ବିଜୟା ଫର୍ତାଦେ ଚାରି ବର୍ଷ ତଳୁ ଜେଜେମା ହୋଇଗଲେଣି। ଏକ ଏବେ ତାଙ୍କ ବୟସ ମାତ୍ର ୩୪। ସେ ତାଙ୍କ ଘର ସାମ୍ନାରେ ଏକ ପଥର ଉପରେ ବସିଥିଲେ। ମହାରାଷ୍ଟ୍ର ବିଦ୍ ଜିଲ୍ଲାର ଆର୍ବି ଗାଁରେ ତାଙ୍କ ଘର। ତାଙ୍କୁ ୧୪ ବର୍ଷ ହୋଇଥିବାବେଳେ ବାପା ମା ବାହା କରାଇ ଦେଇଥିଲେ। ତାଙ୍କ ବର ସେତେବେଳକୁ ୧୮ ବର୍ଷର। ବିଜୟା କହିଲେ, “ଆଉ ଦି ବର୍ଷ ଅପେକ୍ଷା କରିବାକୁ ବାପା ମାଙ୍କୁ କହିଥିଲି। କିନ୍ତୁ ସେମାନେ କହିଲେ ଏଇଟା ଠିକ୍ ବୟସ। ମୋର ଅଧିକାଂଶ ସାଙ୍ଗ ବି ଏଇ ବୟସରେ ବାହା ହୋଇଛନ୍ତି। ତେଣୁ ମୁଁ ଭାବିଲି ସେମାନେ ଠିକ୍ କହୁଛନ୍ତି।”

ବାହା ହେବାର ବର୍ଷେ ଭିତରେ ବିଜୟା ମା’ ହେଲେ। ପାଞ୍ଚ ବର୍ଷ ଭିତରେ ତିନିଟି ପିଲାର ମା’- ଦୁଇଟି ଝିଅ ଓ ଗୋଟିଏ ପୁଅ। ସେତେବେଳକୁ ତଥାପି ତାଙ୍କର କିଶୋରୀ ବୟସ ଯାଇ ନଥିଲା। ଛଅ ବର୍ଷ ତଳେ ତାଙ୍କ ବଡ ଝିଅ ସ୍ୱାତୀର ବାହାଘର ହୋଇଥିଲା। ସେତେବେଳକୁ ସେ ୧୩ ବର୍ଷର। ଏହାର ଚାରି ବର୍ଷ ପରେ ସାନ ଝିଅ ଶୀତଲ୍‌ର ପାଳି ପଡ଼ିଲା। ୧୫ ବର୍ଷରେ ତା’ର ବାହାଘର ହେଲା। ଏବେ ତା’ର ଚାରି ବର୍ଷର ଝିଅଟିଏ ଏବଂ ବର୍ଷକର ପୁଅ।

ମହାରାଷ୍ଟ୍ରର ଗ୍ରାମାଞ୍ଚଳ ଗୁଡିକରେ ରହୁଥିବା ଫର୍ତାଦେ ପରିବାରରେ ବାଲ୍ୟ ବିବାହ ଏକ ସାଧାରଣ କଥା। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନଏଫଏଚଏସ) ୨୦୧୫-୧୬ ତଥ୍ୟ ଅନୁଯାୟୀ ରାଜ୍ୟର ୨୦-୨୪ ବର୍ଷ ମଧ୍ୟରେ ଥିବା ଯୁବତୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ୧୮ ବର୍ଷରୁ କମ୍ ବୟସରେ ବିବାହ କରିଥିଲେ। ସେହିଭଳି ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ୧୫-୧୯ ବର୍ଷ ମଧ୍ୟରେ ଥିବା ମହିଳାଙ୍କ ମଧ୍ୟରୁ ୧୦.୪ ପ୍ରତିଶତ ମା’ ହୋଇ ସାରିଥିଲେ ବା ସର୍ବେକ୍ଷଣ ସମୟରେ ଗର୍ଭବତୀ ଥିଲେ।

ଭାରତରେ ବାଲ୍ୟ ବିବାହ ବେଆଇନ। ଝିଅ ୧୮ବର୍ଷରୁ କମ ଏବଂ ପୁଅ ୨୧ ବର୍ଷରୁ କମ୍ ହୋଇଥିଲେ ବିବାହ ଆଇନ ସମ୍ମତ ନୁହେଁ ବୋଲି ସମସ୍ତେ ଜାଣନ୍ତି। ତଥାପି ବିଦ୍ ଜିଲ୍ଲାର ଗ୍ରାମାଞ୍ଚଳଗୁଡ଼ିକରେ ରହୁଥିବା ଫର୍ତାଦେ ପରିବାରେ ବାଲ୍ୟ ବିବାହ ବହୁମାତ୍ରାରେ ଚାଲିଛି। ଏମାନଙ୍କର କୃଷି ଆୟ ଖୁବ କମ୍ ଏବଂ ରୋଜଗାର ପାଇଁ ଏମାନେ ସାଧାରଣତଃ ବାହାରକୁ ଯାଆନ୍ତି । ବିଦ୍‌ରେ ୨୦-୨୪ ବର୍ଷ ବୟସ୍କା ମହିଳାଙ୍କ ମଧ୍ୟରେ ୫୧.୩ ପ୍ରତିଶତ ମହିଳା ୧୮ ବର୍ଷରୁ କମ୍ ବୟସରେ ବିବାହ କରିଥିଲେ। ସେହିଭଳି ୨୦୧୫-୧୬ ଏନଏଫଏଚ୍ଏସ ତଥ୍ୟ ଅନୁଯାୟୀ ୧୫-୧୯ ବର୍ଷ ମଧ୍ୟରେ ୧୮.୨ ପ୍ରତିଶତ ମହିଳା ମା’ ହୋଇ ସାରିଥିଲେ ବା ସର୍ବେକ୍ଷଣବେଳେ ଗର୍ଭବତୀ ଥିଲେ।

ଜାଗା ପରିବର୍ତ୍ତନ କରିବା ଅଧିକାଂଶ ସମୟରେ ମରାଠାୱାଡ଼ାରେ ସଅଳ ବିବାହକୁ ବାଧ୍ୟ କରେ। ଟ୍ରେଡ୍ ୟୁନିୟନ ଆକଳନ ଅନୁସାରେ ପ୍ରାୟ ୩୦୦,୦୦୦ ଚାଷୀ ଏବଂ ଶ୍ରମିକ ଅମଳ ସମୟରେ ବିଦ୍‌ରୁ ସ୍ଥାନାନ୍ତର ହୁଅନ୍ତି। ସେମାନେ ମୁଖ୍ୟତଃ ପଶ୍ଚିମ ମହାରାଷ୍ଟ୍ରର କୋହ୍ଲାପୁର, ସାଙ୍ଗଲି ଏବଂ ସତାରା ଜିଲ୍ଲା କିମ୍ବା କର୍ଣ୍ଣାଟକର ବେଲଗାଉଁ ଜିଲ୍ଲାକୁ ଆଖୁ କାଟିବାକୁ ଯାଆନ୍ତି। (ଆଖୁ ବିଲକୁ ଲମ୍ବା ରାସ୍ତା ଦେଖନ୍ତୁ)

ଗତ କିଛି ବର୍ଷ ହେବ ମରାଠାୱାଡ଼ାରୁ ଏହି ସାମୟିକ ସ୍ଥାନାନ୍ତରଣ ବୃଦ୍ଧି ପାଉଛି। ଚାଷରେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ପାଖାପାଖି ସମାନ ଆୟ ସ୍ଥାନାନ୍ତରଣ ସଂଖା ବଢାଇଛି। କୃଷି କମିଶନଙ୍କ ଦ୍ୱରା ଖରିଫ ଫସଲ ପାଇଁ ଦର ନୀତି (୨୦୧୭-୧୮) ଶୀର୍ଷକ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ କୃଷିରେ ନିବେଶ ଏବଂ ଆୟ ଭିତରେ ବହୁ ଅସାମଞ୍ଜସ୍ୟ ରହିଛି। ପ୍ରାୟ ସବୁ ଫସଲ, ଏପରିକି ଅର୍ଥକରୀ କପା ଚାଷରେ ମଧ୍ୟ ଏହି ଅବସ୍ଥା। ଏଠରେ ଉତ୍କଟ ଜଳ ସମସ୍ୟା ମଧ୍ୟ ଅନ୍ୟ ଏକ କାରଣ। ଯାହା ପାଇଁ କ୍ଷୁଦ୍ର ଚାଷୀମାନେ ମୁଖ୍ୟ ଆୟ ଭାବେ କୃଷି ଉପରେ ନିର୍ଭର କରିପାରନ୍ତି ନାହିଁ। ଏହି କାରଣରୁ ସ୍ଥାନାନ୍ତର ସଂଖ୍ୟା ବୃଦ୍ଧି ପାଉଛି।

ଯେତେ​‌ବେଳେ ଏହି ପରିବାରଗୁଡ଼ିକ କାମ ପାଇଁ ସ୍ଥାନାନ୍ତର ହୁଅନ୍ତି, ସେତେବେଳେ ଗୋଟିଏ ଝିଅକୁ ଦେଖାଶୁଣା କରିବାରେ ସମସ୍ୟା ହୁଏ ବୋଲି କହନ୍ତି ଅହମ୍ମଦନଗର ଅଞ୍ଚଳର ଶିକ୍ଷାବିତ୍ ହେରାମ୍ଭ କୁଲକର୍ଣ୍ଣି। ଏକ ବେସରକାରୀ ସଂଗଠନରେ କାର୍ଯ୍ୟ କରୁଥିବା ହେରମ୍ଭ କହନ୍ତି, “ଯେତେବେଳେ ଝିଅଟିଏ କିଶୋରୀ ବୟସରେ ପାଦଦିଏ, ସ୍ଥାନାନ୍ତର ହେଉଥିବା ବାପା ମା ତାର ସୁରକ୍ଷାକୁ ନେଇ ଚିନ୍ତିତ ହୋଇପଡ଼ନ୍ତି। ସେମାନେ ଶୀଘ୍ର ତାର ବିବାହ କରି ଦିଅନ୍ତି ଏବଂ ଦାୟିତ୍ଵ ସରିଗଲା ବୋଲି ଭାବନ୍ତି।”

A woman in a field with a young girl
PHOTO • Parth M.N.

ନାତୁଣୀ ଦ୍ୟାନେଶ୍ୱରୀଙ୍କ ସହ ବିଜୟା : ସାଇକେଲ ଭାଙ୍ଗୁଛି

ବିଜୟାଙ୍କ ବାପ ଘର ବିଦ୍ ଜିଲ୍ଲାର ଶିରୁର ତାଲୁକ ଶିରାପୁର ଗାଁରେ। ତାଙ୍କ ବାପା ମା’ ଚାଷୀ। ତାଙ୍କ ନିଜର ଦୁଇ ଏକର ଜମିରେ ସେ ଚାଷ କରନ୍ତି। ସେ ଯେତେବେଳେ ଛୋଟ ଥିଲେ ତାଙ୍କ ବାପା ମା’ ପ୍ରତିବର୍ଷ ପାଞ୍ଚ ମାସ ପାଇଁ ବାହାରକୁ ଯାଉଥିଲେ। (ଏବେ ବି କରୁଛନ୍ତି) ଆଖୁ କାଟିବାକୁ ସେମାନେ ନଭେମ୍ବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଘର ଛାଡୁଥିଲେ। ବିଜୟା କହିଲେ, ‘ଆମର  କପା ଚାଷ ଥିଲା, କିନ୍ତୁ ଅଳ୍ପ ଜମିରେ। ରୋଜଗାର ପାଇଁ ଅନ୍ୟ ଧନ୍ଦା ଦେଖିବାକୁ ପଡ଼ୁଥିଲା। ସେତେବେଳର ଜୀବନ ସଂପର୍କରେ ମୋର ସ୍ପଷ୍ଟ ମନେ ନାହିଁ। ବାପା ମା ଆଖୁ କାଟିବାକୁ ଗଲାବେଳେ ମୁଁ ପତ୍ର କୁଡିଆର ରହୁଥିଲି। (ଦେଖନ୍ତୁ: ୨,୦୦୦ ଘଣ୍ଟାର ଆଖୁ କଟା)

ଆଇନଗତ ଦିଗକୁ ଛାଡି ବାଲ୍ୟ ବିବାହର ଅନ୍ୟାନ୍ୟ ବିପରୀତ ଦିଗ ମଧ୍ୟ ରହିଛି। ଯେତେବେଳେ ଜଣେ ଝିଅ କିଶୋରୀ ବୟସରେ ବିବାହ କରେ, ତାର ସ୍ୱାସ୍ଥ୍ୟ ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼େ। କମ ବୟସରେ ମା ହେବା ଯୋଗୁ ମହିଳାମାନେ ମୃତ୍ୟୁମୁଖରେ ପଡ଼ନ୍ତି। ସେହିଭଳି ଅତି ଦୁର୍ବଳ ହୋଇପଡ଼ିବାରୁ ଛୁଆର ଲାଳନପାଳନ କରିପାରନ୍ତି ନାହିଁ। କମ୍ ବୟସରେ ମା’ ହେବା ଦ୍ୱାରା ଗର୍ଭପାତ, ଗର୍ଭସ୍ଥ ଶିଶୁର ମୃତ୍ୟୁ ଭଳି ସମସ୍ୟା ଦେଖାଦିଏ। ଦୁର୍ବଳ ଏବଂ କମ ପ୍ରତିଷେଧକ ଶକ୍ତିଥିବା ଶିଶୁ ଜନ୍ମ ହେବା ମଧ୍ୟ ଏହାର ଅନ୍ୟ ଏକ କାରଣ।

୨୦୧୧ ଜନଗଣନା ଆଧାରରେ ‘ଭାରତରେ ବାଲ୍ୟବିବାହ ଉପରେ ପରିସଂଖ୍ୟାନ ସମୀକ୍ଷା’ ଶୀର୍ଷକ ବିଶିଷ୍ଟ ଶିଶୁ ସୁରକ୍ଷା ଜାତୀୟ ଆୟୋଗଙ୍କ ବିଶ୍ଳେଷଣ ଆଉ ଏକ ଚିତ୍ର ସାମ୍ନାକୁ ଆଣେ, ଯେଉଁଥିରୁ ଜଣାଯାଏ ଯେ ୨୦ରୁ ୨୪ ବର୍ଷ ମଧ୍ୟରେ ମାଆ ହେଉଥିବା ଯେତିକି ମହିଳା ପିଲା ଜନ୍ମ କଲାବେଳେ କିମ୍ବା ଗର୍ଭଧାରଣ କଲାବେଳେ ମୃତ୍ୟୁମୁଖରେ ପଡନ୍ତି, ତା’ର ପାଞ୍ଚ ଗୁଣ ମୃତ୍ୟୁମୁଖରେ ପଡ଼ନ୍ତି ୧୦ରୁ୧୪ ବର୍ଷ ମଧ୍ୟରେ ଗର୍ଭଧାରଣ କରୁଥିବା ମହିଳା। ଯେତେବେଳେ ଝିଅମାନଙ୍କ ବୟସ ୧୫ରୁ ୧୯ ବର୍ଷ ହୋ‍ଇଥାଏ, ଶିଶୁଙ୍କୁ ଜନ୍ମଦେବା ସମୟରେ ଓ ଗର୍ଭଧାରଣରେ ବୟସ୍କା ମହିଳାଙ୍କ ଅପେକ୍ଷା ସେମାନଙ୍କ ମୃତ୍ୟୁସଂଖ୍ୟା ଦୁଇଗୁଣ ହୋ‍ଇଥାଏ।

ରିପୋର୍ଟରୁ ଜଣାଯାଏ ଯେ “କମ୍ ବୟସରେ ବିବାହ କରୁଥିବା ଓ ମା’ ହେଉଥିବା ମହିଳାମାନଙ୍କଠାରେ କୁପୋଷଣ ଦେଖାଯାଏ ଓ ସେମାନେ ଅପପୁଷ୍ଟିର ଶିକାର ହୁଅନ୍ତି।” [ ଓ ସେମାନଙ୍କଠାରେ ଏହି କାରଣରୁ ପ୍ରସବ ସମୟରେ ଜଟିଳତା ଦେଖାଦିଏ। ଏହା [ସଠିକ୍‌ ସମୟ ପୂର୍ବରୁ ପ୍ରସବ, ପ୍ରସବ ସମୟରେ ଜଟିଳତା, କମ ଓଜନର ଶିଶୁ ଜନ୍ମ ଓ ମାତୃମୃତ୍ୟୁ] ଆଦି ଜଟିଳତାର କାରଣ ହୋଇଥାଏ।

ପୁନେ ଅଞ୍ଚଳର ଜଣେ ଆଇନଜୀବୀ ଏବଂ ଶିଶୁ ଅଧିକାର କର୍ମୀ ରାମ ସରୋଦେ କହନ୍ତି, “ ବାଲ୍ୟ ବିବାହ ସହ ଘରୋଇ ହିଂସାର ମଧ୍ୟ ସଂପର୍କ ରହିଛି। କମ୍ ବୟସର ଝିଅଟିଏ ଶାଶୁଘରେ ହିଂସାର ଶିକାର ହେଲେ ନିଜ ପାଇଁ ଲଢେଇ କରିପାରେ ନାହିଁ। କାରଣ ତାକୁ ସହନଶୀଳ ହେବାକୁ କୁହାଯାଇଥାଏ। କେହି କେହି ସଚେତନତା ଅଭାବ ଏବଂ ସମ୍ମାନ କରିବା ଶିଖି ନଥିବାରୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ବାଲ୍ୟ ବିବାହ ମଧ୍ୟ ନାରୀ ଶିକ୍ଷାର ଅନ୍ତ ଘଟାଏ ଏବଂ ଆର୍ଥିକ ନିର୍ଭରଶୀଳତା ବୃଦ୍ଧି କରେ। "

ଏନଏଫଏଚଏସ୍ ରିପୋର୍ଟ ଅନୁସାରେ ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ କେବଳ ୩୨.୬ ପ୍ରତିଶତ ମହିଳା ୧୦ ବର୍ଷର ସ୍କୁଲ ଶିକ୍ଷା ଗ୍ରହଣ କରିଛନ୍ତି। ବିଦ୍ ଜିଲ୍ଲାରେ ଏହା ୩୧ ପ୍ରତିଶତ।

ବିଜୟା ତାଙ୍କ ଗାଁ ସ୍କୁଲରେ ୨ୟ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି। ସେ କହିଲେ, “ମୁଁ ବଡ଼ ହେବାରୁ ବାପା ମାଆଙ୍କ ପାଇଁ ମୋ ସୁରକ୍ଷା ଚିନ୍ତା ବଢିଲା। ସେମାନେ ମୋତେ ବାହା କରିଦେଲେ। ତାଙ୍କ ସ୍ୱାମୀ ବନ୍ଦୁଙ୍କ ଘର ଅର୍ବି ତାଙ୍କ ଗାଁଠାରୁ ପାଞ୍ଚ କିଲୋମିଟର ଦୂର। ତାଙ୍କର ଦୁଇ ଏକର ପୈତୃକ ଜମି ଅଛି। ଏହି ଜମିରେ ସେ କପା ଚାଷ କରନ୍ତି”। ବିଜୟା କହନ୍ତି, “ବର୍ଷରେ ଆମେ ଆଠ କୁଇଣ୍ଟାଲ ଅମଳ କରୁ। ଏଥିରୁ ପ୍ରାୟ ୨୨,୦୦୦ ଟଙ୍କା ଲାଭ ମିଳେ। କିନ୍ତୁ ଆମେ ଯେତେବେଳେ ଆଖୁ କାଟିବାକୁ ଯାଉ ଠିକାଦାର ଆମକୁ ଅଗ୍ରୀମ ୫୦,୦୦୦ ଟଙ୍କା ଦେଇଥାଏ। ପାଞ୍ଚ ମାସର କଠିନ ପରିଶ୍ରମ ପାଇଁ ଏହି ଟଙ୍କା ମିଳୁଥିଲେ ବି ଆମ ପାଇଁ ଏହା ବହୁତ ଅଧିକ।”

କାରଣ ଠିକାଦାରମାନେ କେବଳ ଦମ୍ପତିଙ୍କୁ ନିଅନ୍ତି। ଯେତେବେଳେ ପୁଅ ଝିଅଙ୍କର ବାହାଘର ହୋଇଯାଏ ସେତେବେଳେ ଆଉ  ଗୋଟିଏ ଯୁଗଳ ଯିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତି। ଏଥିରେ ପରିବାର ପାଇଁ ରୋଜଗାରର ନୂଆ ବାଟ ଖୋଲିଯାଏ।

ଭିଡିଓ ଦେଖନ୍ତୁ : ବାଲ୍ୟବିବାହ ସଂପର୍କରେ ବିଜୟା କହିବାକୁ ଚାହୁଁଛନ୍ତି ଯାହା ବାଲ୍ୟ ବିବାହ ଧାରାରୁ ପରିବାରଗୁଡ଼ିକ ମୁକୁଳି ପାରିବେ।

ଠିକାଦାରମାନେ କେବଳ ଦମ୍ପତିଙ୍କୁ ନିଅନ୍ତି। ତେଣୁ ପୁଅ ଝିଅଙ୍କର ବାହାଘର ହୋଇଗଲେ ଆଉ ଗୋଟିଏ ଦମ୍ପତି ଯିବା ପାଇଁ ଯୋଗ୍ୟ ହୁଅନ୍ତି। ଫଳରେ ପରିବାର ପାଇଁ ରୋଜଗାରର ଆଉ ଗୋଟିଏ ବାଟ ଫିଟିଯାଏ। ବିଜୟା ଏବଂ ବନ୍ଧୁ ବିବାହର ପରେ ପରେ ଆଖିୁ କାଟିବାକୁ ଯାଇଥିଲେ। ପ୍ରତିବର୍ଷ ଯାଆନ୍ତି। ବିଜୟା କହିଲେ, “ଆମ ଝିଅ ବଡ଼ ହେବା ପରେ ଆମେ ସେଇ ଭୁଲ ଦୋହରାଇଲୁ ଯାହା ମୋ ବାପା ମା’ କରିଥିଲେ। ଏତେ କମ ରୋଜଗାରରେ ଝିଅମାନଙ୍କୁ ଚଳେଇବା ଆମ ପାଇଁ କାଠିକର ପାଠ ଥିଲା। ବରଂ ତାଙ୍କୁ ବାହା କରାଇଦେବା ଭଲ ବୋଲି ନିଷ୍ପତ୍ତି ନେଲୁ।”

ଏହା ପରେ ସ୍ୱାତୀ ମଧ୍ୟ ଆଖୁ କାଟିବାକୁ ତା ସ୍ୱାମୀ ସାଙ୍ଗରେ ଗଲା। କିନ୍ତୁ ସେମାନେ ଏହି କାମ କେବଳ ଗୋଟିଏ ଥର କରିଥିଲେ। ବିବାହର ଦୁଇ ବର୍ଷ ପରେ ତା ସ୍ୱାମୀ ଏକ ମୋଟର ସାଇକେଲ ଦୁର୍ଘଟଣାରେ ପ୍ରାଣ ହରାଇଲେ। ତାଙ୍କ ଘର ବିଦ୍ ଜିଲ୍ଲା ପାଟୋଡ଼ା ତାଲୁକର ଚିକିଲି ଗାଁରେ। ସେତେବେଳକୁ ସ୍ୱାତୀର ସାତ ମାସର ଗର୍ଭ। ତା ଝିଅ ଦାନେଶ୍ୱରୀ ଜନ୍ମ ହେବା ପରେ ତା ଶାଶୁ ଘର ଲୋକ ଲାଳନପାଳନ କରିବାକୁ ମନା କରିଦେଲେ। ତେଣୁ ସ୍ୱାତୀ ବାପଘରକୁ ଫେରି ଆସିଲା।

ତାଙ୍କ ପରିବାରକୁ ସ୍ଥାନୀୟ ଅଞ୍ଚଳର ଜଣେ ସମାଜସେବୀ ଦୀପକ ନାଗରଗୋଜେ ସହାୟତାର ହାତ ବଢାଇଲେ। ଆର୍ବିରେ ଶାନ୍ତିବନ ନାମରେ ସେ ଏକ ଏନଜିଓ ଚଳାଇଥିଲେ। ପୁନେରେ ନର୍ସ ଟ୍ରେନିଂ ପାଇଁ ସେ ସ୍ୱାତୀକୁ ଆର୍ଥିକ ସହାୟତା କଲେ। ବିଜୟା ଏବଂ ବନ୍ଧୁଙ୍କ କାନ୍ଧରେ ଦାନେଶ୍ୱରୀର ଲାଳନ ପାଳନ ଭାର ପଡ଼ିଛି। ତାଙ୍କ ନିଜ ପୁଅ ରାମେଶ୍ୱର ଏବେ ଆର୍ବି ଶାନ୍ତିବନରେ ଆରମ୍ଭ ହୋଇଥିବା ଏକ ଆବସିକ ସ୍କୁଲରେ ପଢୁଛି।

ପିଲାଙ୍କ ଲାଳନପାଳନ ପାଇଁ ବିଜୟା ଏବଂ ବନ୍ଧୁ ଅମଳ ସମୟରେ ଆଖୁ କାଟିବାକୁ ଆଉ ଯାଇ ପାରିଲେ ନାହିଁ। ପାଖରେ ମିଳୁଥିବା କାମ ଉପରେ ନିର୍ଭର କରିବାକୁ ପଡ଼ିଲା। ବିଜୟାଙ୍କ ସାନ ଝିଅ ଶୀତଲ ବିଦ୍ ଟାଉନରେ ରହନ୍ତି। ତାଙ୍କ ସ୍ୱାମୀ ଜଣେ ନିର୍ମାଣ ଶ୍ରମିକ।

ନାଗରଗୋଜେ କହନ୍ତି ଗତ ୧୫ ବର୍ଷ ମଧ୍ୟରେ ଆଖପାଖ ଗାଁର ପ୍ରାୟ ଡଜନେରୁ ଅଧିକ କୁଆଁରୀ କନ୍ୟାଙ୍କୁ ସେ ସହାୟତା କରିଛନ୍ତି, ଯେଉଁମାନେ ଘରୋଇ ହିଂସାର ଶିକାର ହୋଇଛନ୍ତି କିମ୍ବା ବିବାହ ପରେ ସ୍ୱାମୀ ତାଙ୍କୁ ଛାଡି ଦେଇଛନ୍ତି। ଅନେକ ବାଲ୍ୟ ବିବାହ ହେଉଛି। କିନ୍ତୁ ପରିବାର ନ ଚାହିଁଲେ ଆମେ କୌଣସି ପଦକ୍ଷେ ନେଇ ପାରିବୁ ନାହିଁ ବୋଲି ସେ କହନ୍ତି। ଅନେକ ସମୟରେ ଗୁପ୍ତରେ ବାଲ୍ୟବିବାହ ଚାଲିଛି ବୋଲି କହନ୍ତି ନାଗରଗୋଜେ।

କେତେକ ସ୍ଥାନୀୟ ସଂଗଠନ ଗାଁ ସ୍କୁଲ ଗୁଡ଼ିକୁ ଅସ୍ଥାୟୀ ଆବାସିକ ସ୍କୁଲରେ ପରିବର୍ତ୍ତନ କରିବାକୁ ଉଦ୍ୟମ କରିଛନ୍ତି। ବାହାରକୁ ଯାଉଥିବା ଦଂପତିଙ୍କ ପିଲାଙ୍କୁ ଏଠାରେ ଥଇଥାନ କରିବା ଏହାର ଉଦ୍ଦେଶ୍ୟ। କିନ୍ତୁ ଏଠାରେ ଖୁବ କମ ଆବାସିକ ସ୍କୁଲ ଅଛି ଏବଂ ସାଧାରଣତଃ ଏଗୁଡିକର ପାରିପାର୍ଶ୍ୱିକ ଅବସ୍ଥା ଠିକ୍ ନଥିବାରୁ ଝିଅକୁ ଛାଡ଼ିବା ପାଇଁ ବାପା ମାଆମାନେ କୁଣ୍ଠାବୋଧ କରନ୍ତି।

ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ କାର୍ଯ୍ୟ କରୁଥିବା ପୁନେ ଅଞ୍ଚଳର ନୂତନ ମଘାଡ଼େ କହନ୍ତି ହଙ୍ଗାମୀ ବସ୍ତିଗୃହ ଯୋଜନାରେ ରାଜ୍ୟ ସରକାର ପ୍ରତି ମାସରେ ପ୍ରତି ପିଲା ପାଇଁ ୧,୪୧୬ ଟଙ୍କା ଦେଉଛନ୍ତି। ଏହା ଏକ ସାମୟିକ ହଷ୍ଟେଲ ଯୋଜନା। ଏହା କୌଣସି ଶିଶୁଙ୍କ ଦାୟିତ୍ୱ ନିଏ ନାହିଁ। କିନ୍ତୁ ଏହି ଟଙ୍କା ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ କମିଟିକୁ ଦିଆଯାଏ। ଯେଉଁ ପିଲାମାନେ ଘରେ ଜେଜେ ଜେଜେମା’ଙ୍କ ପାଖରେ ରହିବାକୁ ଫେରିଯାଆନ୍ତି ସେମାନଙ୍କ ଖାଇବାପିଇବା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଏହି ଅର୍ଥ ସହାୟକ ହୁଏ। (ଦେଖନ୍ତୁ: ‘ପ୍ରାୟ ସବୁ ଗ୍ରାମବାସୀ ଗାଁ ଛାଡ଼ି ପଳାଇଛନ୍ତି’)

ଆର୍ବିରେ ମୁଁ କଥାବର୍ତ୍ତା ହୋଇଥିବା ଅନେକ ବାପା ମାଆ ଖୁବ କମଦିନ ପାଇଁ ସ୍କୁଲ ଯାଇଛନ୍ତି ବା ଆଦୌ ଯାଇ ନାହାନ୍ତି। ସେମାନଙ୍କ ଝିଅମାନେ ମଧ୍ୟ ଖୁବ କମ ବୟସରେ ପାଠ ଛାଡିଛନ୍ତି। ଏହି ଲେଖାଟିରେ ସେମାନଙ୍କ କଥା ଛପାଯାଉ, ଏକଥା ବିଜୟାଙ୍କୁ ଛାଡି ଆଉ କେହି ରାଜି ହେଲେ ନାହିଁ। ଫଟୋଟିଏ ମଧ୍ୟ ଦେବାକୁ ମନା କଲେ। କାରଣ ସେମାନେ ଜାଣିଛନ୍ତି ଯେ ବାଲ୍ୟ ବିବାହ ବେଆଇନ। କିନ୍ତୁ ଯାହା ବିଜୟାଙ୍କ କ୍ଷେତ୍ରରେ ଘଟିଛି, ସେମାନେ ମଧ୍ୟ ସେହି ସମାନ ସମସ୍ୟାର ସାମ୍ନା କରିଛନ୍ତି।

ବିଜୟା ଚାହୁଁଥିଲେ ବାଲ୍ୟ ବିବାହ ଧାରାରୁ ତାଙ୍କ ଭଳି ପରିବାରମାନେ ମୁକୁଳନ୍ତୁ। ସେ କହିଲେ ଝିଅଙ୍କୁ ପାଠ ପଢାଇବାକୁ ଆମ ପାଖରେ ପଇସା ନଥିଲା। ଶିକ୍ଷାକୁ ନେଇ ଆମେ ସେତେବେଳେ ସଚେତନ ବି ନଥିଲୁ। କୋଳରେ ଖେଳୁଥିବା ଦ୍ୟାନେଶ୍ୱରୀକୁ ଚାହିଁ ସେ କହିଲେ, “ଯାହା ଆମ ପାଇଁ ଘଟିଛି, ତାହା ତା ଜୀବନରେ ନଆସୁ।”


ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.