ସୁପାରୀ ପୁତେଲଙ୍କର ଠିକ୍ ଭାବେ ମନେ ନାହିଁ ଯେ ସେ ଗୋଟିଏ‍ ଦଶନ୍ଧି ମଧ୍ୟରୁ କେତେ ସମୟ ଡାକ୍ତରଖାନା ଭିତରେ ବିତାଇଛନ୍ତି।

ଏତେ ଲମ୍ବା ସମୟ ଧରି, ସେ ନିଜର ୧୭ ବର୍ଷୀୟ ପୁଅର ଚିକିତ୍ସା ଲାଗି ଓଡ଼ିଶା ଓ ଛତିଶଗଡ଼ର ଡାକ୍ତରଖାନାକୁ ଦୌଡ଼ି ଚାଲିଥିଲେ। ଏବଂ ପୁଣି, କିଛିଦିନ ପର୍ଯ୍ୟନ୍ତ, ନିଜର ସ୍ୱାମୀ ସୁରେଶ୍ୱରଙ୍କ ପାଇଁ ମୁମ୍ବାଇ ଯାତ୍ରା କରିଥିଲେ।

୨୦୧୯ରେ ଚାରି ମାସର ଅନ୍ତରାଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା, ଯାହାଫଳରେ ସୁପାରୀଙ୍କୁ ଦୁଃଖର ବୋଝ ମାଡ଼ି ବସିଥିଲା।

ତାଙ୍କର ସ୍ୱାମୀ ସୁରେଶ୍ୱର ମାତ୍ର ୪୪ ବର୍ଷ ବୟସ୍କ ଥିଲେ। ସେପ୍ଟେମ୍ବର ୨୦୧୯ରେ ସେ ଓ ସୁପାରୀ ମୁମ୍ବାଇ ପଳାୟନ କରିଥିଲେ-ଯାହାକି ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଥିବା ସେମାନଙ୍କ ଘର ଠାରୁ ପାଖାପାଖି ୧,୪୦୦ କିମି ଦୂରରେ ଅବସ୍ଥିତ। ଶ୍ରମିକମାନଙ୍କର ଏକ ସ୍ଥାନୀୟ ଏଜେଣ୍ଟ ସେମାନଙ୍କୁ ନିର୍ମାଣ ସ୍ଥଳୀରେ ଚାକିରି କରିବା ଲାଗି ଭର୍ତ୍ତି କରିଥିଲା। “ଆମେ ଆମ ଋଣ ପରିଶୋଧ କରିବା ଓ ନିଜର ଘର (କୋଠା)କୁ ସମ୍ପୂର୍ଣ୍ଣ କରିବା ଲାଗି କିଛି ଟଙ୍କା ରୋଜଗାର କରିବାକୁ ଯାଇଥିଲୁ”, ସୁପାରୀ କହିଥିଲେ। ଦୁହେଁ ମିଶି, ଦୈନିକ ମଜୁରି ଆକାରରେ ୬୦୦ ଟଙ୍କା ରୋଜଗାର କରୁଥିଲେ।

“ଦିନେ ସନ୍ଧ୍ୟାରେ, ମୁମ୍ବାଇରେ ନିର୍ମାଣ ସ୍ଥଳୀରେ କାମ କରିବା ସମୟରେ ମୋ ସ୍ୱାମୀଙ୍କୁ ଖୁବ ଜୋରରେ ଜ୍ୱର ଆସିଲା”, ୪୩ ବର୍ଷୀୟା ସୁପାରୀ, ତୁରେକେଲା ବ୍ଲକରେ ୯୩୩ ଜଣ ଲୋକଙ୍କ ଜନସଂଖ୍ୟା ବିଶିଷ୍ଟ ଗ୍ରାମ, ହିଆଲରେ ନିଜର ମାଟି ଘର ଆଗରେ ତଳେ ବସି ରହି, ପୂର୍ବ କଥା ସବୁ ସ୍ମରଣ କରି କହୁଥିଲେ। ସେ ଓ ତାଙ୍କର ପରିବାର ମାଳୀ ଜାତି, ଓବିସି ବର୍ଗର ଅଟନ୍ତି।

ସୁପାରୀ ଓ ନିର୍ମାଣ ସ୍ଥଳୀର ସୁପରଭାଇଜର ସୁରେଶ୍ୱରଙ୍କୁ ଅଟୋ ରିକ୍ସାରେ ଓ ଆମ୍ବୁଲାନ୍ସରେ ସହର ପରିଧି ମଧ୍ୟରେ ଥିବା ତିନୋଟି ଡାକ୍ତରଖାନାକୁ ନେଇଯାଇଥିଲେ, ଏବଂ ଶେଷରେ ଉତ୍ତର-ମଧ୍ୟ ମୁମ୍ବାଇର ସାୟନ ସ୍ଥିତ ଲୋକମାନ୍ୟ ତିଲକ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲରେ ପହଞ୍ଚାଇଥିଲେ।

“ପ୍ରତ୍ୟେକ ଡାକ୍ତରଖାନା ଆମକୁ ଅନ୍ୟ ଡାକ୍ତରଖାନାକୁ ପଠାଉଥିଲା କାରଣ (ସେତେବେଳେ) ଆମ ପାଖରେ ଆମର ଆଧାର କାର୍ଡ ଓ ଅନ୍ୟ କାଗଜପତ୍ର ନଥିଲା,” ସୁପାରୀ କହିଥିଲେ। “ତାଙ୍କ ଠାରେ କାମଳ(ଜଣ୍ଡିସ)ର ଲକ୍ଷଣ ଥିଲା। ତାଙ୍କ ଶରୀର ଅଣ୍ଟାଠାରୁ ତଳକୁ ପକ୍ଷାଘାତ ଗ୍ରସ୍ତ ହୋଇଯାଇଥିଲା, ସେଥିପାଇଁ ମୁଁ ତାଙ୍କ ପାଦକୁ ଆଉଁସି ଦେଉଥିଲି”, ସେ କହିଥିଲେ, କିନ୍ତୁ ରୋଗ ବିଷୟରେ ତାଙ୍କ ପାଖରେ ସଠିକ ସୂଚନା ନଥିଲା। ପରଦିନ ୬ ନଭେମ୍ବର, ୨୦୧୯ରେ ସୁରେଶ୍ୱରଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।

Supari Putel in front of her mud house and the family's incomplete house (right) under the Pradhan Mantri Awaas Yojana: 'This house cost me my husband'
PHOTO • Anil Sharma
Supari Putel in front of her mud house and the family's incomplete house (right) under the Pradhan Mantri Awaas Yojana: 'This house cost me my husband'
PHOTO • Anil Sharma

ସୁପାରୀ ପୁତେଲ ନିଜର ମାଟି ଘର ଆଗରେ ଏବଂ (ଡାହାଣ) ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ପରିବାରର ଅର୍ଦ୍ଧନିର୍ମିତ ଘର : ‘ଏହି ଘର ପାଇଁ ମୋ ସ୍ୱାମୀଙ୍କର ଜୀବନ ଗଲା’

“ସୁପରଭାଇଜର ମୋତେ ମୁମ୍ବାଇରେ ହିଁ ତାଙ୍କର ଅନ୍ତିମ ସଂସ୍କାର କରିବା ଲାଗି କହିଲେ କାରଣ ଶବକୁ ଓଡ଼ିଶା ନେବାରେ ଯଥେଷ୍ଟ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ମୁଁ ତାଙ୍କ କଥା ମାନିନେଲି”, ସୁପାରୀ କୁହନ୍ତି। “ଅନ୍ତିମ ସଂସ୍କାର ପାଇଁ ସୁପରଭାଇଜର ଟଙ୍କା ଦେଇଥିଲେ ଏବଂ ମୋର ବକେୟା ଟଙ୍କା ଫେରାଇ ଦେବା ପରେ ମୋତେ ଘରକୁ ପଠାଇ ଦେଲେ। ଗୋଟିଏ ହାତରେ ମୋ ସ୍ୱାମୀଙ୍କର ଅସ୍ଥି ଓ ଅନ୍ୟ ହାତରେ ତାଙ୍କର ମୃତ୍ୟୁ ପ୍ରମାଣ ପତ୍ର ଥିଲା”, ସେ କହିଥିଲେ। ମଜୁରି ଆକାରରେ ମିଳିଥିବା ୬,୦୦୦ ଟଙ୍କା ମଧ୍ୟରୁ କିଛି ଟଙ୍କା ସେ ୧୧ ନଭେମ୍ବର, ୨୦୧୯ରେ ନିଜ ଭାଇ ସହିତ ଟ୍ରେନରେ ଘରକୁ ଫେରିବା ଲାଗି ଟିକେଟରେ ଖର୍ଚ୍ଚ କରି ଦେଇଥିଲେ। ତାଙ୍କ ଭାଇ ତାଙ୍କୁ ଫେରାଇ ଆଣିବା ଲାଗି ବଲାଙ୍ଗିର କରଲାବହଲୀ ଗ୍ରାମରୁ ମୁମ୍ବାଇ ଯାଇଥିଲେ।

ମୁମ୍ବାଇ ଯିବା ପୂର୍ବରୁ, ସୁପାରୀ ଓ ସୁରେଶ୍ୱର ନିଜର ଗାଁରେ, ବଲାଙ୍ଗିରର କଣ୍ଟାବାଞ୍ଜି ସହର କିମ୍ବା ଛତିଶଗଡ଼ର ରାୟପୁର ସହରରେ ମଜୁରି କାମ କରୁଥିଲେ, ଏବଂ ଉଭୟ ଦୈନିକ ୧୫୦ ଟଙ୍କା ଲେଖାଏଁ ରୋଜଗାର କରୁଥିଲେ। (ଓଡ଼ିଶା ସରକାରଙ୍କ ଜୁଲାଇ ୨୦୨୦ର ବିଜ୍ଞପ୍ତିରେ ଏହି ପରିମାଣକୁ “ଅଣକୁଶଳୀ” ଶ୍ରେଣୀର ଶ୍ରମିକମାନଙ୍କ ପାଇଁ ସର୍ବନିମ୍ନ ମଜୁରି ୩୦୩.୪୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି)। ସୁରେଶ୍ୱରଙ୍କ ଛଅ ଭାଇଙ୍କ ସହିତ ତାଙ୍କର ଭାଗ ଜମି ଥିଲା (ସୁପାରୀ ଏହା କହିପାରିଲେ ନାହିଁ ଯେ ତାଙ୍କ ପାଖରେ କେତେ ଜମି ଥିଲା), କିନ୍ତୁ ଏହି କ୍ଷେତ୍ରରେ ପାଣି ଅଭାବ କାରଣରୁ ସେ ଏହି ଜମିରେ ଚାଷ କରୁନଥିଲେ।

ସୁପାରୀ କୁହନ୍ତି ଯେ ୨୦୧୬ ଏବଂ ୨୦୧୮ ମଧ୍ୟରେ, ସେ ଦୁଇ ଥର ଇଟା ଭାଟିରେ କାମ କରିବା ଲାଗି ‘ମାଡ୍ରାସ’ ଯାଇଥିଲେ। “ମୋ ପିଲାମାନେ ବଡ଼ ହେଉଥିଲେ ଏବଂ ବିଦ୍ୟାଧର ରୋଗରେ ପଡ଼ୁଥିଲା, ସେଥିପାଇଁ ଆମକୁ ଟଙ୍କାର ଆବଶ୍ୟକତା ଥିଲା। ସେ ୧୦ ବର୍ଷ ପର୍ଯ୍ୟନ୍ତ ଅସୁସ୍ଥ ଥିଲା।”

ବିଦ୍ୟାଧର ତାଙ୍କର ମଝିଆଁ ସନ୍ତାନ ଥିଲା। ସୁପାରୀଙ୍କର ଏକ ବଡ଼ ଝିଅ, ୨୨ ବର୍ଷୀୟା ଜନନୀ, ଏବଂ ଏକ ସାନ ପୁଅ, ୧୫ ବର୍ଷୀୟ ଧନୁଧର ଅଛନ୍ତି। ତାଙ୍କର ୭୧ ବର୍ଷୀୟା ଶାଶୂ ସୁଫୁଲ ମଧ୍ୟ ପରିବାର ସହିତ ରହିଥାନ୍ତି। ସେ ନିଜର ସ୍ୱାମୀ ଲୁକାନାଥ ପୁତେଲଙ୍କ ସହିତ ଜଣେ ଚାଷୀ ଭାବେ କାମ କରୁଥିଲେ (ଯାହାଙ୍କର ମୃତ୍ୟୁ ଘଟିସାରିଛି) ଏବଂ ଏବେ ବୃଦ୍ଧାବସ୍ଥାରେ ଭତ୍ତା ପାଇ ଚଳୁଛନ୍ତି। ଜନନୀଙ୍କ ବାହାଘର ୧୮ ବର୍ଷ ବୟସରେ, ୨୦୧୭ରେ ନୂଆପଡ଼ା ଜିଲ୍ଲାର ସିକୁଆନ ଗ୍ରାମର ଏକ ପରିବାରରେ ହୋଇଥିଲା। ଏବଂ ଧନୁଧର, ଦଶମ ଶ୍ରେଣୀ ଛାତ୍ର, ନିଜ ଭାଇର ମୃତ୍ୟୁ ପରେ ଭଉଣୀ ଘରକୁ ଚାଲିଯାଇଥିଲା କାରଣ ତାର ମା’-ବାପା କାମ କରିବା ଲାଗି ମୁମ୍ବାଇ ଚାଲିଯାଇଥିଲେ।

ସୁପାରୀ ଜାଣିନଥିଲେ ଯେ ୧୭ ବର୍ଷ ବୟସରେ ତାଙ୍କ ପୁଅକୁ କିପରି ଭାବେ କ୍ୟାନସର ହୋଇଯାଇଥିଲା। ବିଦ୍ୟାଧର ୧୦ ବର୍ଷ ଧରି ରୋଗରେ ସଂଘର୍ଷ କରୁଥିଲା, ଏବଂ ପରିବାର ତା’ର ଚିକିତ୍ସା ଲାଗି ବିଭିନ୍ନ ଡାକ୍ତରଖାନାର ଚକ୍କର କାଟି ଚାଲିଥିଲା। “ଆମେ ତିନି ବର୍ଷ ବୁର୍ଲା ଡାକ୍ତରଖାନା (ସମ୍ବଲପୁର ଜିଲ୍ଲାରେ) ଯାଇଥିଲୁ, ତିନି ବର୍ଷ ବଲାଙ୍ଗିରର ଏକ ଡାକ୍ତରଖାନାକୁ ଯାଇଥିଲୁ ଏବଂ ରାମକୃଷ୍ଣ ଡାକ୍ତରଖାନା ଯାଇଥିଲୁ”, ସେ ମନେ ପକାଇ କୁହନ୍ତି। ଶେଷରେ ସେମାନେ ରାୟପୁରର ଏକ ଘରୋଇ ଡାକ୍ତରଖାନାକୁ ଯାଇଥିଲେ, ଯାହା ସୁପାରୀଙ୍କ ଗାଁ ଠାରୁ ପାଖାପାଖି ୧୯୦ କିମି ଦୂରରେ ରହିଛି। ସେଠାକୁ ଯିବା ଲାଗି କଣ୍ଟାବାଞ୍ଜିରୁ ଟ୍ରେନ ଧରିବାକୁ ପଡ଼ୁଥିଲା, ଯାହାକି ହିଆଲର ସବୁଠୁ ନିକଟବର୍ତ୍ତୀ ରେଳ ଷ୍ଟେସନ।

ଏହି ବର୍ଷଗୁଡ଼ିକରେ ପରିବାର ବିଦ୍ୟାଧରର ଚିକିତ୍ସା ଲାଗି ବନ୍ଧୁ, ସମ୍ପର୍କୀୟ ଓ ସ୍ଥାନୀୟ ସାହୁକାରଙ୍କ ଠାରୁ ଟଙ୍କା ଉଦ୍ଧାର ନେଇଥିଲା। ସୁପାରୀ ନିଜର ପୁଅର ଚିକିତ୍ସା ଲାଗି ୫୦,୦୦୦ ଟଙ୍କା ଯୋଗାଡ଼ କରିବା ଲାଗି, କଣ୍ଟାବାଞ୍ଜିର ଏକ ଦୋକାନରେ ଜନନୀର ଗହଣା ବନ୍ଧା ରଖି ଦେଇଥିଲେ।

Suphul Putel (left), still grieving too, is somehow convinced that Supari, her daughter-in-law, is not being truthful about how Sureswara died: 'My son talked to me on the phone and he seemed to be well...'
PHOTO • Anil Sharma
Suphul Putel (left), still grieving too, is somehow convinced that Supari, her daughter-in-law, is not being truthful about how Sureswara died: 'My son talked to me on the phone and he seemed to be well...'
PHOTO • Anil Sharma

ସୁଫୁଲ ପୁତେଲ (ବାମ) ଏବେ ଅତ୍ୟନ୍ତ ଦୁଃଖୀ ଥିଲେ, ଏବଂ ସେ ଭାବୁଥିଲେ ଯେ ତାଙ୍କର ବୋହୂ, ସୁପାରୀ ଏ ସମ୍ପର୍କରେ ସତ କହୁନଥିଲେ ଯେ ସୁରେଶ୍ୱରଙ୍କର କିପରି ମୃତ୍ୟୁ ଘଟିଲା: ‘ମୋ ପୁଅ ମୋ ସହ ଫୋନରେ କଥା ହୋଇଥିଲା ଏବଂ ସେ ସୁସ୍ଥ ଲାଗୁଥିଲା...’

ଋଣ ଭାର ଯେତେବେଳେ ଆହୁରି ବଢ଼ିଗଲା, ସୁଝିବାର ଚାପରେ, ସ୍ୱାମୀ-ସ୍ତ୍ରୀ ମାର୍ଚ୍ଚ ୨୦୧୯ରେ ମୁମ୍ବାଇ ଚାଲିଯାଇଥିଲେ। କିନ୍ତୁ ସେହି ବର୍ଷ ଜୁନରେ, ଯେତେବେଳେ ତାଙ୍କ ପୁଅର ଦେହ ଖରାପ ହୋଇଗଲା, ସୁପାରୀ ତୁରନ୍ତ ହିଆଲ ଫେରି ଆସିଥିଲେ, ଏବଂ ସୁରେଶ୍ୱର ମଧ୍ୟ ଜୁଲାଇରେ ଗାଁକୁ ଫେରି ଆସିଲେ। “ସେ ଅନେକ ମାସ ଧରି ଅସୁସ୍ଥ ଥିଲା, ଏବଂ ଶେଷରେ ରଥଯାତ୍ରା ସମୟରେ (ଜୁଲାଇରେ) ସେ ପ୍ରାଣ ହରାଇଥିଲା”, ସୁପାରୀ ମନେ ପକାଇ କହିଥିଲେ।

ବିଦ୍ୟାଧର ମୃତ୍ୟୁବରଣ କରିବାର କିଛି ଦିନ ପରେ, ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅନ୍ତର୍ଗତ ଏକ ଘର ମଞ୍ଜୁର ହୋଇଥିଲା। ତାଙ୍କୁ ନୂଆ ଘର ତିଆରି କରିବା ଲାଗି କିସ୍ତି ଆକାରରେ ୧୨୦,୦୦୦ ଟଙ୍କା ମିଳିବାର ଥିଲା। କିନ୍ତୁ ସୁପାରୀ ଓ ସୁରେଶ୍ୱର ପୁଅର ଚିକିତ୍ସା ଲାଗି ଋଣ ପରିଶୋଧ କରିବା ଲାଗି ଟଙ୍କାର ଏକ ଭାଗ ଖର୍ଚ୍ଚ କରିବା ଲାଗି ବାଧ୍ୟ ହୋଇଥିଲେ, ଯାହାଫଳରେ ଘର ତିଆରି ଅଧୁରା ରହିଗଲା। “ମୋତେ ତିନୋଟି କିସ୍ତିରେ ମିଳିଥିବା-ପ୍ରଥମ କିସ୍ତିରେ ୨୦,୦୦୦ ଟଙ୍କା, ଦ୍ୱିତୀୟ କିସ୍ତିରେ ୩୫,୦୦୦ ଟଙ୍କା ଓ ତୃତୀୟ କିସ୍ତିରେ ୪୫,୦୦୦ ଟଙ୍କା ମିଳିଥିଲା। ପ୍ରଥମ ଓ ଦ୍ୱିତୀୟ କିସ୍ତି ଆମେ ଘର ପାଇଁ ବିଭିନ୍ନ ସାମଗ୍ରୀ ଯେପରିକି ସିମେଣ୍ଟ ଓ ପଥର କିଣିବା ଲାଗି ଉପଯୋଗ କଲୁ, କିନ୍ତୁ ଶେଷ କିସ୍ତି ଆମେ ଆମ ପୁଅର ଚିକିତ୍ସା ଲାଗି ଖର୍ଚ୍ଚ କରିଦେଲୁ”, ସୁପାରୀ କହିଥିଲେ।

ଅଗଷ୍ଟ ୨୦୧୯ରେ ଯେତେବେଳେ ତୁରେକେଲା ବ୍ଲକ୍ ଉନ୍ନୟନ କାର୍ଯ୍ୟାଳୟର ଅଧିକାରୀମାନେ ଘର କାମ ନିରୀକ୍ଷଣ କରିବା ଲାଗି ଆସିଲେ, ସେମାନେ ଏହାକୁ ଅଧା-ଅଧୁରା ଥିବା ଦେଖିବାକୁ ପାଇଥିଲେ ଏବଂ ଦମ୍ପତିଙ୍କୁ ଭର୍ତ୍ସନା କରିଥିଲେ। “ସେମାନେ ଆମକୁ ଘର ସମ୍ପୂର୍ଣ୍ଣ କରିବା ଲାଗି କହିଥିଲେ, ଅନ୍ୟଥା ଆମ ବିରୋଧରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଥିଲେ। ସେମାନେ କହିଥିଲେ ଯେ ଯଦି ଆମେ ଘର ସମ୍ପୂର୍ଣ୍ଣ କରିବୁ ନାହିଁ, ତା’ହେଲେ ଆମକୁ ଶେଷ କିସ୍ତି ଟଙ୍କା ମିଳିବ ନାହିଁ”, ସୁପାରୀ କୁହନ୍ତି।

“ମୋ ପୁଅର ମୃତ୍ୟୁ ପାଖାପାଖି ଏକ ମାସ ତଳେ ହୋଇଥିଲା, କିନ୍ତୁ ଶୀଘ୍ର ଶୀଘ୍ର ଆମେ ପୁଣି ଥରେ (ସେପ୍ଟେମ୍ବର ୨୦୧୯ରେ) ମୁମ୍ବାଇ ପଳାୟନ କରିବା ଲାଗି ବାଧ୍ୟ ହେଲୁ ଯାହାଫଳରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରିବା ଲାଗି ଆମେ କିଛି ଟଙ୍କା ରୋଜଗାର କରିପାରିବୁ”, ସୁପାରୀ ନିଜର ମାଟି ଘର ଠାରୁ ପାଖାପାଖି ୨୦ ମିଟର ଦୂର ଅର୍ଦ୍ଧନିର୍ମିତ ଢାଞ୍ଚା ଆଡ଼କୁ ଦେଖାଇ କହିଥିଲେ। ଏଥିରେ ଛାତ, ଝରକା କିମ୍ବା କବାଟ ନଥିଲା, ଏବଂ କାନ୍ଥ ଏବେ ସୁଦ୍ଧା ପ୍ଲାଷ୍ଟର ହୋଇନଥିଲା। “ଏହି ଘର ମୋ ସ୍ୱାମୀଙ୍କ ଜୀବନ ନେଇଗଲା”, ସେ କହିଥିଲେ।

ସୁପାରୀଙ୍କ ଶାଶୂ ସୁଫୁଲ ଏବେ ସୁଦ୍ଧା ଖୁବ ଦୁଃଖୀ ଅଛନ୍ତି, ଏବଂ ସେ ଭାବୁଛନ୍ତି ଯେ ତାଙ୍କ ବୋହୂ ସୁରେଶ୍ୱରଙ୍କ ମୃତ୍ୟୁ କିପରି ଘଟିଲା ସେ ସମ୍ପର୍କରେ ସତ କହିନାହାନ୍ତି । “ମୋ ପୁଅ ମୋ ସହିତ ଫୋନରେ କଥା ହୋଇଥିଲା ଏବଂ ସେ ସୁସ୍ଥ ଲାଗୁଥିଲା। କିଛିଦିନ ପରେ ତା’ର ମୃତ୍ୟୁ ଘଟିବ ବୋଲି ମୋର ବିଶ୍ୱାସ ହେଉନାହିଁ”, ସେ କହିଥିଲେ। ସୁଫୁଲ ଭାବୁଛନ୍ତି ଯେ ନିର୍ମାଣ ସ୍ଥଳୀରେ କାମ କରିବା ସମୟରେ ତାଙ୍କ ପୁଅର ଦୁର୍ଘଟଣାରେ ମୃତ୍ୟୁ ଘଟିଛି, ଏବଂ ସୁପାରୀ ଅସଲ କାରଣ ଲୁଚାଉଛନ୍ତି କାରଣ ସେ ଚାହୁଁନାହାନ୍ତି ଯେ ଏଥିପାଇଁ ତାଙ୍କୁ ଦୋଷୀ କରାଯାଉ। ତେବେ ସୁପାରୀ ଜୋର ଦେଇ କହିଥାନ୍ତି : “ସେ ସବୁବେଳେ ମୋ ଉପରେ ଅଯଥା ଅଭିଯୋଗ କରିଥାନ୍ତି ବାସ୍ତବରେ ଏପରି କିଛି ଘଟିନଥିଲା।”

After losing his father and brother, Dhanudhar (left), her youngest son, says Supari, has lost interest in studying
PHOTO • Anil Sharma
After losing his father and brother, Dhanudhar (left), her youngest son, says Supari, has lost interest in studying

ବାପା ଓ ଭାଇଙ୍କୁ ହରାଇବା ପରେ, ଧନୁଧର (ବାମ) ତାଙ୍କର ସାନ ପୁଅ, ପାଠପଢ଼ାରେ ଆଗ୍ରହ ହରାଇଛନ୍ତି, ସୁପାରୀ କୁହନ୍ତି।

ପରିବାରକୁ ଡିସେମ୍ବର ୨୦୧୯ରେ ଜାତୀୟ ପାରିବାରିକ ଲାଭ ଯୋଜନା ଅନ୍ତର୍ଗତ ୨୦,୦୦୦ ଟଙ୍କା ମିଳିଥିଲା, ଏହି ଯୋଜନା ଅନ୍ତର୍ଗତ ଜୀବିକାର୍ଜନ କରୁଥିବା ପରିବାରର ପ୍ରମୁଖ ସଦସ୍ୟଙ୍କର ମୃତ୍ୟୁ ଘଟିଲେ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। “ମୁଁ ଏହି ଟଙ୍କାର ଉପଯୋଗ ନିଜ ସ୍ୱାମୀଙ୍କ ଦଶ କାମ (ଅନ୍ତ୍ୟେଷ୍ଟି କ୍ରିୟା) ଲାଗି ସମ୍ପର୍କୀୟଙ୍କ ଠାରୁ ନେଇଥିବା ଋଣ ପରିଶୋଧ କରିବାରେ କଲି”, ସୁପାରୀ କହିଥିଲେ। ଡିସେମ୍ବର ୨୦୧୯ ପରଠାରୁ ବିଧବା ଭତ୍ତା ଆକାରରେ ତାଙ୍କୁ ପ୍ରତି ମାସ ୫୦୦ ଟଙ୍କା ମିଳୁଛି।

ନିର୍ମାଣ ସ୍ଥଳୀରେ କାମ କରୁଥିବା ମଜୁରିଆ ରୂପରେ ସୁରେଶ୍ୱରଙ୍କ ପରିବାରକୁ ଓଡ଼ିଶାର କୋଠାବାଡ଼ି ଏବଂ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ନିକଟରୁ ୨୦୦,୦୦୦ ଟଙ୍କାର ‘ଆକସ୍ମିକ ମୃତ୍ୟୁ’ ଲାଭ ମିଳିବା ଉଚିତ୍। କିନ୍ତୁ  ପରିବାର ଏହି ଅର୍ଥରାଶି ଦାବି କରିବା ନିମନ୍ତେ ଯୋଗ୍ୟ ନୁହେଁ କାରଣ ସୁରେଶ୍ୱର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଞ୍ଜୀକରଣ କରିନଥିଲେ। “ଯଦି ଆମକୁ କିଛି ଟଙ୍କା ମିଳିଥାନ୍ତା ତା’ହେଲେ ଏକ ବଡ଼ ସହାୟତା ହୋଇଥାନ୍ତା”, ସୁପାରୀ କହିଥାନ୍ତି। ତାଙ୍କ ଘର ନିର୍ମାଣ ଏବେ ବି ଅଧା ହୋଇ ରହିଛି, ଏବଂ ତାଙ୍କୁ ସମ୍ପର୍କୀୟଙ୍କ ଠାରୁ ଆଣିଥିବା ପାଖାପାଖି ୨୦,୦୦୦ ଟଙ୍କାର ଋଣ ଆହୁରି ଫେରାଇବାକୁ ବାକି ରହିଛି।

ସୁପାରୀ ଏବେ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟା। ସେ ହିଆଲ ଗ୍ରାମ ଏବଂ ଏହାର ଆଖପାଖରେ ମଜୁରି ଲାଗି ଦିନକୁ ୧୫୦ ଟଙ୍କା ଆୟ କରିଥାନ୍ତି। “ମୋତେ ନିୟମିତ କାମ ମିଳିନଥାଏ। ଆମେ ବେଳେ ବେଳେ ଭୋକରେ ରହିଥାଉ”, ସେ କହିଥାନ୍ତି। ଧନୁଧର ନିଜ ଭଉଣୀଙ୍କ ଗାଁରୁ ହିଆଲ ଫେରିଆସିଛନ୍ତି। “ମୋ ପୁଅ ପାଠ ପଢ଼ୁନାହିଁ। ପାଠ ପଢ଼ାରେ ତା’ର ଆଉ ଆଗ୍ରହ ନାହିଁ”, ସୁପାରୀ କୁହନ୍ତି। “ସେ ସ୍କୁଲ ଯିବା ଛାଡ଼ି ଦେଇଛି ଏବଂ ଚଳିତ ବର୍ଷ ବୋର୍ଡ ପରୀକ୍ଷା (ଏପ୍ରିଲ ୨୦୨୧ରେ) ଦେବ ନାହିଁ।”

ଘର ଏବେ ବି ଅଧୁରା ରହିଛି, ଅର୍ଦ୍ଧନିର୍ମିତ କାନ୍ଥ ଓ ଚଟାଣ ଉପରେ ଘାସ ଓ ଗଛ ଉଠିଲାଣି। ସୁପାରୀ ଜାଣିନାହାନ୍ତି ସେ ଏହାକୁ ତିଆରି କରିବା ଲାଗି କେବେ ଏବଂ କିପରି ଟଙ୍କା ଯୋଗାଡ଼ କରିବେ। “ଯଦି ଛାତ ପକାଇବି ନାହିଁ, ବର୍ଷା ଦିନରେ ଏହା (ଆହୁରି ଅଧିକ) କ୍ଷତିଗ୍ରସ୍ତ ହୋଇପଡ଼ିବ। ଗତ ବର୍ଷର ବର୍ଷାରେ ଏହାର କାନ୍ଥ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଯାଇଥିଲା। କିନ୍ତୁ ଯଦି ମୋ ପାଖରେ ଟଙ୍କା ନାହିଁ, ତା’ହେଲେ ମୁଁ କ’ଣ କରିପାରିବି?”

ସୂଚନା : ଏକ ସ୍ଥାନୀୟ ସମ୍ବାଦପତ୍ରରୁ ସୁରେଶ୍ୱରଙ୍କ ମୃତ୍ୟୁ ସମ୍ପର୍କରେ ଖବର ପାଇବା ପରେ, ଏହି ସମ୍ବାଦଦାତା ଏବଂ ତାଙ୍କର ଜଣେ ବନ୍ଧୁ ହିଆଲ ଗ୍ରାମକୁ ଗସ୍ତ କରିଥିଲେ। ସେମାନେ କଣ୍ଟାବାଞ୍ଜିର ଓକିଲ ଏବଂ ସାମାଜିକ କର୍ମୀ, ବି.ପି. ଶର୍ମାଙ୍କ ସହିତ ପରିବାରର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ, ଯିଏକି ଜିଲ୍ଲାପାଳଙ୍କୁ ପତ୍ର ଲେଖି ଆର୍ଥିକ ସହାୟତା ପାଇଁ ଦାବି କରିଥିଲେ। ଜବାବରେ ଜିଲ୍ଲାପାଳ ତୁରେକେଲାର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଶୋକସନ୍ତପ୍ତ ପରିବାରକୁ ଜାତୀୟ ପାରିବାରିକ ଯୋଜନାର ଲାଭ ଅନ୍ତର୍ଗତ ଆର୍ଥିକ ସହାୟତା ମଞ୍ଜୁର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସୁପାରୀଙ୍କୁ ତାଙ୍କର ବ୍ୟାଙ୍କ ଖାତାରେ ୨୦,୦୦୦ ଟଙ୍କା ମିଳିଥିଲା ଏବଂ ତାଙ୍କୁ ବିଧବା ଭତ୍ତା କାର୍ଡ ଯୋଗାଇ ଦିଆଯାଇଥିଲା।

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Anil Sharma

Anil Sharma is a lawyer based in Kantabanji town, Odisha, and former Fellow, Prime Minister’s Rural Development Fellows Scheme, Ministry of Rural Development, Government of India.

Other stories by Anil Sharma