ନିଜ ଭଉଣୀର ମୃତ୍ୟୁକୁ ବର୍ଣ୍ଣନା କରି ସୁବାସ କାବଡେ କୁହନ୍ତି, "ମୁଁ ଜାଣିନାହିଁ ତା ମୃତ୍ୟୁର ପ୍ରକୃତ କାରଣ କ’ଣ କିନ୍ତୁ ମୁଁ ଜାଣିଛି ସେ ଆବଶ୍ୟକ କରୁଥିବା ଯତ୍ନ ତାକୁ ମିଳିନଥିଲା"।

ମହାରାଷ୍ଟ୍ରର ବିଡ୍‌ ସହରର ସିଭିଲ୍‌ ଚିକିତ୍ସାଳୟରେ ତାଙ୍କ ଭଉଣୀ ଲତା ସୁର୍ଭାସେଙ୍କ ମୃତ୍ୟୁର ପୂର୍ବ ଦିନ ରାତିରେ, ତାଙ୍କୁ ଦୁଇଟି ଇଞ୍ଜେକସନ୍‍ ତୁରନ୍ତ ଦେବା ପାଇଁ  ଜଣେ ଡାକ୍ତର ନିର୍ଦ୍ଧାରଣ କରିଥିଲେ। ତେଣୁ ସୁବାସ ବାହାରେ ଥିବା ମେଡିକାଲ ଷ୍ଟୋର୍‍କୁ ଶୀଘ୍ର ଯାଇ କିଛି ମିନିଟ୍‍ ମଧ୍ୟରେ ଇଞ୍ଜେକସନ୍‍ ନେଇ ଆସିଲେ। କିନ୍ତୁ ସେହି ସମୟ ବେଳକୁ ଡାକ୍ତର ଯାଇ ସାରିଥିଲେ।

୨୫ ବର୍ଷୀୟ ସୁବାସ କହିଲେ,"ତାଙ୍କୁ ଅନେକ ରୋଗୀଙ୍କୁ ଦେଖିବାର ଥିଲା ସେଥିପାଇଁ ସେ ଅନ୍ୟ ୱାର୍ଡକୁ ଚାଲିଯାଇଥିଲେ"। "ମୁଁ ନର୍ସଙ୍କୁ କହିଲି ସେହି ଇଞ୍ଜେକସନ୍‍ଗୁଡିକୁ ମୋ ଭଉଣୀକୁ ଦେବା ପାଇଁ କିନ୍ତୁ ଯେତେବେଳେ ସେ ଲତାର ଫାଇଲ୍ ଦେଖିଲେ, ସେ ଜାଣିବାକୁ ପାଇଲେ ଯେ ସେଥିରେ ଏହି ଇଞ୍ଜେକସନ୍‍ଗୁଡିକର ନାମ ଉଲ୍ଲେଖ ନଥିଲା। ମୁଁ ତାଙ୍କୁ ବୁଝେଇବାକୁ ଚେଷ୍ଟା କଲି ଯେ ଏଗୁଡିକ କିଛି ମିନିଟ୍‍ ପୂର୍ବରୁ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଛି ଏବଂ ଫାଇଲରେ ଲେଖା ନଥିବ।"

କିନ୍ତୁ ନର୍ସ ଜଣକ ତାଙ୍କ କଥା ଶୁଣିଲେ ନାହିଁ। ସୁବାସ କହିଲେ, ଯେତେବେଳେ ସେ ବ୍ୟାକୁଳ ହୋଇ ଇଞ୍ଜେକସନ୍‍ ଦେବାକୁ ପ୍ରାର୍ଥନା କଲେ, "ୱାର୍ଡ ଦାୟିତ୍ୱରେ ଥିବା ବ୍ୟକ୍ତି ଜଣକ ସୁରକ୍ଷା କର୍ମଚାରୀଙ୍କୁ ଡାକିବାର ଧମକ ଦେଲେ"। ରୋଗୀକୁ ଶେଷରେ ଇଞ୍ଜେକସନ୍‍ ଦେବା ପାଇଁ  ପ୍ରାୟ ଏକ ଘଣ୍ଟା ଏହି ଘଟଣାଟିକୁ ବୁଝିବା ପାଇଁ ଲାଗିଗଲା।

ପରଦିନ ସକାଳେ ତଥା ମଇ ୧୪ ତାରିଖ ଦିନ ଲତା ମୃତ୍ୟୁ ବରଣ କଲେ। ଏପ୍ରିଲ ୨୩ ତାରିଖ ଦିନ କୋଭିଡ ସଂକ୍ରମିତ ହେବାଠାରୁ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ବିଡ ସହରର ଓକିଲ ସୁବାସ କୁହନ୍ତି,"ତାଙ୍କଠାରେ ଆରୋଗ୍ୟ ଲାଭର ଲକ୍ଷଣମାନ ବାରମ୍ବାର ଦେଖା ଯାଉଥିଲେ"। ସେ ନିଶ୍ଚିତ ନୁହଁନ୍ତି ଯେ ସେମାନେ ତାଙ୍କୁ ଇଞ୍ଜେକସନ୍‍ ଠିକ୍‍ ସମୟରେ ଦେଇଥିଲେ କି  ନାହିଁ ଯାହାକି ଜୀବନ ରକ୍ଷା କରିପାରିଥାନ୍ତା। କିନ୍ତୁ ମୁଁ ସ୍ଥିର ନିଶ୍ଚିତ ଯେ ଚିକିତ୍ସାଳୟଟିରେ କର୍ମଚାରୀମାନଙ୍କର ଘୋର ଅଭାବ ରହିଛି। ସେ କୁହନ୍ତି,"ଏହା ରୋଗୀଙ୍କ ସେବାକୁ ପ୍ରଭାବିତ କରୁଛି।"

ଚଳିତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭହୋଇଥିବା କୋଭିଡ-୧୯ର ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭାରତର ଗ୍ରାମାଞ୍ଚଳରେ ଅତ୍ୟଧିକ ଚାପରେ ଥିବା ଜନସ୍ୱାସ୍ଥ୍ୟ ଭିତ୍ତିଭୂମି ଆଡକୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। କର୍ମଚାରୀମାନଙ୍କ ଘୋର ଅଭାବ , କ୍ଲାନ୍ତ ସ୍ୱାସ୍ଥ୍ୟକର୍ମୀ ଓ ଉତ୍ତମ ଚିକିତ୍ସାରୁ ବଂଚିତ ରୋଗୀ ହେଉଛି ଗ୍ରାମାଂଚଳର ଲକ୍ଷ ଲକ୍ଷ ଜନସାଧାରଣଙ୍କ ପାଇଁ ଉପଲବ୍ଧ ଥିବା ସ୍ୱାସ୍ଥ୍ୟ ସେବା।

Subash Kabade, whose sister died in the Beed Civil Hospital, says that the shortage of staff has affected the patients there
PHOTO • Parth M.N.

ସୁବାସ କାବାଡେ, ଯାହାଙ୍କର ଭଉଣୀ ବି ଡ୍ ସିଭି ଲ୍ ଚିକିତ୍ସାଳୟରେ ମୃତ୍ୟବରଣ କରିଥିଲେ, ସେ କହିଲେ ଯେ କର୍ମଚାରୀମାନଙ୍କ ଅଭାବ ସେଠାରେ ରୋଗୀମାନଙ୍କୁ ପ୍ରଭାବିତ କରିଛି

ଦ୍ୱିତୀୟ ଲହରର ପ୍ରଭାବ ବିଡ୍ରେ ଭୟଙ୍କର ଥିଲା, ମରାଠାୱାଡାରେ ଥିବା ଏହି ଅଞ୍ଚଳଟି ପୂର୍ବରୁ ଜଳବାୟୁ ପରିବର୍ତ୍ତନ, ଜଳାଭାବ ଓ କୃଷି ସମସ୍ୟା ସହ ସଂଘର୍ଷ କରୁଛି। ଜୁନ୍‍ ୨୫ ତାରିଖ ସୁଦ୍ଧା ଏହି ଜିଲ୍ଲାରେ ୯୨,୪୦୦ ସଂକ୍ରମିତ  ଓ  ପାଖାପାଖି ୨,୫୦୦ ମୃତ୍ୟୁ ପଞ୍ଜିକୃତ ହୋଇଛନ୍ତି। କିନ୍ତୁ ଦ୍ୱିତୀୟ ଲହର ଯେତେବେଳେ ଶିଖରରେ ପହଞ୍ଚିଥିଲା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଲା। ଏପ୍ରିଲ୍‌ ୧ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୨୬,୪୦୦ ଥିବା ବେଳେ ମଇ ୩୧ ବେଳକୁ ଏହା ୮୭,୪୦୦ରେ ପହଁଚି ଥିଲା। ବିଡ୍‌ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ରୋଗୀଙ୍କ ବୋଝରେ ଭୁଶୁଡି ପଡିଥିଲା।

ବିଡ୍‌ର ଅଧିକାଂଶ ରୋଗୀ ଚିକିତ୍ସା ନିମନ୍ତେ ସରକାରୀ ଚିକିତ୍ସାଳୟକୁ ଚୟନ କରିବାର କାରଣ ହେଉଛି ସେଠାରେ ମିଳୁଥିବା ମାଗଣା ସ୍ୱାସ୍ଥ୍ୟସେବା । ଦୀର୍ଘଦିନ ଧରି ଚାଲି ଆସୁଥିବା କୃଷି ସଙ୍କଟରୁ ଋଣ ମଧ୍ୟରେ ବୁଡି ରହିଥିବା ଏହି କୃଷିପ୍ରଧାନ ଜିଲ୍ଲାର ୨୬ ଲକ୍ଷରୁ ଅଧିକ ଜନସଂଖ୍ୟା ଦାରିଦ୍ର ଓ ଦୁର୍ଦ୍ଦଶା ମଧ୍ୟରେ ରହିବା ହେଉଛି ଏହାର ପ୍ରମୁଖ କାରଣ।

ଜିଲ୍ଲାରେ ଥିବା ୮୧ଟି କୋଭିଡ ସେବା କେନ୍ଦ୍ରକୁ ସାମାନ୍ୟ ଲକ୍ଷଣ ଥିବା ରୋଗୀମାନଙ୍କୁ ପ୍ରଥମେ ପଠାଯାଏ, ତିନୋଟିକୁ ବାଦ୍‍ ଦେଇ ଅନ୍ୟ ସମସ୍ତ କେନ୍ଦ୍ରଗୁଡିକ ସରକାରଙ୍କ ଦ୍ୱାରା ପରିଚାଳିତ। ଯେଉଁ ରୋଗୀମାନେ ସେଠାରେ ଆରୋଗ୍ୟ ଲାଭ କରନ୍ତି ନାହିଁ ସେମାନଙ୍କୁ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଏ। ବିଡ୍ରେ ୪୫ଟି ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି। କିନ୍ତୁ ମାତ୍ର ୧୦ଟି ସ୍ୱାସ୍ଥ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ। ୪୮ଟି ଉତ୍ସର୍ଗୀକୃତ କୋଭିଡ ଚିକିତ୍ସାଳୟ ମଧ୍ୟରୁ , ଯେଉଁଠାରେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଏ, ପାଞ୍ଚୋଟିକୁ ପ୍ରଶାସନ ପରିଚାଳନା କରନ୍ତି।

ଯଦିଓ ସରକାରୀ ସେବା କେନ୍ଦ୍ରରେ କର୍ମଚାରୀମାନଙ୍କ ଅଭାବ ଗୁରୁତର ଅଟେ।

ଏପରିକି କୋଭିଡର ଦ୍ୱିତୀୟ ଲହର ଶିଖରରେ ଥିବା ସମୟରେ, ବିଡ୍‌ରେ ଥିବା କୋଭିଡ କେନ୍ଦ୍ରଗୁଡିକରେ ଯଥେଷ୍ଟ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମୀ ନଥିଲେ। ଜିଲ୍ଲା ପ୍ରଶାସନ ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା ନିମନ୍ତେ ଅନୁମୋଦନ ପ୍ରଦାନ କରିଥିଲେ, ମାତ୍ର ଅନେକ ପଦ ପୂରଣ କରାଯାଇନଥିଲା।

ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (DHO) ରାଧାକୃଷ୍ଣ ପାୱାରଙ୍କ ଅନୁଯାୟୀ, ୩୩ ଟି ଅନୁମୋଦିତ ଡାକ୍ତର ପଦବୀ ମଧ୍ୟରୁ କେବଳ ନଅ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଆନାସ୍ଥେଟିଷ୍ଟଙ୍କ ପାଇଁ ଥିବା ସମସ୍ତ ୨୧ଟି ପଦବୀ ଖାଲି ରହିଥିଲା । ୧,୩୨୨ ଷ୍ଟାଫ୍‍ ନର୍ସ ଏବଂ ୧,୦୦୪ ‘ୱାର୍ଡ ବୟ’ (ୱାର୍ଡ ସହାୟକ) ପଦବୀ ମଧ୍ୟରୁ ଯଥାକ୍ରମେ ୪୪୮ ଏବଂ ୩୦୧ଟି ପୂରଣ ହୋଇନଥିଲା।

ମୋଟ ଉପରେ, ୧୬ ଟି ବର୍ଗରେ ୩,୧୯୪ ଅନୁମୋଦିତ ପଦବୀ ମଧ୍ୟରୁ ୩୪ ପ୍ରତିଶତ - ୧,୦୮୫ ପଦବୀ- ଖାଲି ଥିଲା, ଯାହାକି ନିୟୋଜିତ ଥିବା କର୍ମଚାରୀଙ୍କ ଉପରେ  ଅତ୍ୟଧିକ ଚାପ ପକାଉଥିଲା।

PHOTO • Parth M.N.

ଚିକିତ୍ସାଳୟରେ ଭର୍ତ୍ତିହେବାର ପର ଦିନ ଜ୍ୟୋତି କଦମଙ୍କର ସ୍ୱାମୀ ବାଲାସାହେବ ମୃତ୍ୟୁବରଣ କଲେ

ଯେତେବେଳେ ଦ୍ୱିତୀୟ ଲହର ଶିଖରରେ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଲା- ସଂକ୍ରମିତଙ୍କ ସଂଖ୍ୟା ଏପ୍ରିଲ୧ ରେ ରେକର୍ଡ କରାଯାଇଥିବା ୨୬,୪୦୦ ରୁ ମଇ ୩୧ତାରିଖ ଦିନ ୮୭,୪୦୦ରେ ପହଞ୍ଚିଲା। ରୋଗୀଙ୍କ ସଂଖ୍ୟା ବୃଦ୍ଧିରେ ବିଡ୍‌ର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡି ପଡ଼ିଲା।

ଯେତେବେଳେ ୩୮ ବର୍ଷୀୟ ବାଲାସାହେବ କଦମ ବିଡ୍ ସିଭିଲ ଚିକିତ୍ସାଳୟରେ ଏକ ଭେଣ୍ଟିଲେଟର ବେଡ୍‍ ପାଇଲେ, ତାଙ୍କର ସମ୍ପର୍କୀୟଙ୍କୁ ସରକାରୀ ଚିକିତ୍ସାଳୟର ଭଣ୍ଡାର ଘରୁ ଏକ ଅମ୍ଳଜାନ ସିଲିଣ୍ଡର ୱାର୍ଡକୁ ନେବାକୁ ପଡ଼ିଲା। ତାଙ୍କର ୩୩ ବର୍ଷୀୟ ସ୍ତ୍ରୀ ଜ୍ୟୋତି କହିଲେ,"ଯେତେବେଳେ ତାଙ୍କର ଅମ୍ଳଜାନ ସ୍ତର ଖସିବାକୁ ଲାଗିଲା ସେଠାରେ କୌଣସି ଚିକିତ୍ସାଳୟର କର୍ମଚାରୀ ନଥିଲେ।" "ତାଙ୍କର ଭାଇ ନିଜ କାନ୍ଧରେ ସିଲିଣ୍ଡର ବୋହି ନେଲେ ଏବଂ ୱାର୍ଡ ସହାୟକଙ୍କୁ କହି ଲଗାଇଦେଲେ"

କିନ୍ତୁ ବାଲାସାହେବ ବଞ୍ଚିପାରିଲେ ନାହିଁ। ଜ୍ୟୋତି କୁହନ୍ତି,"ସହରରୁ ୩୦ କିଲୋମିଟର ଦୂରରେ ଥିବା ୟେଲାମ୍ବଘାଟ ଗାଁ ର ନାଏବ ସରପଞ୍ଚ ବାଲାସାହେବ ଅଧିକାଂଶ ସମୟ ବାହାରେ ରହୁଥିଲେ।" "ଲୋକମାନେ ସେମାନଙ୍କର ସମସ୍ୟା ନେଇ ତାଙ୍କ ପାଖକୁ ଆସୁଥିଲେ।"

ଗାଁର  ସ୍କୁଲ୍‍ ଶିକ୍ଷୟିତ୍ରୀ ଜ୍ୟୋତି କୁହନ୍ତି, ବାଲାସାହେବ ୟେଲମ୍ବଘାଟରେ ଟିକା ବିଷୟରେ ସଚେତନତା ପ୍ରଚାର କରୁଥିଲେ। "ସେ ନିଶ୍ଚିତ କରିବାକୁ ଚେଷ୍ଟା କରୁଥିଲେ ଯେ ଲୋକମାନଙ୍କର ଟିକାକୁ ନେଇ କୌଣସି ସନ୍ଦେହ ନରହୁ। ତେଣୁ ସେ ଘରକୁ ଘର ବୁଲୁଥିଲେ।" ଜ୍ୟୋତି ବିଶ୍ୱାସ କରନ୍ତି ଯେ ଏହି ସମୟରେ ସେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ। ତାଙ୍କୁ ଏବେ ନିଜର  ୧୪ ବର୍ଷୀୟ ଓ ୯ବର୍ଷୀୟ ଦୁଇ ଝିଅଙ୍କ ଲାଳନ ପାଳନ ନିଜେ କରିବାକୁ ପଡ଼ିବ।

ଏପ୍ରିଲ ୨୫ରେ, ବାଲାସାହେବ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ ଯାହାକି ସଂକ୍ରମଣର ଲକ୍ଷଣ ଥିଲା। ତାଙ୍କର ବାପା ୬୫ ବର୍ଷୀୟ ଭଗୱତ କଦମ କହିଲେ,"ଏହାର ଗୋଟି ଦିନ ପୂର୍ବରୁ ସେ ଆମ ଫାର୍ମରେ କାମ କରୁଥିଲେ।ତାଙ୍କର ଅନ୍ୟ କୌଣସି ଅସୁସ୍ଥତା ନଥିଲା କିନ୍ତୁ ସେ ଏକ ଦିନ ମଧ୍ୟରେ ଚିକିତ୍ସାଳୟରେ ମୃତ୍ୟୁବରଣ କଲେ [ଏପ୍ରିଲ ୨୬ ରେ]  "ସେ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ, ଡାକ୍ତରମାନେ ରୋଗୀଙ୍କୁ ଆଶ୍ୱାସନା ଦେବା କଥା ଯେ ସେମାନେ ଠିକ୍‍ ହୋଇଯିବେ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ସେମାନଙ୍କ ପାଖରେ ଆଶ୍ୱାସନା ଦେବାକୁ ସମୟ ନାହିଁ।

ଯଦିଓ ଏଥିରେ ସଂକ୍ରମଣର ଆଶଙ୍କା ଥାଏ, କୋଭିଡ ରୋଗୀଙ୍କ ପରିବାର ସଦସ୍ୟ ୱାର୍ଡରେ ସେମାନଙ୍କର ଯତ୍ନ ନେବାକୁ ଜିଦ୍ ଧରିଥା’ନ୍ତି, ବିଶେଷତଃ ଯେତେବେଳେ ସେମାନେ ଦେଖନ୍ତି ଯେ ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବ ରହିଛି। ବିଡ୍ ସିଭିଲ ହସ୍ପିଟାଲରେ ଯେଉଁଠାରେ ଅଧିକାରୀମାନେ ସମ୍ପର୍କୀୟଙ୍କୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି, ସେଠାରେ ରୋଗୀଙ୍କ ସମ୍ପର୍କୀୟ, ଡାକ୍ତରଖାନା କର୍ମଚାରୀ ଏବଂ ପୋଲିସ ମଧ୍ୟରେ ନିୟମିତ ଯୁକ୍ତିତର୍କ ହୁଏ।

Bhagwat Kadam, Balasaheb's father, says his son was scared but the doctors didn't have time to assuage his fears
PHOTO • Parth M.N.

ବାଲାସାହେବଙ୍କ ବାପା ଭଗୱତ କଦମ କୁହନ୍ତି, ତାଙ୍କର ପୁଅ ଭୟଭୀତ ଥିଲା କିନ୍ତୁ ଡାକ୍ତରଙ୍କ ପାଖରେ ତାଙ୍କ ଭୟକୁ ଦୂର କରିବା ପାଇଁ ସମୟ ନଥିଲା

ଯଦିଓ ସମ୍ପର୍କୀୟମାନଙ୍କୁ ସେଠାରୁ ବାହାର କରିଦିଆଯାଏ, କୌଣସି ସୁଯୋଗ ମିଳିଲେ ସେଠାକୁ ଯାଇ ନିଜର ପ୍ରିୟ ପରିଜନଙ୍କୁ ଦେଖିବା ପାଇଁ ସେମାନେ ବାହାରେ ଅପେକ୍ଷା କରିଥାଆନ୍ତି। ଚିକିତ୍ସାଳୟ ବାହାରେ ଏକ ମୋଟରସାଇକେଲ୍‍ ଉପରେ ବସିଥିବା ୩୨ ବର୍ଷୀୟ ନିତିନ ସାଠେ କୁହନ୍ତି, "ଯଦି ଆମର ପ୍ରିୟ ପରିଜନଙ୍କର ଉପଯୁକ୍ତ ଯତ୍ନ ନିଆ ଯାଉଥାଆନ୍ତା ତେବେ ଆମେ ଏଠାକୁ ଆସୁନଥାନ୍ତୁ।" "ମୋର ପିତା ମାତା ଉଭୟଙ୍କ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ ଓ ସେମାନେ ଉଭୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଯଦି ସେମାନଙ୍କୁ ଭୋକ କିମ୍ବା ଶୋଷ ଲାଗେ ସେଠାରେ ପଚାରିବାକୁ କେହି ନାହାଁନ୍ତି।"

ସହରରେ ଏକ ବ୍ୟାଙ୍କରେ କିରାଣୀ ଭାବରେ କାମ କରୁଥିବା ସାଥେ କୁହନ୍ତି, ଭୟଭୀତ ରୋଗୀଙ୍କ ମାନସିକ ସ୍ଥିତିକୁ ସୁରକ୍ଷା ଦେବା ହେଉଛି ଗୁରୁତ୍ୱପୂର୍ଣ୍ଣ। "ମୁଁ ଯଦି ସେମାନଙ୍କ ପାଖରେ ରହିପାରନ୍ତି, ମୁଁ ସେମାନଙ୍କର ଯତ୍ନ ନେଇପାରନ୍ତି, ସେମାନଙ୍କୁ ଆଶ୍ୱାସନା ଦେଇପାରନ୍ତି। ତାହା ସେମାନଙ୍କର ମାନସିକ ସଂକଳ୍ପକୁ ଦୃଢ କରିବ। ଯଦି ତୁମେ ଏକାକୀ ରୁହ, ତେବେ ତୁମେ କେବଳ ଖରାପ ଘଟଣା ବିଷୟରେ ଚିନ୍ତା କରିବ ଯାହା ତୁମ ସହ ଘଟିପାରେ। ଏହା ତୁମର ଆରୋଗ୍ୟ ଲାଭ କରିବା ଉପରେ ପ୍ରତିକୂଳ ପ୍ରଭାବ ପକାଏ।"

ସାଠେ ଉପହାସ କରି କୁହନ୍ତି: “ଗୋଟିଏ ପଟେ ଆମକୁ ଚିକିତ୍ସାଳୟ ବାହାରେ ରହିବାକୁ ବାଧ୍ୟ କରାଯାଉଛି, ଅନ୍ୟପଟେ ରୋଗୀଙ୍କ ଯତ୍ନ ନେବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ କର୍ମଚାରୀ ନାହାଁନ୍ତି।’’

ମଇ ମାସ ଦ୍ୱିତୀୟ ସପ୍ତାହରେ, ଜିଲ୍ଲା ପ୍ରଶାସନକୁ ଏକ ଲଜ୍ଜାଜନକ ପରିସ୍ଥିତିର ସାମ୍‍ନା କରିବାକୁ ପଡ଼ିଲା ଯେତେବେଳେ ଜଣେ ସ୍ଥାନୀୟ ସାମ୍ବାଦିକ ପ୍ରକାଶ କଲେ ଯେ ସରକାରୀ ଗଣନାରେ ଅନେକ କୋଭିଡ-୧୯ରେ ମୃତକଙ୍କ ନାମ ନଥିଲା।

ଲୋକମତ ଖବରକାଗଜର ୨୯ ବର୍ଷୀୟ ସାମ୍ବାଦିକ ସୋମନାଥ ଖାତାଲ, ଶ୍ମଶାନରେ ଶବଦାହ କରାଯାଇଥିବା ମୃତକଙ୍କ ସଂଖ୍ୟା ଯାଞ୍ଚ କରିଥିଲେ ଓ ଏହାକୁ ସରକାରୀ ସଂଖ୍ୟା ସହ ତୁଳନା କରିଥିଲେ। ସେ ୧୦୫ ମୃତ୍ୟୁର ପାର୍ଥକ୍ୟ ପାଇଲେ। ସେ କୁହନ୍ତି, “ସମ୍ବାଦ ପ୍ରଚାର ହେବାର ଏକ ସପ୍ତାହ ମଧ୍ୟରେ ଜିଲ୍ଲା ପ୍ରଶାସନକୁ ୨୦୦ ରୁ ଅଧିକ ମୃତ୍ୟୁକୁ ସରକାରୀ ତାଲିକାରେ ଯୋଗ କରିବାକୁ ପଡିଥିଲା। ସେମାନଙ୍କ ମଧ୍ୟରୁ କେତେକ ୨୦୨୦ ମସିହାର ଥିଲେ।"

କର୍ମଚାରୀ ଅଭାବକୁ ଦୋଷାରୋପ କରି  ଡିଏଚଓ ପାୱାର ଏହି ଭୁଲ୍‍ଟିକୁ ମାନିଥିଲେ। ସେ କୁହନ୍ତି, ଏହା ମୃତକଙ୍କ ସଂଖ୍ୟା କମ୍‍ ଦର୍ଶାଇବାର ଉଦ୍ୟମ ନଥିଲା। ପୱାର ବୁଝାଇ କୁହନ୍ତି, "ଆମର ଏକ ବ୍ୟବସ୍ଥା କାମ କରୁଛି। ଯେତେବେଳେ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେଉଛି, କୋଭିଡ ପୋର୍ଟାଲର ବ୍ୟାକ୍‍ଏଣ୍ଡରେ ଏକ ବିଜ୍ଞପ୍ତି ଗ୍ରହଣ କରିଥାଉ। ଯେଉଁଠାରେ ରୋଗୀମାନଙ୍କୁ ଭର୍ତ୍ତି କରାଯାଏ ସେଠାରେ ରୋଗୀମାନଙ୍କର ପ୍ରବେଶ ସହିତ ଚିକିତ୍ସା ଓ ଏହାର ଫଳାଫଳ ଅପଡେଟ୍‍ କରାଯାଇଥାଏ।"

Nitin Sathe sitting on a motorbike outside the hospital while waiting to check on his parents in the hospital's Covid ward
PHOTO • Parth M.N.

କୋଭିଡ ୱାର୍ଡରେ ଥିବା ନିଜର ପିତା ମାତାଙ୍କ ବିଷୟରେ ଜାଣିବା ପାଇଁ ନିତିନ ସାଠେ ଚିକିତ୍ସାଳୟ ବାହାରେ ମୋଟରସାଇକେଲ ଉପରେ ବସି ଅପେକ୍ଷା କରିଛନ୍ତି

କିନ୍ତୁ ଯେତେବେଳେ ଏପ୍ରିଲରେ କୋଭିଡ ରୋଗୀଙ୍କ ସଂଖ୍ୟା ଦିନକୁ ହଠାତ୍ ୨୫-୩୦ ରୁ ପ୍ରାୟ ୧୫୦୦ କୁ ବୃଦ୍ଧି ପାଇଲା, ସେତେବେଳେ ପାୱାର କୁହନ୍ତି, “ଅତ୍ୟଧିକ ସଂଖ୍ୟା ମଧ୍ୟରେ ପ୍ରବେଶକୁ କେହି ଧ୍ୟାନ ଦେଇ ନାହାନ୍ତି’’। “ସେମାନଙ୍କୁ କୋଭିଡ୍ -୧୯ ରୋଗୀ ଭାବରେ ଚିକିତ୍ସା କରାଯାଉଥିଲା, କିନ୍ତୁ କିଛି ମୃତ୍ୟୁ ପୋର୍ଟାଲରେ ଅପଡେଟ୍ ହୋଇନଥିଲା। ଖବରକାଗଜରେ ରିପୋର୍ଟଟି ପ୍ରକାଶିତ ହେବା ପରଠାରୁ ଆମେ ଆମର ଭୁଲକୁ ଗ୍ରହଣ କରିଛୁ ଏବଂ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଅପଡେଟ୍ କରିଛୁ’’।

ଯଦିଓ ଏହା ଭୁଲକୁ ସ୍ୱୀକାର କରିଛି, କୋଭିଡ ପ୍ରୋଟୋକଲ୍‍ ଭାଙ୍ଗିବା ଏବଂ ଲତାଙ୍କ “ମୃତଦେହକୁ ଅସମ୍ମାନ କରିବା’’ ଅଭିଯୋଗରେ ସୁବାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଚରମ ପଦକ୍ଷେପ ନେଇଛି।

ସୁବାସ କୁହନ୍ତି, "ହସ୍ପିଟାଲର କର୍ମଚାରୀମାନେ ଆଣ୍ଟିଜେନ୍ ପରୀକ୍ଷା କରିଥିଲେ [ମୃତ ଶରୀର ଉପରେ], ଯାହା ନେଗେଟିଭ ଆସିଥିଲା’’ । “ତେଣୁ ସେମାନେ ମୋତେ ଶବକୁ ଘରକୁ ନେବାକୁ ଅନୁମତି ଦେଲେ।"

ସୁବାସ ଡାକ୍ତରଖାନା କର୍ମଚାରୀଙ୍କୁ ପଚାରିଲେ ଯେ ଯଦି ସେ ତାଙ୍କ ଭଉଣୀର ମୃତ ଶରୀରକୁ ସହରଠାରୁ ୩୫ କିଲୋମିଟର ଦୂର ବିଡ୍‌ର ଜିଓରାଇ ତାଲୁକାରେ ଥିବା ତାଙ୍କ ଗାଁ କୁମ୍ଭାରୱାଡି ନେଇ ପାରିବେ କି? ଲତା ସେଠାରେ ତାଙ୍କର ସ୍ୱାମୀ ରୁସ୍ତୁମ ଓ ତାଙ୍କର ଚାରି ବର୍ଷର ପୁଅ ଶ୍ରେୟାସ ସହ ରହୁଥାଏ। "ଏହା ପରିବାରର ଇଚ୍ଛା ଥିଲା। ଆମେ ତାଙ୍କର ଅନ୍ତିମ ସତ୍କାର ସମ୍ମାନର ସହ କରିବାକୁ ଚାହୁଁଥିଲୁ।"

କିନ୍ତୁ ଯେତେବେଳେ ସେମାନେ କୁମ୍ଭାରୱାଡି ଯିବାପାଇଁ ଅଧା ରାସ୍ତାରେ ହୋଇଥିଲେ, ଚିକିତ୍ସାଳୟ କର୍ତ୍ତୃପକ୍ଷ ସୁବାସଙ୍କୁ ଫୋନ୍ କରି ଶବ ସହିତ ଫେରିବାକୁ କହିଲେ। "ମୁଁ ମୋର ସମ୍ପର୍କୀୟଙ୍କୁ କହିଥିଲି ଯେ ଆମକୁ ପ୍ରଶାସନ ସହ ସହଯୋଗ କରିବାକୁ ହେବ କାରଣ ଏହା ହେଉଛି  କଠିନ ସମୟ। ଆମେ ୟୁ-ଟର୍ନ ନେଇ ଶବ ସହିତ ଫେରି ଆସିଥିଲୁ।"

କିନ୍ତୁ ସିଭିଲ୍ ଚିକିତ୍ସାଳୟ ମହାମାରୀ ରୋଗ ଅଧିନିୟମ ୧୮୯୭ ଅଧୀନରେ ସୁବାସଙ୍କୁ ଦୋଷାରୋପ କରି ପ୍ରଥମ ସୂଚନା ରିପୋର୍ଟ ଦାଖଲ କରିଥିଲା। ଆଣ୍ଟିଜେନ୍ ପରୀକ୍ଷା କିଛି ନୁହେଁ ବୋଲି କହି  ବିଡ୍‌ର ଜିଲ୍ଲା ମାଜିଷ୍ଟ୍ରେଟ ରବୀନ୍ଦ୍ର ଜଗତାପ କହିଲେ, “ଯେ ଯଦି ଜଣେ କୋଭିଡ ରୋଗୀ ଡାକ୍ତରଖାନାରେ ମୃତ୍ୟୁବରଣ କରନ୍ତି, ତେବେ ସେଠାରେ ପ୍ରୋଟୋକଲ୍ ପାଳନ କରାଯିବ । ଏବଂ ଏହି ମାମଲାରେ ସମ୍ପର୍କୀୟମାନେ ସେହି ପ୍ରୋଟୋକଲ୍‍ ଭାଙ୍ଗିଥିଲେ’’।

Left: Subash Kabade shows his letter to the district collector explaining his side in the hospital's complaint against him. Right: Somnath Khatal, the journalist who discovered the discrepancy in official number of Covid deaths reported in Beed
PHOTO • Parth M.N.
Left: Subash Kabade shows his letter to the district collector explaining his side in the hospital's complaint against him. Right: Somnath Khatal, the journalist who discovered the discrepancy in official number of Covid deaths reported in Beed
PHOTO • Parth M.N.

ବାମ: ଚିକିତ୍ସାଳୟ କରିଥିବା ଅଭିଯୋଗକୁ ଖଣ୍ଡନ କରି ସୁବା କାବା ଡ଼େ ନିଜର ପକ୍ଷ ଏକ ଚିଠି ମାଧ୍ୟମରେ ଜିଲ୍ଲାପାଳଙ୍କ ସମ୍ମୁଖରେ ରଖିଥିଲେ ଡାହାଣ: ବି ଡ୍‌ ରେ ରିପୋର୍ଟ ହୋଇଥିବା ସରକାରୀ ସଂଖ୍ୟାରେ ଅସଙ୍ଗତି ବାହାର କରିଥିବା ସାମ୍ବାଦିକ ସୋମନାଥ ଖାତାଲ

କୋଭିଡ ପ୍ରୋଟୋକଲ୍‍ ଅନୁସାରେ କୋଭିଡ ରୋଗୀର ମୃତ ଶରୀରକୁ ବାୟୁ ରୁଦ୍ଧ ବ୍ୟାଗ୍‌ରେ ଗୁଡ଼ାଇ ରଖିବା ଆବଶ୍ୟକ ଏବଂ ଶବଦାହ ପାଇଁ ସିଧାସଳଖ ଡାକ୍ତରଖାନାରୁ ଶ୍ମଶାନକୁ ନିଆଯିବା ଆବଶ୍ୟକ।

ସୁବାସ କୁହନ୍ତି ଯେ ଚିକିତ୍ସାଳୟର ଅନୁମତି କ୍ରମେ ସେ ଲତାଙ୍କ ମୃତ ଶରୀର ନେଇଥିଲେ। "ମୁଁ ଜଣେ ଓକିଲ। ମୁଁ ପ୍ରୋଟକଲ୍‍ଗୁଡିକୁ ଭଲ ଭାବରେ ଜାଣେ। ମୁଁ କାହିଁକି ଚିକିତ୍ସାଳୟ ବିରୁଦ୍ଧରେ ଯିବି ଏବଂ ମୋର ପରିବାରର ସ୍ୱାସ୍ଥ୍ୟକୁ ବିପଦରେ ପକାଇବି?"

ଏହାର ରୋଗୀ ଏବଂ କର୍ମଚାରୀମାନଙ୍କୁ ସେ ଅତୀତରେ ଦେଇଥିବା ସହାୟତାକୁ ଚିକିତ୍ସାଳୟ ବିଚାର କରିନଥିବାରୁ ସେ ହତାଶ ହୋଇଥିଲେ। ସୁବାସ କୁହନ୍ତି, “ମୁଁ ନିଶ୍ଚିତ ଭାବରେ ଅତି କମ୍‍ରେ ୧୫୦ଜଣ ରୋଗୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରିବାରେ ସାହାଯ୍ୟ କରିଥିବି। ଅନେକ ରୋଗୀ ପଢିବା କିମ୍ବା ଲେଖିବା ଜାଣନ୍ତି ନାହିଁ, ଏବଂ ସେମାନେ ଭୟଭୀତ ହୁଅନ୍ତି । ମୁଁ ସେମାନଙ୍କୁ ଫର୍ମ ପୂରଣ କରିବାରେ ଏବଂ ଚିକିତ୍ସାଳୟରେ ପହଞ୍ଚିବାରେ ସାହାଯ୍ୟ କରୁଥିଲି । ଚିକିତ୍ସାଳୟର କର୍ମଚାରୀମାନେ ଯାହା କରିବା କଥା ମୁଁ ତାହା କରୁଥିଲି।"

ଲତା ଅସୁସ୍ଥ ହେବା ପୂର୍ବରୁ ମଧ୍ୟ ସୁବାସ ସିଭିଲ ଚିକିତ୍ସାଳୟରେ ଆଡମିସନ ପ୍ରକ୍ରିୟାରେ ରୋଗୀମାନଙ୍କୁ ସାହାଯ୍ୟ କରୁଥିଲେ। ସେ କୁହନ୍ତି ଯେ ତାଙ୍କ ଭଉଣୀ ଚିକିତ୍ସାଳୟରେ ଥିବା ସପ୍ତାହ ସମେତ ସମୁଦାୟ ଦେଢ ମାସର ପ୍ରତ୍ୟେକ ଦିନ ସେ ଚିକିତ୍ସାଳୟରେ ବିତାଇଥିଲେ।

ସେ କୁହନ୍ତି, ଡାକ୍ତରଖାନାରେ ତାଙ୍କ ଭଉଣୀର ଯତ୍ନ ନେଉଥିବା ସମୟରେ ସେ ଥରେ କୋଭିଡ ରୋଗୀଙ୍କୁ ଚଟାଣରୁ ଉଠାଇ ଶଯ୍ୟା ଉପରେ ଶୁଆଇଦେଲେ। “ସେ ଜଣେ ବରିଷ୍ଠ ନାଗରିକ ଥିଲେ। ସେ ବିଛଣାରୁ ଖସି ତଳେ ପଡ଼ିଯାଇଥିଲେ କିନ୍ତୁ କେହି ଧ୍ୟାନ ଦେଇନଥିଲେ। ଏହା ହେଉଛି ଚିକିତ୍ସାଳୟରେ ରୋଗୀଙ୍କ ଅବସ୍ଥା। ”

ବିବ୍ରତ, ହତାଶ ଏବଂ କ୍ରୋଧିତ ସୁବାସ ମୋତେ ବିଡ୍‌ର ଏକ ହୋଟେଲର ଲବିରେ ଭେଟିଥିଲେ କାରଣ ସେ ମୋତେ ଘରକୁ ନିମନ୍ତ୍ରଣ କରିପାରିଲେ ନାହିଁ । ସେ କୁହନ୍ତି, "ମୋ ଭଉଣୀର ମୃତ୍ୟୁ ମୋର ପିତାମାତାଙ୍କୁ ଶକ୍ତ ଧକ୍କା ଦେଇଛି।’’ “ସେମାନେ କଥାବାର୍ତ୍ତା କରିବା ଅବସ୍ଥାରେ ନାହାଁନ୍ତି। ଏପରିକି ମୁଁ ବି ଠିକ୍‍ ନାହିଁ। ଲତାଙ୍କ ପୁଅ ମୋତେ ଫୋନ୍‍ କରି ପଚାରୁଛି, ଆଇ କେବେ ଘରକୁ ଆସିବ?’ ମୁଁ ଜାଣି ପାରୁ ନାହିଁ ତାକୁ କ’ଣ କହିବି।"

ଅନୁବାଦ: ଓଡ଼ିଶାଲାଇଭ୍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE