ରମେଶ ଶର୍ମା ମନେ ପକାଇ ପାରନ୍ତିନି ଯେ, ଶେଷ ଥର ପାଇଁ ସେ କେବେ ନିଜ ଘରେ ପୂରା ବର୍ଷଟିଏ କାଟିଥିଲେ । ହରିଆଣାର କରନାଲ ଜିଲ୍ଲା ଅନ୍ତର୍ଗତ ଗଗସିନା ଗାଁର ଏକ କ୍ଷେତରୁ ଆଖୁ କାଟୁ କାଟୁ ସେ କହନ୍ତି, “ଗତ ୧୫-୨୦ ବର୍ଷ ହେଲା ମୁଁ ଏହା କରିଆସୁଛି ।”

ବର୍ଷକରେ ଛଅ ମାସ - ଅକ୍ଟୋବରରୁ ମାର୍ଚ୍ଚ ମାସ ଯାଏ- କୃଷି ଶ୍ରମିକ ଭାବେ କାମ କରିବା ଲାଗି ବିହାରର ଅରରିୟା ଜିଲ୍ଲା ଅନ୍ତର୍ଗତ ତାଙ୍କ ଗାଁ ଶୋଇରଗାଓଁରୁ ହରିଆଣା ଓ ପଞ୍ଜାବକୁ ଚାଲି ଆସନ୍ତି ୪୪ ବର୍ଷୀୟ ରମେଶ । ସେ କହନ୍ତି, “ବିହାରର ଜଣେ କୃଷକ ତୁଳନାରେ ହରିଆଣାର ଜଣେ ଶ୍ରମିକ ଭାବେ ମୁଁ ବେଶୀ ଟଙ୍କା ରୋଜଗାର କରେ ।”

ଶୋଇରଗାଓଁରେ ରମେଶଙ୍କର ତିନି ଏକର ଚାଷଜମି ରହିଛି ଏବଂ ସେଥିରେ ସେ ବର୍ଷକୁ ଛଅ ମାସ ଚାଷବାସ କରନ୍ତି । ଖରିଫ ଋତୁରେ (ଜୁନ୍‌ରୁ ନଭେମ୍ବର) ସେ ଧାନଚାଷ କରନ୍ତି । କାଟୁଥିବା ଆଖୁ ଉପରୁ ନଜର ନ ହଟାଇ ସେ କହନ୍ତି, “ଏଥିରୁ ବେଶୀ ଭାଗ ନିଜେ ଖାଇବା ପାଇଁ”।

ଶର୍ମାଙ୍କ ପାଇଁ ବର୍ଷର ମୁଖ୍ୟ ଅର୍ଥକରୀ ଫସଲ ହେଉଛି ମକା । ଯାହାକୁ ସେ ରବି ଋତୁରେ (ଡିସେମ୍ବରରୁ ମାର୍ଚ୍ଚ) ଚାଷ କରନ୍ତି । କିନ୍ତୁ ଏହି ଚାଷରୁ ତାଙ୍କୁ ସେତେ ବେଶୀ ଟଙ୍କା ମିଳେନାହିଁ । ସେ କହନ୍ତି, “ଗତ ବର୍ଷ (୨୦୨୦) ମୁଁ ମୋ ଫସଲକୁ କୁଇଣ୍ଟାଲ ପିଛା ୯୦୦ ଟଙ୍କାରେ ବିକିଥିଲି ।” ସେତେବେଳେ ସେ ୬୦ କୁଇଣ୍ଟାଲ ମକା ଅମଳ କରିଥିଲେ । “କମିଶନ ଏଜେଣ୍ଟ ଆମ ଗାଁରୁ ହିଁ ଏହାକୁ କିଣି ନେଇଥିଲା । ବର୍ଷ ବର୍ଷ ଧରି ଏମିତି ହିଁ ଚାଲୁଛି ।”

ରମେଶଙ୍କୁ ଯେଉଁ ମୂଲ୍ୟ ମିଳିଥିଲା, ତାହା କେନ୍ଦ୍ର ସରକାରଙ୍କ ଦ୍ଵାରା ୨୦୧୯-୨୦ ମସିହାରେ ମକା ପାଇଁ ସ୍ଥିରୀକୃତ ନ୍ୟୂନତମ ସମର୍ଥନ ମୂଲ୍ୟ (MSP)- କୁଇଣ୍ଟାଲ ପିଛା ୧,୭୬୦ ଟଙ୍କା- ତୁଳନାରେ ପ୍ରାୟ ୫୦ ପ୍ରତିଶତ କମ ଥିଲା । ସରକାରଙ୍କ ଦ୍ଵାରା ନିୟନ୍ତ୍ରିତ ମଣ୍ଡିରେ ନ୍ୟୂନତମ ସମର୍ଥନ ମୂଲ୍ୟରେ ଫସଲ ବିକ୍ରିର ବିକଳ୍ପ ସୁଯୋଗ ଆଉ ବିହାରରେ ନାହିଁ । ତେଣୁ ଶର୍ମାଙ୍କ ଭଳି କ୍ଷୁଦ୍ର ଚାଷୀମାନେ ସିଧାସଳଖ କମିଶନ ଏଜେଣ୍ଟମାନଙ୍କ ସହିତ ମୂଲଚାଲ କରିବା ଲାଗି ବାଧ୍ୟ ହେଉଛନ୍ତି ।

୨୦୦୬ ମସିହାରେ ବିହାର ସରକାର ବିହାର କୃଷିଜାତ ଦ୍ରବ୍ୟ ବିପଣନ ଆଇନ-୧୯୬୦କୁ ପ୍ରତ୍ୟାହାର କରିନେଲେ । ଏହା ଫଳରେ ରାଜ୍ୟରେ କୃଷିଜାତ ଦ୍ରବ୍ୟ ବଜାର କମିଟି (APMC) ଦ୍ଵାରା ପରିଚାଳିତ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହୋଇଗଲା । ସରକାର କହିଲେ ଯେ, ଏହି ପଦକ୍ଷେପ ଯୋଗୁଁ କୃଷକମାନେ ଘରୋଇ ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାର ସୁଯୋଗ ପାଇବେ ଏବଂ କୃଷି କ୍ଷେତ୍ରରେ ଉଦାରୀକରଣ ଧାରା ପ୍ରଚଳିତ ହେବ । କିନ୍ତୁ କୃଷିଜାତ ଦ୍ରବ୍ୟ ବଜାର କମିଟି ଉଚ୍ଛେଦ ଫଳରେ ବିହାରର ଚାଷୀମାନେ ଉପକୃତ ହେଲେ ନାହିଁ । ବରଂ ସେମାନେ ମଧ୍ୟସ୍ଥମାନଙ୍କ ଉପରେ ଅଧିକ ନିର୍ଭରଶୀଳ ହେଲେ ଓ ବ୍ୟବସାୟୀଙ୍କ ଦ୍ଵାରା ଦରଦାମ ସ୍ଥିର କରାଗଲା ।

Ramesh Sharma makes more money as a farm labourer in Haryana than he does cultivating his land in Bihar's Shoirgaon village
PHOTO • Parth M.N.
Ramesh Sharma makes more money as a farm labourer in Haryana than he does cultivating his land in Bihar's Shoirgaon village
PHOTO • Parth M.N.

ରମେଶ ଶର୍ମା ବିହାରର ଶୋଇରଗାଓଁ ଗାଁରେ ନିଜ ଜମିରେ ଚାଷବାସ କରିବା ତୁଳନାରେ ହରିଆଣାରେ କୃଷି ଶ୍ରମିକ ଭାବରେ କାମ କରି ଅଧିକ ରୋଜଗାର କରନ୍ତି

ଉତ୍ତର ପୂର୍ବ ବିହାରରେ ଚାଷ କରାଯାଉଥିବା ଫସଲ ଭିତରେ ଧାନ ଓ ଗହମ ଭଳି ମକା ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ଶସ୍ୟ, ଯାହାକୁ କି ଶୀତ ଋତୁରେ ଚାଷ କରାଯାଏ । ଭାରତର ଅଧିକାଂଶ ଅନ୍ୟାନ୍ୟ ଭାଗରେ ଶୀତ ଦିନେ ମକା ଚାଷ କରାଯାଏ ନାହିଁ । ନୂଆଦିଲ୍ଲୀସ୍ଥିତ ମକା ଗବେଷଣା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଖରିଫ ଋତୁ ତୁଳନାରେ ରବି ଋତୁରେ ଏଠାରେ ଭଲ ମକା ଅମଳ ହୁଏ । ରିପୋର୍ଟରେ କୁହାଯାଇଛି ଯେ, ଶୀତଦିନିଆ ଫସଲ ଯୋଗୁଁ ମକାର ବଢୁଥିବା ଚାହିଦା ପୂରଣରେ ଏହା ସହାୟକ ହୁଏ ଏବଂ ବିଶେଷତଃ ଗୋଖାଦ୍ୟ ଓ ଶିଳ୍ପ କ୍ଷେତ୍ରରେ ଏହାର ଉପଯୋଗ କରାଯାଏ ।

ଭଲ ଫସଲ ଋତୁରେ ରମେଶ ଶର୍ମା ତାଙ୍କ ଜମିରୁ ପ୍ରତି ଏକର ପିଛା ୨୦ କୁଇଣ୍ଟାଲ ମକା ଅମଳ କରନ୍ତି । ଶ୍ରମ ବାବଦ ଖର୍ଚ୍ଚକୁ ବାଦ ଦେଲେ, ତାଙ୍କୁ ଏକର ପିଛା ୧୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ସେ କହନ୍ତି, “ବିହନ, ସାର ଏବଂ କୀଟନାଶକ ଔଷଧ ବାବଦ ଖର୍ଚ୍ଚ ସମେତ କେବଳ ବିନିଯୋଗ ଖର୍ଚ୍ଚ ଉଠାଇବା ଲାଗି ହିଁ ଏହା ଯଥେଷ୍ଟ ହୁଏ । ଚାରି ମାସର କଠିନ ପରିଶ୍ରମ ପରେ ମକା କୁଇଣ୍ଟାଲକୁ ୯୦୦ ଟଙ୍କା ହିସାବରେ, ମୋତେ ୧୮,୦୦୦ ଟଙ୍କା (ପ୍ରତି ଏକର ପିଛା) ମିଳିଥାଏ । ଏହା ଯଥେଷ୍ଟ ନୁହେଁ ।”

ଯଦି ତାଙ୍କୁ ମକାର ନ୍ୟୂନତମ ସମର୍ଥନ ମିଳୁଥାଆନ୍ତା, ତେବେ ସେ ଏକର ପିଛା ୩୫,୨୦୦ ଟଙ୍କା ପାଆନ୍ତେ । କିନ୍ତୁ ଗତ ବର୍ଷ ରମେଶ ନ୍ୟୂନତମ ସମର୍ଥନ ମୂଲ୍ୟରୁ କମ୍‌ ଦରରେ, କୁଇଣ୍ଟାଲ ପିଛା ୮୬୦ ଟଙ୍କାରେ ମକା ବିକ୍ରି କରିଥିଲେ ଏବଂ ଏକର ପିଛା ୧୭,୨୦୦ ଟଙ୍କା ହିସାବରେ ରୋଜଗାର ହରାଇଥିଲେ । “ମୁଁ ଆଉ କ’ଣ ବା କରିବି ? ଆମ ପାଖରେ ଆଉ କିଛି ବାଟ ନାହିଁ । ଏଜେଣ୍ଟ ଦର ଠିକ୍‌ କରେ । ଏବଂ ଆମକୁ ସେଥିରେ ରାଜି ହେବାକୁ ପଡ଼େ ।”

ଅରରିୟାର କୁର୍ସାକଟ୍ଟା ବ୍ଲକ୍‌ ଅନ୍ତର୍ଗତ ଶୋଇରଗାଓଁ ଗାଁ ପଡ଼ୋଶୀ ପୂର୍ଣ୍ଣିଆ ଜିଲ୍ଲାର ଗୁଲାବବାଗ ମଣ୍ଡିଠାରୁ ପ୍ରାୟ ୬୦ କିଲୋମିଟର ଦୂର । ଏହି ବଜାର,ମକା କାରବାରର ଏକ ପ୍ରମୁଖ କେନ୍ଦ୍ର। ଅଖିଳ ଭାରତୀୟ କିଷାନ ମହାସଭା (ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କସବାଦୀ-ଲେନିନବାଦୀ ସହ ଅନୁବନ୍ଧିତ)ର ପୂର୍ଣ୍ଣିଆ ଜିଲ୍ଲା ସଭାପତି ମହମ୍ମଦ ଇସଲାମୁଦ୍ଦିନ୍‌ କହନ୍ତି,“ଏପିଏମ୍‌ସି ଆଇନ ଉଚ୍ଛେଦ ହେବା ପରଠାରୁ ଏହି ମଣ୍ଡି ସଂପୂର୍ଣ୍ଣ ଭାବରେ ଘରୋଇ ବ୍ୟବସାୟୀଙ୍କ ଦ୍ଵାରା ଚାଲୁଛି । ଆଜିକାଲି ପୂର୍ଣ୍ଣିଆ ଓ ଆଖପାଖ ଜିଲ୍ଲାର ଚାଷୀମାନେ ଏଠାକୁ ଆସନ୍ତି ଏବଂ ମଣ୍ଡି ପରିସର ଭିତରେ ଓ ଆଖପାଖ ଅଞ୍ଚଳରେ କାମ କରୁଥିବା କମିଶନ ଏଜେଣ୍ଟମାନଙ୍କୁ ସେମାନେ ଅମଳ କରିଥିବା ମକା ବିକନ୍ତି ।”

ଇସଲାମୁଦ୍ଦିନ ଆହୁରି କହନ୍ତି ଯେ, ଗୁଲାବବାଗ ମଣ୍ଡି ହିଁ ଏ ଅଞ୍ଚଳରେ ମକା ଦରକୁ ପ୍ରଭାବିତ କରିଥାଏ । “ଘରୋଇ ବ୍ୟବସାୟୀମାନେ ସେମାନଙ୍କ ଇଚ୍ଛା ଅନୁସାରେ ଦର ସ୍ଥିର କରନ୍ତି । ଫସଲ ଓଜନ କରିବା ସମୟରେ, ବ୍ୟବସାୟୀମାନେ ସବୁବେଳେ ଚାଷୀଙ୍କ ଅମଳ ପରିମାଣ ତୁଳନାରେ କମ କରି ହିସାବ କରନ୍ତି । ଚାଷୀମାନେ ଏ କ୍ଷେତ୍ରରେ ବେଶୀ କିଛି କରିପାରିବେନି । କାରଣ, ସେମାନଙ୍କ ପକ୍ଷରେ ଆଉ କେଉଁଠିକୁ ଯିବା ସମ୍ଭବ ନୁହେଁ ।

ଏହା ବ୍ୟତୀତ, ବଡ଼ ଚାଷୀମାନେ ସହଜରେ ଗୁଲାବବାଗରେ ପହଞ୍ଚି ପାରନ୍ତି । କାରଣ, ସାଧାରଣତଃ ସେମାନଙ୍କ ପାଖରେ ନିଜର ଟ୍ରାକ୍‌ଟର ଥାଏ ଏବଂ ଏଥିରେ ସେମାନେ ଅଧିକ ପରିମାଣର ଫସଲ ବୋହି ନେଇପାରନ୍ତି । ଇସଲାମୁଦ୍ଦିନ କହନ୍ତି, “କ୍ଷୁଦ୍ର ଚାଷୀମାନେ ଗାଁରେ ହିଁ କମିଶନ ଏଜେଣ୍ଟମାନଙ୍କୁ ଫସଲ ବିକି ଦିଅନ୍ତି ଏବଂ ଏଜେଣ୍ଟମାନେ ଗାଁରେ, ଆହୁରି କମ୍‌ ଦରରେ ଫସଲ କିଣିବା ପରେ ଗୁଲାବବାଗକୁ ଆସନ୍ତି ।”

Farmer Rajmahal Mandal from Bihar's Barhuwa village cuts sugarcane in Gagsina village, Haryana, to earn more and take care of his family
PHOTO • Parth M.N.
Farmer Rajmahal Mandal from Bihar's Barhuwa village cuts sugarcane in Gagsina village, Haryana, to earn more and take care of his family
PHOTO • Parth M.N.

ବିହାରର ବାଢୁୱା ଗାଁର ଚାଷୀ ରାଜମହଲ ମଣ୍ଡଳ, ଅଧିକ ରୋଜଗାର ଏବଂ ନିଜ ପରିବାରର ଦେଖାରଖା ପାଇଁ, ହରିଆଣାର ଗଗସିନା ଗାଁରେ ଆଖୁ କାଟନ୍ତି

ନ୍ୟାସନାଲ କାଉନ୍‌ସିଲ ଅଫ୍‌ ଆପ୍ଲାଏଡ୍‌ ଇକୋନୋମିକ ରିସର୍ଚ୍ଚ (NCAER) ପକ୍ଷରୁ ୨୦୧୯ ମସିହାରେ ପ୍ରକାଶିତ ଷ୍ଟଡି ଅନ୍‌ ଏଗ୍ରିକଲଚର୍‌ ଡାଏଗ୍ନୋଷ୍ଟିକ୍‌ସ ଫର ଦି ଷ୍ଟେଟ୍‌ ଅଫ୍‌ ବିହାର ଇନ୍‌ ଇଣ୍ଡିଆ ଶୀର୍ଷକ ଅନୁଧ୍ୟାନ ରିପୋର୍ଟରେ କୁହାଯାଇଛି ଯେ, ବିହାରର ୯୦ ପ୍ରତିଶତ ଫସଲ ଗାଁରେ ହିଁ କମିଶନ ଏଜେଣ୍ଟମାନଙ୍କୁ ବିକ୍ରି କରିଦିଆଯାଏ। ଏହି ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, “ବିହାରରେ ୨୦୦୬ ମସିହାରେ ଏପିଏମ୍‌ସି ଆଇନ ଉଚ୍ଛେଦ ହେବା ସତ୍ତ୍ଵେ ନୂତନ ବଜାର ଗଠନ ଏବଂ ପୂର୍ବରୁ ଥିବା ବଜାରରେ ଚାଷୀଙ୍କୁ ସୁବିଧା ସୁଯୋଗ ପ୍ରଦାନ ଦିଗରେ କାମ କରାଯାଇନାହିଁ ଏବଂ ଏହା ଫଳରେ ବଜାରର ଘନତ୍ଵ ହ୍ରାସ ପାଇଛି ।”

ବିହାରର ଅନ୍ୟତମ ମୁଖ୍ୟ ଫସଲ ଧାନ ଓ ଗହମ କ୍ଷେତ୍ରରେ ମଧ୍ୟ କ୍ଷୁଦ୍ର ଚାଷୀମାନେ ନିର୍ଦ୍ଧାରିତ ନ୍ୟୂନତମ ସମର୍ଥନ ମୂଲ୍ୟଠାରୁ ଖୁବ୍‌ କମ୍‌ ପାଇଥାଆନ୍ତି ।

ଯେଉଁ ସବୁ କାରଣରୁ ୧୪ ବର୍ଷ ତଳେ ବିହାରରୁ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ କରାଯାଇଥିଲା, ସେହି ସବୁ କାରଣରୁ ହିଁ ୨୦୨୦ ସେପ୍‌ଟେମ୍ବରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଣୀତ ତିନିଟି କୃଷି ଆଇନ ଭିତରୁ ଅନ୍ୟତମ କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁବିଧା ପ୍ରଦାନ) ଆଇନ, ୨୦୨୦ କୁ ସାରା ଭାରତରେ, ଏପିଏମ୍‌ସି ଆଇନ ସ୍ଥାନରେ ଲାଗୁ କରାଯାଇଛି ।୨୦୨୦ ନଭେମ୍ବର ୨୬  ତାରିଖରୁ ମୁଖ୍ୟତଃ ଦିଲ୍ଲୀ ସୀମାବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ଚାଷୀମାନେଏହି ନୂତନ ଆଇନଗୁଡ଼ିକ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି । ଚାଷୀମାନଙ୍କ ମତରେ, ନ୍ୟୂନତମ ସମର୍ଥନ ମୂଲ୍ୟ, ଏପିଏମ୍‌ସି, ସରକାରୀ ଫସଲ କିଣା ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ଭଳି ଚାଷୀମାନଙ୍କ ପ୍ରତି ପ୍ରମୁଖ ସହାୟକ ବ୍ୟବସ୍ଥାକୁ ଏହି ନୂତନ ଆଇନଗୁଡ଼ିକରେ ହଟାଇ ଦିଆଯାଇଛି ।

ଆଖୁର କମ୍‌ ଦର ଯୋଗୁଁ ନିଜ ନିଜର ଆୟ ବଢ଼ାଇ ନପାରି ଜୀବନଯାପନ ଲାଗି ସଂଘର୍ଷ କରୁଥିବା ବିହାରର ଲକ୍ଷ ଲକ୍ଷ କୃଷକ ଓ କୃଷି ଶ୍ରମିକ ବର୍ଷ ବର୍ଷ ଧରି ଅମଳ ଋତୁରେ ହରିଆଣା ଓ ପଞ୍ଜାବକୁ ପଳାଇ ଯାଉଛନ୍ତି, ଯେଉଁଠାରେ କି କୃଷକମାନଙ୍କ ସ୍ଥିତି ଅପେକ୍ଷାକୃତ ଭଲ ।

ଗଗସିନାର ଆଖୁ କ୍ଷେତରେ ରମେଶ ଶର୍ମାଙ୍କ ସହିତ ବିହାରରୁ ଆସିଥିବା ଅନ୍ୟ ୧୩ ଜଣ ଶ୍ରମିକ ବି ଆଖୁ କାଟୁଛନ୍ତି । ଆଖୁ କାଟି କୁଇଣ୍ଟାଲ ପିଛା ୪୫ ଟଙ୍କା ହିସାବରେ ଆୟ କରିବା ପାଇଁ ସେମାନେ ଅରରିୟାରୁ କରନାଲ ପର୍ଯ୍ୟନ୍ତ ୧,୪୦୦ କିଲୋମିଟରରୁ ଊର୍ଦ୍ଧ୍ୱ ବାଟ ଯାତ୍ରା କରିଛନ୍ତି । କଟାଆଖୁ ଗଦାକୁ ଦାଆରେ ଖେଞ୍ଚି ସଜାଡ଼ି ନେଉ ନେଉ ୪୫ ବର୍ଷୀୟ ରାଜମହଲ ମଣ୍ଡଳ କହନ୍ତି, “ଦିନକରେ ମୁଁ ୧୨-୧୫ କୁଇଣ୍ଟାଲ ଆଖୁ କାଟେ । ତାହାର ଅର୍ଥ ଦିନକୁ ୫୪୦ରୁ ୬୭୫ ଟଙ୍କା ଭିତରେ ରୋଜଗାର।”

After months of backbreaking work cutting sugarcane, Kamaljit Paswan's body aches for days when he returns home to Bihar
PHOTO • Parth M.N.
After months of backbreaking work cutting sugarcane, Kamaljit Paswan's body aches for days when he returns home to Bihar
PHOTO • Parth M.N.

ଆଖୁକଟାରେ ମାସ ମାସ ଧରି ହାଡ଼ଭଙ୍ଗା ପରିଶ୍ରମ କରିବା ପରେ କମଲଜିତ ପାଶୱାନ ଯେତେବେଳେ ବିହାରର ନିଜ ଗାଁକୁ ଫେରନ୍ତି, ବହୁଦିନ ପାଇଁ ତାଙ୍କ ଶରୀରରେ ବିନ୍ଧାଛିଟିକା ଲାଗି ରହେ

ଅରରିଆର ବଢୁୱା ଗାଁରୁ ଆସିଥିବା ମଣ୍ଡଳ ଆହୁରି କହନ୍ତି, “ଏଠାକାର (ହରିଆଣାର) ଚାଷୀମାନେ ଆମକୁ ଭଲ ମଜୁରିଆରେ ନିଯୁକ୍ତି ଦେବା ପାଇଁ ସମର୍ଥ । ବିହାରରେ ଏହା ହୋଇପାରେନି। ମୁଁ ମଧ୍ୟ ଜଣେ ଚାଷୀ ଏବଂ ମୋର ତିନି ଏକର ଜମି ଅଛି। ମୁଁ ନିଜେ ଏଠାକୁ ଅଧିକ ରୋଜଗାର କରିବାକୁ ଆସୁଛି, ତ ମୁଁ ମୋ କ୍ଷେତରେ ଶ୍ରମିକମାନଙ୍କୁ କେମିତି କାମରେ ଲଗାଇ ପାରିବି?”

ପ୍ରାୟତଃ ଅକ୍‌ଟୋବର-ନଭେମ୍ବର ବେଳକୁ, ଧାନ ଅମଳ ଋତୁ ଆରମ୍ଭ ହେଲେ ରାଜମହଲ ତାଙ୍କ ଗାଁ ଛାଡ଼ନ୍ତି। “ସେଇ ସମୟରେ ହିଁ ପଞ୍ଜାବ ଓ ହରିଆଣାରେ ଶ୍ରମିକମାନଙ୍କର ଅଧିକ ଆବଶ୍ୟକତା ଥାଏ । ମୋଟାମୋଟି ପ୍ରଥମ ଦୁଇ ମାସ ପାଇଁ, ଦିନକୁ ୪୫୦ ଟଙ୍କା ମଜୁରିରେ, ଆମେ ଧାନକ୍ଷେତରେ କାମ କରୁ । ପରବର୍ତ୍ତୀ ଚାରି ମାସ ଆମେ ଆଖୁ କାଟୁ । ଛଅ ମାସରେ ଆମେ ପ୍ରାୟ ଲକ୍ଷେ ଟଙ୍କା ରୋଜଗାର କରୁ। ଏହା ଏକ ନିଶ୍ଚିତ ଆୟ ଏବଂ ମୋ ପରିବାର ଚଳାଇବାରେ ଏହା ମୋତେ ସାହାଯ୍ୟ କରେ,” ମଣ୍ଡଳ କହନ୍ତି।

ହେଲେ, ଏହି ରୋଜଗାର ପାଇଁ ମୂଲ୍ୟ ବି ଦେବାକୁ ପଡ଼େ । ସକାଳ ୭ଟାରୁ ସେମାନଙ୍କର କାମ ଆରମ୍ଭ ହୁଏ ଏବଂ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ହାଡ଼ଭଙ୍ଗା ପରିଶ୍ରମ ଶେଷ ହୁଏ ନାହିଁ । ଶୋଇରଗାଁରୁ ଆସିଥିବା ୨୨ ବର୍ଷୀୟ କମଲଜିତ ପାଶୱାନ କହନ୍ତି, “ପ୍ରତି ଦିନ ୧୪ ଘଣ୍ଟା ଧରି କଠିନ ପରିଶ୍ରମ କରିବାକୁ ପଡ଼େ ଏବଂ କେବଳ ମଧ୍ୟାହ୍ନ ଭୋଜନ ପାଇଁ ଥରଟିଏ ବିରତି ମିଳେ । ଏମିତି ମାସ ମାସ ଧରି କାମ ଲାଗି ରହିଥାଏ । ମୁଁ ଯେତେବେଳେ ବିହାରରେ ଆମ ଘରକୁ ଫେରେ, ବହୁ ଦିନ ପାଇଁ ମୋ ପିଠି, କାନ୍ଧ, ବାହୁ ଓ ଗୋଡ଼ର ମାଂସପେଶୀରେ ବିନ୍ଧାଛିଟିକା ହୁଏ ।”

ଗଗସିନାର ଆଖୁ କ୍ଷେତ ପାଖରେ ଥିବା ଛୋଟ ଛୋଟ ଅସ୍ଥାୟୀ କୁଡ଼ିଆରେ ଏହି ଶ୍ରମିକମାନେ ରହନ୍ତି । ସେଠାରେ ରନ୍ଧାଘର କି ଶୌଚାଳୟ ଭଳି କୌଣସି ସୁବିଧା ନଥାଏ । ଖୋଲା ଜାଗାରେ କାଠ ଜାଳି ସେମାନେ ରୋଷେଇ କରନ୍ତି ।

ପାଶୱାନଙ୍କ ପରିବାର ପାଖରେ ନିଜସ୍ଵ ଜମି ନାହିଁ ଏବଂ ବାପାମାଆ ଓ ଦୁଇଟି ଛୋଟ ଭଉଣୀଙ୍କ ସମେତ ତାଙ୍କ ପାଞ୍ଚ ଜଣିଆ ପରିବାରରେ ସେ ଏକମାତ୍ର ରୋଜଗାରିଆ ସଦସ୍ୟ । ସେ କହନ୍ତି, “ଦେଖାଶୁଣା କରିବାକୁ ମୋର ପରିବାରଟିଏ ଅଛି । ମୁଁ ସେମାନଙ୍କୁ ମନେ ପକାଏ । କିନ୍ତୁ ସେମାନଙ୍କ ସହିତ ବର୍ଷକରେ ଅଧା ସମୟ ବିତାଇ ମତେ ଆଶ୍ଵସ୍ତ ହେବାକୁ ପଡ଼େ । ଆମକୁ ଯାହା କିଛି ମିଳୁଛି, ସେଥିରେ ହିଁ ଚଳିବାକୁ ପଡ଼ିବ ।”

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE