ବଂଶୀର ତାନ ଶୁଣି ରାସ୍ତାକଡ଼ ଢାବାରେ ବସିଥିବା ଚାଷୀମାନଙ୍କର ଏକ ଦଳର ଧ୍ୟାନ ଭଗ୍ନ ହେଲା। ଚନ୍ଦୱାଡ ସହର-ନାସିକ ଠାରୁ ପାଖାପାଖି ୬୫ କିଲୋମିଟର ଦୂର-ରେ ଡିସେମ୍ବର ୨୨ ତାରିଖରେ ଶୀତୁଆ ସକାଳ ଥିଲା ଏବଂ ସେମାନେ ଚା’ ପିଇବା ପାଇଁ ଅପେକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ଅର୍ଦ୍ଧନିଦ୍ରାରେ ଥିଲେ ଏବଂ ଆଉ କିଛି ଜଳଖିଆ ଖାଇବା ପାଇଁ ମିସଲ ପାଓ ପ୍ରସ୍ତୁତ କରୁଥିଲେ। କିନ୍ତୁ କୋହ୍ଲାପୁର ଜିଲ୍ଲା ଜମ୍ଭାଲି ଗ୍ରାମର ୭୩ ବର୍ଷ ବୟସ୍କ ଚାଷୀ ନାରାୟଣ ଗାଇକୱାଡ ବଂଶୀ ବଜାଉଥିଲେ। ଘରଠାରୁ ୫୦୦ କିଲୋମିଟର ଦୂରରେ ଥିଲେ ମଧ୍ୟ ସେ ପ୍ରତିଦିନ ସକାଳେ କରୁଥିବା କାମ ଜାରି ରଖିଥିଲେ। “ଲୋକମାନେ କହୁଛନ୍ତି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ କେବଳ ପଞ୍ଜାବ ଓ ହରିୟାଣା ମଧ୍ୟରେ ସୀମିତ”, ସେ କହିଥିଲେ। “କିନ୍ତୁ ଆମେ ଦର୍ଶାଇବାକୁ ଚାହୁଁଛୁ ଯେ ଏହା ଏକ ଜାତୀୟ ପ୍ରସଙ୍ଗ”।

ଡିସେମ୍ବର ୨୧ ତାରିଖରେ ନାସିକରୁ ପାଖାପାଖି ୨୦୦୦ ଚାଷୀ, କୃଷି ଶ୍ରମିକ ଓ କର୍ମୀମାନଙ୍କ ଏକ ଦଳକୁ ନେଇ କେତେଗୁଡ଼ିଏ ଗାଡ଼ି ବାହାରିଥିଲା। ଏମାନଙ୍କ ସହିତ ଗାଇକୱାଡ ସାମିଲ ହୋଇଥିଲେ। କିନ୍ତୁ ଗାଇକୱାଡଙ୍କ ଯାତ୍ରା ଏହାର ଗୋଟିଏ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। “ଆମ ଭିତରୁ ୭ ଜଣ ଏକ ଟେମ୍ପୋରେ ବସି ୨୦ ତାରିଖ ରାତିରେ ଆସି ନାସିକରେ ପହଞ୍ଚିଲୁ। ସେଠାରେ ପହଞ୍ଚିବା ପାଇଁ ଆମକୁ ପାଖାପାଖି ୧୩ ଘଣ୍ଟା ଲାଗିଥିଲା”, ସେ କହିଥିଲେ। “ବୟସ ବଢ଼ିବା ସହିତ ଗାଡ଼ିରେ ଯାତ୍ରା କରିବା ଅଧିକ କଷ୍ଟକର ହୋଇପଡ଼ୁଛି। କିନ୍ତୁ ଭଗତ ସିଂଙ୍କ ଭାରତୀୟ ବିଚାରରେ ମୁଁ ବିଶ୍ୱାସ କରୁଥିବାରୁ ଆସିବାକୁ ନିଷ୍ପତ୍ତି ନେଲି। ଆନ୍ଦୋଳନ ନହେବା ପର୍ଯ୍ୟନ୍ତ ଚାଷୀମାନଙ୍କର ସମସ୍ୟାର ଅନ୍ତ ଘଟିବ ନାହିଁ।”

ମୁଖ୍ୟତଃ ପଞ୍ଜାବ ଓ ହରିୟାଣାରୁ ଆସିଥିବା ଲକ୍ଷାଧିକ ଚାଷୀ ପୋଲିସର ଲୁହବୁହା ଗ୍ୟାସ, ଲାଠିମାଡ଼, ଶୀତ ଓ ବର୍ଷାକୁ ଖାତିର୍ ନକରି ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କର ତିନୋଟି କୃଷି ଆଇନକୁ ବିରୋଧ କରିଆସୁଛନ୍ତି। ଏହିସବୁ ଆଇନ ଜୁନ ୫, ୨୦୨୦ରେ ପ୍ରଥମେ ଅଧ୍ୟାଦେଶ ରୂପରେ ଆସିଥିଲା। ଏହାପରେ ଏଗୁଡ଼ିକୁ ସେପ୍ଟେମ୍ବର ୧୪ ତାରିଖରେ ସଂସଦରେ ଆଗତ କରାଯାଇଥିଲା ଏବଂ ସେହି ମାସ ୨୦ ତାରିଖରେ ଅତ୍ୟନ୍ତ ତରବରିଆ ଭାବେ ଆଇନରେ ପରିଣତ କରି ଦିଆଯାଇଥିଲା।

ଏହି ଆଇନଗୁଡ଼ିକ ହେଉଛି : କୃଷକମାନଙ୍କ ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ପ୍ରୋତ୍ସାହନ ଏବଂ ସୁବିଧା) ଆଇନ, ୨୦୨୦ ; ମୂଲ୍ୟ ସୁନିଶ୍ଚିତତା ଏବଂ କୃଷି ସେବା ଉପରେ କୃଷକମାନଙ୍କ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତି ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । ଭାରତୀୟ ସମ୍ବିଧାନର ଧାରା ୩୨କୁ ଅଣଦେଖା କରି ପ୍ରତ୍ୟେକ ନାଗରିକମାନଙ୍କ ଆଇନଗତ ପନ୍ଥା ଆପଣାଇବା ଲାଗି ରହିଥିବା ଅଧିକାର ଉଲ୍ଲଙ୍ଘନ କରୁଥିବା କାରଣରୁ ଏହି ଆଇନଗୁଡ଼ିକୁ ସମାଲୋଚନା କରାଯାଉଛି।

Left: Narayan Gaikwad came from Kolhapur to join the march. Right: Kalebai More joined the jatha in Umarane
PHOTO • Shraddha Agarwal
Left: Narayan Gaikwad came from Kolhapur to join the march. Right: Kalebai More joined the jatha in Umarane
PHOTO • Parth M.N.

ବାମ :  ନାରାୟଣ ଗାଇକୱାଡ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିବା ଲାଗି କୋହ୍ଲାପୁରରୁ ଆସିଛନ୍ତି

ଡାହାଣ : କାଲେବାଇ ମୋରେ ଏହି ଗାଡ଼ି ଶୋଭାଯାତ୍ରାରେ ଉମରାନେଠାରେ ଯୋଗ ଦେଇଥିଲେ

ନିଜର ସମର୍ଥନ ବ୍ୟକ୍ତ କରିବା ଲାଗି ମହାରାଷ୍ଟ୍ରର ୨୦ଟି ଜିଲ୍ଲାରୁ କୃଷକମାନେ ସେମାନଙ୍କର ଉତ୍ତରାଞ୍ଚଳ ପ୍ରତିପକ୍ଷଙ୍କ ସହିତ ଆନ୍ଦୋଳନରେ ଅଂଶଗ୍ରହଣ କରିବା ନିମନ୍ତେ ଅଲ ଇଣ୍ଡିଆ କିଷାନ ସଭା (ଏଆଇକେଏସ) ଅନ୍ତର୍ଗତ ଏକତ୍ରିତ ହୋଇଥିଲେ।

ଡିସେମ୍ବର ୨୧ ତାରିଖ ଅପରାହ୍ଣରେ-ଯେତେବେଳେ ଏଆଇକେଏସ ନେତାମାନେ ନାସିକର ଗଲ୍ଫ କ୍ଲବ ଗ୍ରାଉଣ୍ଡରେ ଏକତ୍ରିତ ଚାଷୀମାନଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଉଥିଲେ-ପାଖାପାଖି ୫୦ଟି ଟ୍ରକ, ଟେମ୍ପୋ ଏବଂ ଚାରିଚକିଆକୁ ନେଇ ଗାଡ଼ିଗୁଡ଼ିକର ଏକ ଦଳ ଏକତ୍ରିତ ହୋଇସାରିଥିଲା। ଏହାପରେ ଗାଡ଼ିଗୁଡ଼ିକ ୧୪୦୦ କିମି ଲମ୍ବ ଯାତ୍ରାରେ ବାହାରିଲା। ଚନ୍ଦୱାଡ ଥିଲା ପ୍ରଥମ ରହଣି; ସେଠାରେ ଏକ ମାଧ୍ୟମିକ ବିଦ୍ୟାଳୟରେ ଚାଷୀମାନେ ବିଶ୍ରାମ ନେଇଥିଲେ। ସେମାନଙ୍କୁ ଗରମ ରଖିବା ଲାଗି ନିଆଁ ଜଳାଯାଇଥିଲା ଏବଂ ସେମାନେ ରାତ୍ରୀଭୋଜନ ପାଇଁ ଖିଚୁଡ଼ି ପ୍ରସ୍ତୁତ କରୁଥିଲେ। ଏହାପରେ ସେମାନେ ଶୀତପୋଷାକ ପିନ୍ଧିବା ସହ କମ୍ବଳ ଘୋଡ଼ାଇ ହୋଇ ଶୋଇବାକୁ ଯାଇଥିଲେ।

ଗାଇକୱାଡ ଏହି ଯାତ୍ରା ପାଇଁ ୪ଟି ଚଦର ସାଥୀରେ ଆଣିଥିଲେ। “ଆମେ ଏକ ଜିପରେ ଯାତ୍ରା କରୁଛୁ ଏବଂ ଏଥିରେ ଖୁବଜୋରରେ ପବନ ବାଜୁଛି”, ଉପମା ଖାଉଥିବା ସମୟରେ ସେ ମୋତେ ସକାଳେ କହିଥିଲେ। ଆମେ ଦେଓଲା ତାଲୁକାର ଉମାରନେ ଗ୍ରାମରେ ରହିଥିଲୁ, ଚନ୍ଦୱାଡ ଠାରୁ ୨୦ କିଲୋମିଟର ଦୂର ଏହି ସ୍ଥାନରେ ଗାଡ଼ିଗୁଡ଼ିକ ଜଳଖିଆ ପାଇଁ ଅଟକି ରହିଥିଲା।

ଗାଁରେ ଗାଇକୱାଡଙ୍କର ତିନି ଏକର ଜମି ରହିଛି, ସେଠାରେ ସେ ଆଖୁ ଚାଷ କରିଥାନ୍ତି। ତାଙ୍କର ମଧ୍ୟ ଦୁଇଟି ମଇଁଷି ଓ ତିନୋଟି ଗାଈ ଅଛନ୍ତି। “ଏହି ବିଲ୍ ମଧ୍ୟରୁ ଗୋଟିଏ ଏପିଏମସି (କୃଷି ଉତ୍ପାଦ ବିପଣନ ସମିତି)ଗୁଡ଼ିକୁ ନିରର୍ଥକ କରିଦେବ ଏବଂ ସରକାର କହୁଛନ୍ତି ଅଧିକ ସଂଖ୍ୟକ ଘରୋଇ ସଂସ୍ଥା ଆସିବେ। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଯଥେଷ୍ଟ ସଂଖ୍ୟକ ଘରୋଇ ସଂସ୍ଥା ରହିଛନ୍ତି। ତଥାପି ଆମକୁ ଖୁବ କମ ଆୟ ମିଳୁଛି। ଘରୋଇ କମ୍ପାନୀମାନେ କେବଳ ନିଜର ଲାଭ ଦେଖିଥାନ୍ତି। ଘରୋଇ କମ୍ପାନୀମାନେ କେବଳ ସେମାନଙ୍କର ନିଜ ଲାଭ ଦେଖିଥାନ୍ତି”, ସେ କହିଥିଲେ।

ଗାଇକୱାଡ ଜଳଖିଆ ଖାଇବା ସମୟରେ ୬୫ ବର୍ଷ ବୟସ୍କା କୃଷି ଶ୍ରମିକ କାଲେବାଇ ମୋରେ, ବସିବା ପାଇଁ ଏକ ସ୍ଥାନ ଖୋଜୁଥିଲେ। ସେ ଉମରାନେଠାରେ ବାହନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। “ସବୁ ଟେମ୍ପୋଗୁଡ଼ିକ ଭର୍ତ୍ତି ହୋଇ ରହିଛି”, ସେ ମୋତେ କହିଥିଲେ, ବିରୋଧାତ୍ମକ ଢଙ୍ଗରେ। “ସେମାନେ ମୋ ପାଇଁ ଭିନ୍ନ ଗୋଟିଏ ଯୋଗାଡ଼ କରିପାରିବେ ନାହିଁ। ମୁଁ ସତରେ ଦିଲ୍ଲୀ ଯିବାକୁ ଚାହୁଁଛି”।

Top left: Left: The vehicles assembled at Golf Club Ground in Nashik. Top right: Farmers travelled in open-back tempos in the cold weather. Bottom: The group had dinner in Chandvad. They lit bonfires to keep themselves warm at night
PHOTO • Parth M.N.

ଉପରେ ବାମ : ବାମ : ନାସିକର ଗଲ୍ଫ କ୍ଲବ ପଡ଼ିଆରେ ଗାଡ଼ିଗୁଡ଼ିକ ଏକତ୍ରିତ ହୋଇଛନ୍ତି। ଉପରେ ଡାହାଣ : ପ୍ରବଳ ଶୀତରେ ମଧ୍ୟ ଚାଷୀମାନେ ପଛ ଖୋଲା ଥିବା ଟେମ୍ପୋରେ ଯାତ୍ରା କରୁଥିଲେ। ତଳ: ଏହି ଦଳ ଚନ୍ଦ ୱାଡରେ ରାତ୍ରୀଭୋଜନ କରିଥିଲେ। ସେମାନେ ରାତିରେ ନିଜକୁ ଗରମ ରଖିବା ପାଇଁ ନିଆଁ ଜଳାଇଥିଲେ।

ଏକ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିବା ନାସିକର ଡିଣ୍ଡୋରି ତାଲୁକାର ଶିନ୍ଦୱାଡ ଗ୍ରାମର କାଲେବାଇ ଗାଡ଼ିରୁ ଉପରୁ ତଳ ହୋଇ ସିଟ୍ ଖୋଜୁଥିଲେ। ସେ ଯୁକ୍ତିତର୍କ କରୁଥିଲେ, ଅଭିଯୋଗ କରୁଥିଲେ ଏବଂ ଡ୍ରାଇଭରଙ୍କ ଉପରେ ଚିଲ୍ଲାଉଥିଲେ। ଶେଷରେ ଟେମ୍ପୋରେ କେହି ଜଣେ ତାଙ୍କ ପାଇଁ ସ୍ଥାନ ଖୋଜିଦେଲେ ଏବଂ ତାଙ୍କର ରାଗ ମୁହଁ ଶାନ୍ତ ହେଲା। ସେ ନିଜ ଶାଢ଼ିକୁ ସଜାଡ଼ି ଗାଡ଼ିରେ ଚଢ଼ିଲେ। ତାଙ୍କ ମୁଖମଣ୍ଡଳରେ ସଙ୍ଗେ ସଙ୍ଗେ ପିଲାଙ୍କ ଭଳି ହସ ଫୁଟି ଉଠିଲା।

“ମୁଁ ଜଣେ କୃଷି ଶ୍ରମିକ, ଦିନକୁ ୨୦୦ ଟଙ୍କା ରୋଜଗାର କରିଥାଏ”, ସେ ମୋତେ କହିଲେ। “ମୁଁ ଏହାକୁ ଛାଡ଼ି ଆନ୍ଦୋଳନରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ”। ଅନ୍ୟ ଚାଷୀଙ୍କ ଉପରେ ନିଜର ଜୀବିକା ପାଇଁ ନିର୍ଭର କରୁଥିବା କାଲେବାଇ କୁହନ୍ତି, ଚାଷୀମାନେ ସେମାନଙ୍କର ଫସଲରୁ ଆୟ ନକରିବା ବେଶ ଦୁଃଖଦାୟକ। “ସେମାନେ ରୋଜଗାର କରିନପାରିଲେ, ସେମାନେ ମୋ ଭଳି ଶ୍ରମିକଙ୍କୁ କାମରେ ନିୟୋଜିତ କରିପାରିବେ ନାହିଁ”, ସେ କହିଥିଲେ। “ବିଦ୍ୟୁତ ବିଲ ବୃଦ୍ଧି ପାଇବା କାରଣରୁ ଯଦି ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବ, ତା’ହେଲେ ମୋର କାମ ମଧ୍ୟ କମିଯିବ”।

କାଲେବାଇ କୋଲି ମହାଦେବ ଆଦିବାସୀ ସମ୍ପ୍ରଦାୟର ମହିଳା ଅଟନ୍ତି। ଶିନ୍ଦୱାଡରେ ସେ ଜଙ୍ଗଲ ବିଭାଗ ଅଧୀନରେ ଥିବା ଦୁଇ ଏକର ଜମିରେ ନାମମାତ୍ର ଚାଷୀ ଭାବେ କାମ କରିଥାନ୍ତି। ତାଙ୍କ ଭଳି ଚାଷୀମାନେ, ନାସିକର ଆଦିବାସୀ ଅଞ୍ଚଳରେ, ନିଜର ଜମି ଅଧିକାର ପାଇଁ ସଂଘର୍ଷ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ଏହି ଶୋଭାଯାତ୍ରା ସହ ଥିବା ଏଆଇକେଏସର ସଭାପତି ଅଶୋକ ଧାୱଡ଼େ କୁହନ୍ତି, ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଆଦିବାସୀମାନେ ସାରା ଭାରତରେ ବଡ଼ କମ୍ପାନୀଗୁଡ଼ିକ ଦ୍ୱାରା ଶୋଷିତ ହୋଇଆସୁଛନ୍ତି। “ଏହି ତିନୋଟି ବିଲ୍ କର୍ପୋରେଟମାନଙ୍କ ଆଧିପତ୍ୟକୁ ଆହୁରି ବଢ଼ାଇ ଦେବ, ଯାହାକୁ ଆଦିବାସୀମାନେ ବିରୋଧ କରି ଆସୁଛନ୍ତି”, ସେ କହିଥିଲେ। “ଏହି କାରଣରୁ ଶୋଭାଯାତ୍ରାରେ ବହୁସଂଖ୍ୟକ ଆଦିବାସୀ ଯୋଗ ଦେଇଛନ୍ତି।”

The farmers rested near the gurudwara in Kota after a meal
PHOTO • Parth M.N.

ଭୋଜନ ସାରିବା ପରେ କୋଟାରେ ଥିବା ଗୁରୁଦ୍ୱାରା ନିକଟରେ ଚାଷୀମାନେ ବିଶ୍ରାମ ନେଇଛନ୍ତି

ଏହି ଗାଡ଼ି ଶୋଭାଯାତ୍ରା ଡିସେମ୍ବର ୨୨ ତାରିଖରେ ୧୫୦ କିମି ଅତିକ୍ରମ କରିଥିଲା ଏବଂ ଧୁଲେ ଜିଲ୍ଲାର ଶିରପୁର ସହରରେ ରହିଥିଲା-ଯାହାକି ମଧ୍ୟପ୍ରଦେଶ ସୀମାର ୪୦ କିମି ଦୂରରେ ରହିଥିଲା। ଯାତ୍ରା ଧୀରେ ଧୀରେ ଆଗକୁ ବଢ଼ିବା ସହିତ ସମସ୍ତେ ମୋଟା ଶୀତ ପୋଷାକ ବାହାର କରି ପିନ୍ଧି ନେଇଥିଲେ। ହାଡ଼ଭଙ୍ଗା ଶୀତ ଆହୁରି ଅଧିକ ହେଉଥିଲା ଏବଂ ସେହି ଦଳରେ ଥିବା କିଛି ଲୋକ ଫେରିଯିବାକୁ ନିଷ୍ପତ୍ତି ନେଲେ। ଗାଇକୱାଡଙ୍କର ଅଣ୍ଟା ଯନ୍ତ୍ରଣା ଆରମ୍ଭ ହେଲା। “ମୁଁ ଦିଲ୍ଲୀରେ ପହଞ୍ଚି ପାରିବି ନାହିଁ”, ସେ ମୋତେ ପରଦିନ ସକାଳେ କହିଥିଲେ।  ଅନ୍ୟ କେତେଜଣ ଫେରିଗଲେ କାରଣ ଦୁଇ ତିନି ଦିନରୁ ଅଧିକ ସମୟ କାମ ଠାରୁ ଦୂରେଇ ରହିବା ସେମାନଙ୍କ ପାଇଁ ସମ୍ଭବ ନଥିଲା।

ଡିସେମ୍ବର ୨୩ ତାରିଖରେ -ଶୋଭାଯାତ୍ରାର ତୃତୀୟ ଦିନ-ପାଖାପାଖି ୧୦୦୦ ଲୋକ ଦିଲ୍ଲୀ ଅଭିମୁଖେ ଯାତ୍ରା କଲେ।

ଯାତ୍ରା ଜାରି ରହିବା ସହିତ ବିଭିନ୍ନ ସହର ଓ ନଗରରେ ଏହି ଶୋଭାଯାତ୍ରାକୁ ସ୍ୱାଗତ କରାଯାଉଥିଲା। ଯଦିଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଦ୍ୱାରା ଅନୁବନ୍ଧିତ ଏଆଇକେଏସ ଏହି ଗାଡ଼ି ଶୋଭାଯାତ୍ରା ଆୟୋଜନ କରିଥିଲା, ତଥାପି ଶିବସେନା ଏବଂ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ଏଥିପ୍ରତି ସମର୍ଥନ ଜଣାଇଥିଲେ। ସାମାଜିକ କର୍ମୀମାନେ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ମଧ୍ୟପ୍ରଦେଶର ବରୱାନି ଜିଲ୍ଲାର ଏକ ସହର ସେନ୍ଧୱାଠାରେ ସାମାଜିକ କର୍ମୀ ମେଧା ପାଟେକର ଚାଷୀମାନଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସ୍ଲୋଗାନ ଦେଇଥିଲେ ଏବଂ କିଛି ସମୟ ପାଇଁ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।

କିନ୍ତୁ ପୂର୍ବ ଯୋଜନାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ଚାଷୀମାନଙ୍କୁ ସ୍ୱାଗତ କରାଯାଇଥିଲା। ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏହି ଶୋଭାଯାତ୍ରା ଇନ୍ଦୋର ଉପକଣ୍ଠରେ ପହଞ୍ଚିଥିଲା-ଯାହାକି ରାଜସ୍ଥାନର କୋଟା ଠାରୁ ୩୨୦ କିମି ଦୂର ଥିଲା, ଯେଉଁଠି ଶେଭାଯାତ୍ରା ସେଦିନ ରାତିରେ ପହଞ୍ଚିଥିଲା।

ବ୍ୟାପକ ବିଚାର ଆଲୋଚନା ପରେ, ଏହି ଦଳ ରାଜସ୍ଥାନ ଅଭିମୁଖେ ଯାତ୍ରାରମ୍ଭ କରିବା ଲାଗି ନିଷ୍ପତ୍ତି ନେଲା। ଗାଡ଼ିଗୁଡ଼ିକ ଶୀତୁଆ ରାତିରେ ଯାତ୍ରା ଜାରି ରଖିଲା, ଡିସେମ୍ବର ୨୪ ତାରିଖ ସକାଳ ୭ଟାରେ ସେମାନେ କୋଟାରେ ପହଞ୍ଚିଲେ।

କିନ୍ତୁ ପଛ ଖୋଲା ଥିବା ଟେମ୍ପୋରେ ବସିଥିବା କୃଷକମାନେ ରାତି ସାରା ହାଡ଼ଥରା ଶୀତୁଆ ପବନ ମାଡ଼ ଖାଇଥିଲେ। ଅହମ୍ମଦନଗର ଜିଲ୍ଲାର ଶିନ୍ଦୋଡ଼ି ଗ୍ରାମର ୫୭ ବର୍ଷ ବୟସ୍କ ମଥୁରା ବର୍ଡେ କୁହନ୍ତି, ସେ ତିନି ପରସ୍ତର ଗରମ ପୋଷାକ ପିନ୍ଧିଥିଲେ ମଧ୍ୟ ଶୀତରେ ଥରିଯାଉଥିଲେ। “ମୁଁ ମୋ କାନ ଘୋଡ଼ାଇ ଦେଲି ଏବଂ ଯେନତେନ ପ୍ରକାରେ ରାତି ବିତାଇଦେଲି। ସକାଳେ ଗୁରୁଦ୍ୱାରାସ୍ଥିତ ଲଙ୍ଗର (ଗୋଷ୍ଠୀ ଭୋଜନାଳୟ)ରେ ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ସେ କହିଥିଲେ। ସହରରେ ଥିବା ଶିଖ୍ ସମୁଦାୟ ସେମାନଙ୍କୁ ଆତିଥେୟ ପ୍ରଦାନ କରିଥିଲେ ଏବଂ ସେମାନଙ୍କୁ ରୁଟି, ଚଣା ତରକାରୀ ଓ ଖିଚୁଡ଼ି ପରଷିଥିଲେ। ଏହାପରେ ଥକି ପଡ଼ିଥିବା ଏହି ଯାତ୍ରୀମାନଙ୍କ ଦଳ ଗୁରୁଦ୍ୱାରା ନିକଟରେ ବିଶ୍ରାମ ନେଲେ ଏବଂ ଖରା ଖାଇଥିଲେ।

Left: Farm leaders walked up to the barricades upon arriving in Shahjahanpur. Right: A policeman quickly takes a photo
PHOTO • Parth M.N.
Left: Farm leaders walked up to the barricades upon arriving in Shahjahanpur. Right: A policeman quickly takes a photo
PHOTO • Parth M.N.

ବାମ : ଶାହାଜାହନପୁରରେ ପହଞ୍ଚିବା ପରେ ଚାଷୀ ନେତାମାନେ ବ୍ୟାରିକେଡ୍ ନିକଟକୁ ଚାଲି ଚାଲି ଯାଇଥିଲେ। ଡାହାଣ : ଜଣେ ପୁଲିସ କର୍ମଚାରୀ ଫଟୋ ନେଉଛନ୍ତି।

ଏହି ଗାଡ଼ି ଶୋଭାଯାତ୍ରା ଡିସେମ୍ବର ୨୪ ତାରିଖରେ ୨୫୦ କିଲୋମିଟର ଯାତ୍ରା କରିଥିଲା ଏବଂ ରାତିରେ ଜୟପୁର ଠାରେ ଅଟକି ଥିଲା।

ଡିସେମ୍ବର ୨୫ ତାରିଖ ଦିନ ପ୍ରାୟ ସାଢ଼େ ୧୨ ଟା ସମୟରେ ଏହି ଶୋଭାଯାତ୍ରା ଶେଷରେ ହରିୟାଣା ଓ ରାଜସ୍ଥାନ ସୀମାର ଶାହାଜାହନପୁରଠାରେ ପହଞ୍ଚିଥିଲା। ସେଠାରେ ଗାଡ଼ି ଶୋଭାଯାତ୍ରା ପହଞ୍ଚିବା ପରେ ପରିବେଶ ଆହୁରି ଉତ୍ସାହଜନକ ହୋଇପଡ଼ିଥିଲା। ଦୁଇ ସପ୍ତାହରୁ ଅଧିକ ସମୟ ଧରି ଜାତୀୟ ରାଜପଥ ୪୮ (ଏନଏଚ ୪୮)କୁ ଅବରୋଧ କରି ବସି ରହିଥିବା ଆନ୍ଦୋଳନରତ ଚାଷୀମାନେ ମହାରାଷ୍ଟ୍ରରୁ ଆସିଥିବା ଦଳକୁ ସ୍ୱାଗତ କରିଥିଲେ।

ଚାଷୀମାନେ ସେମାନଙ୍କର ଗାଡ଼ିରୁ ଓହ୍ଲାଇଲେ ଏବଂ ଶେଷ କିମି ପର୍ଯ୍ୟନ୍ତ ଚାଲି ଚାଲି ଗଲେ, ସେହି ସ୍ଥାନକୁ ଯେଉଁଠି ହରିୟାଣା ସରକାର ବ୍ୟାରିକେଡ ବସାଇଥିଲେ। ବ୍ୟାରିକେଡ ଆରପାଖରେ ଥିବା କିଛି ପୋଲିସ କର୍ମଚାରୀ ମଧ୍ୟ ଚାଷୀଙ୍କ ପିଲା ବୋଲି ସେମାନେ ମୋତେ କହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପୋଲିସ କର୍ମଚାରୀ ନିଜର ଫୋନ ବାହାର କରି ଆଗରେ ଥିବା ଚାଷୀମାନଙ୍କର ଫଟୋ ଉଠାଇଥିଲେ ଏବଂ ତୁରନ୍ତ ସେହି ଫୋନକୁ ପୁଣି ନିଜ ପକେଟରେ ରଖି ଦେଇଥିଲେ।

ସମ୍ପୂର୍ଣ୍ଣ ଅପରାହ୍ଣ ସାରା ଚାଷୀନେତାମାନେ ଆନ୍ଦୋଳନସ୍ଥଳୀରେ ଭାଷଣ ଦେଇଥିଲେ। ସନ୍ଧ୍ୟାରେ ଶୀତ ବଢ଼ିଥିଲା, ମହାରାଷ୍ଟ୍ରରୁ ଆସିଥିବା ଚାଷୀଙ୍କ ରହିବା ପାଇଁ ଏନଏଚ ୪୮ ଉପରେ ଅଧିକ ସଂଖ୍ୟକ ଟେଣ୍ଟ ବନ୍ଧା ସରିଥିଲା। ଦିଲ୍ଲୀରେ ପହଞ୍ଚିବା ଲାଗି ସଂକଳ୍ପ ଓ ସାହସର ଆବଶ୍ୟକତା ରହିଛି, କିନ୍ତୁ ସେମାନଙ୍କର ସଂଘର୍ଷ  ଏଇ ମାତ୍ର ଆରମ୍ଭ ହୋଇଛି।

ପ୍ରଚ୍ଛଦ ଫଟୋ : ଶ୍ରଦ୍ଧା ଅଗ୍ରୱାଲ

ଅନୁବାଦ - ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE