ଅଧାଗଢ଼ା ହୋଇଥିବା ଏକ ଘୋଡ଼ାକୁ ତକିଆ କରି, ରାସ୍ତା କଡ଼ରେ ଜୁଆରା ରାମ ଭଟ ଶୋଇଥିବା ସମୟରେ ସେମାନଙ୍କ ନିକଟରେ ଏକ କାର୍‌ ଅଟକି ଗଲା। ଏଥିରେ ସେ ଉଠିପଡ଼ିଲେ। ଏହି ୬୦ ବର୍ଷୀୟ କାରିଗର ଜଣଙ୍କ କାର୍‌ରେ ବସିଥିବା ବ୍ୟକ୍ତିଙ୍କ ନିକଟକୁ ଦୌଡ଼ିଗଲେ ଏବଂ ଖେଳନା ଘୋଡ଼ା ଉପରେ ବସିପଡ଼ି ତାହାର ଦୃଢ଼ତା ଦର୍ଶାଇଥିଲେ। ନିଶ୍ଚିତ ଭାବେ ତାହା ୩୦୦ ଟଙ୍କାରେ ମୂଲଚାଲ ହୋଇଥିଲା? ହେଲେ ଗ୍ରାହକ ଜଣଙ୍କ ଜିଦ୍ କରି ଦାମ୍‌କୁ ୨୦୦ ଟଙ୍କାକୁ କମାଇ ଦେଇଥିଲେ। ଏବଂ ଜୁଆରା ରାମ ଅପରାହ୍ଣ ୪ଟା ବେଳେ ସେଦିନର ପ୍ରଥମ ଏବଂ ବୋଧହୁଏ ଶେଷ ସାମଗ୍ରୀଟିକୁ ବିକ୍ରି କରିଥିଲେ।

ସେ ବସିଥିବା ସ୍ଥାନ ନିକଟରେ ବାଉଁଶ ଖୁଣ୍ଟ ଉପରେ ତାରପଲିନ ଓ ପ୍ଲାଷ୍ଟିକ ଚଦର ଘୋଡ଼ା ହୋଇଥିବା ଜୁଆରା ରାମଙ୍କର ଛୋଟ କୁଡ଼ିଆ ଥିଲା। ସେ ସେଠାରେ ନିଜର ପତ୍ନୀ ବୁଗ୍ଲିବାଇ ଏବଂ ସେମାନଙ୍କର ଦୁଇ ପୁଅ, ସେମାନଙ୍କର ପତ୍ନୀ ଓ ପିଲାମାନଙ୍କ ସହିତ ରହୁଥିଲେ। ପଶ୍ଚିମ ଜୟପୁରର ଅମ୍ବାବରୀ ଦରଘା ଅଞ୍ଚଳରେ ଅମନିଶାହ ଝରଣା ଉପରେ ଥିବା ସେତୁ ନିକଟରେ ଏହିପରି ୪୦-୫୦ଟି ଘର ଭିତରୁ ସେମାନଙ୍କର କୁଡ଼ିଆ ଗୋଟିଏ ଥିଲା। ଏଠାରେ ରହୁଥିବା ପରିବାର ଭଟ ସମ୍ପ୍ରଦାୟର (ରାଜସ୍ଥାନରେ ଓବିସି ଭାବେ ତାଲିକାଭୁକ୍ତ), ସମସ୍ତେ ଶୁଖିଲା ଘାସ (ନଡ଼ା)-ରେ ତିଆରି ହାତୀ, ଘୋଡ଼ା, ଓଟ ଏବଂ ଆହୁରି ଅନେକ ସାଜସଜ୍ଜା ସାମଗ୍ରୀ ତିଆରି କରିଥାନ୍ତି।

“ମୋର ଠିକ୍ ବର୍ଷ ମନେ ନାହିଁ, କିନ୍ତୁ ମୋ ବାପା ନାଗୌର ଜିଲ୍ଲାର ଦିଦୱାନା ସହରରୁ ଜୟପୁରକୁ ଆସିଥିଲେ”, ଜୁଆରା ରାମ କୁହନ୍ତି। ଖେଳନା ତିଆରି କରିବା ପ୍ରକ୍ରିୟାରେ, ତାଙ୍କର ମୁଖ୍ୟ କାମ ଥିଲା ନଡ଼ା ପିତ୍ତୁଳା ତିଆରି କରିବା। ସେହି ନଡ଼ା ପିତ୍ତୁଳାକୁ ସହାୟକ ହେବା ଲାଗି ସେଥିରେ ବେଳେ ବେଳେ ଏକ ପତଳା ବାଉଁଶ ପାତିଆ ଭର୍ତ୍ତି କରିଥାନ୍ତି ଏବଂ ଶୁଖିଲା ଘାସକୁ ତାର ଓ ରଶି ସହିତ ବାନ୍ଧି ଏହାକୁ ଆକାର ଦେଇଥାନ୍ତି। ଏହାପରେ ସେ ଏହି ନଡ଼ା ପିତ୍ତୁଳାର ସମ୍ପୂର୍ଣ୍ଣ ଢାଞ୍ଚାକୁ ବୁଗ୍ଲିବାଇଙ୍କ ହାତକୁ ଦେଇଦିଅନ୍ତି। ସେ ସେଥିରେ ଲାଲ ଭେଲଭେଟ କପଡ଼ା ଗୁଡ଼ାଇଥା’ନ୍ତି ଏବଂ ପରେ ସୁନେଲି ରଙ୍ଗର ଫିତା ଦେଇ ତା’କୁ ସଜାଇଥାନ୍ତି। ଏପରି ଗୋଟିଏ ସାମଗ୍ରୀ ତିଆରି କରିବା ଲାଗି ତାଙ୍କୁ ୨ରୁ ୩ ଘଣ୍ଟା ଲାଗିଥାଏ।

ସେମାନେ ଯେଉଁ ସ୍ଥାନରେ ବସି ରହି ଏହିସବୁ କଳାକୃତିଗୁଡ଼ିକୁ ତିଆରି କରୁଛନ୍ତି ତାହା ତାଙ୍କ ଘର ଓ କାର୍ଯ୍ୟସ୍ଥଳୀ, ଏହା ତାଙ୍କ ‘ଭଣ୍ଡାର ଘର’ ମଧ୍ୟ। ସେମାନେ ଏହି ଅସ୍ଥାୟୀ ଘରକୁ ଚାରିରୁ ଅଧିକ ଥର ସ୍ଥାନାନ୍ତର କରିଛନ୍ତି, ପ୍ରତିଥର ଏହାକୁ ବେଆଇନ ବୋଲି କହି ପୁଲିସ ଓ ଜୟପୁର ସହରାଞ୍ଚଳ କର୍ତ୍ତୃପକ୍ଷ ସେମାନଙ୍କ ଆବାସକୁ ଭାଙ୍ଗିଦେବା ପରେ ସେମାନଙ୍କୁ ଏପରି କରିବାକୁ ପଡ଼ିଛି। ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନରେ, ସେମାନଙ୍କୁ ପାଣି ପାଇଁ ଟ୍ୟାଙ୍କର ଓ ନିକଟସ୍ଥ ଦୋକାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ, ସେମାନେ ଅମନିଶାହା ଝରଣା ନିକଟରେ ଥିବା ଶୌଚାଳୟ ଓ ସ୍ଥାନକୁ ଶୌଚ ହେବା ନିମନ୍ତେ ବ୍ୟବହାର କରିଥାନ୍ତି। ଏବଂ ବିଦ୍ୟୁତ ପାଇଁ ଅଧିକାଂଶ ପରିବାର ବ୍ୟାଟେରୀ ଦ୍ୱାରା ଚାର୍ଜ ହେଉଥିବା ଏଲଇଡି ଲାଇଟ୍ ବ୍ୟବହାର କରିଥାନ୍ତି।

ସେତୁ ନିକଟ ବସ୍ତିରେ ରହୁଥିବା ଅନ୍ୟମାନଙ୍କ ଭଳି ଜୁଆରା ରାମଙ୍କ ପରିବାର ଭୂମିହୀନ-ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଘର ରାଜସ୍ଥାନର ଯୋଥପୁର ଓ ନାଗୌର ଜିଲ୍ଲାରେ। ସେ କୁହନ୍ତି, ତାଙ୍କର ପାରମ୍ପରିକ କାମ ହେଉଛି କାଠ କଣ୍ଢେଇ ତିଆରି କରିବା ଏବଂ ସେଗୁଡ଼ିକର ନାଚ ପ୍ରଦର୍ଶନ କରିବା, କିନ୍ତୁ ଏବେ ସେମାନେ ମୁଖ୍ୟତଃ ନଡ଼ା ଓ ଭେଲଭେଟରେ ସାଜସଜ୍ଜା ସାମଗ୍ରୀ ତିଆରି କରିବାରେ ସମ୍ପୃକ୍ତ ରହୁଛନ୍ତି।

Pooja Bhat has been making dry grass elephants, horses and camels since childhood. 'The lockdown forced us to even beg', she says
PHOTO • Madhav Sharma
Pooja Bhat has been making dry grass elephants, horses and camels since childhood. 'The lockdown forced us to even beg', she says
PHOTO • Madhav Sharma

ପିଲା ଦିନୁ ପୂଜା ଭଟ ନଡ଼ାରେ ହାତୀ , ଘୋଡ଼ା ଓ ଓଟ ତିଆରି କରୁଛନ୍ତି। ଲକଡାଉନ ଆମକୁ ଭିକ ମଧ୍ୟ ମାଗିବାକୁ ବାଧ୍ୟ କରିଛି ’, ସେ କୁହନ୍ତି

“ଏବେ ମନୋରଞ୍ଜନ ପାଇଁ ଲୋକମାନଙ୍କ ପାଖରେ ଟିଭି ଓ ମୋବାଇଲ ଫୋନ୍‌ ରହିଛି, ସେମାନଙ୍କର ଆମ କଣ୍ଢେଇର ଆବଶ୍ୟକତା ନାହିଁ”, ଜୁଆରା ରାମ କୁହନ୍ତି। ସେ ପିଲାଦିନରୁ ନିଜ ଜେଜେ ବାପା ଓ ବାପାଙ୍କ ଠାରୁ କାଠ କଣ୍ଢେଇ ତିଆରି କରିବା ଶିଖିଥିଲେ। ସାଧାରଣତଃ ତିନି ଜଣଙ୍କୁ ନେଇ ଏକ ଦଳ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥାଏ, ଏଥିପାଇଁ ସେମାନେ “୧୦-୨୦ ଟଙ୍କା ଏବଂ ବେଳେ ବେଳେ କିଛି ଅଟା” ଆୟ କରିବାକୁ ସକ୍ଷମ ହୋଇଥାନ୍ତି। କିନ୍ତୁ ଗତ ଦୁଇ ଦଶନ୍ଧି ଧରି ଏପରି କାର୍ଯ୍ୟକ୍ରମ ପ୍ରତି ସ୍ଥାନୀୟ ଦର୍ଶକମାନଙ୍କ ଆଗ୍ରହ କମିଗଲାଣି।

ଦୀର୍ଘ ସମୟ ପର୍ଯ୍ୟନ୍ତ, ଜୟପୁର ଭିତରେ ଏବଂ ଆଖପାଖରେ ଥିବା ବଡ଼ ବଡ଼ ହୋଟେଲଗୁଡ଼ିକରେ ରହୁଥିବା ବିଦେଶୀ ପର୍ଯ୍ୟଟକ ସେମାନଙ୍କର ଦର୍ଶକ ଥିଲେ। ସେମାନଙ୍କ ପାଇଁ, ଏକ ତିନି ଜଣିଆ ଥରେ ଘଣ୍ଟିକିଆ କାର୍ଯ୍ୟକ୍ରମ ପ୍ରଦର୍ଶନ କରୁଥିଲା-ଜଣେ ଖେଳନା ଧରୁଥିଲା ଏବଂ ଅନ୍ୟ ଦୁଇ ଜଣ ହାରମୋନିୟମ ଓ ଏକ ଢୋଲକ ବଜାଉଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣତଃ ଲୋକ ସଙ୍ଗୀତ ଓ ଲୋକକଥାର ପ୍ରତିଫଳନ ଦେଖିବାକୁ ମିଳୁଥିଲା। ଏହି ସମୁଦାୟର ଜଣେ ବରିଷ୍ଠ ସଦସ୍ୟ ଯୋଥପୁରର ୭୩ ବର୍ଷୀୟ ପ୍ରେମ ଭଟ କୁହନ୍ତି, ଲୋକପ୍ରିୟ କାହାଣୀଗୁଡ଼ିକ ମଧ୍ୟରେ ସପ୍ତଦଶ ଶତାବ୍ଦୀରେ ମୋଗଲ ସମ୍ରାଟ ଶାହାଜାହାନଙ୍କ ରାଜତ୍ୱ କାଳରେ ମାରୱାଡ଼ ରାଜବଂଶର ଅମର ସିଂ ରାଠୋର-ଏବଂ ନାଗୌର ସିଂହାସନ ପାଇଁ ରାଜପୁତମାନଙ୍କ ମଧ୍ୟରେ ଭାଇ ଭାଇ କଳହ, ପରସ୍ପର ବିରୋଧୀ ଷଡ଼ଯନ୍ତ୍ର, ଦଣ୍ଡ ଏବଂ ଆହୁରି ଅନେକ କାହାଣୀ ସାମିଲ ରହିଥାଏ।

ଏହିପରି ଗୋଟିଏ କାର୍ଯ୍ୟକ୍ରମ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୩୦୦ରୁ ୫୦୦ ଟଙ୍କାର ରୋଜଗାର ଦେଇଥାଏ, ଗୋଟିଏ ମାସରେ ସେମାନେ ୩-୪ ଗୁଣା ରୋଜଗାର କରିଥାନ୍ତି। ହେଲେ ଲକଡାଉନ ଏବଂ ପର୍ଯ୍ୟଟନ ଠପ୍ ହୋଇଥିବା କାରଣରୁ, ଏହା ବନ୍ଦ ହୋଇଯାଇଛି। “କରୋନା କାରଣରୁ ହୋଟେଲ ବନ୍ଦ ହୋଇଯିବା ଫଳରେ ଆମକୁ ହୋଟେଲ ଓ ପର୍ଯ୍ୟଟକମାନଙ୍କଠାରୁ ଯାହାକିଛି ଆୟର ପନ୍ଥା ମିଳୁଥିଲା, ବନ୍ଦ ହୋଇଗଲା,” ଜୁଆରା ରାମ କୁହନ୍ତି। “କେହି ପର୍ଯ୍ୟଟକ ନାହାନ୍ତି, ତେଣୁ ଆମକୁ ନଡ଼ାରେ ଏହି କଣ୍ଢେଇ ତିଆରି କରି ପେଟ ପୋଷିବାକୁ ପଡ଼ୁଛି’’।

ପ୍ରେମ ଭଟ କୁହନ୍ତି, ଭଟ ସମୁଦାୟ ଦୀର୍ଘ ଦିନ ଧରି କାଠ କଣ୍ଢେଇ ତିଆରି କରିବା ଏବଂ ନାଚ ଦେଖାଇବା କାମ କରି ଆସୁଛନ୍ତି, କିନ୍ତୁ ଏହି ନଡ଼ା ଓ ଭେଲଭେଟ ତିଆରି କାମ ଏବେ କିଛି ବର୍ଷ ହେବ ଆରମ୍ଭ ହୋଇଛି। ଏହି ସମୁଦାୟର ଲୋକମାନେ ୧୯୬୦ ଦଶକ ପାଖାପାଖି ଛୋଟ ଛୋଟ ଘୋଡ଼ା ତିଆରି କରିବା ଆରମ୍ଭ କରିଥିଲେ, ସେ ସ୍ମରଣ କରି କୁହନ୍ତି, ସେତେବେଳେ ଏପରି ହାତ ତିଆରି ପଶୁଙ୍କ ଚାହିଦା ଅନ୍ୟ ଦେଶ, ବିଶେଷ କରି ପଶ୍ଚିମ ୟୁରୋପରେ ବୃଦ୍ଧି ପାଇଥିଲା। ଏହାଛଡ଼ା କାଠ ସାମଗ୍ରୀ ତିଆରି ପାଇଁ ଅଧିକ ଖର୍ଚ୍ଚ ଏବଂ ସମୟ ଲାଗୁଥିଲା, ତେଣୁ ଭଟ ସମୁଦାୟର ଲୋକମାନେ ସ୍ୱତନ୍ତ୍ର ଅର୍ଡର ମିଳିଲେ ଏଗୁଡ଼ିକୁ ତିଆରି କରୁଛନ୍ତି।

'Now, people have TVs and mobile phones for their entertainment, they do not need our puppet shows anymore', says Juara Ram (right)
PHOTO • Madhav Sharma
'Now, people have TVs and mobile phones for their entertainment, they do not need our puppet shows anymore', says Juara Ram (right)
PHOTO • Madhav Sharma

“ଏବେ ମନୋରଞ୍ଜନ ପାଇଁ ଲୋକମାନଙ୍କ ପାଖରେ ଟିଭି ଓ ମୋବାଇଲ ଫୋନ୍‌ ରହିଛି, ସେମାନଙ୍କର ଆମ କଣ୍ଢେଇର ଆବଶ୍ୟକତା ନାହିଁ”, ଜୁଆରା ରାମ କୁହନ୍ତି (ଡାହାଣ)

“ନଡ଼ାରେ ତିଆରି ଓ କପଡ଼ା ଘୋଡ଼ା ହୋଇଥିବା ଘୋଡ଼ାଗୁଡ଼ିକ ରାଜସ୍ଥାନର ବିଭିନ୍ନ ସ୍ଥାନରେ ଥିବା ରାମଦେଓରା ମନ୍ଦିରରେ ଅର୍ପଣ କରାଯିବା ପାଇଁ ବେଶ ଲୋକପ୍ରିୟ”, ବୋଲି ପ୍ରେମ ଭଟ କୁହନ୍ତି। ଏହାପଛରେ ଏକ କିମ୍ବଦନ୍ତୀ ରହିଥିବା ସେ କୁହନ୍ତି, ଏହି ଲୋକ ଦେବତା ନିଜର ବାହନ ପାଇଁ ସପ୍ତଦଶ ଶତାବ୍ଦୀରେ ଏକ କାଠ ଘୋଡ଼ାକୁ ଜୀବନଦାନ ଦେଇଥିଲେ। ଏବଂ ଏହି କାରଣରୁ ଜୈସାଲମେର ଜିଲ୍ଲାର ରାମଦେଓରା ସହରରେ ଅଗଷ୍ଟ-ସେପ୍ଟେମ୍ବର ମାସରେ ଆୟୋଜିତ ହେଉଥିବା ଆଠ ଦିନିଆ ବାର୍ଷିକ ମେଳାରେ ହାତ ତିଆରି ଘୋଡ଼ାଗୁଡ଼ିକୁ ଏବେ ମଧ୍ୟ ଅର୍ପଣ କରାଯାଇଥାଏ।

“ମୋର ମାତାପିତା ଓ ପରିବାର ଲୋକଙ୍କୁ ଦେଖି ଏଗୁଡ଼ିକୁ ତିଆରି କରିବା ଶିଖିଥିଲି। ମୁଁ ଛୋଟ ହୋଇଥିବା ବେଳୁ ନଡ଼ାରେ ତିଆରି ଘୋଡ଼ା, ହାତୀ ଓ ଓଟ ତିଆରି କରି ଆସୁଛି,” ୧୮ ବର୍ଷୀୟ ପୂଜା ଭଟ କୁହନ୍ତି, ଯିଏକି ଜୁଆରା ରାମଙ୍କ କୁଡ଼ିଆର ବିପରୀତ ଦିଗରେ ଥିବା ଫୁଟପାଥ ଉପରେ ବସିଛନ୍ତି। ସେ ଏକ ପାରମ୍ପରିକ ରାଜସ୍ଥାନୀ ଲେହେଙ୍ଗା ପିନ୍ଧିଛନ୍ତି, ଏବଂ ନଡ଼ା ଢାଞ୍ଚା ଉପରେ ନାଲି ଭେଲଭେଟ୍ କପଡ଼ା ସିଲେଇ କରୁଛନ୍ତି।

ମହାମାରୀ ତାଙ୍କ ଆୟକୁ ମଧ୍ୟ ପ୍ରଭାବିତ କରିଛି। “ଏଥିପୂର୍ବରୁ, ଆମେ ଏସବୁ ଖେଳନା ବିକ୍ରି କରି ଦିନକୁ ଦୁଇ ଓଳି ଖାଦ୍ୟ ଯୋଗାଡ଼ କରୁଥିଲୁ”, ପୂଜା କୁହନ୍ତି, “କିନ୍ତୁ ଲକଡାଉନ ଆମକୁ ଭିକ ମାଗିବାକୁ ମଧ୍ୟ ବାଧ୍ୟ କରିଛି।” ଦିନକୁ ୧୦ଟି ପର୍ଯ୍ୟନ୍ତ ଖେଳନା ଏକଦା ବିକ୍ରି ହେଉଥିବା ବେଳେ ଏବେ ଅତି ଭଲ ଦିନଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ବିକ୍ରି ହେଉଛି। “ପୂର୍ବରୁ, ଆମେ ଦିନ ଶେଷରେ ୪୦୦-୫୦୦ ଟଙ୍କା (ଖର୍ଚ୍ଚ ଯିବା ପରେ ଲାଭ) ରୋଜଗାର କରୁଥିଲୁ, କିନ୍ତୁ ଏବେ ଆମେ ୧୦୦-୧୫୦ ଟଙ୍କା ପାଉଛୁ। ଗ୍ରାହକମାନେ ଏବେ ହାତତିଆରି ଖେଳନା କିଣିବା ଲାଗି ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବଂ ଯଦି ସେମାନଙ୍କର ଆଗ୍ରହ ରହୁଛି, ସେମାନେ ଅଧିକ ମୂଲଚାଲ କରୁଛନ୍ତି। ଆମେ ବାଧ୍ୟ ହୋଇ ଆମର ଖର୍ଚ୍ଚ ଉଠୁନଥିବା ଦରରେ ବିକ୍ରି କରୁଛୁ।”

ତାଙ୍କ ପରିବାର, ଏବଂ ସେହି ସେତୁ ନିକଟରେ ରହୁଥିବା ଅନ୍ୟମାନଙ୍କ ପାଖରେ କୌଣସି ପରିଚୟପତ୍ର କିମ୍ବା କାଗଜପତ୍ର ନାହିଁ ଏବଂ ଏହି କାରଣରୁ ସେମାନେ କୌଣସି ସରକାରୀ ସହାୟତା ପାଉନାହାନ୍ତି। “ଆମେ ଯେତେବେଳେ କୌଣସି କାର୍ଡ ତିଆରି କରିବାକୁ ଯାଇଥାଉ, ଅଧିକାରୀମାନେ ଆମକୁ ତଡ଼ି ଦେଇଥାନ୍ତି,” ପୂଜାଙ୍କ ୨୫ ବର୍ଷୀୟା ଭଉଣୀ ମଞ୍ଜୁ କୁହନ୍ତି। “ଆମେ ଅନେକ ଥର ଭୋଟ ପରିଚୟପତ୍ରଟିଏ ପାଇବାକୁ ଚେଷ୍ଟା କରିଛୁ। କୌଣସି ସରକାରୀ ଯୋଜନାରେ ଆମେ ସାମିଲ ନାହୁଁ। ଲକଡାଉନ ସମୟରେ କିଛି ବଦାନ୍ୟ ବ୍ୟକ୍ତି ଏଠାକୁ ଆସି ଆମକୁ ଖାଦ୍ୟ ବିତରଣ କରିବା ଯୋଗୁ ଆମେ ବଞ୍ଚି ରହିଛୁ। ଆମେ ସେ ସମୟରେ ତିନି ଦିନର ବାସି ପୁରି ଖାଇଛୁ।”

ପୂଜାଙ୍କ କୁଡ଼ିଆ ନିକଟରେ ରହୁଥିବା ରାଜୁ ଭଟଙ୍କ ପାଇଁ ମଧ୍ୟ ମାର୍ଚ୍ଚ ୨୦୨୦ ଠାରୁ ଜୀବନ ସଂଘର୍ଷପୂର୍ଣ୍ଣ ହୋଇଯାଇଛି। ମାତ୍ର ପାଞ୍ଚ ବର୍ଷ ବୟସରୁ ନଡ଼ାରେ ତିଆରି ଖେଳନା ଗଢ଼ୁଥିବା ୩୮ ବର୍ଷୀୟ ରାଜୁ କୁହନ୍ତି, ଲକଡାଉନ ଯୋଗୁ ଗ୍ରାହକ ଏକ ପ୍ରକାର ଅଦୃଶ୍ୟ ହୋଇଯାଇଛନ୍ତି ଅନ୍ୟପଟେ ଏହି ଛୋଟ ଛୋଟ ପଶୁଙ୍କୁ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି।

'No one in our community wants their children to continue doing this work', says Raju Bhat, with his wife Sanju and sons Rohit (left), and Deepak (right)
PHOTO • Madhav Sharma
'No one in our community wants their children to continue doing this work', says Raju Bhat, with his wife Sanju and sons Rohit (left), and Deepak (right)
PHOTO • Madhav Sharma

ଆମ ସମୁଦାୟରେ କେହି ଚାହାନ୍ତି ନାହିଁ ଯେ ସେମାନଙ୍କ ପିଲାମାନେ ଏହି କାମ କରନ୍ତୁ ’, ରାଜୁ ଭଟ କୁହନ୍ତି , ସେ ନିଜ ପତ୍ନୀ ସଞ୍ଜୁ ଓ ପୁଅ ରୋହିତ ( ବାମ ), ଏବଂ ଦୀପକ ( ଡାହାଣ ) ଙ୍କ ସହିତ ଛିଡ଼ା ହୋଇଛନ୍ତି

“ପୂର୍ବରୁ ଆମେ ପନିପରିବା ଓ ଫଳ ପ୍ୟାକିଂ ପାଇଁ ବ୍ୟବହୃତ ହେଉଥିବା ନଡ଼ା ଚାନ୍ଦପୋଲ ମଣ୍ଡି  କିମ୍ବା ମୁହାନା ମଣ୍ଡି (ସେମାନଙ୍କ ବସ୍ତି ଠାରୁ ୮ରୁ ୧୧ କିମି ଦୂରରେ ଅବସ୍ଥିତ)ରୁ କୁଇଣ୍ଟାଲ ପ୍ରତି ୧୦୦-୧୫୦ ଟଙ୍କା ଦରରେ କିଣି ଆଣୁଥିଲୁ। ଆମେ ସେଥିରୁ ୫୦ଟି ଖେଳନା ତିଆରି କରୁଥିଲୁ,” ରାଜୁ କୁହନ୍ତି। “କିନ୍ତୁ ଏବେ ଆମକୁ କୁଇଣ୍ଟାଲ ପ୍ରତି ୧୫୦୦ ଟଙ୍କା ଦେବାକୁ ପଡ଼ୁଛି। ଏହାଛଡ଼ା ଭେଲଭେଟ୍ ମିଟର ପିଛା ୭୦ ଟଙ୍କା, ସାଜସଜ୍ଜା ପାଇଁ ବ୍ୟବହୃତ ଚିକଚିକ କରୁଥିବା କପଡ଼ା କିଲୋ ପ୍ରତି ୫୦୦ ଟଙ୍କା ଏବଂ ସୁତା କିଲୋ ପ୍ରତି ୨୦୦ ଟଙ୍କାରେ କିଣିବାକୁ ପଡ଼ୁଛି। ଖେଳନାଗୁଡ଼ିକୁ ଆକାର ଦେବା ଓ ବାନ୍ଧିବା ଲାଗି ଏହି ଛୋଟ ବାଉଁଶ ଖଣ୍ଡ ଏବଂ ତାରଗୁଡ଼ିକୁ ମଧ୍ୟ କିଣିବାକୁ ପଡ଼ୁଛି।”

ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିବା ଲକଡାଉନ କାରଣରୁ ପରିସ୍ଥିତି ବଦଳିବା ପୂର୍ବରୁ, ଗୋଟିଏ ୧୮ ଇଞ୍ଚ ବିଶିଷ୍ଟ ନଡ଼ା-ଭେଲଭେଟ୍ ସାମଗ୍ରୀ ତିଆରି କରିବା ଲାଗି ରାଜୁଙ୍କୁ ୬୫-୬୦ ଟଙ୍କା ପାଖାପାଖି ଖର୍ଚ୍ଚ କରିବାକୁ ପଡ଼ୁଥିଲା, କିନ୍ତୁ ଏବେ ୯୦ କିମ୍ବା ଅଧିକ ଦିନ ଲାଗୁଛି। “ଆମେ ଏହି ଖେଳନାଗୁଡ଼ିକୁ ୧୦୦-୧୨୦ ଟଙ୍କା (ବେଳେ ବେଳେ ୨୦୦ ଟଙ୍କା)ରେ ବିକ୍ରି କରିଥାଉ ଯାହାକି ସାମଗ୍ରୀର ଆକାରକୁ ନେଇ ନିର୍ଦ୍ଧାରିତ ହୋଇଥାଏ”, ସେ କୁହନ୍ତି। ତାଙ୍କ ପରିବାର ଦିନକୁ ଏପରି ଚାରିଟି ପଶୁ ତିଆରି କରିଥାନ୍ତି, କିନ୍ତୁ ଭାଗ୍ୟରେ ଥିଲେ ସେଥିରୁ ମାତ୍ର ୨ କିମ୍ବା ତିନୋଟି ବିକ୍ରି କରିପାରିଥାନ୍ତି। “୧୫୦ ଟଙ୍କାର ଘୋଡ଼ା ପାଇଁ ଲୋକମାନେ ଏବେ ସୁଦ୍ଧା ଆମ ସହିତ ମୂଲଚାଲ କରିଥାନ୍ତି”, ସେ କୁହନ୍ତି, “କିନ୍ତୁ ମଲ୍‌ରେ ସେମାନେ ବିନା କୌଣସି କୁଣ୍ଠାରେ ଗୋଟିଏ ଖେଳନା କାର୍‌କୁ ୫୦୦ ଟଙ୍କାରେ କିଣି ନେଇଥାନ୍ତି।”

ଏସବୁ ସାମଗ୍ରୀ ବିକ୍ରିରୁ ହେଉଥିବା ଆୟରୁ ସେମାନଙ୍କର ଛଅ ଜଣିଆ ପରିବାର-ରାଜୁ, ତାଙ୍କ ପତ୍ନୀ, ୩୨, ଏବଂ ଚାରି ଜଣ ପିଲା-ଦୀପକ, ୧୭, ଅନୀଲ, ୧୫, ଗୁଡ୍ଡି,୧୨ ଏବଂ ରୋହିତ,୧୦ର ପ୍ରତିପୋଷଣ ପାଇଁ ଖର୍ଚ୍ଚ ହୋଇଥାଏ। ଏହି ପିଲାମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଏବେ ସ୍କୁଲକୁ ଯାଉନାହାନ୍ତି।  ଏହି ନଡ଼ା କଳାକୃତିଗୁଡ଼ିକୁ ତିଆରି କରିବା ଲାଗି ପରିବାରକୁ ସହାୟତା କରିବା ନିମନ୍ତେ ଦୀପକ ଓ ଅନୀଲ ଦୁଇ ବର୍ଷ ପୂର୍ବରୁ ସ୍କୁଲ ଛାଡ଼ି ସାରିଛନ୍ତି, ଅନ୍ୟପଟେ ଗୁଡ୍ଡି ଓ ରୋହିତ, ନିକଟସ୍ଥ ସରକାରୀ ସ୍କୁଲରେ ପଢ଼ୁଛନ୍ତି, ହେଲେ ସେମାନଙ୍କ ପାଖରେ ସ୍ମାର୍ଟଫୋନ ନଥିବା କାରଣରୁ ସେମାନେ ଅନଲାଇନ କ୍ଲାସ କରିପାରୁନାହାନ୍ତି।

“ସରକାର ସ୍କୁଲ୍ ଖୋଲିବା ଘୋଷଣା କଲେ ମୁଁ ଗୁଡ୍ଡି ଓ ରୋହିତକୁ ପୁଣିଥରେ ପାଠ ପଢ଼ାଇବା ପାଇଁ ପଠାଇବି”, ରାଜୁ କୁହନ୍ତି। “ଆମ ସମୁଦାୟରେ କେହି ଚାହୁଁନାହାନ୍ତି ଯେ ସେମାନଙ୍କର ପିଲାମାନେ ଏହି କାର୍ଯ୍ୟ କରନ୍ତୁ। କିନ୍ତୁ ଆମର ଆର୍ଥିକ ପରିସ୍ଥିତି ଦୁର୍ବଳ ଥିବା କାରଣରୁ, ଆମେ ସେମାନଙ୍କୁ ଏଥିରେ ସାମିଲ କରିବା ଲାଗି ବାଧ୍ୟ ହେଉଛୁ। ଯେକୌଣସି ଅଭିଭାବକଙ୍କ ଭଳି ମୋର ମଧ୍ୟ ମୋ ପିଲାମାନଙ୍କୁ ନେଇ ସମାନ ସ୍ୱପ୍ନ ରହିଛି। ସେମାନେ ଚାକିରି କରନ୍ତୁ ବୋଲି ମୁଁ ଚାହୁଁଛି। ସବୁଦିନ ଏମିତି ନଡ଼ାର କଣ୍ଢେଇ ସେମାନେ ତିଆରି କରନ୍ତୁ ବୋଲି ମୁଁ ଚାହୁଁନାହିଁ। ଯେକୌଣସି ସମୟରେ ଯେ କେହି ଆସି ସେମାନଙ୍କ ଘର ମଧ୍ୟ ଭାଙ୍ଗି ଦେଉ ଏବଂ ନଷ୍ଟ କରି ଦେଉ ବୋଲି ମୁଁ ଚାହୁଁନାହିଁ।”

ଆହୁରି ରାଜୁଙ୍କ ପୂର୍ବାନୁମାନ ହେଲା ଯେପରି ଭାବେ ତାଙ୍କ ସମୁଦାୟ କାଠ କଣ୍ଢେଇ ତିଆରି କରିବା ଛାଡ଼ି ଦେଇଛି, ସେହିପରି ଭାବେ ଦିନେ ନଡ଼ାରେ ସାମଗ୍ରୀ ତିଆରି କରିବାର ସେମାନଙ୍କର କାମ ମଧ୍ୟ ବନ୍ଦ ହୋଇଯିବ। “ଏହି କାମ କେବଳ ମୋ ପିଢ଼ି ପର୍ଯ୍ୟନ୍ତ ହିଁ ତିଷ୍ଠି ରହିବ”, ସେ କୁହନ୍ତି।

ଚିଲକାଙ୍କ ଦ୍ୱାରା ହିନ୍ଦୀରୁ ଇଂରାଜୀକୁ ଅନୁଦିତ

ଅନୁବାଦ: ଓଡ଼ିଶାଲାଇଭ୍‍

Madhav Sharma

Madhav Sharma is a freelance journalist based in Jaipur. He writes on social, environmental and health issues.

Other stories by Madhav Sharma
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE