ଦିନର ପ୍ରଥମ ବିକ୍ରି ସମୟ ହୋଇଯାଇଛି। ଶିବପୁରୱା ଗ୍ରାମରେ ଏକ ନଳକୂପ ପାଖରେ ଛିଡ଼ା ହୋଇଥିବା ୯-୧୦ ଜଣ ମହିଳାମାନଙ୍କ ପାଖରେ ବଚୁ ନିଜ ମୋଟରସାଇକେଲ ଅଟକାଇ ଦେଲେ। ସେ ମହିଳାମାନଙ୍କୁ କହିଲେ, “ଦିଦି, ଦୟାକରି ଡିଜାଇନ ଦେଖନ୍ତୁ। ଆପଣମାନଙ୍କୁ ସିଦ୍ଧି ବଜାରରେ ଥିବା ବଡ଼ ବଡ଼ ଦୋକାନରେ ମଧ୍ୟ ଏପରି ଶାଢ଼ି ମିଳିବ ନାହିଁ। ପସନ୍ଦ ହେଲେ କିଣିବେ, ନହେଲେ ନାହିଁ।”

ଏହାପରେ, ବଚୁ ଦିନର ବହିନି କରିବା ଲାଗି ଅଧିକ ରିହାତି ଦେବା ଲାଗି ମଧ୍ୟ ପ୍ରସ୍ତୁତ ହୋଇଗଲେ : “ଦେଖିବାକୁ ଗଲେ ପ୍ରତ୍ୟେକ ଶାଢ଼ିର ଦାମ୍ ୭୦୦ ଟଙ୍କା, କିନ୍ତୁ ମୁଁ ମାତ୍ର ୪୦୦ ଟଙ୍କାରେ ଦେବାକୁ ରାଜି ଅଛି...।”

ପ୍ରତ୍ୟେକ ମହିଳା ଗଣ୍ଠିଲି ଭିତରୁ ୧୫-୨୦ଟି ଶାଢ଼ି ଏପାଖ-ସେପାଖ କରି ଦେଖିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଲେ, ସେ ଗୋଟିଏ ଶାଢ଼ି ପାଇଁ ୧୫୦ ଟଙ୍କା ଦେବେ। ଏଥିରେ ଅସନ୍ତୁଷ୍ଟ ହୋଇ ବଚୁ ନିଜର ଗଣ୍ଠିଲିକୁ ସଜାଡ଼ି ବାନ୍ଧିବା ଆରମ୍ଭ କରୁଛନ୍ତି, ଗଣ୍ଠିଲିକୁ ରଶିରେ ବାନ୍ଧିବା ସମୟରେ ଚିଡ଼ିଚିଡ଼ା ଢଙ୍ଗରେ ସେ କହିଥିଲେ ଯେ, ଶାଢ଼ିର କିଣା ମୂଲ୍ୟ ୨୫୦ଟଙ୍କା। ସେହି ମହିଳା ଯିଏ ସେଦିନ ବଚୁଙ୍କ ପ୍ରଥମ ଗ୍ରାହକ ହୋଇଥାନ୍ତେ, ସେ ପୁଣିଥରେ ନଳକୂପ ଆଡ଼କୁ ଫେରି ଗଲେ।

ନିରାଶ ହୋଇ, ବଚୁ ନିଜର ମୋଟର ସାଇକେଲ ରାସ୍ତାରେ ଆଗକୁ ଥିବା ଗ୍ରାମ ମଡ଼ୱା ଆଡ଼କୁ ଯାତ୍ରା କଲେ। ସେ ସ୍ଥାନୀୟ ବଘେଲୀ ଭାଷାରେ ବିରକ୍ତି ହୋଇ କୁହନ୍ତି, “ବେଳେ ବେଳେ ଲୋକମାନେ ଅଧିକ ସମୟ ନଷ୍ଟ କରି ଦେଇଥାନ୍ତି, କିନ୍ତୁ କିଛି କିଣନ୍ତି ନାହିଁ। ଶାଢ଼ି ଖୋଲିବା, ଭାଙ୍ଗିବା ଏବଂ ପୁଣି ଗଣ୍ଠିଲିରେ ବାନ୍ଧିବାରେ ଆମର ବହୁତ ସମୟ ନଷ୍ଟ ହୋଇଯାଇଥାଏ।”

ସେ ପାଖାପାଖି ତିନି କିଲୋମିଟର ପରେ ପଡ଼ୁଥିବା ମଡ଼ୱା ଗାଁର ନଳକୂପ ନିକଟରେ ପାଣି ପିଇବା ଲାଗି ଅଟକିଥା’ନ୍ତି। ସେ କୁହନ୍ତି, “ମୁଁ ଘରୁ ବାହାରିବାର ଚାରି ଘଣ୍ଟା ହୋଇସାରିଲାଣି, କିନ୍ତୁ ମୁଁ ଏଯାଏଁ ବହିନି (ଦିନର ପ୍ରଥମ ବିକ୍ରି ଯାହାକୁ ଶୁଭ ବୋଲି ଗ୍ରହଣ କରାଯାଏ) କରିପାରିନାହିଁ। ଆଜି ସକାଳେ ମୁଁ ଗାଡ଼ିରେ ୧୫୦ ଟଙ୍କାର ପେଟ୍ରୋଲ ପକାଇଥିଲି ଏବଂ ବର୍ତ୍ତମାନ ସୁଦ୍ଧା ସେତିକି ଟଙ୍କା ବି ରୋଜଗାର କରିପାରିପାହିଁ।”

Bachu (with his son Puspraj on the left) visits 9-10 villages across 30 to 50 kilometres on his motorcycle to sell sarees, chatais and other items
PHOTO • Anil Kumar Tiwari
Bachu (with his son Puspraj on the left) visits 9-10 villages across 30 to 50 kilometres on his motorcycle t o sell sarees, chatais and other items

ବଚୁ (ବାମ : ନିଜ ପୁଅ ପୁଷ୍ପରାଜଙ୍କ ସହିତ) ନିଜ ମୋଟର ସାଇକେଲରେ ୩୦ ରୁ ୫୦ କିଲୋମିଟର ଯାତ୍ରା କରି, ୯-୧୦ ଟି ଗାଁକୁ ଯାଇ ଶାଢ଼ି, ଚଟେଇ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି କରିଥାନ୍ତି

ବଚୁ ଜୟସୱାଲ ସେଦିନ ସକାଳ ପାଖାପାଖି ୧୦ଟା ସମୟରେ, ଉତ୍ତର ପ୍ରଦେଶ ସୀମାକୁ ଲାଗିଥିବା ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଥିବା ନିଜ ଘରୁ ବାହାରିଥିଲେ। ସେ ଏବଂ ଅନ୍ୟ ଫେରିବାଲା (ବୁଲି ବୁଲି ସାମଗ୍ରୀ ବିକ୍ରି କରୁଥିବା) ଏହି ଅଞ୍ଚଳର ଗ୍ରାମୀଣ କ୍ଷେତ୍ରରେ ଘରକୁ ଘର ଯାଇ ଶାଢ଼ି, କମ୍ବଳ, ବେଡସିଟ, କୁଶନ କଭର, ଚଟେଇ, ପ୍ଲାଷ୍ଟିକ ଜୋତା ଏବଂ ଅନ୍ୟ ସାମଗ୍ରୀ ସୁଲଭ ମୂଲ୍ୟରେ ବିକ୍ରି କରିଥାନ୍ତି। ସେ ପ୍ରାୟତଃ ସାମଗ୍ରୀ ପାଇକାରୀ ଦରରେ ମୋଟ ଆକାରରେ ମଧ୍ୟପ୍ରଦେଶର କଟନୀ ଜିଲ୍ଲାରେ ଥିବା ବଡ଼ ବଜାରରୁ କିଣିଥାନ୍ତି। ଏ ବଜାର ତାଙ୍କ ଘର ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହିଛି। ତାଙ୍କର ଗ୍ରାହକ ଅଧିକାଂଶ ମହିଳା, ସେମାନେ ପ୍ରାୟତଃ ବଡ଼ ବଜାର ପର୍ଯ୍ୟନ୍ତ ଯାଇପାରନ୍ତି ନାହିଁ।

ଏହି ମହିଳାମାନଙ୍କ ମଧ୍ୟରେ, ସିଦ୍ଧି ଜିଲ୍ଲାଠାରୁ ପାଖାପାଖି ୨୦ କିଲୋମିଟର ଦୂର ସଦଲା ଗ୍ରାମର ୩୨ ବର୍ଷୀୟା ଚାଷୀ ମଧୁ ମିଶ୍ରା ମଧ୍ୟ ସାମିଲ ରହିଛନ୍ତି। ସେ କୁହନ୍ତି, “ମୋ ପାଇଁ ଫେରିବାଲାଙ୍କଠାରୁ ସାମଗ୍ରୀ କିଣିବା ଖୁବ୍‌ ସହଜ, କାରଣ ମୋତେ ଚାଷ କାମରୁ ଫୁରସତ ମିଳେ ନାହିଁ। ତେଣୁ ମୁଁ ବଜାର ଯାଇପାରେ ନାହିଁ। ମୁଁ ପ୍ରତି ବର୍ଷ ୩-୪ଟି ଶାଢ଼ି ଏବଂ ୪-୫ଟି ବେଡଶିଟ କିଣିଥାଏ। ପ୍ରଥମେ ବଚୁ ମୋତେ ୨୦୦ ଟଙ୍କାରେ ଏକ ଭଲ ଶାଢ଼ି ଏବଂ ୧୦୦ ଟଙ୍କାରେ ଗୋଟିଏ ବେଡଶିଟ୍ ଦେଉଥିଲେ। କିନ୍ତୁ ଏବେ ସେ ଗୋଟିଏ ଶାଢ଼ିକୁ ୨୫୦ଟଙ୍କାରୁ ଅଧିକ ଏବଂ ବେଡଶିଟ୍ ପାଇଁ ୧୫୦ ଟଙ୍କାରୁ ଅଧିକ ଟଙ୍କା ନେଇଥାନ୍ତି। ମୁଁ ଏତେ ଟଙ୍କା ଖର୍ଚ୍ଚ କରିବାକୁ ସକ୍ଷମ ନୁହେଁ ।”

ତେବେ, ବଚୁ କୁହନ୍ତି ଯେ ଏପରି କରିବାକୁ ସେ ବାଧ୍ୟ ହେଉଛନ୍ତି। ସେ କୁହନ୍ତି, ବାରମ୍ବାର ପେଟ୍ରୋଲ ଦାମ୍ ବଢ଼ିବା କାରଣରୁ, ତାଙ୍କ ଭଳି ଛୋଟ ବ୍ୟବସାୟୀ ବରବାଦ୍ ହୋଇଯାଉଛନ୍ତି।

୨୯ ସେପ୍ଟେମ୍ବର, ୨୦୨୧ରେ ମଧ୍ୟପ୍ରଦେଶରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି ୧୧୦ ଟଙ୍କା ଟପିଥିଲା। ଅନ୍ୟପକ୍ଷରେ, ୨୦୧୯ ମସିହା ସେପ୍ଟେମ୍ବର ମାସରେ ଏହାର ଦାମ ଲିଟର ପ୍ରତି ୭୮ ଟଙ୍କା ଥିଲା (ଦାମ୍ ସାମାନ୍ୟ ହ୍ରାସ ପାଇବା ପୂର୍ବରୁ, ୩ ନଭେମ୍ବର ୨୦୨୧ରେ ପେଟ୍ରୋଲ ଲିଟର ପ୍ରତି ୧୨୦ ଟଙ୍କା ହୋଇଯାଇଥିଲା)। ଦୀର୍ଘ ଦିନ ଧରି, ବଚୁ ଘରୁ ବାହାରିବା ପୂର୍ବରୁ ନିଜ ଗାଡ଼ିରେ ଦୈନିକ ୧୦୦ ଟଙ୍କାରେ ପେଟ୍ରୋଲ ଭରୁଥିଲେ। ପେଟ୍ରୋଲ ଦାମ୍ ବଢ଼ିବା ପରେ ସେ ଦିନକୁ ୧୫୦ ଟଙ୍କାର ପେଟ୍ରୋଲ ଭରୁଛନ୍ତି, ତଥାପି ପେଟ୍ରୋଲ ପରିମାଣ କମିଯାଇଛି; ଏହି କାରଣରୁ ସେ ଏବେ ନିଜ ଗଣ୍ଠିଲି ସହିତ କମ୍ ଗାଁ ବୁଲିପାରୁଛନ୍ତି।

ଦୁଇ ଦଶକରୁ ଅଧିକ ସମୟ ଧରି ଏଣେତେଣେ ବୁଲି ସେଲ୍ସମ୍ୟାନ ଭାବେ କାମ କରୁଥିବା ବଚୁ, ପରିବାରର ଋଣ, ରୋଗ ଏବଂ ଏପରିକି ଲକଡାଉନ ହେବା ପରେ ମଧ୍ୟ ଜୀବନ ନିର୍ବାହ କରିବାରେ ସଫଳ ହୋଇପାରିଥିଲେ। ତେବେ, ପେଟ୍ରୋଲ ଦାମ୍ ବଢ଼ିବା କାରଣରୁ ଏବେ ତାଙ୍କ ପାଇଁ ବଡ଼ ସମସ୍ୟା ଛିଡ଼ା ହୋଇଛି। ସେ କୁହନ୍ତି, କିଛି ବର୍ଷ ହେବ ଲଗାତାର ଦରଦାମ ବୃଦ୍ଧି ଓ ବିକ୍ରି ହ୍ରାସ ପାଇବା କାରଣରୁ ବହୁସଂଖ୍ୟକ ଫେରିବାଲା ଏ କାମ ଛାଡ଼ି ଦେଲେଣି। ସେମାନେ ଏବେ ଦିନ ମଜୁରିଆ କାମ କରୁଛନ୍ତି କିମ୍ବା ବେକାର ହୋଇ ବସି ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା କୌଣସି ଯୋଜନାର ସୁବିଧା ପାଇବା ଲାଗି ସେମାନେ ଯୋଗ୍ୟ ନୁହନ୍ତି, କାରଣ ତାଙ୍କ ପାଖରେ ଲାଇସେନ୍ସ ନାହିଁ କିମ୍ବା ସେମାନଙ୍କୁ ବିକ୍ରେତା ଭାବେ ମାନ୍ୟତା ମିଳିନାହିଁ ଅଥବା ସେମାନଙ୍କୁ କୌଣସି ଯୋଜନାରେ ସାମିଲ କରାଯାଇନାହିଁ। (ଏହି ଷ୍ଟୋରୀରେ ସାମିଲ ଭିଡିଓରେ, ସିଦ୍ଧି ଜିଲ୍ଲାର ଟିକଟ କଲାନ ଗ୍ରାମର ଫେରିବାଲା ଯଜ୍ଞନାରାୟଣ ଜୟସୱାଲ ସମାନ ପ୍ରକାରର ସମସ୍ୟା ବିଷୟରେ କହୁଛନ୍ତି)

କିଛି ବର୍ଷ ହେବ ଲଗାତାର ଦରଦାମ ବୃଦ୍ଧି ଓ ବିକ୍ରି ହ୍ରାସ ପାଇବା କାରଣରୁ ବହୁସଂଖ୍ୟକ ଫେରିବାଲା ଏ କାମ ଛାଡ଼ି ଦେଲେଣି। ସେମାନେ ଏବେ ଦିନ ମଜୁରିଆ କାମ କରୁଛନ୍ତି କିମ୍ବା ବେକାର ହୋଇ ବସି ରହିଛନ୍ତି

ଭିଡିଓ ଦେଖନ୍ତୁ : ସିଦ୍ଧି ଜିଲ୍ଲାର ଜଣେ ଫେରିବାଲା ଯଜ୍ଞନାରାୟଣ ଜୟସୱାଲ କୁହନ୍ତି, ‘ଏବେ ସମସ୍ୟା ହେଉଛି ଯେ ପେଟ୍ରୋଲ ଦାମ୍ ଆକାଶଛୁଆଁ ହୋଇଯାଇଛି‘

୪୫ ବର୍ଷୀୟ ବଚୁ କୁହନ୍ତି ଯେ ସାଧାରଣତଃ, ଫେରିବାଲାମାନଙ୍କର ଏହି ବ୍ୟବସାୟ ଗୋଟିଏ ପରେ ଗୋଟିଏ ପିଢ଼ି ଧରି ଚାଲିଆସିଛି। ପୂର୍ବରୁ ଏଥିରେ ଲାଭ ହେଉଥିଲା। ୧୯୯୫ରେ ସେ ଏହି ବ୍ୟବସାୟ ଆରମ୍ଭ କରିଥିଲେ, ସେତେବେଳର ସମୟ ସମ୍ପର୍କରେ ମନେ ପକାଇ ସେ କୁହନ୍ତି, “ମୁଁ ଆରମ୍ଭରୁ ଛଅ ବର୍ଷ ପର୍ଯ୍ୟନ୍ତ, ମୁଣ୍ଡରେ ଲୁଗା ଗଣ୍ଠିଲି ମୁଣ୍ଡେଇ ଚାଲୁଥିଲି।” ସେ ଅନୁମାନ କରି କୁହନ୍ତି, ଗଣ୍ଠିଲିର ଓଜନ ପାଖାପାଖି ୧୦ କିଲୋଗ୍ରାମ ରହୁଥିଲା। ସେ ଆହୁରି କୁହନ୍ତି, “ପ୍ରଥମେ ପ୍ରଥମେ ମୁଁ ସବୁଦିନ ୭-୮ କିଲୋମିଟର ଚାଲି ଚାଲି ସାମଗ୍ରୀ ବିକ୍ରି କରିବା ଆରମ୍ଭ କଲି, ସେଥିରୁ ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ନେଉଥିଲି ।”

୨୦୦୧ରେ, ବଚୁ ଏକ ସାଇକେଲ କିଣିଲେ। ସେ କୁହନ୍ତି, “ଏହାପରେ ମୁଁ ସବୁଦିନ ପାଖାପାଖି ୧୫-୨୦ କିଲୋମିଟର ପର୍ଯ୍ୟନ୍ତ ବୁଲି ବିକିବା ଆରମ୍ଭ କଲି। ମୁଁ ପୂର୍ବାପେକ୍ଷା କମ୍ ଥକ୍କା ଅନୁଭବ କଲି। ମୁଁ ୫୦୦ରୁ ୭୦୦ ଟଙ୍କାର ସାମଗ୍ରୀ ବିକ୍ରି କରୁଥିଲି ଏବଂ ୧୦୦ରୁ ୨୦୦ ଟଙ୍କା (ଲାଭ) ମଧ୍ୟରେ ରୋଜଗାର କରିପାରୁଥିଲି।

୨୦୧୫ରେ ଫେରିବାଲା ଭାବେ ବଚୁ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଲେ। ସେ ନିଜ ବନ୍ଧୁଙ୍କ ଠାରୁ ୧୫ ହଜାର ଟଙ୍କାରେ ଏକ ସେକେଣ୍ଡ ହ୍ୟାଣ୍ଡ ହିରୋହୋଣ୍ଡା ମୋଟର ସାଇକେଲ କିଣିଲେ। “ଏହାପରେ, ମୁଁ ମୋଟରସାଇକେଲରେ ୩୦ ରୁ ୪୦ କିଲୋମିଟର ପର୍ଯ୍ୟନ୍ତ ବୁଲିବା ଆରମ୍ଭ କଲି ଏବଂ ସେଥିରୁ ଦୈନିକ ୫୦୦ରୁ ୭୦୦ ଟଙ୍କା ରୋଜଗାର ହେଲା।” ସେ ୯ରୁ ୧୦ଟି ଗାଁ ବୁଲୁଥିଲେ, ଏଥିମଧ୍ୟରୁ କେତେକ ଗାଁ ୫୦-୬୦ କିଲୋମିଟର ଦୂରରେ ରହିଛି।

ପୂର୍ବରୁ ଏବଂ ଆଜି ମଧ୍ୟ, ବଚୁ କେବଳ ଶୀତ ଏବଂ ଗ୍ରୀଷ୍ମ ମାସ (ନଭେମ୍ବରରୁ ମଇ ମାସ ପର୍ଯ୍ୟନ୍ତ)ରେ ହିଁ ସାମଗ୍ରୀ ବିକ୍ରି କରିଥାନ୍ତି। ସେ କୁହନ୍ତି, “ଆମେ ବର୍ଷା ଋତୁ (ଜୁନ୍ ମଧ୍ୟଭାଗରୁ ସେପ୍ଟେମ୍ବର ପର୍ଯ୍ୟନ୍ତ)ରେ ବୁଲି ବୁଲି ସାମଗ୍ରୀ ବିକ୍ରି କରିବାକୁ ଏଡ଼ାଇ ଥାଉ, କାରଣ ଏହି ଦିନରେ ଆମର ଗଣ୍ଠିଲି ଓଦା ହୋଇପାରେ ଏବଂ ସବୁ ସାମଗ୍ରୀ ଖରାପ ହୋଇଯିବାର ଆଶଙ୍କା ରହିଥାଏ। ଏଥିସହିତ କାଦୁଅ କାରଣରୁ ଗାଁ ରାସ୍ତା ବନ୍ଦ ହୋଇଯାଇଥାଏ।”

ଖରା ଦିନେ ମଧ୍ୟ ସାମଗ୍ରୀ ବିକ୍ରି କରିବା କଷ୍ଟକର ହୋଇଥାଏ। ସେ କୁହନ୍ତି, “୪୫ ଡିଗ୍ରୀ (ସେଲସିୟସ) ତାପମାତ୍ରା ଥିଲେ, ଏ ଭୀଷଣ ଗରମରେ ଘଣ୍ଟା ଘଣ୍ଟା ମୋଟରସାଇକେଲ ଚଲାଇବା ଅତି କଷ୍ଟକର ହୋଇଥାଏ। ତଥାପି, ଆମେ ଗରମରେ ଯେତିକି ହୋଇପାରିବ ସେତିକି ରୋଜଗାର କରିବା ଲାଗି ଚେଷ୍ଟା କରିଥାଉ, ଯାହାଫଳରେ ବର୍ଷା ଋତୁରେ ରୋଜଗାର ବନ୍ଦ ହୋଇଯିବା କାରଣରୁ ହେଉଥିବା କ୍ଷତିର ଭରଣା ହୋଇପାରିବ।”

Driving a motorbike for hours in the searing heat when the temperature is 45 degrees [Celsius] is extremely tough'. (On the right is Sangam Lal, a feriwala from Tikat Kalan village, whose father, Jagyanarayan Jaiswal, is featured in the video with this story)
PHOTO • Anil Kumar Tiwari
Driving a motorbike for hours in the searing heat when the temperature is 45 degrees [Celsius] is extremely tough'. (On the right is Sangam Lal, a feriwala from Tikat Kalan village, whose father, Jagyanarayan Jaiswal, is featured in the video with this story)
PHOTO • Anil Kumar Tiwari

୪୫ ଡିଗ୍ରୀ (ସେଲସିୟସ) ତାପମାତ୍ରା ଥିଲେ, ଏ ଭୀଷଣ ଖରାରେ ମୋଟର ସାଇକେଲ ଚଳାଇବା ଖୁବ କଷ୍ଟକର କାମ ହୋଇଥାଏ; (ଡାହାଣ ପାଖ ଫଟୋରେ ଟିକଟ କଲ ଗ୍ରାମର ଜଣେ ଫେରିବାଲା ସଙ୍ଗମଲାଲ ଛିଡ଼ା ହୋଇଛନ୍ତି, ତାଙ୍କ ପିତା ଯଜ୍ଞନାରାୟରଣ ଜୟସ ୱାଲ ଏହି ଷ୍ଟୋରୀରେ ଥିବା ଭିଡିଓରେ ଅଛନ୍ତି)

ଲକଡାଉନ ବେଳେ ବଚୁ ସଞ୍ଚିତ ଅର୍ଥ ଏବଂ ଚାଷ କାମ କରି ସମୟ ବିତାଇ ଦେଇଥିଲେ। ସିଦ୍ଧି ଜିଲ୍ଲାଠାରୁ ପାଖାପାଖି ୨୦ କିଲୋମିଟର ଦୂରରେ ଥିବା ତାଙ୍କ ଗାଁ କୁବରୀରେ ତାଙ୍କ ପାଖରେ ୦.୫ ଏକର ଜମି ରହିଛି। ସେ ନିଜ ଜମିରେ ଖରିଫ ଋତୁରେ ଧାନ ଏବଂ ରବି ଋତୁରେ ଗହମ ଲଗାଇଥାନ୍ତି। ଚାଷ କରିବା ଲାଗି, ସେ ପ୍ରତି ମାସ ନିଜର ଫେରି କାମରୁ କିଛି ଦିନ ପାଇଁ ଛୁଟି ନେଇଥାନ୍ତି। ସେ କୁହନ୍ତି, “ପ୍ରତି ବର୍ଷ ପାଖାପାଖି ୩୦୦ କିଲୋ ଗହମ ଏବଂ ୪୦୦ କିଲୋ ଧାନ (ଏହାକୁ ପରିବାର ଲୋକଙ୍କ ବ୍ୟବହାର ପାଇଁ ରଖାଯାଇଥାଏ) ଉତ୍ପାଦନ ହୋଇଥାଏ, ଆମେ ଡାଲି ଏବଂ ଅନ୍ୟ ଖାଦ୍ୟଶସ୍ୟ ବଜାରରୁ କିଣିଥାଉ।”

ମାର୍ଚ୍ଚ ୨୦୨୧ରେ କୋଭିଡ ୧୯ର ଦ୍ୱିତୀୟ ଲହରୀ ଆରମ୍ଭ ହେବା ସମୟରେ ବଚୁଙ୍କୁ କରୋନା ହୋଇଯାଇଥିଲା। ସେ କୁହନ୍ତି, “ମୁଁ ଦୁଇ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବିଛଣାରେ ପଡ଼ି ରହିଲି ଏବଂ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇବା ଚକ୍କରରେ ପାଖାପାଖି ୨୫,୦୦୦ ଟଙ୍କା ଖର୍ଚ୍ଚ ହୋଇଗଲା।”

ବଚୁଙ୍କ ୪୩ ବର୍ଷୀୟା ପତ୍ନୀ ପ୍ରମିଳା ଜୟସୱାଲ କୁହନ୍ତି, “ସେତେବେଳେ ଆମ ପାଖରେ କୌଣସି ରୋଜଗାର ସାଧନ ନଥିଲା। ସେ ସମୟରେ, ମୋ ବାପା (ଯିଏକି ଜଣେ କୃଷକ) ଆମକୁ ଚାରିଟି ଗାଈ ଉପହାର ଦେଇଥିଲେ। ସେହି ଗାଈମାନଙ୍କ ଠାରୁ ମୋତେ ଏବେ ପ୍ରତିଦିନ ପାଞ୍ଚ ଲିଟର କ୍ଷୀର ମିଳିଥାଏ, ଏହାକୁ ମୁଁ ମୋ କଲୋନୀରେ ବିକ୍ରି କରି ପ୍ରତି ମାସରେ ୩,୦୦୦-୪,୦୦୦ ଟଙ୍କା ରୋଜଗାର କରି ନେଇଥାଏ।

ଦ୍ୱିପ୍ରହର ସମୟରେ, ପ୍ରମିଳା ସିଦ୍ଧି ଜିଲ୍ଲାର ଉପକଣ୍ଠରେ ଥିବା ଘାସ ପଡ଼ିଆକୁ ନିଜର ଗାଈମାନଙ୍କ ପାଇଁ ଗୋଖାଦ୍ୟ ଆଣିବା ପାଇଁ ଯାଇଥାନ୍ତି। ସନ୍ଧ୍ୟା ପାଖାପାଖି ୬ଟା ସମୟରେ, ଯେତେବେଳେ ବଚୁ ଫେରିବାଲା କାମ ସାରି ଘରକୁ ଫେରିଥାନ୍ତି, ଗୋରୁମାନଙ୍କୁ ଖାଇବାକୁ ଦେବା ଓ ଗୁହାଳ ସଫା କରିବା କାମରେ ପତ୍ନୀଙ୍କୁ ସହାୟତା କରିଥାନ୍ତି।

ଲକଡାଉନ ପୂର୍ବରୁ ପ୍ରମିଳା ପରିବା ବିକ୍ରି କରୁଥିଲେ। ସେ କୁହନ୍ତି, “୨୦୧୦ରେ ମୁଁ ମୋ ମୁଣ୍ଡ ଉପରେ ପନିପରିବା ଟୋକେଇ ଥୋଇ, ଆଖପାଖ କଲୋନୀରେ ପନିପରିବା ବିକ୍ରି କରିବା ଆରମ୍ଭ କରିଥିଲି। ପ୍ରତିଦିନ ମୁଁ କମ୍‌ ଦରରେ ପରିବା କିଣିବା ଲାଗି ତିନି କିଲୋମିଟର ପାଦରେ ଚାଲି ଚାଲି ପରିବା ମଣ୍ଡିକୁ ଯାଉଥିଲି ଏବଂ ଦିନକୁ ୧୦୦-୧୫୦ ଟଙ୍କା ରୋଜଗାର କରି ନେଉଥିଲି।” ଫେବୃଆରୀ ୨୦୨୦ରେ, ନିଜର ୨୨ ବର୍ଷୀୟା ସାନ ଝିଅ ପୂଜାର ବାହାଘର ପରେ, ସେ ପନିପରିବା ବିକ୍ରି କାମ ବନ୍ଦ କରିଦେଇଥିଲେ। ସେ କୁହନ୍ତି, “ମୁଁ ପନିପରିବା ବିକ୍ରି କରିବାକୁ ଗଲେ, ସେ ପରିବାର ପାଇଁ ରୋଷେଇ କରୁଥିଲା। ତା’ର ବାହାଘର ପରେ, ମୋତେ ହିଁ ରୋଷେଇ କରିବାକୁ ପଡ଼ୁଛି।”

Pramila, Bachu's wife (centre) began selling milk in the colony during the lockdown; their son Puspraj (right) hopes to find a government job after college
PHOTO • Anil Kumar Tiwari
Pramila, Bachu's wife (centre) began selling milk in the colony during the lockdown; their son Puspraj (right) hopes to find a government job after college
PHOTO • Anil Kumar Tiwari
Pramila, Bachu's wife (centre) began selling milk in the colony during the lockdown; their son Puspraj (right) hopes to find a government job after college
PHOTO • Anil Kumar Tiwari

ବଚୁଙ୍କ ପତ୍ନୀ ପ୍ରମିଳା (ମଝି) ଲକଡାଉନ ମଧ୍ୟରେ, କଲୋନୀରେ କ୍ଷୀର ବିକ୍ରି କରିବା ଆରମ୍ଭ କରିଥିଲେ; ତାଙ୍କ ପୁଅ ପୁଷ୍ପରାଜ (ଡାହାଣ) କଲେଜ ପାଠ ଶେଷ ହେବା ପରେ ସରକାରୀ ଚାକିରି ଆଶାରେ ରହିଛନ୍ତି

ପ୍ରମିଳା ଓ ବଚୁଙ୍କର ଆହୁରି ଦୁଇ ସନ୍ତାନ ଅଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ସବୁଠୁ ବଡ଼ ଝିଅ ସଙ୍ଗୀତା ଏବଂ ଅନ୍ୟ ଜଣେ ପୁଷ୍ପରାଜ। ସଙ୍ଗୀତାଙ୍କ ବୟସ ୨୬ ବର୍ଷ ଏବଂ ୨୦୧୩ରେ ତାଙ୍କର ବାହାଘର ହୋଇଯାଇଛି; ଅନ୍ୟପଟେ ପୁଷ୍ପରାଜଙ୍କ ବୟସ ୧୮ ବର୍ଷ ଓ ସେ କଲେଜରେ ପଢ଼ୁଛନ୍ତି।

ପ୍ରମିଳା କୁହନ୍ତି, “ଆମ ପିଲାମାନଙ୍କୁ ଘରୋଇ ସ୍କୁଲରେ ପଢ଼ାଇବାର ସାମର୍ଥ୍ୟ ଆମ ପାଖରେ ନାହିଁ, ଏହା ସତ୍ତ୍ୱେ ମଧ୍ୟ ଆମେ ଆମ ସବୁ ପିଲାମାନଙ୍କୁ ଘରୋଇ ସ୍କୁଲରେ ହିଁ ପାଠ ପଢ଼ାଇଥିଲୁ।” ପୂଜାର ବାହାଘର ଖର୍ଚ୍ଚ ଏବଂ ଯୌତୁକ କାରଣରୁ ସେମାନଙ୍କ ଉପରେ ଋଣ ଭାର ବଢ଼ିଯାଇଛି। ସେହି ଋଣ ମଧ୍ୟରୁ ୧ ଲକ୍ଷ ଟଙ୍କା ଏବେ ସୁଦ୍ଧା ବକେୟା ରହିଛି। ସେ ଆହୁରି କୁହନ୍ତି, “ମୁଁ ଜାଣିନାହିଁ ଯେ ଏ ଉଧାର ମୁଁ କିଭଳି ସୁଝିବି।”

ପୁଷ୍ପରାଜ ଏକ ସ୍ଥାନୀୟ ଡାଏରୀରେ ସହାୟକ ଭାବେ କାମ କରନ୍ତି ଏବଂ ପ୍ରତ୍ୟେକ ଦିନ ୧୫୦ ଟଙ୍କା ରୋଜଗାର କରିଥାନ୍ତି। ଏହି ରୋଜଗାରରେ ସେ ନିଜ କଲେଜ ଫି’ ଭରିଥାନ୍ତି। ସେ କୁହନ୍ତି, “ମୁଁ କୋଚିଂ (ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କିମ୍ବା ସରକାରୀ ଚାକିରିରେ ଆବେଦନ ଲାଗି) କ୍ଲାସରେ ନାମ ଲେଖାଇବା ଲାଗି ଟଙ୍କା ଯୋଗାଡ଼ କରିବାକୁ କାମ କରୁଛି ।” ସେ ଆହୁରି କୁହନ୍ତି, “କେହି ଗ୍ରାହକ ନଥିଲେ ମୋତେ ଡାଏରୀରେ ପଢ଼ିବା ଲାଗି ଅନୁମତି ମିଳିଥାଏ।”

ତେବେ ପେଟ୍ରୋଲ ଦର ଲଗାତର ବଢ଼ିବା କାରଣରୁ, ପରିବାର ନାନା ସମସ୍ୟା ଦେଇ ଗତି କରୁଛି। ବଚୁ କୁହନ୍ତି, “ଲକଡାଉନ ପୂର୍ବରୁ (ମାର୍ଚ୍ଚ ୨୦୨୦ରେ), ପେଟ୍ରୋଲ ଦର ଲିଟର ପ୍ରତି ପାଖାପାଖି ୭୦-୮୦ ଟଙ୍କା ଥିଲା, ମୁଁ ପ୍ରତି ମାସ ୭ରୁ ୮ ହଜାର ଟଙ୍କା ରୋଜଗାର କରିପାରୁଥିଲି। ପୂର୍ବରୁ ଗ୍ରାମୀଣ ଇଲାକାରେ ଆମ ସାମଗ୍ରୀର ଅଧିକ ଚାହିଦା ଥିଲା। ବହୁ ଗ୍ରାହକ ଆମକୁ ଅପେକ୍ଷା କରି ରହୁଥିଲେ, ଯାହାଫଳରେ ସେମାନେ ଆମଠାରୁ ପୋଷାକ କିଣିପାରିବେ।”

ବଚୁ ଆହୁରି କୁହନ୍ତି, “ଏବେ ପେଟ୍ରୋଲ ଦାମ ସହିତ ପରିବହନ ଖର୍ଚ୍ଚ ମଧ୍ୟ ଲଗାତାର ବଢ଼ିଚାଲିଛି। ଏହା ସତ୍ତ୍ୱେ, ଲୋକମାନେ ଆମ ଠାରୁ ପୁରୁଣା ଦାମ୍‌ରେ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ଲାଗି ଚାହୁଁଛନ୍ତି କିମ୍ବା ଏପରି ନହେଲେ ସାମଗ୍ରୀ କିଣିବାକୁ ମନା କରି ଦେଉଛନ୍ତି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରିବା ସତ୍ତ୍ୱେ, ମୁଁ ୨୦୦ ଟଙ୍କା ସୁଦ୍ଧା ଅତି କଷ୍ଟରେ ରୋଜଗାର କରିପାରୁଛି। ପେଟ୍ରୋଲ ଦାମ୍‌ ବଢ଼ିବା କାରଣରୁ, ଆମ ବ୍ୟବସାୟ ବାରମ୍ବାର କ୍ଷତି ସହିଚାଲିଛି।

ଅନୁବାଦ : ଓଡ଼ିଶାଲାଇଭ୍‍

Anil Kumar Tiwari

Anil Kumar Tiwari is a freelance journalist based in Sidhi town of Madhya Pradesh. He mainly reports on environment-related issues and rural development.

Other stories by Anil Kumar Tiwari
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE