ଦୁଇ ହାତ ବଢ଼ାଇ ଏବେ କେବଳ ତାଙ୍କ ସ୍ମୃତିରେ ରହିଥିବା ଦୂର ଦିଗ୍‌ବଳୟ ଆଡ଼କୁ ଇଙ୍ଗିତ କରନ୍ତି ସୁରେନ୍ଦ୍ରନାଥ ଅବସ୍ଥି। “ଏଇ ସବୁ, ଏବଂ ସେ ସବୁ ମଧ୍ୟ,” ଯେତେ ଦୂର ଯାଏ ସମ୍ଭବ ହାତକୁ ବୁଲାଇ ଆଣି ନିଷ୍ପ୍ରଭ ହସ ସହିତ କହନ୍ତି ସେ।

ସେ କହନ୍ତି,“ଆମେ ତାକୁ ଭଲ ପାଉଥିଲୁ। କେବଳ ତା’ରି ଯୋଗୁଁ ହିଁ ଆମ କୂଅରେ ମାତ୍ର ୧୦ ଫୁଟ୍ ତଳେ ମିଠା ପାଣି ରହୁଥିଲା। ପ୍ରତି ବର୍ଷ ବର୍ଷାଦିନେ ସେ ଆମ ଘର ଯାଏ ମାଡ଼ି ଆସୁଥିଲା। ପ୍ରତି ତିନି ବର୍ଷରେ ଥରେ ସେ ପଶୁବଳି ଚାହୁଁଥିଲା- ପ୍ରାୟତଃ ଛୋଟ ପଶୁଟିଏର। ଯଦିବା, ଥରେ ସେ ମୋର ୧୬ ବର୍ଷର ସଂପର୍କୀୟ ଭାଇକୁ ତା ଗର୍ଭକୁ ଟାଣି ନେଇଥିଲା। ମୁଁ ରାଗିଯାଇଥିଲି ଏବଂ ବହୁ ଦିନ ଧରି ତା ଆଡ଼କୁ ଚାହିଁ ରାଗରେ ଚିତ୍କାର କରିଥିଲି। ହେଲେ ଏବେ ସେ ବହୁ ଦିନ ହେଲା ଆମ ଉପରେ ରାଗିଛି... ବୋଧହୁଏ ଏ ସବୁ ସେଇ ପୋଲଟି ଯୋଗୁଁ,” ଧୀରେ ଧୀରେ ନରମି ଆସି ଥମିଯାଏ ତାଙ୍କ କଣ୍ଠସ୍ୱର।

ଅବସ୍ଥି ଗୋଟିଏ ୬୭ ମିଟର ଲମ୍ବା ପୋଲ ଉପରେ ଠିଆ ହୋଇଥାଆନ୍ତି। ନିଶ୍ଚିହ୍ନ ହେବାକୁ ବସିଥିବା ନଦୀ ଉପରେ ନିର୍ମିତ ଏହି ପୋଲ। ଦିନେ ସଇ ନାଁରେ ପରିଚିତ ଥିଲା ଏହି ନଈ। ସତେ କି ରୋଷଭରା ନାରୀ ରୂପରେ ନଈଟିଏ। ଏହି ପୋଲ ତଳେ ରହିଛି ଚାଷଜମି- ନିକଟରେ ଗହମ କଟା ହେବା ପରେ ଥୁଣ୍ଟା ଭର୍ତ୍ତି ନଦୀଶଯ୍ୟା ଏବଂ ଉଭୟ ପଟେ ପବନରେ ଦୋଳାୟମାନ ଅବସ୍ଥାରେ ସହଜରେ ପାଣି ଶୋଷି ନେଉଥିବା ଅନେକ ୟୁକାଲିପଟାସ୍‌ ଗଛ।

ସଇ ନଦୀକୁ ‘ଏକ ସୁନ୍ଦର ନଈ’  ରୂପରେ ମନେ ରଖିଛନ୍ତି ଅବସ୍ଥି ଏବଂ ତାଙ୍କ ବନ୍ଧୁ ତଥା ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଜଗଦୀଶ ପ୍ରସାଦ ତ୍ୟାଗୀ।

ସେଦିନର କଥା ମନେ ପକାଇ ସେ କହନ୍ତି ଗଭୀର ନଦୀଜଳରେ ସୃଷ୍ଟ ଭଉଁରୀ ଏବଂ ତା ଚାରିପାଖେ ବଡ଼ ବଡ଼ ମାଛମାନଙ୍କର ମନଲୋଭା ଉଠାପକା ଦୃଶ୍ୟର କଥା। ଆଜି ବି ସେ କେତେକ ମାଛର ନାଁ ମନେ ରଖିଛନ୍ତି- ଯେମିତି କି ‘ଏଡି ମଛଲି’, ରୋହୀ, ତୋଡ଼ି, ବେଙ୍ଗ-ମାଛ ପ୍ରଭୃତି। ସେ କହନ୍ତି, “ପାଣି ଶୁଖିବା ଆରମ୍ଭ ହେଲେ ମାଛମାନେ ଗାଏବ ହୋଇଯାଆନ୍ତି।”

ଆହୁରି କେତେକ ମଧୁର ସ୍ମୃତି ବି ରହିଛି। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଏଠାକାର ସରପଞ୍ଚ ରୂପେ ରହିଥିବା ୭୪ ବର୍ଷୀୟା ମାଳତୀ ଅବସ୍ଥି ବି ଅନେକ ପୁରୁଣା କଥା ମନେ ପକାନ୍ତି- କେମିତି ନଦୀଶଯ୍ୟାରୁ ୧୦୦ ମିଟର ଦୂରରେ ଅବସ୍ଥିତ ତାଙ୍କ ଘର ଅଗଣା ଯାଏ ମାଡ଼ି ଆସୁଥିଲା ସଇ ନଦୀ। ପ୍ରତି ବର୍ଷ ସେହି ବିରାଟ ଅଗଣାରେ ଗାଁ ଲୋକେ ମିଶି ଏକ ଗୋଷ୍ଠୀଭିତ୍ତିକ‘ ଅନ୍ନ୍‌ ପର୍ବତ୍‌ ଦାନ୍ ର (ଶସ୍ୟ ଗଦା ସମୂହର ଅବଦାନ) ଆୟୋଜନ କରୁଥିଲେ। ନଦୀର ପ୍ରକୋପରେ ନିଜ ନିଜର ଫସଲ ହରାଇଥିବା ପରିବାରର ସଦସ୍ୟମାନଙ୍କ ପାଇଁ ଏହା ଆୟୋଜିତ ହେଉଥିଲା।

ମାଳତୀ କହନ୍ତି, “ଏବେ ସାମାଜିକ ଗୋଷ୍ଠୀ ପ୍ରତି ସେଭଳି ଭାବନା ଆଉ ନାହିଁ। ସେସବୁ ଶସ୍ୟର ସ୍ୱାଦ ବି ନାହିଁ। ଗାଁର କୂଅଗୁଡ଼ିକରେ ପାଣି ନାହିଁ। ଗୃହପାଳିତ ପ୍ରାଣୀମାନେ ବି ଆମ ଭଳି କଷ୍ଟ ଭୋଗୁଛନ୍ତି। ଜୀବନଟା ସ୍ୱାଦହୀନ ହୋଇପଡ଼ିଛି।”

Left: Surendra Nath Awasthi standing on the bridge with the Sai river running below.
PHOTO • Pawan Kumar
Right: Jagdish Prasad Tyagi in his home in Azad Nagar
PHOTO • Pawan Kumar

ବାମ : ପୋଲ ଉପରେ ଠିଆ ହୋଇଛନ୍ତି ସୁରେନ୍ଦ୍ର ନାଥ ଅବସ୍ଥି, ପୋଲ ତଳେ ପ୍ରବାହିତ ହେଉଛି ସଇ ନଦୀ। ଡାହାଣ : ଆଜାଦ ନଗରର ତାଙ୍କ ଘରେ ଜଗଦୀଶ ପ୍ରସାଦ ତ୍ୟାଗୀ

Left: Jagdish Prasad Tyagi and Surendra Nath Awasthi (in a blue shirt) reminiscing about the struggle for a bridge over the Sai river .
PHOTO • Pawan Kumar
Right: Malti Awasthi recalls how the Sai rode right up to the courtyard of her home, some 100 metres from the riverbed
PHOTO • Rana Tiwari

ବାମ : ସଇ ନଦୀ ଉପରେ ପୋଲ ନିର୍ମାଣ ପାଇଁ ସଂଘର୍ଷ ସଂପର୍କରେ ମନେ ପକାନ୍ତି ଜଗଦୀଶ ପ୍ରସାଦ ତ୍ୟାଗୀ (ବାମ) ଏବଂ ସୁରେନ୍ଦ୍ର ନାଥ ଅବସ୍ଥି (ଡାହାଣ)। ଡାହାଣ : ମାଳତୀ ଅବସ୍ଥି ମନେ ପକାନ୍ତି କେମିତି ନଦୀଶଯ୍ୟାରୁ ପ୍ରାୟ ୧୦୦ ମିଟର ଦୂର ତାଙ୍କ ଘର ଅଗଣା ଯାଏ ମାଡ଼ି ଆସୁଥିଲା ସଇ ନଦୀ

ସଇ ହେଉଛି ଗୋମତୀ ନଦୀର ଉପନଦୀ। ଭାରତୀୟ ପୁରାଣ ଶାସ୍ତ୍ରରେ ଏହାର ସ୍ୱତନ୍ତ୍ର ସ୍ଥାନ ରହିଛି। ଗୋସ୍ୱାମୀ ତୁଳସୀ ଦାସଙ୍କ ରଚିତ ରାମଚରିତ୍ର ମାନସରେ (୧୬ଶ ଶତାବ୍ଦୀରେ ଲିଖିତ ମହାକାବ୍ୟ ଯାହାର ଆକ୍ଷରିକ ଅର୍ଥ ହେଉଛି ପ୍ରଭୁ ରାମଙ୍କ କର୍ମର ସରୋବର) ଏହାକୁ ଆଦି ଗଙ୍ଗା-ଗଙ୍ଗା ନଦୀ ପୂର୍ବରୁ ରହିଥିବା ନଦୀ- ଭାବରେ ବର୍ଣ୍ଣନା କରାଯାଇଅଛି।

ଉତ୍ତର ପ୍ରଦେଶ ହରଦୋଇ ଜିଲ୍ଲା ଅନ୍ତର୍ଗତ ପିହାନି ବ୍ଲକ୍‌ର ବିଜଗୱାନ୍‌ ଗାଁର ଏକ ପୋଖରୀରୁ ଏହି ନଦୀ ବାହାରିଛି। ଏହାର ପ୍ରଥମ ୧୦ କିଲୋମିଟର ଯାଏ ଏହାକୁ ଝାବର (ପୋଖରୀ) କୁହାଯାଏ ଏବଂ ପରେ ଏହା ନିଜର ଅଧିକ ଲୋକପ୍ରିୟ ନାମରେ ପରିଚିତ ହୁଏ। ପ୍ରାୟ ୬୦୦  କିଲୋମିଟର ପ୍ରବାହିତ ହୋଇ ଏହା ଲକ୍ଷ୍ମୌ ଓ ଉନ୍ନାଓ ଜିଲ୍ଲାର ସୀମାରେଖାରେ ପରିଣତ ହୋଇଛି। ହରଦୋଇର ଉତ୍ତର ଦିଗରେ ପ୍ରାୟ ୧୧୦ କିଲୋମିଟର ଦୂରରେ ରାଜ୍ୟ ରାଜଧାନୀ ଲକ୍ଷ୍ନୌ ଏବଂ ଉନ୍ନାଓ ଜିଲ୍ଲାର ଦୂରତା ପ୍ରାୟ ୧୨୨କିଲୋମିଟର।

ଏହାର ଉତ୍ପତ୍ତିସ୍ଥଳଠାରୁ ଜୌନପୁର ଜିଲ୍ଲାର ରାଜେପୁର ଗାଁ ନିକଟ ଗୋମତୀ (ଗଙ୍ଗା ନଦୀର ଏକ ଉପନଦୀ) ସହିତ ସଙ୍ଗମ ପର୍ଯ୍ୟନ୍ତ ସଇ ନଦୀର ଦୈର୍ଘ୍ୟ ଆନୁମାନିକ ୭୫୦ କିଲୋମିଟର। ନଦୀର ଅଙ୍କାବଙ୍କା ଗତିପଥ କାରଣରୁ ଏହାର ଦୈର୍ଘ୍ୟ ଏତେ ବେଶୀ ହୋଇଛି।

ହରଦୋଇ ଜିଲ୍ଲାର ଦୈର୍ଘ୍ୟ ମୋଟାମୋଟି ୧୨୬ କିଲୋମିଟର ଏବଂ ପ୍ରସ୍ଥ ୭୫ କିଲୋମିଟର ଏବଂ ଏହା ଏକ ଅନିୟମିତ ଚତୁଷ୍କୋଣୀୟ ଭୂଖଣ୍ଡର ରୂପ ନେଇଛି। ଜିଲ୍ଲାରେ ବସବାସ କରନ୍ତି ପ୍ରାୟ ୪୧ ଲକ୍ଷ ଲୋକ। ଏଠାକାର ଅଧିକାଂଶ କର୍ମଜୀବୀ ଲୋକ କୃଷି ଶ୍ରମିକ ଭାବରେ କାମ କରନ୍ତି ଏବଂ ସେମାନଙ୍କ ପଛକୁ ରହିଛନ୍ତି ଚାଷୀ ଓ ଘରକରଣା ସାମଗ୍ରୀ ଶିଳ୍ପ କ୍ଷେତ୍ରରେ ନିୟୋଜିତ କର୍ମଚାରୀ।

୧୯୦୪ ମସିହାରେ ପ୍ରକାଶିତ ହରଦୋଇ ଏ ଗେଜେଟିୟର ର ଦ୍ୱାଦଶ ଭାଗରେ ସ୍ଥାନିତ ‘ଦି ଡିଷ୍ଟ୍ରିକ୍‌ଟ ଗେଜେଟିୟରସ୍‌ ଅଫ୍‌ ଦି ୟୁନାଇଟେଡ୍ ପ୍ରଭିନ୍‌ସେସ୍‌ ଅଫ୍ ଆଗ୍ରା ଆଣ୍ଡ ଅବଧ’ ଅନୁସାରେ ସଇ ଉପତ୍ୟକା “ଏହି ଜିଲ୍ଲାର ମଧ୍ୟବର୍ତ୍ତୀ ଅଂଶ ଦେଇ ସଂପ୍ରସାରିତ” ହୋଇଛି।

ଏହି ଗେଜେଟ୍‌ରେ ଉଲ୍ଲେଖ କରାଯାଇଛି ଯେ, “ହରଦୋଇରେ ଚାଷ କରାଯାଉଥିବା ଜମି ଉର୍ବର, କିନ୍ତୁ...ଏହା ଅନେକ ଅଗଭୀର ଖାଲୁଆ ଅଞ୍ଚଳରେ ପରିପୂର୍ଣ୍ଣ, ଏହାର ଅନେକ ଅଂଶରେ ରହିଥିବା ଅନୁର୍ବର ତିସାର .. ଠାଏ ଠାଏ ରହିଥିବା ପଳାଶ ଜାତୀୟ ଗଛ ଓ ଗୁଳ୍ମ ଜଙ୍ଗଲକୁ ନେଇ... (ଏହା) ସଇ ଉପତ୍ୟକା ଗଠିତ ହୋଇଛି।”

ଅବସ୍ଥିଙ୍କ ବୟସ ଏବେ ୭୮ ବର୍ଷ ଏବଂ ସେ ମେଡିକାଲର ଜଣେ ଡାକ୍ତର (ନିଶ୍ଚେତକ ବିଶେଷଜ୍ଞ)। ମାଧୋଗଞ୍ଜ ବ୍ଲକ୍‌ ଅନ୍ତର୍ଗତ କୁର୍ସାଠ୍‌ ବୁଜୁର୍ଗ ଗାଁର ପରୌଲି ପଲ୍ଲୀଗାଁରେ ସେ ଜନ୍ମ ନେଇଥିଲେ। ଏବେ ସେ ଯେଉଁ ପୋଲ ଉପରେ ଠିଆ ହୋଇଛନ୍ତି ସେଠାରୁ ପ୍ରାୟ ୫୦୦ ମିଟର ଦୂରରେ ରହିଛି ଏହି ପଲ୍ଲୀ ଗାଁ।

Left: The great length of the Sai river is caused by its meandering nature.
PHOTO • Pawan Kumar
Right: Surendra Nath Awasthi standing on the bridge with the Sai river running below. The bridge is located between the villages of Parauli and Band
PHOTO • Pawan Kumar

ବାମ : ସଇ ନଦୀର ଅଙ୍କାବଙ୍କା ଗତିପଥ ଯୋଗୁଁ ହିଁ ଏହାର ଦୈର୍ଘ୍ୟ ଏତେ ଅଧିକ। ଡାହାଣ : ପୋଲ ଉପରେ ଠିଆ ହୋଇଛନ୍ତି ସୁରେନ୍ଦ୍ର ନାଥ ଅବସ୍ଥି ଏବଂ ପୋଲ ତଳେ ବହିଯାଉଛି ସଇ ନଦୀ। ଏହି ପୋଲଟି ପରୌଲି ଏବଂ ବାନ୍ଦ୍‌ ଗାଁ ମଝିରେ ଅବସ୍ଥିତ

୨୦୧୧ ମସିହାର ଜନଗଣନା ଅନୁସାରେ କୁର୍ସାଠ୍‌ ବୁଜୁର୍ଗ ଗାଁର ଲୋକସଂଖ୍ୟା ୧୯୧୯। ମୁଖ୍ୟତଃ ବ୍ରାହ୍ମଣ ଜାତିର ଲୋକଙ୍କୁ ନେଇ ଗଠିତ ପରୌଲିର ଲୋକସଂଖ୍ୟା ୧୩୦ ଏବଂ ଏଥିରେ ଅଳ୍ପ କେତେକ ଚମାର (ଅଧିସୂଚିତ ଜାତି) ଏବଂ ବିଶ୍ୱକର୍ମା (ଅନ୍ୟାନ୍ୟ ପଛୁଆ ଜାତି) ଜାତିର ଲୋକେ ରହନ୍ତି।

ଅବସ୍ଥି ଯେଉଁ ପୋଲ ଉପରେ ଠିଆ ହୋଇଛନ୍ତି ତାହା ପରୌଲି ଏବଂ ବାନ୍ଦ୍‌ ଗାଁ ମଝିରେ ଅବସ୍ଥିତ। ଶେଷୋକ୍ତ ଗାଁଟି କଚ୍ଛୌନା ବ୍ଲକ୍‌ରେ ରହିଛି। କଚ୍ଛୌନା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଞ୍ଚଳ ଥିଲା (ଏବଂ ରହିଛି)। ଚାଷୀମାନେ ଏଠାକୁ ସେମାନଙ୍କ ଉତ୍ପାଦିତ ଶସ୍ୟ ବିକିବାକୁ ଏବଂ ସାର କିଣିବାକୁ ଆସନ୍ତି। ପୋଲ ନଥିବା ସମୟରେ କୁର୍ସାଠ ବୁଜୁର୍ଗ ଏବଂ କଚ୍ଛୌନା ଗାଁ ମଧ୍ୟରେ ଦୂରତା ଥିଲା ୨୫ କିଲୋମିଟର। ପୋଲ ହେବା ପରେ ଏହି ଦୂରତା ୧୩ କିଲୋମିଟରକୁ ଖସି ଆସିଲା।

କୁର୍ସାଠ ଏବଂ କଚ୍ଛୌନା ରେଳ ଷ୍ଟେସନ (ଏବେ ବାଲାମଉ ଜଙ୍କସନ୍‌ ନାମରେ ପରିଚିତ) ମଝିରେ ଗୋଟିଏ ରେଳବାଇ ପୋଲ ଥିଲା ଏବଂ ଲୋକେ ମଧ୍ୟ ଏହାକୁ ବ୍ୟବହାର କରୁଥିଲେ। ପୁରୁଖା ଲୋକମାନେ ମନେ ପକାଇ କହନ୍ତି ଯେ, କାଠ ପଟାରେ ନିର୍ମିତ ଏହି ପୋଲ ଉପର ଦେଇ ଲୋକେ ବେପାର କରିବା ଲାଗି ଓଟ ନେଇ ଯା’ଆସ କରୁଥିଲେ। ହେଲେ ୧୯୬୦ରେ ଅସ୍ୱାଭାବିକ ଭାବେ ପ୍ରବଳ ବର୍ଷା ଯୋଗୁଁ ଏହି ପୋଲଟି ଭୁଶୁଡ଼ି ପଡ଼ିଥିଲା ଏବଂ ଏହା ଫଳରେ ଦୁଇଟି ସ୍ଥାନ ମଧ୍ୟରେ ଥିବା ନ୍ୟୂନତମ ଦୂରତା (୧୦ କିଲୋମିଟର) ବିଶିଷ୍ଟ ରାସ୍ତାଟି ବିଚ୍ଛିନ୍ନ ହୋଇଯାଇଥିଲା।

ସେତେବେଳେ ମାଧୋଗଞ୍ଜ ବ୍ଲକ୍‌ର ସର୍ଦ୍ଦାର ନଗର ଗାଁରେ ପ୍ରାଥମିକ ସ୍କୁଲ ଶିକ୍ଷକ ରୂପେ କାର୍ଯ୍ୟରତ ତ୍ୟାଗୀ ହିଁ ପ୍ରଥମେ  ଏଠାରେ ପୋଲଟିଏ ନିର୍ମାଣ କରିବା କଥା ଚିନ୍ତା କରିଥିଲେ। ସେ ସମୟରେ ସେ ପରୌଲିଠାରୁ ସାଢ଼େ ତିନି କିଲୋମିଟର ଦୂରରେ ରହୁଥିଲେ ଯାହା କି ବର୍ତ୍ତମାନ ଆଜାଦ ନଗର ସହରରୂପେ ପରିଚିତ।

୧୯୪୫ ମସିହାରେ ଜନ୍ମିତ ଏହି ପୂର୍ବତନ ଶିକ୍ଷକଙ୍କ ପାରିବାରିକ ଉପନାମ ‘ତ୍ୟାଗୀ’ ନୁହେଁ। ତାଙ୍କର ମୂଳ ଉପନାମ ହେଉଛି ସିଂହ। ତ୍ୟାଗୀ ଉପନାମଟି ହିନ୍ଦୀ ଭାଷାରେ‘ତ୍ୟାଗ’ରୁ ଉଦ୍ଧୃତ ଏବଂ ଯେହେତୁ ସେ ଲୋକଙ୍କ ଉନ୍ନତ ଜୀବନଯାପନ ଦିଗରେ ଯାହା କିଛି ସମ୍ଭବ ସେ ସବୁ କରିବାକୁ ପ୍ରସ୍ତୁତ ଥିଲେ ତେଣୁ ତାଙ୍କୁ ଏହା ପ୍ରଦାନ କରାଯାଇଥିଲା। ୨୦୦୮ରେ ଚାକିରିରୁ ଅବସର ନେବା ବେଳକୁ ସେ ସେହି ଜୁନିଅର ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ଥିଲେ, ଯେଉଁଠାରୁ ସେ ତାଙ୍କ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ।

ବୟସାଧିକ୍ୟ କାରଣରୁ ଦୁର୍ବଳ ହୋଇପଡ଼ିବା ସହିତ ଏବେ ଚଲାବୁଲା କରିବାରେ କଷ୍ଟ ଅନୁଭବ କରନ୍ତି ତ୍ୟାଗୀ। ସେ କହନ୍ତି, “ମୁଁ ଅତି ଦରିଦ୍ର ପରିବାରରେ ଜନ୍ମ ନେଇଥିଲି ସତ, ହେଲେ ଭଲ କାମ କରିବା ଲାଗି ମୋର ଇଚ୍ଛାକୁ ତାହା କମ୍‌ କରିପାରି ନଥିଲା।” ଥରେ ତାଙ୍କ ପରିବାରର ଦୁଇଟି ମଇଁଷି ଆଜାଦ ନଗର ଗାଁ ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ଖାଲରେ ପଡ଼ିଯାଇଥିଲେ। ଖୁବ୍‌ ଜୋର୍‌ରେ ଟଣାଓଟରା କରି ସେ ସେମାନଙ୍କୁ ବାହାର କରିଥିଲେ। ହେଲେ ତାଙ୍କ ବାପା ମୋହନ ସିଂହଙ୍କ ଚିତ୍କାର ତାଙ୍କୁ ସ୍ତବ୍‌ଧ କରିଦେଇଥିଲା। “କେବେ ଆଉ ସେ ସମୟ ଆସିବ, ଯେତେବେଳେ ଏ ରାସ୍ତାରେ ସୁରକ୍ଷିତ ଭାବରେ ଚାଲିହେବ?”

ତ୍ୟାଗୀ କହନ୍ତି, “ସେଥିରୁ ମୋ ଭିତରେ କିଛି ଗୋଟାଏ ଜାଗ୍ରତ ହୋଇଉଠିଲା ଏବଂ ମୁଁ ସେହି ଗାତରେ ମାଟି ଭରିବା ଆରମ୍ଭ କଲି। ଗାତଟି ଛଅ ଫୁଟ୍‌ ଗଭୀର ଏବଂ ତା’ର ଦୁଇଗୁଣ ଲମ୍ବା ଥିଲା। ପ୍ରତି ଦିନ ସକାଳେ ସ୍କୁଲ ଯିବା ପୂର୍ବରୁ ଏବଂ ସ୍କୁଲରୁ ଫେରିବା ପରେ, ମୁଁ ନିକଟରେ ଥିବା କୀଚଡ଼ କା ତାଲ (କାଦୁଅ ବା ପଙ୍କ ପୋଖରୀ) ନାମକ ଏକ ପୋଖରୀ ହୁଡ଼ାରୁ କାଦୁଅ ଆଣି ଏଥିରେ ପକାଇଲି। ଗୋଟିଏ ପରେ ଆଉ ଗୋଟିଏ ଗାତ ମୁଁ କାଦୁଅରେ ଭରିବାରେ ଲାଗିଲି। ମୋ ସହିତ ଅନ୍ୟମାନେ ବି ଏହି କାମରେ ଯୋଗ ଦେଲେ।”

Left: Jagdish Prasad Tyagi retired as the headmaster of the junior high school where he began his career in 2008.
PHOTO • Rana Tiwari
Right: Surendra Nath Awasthi and Jagdish Prasad Tyagi talking at Tyagi's house in Azad Nagar, Hardoi
PHOTO • Rana Tiwari

ବାମ: ଜଗଦୀଶ ପ୍ରସାଦ ତ୍ୟାଗୀ ଚାକିରିରୁ ଅବସର ନେବା ବେଳକୁ ସେହି ଜୁନିଅର ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ଥିଲେ, ଯେଉଁଠାରୁ ୨୦୦୮ରେ ସେ ତାଙ୍କ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ। ଡାହାଣ: ସୁରେନ୍ଦ୍ରନାଥ ଅବସ୍ଥି ଏବଂ ଜଗଦୀଶ ପ୍ରସାଦ ତ୍ୟାଗୀ ହରଦୋଇର ଆଜାଦ ନଗରରେ ତ୍ୟାଗୀଙ୍କ ଘରେ କଥାବାର୍ତ୍ତା କରୁଛନ୍ତି

ଜଣେ ଶିକ୍ଷକ ହିସାବରେ ସେ ତାଙ୍କ ଗାଁରେ ଏକ ସମ୍ମାନଜନକ ସ୍ଥିତିରେ ଥିଲେ ଏବଂ ତେଣୁ ଗାଁ ଲୋକଙ୍କ କଲ୍ୟାଣ ପାଇଁ ଅନ୍ୟାନ୍ୟ ଛୋଟ ମୋଟ ଉନ୍ନୟନ କାର୍ଯ୍ୟ କରିବା ତାଙ୍କ ପକ୍ଷରେ ଅତି ସହଜ ଥିଲା। ନିକଟବର୍ତ୍ତୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଡାକ୍ତରଙ୍କୁ ଆଣି ଗାଁରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବା, ଗାଁ ରାସ୍ତାର ବିଶୋଧନ ପାଇଁ ବ୍ଲିଚିଂ ପାଉଡର ପକାଇବା, ପିଲାମାନଙ୍କୁ ଟିକା ଦେବା ଲାଗି ବୁଝାଇବାକୁ ଗାଁ ଲୋକଙ୍କୁ ଏକାଠି କରିବା, ଏମିତି କି ଗାଁକୁ ଏକ ସହରାଞ୍ଚଳରେ ଅନ୍ତର୍ଭୁକ୍ତ କରିବା ପ୍ରଭୃତି ଏହି ସବୁ କାମରେ ସାମିଲ ଥିଲା। ପରବର୍ତ୍ତୀ ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ ଗାଁରେ କରାଯାଉଥିବା କାମର ଅଚାନକ ହିସାବପତ୍ର ଯାଞ୍ଚ କାମ ବି ସେ ନିଜେ ନିଜେ କରିବା ଆରମ୍ଭ କଲେ।

୧୯୯୪ ମସିହା ପର୍ଯ୍ୟନ୍ତ ଅବସ୍ଥି ଓ ତ୍ୟାଗୀ ବ୍ୟକ୍ତିଗତ ଭାବେ ପରସ୍ପରକୁ ଜାଣି ନଥିଲେ। ହେଲେ, ଦୁହେଁ ଦୁହିଁଙ୍କ ସଂପର୍କରେ ଜାଣିଥିଲେ। ସେହି ସମୟ ସୁଦ୍ଧା ତାଙ୍କ ଗାଁର ପ୍ରଥମ ଡାକ୍ତର ଅବସ୍ଥି ପ୍ରାୟତଃ ବିଦେଶରେ (ନାଇଜେରିଆ, ସଂଯୁକ୍ତ ଗଣରାଜ୍ୟ ଏବଂ ମାଲେସିଆରେ) କାମ କରିଥିଲେ। ତଥାପି, ନଦୀ ବଢ଼ିବା ଯୋଗୁଁ ଗାଁ ସ୍କୁଲରେ ପଢୁଥିବା ପିଲାମାନଙ୍କ ପକ୍ଷରେ, ବିଶେଷତଃ ଝିଅମାନଙ୍କ ପକ୍ଷରେ, ହାଇସ୍କୁଲରେ ପଢ଼ିବା ଅସମ୍ଭବ ଥିଲା ବୋଲି ତାଙ୍କ ହୃଦୟର ବେଦନାକୁ ସେ ମନେ ରଖିଥିଲେ। ତେଣୁ ବର୍ଷାଦିନେ ଗାଁର ଛାତ୍ରଛାତ୍ରୀମାନଙ୍କୁ ନଦୀ ପାର କରାଇ ଦେବା ପାଇଁ ଜଣେ ନାଉରିଆ ଖୋଜିବା ଲାଗି ସେ ତାଙ୍କ ଭାଇ ଇଲେକ୍‌ଟ୍ରିକାଲ ଇଞ୍ଜିନିୟର ନରେନ୍ଦ୍ରଙ୍କୁ କହିଲେ। କାଠ ତିଆରି ଡଙ୍ଗାଟିଏ ଆଣିବା ପାଇଁ ଅବସ୍ଥି ୪,୦୦୦ ଟଙ୍କା ଦେଲେ।

ସ୍କୁଲ ପିଲାଙ୍କୁ ନେବାଆଣିବା କାମକୁ ବାଦ୍‌ ଦେଲେ ଦିନର ବାକି ସମୟରେ ନାଉରିଆ, ଚୋଟାଇ, ଅନ୍ୟମାନଙ୍କ ପାଖରୁ ଅଧିକ ଭଡ଼ା ନେଉଥିଲେ। ହେଲେ ସେ ସ୍କୁଲ ଖୋଲିଥିବା ଦିନ ଯେ କୌଣସିମତେ ନିଶ୍ଚିତ ଭାବରେ ଆସିବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ଷ ପରେ ବର୍ଷ ବିତିବା ସହିତ ଡଙ୍ଗାଟି ଖଣ୍ଡ ଖଣ୍ଡ ହୋଇଗଲା ସତ, ହେଲେ ୧୯୮୦ ମସିହାରେ ଅବସ୍ଥି ତାଙ୍କ ନିଜ ଗାଁରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ସୁବିଧା ଥିବା ସ୍କୁଲଟିଏ ଖୋଲିଲେ ଏବଂ ଏହାକୁ ତାଙ୍କ ଜେଜେବାପା ଓ ଜେଜେମାଆଙ୍କ ନାମରେ ନାମିତ କଲେ- ଗଙ୍ଗା ସୁଗ୍ରାହୀ ସ୍ମୃତି ଶିକ୍ଷା କେନ୍ଦ୍ର। ୧୯୮୭ରେ ଉତ୍ତର ପ୍ରଦେଶ ରାଜ୍ୟ ଉଚ୍ଚ ବିଦ୍ୟାଳୟ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ଏହି ସ୍କୁଲକୁ ସ୍ୱୀକୃତି ମିଳିଲା। ତଥାପି, ଅନ୍ୟମାନେ ଶିକ୍ଷାଲାଭ ପାଇଁ ପରୌଲି ଯାଏ କେମିତି ଆସିବେ ବୋଲି ଅସମାହିତ ପ୍ରଶ୍ନଟି ଲାଗି ରହିଲା।

ଶେଷରେ ଯେତେବେଳେ ଅବସ୍ଥି ଓ ତ୍ୟାଗୀଙ୍କ ମଧ୍ୟରେ ଦେଖାସାକ୍ଷାତ୍‌ ହେଲା ସେମାନେ ସ୍ଥିର କଲେ ଯେ ନଦୀ ଉପରେ ନୂଆ ପୋଲଟିଏ ନିର୍ମାଣ ବିନା ଅନ୍ୟ କୌଣସି ଉପାୟରେ ଏ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବ୍ୟକ୍ତିଗତ ଭାବରେ, ଦୁହିଁଙ୍କ ମଧ୍ୟରେ ଅନେକ ତଫାତ୍‌ ରହିଥିଲା। ନଦୀ ଭିତରକୁ ବାରମ୍ବାର ଫିଙ୍ଗା ହୋଇ ଅବସ୍ଥି ପହଁରି ଶିଖିଥିବା ବେଳେ ତ୍ୟାଗୀ କେବେହେଲେ ପାଣିରେ ପାଦ ବୁଡ଼ାଇବାକୁ ସାହସ କରି ନଥିଲେ। ଅବସ୍ଥି ସରକାରୀ ଚାକିରି କରୁଥିବାରୁ କୌଣସି ଆନ୍ଦୋଳନର ପୁରୋଭାଗରେ ସାମିଲ ହୋଇପାରୁ ନଥିଲେ। ଅନ୍ୟପକ୍ଷରେ, ସମ୍ମୁଖ ଭାଗରେ ରହି କେମିତି ନେତୃତ୍ୱ ନେବାକୁ ହୁଏ ତାହା ତ୍ୟାଗୀ ଜାଣିଥିଲେ। ବ୍ୟକ୍ତିତ୍ୱରେ ବିରୋଧାଭାସ ଥିବା ସତ୍ତ୍ୱେ ଉନ୍ନୟନ ଲାଗି ଅଙ୍ଗୀକାରବଦ୍ଧ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ସାକ୍ଷାତ୍‌ ହେଲା ଏବଂ ସେଥିରୁ ହିଁ ଜନ୍ମ ନେଲା ‘କ୍ଷେତ୍ରିୟ ବିକାଶ ଜନ ଆନ୍ଦୋଳନ’(KVJA - ଅଞ୍ଚଳର ଉନ୍ନୟନ ଲାଗି ଜନ ସଂଘର୍ଷ)।

ବାସ୍ତବରେ ଏହି ସଂଗଠନ KVJAର ସଦସ୍ୟ ସଂଖ୍ୟା ଗଣା ହୋଇପାରିନଥିଲା, ହେଲେ ତାହା ବଢ଼ିବାରେ ଲାଗିଥିଲା। ଯେହେତୁ ତ୍ୟାଗୀ ନିଜେ ନିର୍ବାଚନରେ ଲଢ଼ି ପାରିବେ ନାହିଁ, ତେଣୁ ସେ ତାଙ୍କ ମାଆ ଭଗବତୀ ଦେବୀଙ୍କୁ ଫୁସୁଲା ଫୁସୁଲି କରି ପୌର ନିର୍ବାଚନରେ ଠିଆ ହେବାକୁ ରାଜି କରାଇଲେ। ତାଙ୍କ ମାଆ ନିର୍ବାଚନ ଜିତିଲେ ଉଚ୍ଚ ଗୁଣମାନର ଉନ୍ନୟନ କାମ କରିବା ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି ହେବ ବୋଲି ସେ ଭାବୁଥିଲେ। ଭୋଟ ଗଣତିରେ ଭଗବତୀ ଦେବୀ ପାଞ୍ଚ ଖଣ୍ଡ ଭୋଟ୍‌ରେ ହାରିଯିବା କଥା ଜଣାପଡ଼ିଥିଲା। ହେଲେ, ପୁନର୍ଗଣତି ପାଇଁ ଉପ ଜିଲ୍ଲାପାଳ (SDM)ଙ୍କ ଅଦାଲତରେ ଆବେଦନ କରାଯିବା ପରେ ନିର୍ବାଚନ ଫଳାଫଳ ତାଙ୍କ ସପକ୍ଷରେ ଯାଇଥିଲା। ୧୯୯୭ରୁ ୨୦୦୭ ପର୍ଯ୍ୟନ୍ତ ସେ ସହରାଞ୍ଚଳ ଅଧ୍ୟକ୍ଷା ରୂପେ ଦାୟିତ୍ୱ ତୁଲାଇଥିଲେ।

ପ୍ରଥମେ KVJA ସଂଗଠନର ପଞ୍ଜୀକରଣ କରାଇବାର ଥିଲା। ତେବେ, ଲକ୍ଷ୍ମୌରେ ଅବସ୍ଥିଙ୍କ ପ୍ରଭାବଶାଳୀ ସ୍ଥିତି ସତ୍ତ୍ୱେ ତାହା ସମ୍ଭବ ହୋଇପାରି ନଥିଲା। ତେଣୁ ଏହି ଆନ୍ଦୋଳନ ଗୋଟିଏ ସ୍ଲୋଗାନ୍‌କୁ କେନ୍ଦ୍ର କରି ଅବ୍ୟାହତ ରହିଲା- ‘ ବିକାଶ ନେହିଁ, ତୋ ଭୋଟ୍‌ ନେହିଁ ( ବିକାଶ ନାହିଁ ତ ଭୋଟ୍‌ ନାହିଁ) ଏବଂ ରାଜନେତା ଓ ବିଧାୟକମାନଙ୍କ ଉଦ୍ଦେଶ୍ୟରେ ବିକାଶ କରୋ ୟା ଗଦ୍ଦି ଛୋଡ଼ୋ (ବିକାଶ କରାଅ, ନହେଲେ ଗାଦି ଛାଡ଼) କୁହାଗଲା।

‘ଆମେ ତାକୁ (ସଇ ନଦୀକୁ) ଭଲ ପାଉଥିଲୁ। କେବଳ ତାହାରି ଯୋଗୁଁ ହି ଆମ କୂଅରେ ୧୦ ଫୁଟ୍‌ ଗଭୀରରେ ମିଠା ପାଣି ରହୁଥିଲା। ପ୍ରତି ବର୍ଷ ବର୍ଷା ଋତୁରେ ସେ ଆମ ଘର ପର୍ଯ୍ୟନ୍ତ ମାଡ଼ି ଆସୁଥିଲା’

ଭିଡିଓ ଦେଖନ୍ତୁ: ନିଖୋଜ ସଇ

ସେ ପର୍ଯ୍ୟନ୍ତ ଅଣ ପଞ୍ଜୀକୃତ ଏହି ସଂଗଠନର ପ୍ରଥମ ବୈଠକରେ ଭଗବତୀ ଦେବୀଙ୍କୁ ଶୁଣିବା ପାଇଁ ନଦୀ ଦ୍ୱାରା ପ୍ରଭାବିତ ୧୭ଟି ଗାଁର ପ୍ରାୟ ୩,୦୦୦ ଲୋକ ପରୌଲିରେ ଆସି ପହଞ୍ଚିଥିଲେ। ପ୍ରଚାରପତ୍ର ବଣ୍ଟା ଯାଇଥିଲା। ସେଥିରେ ଲେଖାଯାଇଥିଲା, “ଆମେ ଆମ ମନପ୍ରାଣ ଦେଇ ଏହି ଆନ୍ଦୋଳନରେ ଭାଗ ନେବାକୁ ଶପଥ ନେଉଛୁ। ଆମେ କେବେହେଲେ ପଛଘୁଞ୍ଚା ଦେବୁନାହିଁ। ଆମେ ଆମ ରକ୍ତରେ ଏହି ଶପଥପତ୍ରରେ ସ୍ୱାକ୍ଷର କରିବୁ। ବାନ୍ଦ୍‌ ଓ ପରୌଲି ମଝିରେ ପୋଲଟିଏ ନିର୍ମାଣ ନହେଲା ଯାଏ କୌଣସିମତେ ଆମେ ଏଥିରୁ ଓହରି ଯିବୁ ନାହିଁ।” ପରିଶେଷରେ କୁହାଯାଇଥିଲା “ଲାଲ୍‌ ହୋଗା ହମାରା ଝଣ୍ଡା, କ୍ରାନ୍ତି ହୋଗା କାମ” (ଲାଲ ହେବ ଆମ ପତାକା, ବିପ୍ଳବ ହେବ ଆମ କର୍ମ)।

ଏହିଭଳି ୧,୦୦୦ରୁ ଅଧିକ ପ୍ରଚାରପତ୍ର ବଣ୍ଟା ଯାଇଥିଲା ଏବଂ ପ୍ରତିଟି ଉପରେ ଲୋକେ ରକ୍ତରେ ସ୍ୱାକ୍ଷର କରିଥିଲେ କିମ୍ବା ବୁଢ଼ା ଆଙ୍ଗୁଠିର ଟିପଚିହ୍ନ ଦେଇଥିଲେ।

ଏହା ପରେ ପୋଲ ଯୋଗୁଁ ପ୍ରଭାବିତ ହେବାକୁ ଥିବା ସମସ୍ତ ୧୭ଟି ଗାଁକୁ ଗସ୍ତ କରାଗଲା। ସେ ସମୟର କଥା ମନେ ପକାଇ ତ୍ୟାଗୀ କହନ୍ତି, “ଲୋକେ ସେମାନଙ୍କ ସାଇକେଲ, ବିଛଣାପତ୍ର ଧରି ଗାଁକୁ ଗାଁ ବୁଲିବାରେ ଲାଗିଲେ। ସେଥିପାଇଁ କୌଣସି ବିସ୍ତୃତ ପ୍ରସ୍ତୁତିର ଆବଶ୍ୟକତା ନ ଥିଲା।” ଯେଉଁ ଗାଁକୁ ଗସ୍ତ କରିବାର ଥିଲା ସେହି ଗାଁକୁ ଖବର ପଠାଇ ଦିଆଯାଉଥିଲା ଏବଂ ଡୁଗ୍‌ଡୁଗି (ଡମ୍ବରୁ) ବଜାଇ ସେଠାକାର ବାସିନ୍ଦାଙ୍କୁ ଏ ସଂପର୍କରେ ସୂଚିତ କରାଇ ଦିଆଯାଉଥିଲା।

ଏହାର ପରବର୍ତ୍ତୀ ପଦକ୍ଷେପ ଥିଲା ନଦୀକୂଳରେ ଧାରଣାରେ ବସିବା। ଏହାର ନେତୃତ୍ୱ ନେଉଥିଲେ ତ୍ୟାଗୀଙ୍କ ମାଆ-ଜଣେ ଖୁବ୍‌ ସମ୍ମାନିତ ବ୍ୟକ୍ତି। ଧାରଣାରେ ବସିବା ପାଇଁ ଅବସ୍ଥି ନଦୀକୂଳରେ ଥିବା ତାଙ୍କ ଚାଷଜମି ଦେଇଥିଲେ ଏବଂ ଆନ୍ଦୋଳନ ସ୍ଥଳୀକୁ ବାଉଁଶ ବାଡ଼ରେ ଘେରା ଯାଇଥିଲା। ସେଠାରେ ରାତିରେ ଧାରଣା ଦେଉଥିବା ଲୋକଙ୍କ ପାଇଁ ପାଳରେ ଛାଉଣୀ ତିଆରି ହୋଇଥିଲା। ସାତ ଜଣିଆ ଦଳରେ ବିଭକ୍ତ ହୋଇ ଲୋକେ ୨୪ ଘଣ୍ଟା ଧାରଣାରେ ବସି ରହୁଥିଲେ ଏବଂ ବିପ୍ଲବ ସଙ୍ଗୀତ ଗାନ କରୁଥିଲେ। ମହିଳାମାନେ ଧାରଣାରେ ବସିବା ବେଳେ ଭଜନ ଗାଉଥିଲେ ଏବଂ କୌଣସି ପ୍ରକାର ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ପ୍ରତିହତ କରିବା ଲାଗି ପୁରୁଷମାନେ ବୃତ୍ତାକାରରେ ସେମାନଙ୍କୁ ଘେରି ରହୁଥିଲେ। ଆନ୍ଦୋଳନକାରୀମାନଙ୍କୁ ପାଣି ଯୋଗାଇ ଦେବା ପାଇଁ ଅବସ୍ଥି ସେଠାରେ ଗୋଟିଏ ହ୍ୟାଣ୍ଡ୍‌ପମ୍ପ ବସାଇଲେ। ଯଦିବା ସେଠାରେ ଲୋକଙ୍କୁ ପାଣିରେ ରହୁଥିବା ସାପମାନେ କାମୁଡ଼ି ଦେବାର ଆଶଙ୍କା ଥିଲା, ତଥାପି ଏଭଳି ଗୋଟିଏ ହେଲେ ଅଘଟଣ ଘଟି ନଥିଲା। ମଝିରେ ମଝିରେ ଜିଲ୍ଲା ପୋଲିସର ଗୁଇନ୍ଦା ବିଭାଗ ଲୋକେ ଆସି ଆନ୍ଦୋଳନ ସଂପର୍କରେ ତଥ୍ୟ ନେଉଥିଲେ। କିନ୍ତୁ ଆନ୍ଦୋଳନକାରୀଙ୍କ କଥା ଶୁଣିବା ଲାଗି କୌଣସି ସରକାରୀ ଅଧିକାରୀ କିମ୍ବା ନିର୍ବାଚିତ ଲୋକ ପ୍ରତିନିଧି ଆସି ନଥିଲେ।

ଏହି ଆନ୍ଦୋଳନ ଚାଲିଥିବା ସମୟରେ ୧୯୯୬ ମସିହାର ବିଧାନସଭା ନିର୍ବାଚନ ଆସିଲା ଏବଂ ଗାଁ ଲୋକେ ଏହାକୁ ବର୍ଜନ କଲେ। ସେମାନେ ଯେ କେବଳ ଭୋଟ୍‌ଦାନରୁ ବିରତ ରହିବାକୁ ଆହ୍ୱାନ ଦେଲେ, ତାହା ନୁହେଁ, ବରଂ ସେମାନେ ଭୋଟ ଦେବା ବାହାନାରେ ଯାଇ ଭୋଟ ବାକ୍‌ସରେ ପାଣି ଢାଳି ଦେଲେ। ସ୍କୁଲପିଲାମାନେ ଲେଖିଥିବା ୧୧,୦୦୦ଟି ଚିଠି ବସ୍ତାରେ ଭର୍ତ୍ତି କରାଯାଇ ରାଜ୍ୟପାଳ ମୋତିଲାଲ ଭୋରାଙ୍କ ପାଖରେ ପହଞ୍ଚିଲା।

ଏହାପରେ ଆନ୍ଦୋଳନକୁ ଲକ୍ଷ୍ନୌ ନେଇଯିବା ପାଇଁ ଅବସ୍ଥି ଓ ତ୍ୟାଗୀ ସ୍ଥିର କଲେ। ଏହା ପୂର୍ବରୁ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଅନେକ ଚିଠିରେ ତ୍ୟାଗୀ ସତର୍କ କରାଇ ଦେଲେ ଯେ, ଏଣିକି ଆଗକୁ  ଏହି ଆନ୍ଦୋଳନକୁ ଅଣଦେଖା କରାଗଲେ ଲୋକେ ସେମାନଙ୍କ ଶକ୍ତି ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି। ଆନ୍ଦୋଳନ ଲକ୍ଷ୍ନୌକୁ ଯିବା ପୂର୍ବରୁ ଚୂଡ଼ାନ୍ତ ପଦକ୍ଷେପ ସ୍ୱରୂପ ସେଠାରୁ ଆଠ କିଲୋମିଟର ଦୂର ମାଧୋଗଞ୍ଜ ସହର ଯାଏ ଗୋଟିଏ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଗଲା। ପୋଷ୍ଟର, ବ୍ୟାନର ଓ ପତାକା ଧରି ପ୍ରାୟ ୪,୦୦୦ ସାଇକେଲରେ ଲୋକେ ଯେତେବେଳେ ସହର ପରିକ୍ରମା କଲେ ଗଣମାଧ୍ୟମ ସଜାଗ ହୋଇ ଉଠିଲା। ଅନେକ ସ୍ଥାନୀୟ ଗଣମାଧ୍ୟମରେ ଏହି ସମସ୍ୟା ସଂପର୍କିତ  ରିପୋର୍ଟ ପ୍ରକାଶିତ ହେଲା। ପୋଲ ନିର୍ମାଣ ଦାବି ପୂରଣ ନହେଲେ, ଜିଲ୍ଲାପାଳଙ୍କ ଜୀପ୍‌କୁ ନଦୀ ଭିତରକୁ ଠେଲି ଦେବେ ବୋଲି କେତେକ ଆନ୍ଦୋଳନକାରୀଙ୍କ ଚରମ ଘୋଷଣା ବି ରିପୋର୍ଟରେ ସ୍ଥାନ ପାଇଲା।

କିଛି ସପ୍ତାହ ପରେ, ୫୧ଟି ଟ୍ରାକ୍‌ଟର ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲା। କିନ୍ତୁ ସେହି ଅଧିକାରୀ ଜଣକ ଆନ୍ଦୋଳନକାରୀଙ୍କୁ ଦେଖା କରିବାକୁ ମନା କରିଦେଇଥିଲେ।

Left: Jagdish Tyagi (white kurta) sitting next to Surendra Awasthi (in glasses) in an old photo dated April 1996. These are scans obtained through Awasthi.
PHOTO • Courtesy: Surendra Nath Awasthi
Right: Villagers standing on top of a makeshift bamboo bridge
PHOTO • Courtesy: Surendra Nath Awasthi

ବାମ: ଏପ୍ରିଲ ୧୯୯୬ରେ ଉଠାଯାଇଥିବା ଏକ ପୁରୁଣା ଫଟୋରେ ସୁରେନ୍ଦ୍ର ଅବସ୍ଥି (ଚଷମା ପିନ୍ଧିଛନ୍ତି)ଙ୍କ ପରେ ବସିଛନ୍ତି ଜଗଦୀଶ ତ୍ୟାଗୀ (ଧଳା କୁର୍ତ୍ତାରେ)। ଏହି ସ୍କାନ୍‌ କରାଯାଇଥିବା ଫଟୋ ଅବସ୍ଥିଙ୍କ ଜରିଆରେ ମିଳିଛି। ଡାହାଣ: ଗ୍ରାମବାସୀମାନେ ଏକ ଅସ୍ଥାୟୀ ବାଉଁଶ ପୋଲ ଉପରେ ଠିଆ ହୋଇଛନ୍ତି

Surendra Nath Awasthi standing with villagers next to the Sai river
PHOTO • Rana Tiwari

ସଇ ନଦୀ ପାଖରେ ଗ୍ରାମବାସୀଙ୍କ ସହିତ ଠିଆ ହୋଇଛନ୍ତି ସୁରେନ୍ଦ୍ର ନାଥ ଅବସ୍ଥି

ସୁତରାଂ, ପରବର୍ତ୍ତୀ ଆନ୍ଦୋଳନ ସ୍ଥଳ ଥିଲା ଲକ୍ଷ୍ନୌରେ ରାଜ୍ୟପାଳଙ୍କ ବାସଭବନ। ଦାବିପତ୍ର ଛପାଗଲା, ରକ୍ତରେ ସ୍ୱାକ୍ଷରିତ ହେଲା, ଏବଂ ପ୍ରତି ଗାଁ ଦାୟିତ୍ୱରେ ଥିବା ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯିବା ସହିତ ଯାତ୍ରା ପାଇଁ ଗାଁ ଲୋକଙ୍କୁ ପ୍ରସ୍ତୁତ କରାଗଲା। ମହିଳାମାନଙ୍କୁ ଗାଁରେ ଛାଡ଼ି ଯିବା ପାଇଁ ସ୍ଥିର କରାଗଲା, କିନ୍ତୁ ତ୍ୟାଗୀଙ୍କ ମାଆ ଏଥିରେ ରାଜି ହୋଇ ନଥିଲେ। ତାଙ୍କ ପୁଅ ଯେଉଁଆଡ଼କୁ ଯିବ ସେ ବି ଯିବେ ବୋଲି ଅଡ଼ି ବସିଲେ।

୧୯୯୫ ମସିହା ଏପ୍ରିଲରେ, ପରୌଲିଠାରୁ ପ୍ରାୟ ୨୦କିଲୋମିଟର ଦୂର ସାଣ୍ଡିଲାରେ ୧୪ଟି ବସ୍‌ ଆସି ରହିଥିଲା।  ନିଜ ନାଁ ଗୋପନ ରଖିଥିବା ରାଜ୍ୟ ସଡ଼କ ପରିବହନ ନିଗମର ଜଣେ ଅଧିକାରୀ ଏହି ବସ୍‌ ବାବଦ ଖର୍ଚ୍ଚ ବହନ କରିଥିଲେ। ଭୋର ୫ଟାରେ ସେମାନେ ଲକ୍ଷ୍ନୌରେ ପହଞ୍ଚିଲେ। ଯେହେତୁ ଲକ୍ଷ୍ନୌର ରାସ୍ତାଘାଟ ସଂପର୍କରେ କୌଣସି ଆନ୍ଦୋଳନକାରୀଙ୍କର ଧାରଣା ନଥିଲା, ତେଣୁ ସେମାନେ ସହରରେ କିଛି ସମୟ ଧରି ଏଣେତେଣେ ବୁଲିବା ପରେ ଦିନ ପ୍ରାୟ ୧୧ଟା ସମୟରେ ମହାତ୍ମା ଗାନ୍ଧି ମାର୍ଗରେ ଅବସ୍ଥିତ ରାଜ୍ୟପାଳଙ୍କ ବାସଭବନ ନିକଟରେ ପହଞ୍ଚିଲେ।

ସେ ସମୟର ଘଟଣାବଳୀ ସଂପର୍କରେ ତ୍ୟାଗୀ କହନ୍ତି, “ହଠାତ୍‌ ହଙ୍ଗାମା ଆରମ୍ଭ ହୋଇଗଲା। ଆଖି ପିଛୁଳାକେ ୧୫ଟି ପୋଲିସ ଜୀପ୍‌ ଆମକୁ ଘେରିଗଲେ। କେତେକ ପୋଲିସ ଘୋଡ଼ାରେ ଚଢ଼ି ଆସିଥିଲେ। ପାଣିମାଡ଼ କରିବାକୁ ପାଇପ୍‌ ସବୁ ବାହାରି ପଡ଼ିଲା। ସେମାନେ ମୋର ଚାରି ହାତ ଗୋଡ଼ ଧରି ଘୋଷାରି ନେବା ସମୟରେ ମୋ ମାଆ ମୋତେ ଜାବୁଡ଼ି ଧରି ମୋ ପୁଅକୁ ଜେଲ ନେବା ଆଗରୁ ମୋତେ ନିଅ ବୋଲି ଚିତ୍କାର କରିଲେ।” କେତେକ ଆନ୍ଦୋଳନକାରୀ ଲୁଚି ପଳାଇଲେ। ହରଦୋଇର ରାଜନୈତିକ ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚି ଅନ୍ୟମାନଙ୍କୁ ରକ୍ଷା କଲେ। କ୍ଲାନ୍ତ ଶରୀର, କିନ୍ତୁ ବିଜୟ ମନୋଭାବ ନେଇ ସେଦିନ ରାତି ୧୨ଟାରେ ଆନ୍ଦୋଳନକାରୀମାନେ ହରଦୋଇ ଅଭିମୁଖେ ବାହାରିଲେ। ସେମାନଙ୍କୁ ଗେଣ୍ଡୁଫୁଲର ମାଳ ଦେଇ ସ୍ୱାଗତ କରାଗଲା।

ସେତେବେଳକୁ ପୋଲ ନିର୍ମାଣ ପାଇଁ ଆନ୍ଦୋଳନ ପ୍ରାୟ ଦେଢ଼ ବର୍ଷ ଧରି ଚାଲି ସାରିଥିଲା। ଲକ୍ଷ୍ନୌରେ ଘେରାଉ ପରେ ଏହି ଆନ୍ଦୋଳନ ବ୍ୟାପକ ଆଲୋଡ଼ନ ସୃଷ୍ଟି କରିଥିଲା।

ଏହା ପରେ ପରେ ଆନ୍ଦୋଳନକାରୀଙ୍କ ପାଖରେ ପ୍ରଥମେ ପହଞ୍ଚିଥିବା ନେତା ଥିଲେ ସମବାୟ ବିଭାଗ ମନ୍ତ୍ରୀ ରାମ ପ୍ରକାଶ ତ୍ରିପାଠୀ। ସେ ସେମାନଙ୍କ କଥା ଶୁଣିଲେ, ପୂର୍ତ୍ତ ମନ୍ତ୍ରୀ କଲରାଜ ମିଶ୍ରାଙ୍କ ପାଖକୁ ଗଲେ ଏବଂ ତାଙ୍କୁ କେବଳ ଦାବି ସଂପର୍କରେ ନୁହେଁ, ବରଂ ଯଦି ଆନ୍ଦୋଳନ ବେଶୀ ଦିନ ଧରି ଚାଲିବ ତେବେ ସେ ଅଞ୍ଚଳରେ ଭାରତୀୟ ଜନତା ପାର୍ଟି (ବିଜେପି) ସମର୍ଥନ ହରାଇବ ବୋଲି ବୁଝାଇ କହିଥିଲେ।

ମନ୍ତ୍ରୀ ମିଶ୍ରା ଏଥିରେ ହସ୍ତକ୍ଷେପ କରିବା ପୂର୍ବରୁ ଆନ୍ଦୋଳନକାରୀମାନେ ଆତ୍ମାହୁତି ଦେବାକୁ ଘୋଷଣା କରିବା ସହିତ ସେମାନଙ୍କର ଏହି ଉଦ୍ଦେଶ୍ୟକୁ ଗଣମାଧ୍ୟମ ଆଗରେ କହିଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଅନେକ ଆନ୍ଦୋଳନକାରୀଙ୍କୁ ଗିରଫ କଲା। ସେମାନଙ୍କ ମଧ୍ୟରେ ଥିଲେ ତ୍ୟାଗୀଙ୍କ ଭାଇ ହୃଦୟ ନାଥ।

ଶେଷରେ ୧୯୯୭ ମସିହା ଅଗଷ୍ଟ ୧୩ ତାରିଖ ଦିନ ହରଦୋଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନେତୃତ୍ୱାଧୀନ ଗୋଟିଏ ଟିମ୍‌ ଆନ୍ଦୋଳନକାରୀଙ୍କ ପାଖକୁ ଯିବାକୁ ସ୍ଥିର କଲେ। ଜଣେ ନାୟକ ଭାବରେ ତ୍ୟାଗୀ ସମ୍ମାନିତ ହେଲେ। ତେଣେ ଲକ୍ଷ୍ନୌରେ ଆନ୍ଦୋଳନକୁ ପାଣ୍ଠି ଯୋଗାଇ ଦେଉଥିବା ଅବସ୍ଥି ବି ଆଶ୍ୱସ୍ତ ହେଲେ। କିଛି ମାସ ପରେ ପୋଲ ନିର୍ମାଣକୁ ଅନୁମୋଦନ ମିଳିଲା। ହେଲେ, ନିର୍ମାଣ ବାବଦରେ ପୈଠ ହେବାକୁ ଥିବା ପ୍ରଥମ ଦୁଇଟି ପର୍ଯ୍ୟାୟ ଅର୍ଥରାଶି ଆଉ ଗୋଟିଏ ବର୍ଷର ଆନ୍ଦୋଳନ ପରେ ହିଁ ମିଳିଥିଲା।

Left: Venkatesh Dutta sitting in front of his computer in his laboratory.
PHOTO • Rana Tiwari
Right: A graph showing the average annual rainfall in Hardoi from years 1901-2021

ବାମ: ତାଙ୍କ ପରୀକ୍ଷାଗାରରେ କମ୍ପ୍ୟୁଟର ଆଗରେ ବସିଛନ୍ତି ଭେଙ୍କଟେଶ ଦତ୍ତ। ଡାହାଣ: ହରଦୋଇରେ ୧୯୦୧ରୁ ୨୦୨୧ ପର୍ଯ୍ୟନ୍ତ ବାର୍ଷିକ ହାରାହାରି ବୃଷ୍ଟିପାତ ଦର୍ଶାଉଥିବା ଏକ ଗ୍ରାଫ୍‌

ପୋଲ ନିର୍ମାଣ ସରିବା ପରେ ୧୯୯୮ମସିହା ଜୁଲାଇ ୧୪ ତାରିଖ ଦିନ ଏହା ପୂର୍ତ୍ତ ମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେବା ଲାଗି ପ୍ରସ୍ତୁତ ହୋଇ ରହିଥିଲା। ସେମାନଙ୍କ କୃତଜ୍ଞତାର ନିଦର୍ଶନ ସ୍ୱରୂପ ଗାଁ ଲୋକେ ତାଙ୍କୁ ମୁଦ୍ରାରେ ଓଜନ କରିବେ ବୋଲି ମନ୍ତ୍ରୀଙ୍କୁ କୁହାଯାଇଥିଲା। କିନ୍ତୁ ଯେତେବେଳେ ତାହା କାର୍ଯ୍ୟରେ ପରିଣତ ହେଲା ନାହିଁ, ମନ୍ତ୍ରୀ ତାଙ୍କ ଉଦ୍‌ଘାଟନୀ ଭାଷଣରେ ଗାଁ ଲୋକଙ୍କୁ ଆକ୍ଷେପ କରିବାକୁ ପଛାଇ ନଥିଲେ।

ପୋଲ ପାଇଁ ଲଢ଼େଇରେ ଏକତ୍ର ଭାଗ ନେଇଥିବା ସମସ୍ତ ୧୭ଟି ଗାଁର ଲୋକମାନଙ୍କ ପାଇଁ ସେଦିନ ଥିଲା ଉତ୍ସବ ପାଳନର ଦିନ। ଅବସ୍ଥିଙ୍କ ସ୍ମୃତିରେ ସେଦିନଟି ଥିଲା, “ଦୀପାବଳିଠାରୁ ଅଧିକ ଉଜ୍ଜ୍ୱଳ, ହୋଲିଠାରୁ ଅଧିକ ରଙ୍ଗିନ।”

ଏହାର ଅବ୍ୟବହିତ ପରବର୍ତ୍ତୀ କାଳରେ ସଇ ନଦୀ ସଂକୁଚିତ ହେବା ଆରମ୍ଭ ହେଲା। ଏକଦା ବର୍ଷାଜଳ ଉପରେ ନିର୍ଭରଶୀଳ ଏହି ନଦୀଟି ବର୍ଷ ସାରା ସଗର୍ବେ ପ୍ରବାହିତ ହେଉଥିଲା ଏବଂ ବର୍ଷାଦିନେ ଏହା ଭୟଙ୍କର ରୂପ ନେଉଥିଲା। ହେଲେ ଏବେ ଏହା ନିଜେ ନିଜର ଏକ ଭୟଭୀତ ତଥା ସଂକୁଚିତ ରୂପ ନେଇ ସାରିଥିଲା ଏବଂ ବର୍ଷ ପରେ ବର୍ଷ ବିତିବା ସହିତ ଏହା ଦୁର୍ବଳରୁ ଦୁର୍ବଳତର ହେବାରେ ଲାଗିଲା।

ଏ ଦୁର୍ଭାଗ୍ୟ କେବଳ ସଇ ନଦୀର ନୁହେଁ - ଲକ୍ଷ୍ନୌସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟ ପରିଚାଳିତ ପରିବେଶ ବିଜ୍ଞାନ ସ୍କୁଲ୍‌ର ପ୍ରଫେସର ଭେଙ୍କଟେଶ ଦତ୍ତ କହନ୍ତି, “ସାରା ବିଶ୍ୱରେ ଏ ପ୍ରକାର ଅନିୟମିତତାର ଧାରା ଦେଖାଯାଏ। ଏକତା ଚିରସ୍ରୋତା ଭାବରେ ପରିଗଣିତ ବିଭିନ୍ନ ନଦୀ (ସଇ ନଦୀ ଭଳି) ବର୍ଷାଦିନ ଉପରେ ନିର୍ଭରଶୀଳ ହେବା ସହିତ ସୁପ୍ତ ଓ ନିଷ୍କ୍ରିୟ ହୋଇପଡ଼ିଲେଣି। ୧୯୮୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଉପଲବ୍‌ଧ ତଥ୍ୟାବଳୀ ଅନୁସାରେ ଉଭୟ ଭୂତଳ ଜଳସ୍ତର ଏବଂ ନଦୀର ଭିତ୍ତିପ୍ରବାହ କମିବାରେ ଲାଗିଛି।”

ଭିତ୍ତିପ୍ରବାହ ହେଉଛି ବର୍ଷା ଛାଡ଼ିଗଲା ପରେ ବି ଭୂଭାଗରୁ ଦୀର୍ଘ କାଳ ଧରି କୌଣସି ଜଳାଶୟ ଭିତରକୁ ପ୍ରବାହିତ ଜଳଧାରା ଏବଂ ଭୂତଳ ଜଳ ହେଉଛି ଭୂମି ତଳେ ଥିବା ଜଳ- ଅର୍ଥାତ୍‌ ନଦୀ ଶୁଖିଯିବା ସମୟରେ ଏଥିରେ ଜଳପ୍ରବାହ ଅବ୍ୟାହତ ରଖିବା ଲାଗି ମାଟି ତଳେ ଗଚ୍ଛିତ ଥିବା ଜଳ। ଏହିଭଳି ଭାବରେ ଭିତ୍ତିପ୍ରବାହ ମାନେ ଆଜିକାର ନଦୀ, ଏବଂ ଭୂତଳ ଜଳର ଅର୍ଥ ଭବିଷ୍ୟତର ନଦୀ। ୧୯୯୬ରୁ ଆରମ୍ଭ କରି ୨୦ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ବୃଷ୍ଟିପାତ ୫ % ହ୍ରାସ ପାଇଛି ।

ଉତ୍ତର ପ୍ରଦେଶରେ ଭୂତଳ ଜଳର ସ୍ଥିତି ସଂପର୍କରେ ଅନ୍ତର୍ଜାତୀୟ ସଂସ୍ଥା ‘ୱାଟରଏଡ୍‌’ ପକ୍ଷରୁ ୨୦୨୧ ଜୁଲାଇରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି, “.. ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଭୂତଳ ଜଳ ଉପରେ ନିର୍ଭର କରୁଥିବା ରାଜ୍ୟର ବିଭିନ୍ନ ନଦୀ ଗୁରୁତର ପ୍ରଭାବିତ ହୋଇଛନ୍ତି। ଭୂତଳ ଜଳସ୍ତରରୁ ନଦୀଗୁଡ଼ିକୁ ପ୍ରାକୃତିକ ଜଳପ୍ରବାହ /ଭିତ୍ତିପ୍ରବାହ ପଦ୍ଧତି ବ୍ୟାହତ ହୋଇଛି ଏବଂ ଆର୍ଦ୍ରଭୂମି ବହୁ ପରିମାଣରେ ହ୍ରାସ ପାଇଛି କିମ୍ବା ପ୍ରାୟ ଲୋପ ପାଇଯାଇଛି। ବିଭିନ୍ନ ଜଳାଶୟ ଉପରେ ଏବଂ ସେଗୁଡ଼ିକର ଅବବାହିକାରେ ବ୍ୟାପକ ଜବରଦଖଲ ଯୋଗୁଁ ସ୍ଥିତି ଅଧିକ ଉଦ୍‌ବେଗଜନକ ହୋଇଛି...। ଭିତ୍ତିପ୍ରବାହ ହ୍ରାସ ପାଇଥିବାରୁ ଭୂତଳ ଜଳ ଉପରେ ନିର୍ଭରଶୀଳ ନଦୀଗୁଡ଼ିକ ପ୍ରଭାବିତ ହେବା ସହିତ ସେଗୁଡ଼ିକର ପରିବେଶଗତ ପ୍ରବାହ ଏବଂ ଭୂପୃଷ୍ଠ ଜଳଧାରଣ ସ୍ଥିତି ପ୍ରଭାବିତ ହୋଇଛି। ରାଜ୍ୟର ଗୋମତୀ ନଦୀ ଏବଂ ଏହାର ଉପନଦୀଗୁଡ଼ିକ ଏବଂ ଅନ୍ୟ କେତେକ ନଦୀରେ ଭୂତଳ ଜଳ ପ୍ରବାହିତ ହୁଏ। କିନ୍ତୁ ନଦୀ ଅବବାହିକାରେ ବ୍ୟାପକ ଖନନ ଏବଂ ପରବର୍ତ୍ତୀ ସମୟରେ ଭୂତଳ ଜଳସ୍ତର ହ୍ରାସ କାରଣରୁ ନଦୀର ଜଳପ୍ରବାହ ବ୍ୟାପକ ରୂପରେ ହ୍ରାସ ପାଇଛି।”

ଏହି ସବୁ ବିପର୍ଯ୍ୟୟ ସାଙ୍ଗକୁ ଏହି ଜିଲ୍ଲା ଏକ ତୃତୀୟ ସମସ୍ୟାର ସମ୍ମୁଖୀନ ହୋଇଛି। ଏକ ଅନୁଶୀଳନ ରୁ ଜଣାଯାଇଛି ଯେ ୧୯୯୭ରୁ୨୦୦୩ ମସିହା ମଧ୍ୟରେ ହରଦୋଇ ଜିଲ୍ଲାରେ ଥିବା ଆର୍ଦ୍ରଭୂମି ପରିମାଣ ୮୫ ପ୍ରତିଶତ ହ୍ରାସ ପାଇଛି।

Left: Shivram Saxena standing knee-deep in the Sai river.
PHOTO • Rana Tiwari
Right: Boring for farm irrigation right on the banks of the river
PHOTO • Pawan Kumar

ବାମ: ସଇ ନଦୀରେ ଆଣ୍ଠୁଏ ପାଣିରେ ଠିଆ ହୋଇଛନ୍ତି ଶିବରାମ ସକ୍‌ସେନା। ଡାହାଣ: ଚାଷଜମିକୁ ଜଳସେଚିତ କରିବା ଲାଗି ନଦୀ କୂଳରେ ବୋରିଂ ପମ୍ପ୍‌

ଏହି ବିଜ୍ଞାନ ବିଷୟରେ ଆଦୌ ଜାଣି ନଥିବା ଲୋକଙ୍କ ଆଖିକୁ ବି ପରୌଲିରେ ଘଟିଥିବା ପରିବର୍ତ୍ତନ ଦେଖାଯାଏ। ଉଦାହରଣ ସ୍ୱରୂପ, ଦୁଇ ଦଶନ୍ଧିରୁ କିଛି ଅଧିକ ସମୟ ଭିତରେ ଗାଁର ସମସ୍ତ ଛଅଟି ଯାକ କୂଅ ଶୁଖିଯାଇଛି। କୂଅ ନିକଟରେ ପାଳିତ ହେଉଥିବା ସମସ୍ତ ପାରମ୍ପରିକ ରୀତିନୀତି (ଯେମିତି କି କୂଅମୂଳରେ ଗାଁକୁ ନୂଆ କରି ଆସିଥିବା ବୋହୂର ପ୍ରାର୍ଥନା) ବନ୍ଦ ହୋଇଗଲାଣି। ଗ୍ରୀଷ୍ମ କାଳରେ ନଦୀଟି ଏକ କ୍ଷୀଣ ଧାରାର ରୂପ ନେଉଛି।

ଗ୍ରୀଷ୍ମକାଳରେ ନଈପହଁରାକୁ ଉପଭୋଗ କରିଆସୁଥିବା ୪୭ ବର୍ଷୀୟ ଚାଷୀ ଶିବରାମ ସକ୍‌ସେନାଙ୍କ ଭଳି ଅନେକ ଗ୍ରାମବାସୀ ଏବେ ଫଟୋଟିଏ ଉଠାଇବା ପାଇଁ ମଧ୍ୟ ନଈ ଭିତରେ ପାଦ ରଖିବାକୁ କୁଣ୍ଠାବୋଧ କରୁଛନ୍ତି। ଆଣ୍ଠୁଏ ପାଣିରେ ଠିଆ ହୋଇଥିବା ଶିବରାମଙ୍କ ପଛପଟେ କୌଣସି ଏକ ପଶୁର ମୃତଶରୀର ଭାସୁଥିବା ବେଳେ ସେ କହନ୍ତି, “ମୁଁ ଯେଉଁ ନଈକୁ ପିଲାବେଳୁ ଦେଖି ଦେଖି ବଡ଼ ହୋଇଛି, ଏହା ସେହି ସୁନ୍ଦର, ପରିଷ୍କାର ନଈ ନୁହେଁ।”

ଅବସ୍ଥିଙ୍କ ବାପା ଦେବୀ ଚରଣ ଜଣେ ପାତ୍ରୌଲ (ଜଳସେଚନ ବିଭାଗ ପାଇଁ ଜମି ମାପଚୁପ କରିବା ଲାଗି ସରକାରୀ ନିଯୁକ୍ତିପ୍ରାପ୍ତ କର୍ମଚାରୀ) ଥିଲେ। ଜଳସେଚନ ପାଇଁ ସଇ ନଦୀର ପାଣିକୁ ପରୌଲି ଗାଁକୁ ନେବା ଲାଗି ସେ ଏକ ଛୋଟ କେନାଲ ତିଆରି କରିଥିଲେ। ଏବେ ସେହି କେନାଲ ଶୁଖି ଯାଇଛି।

ତା’ ବଦଳରେ, ଜମିକୁ ପାଣି ମଡ଼ାଇବା ଲାଗି ନଦୀର ଉଭୟ କୂଳରେ ଅନେକ ଡିଜେଲ ଚାଳିତ ପମ୍ପ୍‌ ଚାଲୁଛି।

ଅତୀତରେ ସଇ ନଦୀ ତା’ର ବୀର ଯୋଦ୍ଧାମାନଙ୍କୁ ଦେଖିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୭୪ ବର୍ଷୀୟ ପୂର୍ବତନ ରାଜ୍ୟ ବିଧାନ ପରିଷଦ ସଦସ୍ୟ (୧୯୯୬-୨୦୦୨) ବିନ୍ଧ୍ୟବାସନୀ କୁମାର। ୨୦୧୩ରେ ସେ ନଦୀ କୂଳେ କୂଳେ ୭୨୫ କିଲୋମିଟର ଯାତ୍ରା କରିଥିଲେ। ସେହି ଅବସରରେ ସେ ୮୨ଟି ସାଧାରଣ ସଭାର ଆୟୋଜନ କରିଥିଲେ ଏବଂ ହଜାର ହଜାର ଗଛ ଲଗାଇଥିଲେ। ତାଙ୍କର ବାର୍ତ୍ତା ଥିଲା ଯେ, ଗଙ୍ଗାର ଉପନଦୀଗୁଡ଼ିକ ସୁରକ୍ଷିତ ନରହିବା ପର୍ଯ୍ୟନ୍ତ ଗଙ୍ଗାକୁ ସୁରକ୍ଷିତ ରଖିବା ସମ୍ଭବ ହେବ ନାହିଁ।

ପ୍ରତାପଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା କୁମାର କହନ୍ତି. “ମୋ ଜୀବନ କାଳରେ ଅନେକ ନଦୀ ଧୀରେ ଧୀରେ ଉଭେଇ ଯିବା କଥା ମୁଁ ଦେଖିଛି। ସେଗୁଡ଼ିକ ସଂକୁଚିତ ହୋଇଯାଇଛନ୍ତି, ଜଳ ଉତ୍ସ ଶୁଖି ଯାଇଛି, ଶିଳ୍ପ ସଂସ୍ଥାରୁ ନିର୍ଗତ ବର୍ଜ୍ୟବସ୍ତୁ ଏବଂ ଅଳିଆ ଆବର୍ଜନାକୁ ମନଇଚ୍ଛା ନଦୀ ଭିତରକୁ ଫିଙ୍ଗି ଦିଆଯାଉଛି, ଚାଷବାସ ପାଇଁ ନଦୀଶଯ୍ୟାକୁ ଜବରଦଖଲ କରାଯାଉଛି, ଅତ୍ୟଧିକ ଭାବରେ ଭୂତଳ ଜଳ ବ୍ୟବହାର କରାଯାଉଛି... ଦୁଃଖର କଥା ଯେ ଆମର ନୀତି ପ୍ରଣେତାମାନେ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।" ସଇ ନଦୀ ପ୍ରତାପଗଡ଼ ଜିଲ୍ଲା ଦେଇ ବି ପ୍ରବାହିତ ହେଉଛି।

ହୁଏତ ନଦୀଗୁଡ଼ିକ ଉଭେଇ ଯାଉଥିବାର ଦୁଃଖ ପ୍ରତି ଆମର ନୀତି ପ୍ରଣେତାମାନେ ଧ୍ୟାନ ଦେଉନାହାନ୍ତି, କିନ୍ତୁ ସେମାନେ ନିଜ ନିଜ କୃତିତ୍ୱର ଚମତ୍କାରିତା ଦିଗ ପ୍ରତି ବେଶ୍‌ ଯତ୍ନଶୀଳ।

Old photos of the protest march obtained via Vindhyavasani Kumar. Kumar undertook a journey of 725 kms on the banks of the river in 2013
PHOTO • Courtesy: Vindhyavasani Kumar
Old photos of the protest march obtained via Vindhyavasani Kumar. Kumar undertook a journey of 725 kms on the banks of the river in 2013
PHOTO • Courtesy: Vindhyavasani Kumar

ବିନ୍ଧ୍ୟବାସନୀ କୁମାରଙ୍କ ପାଖରୁ ମିଳିଥିବା ପ୍ରତିବାଦ ଶୋଭାଯାତ୍ରାର ପୁରୁଣା ଫଟୋ । କୁମାର ୨୦୧୩ରେ ନଦୀ କୂଳରେ ୭୨୫ କିଲୋମିଟର ଯାତ୍ରା କରିଥିଲେ

'Till children do not study the trees, land and rivers around them, how will they grow up to care for them when adults?' says Vindhyavasani Kumar (right)
PHOTO • Courtesy: Vindhyavasani Kumar
'Till children do not study the trees, land and rivers around them, how will they grow up to care for them when adults?' says Vindhyavasani Kumar (right)
PHOTO • Rana Tiwari

'ପିଲାମାନେ ଗଛ, ଜମି ଓ ସେଗୁଡ଼ିକୁ ଘେରି ରହିଥିବା ନଦୀ ସଂପର୍କରେ ନ ପଢ଼ିଲେ ସେମାନେ ବଡ଼ ହେଲେ ସେଗୁଡ଼ିକର ଯତ୍ନ ନେବା କଥା କେଉଁଠୁ ଶିଖିବେ?' ବୋଲି ପଚାରନ୍ତି ବିନ୍ଧ୍ୟବାସନୀ କୁମାର (ଡାହାଣ)

୨୦୨୨ ମସିହା ନଭେମ୍ବର ୧ତାରିଖ ଦିନ; ଭାରତର ଜଳ ସପ୍ତାହ ପାଳନ ଅବସରରେ ଭାଷଣ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୃପ୍ତ କଣ୍ଠରେ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ୬୦ରୁ ଅଧିକ ନଦୀର ପୁନରୁଦ୍ଧାର କରାଯାଇଛି।

ପ୍ରଫେସର ଭେଙ୍କଟେଶ ଦତ୍ତ କହନ୍ତି ଯେ, ନଦୀଗୁଡ଼ିକୁ ପୁନର୍ଜୀବିତ କରାଇବା କୌଣସି ‘ଯାଦୁବିଦ୍ୟା’ ବଳରେ ସମ୍ଭବ ନୁହେଁ ଯେ ଅଳ୍ପ କିଛି ବର୍ଷରେ ହୋଇପାରିବ। “କେବଳ ହ୍ରଦ, ପୋଖରୀ ଏବଂ ଝରଣା ଭଳି ବଡ଼ ବଡ଼ ଜଳାଶୟରୁ ପ୍ରାକୃତିକ ଉପାୟରେ ଜଳ ଭରଣା କରାଯାଇ ପାରିଲେ ହିଁ ଆମ ନଦୀଗୁଡ଼ିକରେ ପାଣି ରହିବ। ଫସଲ ଚୟନ ବଦଳାଇବାକୁ ପଡ଼ିବ। ସଠିକ ଜଳସେଚନ ଜରିଆରେ ଜଳର ବହୁଳ ବ୍ୟବହାରକୁ କମ୍‌ କରାଯାଇପାରିବ। ଏବଂ ଏସବୁ କରିବା ପରେ ବି ଗୋଟିଏ ନଦୀକୁ ପୁନର୍ଜୀବିତ କରାଇବା ଲାଗି ୧୫ରୁ ୨୦ ବର୍ଷ ଲାଗିଯିବ।” ଜାତୀୟ ସ୍ତରରେ ନଦୀ ପାଇଁ କୌଣସି ନୀତି ନ ଥିବା ଦୁଃଖର କଥା ବୋଲି ସେ ମତ ଦିଅନ୍ତି।

ବିନ୍ଧ୍ୟବାସନୀ କୁମାର କହନ୍ତି ଯେ, ସ୍ଥାନୀୟ ଅଞ୍ଚଳର ଭୂଗୋଳକୁ ସ୍କୁଲ ପାଠ୍ୟକ୍ରମରେ ବାଧ୍ୟତାମୂଳକ କରିବା ଏ କ୍ଷେତ୍ରରେ ଏକ ଦୀର୍ଘମିଆଦି ସମାଧାନ ପନ୍ଥା। “ପିଲାମାନେ ସେମାନଙ୍କ ଚାରିପାଖରେ ଥିବା ଗଛ, ଜମି ଓ ନଦୀ ସଂପର୍କରେ ପଢ଼ନ୍ତି ନାହିଁ। ସେମାନେ ବଡ଼ ହେଲେ ସେଗୁଡ଼ିକର ଯତ୍ନ ନେବା କଥା କେମିତି ଶିଖିବେ ?” ବୋଲି ସେ ପଚାରନ୍ତି।

ରାଜ୍ୟ ଭୂତଳ ଜଳ ବିଭାଗର ପୂର୍ବତନ ବରିଷ୍ଠ ଜଳବିଜ୍ଞାନୀ ତଥା ଭୂତଳ ଜଳ କ୍ରିୟାନୁଷ୍ଠାନ ଗୋଷ୍ଠୀର ଆବାହକ ରବୀନ୍ଦ୍ର ସ୍ୱରୂପ ସିହ୍ନା କହନ୍ତି ଯେ, ନଦୀଗୁଡ଼ିକର ପୁନରୁଦ୍ଧାର ସକାଶେ ଏକ ‘ସାମଗ୍ରିକ ଦୃଷ୍ଟିଭଙ୍ଗୀ’ର ଆବଶ୍ୟକତା ରହିଛି।

"ନଦୀକୁ ପାଣି ଯୋଗାଉ ଥିବା ଝରଣାଗୁଡ଼ିକର ପୁନରୁଦ୍ଧାର ବିନା ଗଙ୍ଗା ଭଳି ବଡ଼ ବଡ଼ ନଦୀର ପୁନରୁଦ୍ଧାର କରାଯାଇପାରିବ ନାହିଁ। ଏ ଦିଗରେ ଏକ ବିସ୍ତୃତ ଅଭିଯାନରେ ତଥ୍ୟ ସଂଗ୍ରହ; ବିଶ୍ଲେଷଣ ଏବଂ ପରିଚାଳନା; ଜଳ ନିଷ୍କାସନର ସ୍ଥାୟୀ ସୀମା ନିର୍ଦ୍ଧାରଣ; ଚାହିଦା ହ୍ରାସ କରାଇବା ଲାଗି ମିଳିତ କାର୍ଯ୍ୟାନୁଷ୍ଠାନ; ନିଷ୍କାସନ ହାର ହ୍ରାସ ଏବଂ ଭୂତଳ ଜଳ ପରିମାଣ ସ୍ଥିର ରଖିବା ଉଦ୍ୟମ; ଭୂତଳ ଓ ଭୂପୃଷ୍ଠ ଜଳ ବ୍ୟବହାରରେ ଭାରସାମ୍ୟ ବଜାୟ ରଖିବା ପ୍ରଭୃତି ପ୍ରସଙ୍ଗ ଅନ୍ତର୍ଭୁକ୍ତ ହେବା ଦରକାର।"

ସିହ୍ନା କହନ୍ତି, “କେବଳ ନଦୀରୁ ପଙ୍କ କାଢ଼ିବା ଏବଂ ଦଳ ଓ ଜଳଜ ଉଦ୍ଭିଦ ବାହାର କରିବା ପ୍ରଭୃତି ଅସ୍ଥାୟୀ ପଦକ୍ଷେପ ଏବଂ ଏହା ଫଳରେ କିଛି ସମୟ ପାଇଁ ଜଳପ୍ରବାହ ବୃଦ୍ଧି ପାଇପାରେ।”

ସେ ଆହୁରି କହନ୍ତି, “ଭୂତଳ ଜଳ, ବୃଷ୍ଟିପାତ ଏବଂ ନଦୀ ମଧ୍ୟରେ ଏକ ଚକ୍ରାକାର ସଂପର୍କ ରହିଥିଲା, ଯେଉଁଥିରେ ଏବେ ଫାଟ ସୃଷ୍ଟି ହୋଇଗଲାଣି।”

Left: There is algae, water hyacinth and waste on the river.
PHOTO • Pawan Kumar
Right: Shivram Saxena touching the water hyacinth in the Sai
PHOTO • Pawan Kumar

ବାମ: ନଦୀରେ ଭାସମାନ ଶିଉଳି, ଜଳଜ ଉଦ୍ଭିଦ ଏବଂ ବର୍ଜ୍ୟବସ୍ତୁ ରହିଛି। ଡାହାଣ: ଶିବରାମ ସକ୍‌ସେନା ସଇ ନଦୀରେ ଦଳ ଭଳି ଜଳଜ ଉଦ୍ଭିଦ ଧରିଛନ୍ତି

ଏହି ଫାଟ ଉଭୟ ପକ୍ଷରୁ ସୃଷ୍ଟି ହେଉଛି- ପ୍ରଦୂଷଣ ଭଳି ମନୁଷ୍ୟକୃତ କାର୍ଯ୍ୟକଳାପରୁ ଏବଂ ମଣିଷର ନିୟନ୍ତ୍ରଣ ବାହାରେ ରହିଥିବା କାରଣରୁ।

ସିହ୍ନା କହନ୍ତି, “ସବୁଜ ବିପ୍ଲବ କାରଣରୁ ଭୂତଳ ଜଳ ଉପରେ ଆମର ନିର୍ଭରଶୀଳତା ବଢ଼ିଗଲା। ଗଛ ସଂଖ୍ୟା ହ୍ରାସ ପାଇଲା। ବୃଷ୍ଟିପାତର ଧାରା ବଦଳିଗଲା- ଅନେକ ଦିନ ଧରି ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ବଦଳରେ ଅଧିକାଂଶ ସମୟରେ ଅଳ୍ପ ଦିନ ପାଇଁ ବୃଷ୍ଟିପାତ ହେଲା। ଏହାର ଅର୍ଥ ଅଧିକାଂଶ ବର୍ଷାପାଣି ଗଡ଼ି.ଯିବାରେ ଲାଗିଲା ଏବଂ ଭୂତଳକୁ ଝରି ଯିବା ପାଇଁ ସମୟ ମିଳିଲାନି। ଭୂତଳ ଜଳ ପରିମାଣ କମିବା ଫଳରେ ଆମ ନଦୀରେ ମିଶିବା ପାଇଁ ପର୍ଯ୍ୟାପ୍ତ ପାଣି ରହିଲା ନାହିଁ।”

ତଥାପି, ସରକାରୀ ଉନ୍ନୟନ ନୀତିରେ ଭୂତଳ ଜଳ ସଂପର୍କିତ ଦିଗକୁ କ୍ୱଚିତ୍‌ ବିଚାରକୁ ନିଆଯାଏ। ଏ ସଂପର୍କରେ ସିହ୍ନା ଦୁଇଟି ଉଦାହରଣ ଦିଅନ୍ତି – ପ୍ରଥମରେ, ବର୍ତ୍ତମାନ ସରକାର ଅମଳରେ ରାଜ୍ୟର ନଳକୂଅ ସଂଖ୍ୟା୧୦,୦୦୦ରୁ ୩୦,୦୦୦କୁ ବୃଦ୍ଧି ପାଇଛି। ଏବଂ ଅନ୍ୟଟି ହେଲା, ‘ହର୍‌ ଘର୍ ଜଲ ଯୋଜନା’ରେ ସବୁ ପରିବାର ପାଖରେ ପାଣି ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।

ସିହ୍ନା କେତେକ ଆବଶ୍ୟକ ପଦକ୍ଷେପ ସଂପର୍କରେ କହନ୍ତି। ନଦୀଗୁଡ଼ିକର ମ୍ୟାପିଂ, ଭୂତଳ ଜଳ ସ୍ଥିତି, ଆକାର ଓ ଗତିପଥ ନିର୍ଦ୍ଧାରଣ ଏବଂ ଅଙ୍କାବଙ୍କା ଭାବେ ବା ଖୁରାକୃତିରେ ରହିଥିବା ହ୍ରଦ (ସାଟେଲାଇଟ୍‌ ମ୍ୟାପିଂ ଜରିଆରେ) ଚିହ୍ନଟ ପ୍ରଭୃତି ଏଥିରେ ଅନ୍ତର୍ଭୁକ୍ତ।

ଅଥଚ, ସବୁ ଦୃଷ୍ଟିରୁ ସଂପୂର୍ଣ୍ଣ ଏକ ଆଭିମୁଖ୍ୟ ବଦଳରେ ସରକାର ଅସ୍ପଷ୍ଟ ପରିସଂଖ୍ୟାନ ପ୍ରଦାନ କରିବାରେ ଲାଗିଛନ୍ତି। ଉଦାହରଣତଃ, ୨୦୧୫  ମସିହାରେ ଡାର୍କ ଜୋନ୍‌ (ଯେଉଁଠାରେ ଭୂତଳ ଜଳସ୍ତର ହ୍ରାସ ପାଇ ଉଦ୍‌ବେଗଜନକ ସ୍ଥିତିରେ ରହିଛି) ନିର୍ଦ୍ଧାରଣ ପ୍ରକ୍ରିୟାରେ ନିଷ୍କାସିତ ଭୂତଳ ଜଳ ପ୍ରସଙ୍ଗକୁ ଏଡ଼ାଇ ଯିବାକୁ ସରକାର ସ୍ଥିର କଲେ। ସେହି ସମଯରୁ ଏହି ପ୍ରକ୍ରିୟା କେବଳ ଭୂତଳ ଜଳର ଅବଶୋଷଣ ଆକଳନ କରିବାରେ ସୀମିତ ରହିଛି।

ଆଜାଦ ନଗରରେ ରହୁଥିବା ତ୍ୟାଗୀ ଅସୁସ୍ଥ ଅଛନ୍ତି ଏବଂ ସେ ଏଥିପାଇଁ ଖୁସି ଯେ ସେ ଆଉ ସଇ ନଦୀ ଯାଏ ଚାଲି ଚାଲି ଯାଇପାରିବେନି।  ସେ କହନ୍ତି, “ଏହାର ଅବସ୍ଥା ସଂପର୍କରେ ଯାହା ମୁଁ ଶୁଣୁଛି, ସେଥିରୁ ଜାଣିପାରୁଛି ଯେ ଏହାକୁ ଦେଖିବା ଅତି କଷ୍ଟକର ହେବ।”

ଅବସ୍ଥି କହନ୍ତି ଯେ, ବୋଧହୁଏ ନଦୀର ଗତିରୋଧ କରିବା (ପୋଲ ଓ କେନାଲ ନିର୍ମାଣ ସମେତ) ପାଇଁ ମଣିଷର ଉଦ୍ୟମ ଏକ ଅଘଟଣ ସଦୃଶ ଥିଲା। “ଆମ ପାଖରେ ପୋଲଟିଏ ଅଛି, କିନ୍ତୁ ଏହା ତଳେ କୌଣସି ନଦୀ ବହିଯାଉ ନାହିଁ। ଏହାଠୁଁ ବଳି ଦୁଃଖର କଥା ଆଉ କ’ଣ ହୋଇପାରେ ?” ବୋଲି ସେ ପଚାରନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Rana Tiwari

Rana Tiwari is a freelance journalist based in Lucknow.

Other stories by Rana Tiwari
Photographs : Rana Tiwari

Rana Tiwari is a freelance journalist based in Lucknow.

Other stories by Rana Tiwari
Photographs : Pawan Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE