ଗୁଜରାଟର ସୁରେନ୍ଦ୍ର ନଗର ଜିଲ୍ଲାରେ ବାଲାଭାଇ ଚାୱଦା (୫୭)ଙ୍କର ପାଞ୍ଚ ଏକର ଚାଷ ଜମି ରହିଛି। ଏହା ଉର୍ବର। ଜଳସେଚିତ। ୨୫ ବର୍ଷ ଧରି ତାଙ୍କ ପାଖରେ ଏହାର ମାଲିକାନା ରହିଛି। ତେବେ ଏଠାରେ କେବଳ ଗୋଟିଏ ସମସ୍ୟା ରହିଛି। ତାଙ୍କୁ ନିଜ ଚାଷ ଜମି ପାଖକୁ ଯିବା ପାଇଁ ଅନୁମତି ମିଳୁନାହିଁ।

‘‘ମୋ ପାଖରେ ମୋ ମାଲିକାନାର ପ୍ରମାଣ ରହିଛି,’’ ସେ କୁହନ୍ତି। ମୋଡ଼ି ହୋଇ ହଳଦିଆ ପଡ଼ିଯାଇଥିବା ଜମି କାଗଜପତ୍ର ଖୋଲି ସେ ଦେଖାଇଥିଲେ। ‘‘କିନ୍ତୁ ବଡ଼ ଜାତିର ଲୋକମାନେ ଏହାକୁ (ଜମିକୁ) ଅକ୍ତିଆର କରି ରଖିଛନ୍ତି।’’

ବାଲାଭାଇ ଜଣେ ଶ୍ରମିକ ଏବଂ ସେ ଗୁଜରାଟରେ ଅନୁସୂଚିତ ଜାତି ସମୁଦାୟ ଭାବେ ତାଲିକାଭୁକ୍ତ ଚମାର ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି। ସାହାଯ୍ୟ ପାଇଁ ସେ କେତେ ଲୋକଙ୍କ ପାଖକୁ ଯାଇଛନ୍ତି, କିନ୍ତୁ ଏବେ ତାଙ୍କ ପାଇଁ ସବୁ ଦ୍ୱାର ବନ୍ଦ ହୋଇଯାଇଛି। ସେ ଆହୁରି କୁହନ୍ତି, ‘‘ସବୁ ଦିନ ମୁଁ ବିନା ବ୍ୟତିକ୍ରମରେ ମୋ ଜମି ପାଖକୁ ଯାଇଥାଏ। ଦୂରରୁ ଥାଇ ଜମିକୁ ଦେଖେ ଏବଂ ମୋ ଜୀବନ କେମିତି ହୋଇଥାଆନ୍ତା ତାହା ଭାବିଥାଏ…।’’

ଗୁଜରାଟର ଜମି ବିତରଣ ନୀତି ଅଧୀନରେ ୧୯୯୭ ମସିହାରେ ବାଲାଭାଇଙ୍କୁ ଆବଣ୍ଟିତ ହୋଇଥିବା ଏହି ଚାଷ ଜମି ଧ୍ରଙ୍ଗାଧ୍ରା ତାଲୁକାର ଭରାଡ଼ ଗ୍ରାମରେ ରହିଛି। ଗୁଜରାଟ ଚାଷ ଜମି ସର୍ବାଧିକ ସୀମା ନିର୍ଦ୍ଧାରଣ ଆଇନ ୧୯୬୦ , ‘‘ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ’’ ଚାଷ ଜମି ମାଲିକାନା ଉପରେ ସୀମା ନିର୍ଦ୍ଧାରଣ କରିଥିଲା।

ସରକାରୀ ମାଲିକାନାରେ ଥିବା ପତିତ ଜମି ସହିତ ଏସବୁ ଅଧିଗୃହିତ ଭୂମି କ୍ଷେତ୍ର ସାନ୍ଥାନି ଜମିନ୍‌ ନାମରେ ପରିଚିତ। କୃଷି ସମବାୟ ସମିତି, ଭୂମିହୀନ ବ୍ୟକ୍ତି, କୃଷି ଶ୍ରମିକଙ୍କ ସମେତ ‘‘କୃଷି ପାଇଁ ଜମି ଆବଶ୍ୟକ କରୁଥିବା ଲୋକମାନଙ୍କୁ’’ ଏହି ଜମି ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଥିଲା। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମୁଦାୟକୁ ଅଗ୍ରାଧିକାର ଦେବାକୁ ନିଷ୍ପତ୍ତି ହୋଇଥିଲା।

କିନ୍ତୁ ଏ ଯୋଜନା ଏବେ କେବଳ କାଗଜପତ୍ରରେ ଚାଲିଛି। ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇପାରି ନାହିଁ।

ଜମି ପଟ୍ଟା ପାଇବା ପରେ, ବାଲାଭାଇ ତାଙ୍କ ଜମିରେ କପା, ଯଅ ଓ ବାଜରା ଚାଷ କରିବା ପାଇଁ ଯୋଜନା କରିଥିଲେ। ଏପରିକି ସେ ନିଜ ଚାଷ ଜମିରେ ଛୋଟିଆ ଘରଟିଏ ତିଆରି କରିବା ଲାଗି ଚିନ୍ତା କରୁଥିଲେ ଯାହାଫଳରେ ସେ କାମ କରୁଥିବା ସ୍ଥାନରେ ରହିପାରିବେ।  ସେତେବେଳେ ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା, ଯୁବାବସ୍ଥାରେ ଛୋଟିଆ ପରିବାର ଏବଂ ଆଗକୁ ଭବିଷ୍ୟତର ଜୀବନ ବାକି ରହିଥିଲା। ‘‘ମୋର ତିନି ପିଲା ଛୋଟ ଥିଲେ,’’ ସେ କୁହନ୍ତି। ‘‘ମୁଁ ଜଣେ ଶ୍ରମିକ ଭାବେ କାମ କରୁଥିଲି। ମୁଁ ଭାବିଥିଲି ଅନ୍ୟ କାହା ପାଇଁ ପରିଶ୍ରମ କରିବାର ଦିନ ମୋର ସରିଗଲା। ମୋ ନିଜର ଚାଷ ଜମିରେ, ମୁଁ ମୋ ପରିବାରକୁ ଏକ ସମ୍ମାନଜନକ ଜୀବନ ଦେଇପାରିବି।’’

PHOTO • Parth M.N.

ବାଲାଭାଇ ଚାୱଦା ଭରାଡ଼ ଗ୍ରାମରେ ଥିବା ନିଜ ପାଞ୍ଚ ଏକର ଚାଷ ଜମିର କାଗଜପତ୍ର ଧରିଛନ୍ତି ସେ ୨୫ ବର୍ଷ ଧରି ଏହି ଜମିକୁ ଦଖଲ କରିବା ଅପେକ୍ଷାରେ ରହିଛନ୍ତି

କିନ୍ତୁ ବାଲାଭାଇଙ୍କୁ ଏକ ଶକ୍ତ ଝଟକା ଲାଗିଥିଲା। ସେ ନିଜର ଜମି ଦଖଲ କରିବା ପୂର୍ବରୁ ଗାଁରେ ଥିବା ଦୁଇଟି ପରିବାର ଏହାକୁ ଅକ୍ତିଆର କରି ନେଇଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ରାଜପୁତ ଓ ଅନ୍ୟଟି ପଟେଲ ସମୁଦାୟର ପରିବାର ଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରଭାବଶାଳୀ ଜାତିର ଲୋକମାନେ ଆଜି ବି ସେହି ଜମିକୁ ଜବରଦଖଲ କରି ରଖିଛନ୍ତି। ଅନ୍ୟପଟେ ବାଲାଭାଇଙ୍କୁ ଆଜି ସୁଦ୍ଧା ଜଣେ ଶ୍ରମିକ ଭାବେ କାମ କରିବା ଲାଗି ଯିବାକୁ ପଡ଼ୁଛି। ତାଙ୍କ ପୁଅ ରାଜେନ୍ଦ୍ର (୩୫) ଓ ଅମୃତ (୩୨) ଖୁବ୍‌ ଛୋଟ ଥିବା ସମୟରେ କ୍ଷେତରେ ଶ୍ରମିକ ଭାବେ କାମ କରିବା ଆରମ୍ଭ କରିଥିଲେ। କାମ ଥିଲେ ଦିନକୁ ସେମାନେ ୨୫୦ ଟଙ୍କା ରୋଜଗାର କରିଥାନ୍ତି, ଗୋଟିଏ ସପ୍ତାହରେ ସେମାନଙ୍କୁ ତିନି ଥର କାମ ମିଳିଥାଏ।

‘‘ଉଚ୍ଚ ଜାତିର ଲୋକମାନଙ୍କ ମାଲିକାନାରେ ଥିବା ସମ୍ପତ୍ତି ଘେରି ରହିଥିବା ସେହି ଜମି ଖଣ୍ଡକୁ ଦଖଲକୁ ନେବା ଲାଗି ମୋତେ ବେଶ୍‌ ପରିଶ୍ରମ କରିବାକୁ ପଡ଼ିଛି,’’ ବାଲାଭାଇ କୁହନ୍ତି। ‘‘ସେମାନେ ମୋତେ ସ୍ଥାନୀୟ ଅଞ୍ଚଳକୁ ଯିବାକୁ ଦିଅନ୍ତି ନାହିଁ। ପ୍ରଥମେ ପ୍ରଥମେ, ମୁଁ ମୋ ଅଧିକାରକୁ ଦୋହରାଇଥିଲି (ଜମି ଚାଷ କରିବା ଲାଗି) ଏବଂ ଝଗଡ଼ା କଲି, କିନ୍ତୁ ସେମାନେ ପ୍ରଭାବଶାଳୀ ଓ କ୍ଷମତାଶାଳୀ ଥିଲେ।’’

ନବେ ଦଶକରେ, ଥରେ ଝଗଡ଼ା ବଢ଼ିବାରୁ ବାଲାଭାଇଙ୍କୁ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥିଲା। ତାଙ୍କୁ ବେଲଚାରେ ଆକ୍ରମଣ କରାଗଲା, ଏଥିରେ ତାଙ୍କ ହାତ ଭାଙ୍ଗିଗଲା। ‘‘ମୁଁ ପୁଲିସ ନିକଟରେ ଅଭିଯୋଗ କଲି,’’ ସେ କୁହନ୍ତି। ‘‘ମୁଁ (ଜିଲ୍ଲା) ପ୍ରଶାସନ ନିକଟରେ ଗୁହାରି ହେଲି। କିଛି କାମ ଦେଲା ନାହିଁ। ଭୂମିହୀନକୁ ଜମି ଦେଇଥିବା ସରକାର ଦାବି କରିଥାନ୍ତି। କିନ୍ତୁ ଏହା କେବଳ କାଗଜପତ୍ରରେ ମିଳିଛି, ବାସ୍ତବ କ୍ଷେତ୍ରରେ ନୁହେଁ। ଜମି ପୂର୍ବରୁ ଯେମିତି ଥିଲା ସେମିତି ଅଛି।’’

୨୦୧୧ ଜନଗଣନା ସମୟରେ, ଭାରତରେ ୧୪୪ ନିୟୁତରୁ ଅଧିକ ଭୂମିହୀନ ଶ୍ରମିକ ଥିଲେ। ୨୦୦୧ରେ ହୋଇଥିବା ପୂର୍ବ ଜନଗଣନା ସମୟରେ ଏହି ସଂଖ୍ୟା ୧୦୭ ନିୟୁତ ଥିବା ବେଳେ ଏଥିରେ ୩୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା। କେବଳ ଗୁଜରାଟରେ ସେହି ସମାନ ଅବଧିରେ ଭୂମିହୀନ ଶ୍ରମିକଙ୍କ ସଂଖ୍ୟା ୧.୭ ନିୟୁତ ବା ପାଖାପାଖି ୩୨.୫ ପ୍ରତିଶତ ବୃଦ୍ଧି ପାଇଥିଲା (୫.୬ ନିୟୁତରୁ ୬.୮୪ ନିୟୁତକୁ ବୃଦ୍ଧି ପାଇଥିଲା)।

ଦାରିଦ୍ର୍ୟର ଏକ ସୂଚକାଙ୍କ ଭାବେ, ଭୂମିହୀନତା ଦୃଢ଼ ଭାବେ ଜାତି ସହିତ ଯୋଡ଼ି ହୋଇ ରହିଛି। ଗୁଜରାଟରେ ମୋଟ୍‌ ଜନସଂଖ୍ୟାର ୬.୭୪ ପ୍ରତିଶତ ଲୋକ ଅନୁସୂଚିତ ଜାତି ସମ୍ପ୍ରଦାୟର (୨୦୧୧ ଜନଗଣନା) ହୋଇଥିବା ବେଳେ ସେମାନେ ଜମି ମାଲିକ କିମ୍ବା ଅନ୍ୟ ଭାବେ ରାଜ୍ୟର ମୋଟ୍‌ କୃଷି କ୍ଷେତ୍ରଫଳର ୨.୮୯ ପ୍ରତିଶତ ଜମିରେ ଚାଷ କରିଥାନ୍ତି। ଅନ୍ୟପଟେ ରାଜ୍ୟର ୧୪.୮ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜନଜାତି ବର୍ଗର ହୋଇଥିବା ବେଳେ ସେମାନେ ୯.୬ ପ୍ରତିଶତ ଚାଷ ଜମିରେ କାର୍ଯ୍ୟ କରିଥାନ୍ତି।

୨୦୧୨ରେ ଦଳିତ ଅଧିକାର କର୍ମୀ ଜିଗ୍ନେଶ ମେୱାନୀ ଗୁଜରାଟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଦାୟର କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଜମି ସଂସ୍କାର ନୀତି କାର୍ଯ୍ୟକାରୀ କରାଯାଇନଥିବା ଏଥିରେ ସେ ଅଭିଯୋଗ ଆଣିଥିଲେ। ସର୍ବାଧିକ ସୀମା ନିର୍ଦ୍ଧାରଣ ବା ସିଲିଂ ଆଇନ ଅଧୀନରେ ଅଧିଗ୍ରହଣ କରାଯାଇଥିବା ସାନ୍ଥାନୀ ଜମି ବାସ୍ତବ ହିତାଧିକାରୀ – ଭୂମିହୀନ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଲୋକମାନଙ୍କୁ ଆବଣ୍ଟନ କରାଯାଇନଥିଲା।

Balabhai on the terrace of his house. ‘I look at my land from a distance and imagine what my life would have been...’
PHOTO • Parth M.N.

ନିଜ ଘର ଛାତ ଉପରେ ବାଲାଭାଇ। ‘ମୁଁ ଦୂରରୁ ଥାଇ ନିଜ ଜମିକୁ ଦେଖିଥାଏ ଏବଂ ମୋ ଜୀବନ କିପରି ହୋଇଥାନ୍ତା ବୋଲି ଭାବେ…'

ଅଦାଲତରେ ମାମଲା ଚାଲିଥିବା ସମୟରେ ‘ଜମିର ସର୍ବାଧିକ ସୀମା ନିର୍ଦ୍ଧାରଣ ବା ସିଲିଂ ଆଇନର କାର୍ଯ୍ୟକାରିତା ଉପରେ କେନ୍ଦ୍ର ସରକାରଙ୍କ ତ୍ରୈମାସିକ ପ୍ରଗତି ରିପୋର୍ଟ (ସଞ୍ଚୟୀ)’ର ଉଦାହରଣ ଦିଆଯାଇଥିଲା। ଏଥିରେ କୁହାଯାଇଥିଲା ଯେ ସେପ୍ଟେମ୍ବର ୨୦୧୧ ପର୍ଯ୍ୟନ୍ତ ଗୁଜରାଟରେ ୩୭,୩୫୩ ଜଣ ହିତାଧିକାରୀଙ୍କୁ ୧୬୩,୬୭୬ ଏକର ଜମି ଆବଣ୍ଟନ କରାଯାଇଛି ଏବଂ ମାତ୍ର ୧୫,୫୧୯ ଏକର ଜମି ଆବଣ୍ଟନ ବାକି ରହିଯାଇଛି।

ତେବେ ମେୱାନୀ ଦାଖଲ କରିଥିବା ପିଆଇଏଲର ଶୁଣାଣି ଏବେ ସୁଦ୍ଧା ଗୁଜରାଟ ହାଇକୋର୍ଟରେ ଜାରି ରହିଛି। ଏ ମାମଲାରେ ଆବଣ୍ଟିତ ଜମିରୁ ବେଦଖଲ କରାଯାଇଥିବା ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଉତ୍ତର ଏବଂ ସରକାରୀ ରେକର୍ଡକୁ ଆଧାର କରି ସେ କହିଛନ୍ତି ଯେ, ଲୋକମାନଙ୍କୁ ଆବଣ୍ଟିତ ହୋଇଥିବା ବଳକା ଜମି ଓ ପତିତ ଜମିକୁ ସେମାନେ ଏବେ ସୁଦ୍ଧା ଦଖଲକୁ ନେଇ ପାରିନାହାନ୍ତି।

ବାଲାଭାଇ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଅପେକ୍ଷା କରି ରହିଛନ୍ତି। ‘‘ଆରମ୍ଭରୁ ମୁଁ ଦଖଲ କରିବା ପାଇଁ ଲଢ଼େଇ କରିଥିଲି,’’ ସେ କୁହନ୍ତି। ‘‘ସେତେବେଳେ ମୁଁ ୩୦ ବର୍ଷର ଯୁବକ ଥିଲି। ମୋ ପାଖରେ ଯଥେଷ୍ଟ ଉତ୍ସାହ ଓ ଶକ୍ତି ଥିଲା। କିନ୍ତୁ ମୋ ପିଲାମାନେ ବଡ଼ ହେବା ପରେ ମୁଁ ବ୍ୟସ୍ତ ହୋଇଗଲି। ମୋତେ ସେମାନଙ୍କ କଥା ବୁଝିବାକୁ ପଡ଼ିଲା। ତା’ଛଡ଼ା ସେମାନଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ ଥିଲି। ମୁଁ ଏମିତି କିଛି କରିବାକୁ ଚାହିଁନଥିଲି ଯାହା ସେମାନଙ୍କ ଜୀବନକୁ ବିପଦରେ ପକାଇବ।’’

‘‘ମେୱାନୀଙ୍କ ୧,୭୦୦ ପୃଷ୍ଠା ବିଶିଷ୍ଟ ଲମ୍ବା ପିଟିସନରେ, ସାରା ଗୁଜରାଟର ଉଦାହରଣ ରହିଛି, କେବଳ ବାଲାଭାଇଙ୍କ ମାମଲାରେ ଏଭଳି ଅସଙ୍ଗତି ଘଟିନାହିଁ, ଏମିତି ଆହୁରି ଅନେକ ମାମଲା ରହିଛି।

‘‘କେତେକ ମାମଲାରେ, ହିତାଧିକାରୀମାନେ ଜମି ଦଖଲ କରିଛନ୍ତି କିନ୍ତୁ ସାମାଜିକ କର୍ମୀମାନଙ୍କ ବାରମ୍ବାର ହସ୍ତକ୍ଷେପ ପରେ ଏଭଳି ସମ୍ଭବ ହୋଇପାରିଛି,’’ ମେୱାନୀ କୁହନ୍ତି। ବର୍ତ୍ତମାନ ସେ ଗୁଜରାଟ ୱଡ଼ଗାମ ନିର୍ବାଚନ ମଣ୍ଡଳୀରୁ ଗୁଜରାଟ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ତାଙ୍କ ପିଟିସନରେ ଉତ୍ତର ରଖିବା ସମୟରେ ବିଫଳତାକୁ ସ୍ୱୀକାର କରିଛନ୍ତି।

ଉଦାହରଣ ସ୍ୱରୂପ, ଜୁଲାଇ ୧୮, ୨୦୧୧ରେ ଜାରି ଏକ ପତ୍ରରେ ଅହମ୍ମଦାବାଦର ଜିଲ୍ଲା ଭୂ ରେକର୍ଡ ନିରୀକ୍ଷକ (ଡିଆଇଏଲଆର) କହିଥିଲେ ଯେ, ରାଜସ୍ୱ ପ୍ରଶାସନ ଅଧିକାରୀମାନଙ୍କର ନିଷ୍କ୍ରିୟତା କାରଣରୁ ଅହମ୍ମଦାବାଦ ଜିଲ୍ଲାର କେତେକ ଗ୍ରାମରେ ଜମି ମାପଚୁପ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଏହାର କିଛି ବର୍ଷ ପରେ, ନଭେମ୍ବର ୧୧, ୨୦୧୫ରେ, ଭାବନଗର ଜିଲ୍ଲାର ଡିଆଇଏଲଆର ମଧ୍ୟ ଏହା ସ୍ୱୀକାର କରିଥିଲେ ଯେ, ୧୯୭୧ରୁ ୨୦୧୧ ମସିହା ପର୍ଯ୍ୟନ୍ତ ଆବଣ୍ଟିତ ହୋଇଥିବା ଜମି ପାଇଁ ୫୦ଟି ଗ୍ରାମରେ ସୀମା ନିର୍ଦ୍ଧାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିଲା।

Chhaganbhai Pitambar standing on the land allotted to him in the middle of Chandrabhaga river in Surendranagar district
PHOTO • Parth M.N.

ସୁରେନ୍ଦ୍ରନଗର ଜିଲ୍ଲାର ଚନ୍ଦ୍ରଭାଗା ନଦୀ ମଝିରେ ତାଙ୍କୁ ଆବଣ୍ଟିତ ହୋଇଥିବା ଜମି ଉପରେ ଛିଡ଼ା ହୋଇଛନ୍ତି ଛଗନଭାଇ ପିତାମ୍ବର

ଡିସେମ୍ବର ୧୭, ୨୦୧୫ରେ ଗୁଜରାଟ ଉଚ୍ଚ ନ୍ୟାୟାଳୟରେ ଦାଖଲ ଏକ ସତ୍ୟପାଠରେ ରାଜ୍ୟ ରାଜସ୍ୱ ବିଭାଗର ଅନୁସଚିବ ହରୀଶ ପ୍ରଜାପତି କହିଥିଲେ ଯେ, ଆବଣ୍ଟିତ ହୋଇନଥିବା ୧୫,୫୧୯ ଏକର ଜମି ବିବାଦରେ ଫସିଛି ଏବଂ ଏହା ଉପରେ ୨୧୦ଟି ମାମଲା ପଡ଼ି ରହିଛି।

ପ୍ରଜାପତି ଆହୁରି ମଧ୍ୟ କହିଥିଲେ ଯେ, ଚାଷ ଜମି ସର୍ବାଧିକ ସୀମା ନିର୍ଦ୍ଧାରଣ ଆଇନକୁ କାର୍ଯ୍ୟକାରୀ କରିବା ଏକ ବିଶେଷ ବ୍ୟବସ୍ଥା ପାଇଁ ପ୍ରସ୍ତାବ ରହିଛି। ଏହା ଅଧୀନରେ ଚାରି ଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ଏବଂ ରାଜ୍ୟରେ ଏକ ଜୋନାଲ ଡିଭିଜନ ପ୍ରତିଷ୍ଠା କରାଯିବ। ‘‘ପ୍ରତ୍ୟେକ ଜମିର ଭୌତିକ ନିରୀକ୍ଷଣ ପାଇଁ ଅଭିଯାନ ଆରମ୍ଭ ହେବ ଏବଂ ଜମି ଦଖଲ ହୋଇଛି କି ନାହିଁ ଅନୁଧ୍ୟାନ କରାଯିବ। ହଜାର ହଜାର ଏକର ଜମିକୁ ଭୌତିକ ଭାବେ ନିରୀକ୍ଷଣ ଏକ ସମୟସାପେକ୍ଷ କାର୍ଯ୍ୟ,’’ ସତ୍ୟପାଠରେ କୁହାଯାଇଥିଲା। କିନ୍ତୁ ପତିତ ଜମିର ଆବଣ୍ଟନ ଜିଲ୍ଲାପାଳଙ୍କ କ୍ଷମତା ଅଧୀନରେ ଆସୁଛି, ଏଥିରେ କୁହାଯାଇଥିଲା।

ଗୁଜରାଟ ଉଚ୍ଚ ନ୍ୟାୟାଳୟରେ ମେୱାନୀଙ୍କ ପାଇଁ ଲଢ଼ୁଥିବା ଜଣାଶୁଣା ଓକିଲ ଆନନ୍ଦ ୟାଗ୍ନିକ କୁହନ୍ତି ସାତ ବର୍ଷ ପରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। ‘‘ଉଚ୍ଚ ଜାତିର ଲୋକମାନଙ୍କଠାରୁ ଦଖଲ ନଆଣି ରାଜ୍ୟ ସରକାର ଆବଣ୍ଟନ ନ୍ୟାୟ ଆଧାରରେ କେବଳ କାଗଜପତ୍ରରେ ଜମି ଯୋଗାଇ ଦେଉଛନ୍ତି,’’ ସେ କୁହନ୍ତି। ‘‘ଯଦି ଅନୁସୂଚିତ ଜାତିର ହିତାଧିକାରୀ ଜମି ଦଖଲ ପାଇଁ ଚେଷ୍ଟା କରନ୍ତି, ସେମାନଙ୍କୁ ମାଡ଼ ମରାଯାଏ। ସ୍ଥାନୀୟ ପ୍ରଶାସନ କେବେ ବି ସହାୟତା କରିନଥାଏ। ତେଣୁ ଆବଣ୍ଟନ ନ୍ୟାୟ କେବଳ କାଗଜପତ୍ରରେ ରହିଯାଏ ଏବଂ ସ୍ୱାଧୀନ ଭାରତରେ ସଭ୍ୟତାଗତ ତ୍ରୁଟି ଜାରି ରହିଥାଏ।’’

ଗୁଜରାଟରେ ଜମି ଆବଣ୍ଟନର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଜାଣିବା ଲାଗି ଏହି ରିପୋର୍ଟର ରାଜସ୍ୱ ବିଭାଗରେ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା କମଲ ଦୟାନୀ ଏବଂ ଭୂ ସଂସ୍କାର ଆୟୁକ୍ତ ସ୍ୱରୂପ ପି.ଙ୍କୁ ପତ୍ର ଲେଖିଥିଲେ। ସେମାନଙ୍କ ଉତ୍ତର ମିଳିଲେ ଏ ଷ୍ଟୋରୀରେ ପରିବର୍ତ୍ତନ କରାଯିବ।

ଛଗନଭାଇ ପିତାମ୍ବର (୪୩)ଙ୍କ ଜମିକୁ ଅନ୍ୟ କେହି ଜବରଦଖଲ କରି ନେଇଥିଲା, ହେଲେ ଏ କ୍ଷେତ୍ରରେ, ପ୍ରଶାସନ ତାଙ୍କୁ କୌଣସି ପ୍ରକାର ସହାୟତା କରିପାରିନଥିଲା। ୧୯୯୯ ମସିହାରେ ଭରାଡ଼ରେ ତାଙ୍କୁ ଆବଣ୍ଟିତ କରାଯାଇଥିବା ଚାଷ ଜମି ଚନ୍ଦ୍ରଭାଗା ନଦୀ ମଝିରେ ରହିଛି। ‘‘ଅଧିକାଂଶ ସମୟରେ ଏହା ପାଣି ଭିତରେ ଥାଏ, ତେଣୁ ମୁଁ ଏଥିରେ ପ୍ରାୟ କିଛି କରିପାରିନଥାଏ,’’ ସେ କୁହନ୍ତି। ଆମକୁ ସେ ତାଙ୍କ ଜମି ଦେଖାଇ ଦେଇଥିଲେ।

ତାଙ୍କ ଜମିର ଅଧିକାଂଶ ଭାଗ ପଙ୍କ କାଦୁଅ ମିଶ୍ରିତ ପାଣିରେ ଭର୍ତ୍ତି ହୋଇ ରହିଥାଏ ଏବଂ ଅବଶିଷ୍ଟ ଭାଗ ଖସଡ଼ା ମାଟି। ‘‘୧୯୯୯ରେ ମୁଁ ଜମି ବଦଳାଇବା ପାଇଁ ଉପଜିଲ୍ଲାପାଳଙ୍କୁ ଲେଖିଥିଲି,’’ ସେ କୁହନ୍ତି। ‘‘୨୦୧୦ରେ ମାମଲତଦାର ( ତାଲୁକା ର ମୁଖ୍ୟ) ମୋତେ ଏହା କହି ମନା କରି ଦେଇଥିଲେ ଯେ, ଜମି ଆବଣ୍ଟନକୁ ୧୦ ବର୍ଷରୁ ଅଧିକ ହୋଇସାରିଲାଣି ଏବଂ ଏବେ କିଛି କରିହେବ ନାହିଁ। ୧୦ ବର୍ଷ ଧରି ପ୍ରଶାସନ କିଛି ନକରିବା କ’ଣ ମୋ ଭୁଲ?’’

Walking through the puddles Chhaganbhai explains that the land is under water almost all the time
PHOTO • Parth M.N.

ପଙ୍କ କାଦୁଅରେ ପଶି ଚାଲି ଚାଲି ଯାଉଥିବା ସମୟରେ ଛଗନଭାଇ କୁହନ୍ତି ଯେ ଅଧିକାଂଶ ସମୟରେ ଏହି ଜମି ପାଣି ଭିତରେ ବୁଡ଼ି ରହିଥାଏ

ଏହି ଅବହେଳାର ଗମ୍ଭୀର କୁପରିଣାମ ଛଗନଭାଇ ଓ ତାଙ୍କ ପରିବାର ଉପରେ ପଡ଼ିଛି। ତାଙ୍କ ପତ୍ନୀ କାଞ୍ଚନବେନ କୁହନ୍ତି ଯେ, ପରିବାର ଯେତେବେଳେ କେବଳ ଶ୍ରମ ମଜୁରି ଉପରେ ନିର୍ଭର କରିଥାଏ, ଅଭିବୃଦ୍ଧି ଓ ସୁରକ୍ଷା ପାଇଁ କୌଣସି ସୁଯୋଗ ନଥାଏ। ‘‘ଦିନରେ ରୋଜଗାର କଲେ ଆପଣଙ୍କୁ ରାତିରେ ଖାଦ୍ୟସାମଗ୍ରୀ କିଣିବାକୁ ହୁଏ,’’ ସେ କୁହନ୍ତି। ‘‘ଯଦି ଆପଣଙ୍କ ପାଖରେ ଜମି ଥାଆନ୍ତା ତା’ହେଲେ ସେଥିରୁ ଉତ୍ପାଦିତ ଫସଲ ଆପଣ ଖାଇ ପାରିଥା’ନ୍ତେ। ଶ୍ରମରୁ ହେଉଥିବା ରୋଜଗାର ଅନ୍ୟ ଖର୍ଚ୍ଚରେ ଲାଗିଥା’ନ୍ତା।’’

ପିଲାଙ୍କ ଶିକ୍ଷା ପାଇଁ ପରିବାର ଲୋକଙ୍କୁ ଘରୋଇ ସାହୁକାରଙ୍କ ଠାରୁ ଋଣ ଆଣିବାକୁ ପଡ଼ୁଛି। ‘‘ଦଶ ବର୍ଷ ପୂର୍ବରୁ ଆମେ ମାସିକ ୩ ପ୍ରତିଶତ ସୁଧରେ ୫୦,୦୦୦ ଟଙ୍କାର ଋଣ ଆଣିଥିଲୁ,’’ କାଞ୍ଚନବେନ (୪୦) କୁହନ୍ତି। ‘‘ଆମର ଚାରି ଜଣ ପିଲା ରହିଛନ୍ତି। ‘‘ସେତେବେଳେ ଦିନକୁ ୧୦୦-୧୫୦ ଟଙ୍କା ରୋଜଗାର ହେଉଥିଲା, ଆମ ପାଖରେ ଅଧିକ କିଛି ବିକଳ୍ପ ନଥିଲା। ଏବେ ବି ଆମକୁ ଋଣ ପାଇଁ ସୁଧ ଗଣିବାକୁ ପଡ଼ୁଛି।

ଜମି ଅଧିକାର ହରାଇବାର ପରିଣାମ ବହୁଗୁଣିତ ହୋଇଛି। ଏଥିପାଇଁ ଆବେଦନ କରିବା ଲାଗି ହେଉଥିବା ସମୟ ଓ ଶକ୍ତି ଖର୍ଚ୍ଚ ଏବଂ ତା’ପରେ ଜମି ଦଖଲ କରିନପାରିବା ଜନିତ ମାନସିକ ଚାପ, ଏତେ ବର୍ଷ ଧରି ହେଉଥିବା ଆର୍ଥିକ କ୍ଷତିକୁ ଅଧିକାଂଶ ସମୟରେ ଅଣଦେଖା କରାଯାଇଥାଏ।

ଧରାଯାଉ ଜଣେ ଚାଷୀ ଦୁଇଟି ଫସଲ ଋତୁରେ ଏକର ପିଛା ଅତିକମ୍‌ରେ ୨୫,୦୦୦ ଟଙ୍କା ରୋଜଗାର କରିଥାନ୍ତି। ମେୱାନୀଙ୍କ ପିଆଇଏଲରେ ଦର୍ଶାଯାଇଛି ଯେ ୫-୭ ବର୍ଷ ମଧ୍ୟରେ ଏକର ପିଛା ୧୭୫,୦୦୦ ଟଙ୍କାର କ୍ଷତି ହୋଇଛି।

ବାଲାଭାଇଙ୍କର ପାଞ୍ଚ ଏକର ଜମି ରହିଛି ଏବଂ ତାଙ୍କୁ ୨୫ ବର୍ଷ ଧରି ଏଥିରେ ଚାଷ କରିବା ଲାଗି ଅନୁମତି ମିଳୁ ନାହିଁ। ମୁଦ୍ରାସ୍ଫିତୀକୁ ହିସାବ କରିବା ପରେ, ସେ ହରାଇଥିବା ରୋଜଗାର ଲକ୍ଷାଧିକ ଟଙ୍କା ହେବ। ବାଲାଭାଇଙ୍କ ଭଳି ରାଜ୍ୟରେ ହଜାର ହଜାର ଚାଷୀ ରହିଛନ୍ତି।

‘‘ଆଜି ବଜାରରେ ସେ ଜମିର ମୂଲ୍ୟ କେବଳ ୨୫ ଲକ୍ଷ ଟଙ୍କା ହୋଇଥାନ୍ତା,’’ ସେ କୁହନ୍ତି। ‘‘ମୁଁ ରାଜାଙ୍କ ଭଳି ଚଳିଥାନ୍ତି। ମୁଁ ମୋ ନିଜ ପାଇଁ ଏକ ମୋଟର ସାଇକେଲ କିଣିପାରିଥାନ୍ତି।’’

ଜମି ଦଖଲ କେବଳ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିନଥାଏ ବରଂ ଗ୍ରାମରେ ସମ୍ମାନ ଓ ପ୍ରତିଷ୍ଠା ଆଣିଥାଏ। ‘‘ଉଚ୍ଚଜାତିର ଲୋକଙ୍କ ଜମିରେ ଶ୍ରମିକ ଭାବେ କାମ କଲେ ସେମାନେ ଆପଣଙ୍କ ସହିତ କଟୁ ବ୍ୟବହାର କରିବେ,’’ ୭୫ ବର୍ଷ ବୟସ୍କ ତ୍ରିଭୁବନ ୱାଘେଲା କୁହନ୍ତି। ତାଙ୍କ ଘର ସୁରେନ୍ଦ୍ରନଗର ଜିଲ୍ଲା ଧ୍ରାଙ୍ଗାଧ୍ର ତାଲୁକା ଅନ୍ତର୍ଗତ ରାମଦେବପୁର ଗ୍ରାମରେ। ‘‘ସେମାନେ ଶୋଷଣ କରିବେ କାରଣ ଆପଣ ସେମାନଙ୍କ ଦୟାରେ ଅଛନ୍ତି। ନିଯୁକ୍ତି ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିଥାନ୍ତି ତେଣୁ ଆପଣ ଏଥିପାଇଁ କିଛି କରିପାରିବେ ନାହିଁ।’’

Tribhuvan Vaghela says it took 26 years of struggle for him to get possession of his land.
PHOTO • Parth M.N.
Vaghela's daugher-in-law Nanuben and son Dinesh at their home in Ramdevpur village
PHOTO • Parth M.N.

ବାମ : ତ୍ରିଭୁବନ ୱାଘେଲା କୁହନ୍ତି, ନିଜ ଜମି ଦଖଲ କରିବା ପାଇଁ ତାଙ୍କୁ ୨୬ ବର୍ଷ ଧରି ସଂଘର୍ଷ କରିବାକୁ ପଡ଼ିଲା। ଡାହାଣ : ୱାଘେଲାଙ୍କ ବୋହୂ ନାନୁବେନ ଓ ପୁଅ ଦୀନେଶ ରାମଦେବପୁର ଗ୍ରାମରେ ଥିବା ସେମାନଙ୍କ ଘରେ ଛିଡ଼ା ହୋଇଛନ୍ତି

ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ବୁନକର (ବୁଣାକାର) ସମୁଦାୟର ନିବାସୀ ୱାଘେଲାଙ୍କୁ ୧୯୮୪ ମସିହାରେ ରାମଦେବପୁରରେ ୧୦ ଏକର ଜମି ମିଳିଥିଲା। କିନ୍ତୁ ୨୦୧୦ରେ ଯାଇ ସେ ନିଜ ଜମିକୁ ଦଖଲ କରିପାରିଥିଲେ। ‘‘ସମାଜ ଜାତିଗତ ଭେଦଭାବ ପ୍ରତି ଆଖି ବୁଜି ଦେଇଥିବା କାରଣରୁ ଏତେ ଦିନ ସମୟ ଲାଗିଲା,’’ ସେ କୁହନ୍ତି। ‘‘ମୁଁ ନବସର୍ଜନ ଟ୍ରଷ୍ଟ ସହିତ ଯୋଗାଯୋଗ କଲି। ସେମାନଙ୍କର କର୍ମୀମାନେ ଆନ୍ଦୋଳନ କଲେ ଓ ପ୍ରଶାସନ ଉପରେ (କାର୍ଯ୍ୟାନୁଷ୍ଠାନ ଲାଗି) ଚାପ ପକାଇଲେ। ଆମକୁ ସାହସର ସହିତ ଛିଡ଼ା ହେବାର ଥିଲା। ସେତେବେଳେ ଠାକୁର (ରାଜପୁତ)ଙ୍କ ଜାତି ସହ ମୁକାବିଲା କରିବା ସହଜ କଥା ନଥିଲା।’’

ସୌରାଷ୍ଟ୍ରରେ ଜମି ସଂସ୍କାର କିଭଳି ଭାଗ ଚାଷୀଙ୍କୁ ଲାଭବାନ କରିଥିଲା ସେ ସମ୍ପର୍କରେ ଗୁଜରାଟର ଜଣାଶୁଣା ଦଳିତ ଅଧିକାର କର୍ମୀ ଏବଂ ନବସର୍ଜନ ଟ୍ରଷ୍ଟର ପ୍ରତିଷ୍ଠାତା ମାର୍ଟିନ ମାକୱାନ ବିସ୍ତୃତ ଭାବେ କହିଥାନ୍ତି। ଏହି ଅଞ୍ଚଳରେ ମୁଖ୍ୟତଃ ପଟେଲ (ପାଟିଦାର)ଜାତିର ଲୋକମାନେ ରହିଥାନ୍ତି ଏବଂ ସୁରେନ୍ଦ୍ର ନଗର ଜିଲ୍ଲା ଏହି କ୍ଷେତ୍ର ଅଧୀନରେ ଆସିଥାଏ। ‘‘୧୯୬୦ ମସିହାରେ ଗୁଜରାଟ ଏକ ପୃଥକ ରାଜ୍ୟ ହେବା ପୂର୍ବରୁ (ଏବଂ ତତକାଳୀନ ସୌରାଷ୍ଟ୍ର ରାଜ୍ୟ ଏଥିରେ ମିଶ୍ରଣ ହୋଇଥିଲା) ସୌରାଷ୍ଟ୍ର (ରାଜ୍ୟ)ର ପ୍ରଥମ ମୁଖ୍ୟମନ୍ତ୍ରୀ ଉଚ୍ଛରାଙ୍ଗରାୟ ଧେବାର ତିନୋଟି ଆଇନ ଆଣିଥିଲେ ଏବଂ ୩୦ ଲକ୍ଷ (୩ ନିୟୁତ) ଏକର ଜମି ପଟେଲମାନଙ୍କୁ ବାଣ୍ଟି ଦେଇଥିଲେ,’’ ସେ କୁହନ୍ତି। ‘‘ଏହି ସମୁଦାୟ ସେମାନଙ୍କ ଜମିକୁ ସୁରକ୍ଷିତ ରଖିଲେ ଏବଂ ଗୁଜରାଟର ସବୁଠୁ ପ୍ରମୁଖ ସମୁଦାୟ ଭାବେ ଏମାନେ ପ୍ରତିଷ୍ଠିତ ହେଲେ।’’

ୱାଘେଲା କୃଷି ଶ୍ରମିକ ଭାବେ କାମ କରିବା ସହିତ ନିଜ ଜମି ଅଧିକାର ପାଇଁ ସଂଘର୍ଷ ଜାରି ରଖିଥିଲେ। ‘‘ସଂଘର୍ଷର ମୂଲ୍ୟ ମିଳିଲା,’’ ସେ କୁହନ୍ତି। ‘‘ମୋତେ ଯାହା କରିବାକୁ ପଡ଼ିଲା ମୋ ପୁଅ ଓ ତାଙ୍କ ପିଲାଙ୍କୁ ସେମିତି କରିବାକୁ ନପଡ଼ୁ ବୋଲି ଭାବି ମୁଁ ଲଢ଼େଇ ଜାରି ରଖିଲି। ଆଜିର ଦିନରେ ମୋ ପାଖରେ ଥିବା ଜମିର ବଜାର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ସେମାନେ ଗାଁରେ ସମ୍ମାନର ସହିତ ମୁଣ୍ଡ ଟେକି ବାଟ ଚାଲିପାରିବେ।’’

ୱାଘେଲାଙ୍କ ବୋହୂ ନାନୁବେନ (୩୧) କୁହନ୍ତି, ପରିବାରର ମନୋବଳ ଏବେ ଅଧିକ ଦୃଢ଼ ହୋଇଛି। ‘‘ଆମେ ନିଜ ଚାଷ ଜମିରେ କଠିନ ପରିଶ୍ରମ କରୁଛୁ ଏବଂ ବାର୍ଷିକ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛୁ,’’ ସେ କୁହନ୍ତି। ‘‘ମୁଁ ଜାଣିଛି, ଏତିକି ଯଥେଷ୍ଟ ନୁହେଁ। କିନ୍ତୁ ଆମେ ଏବେ ନିଜ ମାଲିକ ହୋଇପାରିଛୁ। ଆମକୁ କାମ ଓ ଟଙ୍କା ପାଇଁ ଅନ୍ୟ କାହା ପାଖରେ ହାତ ପତେଇବାକୁ ପଡ଼ୁନାହିଁ। ମୋ ପିଲାଙ୍କ ବାହାଘରରେ କୌଣସି ସମସ୍ୟା ହେବ ନାହିଁ। ଭୂମିହୀନଙ୍କ ପରିବାରରେ କେହି ସେମାନଙ୍କ ପିଲାଙ୍କୁ ବାହା ଦେବା ଲାଗି ରାଜି ହୁଅନ୍ତି ନାହିଁ।’’

ଆଜକୁ ୧୦ ବର୍ଷ ହେବ ୱାଘେଲାଙ୍କ ପରିବାର ଯେଉଁ ସ୍ୱାଧୀନତାର ଅନୁଭବ କରୁଛନ୍ତି ବାଲାଭାଇ ସେମିତି ଏକ ଜୀବନ ଚାହୁଁଛନ୍ତି। ‘‘ମୋ ଜମି ଅଧିକାରକୁ ଅପେକ୍ଷା କରି ମୁଁ ମୋ ସାରା ଜୀବନ ହରାଇ ଦେଲି,’’ ଆଉ ଥରେ ଜମି କାଗଜପତ୍ରକୁ ଠିକ ଭାବେ ଭାଙ୍ଗି ରଖିବା ସମୟରେ ସେ କହୁଛନ୍ତି। ‘’୬୦ ବର୍ଷ ବୟସରେ ମୋ ପିଲାମାନେ ମଧ୍ୟ ଶ୍ରମିକ ଭାବେ କାମ କରନ୍ତୁ ବୋଲି ମୁଁ ଚାହୁଁନାହିଁ। ସେମାନେ ସମ୍ମାନ ଓ ପ୍ରତିଷ୍ଠାର ସହ ରୁହନ୍ତୁ ବୋଲି ମୁଁ ଚାହୁଁଛି।’’

ବାଲଭାଇଙ୍କ ମନରେ ଏବେ ବି ଆଶା ଅଛି, ଦିନେ ସେ ନିଜ ଜମି ଦଖଲକୁ ନେଇପାରିବେ। ସେ ଏବେ ବି ଏହି ଜମିରେ କପା, ଯଅ ଏବଂ ବାଜରା ଚାଷ କରିବାକୁ ଚାହୁଁଛନ୍ତି। ନିଜ ଜମିରେ ଛୋଟିଆ ଘରଟିଏ ତୋଳିବା ପାଇଁ ଏବେ ମଧ୍ୟ ଯୋଜନା କରୁଛନ୍ତି। ଜମି ମାଲିକ ହେବା କିଭଳି ଅନୁଭବ ଦେଇଥାଏ ସେ ଜାଣିବାକୁ ଚାହୁଁଛନ୍ତି। ୨୫ବର୍ଷ ଧରି ସେ କାଗଜପତ୍ରକୁ ସୁରକ୍ଷିତ ରଖିଛନ୍ତି, ଦିନେ ଏହାର ମୂଲ୍ୟ ତାଙ୍କୁ ମିଳିବ ବୋଲି ବାଲାଭାଇଙ୍କ ମନରେ ଆଶା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆଜି ବି ସେ ଆଶା ଛାଡ଼ିନାହାନ୍ତି। ‘‘ଏହି ଆଶା ହିଁ ମୋତେ ଜୀବିତ ରଖିଛି।’’

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Editor : Vinutha Mallya

Vinutha Mallya is a journalist and editor. She was formerly Editorial Chief at People's Archive of Rural India.

Other stories by Vinutha Mallya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE