ନାଗି ରେଡ୍ଡୀ ତାମିଲନାଡ଼ୁରେ ରୁହନ୍ତି। ସେ କନ୍ନଡ଼ କହିପାରନ୍ତି ଓ ତେଲୁଗୁ ଭାଷା ପଢ଼ିପାରନ୍ତି। ଡିସେମ୍ବର ମାସର ପ୍ରାରମ୍ଭରେ ଦିନେ ସକାଳୁ, ଆମେ ଚାଲି ଚାଲି ତାଙ୍କୁ ଭେଟିବା ପାଇଁ ଯାଇଥିଲୁ। ତାଙ୍କ ଘର ବିଷୟରେ, ସେ ଆମକୁ ହାଲୁକା ଭାବେ କହିଥିଲେ, ‘‘ଏଇ ସେଇଠି’’। ବାସ୍ତବରେ ତାହା ଜଳପୂର୍ଣ୍ଣ ଝରଣାକୁ ଲାଗି କରି ରହିଥିଲା। ବଡ଼ ତେନ୍ତୁଳି ଗଛ ପାଖରେ ଥିଲା। ୟୁକାଲିପଟାସ ଗଛର ପାହାଡ଼ ଉପରେ ଏବଂ ଆମ୍ବ ବଗିଚା ତଳେ ସେଇ ଘର ଥିଲା। ଘର ପାଖରେ ଏକ କୁକୁର ଜଗିଥିଲା, କୁକୁର ଛୁଆମାନେ ଚିଲ୍ଲାଉଥିଲେ ଏବଂ ଗାଈ ଗୁହାଳଟିଏ ଥିଲା।

ନାଗି ରେଡ୍ଡୀଙ୍କର ଦେଶର ଅନ୍ୟ ଚାଷୀମାନଙ୍କ ଭଳି ବିଭିନ୍ନ ସମସ୍ୟା ଓ ଚିନ୍ତା ରହିଛି, ତା’ଛଡ଼ା ସେ ଯେଉଁ ଫସଲ ଅମଳ କରୁଛନ୍ତି, ସେଥିରେ ହେଉଥିବା ପରିବର୍ତ୍ତନ ମଧ୍ୟ ତାଙ୍କୁ ବିବ୍ରତ କରିଥାଏ । ତିନୋଟି କଠୋର ଏବଂ ଭୟାଳୁ ଚରିତ୍ର : ମୋଟ୍ଟେ ଭାଲ୍‌, ମକାନା ଏବଂ ଗିରିଙ୍କଠାରୁ ବିପଦର ସମ୍ମୁଖିନ ହେବାକୁ ପଡ଼ୁଛି ।

ଏମାନଙ୍କୁ ହାଲୁକାରେ – ସାଙ୍କେତିକ ଭାବେ କିମ୍ବା ଶାବ୍ଦିକ ରୂପରେ ଗ୍ରହଣ କରିବା ଉଚିତ୍‌ ନୁହେଁ ବୋଲି ସ୍ଥାନୀୟ ଚାଷୀମାନେ ଜାଣିସାରିଛନ୍ତି । ବିଶେଷ କରି ସେତେବେଳେ ନୁହେଁ, ଯେତେବେଳେ ଏମାନଙ୍କ ଓଜନ ୪,୦୦୦ରୁ ୫,୦୦୦ କିଲୋ ମଧ୍ୟରେ ହୋଇଥିବ । ସ୍ଥାନୀୟ ଲୋକମାନେ ଏହି ଲୁଟେରା ହାତୀମାନଙ୍କ ସଠିକ ଓଜନ ଏବଂ ଉଚ୍ଚତା ମାପିବା ଲାଗି କେବେ ଆଗ୍ରହ ପ୍ରକାଶ କରିନାହାନ୍ତି, ଏଥିରେ ସେମାନଙ୍କର କୌଣସି ଦୋଷ ନାହିଁ ।

ଆମେ କ୍ରିଷ୍ଣାଗିରି ଜିଲ୍ଲାରେ ଅଛୁ ଯାହାକି ଦୁଇଟି ରାଜ୍ୟ ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ସୀମାରେ ଅବସ୍ଥିତ । ଡେଙ୍କାନିକୋଟ୍ଟେଇ ତାଲୁକାରେ ଥିବା ଭଦ୍ରା ପଲୟମ ଗାଁରେ ରୁହନ୍ତି ନାଗୀ ରେଡ୍ଡୀ ଯାହାକି ଜଙ୍ଗଲ, ହାତୀମାନଙ୍କଠାରୁ ଦୂରରେ ନାହିଁ । ଆମେ ବସିଥିବା ତାଙ୍କର ସେହି ସିମେଣ୍ଟ ବାରଣ୍ଡାଠାରୁ ମାତ୍ର କିଛି ଦୂରରେ ତାଙ୍କ ଚାଷ ଜମି ରହିଛି । ୮୬ ବର୍ଷୀୟ ନାଗୀ ରେଡ୍ଡୀଙ୍କୁ ଗାଁ ଲୋକମାନେ ନାଗନ୍ନା ବୋଲି ଡାକିଥାନ୍ତି । ସେ ଜଣେ ଚାଷୀ ଯିଏକି ଅତ୍ୟନ୍ତ ପୁଷ୍ଟିକର ଶସ୍ୟ ମାଣ୍ଡିଆ (ଫିଙ୍ଗର ମିଲେଟ୍‌) ଚାଷ କରିଥାନ୍ତି । ବହୁ ଦଶନ୍ଧି ଧରି କୃଷି କ୍ଷେତ୍ରରେ ଦେଖାଦେଇଥିବା - ଭଲ, ମନ୍ଦ ଏବଂ ଅଧିକାଂଶ ସମୟରେ ଭୟାନକ - ପରିବର୍ତ୍ତନର ସେ ସାକ୍ଷୀ ରହିଛନ୍ତି ।

‘‘ମୋ ପିଲାଦିନେ, ବର୍ଷା ଋତୁରେ କିଛି ଦିନ ମାଣ୍ଡିଆ ଗନ୍ଧରେ ଆକୃଷ୍ଟ ହୋଇ ଆନାଇ (ହାତୀ)ମାନେ ଆସୁଥିଲେ ।’’ ଏବେ? ‘‘ସେମାନେ ଅଧିକାଂଶ ସମୟରେ ଆସୁଛନ୍ତି, ସେମାନେ ଫସଲ ଓ ଫଳ ନିଶାରେ ପଡ଼ିଗଲେଣି।’’

ଏହାର ଦୁଇଟି କାରଣ ଅଛି, ନାଗନ୍ନା ତାମିଲରେ କହିଥିଲେ । ‘‘୧୯୯୦ ମସିହା ପରେ, ଏ ଜଙ୍ଗଲରେ ହାତୀମାନଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଅନ୍ୟପଟେ ଜଙ୍ଗଲର ଆକାର ଏବଂ ଗୁଣବତ୍ତା ହ୍ରାସ ପାଇଛି । ସେଥିପାଇଁ ସେମାନେ ନିଜ ଭୋଜନ ପାଇଁ ଏଠାକୁ ଚାଲି ଆସୁଛନ୍ତି । ଏଇ ଯେମିତି କୌଣସି ଭଲ ହୋଟେଲକୁ ଗଲେ ଆପଣ ନିଜ ବନ୍ଧୁମାନଙ୍କୁ କହିଥାନ୍ତି, ସେମାନେ ମଧ୍ୟ ଏମିତି କରିଥାନ୍ତି,’’ ଅଙ୍ଗଭଙ୍ଗୀ ଓ ସ୍ମିତହାସ୍ୟ ସହିତ ସେ ଆମ ଆଗରେ ବର୍ଣ୍ଣନା କରିଥିଲେ । ଏପରି ବିଡ଼ମ୍ବନାପୂର୍ଣ୍ଣ ତୁଳନା ତାଙ୍କୁ ଆମୋଦିତ କରିଥିବା ବେଳେ ମୋତେ ଆଶ୍ଚର୍ଯ୍ୟରେ ପକାଇଥିଲା।

PHOTO • M. Palani Kumar
PHOTO • Aparna Karthikeyan

ବାମ : ନାଗି ରେଡ୍ଡୀଙ୍କ ଚାଷ ଜମିରେ ମାଣ୍ଡିଆ ଫସଲ ଅମଳ ପାଇଁ ପ୍ରସ୍ତୁତ ହୋଇସାରିଛି । ଡାହାଣ : ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ଦିଆଯାଇଥିବା ଏଲଇଡି ଟର୍ଚ୍ଚର ଉଜ୍ଜ୍ୱଳ ଆଲୁଅ ନାଗି ରେଡ୍ଡୀ ତାଙ୍କ ପୁଅ ଆନନ୍ଦରାମୁଙ୍କୁ ଦେଖାଉଛନ୍ତି

ସେମାନଙ୍କୁ କିଭଳି ଜଙ୍ଗଲକୁ ଘଉଡ଼ାଇ ଦିଆଯାଏ? ‘‘ଆମେ କୁଚଲ (ଅତ୍ୟଧିକ କୋଳାହଳ) ସୃଷ୍ଟି କରିଥାଉ । ଆମେ ବ୍ୟାଟେରୀକୁ ଚମକାଇଥାଉ’’, ଏଲଇଡି ଟର୍ଚ୍ଚକୁ ଦେଖାଇ ସେ କହିଥିଲେ । ବନ ବିଭାଗ ପକ୍ଷରୁ ମିଳିଥିବା ଟର୍ଚ୍ଚକୁ ଆନନ୍ଦରାମୁ ଜଳାଇଥିଲେ, ଯାହାଙ୍କୁ ସମସ୍ତେ ଆନନ୍ଦ ବୋଲି ଡାକନ୍ତି । ସେଥିରୁ ଅତି ଉଜ୍ଜ୍ୱଳ, ଧଳା ଆଲୋକ ବାହାରିଥିଲା ଯାହା ବହୁ ଦୂର ପର୍ଯ୍ୟନ୍ତ ପଡ଼ୁଥିଲା। ‘‘କିନ୍ତୁ କେବଳ ଦୁଇଟି ହାତୀ ଚାଲି ଯାଇଥାନ୍ତି’’, ନାଗନ୍ନା କୁହନ୍ତି ।

‘‘ମୋଟ୍ଟେ ଭାଲ୍‌ ମୁହଁ ବୁଲାଇ ଦେଇଥାଏ, ନିଜ ଆଖିକୁ ଘୋଡ଼େଇ ଦିଏ, ଏବଂ ଫସଲ ଖାଇବା ଜାରି ରଖିଥାଏ’’, ବାରଣ୍ଡା ଆଡ଼କୁ ଯାଇ ଟର୍ଚ୍ଚ ସହାୟତାରେ ତା’ର ପିଠିକୁ ଦେଖାଇ ଦେଇ ଆନନ୍ଦ ଆମକୁ କହିଥିଲେ। ‘‘ପେଟ ନପୂରିବା ପର୍ଯ୍ୟନ୍ତ ମୋଟ୍ଟେ ଭାଲ ସେଠାରୁ ଯାଇନଥାଏ । ଯେମିତି ସେ ଆମକୁ କହିଥାଏ : ତୁମେ ତୁମର କାମ-ଟର୍ଚ୍ଚ ଜଳାଇବା ଜାରି ରଖ ଏବଂ ମୁଁ ମୋ କାମ କରିବି-ଅର୍ଥାତ୍‌ ପେଟ ପୂରିବା ପର୍ଯ୍ୟନ୍ତ ଖାଇବି ।’’

ପେଟ ବଡ଼ ହୋଇଥିବାରୁ, ଯାହା ମିଳେ ମୋଟ୍ଟେ ଭାଲ ସବୁ ଖାଇଯାଏ । ମାଣ୍ଡିଆ ତା’ର ସବୁଠୁ ପ୍ରିୟ । ସେମିତି ପଣସ । ଉପର ଡାଳ ପର୍ଯ୍ୟନ୍ତ ପହଞ୍ଚି ନପାରିଲେ ଦୁଇ ଆଗ ଗୋଡ଼କୁ ଗଛ ଗଣ୍ଡି ଉପରେ ରଖି ଶୁଣ୍ଢ ବଢ଼ାଇ ଫଳ ତୋଳି ଆଣେ । ତଥାପି ଯଦି ଗଛ ବଡ଼ ହୋଇଥାଏ, ସେଥିରେ ତା’ର କିଛି ଅସୁବିଧା ହୁଏ ନାହିଁ, କାରଣ ସେ ଗଛ ଭାଙ୍ଗି ଦେଇଥାଏ ଓ ଅବିଳମ୍ବେ ସବୁତକ ଫଳ ଖାଇଯାଏ। ‘‘ମୋଟ୍ଟେ ଭାଲର ଉଚ୍ଚତା ୧୦ ଫୁଟ’’, ନାଗନ୍ନା କୁହନ୍ତି । ‘‘ଆହୁରି ଦୁଇ ଗୋଡ଼ରେ ଛିଡ଼ା ହୋଇଗଲେ ତା’ର ଉଚ୍ଚତା ଅଧିକ ଛଅ କିମ୍ବା ଆଠ ଫୁଟ ବଢ଼ିଯାଇଥାଏ’’, ଆନନ୍ଦ କୁହନ୍ତି ।

ନାଗନ୍ନା କୁହନ୍ତି, ‘‘କିନ୍ତୁ ମୋଟ୍ଟେ ଭାଲ ମଣିଷମାନଙ୍କର କୌଣସି କ୍ଷତି କରେ ନାହିଁ । ସେ ମକା ଓ ଆମ୍ବ ଖାଇଥାଏ, ଚାଷ ଜମିରେ ଯେଉଁ ଫସଲ ଥାଏ ତା’କୁ ଦଳିଚକଟି ନଷ୍ଟ କରିଦିଏ। ପରେ ଏ ହାତୀମାନେ ଯାହା ଛାଡ଼ି ଯାଇଥାନ୍ତି, ସେତକ ମାଙ୍କଡ଼ ଓ ବଣୁଆ ଘୁଷୁରୀ ସମ୍ପୂର୍ଣ୍ଣ ଶେଷ କରି ଦିଅନ୍ତି ।’’ ଆମକୁ ସବୁବେଳେ ସତର୍କ ରହିବାକୁ ପଡ଼ିଥାଏ। ନଚେତ୍‌, କ୍ଷୀର ଓ ଦହି ମଧ୍ୟ ଆମକୁ ମିଳେ ନାହିଁ, କାରଣ ମାଙ୍କଡ଼ମାନେ ରୋଷେଇ ଘରକୁ ମଧ୍ୟ ପଶି ଆସନ୍ତି ।

‘‘ଖାଲି ସେତିକି ନୁହେଁ, ଜଙ୍ଗଲୀ କୁକୁରମାନେ ଆମ କୁକୁଡ଼ାମାନଙ୍କୁ ଖାଇ ଦେଇଥାନ୍ତି । ବେଳେ ବେଳେ ଚିତା ବାଘ ଆସି ଆମକୁ ସୁରକ୍ଷା ଦେଉଥିବା କୁକୁରମାନଙ୍କୁ ଖାଇ ଯାଆନ୍ତି । ଏଇ ଗତ ସପ୍ତାହର କଥା....’’, ଏହା କହି ସେ ବାଘଙ୍କ ଚଳପ୍ରଚଳ ରାସ୍ତା ଆମକୁ ଦେଖାଇ ଦେଇଥିଲେ, ଏତିକିରେ ମୁଁ ଥରିବାକୁ ଲାଗିଥିଲି । ଶୀତୁଆ ସକାଳ ପାଇଁ ନୁହେଁ, ବରଂ ଅନିଶ୍ଚିତତା ମଧ୍ୟରେ ଏକ ସୀମାବର୍ତ୍ତୀ ଇଲାକାରେ ରହିବାର ଭୟ ମୋତେ ଘାରିଥିଲା।

ସେମାନେ କିପରି ଏସବୁର ମୁକାବିଲା କରିଥାନ୍ତି? ମୁଁ ପଚାରିଲି । ଆନନ୍ଦ କହିଥିଲେ, ‘‘ଅଧା ଏକର ଜମିରେ ଆମେ ଆମ ପରିବାର ପାଇଁ ଯଥେଷ୍ଟ ପରିମାଣର ମାଣ୍ଡିଆ ଚାଷ କରିଥାଉ ।’’ ସେ ଆହୁରି କହିଥିଲେ, ‘‘୮୦ କିଲୋଗ୍ରାମର ଗୋଟିଏ ବସ୍ତା ୨,୨୦୦ ଟଙ୍କାରେ ବିକ୍ରି ହୋଇଥାଏ, କିନ୍ତୁ ଲାଭ ପାଇବା ପାଇଁ ଏତିକି ଦାମ୍‌ ଖୁବ କମ୍ ହୋଇଥାଏ। ତା’ଛଡ଼ା ଏ ଅଦିନିଆ ବର୍ଷା ଯୋଗୁ ଫସଲ ହାନି ହୋଇଥାଏ । ବାକି ଯାହା ଥାଏ ସେସବୁ ବନ୍ୟଜନ୍ତୁ ଖାଇଯାଆନ୍ତି । ଆମେ ଆମ ଚାଷ ଜମିରେ ୟୁକାଲିପଟାସ ଗଛ ଲଗାଇବା ଆରମ୍ଭ କରିଛୁ । ଏ ଅଞ୍ଚଳର ଅନ୍ୟମାନେ ମାଣ୍ଡିଆ ଛାଡ଼ି ଏବେ ଗୋଲାପ ଚାଷ କରୁଛନ୍ତି ।’’

ହାତୀମାନେ କଣ୍ଟାଯୁକ୍ତ ଫୁଲକୁ ଖାତିର କରନ୍ତି ନାହିଁ । କୌଣସି ପ୍ରକାରରେ କେବେ ନୁହେଁ...

PHOTO • M. Palani Kumar

ଆନନ୍ଦରାମୁ ହାତୀମାନଙ୍କ ଚଲାପଥ ଦେଖାଇ ଦେଉଛନ୍ତି । ଫସଲ ଓ ଫଳ ଖାଇବା ପାଇଁ ବନ୍ୟଜନ୍ତୁମାନେ ପ୍ରାୟତଃ ଆସିଥାନ୍ତି

*****

ମୁଁ କିଛି ସମୟ ମାଣ୍ଡିଆ କ୍ଷେତ ପାଖରେ ଥିବା ଦୋଳିରେ ବସି ଅପେକ୍ଷା କଲି,
ସେଇଠି ଆମେ କିଛି ଶୁଆଙ୍କୁ ଚାହିଁଥିବା ବେଳେ ସେ ଆସି ପହଞ୍ଚିଥିଲେ,
ତାଙ୍କୁ କହିଲି, ‘‘ମହାଶୟ, ଦୟାକରି ମୋ ଦୋଳିକୁ ଟିକିଏ ଠେଲି ଦିଅନ୍ତୁ’’;
ସେ କହିଲେ, ‘‘ଠିକ୍‌ ଅଛି, ଝିଅ!’’ ସେ ମୋ ଦୋଳିକୁ ଝୁଲାଇ ଦେଲେ;
ହାତଛଡ଼ା ହୋଇଯିବାର ଅଭିନୟ କରି, ମୁଁ ତାଙ୍କ ଛାତି ଆଡ଼କୁ ଢଳି ପଡ଼ିଲି;
ଏହାକୁ ସତ ବୋଲି ଭାବି, ସେ ଦୌଡ଼ି ଆସି ମୋତେ ଜୋର କରି ଧରିନେଲେ;
ମୁଁ ଅଚେତ ହେବା ଭଳି ପଡ଼ି ରହିଲି

ସଙ୍ଗମ ଯୁଗରେ କପିଲାରଙ୍କ ଦ୍ଵାରା ରଚିତ କବିତା ‘ କଲିତତୋକଇ’ର ଏହି ପ୍ରଣୟପୂର୍ଣ୍ଣ ପଦ୍ୟ ୨,୦୦୦ ବର୍ଷ ପୁରୁଣା । ସେନ୍ତିଲ ନାଥନ OldTamilPoetry.com ନାମକ ଏକ ବ୍ଲଗ୍‌ ଚଲାଇଥାନ୍ତି ଯେଉଁଥିରେ ସଙ୍ଗମ ଯୁଗ ସାହିତ୍ୟର କାବ୍ୟ ରଚନାଗୁଡ଼ିକର ଅନୁବାଦ ରହିଛି । ସେ କୁହନ୍ତି, ମାଣ୍ଡିଆ ସମ୍ପର୍କରେ ବର୍ଣ୍ଣନା କିଛି ଅସ୍ୱାଭାବିକ ନୁହେଁ ।

ସେନ୍ତିଲ ନାଥନ୍‌ କୁହନ୍ତି, ‘‘ସଙ୍ଗମ ସିଦ୍ଧାନ୍ତରେ ମାଣ୍ଡିଆ କ୍ଷେତ ପ୍ରଣୟ କବିତାର ପୃଷ୍ଠଭୂମିରେ ରହିଥାଏ । ଏକ ସାଧାରଣ ଗବେଷଣାରୁ ଜଣାପଡ଼ିଥାଏ ଯେ, ମାଣ୍ଡିଆ ସମ୍ପର୍କରେ ୧୨୫ ଥର ଉଲ୍ଲେଖ କରାଯାଇଛି ଯାହାକି ଧାନ ବିଷୟରେ ଉଲ୍ଲେଖ କରାଯିବା ସଂଖ୍ୟା ଦୃଷ୍ଟିରୁ ସାମାନ୍ୟ ଅଧିକ । ସେଥିପାଇଁ ଏହା ଗ୍ରହଣ କରି ନେବା ଉଚିତ୍‌ ହେବ ଯେ ସଂଗମ ଯୁଗ ( ପ୍ରାୟ ଖ୍ରୀଷ୍ଟପୂର୍ବ ୨୦୦ ରୁ ୨୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ)ର ଲୋକମାନଙ୍କ ପାଇଁ ମାଣ୍ଡିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶସ୍ୟ ଥିଲା। ସେତେବେଳେ ବ୍ୟବହୃତ, ଶସ୍ୟ ମଧ୍ୟରେ ତିନୈ (ଫକ୍ସଟେଲ୍‌ ମିଲେଟ୍‌)ର ପ୍ରଚଳନ ଅଧିକ ରହିଥିଲା, ଏହାପରେ ବରଗୁ (ମାଣ୍ଡିଆ କିମ୍ବା କୋଡୋ ମିଲେଟ୍‌)ର ବ୍ୟବହାର କରାଯାଉଥିଲା।

ମାଣ୍ଡିଆର ଉତ୍ପତ୍ତି ମୁଖ୍ୟତଃ ପୂର୍ବ ଆଫ୍ରିକାର ଉଗାଣ୍ଡାରେ ହୋଇଥିଲା, କେ. ଟି. ଆଚାର୍ଯ୍ୟ ତାଙ୍କ ପୁସ୍ତକ ଇଣ୍ଡିଆନ ଫୁଡ୍‌: ଏ ହିଷ୍ଟୋରିକାଲ କମ୍ପାନିଅନ୍‌ରେ ଲେଖିଛନ୍ତି । ହଜାର ହଜାର ବର୍ଷ ପୂର୍ବରୁ ଦକ୍ଷିଣ ଭାରତରେ ଏହା ଦେଖିବାକୁ ମିଳିଥିଲା। ‘‘କର୍ଣ୍ଣାଟକର ତୁଙ୍ଗଭଦ୍ରା ନଦୀ ତଟବର୍ତ୍ତୀ ହଲ୍ଲୁର ଅଞ୍ଚଳରେ (୧୮୦୦ ଖ୍ରୀଷ୍ଟ ପୂର୍ବ)’’ ଏବଂ ‘‘ତାମିଲନାଡ଼ୁର ପୟମପଲ୍ଲିରେ (୧୩୯୦ ଖ୍ରୀଷ୍ଟପୂର୍ବ)’’ ଏହାର ସନ୍ଧାନ ମିଳିଥିଲା। ଏହି ଅଞ୍ଚଳ ନାଗନ୍ନାଙ୍କ ଘର ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହିଛି ।

କର୍ଣ୍ଣାଟକ ପରେ ତାମିଲନାଡ଼ୁରେ ଭାରତର ଦ୍ୱିତୀୟ ସର୍ବାଧିକ ମାଣ୍ଡିଆ ଉତ୍ପାଦନ ହୋଇଥାଏ ଯାହାକି ବାର୍ଷିକ ୨.୭୪୫ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଥାଏ । ରାଜ୍ୟରେ ମୋଟ୍‌ ଯେତିକି ପରିମାଣର ମାଣ୍ଡିଆ ଉତ୍ପାଦନ ହୋଇଥାଏ ତାହାର କେବଳ ୪୨ ପ୍ରତିଶତ କ୍ରିଷ୍ଣାଗିରି ଜିଲ୍ଲାରେ ହୋଇଥାଏ, ଯେଉଁଠି ନାଗି ରେଡ୍ଡୀଙ୍କର ଗାଁ ରହିଛି ।

ମାଣ୍ଡିଆର ଅନେକ ‘ସ୍ୱତନ୍ତ୍ର ବୈଶିଷ୍ଟ୍ୟ’ ରହିଥିବା ମିଳିତ ଜାତିସଂଘ ଖାଦ୍ୟ ଏବଂ କୃଷି ସଂଗଠନ (ଏଫଏଓ) ପକ୍ଷରୁ କୁହାଯାଇଛି। ଏଥିମଧ୍ୟରୁ ଗୋଟିଏ ହେଉଛି, ଚାଷ ଜମିରେ ମାଣ୍ଡିଆ ସହିତ ଅନ୍ୟାନ୍ୟ ଛୁଇଁଜାତୀୟ ଫସଲକୁ ଆନ୍ତଃଫସଲ ଭାବେ ଚାଷ କରାଯାଇପାରିବ । କମ୍‌ ଖର୍ଚ୍ଚରେ ଏଥିରେ ଅଧିକ ଫସଲ ଅମଳ କରାଯାଇ ପାରିବ ଏବଂ ଏହା କମ ଉର୍ବରତା ଥିବା ଜମିରେ ବଞ୍ଚି ରହିପାରିବ ।

PHOTO • Aparna Karthikeyan
PHOTO • Aparna Karthikeyan

ମାଣ୍ଡିଆ ଫସଲ (ବାମ) ଏବଂ ଏହାର ଶସ୍ୟର ଏକ କେଣ୍ଡା । ତାମିଲନାଡ଼ୁର ମୋଟ୍‌ ମାଣ୍ଡିଆ ଉତ୍ପାଦନ ମଧ୍ୟରୁ କ୍ରିଷ୍ଣାଗିରି ଜିଲ୍ଲାରେ କେବଳ ୪୨ ପ୍ରତିଶତ ଉତ୍ପାଦନ ହୋଇଥାଏ

ତଥାପି, ମାଣ୍ଡିଆ ଉତ୍ପାଦନ ଏବଂ ଏହାର ଲୋକପ୍ରିୟତା ହ୍ରାସ ପାଇଛି । କହିବା ବାହୁଲ୍ୟ ଯେ, ସବୁଜ ବିପ୍ଳବର ଅଭ୍ୟୁଦୟ ସହିତ ଗହମ ଏବଂ ଚାଉଳର ଲୋକପ୍ରିୟତା ବୃଦ୍ଧି ପାଇଛି, ଫଳରେ ମାଣ୍ଡିଆର ଚାହିଦା କମିଛି । ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ମାଧ୍ୟମରେ ମଧ୍ୟ ଗହମ ଓ ଚାଉଳ ସହଜରେ ଉପଲବ୍ଧ ହେଉଛି ।

ସାରା ଭାରତରେ ଖରିଫ ଋତୁରେ ମାଣ୍ଡିଆ ଉତ୍ପାଦନ ଗତ କିଛି ବର୍ଷ ହେବ ବେଶ୍‌ ଅସ୍ଥିର ରହିଥିବା ଦେଖିବାକୁ ମିଳିଛି, କିନ୍ତୁ ୨୦୨୧ରେ ଏହା ୨ ନିୟୁତ ଟନ୍‌ ପାଖାପାଖି ରହିଥିବା ଜଣାପଡ଼ିଛି । ତେବେ ୨୦୨୨ରେ ପ୍ରାରମ୍ଭିକ ଆକଳନରୁ ଏଥିରେ ହ୍ରାସ ପରିଲକ୍ଷିତ ହୋଇଛି । ୨୦୧୦ରେ ୧.୮୯ ନିୟୁତ ଟନ ମାଣ୍ଡିଆ ଉତ୍ପାଦନ ହୋଇଥିଲା। ୨୦୨୨ ଆର୍ଥିକ ବର୍ଷ ପାଇଁ ଏହି ଆକଳନ -ପ୍ରଥମ ଆକଳନ ପ୍ରାୟ ୧.୫୨ ନିୟୁତ ଟନ୍‌ ଥିଲା ।

ମାଣ୍ଡିଆ ଉପରେ କାମ କରୁଥିବା ଏକ ବିକାଶମୂଳକ ସଂଗଠନ, ଧନ ଫାଉଣ୍ଡେସନର ଆକଳନ ଅନୁଯାୟୀ, ‘‘ପୁଷ୍ଟିକର ଗୁଣ ଏବଂ ଜଳବାୟୁ ନମନୀୟତା ସତ୍ତ୍ୱେ, ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଭାରତରେ ମାଣ୍ଡିଆ ଉପଯୋଗ ୪୭ ପ୍ରତିଶତ ହ୍ରାସ ପାଇଛି , ଅନ୍ୟପଟେ ଅନ୍ୟ ଛୋଟ ମିଲେଟ୍‌ (ବାଜରା) ଉପଯୋଗ ୮୩ ପ୍ରତିଶତ କମିଛି ।

ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକରେ, ଦେଶର ସର୍ବାଧିକ ମାଣ୍ଡିଆ ଉତ୍ପାଦନ ହୋଇଥାଏ। ‘‘ଗ୍ରାମୀଣ ପରିବାର ମଧ୍ୟରେ ହାରାହାରି ମୁଣ୍ଡପିଛା ମାସିକ ଫିଙ୍ଗର୍ ମିଲେଟ୍ ଉପଯୋଗ ୨୦୦୪-୦୫ରେ ୧.୮ କିଲୋଗ୍ରାମରୁ ହ୍ରାସ ପାଇ ୨୦୧୧-୧୨ରେ ୧.୨ କିଲୋଗ୍ରାମରେ ପହଞ୍ଚିଛି ।

ତେବେ କିଛି ସମୁଦାୟ ଏବଂ ଭୌଗୋଳିକ କ୍ଷେତ୍ରରେ ମାଣ୍ଡିଆ ଉତ୍ପାଦନ ଏବଂ ଏହାକୁ ଖାଦ୍ୟ ଭାବେ ଗ୍ରହଣ ଜାରି ରହିଥିବାରୁ ଏହି ଫସଲ ତିଷ୍ଠି ରହିପାରିଛି । କ୍ରିଷ୍ଣାଗିରି ସେଥିମଧ୍ୟରୁ ଅନ୍ୟତମ।

*****

ଆପଣ ଯେତେ ଅଧିକ ମାଣ୍ଡିଆ ଉତ୍ପାଦନ କରିବେ, ସେତେ ଅଧିକ ଗୃହପାଳିତ ପ୍ରାଣୀମାନଙ୍କୁ ପୋଷି ପାରିବେ, ଏବଂ ସାପ୍ତାହିକ ଆୟ (ସେତେ ଭଲ) ହୋଇପାରିବ । ଗୋଖାଦ୍ୟ ଅଭାବ ଯୋଗୁ ଲୋକମାନେ ସେମାନଙ୍କର ଗାଈଗୋରୁ ବିକ୍ରି କରି ଦେଉଛନ୍ତି ।
ଗୋପକୁମାର ମେନନ, ଲେଖକ ଏବଂ ଚାଷୀ

PHOTO • Aparna Karthikeyan
PHOTO • Aparna Karthikeyan

ବାମ : ଗୋଲାପଲ୍ଲୀ ଗାଁରେ ଥିବା ନିଜ ଚାଷ ଜମିରେ ମାଣ୍ଡିଆ ଫସଲ ପାଖରେ ଗୋପକୁମାର ମେନନ । ଡାହାଣ : ବର୍ଷା ମାଡ଼ ଖାଇ ନଷ୍ଟ ହୋଇଯାଇଥିବା ଏକ ମାଣ୍ଡିଆ କେଣ୍ଡା

ନାଗନ୍ନାଙ୍କ ଘରକୁ ଯିବାର ଗୋଟିଏ ରାତି ପୂର୍ବରୁ, ସେ ଅଞ୍ଚଳରେ ଆମକୁ ଆତିଥେୟ ଦେଇଥିବା ଗୋପକୁମାର ମେନନ ଆମକୁ ହାତୀଙ୍କ ବିଷୟରେ ଏକ ରୋମାଞ୍ଚକର କାହାଣୀ ଶୁଣାଇଥିଲେ । ଡିସେମ୍ବର ମାସର ପ୍ରାରମ୍ଭିକ ସମୟ ଏବଂ ଆମେ ଗୋଲାପଲ୍ଲୀ ଗାଁରେ ତାଙ୍କ ଘର ଛାତ ଉପରେ ବସିଥାଉ। ଆମ ଚାରି ପାଖରେ ସବୁକିଛି କଳା, ଥଣ୍ଡା ଓ ରୋମାଞ୍ଚିତ କଲା ଭଳି ସୁନ୍ଦର ଥିଲା। କେବଳ ରାତ୍ରୀର ଛୋଟ ଛୋଟ ଜୀବମାନେ ଜାଗ୍ରତ ରହିଥିଲେ, ସେମାନେ ଗାଉଥିଲେ, ଗୁଣୁଗୁଣୁ ହେଉଥିଲେ ଏବଂ ଏହା ଏକସଙ୍ଗେ ଆଶ୍ୱାସନା ପ୍ରଦାନକାରୀ ତଥା ବିଚଳିତ କଲା ଭଳି ଥିଲା।

କିଛି ଦୂରରେ ଥିବା ଏକ ଆମ୍ବ ଗଛ ଆଡ଼କୁ ଇସାରା କରି ସେ ଆମକୁ କହିଥିଲେ, ‘‘ଏଇଠି ମୋଟ୍ଟେ ଭାଲ ଥିଲା।  ସେ ଆମ୍ବ ଖାଇବାକୁ ଚାହୁଁଥିଲା, କିନ୍ତୁ ଫଳ ପାଖରେ ପହଞ୍ଚି ପାରୁନଥିଲା। ତେଣୁ ସେ ଗଛ ଭାଙ୍ଗି ଦେଲା ।’’ ଏକଥା ଶୁଣି ମୁଁ ଚାରି ଆଡ଼କୁ ଚାହିଁଲି, ସବୁକିଛି ମୋତେ ହାତୀ ଭଳି ଦେଖାଯାଉଥିଲା। ‘‘ଚିନ୍ତା କରନି, ଯଦି ଏବେ ସେ ଏଇଠି ଥାଆନ୍ତା, ତୁମେ ଜାଣି ପାରିଥାନ୍ତ’’, ଗୋପ ମୋତେ ଆଶ୍ୱାସନା ଦେଲେ ।

ପରବର୍ତ୍ତୀ ଏକ ଘଣ୍ଟା ପର୍ଯ୍ୟନ୍ତ ଗୋପ ମୋତେ ଅନେକଗୁଡ଼ିଏ କାହାଣୀ କହିଥିଲେ । ସେ ବ୍ୟବହାରିକ ଅର୍ଥନୀତି ବିଷୟର ଜଣେ ରିସୋର୍ସ ପର୍ସନ, ଲେଖକ ଏବଂ କର୍ପୋରେଟ୍‌ ସେବା ପ୍ରଦାନକାରୀ ଥିଲେ । ପ୍ରାୟ ୧୫ ବର୍ଷ ପୂର୍ବେ, ସେ ଗୋଲାପଲ୍ଲୀରେ କିଛି ଜମି କିଣିଥିଲେ । ଏବଂ ଚାଷ କରିବା ପାଇଁ ସେ ଚିନ୍ତା କଲେ । ଚାଷ କରିବା କେତେ କଷ୍ଟ କେବଳ ସେତିକି ବେଳେ ହିଁ ସେ ଜାଣିପାରିଥିଲେ । ନିଜର ଦୁଇ ଏକର ଜମିରେ ସେ ଏବେ କେବଳ ଲେମ୍ବୁ ଗଛ ଲଗାଇଛନ୍ତି ଏବଂ ଚଣା ଚାଷ କରୁଛନ୍ତି । ପୂର୍ଣ୍ଣକାଳୀନ ଚାଷୀ, ଯେଉଁମାନେ ଚାଷଜନିତ ଆୟ ଉପରେ ନିର୍ଭରଶୀଳ, ସେମାନଙ୍କ ପାଇଁ ଏହା ବେଶ କଷ୍ଟକର । ସେ କୁହନ୍ତି ଯେ, ପ୍ରତିକୂଳ ନୀତିଗତ ମାର୍ଗ, ଜଳବାୟୁ ପରିବର୍ତ୍ତନ, କମ୍ କ୍ରୟ ମୂଲ୍ୟ ଏବଂ ମଣିଷ-ପଶୁ ସଂଘର୍ଷ ପାରମ୍ପରିକ ମାଣ୍ଡିଆ ଫସଲକୁ ନଷ୍ଟ କରି ଦେଇଛି ।

‘‘ପ୍ରସ୍ତାବିତ ଏବଂ ଉଚ୍ଛେଦ ହୋଇଥିବା କୃଷି ଆଇନ କାହିଁକି କାମ କଲା ନାହିଁ ତାହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି ମାଣ୍ଡିଆ’’, ଗୋପ କହିଥିଲେ । ‘‘ଆପଣ ଯେକୌଣସି ବ୍ୟକ୍ତିଙ୍କୁ ଏହା ବିକ୍ରି କରିପାରିବେ ବୋଲି ଆଇନରେ ବ୍ୟବସ୍ଥା ଥିଲା। ତାମିଲନାଡ଼ୁକୁ ଉଦାହରଣ ଭାବେ ନିଅନ୍ତୁ । ଯଦି ଏହା ସମ୍ଭବ ହୋଇଥାନ୍ତା, ଚାଷୀମାନେ ଅଧିକ ମାଣ୍ଡିଆ ଚାଷ କରିଥାନ୍ତେ, ହଁ? ସେମାନେ କାହିଁକି କର୍ଣ୍ଣାଟକରେ ଏହାକୁ ଚୋରାରେ ବିକ୍ରି କରିବା ଲାଗି ନେଇ ଯାଇଥାନ୍ତେ ଯେଉଁଠି ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୩,୩୭୭ ଟଙ୍କା ରହିଛି (ଏହା ତୁଳନାରେ ତାମିଲନାଡ଼ୁରେ ଖୁବ୍‌ କମ୍ ଅର୍ଥ ମିଳିଥାଏ ଆନନ୍ଦ କୁହନ୍ତି)।

ଗୋପ ମେନନ କୁହନ୍ତି, ତାମିଲନାଡ଼ୁର ଏହି ଅଞ୍ଚଳର ଲୋକମାନେ ସମର୍ଥନ ମୂଲ୍ୟ ସମ୍ପର୍କରେ ଜାଣି ପାରୁନାହାନ୍ତି ବୋଲି ଅନୁଭବ ହେଉଛି । ସେଥିପାଇଁ, ସେମାନେ ସୀମାପାର ଚୋରା ଚାଲାଣ କରୁଛନ୍ତି ।

PHOTO • M. Palani Kumar
PHOTO • M. Palani Kumar

ଗୋଲାପଲ୍ଲି ବାହାରେ ଚାଷୀ ଶିବ କୁମାରନ୍‌ ଭାଗରେ ନେଇଥିବା ଚାଷ ଜମିରେ ଶ୍ରମିକମାନେ ମାଣ୍ଡିଆ ଚାଷ କରୁଛନ୍ତି

ଆନନ୍ଦ କୁହନ୍ତି, ‘‘ତାମିଲନାଡ଼ୁର ହୋସୁର ଜିଲ୍ଲାରେ ଏବେ ଶ୍ରେଷ୍ଠ କିସମର ମାଣ୍ଡିଆ ୮୦ କିଗ୍ରା ବସ୍ତା ପ୍ରତି ୨,୨୦୦ ଟଙ୍କାରେ ବିକ୍ରି ହୋଇଥାଏ ଏବଂ ଦ୍ୱିତୀୟ ଗୁଣବତ୍ତାର ମାଣ୍ଡିଆ ୮୦ କିଲୋଗ୍ରାମ ପ୍ରତି ୨,୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ତେଣୁ କିଲୋ ପ୍ରତି ୨୫ରୁ ୨୭ ଟଙ୍କା ମଧ୍ୟରେ ବିକ୍ରୟ ହୋଇଥାଏ ।

ଘର ପାଖରୁ ଫସଲ ନେବା ପାଇଁ କମିଶନ ଏଜେଣ୍ଟ ସେମାନଙ୍କୁ ଏହି ମୂଲ୍ୟ ଦେଇଥାନ୍ତି । ଆନନ୍ଦଙ୍କ ଅନୁମାନ ଅନୁଯାୟୀ, ମାଣ୍ଡିଆ ହସ୍ତାନ୍ତର କରିବା ସମୟରେ ଏଥିରୁ ସେହି ବ୍ୟକ୍ତି ଜଣଙ୍କ ଗୋଟିଏ ବସ୍ତା ପିଛା ୨୦୦ ଟଙ୍କା ଲାଭ ରଖିଥାନ୍ତି । ଯଦି ସିଧାସଳଖ ଏହି ମାଣ୍ଡିଆ ନେଇ ମଣ୍ଡିରେ ବିକ୍ରି କରିଥାନ୍ତେ ତା’ହେଲେ ଏକ ନମ୍ବର କିସମ (ଗୋଟିଏ ୮୦ କିଲୋଗ୍ରାମ ବସ୍ତା) ପାଇଁ ତାଙ୍କୁ ୨,୩୫୦ ଟଙ୍କା ମିଳିଥାନ୍ତା । କିନ୍ତୁ ସେଥିରେ ତାଙ୍କର କୌଣସି ଲାଭ ସେ ଦେଖନ୍ତି ନାହିଁ । ମୋତେ ଟେମ୍ପୋରେ ବୋହିନେବା ଖର୍ଚ୍ଚ ଏବଂ ମଣ୍ଡିରେ କମିଶନ ଯାହାହେଲେ ଦେବାକୁ ପଡ଼ିଥାନ୍ତା...’’

କର୍ଣ୍ଣାଟକରେ ମଧ୍ୟ, ବାସ୍ତବରେ ଯଦିଓ ତାମିଲନାଡ଼ୁ ତୁଳନାରେ ଅଧିକ ଏମଏସପି ପ୍ରଦାନ କରାଯାଇଥାଏ, ତଥାପି ବହୁସଂଖ୍ୟକ କୃଷକ ବିଳମ୍ବରେ କ୍ରୟ କରାଯାଉଥିବା କାରଣରୁ ସମର୍ଥନ ମୂଲ୍ୟ ଠାରୁ ୩୫ ପ୍ରତିଶତ କମ୍ ମୂଲ୍ୟରେ ବିକ୍ରି କରିଥାନ୍ତି।

ଗୋପ ମେନନ କୁହନ୍ତି, ‘‘ସବୁ ସ୍ଥାନରେ ଉଚିତ୍‌ ଏମଏସପି ଲାଗୁ କରାଯିବା ଆବଶ୍ୟକ। ଯଦି ଆପଣ କିଲୋ ପ୍ରତି ୩୫ ଟଙ୍କାରେ କିଣୁଛନ୍ତି ତା’ହେଲେ ଲୋକମାନେ ଏହାର ଅମଳ କରିବେ। ଯଦି ଆପଣ ଏପରି କରିବେ ନାହିଁ, ଏହି କ୍ଷେତ୍ରରେ କ’ଣ ହେଉଛି ଦେଖନ୍ତୁ – ଯେଉଁଠି ଲୋକମାନେ ଫୁଲ, ବିଲାତି ବାଇଗଣ ଏବଂ ବିନ୍ସ ଚାଷ ଆଡ଼କୁ ମନ ବଳାଉଛନ୍ତି – ଆଗକୁ ଏହା ସମ୍ପୂର୍ଣ୍ଣ ସ୍ଥାୟୀ ହୋଇଯିବ ।

ଗାଁରେ ତାଙ୍କର ପଡ଼ୋଶୀ, ମଧ୍ୟ ବର୍ଷ ବୟସ୍କ ଚାଷୀ ସୀନାପ୍ପା ଅଧିକ ବିଲାତି ବାଇଗଣ ଅମଳ କରିବାକୁ ଚାହାନ୍ତି । ସୀନାପ୍ପା କୁହନ୍ତି, ‘‘ଏହା ଏକ ଲଟେରୀ। ଜଣେ ଚାଷୀ ଅନ୍ୟ ଜଣେ ଚାଷୀଙ୍କ ଦ୍ଵାରା ପ୍ରଭାବିତ ହୋଇଥାନ୍ତି ଯିଏକି ବିଲାତି ବାଇଗଣ ଚାଷ କରି ୩ ଲକ୍ଷ ଟଙ୍କା ରୋଜଗାର କରିପାରିଛନ୍ତି । କିନ୍ତୁ ଏଥିରେ ଚାଷ ଖର୍ଚ୍ଚ ଖୁବ୍‌ ଅଧିକ । ଆହୁରି ଏଥିରେ ଅବିଶ୍ୱସନୀୟ ଭାବେ ମୂଲ୍ୟ ଅସ୍ଥିରତା ରହିଛି । କେତେବେଳେ ସଙ୍କଟପୂର୍ଣ୍ଣ ବିକ୍ରି ମୂଲ୍ୟ କିଲୋ ପ୍ରତି ୧ ଟଙ୍କା ପୁଣି ଆଉ କେତେବେଳେ କିଲୋପ୍ରତି ଦର ଅତ୍ୟଧିକ ଉଚ୍ଚ ୧୨୦ ଟଙ୍କା ରହିଥାଏ।’’

ଉଚିତ୍‌ ମୂଲ୍ୟ ମିଳିଲେ ସୀନାପ୍ପା, ବିଲାତି ବାଇଗଣ ଛାଡ଼ି ଅଧିକ ମାଣ୍ଡିଆ ଚାଷ କରିବେ । ‘‘ଆପଣ ଯେତେ ଅଧିକ ମାଣ୍ଡିଆ ଚାଷ କରିବେ, ଗୃହପାଳିତ ପ୍ରାଣୀ ପାଇଁ ସେତେ ଅଧିକ ଖାଦ୍ୟ ଯୋଗାଡ଼ କରିପାରିବେ ଏବଂ ଆପଣଙ୍କର ସାପ୍ତାହିକ ରୋଜଗାର ଅଧିକ ହୋଇପାରିବ । ଗୋଖାଦ୍ୟ ଅଭାବ ଯୋଗୁ ଲୋକମାନେ ନିଜର ଗାଈଗୋରୁ ବିକ୍ରି କରି ଦେଉଛନ୍ତି।’’

PHOTO • M. Palani Kumar
PHOTO • Aparna Karthikeyan

ବାମ: ଅମଳ ହୋଇଥିବା ଫସଲ ଏକ ବିଡ଼ାରେ ବନ୍ଧା ହୋଇଛି । ମାଣ୍ଡିଆ ଶସ୍ୟକୁ ଦୁଇ ବର୍ଷ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇ ପାରିବ । ଡାହାଣ: ନଡ଼ାଗୁଡ଼ିକୁ ଗଦା ମାରି ରଖି ଦିଆଯାଇଥାଏ ଏବଂ ଗୃହପାଳିତ ପ୍ରାଣୀଙ୍କ ଖାଦ୍ୟ ଭାବେ ବ୍ୟବହୃତ ହୁଏ

ଗୋପ ମେନନ ମୋତେ କହିଥିଲେ, ମାଣ୍ଡିଆ ଏଠାକାର ସବୁ ଲୋକମାନଙ୍କର ମୁଖ୍ୟ ଖାଦ୍ୟ । ‘‘କେବଳ ଟଙ୍କା ଆବଶ୍ୟକ ହେଲେ ଲୋକମାନେ ମାଣ୍ଡିଆ ବିକ୍ରି କରିଥାନ୍ତି । ଏହାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ସାଇତି ରଖାଯାଇପାରିବ ଏବଂ ଆବଶ୍ୟକ ହେଲେ ଖାଦ୍ୟ ନିମନ୍ତେ ଉପଯୋଗ କରାଯାଇପାରିବ । ଅନ୍ୟ ଫସଲକୁ ଏତେ ଦିନ ଭଲ ରଖି ହେବ ନାହିଁ । ଯଦି ଆଜି ଆପଣ ଏହି ଲାଭଜନକ ଶସ୍ୟ ଅମଳ କରିବେ ନାହିଁ, ଆପଣଙ୍କର ଅସ୍ତିତ୍ୱ ଶେଷ ହୋଇଯିବ’’।

ଏହି ଅଞ୍ଚଳରେ ଅନେକଗୁଡ଼ିଏ ଜଟିଳ ସଂଘର୍ଷ ରହିଛି । ଗୋପ ମେନନ କହିଥିଲେ, ‘‘ଏଠାରେ ଉତ୍ପାଦନ ହେଉଥିବା ଫୁଲ ମୁଖ୍ୟତଃ ଚେନ୍ନାଇ ବଜାରକୁ ଯାଇଥାଏ । ଗୋଟିଏ ଗାଡ଼ି ଚାଷ ଜମି ପାଖକୁ ଆସିଥାଏ ଏବଂ ଆପଣଙ୍କୁ ନିଜର ପାଉଣା ମିଳିଯାଏ । ଅନ୍ୟ ପଟେ ସବୁଠୁ ମୂଲ୍ୟବାନ ଫସଲ ମାଣ୍ଡିଆ କ୍ଷେତ୍ରରେ କୌଣସି ସୁନିଶ୍ଚିତତା ନାହିଁ ଏବଂ ଆଞ୍ଚଳିକ କିସମ, ହାଇବ୍ରିଡ୍‌ ଏବଂ ଜୈବିକ ପାଇଁ ସେହି ସମାନ ମୂଲ୍ୟ ମିଳିଥାଏ।’’

‘‘ଧନୀ ଚାଷୀମାନେ ବିଦ୍ୟୁତ ବାଡ଼ ଏବଂ କାନ୍ଥ ଦେଇ ଦିଅନ୍ତି ଏବଂ ହାତୀମାନଙ୍କୁ ଗରିବ ଚାଷୀଙ୍କ ଜମି ଆଡ଼କୁ ପଠାଇ ଦେଇଥାନ୍ତି । ଧନୀ ଚାଷୀମାନେ ଅନ୍ୟ କିଛି ଚାଷ କରୁଥିବା ବେଳେ ଗରିବ ଚାଷୀମାନେ ମାଣ୍ଡିଆ ଚାଷ କରୁଛନ୍ତି।’’ ତଥାପି, ଗୋପ କୁହନ୍ତି, ‘‘ଏଠାକାର ଚାଷୀମାନେ ଅବିଶ୍ୱସନୀୟ ଭାବେ ହାତୀମାନଙ୍କ ପ୍ରତି ସହନଶୀଳ । ତେବେ ସେମାନଙ୍କର ଚିନ୍ତା ହେଉଛି ହାତୀମାନେ ଯେତିକି ଖାଇ ନଥାନ୍ତି ତା’ର ଦଶ ଗୁଣ ନଷ୍ଟ କରିଥାନ୍ତି । ମୁଁ ୨୫ ଫୁଟ ଦୂରରୁ ମୋଟ୍ଟେ ଭାଲକୁ ଦେଖିଛି,’’ ସେ କୁହନ୍ତି । ସେ ଏତିକି କହିବା ସହିତ ହାତୀମାନଙ୍କର କାହାଣୀ ପୁଣି ଜୀବନ୍ତ ହୋଇ ଉଠିଲା। ‘‘ଲୋକମାନଙ୍କ ଭଳି, ମୋଟ୍ଟେ ଭାଲ ମଧ୍ୟ ଏକାଧିକ ରାଜ୍ୟର ପ୍ରତିନିଧିତ୍ୱ କରିଥାଏ । ସେ ତାମିଲ ବାସିନ୍ଦା । ସେ ମଧ୍ୟ ଜଣେ ସମ୍ମାନିତ କନ୍ନଡ଼ବାସୀ । ମକାନା ତା’ର ସହଯୋଗୀ । ବିଦ୍ୟୁତ ତାର କିଭଳି ଅତିକ୍ରମ କରିବାକୁ ହେବ ତାହା ସେ ମକାନାକୁ ଶିଖାଇ ଦେଇଥାଏ ।’’

ହଠାତ୍‌, ଏମିତି ଲାଗିଲା ଯେମିତି ମୋଟ୍ଟେ ଭାଲ୍‌ ଏଇ ଛାତ ତଳେ ଅଛି, ସବୁକିଛି ଶୁଣୁଛି । ମୁଁ ଭୟପୂର୍ଣ୍ଣ ହସ ହସି କହିଲି, ‘‘ହୁଏତ’ ମୁଁ ହୋସୁର ଚାଲିଯିବି ଏବଂ କାରରେ ଶୋଇଯିବି’’। ଏଥିରେ ଗୋପ ଆମୋଦିତ ହେଲେ । ଗମ୍ଭୀର ସ୍ୱରରେ ସେ କହିଲେ, ‘‘ମୋଟ୍ଟେ ଭାଲ ବିଶାଳ, ତା’ର ଆକାର ବଡ଼ । କିନ୍ତୁ ସେ ଅତି ଭଦ୍ର।’’ ତା’ ସହ – କିମ୍ବା ଅନ୍ୟ କୌଣସି ହାତୀ ସହ- କେବେ ବି ଶୀଘ୍ର ମୁହାଁମୁହିଁ ନହେଉ ବୋଲି ମୁଁ ମନେ ମନେ ପ୍ରାର୍ଥନା କରୁଥିଲି । କିନ୍ତୁ ଭଗବାନଙ୍କର ଅନ୍ୟ କିଛି ଯୋଜନା ଥିଲା....

*****

ଯଦିଓ ମୂଳ ଦେଶୀ ମାଣ୍ଡିଆ, ଅମଳ ଖୁବ୍‌ କମ୍‌, ତଥାପି ଏହାର ସ୍ୱାଦ ଏବଂ ପୋଷଣ କ୍ଷମତା ଖୁବ୍‌ ଅଧିକ ।
ନାଗୀ ରେଡ୍ଡୀ, କ୍ରୀଷ୍ଣାଗିରିର ଜଣେ ମାଣ୍ଡିଆ ଚାଷୀ ।

PHOTO • M. Palani Kumar

ବାମରୁ: ଭଦ୍ର ପଲୟମ ପଡ଼ାରେ ଥିବା ସେମାନଙ୍କ ଘର ବାରଣ୍ଡାରେ ବସିଛନ୍ତି ନାଗନ୍ନା (ନାଗି ରେଡ୍ଡୀ), ତାଙ୍କ ବୋହୂ ପ୍ରଭା ଏବଂ ପୁଅ ଆନନ୍ଦ । ନାଗନ୍ନା କୁହନ୍ତି, ‘ପାଞ୍ଚଟି କିସମର ମାଣ୍ଡିଆ ବିଷୟରେ ମୋର ମନେ ଅଛି’

ନାଗନ୍ନା ଯୁବକ ଥିବା ବେଳେ ମାଣ୍ଡିଆ ଗଛ ତାଙ୍କ ଛାତି ପର୍ଯ୍ୟନ୍ତ ବଢ଼ୁଥିଲା। ସେ ଜଣେ ଡେଙ୍ଗା ଓ ପତଳା ଲୋକ, ତାଙ୍କର ଉଚ୍ଚତା ପ୍ରାୟ ୫ ଫୁଟ୍‌ ୧୦ ଇଞ୍ଚ । ସେ ଏକ ଧୋତି ଏବଂ ଗଞ୍ଜି ପିନ୍ଧିଥାନ୍ତି, କାନ୍ଧରେ ତଉଲିଆ ଗୁଡ଼ାଇ ଥାଆନ୍ତି। ବେଳେବେଳେ ସେ ଏକ ବାଡ଼ି ଧରିଥାନ୍ତି, ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଲେ ସେ ଦାଗମୁକ୍ତ ଧଳା ସାର୍ଟ ପିନ୍ଧିଥାନ୍ତି ।

ବାରଣ୍ଡାରେ ବସି, ଗାଁ, ଘର ଏବଂ ଅଗଣା ଆଡ଼େ ଏକା ଥରକେ ଆଖି ବୁଲାଇ ଆଣି ସେ କୁହନ୍ତି, ‘‘ପାଞ୍ଚଟି କିସମର ମାଣ୍ଡିଆ ବିଷୟରେ ମୋର ମନେ ଅଛି । ମୂଳ ନଟ୍‌ (ଦେଶୀ) ମାଣ୍ଡିଆରେ କେବଳ ଚାରିଟି କିମ୍ବା ପାଞ୍ଚଟି କେଣ୍ଡା ଥିଲା। ଉତ୍ପାଦନ କମ ଥିଲା, କିନ୍ତୁ ସ୍ୱାଦ ଓ ପୋଷଣ ଖୁବ୍‌ ଅଧିକ ଥିଲା।’’

ସେ ମନେ ପକାଇ କୁହନ୍ତି, ହାଇବ୍ରିଡ୍‌ କିସମ ୧୯୮୦ ମସିହାରେ ଆସିଥିଲା। ପ୍ରଥମେ ସେଗୁଡ଼ିକୁ –ଏମଆର, ଏଚଆର ନାମ ଦିଆଯାଉଥିଲା – ସେଥିରେ ଏକାଧିକ କେଣ୍ଡା ରହୁଥିଲା। ଅମଳ ବଢ଼ିଲା, ୮୦ କିଲୋଗ୍ରାମ ଲେଖାଏଁ ୫ ବସ୍ତା ତୁଳନାରେ, ସିଧା ୧୮ ବସ୍ତାରେ ପହଞ୍ଚିଲା। କିନ୍ତୁ ଅଧିକ ଅମଳ ଚାଷୀମାନଙ୍କୁ ଯେ ଉତ୍ସାହିତ କରିବ ତାହା ଜରୁରି ନୁହେଁ । କାରଣ ବ୍ୟବସାୟିକ ଦୃଷ୍ଟିରୁ ଲାଭ ଉପାର୍ଜନ ଲାଗି ଏହାକୁ ଚାଷ କରିବା ନିମନ୍ତେ ସେମାନଙ୍କ ପାଇଁ ମୂଲ୍ୟ ଯଥେଷ୍ଟ ଅଧିକ ନଥିଲା।

ନାଗନ୍ନା ମାତ୍ର ୧୨ ବର୍ଷ ବୟସରୁ ଚାଷ କାମ ଆରମ୍ଭ କରିଥିଲେ । ୭୪ ବର୍ଷ ହେଲା ସେ ଚାଷ କରି ଆସୁଛନ୍ତି ଏବଂ ଅନେକ ଫସଲ ସେ ଅମଳ କରିଛନ୍ତି । ‘‘ଆମ ପରିବାର ଯାହା ଚାହିଁଛି ଚାଷ କରିଛି । ଆମ ଜମିରେ ଆଖୁ ଚାଷ କରି ଆମେ ଗୁଡ଼ ତିଆରି କରିଛୁ । ଆମେ ରାଶି ଚାଷ କରିଛୁ ଏବଂ ତା’କୁ କାଠ ଘଣାରେ ପେଶି ସେଥିରୁ ତେଲ ବାହାର କରିଛୁ । ମାଣ୍ଡିଆ, ଧାନ, ଚଣା, ଲଙ୍କା, ଅଦା ପିଆଜ... ଆମେ ସବୁକିଛି ଚାଷ କରିଛୁ ।’’

ଚାଷ ଜମି ହିଁ ତାଙ୍କ ପାଇଁ ଶ୍ରେଣୀ ଗୃହ ଥିଲା। ଔପଚାରିକ ଶିକ୍ଷା ଦୂର ଏବଂ ଅପହଞ୍ଚ ଥିଲା। ସେ ମଧ୍ୟ ପରିବାରର ଗୃହପାଳିତ ପ୍ରାଣୀମାନଙ୍କୁ ଚରାଉଥିଲେ, ଯେଉଁଥିରେ ଗାଈ ଓ ଛେଳିମାନେ ଥିଲେ । ବ୍ୟସ୍ତବହୁଳ ଜୀବନ ଥିଲା। ସମସ୍ତଙ୍କ ପାଇଁ କିଛି ନା କିଛି କାମ ଥିଲା।

ନାଗନ୍ନାଙ୍କର ଯୌଥ ପରିବାର ବଡ଼ ଥିଲା। ଗଣତି କରି ସେ କୁହନ୍ତି, ସମସ୍ତଙ୍କୁ ମିଶାଇ ୪୫ ଜଣ ସଦସ୍ୟ ଥିଲେ । ତାଙ୍କର ଜେଜେବାପା ତିଆରି କରିଥିବା ଏକ ବଡ଼ ଘରେ ସେମାନେ ରହୁଥିଲେ । ତାହା ଗଳିର ଠିକ୍‌ ଆରପାରିରେ ରହିଛି, ୧୦୦ ବର୍ଷ ପୁରୁଣା ଏକ ଅଟ୍ଟାଳିକା ଯାହାକି ଏକ ଗାଈ ଗୁହାଳ ସହିତ ନିର୍ମାଣ କରାଯାଇଛି । ପୁରୁଣା ଶଗଡ଼ଟିଏ ଅଛି ଏବଂ ବାର୍ଷିକ ମାଣ୍ଡିଆ ଫସଲ ସଂରକ୍ଷିତ କରି ରଖିବା ପାଇଁ ବାରଣ୍ଡାରେ ଏକ ଅନ୍ନଭଣ୍ଡାର ନିର୍ମାଣ କରାଯାଇଛି ।

PHOTO • M. Palani Kumar
PHOTO • M. Palani Kumar

ବାମ: ନାଗନ୍ନାଙ୍କ ପୈତୃକ ଘରେ ଥିବା ଗାଈ ଗୁହାଳ । ଡାହାଣ: ପୁରୁଣା ଘର ବାରଣ୍ଡାରେ ଏକ ଅନ୍ନଭଣ୍ଡାର ନିର୍ମିତ ହୋଇଛି

ନାଗନ୍ନାଙ୍କୁ ଯେତେବେଳେ ୧୫ ବର୍ଷ ହୋଇଥିଲା, ତାଙ୍କ ପରିବାର ସମ୍ପତ୍ତିକୁ ସବୁ ସଦସ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥିଲା। ସେତେବେଳେ ତାଙ୍କୁ ଖଣ୍ଡେ ଜମି ବ୍ୟତୀତ, ଗାଈଗୁହାଳ ମିଳିଥିଲା। ଏବଂ ତା’କୁ ସଫା କରି ଘର ତିଆରି କରିବା ତାଙ୍କର କାମ ଥିଲା। ‘‘ସେତେବେଳେ, ଗୋଟିଏ ବସ୍ତା ସିମେଣ୍ଟ ଦର ୮ ଟଙ୍କା ଥିଲା – ଯାହାକି ଖୁବ ଅଧିକ ଥିଲା। ଆମେ ୧୦୦୦ ଟଙ୍କା ମଧ୍ୟରେ ଏହି ଘର ତିଆରି କରିବା ଲାଗି ଜଣେ ରାଜମିସ୍ତ୍ରୀ ସହ ଉପ୍ପାନ୍ଦମ (ରାଜିନାମା) କରିଥିଲୁ।’’

କିନ୍ତୁ ଏହା ସମ୍ପୂର୍ଣ୍ଣ ହେବା ଲାଗି ଅନେକ ବର୍ଷ ଲାଗିଲା। ଗୋଟିଏ ଛେଳି ଏବଂ ୧୦୦ ବ୍ଲକ୍‌ ଗୁଡ଼ ବିକ୍ରି କରି ଆମେ କାନ୍ଥ ଯୋଡ଼ିବା ପାଇଁ ଇଟା କିଣିଥିଲୁ । ଜିନିଷପତ୍ର ଏକ ମାଟୁୱଣ୍ଡି (ବଳଦ ଗାଡ଼ି) ରେ ଆସିଥିଲା। ସେତେବେଳେ ଟଙ୍କା ପଇସାର ଅଭାବ ଥିଲା। ଅତିବେଶୀରେ, ଗୋଟିଏ ପାଡ଼ି (ରାଜ୍ୟରେ ପାରମ୍ପରିକ ମାପନ ପ୍ରଣାଳୀ – ୬୦ ପଡ଼ି ମିଶିଲେ ୧୦୦ କିଲୋଗ୍ରାମ ହୋଇଥାଏ) ମାଣ୍ଡିଆ ବିକିଲେ ମାତ୍ର ୮ ଅଣା ମିଳୁଥିଲା।

୧୯୭୦ରେ ତାଙ୍କ ବାହାଘରର କିଛି ବର୍ଷ ପୂର୍ବରୁ ନାଗନ୍ନା ଶେଷରେ ତାଙ୍କ ଘରକୁ ଆସିଥିଲେ। ସେ କୁହନ୍ତି, ସେ କିଛି ଆଧୁନିକ ସ୍ପର୍ଶ ଦେଇନାହାନ୍ତି, ‘‘କେବଳ ଏଠି ସେଠି କିଛି ସ୍ଥାନରେ’’। ତାଙ୍କ ନାତି ନିଜ ଆଡ଼ୁ କିଛି ଯୋଗଦାନ ଦେଇଥିଲେ। ପେରାଇ (ତେଲ ଦୀପ ରଖିବା ଲାଗି ହୋଇଥିବା ଥାକ) ଉପରେ ସେ ନିଜ ନାମ ଏବଂ ପସନ୍ଦର ପଦନାମ ଖୋଦେଇ କରିଥିଲେ : ‘ଦୀନେଶ ଇଜ୍‌ ଦ ଡନ୍’ (ଦିନେଶ ଡନ୍‌) । ଆମେ ସେଦିନ ସକାଳୁ ସେହି ୧୩ ବର୍ଷୀୟ ବାଳକକୁ ଦେଖିଲୁ – ସେ ଚାଲି ଚାଲି ସ୍କୁଲକୁ ଯାଉଥିଲା, ଡନ୍‌ ଅପେକ୍ଷା ସୁନା ପିଲା ଭଳି ଅଧିକ ଲାଗୁଥିଲା। - ସେ ଖୁବ ଧୀର ସ୍ୱରରେ ଅଭିବାଦନ ଜଣାଇଲା ଏବଂ ଦୌଡ଼ି ଚାଲିଗଲା।

ଡନ୍‌ ହେବାକୁ ଚାହୁଁଥିବା ପିଲାଟିର ମା’ ପ୍ରଭା ଆମକୁ ଚା’ ପରଷି ଦେଇଥିଲେ । ନାଗନ୍ନା ତାଙ୍କୁ ଚଣା ଆଣିବାକୁ କହିଲେ। ସେ ଏକ ଟିଣ ଡବାରେ ଚଣା ନେଇ ଆସିଲେ, ଯେତେବେଳେ ସେ ତା’କୁ ହଲାଇଲେ ତାହା ଏକପ୍ରକାର ବାଦ୍ୟଯନ୍ତ୍ର ଭଳି ଶବ୍ଦ ସୃଷ୍ଟି କଲା। ଏହାକୁ କୋଳମ୍ବୁ (ଝୋଳ)ରେ କିପରି ରନ୍ଧା ଯାଇଥାଏ ତାହା ସେ ବର୍ଣ୍ଣନା କରିଥିଲେ । ଏହାକୁ କଞ୍ଚା ଖାଆନ୍ତୁ, ସେ କହିଥିଲେ, ‘‘ପରବାଇଲେଇ (ଠିକ୍‌ ହେବ)।’’  ଆମେ ସମସ୍ତେ ମୁଠାଏ ଲେଖାଏଁ ଧରିଲୁ। ଏହା ପୁଷ୍ଟିକର, କୁରକୁରା ଏବଂ ସୁଆଦିଆ ଥିଲା। ‘‘ଲୁଣ ପଡ଼ି ଭଜା ହୋଇଥିଲେ ଏହାର ସ୍ୱାଦ ବେଶ ଭଲ ଆସିଥାଏ,’’ ନାଗନ୍ନା କହିଥିଲେ । ଆମେ ତାଙ୍କ କଥାରେ ଆଦୌ ଦ୍ଵିମତ ହେଲୁ ନାହିଁ ।

କୃଷିରେ କେଉଁ ପରିବର୍ତ୍ତନ ଆସିଛି ବୋଲି ମୁଁ ତାଙ୍କୁ ପଚାରିଲି । ‘‘ସବୁକିଛି’’, ସେ ସ୍ପଷ୍ଟ ଭାବେ କହିଲେ । ‘‘କିଛି ଭଲ ପରିବର୍ତ୍ତନ, କିନ୍ତୁ ଲୋକମାନେ,’’ ସେ ମୁଣ୍ଡ ହଲାଇଥିଲେ, ‘‘ମୁଁ ଏବେ କାମ କରିବାକୁ ଚାହୁଁନାହିଁ।’’ ୮୬ ବର୍ଷ ବୟସରେ, ସେ ଏବେ ବି ଦୈନିକ ଚାଷ ଜମିକୁ ଯାଉଛନ୍ତି ଏବଂ ତାଙ୍କୁ ପ୍ରଭାବିତ କରୁଥିବା ଦୈନନ୍ଦିନ ଘଟଣାବଳି ସମ୍ପର୍କରେ ତାଙ୍କର ବିଶେଷ ଜ୍ଞାନ ରହିଛି । ‘‘ଏବେ ଆପଣଙ୍କ ପାଖରେ ଜମି ଥିଲେ ମଧ୍ୟ, ଆପଣଙ୍କୁ ଶ୍ରମିକ ମିଳିବେ ନାହିଁ’’, ସେ କହିଥିଲେ ।

PHOTO • M. Palani Kumar

ଘର ବାରଣ୍ଡାରେ ବସି ନାଗନ୍ନା ତାଙ୍କ ପିଲାଦିନର କଥା କହିଥାନ୍ତି

ଆନନ୍ଦ କହିଥିଲେ, ‘‘ମାଣ୍ଡିଆ ଅମଳ କରିବା ଲାଗି ମେସିନ ଅଛି ବୋଲି ଲୋକମାନେ ଆପଣଙ୍କୁ କହିବେ, କିନ୍ତୁ ମେସିନ୍‌ ଆଙ୍ଗୁଠି ଭଳି ପାର୍ଥକ୍ୟ ଜାଣିପାରିବ ନାହିଁ। ଗୋଟିଏ କଦ୍ଦିର (କେନା)ରୁ ବାହାରିଥିବା କେଣ୍ଡା ମଧ୍ୟରୁ ଗୋଟିଏ ପାଚିଲା, ଗୋଟିଏ ଶୁଖିଲା ଏବଂ ଆଉ ଗୋଟିଏ କ୍ଷୀରୁଆ ରହିଥିବ। ମେସିନ ସେସବୁକୁ ଏକସଙ୍ଗେ ଛିଣ୍ଡାଇ ଦେବ। ସେଗୁଡ଼ିକୁ ବସ୍ତାରେ ଭର୍ତ୍ତି କରିବା ପରେ, ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ଏବଂ ସବୁ ଫିମ୍ପି ଲାଗିଯିବା ଭଳି ଗନ୍ଧ ହେବ।’’ ହାତରେ ଅମଳ କରିବା ଶ୍ରମ ସାଧ୍ୟ, ‘‘କିନ୍ତୁ ଫସଲକୁ ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖି ହେବ।’’

ଶିବକୁମାର ଭାଗ ନେଇଥିବା ମାଣ୍ଡିଆ କ୍ଷେତରେ ପନ୍ଦର ଜଣ ମହିଳା ହାତରେ ଫସଲ କାଟୁଥିଲେ । କାଖରେ ଦାଆ ଜାକି ଧରି ଏବଂ ‘ସୁପରଡ୍ରାଇ ଇଣ୍ଟରନ୍ୟାସନାଲ’ ପ୍ରିଣ୍ଟ ହୋଇଥିବା ଏକ ଟି-ସାର୍ଟ ପିନ୍ଧିବା ସହ କାନ୍ଧରେ ଏକ ତଉଲିଆ ପକାଇଥିବା ଶିବ କୁମାର ଆମକୁ ମାଣ୍ଡିଆ ବିଷୟରେ ବେଶ ଉତ୍ସାହିତ ହୋଇ କହିଥିଲେ ।

ଗୋଲାପଲ୍ଲୀର ଠିକ୍‌ ବାହାରେ ଥିବା ତାଙ୍କ ଚାଷ ଜମି, ଗତ ସପ୍ତାହରେ ଖୁବ ଜୋରରେ ବର୍ଷା ଓ ପବନ ମାଡ଼ ଖାଇଛି । ୨୫ ବର୍ଷୀୟ ଶିବ ଜଣେ ଆଗ୍ରହୀ ଚାଷୀ ଏବଂ ସେ ମୋତେ ବର୍ଷା ଦିନ ଏବଂ ଚାଷରେ ହୋଇଥିବା କ୍ଷତି ବିଷୟରେ କହିଥିଲେ । ମାଣ୍ଡିଆ କେଣ୍ଡା ସବୁ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା, ଏବଂ ସେଗୁଡ଼ିକୁ ଏକାଠି କରି କାଟୁଥିବା ଏବଂ ବିଡ଼ା ବାନ୍ଧୁଥିବା ମହିଳାମାନେ ବିରକ୍ତ ହେଉଥିଲେ । ସେ ଆହୁରି କହିଥିଲେ, ଅମଳ କମିଯାଇଛି, ଅନ୍ୟପଟେ ମହିଳାମାନଙ୍କର କାମ କରିବାର ସମୟ ଗୋଟିଏରୁ ଦୁଇ ଦିନକୁ ବଢ଼ି ଯାଇଛି । ଅନ୍ୟପଟେ ଜମିର ଭାଗ ବା ଲିଜ୍‌ ଦର ଅପରିବର୍ତ୍ତିତ ରହିଛି ।

‘‘ଏହି ଚାଷ ଜମି ପାଇଁ – ଦୁଇ ଏକର ଠାରୁ କମ୍‌ – ମୋତେ ଭାଗ ଚାଷ ବାବଦକୁ ସାତ ବସ୍ତା ମାଣ୍ଡିଆ ଦେବାକୁ ପଡ଼ିବ । ବାକି ୧୨ କିମ୍ବା ୧୩ ବସ୍ତା ରଖିପାରିବି କିମ୍ବା ବିକ୍ରି କରିପାରିବି । କିନ୍ତୁ, ‘‘ସେ ଜୋର ଦେଇ କୁହନ୍ତି’’, “ଆପଣ କେବଳ କର୍ଣ୍ଣାଟକର ମୂଲ୍ୟ ସହିତ ଲାଭ ଆଶା କରିପାରିବେ । ତାମିଲନାଡ଼ୁରେ ଆମକୁ କିଲୋ ପ୍ରତି ୩୫ ଟଙ୍କା ମିଳିବା ଦରକାର । ତାହା ଲେଖି ରଖନ୍ତୁ’’, ସେ ମୋତେ ନିର୍ଦ୍ଦେଶ ଦେଲେ । ମୁଁ ଲେଖି ରଖିଲି...

ଅନ୍ୟପଟେ ସେଇଠି ନିଜ ଅଗଣାରେ, ନାଗନ୍ନା ମୋତେ ନିଜର ପୁରୁଣା ରୋଲିଂ ପଥର ଦେଖାଇଲେ । ତାହା ଏକ ବିଶାଳ ସିଲିଣ୍ଡର ଆକୃତିର ଥିଲା, ଯାହାକୁ ଗୋରୁମାନେ କଟା ହୋଇଥିବା ମାଣ୍ଡିଆ ଗଛ ଉପରେ ଟାଣିଥାନ୍ତି । ସେହି ମାଣ୍ଡିଆ ଗୋବର ଲିପା ହୋଇ ପ୍ରସ୍ତୁତ ହୋଇଥିବା କଠିନ ଭୂମି ଉପରେ ରଖାଯାଇଥାଏ। ଧୀରେ ଧୀରେ, କିନ୍ତୁ କୁଶଳପୂର୍ଣ୍ଣ ଭାବେ, ପଥର ମାଣ୍ଡିଆକୁ ଚାପିଥାଏ, ମାଣ୍ଡିଆ ଓ ନଡ଼ାକୁ ଅଲଗା କରି ସଂଗ୍ରହ କରାଯାଏ। ଏହାପରେ ମାଣ୍ଡିଆକୁ ଅଲଗା କରି ଆଣି ଘର ଆଗରେ ଥିବା ଶସ୍ୟ ଖଣିରେ ରଖି ଦିଆଯାଏ । ପୂର୍ବରୁ ସେଗୁଡ଼ିକୁ ଝୋଟ ବସ୍ତାରେ ଭର୍ତ୍ତି କରାଯାଉଥିଲା – ଏବେ ଧଳା ପ୍ଲାଷ୍ଟିକ ବସ୍ତାରେ ରହୁଛି ।

‘‘ଏବେ ଭିତରକୁ ଆସନ୍ତୁ,’’ ନାଗନ୍ନା ଆମକୁ ଡାକିଲେ । ‘‘କିଛି ଖାଇବେ ଆସନ୍ତୁ....’’ ଏବଂ ରୋଷେଇ ଘରେ ଆଉ କିଛି କାହାଣୀ ଶୁଣିବାର ଆଶା ନେଇ, ମୁଁ ଆଗ୍ରହ ସହକାରେ ପ୍ରଭାଙ୍କୁ ଅନୁସରଣ କଲି।

PHOTO • M. Palani Kumar
PHOTO • M. Palani Kumar

ବାମ: ଗୋଲାପଲ୍ଲୀ ବାହାରେ ନିଜର ଭାଗ ଚାଷ ଜମିରେ ବର୍ଷାରେ ନଷ୍ଟ ହୋଇଯାଇଥିବା ମାଣ୍ଡିଆ ଫସଲ ଅମଳ କରୁଛନ୍ତି ଶିବ କୁମାରନ। ଡାହାଣ: ଶିବଙ୍କ କ୍ଷେତରେ ଶ୍ରମିକମାନେ ଫସଲ କାଟୁଛନ୍ତି ଏବଂ ବାନ୍ଧୁଛନ୍ତି

*****

ପାରାଙ୍କ ଅଣ୍ଡା ଭଳି ମାଣ୍ଡିଆ ଶସ୍ୟ
ବର୍ଷା ସିଞ୍ଚିତ ଜମିରେ ଅମଳ ହେଉଥିଲା
କ୍ଷୀରରେ ରାନ୍ଧି ମହୁ ମିଶାଇ
ଆଉ ଚୁଲିରେ ରନ୍ଧା ହୋଇଥିବା ମାଂସଳ ଠେକୁଆର ମାଂସ
ମୁଁ ମୋ ପରିଜନଙ୍କ ସହ ଖାଇଥାଏ

‘ପୁରାନାନୁରୁ ୩୪’, ଆଲାତୁର କିଳାରଙ୍କ ଦ୍ଵାରା ରଚିତ ସଙ୍ଗମ ଯୁଗର କବିତା
ସେନ୍ତିଲ ନାଥନଙ୍କ ଦ୍ଵାରା ଅନୁବାଦିତ

କ୍ୟାଲସିୟମ ଏବଂ ଲୌହସାର ସମୃଦ୍ଧ, ଗ୍ଲୁଟେନ ମୁକ୍ତ ଏବଂ ଦୁଇ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବାର କ୍ଷମତା ଥିବା ଯୋଗୁ ମାଣ୍ଡିଆ ଏକ ସ୍ୱାସ୍ଥ୍ୟପ୍ରଦ ଶସ୍ୟ। ଏପରିକି ୨,୦୦୦ ବର୍ଷ ପୂର୍ବରୁ, ତାମିଲମାନେ ମାଂସ ଏବଂ କ୍ଷୀର ଓ ମହୁ ସହିତ ମିଶାଇ ଏକ ରୋଚକ ମାଣ୍ଡିଆ ଭୋଜନ ପ୍ରସ୍ତୁତ କରୁଥିଲେ । ଆଜି, ମାଣ୍ଡିଆ ରନ୍ଧା ହୋଇ ଭୋଜନ ଆକାରରେ ସେବନ କରାଯାଉଛି, ଜଳଖିଆ ଭାବେ ଉପଯୋଗ ହେଉଛି ଏବଂ ପିଲାମାନଙ୍କୁ ମଧ୍ୟ ଖାଇବାକୁ ଦିଆଯାଉଛି । ତାମିଲନାଡ଼ୁର ଅଧିକାଂଶ ଅଞ୍ଚଳରେ ସେମାନଙ୍କର ନିଜସ୍ୱ ବ୍ୟଞ୍ଜନ ରହିଛି । ପ୍ରଭା କହିଥିଲେ ଯେ, କ୍ରିଷ୍ଣାଗିରିରେ, ମାଣ୍ଡିଆ ମୁଦ୍ଦେ (ଗୋଲାକାର) ସ୍ଥାନୀୟ ବ୍ୟଞ୍ଜନ ରୂପରେ ପରିଚିତ, ଯାହାକୁ ଲୋକମାନେ କାଳୀ, ବୋଲି କହିଥାନ୍ତି ।

ଆମେ ତାଙ୍କ ରୋଷେଇ ଘରେ ଥିଲୁ, ସେଠାରେ ସିମେଣ୍ଟ ପ୍ଲାଟଫର୍ମ ଉପରେ ଏକ ଷ୍ଟିଲ ଚୁଲା ଥୁଆ ହୋଇଥିଲା। ସେ ଏକ ଆଲୁମିନିୟମ କଢ଼େଇରେ ପାଣି ଭର୍ତ୍ତି କଲେ । ଏବଂ ଗୋଟିଏ ହାତରେ ସେ କାଠ ଖଡ଼ିକା ଓ ଆଉ ଗୋଟିଏ ହାତରେ ମାଣ୍ଡିଆ ଅଟା ଧରି ଅପେକ୍ଷା କଲେ ।

ସେ ତାମିଲ କହିପାରିବେ କି? ମୁଁ ପଚାରିଲି, କଥାବାର୍ତ୍ତା ପ୍ରଥମେ ଆରମ୍ଭ କଲି । ସେ ସାଲୱାର କମିଜ୍‌ ସହିତ, ଅଳ୍ପ କିଛି ଗହଣା ପିନ୍ଧିଥିଲେ । ମୋ କଥା ଶୁଣି ସେ ହସିଲେ, ଓ ମୁଣ୍ଡ ହଲାଇ ମନା କଲେ । କିନ୍ତୁ ସେ ତାମିଲ ଭାଷା ବୁଝି ପାରିଥିଲେ ଏବଂ ଥଙ୍ଗଥଙ୍ଗ ହୋଇ ତାମିଲ ମିଶା କନ୍ନଡ଼ ଭାଷାରେ ଉତ୍ତର ଦେଲେ । ‘‘ଗତ ୧୬ ବର୍ଷ ହେବ ମୁଁ ଏହାକୁ ପ୍ରସ୍ତୁତ କରି ଆସୁଛି’’, ସେ କହିଥିଲେ । ଯେବେ ତାଙ୍କୁ ୧୫ ବର୍ଷ ହୋଇଥିଲା, ସେବେଠାରୁ ।

ନିଜର ଅଭିଜ୍ଞତାରୁ ପାଣି କେତେବେଳେ ଫୁଟିବ ସେ ଜାଣିପାରିଥିଲେ। ସେଥିରେ ଗୋଟିଏ ବଡ଼ କପ୍‌ ମାଣ୍ଡିଆ ଚୂନା ସେ ମିଶାଇଥିଲେ । ତାହା ଏକ ଧୂସର ରଙ୍ଗର ପେଷ୍ଟରେ ପରିଣତ ହୋଇଯାଇଥିଲା। ଚିମୁଟାରେ କଡ଼େଇକୁ ଧରି, ସେ କାଠ ଖଡ଼ିକାରେ ମିଶ୍ରଣକୁ ଶୀଘ୍ର ଶୀଘ୍ର ଗୋଳାଇଥିଲେ। ତାହା ବେଶୀ କଷ୍ଟକର କାମ – ଏଥିପାଇଁ କୌଶଳ ଓ ଶକ୍ତି ଆବଶ୍ୟକ। ମାଣ୍ଡିଆ କିଛି ମିନିଟ୍‌ ମଧ୍ୟରେ ରାନ୍ଧି ହୋଇଗଲା, ଏହାପରେ ସେଗୁଡ଼ିକୁ ବଲ୍‌ ଆକୃତିରେ ଗୋଲ୍‌ ଗୋଲ୍‌ କରି ଦିଆଗଲା।

ଏସବୁ କାମ ଦେଖିବା ବେଶ ରୋଚକ ଥିଲା, ମୁଁ ତାଙ୍କ କାମ ଦେଖୁଥିଲି, ଭାବୁଥିଲି ବୋଧହୁଏ ହଜାର ହଜାର ବର୍ଷ ଧରି ମହିଳାମାନେ ଏହି କାମ କରି ଆସୁଛନ୍ତି ।

‘‘ମୋ ପିଲାଦିନର କଥା, ଏହାକୁ କାଠ ଚୁଲି ନିଆଁରେ ମାଟି ପାତ୍ରରେ ରନ୍ଧା ଯାଉଥିଲା’’, ନାଗନ୍ନା କହିଥିଲେ। ତା’ର ସୁଆଦ ଖୁବ୍‌ ଭଲ ଥିଲା, ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେତେବେଳେ ସେମାନେ ଯାହା ଖାଇଥିଲେ ତାହା ଦେଶୀ କିସମ ଥିଲା, ଆନନ୍ଦ କହିଥିଲେ। ‘‘ତାର ବାସ୍ନା ଆପଣଙ୍କୁ ବାହାରୁ ଘର ଭିତରକୁ ଟାଣି ଆଣୁଥିଲା। ଗମ ଗମ ବାସନାଇ ,’’ ସେ କହିଥିଲେ। ଦେଶୀ ମାଣ୍ଡିଆର ବାସ୍ନା ଅଦ୍ଭୁତ ଥିଲା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ‘‘ହାଇବ୍ରିଡ୍‌ କିସମ ଆସିବା ପରେ, ପାଖ କୋଠରୀରେ ସୁଦ୍ଧା ବାସ୍ନା ପହଞ୍ଚି ପାରୁନାହିଁ !’’

PHOTO • Aparna Karthikeyan
PHOTO • Aparna Karthikeyan
PHOTO • Aparna Karthikeyan

ବାମ: ପ୍ରଭା ରାନ୍ଧିଥିବା ମାଣ୍ଡିଆ ଜାଉ । ମଝି ଓ ଡାହାଣ: ଏକ ଗ୍ରାନାଇଟ ଚଟାଣ ଉପରେ ଗରମ ମାଣ୍ଡିଆ ପେଷ୍ଟକୁ ନିଜ ପାପୁଲିରେ ଗୋଲେଇ କରୁଛନ୍ତି ପ୍ରଭା

ଶ୍ୱଶୁର ଘର ଲୋକମାନେ ଉପସ୍ଥିତ ଥିବାରୁ ପ୍ରଭା ଖୁବ୍‌ କମ୍‌ କଥାବାର୍ତ୍ତା କରୁଥିଲେ । ସେ ରୋଷେଇ ଘରର ଗୋଟିଏ କୋଣରେ ଥିବା ଚାରି କୋଣିଆ ଗ୍ରାନାଇଟ୍‌ ପଥର ନେଇଥିଲେ ଏବଂ ତା’ ଉପରେ ବାମ୍ଫ ବାହାରୁଥିବା ମାଣ୍ଡିଆ ପେଷ୍ଟ ରଖିଥିଲେ। ନିଜ ହାତରେ, ସେ କୁଶଳତାପୂର୍ବକ, ଗରମ, ଗରମ ଅଟାକୁ ଏକ ମୋଟା ଟ୍ୟୁବ୍‌ ଆକୃତିରେ ବେଲି ଦେଇଥିଲେ । ମାଣ୍ଡିଆ ଭିଜାଇବା ପାଇଁ ହାତକୁ ସେ ପାଣିରେ ବୁଡ଼ାଉଥିଲେ, ସେ ମାଣ୍ଡିଆ ଅଟାର ଗୋଟିଏ ବଡ଼ ଖଣ୍ଡକୁ ଚାପ ଦେଉଥିଲେ ଏବଂ ତାହାକୁ ହାତ ପାପୁଲିରେ ପଥର ଉପରେ ଚାପି ଏକ ବଲ୍‌ ଆକାର ଦେଉଥିଲେ ।

ସେ କିଛି ରାନ୍ଧି ସାରିବା ପରେ, ଆମକୁ ଷ୍ଟିଲ୍‌ ପ୍ଲେଟର ଖାଦ୍ୟ ପରଷି ଦିଆଯାଏ । ନାଗନ୍ନା କହିଥିଲେ ‘‘ଏଠି, ଏମିତି ଖାଆନ୍ତୁ’’, ମୋର ମାଣ୍ଡିଆ ମୁଦ୍ଦେ କୁ ଛୋଟ ଛୋଟ ଖଣ୍ଡରେ ଭାଙ୍ଗି ଏବଂ ତା’କୁ ଚଣା ଝୋଳରେ ବୁଡ଼ାଇ। ପ୍ରଭା ଗୋଟିଏ ପାତ୍ରରେ ଆମ ପାଇଁ ଛଣା ହୋଇଥିବା ପରିବା ବ୍ୟଞ୍ଜନ ନେଇ ଆସିଥିଲେ । ପ୍ରକୃତରେ ତାହା ଏକ ସୁଆଦିଆ ଭୋଜନ ଥିଲା ଏବଂ କିଛି ଘଣ୍ଟା ପର୍ଯ୍ୟନ୍ତ ଆମ ପେଟ ଭରି ରଖିଥିଲା।

ନିକଟସ୍ଥ ବରଗୁରରେ, କ୍ରିଷ୍ଣାଗିରି ଜିଲ୍ଲାରେ ମଧ୍ୟ, ଲିଙ୍ଗାୟତ ସମୁଦାୟର ଲୋକମାନେ ମାଣ୍ଡିଆ ରେ ତିଆରି ରୁଟି ଖାଇଥାନ୍ତି । ଅନେକ ଦିନ ପୂର୍ବରୁ ମୋର ଏକ ଗସ୍ତ ସମୟରେ, ଚାଷୀ ପାର୍ବତୀ ସିଦ୍ଧାୟା ଘର ବାହାରେ ଥିବା ଏକ ମାଟି ଚୁଲିରେ ମୋ ପାଇଁ ରାନ୍ଧି ଦେଇଥିଲେ । ତାହା ମୋଟା ଏବଂ ସୁଆଦିଆ ଥିଲା, ସେହି ରୁଟିକୁ କିଛି ଦିନ ପର୍ଯ୍ୟନ୍ତ ସାଇତି ରଖିହେବ। ବିଶେଷ କରି ଜଙ୍ଗଲକୁ ଗାଈଗୋରୁ ଚରାଇବାକୁ ଯାଉଥିବା ପରିବାର ସଦସ୍ୟମାନଙ୍କ ପାଇଁ ଏହା ଏକ ମୁଖ୍ୟ ଭୋଜନ ହୋଇଥାଏ।

ଚେନ୍ନାଇର ଖାଦ୍ୟ ଐତିହାସିକ, ବ୍ୟାଖ୍ୟାକାର, ଏବଂ କାର୍ଯ୍ୟକ୍ରମ ସଂଯୋଜକ ରାକେଶ ରଘୁନାଥନ, ଏକ ପାରମ୍ପରିକ ପାରିବାରିକ ବ୍ୟଞ୍ଜନ : ମାଣ୍ଡିଆ ଭେଲ୍ଲାଦାଇ ବିଷୟରେ କହିଥାନ୍ତି । ଏକ ମିଠା ପିଠା ଭଳି ହୋଇଥିବା ଏହି ବ୍ୟଞ୍ଜନରେ ମାଣ୍ଡିଆ ଚୂନା, ଗୁଡ଼ ଏବଂ ନଡ଼ିଆ ରସ, ଗୋଟିଏ ଚିମୁଟେ ଅଳେଇଚ ଏବଂ ଶୁଣ୍ଠି ପାଉଡର ଆବଶ୍ୟକ ହୋଇଥାଏ।  ‘‘ମୋ ମା’ଙ୍କର ଜେଜେ ମା’ ତାଙ୍କୁ ଅଦାଇ ତିଆରି କରିବା ଶିଖାଇ ଥିଲେ। ତାଞ୍ଜାଭୂର ଅଞ୍ଚଳରେ ଏହି ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ ଏବଂ ବିଶେଷ କରି କାର୍ତ୍ତିଗଇଦୀପମ୍‌ (ଏକ ପାରମ୍ପରିକ ଆଲୋକ ପର୍ବ) ଉପଲକ୍ଷେ ଉପବାସ ଭାଙ୍ଗିବା ଲାଗି ଏହାକୁ ସେବନ କରାଯାଇଥାଏ।’’ ଅଳ୍ପ ଘିଅରେ ପ୍ରସ୍ତୁତ ଏହି ମୋଟା ପିଠା ଅଳ୍ପ ଘିଅରେ ପ୍ରସ୍ତୁତ ହୋଇଥାଏ ଯାହା ଉଭୟ ପୁଷ୍ଟିକର ଏବଂ ସୁଖଦାୟକ, ଯାହାକି ଉପବାସ ପରବର୍ତ୍ତୀ ଭୋଜନ ପାଇଁ ଆଦର୍ଶ ବୋଲି ବିବେଚନା କରାଯାଏ।

ପୁଦୁକୋଟ୍ଟେଇ ଜିଲ୍ଲାର ଚିନ୍ନା ବୀରମଙ୍ଗଲମ ଗାଁର ପ୍ରସିଦ୍ଧ ଭିଲେଜ୍‌ କୁକିଂ ଚାନେଲର ମୁଖ୍ୟ ରୋଷେୟା ମାଣ୍ଡିଆ ଭୋଜନ ପ୍ରସ୍ତୁତ କରିଥାନ୍ତି: କାଳୀ ସହିତ କରୁୱାଦୁ (ଶୁଖୁଆ) । ତାଙ୍କ ୟୁଟ୍ୟୁବ ଚାନେଲର ସବୁଠୁ ବଡ଼ ଉଦ୍ଦେଶ୍ୟ ହେଉଛି ପାରମ୍ପରିକ ବ୍ୟଞ୍ଜନର ପୁନରୁଦ୍ଧାର। ଚାନେଲର ସହ ପ୍ରତିଷ୍ଠାତା ୩୩ ବର୍ଷୀୟ ସୁବ୍ରମଣ୍ୟମ ଟେଲିଫୋନ ସାକ୍ଷାତକାରରେ କହିଥିଲେ, ‘‘ମୋତେ ୭ କିମ୍ବା ୮ ବର୍ଷ ହୋଇଥିବା ବେଳେ ମାଣ୍ଡିଆରେ ପ୍ରସ୍ତୁତ ଖାଦ୍ୟ ବହୁଳ ଭାବେ ସେବନ କରାଯାଉଥିଲା। ଧୀରେ ଧୀରେ ଏହା ଲୋପ ପାଇଗଲା ଏବଂ ଏହା ସ୍ଥାନରେ ଧାନ ଆସିଲା।’’

ଏହା ଆଦୌ ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ଚାନେଲର ସବସ୍କ୍ରାଇବରଙ୍କ ସଂଖ୍ୟା ୧୫ ନିୟୁତରୁ ଅଧିକ – ଏଥିରେ ପଡ଼ିଥିବା ଏକ ଦୁଇ ବର୍ଷ ପୁରୁଣା ଭିଡିଓରେ ପ୍ରାୟ ୮ ନିୟୁତ ଭିୟୁ ରହିଛି। ଏଥିରେ ରାଗିକୁ ଗ୍ରାନାଇଟ୍‌ ପଥରରେ ଚୂରିବାଠାରୁ ଆରମ୍ଭ କରି ତାଳ ପତ୍ରରେ ପ୍ରସ୍ତୁତ ପାତ୍ରରେ ଖାଇବା ପର୍ଯ୍ୟନ୍ତ ଟିକିନିଖି ବର୍ଣ୍ଣନା ଏଥିରେ ରହିଛି ।

PHOTO • Aparna Karthikeyan
PHOTO • Aparna Karthikeyan

ବାମ: ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ମାଣ୍ଡିଆ ଉପଯୋଗ ହ୍ରାସ ପାଉଛି । ଡାହାଣ: ବେଙ୍ଗଳା ପକାଇବା ଲାଗି ନାଗନ୍ନାଙ୍କ ଅଗଣାରେ ଥିବା ପଥର ଯାହାକୁ ଗୋରୁମାନେ ଟାଣିଥାନ୍ତି

ସବୁଠୁ ରୋଚକ କଥା ହେଉଛି ମାଣ୍ଡିଆ ମୁଦ୍ଦେକୁ ରାନ୍ଧିବା । ସୁବ୍ରମଣ୍ୟମଙ୍କ ଜେଜେବାପା ୭୫ ବର୍ଷ ବୟସ୍କ ପେରିୟାଥାମ୍ବି, ରନ୍ଧା ହୋଇଥିବା ଭାତ ସହିତ ମାଣ୍ଡିଆ ମିଶାଇବା, ସେଗୁଡ଼ିକୁ ଗୋଲ ଗୋଲ କରି ଭାତ ପାଣିରେ ପକାଇବା କାର୍ଯ୍ୟ ନିରୀକ୍ଷଣ କରୁଛନ୍ତି । ଏହାର ଲୁଣିଆ ସଂସ୍କରଣକୁ ଶୁଖୁଆ ସହିତ ଖାଇଥାନ୍ତି । ଯେପର୍ଯ୍ୟନ୍ତ ଉପର ତ୍ୱଚା ପୋଡ଼ି ନାହିଁ ଏବଂ ପରସ୍ତ ପରସ୍ତ ହୋଇନାହିଁ ସେପର୍ଯ୍ୟନ୍ତ ଶୁଖୁଆକୁ କାଠ ଚୁଲି ଉପରେ ରଖି ଅଳ୍ପ ଅଳ୍ପ ଜାଳରେ ଭଜା ହୋଇଥାଏ। ‘‘ଦୈନନ୍ଦିନ ଭୋଜନ କେବଳ ଛୋଟ ପିଆଜ ଏବଂ କଞ୍ଚାଲଙ୍କା ସହିତ ସରଳ ଭାବେ ଗ୍ରହଣ କରାଯାଇଥାଏ’’, ସେ କହିଥିଲେ ।

ସୁବ୍ରମଣ୍ୟମ ଆଗ୍ରହର ସହିତ ଦେଶୀ କିସମର ଧାନ ଏବଂ ମାଣ୍ଡିଆର ପୁଷ୍ଟିକର ମୂଲ୍ୟ ବିଷୟରେ କହିଥାନ୍ତି । ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ତାମିଲନାଡ଼ୁ ଆସିଥିବା ସମୟରେ ସେ ଏବଂ ତାଙ୍କର ଭାଇ ଓ ସମ୍ପର୍କୀୟମାନେ ତାଙ୍କୁ ପ୍ରଭାବିତ କରିପାରିଥିଲେ । ଏବଂ ପ୍ରତିଟି ଭିଡ଼ିଓରେ, ସେମାନଙ୍କର ରୋଷେଇ ଚାନେଲ ଚର୍ଚ୍ଚାରେ ଥାଏ - ଏବଂ ଏହା ମାଧ୍ୟମରେ ହଜି ଯାଉଥିବା ବିରଳ ବ୍ୟଞ୍ଜନ ସବୁ ଅଧିକାଂଶ ସମୟରେ ପୁନର୍ଜୀବିତ ହୋଇଥାଏ।

*****

କ୍ରିଷ୍ଣାଗିରିର ମାଣ୍ଡିଆ ଚାଷୀ ଆନନ୍ଦରାମୁ କୁହନ୍ତି, ଯେଉଁ ଚାଷୀମାନେ ରାସାୟନିକ ପ୍ରୟୋଗ କରିଥାନ୍ତି ସେମାନେ ନିଜର ଲାଭ ଡାକ୍ତରଖାନାରେ ଦିଅନ୍ତି।
ଆନନ୍ଦରାମୁ, କ୍ରୀଷ୍ଣାଗିରିର ଜଣେ ମାଣ୍ଡିଆ ଚାଷୀ ।

ନାଗନ୍ନାଙ୍କ ପଡ଼ା ଆଖପାଖରେ ଥିବା ଚାଷ ଜମିରୁ ମାଣ୍ଡିଆ ଗାଏବ ହୋଇ ଚାଲିବା ପଛରେ ୩ଟି କାରଣ ରହିଛି : ଅର୍ଥନୀତି ଏବଂ ହାତୀ, ଏବଂ ଏହି ସାମ୍ପ୍ରତିକ, ଅଧିକ ଚାପଗ୍ରସ୍ତ: ଜଳବାୟୁ ପରିବର୍ତ୍ତନ । ପ୍ରଥମଟି ସାରା ତାମିଲନାଡ଼ୁ ପାଇଁ ସମ୍ପୂର୍ଣ୍ଣ ପ୍ରଯୁଜ୍ୟ । ଗୋଟିଏ ଏକର ଜମିରେ ମାଣ୍ଡିଆ ଚାଷ କରିବା ଲାଗି ୧୬,୦୦୦ରୁ ୧୮,୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ । ଆନନ୍ଦ କୁହନ୍ତି, ‘‘ଯଦି ବର୍ଷା କିମ୍ବା ହାତୀ ଆକ୍ରମଣ ହୁଏ ତା’ହେଲେ ସମସ୍ତେ ଫସଲ ଅମଳ ପାଇଁ ଶ୍ରମିକମାନଙ୍କୁ ଖୋଜିଥାନ୍ତି, ଯାହାଫଳରେ ଚାଷ ଖର୍ଚ୍ଚରେ ଆହୁରି ୨,୦୦୦ ଟଙ୍କା ଯୋଡ଼ି ହୋଇଯାଇଥାଏ।’’

‘‘ତାମିଲନାଡ଼ୁରେ ବିକ୍ରି ମୂଲ୍ୟ ଗୋଟିଏ ୮୦ କିଲୋଗ୍ରାମ ବସ୍ତା ପିଛା ୨,୨୦୦ ଟଙ୍କା । ଅର୍ଥାତ୍‌ କିଲୋ ପ୍ରତି ପ୍ରାୟ ୨୭.୫୦ ଟଙ୍କା । ବର୍ଷ ଭଲ ରହିଲେ ଆପଣ ୧୫ ବସ୍ତା ପାଇପାରିବେ – ନହେଲେ ଆପଣ ଅଧିକ ଅମଳକ୍ଷମ ବିହନ ବୁଣିପାରିଲେ ବାର୍ଷିକ ୧୮ ବସ୍ତା ପାଇପାରିବେ । କିନ୍ତୁ,’’ ଆନନ୍ଦ ଚେତାବନୀ ଦେଇ କହିଥାନ୍ତି, ‘‘ହାଇବ୍ରିଡ୍‌ କିସମ ନଡ଼ାକୁ ଗୋରୁଗାଈମାନେ ଖାତିର କରନ୍ତି ନାହିଁ । ସେମାନେ କେବଳ ଦେଶୀ କିସମକୁ ପସନ୍ଦ କରିଥାନ୍ତି’’।

ଆଉ ତାହା ଏକ ଗୁରୁତ୍ୱପୂର୍ଣ୍ଣ ବାହନ ଥିଲା, କାରଣ ଗୋଟିଏ ଲୋଡ୍‌ ମାଣ୍ଡିଆ ନଡ଼ା ୧୫,୦୦୦ ଟଙ୍କାରେ ବିକ୍ରି ହେଉଥିଲା। ଗୋଟିଏ ଏକରରୁ ଆପଣ ଦୁଇଟି ଲୋଡ୍‌ ପାଇପାରିବେ। ଗାଈଗୋରୁ ପାଳନ କରୁଥିବା ଚାଷୀମାନେ ଏହାକୁ ସେମାନଙ୍କର ଗୃହପାଳିତ ପ୍ରାଣୀମାନଙ୍କୁ ଖାଇବାକୁ ଦେଉଥିଲେ । ସେମାନ ଏହାକୁ ଗଦା କରି ରଖୁଥିଲେ ଏବଂ ଏହା ଖୁବ୍‌ ଭଲ ଭାବେ ଗୋଟିଏ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରହିପାରୁଥିଲା। ଆନନ୍ଦ କୁହନ୍ତି, ‘‘ଆସନ୍ତା ବର୍ଷ ଭଲ ଫସଲ ନପାଇବା ପର୍ଯ୍ୟନ୍ତ ଆମେ ମାଣ୍ଡିଆ ମଧ୍ୟ ବିକ୍ରି କରିନଥାଉ। ଖାଲି ଆମେ ନୁହେଁ, ଆମ କୁକୁର ଏବଂ କୁକୁଡ଼ା ମଧ୍ୟ ମାଣ୍ଡିଆ ଖାଇଥାନ୍ତି । ସମସ୍ତଙ୍କୁ ଖାଇବାକୁ ଦେବା ପାଇଁ ଆମକୁ ଯଥେଷ୍ଟ ପରିମାଣରେ ମାଣ୍ଡିଆ ଦରକାର’’।

PHOTO • M. Palani Kumar
PHOTO • M. Palani Kumar

ବାମ: ଆନନ୍ଦ ତାଙ୍କର ମେଣ୍ଢା ଓ ଛେଳିମାନଙ୍କ ସହିତ; ଏହି ପ୍ରାଣୀମାନେ ମାଣ୍ଡିଆ ନଡ଼ା ଖାଇଥାନ୍ତି । ଡାହାଣ: ନାଗନ୍ନାଙ୍କ ପୈତୃକ ଘରେ ପୃଥକ ହୋଇଥିବା ଶସ୍ୟ ପ୍ଲାଷ୍ଟିକ ବସ୍ତାରେ ସାଇତି ରଖାଯାଇଛି

ଆନନ୍ଦରାମୁ ମୂଳତଃ ଏକ ପୁରୁଣା ସତ୍ୟକୁ ସ୍ପଷ୍ଟ କରିଥିଲେ : ମାଣ୍ଡିଆ ଏହି ଭୂମିରେ ଏକ ପ୍ରମୁଖ ଚାଷ। କେବଳ ପୁରୁଣା ହୋଇଥିବାରୁ ଲୋକମାନେ ଏହାର ଚାଷ କରୁନାହାନ୍ତି, ବରଂ ଏହା ସହନଶୀଳ ଏବଂ ‘‘ବିପଦମୁକ୍ତ’’, ଆନନ୍ଦ କହିଥିଲେ । ‘‘ବିନା ବର୍ଷା କିମ୍ବା ପାଣିରେ ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ବଢ଼ିପାରେ । ଏତେ ରୋଗପୋକ ଲାଗନ୍ତି ନାହିଁ, ତେଣୁ ଆମକୁ ଏଥିରେ ବିଲାତି ବାଇଗଣ କିମ୍ବା ବିନ୍ସ ଚାଷରେ ପ୍ରୟୋଗ କଲା ଭଳି ରାସାୟନିକ ସିଞ୍ଚନ କରିବାକୁ ପଡ଼ିନଥାଏ । ଯେଉଁ ଚାଷୀମାନେ ରାସାୟନିକ ପ୍ରୟୋଗ କରିଥାନ୍ତି ସେମାନଙ୍କ ଲାଭ ଡାକ୍ତରଖାନା ନେଇଯାଇଥାଏ।’’

ନିକଟରେ ଏକ ପ୍ରୟାସ ତାମିଲନାଡ଼ୁ ସରକାରଙ୍କ ଚାଷୀଙ୍କ ଜୀବନକୁ ଟିକିଏ ସହଜ କରିପାରେ । ରାଜ୍ୟ ସରକାର ଚେନ୍ନାଇ ଏବଂ କୋଏମ୍ବାଟୁରରେ ସାଧାରଣ ବଣ୍ଟନ ବ୍ୟବସ୍ଥା କେନ୍ଦ୍ରରେ ମାଣ୍ଡିଆ ବିତରଣ କରିବା ଆରମ୍ଭ କରିଛନ୍ତି । ଏହାବ୍ୟତୀତ, ୨୦୨୨ କୃଷି ବଜେଟ୍‌ ଭାଷଣରେ ମନ୍ତ୍ରୀ ଏମ.ଆର.କେ ପନୀରସେଲଭମ୍‌ ୧୬ ଥର ମାଣ୍ଡିଆ ବିଷୟରେ ଉଲ୍ଲେଖ କରିଥିଲେ (ଧାନ ଏବଂ ଚାଉଳ, ମିଶି, ୩୩ ଥର ଉଲ୍ଲେଖ କରାଯାଇଥିଲା) ମାଣ୍ଡିଆକୁ ଲୋକପ୍ରିୟ କରାଇବାର ପ୍ରସ୍ତାବରେ ଦୁଇଟି ବିଶେଷ କ୍ଷେତ୍ର ପ୍ରତିଷ୍ଠା ଏବଂ ଗୋଟିଏ ରାଜ୍ୟ ଓ ଜିଲ୍ଲା ସ୍ତରର ଉତ୍ସବ ମଧ୍ୟ ସାମିଲ ରହିଛି । ମାଣ୍ଡିଆ ଜାତୀୟ ଶସ୍ୟର ପୁଷ୍ଟିକର ଗୁଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ହେଉଥିବା ଏହି ପ୍ରୟାସ ପାଇଁ ୯୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ଆହୁରି, ଭାରତର ପ୍ରସ୍ତାବ କ୍ରମେ- ଏଫଏଓ ପକ୍ଷରୁ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ଘୋଷଣା କରାଯାଇଛି । ଏହା ମାଣ୍ଡିଆ ସମେତ ‘ପୁଷ୍ଟିକର ଶସ୍ୟ’କୁ ଲୋକଲୋଚନକୁ ଆଣିବ ।

ତେବେ ନାଗନ୍ନାଙ୍କ ପରିବାର ପାଇଁ ଚଳିତ ବର୍ଷ ସମସ୍ୟାପୂର୍ଣ୍ଣ ହେବାକୁ ଯାଉଛି । ସେମାନେ ନିଜର ଅଧା ଏକର ଜମିରୁ ମାତ୍ର ତିନି ବସ୍ତା ଅମଳ କରିବାରେ ସକ୍ଷମ ହୋଇଛନ୍ତି । ବାକି ଫସଲ ବର୍ଷା ଏବଂ ବନ୍ୟଜନ୍ତୁଙ୍କ ଦ୍ଵାରା ନଷ୍ଟ ହୋଇଯାଇଥିଲା। ଆନନ୍ଦ କୁହନ୍ତି, ‘‘ମାଣ୍ଡିଆ ଅମଳ ସମୟରେ ପ୍ରତିଦିନ ରାତିରେ ଆମକୁ ଯାଇ ମଞ୍ଚା ଉପରେ ବସି ନଜର ରଖିବାକୁ ପଡ଼ିଥାଏ।’’

ତାଙ୍କର ଅନ୍ୟ ଭାଇଭଉଣୀ – ତିନି ଭାଇ ଏବଂ ଗୋଟିଏ ଭଉଣୀ-ମାନେ ଚାଷକୁ ପେସା ଭାବେ ଗ୍ରହଣ କରିନାହାନ୍ତି, ସେମାନେ ନିକଟସ୍ଥ ସହର ତାଲିରେ ଦୈନିକ ଚାକିରିରେ ନିଯୁକ୍ତ ହୋଇଛନ୍ତି । କୃଷି ପ୍ରତି ଆନନ୍ଦଙ୍କର ବିଶେଷ ଆଗ୍ରହ ରହିଛି । ‘‘ଏମିତିକି ମୁଁ ସ୍କୁଲ୍‌ କେଉଁଠି ଯାଇଥିଲି? ମୁଁ ଯାଇ ଆମ୍ବ ଗଛ ଉପରେ ଚଢ଼ି ବସୁଥିଲି ଏବଂ ଅନ୍ୟ ପିଲାମାନଙ୍କ ସହିତ ଘରକୁ ଫେରି ଆସୁଥିଲି । ମୁଁ ଏହା କରିବାକୁ ଚାହୁଁଥିଲି’’, ନିଜ ଚାଷ ଜମିରେ ଚଣା ଫସଲ ବୁଲି ବୁଲି ଯାଞ୍ଚ କରୁଥିବା ସମୟରେ ଆନନ୍ଦ କହିଥିଲେ ।

PHOTO • M. Palani Kumar
PHOTO • Aparna Karthikeyan

ବାମ : ଆନନ୍ଦ ତାଙ୍କ ଚାଷ ଜମିରେ ଚଣା ଫସଲ ଯାଞ୍ଚ କରୁଛନ୍ତି । ଡାହାଣ : ନାଗନ୍ନାଙ୍କ ଜମିରେ ଗଛ ଉପରେ ଏକ ମଞ୍ଚା, ମାଣ୍ଡିଆ ଋତୁ ସମୟରେ ଏହା ଉପରେ ବସି ହାତୀଙ୍କ ଉପରେ ନଜର ରଖାଯାଏ

ସେ ଆମକୁ ବର୍ଷା ମାଡ଼ ଖାଇଥିବା ଫସଲ ଦେଖାଇଥିଲେ – ସବୁଆଡ଼େ ଏମିତି ହୋଇଥିଲା। ‘’୮୬ ବର୍ଷ ମଧ୍ୟରେ ମୁଁ କେବେ ଏତେ ବର୍ଷା ଦେଖିନଥିଲି’’, ବ୍ୟଥିତ ନାଗନ୍ନା କହିଥିଲେ ।  ସେ ଓ ତାଙ୍କର ଭରସାଯୋଗ୍ୟ ପଞ୍ଚାଙ୍ଗମ (ପଞ୍ଜିକା) ଅନୁଯାୟୀ – ଚଳିତ ବର୍ଷର ବର୍ଷା ହେଉଛି ‘ବିଶାଖା’, ନକ୍ଷତ୍ରଙ୍କ ନାମ ଅନୁସାରେ ପ୍ରତ୍ୟେକ ପ୍ରକାରର ନାମକରଣ ହୋଇଛି । ‘‘ଓରୁମସମ, ମଳଇ, ମଳଇ, ମଳଇ ।’’ ମାସ ସାରା, କେବଳ ବର୍ଷା, ବର୍ଷା, ଆଉ ବର୍ଷା । ‘‘କେବଳ ଆଜି ଟିକିଏ ଖରା ପଡ଼ିଛି।’’ ସମ୍ବାଦପତ୍ରରେ ପ୍ରକାଶିତ ଖବର ତାଙ୍କ ଉକ୍ତିକୁ ପ୍ରମାଣିତ କରିଥିଲା । ୨୦୨୧ରେ ତାମିଲନାଡ଼ୁରେ ୫୭ ପ୍ରତିଶତ ଅଧିକ ବର୍ଷା ହୋଇଥିବା ସେଥିରେ ଉଲ୍ଲେଖ କରାଯାଇଥିଲା।

ଗୋପଙ୍କ କ୍ଷେତରେ ବୁଲିବା ସମୟରେ, ଆମେ ଆଉ ଦୁଇ ଜଣ ବୃଦ୍ଧ ଚାଷୀଙ୍କୁ ଭେଟିଲୁ, ସେମାନେ ଚଦର, ଟୋପି ପିନ୍ଧିଥିଲେ ଏବଂ ଛତା ଧରିଥିଲେ । ମାଣ୍ଡିଆ ଚାଷ କିପରି ହ୍ରାସ ପାଇଛି ତାହା ଆମକୁ ସେମାନେ ଶୁଦ୍ଧ କନ୍ନଡ଼ ଭାଷାରେ କହିଥିଲେ । ଗୋପ ମୋତେ ଅନୁବାଦ କରି ତାହା ବୁଝାଇ ଦେଇଥିଲେ ।

କିଛି ଦଶନ୍ଧି ପୂର୍ବର ସମୟ ତୁଳନାରେ ଏବେ ‘‘ଅଧା ଭାଗ ଜମିରେ’’ ମାଣ୍ଡିଆ ଚାଷ ହେଉଛି, ୭୪ ବର୍ଷ ବୟସ୍କ କେ. ରାମ ରେଡ୍ଡୀ ମୋତେ ଦୃଢ଼ ଭାବେ କହିଥିଲେ । ‘‘ପ୍ରତି ପରିବାର ପାଇଁ ଦୁଇ ଏକର । ଆମେ ଏତିକି ହିଁ ଚାଷ କରୁଛୁ’’ । ବାକି ଜମିରେ ବିଲାତି ବାଇଗଣ ଏବଂ ବିନ୍ସ ଚାଷ ହେଉଛି । ଆହୁରି ଏବେ ଚାଷ ହେଉଥିବା ମାଣ୍ଡିଆ କେବଳ ‘‘ହାଇବ୍ରିଡ, ହାଇବ୍ରିଡ, ହାଇବ୍ରିଡ’’, ୬୩ ବର୍ଷ ବୟସ୍କ କ୍ରିଷ୍ଣା ରେଡ୍ଡୀ ମୋତେ ବାରମ୍ବାର ଏହି କଥାକୁ ଜୋର ଦେଇ କହିଥିଲେ ।

‘‘ ନଟ୍‌ ରାଗି ଶକ୍ତି ଯାଶ୍‌ତି (ଦେଶୀ ମାଣ୍ଡିଆ ଶକ୍ତିଶାଳୀ), ’’ ରାମ ରେଡ୍ଡୀ ଶକ୍ତି ପ୍ରଦର୍ଶନ କରିବା ଲାଗି ନିଜର ବାହୁକୁ ମୋଡ଼ି କହିଥିଲେ । ଯୁବାବସ୍ଥା ସମୟରେ ଦେଶୀ ମାଣ୍ଡିଆ ଖାଇଥିବାରୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସେ କହିଥିଲେ ।

କିନ୍ତୁ ସେ ଚଳିତ ବର୍ଷର ବର୍ଷାକୁ ନେଇ ଅସନ୍ତୋଷ ପ୍ରକାଶ କରିଥାନ୍ତି । ‘‘ଏହା ଭୟାନକ,’’ ରାମ ବିରକ୍ତି ପ୍ରକାଶ କରି କହିଥିଲେ।

କୌଣସି କ୍ଷତିପୂରଣ ପାଇବାକୁ ନେଇ ତାଙ୍କ ମନରେ ସନ୍ଦେହ ରହିଛି । ‘‘କ୍ଷତିର କାରଣ ଯାହା ହେଉ ପଛେ, ବିନା ଲାଞ୍ଚରେ ଆମେ କିଛି ପାଇବୁ ନାହିଁ । ତା’ଛଡ଼ା, ଜମି ପଟ୍ଟା ଆମ ନାଁରେ ରହିବା ଆବଶ୍ୟକ ।’’ ଭାଗଚାଷୀମାନେ କୌଣସି ପ୍ରକାର କ୍ଷତିପୂରଣରୁ ବଞ୍ଚିତ ହେବାର ଏହା ହେଉଛି ସବୁଠୁ ପ୍ରମୁଖ କାରଣ ।

PHOTO • Aparna Karthikeyan
PHOTO • Aparna Karthikeyan

ବାମ ୟ: ଗୋଲାପଲ୍ଲୀରେ ଚାଷୀ କ୍ରିଷ୍ଣା ରେଡ୍ଡୀ ଏବଂ ରାମ ରେଡ୍ଡୀ (ନାଲି ଟୋପି ପିନ୍ଧିଛନ୍ତି) । ଡାହାଣଦ: ହାତୀ ନଷ୍ଟ କରି ଦେଇଥିବା ଫସଲର ଫଟୋ ସହିତ ଆନନ୍ଦ

ଆହୁରି ତାହା ସେତେଟା ସହଜ ନୁହେଁ, ଆନନ୍ଦ ଦୁଃଖରେ କହିଥାନ୍ତି । ତାଙ୍କର କକା ତାଙ୍କ ବାପାଙ୍କ ସହିତ ବିଶ୍ୱାସଘାତକତା କରିଥିଲେ । ସାମାନ୍ୟ ଅଭିନୟ ଛଳରେ ଆନନ୍ଦ ସେହି ବିଶ୍ୱାସଘାତକତା ପ୍ରଦର୍ଶନ କରିଥିଲେ । ସେ ଏ ଦିଗରେ ଚାରି ପାଦ ଏବଂ ସେ ଦିଗରେ ଆଉ ଚାରିପାଦ ପକାଇଥିଲେ । ‘‘ଏମିତି ସେ ଆମକୁ ଜମି ଦେଇଥିଲେ, କହିଥିଲେ ଯେ ଏତିକି ତୁମର ଏବଂ ସେତିକି ମୋର । ମୋ ବାପା ଶିକ୍ଷିତ ନଥିଲେ, ତେଣୁ ସେ ମାନିଗଲେ । ଆମ ପାଖରେ ମାତ୍ର ୪ ଏକର ଜମିର ରେଜିଷ୍ଟ୍ରେସନ କାଗଜପତ୍ର ରହିଛି ।’’ ବାସ୍ତବରେ ସେମାନେ ଅଧିକ ଜମିରେ ଚାଷ କରୁଛନ୍ତି, କିନ୍ତୁ କାଗଜପତ୍ରରେ ଥିବା ଚାରି ଏକର ଜମି ବ୍ୟତୀତ ବାକି ଜମିରେ ହେଉଥିବା କୌଣସି ପ୍ରକାର ଫସଲ ହାନି ପାଇଁ ସେମାନେ କ୍ଷତିପୂରଣ ଆବେଦନ କରିପାରିବେ ନାହିଁ ।

ସେଠାରେ ତାଙ୍କ ବାରଣ୍ଡାରେ ସେ ଆମକୁ ଫଟୋ ଏବଂ କାଗଜପତ୍ର ଦେଖାଇଥିଲେ । ଏଇଠି ହାତୀମାନେ ଉପଦ୍ରବ କରିଛନ୍ତି, ସେଠି ଘୁଷୁରୀମାନେ । ଏକ ଗଛ ଭାଙ୍ଗି ଯାଇଛି । ଫସଲ ନଷ୍ଟ ହୋଇଯାଇଛି । ତାଙ୍କ ବାପା, ଡେଙ୍ଗା ଓ ଅଭାଗା, ପଡ଼ିଯାଇଥିବା ଏକ ପଣସ ଗଛ ପାଖରେ ଛିଡ଼ା ହୋଇଛନ୍ତି ।

ନାଗନ୍ନା ଯୁକ୍ତି ବାଢ଼ିଥିଲେ, ‘‘ଚାଷରୁ ଆପଣ କେମିତି ଟଙ୍କା ରୋଜଗାର କରିବେ? ଆପଣ ଏକ ଭଲ ଗାଡ଼ି କିଣିପାରିବେ କି? ଭଲ ପୋଷାକ? ରୋଜଗାର ଖୁବ୍‌ ଅଳ୍ପ, ଏବଂ ଜମି ଥାଇ ମୁଁ ଏକଥା କହୁଛି ।’’  ସେ ତାଙ୍କର ଔପଚାରିକ ପୋଷାକ ପିନ୍ଧି ନେଇଛନ୍ତି : ଗୋଟିଏ ଧଳା ସାର୍ଟ, ନୂଆ ଧୋତି, ଟୋପି, ମାସ୍କ ଏବଂ ରୁମାଲ । ‘‘ମୋ ସହ ମନ୍ଦିରକୁ ଆସନ୍ତୁ’’, ସେ ଆମକୁ କହିଥିଲେ । ଆମେ ଖୁସିର ସହ ତାଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କଲୁ । ସେ ଯେଉଁ ପର୍ବକୁ ଯାଉଥିଲେ ତାହା ମଧ୍ୟ ଡେଙ୍କାନିକୋଟ୍ଟେଇ ତାଲୁକରେ ଥିଲା, ଯାହାକି ‘ଷ୍ଟାର’ (ଉଚ୍ଚ ଗୁଣବତ୍ତା) ସଡ଼କରେ ଗଲେ ଅଧଘଣ୍ଟା ଦୂରରେ ଥିଲା।

ନାଗନ୍ନା ଆମକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି କ୍ଷେତ୍ରରେ କିଭଳି ପରିବର୍ତ୍ତନ ଆସିଛି, ସେ ସମ୍ପର୍କରେ ଆମ ଆଗରେ ସେ ବ୍ୟାଖ୍ୟା କରିଥିଲେ । ସେ କହିଥିଲେ ଯେ ଗୋଲାପ ଚାଷୀମାନେ ବହୁ ପରିମାଣରେ ଋଣ ନେଇଛନ୍ତି । ପାର୍ବଣ ଋତୁରେ ଏସବୁର ଦାମ୍‌ ୫୦ରୁ ୧୫୦ ଟଙ୍କା ମଧ୍ୟରେ ହୋଇଥାଏ। ଗୋଲାପର ସବୁଠୁ ଆକର୍ଷଣୀୟ ବିଶେଷତ୍ୱ-ଯାହା ମୁଁ ଶୁଣିଲି, ତାହା ରଙ୍ଗ କିମ୍ବା ସୁଗନ୍ଧ ନୁହେଁ – ବରଂ ସେହି ବାସ୍ତବ ତଥ୍ୟ ହେଉଛି ହାତୀମାନେ ସେଗୁଡ଼ିକୁ ଖାଇବା ଲାଗି ପସନ୍ଦ କରନ୍ତି ନାହିଁ ।

PHOTO • M. Palani Kumar
PHOTO • M. Palani Kumar

ବାମ: ଡେଙ୍କାନିକୋଟ୍ଟେଇରେ ମନ୍ଦିର ଉତ୍ସବ ପାଇଁ ନାଗନ୍ନା ପ୍ରସ୍ତୁତ ହେଉଛନ୍ତି । ଡାହାଣ:  ପାର୍ବଣ ଶୋଭାଯାତ୍ରାରେ ନେତୃତ୍ୱ ନେଉଥିବା ହାତୀକୁ ଅନ୍ୟ ଏକ ମନ୍ଦିରରୁ ଅଣାଯାଇଛି

ଆମେ ମନ୍ଦିରର ଯେତିକି ନିକଟତର ହୋଇଥିଲୁ, ସଡ଼କରେ ଭିଡ଼ ସେତିକି ବଢ଼ୁଥିଲା। ସେଠି ଏକ ଲମ୍ବା ଶୋଭାଯାତ୍ରା ଥିଲା ଏବଂ – ରୋଚକ କଥା ହେଉଛି- ସେଠି ହାତୀଟିଏ ଥିଲା। ‘‘ଆମେ ଆନାଇଙ୍କୁ ଭେଟିବା’’, ନାଗନ୍ନା ଅନୁମାନ କଲେ । ମନ୍ଦିର ରୋଷଶାଳାରେ ଭୋଜନ କରିବା ଲାଗି ସେ ଆମକୁ ନିମନ୍ତ୍ରଣ କଲେ । ଖିଚିଡ଼ି ବାଜ୍ଜି ର ସୁଆଦ ସ୍ୱର୍ଗୀୟ ଥିଲା। ଖୁବଶୀଘ୍ର, ତାମିଲନାଡ଼ୁର ଅନ୍ୟ ଏକ ଅଞ୍ଚଳରୁ ଗୋଟିଏ ହାତୀ-ମାହୁନ୍ତ ଓ ଜଣେ ପୂଜକଙ୍କ ସହ ଆସି ପହଞ୍ଚିଲା । ‘‘ ପଳୁତାଆନେଇ ’’, ନାଗନ୍ନା କହିଲେ । ବୟସ୍କ ମାଈ ହାତୀ । ସେ ଧୀରେ ଧୀରେ, ଶାନ୍ତ ଭାବେ ଅଗ୍ରସର ହେଉଥିଲା। ମୋବାଇଲ ଫୋନ୍‌ ଉଠାଇ ଲୋକମାନେ ଶହ ଶହ ଫଟୋ ଉଠାଇଲେ । ଜଙ୍ଗଲଠାରୁ ମାତ୍ର ୩୦ ମିନିଟ୍‌ ଦୂରରେ, ଏହା ସମ୍ପୂର୍ଣ୍ଣ ଭିନ୍ନ ଏକ ହାତୀଙ୍କ କାହାଣୀ ଥିଲା।

ବେକରେ ତଉଲିଆ ଗୁଡ଼ାଇ, ନିଜ ବାରଣ୍ଡାରେ ବସିଥିବା ସମୟରେ ଆନନ୍ଦ କ’ଣ କହିଥିଲେ ତାହା ମୋର ମନେ ପଡ଼ିଲା। ‘‘ଗୋଟିଏ କିମ୍ବା ଦୁଇଟି ହାତୀ ଆସିଲେ, ଆମର କୌଣସି ଆପତ୍ତି ନାହିଁ । ଯୁବ ଅଣ୍ଡିରା ହାତୀକୁ ଅଟକାଇବା ପାଇଁ କୌଣସି ମାର୍ଗ ନାହିଁ । ସେ ଯେକୌଣସି ବାଡ଼ ଉପରେ ଏକ ଉପଦ୍ରବୀ ଡିଆଁ ମାରିଥାଏ ଏବଂ ଫସଲ ଖାଇଯାଏ।’’

ଆନନ୍ଦ ତାଙ୍କ ଭୋକ ବୁଝିଥାନ୍ତି । ‘‘ଅଧା କିଲୋ ଭୋଜନ ପାଇଁ ଏତେ ସଂଘର୍ଷ କରୁଛୁ । ହାତୀ କ’ଣ କରିବେ? ସେମାନଙ୍କୁ ସବୁଦିନ ୨୫୦ କିଲୋ ଆବଶ୍ୟକ! ଗୋଟିଏ ପଣସ ଗଛରୁ ଆମେ ୩,୦୦୦ ଟଙ୍କା ରୋଜଗାର କରିପାରିବୁ। ଯେଉଁ ବର୍ଷ ହାତୀ ସବୁକିଛି ଖାଇଯାଏ, ଆମେ ଭାବୁ ଭଗବାନ ଆମ ପାଖକୁ ଆସିଥିଲେ,’’ ସେ ହସିଥିଲେ।

‘‘ତଥାପି, ସେ ଗୋଟିଏ ଇଚ୍ଛା ବ୍ୟକ୍ତ କରିଥାନ୍ତି; ଦିନେ ସେ ୩୦ରୁ ୪୦ ବସ୍ତା ମାଣ୍ଡିଆ ଚାଷ କରିବେ। ‘‘ ସେୟାନମ, ମାଡାମ।’’ ‘‘ମୁଁ ନିଶ୍ଚିତ ଭାବେ କରିବି’’

ମୋଟ୍ଟେ ଭାଲ ଆସୁଛି...

ଗବେଷଣା ପାଣ୍ଠି ଯୋଗାଣ କାର୍ଯ୍ୟକ୍ରମ ୨୦୨୦ର ଅଂଶବିଶେଷ ସ୍ୱରୂପ ଅଜିମ ପ୍ରେମଜୀ ୟୁନିଭର୍ସିଟି ପକ୍ଷରୁ ଏହି ଗବେଷଣା ଅଧ୍ୟୟନ ପାଇଁ ପାଣ୍ଠି ଯୋଗାଣ କରାଯାଉଛି ।

ପ୍ରଚ୍ଛଦ ଫଟୋ : ଏମ. ପାଲାନି କୁମାର

ଅନୁବାଦ: ଓଡ଼ିଶାଲାଇଭ୍‍

Aparna Karthikeyan

Aparna Karthikeyan is an independent journalist, author and Senior Fellow, PARI. Her non-fiction book 'Nine Rupees an Hour' documents the disappearing livelihoods of Tamil Nadu. She has written five books for children. Aparna lives in Chennai with her family and dogs.

Other stories by Aparna Karthikeyan
Photographs : M. Palani Kumar

M. Palani Kumar is PARI's Staff Photographer and documents the lives of the marginalised. He was earlier a 2019 PARI Fellow. Palani was the cinematographer for ‘Kakoos’, a documentary on manual scavengers in Tamil Nadu, by filmmaker Divya Bharathi.

Other stories by M. Palani Kumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE