କୃଷ୍ଣା ଗାଓଡ଼େ ଶୀଘ୍ର ବଡ଼ ହୋଇଯାଇଥିଲେ। ତାଙ୍କ ବୟସର ପିଲାମାନେ ସ୍କୁଲ ଯାଉଥିବା ସମୟରେ ସେ ଦୈନିକ ୨୦୦ ଟଙ୍କା ମଜୁରିରେ ଚାଷ ଜମିରେ କାମ କରୁଥିଲେ। ଗାଁରେ ତାଙ୍କ ସାଙ୍ଗମାନେ କ୍ରିକେଟ୍ ଖେଳୁଥିବା ସମୟରେ ସେ ନିର୍ମାଣସ୍ଥଳୀରେ ଛିଡ଼ା ହୋଇ ଦିନ ମଜୁରି କାମ ମିଳିବାକୁ ଅପେକ୍ଷା କରି ରହୁଥିଲେ। ପାଞ୍ଚ ବର୍ଷ ପୂର୍ବରୁ, ତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା, ୬ ଜଣିଆ ପରିବାରର ସବୁ ଦାୟିତ୍ୱ ତାଙ୍କର ବଡ଼ ଭାଇ ମହେଶ ଓ ତାଙ୍କ ଉପରକୁ ଆସିଯାଇଥିଲା। ମହେଶ ତାଙ୍କ ଠାରୁ ମାତ୍ର ତିନି ବର୍ଷ ବଡ଼ ଥିଲେ।

ସେମାନଙ୍କ ଘର ମହାରାଷ୍ଟ୍ରର ବୀଡ଼ ଜିଲ୍ଲା ଅନ୍ତର୍ଗତ ନବଗଣ ରାଜୁରୀ ଗ୍ରାମରେ ରହିଛି। ଘର ବାହାରେ ପଥର ଚଟାଣ ଉପରେ ବସିଥିବା ସେମାନଙ୍କର ଜେଜେବାପା ୮୦ ବର୍ଷୀୟ ରଘୁନାଥ ଗାଓଡ଼େ କୁହନ୍ତି ଯେ ସେମାନଙ୍କ ପିତା ପ୍ରଭାକର ମାନସିକ ଅକ୍ଷମ ହୋଇଥିବାରୁ କାମ କରିପାରନ୍ତି ନାହିଁ, ସେମାନଙ୍କ ମା’ ଅଧିକାଂଶ ସମୟରେ ଅସୁସ୍ଥ ରହିଥାନ୍ତି। ସେ ଆହୁରି କୁହନ୍ତି, “ମୋର ଏବଂ ମୋର ପତ୍ନୀଙ୍କର ଅଧିକ ବୟସ ହୋଇଯାଇଥିବାରୁ ଆମେ କାମ କରିବାକୁ ସକ୍ଷମ ନୋହୁଁ। ସେଥିପାଇଁ ମୋର ନାତିମାନଙ୍କୁ ଏତେ ଶୀଘ୍ର ସବୁ ଦାୟିତ୍ୱର ବୋଝ ମୁଣ୍ଡାଇବାକୁ ପଡ଼ିଲା। ବିଗତ ୪-୫ ବର୍ଷ ହେବ ସେମାନଙ୍କ ରୋଜଗାରରେ ଘର ଚାଲୁଛି।”

ଗାଓଡ଼େ ପରିବାର ଧନଗର ସମ୍ପ୍ରଦାୟର, ସେମାନେ ପାରମ୍ପରିକ ଭାବେ ପଶୁପାଳକ ଅଟନ୍ତି। ମହାରାଷ୍ଟ୍ରରେ ଏମାନଙ୍କୁ ବିମୁକ୍ତ ଜାତି ଏବଂ ଯାଯାବର ଜନଜାତି ସୂଚୀରେ ସାମିଲ କରାଯାଇଛି। ଏହି ପରିବାର ପାଖରେ ନବଗଣ ରାଜୁରିରେ ଗୋଟିଏ ଏକରରୁ କମ୍ ଜମି ରହିଛି, ସେଥିରେ ସେମାନେ ଯଅ ଏବଂ ବାଜରା ଫସଲ ଅମଳ କରିଥାନ୍ତି। ଘର ଖର୍ଚ୍ଚ ପାଇଁ ଏତିକି ଅମଳ ଯଥେଷ୍ଟ ହୋଇଥାଏ।

କୃଷ୍ଣ ଏବଂ ମହେଶ ମିଶି ମାସିକ ୬ରୁ ୮ ହଜାର ଟଙ୍କା ରୋଜଗାର କରି ନେଇଥାନ୍ତି ଏବଂ ସେଥିରେ ସେମାନଙ୍କ ପରିବାର ଖର୍ଚ୍ଚ ଚଳିଯାଇଥାଏ। କିନ୍ତୁ, କରୋନା ମହାମାରୀ କାରଣରୁ ସେମାନଙ୍କ ଘରର ଆର୍ଥିକ ସନ୍ତୁଳନ ବିଗିଡ଼ି ଯାଇଛି। ମାର୍ଚ୍ଚ ୨୦୨୦ରେ ଦେଶବ୍ୟାପୀ  ତାଲାବନ୍ଦ ଘୋଷଣା କାରଣରୁ ଦୁଇ ଭାଇ ନିଜର କାମ ଏବଂ ରୋଜଗାର ହରାଇଥିଲେ।

କୃଷ୍ଣ ଏବଂ ମହେଶଙ୍କ ୬୫ ବର୍ଷୀୟା ଜେଜେ ମା’ ସୁନ୍ଦରବାଈ କୁହନ୍ତି, “ଆମେ ସମାଜିକ କର୍ମୀ ଏବଂ ସରକାରଙ୍କ ପକ୍ଷରୁ ମିଳୁଥିବା ରାସନରେ ବଞ୍ଚିଲୁ। କିନ୍ତୁ ଆମ ପାଖରେ ଟଙ୍କା ନଥିଲା। ଆମେ ତେଲ କିମ୍ବା ପରିବା ସୁଦ୍ଧା କିଣି ପାରିନଥିଲୁ। ତାଲାବନ୍ଦ ପରେ ତିନି ମାସ ସବୁଠୁ ଅଧିକ ସଙ୍କଟରେ ଥିଲୁ।”

ଜୁନ ୨୦୨୦ରେ ତାଲାବନ୍ଦ ନିୟମ ସାମାନ୍ୟ କୋହଳ ହୋଇଥିଲା ଏବଂ ଆର୍ଥିକ ଗତିବିଧି ଧୀରେ ଧୀରେ ଆରମ୍ଭ ହୋଇଥିଲା। ଏହା ସତ୍ତ୍ୱେ ବୀଡ଼ରେ ଦିନ ମଜୁରି କାମ ମିଳିବା ବେଶ କଠିନ ଥିଲା। ରଘୁନାଥ କୁହନ୍ତି, “ଏହି କାରଣରୁ ମହେଶ କାମ ଖୋଜିବା ଲାଗି ପୁଣେ ଚାଲିଗଲା”। କିନ୍ତୁ ତା’କୁ ସେଠାରେ କୌଣସି କାମ ମିଳିଲା ନାହିଁ। ଫଳରେ ସେ ଘରକୁ ଟଙ୍କା ପଠାଇ ପାରିଲା ନାହିଁ। “କୃଷ୍ଣ ପରିବାରର ଯତ୍ନ ନେବା ଲାଗି ଏଠାରେ ବୀଡ଼ରେ ରହି କାମ ଖୋଜିଲା”।

ପଛକୁ ଫେରି ଚାହିଁଲେ ଜଣାପଡ଼ିଥାଏ ଯେ ଏହି ନିଷ୍ପତ୍ତି ବେଶ ବିପଜ୍ଜନକ ସାବ୍ୟସ୍ତ ହୋଇଥିଲା।

Left: Krishna's grandparents, Raghunath and Sundarbai Gawade. Right: His father, Prabhakar Gawade. They did not think his anxiety would get worse
PHOTO • Parth M. N.
Left: Krishna's grandparents, Raghunath and Sundarbai Gawade. Right: His father, Prabhakar Gawade. They did not think his anxiety would get worse
PHOTO • Parth M. N.

ବାମ : କୃଷ୍ଣଙ୍କ ଜେଜେବାପା-ଜେଜେ ମା’ ରଘୁନାଥ ଏବଂ ସୁନ୍ଦରବାଈ ଗାଓଡ଼େ, ଡାହାଣ: ପିତା ପ୍ରଭାକର ଗାଓଡ଼େ। ସେମାନେ ଜାଣିନଥିଲେ ଯେ ତାଙ୍କର ମାନସିକ ଅବସାଦ ଏତେ ଗମ୍ଭୀର ହୋଇଯିବ

ଦାୟିତ୍ୱ ବୋଝ କାରଣରୁ କୃଷ୍ଣ ସବୁବେଳେ ସଂଘର୍ଷ କରୁଥିଲେ। ୧୭ ବର୍ଷୀୟ କୃଷ୍ଣଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥଲା। ତାଙ୍କର ମାନସିକ ଚାପ ଏବଂ ଅବସାଦକୁ ପରିବାର ଲୋକମାନେ ଖୁବ ଭଲ ଭାବେ ଦେଖିପାରୁଥିଲେ। ରଘୁନାଥ କୁହନ୍ତି, “ସେତେବେଳେ କିଛି କାମ ନଥିଲା। ସେ ବେଶ ଚିଡ଼ଚିଡ଼ା ହୋଇଯାଇଥିଲେ। ଏପରିକି ଆମେ ତା’କୁ ଖାଇବା ବିଷୟରେ ପଚାରିଲେ, ସେ ବଡ଼ ପାଟିରେ ଆମ ଉପରେ ଚିଲ୍ଲାଉଥିଲା। ସେ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବା ବନ୍ଦ କରି ଦେଇଥିଲା ଏବଂ ଯେତେବେଳେ ତା’ ପାଖରେ କିଛି କାମ ନଥିଲା, ସାରା ଦିନ ଶୋଇ ରହୁଥିଲା।”

ଏହାର ଅନ୍ତ କିପରି ହେବ ପରିବାର ଜାଣିନଥିଲା। ବିଗତ ବର୍ଷ ଜୁଲାଇ ମାସର ତୃତୀୟ ସପ୍ତାହର ଅପରାହ୍ଣରେ ସୁନ୍ଦରବାଈ ଯେତେବେଳେ କୃଷ୍ଣର କୋଠରୀକୁ ଗଲେ, ସେ ଦେଖିଲେ ଯେ କୃଷ୍ଣଙ୍କ ଶବ ପଙ୍ଖାରେ ଝୁଲି ରହିଛି।

ସୁନ୍ଦରବାଈ କୁହନ୍ତି ଯେ, “ମହେଶ ଏଠାରେ ଥିବା ସମୟରେ, କୃଷ୍ଣ ସାମାନ୍ୟ ଆଶ୍ୱସ୍ତି ମଧ୍ୟରେ ରହୁଥିଲା। ସେ ଭାବୁଥିଲା ତା’ ପାଖରେ ଏମିତି ଜଣେ ଅଛି ଯିଏ ତା’କୁ ବୁଝିପାରିବ। ମହେଶ କିନ୍ତୁ ପୁଣେ ଚାଲିଯିବା ପରେ ସେ ଭାବୁଥିଲା ସାରା ପରିବାରର ବୋଝ ଏବେ ତା’ ଉପରେ ପଡ଼ିଛି। ଅନିୟମିତ ରୋଜଗାର କାରଣରୁ ନିଜର ଦାୟିତ୍ୱ ତୁଲାଇ ପାରୁନାହିଁ ବୋଲି ସେ ନିଶ୍ଚିତ ଭାବେ ଭାବୁଥିବ ।”

କୃଷ୍ଣଙ୍କ ମୃତ୍ୟୁ ପରେ ମହେଶ (ବୟସ ୨୧ ବର୍ଷ) ଘରକୁ ଫେରିଆସିଲେ। ସେ ପୁଣିଥରେ ବୀଡ଼ ଜିଲ୍ଲାରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି, ତାହା ପୁଣି ସେତିକି ବେଳେ ଯେତେବେଳେ ତାଙ୍କୁ କାମ ମିଳୁଛି। ଏବେ ତାଙ୍କ ଉପରେ ସାରା ପରିବାରର ଦାୟିତ୍ୱ ରହିଛି।

ମହାମାରୀ କୃଷ୍ଣଙ୍କ ପରିବାର ଭଳି ଅନ୍ୟ ପରିବାରଗୁଡ଼ିକୁ ମଧ୍ୟ ପ୍ରଭାବିତ କରିଛି। ଏହି କାରଣରୁ ମାର୍ଚ୍ଚ ୨୦୨୦ ପରଠାରୁ ବହୁ ପରିବାର ଦାରିଦ୍ର୍ୟ ସହ ସଂଘର୍ଷ କରୁଛନ୍ତି। ଆମେରିକାସ୍ଥିତ ପ୍ୟୁ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ମାର୍ଚ୍ଚ ୨୦୨୧ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ : “କରୋନା ମହାମାରୀ କାରଣରୁ ଦେଖା ଦେଇଥିବା ଆର୍ଥିକ ମାନ୍ଦାବସ୍ଥା ଫଳରେ ଭାରତରେ ଗୋଟିଏ ଦିନରେ ୨ ଡଲାର କିମ୍ବା ତା’ଠାରୁ କମ୍ ଆୟ କରୁଥିବା ଗରିବଙ୍କ ସଂଖ୍ୟାରେ ୭.୫ କୋଟି ବୃଦ୍ଧି ପାଇଛି।” ମହାମାରୀ କାରଣରୁ ଦେଖାଦେଇଥିବା ମାନ୍ଦାବସ୍ଥା ବୀଡ଼ରେ ଲୋକମାନଙ୍କ ଜୀବନଜୀବିକାକୁ ନଷ୍ଟ କରି ଦେଇଛି। ବୀଡ଼ ଏକ କୃଷି ଆଧାରିତ ଜିଲ୍ଲା, ଏହାର ଗ୍ରାମୀଣ ଅର୍ଥବ୍ୟବସ୍ଥା ବିଗତ କିଛି ବର୍ଷ ହେବ ମରୁଡ଼ି ଏବଂ ଋଣବୋଝ କାରଣରୁ ମାନ୍ଦାବସ୍ଥାରେ ପଡ଼ି ସଂଘର୍ଷ କରୁଛି।

ନିଜର ନିକଟ ସମ୍ପର୍କୀୟ ବୟସ୍କମାନେ ଉଠାଉଥିବା ଆର୍ଥିକ ବୋଝର ପ୍ରଭାବ ଶିଶୁ ଏବଂ କିଶୋରମାନଙ୍କ ଉପରେ ପଡ଼ୁଛି। ଶିଶୁ ଅଧିକାର କର୍ମୀ ତଥା ମହାରାଷ୍ଟ୍ରରେ ଶିଶୁ ଅଧିକାର ସଂରକ୍ଷଣ ଲାଗି ଗଠିତ ରାଜ୍ୟ ଆୟୋଗର ପୂର୍ବତନ ସଦସ୍ୟ ସନ୍ତୋଷ ଶିନ୍ଦେ କୁହନ୍ତି, ଏହି ସଙ୍କଟ ଶିଶୁ ଏବଂ କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଛି। “ବିଶେଷ କରି ଦୁର୍ବଳ ବର୍ଗର ଶିଶୁମାନଙ୍କୁ ନିଜ ପରିବାର ପାଇଁ ଆର୍ଥିକ ସହାୟତା କରିବାକୁ ପଡ଼ିଥାଏ। ଅଳ୍ପ ବୟସରୁ ଏପରି ଦାୟିତ୍ୱର ବୋଝ ଉଠାଇବା ପିଲାଙ୍କ ପାଇଁ ଅଧିକାଂଶ ସମୟରେ ଅତ୍ୟନ୍ତ କଷ୍ଟକର ହୋଇଥାଏ। ଆପଣଙ୍କ ଆଖପାଖରେ ସମସ୍ତେ ଦୁଇ ଓଳା ଖାଇବା ଯୋଗାଡ଼ କରିବା ଲାଗି ସଂଘର୍ଷ କରୁଥିବା ସମୟରେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଚର୍ଚ୍ଚା କରିବା ଲାଗି ସମୟ ମିଳିନଥାଏ।”

ଏପରିକି ପିଲାମାନଙ୍କୁ କାମ କରିବାକୁ ନପଡ଼ିଲେ ମଧ୍ୟ, ସେମାନେ ଆର୍ଥିକ ମାନ୍ଦାବସ୍ଥା ଓ ଚାପପୂର୍ଣ୍ଣ ପରିବେଶ କାରଣରୁ ସମସ୍ୟାରେ ପଡ଼ିଥାନ୍ତି, ଏହା ଅଧିକାଂଶ ସମୟରେ ବୟସ୍କଙ୍କ ମଧ୍ୟରେ ଝଗଡ଼ାର କାରଣ ହୋଇଥାଏ। ଶିନ୍ଦେ କୁହନ୍ତି, “ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। କୋଭିଡ ପୂର୍ବରୁ, ପିଲାମାନେ ବାହାରକୁ ଯାଇ ଖେଳାଖେଳି କରିପାରୁଥିଲେ, ସେମାନେ ଅନ୍ୟ ଗାଁକୁ ଯାଇପାରୁଥିଲେ। ଏବେ ସ୍କୁଲ୍ ବନ୍ଦ ରହିଛି, ସେଥିପାଇଁ ଘର ପରିବେଶରୁ ବାହାରକୁ ଯିବା ଲାଗି ସେମାନଙ୍କ ପାଖରେ କୌଣସି ରାସ୍ତା ନାହିଁ।”

Left: Sanjana Birajdar left home to escape the stressful atmosphere. Right: Her mother, Mangal. "I can see why my daughter fled"
PHOTO • Parth M. N.
Left: Sanjana Birajdar left home to escape the stressful atmosphere. Right: Her mother, Mangal. "I can see why my daughter fled"
PHOTO • Parth M. N.

ବାମ : ସଞ୍ଜନା ବିରାଜଦାର ଘରର ଚାପଗ୍ରସ୍ତ ପରିବେଶରୁ ରକ୍ଷା ପାଇବା ଲାଗି ଘର ଛାଡ଼ି ଚାଲିଯାଇଛନ୍ତି। ଡାହାଣ : ତାଙ୍କ ମା’ ମଙ୍ଗଲ କୁହନ୍ତି, ‘ମୁଁ ଜାଣିଛି ମୋ ଝିଅ କାହିଁକି ଘର ଛାଡ଼ି ଚାଲିଗଲ'

କିନ୍ତୁ ୧୪ ବର୍ଷୀୟା ସଞ୍ଜନା ବିରାଜଦାର ସେ ପରିବେଶରୁ ବାହାରକୁ ଚାଲିଯାଇଥିଲେ। ଜୁନ ୨୦୨୧ରେ ସେ ବୀଡ଼ର ପରଲୀ ନଗରରେ ଥିବା ନିଜର ବଖୁରିକିଆ ଘରୁ ପଳାୟନ କରି ଏଠାରୁ ୨୨୦ କିମି ଦୂରରେ ଥିବା ଔରଙ୍ଗାବାଦରେ ପହଞ୍ଚି ଯାଇଥିଲେ। ସଞ୍ଜନା ନିଜ ସହିତ ନିଜର ଛୋଟ ଭାଇଭଉଣୀ, ସମର୍ଥ (୧୧ ବର୍ଷ) ଏବଂ ସପନା (୯ ବର୍ଷ)ଙ୍କୁ ମଧ୍ୟ ନେଇଯାଇଥିଲେ। ସେ ଚାପା ସ୍ୱରରେ କୁହନ୍ତି, “ମୁଁ ଆଉ ସହିବା ଅବସ୍ଥାରେ ନଥିଲି। ମୁଁ କେବଳ ସେହି ଘରୁ ବାହାରି ଯିବା ଲାଗି ଚାହୁଁଥିଲି।

ସଞ୍ଜନାଙ୍କ ମା’, ମଙ୍ଗଲ ଜଣେ ଘରୋଇ ସହାୟିକା ଅଟନ୍ତି ଏବଂ ପାଞ୍ଚଟି ଘରେ କାମ କରି ସେ ମାସିକ ୨୫୦୦ ଟଙ୍କା ରୋଜଗାର କରିଥାନ୍ତି। ତାଙ୍କ ବାପା ରାମ ଜଣେ ଟେମ୍ପୋ ଡ୍ରାଇଭର ଥିଲେ। ମଙ୍ଗଲ କୁହନ୍ତି, “ତାଲାବନ୍ଦ କାରଣରୁ ସେମାନଙ୍କର ଚାକିରି ଚାଲିଗଲା”। ସେ ଆହୁରି କୁହନ୍ତି ଯେ ସେମାନଙ୍କର ପରିବାର ପାଖରେ କିଛି ଚାଷ ଉପଯୋଗୀ ଜମି ନାହିଁ। “ମୋ ଭାଇ ମଧ୍ୟ ମୋ ସହିତ ରହିଥାଏ। ତା’ପାଖରେ କିଛି କାମ ନାହିଁ। ଆମେ ବଞ୍ଚିବା ଲାଗି ସଂର୍ଘର୍ଷ କରୁଛୁ।”

ସଞ୍ଜନା ଯେତେବେଳେ ଘର ଛାଡ଼ି ଚାଲିଯିବା ଲାଗି ନିଷ୍ପତ୍ତି ନେଲେ, ୩୫ ବର୍ଷୀୟା ମଙ୍ଗଲ ଏବଂ ୪୦ ବର୍ଷୀୟ ରାମଙ୍କ ମଧ୍ୟରେ ଟଙ୍କାକୁ ନେଇ ଦୈନିକ ଝଗଡ଼ା ହେଉଥିଲା। ସେମାନଙ୍କର ଝଗଡ଼ା ଅଧିକାଂଶ ସମୟରେ ବେଶି ଖରାପ ହୋଇଯାଉଥିଲା। ମଙ୍ଗଲ କୁହନ୍ତି, “ବେଳେ ବେଳେ ଏମିତି ହେଉଥିଲା ଯେ ଘରେ ଖାଇବା ଲାଗି କିଛି ରହୁନଥିଲା ଏବଂ ଆମେ ପାଣି ପିଇ ଶୋଇଯାଉଥିଲୁ। ନିଜେ ଝଗଡ଼ା କଲେ, ବେଳେ ବେଳେ ସେହି କ୍ରୋଧ ପିଲାଙ୍କ ଉପରେ ପଡ଼ିଯାଏ। ମୁଁ ଜାଣିଛି ଯେ, ଆମ ଘରର ପରିବେଶ ମୋ ପିଲାଙ୍କ ପାଇଁ ଠିକ୍ ନଥିଲା।

ମଙ୍ଗଲଙ୍କ ଭାଇଙ୍କ ବ୍ୟବହାର କାରଣରୁ ଘରର ପରିବେଶ ଆହୁରି ଖରାପ ହୋଇଯାଇଥିଲା, କାମ ନମିଳିବା କାରଣରୁ ସେ ଚିନ୍ତିତ ଥିଲେ ଏବଂ ମଦ ନିଶାର ଶିକାର ହୋଇଯାଇଥିଲେ। ମଙ୍ଗଲ କୁହନ୍ତି, “ସେ ଖୁବ୍ ମଦ ପିଉଥିଲା ଏବଂ ଘରକୁ ଆସି ମୋତେ ମାଡ଼ ମାରୁଥିଲା। ଓଜନିଆ ବାସନ ଉଠାଇ ମୋ ମୁଣ୍ଡକୁ ପିଟୁଥିଲା। ମୁଁ ତା’କୁ ପେଟ ପୂରା ଖାଇବାକୁ ଦେଉନଥିବା ସେ କହୁଥିଲା। ତା’କୁ କ’ଣ କହିବି ମୁଁ ଜାଣିନଥିଲି। ଘରେ କିଛି ନଥିବା ବେଳେ ମୁଁ ତା’କୁ ଖାଦ୍ୟ କିଭଳି ରାନ୍ଧି ଦେଇଥାନ୍ତି?”

ମଙ୍ଗଲ କୁହନ୍ତି, ତାଙ୍କର ପିଲାମାନେ ଏହି ମାଡ଼ପିଟ୍ ଦେଖୁଥିଲେ, କିନ୍ତୁ ତାଙ୍କ ଭାଇ ଉପରେ ଏହାର କୌଣସି ପ୍ରଭାବ ପଡ଼ୁନଥିଲା। “ସେ ମୋତେ ପିଲାମାନଙ୍କ ସାମ୍ନାରେ ମାରୁଥିଲା। ସେଥିପାଇଁ ଏବେ ସେ ଯେତେବେଳେ ଘରକୁ ଆସୁଛି ଏବଂ ଝଗଡ଼ା କରୁଛି, ପିଲାମାନେ ବାହାରକୁ ଚାଲିଯାଉଛନ୍ତି। କିନ୍ତୁ ସେମାନେ ସବୁକିଛି ଶୁଣୁଛନ୍ତି, ବୁଝିପାରୁଛନ୍ତି। ମୋ ଝିଅ କାହିଁକି ଘରୁ ଚାଲିଗଲା ମୁଁ ଜାଣିଛି।”

ସଞ୍ଜନା କୁହନ୍ତି, ସେ ସେଠାରେ ଚାପ ଅନୁଭବ କରୁଥିଲେ ଏବଂ ଏଥିରୁ ରକ୍ଷା ପାଇବା ଲାଗି ଘରୁ ପଳାୟନ କରିବା ଏକମାତ୍ର ରାସ୍ତା ଥିଲା। କିନ୍ତୁ ନିଜ ଭାଇ-ଭଉଣୀଙ୍କ ସହ ପରଲୀରୁ ଟ୍ରେନ ଧରିବା ପରେ ଆଗକୁ କ’ଣ କରିବାକୁ ହେବ ସେ ଜାଣିନଥିଲେ। ସେ ବିନା ଟିକେଟରେ ଯାତ୍ରା କଲେ ଏବଂ ସେ କେଉଁଆଡ଼େ ଯିବେ ତାହା ସୁଦ୍ଧା ଜାଣିନଥିଲେ। ସେ କୁହନ୍ତି, “ଆମେ ଔରଙ୍ଗାବାଦରେ କାହିଁକି ଓହ୍ଲାଇଲୁ ଆମେ ଜାଣିନାହୁଁ। କିଛି ସମୟ ପର୍ଯ୍ୟନ୍ତ ଆମେ ଷ୍ଟେସନରେ ବସି ରହିଲୁ। ରେଳ ପୁଲିସ ଆମକୁ ସେଠାରେ ଦେଖିଲା ଏବଂ ପିଲାମାନଙ୍କୁ ଏକ ହଷ୍ଟେଲରେ ଭର୍ତ୍ତି କରି ଦେଲା।”

Mangal with three of her four children: the eldest, Sagar (left), Sanjana and Sapna (front). Loss of work has put the family under strain
PHOTO • Parth M. N.

ମଙ୍ଗଲ ନିଜର ଚାରି ପିଲାମାନଙ୍କ ମଧ୍ୟରୁ ତିନି ଜଣଙ୍କ ସହିତ : ସବୁଠୁ ବଡ଼ ପୁଅ ସାଗର (ବାମ), ସଞ୍ଜନା ଏବଂ ସପନା (ଆଗରେ)। କାମ ନମିଳିବା କାରଣରୁ ପରିବାର ଲୋକମାନେ ବେଶ ଚାପରେ ରହିଛନ୍ତି

ସେମାନେ ଅଗଷ୍ଟ ୨୦୨୧ ଶେଷ ପର୍ଯ୍ୟନ୍ତ ଦୁଇ ମାସ ଧରି ହଷ୍ଟେଲରେ ରହିଥିଲେ। ଶେଷରେ ସଞ୍ଜନା ହଷ୍ଟେଲ ପ୍ରଶାସନକୁ କହିଥିଲେ ଯେ ସେମାନଙ୍କ ଘର ପରଲୀରେ। ସ୍ଥାନୀୟ କର୍ମୀଙ୍କ ସହାୟତାରେ ଔରଙ୍ଗାବାଦର ଏବଂ ବୀଡ଼ ଜିଲ୍ଲାର ଶିଶୁ କଲ୍ୟାଣ ସମିତି ସେମାନଙ୍କୁ ପରିବାର ଲୋକଙ୍କ ସହିତ ଭେଟ କରାଇ ଦେଇଥିଲେ।

କିନ୍ତୁ ସେମାନେ ଯେତେବେଳେ ଫେରିଲେ, ଘରେ କିଛି ବଦଳିନଥିଲା।

ସଞ୍ଜନା ନିଜ ସ୍କୁଲ ଖୋଲିବାକୁ ଅପେକ୍ଷା କରି ରହିଛନ୍ତି। ସେ ବଡ଼ ହୋଇ ପୋଲିସ ଅଧିକାରୀ ହେବାକୁ ଚାହୁଁଛନ୍ତି। ସେ କୁହନ୍ତି, “ସ୍କୁଲ ଯିବାକୁ ମୁଁ ଭଲ ପାଏ। ସାଙ୍ଗମାନଙ୍କ କଥା ମୋର ଭାରି ମନେ ପଡ଼ୁଛି। ସ୍କୁଲ ଖୋଲା ଥିଲେ ମୁଁ ଘରୁ ପଳାଇ ନଥାନ୍ତି ।”

ମହାମାରୀ କାରଣରୁ ସାରା ମହାରାଷ୍ଟ୍ରରେ ପିଲାମାନେ ମାନସିକ ଅବସାଦ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ବୀଡ଼ରୁ ପ୍ରକାଶିତ ହେଉଥିବା ମରାଠୀ ଭାଷାର ଦୈନିକ ସମ୍ବାଦପତ୍ର ପ୍ରଜାପତ୍ର ରେ ୮ ଅଗଷ୍ଟ ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ସାତ ମାସ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କ ୨୫ ଜଣ ପିଲା ଆତ୍ମହତ୍ୟା କରିଥିଲେ।

ସାମୁଦାୟିକ ମାନସିକ ସ୍ୱାସ୍ଥ୍ୟ ଉପରେ କାମ କରୁଥିବା ଠାଣେରେ ମୁଖ୍ୟାଳୟ ଥିବା ଏକ ଅଣଲାଭକାରୀ ସଂସ୍ଥା, ଇନଷ୍ଟିଚ୍ୟୁଟ୍ ଫର ସାଇକୋଲୋଜିକାଲ ହେଲ୍‌ଥ୍‌ର ପ୍ରତିଷ୍ଠାତା ଏବଂ ମାନସିକ ଚିକିତ୍ସା ବିଶେଷଜ୍ଞ ଡାକ୍ତର ଆନନ୍ଦ ନାଦକର୍ଣ୍ଣୀ କୁହନ୍ତି, “ପିଲାମାନଙ୍କ ପାଖରେ ମନୋରଞ୍ଜନର ସାଧନ ଏବଂ ନିଜ ମସ୍ତିଷ୍କକୁ ସୃଜନଶୀଳ କାର୍ଯ୍ୟରେ ବିନିଯୋଗ କରିବା ଲାଗି ସମ୍ବଳ ନଥଲେ, ତାଙ୍କ ଭିତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ଠିକ ଏହି ସମୟରେ, ଜୀବନଶୈଳୀରେ ଦେଖାଦେଉଥିବା ପତନରେ ସେମାନେ ସାକ୍ଷୀ ଏବଂ ଭାଗିଦାର ହୋଇଥାନ୍ତି। ଏହି କାରଣରୁ ସେମାନେ ମାନସିକ ଅବସାଦର ଶିକାର ହୋଇଥାନ୍ତି।”

Rameshwar Thomre at his shop, from where his son went missing
PHOTO • Parth M. N.

ରାମେଶ୍ୱର ଥୋମରେ ନିଜ ଦୋକାନରେ, ଏଠାରୁ ତାଙ୍କ ପୁଅ ନିଖୋଜ ହୋଇଯାଇଥିଲା

ମହାମାରୀ କାରଣରୁ ସାରା ମହାରାଷ୍ଟ୍ରରେ ପିଲାମାନେ ମାନସିକ ଅବସାଦ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି। ବୀଡ଼ରୁ ପ୍ରକାଶିତ ହେଉଥିବା ମରାଠୀ ଭାଷାର ଦୈନିକ ସମ୍ବାଦପତ୍ର ପ୍ରଜାପତ୍ର ରେ ୮ ଅଗଷ୍ଟ ୨୦୨୧ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷର ପ୍ରଥମ ସାତ ମାସ ମଧ୍ୟରେ ୧୮ ବର୍ଷରୁ କମ ବୟସ୍କ ୨୫ ଜଣ ପିଲା ଆତ୍ମହତ୍ୟା କରିଥିଲେ

କରୋନା ମହାମାରୀ ଆରମ୍ଭ ହେବା ପରେ ପିଲା ଏବଂ କିଶୋରମାନଙ୍କ ମଧ୍ୟରେ ଅବସାଦ ସମସ୍ୟା ବଢ଼ିଯାଇଛି। ନାଦକର୍ଣ୍ଣୀ ଆହୁରି କୁହନ୍ତି, “ଏହାକୁ ‘ମାସ୍କଡ୍ ଡିପ୍ରେସନ (ଲୁଚି ରହିଥିବା ଅବସାଦ) କୁହାଯାଏ। ଏହା ବଡ଼ ଲୋକମାନଙ୍କ ଭଳି ବାହାରକୁ ଆସିନଥାଏ। ଅନେକ ଥର ପରିବାରର ସଦସ୍ୟମାନଙ୍କୁ କିଛି ଜଣାନଥାଏ। ସେମାନେ ଭାବଗତ ଚାପର ଲକ୍ଷଣକୁ ଚିହ୍ନଟ କରିପାରନ୍ତି ନାହିଁ ଏବଂ କିଶୋର ବୟସର ପିଲାମାନେ ସେହି ଭାବନାକୁ ଅଭିବ୍ୟକ୍ତ କରିବାରେ ସକ୍ଷମ ହୁଅନ୍ତି ନାହିଁ। ସେଥିପାଇଁ ସେମାନଙ୍କ ଉପରେ ମାନସିକ ଅବସାଦର ପ୍ରଭାବକୁ କେହି ଦେଖିପାରନ୍ତି ନାହିଁ, ଏହାର ଚିହ୍ନଟ ହୋଇପାରେ ନାହିଁ, ଏବଂ ଚିକିତ୍ସା ମଧ୍ୟ ହୋଇପାରେ ନାହିଁ।”

ରାମେଶ୍ୱର ଥୋମ୍‌ରେ ମଧ୍ୟ ନିଜ ପିଲାର ସମସ୍ୟାକୁ ଦେଖିପାରିନଥିଲେ।

ରାମେଶ୍ୱରଙ୍କ ୧୫ ବର୍ଷୀୟ ପୁଅ ଆବିଷ୍କାର, ୨୮ ଫେବୃଆରୀ, ୨୦୨୧ରେ ବିଡର ମଜଲଗାଓଁ ତାଲୁକା (ଯାହାକୁ ମାଞ୍ଜଲେଗାଓଁ ମଧ୍ୟ କୁହାଯାଏ)ରେ ଥିବା ତାଙ୍କ ଗ୍ରାମ ଦିଣ୍ଡ୍ରୁଡ୍ ନିଖୋଜ ହୋଇଯାଇଥିଲା। ଗୋଟିଏ ସପ୍ତାହ ପରେ, ଆବିଷ୍କାରଙ୍କ ଶବ ବିଦ୍ୟାଳୟ ପରିସରରୁ ଜବତ ହୋଇଥିଲା। ରାମେଶ୍ୱର କୁହନ୍ତି, “ପୁଲିସ ସୁନିଶ୍ଚିତ କଲା ଯେ ଏହା ପଛରେ କାହାର ହାତ ନାହିଁ। ସ୍କୁଲ ବନ୍ଦ ଥିଲା। କିନ୍ତୁ କବାଟ ତଳେ ଯଥେଷ୍ଟ ସ୍ଥାନ ରହିଥିଲା। ସେ କବାଟ ତଳ ଦେଇ ଭିତରକୁ ପଶିଥିଲା ଏବଂ ଫାଶି ଲଗାଇ ଆତ୍ମହତ୍ୟା କରିଥିଲା।”

ସ୍କୁଲ ବନ୍ଦ ରହିଥିବା କାରଣରୁ ଶବ ସମ୍ପର୍କରେ ସୂଚନା ମିଳିବା ପର୍ଯ୍ୟନ୍ତ ତାହା ସେହି ସ୍ଥିତିରେ ଥିଲା। ତା’ର ବାପା କୁହନ୍ତି, “ଆମେ ତା’କୁ ସବୁସ୍ଥାନରେ ଖୋଜିଥିଲୁ। କିନ୍ତୁ ତା’କୁ ପାଇଲୁ ନାହିଁ। କିଛି ପିଲା ସ୍କୁଲ ପାଖରେ କ୍ରିକେଟ୍ ଖେଳୁଥିଲେ। ସେମାନଙ୍କ ବଲ୍ ଭୁଲରେ ଝରକା ବାଟେ ଭିତରକୁ ଚାଲିଗଲା। ଜଣେ ପିଲା କବାଟ ତଳ ଦେଇ ଭିତରକୁ ଗଲା ଏବଂ ତା’କୁ ଦେଖିଲା।”

ରାମେଶ୍ୱର ଭାବୁଛନ୍ତି ତାଙ୍କ ପୁଅ କେଉଁ କାରଣ ପାଇଁ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଲା। ସେ କହିଥିଲେ, “ସେ କିଛି କହୁନଥିଲା। ସେ ନିଜ ଭାଇକୁ ବେଶ ଭଲ ପାଉଥିଲା, ସେ ମଧ୍ୟ ଆମ ଭଳି ଚକିତ ହୋଇ ରହିଛି। ଯେଉଁଦିନ ସେ ନିଖୋଜ ହୋଇଗଲା, ସେ ଆମ ଦୋକାନର ସଟର ଖୋଲିଥିଲା ଏବଂ ମୋତେ କହିଥିଲା ଯେ ସେ ମଧ୍ୟାହ୍ନ ଭୋଜନ ପରେ ଆସିବ। କିନ୍ତୁ ଆଉ ଫେରିଲା ନାହିଁ।”

ରାମେଶ୍ୱର ଜଣେ କୃଷି ବ୍ୟବସାୟୀ ଓ ଏକ କୃଷି ସେବା କେନ୍ଦ୍ରର ମାଲିକ। ତାଙ୍କ ଦୋକାନରେ ବିହନ, ସାର, କୀଟନାଶକ ଏବଂ ଅନ୍ୟ କୃଷି ଉପକରଣ ବିକ୍ରି ହୋଇଥାଏ। ସେ କୁହନ୍ତି, “ଲକଡାଉନ ସମୟରେ ଆମେ ମଧ୍ୟ ଅନ୍ୟମାନଙ୍କ ଭଳି ଚାପର ସମ୍ମୁଖିନ ହୋଇଥିଲୁ। ଏହି କାରଣରୁ ବୋଧହୁଏ ହୋଇଥିବ ବୋଲି ମୋର ସନ୍ଦେହ ହେଉଛି । ମୁଁ ପ୍ରକୃତରେ ଜାଣେ ନାହିଁ। ହୁଏତ’ ମୁଁ ଜାଣିଥାନ୍ତି।”

ଏହି ଷ୍ଟୋରୀ ସେହି ସିରିଜର ଏକ ଅଧ୍ୟାୟ ଯାହାକୁ ପୁଲିଜ୍ଜର ସେଣ୍ଟର ପକ୍ଷରୁ ସହଯୋଗ ମିଳିଛି। ଏହି ସହଯୋଗ ନିରପେକ୍ଷ ସାମ୍ବାଦିକତା ଅନୁଦାନ ଆକାରରେ ରିପୋର୍ଟରଙ୍କୁ ମିଳିଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE