ପ୍ରାତଃ କାଳରେ, ସୁନିତା ସାହୁ  କଷ୍ଟରେ କର ଲେଉଟାଇ ପଚାରିଲେ,"ପିଲାମାନେ କେଉଁଠାରେ?" ତାଙ୍କର ସ୍ୱାମୀ ବୋଧରାମ କହିଲେ ସେମାନେ ଶୋଇଛନ୍ତି। ସେ ଦୀର୍ଘ ନିଶ୍ୱାସ ଛାଡିଲେ। ଗତ ରାତିରେ ସେ ଶୋଇନଥିଲେ। ଯାହାକି ବୋଧରାମଙ୍କୁ ବିଚଳିତ କରିଥିଲା। ସେ ତାଙ୍କୁ ଅନେକ ସମୟରେ ଥଟ୍ଟା କରି କହୁଥିଲେ ଯେ ଯେକୌଣସି ସମୟରେ, ଯେ କୌଣସି ସ୍ଥାନରେ ସେ ଶୋଇପାରିବେ।

କିନ୍ତୁ ଏପ୍ରିଲ୍‌ ମାସ ୨୮ ତାରିଖର ରାତିରେ ବୋଧରାମ ଓ ସୁନିତା ସାହୁଙ୍କର ତିନି ପୁଅ(୧୨ ବର୍ଷ ରୁ ୨୦ ବର୍ଷ ବୟସ ମଧ୍ୟରେ) ପାଳି କରି ନିଜ ମାଙ୍କର ବାହୁ, ଗୋଡ,ହାତ ଓ ପେଟକୁ ଗରମ ସୋରିଷ ତେଲରେ ମାଲିସ କରିବା ବେଳେ ସେ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ସେ ଧୀର ସ୍ୱରରେ କହୁଥିଲେ,"ମୋର କିଛି ହେଇଯାଉଛି"- ଏହା ହେଉଛି ବୋଧରାମଙ୍କ ସକାଳର ସ୍ମୁତି।

ସାହୁ ପରିବାର ଲକ୍ଷ୍ନୌ ଜିଲ୍ଲାର ଖରଗପୁର ଜାଗିର ଗାଁରେ ଏକ ଝୁମ୍ପୁଡି ଘରେ ରୁହନ୍ତି।ସେମାନେ ଦୁଇ ଦଶନ୍ଧି ପୂର୍ବରୁ ଛତିଶଗଡର ବେମେଟ୍ରା ଜିଲ୍ଲାର ନିଜ ଗ୍ରାମ ମାରୋଠାରୁ ଚିନହାଟ ବ୍ଲକର ଏହି ଗ୍ରାମକୁ ଚାଲିଆସିଥିଲେ। ୪୨ ବର୍ଷୀୟ ବୋଧରାମ ନିର୍ମାଣ ସ୍ଥାନରେ ରାଜମିସ୍ତ୍ରୀ ଭାବରେ କାମ କରନ୍ତି; ୩୯ ବର୍ଷୀୟା ସୁନିତା ଜଣେ ଗୃହିଣୀ ଥିଲେ।

ଏପ୍ରିଲ୍‌ ମାସରେ କୋଭିଡ-୧୯ ର ଦ୍ୱିତୀୟ ଲହର ଉତ୍ତରପ୍ରଦେଶକୁ ଗୁରୁତର ଭାବରେ ପ୍ରଭାବିତ କରିଥିଲା। ଏପ୍ରିଲ୍‌ ମାସ ୨୪ ତାରିଖରେ ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୮୦୫୫ ଥିଲା - ଏହା ସର୍ବାଧିକ ଥିଲା, ୟୁପି ଲିଖିତ ବିବରଣୀରେ ଏହି ସଂଖ୍ୟାକୁ କମ୍‍ ଦର୍ଶାଇବା ଚିନ୍ତାର ବିଷୟ ଥିଲା।

ଲକ୍ଷ୍ନୌର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଆରଏମଏଲଆଇଏମଏସ) ର କମ୍ୟୁନିଟି ମେଡିସିନ ବିଭାଗରେ ସହାୟକ ଅଧ୍ୟାପକ,ରଶ୍ମୀ କୁମାରୀ କୁହନ୍ତି,"ପ୍ରକୃତ ସଂକ୍ରମିତ ସଂଖ୍ୟା ଚାରି ରୁ ପାଞ୍ଚ ଗୁଣା ଅଧିକ ହେଇପାରେ।। ଲିଖିତ ବିବରଣୀରେ ସଂଖ୍ୟା କମ୍‍ ରହିଛି କାରଣ ଜନସାଧାରଣ ଅପବାଦର ଭୟରେ ପରୀକ୍ଷା ପାଇଁ ଆସୁନାହାଁନ୍ତି। ଏହିପରି ପରିସ୍ଥିତିରେ ପ୍ରକୃତ ସଂଖ୍ୟା ପାଇବା କଷ୍ଟସାଧ୍ୟ।"

ସାହୁ ପରିବାର ନିଶ୍ଚିତ ଥିଲେ କି ସୁନିତାଙ୍କୁ କୋଭିଡ-୧୯ ସଂକ୍ରମିତ ହୋଇନଥିଲା କାରଣ ପରିବାରର ଅନ୍ୟ କେହି ସଂକ୍ରମିତ ହୋଇନଥିଲେ, ଯଦିଓ ତାଙ୍କର ଜ୍ୱର, ଶରୀର ଯନ୍ତ୍ରଣା ଓ ଅତିରିକ୍ତ ତରଳଝାଡ଼ା ହେଉଥିଲା - ଯାହାକି କରୋନା ଭୂତାଣୁରେ ସଂକ୍ରମିତ ହେବାର ଲକ୍ଷଣ ଅଟେ।

Bodhram Sahu's wife Sunita was diagnosed with typhoid but could have been Covid-positive too
PHOTO • Courtesy: Bodhram Sahu

ବୋଧରାମ ସାହୁଙ୍କ ପତ୍ନୀ ସୁ ନି ତା ଟାଇଫଏଡରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କୋଭିଡ-ସଂକ୍ରମିତ ହୋଇଥାଇ ପାରନ୍ତି

ଏପ୍ରିଲ୍ ମାସ୨୬ ତାରିଖ ଦିନ ସକାଳେ ଯେତେବେଳେ ସେ ପ୍ରଥମେ ଯନ୍ତ୍ରଣା ଏବଂ ଶାରୀରିକ ଦୁର୍ବଳତା ବିଷୟରେ ଅଭିଯୋଗ କରିଥିଲେ,ବୋଧରାମ ତାଙ୍କୁ ନିଜ ସାଇକେଲର କ୍ୟାରିଅରରେ ଉପରେ ବସାଇ ତିନି କିଲୋମିଟର ଦୂରରେ ଥିବା ଡାକ୍ତରଙ୍କ ନିକଟକୁ ନେଇ ଯାଇଥିଲେ।ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବାର ଆବଶ୍ୟକତା ରହିଛି କି ବୋଲି ସେ ଡାକ୍ତରଙ୍କୁ ପଚାରିଥିଲେ।

ବୋଧରାମ ମନେ ପକାଇ କୁହନ୍ତି ଯେ ଡାକ୍ତର କହିଲେ: "ତାଙ୍କୁ କେଉଁଠାକୁ ନେବ? କୌଣସି ଡାକ୍ତରଖାନାରେ ଖାଲି ସ୍ଥାନ ନାହିଁ। ଏହି ଔଷଧଗୁଡିକ ତାଙ୍କୁ ଖାଇବାକୁ ଦିଅ, ସେ ତିନି ଦିନରେ ଭଲ ହେଇଯିବେ।" ରକ୍ତ ନମୁନା ସଂଗ୍ରହ କରିବା ପାଇଁ ଡାକ୍ତର ନିକଟସ୍ଥ ପାଥୋଲୋଜି ଲ୍ୟାବ କର୍ମଚାରୀକୁ ଡାକିଥିଲେ। ତାଙ୍କର କୋଭିଡ -୧୯ରପରୀକ୍ଷା କରାଯାଇ ନଥିଲା।।

ପରୀକ୍ଷାରେ ସାହୁ ୩୦୦୦ଟଙ୍କା ଖର୍ଚ୍ଚ କରିଥିଲେ। ପରେ ଡାକ୍ତରଙ୍କ କହିବା ଅନୁସାରେ ପରାମର୍ଶ ଓ ପ୍ୟାକେଟ୍‍ରୁ କଢାଯାଇ ମାଟିଆ କାଗଜରେ ତିଆରି ଥଳିରେ ରଖାଯାଇଥିବା ଔଷଧ ଓ ଶକ୍ତି ବଢାଇବା ପାଇଁ ଗୋଟେ ଗାଢ ମାଟିଆ ରଙ୍ଗର ଔଷଧ ବୋତଲ ପାଇଁ ସେ ପୁଣି ୧୭୦୦ଟଙ୍କା ଦେଇଥିଲେ।

ସେହି ଦିନ ସଂଧ୍ୟା ୫ ଘଟିକାରେ ବୋଧରାମ ସୁନିତାଙ୍କ ମନା କରିବା ସତ୍ତ୍ୱେ, ସେ ଅଧିକ ଦୁର୍ବଳ ଲାଗୁଛନ୍ତି କହି ସାଇକେଲରେ ବସାଇ ପୁଣି କ୍ଳିନିକ୍‍କୁ ନେଇ ଯାଇଥିଲେ। ସେତେବେଳକୁ ତାଙ୍କର ରକ୍ତ ପରୀକ୍ଷାର ରିପୋର୍ଟ ଆସିଯାଇଥିଲା।ଏଥିରେ ଏକ ଉଚ୍ଚ ସ୍ତରର ଏନଜାଇମ୍ ସେରମ୍ ଗ୍ଲୁଟାମିକ୍ ଅକ୍ସାଲୋଏସେଟିକ୍ ଟ୍ରାନ୍ସାମିନେଜ୍ ଦେଖାଯାଇଥିଲା, ଯାହାକି ଯକୃତର କ୍ଷତି ହେବାର ସୂଚାଇଥାଏ (ଅନ୍ୟ ଅଙ୍ଗଗୁଡିକ ମଧ୍ୟରେ)। ଡାକ୍ତର କହିଲେ ସୁନିତାଙ୍କୁ ଟାଇଫଏଡ୍‍ ହେଇଛି। ଶକ୍ତି ବଢାଇବା ପାଇଁ ସୁନିତାଙ୍କୁ ଏକ ଡ୍ରିପ୍‍ ଦେବା ପାଇଁ ବୋଧରାମଙ୍କର ଅନୁରୋଧକୁ ଡାକ୍ତର ପ୍ରତ୍ୟାଖାନ କଲେ ଏବଂ ଦାବି କରି କହିଲେ ତାଙ୍କର ଔଷଧ ସୁନିତାଙ୍କୁ ତୁରନ୍ତ ଆରୋଗ୍ୟ କରିଦେବ।

ଏକ ରିସର୍ଚ୍ଚ ପେପରରେ ପ୍ରକାଶିତ ତଥ୍ୟ ଅନୁସାରେ ଯଦିଓ ଟାଇଫଏଡ୍ ସବୁବେଳେ ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ହୋଇ ରହିଆସିଛି, , “... କୋଭିଡ-୧୯  ରୋଗୀଙ୍କ ମଧ୍ୟରେ ଫଲ୍‍ସ ପଜିଟିଭ୍ ୱିଡାଲ୍ ପରୀକ୍ଷା[ଟାଇଫଏଡ୍ ପାଇଁ] ବିକାଶଶୀଳ ଦେଶରେଏକ ଗୁରୁତ୍ୱପୂର୍ଣ୍ଣ ଜନସ୍ୱାସ୍ଥ୍ୟ ସମସ୍ୟା ଅଟେ… ବର୍ତ୍ତମାନ ଟାଇଫଏଡ୍ ଏବଂ ଡେଙ୍ଗୁ ଫଲ୍‍ସ-ପଜିଟିଭ୍ ... ଗୁଡିକୁ ସତର୍କତାର ସହିତ ବ୍ୟାଖ୍ୟା କରାଯିବା ଉଚିତ ଏବଂ କୋଭିଡ-୧୯ ମହାମାରୀ ସମୟରେ ଏହି ରୋଗୀଙ୍କ ଉପରେ ନଜର ରଖିବା ଏବଂ ନିରନ୍ତର ତଦାରଖ କରିବା ଆବଶ୍ୟକ । ”

ସତର୍କତାର ଆବଶ୍ୟକତାକୁ ନିଶ୍ଚିତ କରି ଆରଏମଏଲଆଇଏମଏସର କୋଭିଡ-୧୯ ଡାକ୍ତରଖାନାର ଆନାସ୍ଥେସିଓଲୋଜିଷ୍ଟ ପ୍ରବୀଣ କୁମାର ଦାସ କୁହନ୍ତି,"କୋଭିଡ ଏବଂ ଟାଇଫଏଡ ଆଣ୍ଟିବଡି ମଧ୍ୟରେ କିଛି କ୍ରସ୍ ପଜିଟିଭିଟି ରହିଛି।ଆମର କ୍ଲିନିକାଲ୍ ଅଭିଜ୍ଞତାରେ ପ୍ରାୟ ୧୦ ପ୍ରତିଶତ ରୋଗୀ ପ୍ରକୃତରେ କୋଭିଡ ସଂକ୍ରମିତ ଥିଲାବେଳେ ପରୀକ୍ଷାରେ ଟାଇଫଏଡରେ ଆକ୍ରାନ୍ତ ବୋଲି ଜଣାପଡୁଥିଲେ।

ସୁନିତା ଯିଏକି ଟାଇଫଏଡରେ ଆକ୍ରାନ୍ତ ଥିଲେ ବୋଲି ପରୀକ୍ଷାରୁ ଜଣାପଡିଥିଲା, ଜ୍ୱର ଓ ଅନ୍ୟାନ୍ୟ ଲକ୍ଷଣ ଦେଖାଦେବାର ତିନିଦିନ ନହେଉଣୁ ଏପ୍ରିଲ୍‌ ମାସ ୨୯ ତାରିଖ ପ୍ରାତଃ କାଳରେ ନିଜର ତିନି ପିଲାଙ୍କ ବିଷୟରେ ପଚାରିବାର ଅଧଘଣ୍ଟା ପରେ ମୃତ୍ୟୁବରଣ କରିଥିଲେ।ବୋଧରାମ ଭାବିଲେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ ଓ ନିଜର ହାତ ତାଙ୍କ ମଥା ଉପରେ ରଖି କାନ୍ଦିବା ଆରମ୍ଭ କଲେ ଯାହାକି ତାଙ୍କ ପୁଅମାନଙ୍କୁ ନିଦରୁ ଉଠାଇ ଦେଇଥିଲା।"ଠିକ୍ ସେହିପରି ସେ ସବୁଦିନ ପାଇଁ ଶୋଇପଡିଥିଲେ,"ସେ ମୋତେ କିଛି ସପ୍ତାହ ପୂର୍ବରୁ ନିଜ ଗାଁରୁ ସମସ୍ତ ଘଟଣାବଳିର ବିସ୍ତୁତ ବିବରଣୀ ଏବଂ କ୍ଷତି ବିଷୟରେ ଫୋନରେ କହିଥିଲେ।

ସୁନିତାଙ୍କ ଶବଦାହ କରିବା ପାଇଁ ପରିବାରକୁ ମୃତ୍ୟୁ ପ୍ରମାଣପତ୍ର ଆବଶ୍ୟକ ଥିଲା। ଖାରଗପୁର ଜାଗିରର ପ୍ରଧାନ ରବିଲା ମିଶ୍ର ଏହା ପ୍ରଦାନ କରିଥିଲେ। ନୀଳ ରଙ୍ଗ କାଳିରେ ସେ ଲେଖିଥିଲେ ୨୯.୦୧.୨୦୨୧ ରେ ସେ ତାଙ୍କ ଝୁମ୍ପୁଡିରେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁର କାରଣ ବିଷୟରେ କିଛି ଉଲ୍ଲେଖ କରାଯାଇ ନଥିଲା।

ଏବଂ ସେଥିପାଇଁ ସୁନିତା କୋଭିଡରେ ମୃତ୍ୟୁବରଣ କରିଛନ୍ତି ବୋଲି ବିବେଚନା କରାଯିବ ନାହିଁ। ତେଣୁ ୟୁପି ଓ ଅନ୍ୟ ଯେକୌଣସି ସ୍ଥାନରେ ଲିଖିତ ବିବରଣୀରେ ସଂଖ୍ୟା କମ୍‍ ଦର୍ଶାଯିବା ଚିନ୍ତାର ବିଷୟ ହେବା ସହିତ ବିଶ୍ୱବ୍ୟାପି ଆଶଙ୍କା କରାଯାଉଛି ଯେ କୋଭିଡ-୧୯ରେ ଦର୍ଶାଯାଉଥିବା ମୃତ୍ୟୁର ସଂଖ୍ୟାଠାରୁ ପ୍ରକୃତ ସଂଖ୍ୟା ବହୁତ ଅଧିକ ଅଟେ।

Ramvati with her son Rakesh Kumar at her husband Ram Saran’s kiosk: they disbelieve the ‘Covid-19 positive’ notation
PHOTO • Rana Tiwari

ନିଜ ସ୍ୱାମୀ ରାମ ଶରଣଙ୍କ କିଓସ୍କରେ ରାମବତି ନିଜ ପୁଅ ରାକେଶଙ୍କ ସହିତ: ସେମାନେ କୋଭିଡ-୧୯ରେ ସଂକ୍ରମିତଙ୍କ ସଂଖ୍ୟାକୁ ଅବିଶ୍ୱାସ କରୁଛନ୍ତି

" ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚିତ କରିଛନ୍ତି," କୋଭିଡ-୧୯ ରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ଲୋକମାନଙ୍କ ସଂଖ୍ୟା ଆମକୁ ଉଲ୍ଲେଖନୀୟ ଭାବରେ କମ୍‍ ଦର୍ଶାଯାଉଛି "। "ଅତ୍ୟଧିକ ମୃତ୍ୟୁ"ଶବ୍ଦଟି ‘‘ସାଧାରଣ’’ ଅବସ୍ଥାରେ ଆଶା କରାଯାଉଥିବା ମୃତ୍ୟୁର ପରିସର ବାହାରେ  ଘଟି ଯାଉଥିବା ମୃତ୍ୟୁକୁ ଦର୍ଶାଏ। ଏହା କେବଳ ନିଶ୍ଚିତ ହୋଇଥିବା ମୃତ୍ୟୁକୁ ନୁହେଁ, ବରଂ ସଠିକ୍‍ ଭାବରେ ଚିହ୍ନଟ ଓ ରିପୋର୍ଟ ହୋଇନଥିବା କୋଭିଡ-୧୯ ମୃତ୍ୟୁଗୁଡିକୁ ମଧ୍ୟ ଏହି ସାମଗ୍ରିକ ସଂକଟ ଅବସ୍ଥା କାରଣରୁ ଘଟିଛି ବୋଲି ବିବେଚନା କରାଯାଏ। ଯେତେବେଳେ ଏହାକୁ କେବଳ ନିଶ୍ଚିତ କୋଭିଡ-୧୯ ମୃତ୍ୟୁ ସହ ତୁଳନା କରାଯାଏ ଏହା ବିସ୍ତୁତ ଓ ସଠିକ୍‍  ସଂଖ୍ୟା ପ୍ରଦାନ କରିଥାଏ।"

ଏହିପରି ଅନେକ ଅବସ୍ଥାକୁ ସଠିକ୍  ଭାବରେ ନିଦାନ କରାଯାଇ ନାହିଁ ଏବଂ କୋଭିଡ ହେଉଛି ହୃଦୟ ଟିସୁର ପ୍ରଦାହ । ଏହା ଅମ୍ଳଜାନ ଯୋଗାଣରେ ବାଧା ସୃଷ୍ଟି କରିଥାଏ ଏବଂ ହୃଦ୍‍ଘାତର କାରଣ ହୋଇପାରେ।

ଏହା ହେଉଛି ଲକ୍ଷ୍ନୌଠାରୁ ୫୬ କିଲୋମିଟରରେ ଦୂରରେ ଥିବା ସୀତାପୁର ଜିଲ୍ଲା ମହମୁଦାବାଦ ବ୍ଲକ୍‍ର ମୀରା ନଗର ଗାଁର ସରନ ପରିବାରରେ ଯାହାସବୁ ଘଟିଗଲା। ଏପ୍ରିଲ ୨୨ ତାରିଖ ଅପରାହ୍ନରେ ୫୭ ବର୍ଷୀ‍ୟ ରାମ ଶରନ ତୀବ୍ର ଯନ୍ତ୍ରଣା ଅନୁଭବ କଲେ। ତାଙ୍କର ୫୬ ବର୍ଷୀୟ ସ୍ତ୍ରୀ ରାମବତି ନିଜର ହାତ ନିଜର ଛାତି ଉପରେ ରଖି ସେ କେଉଁଠାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଦେଖାଇବାକୁ କହିଲେ।

ସେତେବେଳେ ରାମବତି ଲକ୍ଷ୍ନୌରେ ଥିଲେ- ଯେଉଁ ସହରକୁ ସେ ୧୬ ବର୍ଷ ବୟସର ହୋଇଥିବା ସମୟରେ ନିଜ ସ୍ୱାମୀଙ୍କ ସହ  ଆସିଥିଲେ। ସହରର ଉତ୍ତରରେ ଥିବା ଆଲିଗଞ୍ଜ ଅଂଚଳରେ ଏହି ଦମ୍ପତି ନିଜର ତିନି ସନ୍ତାନଙ୍କ ସହ ରହୁଥିଲେ, ରାମଶରନ ନିଜର କିଓସ୍କରେ ପାଣି ବୋତଲ,ଚିପ୍ସ, ମୃଦୁ ପାନୀୟ ଏବଂ ସିଗାରେଟ ବିକ୍ରି କରୁଥିଲେ। କିଛି ମାସ ପୂର୍ବରୁ ସେ ଏହିସବୁ ସାମଗ୍ରୀରେ ଫେସ୍‍ ମାସ୍କ ଯୋଡ଼ିଥିଲେ।

ଲକ୍‍ଡାଉନ କାରଣରୁ କିଓସ୍କ ବନ୍ଦ ହୋଇଯିବାରୁ, ସେ ଅନେକ ସମୟରେ ନିଜର ପୈତୃକ ଘରର ସ୍ଥିତି ପରଖିବାକୁ ନିଜ ଗାଁକୁ ଯାଉଥିଲେ। ଏହି ସମୟରେ ଘରୋଇ ସହାୟିକା ଭାବରେ କାମ କରି ରାମବତିଙ୍କୁ ମିଳୁଥିବା ଆୟରୁ ତାଙ୍କର ଘର ଚଳୁଥିଲା।

ଯେତେବେଳେ ରାମ ଶରନ ଅସ୍ୱସ୍ତିକର ଅନୁଭବ କରୁଛନ୍ତି ବୋଲି କହିଲେ, ମେସିନ ଅପରେଟର ଭାବରେ କାମ କରୁଥିବା ତାଙ୍କର ପୁଅ ରାଜେଶ କୁମାର ତାଙ୍କୁ ତୁରନ୍ତ ତାଙ୍କ ଘରଠାରୁ ପ୍ରାୟ ୧୦ କିଲୋମିଟର ଦୂର ମହମୁଦାବାଦରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଗଲେ। ଡ୍ୟୁଟିରେ ଥିବା ଡାକ୍ତରେ ରାମଶରନଙ୍କୁ ଦୁଇଟି ଇଞ୍ଜେକସନ୍‍ ଦେଲେ।

Ramvati in the colony where she does domestic work. With the kiosk (right) shut during the lockdown, the household had run on her earnings
PHOTO • Rana Tiwari
Ramvati in the colony where she does domestic work. With the kiosk (right) shut during the lockdown, the household had run on her earnings
PHOTO • Rana Tiwari

ସେହି କଲୋନି ଯେଉଁଠାରେ ରାମବତି ଘରୋଇ କାର୍ଯ୍ୟ କରନ୍ତି ତାଲାବନ୍ଦ ସମୟରେ କିଓସ୍କ(ଡାହାଣ)ବନ୍ଦ ହେବାରୁଘରଖର୍ଚ୍ଚ ତାଙ୍କ ଆୟରେ ଚାଲିଛି

କୁମାର ମନେ ପକାଇ କୁହନ୍ତି,"ସେତେବେଳକୁ ମୋର ବାପା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ। ଡାକ୍ତର କହିଲେ ଆମର ଏଠାରେ ଏକ ଛୋଟ ଅମ୍ଳଜାନ ସିଲିଣ୍ଡର ଅଛି, ଯାହାକି କୌଣସି କାମର ନୁହେଁ, ମୁଁ ତାଙ୍କୁ ତୁରନ୍ତ ଜିଲ୍ଲା ଚିକିତ୍ସାଳୟକୁ [ଗାଁଠାରୁ ପ୍ରାୟ ୮କିଲୋମିଟର ଦୂରରେ ଥିବା] ନେଇଯିବା ଉଚିତ୍‍।"୧୦୮(ସେବା ପାଇଁ ଉପଲବ୍‍ଧ ଦେଶର କେନ୍ଦ୍ରୀୟ ନମ୍ବର) ଡାଏଲ କରି ଏକ ଆମ୍ବୁଲାନ୍ସ ଡକାଗଲା। ଏପ୍ରିଲ୍‍ ୨୨ ତାରିଖ ଅପରାହ୍ନ ୨.୩୦ ସମୟରେ ଯେତେବେଳେ ତାଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରାଗଲା ରାମ ଶରନ ତତ୍‍କ୍ଷଣାତ ପ୍ରାଣତ୍ୟାଗ କଲେ।

କୁମାର କୁହନ୍ତି, "ସେ ସବୁବେଳେ କହିଥିଲେ, ମୁଁ ବଞ୍ଚିବି ନାହିଁ’ ସେ ଜଣେ ସୁସ୍ଥ ଲୋକ ଥିଲେ କିନ୍ତୁ ସେ ଚାଲିଗଲେ"।

କୌଣସି ମୃତ୍ୟୁ ପ୍ରମାଣପତ୍ର ଦିଆଯାଇ ନଥିଲା ଏବଂ ରାମ ଶରଣଙ୍କର ସେହିଦିନ ସଂଧ୍ୟାରେ ଗାଁରେ ଶବଦାହ କରାଯାଇଥିଲା। ଯଦିଓ ସିଏଚସିରେ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଅନୁସାରେ ସେ କୋଭିଡ-୧୯ ଏଜି ପରୀକ୍ଷା ରିପୋର୍ଟ ଅନୁସାରେ ସଂକ୍ରମିତ ଥିଲେ ତାହା ସତ୍ୱେ କୌଣସି ସତର୍କତା ବିନା ତାଙ୍କର ଶବଦାହ କରାଯାଇଥିଲା କାରଣ ପରିବାରର ବିଶ୍ୱାସ ଥିଲା ଯେ ସେ ‘ଦୃଦ୍‍ଘାତରେ’ ମୃତ୍ୟବରଣ କରିଛନ୍ତି।

ରାମ ଶରନ ସିଏଚସିରେ ଉପଯୁକ୍ତ ସେବା ପାଇବାକୁ ଅସମର୍ଥ ହେବା ରାଜ୍ୟର ସହର ଏବଂ ଗ୍ରାମଗୁଡିକର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସୁବିଧାଗୁଡିକ ବିଷୟରେ ଅବଗତ କରାଉଛନ୍ତି-ମେ ୧୭ ରେ ଆହ୍ଲାବାଦ ହାଇକୋର୍ଟର ଦୁଇ ଜଣିଆ ବିଚାରପତି ବିଶିଷ୍ଟ ବେଞ୍ଚ ମଧ୍ୟ ଏହି ଅପାରଗତା ଉପରେ ମନ୍ତବ୍ୟ ଦେଇଥିଲେ।

କିନ୍ତୁ ଏହା କେବଳ ସିଏଚସି କିମ୍ବା ଜିଲ୍ଲା ଚିକିତ୍ସାଳୟ ନଥିଲା ଯେଉଁଗୁଡିକ କି ମହାମାରୀ ସମୟରେ ଉପଯୁକ୍ତ ସେବା ଯୋଗାଇଦେବାରେ ଅସମର୍ଥ ହୋଇଥିଲେ। ଏପରିକି ରାଜଧାନୀ ଲକ୍ଷ୍ନୌରେ ମଧ୍ୟ, ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରର୍ଯ୍ୟାପ୍ତ ନୁହେଁ, ଯାହାକି ମୌର୍ଯ୍ୟ ପରିବାର କିଛି ମାସ ପୂର୍ବରୁ ଅନୁଭବ କରିଥିଲା।

ଲକ୍ଷ୍ନୌର ଚିନହଟ ହସ୍ପିଟାଲରେ ଏପ୍ରିଲ ୧୨ ତାରିଖ ଦିନ ଭର୍ତ୍ତି କରାଯାଇଥିବା ୪୧ ବର୍ଷୀୟ ସୁନିଲ କୁମାର ମୌର୍ଯ୍ୟ ନିଜ ପୁତୁରା ପୱନଙ୍କୁ କହିଲେ:"ମୁଁ ଅଣନିଶ୍ୱାସୀ ହୋଇଯାଉଛି। ମୋତେ କ’ଣ ପାଇଁ ହସ୍ପିଟାଲରେ ରଖିଛ। ମୋତେ ଯଦି ତୁମେ ଘରକୁ ନେଇଯିବ ମୁଁ ଭଲ ହୋଇଯିବି।"

୩୦ବର୍ଷୀୟ ପୱନ ମନେପକାଇ କୁହନ୍ତି ଏକ ସପ୍ତାହ ପୂର୍ବରୁ ମୌର୍ଯ୍ୟଙ୍କୁ ଜ୍ୱର ହେବା ଆରମ୍ଭ କଲା। ତାଙ୍କର କାଶ ମଧ୍ୟ ହେଉଥିଲା, କିନ୍ତୁ ତାଙ୍କର ଏହା ଏକ ନିରନ୍ତର ସମସ୍ୟା ହୋଇଥିବାରୁ ପରିବାର ଲୋକ ଏଥିପ୍ରତି ଅଧିକ ଧ୍ୟାନ ଦେଇନଥିଲେ। କିନ୍ତୁ ସେ ଯେତେବେଳେ କହିଲେ ମୋର ଚାଲିବାକୁ ଶକ୍ତି ନାହିଁ ତାଙ୍କର ପରିବାର ଲୋକ ସତର୍କ ହୋଇଗଲେ।

ସେଣ୍ଟ୍ରାଲ ଲକ୍ଷ୍ନୌର ଗୋମତିନଗର ଅଂଚଳରେ ଥିବା ଛୋଟି ଜୁଗୌଳି ବସ୍ତି କଲୋନୀରେ ମୌର୍ଯ୍ୟ ପରିବାର ବସବାସ କରିଥିଲେ, ଯେଉଁଠାରେ ଅନେକ ପ୍ରବାସୀ ପରିବାର ବାସ କରନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ସୁଲତାନପୁର ଜିଲ୍ଲାର ଜୟ ସିଂ ପୁର ବ୍ଲକର ବିରିସିଂହପୁର ଗାଁରୁ ସୁନୀଲ କୁମାର ଏଠାକୁ ଆସିଥିଲେ। ସେ ନିର୍ମାଣ ସ୍ଥଳରେ ଶ୍ରମିକ ନିଯୁକ୍ତ କରୁଥିବା ଏକ ବିଲଡିଂ କଣ୍ଟ୍ରାକ୍ଟର ଭାବରେ କାର୍ଯ୍ୟ କରୁଥିଲେ ।

Rakesh Kumar with a photo of his father Ram Saran on his phone: the family's inability to get care at the CHC speaks of the precarious health facilities in the state’s towns and villages
PHOTO • Rana Tiwari

ରାକେଶ କୁମାରଙ୍କ ଫୋନରେ ନିଜବାପା ରାମ ସରନଙ୍କ ଫଟୋ: ପରିବାର ସିଏଚସିରେ ଉପଯୁକ୍ତ ସେବା ପାଇବାକୁ ଅସମର୍ଥ ହେବା ରାଜ୍ୟର ସହର ଏବଂ ଗ୍ରାମଗୁଡିକର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସୁବିଧାଗୁଡିକ ବିଷୟରେ ଅବଗତ କରାଉଛନ୍ତି

୧.୫କିଲୋମିଟର ପରିବ୍ୟାପ୍ତ ଏହି ଜନବହୁଳ ଛୋଟି ଜୁଗୌଳି ବା ବଡି ଜୁଗୌଳି ଭାବରେ ଜଣାଶୁଣା ଏହି ଅଂଚଳରେ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଛଅଟି ଅଙ୍ଗନବାଡି କେନ୍ଦ୍ର ରହିଛି।

ଜଣେ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା (ଆଶା) କହିଛନ୍ତି ଯେ ମହାମାରୀ ଆରମ୍ଭ ହେବା ଦିନଠାରୁ ଏହି ଅଞ୍ଚଳରେ କୌଣସି ସଚେତନତା ଶିବିର କରାଯାଇନାହିଁ  କିମ୍ବା ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇ ନାହିଁ। ସରକାରୀ କାର୍ଯ୍ୟାନୁଷ୍ଠାନ ଭୟରେ ସେ ତାଙ୍କ ନାମ ଦେବାକୁ ଚାହାଁନ୍ତି ନାହିଁ, କିନ୍ତୁ ନିଶ୍ଚିତ ଯେ ପ୍ରାୟ ୧୫,୦୦୦ବାସିନ୍ଦାଙ୍କ ମଧ୍ୟରୁ ଶହ ଶହ ଲୋକ କୋଭିଡ-୧୯ରେ ସଂକ୍ରମିତ ହୋଇଛନ୍ତି - କିନ୍ତୁ ସେମାନଙ୍କୁ ପରୀକ୍ଷା କରାଯାଇ ନାହିଁ କିମ୍ବା ସଂକ୍ରମିତ ଭାବରେ ରେକର୍ଡ କରାଯାଇ ନାହିଁ।

ସେ ତଦାରଖ କରିଥିବା ୧୫୧୭ଟି ଘର ମଧ୍ୟରୁ ଗୋଟିଏ ବି ପରିବାର କୋଭିଡ ମୃତ୍ୟୁ ସଂକ୍ରାନ୍ତରେ ରିପୋର୍ଟ କରିନାହାନ୍ତି। ସେ ମୋତେ କିଛି ମାସ ପୂର୍ବରୁ କହିଥିଲେ,"ଲୋକମାନେ ଥଣ୍ଡା, କାଶ ଓ ଜ୍ୱରରେ ମୃତ୍ୟୁବରଣ କରୁଛନ୍ତି ମାତ୍ର କେହି ବି ପରୀକ୍ଷା କରାଇବା ପାଇଁ ରାଜି ହେଉନାହାନ୍ତି। ମାର୍ଚ୍ଚ ୨୦୨୦ରେ ଆମକୁ ପ୍ରତ୍ୟେକ ଦିନ ୫୦ଟି ଘର ସର୍ଭେ କରି ଲକ୍ଷଣଯୁକ୍ତ ରୋଗୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଥିଲା। ଏବେ ମୁଁ ବାହାରକୁ ଯାଉନାହିଁ ଯେହେତୁ ଏହା ଅତ୍ୟନ୍ତ ବିପଦ୍‍ଜନକ ଅଟେ। ମୋ ଅଂଚଳରେ ମୁଁ ଏକ ଗୋଷ୍ଠୀ ତିଆରି କରିଛି ଏବଂ ଫୋନ ମାଧ୍ୟମରେ ମୋତେ ସବିଶେଷ ତଥ୍ୟ ଦେବା ପାଇଁ ଏହି ଗୋଷ୍ଠୀର ସମସ୍ତଙ୍କୁ କହିଛି।"

ଯେହେତୁ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ସହଜରେ ଉପଲବ୍‍ଧ ହୁଅନ୍ତି ନାହିଁ ଏବଂ ପିଏଚସିର ଡାକ୍ତରମାନେ ଅନ୍ୟତ୍ର କୋଭିଡ ଡ୍ୟୁଟି କରୁଥିଲେ, ତେଣୁ ମୌର୍ଯ୍ୟ ଯେତେବେଳେ ଅସୁସ୍ଥ ହେଲେ ସେଠାରେ ତାଙ୍କରେ ଚିକିତ୍ସା କରିବା ପାଇଁ କେହି ନଥିଲେ।

ଏହା ପରିବର୍ତ୍ତେ, ବିଜ୍ଞାନରେ ସ୍ନାତକ କରି ଛୋଟି ଜୁଗୌଳିର ଏକ ଡାକ୍ତରଙ୍କ କ୍ଲିନିକରେ କାମ କରୁଥିବା ପୱନ ନିଜର କକାଙ୍କୁ ନିକଟସ୍ଥ ଘରୋଇ କ୍ଲିନିକକୁ ନେଇଗଲେ। ଆଣ୍ଟିଜେନ୍‍ ଟେଷ୍ଟ ନିମନ୍ତେ ସେମାନଙ୍କୁ ୫୦୦ଟଙ୍କା ଦେୟ ଦେବାକୁ ପଡିଲା, ଯାହାକି ନେଗେଟିଭ୍‍ ଥିଲା। ସେ ତା’ପରେ ନିଜର କକାଙ୍କୁ ୩୦ କିଲୋମିଟରେ ଦୂରରେ ଥିବା ଟି.ଏସ.ମିଶ୍ରା ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଲେ, ଯେଉଁଠାରେ ତାଙ୍କୁ କୁହାଗଲା ଯେ ଆଣ୍ଟିଜେନ୍ ଟେଷ୍ଟ ଭରସାଯୋଗ୍ୟ ନୁହେଁ ଏବଂ ଏଣୁ ତାଙ୍କର କକାଙ୍କୁ ବେଡ୍‍ ଦିଆଯାଇ ପାରିବ ନାହିଁ।

କିନ୍ତୁ ଜରୁରୀକାଳୀନ ୱାର୍ଡ ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଏକ ପ୍ରେସକ୍ରିପସନ୍ ଦେଇଥିଲେ ଯେଉଁଥିରେ ଅନ୍ୟ ଔଷଧ ସହିତ ଆଇଭର୍ମେକ୍ଟିନ୍, ଭିଟାମିନ୍ ସି ଏବଂ ଜିଙ୍କ ତାଲିକାଭୁକ୍ତ କରିଥିଲେ -ଏହିସବୁ ଔଷଧ ସାଧାରଣତଃ କୋଭିଡ୍ -୧୯ ଲକ୍ଷଣ ଥିବା ରୋଗୀଙ୍କ ବ୍ୟବହାର ନିମନ୍ତେ ନିର୍ଦ୍ଧାରଣ କରାଯାଇଛି।

Pawan Maurya: the antigen test turned up negative so his uncle Sunil Kumar Maurya could not be allotted a bed
PHOTO • Rana Tiwari

ପୱନ ମୌର୍ଯ୍ୟ: ଣ୍ଟିଜେନ୍‍ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା କାରଣରୁ ତାଙ୍କର କକା ସୁନିଲ କୁମାର ମୌର୍ଯ୍ୟଙ୍କୁ ଏକ ବେଡ୍‍ ଦିଆଯାଇପାରିଲା ନାହିଁ

ସେତେବେଳକୁ ସୁନିଲ ମୌର୍ଯ୍ୟଙ୍କର ଅମ୍ଳଜାନ ସ୍ତର ୮୦କୁ ଖସି ଆସିଥିଲା। ତାଙ୍କର ପରିବାର ଆଉ ଦୁଇଟି ହସ୍ପିଟାଲର ଦ୍ୱାରସ୍ଥ ହେଲେ କିନ୍ତୁ ସେମାନେ କହିଲେ ଯେ ତାଙ୍କର ଭେଣ୍ଟିଲେଟରର ଆବଶ୍ୟକତା ରହିଛି ଯାହାକି ଏହି ହସ୍ପିଟାଲରେ ନାହିଁ। ଦୀର୍ଘ ଚାରିଘଣ୍ଟା ଦୌଡାଦୌଡି କରିବା ପରେ, ଯେତେବେଳେ ତାଙ୍କୁ ଭର୍ତ୍ତି କରିବା ପାଇଁ ଏକ ହସ୍ପିଟାଲର ବ୍ୟବସ୍ଥା କରାଗଲା, ମୌର୍ଯ୍ୟଙ୍କ ପାଇଁ ଏକ ଅମ୍କଜାନ ସିଲିଣ୍ଡର ସହ ସଂଲଗ୍ନ ଥିବା ବେଡ୍‍ର ବ୍ୟବସ୍ଥା କରାଗଲା। ଏହାପରେ ଆଉ ଏକ ପରୀକ୍ଷା ଆରଟି-ପିସିଆର କରାଗଲା।

ଏପ୍ରିଲ୍ ୧୨ରେ, କିଛି ଘଣ୍ଟା କଷ୍ଟରେ ନିଶ୍ୱାସ ପ୍ରଶ୍ୱାସ ନେବା ପରେ ସୁନୀଲଙ୍କର ଦେହାନ୍ତ ହୋଇଥିଲା । ଲକ୍ଷ୍ନୌ ମ୍ୟୁନିସିପାଲିଟି କର୍ପୋରେସନ୍ ଦ୍ୱାରା ଦିଆଯାଇଥିବା ପ୍ରମାଣପତ୍ରରେ (ଶବଦାହ/ସମାଧି ପାଇଁ ଆବଶ୍ୟକ) ମୃତ୍ୟୁର କାରଣ “ହାର୍ଟ ଫେଲ୍” ବୋଲି ତାଲିକାଭୁକ୍ତ କରାଯାଇଥିଲା।ଏହାର ଦୁଇଦିନ ପରେ ଆସିଥିବା ଆରଟି-ପିସିଆର ରିପୋର୍ଟରେ ସେ କୋଭିଡ-୧୯ ସଂକ୍ରମିତ ହୋଇଥିବା କୁହାଯାଇଥିଲା।

ପୱନ କୁହନ୍ତି,"ଏକ ସପ୍ତାହ ମଧ୍ୟରେ ସବୁକିଛି ଶେଷ ହୋଇଗଲା। ପରୀକ୍ଷାଗୁଡିକ ଆମକୁ ନିରାଶ କରିଦେଲା"

ସହରାଞ୍ଚଳ ବସ୍ତିର ଭୂମିହୀନ ଓ ଦିନ ମଜୁରିଆମାନଙ୍କ ସହ କାମ କରୁଥିବା ଲକ୍ଷ୍ନୌସ୍ଥିତ ବିଜ୍ଞାନ ଫାଉଣ୍ଡେସନର ପ୍ରୋଗ୍ରାମ ମ୍ୟାନେଜର ରିଚା ଚନ୍ଦ୍ର କୁହନ୍ତି, ମହାମାରୀର ଦ୍ୱିତୀୟ ଲହର ଏବଂ ସ୍ୱାସ୍ଥ୍ୟସେବା ପାଇଁ ସ୍ୱଳ୍ପ ଆର୍ଥିକ ସମ୍ବଳ ସହରାଞ୍ଚଳର ଗରିବ ଲୋକଙ୍କୁ ମଧ୍ୟ ସଠିକ୍ ନିରାକରଣ ବିନା ମୃତ୍ୟୁ ମୁଖକୁ ଠେଲି ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସହରର ଗରିବ ଲୋକମାନେ ସର୍ବନିମ୍ନ କାର୍ଯ୍ୟ ଏବଂ ସାମାଜିକ ନିରାପତ୍ତା, ନିମ୍ନସ୍ତରର ସଚେତନତା ଏବଂ ଜନଗହଳିପୂର୍ଣ୍ଣ ଗୃହରେ ବାସ କରନ୍ତି - ଏବଂ ବର୍ତ୍ତମାନ ଏହା ସହିତ ପରୀକ୍ଷାରେ ସଂକ୍ରମିତ ବାହାରିବା ଓ ପଜିଟିଭ୍ ଘୋଷିତ ହେବାର ଭୟ ଏବଂ ଅପବାଦ ମଧ୍ୟରେ ଗତି କରୁଛନ୍ତି।

ଉଭୟ ଆଣ୍ଟିଜେନ୍ ଏବଂ ଆରଟି-ପିସିଆର ପରୀକ୍ଷା ମିଥ୍ୟା ନେଗେଟିଭ୍‍ ରିପୋର୍ଟ ଦେଇପାରେ ବାର୍ତ୍ତାଟି ଲୋକମାନଙ୍କର ପରୀକ୍ଷା ସମ୍ମୁଖିନ ହେବାର ଭୟକୁ ବହୁଗୁଣୁତ କରିଛି।

ଆରଏମଏଲଆଇଏମଏସରେ ଥିବା ମାଇକ୍ରୋ ବାୟୋଲୋଜି  ବିଭାଗର ମୁଖ୍ୟ ଜ୍ୟୋତ୍ସ୍ନା ଅଗରୱାଲ କୁହନ୍ତି,"ଆରଟି-ପିସିଆର କାହିଁକି ମିଥ୍ୟା ଫଳାଫଳ ଦେଇପାରେ, ତାହାର ଅନେକଗୁଡିକ ମିଶ୍ରିତ କାରଣ ରହିଛି। “ଏହି ପରୀକ୍ଷା ଆରଏନଏ ବିସ୍ତାରର ନୀତି ଉପରେ ଆଧାରିତ ଯାହା ଡିଏନ୍ଏ ପରି ବଞ୍ଚିବା [ପରିବହନ ସମୟରେ]ପାଇଁ ନିର୍ଦ୍ଦିଷ୍ଟ ଅବସ୍ଥା ଆବଶ୍ୟକ କରେ। ଆହୁରି ମଧ୍ୟ, ସ୍ୱାବ୍‍ ସଠିକ୍ ଭାବରେ ସଂଗୃହିତ ହୋଇନପାରେ, କିମ୍ବା ବ୍ୟବହୃତ କିଟ୍ ହୁଏତ ଆଇସିଏମଆର [ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ] ଦ୍ୱାରା ଅନୁମୋଦିତ ହୋଇନପାରେ। ଆଣ୍ଟିଜେନ୍ ପରୀକ୍ଷା ଦ୍ରୁତ ଫଳାଫଳ ଦେଇଥାଏ, କିନ୍ତୁ ଆରଏନଏକୁ ବୃଦ୍ଧି କରେ ନାହିଁ, ତେଣୁ ସେଗୁଡ଼ିକ ମୁଖ୍ୟତଃ ଏକ ଘାସଗଦାରୁ ଛୁଞ୍ଚି ଖୋଜିବା ପରି।

Neither private clinics nor government hospitals would admit Sadrunisha's son Suaib as his Covid test was negative.
PHOTO • Courtesy: Sadrunisha
Neither private clinics nor government hospitals would admit Sadrunisha's son Suaib as his Covid test was negative
PHOTO • Courtesy: Vigyan Foundation

ସଦ୍ରୁନିଶାଙ୍କ ପୁଅ ସୁଏବଙ୍କ କୋଭିଡ ପରୀକ୍ଷା ରିପୋର୍ଟ ନେଗେଟିଭ୍‍ ଆସିଥିବା କାରଣରୁ ବେସରକାରୀ କ୍ଳିନିକ୍‍ କିମ୍ବା ସରକାରୀ ଡାକ୍ତରଖାନା କେହି ବି ତାଙ୍କୁ ଭର୍ତ୍ତିକରିବେ ନାହିଁ

ସେଣ୍ଟ୍ରାଲ ଲକ୍ଷ୍ନୌର ମାନକନଗର ଅଞ୍ଚଳରେ ଥିବା ଗର୍ହି କାନୁଆରା ଅଞ୍ଚଳର୩୮ ବର୍ଷୀୟ ସୁଏବ ଅଖତରଙ୍କ ଆରଟି-ପିସିଆର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିଲା

ଏପ୍ରିଲ ମାସର ଦ୍ୱିତୀୟ ସପ୍ତାହରେ ଅଖତର ହାଡଫୁଟି ସଂକ୍ରମଣରୁ ଭଲ ହୋଇଥିଲେ। ଏହା ପରେ ସେ ରମଜାନ ପାଇଁ ଉପବାସ କରିବାକୁ ଜିଦ୍ ଧରିଥିଲେ (ଯାହା ଏପ୍ରିଲ ମାସ୧୩ ତାରିଖରୁ ଆରମ୍ଭ ହୋଇଥିଲା), ଯଦିଓ ତାଙ୍କ ମା ୬୫ ବର୍ଷୀୟା ସଦ୍ରୁ ନିଶା ତାଙ୍କୁ ଏହା ନ କରିବାକୁ କହିଥିଲେ।

ଏପ୍ରିଲ୍‌ ମାସ ୨୭ ତାରିଖରେ ଅଖତରଙ୍କର କାଶ ଆରମ୍ଭ ହେଲା ଓ ନିଶ୍ୱାସ ନେବାରେ ଅସୁବିଧା ହେଲା। ପରିବାରର ଲୋକମାନେ ତାଙ୍କୁ ଆରଟି-ପିସିଆର ପରୀକ୍ଷା ଓ ସିଟି- ସ୍କାନ ପାଇଁ ଏକ ବେସରକାରୀ ପାଥୋଲୋଜି ଲ୍ୟାବକୁ ନେଇଯାଇଥିଲେ- ଯେଉଁଥିରେ କି ୭୮୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ପରୀକ୍ଷା ରିପୋର୍ଟ ନେଗେଟିଭ୍‍ ଆସିଥିବା ବେଳେ, ସ୍କାନରେ ‘ଭାଇରାଲ ନିମୋନିଆ’ ଥିବାର ଜଣାପଡିଥିଲା। କିନ୍ତୁ ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ୍‍ ଥିବାରୁ ତାଙ୍କୁ ସରକାରୀ ଡାକ୍ତରଖାନା କିମ୍ବା ବେସରକାରୀ କ୍ଳିନିକ ଭର୍ତ୍ତି କଲେ ନାହିଁ। ସେମାନେ କେବଳ କୋଭିଡ ରୋଗୀମାନଙ୍କୁ ପ୍ରାଥମିକତା ଦେଉଥିଲେ, କୋଣସି ବେଡ୍‍ ଖାଲି ନଥିଲା ଏବଂ ଅନ୍ୟାନ୍ୟ  ଅଣ-ଜରୁରିକାଳୀନ ସେବା ବନ୍ଦ ରହିଥିଲା।

ଏପ୍ରିଲ ମାସ ୩୦ ତାରିଖରେ ଅଖତର ମୃତ୍ୟୁବରଣ କରିଥିଲେ, ଘରେ ପରିବାରର ଲୋକମାନଙ୍କ ଦ୍ୱାରା ସଂଗ୍ରହ କରାଯାଇଥିବା ଏକ ଅମ୍ଳଜାନ ସିଲିଣ୍ଡର ସାହାଯ୍ୟରେ ରହିଥିଲେ ମଧ୍ୟ ସେ ନିଶ୍ୱାସ ନେବାକୁ ଅସମର୍ଥ ହୋଇଥିଲେ। ସୁଦ୍ରୁନିଶା କୁହନ୍ତି, "ସେ ଜୋରରେ ନିଶ୍ୱାସ ନେଲେ ଏବଂ ତାଙ୍କ ମୁହଁରୁ ଫେଣ ବାହାରିବାକୁ ଲାଗିଲା।"

ସେ ତାଙ୍କ ପୁଅକୁ ଜଣେ "ଦକ୍ଷ ଇଲେକ୍‍ଟ୍ରିସିଆନ୍‍’’ ଭାବରେ ବର୍ଣ୍ଣନା କରିଛନ୍ତି ଯିଏକି କାତାରରୁ ଚାକିରି ପ୍ରସ୍ତାବ ପାଇଥିଲେ। ସେ କୁହନ୍ତି,"ସେ ଚାକିରି ପାଇଁ ଭିସା ପାଇବା ପୂର୍ବରୁ ମୃତ୍ୟୁ ତାଙ୍କୁ ଭିସା ଦେଇଥିଲା’’।

ଅଖତରଙ୍କୁ ତାଙ୍କ ଘରଠାରୁ ପ୍ରାୟ ତିନି କିଲୋମିଟର ଦୂର ପ୍ରେମବତୀ ନଗରର ଟାକିଆ ମେରାନ ଶାହାଠାରେ କବର ଦିଆଯାଇଥିଲା। ତାଙ୍କୁ ଦିଆଯାଇଥିବା ମୃତ୍ୟୁ ସାର୍ଟିଫିକେଟ୍‌ରେ ମୃତ୍ୟୁର କୌଣସି କାରଣ ଲେଖାଯାଇନଥିଲା। ସାଦ୍ରୁନିଶା ନିଶ୍ଚିତ ଯେ ତାଙ୍କ ପୁଅର କୋଭିଡ -୧୯ ସଂକ୍ରମିତ ହୋଇଥିଲା କାରଣ ହାଡ ଫୁଟି ସଂକ୍ରମଣ ହେତୁ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ହୋଇଯାଇଥିଲା।

୨୦୨୦ ମସିହା ଜୁନ ୧୪ ତାରିଖରେ ଭାରତ ସରକାର ଏକ ଅଧିସୂଚନା ଜାରି କରି ଘୋଷଣା କରିଥିଲେ ...."ଏହିଭଳି ସନ୍ଦିଗ୍ଧ କୋଭିଡ ମୃତକଙ୍କ ଶରୀରଗୁଡିକୁ ତୁରନ୍ତ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବା ଉଚିତ ଓ ଲାବୋରେଟୋରିର ସୁନିଶ୍ଚିତ କୋଭିଡ ରିପୋର୍ଟକୁ ଅପେକ୍ଷା କରାନଯାଉ"।

Two days after his death, the family – Vimla and sons Gyanendra Kumar, Dheerendra Kumar and Abhishek – received the test result which said he was Covid-19 positive, but his death certificate (left) says otherwise
PHOTO • Durgesh Singh
Two days after his death, the family – Vimla and sons Gyanendra Kumar, Dheerendra Kumar and Abhishek – received the test result which said he was Covid-19 positive, but his death certificate (left) says otherwise
PHOTO • Durgesh Singh

ତାଙ୍କ ମୃତ୍ୟୁର ଦୁଇ ଦିନ ପରେ ପରିବାର - ବିମଳା ଏବଂ ପୁତ୍ରମାନେ ଜ୍ଞାନେନ୍ଦ୍ର କୁମାର, ଧିରେନ୍ଦ୍ର କୁମାର ଏବଂ ଅଭିଷେକ - ପରୀକ୍ଷା ରିପୋର୍ଟ ଗ୍ରହଣ କରିଥିଲେ ଯେଉଁଥିରେ ସେ କୋଭିଡ -୧୯ରେ ସଂକ୍ରମିତ ବୋଲି ଉଲ୍ଲେଖ ଥିଲା,କିନ୍ତୁ ତାଙ୍କ ମୃତ୍ୟୁ ପ୍ରମାଣପତ୍ର (ବାମ) ଅନ୍ୟ କିଛି ଉଲ୍ଲେଖ ଅଛି

ଏହାର ଅର୍ଥ ଯେଉଁମାନଙ୍କର ଲକ୍ଷଣ ଥାଏ କିନ୍ତୁ ପରୀକ୍ଷା ରିପୋର୍ଟ ନେଗେଟିଭ୍‍ ଆସିଥାଏ,ସେମାନଙ୍କ ମୃତ୍ୟୁ କୋଭିଡ -୧୯ ମୃତକଙ୍କ ତାଲିକାରେ ରହିବାର ସମ୍ଭାବନା ନାହିଁ

ସେମାନଙ୍କ ମଧ୍ୟରେ ଉନ୍ନାଓ ଜିଲ୍ଲାର ବିଘାପୁର ତହସିଲର କୁତବୁଦ୍ଦିନ ଗାରହେଭା ଗାଁର ଅଶୋକ କୁମାର ଯାଦବ ମଧ୍ୟ ଅଛନ୍ତି। ୫୬ ବର୍ଷୀୟ ଯାଦବ ଯିଏକି ରାଜ୍ୟ ବିଦ୍ୟୁତ୍ ବିଭାଗରେ କଣେ ଚୁକ୍ତିଭିତ୍ତିକ କର୍ମୀ, ଏପ୍ରିଲ ମାସ ୨୨ ତାରିଖରୁ ଜ୍ୱର ଏବଂ କାଶରେ ଆକ୍ରାନ୍ତ ହୋଇ ସ୍ଥାନୀୟ ଔଷଧ ଦୋକାନୀଙ୍କୁ ଔଷଧ ଦେବା ପାଇଁ କହିଥିଲେ। ଯେତେବେଳେ ଅତ୍ୟଧିକ କାଶ ହେଲା ଏବଂ ସେ ଦୁର୍ବଳ ହୋଇଗଲେ, ତାଙ୍କର ପରିବାର ଲୋକମାନେ ଏପ୍ରିଲ୍ ମାସ ୨୫ ତାରିଖ ରାତିରେ ୪୫ କିଲୋମିଟର ଦୂରରେ ଥିବା ଜିଲ୍ଲା ଡାକ୍ତରଖାନାକୁ ତାଙ୍କୁ ନେଇଯାଇଥିଲେ। ଯାଦବଙ୍କ ଆରଟି-ପିସିଆର ପରୀକ୍ଷା କରାଯାଇଥିଲା କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନଥିଲା, ପରଦିନ ସେ ଶୌଚାଳୟକୁ ଯିବା ପାଇଁ ବିଛଣାରୁ ଉଠି ତଳେ ପଡ଼ିଯାଇଥିଲେ ଓ ମୃତ୍ୟୁବରଣ କରିଥିଲେ।

ତାଙ୍କର ସ୍ତ୍ରୀ ୫୧ ବର୍ଷୀୟା ଗୃହିଣୀ ବିମଳା କୁହନ୍ତି, "ଠିକ୍‍ ସେହି ଭଳି"।

ପରିବାର କହିଲେ- ବିମଳାଙ୍କର ତିନୋଟି ସନ୍ତାନ ଅଛନ୍ତି, ଯେଉଁମାନଙ୍କର ବୟସ ୧୯ ରୁ ୨୫ ବର୍ଷ ମଧ୍ୟରେ - କୌଣସି ସତର୍କତା ବିନା ତାଙ୍କର ଶବଦାହ କରାଯାଇଥିଲା। ଦୁଇ ଦିନ ପରେ ସେମାନେ ପରୀକ୍ଷା ରିପୋର୍ଟ ପାଇଲେ ଯେଉଁଥିରେ କି ସେ କୋଭିଡ -୧୯ ସଂକ୍ରମିତ ବୋଲି ଉଲ୍ଲେଖ ଥିଲା। ଯାଦବ ପାଇଁ ଜିଲ୍ଲା ଡାକ୍ତରଖାନା ଦ୍ୱାରା ଜାରି କରାଯାଇଥିବା ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ ‘କାର୍ଡିଓ ରେସପିରେଟୋରି ଫେଲ୍ୟୁର’ ବୋଲି ଲେଖାଯାଇଥିଲା।

ଲକ୍ଷ୍ନୌର କୋଭିଡ -୧୯ ପରିଚାଳନା ତଦାରଖ କରୁଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଗିରିଜା ଶଙ୍କର ବାଜପାଇ କୁହନ୍ତି, "ଯଦିଓ ଆମେ ସମସ୍ତ କୋଭିଡ-୧୯ ମୃତ୍ୟୁ ରେକର୍ଡ କରିବାକୁ ଚେଷ୍ଟା କରିଛୁ,ଏହା ସତ୍ୟ ଯେ ପରୀକ୍ଷା ସବୁ କ୍ଷେତ୍ରରେ ହୋଇପାରିନାହିଁ ଏବଂ କିଛି ଫଳାଫଳ ବହୁତ ବିଳମ୍ବରେ ଆସିଛି। ବର୍ତ୍ତମାନ ଆମେ ଏହା ଉପରେ ଅଧିକ ସଜାଗ ରହିଛୁ।

ତଥାପି,ଏହିପରି କେତେଗୁଡ଼ିଏ ମାମଲା ଏବଂ ମୃତ୍ୟୁର ରିପୋର୍ଟ ହୋଇନଥିଲା,ଏବଂ ଏଗୁଡିକ କେବେବି ମହାମାରୀରେ ମୃତକଙ୍କ ସଂଖ୍ୟାରେ ଗଣାଯିବ ନାହିଁ - ହୁଏତ କେବେବି ଜଣାପଡିବ ନାହିଁ।

ଉନ୍ନାଓରେ ଦୁର୍ଗେଶ ସିଂହଙ୍କ ରିପୋର୍ଟ ଅନୁସାରେ

ଅନୁବାଦ: ଓଡ଼ିଶାଲାଇଭ୍‍

Rana Tiwari

Rana Tiwari is a freelance journalist based in Lucknow.

Other stories by Rana Tiwari
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE