ଭାନୁବେନ ଭରୱାଡ଼ ବନାସକାଣ୍ଠା ଜିଲ୍ଲାରେ ଥିବା ନିଜର ୨.୫ ଏକର ଚାଷ ଜମିକୁ ଯିବାର ଗୋଟିଏ ବର୍ଷ ହୋଇଗଲାଣି। ଏମିତି ଏକ ସମୟ ଥିଲା ଯେତେବେଳେ ସେ ଓ ତାଙ୍କ ସ୍ୱାମୀ ସବୁଦିନ ସେହି ଜମିକୁ ଯାଉଥିଲେ। ସେଠି ବାଜରା, ମୁଗ ଓ ଯଅ ଚାଷ କରୁଥିଲେ ଯାହାକୁ ସେମାନେ ବର୍ଷ ସାରା ଖାଇବା ଲାଗି ଉପଯୋଗ କରୁଥିଲେ। ଏହି ଚାଷ ଜମି ତାଙ୍କ ପାଇଁ ଖାଦ୍ୟର ମୁଖ୍ୟ ଉତ୍ସ ଥିଲା, କିନ୍ତୁ ୨୦୧୭ର ପ୍ରଳୟଙ୍କରୀ ବନ୍ୟା ଆସିବା ପରେ ସେମାନଙ୍କ ଏହି ଖଣ୍ଡକ ଜମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ‘‘ତା’ପରେ ଆମର ଖାଦ୍ୟ ପ୍ରଣାଳୀ ବଦଳି ଯାଇଥିଲା,’’ ଭାନୁବେନ (୩୫) କୁହନ୍ତି। ‘‘ପୂର୍ବରୁ ଆମେ ଜମିରେ ଯେଉଁ ଫସଲ ଅମଳ କରୁଥିଲୁ ଏବେ ଆମକୁ ସେହି ଶସ୍ୟ କିଣିବାକୁ ପଡ଼ିଲା।’’

ନିଜର ଅଧା ଏକର ଜମିରେ ସେ ବାଜରା ଚାଷ କରି ପାଖାପାଖି ୪ କୁଇଣ୍ଟାଲ (୪୦୦ କିଲୋଗ୍ରାମ) ଶସ୍ୟ ଅମଳ କରୁଥିଲେ। ଏବେ ସମାନ ପରିମାଣର ବାଜରା ମଣ୍ଡିରୁ କିଣିବାକୁ ତାଙ୍କୁ ପ୍ରାୟ ୧୦,୦୦୦ ଟଙ୍କା ଦେବାକୁ ପଡ଼ୁଛି। ‘‘ଆହୁରି ଏବେ ଦରଦାମ ବୃଦ୍ଧିକୁ ଦେଖିଲେ, ଅଧା ଏକର ଜମିରେ ବାଜରା ଚାଷ ପାଇଁ ଆମକୁ ଏହାର ବଜାର ଦରର ପାଖାପାଖି ଅଧା ଖର୍ଚ୍ଚ (ଇନପୁଟ୍‌ ବାବଦରେ) କରିବାକୁ ପଡ଼ୁଛି,’’ ସେ କୁହନ୍ତି। ‘‘ଅନ୍ୟ ଚାଷ ପାଇଁ ଏହି ହିସାବ ମଧ୍ୟ ସମାନ ହେବ। ପ୍ରତ୍ୟେକ ଫସଲ (ଆମ ଚାଷ କରୁଥିବା) ପାଇଁ ଦାମ୍‌ ଦୁଇ ଗୁଣା ହୋଇଯାଇଛି।’’

ଭାନୁବେନ, ଓ ତାଙ୍କର ସ୍ୱାମୀ ଭୋଜଭାଇ, (୩୮) ନିଜର ତିନି ପିଲାଙ୍କ ସହିତ ବନାସକାଣ୍ଠାର କାଙ୍କ୍ରେଜ ତାଲୁକା ସ୍ଥିତ ତୋତନା ଗ୍ରାମରେ ରୁହନ୍ତି। ପୂର୍ବରୁ ଯେତେବେଳେ ସେମାନେ ନିଜ ଜମିରେ ଚାଷ କରୁଥିଲେ, ସେତେବେଳେ ମଧ୍ୟ ଭୋଜଭାଇ କୃଷି ଶ୍ରମିକ ଭାବେ କାମ କରି ରୋଜଗାର କରୁଥିଲେ। କିନ୍ତୁ ୨୦୧୭ ଠାରୁ ତାଙ୍କୁ ସମ୍ପୂର୍ଣ୍ଣ ସମୟ ଶ୍ରମିକ ଭାବେ କାମ କରିବାକୁ ହେଉଛି। ସେ ନିକଟରେ ଥିବା ଚାଷ ଜମି ଏବଂ ଏଠାରୁ ୩୦ କିଲୋମିଟର ଦୂର ପଟାନରେ ଥିବା ନିର୍ମାଣସ୍ଥଳୀରେ କାର୍ଯ୍ୟ କରିଥାନ୍ତି। ‘‘ଏବେ ବି ସେ କାମ ସନ୍ଧାନରେ ବାହାରକୁ ଯାଉଛନ୍ତି। କାମ ମିଳିଲେ ସେ ଦିନକୁ ୨୦୦ ଟଙ୍କା ରୋଜଗାର କରିଥାନ୍ତି,’’ ଭାନୁବେନ କୁହନ୍ତି।

ଭାନୁବେନ ଏବଂ ଭୋଜଭାଇଙ୍କ ସାନ ଝିଅ ସୁହାନା ସେହି ପ୍ରଳୟଙ୍କରୀ ବନ୍ୟା ବର୍ଷ ହିଁ ଜନ୍ମ ନେଇଥିଲା। ତା’ କପାଳରେ ଚୁମା ଦେଇ ଭାନୁବେନ କୁହନ୍ତି, ସେଦିନକୁ ପାଞ୍ଚ ବର୍ଷ ବିତି ସାରିଲାଣି ବୋଲି ମୋର ବିଶ୍ୱାସ ହେଉନାହିଁ।

ବନାସକାଣ୍ଠା, ପଟାନ, ସୁରେନ୍ଦ୍ରନଗର, ଆରାବଲି ଓ ମୋରବୀ ସମେତ ଗୁଜରାଟର ଅଧିକାଂଶ ଜିଲ୍ଲାରେ ଜୁଲାଇ ୨୦୧୭ରେ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା। ଏକ ସମୟରେ ଆରବ ସାଗର ଏବଂ ବଙ୍ଗୋପସାଗରରେ ଦୁଇ ଦୁଇଟି ଲଘୁଚାପ ହେବା ଯୋଗୁ ଏପରି ପ୍ରବଳ ବର୍ଷା ହୋଇଥିଲା। ଏହା ଏକ ବିରଳ ଘଟଣା ଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ର ରିପୋର୍ଟ ଅନୁଯାୟୀ, ୧୧୨ ବର୍ଷ ମଧ୍ୟରେ ସେହି ଥର ରାଜ୍ୟରେ ସର୍ବାଧିକ ବୃଷ୍ଟିପାତ ହୋଇଥିଲା।

PHOTO • Parth M.N.
PHOTO • Parth M.N.

ବନାସକାଣ୍ଠା ଜିଲ୍ଲାର ଟୋଟାନା ଗ୍ରାମରେ ଥିବା ସେମାନଙ୍କ ଘର ବାହାରେ ନିଜ ଝିଅ, ଚାରି ବର୍ଷର ସୁହାନା ସହିତ ଭାନୁବେନ ଭରୱାଡ। ଡାହାଣ : ଆଳୁ କାଟିବା ସମୟରେ ୨୦୧୭ ବନ୍ୟାରେ ସେମାନଙ୍କ ଚାଷ ଜମି କିଭଳି ସମ୍ପୂର୍ଣ୍ଣ ଭାବେ ବୁଡ଼ି ଯାଇଥିଲା ତାହା ଭାନୁବେନ କହୁଛନ୍ତି

ସବୁ ବର୍ଷ ଜୁଲାଇ ମାସରେ ବନାସକାଣ୍ଠାରେ ୩୦ ପ୍ରତିଶତ ସ୍ୱାଭାବିକ ବର୍ଷା ହୋଇଥାଏ କିନ୍ତୁ ସେହି ବର୍ଷ ଜୁଲାଇ ୨୪ରୁ ୨୭ ତାରିଖ ମଧ୍ୟରେ ବାର୍ଷିକ ହାରାହାରୀ ବୃଷ୍ଟିପାତର ୧୬୩ ପ୍ରତିଶତ ବର୍ଷା ହୋଇଥିଲା। ଏହି କାରଣରୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଲା, ନଦୀବନ୍ଧ ଉଚ୍ଛୁଳି ପଡ଼ିଥିଲା ଏବଂ ଅନେକ ସ୍ଥାନରେ ଅଚାନକ ବନ୍ୟା ଆସିଥିଲା। ସବୁଠୁ ଖରାପ ସ୍ଥିତି ସେତିକି ବେଳେ ଦେଖା ଦେଇଥିଲା ଯେତେବେଳେ କାଙ୍କ୍ରେଜ ତାଲୁକା ରେ ଟୋଟାନା ନିକଟସ୍ଥ ଖରିୟା ଗାଁ ପାଖରେ ନର୍ମଦା କେନାଲ ଭାଙ୍ଗିଗଲା।

ବନ୍ୟା କାରଣରୁ ରାଜ୍ୟରେ ସେହି ବର୍ଷ ଅତିକମ୍‌ରେ ୨୧୩ ଜଣ ଲୋକ ପ୍ରାଣ ହରାଇଥିଲେ। ରାଜ୍ୟର ପାଖାପାଖି ୧୧ ଲକ୍ଷ ହେକ୍ଟର ଚାଷ ଜମି ଏବଂ ୧୭,୦୦୦ ହେକ୍ଟର ଉଦ୍ୟାନ କୃଷି ଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିଲା।

‘‘ଆମର ସମ୍ପୂର୍ଣ୍ଣ ଚାଷ ଜମି ବନ୍ୟା ଜଳରେ ବୁଡ଼ି ରହିଥିଲା,’’ ଘର ବାହାରେ ଆଳୁ କାଟୁଥିବା ସମୟରେ ଭାନୁବେନ ସ୍ମରଣ କରି କୁହନ୍ତି। ‘‘ବନ୍ୟା ପାଣିରେ ଜମି ଉପରକୁ ବହୁ ମାତ୍ରାରେ ବାଲି ମାଡ଼ି ଆସିଲା। କିଛି ଦିନ ପରେ ଯଦିଓ ବନ୍ୟା ଛାଡ଼ିଗଲା କିନ୍ତୁ ଜମି ବାଲିଚର ହୋଇଗଲା।’’

ଏବେ ମାଟିରୁ ବାଲି ବାହାର କରିବା ଅସମ୍ଭବ ହୋଇପଡ଼ିଛି। ‘‘ବନ୍ୟା ଆମ ଜମିକୁ ଅନୁର୍ବର କରି ଦେଇଛି,’’ ସେ କୁହନ୍ତି।

ଭାନୁବେନଙ୍କ ପରିବାର ଏବେ କେବଳ ଦିନ ମଜୁରି ଶ୍ରମରୁ ଯାହା ରୋଜଗାର କରୁଛନ୍ତି ସେତିକିରେ ସେମାନଙ୍କ ପରିବାର ପେଟ ପୂରୁଛି। ତେଣୁ ସେମାନଙ୍କ ଖାଦ୍ୟରେ କାର୍ବୋହାଇଡ୍ରେଟ, ପ୍ରୋଟିନ ଓ ପନିପରିବା ଭଳି ଜରୁରି ପୋଷଣର ଅଭାବ ରହୁଛି। ଜନ୍ମ ହେଲା ଦିନରୁ ଛୋଟିଆ ଶିଶୁ ସୁହାନା କେବେ ବି ଭଲ ପୋଷଣଯୁକ୍ତ ଖାଦ୍ୟ ଖାଇ ପାରିନାହିଁ। ‘‘ପୂର୍ବରୁ ଆମ ପାଖରେ ଖାଦ୍ୟଶସ୍ୟ ରହୁଥିଲା, ତେଣୁ ଆମେ କେବଳ ଫଳ ଓ ପନିପରିବା କିମ୍ବା କ୍ଷୀର କିଣୁଥିଲୁ,’’ ଭାନୁବେନ କୁହନ୍ତି। ‘‘କିନ୍ତୁ ଏବେ ଆମେ ସେସବୁରୁ ବଞ୍ଚିତ ହୋଇଛୁ।

‘‘ଶେଷ ଥର ଆମେ କେବେ ସେଓ କିଣିଥିଲୁ, ମୋର ମନେ ନାହିଁ,’’ ସେ କୁହନ୍ତି। ‘‘ଯଦି ଆଜି ଆମେ ଗୋଟିଏ କିଣିବାରେ ସକ୍ଷମ ହେଉଛୁ ଆସନ୍ତାକାଲି ଆମକୁ ରୋଜଗାର ମିଳିବ କି ନାହିଁ ସନ୍ଦେହ ରହିଛି। ତେଣୁ ଅତିରିକ୍ତ ଟଙ୍କା ଆମେ ସଞ୍ଚୟ କରିଥାଉ। ଆମ ଖାଦ୍ୟରେ ମୁଖ୍ୟତଃ ଡାଲି, ଭାତ ଓ ରୁଟି ଥାଏ। ପୂର୍ବରୁ ଆମେ ଖେଚୁଡ଼ି ପ୍ରସ୍ତୁତ କଲେ, ଗୋଟିଏ କିଲୋ ଚାଉଳରେ ୫୦୦ ଗ୍ରାମ ଡାଲି ମିଶାଉଥିଲୁ (ଆବଶ୍ୟକ ପରିମାଣ ଅନୁଯାୟୀ)। କିନ୍ତୁ ଏବେ ମାତ୍ର ୨୦୦ ଗ୍ରାମ କିମ୍ବା ସେହି ପାଖାପାଖି ଡାଲି ମିଶାଇବାକୁ ପଡ଼ୁଛି। ଯେମିତି ହେଉ ଆମର ପେଟ ପୂରିବା ଦରକାର।’’

ତେବେ, ଖାଦ୍ୟ ଅସନ୍ତୁଳନ କାରଣରୁ ଅପପୁଷ୍ଟି ଭଳି ଗମ୍ଭୀର ପରିଣାମ ମିଳୁଛି, ଯାହାକି ଅଧିକ ସମସ୍ୟା ସୃଷ୍ଟି କରୁଛି।

ସୁହାନା ଅଧିକାଂଶ ସମୟରେ ଥକିଯାଏ ଏବଂ ତା’ର ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ଭଲ ନୁହେଁ, ତା’ର ମା’ କୁହନ୍ତି। ‘‘ଆଖପାଖର ଅନ୍ୟ ପିଲାମାନଙ୍କ ଭଳି ସେ ବେଶୀ ସମୟ ଖେଳି ପାରିନଥାଏ ଏବଂ ଖୁବଶୀଘ୍ର ଥକିଯାଏ। ଅଧିକାଂଶ ସମୟରେ ସେ ରୋଗଗ୍ରସ୍ତ ହୋଇପଡ଼େ।’’

PHOTO • Parth M.N.

ସୁହାନା (ବାମ) ନିଜ ବନ୍ଧୁ ମେହଦି ଖାନ (ମଝି) ସହିତ କଥା ହେଉଛି ୨୦୨୧ରେ ଗାଁରେ ଏକ ସର୍ବେକ୍ଷଣ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏହି ଦୁଇ ଜଣଙ୍କ ସମେତ ୫ ବର୍ଷରୁ କମ୍ ୩୭ ଜଣ ପିଲା ଅପପୁଷ୍ଟିର ଶିକାର ହୋଇଥିବା ଜଣାପଡ଼ିଥିଲା

ଜୁନ ୨୦୨୧ରେ ଟୋଟାନାରେ ପିଲାମାନଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ସର୍ବେକ୍ଷଣ କରାଯାଇଥିଲା ଯେଉଁଥିରେ ସୁହାନା ଅପପୁଷ୍ଟିର ଶିକାର ହୋଇଥିବା ଜଣାପଡ଼ିଥିଲା। ଗାଁର ୫ ବର୍ଷରୁ କମ୍‌ ୩୨୦ ଜଣ ପିଲାଙ୍କୁ ସର୍ବେକ୍ଷଣରେ ସାମିଲ କରାଯାଇଥିଲା ସେମାନଙ୍କ ମଧ୍ୟରୁ ସୁହାନାଙ୍କ ସମେତ ୩୭ ଜଣ ପିଲା ଅପପୁଷ୍ଟି ପୀଡ଼ିତ ଥିଲେ। ବନାସକାଣ୍ଠା ଜିଲ୍ଲାରେ ଏହି ସର୍ବେକ୍ଷଣ କରିଥିବା ଗୁଜରାଟର ଏକ ମାନବାଧିକାର ସଂଗଠନ ନବସର୍ଜନ ଟ୍ରଷ୍ଟର ଜଣେ ସାମାଜିକ କର୍ମୀ ମୋହନ ପରମାର କୁହନ୍ତି, ‘‘ପିଲାମାନଙ୍କ ଉଚ୍ଚତା, ଓଜନ ଏବଂ ବୟସ ସଂକ୍ରାନ୍ତ ତଥ୍ୟ ସଂଗ୍ରହ କରାଯାଇ ବିଶ୍ଳେଷଣ କରାଯାଇଥିଲା।’’

ପୋଷଣ ଅଭିଯାନ ଦ୍ୱାରା ଗୁଜରାଟର ପୋଷଣ ସ୍ଥିତି ଉପରେ ପ୍ରକାଶିତ ଏକ ଡାଟା ନୋଟ୍‌ ଅନୁଯାୟୀ, ୨୦୧୯-୨୦ରେ ପ୍ରକାଶିତ ପ୍ରାୟତଃ ସବୁ ସାର୍ବଜନୀନ ସ୍ୱାସ୍ଥ୍ୟ ସୂଚକାଙ୍କରେ ଅହମ୍ମଦାବାଦ, ଭଦୋଦରା ଓ ସୁରଟ ଓ ଅନ୍ୟ ଜିଲ୍ଲା ସମେତ ବନାସକାଣ୍ଠା ଶୀର୍ଷ ୫ଟି ‘ସର୍ବାଧିକ ଚାପଗ୍ରସ୍ତ ଜିଲ୍ଲା’ ମଧ୍ୟରୁ ଅନ୍ୟତମ।

ଏହି ନୋଟ୍‌ରେ, ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ( ଏନଏଫଏଚଏସ-୫ ) ୨୦୧୯-୨୧ରୁ ତଥ୍ୟ ନିଆଯାଇଛି, ଏଥିରେ ଦର୍ଶାଯାଇଛି ଯେ ଗୁଜରାଟରେ ପାଞ୍ଚ ବର୍ଷରୁ କମ୍‌ ୨୩ ଲକ୍ଷ (୨.୩ ନିୟୁତ) ଏବଂ ବନାସକାଣ୍ଠାରେ ୧୭ ଲକ୍ଷ ଶିଶୁ କମ ଓଜନ ସମସ୍ୟାର ଶିକାର ହୋଇଛନ୍ତି। ଏହି ଜିଲ୍ଲାରେ ୧୫ ଲକ୍ଷ ଅବିକଶିତ ଶିଶୁ (ସେମାନଙ୍କ ବୟସ ତୁଳନାରେ) ରହିଛନ୍ତି ଏବଂ ପ୍ରାୟ ୧ ଲକ୍ଷ ଦୁର୍ବଳ ଶିଶୁ (ଉଚ୍ଚତା ତୁଳନାରେ କମ୍‌ ଓଜନ) ଅଛନ୍ତି ଯାହାକି ରାଜ୍ୟର ମୋଟ୍‌ ସଂଖ୍ୟା ତୁଳନାରେ ଯଥାକ୍ରମେ ୬.୫ ଏବଂ ୬.୬ ପ୍ରତିଶତ।

ଦୁର୍ବଳ ପୋଷଣର ମୁଖ୍ୟ କାରଣ ହେଉଛି ଆନିମିଆ (ରକ୍ତହୀନତା), ଭାରତର ସବୁ ରାଜ୍ୟ ମଧ୍ୟରେ ଗୁଜରାଟରେ ଏହି ହାର ସର୍ବାଧିକ : ୮୦ ପ୍ରତିଶତ ରହିଛି। ବନାସକାଣ୍ଠାରେ ପାଞ୍ଚ ବର୍ଷରୁ କମ୍‌ ପାଖାପାଖି ୨.୮ ଲକ୍ଷ ଶିଶୁ ଆନିମିଆର ଶିକାର ଥିବା ଜଣାପଡ଼ିଛି।

ପର୍ଯ୍ୟାପ୍ତ ଖାଦ୍ୟ ନମିଳିବା କାରଣରୁ ସୁହାନାଙ୍କ ଭଳି ଶିଶୁ ଓ ସେମାନଙ୍କ ପରିବାରର ସ୍ୱାସ୍ଥ୍ୟ ବିପନ୍ନ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଦେଖା ଦେଇଥିବା ଗମ୍ଭୀର ପାଣିପାଗ ସ୍ଥିତି ସେମାନଙ୍କ ଜୀବନକୁ ଆହୁରି ଦୁର୍ବିସହ କରି ଦେଇଛି।

ଜଳବାୟୁ ପରିବର୍ତ୍ତନ ଉପରେ ଗୁଜରାଟ ରାଜ୍ୟ କାର୍ଯ୍ୟ ଯୋଜନା ’ରେ ଅତ୍ୟଧିକ ତାପମାତ୍ରା ଓ ବୃଷ୍ଟିପାତ ଏବଂ ସମୁଦ୍ର ସ୍ତର ବୃଦ୍ଧିକୁ ‘‘ମୁଖ୍ୟ ଜଳବାୟୁ ପରିବର୍ତ୍ତନ ବିପଦ’’ ଭାବେ ଦର୍ଶାଯାଇଛି। ଭାରତରେ ମରୁଡ଼ି ଓ ବନ୍ୟାକୁ ନେଇ ଅଧ୍ୟୟନ କରୁଥିବା ଆଣ୍ଟିସିପେଟ୍‌ ରିସର୍ଚ୍ଚ ପ୍ରୋଜେକ୍ଟ ପକ୍ଷରୁ କୁହାଯାଇଛି ଯେ, ଗତ ଦଶନ୍ଧିରେ ଅନିୟମିତ ବର୍ଷା ଏବଂ ଅଚାନକ ବନ୍ୟା ସ୍ଥାନୀୟ ଲୋକଙ୍କ ପାଇଁ ଏକ ନୂଆ ସମସ୍ୟା ନେଇ ଆସିଛି। ଏହି ପ୍ରକଳ୍ପର ଗବେଷକମାନେ କହିଛନ୍ତି ଯେ, ବନାସକାଣ୍ଠାରେ ଚାଷୀ ଓ ଅନ୍ୟମାନେ ‘‘ବାରମ୍ବାର ମରୁଡ଼ି ଓ ବନ୍ୟା ଦେଖା ଦେଉଥିବା କାରଣରୁ ଚାଷୀମାନେ ଏବେ ଏହାର ମୁକାବିଲା କରିପାରୁନାହାନ୍ତି।’’

PHOTO • Parth M.N.
PHOTO • Parth M.N.

ବାମ : ଆଲାଭାଇ ପରମାର ତାଙ୍କର ତିନି ବର୍ଷର ନାତି ଯୁବରାଜ ସହିତ ସୁଦର୍ଶନ ଗ୍ରାମସ୍ଥିତ ନିଜ ଘରେ ଅଛନ୍ତି ଡାହାଣ : ଟୋଟାନା ଗ୍ରାମରେ ବାଲିଚର ହୋଇଯାଇଥିବା ଏକ ଚାଷ ଜମି

ଚଳିତ ବର୍ଷ ମୌସୁମୀ ଋତୁରେ ଆଲାଭାଇ ପରମାର (୬୦) ଚାରିଟି ଫସଲ ହରାଇଥିଲେ। ‘‘ମୁଁ ଫସଲ ବୁଣିଥିଲି, କିନ୍ତୁ ବର୍ଷା ଆସି ସବୁ ଧୋଇନେଲା,’’ ସେ କୁହନ୍ତି। ବନାସକାଣ୍ଠା ଜିଲ୍ଲାର ସୁଦର୍ଶନ ଗ୍ରାମରେ ଥିବା ନିଜ ଘରେ ବସିଥିବା ସମୟରେ ସେ କୁହନ୍ତି, ‘‘ଆମେ ଏଥର ଗହମ, ବାଜରା ଓ ଯଅ ଲଗାଇଥିଲୁ। ଇନପୁଟ ଖର୍ଚ୍ଚ (ଚାଷ ଖର୍ଚ୍ଚ) ବାବଦରେ ମୁଁ ୫୦,୦୦୦ ଟଙ୍କା ହରାଇଲି’’।

ଚାଷୀଙ୍କ ଉତ୍ପାଦନ ହ୍ରାସ ପାଇଥିବା ସମ୍ପର୍କରେ ସୂଚନା ଦେଇ ଆଲାଭାଇ କୁହନ୍ତି, ‘‘ଏବେ ପାଗ କେମିତି ହେବ ଆକଳନ କରିବା ସମ୍ଭବ ନୁହେଁ।’’ ସେ କୁହନ୍ତି ଯେ, କୃଷି ଶ୍ରମିକ ଭାବେ କାମ କରିବା ଲାଗି ସେମାନେ ଏବେ ବାଧ୍ୟ ହେଉଛନ୍ତି। ‘‘ଯଦିଓ ଆମ ପାଖରେ ୧୦ ଏକର ଚାଷ ଜମି ରହିଛି, ତଥାପି ମୋ ପୁଅ ଅନ୍ୟ କାହାର କ୍ଷେତ କିମ୍ବା ନିର୍ମାଣ ସ୍ଥଳୀରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛି।’’

୧୫-୨୦ ବର୍ଷ ପୂର୍ବରୁ କୃଷି କାର୍ଯ୍ୟ ଏତେ ସମସ୍ୟାବହୁଳ ନଥିଲା ବୋଲି ଆଲାଭାଇ କୁହନ୍ତି। ‘‘ଆମକୁ ସମସ୍ୟା ହେଉଥିଲା,’’ ସେ କୁହନ୍ତି। ‘‘କିନ୍ତୁ ବର୍ତ୍ତମାନ ସମୟ ଭଳି ଏତେ ଅଧିକ ବୃଷ୍ଟିପାତ ହେଉନଥିଲା; ଏବେ ଆଦୌ ହାଲୁକା ବର୍ଷା ହେଉ ନାହିଁ। ଏଭଳି ପରିସ୍ଥିତିରେ ଆପଣ ଭଲ ଚାଷ କିପରି କରିପାରିବେ?’’

୨୦୧୦-୧୧ରୁ ୨୦୨୦-୨୧ ଦଶନ୍ଧିରେ ଗୁଜରାଟରେ ମୋଟ୍‌ ଖାଦ୍ୟଶସ୍ୟ ଫସଲ କ୍ଷେତ୍ର (ଶସ୍ୟ ଓ ଡାଲି) ୪.୯ ନିୟୁତରୁ ୪.୬ ନିୟୁତ (୪୯ ଲକ୍ଷରୁ ୪୬ ଲକ୍ଷ) ହେକ୍ଟରକୁ ହ୍ରାସ ପାଇଛି। ଯଦିଓ ଧାନ ଚାଷ କ୍ଷେତ୍ର ପ୍ରାୟ ୧,୦୦,୦୦୦ ହେକ୍ଟର ବୃଦ୍ଧି ପାଇଛି ଗହମ, ବାଜରା ଓ ଯଅ ଭଳି ଶସ୍ୟ ଅମଳ କ୍ଷେତ୍ର ଏହି ସମୟ ଅବଧିରେ ବିଶେଷ ଭାବେ ହ୍ରାସ ପାଇଛି। ବନାସକାଣ୍ଠା ଜିଲ୍ଲାରେ ମୁଖ୍ୟତଃ ବାଜରା ଶସ୍ୟ ଅମଳ ହେଉଥିଲା, କିନ୍ତୁ ଏବେ ଏହି ଫସଲ ଚାଷ କ୍ଷେତ୍ର ପ୍ରାୟ ୩୦,୦୦୦ ହେକ୍ଟର ହ୍ରାସ ପାଇଛି।

ଏହି ଦଶନ୍ଧି ମଧ୍ୟରେ ଗୁଜରାଟରେ ଶସ୍ୟ – ମୁଖ୍ୟତଃ ମିଲେଟ୍‌ (ମୋଟା ଶସ୍ୟ) ଏବଂ ଗହମ- ଉତ୍ପାଦନ ୧୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡାଲି ଉତ୍ପାଦନ ୧୭୩ ପ୍ରତିଶତ ବୃଦ୍ଧି ପାଇଛି।

ଆଲା ଭାଇ ଓ ଭାନୁବେନଙ୍କ ପରିବାର କାହିଁକି ସେମାନଙ୍କ ଖାଦ୍ୟ ଭାବେ ମୁଖ୍ୟତଃ ଡାଲି ଓ ଭାତ ସେବନ କରୁଛନ୍ତି ଏହା ହିଁ ତାହାର ପ୍ରମୁଖ କାରଣ।

ଖାଦ୍ୟ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ଅହମ୍ମଦାବାଦର ଜଣେ ସୂଚନା ଅଧିକାର କର୍ମୀ ପଂକ୍ତି ଯୋଗ କୁହନ୍ତି ଯେ, ଚାଷୀମାନେ ଏବେ ଅର୍ଥକରୀ ଫସଲ (ତମାଖୁ, ଆଖୁ) ଉତ୍ପାଦନ ଆଡ଼କୁ ମୁହାଁଇଛନ୍ତି। ‘‘ଏହା ପରିବାରର ଖାଦ୍ୟ ପ୍ରଣାଳୀ ଓ ଖାଦ୍ୟ ସୁରକ୍ଷାକୁ ପ୍ରଭାବିତ କରୁଛି,’’ ସେ କୁହନ୍ତି।

PHOTO • Parth M.N.
PHOTO • Parth M.N.

ବାମ: କମ୍‌ ଓଜନ ଏବଂ ଦୁର୍ବଳ ରୋଗ ପ୍ରତିଷେଧକ ଶକ୍ତି ଥିବା କାରଣରୁ ଯୁବରାଜକୁ ନେଇ ଆଲାଭାଇ ଚିନ୍ତିତ। ଡାହାଣ : ଯୁବରାଜ ଓ ତା’ର ପିତା ସେମାନଙ୍କ ଘରେ

ଦରଦାମ୍‌ ବୃଦ୍ଧି କାରଣରୁ ଆଲାଭାଇ ଶସ୍ୟ ଓ ପନିପରିବା କିଣି ପାରୁନାହାନ୍ତି। ‘‘ନିୟମିତ ଚାଷ ହେଲେ, ଗୃହପାଳିତ ପ୍ରାଣୀ ମଧ୍ୟ ଖାଦ୍ୟ ପାଇଥାନ୍ତି,’’ ସେ କୁହନ୍ତି। ‘‘ଯଦି ଅମଳ ଭଲ ନହେଲା ତା’ହେଲେ ଗୋଖାଦ୍ୟ ନିଅଣ୍ଟ ମଧ୍ୟ ଦେଖା ଦେଇଥାଏ ଏବଂ ଆମକୁ ଏହା ବଜାରରୁ କିଣିବାକୁ ପଡ଼େ। ତେଣୁ ଯାହା ଶସ୍ତାରେ ମିଳେ ଆମେ କିଣିଥାଉ।’’

ଆଲାଭାଇ ନିଜର ତିନି ବର୍ଷର ନାତି ଯୁବରାଜକୁ ନେଇ ଚିନ୍ତିତ। ଅପପୁଷ୍ଟି କାରଣରୁ ତା’ର ଓଜନ ବୃଦ୍ଧି ହେଉନାହିଁ। ‘‘ତା’ର ଦୁର୍ବଳ ରୋଗ ପ୍ରତିଷେଧକ ଶକ୍ତିକୁ ନେଇ ମୁଁ ଚିନ୍ତିତ,’’ ଆଲାଭାଇ କୁହନ୍ତି। ‘‘ନିକଟସ୍ଥ ସରକାରୀ ଡାକ୍ତରଖାନା ଏଠାରୁ ୫୦ କିଲୋମିଟର ଦୂରରେ ରହିଛି, ହଠାତ୍‌ ତା’ର ଦେହ ଖରାପ ହେଲେ ଆମେ କ’ଣ କରିବୁ?’’

ଯୋଗ କୁହନ୍ତି, ‘‘ଅପପୁଷ୍ଟିର ଶିକାର ଶିଶୁମାନେ ଅଧିକ ରୋଗଗ୍ରସ୍ତ ହୋଇଥାନ୍ତି।’’ ରାଜ୍ୟରେ ସରକାରୀ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ଖରାପ ଥିବା କାରଣରୁ ଲୋକମାନେ ବାଧ୍ୟ ହୋଇ ସରକାରୀ ଡାକ୍ତରଖାନାକୁ ଯାଉଥିବା ନେଇ ସେ ସୂଚନା ଦେଇଥାନ୍ତି। ‘‘ଚିକିତ୍ସା ଖର୍ଚ୍ଚ ଅଧିକାଂଶ ପରିବାର ପାଇଁ ଏକ ବୋଝ,’’ ସେ କୁହନ୍ତି। ‘‘ଜନଜାତି ବହୁଳ କ୍ଷେତ୍ର (ବନାସକାଣ୍ଠା ଭଳି), ଏହା ବନ୍ଧକ (ବା ଋଣ) ର ଏକ ପ୍ରମୁଖ କାରଣ।’’

ଯୋଗ କୁହନ୍ତି ଯେ, ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଖାଦ୍ୟ ଯୋଜନାଗୁଡ଼ିକରେ ସ୍ଥାନୀୟ ଖାଦ୍ୟ ଅଭ୍ୟାସ ପ୍ରତି ଧ୍ୟାନ ଦିଆଯାଏ ନାହିଁ। ‘‘ସମସ୍ତଙ୍କୁ ଆପଣ ସମାନ ଖାଦ୍ୟ ଦେଇପାରିବେ ନାହିଁ। ବିଭିନ୍ନ କ୍ଷେତ୍ର ଏବଂ ସମୁଦାୟ ମଧ୍ୟରେ ଭିନ୍ନ ଭିନ୍ନ ଖାଦ୍ୟ ଅଭ୍ୟାସ ରହିଥାଏ,’’ ସେ କୁହନ୍ତି। ‘‘ଗୁଜରାଟରେ ନିରାମିଷ ଖାଦ୍ୟାଭ୍ୟାସକୁ ବଢ଼ାଇବା ଲାଗି ଏକ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ନିୟମିତ ଆମିଷ ଖାଦ୍ୟ ଓ ଅଣ୍ଡା ଖାଉଥିବା କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଏହା ଅପବିତ୍ର ବୋଲି ସେମାନେ ଏବେ ଭାବୁଛନ୍ତି।’’

ପରିବର୍ଦ୍ଧିତ ଜାତୀୟ ପୋଷଣ ସର୍ବେକ୍ଷଣ ୨୦୧୬-୧୮ର ତଥ୍ୟ ଅନୁଯାୟୀ, ଜାତୀୟ ହାରାହାରି ୪୩.୮ ପ୍ରତିଶତ ତୁଳନାରେ ଗୁଜରାଟରେ ୬୯.୧ ପ୍ରତିଶତ ମା’ମାନେ ନିରାମିଷ ଖାଦ୍ୟ ଖାଇଥିଲେ। ୨-୪ ବର୍ଷ ବୟସ୍କ ଶିଶୁଙ୍କ ମଧ୍ୟରେ, ମାତ୍ର ୭.୫ ପ୍ରତିଶତ ଶିଶୁଙ୍କୁ ପୁଷ୍ଟିସାରର ଏକ ପ୍ରମୁଖ ଉତ୍ସ ଭାବେ ପରିଚିତ ଅଣ୍ଡା ଖାଇବାକୁ ମିଳିଥିଲା। ଯଦିଓ ୫-୯ ବର୍ଷ ବୟସ୍କ ୧୭ ପ୍ରତିଶତ ଶିଶୁଙ୍କୁ ଅଣ୍ଡା ଖାଇବାକୁ ମିଳିଥିଲା, ତଥାପି ଏହି ସଂଖ୍ୟା ଖୁବ୍‌ କମ୍‌।

ଜୀବନର ପ୍ରଥମ ଦୁଇ ବର୍ଷ ସୁହାନାକୁ ଭଲ ଖାଦ୍ୟ ମିଳିନଥିବା ନେଇ ଭାନୁବେନ ଅବଗତ ଅଛନ୍ତି। ‘‘ତା’କୁ ଭଲ ଖାଦ୍ୟ ଦେବାକୁ ଲୋକମାନେ ଆମକୁ କହୁଛନ୍ତି,’’ ସେ କୁହନ୍ତି। ‘‘ଆମ ପାଇଁ ଏହା ଅଧିକ ବ୍ୟୟସାପେକ୍ଷ ତେଣୁ ଆମେ କ’ଣ କରିବୁ? ଏମିତି ଏକ ସମୟ ଥିଲା ଯେତେବେଳେ ଆମେ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଉଥିଲୁ। ସୁହାନାର ଦୁଇ ବଡ଼ ଭାଇ ଅଛନ୍ତି। କିନ୍ତୁ ଆମ ଜମି ଅନୁର୍ବର ହେବା ପୂର୍ବରୁ ସେମାନେ ଜନ୍ମ ନେଇଥିଲେ। ସେମାନେ ଅପପୁଷ୍ଟିର ଶିକାର ନୁହନ୍ତି।’’

ଠାକୁର ଫ୍ୟାମିଲି ଫାଉଣ୍ଡେସନ ପକ୍ଷରୁ ମିଳୁଥିବା ନିରପେକ୍ଷ ସାମ୍ବାଦିକତା ଅନୁଦାନ ଜରିଆରେ ପାର୍ଥ ଏମ.ଏନ ଜନ ସ୍ୱାସ୍ଥ୍ୟ ଓ ନାଗରିକ ସ୍ୱାଧୀନତା ଉପରେ ରିପୋର୍ଟ ସଂଗ୍ରହ କରିଥାନ୍ତି। ଏହି ରିପୋର୍ଟର ସମ୍ପାଦକୀୟ ବିଷୟବସ୍ତୁ ଉପରେ ଠାକୁର ଫ୍ୟାମିଲି ଫାଉଣ୍ଡେସନର କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Editor : Vinutha Mallya

Vinutha Mallya is a journalist and editor. She was formerly Editorial Chief at People's Archive of Rural India.

Other stories by Vinutha Mallya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE