କ୍ଷୁଦ୍ର ଏକ ଧୂଳିର ବାଦଲ ଭିତର ଦେଇ ଶୁଭୁଥାଏ ଇଞ୍ଜିନ୍‌ର ଫଟ୍‌ଫଟ୍‌ ଶବ୍ଦ: ନୀଳ ରଙ୍ଗର ଶାଢ଼ି, ବଡ଼ ନାକଫୁଲ ସହିତ ମୁହଁରେ ସ୍ମିତହାସ୍ୟ ଫୁଟାଇ ବାଇକ୍‌ ଚଢ଼ି ଆସି ପହଞ୍ଚନ୍ତି ଆଡ଼େକାଲାସେଲ୍‌ଭି । କିଛି ମିନିଟ୍‌ ପୂର୍ବରୁ, ସେ ନିଜର ଲଙ୍କା କ୍ଷେତରେ ଥାଇ ତାଲା ପଡ଼ିଥିବା ତାଙ୍କ ଘର ବାହାରେ ଅପେକ୍ଷା କରିବା ପାଇଁ ଆମକୁ କହିଥିଲେ । ମଧ୍ୟାହ୍ନ ଗଡ଼ିବା ଉପରେ । ମାର୍ଚ୍ଚ ମାସ ହୋଇଥିଲେ ହେଁ ରାମନାଥପୁରମର ସୂର୍ଯ୍ୟତାପ ଥିଲା ଖୁବ୍‌ କଷ୍ଟଦାୟକ । ଆମମାନଙ୍କ ଛାଇ ଛୋଟ ହେଉଥିଲେ ହେଁ ଶୋଷ ବଢ଼ିବାରେ ଲାଗିଥିଲା । ପିଜୁଳି ଗଛର ଶୀତଳ ଛାଇରେ ତାଙ୍କ ଦୁଇ ଚକିଆକୁ ଠିଆ କରାଇ ଦେଇ ତରବର ହୋଇ ଘରର ସାମନା ପଟ ଦୁଆର ଖୋଲି ଆମକୁ ଭିତରକୁ ଯିବା ପାଇଁ ନିମନ୍ତ୍ରଣ କରନ୍ତି ଆଡ଼େକାଲାସେଲ୍‌ଭି । ପାଖ ଗୀର୍ଜାଘରେ ଘଣ୍ଟି ବାଜି ଉଠେ । ସେ ଆମ ପାଇଁ ପାଣି ଆଣନ୍ତି ଏବଂ ଆମେ ଗପସପ କରିବାକୁ ବସି ପଡୁ ।

ଆମେ ତାଙ୍କ ବାଇକ୍‌ରୁ ହିଁ କଥା ଆରମ୍ଭ କରୁ। ଛୋଟିଆ ଗାଁଟିରେ, ତାଙ୍କ ବୟସର ଜଣେ ମହିଳା ବାଇକ୍‌ ଚଳାଇବା ସାଧାରଣତଃ ଦେଖାଯାଏନି । “କିନ୍ତୁ ଏଇଟା ଖୁବ୍‌ କାମରେ ଲାଗେ,” ହସି ହସି କହନ୍ତି ୫୧ ବର୍ଷୀୟା ଆଡ଼େକାଲାସେଲ୍‌ଭି । “ମୁଁ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ମୋ ଭାଇ ମୋତେ ଶିଖାଇ ଦେଇଥିଲେ । ମୁଁ ସାଇକେଲ ଚଲେଇ ଜାଣିଥିଲି । ତେଣୁ ଏଇଟା ଏତେ କଷ୍ଟକର ନଥିଲା ।”

ଏହି ଦୁଇଚକିଆଟି ନଥିଲେ ତାଙ୍କ ଜୀବନଚର୍ଯ୍ୟା କଷ୍ଟକର ହୋଇପଡ଼ିଥାନ୍ତା ବୋଲି ସେ ସୂଚାଇ ଦିଅନ୍ତି । “ମୋ ସ୍ୱାମୀ ବହୁ ବର୍ଷ ଧରି ଘରୁ ଦୂରରେ ରହିଥିଲେ । ପ୍ରଥମେ ସିଙ୍ଗାପୁରରେ ଏବଂ ପରେ ଦୁବାଇ ଓ କାତାରରେ, ସେ ପାଇପ ମିସ୍ତ୍ରୀ ଭାବରେ କାମ କରୁଥିଲେ । ମୁଁ ମୋ ଝିଅମାନଙ୍କର ଲାଳନପାଳନ କଲି ଏବଂ ଜମିବାଡ଼ି କଥା ବୁଝିଲି ।” ଏକା ଏକା ।

ସାରା ଜୀବନ ଜଣେ ଚାଷୀ ଭାବରେ ବିତାଇ ଆସିଛନ୍ତି ଜେ. ଆଡ଼େକାଲାସେଲ୍‌ଭି । ଘର ଚଟାଣରେ ସେ ଚକାମୁଣ୍ଡି ପକାଇ ବସି ପଡ଼ନ୍ତି, ଗୋଟିଏ ଲେଖାଏଁ ଚୂଡ଼ିରେ ସଜ୍ଜିତ ତାଙ୍କ ହାତ ଦୁଇଟିକୁ ଦୁଇ ଆଣ୍ଠୁ ଉପରେ ରଖନ୍ତି । ଶିବଗଙ୍ଗାଇ ଜିଲ୍ଲାର କାଳୟାକୋଏଲର ଏକ ଚାଷୀ ପରିବାରରେ ତାଙ୍କର ଜନ୍ମ । ମୁଦୁକୁଲାଥୁର ବ୍ଲକ୍‌ର ତାଙ୍କ ପଲ୍ଲୀ ଗାଁ ପି. ମୁଥୁବିଜୟପୁରମ୍‌ଠାରୁ ଦେଢ଼ ଘଣ୍ଟାର ବାଟ ଶିବଗଙ୍ଗାଇ । “ମୋ ଭାଇମାନେ ଶିବଗଙ୍ଗାଇରେ ରହନ୍ତି । ସେଠାରେ ସେମାନଙ୍କର ବହୁତ ବୋର୍‌ୱେଲ ଅଛି । ଆଉ ଏଠି ମୁଁ ଜଳସେଚନ ପାଇଁ ଘଣ୍ଟାକୁ ୫୦ ଟଙ୍କା ହିସାବରେ ପାଣି କିଣୁଛି ।” ପାଣି କାରବାର ରାମନାଥପୁରମର ବଡ଼ ବ୍ୟବସାୟ ।

Adaikalaselvi is parking her bike under the sweet guava tree
PHOTO • M. Palani Kumar

ମିଠା ପିଜୁଳି ଗଛର ଛାଇରେ ତାଙ୍କ ବାଇକ୍‌ ଠିଆ କରାଉଛନ୍ତି ଆଡ଼େକାଲାସେଲ୍‌ଭି

Speaking to us in the living room of her house in Ramanathapuram, which she has designed herself
PHOTO • M. Palani Kumar

ରାମନାଥପୁରମରେ ନିଜ ହାତରେ ନିଜେ ଗଢ଼ିଥିବା ତାଙ୍କ ବାସଗୃହର ବୈଠକ ଘରେ ଆମ ସହ କଥାବାର୍ତ୍ତା କରୁଛନ୍ତି

ଖୁବ୍‌ ଛୋଟ ବୟସରୁ ତାଙ୍କ ଝିଅମାନଙ୍କୁ ହଷ୍ଟେଲରେ ଛାଡ଼ି ଦେଇଥିଲେ ଆଡ଼େକାଲାସେଲ୍‌ଭି । ସେ କ୍ଷେତରେ ତାଙ୍କ କାମ ସାରନ୍ତି, ଝିଅମାନଙ୍କ କଥା ବୁଝିବାକୁ ଯାଆନ୍ତି, ଫେରି ଆସି ଘରକାମ କରନ୍ତି । ଏବେ ସେ ଛଅ ଏକର ଜମି ଚାଷ କରୁଛନ୍ତି । ଗୋଟିଏ ଏକର ନିଜେ ନିଜେ କରୁଛନ୍ତି ଏବଂ ବାକି ପାଞ୍ଚ ଏକର ଲିଜ୍‌ରେ ଦେଇଛନ୍ତି । “ଧାନ, ଲଙ୍କା କପା: ଏସବୁ ବଜାର ପାଇଁ । ଏବଂ ଧନିଆ, ଭେଣ୍ଡି, ବାଇଗଣ, ଲାଉ, ଛୋଟ ପିଆଜ: ଏସବୁ ରନ୍ଧାଘର ପାଇଁ...।”

ତାଙ୍କ ବୈଠକ ଘରେ ଏକ ଭାଡ଼ି ଆଡ଼କୁ ଆଙ୍ଗୁଠି ଦେଖାନ୍ତି ସେ । “ମୁଁ ଧାନକୁ ବସ୍ତାରେ ପୂରାଇ ସେଇଠି ରଖିଦିଏ । ମୂଷାମାନେ ସେଠାକୁ ଯାଇପାରନ୍ତିନି । ଆଉ ରନ୍ଧାଘର ଭାଡ଼ିରେ ଲଙ୍କା ରଖିଦିଏ ।” ସେ କହନ୍ତି, ଏମିତି କରି ଚଳପ୍ରଚଳ ହେବାକୁ ଘର ମିଳିଯାଏ । କୋଡ଼ିଏ ବର୍ଷରୁ ଅଧିକ ସମୟ ତଳେ ଏହି ଘର ତିଆରି ହେବା ସମୟରେ ସେ ନିଜେ ଏହି ଭାଡ଼ି ସବୁ ତିଆରି କରିଥିଲେ ବୋଲି ମୁହଁରେ ଲାଜମିଶା ହସ ଫୁଟାଇ ସେ କହନ୍ତି । ଏବଂ ତାଙ୍କ ଘରର ସାମନା ଦୁଆରରେ ମଦର ମେରୀଙ୍କ ଖୋଦିତ ଚିତ୍ର ବି ତାଙ୍କରି ପରିକଳ୍ପନା ଥିଲା । ଅତି ସୁନ୍ଦର ଭାବରେ ଏହି କାଠ ଖୋଦେଇ କାମ କରାଯାଇଛି । ଏଥିରେ ମେରୀ ଗୋଟିଏ ଫୁଲ ଉପରେ ଠିଆ ହୋଇଛନ୍ତି । ତାଙ୍କ ବୈଠକ ଘର ଭିତରେ, ହାଲକା ସବୁଜ ରଙ୍ଗର କାନ୍ଥରେ ଆହୁରି ଅନେକ ଫୁଲ ସଜା ହୋଇଛି, ତାଙ୍କ ପରିବାରର ଅନେକ ଫଟୋ ଏବଂ ଯୀଶୁ ଓ ମେରୀଙ୍କ ପ୍ରତିକୃତି ସ୍ଥାନ ପାଇଛି ।

ତାଙ୍କ ଘରେ ସୌନ୍ଦର୍ଯ୍ୟବୋଧର ପରିସ୍ଫୁଟନ ଘଟିବା ସହିତ ଜିନିଷପତ୍ର ରଖିବାକୁ ବି ଖୁବ୍‌ ଅଧିକ ଜାଗା ରହିଛି ଏବଂ ଏହା ଫଳରେ ସେ ତାଙ୍କ ଅମଳ ଫସଲକୁ ବେଶ୍‌ କେଇ ଦିନ ସାଇତି ରଖିପାରନ୍ତି ଏବଂ ଭଲ ଦରରେ ବିକିବାକୁ ଅପେକ୍ଷା କରିପାରନ୍ତି । ଏଥିରୁ ତାଙ୍କର ଲାଭ ବି ହୁଏ । ସେତେବେଳେ ଧାନର ସରକାରୀ କିଣାମୂଲ୍ୟ ଥିଲା ୧୯ ଟଙ୍କା ୪୦ ପଇସା ।

ହେଲେ ସ୍ଥାନୀୟ କମିଶନ ଏଜେଣ୍ଟମାନେ କେବଳ ୧୩ ଟଙ୍କା ଦେବାକୁ କହୁଥିଲେ । ସେ ପଚାରନ୍ତି, ମୁଁ ସରକାରଙ୍କୁ  ଦୁଇ କୁଇଣ୍ଟାଲ (୨୦୦ କିଲୋଗ୍ରାମ) ବିକିଦେଲି । ହେଲେ କାହିଁକି ସେମାନେ ଲଙ୍କା କିଣିପାରିବେନି ?

ପ୍ରତ୍ୟେକ ଲଙ୍କାଚାଷୀ ଭଲ ଏବଂ ସ୍ଥିର ଦରକୁ ପସନ୍ଦ କରିବେ । ତାଙ୍କ କହିବା କଥା ହେଲା, ଲଙ୍କା ଚାଷ ପାଇଁ ଧାନ ଭଳି ଅଧିକ ବର୍ଷା ପାଣି ବା ଜଳାଶୟର ପାଣି ଦରକାର ହୁଏନି । ଏ ବର୍ଷ ବର୍ଷା ଯେତେବେଳେ ନହେବା କଥା ସେତେବେଳେ ହିଁ ହେଲା-ଯେତେବେଳେ ଗଛର ଗଜା ବାହାରୁଥିଲା ଏବଂ ଯେତେବେଳେ ଚାରାଗୁଡ଼ିକ ଛୋଟ ହୋଇଥିଲେ । ଆଉ ଯେତେବେଳେ କିଛି ବର୍ଷା ହୋଇଥିଲେ ଭଲ ହୋଇଥାଆନ୍ତା, ଅର୍ଥାତ୍‌ ଫୁଲ ଧରିବା ଆଗରୁ, ସେତେବେଳେ ବର୍ଷା ହେଲାନି । ଯଦିବା ସେ ଜଳବାୟୁ ପରିବର୍ତ୍ତନ ଶବ୍ଦ ଉଚ୍ଚାରଣ କରି ନଥିଲେ, ତଥାପି ସେ ବୃଷ୍ଟିପାତର ପରିବର୍ତ୍ତିତ ଧାରାକୁ ହିଁ ଇଙ୍ଗିତ କରୁଥିଲେ । ତା ହେଲା, ଅଦିନରେ, ଅସମୟରେ ଖୁବ୍‌ ଶୀଘ୍ର, ଖୁବ୍‌ ବେଶୀ ବୃଷ୍ଟିପାତ ହେବା କଥା ହିଁ କହୁଥିଲେ । ସେହି କାରଣରୁ ଏଥର ତାଙ୍କ ଅମଳର ପରିମାଣ ସାଧାରଣତଃ ଯାହା ହୁଏ ତାହାର ଏକ ପଞ୍ଚମାଂଶକୁ ଖସି ଆସିବ ବୋଲି ସେ ଅଟକଳ କରିଥିଲେ । ଏଥର ଏହା ସଂପୂର୍ଣ୍ଣ ଧୋଇ ଯିବ । ତାହା ବି ସେ ଚାଷ କରୁଥିବା ରାମନାଦ ମୁଣ୍ଡୁ ପ୍ରକାରର ଲଙ୍କାର ବଜାର ଦର କିଲୋ ପିଛା ୩୦୦ ଟଙ୍କା ଭଳି ଉପରେ ଥିବା ସମୟରେ ।

Adaikalaselvi is showing us her cotton seeds. Since last ten years she has been saving and selling these
PHOTO • M. Palani Kumar

ଆଡ଼େକାଲାସେଲ୍‌ଭି ଆମକୁ ତାଙ୍କ କପା ମଞ୍ଜି ଦେଖାଉଛନ୍ତି । ଗତ ଦଶ ବର୍ଷ ହେଲା ସେ ଏହାକୁ ଜମା କରି ରଖି ବିକ୍ରି କରିଆସୁଛନ୍ତି

She is plucking chillies in her fields
PHOTO • M. Palani Kumar

ତାଙ୍କ କ୍ଷେତରେ ସେ ଲଙ୍କା ତୋଳୁଛନ୍ତି

ସେ ସମୟର କଥା ସେ ମନେ ରଖିଛନ୍ତି ଯେତେବେଳେ ଲଙ୍କା କିଲୋକୁ ଟଙ୍କାଏ କି ଦି ଟଙ୍କା ଥିଲା । ଆଉ ବାଇଗଣ କିଲୋ ୨୫ ପଇସାରେ ବିକ୍ରି ହେଉଥିଲା । ତିରିଶ ବର୍ଷ ତଳେ କପା କିଲୋକୁ ତିନି କି ଚାରି ଟଙ୍କା ତ ଥିଲା । ତା ସାଙ୍ଗକୁ ଆପଣ ଦିନକୁ ପାଞ୍ଚ ଟଙ୍କା ମଜୁରିରେ ମୂଲିଆ ମିଳିଯାଉଥିଲେ। ଏବେ ? ତାହା ୨୫୦ ଟଙ୍କାରେ ପହଞ୍ଚିଲାଣି । କିନ୍ତୁ କପା କିଲୋ ମାତ୍ର ୮୦ ଟଙ୍କା ରହିଛି । ଅନ୍ୟ ଭାଷାରେ, ମୂଲିଆ ମଜୁରି ବାବଦ ଖର୍ଚ୍ଚ ୫୦ ଗୁଣ ବଢ଼ିଥିବା ବେଳେ କପାର ବିକ୍ରି ଦର ମାତ୍ର ୨୦ ଗୁଣ ବଢ଼ିଛି । ଜଣେ ଚାଷୀ କ ଣ ବା କରିପାରିବ ? ସମ୍ଭବତଃ, ଚୁପ୍‌ଚାପ ରହି ନିଜ କାମ କରି ଚାଲିବ ।

କୌଣସି ପ୍ରକାରେ ଆଡ଼େକାଲାସେଲ୍‌ଭି ତାହା ହିଁ କରିଚାଲିଛନ୍ତି । ତାଙ୍କ କଥାରେ ପ୍ରତିଫଳିତ ହୁଏ ତାଙ୍କ ନିଷ୍ଠା । ତାଙ୍କ ଡାହାଣ ପଟକୁ ଦେଖାଇ ସେ କହନ୍ତି, ସେପଟେ ଲଙ୍କା କ୍ଷେତ ଅଛି । ଆଉ ମୁଁ ସେପଟେ କିଛି ଜମି ଚାଷ କରେ ଏବଂ ଆଉ ଆରପଟେ କିଛି ଅଧିକ ଚାଷ କରେ । ଶୂନ୍ୟରେ ହିଁ ଦୁଇ ହାତରେ ଜମିର ଆକାର ଆଙ୍କନ୍ତି ସେ । ମୋ ପାଖରେ ବାଇକ୍‌ ଥିବାରୁ ମୁଁ ଦିପହରେ ଖାଇବା ଲାଗି ଘରକୁ ଆସିପାରେ । ଆଉ ମୁଁ ବସ୍ତା ବୋହିବା ପାଇଁ କୌଣସି ଲୋକ ଉପରେ ନିର୍ଭର କରେନାହିଁ । ମୁଁ ତାକୁ ମୋ ବାଇକ୍‌ର କ୍ୟାରିୟରରେ ରଖେ ଏବଂ ଘରକୁ ନେଇଆସେ । ଏକଥା କହିଲା ବେଳେ ଆଡ଼େକାଲାସେଲ୍‌ଭିଙ୍କ ମୁହଁରେ ସାମାନ୍ୟ ହସ ଫୁଟି ଉଠେ ଏବଂ କ୍ଷଣକ ପାଇଁ ହେଲେ ବି ତାଙ୍କ ଅଞ୍ଚଳର ତାମିଲ ଆପଣାର ଏବଂ ବୈଶିଷ୍ଟ୍ୟପୂର୍ଣ୍ଣ ମନେ ହୁଏ ।

୨୦୦୫ରେ ମୁଁ ମୋ ବାଇକ୍‌ ନ କିଣିବା ପର୍ଯ୍ୟନ୍ତ, ଗାଁର କାହା ପାଖରୁ ମୁଁ ବାଇକ୍‌ ଭଡ଼ାରେ ନେଉଥିଲି । ତାଙ୍କ ଟିଭିଏସ୍‌ ମୋପେଡ୍‌ ପାଇଁ ସେ ଯେଉଁ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଖୁବ୍‌ ଭଲ ବିନିଯୋଗ ବୋଲି ସେ ବିଚାର କରନ୍ତି । ଏବେ ସେ ଗାଁର ଯୁବତୀମାନଙ୍କୁ ବାଇକ୍‌ ଚଳାଇବା ଲାଗି ପ୍ରେରଣା ଦିଅନ୍ତି । ଏବେ ତ ଅନେକ ଚଳାଉଛନ୍ତି । ହସହସ ମୁହଁରେ ଏତକ କହି କ୍ଷେତକୁ ଫେରିଯିବା ପାଇଁ ସେ ତାଙ୍କ ବାଇକ୍‌ରେ ପୁଣି ଚଢ଼ନ୍ତି । ଆମେ ତାଙ୍କ ପଛେ ପଛେ ଆମ ଗାଡ଼ିରେ ଯାଉ । ରାମନାଥପୁରମ୍‌ରେ ଲୋହିତ ଗାଲିଚାର ଭ୍ରମ ସୃଷ୍ଟି କରୁଥାଏ ଅମଳ ହୋଇ ଖରାରେ ଶୁଖୁଥିବା ଲଙ୍କା, ଯାହା କି ଦିନେ କେଉଁ ଦୂରସ୍ଥାନରେ କାହାରି ନା କାହାରି ଭୋଜନକୁ ସ୍ୱାଦିଷ୍ଟ କରିବ, ଥରକରେ ଗୋଟିଏ ଗୁଣ୍ଡୁ ମେଲହାଇ (ମୋଟା ଲଙ୍କା)...

*****

ମୁଁ ତୁମର ସବୁଜ ଚେହେରା ଦେଖିଲି, ଆଉ ତୁମେ ପାଚିବାରେ ଲାଗିଲ ଏବଂ ରଙ୍ଗ ତୁମର ଲାଲ ହେଲା,
ତୁମେ ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ବ୍ୟଞ୍ଜନରେ ବେଶ୍‌ ସୁଆଦିଆ...
ସନ୍ଥ-ସଙ୍ଗୀତକାର ପୁରନ୍ଦରଦାସାଙ୍କର ଏକ ଗୀତରୁ

ଏହି ରୋଚକ ଧାଡ଼ିଟି, ଯାହାକୁ ଅନେକ ପ୍ରକାରେ ବ୍ୟାଖ୍ୟା କରାଯାଇପାରେ, ଲଙ୍କା ସଂପର୍କିତ ପ୍ରଥମ ସାହିତ୍ୟିକ ଉଲ୍ଲେଖ ବୋଲି ଇଣ୍ଡିଆନ୍‌ ଫୁଡ୍‌, ଏ ହିଷ୍ଟୋରିକାଲ କମ୍ପାନିଅନ୍‌ ଶୀର୍ଷକ ତାଙ୍କ ବହିରେ କହନ୍ତି ଲେଖକ କେ.ଟି. ଆଚାୟା । ସେ ଆହୁରି କହନ୍ତି, ଭାରତୀୟ ଖାଦ୍ୟରେ ମସଲା ଏତେ ଅଧିକ ସର୍ବବ୍ୟାପୀ ଯେ ଏହା ଆମ ସହିତ ଆଗରୁ ସର୍ବଦା ରହି ନଥିଲା ବୋଲି ବିଶ୍ୱାସ କରିବା କଷ୍ଟକର । ଏହି ଗୀତଟିର , ଆନୁମାନିକ , ରଚନାକାଳ ସଂପର୍କରେ ଆମକୁ ଏକ ଧାରଣା ମିଳେ : ଏହା ୧୪୮୦ରୁ ୧୫୬୪ ମସିହା ମଧ୍ୟରେ ଜୀବନଧାରଣ କରିଥିବା ମହାନ ଦକ୍ଷିଣ ଭାରତୀୟ ସଙ୍ଗୀତଜ୍ଞ ପୁରନ୍ଦରାଦାସାଙ୍କ ଦ୍ୱାରା ରଚିତ ।

ଗୀତଟିରେ ଆହୁରି ବର୍ଣ୍ଣିତ ଯେ :

ଦରିଦ୍ରଙ୍କ ତ୍ରାଣକର୍ତ୍ତା, ଉତ୍ତମ ଖାଦ୍ୟର ଗୁଣଦାତା, ଚୋବେଇଲେ ନିଆଁର ଅନୁଭୂତି, ଏମିତି ଯେ (ଦେବତା) ପାଣ୍ଡୁରଙ୍ଗା ଭିଟ୍ଟଲାଙ୍କ କଥା ଭାବିବା ବି କଷ୍ଟକର ହୋଇପଡ଼େ ।

ଲଙ୍କାର ବୈଜ୍ଞାନିକ ନାମ କ୍ୟାପ୍‌ସିକମ୍‌ ଆନ୍ନମ୍‌ ଏବଂ ଦକ୍ଷିଣ ଆମେରିକା ବିଜୟ ଅଭିଯାନ ସାରି ଭାରତ ଅଭିମୁଖେ ଯାତ୍ରା କରିଥିବା ପର୍ତ୍ତୁଗୀଜ୍‌ମାନେ ଏହାକୁ ଭାରତୀୟ ଉପକୂଳ ଅଞ୍ଚଳକୁ ଆଣିଥିଲେ, ବୋଲି ରୋମାନ୍‌ସିଂ ଦି ଚିଲ୍ଲି ଶୀର୍ଷକ ସେମାନଙ୍କ ବହିରେ କହନ୍ତି ସୁନୀତା ଗୋଗଟେ ଏବଂ ସୁନୀଲ ଜାଲିହାଲ ।

A popular crop in the district, mundu chillies, ripe for picking
PHOTO • M. Palani Kumar

ପାଚିବା ପରେ ତୋଳାହେବା ଅପେକ୍ଷାରେ ଜିଲ୍ଲାର ଏକ ଲୋକପ୍ରିୟ ଫସଲ, ମୁଣ୍ଡୁ ଲଙ୍କା

A harvest of chillies drying in the sun, red carpets of Ramanathapuram
PHOTO • M. Palani Kumar

ଅମଳ ପରେ ଖରାରେ ଶୁଖୁଥିବା ଲଙ୍କା, ରାମନାଥପୁରମ୍‌ର ଲାଲ ଗାଲିଚା

ଏବଂ ଥରେ ଏହା ଏଠାରେ ଆସି ପହଞ୍ଚିବା ପରେ ଗୋଲମରିଚକୁ ଅତିକ୍ରମ କରିଗଲା। ସେ ପର୍ଯ୍ୟନ୍ତ ଖାଦ୍ୟରେ ଉଷ୍ମତା ଭରିବା ଲାଗି ଏକମାତ୍ର ମସଲା ଥିଲା ଗୋଲମରିଚ। ଆଚାୟା ସୂଚାଇ ଦିଅନ୍ତି, ଏହାର କାରଣ ଲଙ୍କା ସାରା ଦେଶରେ ଚାଷ କରାଯାଇପାରୁଥିଲା... ଏବଂ ଗୋଲମରିଚ ତୁଳନାରେ ଏଥିରେ ବହୁ ବିଶେଷ ଗୁଣ ରହିଥିଲା। ବୋଧହୁଏ, ଏହାକୁ ହିଁ ସ୍ୱୀକୃତି ଦେବାକୁ ଯାଇ, ଅନେକ ଭାରତୀୟ ଭାଷାରେ ଲଙ୍କାକୁ ଗୋଲମରିଚ ଅନୁରୂପ ଲଙ୍କାମରିଚ ଭାବରେ ନାମିତ କରାଯାଇଛି । ଉଦାହରଣତଃ ତାମିଲ ଭାଷାରେ ଗୋଲମରିଚକୁ କହନ୍ତି ମେଲଗୁ ଏବଂ ଲଙ୍କାମରିଚ ହେଲା ମେଲହାଇ , ଅନେକ ଶତାବ୍ଦୀ ଏବଂ ମହାଦେଶ ମଧ୍ୟରେ ସଂପର୍କର ସେତୁ ବାନ୍ଧିଥିବା ଦୁଇଟି ସ୍ୱରବର୍ଣ୍ଣ ମାତ୍ର ।

ଏହି ନୂଆ ମସଲାଟି ଆମର ହୋଇ ରହିଗଲା । ଏବଂ ଆଜି , ଭାରତ ଶୁଖିଲା ଲାଲ ଲଙ୍କାର ଅନ୍ୟତମ ବୃହତ୍‌ ଉତ୍ପାଦନକାରୀ ଦେଶ ଭାବେ ପରିଗଣିତ ଏବଂ ୨୦୨୦ରେ ୧୭ ଲକ୍ଷ ଟନ୍‌ ଲଙ୍କା ରପ୍ତାନି କରି ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶୀର୍ଷ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଥିବା ଚୀନ୍‌ ଓ ତୃତୀୟରେ ସ୍ଥାନିତ ଥାଇଲାଣ୍ଡର ରପ୍ତାନୀ ପରିମାଣ ତୁଳନାରେ ଏହା ପାଞ୍ଚ ଗୁଣ ଅଧିକ । ୨୦୨୧ରେ ୮,୩୬,୦୦୦ ଟନ୍‌ ଲଙ୍କା ଉତ୍ପାଦନ କରିଥିବା ଆନ୍ଧ୍ର ପ୍ରଦେଶ ଭାରତରେ ‘ସର୍ବାଧିକ ଲଙ୍କା ଉତ୍ପାଦନକାରୀ ’ ରାଜ୍ୟ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହି ବର୍ଷ ତାମିଲନାଡୁ ୨୫,୬୪୮ ଟନ୍‌ ଲଙ୍କା ଉତ୍ପାଦନ କରିଥିଲା । ରାଜ୍ୟ ଭିତରେ ରାମନାଥପୁରମ୍ ସର୍ବାଗ୍ରେ ରହିଛି : ତାମିଲନାଡୁର ଏହି ଜିଲ୍ଲାରେ ହିଁ ପ୍ରତି ଚାରି ହେକ୍ଟର ଜମିରୁ ଗୋଟିଏ ହେକ୍ଟରରେ (ମୋଟ ୫୪,୨୩୧ରୁ ୧୫,୯୩୯ ହେକ୍ଟରରେ) ଲଙ୍କା ଚାଷ କରାଯାଉଛି ।

ସାମ୍ବାଦିକ ପି.ସାଇନାଥଙ୍କ କାଳଜୟୀ ରଚନା ଏଭ୍ରିବଡି ଲଭ୍‌ସ ଏ ଗୁଡ୍‌ ଡ୍ରାଉଟ୍‌ ଦି ଟାଇରାନି ଅଫ୍‌ ଦି ତାରା ଶୀର୍ଷକ ଅଧ୍ୟାୟରେ ହିଁ ମୁଁ ପ୍ରଥମେ ରାମନାଥପୁରୁମ୍‌ର ଲଙ୍କା ଓ  ଚାଷୀଙ୍କ ସଂପର୍କରେ ପଢ଼ିଲି । କାହାଣୀଟି ଏମିତି ଆରମ୍ଭ ହୁଏ : ଜଣେ କ୍ଷୁଦ୍ର ଚାଷୀ ତାଙ୍କ ସାମନାରେ ରଖିଥିବା ଦୁଇଟି ବସ୍ତାରୁ ଗୋଟିକ ଭିତରେ ତା ରାଗର (କମିଶନ ଏଜେଣ୍ଟ) ଜଣକ ହାତ ପୂରାଇ ଗୋଟିଏ କିଲୋଗ୍ରାମ ଲଙ୍କା ବାହାର କରିଆଣନ୍ତି । ଏହାକୁ ସେ ବେଖାତିର ଭାବରେ ଗୋଟିଏ ପଟକୁ ଫିଙ୍ଗି ଦିଅନ୍ତି-ଏହା କୁଆଡ଼େ ସାମି ବତ (ଭଗବାନଙ୍କ ଭାଗ)।”

ତା ପରେ ଆଶ୍ଚର୍ଯ୍ୟଚକିତ ରାମାସ୍ୱାମୀଙ୍କ ସହ ଆମକୁ ପରିଚୟ କରାଇ ଦିଅନ୍ତି ସାଇନାଥ, ଗୋଟିଏ ଏକରର ତିନି ଚତୁର୍ଥାଂଶ ଭାଗ ଜମିରୁ ନିଜର ଜୀବିକା ଅର୍ଜନ କରୁଥିବା ଲଙ୍କା ଚାଷୀ, ଯିଏ କି ନିଜ ଅମଳକୁ ଅନ୍ୟ କାହାରିକୁ ବିକି ପାରିବନି । କାରଣ ଏଜେଣ୍ଟ ଜଣକ ବିହନ ବୁଣା ହେବା ଆଗରୁ ହିଁ ସମଗ୍ର ଫସଲ କୁ କିଣି ନେଇଛନ୍ତି । ୧୯୯୦ ଦଶକର ଆଦ୍ୟଭାଗରେ, ନିଜ ବହି ଲେଖିବା ପାଇଁ ସାଇନାଥ ଦେଶର ଦଶଟି ଦରିଦ୍ରତମ ରାଜ୍ୟ ଗସ୍ତ କରିବା ସମୟରେ ଏମିତି ଚାଷୀମାନଙ୍କୁ କବଳିତ କରି ରଖିଥିଲେ ତା ରାଗର

ଏବଂ ୨୦୨୨ରେ, ମୋର ଧାରାବାହିକ ଲେଟ୍‌ ଦେମ୍‌ ଇଟ୍‌ ରାଇସ୍‌ ରଚନା ନିମନ୍ତେ ଲଙ୍କାଚାଷୀମାନେ ଏବେ କେମିତି ରହୁଛନ୍ତି ଜାଣିବା ଲାଗି ମୁଁ ରାମନାଥପୁରମ୍‌କୁ ଫେରିଲି ।

*****

ଅମଳ କମିବାର କାରଣ : ମାୟିଲ୍‌, ମୁୟାଲ, ମା ଡ଼ୁ , ମାନ୍‌ (ତାମିଲରେ- ମୟୂର, ଠେକୁଆ, ଗାଈ ଓ ହରିଣ) । ଏବଂ ତା ସହିତ ଖୁବ୍‌ ବେଶୀ କିମ୍ବା ଖୁବ୍‌ କମ୍‌ ବର୍ଷା ମଧ୍ୟ
ଭି. ଗୋବିନ୍ଦରାଜନ, ଲଙ୍କା ଚାଷୀ, ମୁମ୍ମୁଦିଶାଥାନ୍‌, ରାମନାଥପୁରମ୍‌

ରାମନାଥପୁରମ ସହରର ଲଙ୍କା ବ୍ୟବସାୟୀଙ୍କ ଦୋକାନରେ ନିଲାମ ଡକା ଆରମ୍ଭ ହେବାକୁ ଅପେକ୍ଷା କରିଛନ୍ତି ମହିଳା ଓ ପୁରୁଷମାନେ । ସେମାନେ ସମସ୍ତେ ଚାଷୀ ଏବଂ ଟେମ୍ପୋ ଓ ବସ୍‌ରେ ଏହି ବଜାରକୁ ଆସିଛନ୍ତି ଏବଂ ସେମାନେ ଗୋଖାଦ୍ୟ (ଦୁଇଟି ଘୋଡ଼ା ଛାପ ଥିବା) ବସ୍ତା ଉପରେ ବସି ପଲ୍ଲୁ କିମ୍ବା ତଉଲିଆରେ ନିଜେ ନିଜେ ବିଞ୍ଚି ହେଉଛନ୍ତି । ସେମାନେ କହନ୍ତି ଯେ, ଏବେ ଖୁବ୍‌ ଗରମ ହେଉଛି ସିନା, ଅନ୍ତତଃ କିଛି ଛାଇ ତ ଅଛି । ହେଲେ ସେମାନଙ୍କ କ୍ଷେତରେ ଆଦୌ ନାହିଁ । ଜାଣି ରଖନ୍ତୁ ଯେ, ଛାଇରେ ଲଙ୍କା ଗଛ ବଞ୍ଚି ପାରେନି ।

Mundu chilli harvest at a traders shop in Ramanathapuram
PHOTO • M. Palani Kumar
Govindarajan (extreme right) waits with other chilli farmers in the traders shop with their crop
PHOTO • M. Palani Kumar

ବାମ : ରାମନାଥପୁରମ୍‌ରେ ଜଣେ ବ୍ୟବସାୟୀଙ୍କ ଦୋକାନରେ ଗଚ୍ଛିତ ମୁଣ୍ଡୁ ଲଙ୍କା ଫସଲ । ଡାହାଣ : ବ୍ୟବସାୟୀଙ୍କ ଦୋକାନରେ ଅନ୍ୟ ଲଙ୍କାଚାଷୀମାନଙ୍କ ସହ ଅପେକ୍ଷା କରିଛନ୍ତି ଗୋବିନ୍ଦରାଜନ (ପୂରା ଡାହାଣରେ)

୬୯ ବର୍ଷୀୟ ଗୋବିନ୍ଦରାଜନ୍‌ ବସ୍ତାରେ ୨୦ କିଲୋ ଲେଖାଏଁ ତିନି ବସ୍ତା ଲଙ୍କା ଆଣିଛନ୍ତି । ଏ ବର୍ଷ ଖୁବ୍‌ କମ୍‌ ଅମଳ ହୋଇଛି । ମୁଣ୍ଡ ହଲାଇ ମାଗାସୁଲ ଅମଳ ସଂପର୍କରେ ସେ କହନ୍ତି । କିନ୍ତୁ ଅନ୍ୟ କୌଣସି ଖର୍ଚ୍ଚ ବି କମୁନାହିଁ । ସେ କହନ୍ତି ଯେ ଏଇ ଫସଲ ହିଁ ଖୁବ୍‌ କଷ୍ଟକର । ମଲ୍ଲୀଗାଇ (ମଲ୍ଲୀଫୁଲ) ଭଳି କୋମଳ ଫସଲ ତୁଳନାରେ ମେଲହାଇ ପାଇଁ ସେତେ ବେଶୀ କୀଟନାଶକ ଦରକାର ହୁଏନାହିଁ ।

ତା ପରେ, ଗୋବିନ୍ଦରାଜନ ଚାଷ ପ୍ରଣାଳୀ ସଂପର୍କରେ କହନ୍ତି । ସେ ମତେ ହଳ କରିବାର ସଂଖ୍ୟା ସଂପର୍କରେ ସୂଚନା ଦିଅନ୍ତି : ସାତ (ତାହା ହେଲା ଦୁଇ ଥର ଗଭୀର ହଳ ଏବଂ ପାଞ୍ଚ ଥର ଖରାଟିଆ ହଳ) । ତା ପରେ ଆସେ ସାର । ତାହା ହେଲା, ସାତ ଦିନ ପାଇଁ ପ୍ରତି ରାତିରେ ୧୦୦ ଛେଳିଙ୍କୁ ଜମିରେ ଛାଡ଼ିଦିଆ ଗଲେ ସେମାନଙ୍କ ମଳରୁ ହେଉଥିବା ଖତ ଯୋଗୁଁ ମାଟିର ଉର୍ବରତା ବଢ଼େ । ଏଥିପାଇଁ ତାଙ୍କୁ ରାତି ପିଛା ୨୦୦ ଟଙ୍କା ହିସାବରେ ଖର୍ଚ୍ଚ କରିବାକୁ ପଡ଼େ । ତା ପରେ ବିହନ ବାବଦରେ ଓ ୪-୫ ଥର ବଛାବଛି ବାବଦରେ ଖର୍ଚ୍ଚ ହୁଏ । ମୋ ପୁଅର ଗୋଟିଏ ଟ୍ରାକ୍ଟର ଅଛି , ସେ ମାଗଣାରେ ମୋ ପାଇଁ କ୍ଷେତ ପ୍ରସ୍ତୁତ କରିଦିଏ, ହସିହସି ସେ କହନ୍ତି । ଟ୍ରାକ୍ଟର ନିୟୋଜନ ଉପରେ ନିର୍ଭର କରି ଅନ୍ୟମାନଙ୍କୁ ଘଣ୍ଟାକୁ ୯୦୦ରୁ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେବାକୁ ପଡ଼େ।

ଆମେ ଯେଉଁଠାରେ କଥାବାର୍ତ୍ତା କରୁଥିଲୁ, ସେଠାରେ ଆଉ କେତେ ଜଣ ଚାଷୀ ଆସି ରୁଣ୍ଡ ହେଲେ । ପୁରୁଷମାନେ ନିଜ ନିଜର ଧୋତି ଏବଂ ଲୁଙ୍ଗିକୁ କିଛିଟା ଉପରେ ଗୁଡ଼ାଇ ଏବଂ କାନ୍ଧରେ ତଉଲିଆ ପକାଇ କିମ୍ପା ପଗଡ଼ି ଭାବରେ ପିନ୍ଧି ଆମକୁ ଘେରି ଠିଆ ହୋଇଥିଲେ । ମହିଳାମାନେ ଚମକଦାର ଫୁଲପକା ନାଇଲନ୍‌ ଶାଢ଼ି ପିନ୍ଧିଥିଲେ । ସେମାନଙ୍କ ମୁଣ୍ଡରେ ଥିଲା କମଳା ରଙ୍ଗର କଣା ମ୍ବ ରମ୍‌ କିମ୍ବା ସୁଗନ୍ଧଯୁକ୍ତ ମଲ୍ଲୀଗାଇ ଫୁଲ । ଗୋବିନ୍ଦରାଜନ ଚା କିଣି ମୋତେ ଦେଲେ । ଟାଇଲ୍‌ ଛାତର ଫାଟ ଏବଂ ସ୍କାଇଲାଇଟ୍‌ ବାଟ ଦେଇ ଝରିଆସୁଥିଲା ସୂର୍ଯ୍ୟାଲୋକ । ନାଲି ଲଙ୍କା ଗଦାକୁ ଛୁଇଁଯାଉଥିଲା । ସେଗୁଡ଼ିକ ବଡ଼ ବଡ଼ ମାଣିକ ପଥର ଭଳି ଉଜ୍ଜ୍ୱଳ ଦିଶୁଥିଲେ ।

ନିଜର ଅନୁଭୂତି ବର୍ଣ୍ଣନା କରନ୍ତି ରାମନାଥପୁରମ୍‌ ବ୍ଲକ୍‌ର କୋନେରି ପଲ୍ଲୀଗାଁରୁ ଆସିଥିବା ୩୫ ବର୍ଷୀୟ ଏ.ବାସୁକୀ । ସେଠାରେ ଉପସ୍ଥିତ ଅନ୍ୟ ମହିଳାମାନଙ୍କ ଭଳି ତାଙ୍କର ଦିନଚର୍ଯ୍ୟା ବି ପୁରୁଷମାନଙ୍କ ଆଗରୁ ଆରମ୍ଭ ହୁଏ । ସକାଳ ୭ଟାରେ ବଜାରକୁ ଯିବା ପାଇଁ ଘର ଛାଡ଼ିବାର ବହୁ ଆଗରୁ ସେ ବିଛଣା ଛାଡ଼ନ୍ତି । ରୋଷେଇବାସ କରି ସ୍କୁଲ ଯାଉଥିବା ତାଙ୍କ ପିଲାମାନଙ୍କ ପାଇଁ ଲଞ୍ଚ ବାକ୍ସ ପ୍ୟାକ୍‌ କରନ୍ତି । ଏବଂ ସେ ଘରକୁ ଫେରିବା ବେଳକୁ ପୂରା ୧୨ ଘଣ୍ଟା ବିତିଯାଇଥାଏ ଏବଂ ଆଉ ଅଧିକ ଘରକାମ ବାକି ଥାଏ ।

ସେ କହନ୍ତି, ଏ ବର୍ଷର ଅମଳ ପୂରା ଧୋଇଗଲା । କିଛି ଗୋଟାଏ ଭୁଲ ହୋଇଗଲା ଏବଂ ଲଙ୍କା ଆଦୌ ବଡ଼ ହେଲାନି । ଆମ୍ବୁଟ୍ଟୁମ୍‌ କୋଟ୍ଟିଡୁ ଛୁ (ସବୁ କିଛି ନଷ୍ଟ ହୋଇଗଲା) । ତାଙ୍କ ସହିତ ସେ ଯାହା ସବୁ ଆଣିଥିଲେ ତାହା ହେଲା ୪୦ କିଲୋ ଲଙ୍କା- ତାଙ୍କ ଅମଳର ଅଧା । ଅମଳ ଋତୁ ଶେଷ ଭାଗରେ ଆଉ ୪୦ କିଲୋ ଅମଳ ହେବ ବୋଲି ସେ ଆଶା ରଖିଛନ୍ତି । ଆଉ କିଛି ଅଧିକ ରୋଜଗାର କରିବା ପାଇଁ ସେ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା -NREGA- ଅନ୍ତର୍ଗତ କାମ ଉପରେ ସେ ଆଶା ବାନ୍ଧିଛନ୍ତି ।

Vasuki (left) and Poomayil in a yellow saree in the centre waiting for the auction with other farmers
PHOTO • M. Palani Kumar

ଅନ୍ୟ ଚାଷୀମାନଙ୍କ ସହିତ କେନ୍ଦ୍ରରେ ନିଲାମ ଡକା ହେବାକୁ ଅପେକ୍ଷା କରିଛନ୍ତି ବାସୁକୀ (ବାମ) ଏବଂ ହଳଦିଆ ଶାଢ଼ି ପିନ୍ଧିଥିବା ପୁମାୟିଲ ନିଲାମ

Govindrajan (left) in an animated discussion while waiting for the auctioneer
PHOTO • M. Palani Kumar

ଡାକିଲାବାଲାକୁ ଅପେକ୍ଷା କରିବା ସମୟରେ ଉତ୍ସାହର ସହିତ ଆଲୋଚନା କରୁଛନ୍ତି ଗୋବିନ୍ଦନ (ବାମ)

୫୯ ବର୍ଷୀୟା ପି. ପୁମାୟିଲଙ୍କ କ୍ଷେତ୍ରରେ ତାଙ୍କ ପଲ୍ଲୀଗ୍ରାମ -ମୁମ୍ମୁଦିସ୍ଥାନରୁ ୨୦ କିଲୋମିଟର ଯାଏ ଯାତ୍ରା କରିବା ହିଁ ତାଙ୍କ ପାଇଁ ଆଜିର ସବୁଠାରୁ ବଡ଼କଥା । ଆଜି ସକାଳେ ତାଙ୍କୁ ମାଗଣାରେ ଯାତ୍ରା କରିବାର ସୁଯୋଗ ମିଳିଗଲା । ୨୦୨୧ରେ କ୍ଷମତାକୁ ଆସିବାର ଠିକ୍‌  ପରେ ପରେ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କ ନେତୃତ୍ୱାଧୀନ ଡିଏମ୍‌କେ ସରକାର ଗୋଟିଏ ଯୋଜନା ଘୋଷଣା କରିଥିଲେ ଯାହା ଫଳରେ କି ଟାଉନ୍‌ ବସ୍‌ରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସମ୍ଭବ ହୋଇପାରୁଛି ।

ପୁମାୟିଲ୍‌ ମୋତେ ତାଙ୍କ ଟିକଟ ଦେଖାଇଲେ ଏବଂ ଏଥିରେ ମାଗାଲିର (ମହିଳା) ଲେଖା ହୋଇଥିଲା ଏବଂ ଏହା ମାଗଣା ଥିଲା । ଟିକଟର ମୂଲ୍ୟ ୪୦ ଟଙ୍କା ସଂପର୍କରେ ଆମେ ତାଙ୍କୁ କହି ଆଲୋଚନା କରିବା ସମୟରେ ସେମାନେ ବି ମାଗଣାରେ ଯାତ୍ରା କରିବାକୁ ଚାହିଁବେ ବୋଲି କେତେ ଜଣ ପୁରୁଷ କହିଥିଲେ । ସମସ୍ତେ ହସିଲେ, ବିଶେଷତଃ ମହିଳାମାନେ ଖୁସିରେ ହସିଲେ ।

ହେଲେ, ଫସଲ କମ୍‌ ହେବାର କାରଣ ସଂପର୍କରେ ଗୋବିନ୍ଦରାଜନ କହିଲା ବେଳେ ସେମାନଙ୍କ ହସ ଉଭେଇ ଗଲା । ତାମିଲରେ କାରଣର ତାଲିକା ଦେଇ ସେ କହିଲେ ମାୟିଲ, ମୁୟାଲ, ମାଡୁ, ମାନ୍‌, । ଅର୍ଥାତ୍‌ ମୟୂର, ଠେକୁଆ, ଗାଈ ଏବଂ ହରିଣ । ଏବଂ ଏହା ସହିତ କେତେବେଳେ ଖୁବ୍‌ ବେଶୀ ବର୍ଷା ତ ଆଉ କେତେବେଳେ ଖୁବ୍‌ କମ୍‌ । ଯେତେବେଳେ ଗଛରେ ଫୁଲ ଓ ଫଳ ଧରିବା ପାଇଁ ଭଲ ବର୍ଷା ସହାୟକ ହେବ, ସେତେବେଳେ ବର୍ଷା ହେଉନି । ଆଗରୁ, ଏଠାରେ ବହୁ ଅଧିକ ଲଙ୍କା ଫଳୁଥିଲା, ଛାତ ଆଡ଼କୁ ଆଙ୍ଗୁଠି ଦେଖାଇ ସେ କହନ୍ତି, ସେଇ ଉଚ୍ଚତା ପର୍ଯ୍ୟନ୍ତ... ପାହାଡ଼ ଭଳି ଉଚ୍ଚରେ ଗଦା ନହେଲା ଯାଏ, ଜଣେ ଲୋକ ଉପରେ ଠିଆ ହୋଇ ଚାରିଆଡ଼କୁ ଲଙ୍କା ପକାଉଥିଲା ।

ଏବେକାର ଲଙ୍କା ଗଦା ସବୁ ଛୋଟ ହୋଇଗଲାଣି ଏବଂ ଆମ ଆଣ୍ଠୁ ଯାଏ ଉଚ୍ଚ ହେଉଛି । ଏବଂ ସେଗୁଡ଼ିକ ବି ଭିନ୍ନ ଭିନ୍ନ ପ୍ରକାରର- କେତେକ ଗାଢ଼ ଲାଲ, ଆଉ କେତେକ ଚମକଦାର । ହେଲେ ସେ ସବୁଗୁଡ଼ିକ ରାଗ ଏବଂ ସବୁବେଳେ ଏଠି କେହି ନା କେହି ଛିଙ୍କନ୍ତି, ନହେଲେ ସେଠି କାଶନ୍ତି । କରୋନାଭାଇରସ୍‌ ଏବେ ସାରା ବିଶ୍ୱ ପ୍ରତି ବିପଦ । କିନ୍ତୁ ଏଠାରେ, ବ୍ୟବସାୟୀଙ୍କ ଦୋକାନରେ, ଲଙ୍କା ହେଉଛି ବିପଦର ଏକମାତ୍ର କାରଣ ।

The secret auction that will determine the fate of the farmers.
PHOTO • M. Palani Kumar
Farmers waiting anxiously to know the price for their lot
PHOTO • M. Palani Kumar

ବାମ : ଗୁପ୍ତ ନିଲାମ ଡକା, ଯାହାକି ଚାଷୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରେ । ଡାହାଣ : ନିଜ ନିଜ ଫସଲର ଦାମ ଜାଣିବାକୁ ଚାଷୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି

ନିଲାମ ଡକାଳି ଏସ୍‌.ଯୋସେଫ ସେନ୍‌ଗୋଲ ଆସି ପହଞ୍ଚିବା ବେଳକୁ ସମସ୍ତେ ଅସ୍ଥିର ହୋଇ ଉଠିଥାଆନ୍ତି । ସାଙ୍ଗେ ସାଙ୍ଗେ ସମସ୍ତଙ୍କର ମନ ବଦଳିଯାଏ । ଲୋକେ ଲଙ୍କା ଗଦା ଚାରିପଟେ ରୁଣ୍ଡ ହୁଅନ୍ତି, ଯୋସେଫଙ୍କ ସହିତ ଆସିଥିବା ଲୋକେ ଫସଲ ପାଖକୁ ଯାଆନ୍ତି, ତା ଉପରେ ଠିଆ ହୁଅନ୍ତି ଏବଂ ଖୁବ୍‌ ପାଖରୁ ଏହାର ନିରୀକ୍ଷଣ କରନ୍ତି । ଏହା ପରେ ଜଣେ ନିଜ ଡାହାଣ ହାତକୁ ତଉଲିଆରେ ଢାଙ୍କି ଦିଅନ୍ତି । ଆଉ ଜଣେ ଲୋକ ଗୁପ୍ତ ନିଲାମ ଡାକିବାକୁ ଯାଇ ତାହାରି ତଳେ ନିଜ ଆଙ୍ଗୁଠିକୁ ଛନ୍ଦି ଇସାରା ଦିଅନ୍ତି । ଏଠାରେ କ୍ରେତାମାନେ ସମସ୍ତେ ପୁରୁଷ ।

ବାହାର ଲୋକଙ୍କ ପାଇଁ ଏହି ଗୁପ୍ତ ଭାଷା ଖୁବ୍‌ ଦୁର୍ବୋଧ୍ୟ । କିନ୍ତୁ ପାପୁଲିକୁ ଛୁଇଁ, ଆଙ୍ଗୁଠିକୁ ଧରି, କିମ୍ବା ଗୋଟିଏ ଆଙ୍ଗୁଠିରେ ଅନ୍ୟଟିକୁ ବାଡ଼େଇ ଏହି ଲୋକମାନେ ସଂଖ୍ୟା ସଂପର୍କରେ ସୂଚନା ଦିଅନ୍ତି । ତାହା ହେଉଛି, ସେହି ଫସଲ ଗଦା ପାଇଁ ସେମାନେ ଦେବାକୁ ଥିବା ମୂଲ୍ୟ ସଂପର୍କିତ ସୂଚନା । ଯଦି ସେମାନେ କୌଣସି ନିଲାମ ନ ଡାକନ୍ତି ତେବେ ନିଜ ହାତ ପାପୁଲିରେ ଶୂନ ଭଳି ଆଙ୍କି ଦିଅନ୍ତି । ନିଲାମ ଡକାଳି ତାଙ୍କ କାମ ପାଇଁ କମିଶନ ପାଆନ୍ତି - ତାହା ହେଲା ବସ୍ତା ପିଛା ତିନି ଟଙ୍କା । ଏବଂ ବ୍ୟବସାୟୀ ଜଣକ ନିଲାମ ଡାକିବାକୁ ସୁବିଧା ଦେଇଥିବାରୁ ଚାଷୀଙ୍କ ପାଖରୁ ମୋଟ ବିକ୍ରି ମୂଲ୍ୟର ୮ ପ୍ରତିଶତ ନିଅନ୍ତି ।

ଜଣେ କ୍ରେତାଙ୍କ କାମ ସରିଗଲା ପରେ ଆଉ ଜଣେ ନିଲାମ ଡକାଳିଙ୍କ ସାମନାକୁ ଆସନ୍ତି ଏବଂ ତଉଲିଆ ତଳେ ତାଙ୍କ ଆଙ୍ଗୁଠି ରଖି ଦିଅନ୍ତି । ଜଣକ ପରେ ଆଉ ଜଣେ , ଆସି ଏହି ପ୍ରକ୍ରିୟାରେ ନିଜ ନିଲାମ ଡାକନ୍ତି ଏବଂ ସର୍ବୋଚ୍ଚ ମୂଲ୍ୟ ଘୋଷିତ ନ ହେବା ପର୍ଯ୍ୟନ୍ତ ଏହି ଢଙ୍ଗରେ ନିଲାମ ଡକା ଚାଲିଥାଏ । ସେଦିନ , ଲଙ୍କାର ଗୁଣବତ୍ତା ନିରୂପଣ କରୁଥିବା ଆକାର ଏବଂ ରଙ୍ଗ ଭିତ୍ତିରେ ଲାଲ ଲଙ୍କା କିଲୋଗ୍ରାମ ପ୍ରତି ୩୧୦ରୁ ୩୮୯ ଟଙ୍କା ପର୍ଯ୍ୟନ୍ତ ନିଲାମ ଡକା ହୋଇଥିଲା ।

ଅଥଚ ଚାଷୀମାନେ ଖୁସି ନଥିଲେ । ଆଖିଦୃଶିଆ ଭାବେ କମ୍‌ ଅମଳ ହୋଇଥିବା ବେଳେ ଭଲ ଦର ମିଳିଲେ ବି ଏଥିରେ ସେମାନଙ୍କର କ୍ଷତି ହିଁ ହୋଇଥାଏ । ଗୋବିନ୍ଦରାଜନ କହନ୍ତି, ଆଉ ଭଲ ରୋଜଗାର କରିବାକୁ ହେଲେ ଲଙ୍କାର ଗୁଣମାନ ବୃଦ୍ଧି କରିବା ଲାଗି ଆମକୁ କୁହାଯାଇଛି । କିନ୍ତୁ ମୋତେ କହନ୍ତୁ ତ, ଏଥିପାଇଁ ସମୟ କାହିଁ ? ସେ ପଚାରନ୍ତି, ଆମେ କ ଣ ଲଙ୍କା ଗୁଣ୍ଡ କରି ପ୍ୟାକେଟ୍‌ରେ ପୂରାଇ ବିକ୍ରି କରୁଛୁ, ନା ଆମେ ଚାଷ କରୁଛୁ ?

ସେ ଆଣିଥିବା ଲଙ୍କାର ନିଲାମ ପାଳି ପଡ଼ିବା ସମୟରେ ତାଙ୍କ ରାଗ ଉତ୍କଣ୍ଠାରେ ପରିବର୍ତ୍ତିତ ହୁଏ। ସେ ମୋତେ ଡାକି କହନ୍ତି, ଏଠାକୁ ଆସନ୍ତୁ, ଆପଣ ଆଉ ଭଲରେ ଦେଖିପାରିବେ। ତାଙ୍କ ଶରୀରରେ ଉତ୍ତେଜିତ ହୋଇଉଠିଥାଏ ଏବଂ ସେ ତଉଲିଆକୁ ମୁହଁରେ ଦେବା ସହିତ ଗୁପ୍ତ କରମର୍ଦ୍ଦନ ଉପରେ ତୀକ୍ଷ୍‌ଣ ନଜର ରଖି କହନ୍ତି ଏଇଟା ଆମର ପରୀକ୍ଷା ଫଳକୁ ଅପେକ୍ଷା କରିବା ଭଳି। ଦର ଘୋଷଣା ହେବା ବେଳେ ଅଳ୍ପ ହସି ସେ କହନ୍ତି, ମୋତେ କିଲୋକୁ ୩୩୫ ଟଙ୍କା ମିଳିଲା । ତାଙ୍କ ପୁଅର ଲଙ୍କା ଆକାରରେ ସାମାନ୍ୟ ବଡ଼ ଏବଂ ଏହାର ଦର କିଲୋ ପିଛା ୩୦ ଟଙ୍କା ଅଧିକରେ ବିକ୍ରି ହେଲା । ବାସୁକୀର ଲଙ୍କା ୩୫୯ ଟଙ୍କା ସ୍ଥିର ହେଲା । ଚାଷୀମାନେ ବିଶ୍ରାମ ନିଅନ୍ତି । ହେଲେ ତଥାପି ସେମାନଙ୍କ କାମ ସରି ନଥାଏ । ତା ପରେ ସେମାନଙ୍କୁ ନିଜ ନିଜର ଲଙ୍କାକୁ ଓଜନ କରିବାକୁ ପଡ଼ିବ, ଟଙ୍କା ସଂଗ୍ରହ କରି ଅଳ୍ପ କିଛି ଖାଇବାକୁ ପଡ଼ିବ ଏବଂ କିଛି ବଜାର ସଉଦା କରି ପୁଣି ଘରକୁ ଫେରିବା ଲାଗି ବସ୍‌ ଧରିବାକୁ ପଡ଼ିବ...

Adding and removing handfuls of chillies while weighing the sacks.
PHOTO • M. Palani Kumar
Weighing the sacks of chillies after the auction
PHOTO • M. Palani Kumar

ବାମ : ଲଙ୍କା ବସ୍ତା ଓଜନ କରିବା ବେଳେ ଆଞ୍ଜୁଳିରେ ଭରି ଲଙ୍କା ରଖାଯାଉଛି କିମ୍ବା ବାହାର କରାଯାଉଛି । ଡାହାଣ : ନିଲାମ ଡକା ହେବା ପରେ ଲଙ୍କା ବସ୍ତା ଓଜନ କରାଯାଉଛି

*****

ଆମେ ସିନେମା ଦେଖି ଯାଉଥିଲୁ । କିନ୍ତୁ ୧୮ ବର୍ଷ ତଳେ ମୁଁ ଶେଷ ଥର ପାଇଁ ସିନେମା ଦେଖିଥିଲି : ତୁଲାତା ମାଣାମୁମ୍‌ ତୁଲମ୍‌ (ଏମିତି କି ଯୋଉ ମନ ଛନଛନ ନହୁଏ, ହେବ)
ଏସ୍‌.ଅମ୍ବିକା, ଲଙ୍କାଚାଷୀ, ମେଲାୟାକୁଡ଼ି, ରାମନାଥପୁରମ୍‌

ଚାଲି ଚାଲି ଗଲେ ଲଙ୍କାକ୍ଷେତ ଏଠାରୁ ଅଧ ଘଣ୍ଟାର ବାଟ , ସର୍ଟକଟ୍‌ ବାଟ ବି ଅଛି ଏସ୍‌.ଅମ୍ବିକା ଆମକୁ କହନ୍ତି । କିନ୍ତୁ ରାସ୍ତା ଦେଇ ଗଲେ ବେଶୀ ବାଟ ପଡ଼େ । ଅଙ୍କାବଙ୍କା ରାସ୍ତାର ଅନେକ ବୁଲାଣି ଦେଇ ସାଢ଼େ ତିନି କିଲୋମିଟର ରାସ୍ତା ଯିବା ପରେ ଆମେ ପାରମାକୁଡ଼ି ବ୍ଲକ୍‌ର ମେଲାୟାକୁଡ଼ି ଗାଁରେ ଥିବା ତାଙ୍କ ଲଙ୍କା କ୍ଷେତରେ ପହଞ୍ଚିଲୁ । କିଛି ଦୂରରୁ ଦିଶିଯାଏ ଲଙ୍କା ଗଛଗୁଡ଼ିକର ଘନସବୁଜ ରଙ୍ଗ : ପତ୍ରଗୁଡ଼ିକର ରଙ୍ଗ ପାନ୍ନା ଭଳି ସବୁଜ, ଏବଂ ପ୍ରତିଟି ଶାଖାରେ ଭରି ରହିଥାଏ ପାଚିବାର ବିଭିନ୍ନ ପୂର୍ବବର୍ତ୍ତୀ ଅବସ୍ଥାର ଲଙ୍କାଫଳ – କେଉଁଟି ମଣି ଭଳି ଲାଲ ତ ଆଉ କେଉଁଟି ହଳଦୀ ଭଳି ହଳଦିଆ କିମ୍ବା ସୁନ୍ଦର ଆରାକୁ (ଗାଢ଼ ଲାଲ ରଙ୍ଗ) ରେଶମ ଶାଢ଼ିର ରଙ୍ଗ ଭଳି । ଏଠିସେଠି ଘୂରି ବୁଲୁଥାଆନ୍ତି କମଳା ରଙ୍ଗର ପ୍ରଜାପତି । ସତେ ଯେମିତି ଅଧାପାଚିଲା ଲଙ୍କାଗୁଡ଼ିକରେ ପର ଲାଗିଯାଇଛି ।

ଦଶ ମିନିଟ୍‌ ଭିତରେ, ଆମେ ସେଠାକାର ସୌନ୍ଦର୍ଯ୍ୟକୁ ଭୁଲିବାରେ ଲାଗିଗଲୁ । ଦିନ ୧୦ଟା ବି ହୋଇ ନଥାଏ, କିନ୍ତୁ ସୂର୍ଯ୍ୟତାପର ପ୍ରଖରତା ଅନୁଭୂତ ହେଉଥାଏ । ଶୁଖିଲା ମାଟି, ଦେହରୁ ଝାଳ ବାହାରି ଆଖିରେ ପଶୁଥାଏ । ସାରା ଜିଲ୍ଲାରେ ଆମେ ମାଟି ଫାଟି ଆଁ କରିଥିବା ଦେଖିବାକୁ ପାଇଲୁ । ସତେ ଯେମିତି ବର୍ଷାପାଣିରେ ଶୋଷ ମେଣ୍ଟାଇବାକୁ ଅପେକ୍ଷା କରିଥାଏ ରାମନାଥପୁରମ୍‌ର ଭୂମି । ଅମ୍ବିକାଙ୍କ ଲଙ୍କାକ୍ଷେତ ବି କିଛି ଅଲଗା ନଥିଲା ; କ୍ଷେତ ସାରା ମାଟି ଫାଟିଯାଇଥାଏ । କିନ୍ତୁ ଏହାକୁ ସେ ଶୁଖିଲା ବୋଲି ଭାବନ୍ତିନି । ତାଙ୍କ ଗୋଡ଼ର ଆଙ୍ଗୁଠିରେ ମାଟିକୁ ଖୋଳି ସେ ପଚାରନ୍ତି, ଦେଖନ୍ତୁ, ଏଇଟା ଓଦା ମାଟି ନୁହେଁ କି ? ଗୋଡ଼ର ଦ୍ୱିତୀୟ ଆଙ୍ଗୁଠିରେ ସେ ରୁପାର ମେଟ୍ଟି (ମୁଦି) ପିନ୍ଧିଥାଆନ୍ତି ।

ପିଢ଼ି ପିଢ଼ି ଧରି ଅମ୍ବିକାଙ୍କ ପରିବାର ଚାଷବାସ କରି ଜୀବିକା ଅର୍ଜନ କରିଆସୁଛନ୍ତି । ତାଙ୍କୁ ଏବେ ୩୮ ବର୍ଷ ଏବଂ ତାଙ୍କ ସାଥୀରେ ଯାଇଥିବା ତାଙ୍କ ନଣନ୍ଦ ଏସ୍‌.ରାନୀଙ୍କ ବୟସ ୩୩ ବର୍ଷ । ସେମାନଙ୍କ ପରିବାର ପାଖରେ ଗୋଟିଏ ଏକର ଲେଖାଏଁ ଚାଷଜମି ରହିଛି । ଲଙ୍କା ସହିତ ସେମାନେ ଆଗାତି ନାମକ ଏକ ପ୍ରକାରର ଶାଗ ଚାଷ କରନ୍ତି , ଯାହାକି ସେମାନଙ୍କ ପାଳିତ ଛେଳିମାନଙ୍କ ପାଇଁ ଖୁବ୍‌ ଭଲ ଖାଦ୍ୟ ବୋଲି ବିବେଚିତ ହୁଏ । ବେଳେବେଳେ ସେମାନେ ଭେଣ୍ଡି ଓ ବାଇଗଣ ଚାଷ କରନ୍ତି । ଆଉ ହଁ, ସେଥିପାଇଁ ସେମାନଙ୍କୁ ଅଧିକ କାମ କରିବାକୁ ପଡ଼େ ବୋଲି ସେମାନେ କହନ୍ତି । କିନ୍ତୁ ସେଥିରୁ ସେମାନେ ରୋଜଗାର କରିବା କଥା ନୁହେଁ କି ?

ମହିଳାମାନେ ସବୁଦିନ ସକାଳ ୮ଟାରେ କ୍ଷେତକୁ ଆସନ୍ତି ଏବଂ ଅପରାହ୍‌ଣ ୫ଟା ଯାଏ ଜଗି ରହନ୍ତି । ତା ନହେଲେ ଛେଳିମାନେ ଗଛ ଖାଇଯିବେ । ପ୍ରତିଦିନ ସକାଳେ, ସେମାନେ ଭୋର ୪ଟାରେ ଉଠନ୍ତି, ଘରଦ୍ୱାର ସଫା କରନ୍ତି, ପାଣି ଆଣନ୍ତି, ରୋଷେଇବାସ କରନ୍ତି, ପିଲାମାନଙ୍କୁ ଉଠାନ୍ତି, ବାସନକୁସନ ମାଜନ୍ତି, ଖାଦ୍ୟ ପ୍ୟାକ୍‌ କରନ୍ତି, ଗୋରୁଗାଈ ଓ କୁକୁଡ଼ାଙ୍କୁ ଖାଇବାକୁ ଦିଅନ୍ତି, ଚାଲି ଚାଲି କ୍ଷେତକୁ ଯାଆନ୍ତି, ସେଠାରେ କାମ କରନ୍ତି, ବେଳେବେଳେ ଅପରାହ୍‌ଣରେ ଘରକୁ ଯାଇ ଗୋରୁଗାଈ ପ୍ରଭୃତି ଜୀବମାନଙ୍କ ପିଇବା ପାଇଁ ପାଣି ଦିଅନ୍ତୁ । ତା ପରେ ପୁଣି ଫେରନ୍ତି ଲଙ୍କା ଗଛପାଖକୁ, ସେଗୁଡ଼ିକର ଦେଖାରଖା କରିବା ପରେ ପୁଣି ସେଇ ସର୍ଟ କଟ୍‌ ବାଟ ଦେଇ ଅଧା ଘଣ୍ଟା ଚାଲି ଚାଲି ଫେରନ୍ତି । ସେଇ ରାସ୍ତାରେ ଏବେ ଗୋଟିଏ କୁକୁରକୁ ତା ନିଜର ଛୁଆମାନେ ଗୋଡ଼ାଉଛନ୍ତି । ଏଇ ମାଆଟି ପାଇଁ, ଅତି କମ୍‌ରେ କିଛି ଦୂର ଦୌଡ଼ି ପଳାଇବାର ସୁଯୋଗ ତ ରହିଛି...

Ambika wearing a purple saree working with Rani in their chilli fields
PHOTO • M. Palani Kumar

ବାଇଗଣି ରଙ୍ଗର ଶାଢ଼ି ପିନ୍ଧିଥିବା ଅମ୍ବିକା ରାନୀଙ୍କ ସହିତ ଲଙ୍କାକ୍ଷେତରେ କାର୍ଯ୍ୟରତ

Ambika with some freshly plucked chillies
PHOTO • M. Palani Kumar

ସଦ୍ୟ ତୋଳା ହୋଇଥିବା କେତେକ ଲଙ୍କା ସହିତ ଅମ୍ବିକା

ଅମ୍ବିକାଙ୍କ ପୁଅ ତାଙ୍କୁ ଫୋନ୍‌ କରନ୍ତି। ତୃତୀୟ ଥର ପାଇଁ ରିଙ୍ଗ ହେବା ପରେ ଫୋନ୍‌ ଉଠାଇ ସେ କହନ୍ତି ଏନ୍ନାଡ଼ା ’’ , ତୋର କ ଣ ଦରକାର ? ପୁଅ କଥା ଶୁଣିବା ବେଳେ ସେ ବିରକ୍ତ ହୋଇ ଉଠନ୍ତି ଏବଂ ତାକୁ ସାମାନ୍ୟ ଗାଳି ଦେଇ ଫୋନ୍‌ କାଟି ଦିଅନ୍ତି । ମହିଳା ଜଣକ ମୋତେ କହନ୍ତି ଯେ ପିଲାମାନେ ବି ଘରେ ଅଡ଼ି ବସିଛନ୍ତି । ଆମେ ଯେତେ ଯାହା ରାନ୍ଧିଲେ ବି କିଛି ନାହିଁ, ସେମାନେ ଅଣ୍ଡା ଆଉ ଆଳୁ ଖୋଜନ୍ତି। ତେଣୁ ଆମେ ଏଥିରୁ କି ସେଥିରୁ କିଛି ଭଜାଭଜି କରିଦେଉ । ରବିବାର ଦିନ ଆମେ ସେମାନଙ୍କ ପସନ୍ଦ ମୁତାବକ ମାଂସ କିଣିଥାଉ।

ଆମେ କଥାବାର୍ତ୍ତା କରିବା ବେଳେ ସେମାନେ ଓ ଆଖପାଖ ଜମିରେ ମହିଳାମାନେ ଲଙ୍କା ତୋଳିବାରେ ଲାଗିଥାଆନ୍ତି । ସେମାନେ ଖୁବ୍‌ କ୍ଷୀପ୍ର ଗତିରେ, ଗଛର ଡାଳକୁ ସତର୍କତାର ସହ ଉଠାଇ ସେଥିରୁ ଲଙ୍କା ଛିଣ୍ଡାଇ ଦେଉଥାଆନ୍ତି । ଥରେ ଆଞ୍ଜୁଳା ଭରିଗଲା ପରେ ସେମାନେ ସେଗୁଡ଼ିକୁ ରଙ୍ଗିନ ବାଲ୍‌ଟିରେ ପକାଇ ଦିଅନ୍ତି । ପୂର୍ବରୁ , ସେମାନେ ତାଳପତ୍ର ଟୋକେଇ ଆଣୁଥିଲେ ବୋଲି ଅମ୍ବିକା କହନ୍ତି । କିନ୍ତୁ ଆଜିକାଲି ପ୍ଲାଷ୍ଟିକ୍‌ର ଶକ୍ତ ବାଲ୍‌ଟି , ବର୍ଷ ବର୍ଷ ଧରି କାମରେ ଲାଗୁଛି ।

ତେଣେ, ଅମ୍ବିକାଙ୍କ ଘର ଅଗଣାରେ ତାଙ୍କ ଦ୍ୱାରା ଅମଳ କରାଯାଇଥିବା ଲଙ୍କା ଟାଣ ଖରାରେ ଶୁଖୁଥାଏ । ଖୁବ୍‌ ଯତ୍ନରେ ସେ ଲାଲ ଲଙ୍କାଗୁଡ଼ିକୁ ଖେଳାଇ ଦିଅନ୍ତି ଏବଂ ମଝିରେ ମଝିରେ ଓଲଟପାଲଟ କରନ୍ତି । ଯାହା ଫଳରେ କି ସେଗୁଡ଼ିକ ଜଲ୍‌ଦି ଶୁଖିଯିବ । ହାତରେ କେତେକ ଲଙ୍କା ଧରି ସେ ହଲାଇ ଦେଖନ୍ତି । ଠିକ୍‌ ଭାବରେ ଶୁଖି ପ୍ରସ୍ତୁତ ହୋଇଗଲେ ଏଥିରୁ ଗଡ଼-ଗଡ଼ ଶବ୍ଦ ବାହାରିବ । ତା ର ଅର୍ଥ ଲଙ୍କା ଭିତରେ ମଞ୍ଜିଗୁଡ଼ିକ ବାଜୁଥିବ । ସେଇ ଅବସ୍ଥାରେ ସେମାନେ ଲଙ୍କାକୁ ଏକାଠି କରି ଓଜନ କରନ୍ତି ଏବଂ ବସ୍ତାରେ ଭରି ଗାଁରେ ରହୁଥିବା କମିଶନ ଏଜେଣ୍ଟଙ୍କ ପାଖକୁ ନେଇ ଯାଆନ୍ତି । ପାରମାକୁଡ଼ି କିମ୍ବା ରାମନାଥପୁରମ୍‌ ବଜାରରେ ସେମାନଙ୍କ ଲଙ୍କା ସାମାନ୍ୟ ଅଧିକ ଦରରେ ବିକ୍ରି ହୋଇଥାଏ ।

ଆପଣ ଗୋଟେ କଲର୍‌ (ବୋତଲରେ ଥିବା ପାନୀୟ) ପିଇବେ କି, ତଳ ମହଲାରେ ଥିବା ତାଙ୍କ ରୋଷେଇ ଘରେ ଅମ୍ବିକା ମୋତେ ପଚାରନ୍ତି ।

ପାଖ ପଡ଼ିଆରେ ଚରୁଥିବା ତାଙ୍କ ଛେଳିମାନଙ୍କୁ ଦେଖିବା ପାଇଁ ସେ ମୋତେ ସାଙ୍ଗରେ ନେଇଯାଆନ୍ତି । ସେମାନଙ୍କୁ ଜଗିବାକୁ ତାରବୁଣା ଖଟ ତଳେ ଶୋଇଥିବା ଚାଷୀମାନଙ୍କର କୁକୁରମାନେ ଉଠି ପଡ଼ନ୍ତି ଏବଂ ପାଖକୁ ନ ଆସିବା ଲାଗି ଆମକୁ ଚେତାଇ ଦିଅନ୍ତି । ମୋ ସ୍ୱାମୀ ବିଭିନ୍ନ ଉତ୍ସବରେ ଖାଦ୍ୟ ପରଷିବାକୁ ଯାଇଥିବା ବେଳେ ମୋ କୁକୁର ବି ମୋତେ ଜଗି ରହିଥାଏ । ଅନ୍ୟ ସମୟରେ ମୋ ସ୍ୱାମୀ ବି ଜଣେ ଚାଷୀ, ଏବଂ କାମ ମିଳିଲେ ଜଣେ ଶ୍ରମିକ ।

ତାଙ୍କର ବିବାହ ପରବର୍ତ୍ତୀ ଦିନ ସମୟରେ କହିବା ବେଳେ ସେ ଲାଜେଇ ଯାଆନ୍ତି । ସେତେବେଳେ ଆମେ ସିନେମା ଦେଖିବାକୁ ଯାଉଥିଲୁ । ହେଲେ ଶେଷ ଥର ପାଇଁ ମୁଁ ୧୮ ବର୍ଷ ତଳେ ସିନେମା ଦେଖିଥିଲି : ତୁଲାତା ମାଣାମୁମ୍‌ ତୁଲମ୍‌ (ଏମିତି କି ଯେଉଁ ମନ ଛନଛନ ନହୁଏ, ହେବ) - ସିନେମାର ନାଁ ସଂପର୍କରେ ସେ କହନ୍ତି ଏବଂ ଏଥିରେ ଆମେ ଦୁହେଁ ହସିଉଠୁ ।

Women working in the chilli fields
PHOTO • M. Palani Kumar

ଲଙ୍କା କ୍ଷେତରେ କାର୍ଯ୍ୟରତ ମହିଳାମାନେ

Ambika of Melayakudi village drying her chilli harvest on her terrace
PHOTO • M. Palani Kumar

ମେଲାୟାକୁଡ଼ି ଗାଁର ଅମ୍ବିକା ନିଜ ଅଗଣାରେ ଲଙ୍କା ଶୁଖାଉଛନ୍ତି

*****

ନିଜର ଲଙ୍କା ଫସଲ ବିକ୍ରି କରିବା ପାଇଁ ଚେଷ୍ଟାରେ କ୍ଷୁଦ୍ରଚାଷୀମାନେ ୧୮ ପ୍ରତିଶତ ମୂଲ୍ୟ ହରାଇ ଥାଆନ୍ତି ।
କେ.ଗାନ୍ଧିରାସୁ, ନିର୍ଦ୍ଦେଶକ, ମୁଣ୍ଡୁ ଲଙ୍କା ଚାଷୀ ସଂଘ, ରାମନାଥପୁରମ୍‌

ଗାନ୍ଧିରାସୁ କହନ୍ତି, ପାଞ୍ଚ ଦଶ ବସ୍ତା ଲଙ୍କା ରଖିଥିବା ଚାଷୀଙ୍କ କଥା ଦେଖନ୍ତୁ । ପ୍ରଥମେ , ଆପଣଙ୍କୁ ନିଜ ଗାଁରୁ ବଜାର ଯାଏ ଯିବାକୁ ଟେମ୍ପୋ କିମ୍ବା ଅନ୍ୟ କୌଣସି ପରିବହନ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିବ । ସେଠାରେ ବେପାରୀମାନେ ଆସିବେ ଏବଂ ଦରଦାମ ସ୍ଥିର କରିବା ପରେ କମିଶନ ଏଜେଣ୍ଟ ଆଠ ପ୍ରତିଶତ ନେଇଯିବ । ତୃତୀୟରେ, ଓଜନରେ କିଛି ଭୁଲଭଟକା ହୋଇପାରେ, ଯାହାକି ସାଧାରଣତଃ ବେପାରୀମାନଙ୍କ ସପକ୍ଷରେ ଯାଇଥାଏ । ଯଦି ସେମାନେ ବସ୍ତା ପିଛା ଅଧା କିଲୋ ବି କମ୍‌ କରି ଦିଅନ୍ତି, ଚାଷୀଙ୍କର ହିଁ କ୍ଷତି ହୁଏ । ତେଣୁ, ଅନେକ ଚାଷୀ ଏ ସଂପର୍କରେ ଅଭିଯୋଗ କରନ୍ତି ।

ଅଧିକନ୍ତୁ, ନିଜର ଚାଷକାମ ଛାଡ଼ି ଜଣେ ବ୍ୟକ୍ତିଙ୍କୁ ସାରା ଦିନ ବଜାରରେ ବିତାଇବାକୁ ପଡ଼େ । ଯଦି ବ୍ୟବସାୟୀଙ୍କ ପାଖରେ ପଇସା ଥାଏ ତେବେ ସେ ତୁରନ୍ତ ପାଉଣା ଦେଇଦିଅନ୍ତି । ଯଦି ନଥାଏ, ଆଉ ଥରେ ଆସିବାକୁ ସେମାନେ କହନ୍ତି । ଏବଂ ଶେଷରେ, ବଜାର ଯାଇଥିବା ଲୋକ ଜଣକ ସାଙ୍ଗରେ ଖାଇବାକୁ ନେଇ ଯାଇ ନଥାନ୍ତି । ସେ ହୋଟେଲରେ ଖାଇଥାଆନ୍ତି । ଆମେ ଏସବୁ ହିସାବ କରି ଦେଖିଲୁ ଯେ ସେମାନଙ୍କ ଆୟର ୧୮ ପ୍ରତିଶତ ଏହି ବାଟରେ ଖର୍ଚ୍ଚ ହୋଇଥାଏ ।

ଗାନ୍ଧିରାସୁ ଗୋଟିଏ ଚାଷୀ ଉତ୍ପାଦକ ସଂସ୍ଥା (FPO) ଚଳାନ୍ତି । ୨୦୧୫ରୁ ଚାଷୀମାନଙ୍କ ଆୟବୃଦ୍ଧି ଦିଗରେ କାର୍ଯ୍ୟ କରିଆସୁଛି ରାମନାଡ଼ ମୁଣ୍ଡୁ ଚିଲ୍ଲି ପ୍ରଡକ୍ସନ କମ୍ପାନୀ ଲିମିଟେଡ୍‌। ସେ ଏହି ସଂସ୍ଥାର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକ ଏବଂ ମୁଡୁକୁଲାଥୁର ସହରରେ ଥିବା ତାଙ୍କ ଅଫିସ୍‌ରେ ସେ ଆମକୁ ସାକ୍ଷାତ କରନ୍ତି । ଆପଣ ସେମାନଙ୍କ ରୋଜଗାର କେମିତି ବଢ଼ାଇବେ ? ପ୍ରଥମେ ଆପଣ ଚାଷ ବାବଦ ଖର୍ଚ୍ଚ କମ୍‌ କରିବେ। ଦ୍ୱିତୀୟରେ, ଆପଣ ଉତ୍ପାଦନ ବଢ଼ାଇବେ। ଏବଂ ତୃତୀୟ କଥାବି ହେଲା ସେମାନଙ୍କୁ ବଜାର ସୁବିଧା ଯୋଗାଇବାରେ ଭୂମିକା ନିର୍ବାହ କରିବେ। ଏବେ ଆମେ ବିକ୍ରି କରିବା ଉପରେ ଧ୍ୟାନ ଦେଉଛୁ।’’ ରାମନାଥପୁରମ୍ ଜିଲ୍ଲାରେ ସେ ଏକ ଜରୁରୀକାଳୀନ ହସ୍ତକ୍ଷେପର ଆବଶ୍ୟକତା ଦେଖିଲେ। ‘‘ଏଠାରୁ ବହୁ ବ୍ୟକ୍ତି ବୃତ୍ତି ଅନ୍ୱେଷଣରେ ଅନ୍ୟ ସ୍ଥାନକୁ ଚାଲି ଯାଉଛନ୍ତି,’’ ସେ ନିର୍ଦ୍ଦିଷ୍ଟ ଭାବରେ କହିଥିଲେ।

ସରକାରୀ ପରିସଂଖ୍ୟାନ ବି ତାଙ୍କ ବକ୍ତବ୍ୟକୁ ସମର୍ଥନ କରେ । ତାମିଲନାଡୁ ଗ୍ରାମୀଣ ରୂପାନ୍ତରଣ ପ୍ରକଳ୍ପ ପକ୍ଷରୁ ପ୍ରସ୍ତୁତ ରାମନାଥପୁରମ୍‌ ଜିଲ୍ଲା ସଂପର୍କିତ ବିଶ୍ଲେଷଣାତ୍ମକ ରିପୋର୍ଟ ରେ ଦର୍ଶାଯାଇଛି ଯେ ପ୍ରତି ବର୍ଷ ୩୦୦୦ରୁ ୫୦୦୦ ଚାଷୀ ଗାଁ ଛାଡ଼ି ଅନ୍ୟତ୍ର ପଳାଇ ଯାଆନ୍ତି । ଏଥିରେ ଆହୁରି ଉଲ୍ଲେଖ କରାଯାଇଛି ଯେ, ମଧ୍ୟସ୍ଥଙ୍କ ହସ୍ତକ୍ଷେପ, ଜଳସମ୍ପଦର ଅଭାବ, ମରୁଡ଼ି ଏବଂ ଶୀତଳ ଭଣ୍ଡାର ଅଭାବ ପ୍ରଭୃତି କାରଣ ହିଁ ଉତ୍ପାଦନ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରେ ।

ଗାନ୍ଧିରାସୁ କହନ୍ତି ଯେ, ପାଣି ହିଁ ମୂଳକଥା । “ଆପଣ କାବେରୀର ସମତଳ ଅଞ୍ଚଳ କିମ୍ବା ପଶ୍ଚିମ ତାମିଲନାଡୁକୁ ଯାଆନ୍ତୁ । ସେଠାରେ କ’ଣ ଦେଖନ୍ତି ?” ତାଙ୍କ କଥାର ପ୍ରଭାବ ଲକ୍ଷ୍ୟ କରିବାକୁ ସେ ଟିକେ ଅଟକି ଯାଆନ୍ତି । “ଅନେକ ବିଦ୍ୟୁତ ଖୁଣ୍ଟ । କାରଣ, ସେଠାରେ ଚାରିଆଡ଼େ ବୋର୍‌ୱେଲ ରହିଛି ।” ରାମନାଥପୁରମ୍‌ରେ ଖୁବ୍‌ କମ୍‌ ବୋର୍‌ୱେଲ ରହିଛି ବୋଲି ସେ କହନ୍ତି। ବର୍ଷା ପାଣିରେ ଜଳସେଚନର ସୁବିଧା ସୀମିତ। ପାଣିପାଗର ଅନିଶ୍ଚିତତା ଉପରେ ଏହା ନିର୍ଭର କରେ ।

Gandhirasu, Director, Mundu Chilli Growers Association, Ramanathapuram.
PHOTO • M. Palani Kumar
Sacks of red chillies in the government run cold storage yard
PHOTO • M. Palani Kumar

ବାମ : ଗାନ୍ଧିରାସୁ, ନିର୍ଦ୍ଦେଶକ, ମୁଣ୍ଡୁ ଲଙ୍କା ଚାଷୀ ସଂଘ, ରାମନାଥପୁରମ୍‌ । ଡାହାଣ : ସରକାରୀ ଶୀତଳ ଭଣ୍ଡାର ପ୍ରାଙ୍ଗଣରେ ପଡ଼ି ରହିଛି ବସ୍ତା ବସ୍ତା ନାଲି ଲଙ୍କା

ପୁଣି ଥରେ ତାଙ୍କ ବିବୃତିକୁ ସମର୍ଥନ କରେ ସରକାରୀ ହିସାବପତ୍ର- ଏଥର ଜିଲ୍ଲା ପରିସଂଖ୍ୟାନ ପୁସ୍ତିକା ରେ ପ୍ରଦତ୍ତ ହିସାବ । ରାମନାଥପୁରମ୍‌ ବିଦ୍ୟୁତ୍‌ ବିତରଣ କ୍ଷେତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୮ - ୧୯ ବର୍ଷରେ ଜିଲ୍ଲାରେ ୯ , ୨୪୮ଟି ପମ୍ପ୍‌ସେଟ୍‌ ରହିଥିଲା । ରାଜ୍ୟରେ ରହିଥିବା ୧୮ ଲକ୍ଷ ପମ୍ପସେଟ୍‌ ର ଏକ କ୍ଷୁଦ୍ର ଅଂଶ ମାତ୍ର ।

ହେଲେ, ରାମନାଥପୁରମ୍‌ର ବିଭିନ୍ନ ସମସ୍ୟାରେ ସେତେ ବେଶୀ ନୂଆକଥା ନାହିଁ । ଏଭ୍ରିବଡି ଲଭ୍‌ସ ଏ ଗୁଡ୍‌ ଡ୍ରାଉଟ୍‌ (୧୯୯୬ରେ ପ୍ରକାଶିତ) ବହିରେ ସାମ୍ବାଦିକ ପି.ସାଇନାଥ, ଖ୍ୟାତନାମା ଲେଖକ (ସ୍ୱର୍ଗତ) ମେଲାନମାଇ ପୋନ୍ନୁସ୍ୱାମୀଙ୍କ ସାକ୍ଷାତକାର ନେଇଥିଲେ । ସାଧାରଣ ଧାରଣାର ବିପରୀତ ଧାରାରେ ଜିଲ୍ଲାରେ କୃଷି ପାଇଁ ଉତ୍ତମ ସାମର୍ଥ୍ୟ ରହିଛି । ହେଲେ ଏଭଳି ଧାରଣାକୁ ନେଇ କିଏ ବା ଏ ଦିଗରେ କାମ କରିଛନ୍ତି କି ? ଆଗକୁ ସେ ଆହୁରି ଉଲ୍ଲେଖ କରନ୍ତି ଯେ, ରାମନାଡ଼ର ୮୦ ପ୍ରତିଶତରୁ ଅଧିକ ଜମି ମାଲିକଙ୍କ ପାଖରେ ଦୁଇ ଏକରରୁ କମ୍‌ ଜମି ରହିଛି ଏବଂ ଅନେକ କାରଣରୁ ସେସବୁ ଜମି ଅର୍ଥକରୀ ନୁହଁନ୍ତି । କାରଣ ତାଲିକାର ଶୀର୍ଷରେ ରହିଛି ଜଳସେଚନ ସୁବିଧାର ଅଭାବ ।

କୃଷି କ୍ଷେତ୍ରରେ ସାମର୍ଥ୍ୟ ସଂପର୍କରେ ସଠିକ୍‌ କଥା କହନ୍ତି ପୋନ୍ନୁସ୍ୱାମୀ । ୨୦୧୮-୧୯ରେ ରାମନାଥପୁରମ୍‌ ଜିଲ୍ଲା ରେ ୪,୪୨୬.୬୪ ମେଟ୍ରିକ୍‌ ଟନ୍‌ ଲଙ୍କା କାରବାର ହୋଇଥିଲା । ଯାହାର ମୂଲ୍ୟ ଥିଲା ୩୩.୬ କୋଟି ଟଙ୍କା । (ଅଧିକାଂଶ ଜଳସେଚିତ ଜମିରେ ଚାଷ କରାଯାଉଥିବା ଧାନ କାରବାର ହୋଇଥିଲା ମାତ୍ର ୧୫.୮ କୋଟି ଟଙ୍କାର ।)

ନିଜେ ଜଣେ ଚାଷୀଙ୍କ ପୁଅ ହୋଇଥିବାରୁ ଏବଂ ନିଜର ସ୍ନାତକୋତ୍ତର ଉପାଧି ପାଇଁ ପଢ଼ାପଢ଼ି କରୁଥିବା ସମୟରେ ବି ଚାଷବାସ କରୁଥିବା ଗାନ୍ଧିରାସୁ ଲଙ୍କା ଚାଷର ସମ୍ଭାବ୍ୟ ସୁଫଳକୁ ଭଲ ଭାବେ ଜାଣନ୍ତି । ତୁରନ୍ତ ସେ ଏହି ଚାଷର ଆର୍ଥିକ ଦିଗକୁ ବୁଝାଇ ଦିଅନ୍ତି । ସାଧାରଣତଃ ଜଣେ କ୍ଷୁଦ୍ର ଚାଷୀ ଗୋଟିଏ ଏକର ଜମିରେ ଲଙ୍କା ଚାଷ କରନ୍ତି । ଅମଳ ସମୟରେ ସେ କେତେକ ଶ୍ରମିକଙ୍କୁ କାମରେ ଲଗାନ୍ତି ଏବଂ ଅନ୍ୟ ସବୁ କାମ, ସାଧାରଣତଃ ତାଙ୍କ ପରିବାର ଲୋକେ ହିଁ ତୁଲାଇ ଦିଅନ୍ତି । ‘‘ ଗୋଟିଏ ଏକର ମୁଣ୍ଡୁ ଲଙ୍କା ଚାଷ କରିବାକୁ ହେଲେ ୨୫,୦୦୦ରୁ ୨୮,୦୦୦ ଟଙ୍କା ଯାଏ ଖର୍ଚ୍ଚ କରିବାକୁ ପଡ଼େ । ଧରି ନିଅନ୍ତୁ ଅମଳରେ ଆଉ ୨୦,୦୦୦ ଟଙ୍କା ଲାଗିବ । ତାହା ହେଲା, ୧୦ରୁ ୧୫ ଜଣ ଲୋକ ଚାରିଟି ପର୍ଯ୍ୟାୟରେ ଲଙ୍କା ତୋଳିବା ବାବଦ ଖର୍ଚ୍ଚ । ପ୍ରତି ଶ୍ରମିକ ଦିନକୁ ଗୋଟିଏ ବସ୍ତା ଲଙ୍କା ତୋଳିପାରିବେ । ଗହଳିଆ ଗଛ ହୋଇଥିଲେ ଅଧିକ ପରିଶ୍ରମ କରିବାକୁ ପଡ଼େ ବୋଲି ସେ ସୂଚାଇ ଦିଅନ୍ତି ।

ଲଙ୍କା ଗୋଟିଏ ଛଅମାସିଆ ଫସଲ । ଏହା ଅକ୍ଟୋବରରେ ବୁଣା ହୋଇଥାଏ ଏବଂ ଦୁଇ ଥର ବୋଗାମ୍‌ (ଅମଳ) ହୋଇଥାଏ। ପ୍ରଥମ ଥର ତାଇ ରେ, ତାମିଲ କ୍ୟାଲେଣ୍ଡର ହିସାବରେ ଜାନୁଆରୀ ମଧ୍ୟ ଭାଗରେ ଆରମ୍ଭ ହେଉଥିବା ମାସରେ, ଫଳ ତୋଳାହୁଏ । ଦ୍ୱିତୀୟ ଥର ଚିତ୍ତିରାଇ ରେ (ଏପ୍ରିଲ ମଧ୍ୟ ଭାଗରୁ ଆରମ୍ଭ) ଏହା ଶେଷ ହୁଏ । ୨୦୨୨ରେ ଅଦିନିଆ ବର୍ଷ ଯୋଗୁଁ ଚାଷବାସର ଏହି ଚକ୍ରରେ ବାଧା ଉପୁଜିଲା । ପ୍ରଥମ ଥର ରୁଆ ହୋଇଥିବା ଗଜା ମରିଗଲା, ଫୁଲ ଧରିବାରେ ଡେରି ହେଲା ଏବଂ କମ୍‌ ଫଳିଲା ।

ହେଲେ ଯୋଗାଣ କମ୍‌ ଥିବା ବେଳେ ଭଲ ଚାହିଦା ଥିବାରୁ ଅଧିକାଂଶ ବର୍ଷ ତୁଳନାରେ ଏ ବର୍ଷର ଦର ଭଲ ରହିଥିଲା । ବର୍ଷର ପ୍ରଥମ ଭାଗରେ, ଅର୍ଥାତ୍‌ ମାର୍ଚ୍ଚ ମାସ ଆରମ୍ଭରେ, ରାମନାଥପୁରମ୍‌ ଏବଂ ପାରାମାକୁଡ଼ି ବଜାରରେ ଯେତେବେଳେ ପ୍ରଥମ ଥର ପାଇଁ ଲଙ୍କା ବସ୍ତା ପହଞ୍ଚିଲା, ସେତେବେଳେ ଏହା କିଲୋ ପିଛା ୪୫୦ ଟଙ୍କା ଭଳି ଅସାଧାରଣ ଦରରେ ବିକ୍ରି ହେଲା ବୋଲି ଚାଷୀମାନଙ୍କ କଥାବାର୍ତ୍ତାରୁ ଜଣାପଡ଼େ। ଏହି ଦର କିଲୋ ପିଛା ୫୦୦ ଟଙ୍କାରେ ପହଞ୍ଚିବ ବୋଲି ମଧ୍ୟ ଚାଷୀମାନେ ଫୁସରଫାସର ହେଉଥିଲେ ।

Ambika plucks chillies and drops them in a paint bucket. Ramnad mundu, also known as sambhar chilli in Chennai, when ground makes puli kozhambu (a tangy tamarind gravy) thick and tasty
PHOTO • M. Palani Kumar

ଗଛରୁ ଲଙ୍କା ତୋଳି ଗୋଟିଏ ରଙ୍ଗିନ ବାଲ୍‌ଟିରେ ରଖନ୍ତି ଅମ୍ବିକା । ରାମନାଡ଼ ମୁଣ୍ଡୁ, ଚେନ୍ନାଇରେ ସମ୍ବର ଚିଲ୍ଲି ନାଁରେ ବି ପରିଚିତ ଏହି ଲଙ୍କା, ପୁଲି କୋଳମ୍ବୁ (ଖଟା ତେନ୍ତୁଳିର ଏକ ଝୋଳ)କୁ ବହଳିଆ ଓ ସ୍ୱାଦିଷ୍ଟ କରିଥାଏ

A lot of mundu chillies in the trader shop. The cultivation of chilli is hard because of high production costs, expensive harvesting and intensive labour
PHOTO • M. Palani Kumar

ବ୍ୟବସାୟୀଙ୍କ ଦୋକାନରେ ବହୁ ପରିମାଣର ମୁଣ୍ଡୁ ଲଙ୍କା । ଉତ୍ପାଦନ ବାବଦରେ ଅଧିକ ଖର୍ଚ୍ଚ, ଖର୍ଚ୍ଚବହୁଳ ଅମଳ ଏବଂ ବହୁ ପରିଶ୍ରମ କାରଣରୁ ଲଙ୍କାଚାଷ କଷ୍ଟକର ହୋଇପଡ଼ିଛି

ଏହି ସବୁ ସଂଖ୍ୟାକୁ ଗାନ୍ଧିରାସୁ ସୁନାମି ର ଆଖ୍ୟା ଦିଅନ୍ତି । ମୁଣ୍ଡୁ ଲଙ୍କାର ସ୍ୱାଭାବିକ ବଜାର ଦର କିଲୋ ପ୍ରତି ୧୨୦ ଟଙ୍କା ବୋଲି ସେ ନିର୍ଦ୍ଧାରଣ କରନ୍ତି । ତାଙ୍କ ମତରେ, ଗୋଟିଏ ଏକର ଜମିରେ ୧,୦୦୦ କିଲୋ ଲଙ୍କା ଅମଳ କରି ଜଣେ ଚାଷୀ ପ୍ରାୟ ୫୦,୦୦୦ ଟଙ୍କା ଲାଭ କରିପାରିବ । ଦୁଇ ବର୍ଷ ତଳେ , ଲଙ୍କାର ବଜାର ଦର କିଲୋ ପିଛା ୯୦ କିମ୍ବା ୧୦୦ ଟଙ୍କା ଥିଲା । ଆଜି ବେଶ୍‌ ଭଲ ଦର ମିଳୁଛି । କିନ୍ତୁ କିଲୋ ପିଛା ୩୫୦ ଟଙ୍କା ଦର ଉପରେ ଆମେ ଭରସା କରିପାରିବା ନାହିଁ । ଏହା ଏକ ବ୍ୟତିକ୍ରମ ।

ସେ କହନ୍ତି, ମୁଣ୍ଡୁ ଲଙ୍କା ଜିଲ୍ଲାର ଏକ ଲୋକପ୍ରିୟ ଫସଲ । ଏହାର ଅବିକଳ କ୍ଷୁଦ୍ର ଟମାଟୋ ଭଳି ଆକାର ସଂପର୍କରେ ବର୍ଣ୍ଣନା କରି ସେ କହନ୍ତି, ଏହା ମଧ୍ୟ ଏକ ବିଚିତ୍ର କିସମର ଲଙ୍କା । ଚେନ୍ନାଇରେ ରାମନାଡ଼ ମୁଣ୍ଡୁ ଲଙ୍କାକୁ ସମ୍ବର ଚିଲ୍ଲି ବୋଲି କୁହାଯାଏ । କାରଣ ଏହାର ଚୋପା ଖୁବ ମୋଟା ଏବଂ ଯଦି ଏହାକୁ ବାଟି ପକାଇ ଦିଆଯାଏ, ତେବେ ପୁଲି କୋ ମ୍ବୁ (ଖଟା ତେନ୍ତୁଳିରୁ ପ୍ରସ୍ତୁତ ଏକ ଝୋଳ) ବହଳିଆ ହୋଇଥାଏ । ଏବଂ ଏହାର ସ୍ୱାଦ ମଧ୍ୟ ଚମତ୍କାର ହେବ ।

ଭାରତରେ ଏବଂ ବିଦେଶରେ ମୁଣ୍ଡୁ ଲଙ୍କାର ଏକ ବିରାଟ ବଜାର ରହିଛି । ଏବଂ ଅନ୍‌ଲାଇନ୍‌ରେ ମଧ୍ୟ ଏହାର ଚାହିଦା ରହିଛି । ଅନ୍‌ଲାଇନ୍‌ରେ ଏକ ତ୍ୱରିତ ଅନୁସନ୍ଧାନରୁ ଜଣାଯାଏ ଯେ ମେ ମାସ ମଧ୍ୟଭାଗ ସୁଦ୍ଧା ଆମାଜନ୍‌ ରେ ମୁଣ୍ଡୁ ଲଙ୍କା କିଲୋ ପ୍ରତି ୭୯୯ ଟଙ୍କାର ଆଶ୍ଚର୍ଯ୍ୟଜନକ ଭାବେ ଚଢ଼ା ଦରରେ ବିକ୍ରି ହେଉଥିଲା । ଏହି ଦର ବି ୨୦ ପ୍ରତିଶତର ଏକ ଲୋଭନୀୟ ରିହାତି ଦେବା ପରେ ରହିଥିଲା ।

ଗାନ୍ଧିରାସୁ ସ୍ୱୀକାର କରନ୍ତି, ଆମେ ଜାଣିନୁ ଏଥିପାଇଁ କେଉଁ ପ୍ରକାରର ଉପାୟ ଦରକାର। ବଜାରରେ ବିକ୍ରି କରିବା ଏକ ସମସ୍ୟା। ଏହା ବ୍ୟତୀତ କୃଷକ ଉତ୍ପାଦନ ସଂଗଠନର ସମସ୍ତ ୧,୦୦୦ରୁ ଅଧିକ ସଦସ୍ୟ ସେମାନଙ୍କ ଫସଲକୁ ସଂଗଠନକୁ ବିକ୍ରି କରନ୍ତି । ଆମେ ସେମାନେ ଅମଳ କରିଥିବା ସବୁ ଲଙ୍କା କିଣି ନେବା ପାଇଁ ପାଣ୍ଠି ଯୋଗାଡ଼ କରିପାରିବୁନି କି ଏହାକୁ ସାଇତି ରଖିପାରିବୁ ନାହିଁ ।

ଭଲ ଦର ପାଇବା ଅପେକ୍ଷାରେ କୃଷକ ଉତ୍ପାଦକ ସଂଘ (FPO) ଲଙ୍କାକୁ ବେଶୀ ଦିନ ସାଇତି ରଖିବା କଷ୍ଟକର କାମ । କାରଣ ଅଧିକ ମାସ ଧରି ରଖିଲେ ଲଙ୍କା କଳା ପଡ଼ିଯାଏ ଏବଂ ଏଥିରୁ ପ୍ରସ୍ତୁତ ଗୁଣ୍ଡରେ ପୋକ ଲାଗିଯିବାର ଆଶଙ୍କା ଥାଏ । ରାମନାଥପୁରମ ସହରରୁ ୧୫ କିଲୋମିଟର ଦୂର ସରକାରୀ ଶୀତଳ ଭଣ୍ଡାର ପରିସରରେ ଚାଲି ଚାଲି ଆମେ ଏହାର ଅଗଣାରେ ଶୀତଳୀକୃତ ଭଣ୍ଡାର ବ୍ୟବସ୍ଥା ବୁଲି ଦେଖିଲୁ । ସେଠାରେ ପୂର୍ବ ବର୍ଷରେ ଆସିଥିବା ବସ୍ତା ବସ୍ତା ଲଙ୍କା ରହିଥିଲା । ଉଭୟ ବ୍ୟବସାୟୀ ଏବଂ ଉତ୍ପାଦକମାନଙ୍କୁ ଗୋଟିଏ ସ୍ଥାନକୁ ଆଣିବା ଲାଗି ପ୍ରଶାସନ ଚେଷ୍ଟା କରୁଥିଲେ ହେଁ ଚାଷୀମାନେ ଦ୍ୱିଧାବୋଧ କରୁଥିଲେ । ଶୀତଳ ଭଣ୍ଡାର ଯାଏ ସେମାନଙ୍କ ଫସଲକୁ ନେବା ଆଣିବା ପାଇଁ ପରିବହନ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ନେଇ ସେମାନେ ଅନିଶ୍ଚିତ ଥିଲେ ।

ପାରମ୍ପରିକ କୀଟ ନିୟନ୍ତ୍ରଣ ପ୍ରଣାଳୀରେ ଲଙ୍କା ଫସଲ ଲାଗି ଚେଷ୍ଟା କରିବାକୁ କୃଷକ ଉତ୍ପାଦକ ସଂଘ (FPO) ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି । ସାଧାରଣତଃ ଏ ଅଞ୍ଚଳରେ ଲଙ୍କା କ୍ଷେତ ଚାରିପଟେ ଆମାନାକ୍କୁ (ଗବ) ଗଛ ଲଗାଯାଏ । କାରଣ ଏହା ମେଲହାଇ ଉପରେ ଆକ୍ରମଣ ଲାଗି ଆସିଥିବା କୌଣସି କୀଟକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଏହା ସାଙ୍ଗକୁ ଗବ ଗଛ ଗୋଟିଏ ବଡ଼ ଗଛ ହୋଇଥିବାରୁ ଏହା ଛୋଟ ଛୋଟ ପକ୍ଷୀମାନଙ୍କୁ ବି ଆକୃଷ୍ଟ କରେ । ପକ୍ଷୀମାନେ ବି କୀଟପତଙ୍ଗଙ୍କୁ ଖାଇ ଦିଅନ୍ତି । ଏହା ଏକ ଉୟିରଭେଲ୍ଲି , ବା ଜୀବନ୍ତ ବାଡ଼ ସଦୃଶ ।

Changing rain patterns affect the harvest. Damaged chillies turn white and fall down
PHOTO • M. Palani Kumar

ବୃଷ୍ଟିପାତର ପରିବର୍ତ୍ତିତ ଧାରା ଯୋଗୁଁ ଫସଲ ଅମଳ ପ୍ରଭାବିତ ହୁଏ । ନଷ୍ଟ ହୋଇଥିବା ଲଙ୍କାର ରଙ୍ଗ ଧଳା ହୋଇଯାଏ ଏବଂ ଏହା ତଳେ ପଡ଼ିଯାଏ

A dried up chilli plant and the cracked earth of Ramanathapuram
PHOTO • M. Palani Kumar

ରାମନାଥପୁରମ୍‌ରେ ଶୁଖିଯାଇଥିବା ଏକ ଲଙ୍କା ଗଛ ଏବଂ ଫାଟି ଯାଇଥିବା ଜମି

ଲଙ୍କା କ୍ଷେତ ଚାରିପଟ ସୀମାରେ ତାଙ୍କ ମାଆ ଆମାନାକ୍କୁ ଏବଂ ଆଗାତି (ଅଗସ୍ତି ଗଛ ନାମରେ ପରିଚିତ ଏକ ପ୍ରକାରର ଲୋକପ୍ରିୟ ଶାଗ ଗଛ) ଲଗାଉଥିଲେ ବୋଲି ତାଙ୍କର ମନେ ଅଛି । “ସେ ଲଙ୍କା ଗଛ ଦେଖାରଖା କରିବାକୁ ଯିବା ବେଳେ ଆମ ଛେଳିମାନେ ବି ତାଙ୍କ ପଛେ ପଛେ ଯାଆନ୍ତି । ସେ ସେମାନଙ୍କୁ ଗୋଟିଏ ପଟେ ବାନ୍ଧି ଦେଇ ଆଗା ତି ଏବଂ ଆମାନୁକ୍କୁ ଗଛର ପତ୍ର ଖାଇବାକୁ ଦିଅନ୍ତି । କେବଳ ସେତିକି ନୁହେଁ । ଯଦି ମେଲହାଇ ଏକ ବୃହତ୍‌ ଫସଲ, ତେବେ ଆମାନାକ୍କୁ ଏକ କ୍ଷୁଦ୍ର ଫସଲ ରୂପେ ବିବେଚିତ ହେଉଥିଲା । ମୋ ବାପା ଲଙ୍କା ଅମଳ କରି ଟଙ୍କା ରୋଜଗାର କରନ୍ତି । ମୋ ମାଆ ଗବ ଫସଲରୁ ମିଳୁଥିବା ଟଙ୍କା ରଖନ୍ତି ।”

ଅତୀତରୁ ମିଳୁଥିବା ଶିକ୍ଷା ବ୍ୟତୀତ ଗାନ୍ଧିରାସୁ ଭବିଷ୍ୟତ ଉପରେ ଲକ୍ଷ୍ୟ ରଖନ୍ତି ଏବଂ ବିଜ୍ଞାନର ସହାୟତା ନିଅନ୍ତି । ସେ କହନ୍ତି, “ରାମନାଥପୁରମ୍‌ରେ, ବିଶେଷତଃ ମୁଦୁକୁଲାତୁରରେ ଏକ ଲଙ୍କା ଗବେଷଣା କେନ୍ଦ୍ର ସ୍ଥାପନ କରିବା ଦରକାର’’ । ‘‘ଧାନ, କଦଳୀ, ଅଳେଇଚ, ହଳଦୀ- ଏସବୁ ଫସଲ ପାଇଁ ଗବେଷଣା କେନ୍ଦ୍ର ରହିଛି । ଆପଣଙ୍କ ପାଖରେ ସ୍କୁଲ କି କଲେଜ ଥିଲେ ଯାଇ ଆପଣ ପିଲାମାନଙ୍କୁ ଶିକ୍ଷାଲାଭ କରିବାକୁ ପଠେଇ ପାରିବେ । ସେହିଭଳି ଗବେଷଣା କେନ୍ଦ୍ରଟିଏ ଥିଲେ ହିଁ ସମସ୍ୟା ସଂପର୍କରେ ଅବଗତ ହୋଇପାରିବେ ଏବଂ ସମାଧାନର ବାଟ ଖୋଜିପାରିବେ । ତା’ପରେ ହିଁ ଲଙ୍କା ‘ପରବର୍ତ୍ତୀ ସ୍ତର’କୁ ଯାଇପାରିବ ।”

ବର୍ତ୍ତମାନ ମୁଣ୍ଡୁ କିସମର ଲଙ୍କାକୁ ଭୌଗୋଳିକ ସଂକେତ ସ୍ୱୀକୃତି ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ ଟ୍ୟାଗ୍‌ ପ୍ରଦାନ ଦିଗରେ କୃଷକ ଉତ୍ପାଦକ ସଂଘ (FPO) କାର୍ଯ୍ୟ କରୁଛି । “ଏହି ଲଙ୍କାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ସଂପର୍କରେ ଆଲୋଚନା ହେବା ଦରକାର । ହୁଏତ ଏ ସଂପର୍କରେ ଏକ ବହି ପ୍ରକାଶନର ଆବଶ୍ୟକତା ରହିଛି ।”

କୃଷି ଉତ୍ପାଦନ କ୍ଷେତ୍ରରେ ସମସ୍ୟା ସମୂହର ବହୁଚର୍ଚ୍ଚିତ ସମାଧାନ ଏବଂ ଗୁଣମାନରେ ଅଭିବୃଦ୍ଧି ପ୍ରସଙ୍ଗ ହୁଏତ ଲଙ୍କା କ୍ଷେତ୍ରରେ କାମରେ ଲାଗି ନପାରେ । ଗାନ୍ଧିରାସୁ କହନ୍ତି, ପ୍ରତିଟି ଲୋକ ପାଖରେ ୫୦ କିମ୍ବା ୬୦ ବସ୍ତା ଲଙ୍କା ଅଛି । ସେଥିରେ ସେମାନେ କ ଣ କରିପାରିବେ ? ଏମିତି କି FPO ବି ସାମୂହିକ ଭାବେ ମସଲା କମ୍ପାନୀଗୁଡ଼ିକ ସହିତ ପ୍ରତିଯୋଗିତା କରିପାରିବନି କି ସେମାନଙ୍କ ତୁଳନାରେ ଶସ୍ତା ଦରରେ ଲଙ୍କାଗୁଣ୍ଡ ବିକ୍ରି କରିପାରିବନି । ତା ସହିତ ସେମାନଙ୍କର ବଜାର ଓ ବିଜ୍ଞାପନ ବାବଦ ବଜେଟ୍‌ କୋଟି କୋଟି ଟଙ୍କାର ହୋଇଥାଏ।

ଗାନ୍ଧିରାସୁ କହନ୍ତି, ହେଲେ , ଭବିଷ୍ୟତରେ ମୁଖ୍ୟ ସମସ୍ୟା ହେବ ଜଳବାୟୁ ପରିବର୍ତ୍ତନ ।

ଏହାର ମୁକାବିଲା ଲାଗି ଆମେ କ ଣ କରୁଛୁ? ସେ ପଚାରନ୍ତି। ତିନି ଦିନ ତଳେ ଏଠି ଝଡ଼ ଆଶଙ୍କା ସୃଷ୍ଟି ହୋଇଥିଲା। ମାର୍ଚ୍ଚ ମାସରେ ଝଡ଼ କଥା ମୁଁ ଆଗରୁ କେବେ ଶୁଣି ନଥିଲି ! ଖୁବ୍‌ ଅଧିକ ପାଣିରେ ଲଙ୍କାଗଛ ମରିଯିବ। ଚାଷୀମାନଙ୍କୁ ଏଭଳି ସ୍ଥିତିକୁ ଆପଣେଇ ନେବା ଲାଗି ଉପାୟ ଖୋଜିବାକୁ ପଡ଼ିବ।

*****

ମହିଳାମାନେ ସେମାନଙ୍କ ଆବଶ୍ୟକତା ଅନୁସାରେ , ଯେତିକି ଦରକାର ସେତିକି - କିମ୍ବା ଯେତେ କମ୍‌ ହୋଇପାରିବ ସେତିକି-ଋଣ କରନ୍ତି। ପାଠପଢ଼ା, ବିବାହ, ସନ୍ତାନ ପ୍ରସବ- ଏସବୁ ପାଇଁ ଋଣ ଦେବାକୁ ଆମେ କେବେ ବି ମନା କରିବୁନି। ଏମିତି କି ଚାଷବାସ ତା ପରର କଥା।
ଜେ.ଆଡ଼େକାଲାସେଲ୍‌ଭି, ଲଙ୍କାଚାଷୀ ଏବଂ ସ୍ୱୟଂସହାୟକ ଗୋଷ୍ଠୀ ନେତ୍ରୀ ପି. ମୁଥୁବିଜୟପୁରମ୍‌, ରାମନାଥପୁରମ୍‌

ଆପଣ ଗଛ ଉପାାଡ଼ି ଦେବେ ବୋଲି ଭୟ କରୁଛନ୍ତି ନା? ଏହା କହି ହସନ୍ତି ଆଡ଼େକାଲାସେଲ୍‌ଭି । ସେ ମୋତେ ତାଙ୍କ ପଡ଼ୋଶୀଙ୍କ କ୍ଷେତରେ କାମରେ ଲଗାଇ ଦେଇଛନ୍ତି । ଆଗରୁ ସେ କହିଥିଲେ ଯେ ତାଙ୍କ ପାଖରେ ଲୋକ ଅଭାବ ଅଛନ୍ତି ଏବଂ ତାଙ୍କୁ କିଛି ଅଧିକ ସହାୟତା ଦରକାର । ମୋତେ ଧନ୍ୟବାଦ ଦେଇଥିବା କଥାକୁ ନେଇ ଖୁବ୍‌ ଶୀଘ୍ର ପଶ୍ଚାତାପ କରନ୍ତି ସେ । କାରଣ, ମୋ ଦ୍ୱାରା ଏ କାମ ହେବନି ବୋଲି ସେ ଜାଣିପାରନ୍ତି । ତେଣେ, ଆଡ଼େକାଲାସେଲ୍‌ଭି ଗୋଟିଏ ବାଲ୍‌ଟି ଉଠାଇ ନିଅନ୍ତି ଏବଂ ତାଙ୍କର ତୃତୀୟ ଲଙ୍କା ଗଛରୁ ଲଙ୍କା ତୋଳିବାରେ ଲାଗନ୍ତି । ମୁଁ ପ୍ରଥମ ଗଛ ପାଖରେ ବସେ ଏବଂ ସେଥିରୁ ଗୋଟିଏ ବଡ଼ ଲଙ୍କା ଛିଣ୍ଡାଏ । ଲଙ୍କାର ଡେମ୍ଫ ବେଶ୍‌ ମୋଟା ଓ ଶକ୍ତ । ଆମ ଘରେ ମୋ ଅଞ୍ଜାଲାପେଟ୍ଟିରେ (ମସଲା ବାକ୍‌ସ) ଥିବା ଏବଂ ସହଜରେ ଭାଙ୍ଗି ଯାଉଥିବା ଶୁଖିଲା ଲଙ୍କାର ଡେମ୍ଫ ଭଳି ଆଦୌ ନୁହେଁ । ଏବଂ ମୁଁ ଏଠି ଲଙ୍କା ଗଛର ଶାଖା ଭାଙ୍ଗିଦେବି ବୋଲି ଚିନ୍ତାରେ ପଡ଼ିଥିଲି ।

Adaikalaselvi adjusting her head towel and working in her chilli field
PHOTO • M. Palani Kumar

ନିଜ ଲଙ୍କା କ୍ଷେତରେ କାମ କରିବା ବେଳେ ମୁଣ୍ଡର ତଉଲିଆକୁ ସଜାଡ଼ି ନେଉଛନ୍ତି ଆଡ଼େକାଲାସେଲ୍‌ଭି

ମୋ କାମ ଦେଖିବା ଲାଗି ଚାରିପଟେ କେତେକ ମହିଳା ରୁଣ୍ଡ ହୁଅନ୍ତି । ପଡ଼ୋଶୀ ଜଣକ ମୁଣ୍ଡ ହଲାନ୍ତି । ମୋତେ ଉତ୍ସାହିତ କରିବା ଲାଗି ପାଟି କରନ୍ତି ଆଡ଼େକାଲାସେଲ୍‌ଭି । ତାଙ୍କ ବାଲ୍‌ଟି ଭର୍ତ୍ତି ହୋଇଆସିଲାଣି ସିନା ମୋ ହାତ ପାପୁଲିରେ ପ୍ରାୟ ଆଠଟି ଲାଲ ଫଳ ରହିଛି । ତାଙ୍କ ପଡ଼ୋଶୀ କହନ୍ତି, “ସେଲ୍‌ଭିକୁ ଆପଣ ସାଙ୍ଗରେ ଚେନ୍ନାଇକୁ ନେଇ ଯିବା କଥା । ସେ କ୍ଷେତ ସମ୍ଭାଳି ପାରେ ଏବଂ ସେ ଅଫିସ୍‌ ବି ସମ୍ଭାଳି ପାରିବ ।” ସେ ମୋତେ କାମ ଦେବାକୁ ରାଜି ହୁଅନ୍ତିନି । ସ୍ପଷ୍ଟତଃ ମୁଁ ମୋ କାମରେ ବିଫଳ ହୋଇସାରିଥିଲି ।

ନିଜ ଘରେ ଗୋଟିଏ ଅଫିସ୍‌ ସମ୍ଭାଳନ୍ତି ଆଡ଼େକାଲାସେଲ୍‌ଭି । କୃଷକ ଉତ୍ପାଦକ ସଂଘ (FPO) ଦ୍ୱାରା ସ୍ଥାପିତ ଏହି ଅଫିସ୍‌ରେ ଗୋଟିଏ କମ୍ପ୍ୟୁଟର ଏବଂ ଗୋଟିଏ ଜେରକ୍ସ ମେସିନ୍‌ ରହିଛି । ତାଙ୍କ କାମ ହେଲା ଲୋକଙ୍କ କାଗଜପତ୍ରର ଫଟୋକପି କରିବା ଏବଂ ଜମି ପଟ୍ଟା (ଜମିର ମାଲିକାନା ଦଲିଲ) ପାଇବାରେ ସେମାନଙ୍କୁ ସାହାଯ୍ୟ କରିବା । “ମୋ ପାଖରେ ଆଉ କିଛି ଅଧିକ କରିବାକୁ ବେଳ ନାହିଁ । ଏହା ସହିତ ମୋ ଛେଳି ଓ କୁକୁଡ଼ାମାନଙ୍କର ବି ଦେଖାରଖା କାମ ରହିଛି ।”

ତାଙ୍କର ଅନେକ ଦାୟିତ୍ୱ ଭିତରୁ ଗୋଟିଏ ହେଉଛି ମାଗାଲିର ମନ୍ଦ୍ରମ୍‌ ବା ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପରିଚାଳନା କାର୍ଯ୍ୟ । ଗୋଷ୍ଠୀରେ ଗାଁର ଷାଠିଏ ଜଣ ମହିଳା ଅଛନ୍ତି ଏବଂ ସେମାନଙ୍କ ପାଞ୍ଚଟି ଦଳରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଦଳରେ ଦୁଇ ଜଣ ଲେଖାଏଁ ଥାଲାଇଭି (ନେତା) ଅଛନ୍ତି । ଏଭଳି ଦଶ ଜଣ ନେତାଙ୍କ ମଧ୍ୟରୁ ଆଡ଼େକାଲାସେଲ୍‌ଭି ଜଣେ । ନେତାମାନଙ୍କ ଦାୟିତ୍ୱରୁ ଗୋଟିଏ ହେଲା ଅର୍ଥ ସଂଗ୍ରହ ଏବଂ ବିତରଣ । ଲୋକେ ଏତେ ଚଢ଼ା ସୁଧହାରରେ ଋଣ ନିଅନ୍ତି- ରେଣ୍ଡୁ ବାଟ୍ଟି, ଅଞ୍ଜୁ ବାଟ୍ଟି (ବର୍ଷକୁ ୨୪ରୁ ୬୦ ପ୍ରତିଶତ) ସୁଧ ହାରରେ । ଆମ ମାଗାଲିର ମନ୍ଦ୍ରମ୍‌ ରେ ସୁଧହାର ହେଉଛି ଓରୁ ବାଟ୍ଟି - ପ୍ରତି ଲକ୍ଷେ ଟଙ୍କାରେ ୧,୦୦୦ ଟଙ୍କା । ଅର୍ଥାତ୍‌ ବର୍ଷକୁ ପ୍ରାୟ ୧୨ ପ୍ରତିଶତ । ହେଲେ ଆମେ ସଂଗ୍ରହ କରିଥିବା ପୂରା ଟଙ୍କା ଜଣେ ବ୍ୟକ୍ତିଙ୍କୁ ଦେଉନାହିଁ । ଏଠାରେ ସମସ୍ତେ ଜଣେ ଜଣେ କ୍ଷୁଦ୍ରଚାଷୀ ଏବଂ ବିଭିନ୍ନ ସମସ୍ୟାରୁ ମୁକୁଳିବା ପାଇଁ ସମସ୍ତେ କିଛି ନା କିଛି ଅର୍ଥ ଦରକାର କରନ୍ତି । ଠିକ୍‌ କଥା ନୁହେଁ କି ?

ମହିଳାମାନେ ଯେତିକି ଦରକାର ସେତିକି, କିମ୍ବା ଯେତେ କମ୍‌ ସମ୍ଭବ ସେତିକି, ଋଣ କରନ୍ତି । ସେମାନଙ୍କ ପ୍ରାଥମିକତାକୁ ଆଖିରେ ରଖି ସେ ବୁଝାଇ ଦିଅନ୍ତି. ପାଠପଢ଼ା, ବିବାହ, ସନ୍ତାନ ପ୍ରସବ- ଏସବୁ ପାଇଁ ଋଣ ଦେବାକୁ ଆମେ କେବେହେଲେ ନାହିଁ କରିବୁନି । ଏମିତି କି ଚାଷବାସ ବି ତା ପର କଥା ।

ଋଣ ପରିଶୋଧ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି ଆଡ଼େକାଲାସେଲ୍‌ଭି । “ପୂର୍ବରୁ ଏମିତି ହେଉଥିଲା ଯେ ଋଣ ନେଇଥିବା ବ୍ୟକ୍ତିଙ୍କୁ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଶୁଝିବାକୁ ପଡୁଥିଲା । ମୁଁ ସେମାନଙ୍କୁ କହିଲି, ଆମେ ସମସ୍ତେ ଚାଷୀ । କେତେକ ମାସରେ ଆମ ପାଖରେ ଆଦୌ ପଇସା ନଥାଏ ଏବଂ କେବଳ ଅମଳ ଫସଲ ବିକିବା ପରେ ଆମ ପାଖରେ ଯାହା ପଇସାପତ୍ର ଥାଏ । ତେଣୁ ଲୋକେ ଯେତେବେଳେ ଦେଇପାରିବେ ସେତେବେଳେ ଟଙ୍କା ପରିଶୋଧ କରନ୍ତୁ । ଏଥିରୁ ସମସ୍ତେ ଫାଇଦା ପାଇବେ, ନୁହେଁ କି ?” ଏହା ସମ୍ମିଳିତ ବ୍ୟାଙ୍କ୍‌ ପରିଚାଳନାରେ ଏକ ଶିକ୍ଷଣୀୟ ବିଷୟ । ଯେଉଁଥିରେ ସ୍ଥାନୀୟ ଏବଂ ଉଜ୍ଜୀବିତ ବାସ୍ତବତା ସ୍ୱୀକୃତ ହୁଏ ।

Adaikalaselvi, is among the ten women leaders running  women’s self-help groups. She is bringing about changes in loan repayment patterns that benefit women
PHOTO • M. Palani Kumar

ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପରିଚାଳନା କରୁଥିବା ଦଶ ଜଣ ନେତାଙ୍କ ମଧ୍ୟରୁ ଆ ଡେ କାଲାସେଲଭି ଜଣେ । ସେ ମହିଳାଙ୍କ କ୍ଷେତ୍ରରେ ପ୍ରଚଳିତ ଋଣ ପରିଶୋଧ ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି ଯାହା ଦ୍ୱାରା ମହିଳାମାନଙ୍କର ହିଁ ଫାଇଦା ହେବ

୩୦ ବର୍ଷ ତଳେ, ତାଙ୍କ ବିବାହ ପୂର୍ବରୁ ବି ଗାଁରେ ରହିଥିବା ମାଗାଲିର ମନ୍ଦ୍ରମ୍‌ ଗାଁର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିଲା। ମାର୍ଚ୍ଚ ମାସରେ, ଆମ ଗସ୍ତର ପରବର୍ତ୍ତୀ ସପ୍ତାହାନ୍ତରେ ସେମାନେ ଗାଁରେ ମହିଳା ଦିବସ ପାଳନ କରିବାକୁ ଯୋଜନା କଲେ। ଅଳ୍ପ ହସି ସେ କହନ୍ତି, ରବିବାର ଦିନ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ପରେ ଆମେ କେକ୍‌ ବଣ୍ଟନ କରିବୁ। ସେମାନେ ବର୍ଷା ପାଇଁ ମଧ୍ୟ ପ୍ରାର୍ଥନା ସଭା କରନ୍ତି, ପୋଙ୍ଗଲ ପାଳନ କରନ୍ତି ଏବଂ ସମସ୍ତଙ୍କୁ ଖାଦ୍ୟ ପରଷି ଦିଅନ୍ତି।

ଆଡ଼େକାଲାସେଲ୍‌ଭି ନିର୍ଭୀକ ଏବଂ ସ୍ପଷ୍ଟ ସ୍ୱରରେ କଥା କହୁଥିବାରୁ, ମଦ ପିଇବାର ଅଭ୍ୟାସ ଥିବା କିମ୍ବା ସ୍ତ୍ରୀଙ୍କୁ ଗାଳିଗୁଲଜ କରୁଥିବା ପୁରୁଷମାନଙ୍କୁ ସେ ଉପଦେଶ ବି ଦିଅନ୍ତି । ଅନ୍ୟ ମହିଳାଙ୍କ ପାଇଁ ସେ ପ୍ରେରଣାର ପ୍ରତୀକ। ସେ ବାଇକ୍‌ ଚଲାନ୍ତି, ଏବଂ ବର୍ଷ ବର୍ଷ ହେଲା ନିଜ ଜମି କଥା ନିଜେ ହିଁ ବୁଝିଆସୁଛନ୍ତି। “ଗାଁର ସବୁ ଯୁବତୀ ବୁଦ୍ଧିମତୀ, ସେମାନେ ବାଇକ୍‌ ଚଲାନ୍ତି, ସେମାନେ ସମସ୍ତେ ଉଚ୍ଚଶିକ୍ଷିତା।” “କିନ୍ତୁ, ସେମାନଙ୍କ ପାଇଁ ଚାକିରି କାହିଁ ?” ଶାଣିତ ସ୍ୱରରେ ସେ ପଚାରନ୍ତି ।

ଏବେ ତାଙ୍କ ସ୍ୱାମୀ ଘରକୁ ଫେରିଆସିଥିବାରୁ ସେ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି । ଏବଂ ସେ ଖାଲି ସମୟରେ ଅନ୍ୟ କେତେକ କାମ କରନ୍ତି । ଯେମିତି କି ସେ ନିଜେ ଚାଷ କରୁଥିବା କପା ସଂପର୍କିତ କାମ। ଗତ ଦଶ ବର୍ଷ ହେଲା ମୁଁ କପାରୁ ମଞ୍ଜି ବାହାର କରି ଏହାକୁ ଅଲଗା ଅଲଗା ବିକ୍ରି କରିଆସୁଛି । ଏହା କିଲୋଗ୍ରାମକୁ ୧୦୦ ଟଙ୍କାରେ ବିକ୍ରି ହୁଏ । ଅନେକ ଲୋକ ମୋ ପାଖରୁ କପାମଞ୍ଜି କିଣନ୍ତି । କାରଣ ଏଥିରୁ ଖୁବ୍‌ ଭଲ ଗଜା ବାହାରେ । ଗତ ବର୍ଷ, ମୁଁ ଭାବୁଛି ମୁଁ ୧୫୦ କିଲୋଗ୍ରାମ ମଞ୍ଜି ବିକିଥିଲି । ସେ ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଖୋଲନ୍ତି ଏବଂ ଯାଦୁକର ମୁଣାରୁ ଠେକୁଆ ବାହାର କରିବା ଭଳି ସେଥିରୁ ତିନିଟି ଭିନ୍ନ ଭିନ୍ନ କିସମର କପା ମଞ୍ଜି ଥିବା ପ୍ୟାକେଟ୍‌ ବାହାର କରି ମୋତେ ଦେଖାନ୍ତି । ଏହା ତାଙ୍କ ପାଇଁ ଆଉ ଏକ ସଫଳତା ଏବଂ ଜଣେ ମଞ୍ଜି ସଂରକ୍ଷକ ହିସାବରେ ସେ ଏହାର ଶ୍ରେୟ ନିଅନ୍ତି ।

ମେ ମାସ ଶେଷ ଭାଗ ସୁଦ୍ଧା ତାଙ୍କ ଲଙ୍କା ଅମଳ ହୋଇସାରିଥାଏ ଏବଂ ଆମେ ଏ ଋତୁର ଅମଳ ସଂପର୍କରେ ଫୋନ୍‌ରେ କଥାବାର୍ତ୍ତା କରୁ । ସେ ମୋତେ କହନ୍ତି, କିଲୋ ପିଛା ଲଙ୍କା ଦର ୩୦୦ରୁ ୧୨୦ ଟଙ୍କାକୁ ଖସି ଆସିଛି । ଏଥର ସେ ଗୋଟିଏ ଏକର ଜମିରୁ ମାତ୍ର ୨୦୦ କିଲୋ ଲଙ୍କା ପାଇଛନ୍ତି । ଏବଂ ଏହାକୁ ବିକିବା ଲାଗି ୮ ପ୍ରତିଶତ କମିଶନ ବି ଦେଇଛନ୍ତି , ତା ସହିତ ପ୍ରତି ୨୦ କିଲୋରେ ୧ କିଲୋର କ୍ଷତି ସହିଛନ୍ତି । କାରଣ, ବ୍ୟବସାୟୀମାନେ ୨୦୦ ଗ୍ରାମ ବସ୍ତାରେ ୮୦୦ ଗ୍ରାମ କାଟି ହିସାବ କରିଛନ୍ତି । ଏବର୍ଷ ବି ସେ ଭଲ ରୋଜଗାର କରିଛନ୍ତି କାରଣ, ଦରଦାମ ଏତେ ବେଶୀ ଖରାପ ନଥିଲା । କିନ୍ତୁ, ବର୍ଷା ଯୋଗୁଁ ଗଛଗୁଡ଼ିକ ନଷ୍ଟ ହୋଇଗଲା ଏବଂ ତାଙ୍କର ଅମଳ କମିଗଲା ବୋଲି ସେ କହନ୍ତି ।

ଜଣେ ଚାଷୀଙ୍କ ପାଇଁ କାମର ବୋଝ କେବେ ବି ହାଲୁକା ହୁଏନାହିଁ । ଏମିତି କି ଲଙ୍କା ଭଳି ଛୋଟିଆ ଚାଷରେ ବି ଲଙ୍କା ତୋଳିବାକୁ ହୁଏ, ଶୁଖାଇ, ବସ୍ତାରେ ପୂରାଇ ବିକିବାକୁ ହୁଏ । ଏବଂ ଆଡ଼େକାଲାସେଲ୍‌ଭି ଏବଂ ତାଙ୍କ ସାଥୀମାନଙ୍କର ପରିଶ୍ରମର ସ୍ୱାଦ ବାରିହୁଏ ପ୍ରତିଟି ଚାମଚ ସମ୍ବରରୁ... ।

ଏହି ଲେଖା ପ୍ରସ୍ତୁତିରେ ସହାୟତା ନିମନ୍ତେ ରାମନାଡ଼ ମୁଣ୍ଡୁ ଚିଲ୍ଲି ପ୍ରଡକ୍‌ସନ କମ୍ପାନୀର କେ. ଶିବକୁମାର ଏବଂ ବି. ସୁଗୁଣାଙ୍କୁ ଏହି ରିପୋର୍ଟର ଧନ୍ୟବାଦ ଦେବାକୁ ଚାହାଁନ୍ତି ।

ଏହି ଅନୁସନ୍ଧାନ ଅଧ୍ୟୟନ ଆଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହାର ଅନୁସନ୍ଧାନ ପାଣ୍ଠି କାର୍ଯ୍ୟକ୍ରମ ୨୦୨୦ ର ଏକ ଅଂଶ ଭାବରେ ଅନୁଦାନ ପ୍ରାପ୍ତ

ପ୍ରଚ୍ଛଦ ଫଟୋ : ଏମ . ପାଲାନି କୁମାର

ଅନୁବାଦ : ଓଡ଼ିଶାଲାଇଭ୍

Aparna Karthikeyan

Aparna Karthikeyan is an independent journalist, author and Senior Fellow, PARI. Her non-fiction book 'Nine Rupees an Hour' documents the disappearing livelihoods of Tamil Nadu. She has written five books for children. Aparna lives in Chennai with her family and dogs.

Other stories by Aparna Karthikeyan
Photographs : M. Palani Kumar

M. Palani Kumar is Staff Photographer at People's Archive of Rural India. He is interested in documenting the lives of working-class women and marginalised people. Palani has received the Amplify grant in 2021, and Samyak Drishti and Photo South Asia Grant in 2020. He received the first Dayanita Singh-PARI Documentary Photography Award in 2022. Palani was also the cinematographer of ‘Kakoos' (Toilet), a Tamil-language documentary exposing the practice of manual scavenging in Tamil Nadu.

Other stories by M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE