ଏକ ବଡ଼ ଆଲୁମିନିୟମ ପାତ୍ର ଉପରେ ନଇଁ ପଡ଼ି କରଚୁଲି ସାହାଯ୍ୟରେ ଆଳୁ-ମଟର ଝୋଳକୁ ଘାଣ୍ଟୁଛନ୍ତି ପ୍ରକାଶ ଭଗତ। ସେ ନିଜର ବାମ ପାଦକୁ ଭୂମିରେ ରଖିଛନ୍ତି, ଡାହାଣ ପାଦ ଝୁଲନ୍ତା ଅବସ୍ଥାରେ ରହିଛି, ଏକ ଠେଙ୍ଗା ସାହାଯ୍ୟରେ ସନ୍ତୁଳନ ବଜାୟ ରଖି ଛିଡ଼ା ହୋଇଛନ୍ତି।

“ମୁଁ ଭାବୁଛି ମାତ୍ର ୧୦ ବର୍ଷ ବୟସରୁ ମୁଁ ବାଡ଼ି ଧରି ଚାଲୁଛି,” ୫୨ବର୍ଷୀୟ ଭଗତ କୁହନ୍ତି। “ମୁଁ ଛୋଟ ବେଳୁ ଏପରି ଭାବେ ଗୋଟିଏ ପାଦରେ ହିଁ ଚାଲିଆସୁଛି। ମୋ ବାପା ମା’ କୁହନ୍ତି ମୋର ଏକ ସ୍ନାୟୁ ସଙ୍କୁଚିତ ହେବା କାରଣରୁ ଏପରି ହୋଇଥିଲା।”

ଅକ୍ଷମତା ଭଗତଙ୍କ ସଂକଳ୍ପକୁ ପ୍ରଭାବିତ କରିପାରିନାହିଁ। ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲା ଅନ୍ତର୍ଗତ ପନଭେଲ ତାଲୁକାରେ ଥିବା ତାଙ୍କ ଗ୍ରାମ ପରଗାଓଁର ଅଧିକାଂଶ ଲୋକ ଯେତେବେଳେ ଦିଲ୍ଲୀ ଅଭିମୁଖେ ଜଥା, ବା ଗାଡ଼ି ଶୋଭାଯାତ୍ରାରେ ବାହାରିଲେ, ସେଥିରେ ଯୋଗ ଦେବା ଲାଗି ସେ ପୁଣିଥରେ ଚିନ୍ତା କଲେ ନାହିଁ। ଝୋଳ ଚାଖି ଠିକ ଅଛି ବୋଲି କହିବା ସମୟରେ, “ମୁଁ ଏଠାକୁ ଗୋଟିଏ କାରଣ ପାଇଁ ଆସିଛି”, ସେ କୁହନ୍ତି ।

ଦିଲ୍ଲୀରେ, ଚଳିତ ବର୍ଷ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଜାତୀୟ ରାଜଧାନୀ ସୀମାକୁ ଲାଗି ରହିଥିବା ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଲକ୍ଷାଧିକ କୃଷକ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନରତ ଚାଷୀଙ୍କୁ ସେମାନଙ୍କର ସମର୍ଥନ ଏବଂ ସହଯୋଗ ଯୋଗାଇ ଦେବା ଲାଗି, ଡିସେମ୍ବର ୨୧ ତାରିଖରେ ମହାରାଷ୍ଟ୍ରର ୨୦୦୦ ଚାଷୀ, ଏଠାରୁ ପାଖାପାଖି ୧୪୦୦ କିମି ଦୂର ଦିଲ୍ଲୀକୁ ଜଥାରେ ଯିବା ଲାଗି ନାସିକଠାରେ ଏକତ୍ରିତ ହୋଇଥିଲେ।

ପରଗାଓଁ ଗ୍ରାମରୁ ୩୯ ଜଣ ଏଥିରେ ଯୋଗ ଦେବା ଲାଗି ବାହାରିଥିଲେ। “ଏ ଦେଶର କୃଷକମାନଙ୍କ ସହ ପ୍ରତାରଣା କରାଯାଉଛି”, ଭଗତ କହିଥିଲେ। “ଅଧିକରୁ ଅଧିକ ସଂଖ୍ୟକ କୃଷକଙ୍କୁ ସେମାନଙ୍କର ଫସଲ ପାଇଁ ସୁନିଶ୍ଚିତ ମୂଲ୍ୟ ପ୍ରଦାନ କରାଯିବା ଉଚିତ। ଏହି କୃଷି ଆଇନ ସେମାନଙ୍କୁ ଆହୁରି ଋଣ ଭାରରେ ବୁଡ଼ାଇ ଦେବ। ଚାଷୀମାନେ ବଡ଼ କମ୍ପାନୀଙ୍କ କବଜାରେ ପଡ଼ିଯିବେ, ଯେଉଁମାନେ ତାଙ୍କୁ ଶୋଷଣ କରିବେ। କୃଷି ଆଇନ ବୋଧହୁଏ ତୁରନ୍ତ ପଞ୍ଜାବ ଓ ହରିୟାଣାର କୃଷକମାନଙ୍କୁ ପ୍ରଭାବିତ କରିବ, ସେଥିପାଇଁ ଚାଷୀ ଆନ୍ଦୋଳନରେ ସେମାନଙ୍କର ପ୍ରଭାବ ଅଧିକ ରହିଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସାରା ଦେଶର କୃଷକମାନେ ଏଥିରେ ପ୍ରଭାବିତ ହେବେ ନାହିଁ।

Bhagat and his colleagues get to work
PHOTO • Shraddha Agarwal
The bus is stacked with onions, potatoes and rice, among other items. When activists leading the march stop, Bhagat and his colleagues get to work
PHOTO • Shraddha Agarwal

ବସ୍‌ରେ ପିଆଜ, ଆଳୁ ଏବଂ ଚାଉଳ ସମେତ ଅନ୍ୟାନ୍ୟ ସାମଗ୍ରୀ ଭର୍ତ୍ତି ହୋଇ ରହିଛି। ଶୋଭାଯାତ୍ରା ସ୍ଥଳୀରେ ଆନ୍ଦୋଳନକାରୀମାନେ ପହଞ୍ଚିବା ପରେ ଭଗତ ଓ ତାଙ୍କର ସହଯୋଗୀମାନଙ୍କର କାମ ଆରମ୍ଭ ହୋଇଯାଇଥାଏ।

ଭଗତ ଜଣେ ମତ୍ସ୍ୟଜୀବୀ। “ଚାଷୀଙ୍କୁ ସମର୍ଥନ କରିବା ଲାଗି ମୋର ଜଣେ କୃଷକ ହେବା ଦରକାର କାହିଁକି?” ସେ ପଚାରିଥାନ୍ତି। “ଆମ ଭିତରୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ କୃଷି ହିଁ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ଆଗେଇ ନେଇଥାଏ। ଯଦି ଚାଷୀମାନେ ସଂଘର୍ଷ କରିବେ, ମୋ ମାଛ କିଣିବ କିଏ?”

ଭଗତ କଙ୍କଡ଼ା ଓ ଚିଙ୍ଗୁଡ଼ି ଧରିଥାନ୍ତି ଏବଂ ସେଗୁଡ଼ିକୁ ପନଭେଲ ବଜାରରେ ବିକ୍ରି କରିଥାନ୍ତି, ସେଥିରୁ ମାସିକ ପାଖାପାଖି ୫,୦୦୦ଟଙ୍କା ରୋଜଗାର କରିଥାନ୍ତି। “ମୋର ବଡ଼, ଅଟୋମେଟିକ ଡଙ୍ଗା ନାହିଁ”, ସେ କୁହନ୍ତି। “ମାଛ ଧରିବାକୁ ଗଲା ବେଳେ ମୁଁ ସାଧାରଣ ଡଙ୍ଗା ନେଇ ଯାଇଥାଏ । ଅନ୍ୟ ମତ୍ସ୍ୟଜୀବୀମାନେ ଛିଡ଼ା ହୋଇ ଜାଲ ଫିଙ୍ଗିଥାନ୍ତି । ମୋର ଶାରୀରିକ ସମସ୍ୟା ଯୋଗୁଁ ମୁଁ ମୋ ନିଜ ଉପରେ ସନ୍ତୁଳନ ରଖିପାରିନଥାଏ । ତେଣୁ ମୁଁ ବସି ରହି ମାଛ ଧରିଥାଏ”

ନିଜେ ଜଣେ ମତ୍ସ୍ୟଜୀବୀ ହୋଇଥିଲେ ମଧ୍ୟ ଭଗତ ଛେଳି ମାଂସ ରୋଷେଇ କରିବାକୁ ଭଲ ପାଇଥାନ୍ତି। “ଗାଓଥି ଭାବେ (ଗାଉଁଲି ଶୈଳୀରେ)”, ସେ ସ୍ପଷ୍ଟ ଭାବେ କହିଥାନ୍ତି। “ମୁଁ ସବୁବେଳେ ରାନ୍ଧିବାକୁ ଭଲ ପାଇଛି”, ସେ ଆହୁରି କହିଥାନ୍ତି। “ମୋ ଗାଁରେ କାହାର ବାହାଘର ହେଲେ ମୁଁ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ରାନ୍ଧିଥାଏ। ଏଥିପାଇଁ ଟଙ୍କାଟିଏ ସୁଦ୍ଧା ନିଏ ନାହିଁ। ଭଲ ପାଇବା ପାଇଁ ମୁଁ ଏହା କରିଥାଏ। ଗାଁ ବାହାରେ ଯଦି କେହି ମୋତେ କୌଣସି କାର୍ଯ୍ୟକ୍ରମରେ କିମ୍ବା ପର୍ବପର୍ବାଣୀରେ ରାନ୍ଧିବା ଲାଗି ଡାକିଥାନ୍ତି, ମୁଁ କେବଳ ତାଙ୍କୁ ନିଜର ଯାତ୍ରା ବ୍ୟବସ୍ଥା କରିବା ଲାଗି କହିଥାଏ। ତେଣୁ ଯେତେବେଳେ ମୋର ଗାଁ ଲୋକମାନେ ମୋର୍ଚ୍ଚାରେ ଯୋଗ ଦେବା ଲାଗି ନିଷ୍ପତ୍ତି ନେଲେ, ସେମାନଙ୍କ ପାଇଁ ରୋଷେଇ କରିବା ଲାଗି ମୁଁ ପ୍ରସ୍ତାବ ଦେଲି।” ଏହି ଶୋଭାଯାତ୍ରା ସମୟରେ ସେ ପାଖାପାଖି ୪୦ ଜଣ ଲୋକଙ୍କ ପାଇଁ ରାନ୍ଧୁଛନ୍ତି ।

ଭାରତୀୟ କମ୍ୟୁନିଷ୍ଟ ପାର୍ଟୀ (ମାର୍କ୍ସବାଦୀ) ସହ ଅନୁବନ୍ଧିତ ଅଲ ଇଣ୍ଡିଆ କିଷାନ ସଭା ପକ୍ଷରୁ ଆୟୋଜିତ ଜଥାରେ ଅଂଶଗ୍ରହଣ କରିବା ଲାଗି ପରଗାଓଁର ବାସିନ୍ଦାମାନେ ଏକ ବସ୍‌ ଭଡ଼ାରେ ଆଣିଛନ୍ତି। କମଳା ରଙ୍ଗର, ବଡ଼ ବସ୍‌ଟି ମୁଖ୍ୟତଃ ଅଟୋ ଏବଂ ଚାରିଚକିଆର ଭିଡ଼ ମଧ୍ୟରେ ଛିଡ଼ା ହୋଇଛି। ବସ୍‌ର ଡିକି ଭିତରେ ୬ କିଲୋ ପିଆଜ, ୧୦ କିଲୋ ଆଳୁ, ୫ କିଲୋ ଟମାଟୋ ଏବଂ ୫୦ କିଲୋ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଶୋଭାଯାତ୍ରାରେ ଯାଉଥିବା ଆନ୍ଦୋଳନକାରୀମାନେ ବିକ୍ଷୋଭ ପ୍ରଦର୍ଶନ ପାଇଁ କୌଣସି ସ୍ଥାନରେ ଅଟକି ଗଲେ ଭଗତ ଓ ତାଙ୍କର ଦୁଇ ଜଣ ସହଯୋଗୀ କାମ ଆରମ୍ଭ କରି ଦେଇଥାନ୍ତି।

Bhagat cutting onion
PHOTO • Shraddha Agarwal
Bhagat cooking for the farmer brothers
PHOTO • Shraddha Agarwal

“ମୁଁ ସବୁବେଳେ ରାନ୍ଧିବାକୁ ଭଲ ପାଏ... ତେଣୁ ଯେତେବେଳେ ମୋର ଗାଁ ଲୋକମାନେ ମୋର୍ଚ୍ଚାରେ ଯୋଗ ଦେବା ଲାଗି ନିଷ୍ପତ୍ତି ନେଲେ, ସେମାନଙ୍କ ପାଇଁ ରୋଷେଇ କରିବା ଲାଗି ମୁଁ ପ୍ରସ୍ତାବ ଦେଲି ।”

ଭଗତ ତାଙ୍କର କାଠ ବାଡ଼ି ଟାଣି ଆଣି ବସ୍‌ର ‘ଷ୍ଟୋରରୁମ୍‌’ ଆଡ଼କୁ ଗଲେ। ତାଙ୍କର ଜଣେ ସହଯୋଗୀ ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ସମେତ ଖୁବ ଓଜନିଆ ଏକ ଗ୍ୟାସ ସିଲିଣ୍ଡର ବାହାର କଲେ। ଡିସେମ୍ବର ୨୨ ତାରିଖ ଅପରାହ୍ଣରେ ମାଲେଗାଓଁ ସହରରେ ମଧ୍ୟାହ୍ନଭୋଜନ ପାଇଁ ଭାତ ସହିତ ଆଳୁ-ମଟର ପ୍ରସ୍ତୁତ ହେଉଥିଲା। “ତିନି ଦିନ ପାଇଁ ଆମ ପାଖରେ ଯଥେଷ୍ଟ ଖାଦ୍ୟସାମଗ୍ରୀ ରହିଛି”, ଭଗତ କହିଥିଲେ। ଏହି ସମୟରେ ସେ ବସ୍‌ ନିକଟରେ ଭୂମି ଉପରେ ଏକ ଚଦର ବିଛାଇ ବସିଥିଲେ ଏବଂ ଖୁବ ଦକ୍ଷତାର ସହିତ ପିଆଜ କାଟୁଥିଲେ। “ମଧ୍ୟପ୍ରଦେଶ ସୀମାରୁ ଆମ ଭିତରୁ ଅଧିକାଂଶ ଲୋକ ଫେରିଆସିବେ। କିଛି ଲୋକ ଦିଲ୍ଲୀ ଯିବେ। ଦୀର୍ଘ ସମୟ ଧରି ଆମେ କାମରୁ ଦୂରେଇ ରହିପାରିବୁ ନାହିଁ ।”

ତାଙ୍କ ଗ୍ରାମ, ପରଗାଓଁର ଅଧିକାଂଶ ବାସିନ୍ଦା କୋଲି ସମ୍ପ୍ରଦାୟର, ଏବଂ ସେମାନେ ଜୀବିକାର୍ଜନ ପାଇଁ ମାଛଧରା ଉପରେ ନିର୍ଭର କରିଥାନ୍ତି। “ଆମେ ମାସରେ ୧୫ ଦିନ ସମୁଦ୍ର ଭିତରକୁ ଯାଇଥାଉ। କମ୍‌ ଢେଉ ଥିବା ସମୟରେ ଆମେ ମାଛ ଧରିପାରିନଥାଉ”, ଭଗତ କୁହନ୍ତି । ଚଳିତ ସପ୍ତାହର ଶୁକ୍ରବାର କିମ୍ବା ଶନିବାର ଉଚ୍ଚା ଢେଉଥିବା ସମୟରେ ସେ ପରଗାଓଁ ଫେରିବା ଲାଗି ଚାହୁଁଛନ୍ତି । “ଆମେ ଏହାକୁ ହାତଛଡ଼ା କରିପାରିବୁ ନାହିଁ”, ସେ କୁହନ୍ତି। “ଲକଡାଉନ ସମୟରେ ଆମେ ଅନେକ କ୍ଷତି ସହିଛୁ। ଆମର ସୁରକ୍ଷା ପାଇଁ ଆମେ ମାଛଧରା ଛାଡ଼ି ଦେଇଥିଲୁ। ଆମେ କରୋନା ଭୂତାଣୁରେ ସଂକ୍ରମିତ ହେବା ଲାଗି ଚାହିଁନଥିଲୁ। ଆହୁରି ପୋଲିସ ଆମକୁ ବଜାରରେ ବିକ୍ରି କରିବା ଲାଗି ଅନୁମତି ଦେଉନଥିଲା। ଆମେ ଧୀରେ ଧୀରେ ନିଜ ଗୋଡ଼ରେ ଛିଡ଼ା ହେବା ଆରମ୍ଭ କରିଛୁ। ଆମେ ଆଉ ଏକ ବିରତି ସହ୍ୟ କରିପାରିବୁ ନାହିଁ ।”

ଲକ୍‌ଡାଉନର ପ୍ରାରମ୍ଭିକ ପର୍ଯ୍ୟାୟରେ, ପରଗାଓଁର ବାସିନ୍ଦାମାନେ ସେମାନଙ୍କ ଗାଁକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲେ । “ରାଜ୍ୟ କେତେକ କଟକଣା କୋହଳ କରିବା ସତ୍ତ୍ୱେ ଆମେ ଖୋଲିଲୁ ନାହିଁ”, ଭଗତ କହିଥିଲେ । “ଏପରିକି କରୋନା ଭୂତାଣୁ ଠାରୁ ସୁରକ୍ଷିତ ରହିବା ଲାଗି କେହି ନିଜ ସମ୍ପର୍କୀୟମାନଙ୍କୁ ସୁଦ୍ଧା ଗାଁ ଭିତରକୁ ପୂରାଇ ଦେଇନଥିଲେ ।”

ଲକ୍‌ଡାଉନ ସମୟରେ ଗାଁର ସୀମା ଭିତରକୁ କାହାରିକୁ ପୂରାଇ ଦେଉନଥିବା ଗ୍ରାମବାସୀଙ୍କ ମଧ୍ୟରୁ ୩୯ଜଣ ବିଭିନ୍ନ ରାଜ୍ୟର କୃଷକମାନଙ୍କ ସହିତ ମିଶି ହଜାର ହଜାର ଲୋକଙ୍କ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି । “ଚାଷୀଙ୍କୁ ସମର୍ଥନ କରିବା କ୍ଷେତ୍ରରେ ମନରେ କୌଣସି ଦ୍ୱିଧା ନରହିବା ଉଚିତ”, ଭଗତ କହିଥିଲେ ।

ଲେଖା : ପାର୍ଥ. ଏମ.ଏନ. ଫଟୋ : ଶ୍ରଦ୍ଧା ଅଗ୍ରୱାଲ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Shraddha Agarwal

Shraddha Agarwal is a reporter and content editor at the People’s Archive of Rural India.

Other stories by Shraddha Agarwal
Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.