ମହେନ୍ଦ୍ର ଫୁଟାଣେ ମଇ ୫ ତାରିଖ ସକାଳେ ନିଜ ଘରୁ କୋଭିଡ-୧୯ ଟିକାର ପ୍ରଥମ ଡୋଜ୍ ନେବା ଲାଗି ବାହାରିଥିଲେ, ଏବଂ ୧୨ ଦିନ ପରେ ଘରକୁ ଫେରିଲେ। ମହେନ୍ଦ୍ର କୁହନ୍ତି, “ତାଙ୍କ ପାଇଁ ଏହା ଏକ ଉତ୍ସାହପୂର୍ଣ୍ଣ ଦିନ ହେବାର ଥିଲା, ହେଲେ ତାହା ଏକ ଦୁଃସ୍ୱପ୍ନରେ ପରିଣତ ହୋଇଗଲା।”

ମହେନ୍ଦ୍ର ଟିକାକରଣ କେନ୍ଦ୍ରରେ ଟିକା ନେବା ପୂର୍ବରୁ, ପୁଲିସ ତାଙ୍କୁ ଗିରଫ କରି ନେଲା।

ମହାରାଷ୍ଟ୍ରର ବିଡ୍ ଜିଲ୍ଲା ଅନ୍ତର୍ଗତ ନେକନୁର ଗ୍ରାମର ବାସିନ୍ଦା ୪୩  ବର୍ଷୀୟ ମହେନ୍ଦ୍ର ଅନେକ ପ୍ରୟାସ କରିବା ପରେ, କୋୱିନ୍ ପ୍ଲାଟଫର୍ମରେ ନିଜର ଆପଏଣ୍ଟମେଣ୍ଟ ବୁକ୍ କରାଇଥିଲେ। ସେ କୁହନ୍ତି, “ମୋତେ ଏହି ସୂଚନାର ମେସେଜ ମିଳିଥିଲା ଯେ ସକାଳ ୯ଟାରୁ ୧୧ଟା  ମଧ୍ୟରେ (୫ ମେ ଦିନ) ଆପଏଣ୍ଟମେଣ୍ଟ ମିଳିଛି।” ତାଙ୍କୁ ନିଜର ଓ ନିଜ ପରିବାରର କେତେକ ସଦସ୍ୟଙ୍କ ଲାଗି ଟିକାକରଣର ସ୍ଲଟ୍ ମିଳିଥିଲା ଯେଉଁମାନଙ୍କର ବୟସ ୪୫ ବର୍ଷରୁ କମ୍। ମହେନ୍ଦ୍ର କୁହନ୍ତି, “ଆମେ ନିଜର ପ୍ରଥମ ଡୋଜ୍ ପାଇବା ଲାଗି ପ୍ରସ୍ତୁତ ଥିଲୁ। କୋଭିଡ-୧୯ର ଦ୍ୱିତୀୟ ଲହରୀ ଅତ୍ୟନ୍ତ ଭୟାନକ ହୋଇଛି।”

ନେକନୁର ଠାରୁ ୨୫ କିଲୋମିଟର ଦୂର ବିଡ୍ ସହରରେ ଥିବା ଟିକାକରଣ କେନ୍ଦ୍ରରେ ଯେତେବେଳେ ତାଙ୍କ ପରିବାର ପହଞ୍ଚିଥିଲା, ସେମାନଙ୍କର ସବୁ ଆଶା ପାଣି ଫୋଟକା ଭଳି ମିଳେଇ ଯାଇଥିଲା। ଟିକାକରଣ କେନ୍ଦ୍ରରେ ଟିକା ଅଭାବ କାରଣରୁ ୧୮-୪୪ ବର୍ଷ ବୟସ୍କଙ୍କର ଟିକାକରଣ ବନ୍ଦ ହୋଇଯାଇଥିଲା। ମହେନ୍ଦ୍ର କହିଥିଲେ ଯେ “ସେଠାରେ ପୁଲିସ ମୁତୟନ ଥିଲେ। ଆମେ ସେମାନଙ୍କୁ ଆପଏଣ୍ଟମେଣ୍ଟ ସୁନିଶ୍ଚିତ କରୁଥିବା ମେସେଜ ଦେଖାଇଲୁ, କିନ୍ତୁ ସେମାନେ ଆମେ ସହିତ ଦୁର୍ବ୍ୟବହାର କଲା ଭଳି କଥାବାର୍ତ୍ତା କଲେ।”

ଧାଡ଼ିରେ ଛିଡ଼ା ହୋଇଥିବା ଲୋକ ଓ ପୁଲିସଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା। ଗଣ୍ଡଗୋଳ ଶେଷରେ ଲାଠିଚାର୍ଜ ହେଲା ଓ ଛଅଜଣ ଲୋକଙ୍କୁ ଗିରଫ କରିନିଆଗଲା, ଯେଉଁଥିରେ ମହେନ୍ଦ୍ର, ତାଙ୍କ ପୁଅ ପାର୍ଥ, ଭାଇ ନୀତିନ ଓ କକା ପୁଅ ଭାଇ ବିବେକ ମଧ୍ୟ ସାମିଲ ଥିଲେ।

କେନ୍ଦ୍ରରେ ଉପସ୍ଥିତ ଥିବା କନଷ୍ଟେବଳ ଅନୁରାଧା ଗୌହାଣେ ଏହି ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ (ଏଫଆଇଆର) ଦାୟର କଲେ, ଯେଉଁଥିରେ ଛଅ ଜଣ ଲୋକଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ଯେ ସେମାନେ ଟିକାକରଣ ଥିବା ଧାଡ଼ି ଭାଙ୍ଗିଛନ୍ତି ଏବଂ ପୁଲିସ କର୍ମଚାରୀଙ୍କ ସହିତ ମାରପିଟ୍ କରିଛନ୍ତି। ଏଫଆଇଆରରେ କୁହାଯାଇଥିଲା ଯେ ସେମାନେ କନଷ୍ଟେବଳମାନଙ୍କୁ ଗାଳି ଦେଇଥିଲେ, ଅପମାନିତ କରିଥିଲେ ଏବଂ ସେମାନଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ। ସମସ୍ତଙ୍କ ବିରୋଧରେ ୧୧ଟି ମାମଲା ଦାଏର କରାଗଲା, ଯେଉଁଥିରେ ବେଆଇନ ଭାବେ ଭିଡ଼ କରିବା, ଦଙ୍ଗା କରିବା, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଏବଂ ଶାନ୍ତି ଭଙ୍ଗ କରିବା ଆଦି ସାମିଲ ରହିଛି।

Mahendra Phutane was given an appointment for getting vaccinated, but he couldn't get the first dose because of a shortage of vaccines
PHOTO • Parth M. N.

ମହେନ୍ଦ୍ର ଫୁଟାଣେଙ୍କୁ ଟିକା ନେବା ନିମନ୍ତେ ଆପଏଣ୍ଟମେଣ୍ଟ ଦିଆଯାଇଥିଲା , କିନ୍ତୁ ଟିକା ଅଭାବ କାରଣରୁ ତାଙ୍କୁ ପ୍ରଥମ ଡୋଜ୍ ମଧ୍ୟ ମିଳିପାରିଲା ନାହିଁ।

ତେବେ, ମହେନ୍ଦ୍ର ଏସବୁ ଅଭିଯୋଗକୁ ଖଣ୍ଡନ କରିଥାନ୍ତି। ସେ କୁହନ୍ତି, “ସେଠାରେ ଯୁକ୍ତିତର୍କ ହେଉଥିଲା, କିନ୍ତୁ ପୁଲିସ ପ୍ରଥମେ ବଳ ପ୍ରୟୋଗ କରିଥିଲା ଏବଂ ଆମକୁ ଥାନାରେ ମଧ୍ୟ ମାଡ଼ ମାରିଥିଲା।” ମହେନ୍ଦ୍ର ଆଗକୁ ମଧ୍ୟ କହିଥିଲେ ଯେ ପୁଲିସ ୩୯ ବର୍ଷୀୟ ନୀତିନଙ୍କୁ ମଧ୍ୟ ଛାଡ଼ି ନଥିଲା, ସେ ସିଜୋଫ୍ରେନିୟାରେ ପୀଡ଼ିତ। ମହେନ୍ଦ୍ର ଆହୁରି କହିଥାନ୍ତି, “ସେମାନେ ତାଙ୍କୁ ମଧ୍ୟ ମାଡ଼ ମାରିଲେ। ଆମକୁ ତାଙ୍କ ଉପରେ ନଜର ରଖିବାକୁ ହେବ, କାରଣ ଏହି ଘଟଣା ପରେ ସେ ଅବସାଦ ଭିତରେ ରହୁଛନ୍ତି। ସେ ଜେଲରେ ନିଜର ହାତ କାଟି ଦେବା ଲାଗି ଚେଷ୍ଟା କରିଥିଲେ।”

ଜାମିନରେ ଆସିବା ପରେ, ମଇ ୧୭ ତାରିଖରେ ମହେନ୍ଦ୍ର ମୋତେ ନିଜ ଆଘାତର ଫଟୋ ଦେଖାଇଥିଲେ। ସେ କହିଥିଲେ, ଶରୀରରେ ଲାଗିଥିବା କଳା ଓ ନୀଳ ରଙ୍ଗର ଦାଗ ମଇ ୫ ତାରିଖରେ ଲାଠିମାଡ଼ କାରଣରୁ ହୋଇଛି। ସେ କୁହନ୍ତି, “ଏ ସବୁ ନହେବା ଉଚିତ୍ ଥିଲା। ଯଦି ସେମାନଙ୍କ ପାଖରେ ଯଥେଷ୍ଟ ଟିକା ନଥିଲା, ତା’ହେଲେ ଆମକୁ ଡାକିଥିଲେ କାହିଁକି?’’

ଟିକାର ଅଭାବ ଭାରତରେ କୋଭିଡ-୧୯ ଟିକାକରଣ ଅଭିଯାନକୁ ପ୍ରଭାବିତ କରିଛି, ଯାହାକି ୧୬ ଜାନୁଆରୀ, ୨୦୨୧ ଠାରୁ ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ସ୍ୱାସ୍ଥ୍ୟ ସେବା କର୍ମୀ ଏବଂ ସମ୍ମୁଖ କର୍ମଚାରୀମାନଙ୍କୁ ଟିକା ଦିଆଯାଇଥିଲା।

ମାର୍ଚ୍ଚ ପହିଲା ଠାରୁ, ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ସବୁ ଲୋକମାନେ ଟିକା ନେବା ପାଇଁ ଯୋଗ୍ୟ ହୋଇଥିଲେ। କିନ୍ତୁ, ପ୍ରକୃତ ସମସ୍ୟା ଏପ୍ରିଲରେ ଆରମ୍ଭ ହେଲା, ଯେତେବେଳେ ୪୫ରୁ ୪୯ ବର୍ଷ ବୟସର ଲୋକମାନଙ୍କୁ ଟିକା ଦିଆଗଲା ଓ ଡୋଜର ଅଭାବ ଦେଖାଦେଲା।

କେନ୍ଦ୍ର ସରକାରଙ୍କ ଦ୍ୱାରା ଅସମାନ ଟିକା ବିତରଣକୁ ଟିକା ଅଭାବର ମୁଖ୍ୟ କାରଣ ବୋଲି କହି, ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ପ୍ରେସ ଟ୍ରଷ୍ଟ ଅଫ ଇଣ୍ଡିଆ (ପିଟିଆଇ)କୁ କହିଥିଲେ, “ମହାରାଷ୍ଟ୍ରକୁ ଗୁରୁବାର (ଏପ୍ରିଲ ୮) ଦିନ ୭.୫ ଲକ୍ଷ ଟିକା ଡୋଜ ଯୋଗାଇ ଦିଆଯାଇଥିଲା। ହେଲେ ଉତ୍ତର ପ୍ରଦେଶକୁ ୪୮ ଲକ୍ଷ, ମଧ୍ୟପ୍ରଦେଶକୁ ୪୦ ଲକ୍ଷ, ଗୁଜରାଟକୁ ୩୦ ଲକ୍ଷ ଏବଂ ହରିୟାଣାକୁ ୨୪ ଲକ୍ଷ ଡୋଜ ଦିଆଯାଇଥିଲ।” ସେତେବେଳେ, ମହାରାଷ୍ଟ୍ରରେ ସବୁଠୁ ଅଧିକ ସକ୍ରିୟ ମାମଲା ଥିଲା ଏବଂ ଦେଶରେ ସବୁଠୁ ଅଧିକ ଟିକାର ଆବଶ୍ୟକତା ମହାରାଷ୍ଟ୍ରକୁ ହିଁ ରହିଥିଲା।

ଯେମିତି ୧୮-୪୪ ବର୍ଷ ବୟସ୍କ (୧ ମଇ ଠାରୁ) ଲୋକମାନଙ୍କ ପାଇଁ ଟିକା ମିଳିବା ଆରମ୍ଭ ହେଲା, ଏହାକୁ କିଛି ଦିନ ମଧ୍ୟରେ ବନ୍ଦ କରି ଦିଆଗଲା। ରାଜ୍ୟ ସରକାର ନିଷ୍ପତ୍ତି ନେଲେ ଯେ ଉପଲବ୍ଧ ଟିକା ପ୍ରଥମେ ବୟସ୍କ ଲୋକମାନଙ୍କୁ ଦିଆଯିବ।

ଟିକା ଅଭାବ କାରଣରୁ, ଗ୍ରାମୀଣ ଇଲାକାରେ ଟିକାକରଣ ଗତି ଧିମେଇ ଯାଇଥିଲା।

୩୧ମଇ ସୁଦ୍ଧା ବିଡ୍‌ର ମାତ୍ର ୧୪.୪ ପ୍ରତିଶତ ଜନସଂଖ୍ୟା, ଅର୍ଥାତ୍ ପାଖାପାଖି ୨.୯୪ ଲକ୍ଷ ଲୋକଙ୍କୁ ଟିକାର ପ୍ରଥମ ଡୋଜ ଦିଆଯାଇଛି। ମାତ୍ର ୪.୫ ପ୍ରତିଶତ ଲୋକଙ୍କୁ ଟିକାର ଦୁଇଟି ଡୋଜ ଦିଆଯାଇପାରିଛି।

ଜିଲ୍ଲା ଟିକାକରଣ ଅଧିକାରୀ ସଞ୍ଜୟ କଦମ କୁହନ୍ତି ଯେ ବିଡ୍‌ର ଲକ୍ଷ୍ୟ ହେଉଛି ସବୁ ବୟସ ବର୍ଗର ୨୦.୪ ଲକ୍ଷ ଲୋକଙ୍କୁ ଟିକାକରଣ କରିବା। ୩୧ ମଇ ସୁଦ୍ଧା ବିଡ୍ର ମାତ୍ର ୧୪.୪ ପ୍ରତିଶତ ଜନସଂଖ୍ୟା, ଅର୍ଥାତ୍ ପାଖାପାଖି ୨.୯୪ ଲକ୍ଷ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ମାତ୍ର ୪.୫ ପ୍ରତିଶତ ଲୋକ (୯୧,୭୦୦)ଙ୍କୁ ଟିକାର ଦୁଇଟି ଡୋଜ୍ ଦିଆଯାଇପାରିଛି।

ବିଡ୍‌ର ୪୫ କିମ୍ବା ତା’ଠାରୁ ଅଧିକ ବୟସ୍କ ୯.୧ ଲକ୍ଷ ଲୋକମାନଙ୍କ ମଧ୍ୟରୁ ୨୫.୭ ପ୍ରତିଶତଙ୍କୁ ପ୍ରଥମ ଡୋଜ୍ ମିଳିସାରିଛି, କିନ୍ତୁ ମାତ୍ର ୭ ପ୍ରତିଶତ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି। ଜିଲ୍ଲାର ୧୮-୪୪ ବର୍ଷ ବୟସ୍କ ୧୧ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ୧୧,୭୦୦, ଅର୍ଥାତ୍ ପାଖାପାଖି ୧ ପ୍ରତିଶତ ଲୋକଙ୍କୁ ୩୧ ମଇ ସୁଦ୍ଧା ପ୍ରଥମ ଡୋଜ ଦିଆଯାଇପାରିଥିଲା।

ଦେଖିବାକୁ ଗଲେ ମହାରାଷ୍ଟ୍ରରେ, କୋଭିଶିଲ୍ଡ ଓ କୋଭାକ୍ସିନ, ଉଭୟ ଟିକା ଦିଆଯାଉଛି, କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ଡୋଜ କୋଭିଶିଲ୍ଡର ହିଁ ଦିଆଯାଉଛି। ବିଡ୍ ସରକାରୀ ଟିକାକରଣ କେନ୍ଦ୍ରକୁ ରାଜ୍ୟ କୋଟାରୁ ଟିକା ମିଳୁଛି, ଏବଂ ଲୋକମାନଙ୍କୁ ମାଗଣାରେ ଦିଆଯାଉଛି।

ତେବେ, ଏଠାରୁ ୪୦୦ କିଲୋମିଟର ଦୂର ମୁମ୍ବାଇ ଘରୋଇ ଡାକ୍ତରଖାନାଗୁଡ଼ିକରେ ଗୋଟିଏ ଡୋଜ ପାଇଁ ୮୦୦-୧୫୦୦ ଟଙ୍କା ଅସୁଲ କରାଯାଉଛି। ଧନୀ ଓ ସହରୀ ମଧ୍ୟମ-ବର୍ଗ ଟିକାକରଣ ଲାଗି ପ୍ରିମିୟମ ପଇଠ କରୁଛନ୍ତି। ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସେମାନେ କୋଭିଶିଲ୍ଡର କ୍ରୟମୂଲ୍ୟ ଠାରୁ ୧୬-୬୬ ପ୍ରତିଶତରୁ ଅଧିକ ଏବଂ କୋଭାକ୍ସିନ ପାଇଁ ୪ ପ୍ରତିଶତରୁ ଅଧିକ ଅର୍ଥ ବ୍ୟୟ କରୁଛନ୍ତି।

ଘରୋଇ ଡାକ୍ତରଖାନାଗୁଡ଼ିକୁ ଦେଶରେ ପ୍ରସ୍ତୁତ ହେଉଥିବା ଟିକାର ୨୫ ପ୍ରତିଶତ ଟିକା କ୍ରୟ ନିମନ୍ତେ ଅନୁମତି ଦେବା, କେନ୍ଦ୍ର ସରକାରଙ୍କ ନୂଆ ଜାତୀୟ ଟିକାକରଣ ରଣନୀତିର ଏକ ଅଂଶବିଶେଷ, ଯାହା ୧ ମଇ ଠାରୁ ଲାଗୁ ହୋଇଛି। ଘରୋଇ ଡାକ୍ତରଖାନା ପକ୍ଷରୁ କିଣାଯାଇଥିବା ଡୋଜର ଉପଯୋଗ ମୁଖ୍ୟତଃ ୧୮-୪୪ ବର୍ଷ ବୟସ୍କଙ୍କ ପାଇଁ କରାଯାଉଛି।

At first, Prasad Sarvadnya was hesitant to get vaccinated. He changed his mind when cases of Covid-19 started increasing in Beed
PHOTO • Parth M. N.

ପ୍ରଥମରୁ , ପ୍ରସାଦ ସର୍ବଜ୍ଞ ଟିକା ନେବାକୁ କୁଣ୍ଠାବୋଧ କରୁଥିଲେ। ବିଡ୍‌ରେ ଯେତେବେଳେ କୋଭିଡ-୧୯ ମାମଲା ବଢ଼ିବାକୁ ଲାଗିଲା , ସେ ନିଜର ବିଚାର ବଦଳାଇ ଦେଲେ।

ତେବେ, ଟିକାକରଣ ରଣନୀତିକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିଥିଲେ। ଜୁନ ୨ ତାରିଖରେ ଅଦାଲତ କହିଥିଲେ ଯେ ରାଜ୍ୟଗୁଡ଼ିକୁ ଘରୋଇ ହସ୍ପିଟାଲ ସହ ସମାନ ୨୫ ପ୍ରତିଶତ କୋଟା ଦିଆଯିବା “ଅତ୍ୟନ୍ତ ଅସଙ୍ଗତ ଏବଂ ସାମାଜିକ ବାସ୍ତବତାକୁ ସ୍ପର୍ଶ ସୁଦ୍ଧା କରୁନାହିଁ।” କୋର୍ଟ କହିଥିଲେ ଯେ, ଯଦି ବୃହତ ଜନସଂଖ୍ୟାର ଟିକାକରଣର ଦାୟିତ୍ୱ ରାଜ୍ୟଗୁଡ଼ିକ ଗ୍ରହଣ କରିବେ, ତା’ହେଲେ “ଘରୋଇ ଡାକ୍ତରଖାନାଗୁଡ଼ିକୁ ଦିଆଯାଉଥିବା ଟିକାର କୋଟାକୁ ହ୍ରାସ କରାଯିବା ଆବଶ୍ୟକ।”

ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ଇଣ୍ଟରନେଟର ଅସମାନ ଉପଲବ୍ଧତା, ୧୮-୪୪ ବର୍ଷ ଆୟୁ ବର୍ଗର ଲୋକମାନଙ୍କ ମଧ୍ୟରେ ଅସମାନ ଟିକାକରଣର କାରଣ ହୋଇଛି, ଯେଉଁମାନେ କେବଳ କୋୱିନ୍ ପ୍ଲାଟଫର୍ମ ଜରିଆରେ ଆପଏଣ୍ଟମେଣ୍ଟ ନେଇପାରିବେ। ସୁପ୍ରିମକୋର୍ଟ କହିଥିଲେ : “ଦେଶର ଟିକାକରଣ ନୀତି ୧୮-୪୪ ବର୍ଷ ବୟସ୍କ ଗୁରୁତ୍ୱପୂର୍ଣ୍ଣ ଜନସଂଖ୍ୟାର ଟିକାକରଣ ବିଶେଷ କରି ଡିଜିଟାଲ ପୋର୍ଟାଲ ଉପରେ ନିର୍ଭରଶୀଳ। ତେଣୁ ଡିଜିଟାଲ ବିଭାଜନ କାରଣରୁ ଏହି ନୀତି ସାର୍ବଜନୀନ ଟିକାକରଣର ଲକ୍ଷ୍ୟକୁ ସମ୍ପୂର୍ଣ୍ଣ କରିବାରେ ଅସମର୍ଥ ହେବ।”

ଜାତୀୟ ନମୁନା ସର୍ବେକ୍ଷଣ (୨୦୧୭-୧୮) ଅନୁଯାୟୀ, ମହାରାଷ୍ଟ୍ରରେ ମାତ୍ର ୧୮.୫ପ୍ରତିଶତ ଗ୍ରାମୀଣ ପରିବାର ନିକଟରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ଥିଲା। ଏହାବ୍ୟତୀତ ଗ୍ରାମୀଣ ମହାରାଷ୍ଟ୍ରରେ ପ୍ରତି ୬ ଜଣଙ୍କ ମଧ୍ୟରୁ ମାତ୍ର ଜଣେ ବ୍ୟକ୍ତିଙ୍କ ନିକଟରେ “ଇଣ୍ଟରନେଟ ସୁବିଧା ଉପଯୋଗ କରିବାର କ୍ଷମତା” ରହିଥିଲା। ମହିଳାମାନଙ୍କ ମଧ୍ୟରେ ଏହି ତଥ୍ୟ ୧୧ ଜଣଙ୍କ ମଧ୍ୟରୁ ମାତ୍ର ଜଣଙ୍କ ନିକଟରେ ରହିଥିଲା।

ଯଦି କିମ୍ବା ଯେତେବେଳେ ମହାମାରୀର ତୃତୀୟ ଲହରୀ ଆସିବ, ତା’ହେଲେ ବର୍ତ୍ତମାନର ହାର ହିସାବରେ, କେବଳ ପ୍ରଯୁକ୍ତି ଦୃଷ୍ଟିରୁ ସକ୍ଷମ, ଧନୀ ଏବଂ ସହରୀ ମଧ୍ୟମବର୍ଗର ଭାରତୀୟମାନଙ୍କର ଜୀବନ ରକ୍ଷା କରାଯାଇପାରିବ। ଓସମାନାବାଦ ଜିଲ୍ଲା ଡାକ୍ତରଖାନାର ପୂର୍ବତନ ସିଭିଲ ସର୍ଜନ ଡା. ରାଜକୁମାର ଗଲାଣ୍ଡେ କୁହନ୍ତି ଯେ “ବିଡ୍ ଭଳି ସ୍ଥାନରେ ଲୋକମାନଙ୍କ ପ୍ରତି ମହାମାରୀର ଭୟ ଆଗକୁ ମଧ୍ୟ ଲାଗି ରହିବ।”

ଗଲାଣ୍ଡେ କୁହନ୍ତି ଯେ ଯଦି ଟିକାକରଣ ଗତି ବଢ଼ିବ ନାହିଁ, ତା’ହେଲେ ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ଲାଗି ରହିବ। ସେ କୁହନ୍ତି, “ଏହି ବିପଦ ଗ୍ରାମୀଣ କ୍ଷେତ୍ରରେ ଅଧିକ ରହିଛି, କାରଣ ଏସବୁ ଅଞ୍ଚଳରେ ସ୍ୱାସ୍ଥ୍ୟ ସହ ଜଡ଼ିତ ମୌଳିକ ଭିତ୍ତିଭୂମି ସହରୀ ଅଞ୍ଚଳ ଭଳି ଭଲ ନୁହେଁ। କୋଭିଡ-୧୯ ସଂକ୍ରମଣ ବୃଦ୍ଧିକୁ ପ୍ରତିହତ କରିବା ଲାଗି, ଆମକୁ ଟିକାକରଣ ଜରିଆରେ ଆମ ଗ୍ରାମାଞ୍ଚଳକୁ ପ୍ରଥମେ ସୁରକ୍ଷିତ କରାଯିବା ଉଚିତ୍।”

Sangeeta Kale, a 55-year-old farmer in Neknoor village, hasn't taken the vaccine because she's afraid of falling ill afterwards
PHOTO • Parth M. N.

ନେକନୁର ଗ୍ରାମର ୫୫ ବର୍ଷୀୟା କୃଷକ ସଙ୍ଗୀତା କାଲେ ଟିକା ନେଇନାହାନ୍ତି , କାରଣ ଏହାପରେ ଅସୁସ୍ଥ ହୋଇଯିବାର ଭୟ ତାଙ୍କୁ ଲାଗି ରହିଛି।

ବର୍ତ୍ତମାନର ସ୍ଥିତିକୁ ନେଇ ସରକାରୀ ସ୍ତରରେ ଗମ୍ଭୀରତା ପ୍ରଦର୍ଶନ କରାଯାଉନଥିଲେ ମଧ୍ୟ, ବିଡ୍‌ର ଲୋକମାନେ ଏହାକୁ ଅନୁଭବ କରୁଛନ୍ତି। ନେକନୁରରେ ୧୮ ଏକର ଜମିର ମାଲିକ ୪୮ ବର୍ଷୀୟ କୃଷକ ପ୍ରସାଦ ସର୍ବଜ୍ଞ କହିଥାନ୍ତି, “ପ୍ରଥମେ ପ୍ରଥମେ ଲୋକମାନେ ପଛଘୁଞ୍ଚା ଦେଉଥିଲେ, ଦ୍ୱନ୍ଦ୍ୱ ଭିତରେ ଥିଲେ। ମୁଁ ମଧ୍ୟ ସେପରି ଅନୁଭବ କରୁଥିଲି।” ସେ ଆହୁରି କୁହନ୍ତି, “ଯେତେବେଳେ ଆପଣ ଶୁଣନ୍ତି ଯେ ଜ୍ୱର ଓ ଦେହହାତ ବିନ୍ଧିବା କରୋନାର ଲକ୍ଷଣ ହୋଇପାରେ, ଏବଂ ଏହାପରେ ଆପଣ ଜାଣନ୍ତି ଯେ ଟିକା ନେବା ପରେ ଆପଣଙ୍କୁ ଜ୍ୱର ହୋଇପାରେ, ଆପଣ ନିଶ୍ଚିତ ଭାବେ ଏହା ଚାହିଁବେ ନାହିଁ।”

ତେବେ, ମାର୍ଚ୍ଚ ଶେଷ ଭାଗରେ ଯେତେବେଳେ ମାମଲା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଲା, ଲୋକମାନେ ଡରିଗଲେ; ପ୍ରସାଦ କୁହନ୍ତି, “ଏବେ ସମସ୍ତେ ଟିକା ନେବା ପାଇଁ ଚାହୁଁଛନ୍ତି।”

ମାର୍ଚ୍ଚର ଶେଷ ଭାଗରେ ଯେତେବେଳେ ପ୍ରସାଦ ନିଜ ଗ୍ରାମ ଠାରୁ ପାଖାପାଖି ୫ କିଲୋମିଟର ଦୂରରେ ଥିବା ଭ୍ୟାକ୍ସିନେସନ ସେଣ୍ଟରକୁ ଯାଇଥିଲେ, ଲୋକମାନେ ନିଜର ପାଳି ଆସିବା ଅପେକ୍ଷାରେ ଭିଡ଼ କରିଛନ୍ତି। କେହି ଜଣେ ହେଲେ ଶାରୀରିକ ଦୂରତା ବଜାୟ ରଖିବାର ନିୟମ ପାଳନ କରୁନଥିଲେ। ସେ କୁହନ୍ତି, “ଏଠାରେ କେହି ଜଣେ ହେଲେ କୋ-ୱିନ୍‌ ପ୍ଲାଟଫର୍ମର ଉପଯୋଗ କରନ୍ତି ନାହିଁ। ଏପରିକି ସ୍ମାର୍ଟଫୋନ ଥିବା ଲୋକମାନଙ୍କ ପାଇଁ ସ୍ଲଟ୍ ବୁକ୍ କରିବା ମଧ୍ୟ କଷ୍ଟକର ହୋଇଯାଏ। ଆମେ ଆମ ଆଧାର କାର୍ଡ ସହିତ ସେଣ୍ଟରକୁ ଯାଇଥାଉ, ଏବଂ ଆପଏଣ୍ଟମେଣ୍ଟ ନେଇଥାଉ।”

କିଛି ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ପ୍ରସାଦଙ୍କୁ ନିଜର ପ୍ରଥମ ଡୋଜ୍ ମିଳିଥିଲା। କିଛି ଦିନ ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସହିତ ସେଣ୍ଟରରେ ଥିବା କିଛି ଲୋକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପ୍ରସାଦ କୁହନ୍ତି, “ଏହାକୁ ନେଇ ମୁଁ ଚିନ୍ତିତ ଥିଲି। ମୋତେ ଜ୍ୱର ମଧ୍ୟ ଛାଡ଼ିଲା ନାହିଁ, ମୁଁ ନିଜର ଟେଷ୍ଟ କରାଇଲି ଏବଂ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଲି। ଭଗବାନଙ୍କୁ ଧନ୍ୟବାଦ ଯେ ମୁଁ ବିନା କୌଣସି ସମସ୍ୟାରେ ଠିକ୍ ହୋଇଗଲି।” ମଇ ଦ୍ୱିତୀୟ ସପ୍ତାହରେ ସେ ଟିକାର ଦ୍ୱିତୀୟ ଡୋଜ୍ ନେଇଥିଲେ।

ବର୍ତ୍ତମାନ ବିଡ୍‌ରେ ଥିବା ଟିକାକରଣ କେନ୍ଦ୍ରଗୁଡ଼ିକରେ ଭିଡ଼ ଏଡ଼ାଇବା ପାଇଁ ଟୋକନ ଜାରି କରାଯାଉଛି-ଦିନକୁ ପାଖାପାଖି ୧୦୦ଟି। ହେଲେ ଏହା ସେତେଟା ସହାୟକ ହେଉନାହିଁ ବୋଲି କୁହନ୍ତି ୫୫ ବର୍ଷୀୟ ସଙ୍ଗୀତା କାଲେ, ଯିଏକି ନିଜର ୫ ଏକର ଜମିରେ ସୋୟାବିନ ଓ ହରଡ଼ ଚାଷ କରିଥାନ୍ତି। “ପୂର୍ବରୁ, ଟିକା ନେବାକୁ ଭିଡ଼ ହେଉଥିଲା। ଏବେ ଟୋକନ ପାଇଁ ଭିଡ଼ ହେଉଛି”, ସେ କୁହନ୍ତି। “ତେବେ ଟୋକନ ବଣ୍ଟା ସରିଗଲେ ଲୋକମାନେ ଚାଲିଯାଉଛନ୍ତି ଫଳରେ ଭିଡ଼ କମିଯାଉଛି। ତେଣୁ ଭିଡ଼ ସାରା ଦିନ ହେବା ପରିବର୍ତ୍ତେ କେବଳ ସକାଳ କିଛି ଘଣ୍ଟା ପାଇଁ ହେଉଛି।”

ସଙ୍ଗୀତା ପ୍ରଥମ ଡୋଜ୍ ସୁଦ୍ଧା ନେଇନାହାନ୍ତି କାରଣ ସେ ଡରି ଯାଇଛନ୍ତି। ଟୋକନ ନେବା ଲାଗି ତାଙ୍କୁ ସକାଳ ୬ଟାରୁ ସେଣ୍ଟରକୁ ଯିବାକୁ ପଡ଼ିବ। ସେ କୁହନ୍ତି, “ସକାଳୁ ସକାଳୁ ମଧ୍ୟ ଅନେକ ଲୋକ ଲାଇନରେ ଛିଡ଼ା ହୋଇଯାଉଛନ୍ତି, ଏହା ବିପଜ୍ଜନକ। ମୁଁ ଏପର୍ଯ୍ୟନ୍ତ ନିଜର ପ୍ରଥମ ଡୋଜ୍ ନେଇନାହିଁ, କାରଣ ଏହାପରେ ମୋତେ ହେବାକୁ ଥିବା ଜ୍ୱର ପାଇଁ ମୋତେ ଡର ଲାଗୁଛି।”

PHOTO • Parth M. N.

୯୪ବର୍ଷୀୟା ରୁକ୍ମିଣୀ ସିନ୍ଦେ ନିଜର ଦ୍ୱିତୀୟ ଡୋଜ୍ ପାଇବା ଅପେକ୍ଷାରେ ଅଛନ୍ତି ସେ କୋଭିଡ-୧୯ ଟିକାକୁ ନେଇ ନିଜ ପଡ଼ୋଶୀଙ୍କ ମନରେ ରହିଥିବା ଡରକୁ ଦୂର କରୁଛନ୍ତି

ସଙ୍ଗୀତାଙ୍କ ପଡ଼ୋଶୀ ରୁକ୍ମିଣୀ ସିନ୍ଦେ ତାଙ୍କୁ କୁହନ୍ତି, “କିଛି ହେବ ନାହିଁ। ତୁମର ସାମାନ୍ୟ ଦେହହାତ ବିନ୍ଧା ହୋଇପାରେ। ବାସ୍ ସେତିକି। ମୋର ତାହା ମଧ୍ୟ ହେଲା ନାହିଁ।”

ରୁକ୍ମିଣୀଙ୍କୁ ୯୪ ବର୍ଷ ହେଲାଣି, ଏବଂ ତାଙ୍କ ଆଖିରେ ଗୋଟିଏ ଶତାବ୍ଦୀର ଦୃଶ୍ୟ ରହିଛି।  ମୁଁ ଯେତେବେଳେ ତାଙ୍କୁ ପଚାରେ ଯେ ଆପଣଙ୍କୁ ବୟସ କେତେ ହେଲାଣି, ସେ ମୋତେ କୁହନ୍ତି, “ଶହେ ବର୍ଷରୁ ଛଅ ବର୍ଷ କମ୍।” ସେ ଏପ୍ରିଲର ମଧ୍ୟଭାଗରେ ପ୍ରଥମ ଡୋଜ୍ ନେଇଥିଲେ। ସେ ମୋତେ କୁହନ୍ତି, “ମୁଁ ଏବେ ନିଜର ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ରହିଛି, ଦିନର ବ୍ୟବଧାନ ବଢ଼ାଇ ଦିଆଯାଇଛି।”

ମଇ ମାସର ଦ୍ୱିତୀୟ ସପ୍ତାହରେ, କୋଭିଶିଲ୍ଡର ଦୁଇ ଡୋଜ୍ ମଧ୍ୟରେ ସମୟ ବ୍ୟବଧାନକୁ ୬-୮ ସପ୍ତାହ ପରିବର୍ତ୍ତେ ୧୨-୧୬ ସପ୍ତାହକୁ ବଢ଼ାଇ ଦିଆଯାଇଥିଲା। ନୂତନ ଅଧ୍ୟୟନ ଆଧାରରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିଲେ, ଯେଉଁଥିରେ ଦୁଇଟି ଡୋଜ୍ ମଧ୍ୟରେ ଅଧିକ ବ୍ୟବଧାନ ରହିବା କାରଣରୁ ଭଲ ଫଳାଫଳ ମିଳିଥିଲା। ଏହାଫଳରେ, ଟିକା ନିର୍ମାତା ଓ ସରକାରଙ୍କୁ ଟିକା ଉତ୍ପାଦନ ଏବଂ ବିତରଣ ଲାଗି ଅଧିକ ସମୟ ମଧ୍ୟ ମିଳିଯାଇଛି।

ତେବେ, ଅଧିକରୁ ଅଧିକ ମାତ୍ରାରେ ଟିକା ଦିଆଯିବାର ଆବଶ୍ୟକତା ରହିଛି।

ସମଗ୍ର ବିଡ୍ ଜିଲ୍ଲାରେ ୩୫୦ଟି ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ଜଣେ ସହାୟକ ନର୍ସ (ଏଏନଏମ) ଦୈନିକ ୩୦୦ ଲୋକଙ୍କୁ ଟିକା ଦେଇପାରିବେ ବୋଲି ଜଣେ ପ୍ରଶାସନିକ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଥିଲେ। ସେ କୁହନ୍ତି, “ଯଦି ଆମେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଜଣେ ଏଏନଏମଙ୍କୁ ନିୟୋଜିତ କରିବୁ, ତାହେଲେ ଆମେ ଗୋଟିଏ ଦିନରେ ୧.୦୫ ଲକ୍ଷ ଲୋକଙ୍କୁ ଟିକା ଦେଇପାରିବୁ। କିନ୍ତୁ, ଯଥେଷ୍ଟ ମାତ୍ରାରେ ଟିକା ଉପଲବ୍ଧ ନାହିଁ, ସେଥିପାଇଁ ଆମେ ଦୈନିକ ହାରାହାରୀ  ୧୦,୦୦୦ ଲୋକଙ୍କୁ ଟିକା ଦେଉଛୁ।”

ଅଧିକାରୀ ଜଣଙ୍କ କୁହନ୍ତି, “ଯଦି ଏହା ଏହିପରି ଭାବେ ଚାଲିବ, ତା’ହେଲେ ଜିଲ୍ଲାର ସମଗ୍ର ଜନସଂଖ୍ୟାର ଟିକାକରଣ ନିମନ୍ତେ ଅତିକମ୍‌ରେ ଗୋଟିଏ ବର୍ଷ ଲାଗିଯିବ। ଅନ୍ୟପଟେ ଆଉ କିଛି ମାସ ମଧ୍ୟରେ ତୃତୀୟ ଲହରୀ ଆସିଯିବ।”

ପରିଶିଷ୍ଟ ଭାଗ : ଜୁନ ୭ତାରିଖ ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଉଦବୋଧନରେ ଜାତୀୟ ଟିକାକରଣ ନୀତିରେ ପରିବର୍ତ୍ତନ ପାଇଁ ଘୋଷଣା କରିଥିଲେ। ରାଜ୍ୟଗୁଡ଼ିକ କ୍ରୟ କରୁଥିବା ଟିକାର କୋଟା କେନ୍ଦ୍ର ସରକାର ନିଜେ କିଣିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏବେ ଟିକା ଉତ୍ପାଦନର ୭୫ ପ୍ରତିଶତ ଭାଗ କେନ୍ଦ୍ର ସରକାର କ୍ରୟ କରିବେ। ଘରୋଇ ଡାକ୍ତରଖାନାଗୁଡ଼ିକୁ ପୂର୍ବ ଭଳି ସେମାନଙ୍କର ୨୫ ପ୍ରତିଶତ ଭାଗ ମିଳି ଚାଲିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ଟିକା ଯୋଗାଇ ଦିଆଯିବ , ହେଲେ ଟିକା ବିତରଣ ଲାଗି ବର୍ତ୍ତମାନର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ କି ନାହିଁ ତାହା ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିନଥିଲେ। ସମସ୍ତ ପ୍ରାପ୍ତ ବୟସ୍କ ( ୧୮ ବର୍ଷ କିମ୍ବା ତତୋଧିକ ବୟସ ) ଙ୍କୁ ସରକାରଙ୍କ ପକ୍ଷରୁ ପରିଚାଳିତ କେନ୍ଦ୍ରରେ ମାଗଣାରେ ଟିକା ଦିଆଯିବ , ଘରୋଇ ଡାକ୍ତରଖାନାଗୁଡ଼ିକରେ ଟିକା ମୂଲ୍ୟ ବ୍ୟତୀତ ସେବା ଶୁଳ୍କ ଆକାରରେ ମାତ୍ର ୧୫୦ ଟଙ୍କା ଆଦାୟ କରିବା ଲାଗି ଅନୁମତି ଦିଆଯାଇଛି।  ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ନୀତି ୨୧ ଜୁନ ଠାରୁ ଲାଗୁ ହେବ। ସେ ଆହୁରି ମଧ୍ୟ କହିଥିଲେ ଯେ କୋ - ୱିନ୍‌ ପ୍ଲାଟଫର୍ମକୁ ପ୍ରତ୍ୟେକ ସ୍ଥାନରେ ପ୍ରଶଂସା କରାଯାଉଛି

ଅନୁବାଦ: ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE