୨୦୦୫ ଜାନୁଆରୀ ରୁ ୧୫ ବର୍ଷ ବିତିଲାଣି, ଯେତେବେଳେ ଦରିବାରେ ଭୋଲି ଦେବୀ ବିଷ୍ଣୋୟୀଙ୍କୁ ଦୟାନ ପରିଚୟ ମିଳିଲା। ଭୋଲି ଗୁଣି ଗାରେଡ଼ି କରି ତାଙ୍କ ପିଲାମାନଙ୍କୁ ଅସୁସ୍ଥ କରୁଥିବା ସେହିଦିନ ରାଜସ୍ଥାନର ଏହି ଗାଁର ତିନି ଜଣ ମହିଳା ଅଭିଯୋଗ କରିଥିଲେ। ପୂରା ଗାଁ ସାମ୍ନାରେ ସେମାନେ ତାଙ୍କୁ ଡାହାଣୀ ଆଖ୍ୟା ଦେଲେ। ଅଭିଯୋଗ କଲେ ଯେ ସେ ଅନ୍ୟମାନଙ୍କ ଦେହରେ ପଶି ଅସୁସ୍ଥ କରୁଛନ୍ତି। 

ଘଟଣାର ୪ ମାସ ପରେ ଭୋଲି ଓ ତାଙ୍କ ପରିବାର ଘର ଛାଡ଼ିବାକୁ ବାଧ୍ୟ ହେଲେ। ସୁଆନା ବ୍ଳକ୍ର ୫୦୦ ଲୋକସଂଖ୍ୟା ବିଶିଷ୍ଟ ଦରିବା ଗାଁ ଠାରୁ ୧୪ କିଲୋମିଟର ଦୂର ଭିଲୱାଡ଼ା ସହରକୁ ସେମାନେ ଚାଲିଗଲେ। 

ଭୋଲିଙ୍କୁ ଏବେ ପ୍ରାୟ ୫୦ ବର୍ଷ। ସେ ଚାଷ କାମ ସହ ଘର କାମ କରନ୍ତି। ସେ କହନ୍ତି ତାଙ୍କର ଗୁଣି ଗାରେଡ଼ିରେ ବିଶ୍ୱାସ ନାହିଁ। କିନ୍ତୁ ତାଙ୍କ ଠାରେ ଦୟାନ (‘ଡାକନ୍’ ମଧ୍ୟ କୁହାଯାଏ) ଛାପ ଲାଗିଲା। ସେ କହନ୍ତି, ହୁକୁମ ସେମିତି ରହିବ, ଯେ ପର୍ଯ୍ୟନ୍ତ ଅଭିଯୋଗ କରିଥିବା ମହିଳାମାନେ ତାଙ୍କ ଠାରୁ (ପ୍ରସାଦ ଗ୍ରହଣ) ନକରିଛନ୍ତି ଆଉ ‘‘ଦୋଷମୁକ୍ତ’’ ଘୋଷଣା ନକରିଛନ୍ତି। 

ସେମାନଙ୍କୁ ତୁଷ୍ଟ କରିବା ପାଇଁ, ଗାଁରେ ଥିବା ତାଙ୍କ ସଂପର୍କୀୟ ଓ ଅନ୍ୟମାନଙ୍କ ଆଜ୍ଞା ପାଳନ ସହ ସବୁ ପ୍ରକାର ଉଦ୍ୟମ କରିଥିଲେ ଭୋଲି - ପୁଷ୍କର, ହରିଦ୍ୱାର ଓ କେଦାରନାଥକୁ ତୀର୍ଥ ଯାତ୍ରାରେ ଯିବା, ଏବଂ ଗଙ୍ଗାରେ ସ୍ନାନ କରିବା ଠାରୁ ଆରମ୍ଭ କରି ବିଶେଷ ଦିନ ଗୁଡ଼ିକରେ ଉପବାସ ରହିବା ପର୍ଯ୍ୟନ୍ତ। ତାଙ୍କୁ କୁହାଯାଇଥିଲା ଯେ ଏହି ସବୁ କାର୍ଯ୍ୟ ଡାହାଣୀ କଳଙ୍କରୁ ମୁକ୍ତି ଦେବ। 

ଭୋଲି କହିଲେ, ‘‘ତୀର୍ଥ ଯାତ୍ରା ଏବଂ ଉପବାସ ପରେ, ତାଙ୍କ ପରମ୍ପରା ଅନୁସାରେ, କିଛି ଦମ୍ପତ୍ତି ଭୋଜି ଖାଇବାକୁ ନିମନ୍ତ୍ରିତ ​ହେଲେ। କିନ୍ତୁ ମୋ ଘରେ ଖାଇବାକୁ କେହି ରାଜି ହେଲେ ନାହିଁ। ’’ ଏକ ସ୍ଥାନୀୟ ଉତ୍ସବ ଅବସରରେ ତାଙ୍କ ପରିବାର ଘରେ ଓ ଗାଁରେ ଭୋଜି ବ୍ୟବସ୍ଥା କଲେ। ଆଶା କରିଥିଲେ ଏଇଠି ଏକ ଘରିକିଆ ଶେଷ ହେବ। ଭୋଲି ହିସାବ ଦିଅନ୍ତି, ଗତ କିଛି ବର୍ଷ ମଧ୍ୟରେ ଭୋଜି ଦେବାରେ ତାଙ୍କର ପ୍ରାୟ ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। 

ତାରା ଆଲୁୱାଲିଆ କହନ୍ତି, ଭୋଲି ଯେଉଁ ବୈକଟ ସାମ୍ନା କରିଥିଲେ, ତାହା ଭିଲୱାଡ଼ା ଜିଲ୍ଲାରେ ବିରଳ ନୁହେଁ। ୨୦୦୫ରେ ଘଟଣାର କିଛି ଦିନ ପରେ, କୋର୍ଟ ଆବେଦନ ମାଧ୍ୟମରେ ଭୋଲି ଓ ତାଙ୍କ ପରିବାର ପକ୍ଷରୁ ତାରା ଆଲୁୱାଲିଆ (ଏଫ୍ଆଇଆର୍) କରିଥିଲେ। ଆଲୁୱାଲିଆ ଭିଲୱାଡ଼ା ସହରରେ ରହୁଥିବା ଜଣେ ସାମାଜିକ କର୍ମୀ। 

Left: Bholi and her family were forced to leave their home in Dariba village four months after the incident. Right: She moved with her husband Pyarchand (right) and family (including daughter-in-law Hemlata, on the left) to Bhilwara city
PHOTO • People's Archive of Rural India
Left: Bholi and her family were forced to leave their home in Dariba village four months after the incident. Right: She moved with her husband Pyarchand (right) and family (including daughter-in-law Hemlata, on the left) to Bhilwara city
PHOTO • Tara Ahluwalia

ବାମ: ଘଟଣାର ୪ ମାସ ପରେ ଦରିବା ଗାଁର ଘର ଛାଡ଼ିବାକୁ ଭୋଲି ଓ ତାଙ୍କ ପରିବାର ବାଧ୍ୟ ହୋଇଥିଲେ। ଡାହାଣ: ସ୍ୱାମୀ ପ୍ୟାରଚାନ୍ଦ (ଡାହାଣ) ଓ ପରିବାର (ବୋହୂ ହେମଲତା ସମେତ, ବାମପଟେ) ସହ ସେ ଭିଲୱାଡ଼ା ସହରକୁ ଚାଲିଗଲେ (୨୦୧୭ରେ ଫଟୋଗ୍ରାଫ୍ ନିଆଯାଇଥିଲା) 

୨୦୦୫, ଜାନୁଆରୀ ୨୮ରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ଦରିବାରେ ଥିବା ଭୋଲିଙ୍କ ତିନି ବିଘା (୧.୨ ଏକର) ଜମି ହଡପ କରିବାର ମନ୍ଦ ଉଦ୍ଦେଶ୍ୟ ରଖି, ଗୋଟିଏ ପରିବାରର ୭ ଜଣ ସଦସ୍ୟ ତାଙ୍କୁ ଡାହାଣୀ ଆଖ୍ୟା ଦେଇଥିଲେ। ଭୋଲିଙ୍କ ପରିବାର ଭଳି ତାଙ୍କୁ ନିର୍ଯାତନା ଦେଇଥିବା ପରିବାର ମଧ୍ୟ ବିଷ୍ଣୋୟୀ ସଂପ୍ରଦାୟର। ଏହି ସଂପ୍ରଦାୟ ରାଜସ୍ଥାନରେ ପଛୁଆ ବର୍ଗ (OBC) ଭାବେ ତାଲିକାଭୁକ୍ତ। ଭୋଲିଙ୍କ ସ୍ୱାମୀ ପ୍ୟାରଚାନ୍ଦ ବିଷ୍ଣୋୟୀ କହନ୍ତି, ଭାଗଚାଷୀଙ୍କୁ ଦେଇଥିବା ତାଙ୍କ ଜମି ମଝିରେ ରାସ୍ତା ପାଇଁ ଏହି ପରିବାର ବହୁ ବର୍ଷ ଧରି ଦାବି କରୁଥିଲେ। ସେ ମନା କଲେ ଆଉ ଅନ୍ୟ ରାସ୍ତାରେ ତାଙ୍କ କ୍ଷେତକୁ ଯିବାକୁ କହିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହା କାଳକ୍ରମେ ଭୋଲିଙ୍କୁ ଦୟାନ ଆଖ୍ୟା ଦେଇଥିଲା। 

ଭିଲୱାଡ଼ା ଜିଲ୍ଲାର ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ହରେନ୍ଦ୍ର କୁମାର ମହାୱାରଙ୍କ ଅନୁଧ୍ୟାନ କହୁଛି, ଅନେକ ଡାହାଣୀ ମାମଲା ଯେପରି ଅଭିଯୋଗ ହୁଏ ସେପରି ନୁହେଁ। ସେ କହନ୍ତି, ‘‘ଏଥିରୁ ଅଧିକାଂଶ ମିଥ୍ୟା ଏବଂ ଜମି ବିବାଦରୁ ସୃଷ୍ଟି ହୋଇଥାଏ। ଏହି ଅଞ୍ଚଳରେ ସାମାଜିକ ପରମ୍ପରାରୁ ଏହାର ସୃଷ୍ଟି।’’ 

ବେଳେବେଳେ ଗାଁର ପ୍ରଭାବଶାଳୀ ଲୋକମାନେ ବିଧବା କିମ୍ବା ଏକାକୀ ମହିଳାଙ୍କୁ ହଇରାଣ ହରକତ କରିବାକୁ ଡାହାଣୀ ସାବ୍ୟସ୍ତ କରନ୍ତି। ବିଶେଷ କରି ଯେଉଁ ମହିଳାମାନେ ଆଇନଗତ ଲଢେଇ ଲଢିବାକୁ ଅକ୍ଷମ। ଆଉ ଏସବୁ ତାଙ୍କ ଜମି ହଡପ କରିବାର ଚାଲ୍ ବୋଲି କହନ୍ତି ଆଲୁୱାଲିଆ। ବାଲ୍ ଏବଂ ମହିଳା ଚେତନା ସମିତି ନାମକ ଏନଜିଓ ପ୍ରତିଷ୍ଠା କରି ସେ ଡାହାଣୀ ଅନ୍ଧବିଶ୍ୱାସ ବିରୋଧରେ ଅଭିଯାନ ଜାରି ରଖିଛନ୍ତି। ଭିଲୱାଡ଼ା ଜିଲ୍ଲାରେ ଏହି ସଂଗଠନ ୧୯୮୦ରୁ କାମ କରୁଛି। 

ପାରିବାରିକ ଶତ୍ରୁତା ଏବଂ ପ୍ରତିଦ୍ୱନ୍ଦିତାରୁ ମଧ୍ୟ ମହିଳାଙ୍କ ବିରୋଧରେ ଏଭଳି ଅଭିଯୋଗ ଅଣାଯାଇଥାଏ। ଅତୀତରେ ଯେହେତୁ ଏହାକୁ ସାମାଜିକ ସମସ୍ୟା ବୋଲି ବିବେଚନା କରାଯାଉଥିଲା, ତେଣୁ ଗ୍ରାମ ପଞ୍ଚାୟତରେ ଏହାର ବିଚାର ହେଉଥିଲା। ଆଲୁୱାଲିଆ କହନ୍ତି, ‘‘ଏଭଳି ଏକ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରିବା ଏବଂ ମହିଳାଙ୍କୁ ଡାହାଣୀ ଘୋଷଣା କରିବାରେ ପଞ୍ଚ (ପଞ୍ଚାୟତ ସଦସ୍ୟମାନଙ୍କର) ମଧ୍ୟ ବଡ଼ ଭୂମିକା ଥାଏ। ’’ 

ସାମାଜିକ କର୍ମୀଙ୍କ ଦ୍ୱାରା ୨୫ ବର୍ଷର ଦୀର୍ଘ ଅଭିଯାନ ପରେ, ୨୦୧୫ ଏପ୍ରିଲରେ ରାଜସ୍ଥାନ ସରକାର ରାଜସ୍ଥାନ ପ୍ରିଭେନ୍ସନ୍ ଅଫ୍ ୱିଚ୍-ହଣ୍ଟିଂ ଆକ୍ଟ ପାସ୍କଲେ। ଗୁଣିଗାରେଡ଼ି ଏବଂ କାହାକୁ ଡାହାଣୀ ଆଖ୍ୟା ଦେବାକୁ ଏଥିରେ ଅପରାଧ ଘୋଷଣା କରାଗଲା। ଏଥିରେ ଜେଲ ଏବଂ ଜରିମାନା ବ୍ୟବସ୍ଥା ରହିଲା - ୧ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍, ବା ୫୦,୦୦୦ ହଜାର ଟଙ୍କା ଜରିମାନା କିମ୍ବା ଉଭୟ। 

PHOTO • Madhav Sharma

୨୦୧୫ ଆଇନ୍ ଆସିବା ପରେ, ରାଜସ୍ଥାନରେ ୨୬୧ ଟି ଗୁଣିଗାରେଡ଼ି ମାମଲା ରୁଜୁ ହୋଇଛି। କିନ୍ତୁ ପୋଲିସ କେବଳ ୧୦୯ଟି ମାମଲାରେ ଚାର୍ଜସିଟ୍ କରିଛି - ଏବଂ ଏପର୍ଯ୍ୟନ୍ତ ଏଥିରେ କେହି ଦଣ୍ଡିତ ହୋଇ ନାହାନ୍ତି। 

ରାଜସ୍ଥାନ ପୋଲିସ୍ର ତଥ୍ୟ ମୁତାବକ, ଆଇନ୍ କାର୍ଯ୍ୟକାରୀ ହେବା ପରେ, କେବଳ ଭିଲୱାଡ଼ା ଜିଲ୍ଲାରେ ୭୫ଟି ମାମଲା ରୁଜୁ ହୋଇଛି। ( ମହାୱାରଙ୍କ ହିସାବ ଅନୁଯାୟୀ ପ୍ରତି ମାସରେ ପୋଲିସ ପାଖକୁ ୧୦-୧୫ଟି ଅଭିଯୋଗ ଆସୁଛି କିନ୍ତୁ ସବୁଗୁଡ଼ିକ ମାମଲାରେ ରୂପାନ୍ତରିତ ହୋଇପାରୁନି)। ପୂରା ରାଜସ୍ଥାନରେ ଆଇନ୍ ପାସ୍ ହେବା ପରେ ୨୬୧ଟି ମାମଲା ରୁଜୁ ହୋଇଛି - ୨୦୧୫ ରେ ୧୨ଟି, ୨୦୧୬ରେ ୬୧ଟି, ୨୦୧୭ରେ ୧୧୬ଟି, ୨୦୧୮ରେ ୨୭ଟି ଏବଂ ୨୦୧୯ ନଭେମ୍ବର ପର୍ଯ୍ୟନ୍ତ ୪୫ଟି ମାମଲା। ତେବେ ୧୦୯ଟି ମାମଲାରେ ପୋଲିସ ଚାର୍ଜସିଟ୍ କରିଛି। 

ଆଲୁୱାଲିଆ କହନ୍ତି, ‘‘ବାସ୍ତବ କ୍ଷେତ୍ରରେ ଆଇନ୍ କାର୍ଯ୍ୟକାରୀ ହୋଇ ପାରୁନି। ଯାହା ଫଳରେ ରାଜସ୍ଥାନରେ ଏପର୍ଯ୍ୟନ୍ତ କେହି ଦଣ୍ଡିତ ହୋଇ ନାହାନ୍ତି।’’ ସେ କହନ୍ତି, ବେଳେବେଳେ ଗ୍ରାମାଞ୍ଚଳର ପୋଲିସ କର୍ମଚାରୀମାନେ ବି ଏହି ଆଇନ୍ ବାବଦରେ ସଚେତନ ନୁହନ୍ତି ଏବଂ ଗୁଣିଗାରେଡ଼ି ମାମଲାକୁ ସେମାନେ କେବଳ ଝଗଡ଼ା ଶ୍ରେଣୀଭୁକ୍ତ କରନ୍ତି।

ରାଜସ୍ଥାନର ଦଳିତ ଆଦିବାସୀ ଏବଂ ଘୁମନ୍ତୁ ଅଧିକାର ଅଭିଯାନ ସହ ଜଡିତ ଥିବା ଭିଲୱାଡ଼ା ଅଞ୍ଚଳର କର୍ମୀ ରାକେଶ ଶର୍ମା ସ୍ୱୀକାର କରନ୍ତି, ଯେ ପୋଲିସ ଏଭଳି ମାମଲାଗୁଡ଼ିକ ସଠିକ ଭାବେ ତଦନ୍ତ କରେ ନାହିଁ ଏବଂ ଭାରତୀୟ ପେନାଲ କୋଡ୍ର ସଠିକ ଧାରା ଅଧିନରେ ମାମଲା ପଞ୍ଜିକୃତ କରିବାରେ ବିଫଳ ହୁଏ। ଶର୍ମା ଅଭିଯୋଗ କରନ୍ତି ଯେ ମାମଲାକୁ ଦୁର୍ବଳ କରିଦେବାକୁ କିଛି ପୋଲିସ କର୍ମଚାରୀ ଲାଞ୍ଚ ନିଅନ୍ତି। ସେ କହନ୍ତି, ‘‘ଏହାର ଦୁଇଟି ଦିଗ ରହିଛି - ସାମାଜିକ ଓ ଆଇନଗତ। ଯଦି ସାମାଜିକ ସ୍ତରରେ ଜଣଙ୍କୁ ମିଛରେ ଡାହାଣୀ ସଜେଇ ଦିଆଯାଏ, ତେବେ ଆଇନ୍ର କାମ ହେଉଛି ଦୋଷୀକୁ ଦଣ୍ଡଦେବା। କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଏହା ହେଉ ନାହିଁ। ପୋଲିସ ତାର କାମ ଠିକ୍ ଭାବେ କରୁ ନାହିଁ। ତେଣୁ କୌଣସି ପୀଡିତା ପୁନଃ ପ୍ରତିଷ୍ଠିତ ହୋଇ ପାରୁ ନାହାନ୍ତି ଏବଂ କୌଣସି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇ ପାରୁନାହାନ୍ତି। ’’

ଭୋଲିଙ୍କ ମାମଲା ରୁଜୁ ହେବା ଦିନରୁ ଏହା ତଳ କୋର୍ଟରେ ପଡ଼ି ରହିଛି। ପ୍ୟାରଚାନ୍ଦ କୁହନ୍ତି, ‘‘ଆମେ କୋର୍ଟକୁ  [ଭିଲୱାଡ଼ା ଜିଲ୍ଳା କୋର୍ଟ] ପ୍ରାୟ ୪ ରୁ ୫ ଥର ଯାଇଛୁ। ପ୍ରଥମେ ପ୍ରଥମେ ସରକାରୀ ଓକିଲ ମିଳୁଥିଲେ, କିନ୍ତୁ ପରେ ଶୁଣାଣି ବନ୍ଦ ହୋଇଗଲା, କାରଣ ଅଭିଯୁକ୍ତମାନେ କୌଣସି ତାରିଖରେ ହାଜର ହେଲେ ନାହିଁ। ’’ ଏପ୍ରିଲ ୨୦୧୯ରେ ଶେଷ ଥର ପାଇଁ ଭୋଲିଙ୍କ ମାମଲା କୋର୍ଟରେ ଶୁଣାଣି ହୋଇଥିଲା। 

PHOTO • Madhav Sharma

୬୮ ବର୍ଷୀୟ ପ୍ୟାରଚାନ୍ଦ ୨୦୦୬ରେ ଶିକ୍ଷକତାରୁ ସ୍ଵେଛାକୃତ ଅବସର ନେଇଥିଲେ। ଦରିବାରୁ ୧୮ କିଲୋମିଟର ଦୂର କୁମାରିଆ ଖେରା ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସେ ଶିକ୍ଷକତା କରୁଥିଲେ। ତାଙ୍କ ସ୍ତ୍ରୀଙ୍କଠାରେ ଲାଗିଥିବା ଡାହାଣୀ କଳଙ୍କ ଏବଂ ଅପମାନରୁ ସେ ମୁକୁଳିବାକୁ ଉଦ୍ୟମ କରୁଥିଲେ। ସେତେବେଳେ ତାଙ୍କର ମାସିକ ରୋଜଗାର ଥିଲା ୩୫,୦୦୦ ଟଙ୍କା। ଗାଁ ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଭୋଜି ଆୟୋଜନ କରିବାରେ ତାଙ୍କର ସଞ୍ଚିତ ଅର୍ଥ ଓ ତାଙ୍କ ତିନି ପୁଅଙ୍କ ରୋଜଗାରରୁ ଖର୍ଚ୍ଚ କରୁଥିଲେ। 

ଏହି ପରିବାର ଭିଲୱାଡ଼ା ସହରକୁ ଗଲେ, କିନ୍ତୁ ସମସ୍ୟା ତାଙ୍କ ପିଛା ଛାଡ଼ିଲାନି। ଅଗଷ୍ଟ ୧୪, ୨୦୧୬ରେ ଜଣେ ପଡ଼ୋଶୀ ମହିଳା ଭୋଲିଙ୍କୁ ମାଡ଼ ମାରିଲେ। ତାଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ଭୋଲିଙ୍କ କଳା ଯାଦୁ ଦାୟୀ ବୋଲି ଅଭିଯୋଗ କରିଥିଲେ। ପଡ଼ୋଶୀ ଜଣଙ୍କ ଏକ ସ୍ଥାନୀୟ ଖବରକାଗଜରୁ ସେହିଦିନ ଭୋଲିଙ୍କ ସଂପର୍କରେ ପଢି ଜାଣିଥିଲେ ଯେ ଦରିବାରେ ତାଙ୍କଠାରେ ଡାହାଣୀ ଛାପ ଲାଗିଛି। 

ଭୋଲି କହନ୍ତି, ‘‘ମୋ ଗାଁ ଲୋକଙ୍କ ସମେତ ସହରର ପଡୋଶୀମାନେ ମଧ୍ୟ ମୋତେ କଳଙ୍କିତ ଦୃଷ୍ଟିରେ ଦେଖିଲେ। ଏଥିପାଇଁ ମୋ ବୋହୂ ହେମଲତାକୁ ମଧ୍ୟ ଲୋକେ ଡାହାଣୀ କହିଲେ। ସେ ୧୨ ବର୍ଷ ସମାଜରୁ ଦୂରେଇ ରହିବା ପରେ ତାକୁ ଗ୍ରହଣ କରାଗଲା। ସର୍ତ୍ତ ରହିଲା ଯେ ମୋ ସହ ତାର କୌଣସି ସଂପର୍କ ରହିବନି।’’ ହେମଲତାଙ୍କ ସ୍ୱାମୀ, ତାଙ୍କ ପୁଅ ଓମ୍ ପ୍ରକାଶ ଓ ସେମାନଙ୍କର ୪ ପିଲାଙ୍କୁ ମଧ୍ୟ ତାଙ୍କ ସହ ମିଳାମିଶା ପାଇଁ ବାରଣ କରାଗଲା। 

୩୫ ବର୍ଷୀୟ ହେମଲତାଙ୍କୁ ଡାହାଣୀ ଛାପ ଲାଗିବା ପରେ ଭିଲୱାଡ଼ା ସ୍ଥିତ ତାଙ୍କ ବାପ ଘର ମଧ୍ୟ ତାଙ୍କ ପାଇଁ ବନ୍ଦ ହୋଇଗଲା। ସେ କହନ୍ତି, ‘‘ଯେତେବେଳେ ମୁଁ ସେଠାକୁ ଯାଉଥିଲି ମୋତେ ଜଣେ ଅସ୍ପୃଶ୍ୟ ଭାବେ ବ୍ୟବହାର କରାଯାଉଥିଲା। ଏକ ସ୍ଥାନୀୟ ଖବରକାଜରେ ମୋ ଶାଶୂଙ୍କ ସଂପର୍କରେ ଖବର ପ୍ରକାଶ ପାଇବା ପରେ ମୋ ପରିବାରକୁ ମଧ୍ୟ ଏହା ପ୍ରଭାବିତ କଲା। ଏହି କଲୋନୀର ଲୋକେମାନେ ମୋ ସହ ସେମାନଙ୍କ ସଂପର୍କ କାଟି ଦେଲେ।’’ କିନ୍ତୁ ତାଙ୍କ ସ୍ୱାମୀ, ୪୦ ବର୍ଷୀୟ ଓମ୍ ପ୍ରକାଶ ତାଙ୍କୁ ଓ ତାଙ୍କ ଶାଶୁଙ୍କୁ ସମର୍ଥନ କରୁଥିଲେ। ସେ ଭିଲୱାଡ଼ା ସହରରେ ଏକ ଟ୍ରାକ୍ଟର କମ୍ପାନୀର ସୋ ରୁମ୍ରେ ମାସିକ ୨୦,୦୦୦ ଟଙ୍କାରେ କାମ କରୁଥିଲେ। ଏକ ଘରୋଇ ସ୍କୁଲରେ ଶିକ୍ଷାଦାନ କରି ହେମଲତା ନିଜେ ୧୫, ୦୦୦ ହଜାର ଟଙ୍କା ରୋଜଗାର କରୁଥିଲେ। 

ଯଦିଓ ଭିଲୱାଡ଼ା ସହର ଜୱାହର ନଗରରେ ପୈତୃକ ଭାବେ ପ୍ୟାରଚାନ୍ଦଙ୍କର ଏକ ଘର ଥିଲା, ତା ପରେ ବି ତାଙ୍କୁ ମାସିକ ୩,୦୦୦ ଟଙ୍କା ଭଡ଼ାରେ ସେହି କଲୋନୀରେ ଆଉ ଏକ ଘର ନେବାକୁ, ୨୦୧୬ରେ ପରିସ୍ଥିତି ବାଧ୍ୟ କରିଥିଲା। ତାଙ୍କ ପୈତୃକ ଘରେ ଓମ୍ ପ୍ରକାଶ, ହେମଲତା ଓ ତାଙ୍କ ପିଲାମାନେ ରହିଲେ। ଭୋଲି ଓ ପ୍ୟାରଚାନ୍ଦ ତାଙ୍କ ପେନସନ୍ ଟଙ୍କା ଖର୍ଚ୍ଚ କରୁଥିଲେ। ଏହା ସହ ଭିଲୱାଡ଼ା ସହର ନିକଟରେ ଥିବା ପ୍ୟାରଚାନ୍ଦ ତାଙ୍କ ୧.୬ ଏକର ଜମିରେ ଚାଷ ବି କରୁଥିଲେ। ସେଠି ସୋରିଷ ଓ ଚଣା ଉତ୍ପାଦନ କରୁଥିଲେ। 

ଭୋଲି କହନ୍ତି, ‘‘କୌଣସି ସଂପର୍କୀୟ ଆମ ଘରକୁ ଆସୁ ନଥିଲେ, ଏପରିକି ମୋ ବାପ ଘର ଲୋକେ ବି ନୁହେଁ।’’ ଏପରିକି ସାମାଜିକ କଳଙ୍କ ପାଇଁ ତାଙ୍କ ଅନ୍ୟ ଦୁଇ ପୁଅ ୩୦ ବର୍ଷୀୟ ପପ୍ପୁ ଓ ୨୮ ବର୍ଷୀୟ ସୁନ୍ଦରଲାଲ୍କୁ ମଧ୍ୟ ତାଙ୍କ ସ୍ତ୍ରୀ ଛାଡ଼ି ପଳାଇଥିଲେ। ସୁନ୍ଦରଲାଲ୍ ଯୋଧପୁରର ଏକ କଲେଜରେ ଅଧ୍ୟାପନା କରୁଛନ୍ତି। ପପ୍ପୁ ତାଙ୍କ ବାପାଙ୍କ ସହ ଜମିରେ ଚାଷ କରୁଛନ୍ତି ଆଉ ଓମ୍ ପ୍ରକାଶ ସହ ଭିଲୱାଡ଼ାରେ ରହୁଛନ୍ତି। 

'People from my village as well as neighbours in the city have marked me with this stigma', says Bholi
PHOTO • Madhav Sharma

ଭୋଲି କହନ୍ତି, ମୋ ଗାଁ ଲୋକଙ୍କ ସହ ସହରର ପଡୋଶୀମାନେ ମୋତେ ସେହି କଳିଙ୍କିତ ଦୃଷ୍ଟିରେ ଦେଖନ୍ତି।

ଯଦିଓ ଭୋଲିଙ୍କ ପରିବାର ତାଙ୍କ ସହ ଅଛି, କିନ୍ତୁ ଡାହାଣୀ ଆଖ୍ୟାର ଶିକାର ହୋଇଥିବା ଅନେକ ମହିଳା ନିସଙ୍ଗ ଜୀବନଯାପନ କରନ୍ତି। ଅନେକ ସମୟରେ ପରିବାରର ସମର୍ଥନ ମଧ୍ୟ ମିଳେ ନାହିଁ। ଆଲୁୱାଲିଆ କହନ୍ତି, ‘‘ଗତ ଦୁଇ ବର୍ଷ ମଧ୍ୟରେ ଭିଲୱାଡ଼ାର ବିଭିନ୍ନ ଗାଁରେ ଡାହାଣୀ ଘୋଷଣା ହେବା ପରେ ୭ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।’’ ତାଙ୍କର ବିଶ୍ୱାସ ଯେ, ଯଦିଓ ସେମାନଙ୍କ ମୃତ୍ୟୁ ସ୍ୱାଭାବିକ, ତଥାପି ମାନସିକ ନିର୍ଯାତନା, ନିଃସଙ୍ଗତା ଓ ଦାରିଦ୍ର୍ୟତା ଭିତରକୁ ସେମାନଙ୍କୁ ଠେଲି ଦିଆଯାଇଛି। 

ହେମଲତା କୁହନ୍ତି, ଗ୍ରାମାଞ୍ଚଳରେ ସମାଜରୁ ଦୂରେଇ ରହିବାଠାରୁ ଅଧିକ ଯନ୍ତ୍ରଣା ଆଉ କିଛି ନାହିଁ। 

ଜୟପୁରସ୍ଥିତ ୟୁନିଭର୍ସିଟି ଅଫ୍ ରାଜସ୍ଥାନର ଅବସରପ୍ରାପ୍ତ ସାମଜବିଜ୍ଞାନୀ ପ୍ରଫେସର ଡକ୍ଟର ରାଜୀବ ଗୁପ୍ତା କହନ୍ତି, ଗୁଣିଗାରେଡ଼ି ଆଉ ଡାହାଣୀକୁ ନେଇ ଲୋକେ କାହାଣୀ ଗଢନ୍ତି ଏବଂ ଭୟଭିତ କରାନ୍ତି। ସେ କହନ୍ତି, ‘‘ଏହି ବିଶ୍ୱାସ ଭିତରେ ଭୟ ଏବଂ ଅସୁରକ୍ଷାର ଅନେକ କାରଣ ରହିଛି। ଯାହା ପାଇଁ ସମାଜ ମଧ୍ୟ ପୀଡିତାଙ୍କ ସହ କଥା ହେବାକୁ କୁଣ୍ଠାବୋଧ କରେ। ଏହି ଭୟ ଏବଂ ଅସୁରକ୍ଷା ଭାବନା ପର ପିଢିକୁ ମଧ୍ୟ ସଂଚରିତ ହୋଇଥାଏ।’’

କିନ୍ତୁ ରାଜସ୍ଥାନର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ, ମାଷ୍ଟର ଭଁୱରଲାଲ ମେଘୱାଲ ଯେପରି ଏହାକୁ ଅଣଦେଖା କରିବା ଭଳି ଲାଗନ୍ତି - ଏଭଳି ଏକ ରାଜ୍ୟରେ ଯେଉଁଠି ଲମ୍ବା ସମୟ ଧରି ଗୁଣିଗାରେଡ଼ି ତିଷ୍ଠି ରହିଛି ଆଉ ୨୦୧୫ ରୁ ଏହା ଆଇନତଃ ଅପରାଧ ପାଲଟିଛି। ସେ କହନ୍ତି, ‘‘ମହିଳାମାନଙ୍କ ପ୍ରତି ଏଭଳି ଆଚରଣ ଭଲ ନୁହେଁ। କିନ୍ତୁ ଏଭଳି ହେଉଥିବା ମୁଁ ଜାଣିନି। ମୁଁ [ସଂପୃକ୍ତ] ବିଭାଗ ସହ କଥା ହେବି।’’ 

ଆଉ ଭୋଲିଙ୍କ ପାଇଁ ନ୍ୟାୟ ଦୀର୍ଘ ଅପେକ୍ଷାରେ ରହିଛି। ଆଖି ଢଳ ଢଳ କରି ସେ ପଚାରିଲେ, ‘‘କେବଳ ମହିଳାମାନଙ୍କୁ କାହିଁକି ଡାହାଣୀ ଆଖ୍ୟା ଦିଆଯାଉଛି? ପୁରୁଷମାନଙ୍କୁ କାହିଁକି ନୁହେଁ। ’’

ସାଫିକ୍ ଆଲମ୍ଙ୍କ ଦ୍ୱାରା ହିନ୍ଦୀରୁ ଅନୁବାଦିତ

ଅନୁବାଦ: ଓଡ଼ିଶାଲାଇଭ୍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Madhav Sharma

ଜୟପୁର ଅଞ୍ଚଳର ମାଧବ ଶର୍ମା ଜଣେ ସ୍ୱାଧୀନ ସାମ୍ବାଦିକ। ସେ ସାମାଜିକ, ପରିବେଶିକ ଓ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଲେଖନ୍ତି।

Other stories by Madhav Sharma