‘‘କେଉଁଠି ମଦ ନିଷେଧ ହୋଇଛି?’’, ଏକଥା କହିବା ବେଳେ ଗୌରୀ ପରମାରଙ୍କ ସ୍ୱରରେ କଟୁତା ଏବଂ କଟାକ୍ଷ ପ୍ରତିଫଳିତ ହେଉଥିଲା

‘‘ହୁଏତ’ ଏହା ମିଛ ହୋଇଥିବ କିମ୍ବା ମୋ ଗାଁ ହୁଏତ’ ଗୁଜରାଟରେ ନଥିବ,’’ ଗୌରୀ ଆହୁରି କହିଥାନ୍ତି। ‘‘ମୋ ଗାଁର ପୁରୁଷମାନେ ବର୍ଷ ବର୍ଷ ଧରି ମଦ ପିଇ ଆସୁଛନ୍ତି।’’ ତାଙ୍କ ଗାଁ, ରୋଜିଦ, ଗୁଜରାଟର ବୋଟାଡ଼ ଜିଲ୍ଲାରେ ରହିଛି ।

ଗୁଜରାଟ ହେଉଛି ଭାରତର ତିନୋଟି ‘ମଦମୁକ୍ତ’ ରାଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠି ନାଗରିକମାନେ ମଦ କିଣିପାରିବେ ନାହିଁ କିମ୍ବା ପିଇ ପାରିବେ ନାହିଁ । ଗୁଜରାଟ ମଦ ନିଷେଧ (ସଂଶୋଧନ) ଆଇନ, ୨୦୧୭ ଅନୁଯାୟୀ, କୌଣସି ବ୍ୟକ୍ତି ମଦ ପ୍ରସ୍ତୁତି ଏବଂ ବିକ୍ରି କରୁଥିଲେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଭୋଗିବାକୁ ହେବ।

କିନ୍ତୁ ୫୦ ବର୍ଷ ବୟସ୍କା ଗୌରୀ ୩୦ ବର୍ଷ ପୂର୍ବରୁ ବାହା ହୋଇ ଆସିବା ପରଠାରୁ ଏହି ନିୟମର ଖୋଲାଖୋଲି ଉଲ୍ଲଙ୍ଘନ ଦେଖିଆସୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ମଦ ରନ୍ଧା ହେଉଥିବା ଏବଂ ପିଇବାକୁ ଚାହୁଁଥିବା ଗ୍ରାହକଙ୍କୁ ପଲିଥିନ୍ ପାଉଚ୍ ବିକ୍ରି ହେଉଥିବା ସେ ଦେଖି ଆସିଛନ୍ତି।

ଏପରି ମଦ ତିଆରିର ବିପଦ ସୁଦୂରପ୍ରସାରୀ ଏବଂ ପ୍ରାଣଘାତୀ। ଚୋରା ମଦ ପ୍ରସ୍ତୁତକାରୀମାନେ ଏହି ପ୍ରକ୍ରିୟାକୁ ଶୀଘ୍ର ସାରିବା ଲାଗି ବେଳେ ବେଳେ ବିଷାକ୍ତ ସାମଗ୍ରୀ ବ୍ୟବହାର କରିଥାନ୍ତି। ‘‘ସେମାନେ ତରଳ ସାନିଟାଇଜର, ୟୁରିଆ ଏବଂ ମିଥାନଲ ମିଶାଇଥାନ୍ତି,’’ ଗୌରୀ କୁହନ୍ତି ।

ଜୁଲାଇ ୨୦୨୨ରେ, ଏପରି ବେଆଇନ ମଦ ଗୁଜରାଟରେ ୪୨ ଜଣ ଲୋକଙ୍କ ପ୍ରାଣ ନେଇଯାଇଥିଲା; ଅହମ୍ମଦାବାଦ, ଭାବନଗର ଏବଂ ବୋଟାଡ଼ ଜିଲ୍ଲାରେ ପ୍ରାୟ ୧୦୦ ଲୋକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆହୁରି ଯେଉଁମାନେ ମୃତ୍ୟୁବରଣ କରିଥିଲେ ସେମାନଙ୍କ ମଧ୍ୟରୁ ୧୧ ଜଣ ବୋଟାଡ଼ ଜିଲ୍ଲା ବରୱାଲା ତାଲୁକା ଅନ୍ତର୍ଗତ ରୋଜିଦ ଗ୍ରାମର ବାସିନ୍ଦା ଥିଲେ।

Gauri Parmar lost her son, Vasram, to methanol-poisoned alcohol that killed 42 people in Gujarat in July 2022
PHOTO • Parth M.N.

ଜୁଲାଇ ୨୦୨୨ରେ ଗୁଜରାଟରେ ମିଥାନଲ ମିଶ୍ରିତ ବିଷାକ୍ତ ମଦ ପିଇ ୪୨ ଜଣ ଲୋକ ପ୍ରାଣ ହରାଇଥିଲେ, ଏଥିରେ ଗୌରୀ ପରମାର ତାଙ୍କ ପୁଅ ବସ୍ରାମଙ୍କୁ ହରାଇଥିଲେ

‘‘ମୋ ପୁଅ, ବସ୍ରାମ ସେମାନଙ୍କ ମଧ୍ୟରୁ ଜଣେ ଥିଲେ,’’ ଗୌରୀ କୁହନ୍ତି । ବସ୍ରାମ (୩୦) ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ, ଘରେ ତାଙ୍କର ପତ୍ନୀ ଏବଂ ୪ ଓ ୨ ବର୍ଷର ଦୁଇ ପିଲା ଅଛନ୍ତି। ଏହି ପରିବାର ଗୁଜରାଟରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ବାଲ୍ମିକୀ ସମୁଦାୟର।

୨୫ ଜୁଲାଇ, ୨୦୨୨ର ସକାଳ ଗୌରୀଙ୍କର ମନେ ରହିଛି । ବସ୍ରାମ ବିବ୍ରତ ଅନୁଭବ କରୁଥିଲେ ଏବଂ ତାଙ୍କର ନିଃଶ୍ୱାସ ନେବାରେ କଷ୍ଟ ହେଉଥିଲା। ପରିବାର ଲୋକମାନେ ତାଙ୍କୁ ବରୱାଲାରେ ଥିବା ଏକ ଘରୋଇ କ୍ଲିନିକକୁ ନେଇଗଲେ, ସେଠାରେ ଡାକ୍ତର ତାଙ୍କୁ କହିଥିଲେ ଯେ ତାଙ୍କ ପାଖରେ ସେଥିପାଇଁ ଆବଶ୍ୟକ ସୁବିଧା ନାହିଁ। ବସ୍ରାମଙ୍କୁ ବରୱାଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଗଲା। ‘‘ସେଠାରେ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ଦେଲେ ଏବଂ କିଛି ସମୟ ପାଇଁ ସାଲାଇନ ଲଗାଇ ଛାଡ଼ି ଦେଲେ,’’ ଗୌରୀ କୁହନ୍ତି । ‘‘ଦିନ ସାଢ଼େ ୧୨ଟା ସମୟରେ, ତାଙ୍କୁ ବୋଟାଡ଼ରେ ଥିବା ଜିଲ୍ଲା ଡାକ୍ତରଖାନାକୁ ନେଇଯିବା ଲାଗି ସେମାନେ ଆମକୁ କହିଲେ।

ସେହି ଡାକ୍ତରଖାନା ୪୫ ମିନିଟ୍‌ ଦୂରରେ ଥିଲା ଏବଂ ଯିବା ସମୟରେ ବସ୍ରାମ ଲଗାତାର ଛାତିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଗୌରୀ କୁହନ୍ତି, ‘‘ବାଟରେ ସେ ଅଣନିଶ୍ୱାସୀ ଅନୁଭବ କରୁଥିବା କହିଲେ। ତାଙ୍କର ବାନ୍ତି ମଧ୍ୟ ହେଉଥିଲା।’’

ବୋଟାଡ଼ ଜିଲ୍ଲା ଡାକ୍ତରଖାନାରେ ତାଙ୍କର କ’ଣ ହୋଇଛି ଡାକ୍ତରମାନେ କହିଲେ ନାହିଁ। ସେମାନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହେଲା ନାହିଁ, ଗୌରୀ କୁହନ୍ତି । ସେ ଯେତେବେଳେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିଲେ, ତାଙ୍କୁ ୱାର୍ଡ ଛାଡ଼ି ଚାଲିଯିବାକୁ କୁହାଗଲା।

ଡାକ୍ତରମାନେ ତାଙ୍କ ପୁଅର ଛାତିକୁ ବାରମ୍ବାର ଚାପୁଥିବା ଗୌରୀ ଅସହାୟ ଭାବେ ଦେଖୁଥିଲେ। ସେ ଜାଣିଥିଲେ ଯେ, ମଦ ପିଇବା କାରଣରୁ ତାଙ୍କର ଏପରି ଅବସ୍ଥା ହୋଇଛି, କିନ୍ତୁ ଏହା ତାଙ୍କର କେତେ କ୍ଷତି କରିଛି ତାହା ସେ ଜାଣି ପାରୁନଥିଲେ। ‘‘କ’ଣ ହୋଇଛି ବୋଲି ମୁଁ ସେମାନଙ୍କୁ ବାରମ୍ବାର ପଚାରୁଥିଲି, କିନ୍ତୁ ସେମାନେ ମୋତେ କିଛି କହିନଥିଲେ। ଯେତେବେଳେ ଆପଣଙ୍କ ପୁଅ ଡାକ୍ତରଖାନାରେ ଭର୍ତ୍ତି ହୋଇଥାଏ, ଖରାପ ଖବର ହୋଇଥାଉ ପଛେ, ଆପଣ ଚାହାନ୍ତି ଯେ ଡାକ୍ତର ଆପଣଙ୍କ ସହିତ କଥା ହୁଅନ୍ତୁ,’’ ଗୌରୀ କୁହନ୍ତି ।

ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନଙ୍କ ପ୍ରତି ଡାକ୍ତରମାନଙ୍କର ହେୟଜ୍ଞାନ ମନୋବୃତ୍ତି ଅସ୍ୱାଭାବିକ ନୁହେଁ, ବିଶେଷ କରି ଗରିବ ବଞ୍ଚିତ ଲୋକମାନଙ୍କ ପ୍ରତି ଏହା ଅଧିକ ଦେଖା ଯାଇଥାଏ। ‘‘ଗରିବଙ୍କ ପ୍ରତି କେହି ବି ସାମାନ୍ୟ ଧ୍ୟାନ ଦିଅନ୍ତି ନାହିଁ,’’ ଗୌରୀ କୁହନ୍ତି।

ରୋଗୀଙ୍କ ଅଧିକାର ଓ ଦାୟିତ୍ୱ ଚାର୍ଟର (ଅଗଷ୍ଟ ୨୦୨୧ରେ ଜାତୀୟ ଚିକିତ୍ସା ପ୍ରତିଷ୍ଠାନ ପରିଷଦ ଦ୍ୱାରା ଅନୁମୋଦିତ)ରେ କୁହାଯାଇଛି ଯେ, ‘‘ଅସୁସ୍ଥତାର ପ୍ରକୃତି ଏବଂ କାରଣ ସମ୍ପର୍କରେ ଆବଶ୍ୟକ ସୂଚନା ପାଇବାର ଅଧିକାର’’ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କ ପାଖରେ ରହିଛି । ସାମାଜିକ ପୃଷ୍ଠଭୂମି (ଯଥା ଆର୍ଥିକ କିମ୍ବା ଜାତିଗତ ସ୍ଥିତି) ଆଧାରରେ ଚିକିତ୍ସାରେ କୌଣସି ବାଛବିଚାର କରାଯାଇପାରିବ ନାହିଁ ।

Gauri in her hut in Rojid village of Botad district. From her village alone, 11 people died in the hooch tragedy last year
PHOTO • Parth M.N.

ବୋଟାଡ଼ ଜିଲ୍ଲାର ରୋଜିଦ ଗ୍ରାମରେ ନିଜ କୁଟୀରରେ ବସିଛନ୍ତି ଗୌରୀ। ଗତ ବର୍ଷ ଘଟିଥିବା ଦୁଃଖଦ ମଦ ମୃତ୍ୟୁ ଘଟଣାରେ କେବଳ ତାଙ୍କ ଗାଁର ୧୧ ଜଣ ଲୋକ ପ୍ରାଣ ହରାଇଥିଲେ

ଗୌରୀଙ୍କୁ ୱାର୍ଡ ଛାଡ଼ିବା ଲାଗି କୁହାଯିବାର କିଛି ଘଣ୍ଟା ପରେ, ଜିଲ୍ଲା ଡାକ୍ତରଖାନାର ଡାକ୍ତରମାନେ ବସ୍ରାମଙ୍କୁ ବୋଟାଡ଼ର ଏକ ଘରୋଇ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ପରିବାର ଲୋକଙ୍କୁ ଏହାର କାରଣ ସୁଦ୍ଧା କହିଲେ ନାହିଁ। ସେଠାକୁ ସ୍ଥାନାନ୍ତର ହୋଇଥିବା ବସ୍ରାମ ସନ୍ଧ୍ୟା ସାଢ଼େ ଛଅଟାରେ ପ୍ରାଣ ହରାଇଥିଲେ।

ଗୌରୀ ପୁଣି କହିଥାନ୍ତି, ‘‘ମଦ ନିଷେଧ ଏକ ପ୍ରହସନ ପାଲଟିଛି। ଗୁଜରାଟରେ ସମସ୍ତେ ପିଅନ୍ତି। କିନ୍ତୁ କେବଳ ଗରିବ ଲୋକମାନେ ଏହାକୁ ପିଇ ପ୍ରାଣ ହରାଇଥାନ୍ତି।’’

ଚାରି ଦଶନ୍ଧି ଧରି ବିଷାକ୍ତ ମଦ୍ୟପାନ ଘଟଣା ଗୁଜରାଟରେ ଏକ ଜନ ସ୍ୱାସ୍ଥ୍ୟ ସମସ୍ୟା ପାଲଟିଛି। ବିଷାକ୍ତ ମଦ ପିଇବା କାରଣରୁ ଗତ କିଛି ବର୍ଷ ମଧ୍ୟରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ସବୁଠୁ ବିପଜ୍ଜନକ ବିପତ୍ତି ଜୁଲାଇ ୨୦୦୯ରେ ଘଟିଥିଲା, ଯେତେବେଳେ ଅହମ୍ମଦାବାଦ ଜିଲ୍ଲାରେ ୧୫୦ ଜଣ ଲୋକ ପ୍ରାଣ ହରାଇଥିଲେ। ଏହାର ଦୁଇ ଦଶନ୍ଧି ପୂର୍ବରୁ ମାର୍ଚ୍ଚ ୧୯୮୯ରେ ବଡ଼ୋଦରା ଜିଲ୍ଲାରେ ୧୩୫ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ଗଣ ମୃତ୍ୟୁ ଘଟଣା ପ୍ରଥମ ଥର ପାଇଁ ଅହମ୍ମଦାବାଦରେ ୧୯୭୭ ମସିହାରେ ଘଟିଥିଲା – ସହରର ସାରଙ୍ଗପୁର ଦୌଲତଖାନା ଇଲାକାରେ ୧୦୧ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହି ଘଟଣାରେ ପ୍ରତ୍ୟେକ ମୃତକଙ୍କ କ୍ଷେତ୍ରରେ, ମିଥାଇଲ ଆଲକହଲ (ମିଥାନଲ)ର ଅଧିକ ପରିମାଣ ମୃତ୍ୟୁର ପ୍ରମୁଖ କାରଣ ଥିବା ଜଣାପଡ଼ିଥିଲା।

ମଦ ତିଆରି କରିବା ଲାଗି କୌଣସି ମାନକ ମାର୍ଗଦର୍ଶିକା ନାହିଁ। ଦେଶୀ ମଦ ସାଧାରଣତଃ ଗୁଡ଼ କିମ୍ବା ଉଦ୍ଭିଦ ଅବଶେଷକୁ  ସଢ଼ାଇବା ଏବଂ ପାତନ (ଡିଷ୍ଟିଲେସନ) କରିବା ଦ୍ୱାରା ତିଆରି ହୋଇଥାଏ। କିନ୍ତୁ ଯେତେବେଳେ ଚାହିଦା ଅଧିକ ଥାଏ, ମଦ ପ୍ରସ୍ତୁତକାରୀମାନେ  ଶିଳ୍ପ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ମିଥାଇଲ ଆଲକହଲ ବ୍ୟବହାର କରିଥାନ୍ତି, ଯାହାକି ହ୍ୟାଣ୍ଡ ସାନିଟାଇଜରରେ ମଧ୍ୟ ମିଶିଥାଏ। ବେଳେବେଳେ ସେମାନେ ଅତି ବିଷାକ୍ତ ମିଥାନଲ ମଧ୍ୟ ମିଶାଇ ଦେଇଥାନ୍ତି।

ବିଶେଷଜ୍ଞମାନେ କୁହନ୍ତି, ଏହା ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି।

ଅହମ୍ମଦାବାଦର ଜଣେ ବରିଷ୍ଠ ସାମାଜିକ କର୍ମୀ ଘନଶ୍ୟାମ ଶାହା କୁହନ୍ତି, ଚୋରା ମଦ କାରବାର ଏକ ବ୍ୟବସାୟ, ଯେଉଁଥିରେ ଉଭୟ ପୁଲିସ ଏବଂ ରାଜନେତା (ମଦ ବ୍ୟବସାୟୀଙ୍କ ବ୍ୟତୀତ) ସମ୍ପୃକ୍ତ ଥାଆନ୍ତି।

୨୦୦୯ରେ ଘଟିଥିବା ମଦ ମୃତ୍ୟୁ ଘଟଣା ସମେତ ବିଭିନ୍ନ ମଦ ମୃତ୍ୟୁ ଘଟଣାର ତଦନ୍ତ ଏବଂ ଭବିଷ୍ୟତରେ ଏପରି ଘଟଣାର ନିବାରଣ କରିବା ଲାଗି ସରକାର ଏକାଧିକ ତଦନ୍ତ ଆୟୋଗ ଗଠନ କରିଥିଲେ। ଏସବୁ ମଧ୍ୟରୁ ନ୍ୟାୟମୂର୍ତ୍ତି କେ.ଏମ ମେହତାଙ୍କ ଅଧ୍ୟକ୍ଷତାରେ ଗଠିତ ଲଚ୍ଛା (ମଦ ମୃତ୍ୟୁ)ତଦନ୍ତ ଆୟୋଗ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ, ରାଜ୍ୟରେ ମଦ ନିଷେଧ ନୀତିର ପ୍ରଭାବୀ କାର୍ଯ୍ୟକାରିତା ସମ୍ଭବ ହୋଇପାରିନାହିଁ।

Alcohol poisoning has been a public health problem in Gujarat for more than four decades. Consumption of toxic alcohol has killed hundreds over the years. The worst of the hooch tragedies took place in July 2009
PHOTO • Parth M.N.

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ବିଷାକ୍ତ ମଦ୍ୟପାନ ଘଟଣା ଗୁଜରାଟରେ ଏକ ଜନ ସ୍ୱାସ୍ଥ୍ୟ ସମସ୍ୟା ଭାବେ ରହିଆସିଛି। ବିଗତବର୍ଷ ଗୁଡ଼ିକରେ ବିଷାକ୍ତ ମଦ ପିଇ ଶତାଧିକ ଲୋକ ମୃତ୍ୟୁବରଣ କରିସାରିଲେଣି। ସବୁଠୁ ଦୁଃଖଦ ମଦ ମୃତ୍ୟୁ ଘଟଣା ଜୁଲାଇ ୨୦୦୯ରେ ଘଟିଥିଲା

କେବଳ ସ୍ୱାସ୍ଥ୍ୟଗତ ସ୍ଥିତିକୁ ଦୃଷ୍ଟିରେ ରଖି ଗୁଜରାଟରେ ମଦ ପିଇବା ପାଇଁ ଅନୁମତି ମିଳିଥାଏ ଏବଂ ଏଥିପାଇଁ ମଧ୍ୟ ଡାକ୍ତରଙ୍କ ସୁପାରିସ ଆବଶ୍ୟକ ହୋଇଥାଏ। ତେବେ ବାହାର ରାଜ୍ୟରୁ ଆସୁଥିବା ଆଗନ୍ତୁକଙ୍କୁ ମଦ ପିଇବା ଲାଗି ଅନୁମତି ମିଳିଥାଏ, ସେମାନେ ଏକ ଅସ୍ଥାୟୀ ଅନୁମତି ଆଣି ଅଧିକୃତ ଦୋକାନରୁ ଏହାକୁ କିଣିପାରିବେ।

ଶାହା କୁହନ୍ତି, ‘‘ମଧ୍ୟବିତ୍ତ ଏବଂ ଉଚ୍ଚ ମଧ୍ୟବିତ୍ତ ପରିବାର ଲୋକଙ୍କ ପାଇଁ ମଦ ନିର୍ଦ୍ଧାରିତ ଦାମ୍‌ରେ ମିଳିଥାଏ। ଗରିବ ଲୋକମାନେ ଏହି ଦାମ୍‌ରେ ମଦ କିଣିବାକୁ ସକ୍ଷମ ନୁହନ୍ତି। ତେଣୁ ସେମାନେ ଶସ୍ତାରେ ମଦ କିଣିବା ପାଇଁ ଗାଁକୁ ଯାଇଥାନ୍ତି।’’

ଡାକ୍ତରମାନେ କୁହନ୍ତି ଯେ, ବିଷାକ୍ତ ମଦ ପିଉଥିବା ଲୋକ ଯଦି ତୁରନ୍ତ ମୃତ୍ୟୁବରଣ ନକରନ୍ତି, ତା’ହେଲେ ସେ ଦୃଷ୍ଟିଶକ୍ତି ହରାଇପାରନ୍ତି, ତାଙ୍କର ମସ୍ତିଷ୍କ ଓ ଯକୃତ ସବୁଦିନ ପାଇଁ ଅକାମୀ ଏବଂ କ୍ଷତିଗ୍ରସ୍ତ ହୋଇପାରେ।

ଦୁର୍ଭାଗ୍ୟର ବିଷୟ ହେଉଛି, ଗୁଜରାଟରେ ଥିବା ସାର୍ବଜନୀନ ଚିକିତ୍ସା ଭିତ୍ତିଭୂମି ଏହି ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ଲାଗି ଯଥେଷ୍ଟ ନୁହେଁ।

ଜିଲ୍ଲା ମୁଖ୍ୟ ଡାକ୍ତରଖାନାଗୁଡ଼ିକ ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଜରୁରିକାଳୀନ ଚିକିତ୍ସା କେନ୍ଦ୍ର ହୋଇଥିଲେ ମଧ୍ୟ ଏଠାରେ ଯଥେଷ୍ଟ ଶଯ୍ୟା ନାହିଁ। ୨୦୨୧ରେ ପ୍ରକାଶିତ ନୀତି ଆୟୋଗଙ୍କ ଏକ ରିପୋର୍ଟ ରେ ଦେଶର ଜିଲ୍ଲା ଡାକ୍ତରଖାନାଗୁଡ଼ିକର ପ୍ରଦର୍ଶନ ପ୍ରକାଶିତ ହୋଇଥିଲା। ଗୁଜରାଟରେ ପ୍ରତି ୧ ଲକ୍ଷ ଜନସଂଖ୍ୟା ପିଛା ୧୯ଟି ଶଯ୍ୟା ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏହା ଜାତୀୟ ହାରାହାରୀ ୨୪ ଠାରୁ ମଧ୍ୟ କମ୍‌।

ଜିଲ୍ଲା ଏବଂ ଉପଜିଲ୍ଲା ଡାକ୍ତରଖାନାଗୁଡ଼ିକରେ ଯଥେଷ୍ଟ ସଂଖ୍ୟକ ଡାକ୍ତର ନାହାନ୍ତି। ଗୁଜରାଟର ଗ୍ରାମାଞ୍ଚଳରେ ଏପରି ମୋଟ୍‌ ୭୪ଟି ଡାକ୍ତରଖାନା ରହିଛି। ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ (୨୦୨୦-୨୧) ଅନୁଯାୟୀ, ଏସବୁ ଡାକ୍ତରଖାନାରେ ୭୯୯ ଡାକ୍ତରଙ୍କ ତୁଳନାରେ ମାତ୍ର ୫୮୮ ଜଣ ଡାକ୍ତର ନିୟୋଜିତ ରହିଛନ୍ତି ।

ରାଜ୍ୟର ଗ୍ରାମାଞ୍ଚଳରେ ୩୩୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚସି) ରହିଛି । ଏସବୁ ଡାକ୍ତରଖାନାରେ ଶଲ୍ୟ ଚିକିତ୍ସକ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ ଏବଂ ଶିଶୁ ରୋଗ ବିଶେଷଜ୍ଞଙ୍କ ଭଳି ୧,୧୯୭ ଜଣ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି ।

Karan Veergama in his home in Rojid. He is yet to come to terms with losing his father, Bhupadbhai
PHOTO • Parth M.N.
Karan Veergama in his home in Rojid. He is yet to come to terms with losing his father, Bhupadbhai
PHOTO • Parth M.N.

ରୋଜିଦସ୍ଥିତ ନିଜ ଘରେ କରନ ବୀରଗାମା। ସେ ନିଜ ପିତା ଭୂପଦଭାଇଙ୍କୁ ହରାଇବାର ଦୁଃଖ ଭୁଲି ପାରିନାହାନ୍ତି

ଜୁଲାଇ ୨୬, ୨୦୨୨ରେ ୨୪ ବର୍ଷ ବୟସ୍କ ଦିନ ମଜୁରିଆ ଓ କୃଷି ଶ୍ରମିକ କରନ ବୀରଗାମା ନିଜ ପିତାଙ୍କୁ ଭାବନଗରରେ ଥିବା ସହରାଞ୍ଚଳ ଡାକ୍ତରଖାନା ସାର୍‌ ଟି. ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ସେ ଦେଖିଲେ ଯେ ଡାକ୍ତରଖାନାର କର୍ମଚାରୀମାନେ କାର୍ଯ୍ୟବ୍ୟସ୍ତତାରେ ଭାରାକ୍ରାନ୍ତ ହୋଇପଡ଼ିଛନ୍ତି। ସେ କୁହନ୍ତି, ‘‘ଡାକ୍ତରଖାନାରେ ଏତେ ଭିଡ଼ ଥିଲା ଯେ କେଉଁଠିକୁ ଯିବାକୁ ହେବ ଆମେ ଜାଣି ପାରିନଥିଲୁ। କର୍ମଚାରୀମାନେ ଖୁବ ବ୍ୟସ୍ତ ଥିଲେ ଏବଂ କ’ଣ କରିବାକୁ ହେବ କେହି ଜାଣିନଥିଲେ।

ଲଚ୍ଛା ଆୟୋଗଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୨୦୦୯ ବିଷାକ୍ତ ମଦ ମୃତ୍ୟୁ ଘଟଣା ସମୟରେ ପରିସ୍ଥିତିର ମୁକାବିଲା କରିବା ଲାଗି କୌଣସି ଜରୁରିକାଳୀନ ପ୍ରସ୍ତୁତି ନଥିଲା, ବିଶେଷ କରି ଏହି ଦୁଃଖଦ ଘଟଣା ଘଟିବାର ପ୍ରାରମ୍ଭିକ ସମୟରେ। ଆହୁରି ମିଥାନଲ ବିଷକ୍ରିୟା ପାଇଁ କୌଣସି ଚିକିତ୍ସା ନିୟମ ମଧ୍ୟ ନଥିଲା ବୋଲି ଆୟୋଗ ଉଲ୍ଲେଖ କରିଥିଲେ।

କରନଙ୍କ ୪୫ ବର୍ଷ ବୟସ୍କ, ପିତା ଭୁପଦଭାଇ ମଧ୍ୟ ଜଣେ କୃଷି ଶ୍ରମିକ ଥିଲେ। ସେ ଯେଉଁଦିନ ବିଷାକ୍ତ ମଦ ପିଇ ଦେଇଥିଲେ, ସେଦିନ ରୋଜିଦର ଆହୁରି କିଛି ଲୋକ ମଧ୍ୟ ବିଷାକ୍ତ ମଦ ପିଇ ରୋଜିଦ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଦିନ ସକାଳ ୬ଟା ସମୟରେ ସେ ଅଶ୍ୱସ୍ତିକର ଅନୁଭବ କରିଥିଲେ ଏବଂ ତାଙ୍କୁ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା।

କରନ ଯେତେବେଳେ ତାଙ୍କୁ ବରୱାଲାରେ ଥିବା ସିଏଚସିକୁ ନେଇଗଲେ, ସେଠାକାର କର୍ମଚାରୀମାନେ ଭୁପଦଭାଇଙ୍କୁ ଥରୁଟିଏ ସୁଦ୍ଧା ଦେଖିଲେ ନାହିଁ ଏବଂ ସିଧାସଳଖ ତାଙ୍କୁ ଭାବନଗର ଡାକ୍ତରଖାନାକୁ ପଠାଇଦେଲେ। ସେମାନେ ଜାଣିଥିଲେ ଯେ ବିଷାକ୍ତ ମଦ ପିଇବା କାରଣରୁ ବହୁ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ‘‘କ’ଣ ଘଟିଛି ସେମାନେ ଜାଣିଥିଲେ,’’ କରନ କୁହନ୍ତି । ‘‘ସମୟ ନଷ୍ଟ ନକରି ସିଏଚସି ଆମକୁ ଭାବନଗର ଯିବା ପାଇଁ କହିଲା। ସୁବିଧା ଦୃଷ୍ଟିରୁ ତାହା ଆମ ପାଇଁ ଶ୍ରେଷ୍ଠ ବିକଳ୍ପ ଥିଲା।’’

କିନ୍ତୁ ଡାକ୍ତରଖାନା ପ୍ରାୟ ୮୦ କିଲୋମିଟର ଦୂର ଥିଲା, ଅର୍ଥାତ୍‌ ଗାଡ଼ିରେ ପ୍ରାୟ ଦୁଇ ଘଣ୍ଟାର ଯାତ୍ରା। ‘‘ରୋଜିଦରୁ ଭାବନଗର ଯାଇଥିବା ରାସ୍ତା ସେତେ ଭଲ ନୁହେଁ। ସେଥିପାଇଁ ଦୁଇ ଘଣ୍ଟା ସମୟ ଲାଗିଥାଏ,’’ ସ୍ଥାନୀୟ ଅଞ୍ଚଳରେ ୧୦୮ ଆମ୍ବୁଲାନ୍ସ ଚଳାଉଥିବା ପରେଶ ଦୁଲେରା କୁହନ୍ତି।

ଦୁଲେରା ସେଦିନ କଥା ମନେ ପକାଇ କୁହନ୍ତି ଯେ, ସେ ଯେତେବେଳେ ଭୁପଦଭାଇଙ୍କୁ ନେବାକୁ ଗଲେ, ରୋଗୀଙ୍କର ଷ୍ଟ୍ରେଚର ଦରକାର ପଡ଼ିଥିଲା। ‘‘ସେ ବିନା କୌଣସି ସହାୟତାରେ ଆମ୍ବୁଲାନ୍ସ ଭିତରେ ବସିଯାଇଥିଲେ।’’

ଆମ୍ବୁଲାନ୍ସ ସେବା ସରକାରୀ-ଘରୋଇ ଭାଗିଦାରୀରେ ପରିଚାଳିତ ହୋଇଥାଏ ଏବଂ ଜରୁରିକାଳୀନ ସ୍ଥିତିରେ ପ୍ରାକ୍‌—ଚିକିତ୍ସା ସେବା ଯୋଗାଇ ଦେଇଥାଏ। ଦୁଲେରା କୁହନ୍ତି ଯେ, ଏଥିରେ ଜଣେ ଏଏନଏମ ଏବଂ ଜଣେ ଜିଏନଏମ ନର୍ସ ଥାଆନ୍ତି। ଆମ୍ବୁଲାନ୍ସରେ ଅକ୍ସିଜେନ ସିଲିଣ୍ଡର, ସାଲାଇନ ବୋତଲ ଏବଂ ଇଞ୍ଜେକ୍ସନ ମହଜୁଦ ଥାଏ।

‘I need to know how or why his [Bhupadbhai's] health deteriorated so rapidly,’ says Karan
PHOTO • Parth M.N.

କରନ କୁହନ୍ତି, ‘ତାଙ୍କର (ଭୁପଦଭାଇଙ୍କର) ସ୍ୱାସ୍ଥ୍ୟ କାହିଁକି ଓ କେମିତି ହଠାତ୍‌ ଏତେ ଖରାପ ହୋଇଗଲା ମୁଁ ଜାଣିବାକୁ ଚାହେଁ’

ଡାକ୍ତରଖାନାରେ କୋଳାହଳ ମଧ୍ୟରେ, ଭୂପଦଭାଇଙ୍କୁ ଆଇସିୟୁରେ ଭର୍ତ୍ତି କରି ଦିଆଗଲା। କରନ କୁହନ୍ତି, ‘‘କର୍ମଚାରୀମାନେ ତାଙ୍କୁ ନେଇଗଲେ, କିନ୍ତୁ ଅତିଶୟ ଭିଡ଼ ଥିବା କାରଣରୁ ଆମେ ସେମାନଙ୍କୁ କିଛି ପଚାରିପାରିଲୁ ନାହିଁ। ଗୋଟିଏ ଘଣ୍ଟା ପରେ, ସେ ମୃତ୍ୟୁବରଣ କରିଥିବା ଆମକୁ କୁହାଗଲା। ଆମେ ବିଶ୍ୱାସ କରିପାରିଲୁ ନାହିଁ।’’ ଆମ୍ବୁଲାନ୍ସ ଭିତରକୁ ଯିବା ସମୟରେ ତାଙ୍କ ବାପା ଭଲ ଥିଲେ ବୋଲି କରନ ବାରମ୍ବାର କହୁଥିଲେ ।

କରନ କୁହନ୍ତି, ‘‘ତାଙ୍କର ମୃତ୍ୟୁ ଘଟିସାରିଥିବା ମୁଁ ଜାଣିଛି। କିନ୍ତୁ ମୁଁ କେବଳ ଏତିକି ଜାଣିବାକୁ ଚାହେଁ ଯେ ତାଙ୍କର ସ୍ୱାସ୍ଥ୍ୟ ହଠାତ୍‌ କେମିତି ଓ କାହିଁକି ଏତେ ଖରାପ ହୋଇପଡ଼ିଲା।’’ ପିତାଙ୍କ ମୃତ୍ୟୁର କାରଣ ତାଙ୍କୁ କୁହାଯାଇନଥିଲା।

ଭୁପଦଭାଇ ମୃତ୍ୟୁବରଣ କରିବାର ଦୁଇ ମାସ ପରେ ମଧ୍ୟ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିପାରିନାହିଁ।

ଜୁଲାଇ ୨୭, ୨୦୨୨ ସୁଦ୍ଧା, ମିଥାନଲ ରଖିବାଠାରୁ ଆରମ୍ଭ କରି ବିଷାକ୍ତ ମଦ ବିକ୍ରି କରିବା ପର୍ଯ୍ୟନ୍ତ ବିଭିନ୍ନ ଅଭିଯୋଗରେ ୧୫ ଜଣ ଲୋକଙ୍କୁ ଗିରଫ କରାଯାଇଥିଲା। ଜୁଲାଇ ୨୯ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ , ସାରା ରାଜ୍ୟରେ ଚୋରାମଦ ବେପାରୀଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଏବଂ ୨,୪୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯିବା ସହ ୧.୫ କୋଟି ଟଙ୍କାର ଚୋରା ମଦ ଜବତ କରାଯାଇଥିଲା।

ବୋଟାଡ଼ରେ ପୁଲିସ କାର୍ଯ୍ୟାନୁଷ୍ଠାନର ପରିଣାମ ତୁରନ୍ତ ଦେଖିବାକୁ ମିଳିଛି; ହାତ ତିଆରି ଦେଶୀ ମଦ ପ୍ୟାକେଟ ଏବେ ୨୦ ଟଙ୍କା ପରିବର୍ତ୍ତେ ୧୦୦ ଟଙ୍କାରେ ବିକ୍ରି ହେଉଛି।

ଠାକୁର ଫ୍ୟାମିଲି ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ନିରପେକ୍ଷ ସାମ୍ବାଦିକତା ଅନୁଦାନ ଜରିଆରେ ପାର୍ଥ ଏମ.ଏନ. ଜନ ସ୍ୱାସ୍ଥ୍ୟ ଏବଂ ନାଗରିକ ସ୍ୱା ଧୀନତା ଉପରେ ରିପୋର୍ଟ ଲେଖିଥାନ୍ତି। ଏହି ରିପୋର୍ଟେଜର ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ ।

ଅନୁବାଦ : ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Editor : Vinutha Mallya

Vinutha Mallya is a journalist and editor. She was formerly Editorial Chief at People's Archive of Rural India.

Other stories by Vinutha Mallya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE