ଯୌଥ ପରିବାର ଭିନ୍ନେ-ବଖରା ହେବା ପରେ ୬-୭ ବର୍ଷ ପୂର୍ବେ ମରାଠୱାଡ଼ାର ଓସମାନାବାଦ ଜିଲ୍ଲାର ଖମାସୱାଡ଼ିରେ ଥିବା ତାଙ୍କ ପୈତୃକ ସମ୍ପତ୍ତିରୁ ୪ ଏକର ଜମିର ଦାୟିତ୍ଵ ସମ୍ଭାଳିଲେ ସନ୍ଦୀପ ଶେଲକେ ।  ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ବୟସ । ‘ମୋର ବଡ଼ ପୁଅର ଦୁଇ ଗୋଡ଼ ଦିବ୍ୟାଙ୍ଗ’। ଲୁହଭରା ଆଖିରେ ସନ୍ଦୀପଙ୍କ ମାଆ ନନ୍ଦୁବାଈ ବଖାଣୁଥିଲେ, ‘(ଭିନ୍ନେ ହେବା ଆଗରୁ) ସନ୍ଦୀପର କକା ସବୁ ଜମିର ଦେଖାଶୁଣା କରୁଥିଲେ। ମୋ ସ୍ଵାମୀ ଜମିରେ କାମ କରନ୍ତି, କିନ୍ତୁ ସେ ସେତେ ସକ୍ରିୟ ଓ ବୁଦ୍ଧିଆ ନ ଥିଲେ। ସେ ସହଜରେ କୌଣସି ନିଷ୍ପତ୍ତି ନେଇ ପାରୁନଥିଲେ।’ ସ୍ଵଳ୍ପ ଆଲୋକିତ ଗୋଟିଏ ଟିଣ ଛପର ଘରେ ବସିଥିଲେ ନନ୍ଦୁବାଈ ।

ଶେଲକେ ପରିବାର, ସେ ଜମିରେ ଯଅ, ଗହମ ଓ ସୋୟାବିନ ଚାଷ କରୁଥିଲେ। କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳୁନଥିଲା। ତେଣୁ ଜୁନ୍ ୨୦୧୭ ଫସଲ ଋତୁରେ ସନ୍ଦୀପ ସେ ଜମିରେ ଆଖୁ ଚାଷ କରିବାକୁ ସ୍ଥିର କଲା। ‘କାରଣ ଗୋଟିଏ ଅର୍ଥକରୀ ଫସଲ ହିଁ ଆମକୁ ଋଣ ଭାରରୁ ମୁକ୍ତକରିବା ଲାଗି ବାଟ କଢ଼ାଇଥାନ୍ତା ।’

ସନ୍ଦୀପ କ୍ଷେତର ଦାୟିତ୍ଵ ନେବା ପରେ ୨୦୧୨ରେ ମରାଠାୱାଡ଼ାରେ ଆରମ୍ଭ ହେଲା ସେହି ୪ ବର୍ଷିଆ ପାଣିପାଗ ଜନିତ ଅନିଶ୍ଚିତତା। ବରଫପାତ, ଅଦିନିଆ ବର୍ଷା ଓ ମରୁଡ଼ି । ଯାହା ଫଳରେ ଚାଷୀକୁଳ ଓ ସେମାନଙ୍କର ଚାଷର ବିପୁଳ କ୍ଷତି ହେଲା। ଶେଲକ ପରିବାର ଗୋଟିଏ ସ୍ଥାନୀୟ ବ୍ୟାଙ୍କରୁ ୩.୫ ଲକ୍ଷ ଟଙ୍କାର ଋଣ ନେଇଥିଲେ। ତାଛଡ଼ା ଘରୋଇ ମହାଜନଙ୍କଠାରୁ ୧ ଲକ୍ଷ ଟଙ୍କାରୁ ଅଧିକ ହାତ ଉଧାରି ମଧ୍ୟ ଥିଲା।

ଏସବୁ ସତ୍ତ୍ଵେ ସନ୍ଦୀପ ଆଗେଇ ଚାଲିଥିଲେ। ଏତେ ଅସୁବିଧା ସତ୍ତ୍ଵେ ସେ ନିଜ ବଡ଼ ଭଉଣୀ ସନ୍ଧ୍ୟାର ବାହାଘର ଦୁଇ ବର୍ଷ ପୂର୍ବରୁ କରାଇଥିଲେ। “ସେ ଥିଲା ଅତି ଦାୟିତ୍ଵବାନ ଓ ନିଷ୍ଠାପର,’’ ତାଙ୍କ ମାଆ ବଖାଣୁଥିଲେ । ସେ ମାଆକୁ ରୋଷେଇ ଘରେ ସାହାଯ୍ୟ କରିବାଠାରୁ ଆରମ୍ଭ କରି ତା ଭାଇର ଦାୟିତ୍ଵ ନେବା ପର୍ଯ୍ୟନ୍ତ ସବୁ କାମ କରୁଥିଲା।”

PHOTO • Parth M.N.

“ଗୋଟିଏ ଅର୍ଥକରୀ ଫସଲ ହିଁ ଥିଲା ଆମକୁ ଋଣ ଭାରରୁ ମୁକ୍ତି କରିବାର ଗୋଟିଏ ବାଟ ।” ନନ୍ଦୁ ବାଈ ସେଲକେ, ସନ୍ଦୀପଙ୍କ ଦୁଃଖୀ ମାଆ

ସନ୍ଦୀପ ଅନୁଭବ କଲା, ଋଣ ଶୁଝିବା ପାଇଁ ପାରଂପାରିକ ଚାଷ ଉପରେ ନିର୍ଭର କରି ହେବ ନାହିଁ। କାରଣ ଏଥିରେ ଫସଲ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ (MSP) ମିଳିବା କଷ୍ଟକର । ଫଳରେ ବଜାରରେ ଏହାର ମୂଲ୍ୟ ଉପର ତଳ ସବୁବେଳେ ହେଉଥାଏ । ତେଣୁ ଏଥିରୁ କେତେ ଲାଭ ମିଳିବ ସେ ନେଇ ଅନିଶ୍ଚିତତା ଲାଗି ରହିବା ସ୍ଵାଭାବିକ । କିନ୍ତୁ ସରକାର ଆଖୁ ଉପରେ ବିଶେଷ ରିହାତି ଦେଉଛନ୍ତି ।  ତାଛଡ଼ା ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ମିଳୁଛି। ତେଣୁ ସନ୍ଦୀପ ଚିନ୍ତାକଲା, ଟିକେ ଭଲ ଫସଲ ହେଲେ ବେଶ୍ ଦି ପଇସା ରୋଜଗାର ବି ହୋଇଯିବ। କିନ୍ତୁ ଆଖୁଚାଷରେ କେତେକ ଅନ୍ୟ ରିସ୍କ ବି ରହିଛି । ଏଥିଲାଗି ପ୍ରଚୁର ପାଣି ଆବଶ୍ୟକ। ଆଉ ଅନ୍ୟ ଚାଷ ତୁଳନାରେ ଆଖୁ ଚାଷ ଲାଗି ଲୋଡ଼ା ଅଧିକ ପୁଞ୍ଜି ନିବେଶ।

“ଯାହା ହେଲେ ବି ଆମେ ବୁଡୁଥିଲୁ। ତେଣୁ କିଛି ହେଲେ ବି କରିବା ଆବଶ୍ୟକ ଥିଲା।” ନନ୍ଦୁବାଈ କହିଲେ..

ପରିବାରର ଭାଗ୍ୟ ସୁଧାରିବା ଲାଗି ଦୃଢ଼ ନିଶ୍ଚିତ ଥିବା ସନ୍ଦୀପ ଆହୁରି ୧ ଲକ୍ଷ ଟଙ୍କା ହାତ ଉଧାରି ଆଣିଲେ । ସେଥିରେ ସେ ଗୋଟିଏ ବୋରୱେଲ ଖୋଳିଲେ । ଭାଗ୍ୟକୁ ସେଥିଲେ ଭଲ ପାଣି ପଡ଼ିଲା। ବାକି ଅର୍ଥରେ ସେ ଆଖୁ ମଞ୍ଜି ମଧ୍ୟ ସଂଗ୍ରହ କଲେ । ଏସବୁକୁ ସେ ନିଜ ଜମି ପାଖରେ ଥିବା ଗୋଟିଏ ଲେମ୍ବୁ ଗଛମୂଳେ ଗଦା କରି ରଖିଲା। ତାପରେ ସେ କିଛି ଭଲ ବର୍ଷାକୁ ଅପେକ୍ଷା କଲା। ଯାହା ପରେ ସେ ସାର, ପିଡ଼ିଆ ଓ କୀଟନାଶକ କିଣି ଆଖୁ ଲଗାଇବା ଆରମ୍ଭ କରିଥାନ୍ତେ ।

PHOTO • Parth M.N.

ଓସମାନାବାଦ ଜିଲ୍ଲାର ଖମାସଗଡ଼ି ଗାଁରେ ଶେଲକେ ପରିବାରର ଘର: ପୂର୍ବରୁ ବହୁତ ଖର୍ଚ୍ଚାନ୍ତ ହୋଇ ସାରିଥିବା ସନ୍ଦୀପଙ୍କ ବାପା ବଲଭୀମ ଏବେ ନିଜ ଜମି ନେଇ ଅନିଶ୍ଚିତତା ଭିତରେ..

ସେପଟେ ବଢ଼ି ଚାଲିଥିଲା ଋଣଭାର। ବ୍ୟାଙ୍କ ଋଣକୁ ଛାଡ଼ିଦେଲେ, ପରିବାରର ହାତଉଧାରି (ବର୍ତ୍ତମାନର ୧ ଲକ୍ଷ ଟଙ୍କା ସହ ପୂର୍ବରୁ ନେଇଥିବା ଋଣ ମିଶି) ୩ ଲକ୍ଷ ଟଙ୍କାକୁ ବଢ଼ି ସାରିଥିଲା। “ଏବେ ଫସଲ ହାନି ହେବା ଅର୍ଥ ଆମକୁ ସବୁ ଦିନ ପାଇଁ ଏକଦମ୍ ବରବାଦ୍ କରିଦେବା”- ୫୨ ବର୍ଷୀୟ ସନ୍ଦୀପଙ୍କ ବାପା ବଲଭୀମ କହିଲେ। “ବୋଧହୁଏ ତା ଉପରେ ଏସବୁକୁ ନେଇ ଚାପ ବଢ଼ି ବଢ଼ି ଚାଲିଥିଲା।”

ଜୁନ୍ ୮ ତାରିଖରେ ସେଇ ଲେମ୍ବୁ ଗଛରେ ଲଟକି ଥିବା ଅବସ୍ଥାରେ ସନ୍ଦୀପଙ୍କୁ ଦେଖିବାକୁ ମିଳିଲା, ଯେଉଁ ଗଛ ତଳେ ସେ ନିଜ ଜମିରେ ଲଗାଇବା ପାଇଁ ଜମା କରି ରଖିଥିଲେ ଆଖୁ ଗଦା। ଆଉ ଏହା ସହ ଜମା ଥିଲା ଅନେକ ଆଶା । “ସକାଳ ୮ଟାରେ ଜଣେ ପଡ଼ୋଶୀ ମୃତଦେହକୁ ଝୁଲୁଥିବା ଅବସ୍ଥାରେ ଦେଖିଲେ”- ସେଇ ଗଛର ଛାଇରେ ବସିଥିବା ବଲଭୀମ କହିଲେ। “ଆମେ ସେ ଗଛ ପାଖକୁ ଯାଇ ଦେଖିଲୁ ତାହା ସନ୍ଦୀପର ଥିଲା। ମୋ ପାଦତଳୁ ମାଟି ଖସିଗଲା ..। ”

PHOTO • Parth M.N.

ବଲଭୀମ ଶେଲକେ ଓ ଅନ୍ୟ ଗ୍ରାମବାସୀ ସେହି ଗଛ ନିକଟରେ, ଯେଉଁଠି ଝୁଲି ପ୍ରାଣ ହାରିଥିଲେ ସନ୍ଦୀପ...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏବର୍ଷର ପ୍ରଥମ ୫ ମାସରେ ଓସମାନାବାଦର ଅନ୍ୟ ୫୫ ଚାଷୀ ସମାନ ପନ୍ଥାକୁ ଆପଣାଇ ନେଇଥିଲେ। ଏହା ଅର୍ଥ ପ୍ରତି ୩ ଦିନରେ ମରୁଥିଲେ ଜଣେ ଚାଷୀ ।  ଆଉ ବଡ଼ କଥା ହେଉଛି, ୨୦୧୬ ରେ ଭଲ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ସୁଧୁରିବା ପରେ ବି ଏହି ଧାରା ଜାରି ରହିଥିଲା।

ଭଲ ବର୍ଷା ବି ମରାଠାୱାଡ଼ା ଚାଷୀଙ୍କୁ କୃଷି କଷଣ ଓ ଆତ୍ମହତ୍ୟା କରିବାରୁ ନ ରୋକି ପାରିବାର ଗୋଟିଏ କାରଣ ହେଉଛି, ଚାଷ କରିବାକୁ ସେମାନେ ଋଣ ଯୋଗାଡ଼ କରିବା ଲାଗି ଅନ୍ୟ କୌଣସି ବିକଳ୍ପ ନପାଇବା।

ସେମାନେ କାହା ପାଖକୁ ଯିବେ? ବ୍ୟାଙ୍କ ଋଣ ଯୋଗାଣରେ ଅନେକ ପାତରଅନ୍ତର ନୀତି ରହିଛି। ରିଜର୍ଭ ବ୍ୟାଙ୍କର ତଥ୍ୟ କହୁଛି ଋଣ ଯୋଗାଣ ନେଇ ବିଭିନ୍ନ ଅଞ୍ଚଳ ଭିତରେ ଥିବା ତାରତମ୍ୟା କଥା । ମରାଠୱାଡ଼ାର ୮ଟି ଜିଲ୍ଲାରେ ବାସ କରନ୍ତି  ୧୮ କୋଟି ଲୋକ। ଯାହାକି ପୁଣେ ଜିଲ୍ଲାର ଲୋକସଂଖ୍ୟା ୯୦ ଲକ୍ଷର ଦୁଇ ଗୁଣା। କିନ୍ତୁ ମରାଠାୱାଡ଼ାରେ ସମସ୍ତ ବ୍ୟବସାୟିକ (ରାଷ୍ଟ୍ରାୟତ୍ତ ଓ ଘରୋଇ) ଦ୍ଵାରା ମାର୍ଚ୍ଚ ୨୦୧୬ ପର୍ଯ୍ୟନ୍ତ ଦିଆଯାଇଥିବା ମୋଟ୍ ଋଣ ପରିମାଣ  ୪୫,୭୯୫ କୋଟି ଟଙ୍କା। ଯାହାକି ପୁଣେ ଜିଲ୍ଲାରେ ଦିଆଯାଇଥିବା ଋଣ (୧୪୦,୬୪୩ କୋଟି ଟଙ୍କା)ର ଏକ ତୃତୀୟାଂଶରୁ ବି କମ୍। ଏହା ହିଁ ସୂଚାଉଛି, ବ୍ୟାଙ୍କମାନେ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ଓ ଲାଭ ମିଳୁନଥିବା ଅଞ୍ଚଳରେ ଋଣ ଦେବାକୁ କେତେ କୁଣ୍ଠିତ। ବୋଧହୁଏ ଏହା ହିଁ କାରଣ, କୃଷି ସହ ଜଡ଼ିତ କୌଣସି ଶିଳ୍ପ ଏସବୁ ଅଞ୍ଚଳକୁ ନ ଆସିବାର।

ଦେବୀଦାସ ତୁଲଜାପୁରକର, ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ ଆସୋସିଏସନର ଯୁଗ୍ମ ସମ୍ପାଦକ କହନ୍ତି, ମହାରାଷ୍ଟ୍ରର ୯୦ ଭାଗ ବ୍ୟାଙ୍କିଂ କାରବାର ମୁଖ୍ୟତଃ ତିନିଟି ଅଞ୍ଚଳରେ ହୋଇଥାଏ। ସେସବୁ ହେଉଛି, ଠାଣେ, ମୁମ୍ବାଇ ଓ ପୁଣେ। ଏହି ତାରତମ୍ୟ ଦୂର ଲାଗି, “ଏସବୁ ବିକଶିତ ଅଞ୍ଚଳର ସମ୍ବଳ ସବୁ ଅନ୍ୟ ଅବିକଶିତ ଅଞ୍ଚଳକୁ ଯିବା ଆବଶ୍ୟକ।’’ “କିନ୍ତୁ ଆମେ ତାରତମ୍ୟ ବଜାୟ ରଖୁଛୁ। ”

ଏସବୁ ବାଦ ବ୍ୟାଙ୍କଗୁଡ଼ିକ ଚାଷୀମାନଙ୍କୁ ଦିଆଯାଇଥିବା ବିଭିନ୍ନ ଋଣକୁ ଏକାଠି କରି ଦେଉଛନ୍ତି। କୃଷି ଋଣ ଓ ଦୀର୍ଘମିଆଦି ଋଣକୁ ଏକାଠି କରି ଦେଉଛନ୍ତି। (ବିହନ ଓ ସାର କିଣା ଆଦି କୃଷି କାମ କରିବା ଲାଗି ଦିଆଯାଇଥିବା) ଋଣର ସୁଧହାର ୭ ପ୍ରତଶତ। ଏହା ମଧ୍ୟରୁ ୪ ପ୍ରତିଶତ ରାଜ୍ୟ ସରକାର ଦେଇଥାନ୍ତି। କିନ୍ତୁ (ଟ୍ରାକ୍ଟର ଓ ଅନ୍ୟ ଯନ୍ତ୍ରପାତି କିଣିବା ଲାଗି ଦିଆଯାଉଥିବା ଦୀର୍ଘମିଆଦି ଋଣରେ ସୁଧହାର) ଏହାର ଦୁଇଗୁଣା। ଋଣ ପୁନଃ ସଂରଚନାରେ ଏହି ଦୁଇ ପ୍ରକାର ଋଣକୁ ମିଶାଇ ଦିଆଯାଏ। ଏହାକୁ ଏକ ନୂଆ ଦୀର୍ଘମିଆଦି ଋଣରେ ପରିବର୍ତ୍ତନ କରି ଦିଆଯାଏ। ଫଳରେ ଚାଷୀ ପାଇଁ ଦେୟ ପରିମାଣ ବଢ଼ିଯାଏ। ଆଉ ସେମାନଙ୍କୁ ନୂଆ ଋଣ ଲଗି ଅଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରି ଦିଆଯାଏ।

ବ୍ୟାଙ୍କ ଅଫ ମହାରାଷ୍ଟ୍ରର ଔରଙ୍ଗାବାଦ ଶାଖାର ଜଣେ ସେବାନିବୃତ୍ତ ଅଧିକାରୀଙ୍କ ମତରେ, ସେ ଅଧିକାଂଶ ସମୟର ଚାଷୀମାନଙ୍କୁ ଋଣର ପୁନଃ ସଂରଚନା ନ କରିବାକୁ ପ୍ରବର୍ତ୍ତାଇଥାନ୍ତି। “କିନ୍ତୁ ଅଧିକାଂଶ ବ୍ୟାଙ୍କ କର୍ମଚାରୀ ଏପରି କରି ନଥାନ୍ତି।’’ “ପ୍ରକୃତରେ ଅଧିକାଂଶ ସମୟରେ ସେମାନଙ୍କ ଘର ଉପରେ ଚଢ଼ାଉ ନ ହେବା ପାଇଁ ଚାଷୀମାନଙ୍କୁ ଋଣ ପୁନଃ ସଂରଚନା କରିବା ଲାଗି କୁହାଯାଇଥାଏ।”

ଏପରି ସ୍ଥିତିରେ ଚାଷୀମାନଙ୍କ ପାଖରେ ଜିଲ୍ଲା ସମବାୟ ବ୍ୟାଙ୍କକୁ ଯିବା ଛଡ଼ା ଆଉ କଛି ବାଟ ନଥାଏ। ସେଠାରେ ଏମାନଙ୍କର ଖାତା ଥାଏ। କିନ୍ତୁ ମରାଠୱାଡ଼ାର ୬ଟି ଜିଲ୍ଲାରେ ଥିବା ୬ଟି ସମବାୟ ବ୍ୟାଙ୍କ ପ୍ରାୟ ଅଚଳ ସ୍ଥିତିରେ। କାରଣ ଏମାନେ ଋଣ ଖିଲାପକାରୀ ପ୍ରତିପତ୍ତିଶାଳୀ ଗ୍ରାହକମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେଇ ପାରୁନାହାନ୍ତି। ଲାଟୁର ଓ ଔରଙ୍ଗାବାଦରେ ଥିବା ଜିଲ୍ଲା ସମବାୟ ବ୍ୟାଙ୍କର ଅବସ୍ଥା ମଧ୍ୟ ବିଶେଷ ଭଲ ନାହିଁ।

ଏଭଳି ସ୍ଥିତିରେ ସନ୍ଦୀପଙ୍କ ଭଳି ଚାଷୀମାନେ ଘରୋଇ ସାହୁକାରଙ୍କ ଦ୍ଵାରସ୍ଥ ହୁଅନ୍ତି। ଏମାନେ ତୁରନ୍ତ ନଗଦ ଯୋଗାଇ ଦିଅନ୍ତି। କିନ୍ତୁ ଏମାନଙ୍କ ସୁଧହାର ଥାଏ ବିପୁଳ, ମାସିକ ୩ରୁ ୫ ପ୍ରତିଶତ ବା ବାର୍ଷିକ ପ୍ରାୟ ୪୦ରୁ ୬୦ ପ୍ରତିଶତ। ଅଧିକାଂଶ ସମୟରେ ପରିଶୋଧ କ୍ଷମତା ଭିତରେ ଥିବା ଗୋଟିଏ ଛୋଟ ଋଣର ସୁଧ ପିରମାଣ ଏହାର ମୂଳ ପିରମାଣର ବହୁଗୁଣା ହୋଇଯାଏ।

ବୀଡ ଜିଲ୍ଲାର ଅଞ୍ଜନୱାଟି ଗାଁରେ ଭଗବାନ ୟେଢ଼େ, ୬୫ ବର୍ଷ ଓ ତାଙ୍କ ପତ୍ନୀ ସଖର ବାଈ ମଧ୍ୟ ଘରୋଇ ସାହୁକାରଠାରୁ ଋଣ ଆଣିବାକୁ ଚିନ୍ତା କରୁଛନ୍ତି। “ମୁଁ ପୂର୍ବରୁ ହାଇଦ୍ରାବାଦ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କାର ଋଣ ଆଣି ସାରିଛି। ତା’ଛଡ଼ା ୧.୫ ଲକ୍ଷ ଟଙ୍କାର ଘରୋଇ ଋଣ ମଧ୍ୟ ରହିଛି’’, ୟେଢ଼େ କହନ୍ତି ।  “ଏହା ଭିତରୁ ମୋ ଦୁଇ ପୁଅଙ୍କ ପଢ଼ା ଲାଗି କିଛି ଖର୍ଚ୍ଚ ମଧ୍ୟ ହୋଇଛି। ସେମାନେ ପୁଣେର ପାଠ ପଢ଼ିବା ପରେ ଏବେ ଚାକିରି ଖୋଜୁଛନ୍ତି।”

PHOTO • Parth M.N.

ବୀଡ ଜିଲ୍ଲାର ଅଞ୍ଜନୱାଟି ଗାଁରେ ଭଗବାନ ଓ ତାଙ୍କ ପତ୍ନୀ ସଖର ବାଈ ମଧ୍ୟ ଋଣଭାରରେ ବୁଡ଼ିଛନ୍ତି । “ମୁଁ କାହିଁକି ମୋ ପୁଅମାନଙ୍କ ଜୀବନ ଅନିଶ୍ଚିତତା ଭିତରକୁ ନେଇଯିବି?” ସେ ପ୍ରଶ୍ନ କରିଛନ୍ତି

ନିଜ ୫ ଏକର ଜମିରେ ଚାଷ କରିବା ଲାଗି ୟେଢ଼େ ୩୦ ହଜାର ଟଙ୍କାର ସାର, ବିହନ ଓ କୀଟନାଶକ କିଣିଛନ୍ତି । ତା’ଛଡ଼ା ହଳ ଓ ମୂଲିଆ ଖର୍ଚ୍ଚ ବି ରହିଛି। ସେ ଆଶା କରୁଛନ୍ତି, ସେ ବୋଧହୁଏ ତାଙ୍କ ପୀଢ଼ିର ଶେଷ ବ୍ୟକ୍ତି, ଯିଏ ଏସବୁ ହିସାବ କିତାବ କରିବ। “ମୁଁ କାହିଁକି ମୋ ପୁଅମାନଙ୍କ ଜୀବନ ଅନିଶ୍ଚିତତା ଭିତରକୁ ନେଇଯିବି ?” ସେ କହିଛନ୍ତି, “ଋଣ ଯୋଗାଡ଼ କରିବା ଭାରି କଷ୍ଟକର ବ୍ୟାପାର । ବର୍ତ୍ତମାନ ବ୍ୟବସ୍ଥାରେ ଚାଷୀମାନଙ୍କୁ ଅନ୍ୟମାନଙ୍କ ଦୟାରେ ଛାଡ଼ି ଦିଆଯାଇଛି।”

ପ୍ରତିବାଦ ଓ ଆନ୍ଦୋଳନ ବଢ଼ିବା ପରେ, ଜୁନ୍ ୨୪ ତାରିଖରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ, ୨୦୦୯ ପରେ ଋଣ ନେଇଥିବା ରାଜ୍ୟର ଚାଷୀଙ୍କ ପାଇଁ ଋଣ ଛାଡ଼ ଘୋଷଣା କରିଛନ୍ତି । ରାଜ୍ୟ ତରଫରୁ କୁହାଯାଇଛି, ଏବେ ଏହି ଚାଷୀମାନେ ନିଜ ବ୍ୟାଙ୍କକୁ ନୂଆ ଋଣ ଲାଗି ଆବେଦନ କରିପାରିବେ। ସେମାନଙ୍କ ଖାତା ଏବେ ସଂପୂର୍ଣ୍ଣ ଦେୟ ମୁକ୍ତ ହୋଇଯାଇଛି।

ଭିଡିଓ ଦେଖନ୍ତୁ : ବୀଡ ଜିଲ୍ଲାର ଅଞ୍ଜନୱାଟି ଗାଁର ଅଶୋକ ୟେଢ଼େ ଋଣ ସନ୍ଧାନ ସଂପର୍କରେ କହୁଥିବାର ଭିଡିଓ

କିନ୍ତୁ ଭଗବାନଙ୍କ ପୁତୁରା ଅଶୋକ (୪୦) କୁହନ୍ତି, ଏହା ମଧ୍ୟ ଏକ ବୋଝ । “ଏଥିଲାଗି ଆମକୁ ଆଖପାଖର ସମସ୍ତ ଆର୍ଥିକ ସଂସ୍ଥାଠାରୁ ଏନ୍ଓସି ଆଣିବାକୁ ହେବ। ଏଥିରେ ସେମାନେ ଲେଖିଦେବେ ଯେ ଆମ ଉପରେ ସେମାନଙ୍କର କୌଣସି ଋଣ ବାକି ନାହିଁ ବୋଲି। ଆମେ ବାରମ୍ବାର ଦଉଡ଼ି ନିରାଶ ହେବା ପରେ ଲାଞ୍ଚ ଦେବାରୁ ମିଳୁଛି ଏନ୍ଓସି। ଏମିତି ୬-୭ଟି ସ୍ଥାନରୁ ଆମକୁ ଏନ୍ଓସି ଲୋଡ଼ା। ମୁଁ ପ୍ରତି ସ୍ଥାନରେ କିପରି ଲାଞ୍ଚ ଦେଇପାରିବି? ତାଛଡ଼ା ଯଦି ଆମେ ଠିକ୍ ସମୟରେ ଚାଷ ଲାଗି ପ୍ରସ୍ତୁତ ନ ହେବୁ, ସାରା ବର୍ଷ ବରବାଦ ହୋଇଯିବ।”

ବୋଧହୁଏ ଏହା ହିଁ କାରଣ, ସପ୍ତାହେ ତଳେ ତାଙ୍କ ପୁଅ ଆତ୍ମହତ୍ୟା କରିଥିବା ସତ୍ତ୍ଵେ, ବଲଭୀମ ପୁଣି ଚାଷରେ ମାତିଛନ୍ତି । ପୁଅ ସନ୍ଦୀପ ଯେପରି ଯୋଜନା କରିଥିଲା, ସେହି ଅନୁଯାୟୀ ସାମାନ୍ୟ ବର୍ଷା ହେବା ପରେ ସେ ଜମିରେ ଆଖୁ ଲଗାଇଛନ୍ତି। ଏବେ ସେ ଏକ ଭଲ ମୌସୁମୀ ଆଶା କରୁଛନ୍ତି । ଆଉ ପୁଅ ସନ୍ଦୀପଙ୍କ ଭଳି ସେ ମଧ୍ୟ ଏକ ଅନିଶ୍ଚିତ ଭବିଷ୍ୟତ ଅପେକ୍ଷାରେ... ।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.