍କଜରେ ଆୟୋଜିତ ଏକ ସଭାରେ ଯୋଗ ଦେବାପାଇଁ ଏକତ୍ରିତ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରୁ ଶହ ଶହ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଆଉ ସେହି କୋଠାକୁ ହଟ୍‌ ସ୍ପଟ୍‌ ବୋଲି ଘୋଷଣା କରାଯାଇଥିଲା। ପରେ ପରେ ମୁସଲ୍‌ମାନମାନଙ୍କ ବିରୋଧରେ ଅପପ୍ରଚାର କରାଯାଇ ଏହି ଭୂତାଣୁର ବିସ୍ତାର ପାଇଁ ସେମାନଙ୍କୁ ଦାୟୀ କରାଯାଇଥିଲା । ଏହି କାରଣରୁ ୟୁପି ଓ ସମଗ୍ର ଦେଶରେ ମୁସଲ୍‌ମାନ୍‌ମାନଙ୍କୁ ଅନେକ ଅପମାନଜନକ ପିରିସ୍ଥିତିର ସାମନା କରିବାକୁ ପଡ଼ିଥିଲ ।

ଚିକିତ୍ସାରେ ଏହିପରି ପକ୍ଷପାତକୁ ନିବାରଣ କରିବାକୁ ୪୩ ବର୍ଷ ବୟସ୍କ ସମାଜସେବୀ ନିତୁ ସିଂ ସେ ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ପରିଦର୍ଶନରେ ଯାଆନ୍ତି, ସେଗୁଡ଼ିକ ଭିତରେ ନିଶ୍ଚିତଭାବେ ବୁଲି ଆସନ୍ତି। “ଫଳରେ କର୍ମଚାରୀମାନେ ଜାଣିପାରିବେ ଯେ ମୁଁ ଆଖପାଖରେ ଅଛି, ଆଉ ସେମାନେ ରୋଗୀର ବର୍ଗ, ଜାତି ଆଉ ଧର୍ମ ନିର୍ବିଶେଷରେ ସମସ୍ତଙ୍କର ଚିକିତ୍ସା ସମଭାବେ କରିବେ,” ବୋଲି ସେ ବର୍ଣ୍ଣନା କରି କୁହନ୍ତି । “ଅନ୍ୟଥା, ସେଠାରେ ଭେଦଭାବର ସ୍ଥିତି ଅତ୍ୟନ୍ତ ଉତ୍କଟ ରହିଥିବା ସହଯୋଗ ଏନ୍‌ଜିଓ ସହିତ କାମ କରୁଥିବା ସିଂ କୁହନ୍ତି । ସେ ନୂଆଗଡ଼ ବ୍ଲକ୍‌ ରେ, ଯେଉଁଠାରେ ଅମଦ୍ଧା ଚରଣପୁର ଅବସ୍ଥିତ, ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ କାମ କରନ୍ତି ।

ସାଲିମୁନ୍‌ ତାଙ୍କର ଆହୁରି ଅନେକ ଅନୁଭବ ବିଷୟରେ କୁହନ୍ତି । ୨୦୨୧ ଫେବୃଆରୀରେ ପିଲା ଜନ୍ମ କରିବାବେଳେ ତାଙ୍କ ବୋହୁଙ୍କଠାରେ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । “ରକ୍ତ ସ୍ରାବ ବନ୍ଦ ହେଲାନାହିଁ। ସେ ଦୁର୍ବଳ ହୋଇଗଲେ,” ବୋଲି ସାଲିମୁନ୍‌ କୁହନ୍ତି । “ଏଣୁ ପିଏଚ୍‌ସିର ଷ୍ଟାଫ୍‌ ନର୍ସ ଆମକୁ ତାଙ୍କୁ ନୂଆଗଡ଼ ଟାଉନ୍‌ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯିବାକୁ କହିଲେ।’’

ନୂଆଗଡ଼ ପିଏଚ୍‌ସିରେ, ତାଙ୍କୁ ପରୀକ୍ଷା କରୁଥିବା ଜଣେ ସହାୟକ ନର୍ସ ଧାଇ ତାଙ୍କର ଗୋଟିଏ ଷ୍ଟିଚ୍‌ ନଷ୍ଟ କରିଦେଲେ। “ମୁଁ ଯନ୍ତ୍ରଣାରେ ଚିତ୍କାର କରିବାକୁ ଆରମ୍ଭ କଲି, ବୋଲି ସାମ୍‌ସୁନିସା କୁହନ୍ତି । “ସେ ମୋତେ ଚାପୁଡା ମାରିବା ପାଇଁ ତାଙ୍କ ହାତ ଉଠାଇଥିଲେ, ହେଲେ, ମୋର ଶାଶୁ ତାଙ୍କ ହାତ ଧରିଦେଲେ ଆଉ ତାଙ୍କୁ ଅଟକାଇ ଦେଲେ ।

ପିଏଚ୍‌ସିର କର୍ମଚାରୀମାନେ ତାଙ୍କର ଚିକିତ୍ସା କିରବାକୁ ମନା କରିଦେଲେ ଆଉ ଅନ୍ୟ ଏକ ଡାକ୍ତରଖାନାକୁ ଯିବାକୁ ତାଙ୍କ ପରିବାରକୁ କହିଲେ ।  “ଆମେ ନୂଆଗଡ଼ରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ଗଲୁ ଯେଉଁଠାରେ ଆମକୁ ବାରଣାସୀ ଯିବାକୁ କୁହାଗଲା,” ବୋଲି ସାଲିମୁନ୍‌ କୁହନ୍ତି । “ତାକୁ ନେଇ ମୋର ଚିନ୍ତା ବଢ଼ିବାରେ ଲାଗିଥିଲା । ତା’ର ରକ୍ତ ସ୍ରାବ ବନ୍ଦ ହେଉନଥିଲା ଆଉ ପିଲା ଜନ୍ମ ହେବାପରେ ଗୋଟିଏ ଦିନ ପର୍ଯ୍ୟନ୍ତ ମୁଁ ତା’ର ଚିକିତ୍ସା କରି ପାରିନଥିଲି।’’

Neetu Singh, an activist in Naugarh block, says that discrimination is rampant in hospitals
PHOTO • Parth M.N.

ନିତୁ ସିଂ, ନୂଆଗ ର ଜଣେ ସମାଜସେବୀ, କୁହନ୍ତି ଯେ ଡାକ୍ତରଖାନାଗୁ ଡ଼ି କରେ ଭେଦଭାବ ଅତ୍ୟନ୍ତ ପ୍ରଚ୍ଛନ୍ନ ଅଟେ

ଗୋଟିଏ ଦିନରେ ପରିବାର ଡାଲି ଆଉ ଭାତ ରାନ୍ଧିବା ବନ୍ଦ କରିଦେଲା । 'ଭାତ ଆଉ ରୁଟି ପାଇଁ ମଧ୍ୟ ସେଭଳି କରାହେଲା,' ବୋଲି ସାଲିମୁନ୍‌ କୁହନ୍ତି । ରୁଟି କମ୍ବା ଭାତ । ସମସ୍ତଙ୍କର ପରିସ୍ଥିତି ଏପରି ଥିଲା । 'ଅଧିକାଂଶ ଲୋକଙ୍କୁ ଯେକୌଣସି ପ୍ରକାରେ ବଞ୍ଚି ରହିବା ପାଇଁ ଅନ୍ୟଠାରୁ ଧାରକରଜ କରିବାକୁ ପଡୁଥିଲା'

ଶେଷରେ, ନୂଆଗଡ଼ରେ ଅନ୍ୟ ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଗଲା। “ସେଠାରେ କିଛି କର୍ମଚାରୀ ମୁସଲ୍‌ମାନ ଥିଲେ। ସେମାନେ ଆମକୁ ଆଶ୍ୱସ୍ତ କଲେ, ଆଉ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଡାକ୍ତର ତାଙ୍କର ଚିକିତ୍ସା କଲେ,” ବୋଲି ସାଲିମୁନ୍‌ କୁହନ୍ତି ।

ଏକ ସପ୍ତାହ ପରେ ସାମ୍‌ସୁନିସା ଯେତେବେଳେ ଡିସ୍‌ଚାର୍ଜ ହେଲେ, ସେତେବେଳେ ତାଙ୍କର ଚିକିତ୍ସା ବ୍ୟୟ ୩୫, ୦୦୦ଟଙ୍କାରୁ ଅଧିକ ହୋଇଯାଇଥିଲା । “ଆମେ ୧୬,୦୦୦ଟଙ୍କାରେ ଆମର କେତେକ ଛେଳି ବିକ୍ରି କରିଦେଲୁ, ” ବୋଲି ସାଲିମୁନ୍‌ କୁହନ୍ତି । “ଯଦି ଏହିପରି ତରବରିଆଭାବେ ଆମେ ବିକ୍ରି କରି ନଥାନ୍ତୁ ତାହାହେଲେ ଆମେ ସେଗୁଡ଼ିକ ବାବଦକୁ ୩୦,୦୦୦ ଟଙ୍କା ପାଇଥାନ୍ତୁ । ମୋର ପୁଅ ଫାରୁକ୍‌ କିଛି ଟଙ୍କା ସଞ୍ଚୟ କରିଥିଲା, ଯେଉଁଥିରେ ବାକି ସବୁ ବ୍ୟୟ ସମ୍ଭାଳିବାକୁ ସମର୍ଥ ହୋଇପାରିଲୁ।

ସାମ୍‌ସୁନିସାଙ୍କ ସ୍ୱାମୀ ଫାରୁକ୍‌,୨୫, ଜଣେ ଶ୍ରମିକ ଭାବେ ପଞ୍ଜାବରେ କାମ କରନ୍ତି । ତାଙ୍କର ତିନି ଛୋଟ ଭାଇ ମଧ୍ୟ ଏହି କାମ କରନ୍ତି । ସେମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବହୁତ ସଂଘର୍ଷ କରନ୍ତି ଆଉ ଘରକୁ କିଛି ଟଙ୍କା ପଠାନ୍ତି । “ସେ (ଫାରୁକ୍‌) ତାଙ୍କ ସନ୍ତାନ ଗୁର୍‌ଫାନଙ୍କ ସହିତ ମଧ୍ୟ ବହୁତ ସମୟ ବିତାଇ ପାରିଲେ ନାହିଁ,” ବୋଲି ସାମ୍‌ସୁନିସା କୁହନ୍ତି । “ହେଲେ, କ’ଣ କରାଯାଇ ପାରିବ? ଏଠାରେ ତ କାମ ନାହିଁ ।”

“ଅର୍ଥ ଉପାର୍ଜନ କରିବାକୁ ମୋର ପୁଅକୁ ଦେଶାନ୍ତର ଗମନ କରିବାକୁ ପଡ଼ିଲା,” ବୋଲି ସାଲିମୁନ୍‌ କୁହନ୍ତି। ନୂଆଗଡ଼, ଯେଉଁଠାରେ ଟମାଟ ଆଉ ଲଙ୍କା ଚାଷ କରାଯାଇଥାଏ, ସେଠାରେ ଫାରୁକ୍‌ ଆଉ ତାଙ୍କ ଭାଇମାନଙ୍କ ଭଳି ଭୂମିହୀନ ଶ୍ରମିକମାନେ ପୂରା ଦିନ ଖଟି କେବଳ ୧୦୦ଟଙ୍କା ଉପାର୍ଜନ କରିପାରିବେ । “ଆଉ ଏତିକିରେ କେବଳ ଅଧା କିଲୋ ଟମାଟୋ ବା ଲଙ୍କା ମିଳିପାରିବ, ସପ୍ତାହରେ ଦୁଇଥର । ତାହା ପୁଣି ବହୁତ କଷ୍ଟରେ,” ବୋଲି ସାଲିମୁନ୍‌ କୁହନ୍ତି । ପଞ୍ଜାବରେ ଫାରୁକ୍‌ ଦିନକୁ ୪୦୦ଟଙ୍କା ମଜୁରି ପାଇଥାନ୍ତି ହେଲେ, ସପ୍ତାହରେ ସେ କେବଳ ତିନି ଚାରି ଦିନ କାମ ପାଇଥାନ୍ତି । ‘‘ଆମେ କୋଭିଡ୍‌- ୧୯ ମହାମାରୀ ବ୍ୟାପିବା ପରେ ଯେନତେନ ପ୍ରକାରେ ବଞ୍ଚିରହିବାକୁ ସମର୍ଥ ହୋଇପାରିଛୁ । ଆମ ପାଖରେ ଖାଇବାକୁ ପର୍ଯ୍ୟାପ୍ତ ଖାଦ୍ୟ ମଧ୍ୟ ନଥିଲା’’।

ପରିବାର ଗୋଟିଏ ଦିନରେ ଉଭୟ ଡାଲି ଆଉ ପରିବା ରାନ୍ଧିବାକୁ ବନ୍ଦ କରିଦେଲା । “ଭାତ ଆଉ ରୁଟି କ୍ଷେତ୍ରରେ ମଧ୍ୟ ଏପରି କରାଗଲା,” ବୋଲି ସାଲିମୁନ୍‌ କୁହନ୍ତି । “ଦୁଇଟି ମଧ୍ୟରୁ ଯେ କୌଣସି ଗୋଟିଏ ହେଲା । ଏଠାରେ ସମସ୍ତଙ୍କ ପରିସ୍ଥିତି ଏପରି ହୋଇଯାଇଥିଲା । ଅଧିକାଂଶ ଲୋକଙ୍କୁ କେବଳ ବଞ୍ଚି ରହିବା ପାଇଁ ଧାର କରଜ କରିବାକୁ ପଡ଼ିଥିଲା ।

Salimun with Gufran, her grandson
PHOTO • Parth M.N.
Shamsunisa cooking in the house. She says her husband, Farooq, could not spend much time with the baby
PHOTO • Parth M.N.

ବାମ : ସାଲିମୁନ୍‌ ତାଙ୍କ ଅଣନାତି ଗୁର୍‌ଫାନଙ୍କ ସହିତ । ଡାହାଣ : ସାମ୍‌ସୁନିସା ଘରେ ରୋଷେଇ କରୁଛନ୍ତି । ସେ କୁହନ୍ତି ଯେ ତାଙ୍କ ସ୍ୱାମୀ ଫାରୁକ୍‌ ପିଲାଟି ସହିତ ବେଶି ସମୟ ବିତାଇ ପାରିନାହାନ୍ତି

ୟୁପିର ନଅଟି ଜିଲ୍ଲାରେ ଥିବା ଅନେକ ଗ୍ରାମରେ, ଏହି ମହାମାରୀର ପ୍ରଥମ ତିନିମାସରେ ଋଣ ବୋଝ ୮୩ ପ୍ରତିଶତ ବୃଦ୍ଧି ପାଇଥିଲା (ଏପ୍ରିଲ୍‌ ଠାରୁ ଜୁନ୍‌ ୨୦୨୦) । ଏହି ତଥ୍ୟ ତୃଣମୂଳସ୍ତରର ସଂଗଠନଗୁଡ଼ିକର ଏକ ସମୂହ କଲେକ୍ଟ ଦ୍ୱାରା କରାଯାଇଥିବା ସର୍ଭେ ମାଧ୍ୟମରେ ଏକତ୍ରିତ କରାଯାଇଛି । ଜୁଲାଇ – ସେପ୍ଟେମ୍ବର ଆଉ ଅକ୍ଟୋବର – ଡିସେମ୍ବର ୨୦୨୦ରେ ଋଣବୋଝ ଯଥାକ୍ରମେ ୮୭ ଓ ୮୦ ପ୍ରତିଶତ ବୃଦ୍ଧି ପାଇଥିବା ଏହା ରେକର୍ଡ କରିଛି ।

ଦୁଃସ୍ଥିତି କାରଣରୁ ଡିସେମ୍ବର ୨୦୨୧ରେ ତାଙ୍କର ସବୁଠାରୁ ଛୋଟ ସନ୍ତାନକୁ ଜନ୍ମ ଦେବାର କେବଳ ୧୫ଦିନ ପରେ ଲକ୍ଷିମା ଇଟା ଭାଟିରେ ଅକ୍ଲାନ୍ତ ପରିଶ୍ରମ କରିବାକୁ ବାଧ୍ୟ ହୋଇଥିଲେ । “ମୁଁ ଆଶା କରୁଛି ଯେ ଆମର ଅବସ୍ଥାକୁ ଦେଖି ଆମର ନିଯୁକ୍ତିଦାତା ଆମକୁ ଖାଦ୍ୟ ପାଇଁ କିଛି ଅଧିକ ଟଙ୍କା ଦେବେ,” ବୋଲି ସେ ନବଜାତକକୁ କୋଳରେ ଝୁଲାଇ ଝୁଲାଇ କୁହନ୍ତି । ସେ ଆଉ ତଙ୍କର ସ୍ୱାମୀ, ସଞ୍ଜୟ, ୩୨, ସେମାନଙ୍କ ଗ୍ରାମଠାରୁ ଛଅ କିଲୋମିଟର୍‌ ଦୂରରେ ଅବସ୍ଥିତ ଦେବଚାନ୍ଦପୁରରେ ଏକ ଇଟା ଭାଟିରେ କାମ କରନ୍ତି ଆଉ ପ୍ରତ୍ୟେକ ଦିନକୁ ୩୫୦ଟଙ୍କା ଉପାର୍ଜନ କରନ୍ତି ।

ତାଙ୍କର ଗର୍ଭାବସ୍ଥା ବେଳେ, ମଙ୍ଗଳା ରାଜଭର୍‌ ଲକ୍ଷିମାଙ୍କୁ ଗୃହରେ ସନ୍ତାନ ପ୍ରସବ ନକରିବାକୁ ପରାମର୍ଶ ଦେଇଥିଲେ। “ତାଙ୍କୁ ରାଜି କରାଇବା
ଏତେ ସହଜ ନଥିଲା । ମୁଁ ସେଥିପାଇଁ ତାଙ୍କୁ ଦାୟୀ କରୁନାହିଁ,” ବୋଲି ରାଜ୍‌ଭର୍‌ କୁହନ୍ତି। “ହେଲେ, ଶେଷରେ ସେ ରାଜି ହୋଇଯାଇଥିଲେ।”

ଲକ୍ଷିମା ଆଉ ହୀରାମଣି ଏଥର କିନ୍ତୁ ପ୍ରସ୍ତୁତ ହୋଇ ଆସିଥିଲେ । ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ କର୍ମଚାରୀମାନେ କୁଣ୍ଠା ପ୍ରକାଶ କରୁଥିବା ଦେଖିବା ମାତ୍ରକେ ସେମାନେ ରାଜ୍‌ଭର୍‌ଙ୍କୁ କଲ୍‌ କରିବେ ବୋଲି ଧମକ ଦେଇଥିଲେ । କର୍ମଚାରୀମାନେ ସେମାନଙ୍କ କଥା ମାନିଗଲେ । ଲକ୍ଷିମା ସେହି ପିଏଚ୍‌ସିରେ ତାଙ୍କ ଶିଶୁକୁ ଜନ୍ମ ଦେଲେ, ଯେଉଁଠାରୁ ମାତ୍ର ଅଳ୍ପ ଦୂରତାରେ ସେ ତିନ ବର୍ଷ ପୂର୍ବେ ତାଙ୍କର ଗୋଟିଏ ଶିଶୁ ହରାଇଥିଲେ। ଶେଷରେ, ସେହି କେତେକ ମିଟର୍‌ ହିଁ ସବୁକିଛି ବଦଳାଇ ଦେଇଥିଲା ବୋଲି କୁହାଯାଇପାରେ ।

ଠାକୁର୍ ଫ୍ୟାମିଲି ଫାଉଣ୍ଡେସନ୍ ତରଫରୁ ସ୍ୱାଧୀନ ସାମ୍ବାଦିକତା ଅନୁଦାନ ମାଧ୍ୟମରେ ପାର୍ଥ ଏମ୍‌.ଏନ୍  ଜନସ୍ୱାସ୍ଥ୍ୟ ଏବଂ ନାଗରିକ ସ୍ୱାଧୀନତା ଉପରେ ରିପୋର୍ଟ କରନ୍ତି। ଠାକୁର୍ ଫ୍ୟାମିଲି ଫାଉଣ୍ଡେସନ୍‌ର ଏହି ରିପୋର୍ଟର ବିଷୟବସ୍ତୁ ଉପରେ କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ପ୍ରୟୋଗ କରେ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE