ପାଖାପାଖି ୩,୦୦୦ ବର୍ଷ ଧରି ରକ୍ତକ୍ଷରଣ ଏକ ସାଧାରଣ ଡାକ୍ତରୀ ଚିକିତ୍ସା ରୂପରେ ରହିଥିଲା ।

ହିପୋକ୍ରେଟ୍‌ସଙ୍କ ଦ୍ଵାରା ପ୍ରବର୍ତ୍ତିତ ଏବଂ ପରବର୍ତ୍ତୀ ସମୟରେ ମଧ୍ୟଯୁଗୀୟ ୟୁରୋପରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଏକ ଧାରଣାରୁ ଯାହା ଗଢ଼ି ଉଠିଥିଲା,  ତାହା ହେଉଛି, ମଣିଷ ଶରୀରରେ ଥିବା ରକ୍ତ, କଫ, କଳା ପିତ୍ତ ଏବଂ ହଳଦିଆ ପିତ୍ତନାମକ ଚାରିଟି ରସରେ ଅସନ୍ତୁଳନ ସୃଷ୍ଟି କାରଣରୁ ରୋଗ ହୋଇଥାଏ । ହିପୋକ୍ରେଟ୍‌ସଙ୍କ ପ୍ରାୟ ୫୦୦ ବର୍ଷ ପରେ ଗାଲେନ୍‌ ଘୋଷଣା କଲେ ଯେ ରକ୍ତ ହିଁ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ରସ । ଏହା ଏବଂ ଅନ୍ୟ କେତେକ ଧାରଣା ସହିତ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ପରୀକ୍ଷଣ ଯୋଗୁଁ ଏବଂ ସାଧାରଣତଃ, ଅନ୍ଧବିଶ୍ଵାସ କାରଣରୁ, ମଣିଷ ଶରୀରରୁ ରକ୍ତସ୍ରାବ କରାଇ, ଦୂଷିତ ରକ୍ତକୁ ବାହାର କରିବାର ଚିକିତ୍ସା ପଦ୍ଧତି ସୃଷ୍ଟି ହେଲା । ଆପଣ ଚାହିଁଲେ କହିପାରନ୍ତି ଯେ, ଏହା ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଥିଲା ।

ଶରୀରରୁ ରକ୍ତକ୍ଷରଣ କରାଇବାରେ ଏକପ୍ରକାର ଔଷଧୀୟ ଜୋକ ହିରୋଡୋମେଡିସିନାଲିସ୍  ସମେତ ବିଭିନ୍ନ ଜୋକ ବ୍ୟବହାର କରାଯାଉଥିଲା । ଆମେ ଏକଥା କେବେ ବି ଜାଣିପାରିବା ନାହିଁ ଯେ, ଏଭଳି ଚିକିତ୍ସା ଯୋଗୁଁ ୩,୦୦୦ ବର୍ଷ ଭିତରେ କେତେ ଜଣ ଲୋକ ସେମାନଙ୍କ ଜୀବନ ହରାଇଲେ, କେତେ ଜଣ ମାନବ ମୃତଦେହରେ ପରିଣତ ହେଲେ, ଚିକିତ୍ସକମାନଙ୍କର ଚିକିତ୍ସା ପଦ୍ଧତି ସଂପର୍କିତ ବିଚାରଧାରାର ମାୟାଜାଲରେ ପଡ଼ିଥିବା କେତେ ଜଣଙ୍କ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଲା । ହେଲେ ଆମେ ଜାଣିଛୁ ଯେ ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ଶରୀରରୁ ପ୍ରାୟ ୨୪ ଆଉନ୍‌ସ ରକ୍ତ କାଢ଼ି ନିଆଯାଇଥିଲା । ଗଳା ସଂକ୍ରମଣର ଚିକିତ୍ସା କରିବା ନିମନ୍ତେ (ତାଙ୍କ ଅନୁରୋଧକ୍ରମେ) ଜର୍ଜ ୱାଂଶିଟନଙ୍କର ତିନି ଜଣ ଡାକ୍ତର ତାଙ୍କ ଶରୀରରୁ ପ୍ରଚୁର ରକ୍ତ ନିଃସରଣ କରାଇଥିଲେ-ଏବଂ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ନୂତନ ଉଦାରବାଦ, ବାସ୍ତବ ଅର୍ଥରେ କହିଲେ, ସେହି ପୁଞ୍ଜିବାଦର ହିଁ ପୁଙ୍ଖାନୁପୁଙ୍ଖ ବ୍ୟବଚ୍ଛେଦ ଲାଗି କୋଭିଡ୍‌-୧୯ ଆମକୁ ଏକ ଚମତ୍କାର ସୁଯୋଗ ପ୍ରଦାନ କରିଛି । ଟେବୁଲ ଉପରେ, ସ୍ପଷ୍ଟ ଆଲୋକରେ ଶବ ପଡ଼ି ରହିଛି । ତା’ର ସବୁ ଶିରାପ୍ରଶିରା, ଧମନୀ, ଅଙ୍ଗପ୍ରତ୍ୟଙ୍ଗ ଏବଂ ହାଡ଼ ଆମ ମୁହଁକୁ ଚାହିଁ ରହିଛନ୍ତି । ଆପଣ ସେଇ ସବୁ ଜୋକମାନଙ୍କୁ ଏବେ ଦେଖିପାରିବେ- ଘରୋଇକରଣ, କମ୍ପାନି ସମୂହର ଜଗତୀକରଣ, ଉଗ୍ର ଭାବରେ ଏକୀକୃତ ଧନସଂପତ୍ତି, ଜୀବନ ଧାରଣର ସ୍ମୃତିପଟରେ ପୂର୍ବରୁ କେବେହେଲେ ଦେଖାଯାଇ ନଥିବା ଅସମାନତାର ସ୍ତର । ସାମାଜିକ ଏବଂ ଅର୍ଥନୈତିକ ଅସୁସ୍ଥତାର ଚିକିତ୍ସା ଦିଗରେ ରକ୍ତକ୍ଷରଣ କରାଇବାର ସେହି ଦୃଷ୍ଟିଭଙ୍ଗୀ, ଯାହାକି ସମାଜରେ କର୍ମଜୀବୀମାନଙ୍କର ଶାଳୀନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ମାନବୀୟ ସ୍ଥିତିର ମୌଳିକତାକୁ ଶୋଷି ନେଇଥିବା ଦେଖାଯାଇଛି ।

ଊନବିଂଶ ଶତାବ୍ଦୀର ୟୁରୋପରେ ଏହି ୩,୦୦୦ ବର୍ଷ ପୁରୁଣା ଚିକିତ୍ସା ପଦ୍ଧତି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା ।୧୯ଶ ଶତାବ୍ଦୀର ଶେଷ ଭାଗ ଏବଂ ୨୦ଶ ଶତାବ୍ଦୀରେ ଏହାକୁ ପ୍ରତ୍ୟାଖ୍ୟାନ କରିବା ଆରମ୍ଭ ହେଲା । କିନ୍ତୁ ସାଂପ୍ରତିକ ସମାଜର ଅର୍ଥଶାସ୍ତ୍ର, ଦର୍ଶନଶାସ୍ତ୍ର ଏବଂ ବ୍ୟବସାୟ କ୍ଷେତ୍ରରେ ଏହି ପଦ୍ଧତି ଏବଂ ଏହାର ପ୍ରୟୋଗ ଏବେ ବି ଆଧିପତ୍ୟ ବିସ୍ତାର କରିଛି ।

PHOTO • M. Palani Kumar

ବିଷମତା ହିଁ ଆଜିକାଲି ମାନବିକତାର ଭବିଷ୍ୟତ ସଂପର୍କିତ ଆମର ଯେ କୌଣସି ବିତର୍କର ମୂଳକଥା

ଆମ ଆଗରେ ପଡ଼ିଥିବା ଏହି ଶବକୁ ଘେରି ରହିଥିବା କେତେକ ଅତ୍ୟନ୍ତ ଶକ୍ତିଶାଳୀ ସାମାଜିକ ଏବଂ ଅର୍ଥନୈତିକ ଚିକିତ୍ସକମାନେ, ଏହାର ବ୍ୟବଚ୍ଛେଦ ଠିକ୍‌ ସେଇ ଢଙ୍ଗରେ କରନ୍ତି, ଯେମିତି କି ମଧ୍ୟଯୁଗୀୟ ୟୁରୋପରେ କରାଯାଉଥିଲା । ଯେଉଁଭଳି ଏକଦାକାଉଣ୍ଟରପଞ୍ଚସମାଚାର ପତ୍ରିକାର ସଂପାଦକ ଆଲେକ୍‌ଜାଣ୍ଡାର କକ୍‌ବର୍ଣ୍ଣ କହିଥିଲେ ଯେ, ଯେତେବେଳେ ମଧ୍ୟଯୁଗୀୟ ଚିକିତ୍ସକମାନଙ୍କ ହାତରେ ସେମାନଙ୍କ ରୋଗୀର ମୃତ୍ୟୁ ହେଉଥିଲା, ସେମାନେ ଦୁଃଖରେ ମୁଣ୍ଡ ହଲାଉଥିଲେ ଏବଂ କହୁଥିଲେ: “ଆମେ ତାଙ୍କର ପର୍ଯ୍ୟାପ୍ତ ରକ୍ତସ୍ରାବ କରାଇ ନଥିଲୁ ।” ଠିକ୍‌ ସେମିତି ବିଶ୍ଵ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ବର୍ଷ ବର୍ଷ ଧରି କରୁଣ ଚିତ୍କାର କରିଆସୁଛନ୍ତି ଯେ, ସେମାନଙ୍କର ଚମକପ୍ରଦ ଓ ବିସ୍ମୟଜନକ ଚିକିତ୍ସା ପଦ୍ଧତି ଯୋଗୁଁ ଉତ୍ପନ୍ନ ଭୟାବହ କ୍ଷୟକ୍ଷତି, ଯାହାକୁ କି ପ୍ରାୟତଃ ସମନ୍ଵୟ ଉଦ୍ଦେଶ୍ୟରେ ସଂଗଠିତ ନରସଂହାରର ଆଖ୍ୟା ଦିଆଯାଇପାରେ, ତାହା କେବଳ ସେମାନଙ୍କର ‘ସଂସ୍କାରଧର୍ମୀ’ ପଦକ୍ଷେପର ପ୍ରସାରଯୋଗୁଁ ନୁହେଁ, ବରଂ ଆବଶ୍ୟକତା ଅନୁସାରେ ସେମାନଙ୍କ ସଂସ୍କାରଧର୍ମୀ ପଦକ୍ଷେପ ପ୍ରସାରିତ ନ ହୋଇପାରିବାରୁ, ବାସ୍ତବରେ ଉଚ୍ଛୃଙ୍ଖଳ ଏବଂ ଅସଭ୍ୟ ତତ୍ତ୍ଵମାନଙ୍କ ଦ୍ଵାରା ପ୍ରସାର ସୁଯୋଗ ଦିଆନଯିବାର ପରିଣତି।

ବୈଚାରିକ ଉନ୍ମାଦଗ୍ରସ୍ତ ବ୍ୟକ୍ତିମାନେ ଯୁକ୍ତି କରନ୍ତି ଯେ, ବିଷମତା ଏତେ ଭୟଙ୍କର ବିଷୟ ନୁହେଁ । ଏହା ଏକ ପ୍ରତିଯୋଗିତାମୂଳକ ମନୋଭାବ ଏବଂ ବ୍ୟକ୍ତିଗତ ଉଦ୍ୟମକୁ ପ୍ରୋତ୍ସାହିତ କରେ । ଏବଂ ଆମ ପାଇଁ ତାହା ଅଧିକରୁ ଅଧିକ ଆବଶ୍ୟକ ।

ଆଜିକାଲି ମାନବିକତାର ଭବିଷ୍ୟତ ସଂପର୍କିତ ଆମର ଯେ କୌଣସି ବିତର୍କର ମୂଳକଥା ହେଉଛି ବିଷମତା । ଶାସକମାନେ ଏହା ଜାଣନ୍ତି ।

ମାନବିକତାର ସମସ୍ୟା ସହିତ ବିଷମତାର କୌଣସି ସଂପର୍କ ରହିଥିବା କଥାକୁ, ଆଜିକୁ ୨୦ ବର୍ଷରୁ ଅଧିକ କାଳ ହେଲା ସେମାନେ ବର୍ବରୋଚିତ ଢଙ୍ଗରେ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି । ଏହି ସହସ୍ରାବ୍ଦୀର ପ୍ରାରମ୍ଭରେ, ବ୍ରୁକିଂସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏଭଳି ବିପଥଗାମୀ ଆଲୋଚନା ବିରୋଧରେ ସତର୍କ କରାଇ ଦେଇଥିଲା । ସାରା ବିଶ୍ଵରେ କୋଭିଡ୍‌-୧୯ କାୟାବିସ୍ତାର କରିବାର ୯୦ ଦିନରୁ କମ୍‌ ସମୟ ପୂର୍ବରୁ, ନବ-ଉଦାରବାଦର ଦୁର୍ବୋଧ୍ୟ ଦୈବୀବାଣୀ ‘ଦି ଇକୋନୋମିଷ୍ଟ’ ପତ୍ରିକାରେ,କୁକୁଡ଼ା ଛୁଆ ପୂର୍ବରୁ କୁକୁଡ଼ାର ଜନ୍ମ ଉଲ୍ଲେଖ କରାଯାଇଥିବା ଏକ ତିକ୍ତ ମୁଖପୃଷ୍ଠ ଲେଖା ପ୍ରକାଶିତ ହୋଇଥିଲା ।

ବିଷମତାର ବିଭ୍ରାନ୍ତି: କାହିଁକି ସଂପତ୍ତି ଏବଂ ଆୟରେ ଥିବା ପ୍ରଭେଦ ଦୃଷ୍ଟିଗୋଚର ହୁଏନାହିଁ 

ଟାର୍‌ଜାନର ପ୍ରସିଦ୍ଧ ଅନ୍ତିମ ଶବ୍ଦାବଳୀକୁ ଉଦ୍ଧାର କରାଯାଇପାରେ ଯେ –“କିଏ ସେହି ଅଙ୍ଗୁରଲତାକୁ ମସୃଣ କଲା ?”

ତା’ପରେ ଏହା ଆୟ ଓ ସଂପତ୍ତି ସଂପର୍କିତ ସଂଖ୍ୟା ସମୂହକୁ ଧୂଳିସାତ୍‌ କରେ, ଏହି ସଂଖ୍ୟାର ସ୍ରୋତକୁ ଦୁର୍ବଳ କରିବା ଲାଗି ପ୍ରୟାସ କରେ: ଆଉ କହେ ଯେ, “ଏମିତି କି ଧ୍ରୁବୀକରଣ ପ୍ରକ୍ରିୟାରେ ପରିପୂର୍ଣ୍ଣ ଏକ ବିଶ୍ଵ, ନକଲି ଖବର ଏବଂ ସାମାଜିକ ଗଣମାଧ୍ୟମ”ରେ ଏଭଳି ହାସ୍ୟାସ୍ପଦ ଧାରଣା ବଳବତ୍ତର ରହିଥାଏ” ।

କୋଭିଡ୍‌-୧୯ ଆମକୁ ଏକ ପ୍ରାମାଣିକ ବ୍ୟବଚ୍ଛେଦର ଫଳାଫଳ ପ୍ରଦାନ କରିଛି, ନବ-ଉଦାରବାଦୀ ଝଡ଼ାଫୁଙ୍କା ଡାକ୍ତରମାନଙ୍କ କାରସାଦିକୁ ଭଣ୍ଡୁର କରିଛି- ତଥାପି ସେମାନଙ୍କର ଚିନ୍ତାଧାରା କର୍ପୋରେଟ୍‌ ପରିଚାଳିତ ଗଣମାଧ୍ୟମ ଉପରେ ଆଧିପତ୍ୟ ବିସ୍ତାର କରିଛି, ଯେଉଁମାନେ କି ବିଗତ ତିନି ମାସର ଧ୍ଵଂସଲୀଳାକୁ କୌଣସି ଉପାୟରେ ବି ପୁଞ୍ଜିବାଦ ସହ ସଂଯୋଗ ନ କରିବାର ବାଟ ଖୋଜିବାରେ ବ୍ୟସ୍ତ ରହିଛନ୍ତି ।

ସର୍ବବ୍ୟାପୀ ବିଶ୍ଵ ମହାମାରୀ ଏବଂ ମାନବିକତାର ସମ୍ଭାବ୍ୟ ପରିସମାପ୍ତି ସଂପର୍କରେ ଆଲୋଚନା କରିବାକୁ ଆମେ କେତେ ପ୍ରସ୍ତୁତ । ନବ-ଉଦାରବାଦ ଏବଂ ପୁଞ୍ଜିବାଦର ଅନ୍ତ ସଂପର୍କରେ ଆଲୋଚନା କରିବାକୁ ଆମେ କେତେ ଅନିଚ୍ଛୁକ ।

ଏଥିପାଇଁ ଅନ୍ଵେଷଣ ଅବ୍ୟାହତ ରହିଛି ଯେ: କେତେ ଶୀଘ୍ର ଆମେ ଏହି ସମସ୍ୟାକୁ ଅତିକ୍ରମ କରିପାରିବା ଏବଂ “ସ୍ଵାଭାବିକତାକୁ ଫେରିଆସିବା” । କିନ୍ତୁ ସ୍ଵାଭାବିକତାକୁ ଫେରି ଆସିବା ବିଷୟରେ କୌଣସି ସମସ୍ୟା ନଥିଲା ।

‘ସ୍ଵାଭାବିକତା’ ହିଁ ସମସ୍ୟା ହୋଇ ରହିଥିଲା । (ଶାସକ ସମ୍ଭ୍ରାନ୍ତ ବର୍ଗଭୁକ୍ତ ଅପେକ୍ଷାକୃତ ସତର୍କ ବ୍ୟକ୍ତିମାନେହିଁ ‘ନୂତନ ସ୍ଵାଭାବିକତା’ ପଦର ବିସ୍ତାରିତ ବର୍ଣ୍ଣନାରେ ବ୍ୟସ୍ତ ରହିଆସୁଛନ୍ତି ।)

Two roads to the moon? One a superhighway for the super-rich, another a dirt track service lane for the migrants who will trudge there to serve them
PHOTO • Satyaprakash Pandey
Two roads to the moon? One a superhighway for the super-rich, another a dirt track service lane for the migrants who will trudge there to serve them
PHOTO • Sudarshan Sakharkar

ଚନ୍ଦ୍ରକୁ ଦୁଇଟି ରାସ୍ତା ? ଗୋଟିଏ ଅତି ଧନଶାଳୀ ବର୍ଗ ପାଇଁ ଅତି ଚମତ୍କାର ରାଜପଥ, ଅନ୍ୟଟି ଏକ ଆବର୍ଜନାପୂର୍ଣ୍ଣ ଗଳିରାସ୍ତା, ଯାହା ଉପରେ ପ୍ରବାସୀମାନେ ଚାଲି ଚାଲିଯାଇ ସେମାନଙ୍କୁ ସେବା ଯୋଗାଇବେ

କୋଭିଡ୍‌ ପୂର୍ବବର୍ତ୍ତୀ ସମୟର ସ୍ଵାଭାବିକତା- ୨୦୨୦ ଜାନୁଆରୀରେ ଅକ୍‌ସଫାମ୍‌ ସଂସ୍ଥାରୁ ଆମେ ଜାଣିଲୁ ଯେ ବିଶ୍ଵର ସବୁଠାରୁ ଧନୀ ୨୨ ଜଣ ବ୍ୟକ୍ତିଙ୍କ ପାଖରେ ଥିବା ସଂପତ୍ତି ଆଫ୍ରିକାର ସମସ୍ତ ମହିଳାଙ୍କ ସଂପତ୍ତି ତୁଳନାରେ ଅଧିକ ।

ବିଶ୍ଵ ଜନସଂଖ୍ୟାର ୬୦ ପ୍ରତିଶତ ଲୋକଙ୍କ ସଂପତ୍ତି ତୁଳନାରେ୨୧୫୩ ଜଣ ଶହ ଶହ କୋଟିର ସଂପତ୍ତି ମାଲିକଙ୍କ ପାଖରେ ଅଧିକ ସଂପତ୍ତି ରହିଛି ।

ନୂତନ ସ୍ଵାଭାବିକତା: ୱାଶିଂଟନ ଡି.ସି.ର ‘ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପଲିସି ଷ୍ଟଡିଜ୍‌’ ଆମକୁ ଜଣାଇ ଦିଏ ଯେ ଆମେରିକାର କୋଟିପତିମାନେ ୧୯୯୦ରେ ମୋଟ ଯେତିକି ସଂପତ୍ତି (୨୪୦ ବିଲିଅନ୍‌ ଡଲାର) ରଖିଥିଲେ,ବିଶ୍ଵ ମହାମାରୀ ବ୍ୟାପିବାର ଠିକ୍‌ ତିନି ସପ୍ତାହରେ ତା’ଠାରୁ ଅଧିକ ସଂପତ୍ତି ଠୁଳ କରିଛନ୍ତି, -ଯାହାକି୨୮୨ ବିଲିଅନ୍‌ (ଶହ କୋଟି) ଡଲାର ।

ଏଭଳି ଏକ ସ୍ଵାଭାବିକତା, ଯେଉଁଠି କି ଖାଦ୍ୟରେ ଭରପୂର ଏକ ପୃଥିବୀରେ ଶହ ଶହ କୋଟି ଲୋକ ଭୋକରେ ରହନ୍ତି । ଜୁଲାଇ ୨୨ ତାରିଖ ବେଳକୁ, ଭାରତରେ ୯ କୋଟି ୧ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ଅଧିକ ଖାଦ୍ୟଶସ୍ୟ  ‘ବଳକା’ କିମ୍ବା ସରକାରୀ ଭଣ୍ଡାରରେ ମହଜୁଦ ଅତିରିକ୍ତ ଶସ୍ୟ ଭାବରେ ପଡ଼ି ରହିଥିଲା-ଏବଂ ବିଶ୍ଵର ସର୍ବାଧିକ ଭୋକିଲା ଲୋକ ବି ଭାରତରେ ରହିଥିଲେ । ନୂତନ ସ୍ଵାଭାବିକତା ? ଏଥିରୁ ଖୁବ୍‌ କମ୍‌ ପରିମାଣର ଶସ୍ୟ ମାଗଣାରେ ବିତରଣ କରାଯାଏ, ହେଲେ, ବହୁ ଅଧିକ ପରିମାଣର ଚାଉଳକୁ -ହ୍ୟାଣ୍ଡ ସାନିଟାଇଜର ପ୍ରସ୍ତୁତିରେ ଲାଗୁଥିବା-ଇଥାନଲରେ ରୂପାନ୍ତରିତ ହେବା ପାଇଁ ମଞ୍ଜୁର କରାଯାଏ ।

ପୁରୁଣା ସ୍ଵାଭାବିକତା ହେଉଛି, ଆମ ପାଖରେ ଯେତେବେଳେ ୫ କୋଟି ଟନ୍‌ ‘ବଳକା’ ଖାଦ୍ୟଶସ୍ୟ ବିଭିନ୍ନ ଗୋଦାମରେ ପଡ଼ି ରହିଥିଲା, ସେ ସଂପର୍କରେ ୨୦୦୧ରେ ପ୍ରଫେସର ଜିନ ଡ୍ରେଜ୍‌ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି: ଯଦି ଆମର ସବୁ ଖାଦ୍ୟଶସ୍ୟ ବସ୍ତାକୁ “ଗୋଟିଏ ଧାଡ଼ିରେ ରଖାଯାଏ, ତାହା ଲକ୍ଷ ଲକ୍ଷ କିଲୋମିଟର ଯାଏଁ ଲମ୍ବିଯିବ-ଏବଂ ଏହି ଧାଡ଼ି ପୃଥିବୀରୁ ଚନ୍ଦ୍ର ପର୍ଯ୍ୟନ୍ତ ଦୂରତାର ଦୁଇ ଗୁଣରୁ ଅଧିକ ହେବ ।” ନୂଆ ସ୍ଵାଭାବିକତା- ଜୁନ ପ୍ରଥମ ଭାଗରେ ଏହାର ପରିମାଣ ୧୦ କୋଟି ୪୦ ଲକ୍ଷ ଟନ୍‌ରେ ପହଞ୍ଚିଥିଲା । ଚନ୍ଦ୍ର ପର୍ଯ୍ୟନ୍ତ ଦୁଇଟି ରାସ୍ତା ? ଗୋଟିଏ ଅତ୍ୟନ୍ତ ଧନଶାଳୀ ବର୍ଗ ପାଇଁ ଅତି ଚମତ୍କାର ରାଜପଥ, ଅନ୍ୟଟି ଏକ ଆବର୍ଜନାପୂର୍ଣ୍ଣ ଗଳିରାସ୍ତା, ଯାହା ଉପରେ ପ୍ରବାସୀମାନେ ଚାଲି ଚାଲି ଯାଇ ସେମାନଙ୍କୁ ସେବା ଯୋଗାଇବେ ।

‘ସ୍ଵାଭାବିକତା’ର ଅର୍ଥଏହା ଥିଲା ଯେ, ଏମିତି ଏକ ଭାରତ ଯେଉଁଠି, ୧୯୯୧ରୁ ୨୦୧୧ ମଧ୍ୟରେ ୨୦ ବର୍ଷ ଧରି, ପ୍ରତି ୨୪ ଘଣ୍ଟାରେ ୨,୦୦୦ ପୂର୍ଣ୍ଣକାଳୀନ କୃଷକ ସେମାନଙ୍କର ସେହି ମାନ୍ୟତା ହରାଉଥିଲେ । ଅନ୍ୟ ଭାଷାରେ, ଦେଶରେ ପୂର୍ଣ୍ଣକାଳୀନ କୃଷକଙ୍କ ସଂଖ୍ୟା ସେହି ସମୟ ମଧ୍ୟରେ ୧ କୋଟି ୫୦ଲକ୍ଷ ହ୍ରାସ ପାଇଥିଲା । 

ଆହୁରି ମଧ୍ୟ: ୧୯୯୫ରୁ ୨୦୧୮ ମସିହା ଭିତରେ ଦେଶର ୩୧୫,୦୦୦ ଚାଷୀ ନିଜେ ନିଜର ଜୀବନ ନେଇଛନ୍ତି ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରଦତ୍ତ ହିସାବର ସଂଖ୍ୟାରୁ (ଏକ ବିରାଟ ଅବମୂଲ୍ୟାୟନ) ଜଣାଯାଇଛି । ଲକ୍ଷ ଲକ୍ଷ ଚାଷୀ ହୁଏତ କୃଷି ଶ୍ରମିକ ପାଲଟିଗଲେ କିମ୍ବା କୃଷି ସହିତ ଆନୁସଙ୍ଗିକ ଜୀବିକା ମଧ୍ୟ ଉଭେଇ ଯାଇଥିବାରୁ, ଚାକିରି ଅନ୍ଵେଷଣରେ ନିଜ ନିଜର ଗାଁ ଛାଡ଼ି ପଳାଇଲେ ।
The ‘normal’ was an India where full-time farmers fell out of that status at the rate of 2,000 every 24 hours, for 20 years between 1991 and 2011. Where at least 315,000 farmers took their own lives between 1995 and 2018
PHOTO • P. Sainath
The ‘normal’ was an India where full-time farmers fell out of that status at the rate of 2,000 every 24 hours, for 20 years between 1991 and 2011. Where at least 315,000 farmers took their own lives between 1995 and 2018
PHOTO • P. Sainath

‘ସ୍ଵାଭାବିକତା’ର ଅର୍ଥ ଏହା ଥିଲା ଯେ, ଏମିତି ଏକ ଭାରତ ଯେଉଁଠି, ୧୯୯୧ରୁ ୨୦୧୧ ମଧ୍ୟରେ ୨୦ ବର୍ଷ ଧରି, ପ୍ରତି ୨୪ ଘଣ୍ଟାରେ ୨,୦୦୦ପୂର୍ଣ୍ଣକାଳୀନ କୃଷକ ସେମାନଙ୍କର ସେହି ମାନ୍ୟତା ହରାଇଥିଲେ । ଯେଉଁଠି ୧୯୯୫ରୁ ୨୦୧୮ ମସିହା ଭିତରେ ଦେଶର ଅନ୍ୟୂନ ୩୧୫,୦୦୦ ଚାଷୀ ନିଜେ ନିଜର ଜୀବନ ନେଇଥିଲେ

ନୂତନ ସ୍ଵାଭାବିକତା:୧୩୦ କୋଟି ଲୋକଙ୍କର ଏକ ଦେଶରେ ଲକ୍‌ଡାଉନ୍‌ ଲାଗୁ କରିବା ପାଇଁ ଜଣେ ପ୍ରଧାନମନ୍ତ୍ରୀ ମାତ୍ର ଚାରି ଘଣ୍ଟା ସମୟ ଦେବାର ପରବର୍ତ୍ତୀ ସମୟରେ ବିଭିନ୍ନ ନଗର ଓ ସହରରୁ କୋଟି କୋଟି ପ୍ରବାସୀ ଶ୍ରମିକ ନିଜ ନିଜ ଗାଁକୁ ଫେରିବାରେ ଲାଗିଲେ। ସେମାନଙ୍କ ମଧ୍ୟରୁ କେତେକ ନିଜ ଗାଁରେ ପହଞ୍ଚିବା ଲାଗି ହଜାର କିଲୋମିଟରୁ ଅଧିକ ରାସ୍ତା ପାଦରେ ଚାଲିଥିଲେ, କାରଣ ସେମାନଙ୍କ ଗାଁରେ ହିଁ ବଞ୍ଚି ରହିବାର ସର୍ବୋତ୍ତମ ସୁଯୋଗ ରହିଛି ବୋଲି ସେମାନେ ହିସାବ କରିନେଇଥିଲେ । ମେ ମାସର ୪୩-୪୭ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ସେମାନେ ପାଦରେ ଚାଲିବାରେ ଲାଗିଥିଲେ ।

ନୂତନ ସ୍ଵାଭାବିକତା ହେଉଛି ବିଗତ ତିନି ଦଶନ୍ଧିରେ ଆମେ ନଷ୍ଟ କରିଦେଇଥିବା ଜୀବିକାର ସନ୍ଧାନ ଲାଗି ପଦଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ଘରବାହୁଡ଼ା ।

କେବଳ ମେ ମାସରେ ହିଁ ପାଖାପାଖି ୧ କୋଟି ଲୋକ ଟ୍ରେନ୍‌ରେ ଯାତ୍ରା କରିଥିଲେ- ସରକାରଙ୍କ ପ୍ରବଳ ଅନିଚ୍ଛାରେ ଏବଂ ଲକ୍‌ଡାଉନ ଲାଗୁ ହେବାର ଗୋଟିଏ ମାସ ପରେ ହିଁ ଟ୍ରେନ୍‌ ଚଳାଚଳ ବ୍ୟବସ୍ଥା କରାଯାଇଥିଲା । ଅସହାୟ ଅବସ୍ଥାରେ ଏବଂ ଭୋକ ଉପାସରେ ଘରକୁ ଫେରୁଥିବା ପ୍ରବାସୀମାନେ ସରକାରଙ୍କ ମାଲିକାନାରେ ଥିବା ରେଳବାଇକୁ ପୂରା ରେଳଭଡ଼ା ଦେବାକୁ ବାଧ୍ୟ ହୋଇଥିଲେ ।

ସ୍ଵାଭାବିକ ତ ଏହା ବି ଥିଲା ଯେ, ବର୍ଷ ବର୍ଷ ଧରି ବ୍ୟୟବହୁଳ ହୋଇ ପଡ଼ିଥିବା ଏବଂ ବିନା ପ୍ରତିବନ୍ଧକରେ ବିପୁଳ ସଂଖ୍ୟାରେ ଗଢ଼ି ଉଠିଥିବା ଏକ ଘରୋଇ ସ୍ଵାସ୍ଥ୍ୟସେବା କ୍ଷେତ୍ର, ଯୁକ୍ତରାଷ୍ଟ୍ର ଆମେରିକାର ସର୍ବାଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ଦେବାଳିଆ କରିଥିଲା । ଭାରତରେ, ଏହି ଦଶନ୍ଧିର ଗୋଟିଏ ବର୍ଷରେ କେବଳ ସ୍ଵାସ୍ଥ୍ୟସେବାରେ ଟଙ୍କା ଖର୍ଚ୍ଚ କରିଥିବା ୫ କୋଟି ମଣିଷ ଦାରିଦ୍ର୍ୟ ସୀମାରେଖା ତଳେ ପହଞ୍ଚିଗଲେ ।

ନୂତନ ସ୍ଵାଭାବିକତା: ସ୍ଵାସ୍ଥ୍ୟସେବା କ୍ଷେତ୍ର ଉପରେ ବଡ଼ ବଡ଼ କମ୍ପାନୀର ଅତ୍ୟଧିକ ନିୟନ୍ତ୍ରଣ । ଏବଂ ଭାରତ ଭଳି ଦେଶରେ ବେସରକାରୀ ହାସପାତାଳର ଲାଭଅର୍ଜନ । ଅନ୍ୟ ଅନେକ ବିଷୟ ସହିତ ସେଥିରେ ରହିଛି  କୋଭିଡ୍‌ ପରୀକ୍ଷଣରୁ ଅର୍ଥ ଆଦାୟ । ସେହି ସମୟରେ ହିଁ ପ୍ରଭୁତ ଘରୋଇ ନିୟନ୍ତ୍ରଣ ଦିଗରେ ସେହି ଅଭିଯାନ ଜାରି ରହିଲା- ଯେତେବେଳେ କି ସ୍ପେନ୍‌ ଓ ଆୟାର୍‌ଲ୍ୟାଣ୍ଡ ଭଳି ପୁଞ୍ଜିବାଦୀ ଦେଶ ସମସ୍ତ ଘରୋଇ ଚିକିତ୍ସା କେନ୍ଦ୍ରର ଜାତୀୟକରଣ କରିଥିଲେ । ଯେମିତି କି ୯୦ ଦଶକର ପ୍ରାରମ୍ଭିକ ଭାଗରେ ସ୍ଵିଡେନ୍‌ ସମସ୍ତ ବ୍ୟାଙ୍କର ଜାତୀୟକରଣ କରିଥିଲା ଏବଂ ସାଧାରଣ ଲୋକଙ୍କ ସମ୍ବଳ ବଳରେ ସେଗୁଡ଼ିକର ଲାଳନପାଳନ କରି ସୁସ୍ଥ କରିବା ପରେ ପୁଣି ଘରୋଇ ମାଲିକାନା ହାତରେ ଟେକି ଦେଇଥିଲା । ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ସ୍ପେନ୍‌ ଓ ଆୟାରଲ୍ୟାଣ୍ଡ ବି ତାହା ହିଁ କରିବେ ବୋଲି ସମସ୍ତ ସମ୍ଭାବନା ରହିଛି ।

ଏହା ବି ସ୍ଵାଭାବିକ ଥିଲା ଯେ, ବ୍ୟକ୍ତି ଏବଂ ଦେଶର ଋଣଭାର ବଢ଼ିବାରେ ଏବଂ ବଢ଼ିବାରେ ଲାଗିଥିଲା । ଏବେ ଅନୁମାନ କରନ୍ତୁ ଯେ କ’ଣ ହୋଇଥିବ ସେ ନୂତନ ସ୍ଵାଭାବିକତା?

Left: Domestic violence was always ‘normal’ in millions of Indian households. Such violence has risen but is even more severely under-reported in lockdown conditions. Right: The normal was a media industry that fr decades didn’t give a damn for the migrants whose movements they were mesmerised by after March 25
PHOTO • Jigyasa Mishra
Left: Domestic violence was always ‘normal’ in millions of Indian households. Such violence has risen but is even more severely under-reported in lockdown conditions. Right: The normal was a media industry that fr decades didn’t give a damn for the migrants whose movements they were mesmerised by after March 25
PHOTO • Sudarshan Sakharkar

ବାମ: ଭାରତର ଲକ୍ଷ ଲକ୍ଷ ପରିବାରରେ ଘରୋଇ ହିଂସା ସବୁବେଳେ ‘ସ୍ଵାଭାବିକ’ ଭାବେ ରହିଥିଲା । ଲକ୍‌ଡାଉନ୍‌ ସ୍ଥିତିରେ ଏଭଳି ହିଂସା ଆହୁରି ଗୁରୁତର ରୂପରେ ବୃଦ୍ଧି ପାଇଥିଲେ ହେଁ ଏ ସଂପର୍କରେ କମ୍‌ ରିପୋର୍ଟ କରାଯାଇଥିଲା । ଡାହାଣ: ଗଣମାଧ୍ୟମ ଶିଳ୍ପ ବି ଏମିତି ସ୍ଵାଭାବିକ ରହିଥିଲା ଯେ ପ୍ରବାସୀମାନଙ୍କୁ ଆଦୌ ଗୁରୁତ୍ଵ ଦେଇ ନଥିଲା ଏବଂ  ମାର୍ଚ୍ଚ ୨୫ ପରେ ସେମାନଙ୍କ ସ୍ଥିତିରେ ଅଭିଭୂତ ହୋଇପଡ଼ିଥିଲା

ଅନେକ ଦୃଷ୍ଟିରୁ ଦେଖିବାକୁ ଗଲେ ଭାରତରେ ନୂତନ ସ୍ଵାଭାବିକତା ସେଇ ପୁରୁଣା ସ୍ଵାଭାବିକତା ସଦୃଶ । ଆମେ ଏମିତି କାମ କରିଚାଲିଛୁ ଯେ, ସତେ ଯେମିତି କେବଳ ଗରିବମାନେ ହିଁ ଭୂତାଣୁର ଉତ୍ସ ଏବଂ ପରିବାହକ, କିନ୍ତୁ ଦୁଇ ଦଶନ୍ଧି ତଳେ ସଂକ୍ରାମକ ରୋଗର ଜଗତୀକରଣ ପ୍ରକ୍ରିୟାର ସଂଚାଳନ କରିଥିବା ବିମାନ ଯାତ୍ରୀମାନେ ନୁହଁନ୍ତି ।

ଭାରତର କୋଟି କୋଟି ପରିବାରରେ ଘରୋଇ ହିଂସା ସବୁବେଳେ ‘ସ୍ଵାଭାବିକ’ ରହିଥିଲା ।

ନୂତନ ସ୍ଵାଭାବିକତା ?ଏଭଳି ହିଂସା ସଂପର୍କରେ କେତେକ ରାଜ୍ୟର ପୁରୁଷ ପୋଲିସ ମୁଖ୍ୟମାନେ ବି ଆଶଙ୍କା ବ୍ୟକ୍ତ କରନ୍ତି ଯେ, ଏହା ଅଧିକ ଗୁରୁତର ରୂପରେ ବୃଦ୍ଧି ପାଇଥିଲେ ହେଁ ପୂର୍ବ ତୁଳନାରେ କମ୍‌ ରିପୋର୍ଟ କରାଯାଉଛି । କାରଣ,  ଲକ୍‌ଡାଉନ୍‌ ଯୋଗୁଁ ‘ଅପରାଧୀ’ ଏବେ (ଅଧିକ ସମୟ) ଘରେ ରହୁଛି ।

ନୂଆଦିଲ୍ଲୀ ପାଇଁ ଏହା ହିଁ ସ୍ଵାଭାବିକ ଥିଲା ଯେ ବହୁ ପୂର୍ବରୁ ଏହା ବିଶ୍ଵର ସର୍ବାଧିକ ପ୍ରଦୂଷିତ ରାଜଧାନୀ ନଗରୀ ଦୌଡ଼ରେ ବେଜିଂକୁ ପଛରେ ପକାଇ ଦେଇଥିଲା । ସାଂପ୍ରତିକ ସଂକଟର ଏକ ଆନନ୍ଦଦାୟକ ପରିଣାମ ଏହା ଥିଲା ଯେ ଆବର୍ଜନାପୂର୍ଣ୍ଣ ଓ ବିପଜ୍ଜନକ ଭାବେ ଚାଲୁଥିବା ଶିଳ୍ପ କାର୍ଯ୍ୟକଳାପ ବନ୍ଦ ହୋଇଯିବା ଫଳରେ ବହୁ ଦଶନ୍ଧିରେ ପ୍ରଥମ ଥର ପାଇଁ ଦିଲ୍ଲୀର ଆକାଶ ପୂର୍ବାପେକ୍ଷା ପରିଷ୍କାର ରହିଥିଲା ।

ନୂତନ ସ୍ଵାଭାବିକତା:ନିର୍ମଳ ବାୟୁ ପାଇଁ କୋଳାହଳ ବନ୍ଦ କର । ବିଶ୍ଵ ମହାମାରୀର ପ୍ରକୋପ ମଝିରେ ଆମ ସରକାରଙ୍କର ଏକ ବଡ଼ ପଦକ୍ଷେପ ହେଲା ଯେ କୋଇଲା ଉତ୍ପାଦନ ବଢ଼ାଇବା ଲାଗି ଦେଶର କୋଇଲା ଖଣି ଅଞ୍ଚଳର ନିଲାମ ଓ ଘରୋଇକରଣ କରାଗଲା ।

ଏହା ସବୁବେଳେ ସ୍ଵାଭାବିକ ଥିଲା ଯେ ସର୍ବସାଧାରଣ କିମ୍ବା ରାଜନୈତିକ ଆଲୋଚନାରେ ଜଳବାୟୁ ପରିବର୍ତ୍ତନ ଶବ୍ଦାବଳି ପ୍ରାୟତଃ ସ୍ଥାନ ପାଉ ନଥିଲା । ଯଦିଓ ମାନବିକ ସଂସ୍ଥା ଦ୍ଵାରା ସଂଘଟିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବହୁ ପୂର୍ବରୁ ଭାରତୀୟ କୃଷିର ସର୍ବନାଶ ହୋଇସାରିଛି ।

ପ୍ରାୟତଃ ସବୁବେଳେ ନୂତନ ସ୍ଵାଭାବିକତା ହେଉଛି ଷ୍ଟେରଏଡ୍‌ରେ ବଞ୍ଚି ରହିଥିବା ସେଇ ପୁରୁଣା ସ୍ଵାଭାବିକତା ।

ଗୋଟିଏ ପରେ ଗୋଟିଏ ଭାରତୀୟ ରାଜ୍ୟରେ ଶ୍ରମ ଆଇନ ବାତିଲ କରାଯାଇଛି କିମ୍ବା ସରଳ ଭାଷାରେ ଉଲ୍ଲଂଘନ କରାଯାଇଛି । ଦିନକୁ ୮ ଘଣ୍ଟା କାମ ରୂପରେ ଶ୍ରମ ଆଇନରେ ସ୍ଥାନିତ ସ୍ଵର୍ଣ୍ଣିମ ନୀତିକୁ ଉଚ୍ଛେଦ କରାଯାଇ କେତେକ ରାଜ୍ୟରେ ଦିନକୁ ୧୨ ଘଣ୍ଟା କାମ ନିୟମ ଲାଗୁ କରାଯାଇଛି । କେତେକ ରାଜ୍ୟରେ ଏହି ଅତିରିକ୍ତ ଚାରି ଘଣ୍ଟାର କାମ ପାଇଁ କୌଣସି ଅତିରିକ୍ତ ପାଉଣା ବା ଓଭର୍‌ଟାଇମ୍‌ ପ୍ରଦାନ କରାଯିବ ନାହିଁ ବୋଲି ବ୍ୟବସ୍ଥା କରାଯାଇଛି । ହୁଏତ ସଂଗଠିତ କିମ୍ବା ବ୍ୟକ୍ତିଗତ ଭାବରେ ସମ୍ଭାବ୍ୟ ପ୍ରତିବାଦର କଣ୍ଠରୋଧ କରିବା ଲାଗି ଉତ୍ତର ପ୍ରଦେଶରେ ୩୮ଟି ପ୍ରଚଳିତ ଶ୍ରମ ଆଇନକୁ ବାତିଲ କରିଦିଆଯାଇଛି ।

୧୯୧୪ରେ ଦିନକୁ ୮ ଘଣ୍ଟା କାମ ନୀତି ଆପଣେଇ ନେବାରେ ହେନରୀ ଫୋର୍ଡ ଥିଲେ ଅନ୍ୟତମ ପ୍ରଥମ ପୁଞ୍ଜିବାଦୀ । ପରବର୍ତ୍ତୀ ଦୁଇ ବର୍ଷରେ ଫୋର୍ଡ ମୋଟର୍ସ୍‌ର ଲାଭ ପ୍ରାୟ ଦୁଇ ଗୁଣ ବଢ଼ିଥିଲା । ସେହି ଆଠ ଘଣ୍ଟା ପରେ ମଣିଷର ଉତ୍ପାଦନ କ୍ଷମତା ତୀବ୍ର ଗତିରେ ହ୍ରାସ ପାଇଥାଏ ବୋଲି ସେହି ବିଚକ୍ଷଣ ଧନଶାଳୀ ବ୍ୟକ୍ତି ଜଣକ ବୁଝିପାରିଥିଲେ । ନୂତନ ସ୍ଵାଭାବିକତା: ବସ୍ତୁତଃ ଏକ ଅଧ୍ୟାଦେଶ ବଳରେ ଗୋତି ଶ୍ରମିକ ପ୍ରଥାର ପ୍ରଚଳନ ଚାହୁଁଥିବା ଭାରତୀୟ ପୁଞ୍ଜିବାଦୀମାନେ। କୌଣସି ଉପାୟରେ “ଏକ ଉତ୍ତମ ସଂକଟକୁ ନଷ୍ଟ” ନ କରିବା ଦିଗରେ ସେମାନଙ୍କୁ ଉତ୍ସାହିତ କରୁଥିବା ଗଣମାଧ୍ୟମର ବିଶିଷ୍ଟ ସଂପାଦକମାନଙ୍କ ଅନୁପ୍ରେରଣା । ସର୍ବୋପରି, ଏହି ବଦମାସ ଶ୍ରମିକମାନଙ୍କୁ ଆଣ୍ଠେଇବାକୁ ବାଧ୍ୟ କରିବା ଦରକାର ବୋଲି ସେମାନେ ବିଚାର କରନ୍ତି । ଜୋକମାନଙ୍କୁ ଛାଡ଼ି ଦିଆଯାଉ। ‘ଶ୍ରମ ସଂସ୍କାର’ ଆଳରେ ଏହି ସୁଯୋଗକୁ ହାତଛଡ଼ା କରିବା ପାଗଳାମୀ ହିଁ ହେବ ।

Millions of marginal farmers across the Third World shifted from food crops like paddy (left) to cash crops like cotton (right) over the past 3-4 decades, coaxed and coerced by Bank-Fund formulations. The old normal: deadly fluctuations in prices crippled them. New normal: Who will buy their crops of the ongoing season?
PHOTO • Harinath Rao Nagulavancha
Millions of marginal farmers across the Third World shifted from food crops like paddy (left) to cash crops like cotton (right) over the past 3-4 decades, coaxed and coerced by Bank-Fund formulations. The old normal: deadly fluctuations in prices crippled them. New normal: Who will buy their crops of the ongoing season?
PHOTO • Sudarshan Sakharkar

ବ୍ୟାଙ୍କ-ପାଣ୍ଠି ସୂତ୍ର ଆଧାରିତ ବ୍ୟବସ୍ଥା ଦ୍ଵାରା ପ୍ରରୋଚିତ ଏବଂ ବିବଶ ହୋଇଗତ ୩-୪ ଦଶନ୍ଧି ଧରି ତୃତୀୟ ବିଶ୍ଵର ଲକ୍ଷ ଲକ୍ଷ ନାମକୁ ମାତ୍ର ଚାଷୀ ଧାନ ଭଳି ଖାଦ୍ୟଶସ୍ୟ ଫସଲ (ବାମ) ଛାଡ଼ି କପା ଭଳି (ଡାହାଣ)ଅର୍ଥକରୀ ଫସଲକୁ ଆଦରି ନେଇଛନ୍ତି । ପୁରୁଣା ସ୍ଵାଭାବିକତା: ଦରଦାମରେ ମାରାତ୍ମକ ଅସ୍ଥିରତା ସେମାନଙ୍କୁ ପଙ୍ଗୁ କରିଦେଇଛି । ନୂତନ ସ୍ଵାଭାବିକତା: ଚଳିତ ଫସଲ ଋତୁରେ ସେମାନଙ୍କ ଫସଲ କିଏ କିଣିବ ?

କୃଷି କ୍ଷେତ୍ରରେ ଏକ ଭୟାବହ ସ୍ଥିତି ଉତ୍ପନ୍ନ ହେଉଛି । ମନେ ରଖନ୍ତୁ ଯେ, ପ୍ରଚଳିତବ୍ୟାଙ୍କ-ପାଣ୍ଠି ସୂତ୍ର ଆଧାରିତ ବ୍ୟବସ୍ଥା ଦ୍ଵାରା ପ୍ରରୋଚିତ, ବାଧ୍ୟ ଏବଂ ବିବଶ ହୋଇ ଗତ ୩-୪ ଦଶନ୍ଧି ଧରି ତୃତୀୟ ବିଶ୍ଵର ଲକ୍ଷ ଲକ୍ଷ କ୍ଷୁଦ୍ର ଓ ନାମକୁ ମାତ୍ର ଚାଷୀ ଧାନ ଭଳି ଖାଦ୍ୟଶସ୍ୟ ଫସଲ ଛାଡ଼ି କପା ଭଳି ଅର୍ଥକରୀ ଫସଲକୁ ଆଦରି ନେଇଛନ୍ତି: ଅର୍ଥକରୀ ଫସଲ ରପ୍ତାନୀ ହେବ ଏବଂ ନଗଦ ଟଙ୍କାରେ ମୂଲ୍ୟ ମିଳିବ- ଆପଣଙ୍କ ଦେଶକୁ ଡଲାର ଆସିବ ଏବଂ ଆପଣଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତି ପ୍ରଦାନ କରିବ ।

କେତେ ଭଲ ଭାବରେ ଏହା କାମ କରିଲା, ସେକଥା ଆମେ ଜାଣୁ । ଆତ୍ମହତ୍ୟା କରିଥିବା କୃଷକମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଥିଲେ ଅର୍ଥକରୀ ଫସଲ, ବିଶେଷତଃ କପା ଚାଷ କରିଥିବା କ୍ଷୁଦ୍ରଚାଷୀ ଗୋଷ୍ଠୀ । ସେମାନେ ମଧ୍ୟ ସବୁଠାରୁ ଅଧିକ ଋଣଗ୍ରସ୍ତ ଚାଷୀ ଗୋଷ୍ଠୀ ଥିଲେ ।

ଏବେ ଏହା ଆହୁରି ଖରାପ ସ୍ଥିତିରେ । ଅଧିକାଂଶ କ୍ଷେତ୍ରରେ ଆମେ ଯାହାକୁ ରବି ଫସଲ ବୋଲି କହିଥାଉ ଏବଂ ସାଧାରଣତଃ ଯାହା ମାର୍ଚ୍ଚ ଓ ଏପ୍ରିଲ ମାସରେ ଅମଳ ହୋଇଥାଏ, ସେ ସବୁ ବିକ୍ରି ହୋଇପାରି ନାହିଁ କିମ୍ବା ଶୀଘ୍ର ନଷ୍ଟଯୋଗ୍ୟ ଫସଲ ହୋଇଥିଲେ ଲକ୍‌ଡାଉନ ଯୋଗୁଁ କ୍ଷେତରେ ହିଁ ମରିଯାଇଛି । ହଜାର ହଜାର କୁଇଣ୍ଟାଲ କପା, ଆଖୁ ଓ ଅନ୍ୟ ଫସଲ ସମେତ ଲକ୍ଷ ଲକ୍ଷ କୁଇଣ୍ଟାଲ ଅର୍ଥକରୀ ଫସଲ ଚାଷୀଙ୍କ ଘର ଛାତ ଉଚ୍ଚତା ଯାଏ ଗଦା ହୋଇ ରହିଛି (ଅନ୍ତତଃ କପା ) ।

ପୁରୁଣା ସ୍ଵାଭାବିକତା:ଭାରତରେ ଏବଂ ସାରା ତୃତୀୟ ବିଶ୍ଵରେ ଅର୍ଥକରୀ ଫସଲ କରିଥିବା କ୍ଷୁଦ୍ର ଚାଷୀମାନଙ୍କୁ ଦରଦାମର ମାରାତ୍ମକ ଅସ୍ଥିରତା ପଙ୍ଗୁ କରିଦେଲା । ନୂତନ ସ୍ଵାଭାବିକତା: କେଇ ମାସ ତଳେ ଅମଳ ହୋଇଥିବା ସେମାନଙ୍କର ଏହି ଫସଲକୁ ଏବେ କିଏ ବା କିଣିବ ?

ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ଭାଷାରେ, “ସାରା ବିଶ୍ଵରେ ଆମେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରବର୍ତ୍ତୀ ସମୟର ଗମ୍ଭୀରତମ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛୁ ଏବଂ ୧୮୭୦ ପରଠାରୁ ରୋଜଗାର ସ୍ଥିତି ସର୍ବାଧିକ ବିପନ୍ନ ହୋଇଛି ।” ବିଶ୍ଵବ୍ୟାପୀ ରୋଜଗାର ଓ ବସ୍ତୁ ଉପଭୋଗ ଧ୍ଵଂସ ହୋଇଯାଇଥିବା ବେଳେ ଭାରତ ଏଥିରୁ ବାଦ୍‌ ପଡ଼ିନାହିଁ ଏବଂ ଏଠାକାର ଅର୍ଥକରୀ ଫସଲ କରିଥିବା ଚାଷୀମାନଙ୍କର ସର୍ବନାଶ ହେବାର ସମ୍ଭାବନା ଉପୁଜିଛି । ଗତ ବର୍ଷ ଆମ ପାଇଁ କପା ରପ୍ତାନୀର ସବୁଠାରୁ ବଡ଼ ବଜାର ଥିଲା ଚୀନ । ଆଜି, ଚୀନ ସହ ଆମ ସଂପର୍କ ବହୁ ଦଶନ୍ଧି ଭିତରେ ସର୍ବନିମ୍ନ ସ୍ତରରେ ରହିଛି ଏବଂ ଉଭୟ ଦେଶ ସମସ୍ୟା ଘେରରେ ରହିଛନ୍ତି । ସାରା ଭାରତ ସମେତ ବିଭିନ୍ନ ଦେଶରେ ବିଶାଳ ଆକାରରେ ଜମା ହୋଇ ରହିଥିବା କପା, ଆଖୁ, ଭାନିଲା ଏବଂ ଅନ୍ୟାନ୍ୟ ଫସଲକୁ କିଏ ବା କିଣିବ ? ଆଉ କେଉଁ ଦରରେ ?

ଆଉ ସେହି ସବୁ ଜମି ଅର୍ଥକରୀ ଫସଲରେ ବ୍ୟବହୃତ ହେବା ପରେ ଏବଂ ବେକାର ସମସ୍ୟା ଉଗ୍ର ରୂପ ନେଉଥିବା ବେଳେ- ଆପଣଙ୍କ ପାଖରେ ଖାଦ୍ୟାଭାବ ଦେଖା ଦେଲେ କ’ଣ ଘଟିବ ? ଗୁଟେରେସ ସତର୍କ କରାଇ ଦିଅନ୍ତି. “...ଆମେ ହୁଏତ ଏକ ଐତିହାସିକ ଦୁର୍ଭିକ୍ଷ ଆଡ଼କୁ ମୁହାଁଇଛୁ ।
A normal where billions lived in hunger in a world bursting with food. In India, as of July 22, we had over 91 million metric tons of foodgrain ‘surplus’ or buffer stocks lying with the government – and the highest numbers of the world’s hungry
PHOTO • Purusottam Thakur
A normal where billions lived in hunger in a world bursting with food. In India, as of July 22, we had over 91 million metric tons of foodgrain ‘surplus’ or buffer stocks lying with the government – and the highest numbers of the world’s hungry
PHOTO • Yashashwini & Ekta

ଏମିତି ଏକ ସ୍ଵାଭାବିକ ସ୍ଥିତି ଯେ ଖାଦ୍ୟରେ ଭରପୂର ପୃଥିବୀରେ ଶହ ଶହ କୋଟି ଲୋକ ଉପାସରେ ରହୁଛନ୍ତି । ଜୁଲାଇ ୨୨ ତାରିଖ ବେଳକୁ ଆମ ଦେଶରେ ୯ କୋଟି ୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ ‘ବଳକା’ ଖାଦ୍ୟଶସ୍ୟ କିମ୍ବା ମହଜୁଦ ଅତିରିକ୍ତ ଶସ୍ୟ ସରକାରଙ୍କ ପାଖରେ ପଡ଼ି ରହିଥିଲା-ଏବଂ ବିଶ୍ଵରେ ସର୍ବାଧିକ ସଂଖ୍ୟକ ଭୋକିଲା ଲୋକ ଭାରତରେ ରହିଥିଲେ

କୋଭିଡ୍‌-୧୯ ସଂପର୍କରେ ଗୁଟେରେସ୍‌ ଆଉ ଗୋଟିଏ କଥା କହିଛନ୍ତି: “ସବୁଠି ଭ୍ରାନ୍ତ ଓ ମିଥ୍ୟା ଧାରଣାକୁ ଏହା ପଦାରେ ପକାଇ ଦେଉଛି: ଉନ୍ମୁକ୍ତ ବଜାର ଯୋଗୁଁ ସମସ୍ତଙ୍କୁ ସ୍ଵାସ୍ଥ୍ୟସେବା ଉପଲବ୍‌ଧ ହେବା ସଂପର୍କିତ ମିଥ୍ୟା ଧାରଣା: ବିନା ପାଉଣାରେ ସେବା କାର୍ଯ୍ୟ ଯେ କାର୍ଯ୍ୟ ନୁହେଁ ବୋଲି ରହିଥିବା କଳ୍ପିତ ତଥ୍ୟ”।

ସ୍ଵାଭାବିକ: ଇଣ୍ଟରନେଟ୍‌ ଉପରେ ସେମାନଙ୍କ ପତିଆରା, ସଫ୍ଟୱେୟାର ସୁପର ପାୱାର ରୂପରେ ଭାରତର ଅଭ୍ୟୁଦୟ ଏବଂ କର୍ଣ୍ଣାଟକର ବେଙ୍ଗାଲୁରୁରେ ବିଶ୍ଵର ଦ୍ଵିତୀୟ ସୁପର ସିଲିକନ୍‌ ଭ୍ୟାଲି ଗଢ଼ିବାରେ ସେମାନଙ୍କ ଦୂରଦୃଷ୍ଟି ଏବଂ ପ୍ରତିଭା ସଂପର୍କରେ ବଖାଣିବାରୁ ଭାରତର ସମ୍ଭ୍ରାନ୍ତ ବର୍ଗଙ୍କୁ କେହି ବିରତ କରାଇ ପାରିବେ ନାହିଁ । (ଏହା ବ୍ୟତୀତ ପ୍ରଥମ ସିଲିକନ୍‌ ଭ୍ୟାଲିର ପ୍ରଗତି ପଛରେ ବି, ଆଉ କେହି ନୁହେଁ, ଭାରତୀୟମାନେ ହିଁ ଅଛନ୍ତି) । ଏହି ଆତ୍ମବଡ଼ିମା ପ୍ରଦର୍ଶନ ହିଁ ୩୦ ବର୍ଷ ହେଲା ସ୍ଵାଭାବିକ ଭାବରେ ରହିଆସିଛି ।

ବେଙ୍ଗାଲୁରୁ ବାହାରକୁ ବାହାରି କର୍ଣ୍ଣାଟକର ଗ୍ରାମାଞ୍ଚଳରେ ପହଞ୍ଚନ୍ତୁ ଏବଂ ଜାତୀୟ ନମୁନା ସର୍ଭେ ସଂସ୍ଥା ରେକର୍ଡ ଅନୁସାରେ ସେଠାକାର ବାସ୍ତବତା ଦେଖନ୍ତୁ: ୨୦୧୮ରେ କର୍ଣ୍ଣାଟକର ଗ୍ରାମାଞ୍ଚଳରେ ମାତ୍ର ୨ ପ୍ରତିଶତ ପରିବାର ପାଖରେ କମ୍ପ୍ୟୁଟର ଥିଲା । (ଅନେକ ସମୟରେ ଉପହସିତ ରାଜ୍ୟ ଉତ୍ତର ପ୍ରଦେଶରେ ଏହି ସଂଖ୍ୟା ଥିଲା ୪ ପ୍ରତିଶତ) । କର୍ଣ୍ଣାଟକର ଗ୍ରାମାଞ୍ଚଳରେ ମାତ୍ର ୮.୩ ପ୍ରତିଶତ ପରିବାର ପାଖରେ ଇଣ୍ଟରନେଟ୍‌ ସୁବିଧା ଥିଲା । ଏବଂ କର୍ଣ୍ଣାଟକର ଗ୍ରାମାଞ୍ଚଳରେ ୩ କୋଟି ୭୪ ଲକ୍ଷ ଲୋକ ରହନ୍ତି, କିମ୍ବା ରାଜ୍ୟର ମୋଟ ଜନସଂଖ୍ୟାର ୬୧ ପ୍ରତିଶତ । ଦ୍ଵିତୀୟ ସିଲିକନ୍‌ ଭ୍ୟାଲି କୁହାଯାଉଥିବା ବେଙ୍ଗାଲୁରୁରେ ରହନ୍ତି ପ୍ରାୟ ୧୪ ପ୍ରତିଶତ ।

ନୂତନ ସ୍ଵାଭାବିକତା ହେଉଛି ଯେ ‘ଅନ୍‌ଲାଇନ ଶିକ୍ଷା’କୁ ପ୍ରୋତ୍ସାହିତ କରୁଥିବା କମ୍ପାନୀଗୁଡ଼ିକ ଶହ ଶହ କୋଟି ଆୟ କରିବାକୁ ଯାଉଛନ୍ତି । ସେମାନେ ପ୍ରଚୁର ଅର୍ଥ ଜମା କରିସାରିଛନ୍ତି - ହେଲେ, ଏବେ ସହଜରେ ସେମାନଙ୍କ ବଜାର ମୂଲ୍ୟକୁ ଦୁଇଗୁଣ କରିଦେବେ । ସମାଜ, ଜାତି, ଶ୍ରେଣୀ, ଲିଙ୍ଗ ଏବଂ ଧର୍ମ ବଳରେ ଉପେକ୍ଷିତ ବର୍ଗଙ୍କୁ ଏହି ଧାରାରେଏକ ବିଶାଳ ବ୍ୟତିକ୍ରମର ରୂପ ଦିଆଯାଇଥିବା ବେଳେ ଏବେ ବିଶ୍ଵ ମହାମାରୀ ଯୋଗୁଁ ଏହି ବ୍ୟତିକ୍ରମକୁ ଆଇନଗତ ବୈଧତା ମିଳିଛି (ପିଲାମାନଙ୍କୁ ଶିକ୍ଷାଲାଭରୁ ରୋକାଯାଇପାରିବ ନାହିଁ, ଠିକ୍‌ ନା ?) । ସବୁଠାରୁ ଧନୀ ରାଜ୍ୟ ମହାରାଷ୍ଟ୍ରର ବିଭିନ୍ନ ଗାଁ ସମେତ ଭାରତର ଯେ କୌଣସି ଗାଁକୁ ଯାଆନ୍ତୁ, ଏବଂ ଦେଖନ୍ତୁ, କେତେ ଜଣ ପିଲାଙ୍କର ସ୍ମାର୍ଟଫୋନ୍‌ ଅଛି ଯେ, ସେମାନେ ପିଡିଏଫ୍‌ରେ ‘ପାଠ’ ଡାଉନ୍‌ଲୋଡ୍‌ କରିପାରିବେ । କେତେଜଣଙ୍କ ପାଇଁ ଇଣ୍ଟରନେଟ୍‌ ବାସ୍ତବରେ ଉପଲବ୍‌ଧ ହେଉଛି ଏବଂ ଯଦିବା ହେଉଛି, ତେବେ ଶେଷଥର ପାଇଁ ସେମାନେ କେବେ ଏହାର ଉପଯୋଗ କରିଥିଲେ ?

ଏକଥା ବି ବିଚାର କରନ୍ତୁ: ଦେବାଳିଆ କିମ୍ବା ନୂଆ କରି ବେକାର ହୋଇଥିବା ପିତାମାତା ସ୍କୁଲ୍‌ ଫି’ ଦେବାରେ ଅକ୍ଷମ ହେବାରୁ କେତେ ଜଣ ଝିଅ ଅଧାରୁ ସ୍କୁଲ୍‌ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ? ଆର୍ଥିକ ଅନଟନ ସମୟରେ ଝିଅମାନଙ୍କୁ ସ୍କୁଲରୁ ବାହାର କରିନେବା ପୁରୁଣା ଦିନର ସ୍ଵାଭାବିକତା ଥିଲା ଏବଂ ଏବେ ଲକ୍‌ଡାଉନ୍‌ ସମୟରେ ଏହା ତୀବ୍ର ଭାବରେ ତ୍ଵରାନ୍ଵିତ ହୋଇଛି ।

Stop anywhere in the Indian countryside and see how many children own smartphones on which they can download their pdf ‘lessons’. How many actually have access to the net – and if they do, when did they last use it? Still, the new normal is that corporations are pushing for ‘online education'
PHOTO • Parth M.N.
Stop anywhere in the Indian countryside and see how many children own smartphones on which they can download their pdf ‘lessons’. How many actually have access to the net – and if they do, when did they last use it? Still, the new normal is that corporations are pushing for ‘online education'
PHOTO • Yogesh Pawar

ଭାରତର ଯେ କୌଣସି ଗାଁକୁ ଯାଇ ଦେଖନ୍ତୁ, କେତେ ଜଣ ପିଲାଙ୍କର ସ୍ମାର୍ଟଫୋନ୍‌ ଅଛି ଯେ ସେମାନେ ପିଡିଏଫ୍‌ରେ ‘ପାଠ’ ଡାଉନ୍‌ଲୋଡ୍‌ କରିପାରିବେ । କେତେଜଣଙ୍କ ପାଇଁ ଇଣ୍ଟରନେଟ୍‌ ବାସ୍ତବରେ ଉପଲବ୍‌ଧ ହେଉଛି ଏବଂ ଯଦିବା ହେଉଛି, ତେବେ ଶେଷଥର ପାଇଁ ସେମାନେ କେବେ ଏହାର ଉପଯୋଗ କରିଥିଲେ ? ତଥାପି, ନୂତନ ସ୍ଵାଭାବିକତା ହେଉଛି ଯେ ବଡ଼ ବଡ଼ କମ୍ପାନୀ ‘ଅନ୍‌ଲାଇନ ଶିକ୍ଷା’ ବ୍ୟବସ୍ଥା ପାଇଁ ବାଧ୍ୟ କରୁଛନ୍ତି

ବିଶ୍ଵ ମହାମାରୀ ପୂର୍ବବର୍ତ୍ତୀ ସମୟରେ ଯାହା ସ୍ଵାଭାବିକ ଥିଲା ତାହା ହେଲା, ସାମାଜିକ-ଧାର୍ମିକ ମୌଳବାଦୀ ଏବଂ ଅର୍ଥନୈତିକ ବଜାର ମୌଳବାଦୀଙ୍କ ଦ୍ଵାରା ମିଳିତ ଭାବେ ପରିଚାଳିତ ଏକ ଭାରତ, କର୍ପୋରେଟ୍‌ ଗଣମାଧ୍ୟମ ନାମରେ ପରିଚିତ ଏକ ଶଯ୍ୟାରେ ସହାବସ୍ଥାନ କରୁଥିବା ଦୁଇ ବିବାହିତ ସାଥୀ । ବିଚାରଧାରା ଦୃଷ୍ଟିରୁ ଅଧିକାଂଶ ନେତା ଉଭୟ ଶିବିରରେ ବେଶ ଆନନ୍ଦରେ ସମୟ ଅତିବାହିତ କରିପାରନ୍ତି ।

ସ୍ଵାଭାବିକତା ଥିଲା ଯେ ୨ ଟ୍ରିଲିଅନ୍‌ (ଲକ୍ଷ କୋଟି) ଟଙ୍କାର ଏକ ଗଣମାଧ୍ୟମ (ଏବଂ ମନୋରଞ୍ଜନ) ଶିଳ୍ପ ଯାହାକି ବର୍ଷ ବର୍ଷ ଧରି ପ୍ରବାସୀ ଶ୍ରମିକମାନଙ୍କ ଆଡ଼େ ନଜର ପକାଇ ନଥିଲା, କିନ୍ତୁ ମାର୍ଚ୍ଚ ୨୫ ତାରିଖ ପରେ ସେମାନେ ଚଳପ୍ରଚଳ ହେବା ଦେଖି ଅଭିଭୂତ ଏବଂ ବିହ୍ଵଳ ହୋଇପଡ଼ିଥିଲା । ଶ୍ରମ ଓ ଶ୍ରମିକମାନଙ୍କ ସଂପର୍କିତ ଖବର ଦେବା ଲାଗି କୌଣସି ‘ଜାତୀୟ’ ସମ୍ବାଦପତ୍ର କିମ୍ବା ଚ୍ୟାନେଲର ପୂର୍ଣ୍ଣକାଳୀନ ସମ୍ବାଦଦାତା ନାହାନ୍ତି, କି ଚାଷବାସ ସଂପର୍କିତ ଖବର ପାଇଁ ବି ପୂର୍ଣ୍ଣକାଳୀନ ସମ୍ବାଦଦାତା ନାହାନ୍ତି (ହେଲେ ହାସ୍ୟାସ୍ପଦ ଭାବରେ କୃଷି ମନ୍ତ୍ରାଳୟ ଏବଂ କୃଷି-ବ୍ୟବସାୟ ସଂପର୍କିତ ଖବର ଲାଗି ‘କୃଷି ସମ୍ବାଦଦାତା’ ରହିଛନ୍ତି) । ଏଭଳି ପୂର୍ଣ୍ଣକାଳୀନ ସମ୍ବାଦ ସଂଗ୍ରହ କ୍ଷେତ୍ର ଆଦୌ ନଥିଲା । ଅନ୍ୟ ଭାଷାରେ କହିଲେ, ଜନସଂଖ୍ୟାର ୭୫ ପ୍ରତିଶତ ଖବର ସୃଷ୍ଟି କରୁ ନଥିଲେ ।

ଯେଉଁ ସମ୍ବାଦ ଉପସ୍ଥାପକ ଓ ସଂପାଦକମାନଙ୍କ ମୁହଁକୁ ପ୍ରବାସୀ ଶ୍ରମିକମାନେ ଗୋଇଠା ମାରିଲେ ବି ସେମାନେ ଜାଣିପାରିବେ ନାହିଁ, ସେମାନେ ହିଁ ମାର୍ଚ୍ଚ ୨୫ ପରେ, ସପ୍ତାହ ସପ୍ତାହ ଧରି ପ୍ରବାସୀଙ୍କ ବିଷୟରେ ସମସ୍ତ ଜ୍ଞାନ ଅର୍ଜନ କରିଥିବାର ଅଭିନୟ କରିବାରେ ଲାଗିଲେ । ଆଉ କେତେ ଜଣ ଉଦାସ କଣ୍ଠରେ ସ୍ଵୀକାର କଲେ ଯେ ଆମେ, ଗଣମାଧ୍ୟମର ବ୍ୟକ୍ତିମାନେ, ସେମାନଙ୍କ ଖବରକୁ ଆହୁରି ଭଲ ଭାବରେ ପରିବେଷଣ କରିବା ଦିଗରେ ଚେଷ୍ଟିତ ହେବା ଦରକାର । ଠିକ୍‌ ସେହି ସମୟରେ କମ୍ପାନୀ ମାଲିକମାନେ ୧,୦୦୦ରୁ ଅଧିକ ସାମ୍ବାଦିକ ଓ ଗଣମାଧ୍ୟମ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଲେ ଏବଂ ପ୍ରବାସୀମାନଙ୍କ ସଂପର୍କରେ ବିଶଦ ଓ ବିସ୍ତୃତ ଖବର ସଂଗ୍ରହ ଏବଂ ପ୍ରକାଶନ ଦିଗରେ ଯାହା ଟିକେ ସମ୍ଭାବନା ରହିଥିଲା, ତାହା ବି ଉଭେଇ ଗଲା । ବିଶ୍ଵ ମହାମାରୀ ବ୍ୟାପିବାର ବହୁ ପୂର୍ବରୁ ଏହି ଛଟେଇ ଲାଗି ଯୋଜନା କରାଯାଇଥିଲା ଏବଂ ଯେଉଁମାନେ ଏଭଳି ଜଘନ୍ୟ ଅପରାଧ ଘଟାଇଥିଲେ, ସେମାନଙ୍କ ମଧ୍ୟରେ ଥିଲେ ସବୁଠାରୁ ଅଧିକ ଲାଭ ଅର୍ଜନ କରୁଥିବା ଏବଂ ବିପୁଳ ପରିମାଣର ଧନ ଜମା କରି ରଖିଥିବା କେତେକ ଗଣମାଧ୍ୟମ ସଂସ୍ଥା ।

ଏବେ ସ୍ଵାଭାବିକତାକୁ ଅନ୍ୟ କୌଣସି ନାଁ ଦେଲେ, ସେଥିରୁ ଠିକ୍‌ ସେହିଭଳି ଦୁର୍ଗନ୍ଧ ବାହାରୁଛି ।

ଏବେ ବିକ୍ଷିପ୍ତ ଭାବରେ ପ୍ରସାରିତ ଏକ ଟେଲିଭିଜନ ରିଅଲିଟି ଶୋ’ରେ ଜଣେ ବ୍ୟକ୍ତି ଏ ଦେଶକୁ ଚଳାଉଛି । ଆଉ ଯେଉଁ ଚ୍ୟାନେଲ ସବୁ ରହିଛନ୍ତି ସେମାନେ ମଧ୍ୟ, ସାଧାରଣତଃ ପ୍ରାଇମ-ଟାଇମ୍‌ରେ ଏହି ସଂଗଠିତ ଆତ୍ମପ୍ରଶଂସାର ପ୍ରସାରଣ କରୁଛନ୍ତି । କ୍ୟାବିନେଟ୍‌, ସରକାର, ସଂସଦ, ଅଦାଲତ, ବିଧାନସଭା, ବିରୋଧୀ ଦଳ, ଏ ସବୁ କିଛି ନୁହଁନ୍ତି । ପ୍ରଯୁକ୍ତିବିଦ୍ୟାରେ ଆମର ଚମତ୍କାରୀ ପ୍ରତିଭା ସତ୍ତ୍ଵେ ଆମେ ଗୋଟିଏ ଦିନ ପାଇଁ ବି ସଂସଦର ଗୋଟିଏ ହେଲେ ଅଧିବେଶନ କରାଇବାରେ ସକ୍ଷମ ହୋଇନାହୁଁ । ନା, ଲକ୍‌ଡାଉନ୍‌ର ୧୪୦ ଦିନ ପରେ ବି, ଭର୍ଚୁଆଲ ନୁହେଁ କି ଅନ୍‌ଲାଇନ୍‌ରେ ନୁହେଁ, ଟେଲିଭିଜନ ପରଦା ଉପରେବି ସଂସଦ ଚାଲିପାରିନାହିଁ । ପ୍ରଯୁକ୍ତି ବିଦ୍ୟାରେ ଆମର କଥିତ ଜ୍ଞାନ ତୁଳନାରେ ଲେଶମାତ୍ର ଜ୍ଞାନ ନଥିବା ଅନ୍ୟ ଦେଶଗୁଡ଼ିକ ବି ଅତି ସହଜରେ ଏହା କରିପାରିଛନ୍ତି ।

ବୋଧହୁଏ କେତେକ ୟୁରୋପୀୟ ଦେଶର ସରକାର ଏବେ ଦ୍ଵିଧାଗ୍ରସ୍ତ ଭାବରେ ଏବଂ ଆଂଶିକ ରୂପରେ କଲ୍ୟାଣକାରୀ ରାଷ୍ଟ୍ରର ଉପାଦାନକୁ ପୁନର୍ଜୀବିତ କରାଇବା ଲାଗି ଉଦ୍ୟମ କରୁଛନ୍ତି । ଏହି ଉପାଦାନକୁ ଧୂଳିସାତ୍‌ କରିବାରେ ସେମାନେ ଚାରି ଦଶନ୍ଧି ବିତାଇ ଦେଇଥିଲେ । ଭାରତରେ, ଏହା ହେଉଛି ଯେ ଆମ ବଜାର ବିଶାରଦମାନଙ୍କ ଦ୍ଵାରା ରକ୍ତସ୍ରାବ କରାଇବାର ମଧ୍ୟଯୁଗୀୟ ଦୃଷ୍ଟିକୋଣ ଅବ୍ୟାହତ ରହିଛି । ଲୁଟିବା ଏବଂ ଅକ୍ତିଆର କରିବା ଲାଗି ଜୋକମାନେ ଯାତ୍ରାରମ୍ଭ କରିଛନ୍ତି । ସେମାନେ ଦରିଦ୍ରମାନଙ୍କର ପର୍ଯ୍ୟାପ୍ତ ରକ୍ତକ୍ଷରଣ କରାଇନାହାନ୍ତି । ପରଜୀବୀ କୀଟମାନେ ନିଶ୍ଚିତ ଭାବରେ ତାହା ହିଁ କରିବେ, ଯେଉଁଥିରୁ ସେମାନଙ୍କର ବିବର୍ତ୍ତନ ସମ୍ଭବ ହୋଇଛି ।

ପ୍ରଗତିଶୀଳ ଆନ୍ଦୋଳନ ଦ୍ଵାରା କ’ଣ ହେଉଛି ? ସେମାନେ କେବେହେଲେ ପୁରୁଣା ସ୍ଵାଭାବିକତାକୁ ଗ୍ରହଣ କରିନାହାନ୍ତି । କିନ୍ତୁ ସେଇ ପୁରୁଣା ଦିନକୁ ଫେରିଯିବା ପାଇଁ ସେମାନଙ୍କ ପାଖରେ କିଛି କାରଣ ବି ରହିଛି- ନ୍ୟାୟ, ସମାନତା ଏବଂ ଆତ୍ମମର୍ଯ୍ୟାଦାର ସହିତ ବଞ୍ଚି ରହିବା ପାଇଁ ସଂଘର୍ଷ ସହିତ ସଂସାରକୁ ବଞ୍ଚାଇ ରଖିବାର ଉଦ୍ଦେଶ୍ୟ ।

‘ସମ୍ମିଳିତ ବିକାଶ’ ଏକ ମୃତ ଜୋକ, ଯାହାକୁ ଆପଣ ପୁନର୍ଜୀବିତ କରିବାକୁ ଚାହାଁନ୍ତି ନାହିଁ । ନ୍ୟାୟ ହିଁ ରୂପରେଖ, ବିଷମତାର ପରିସମାପ୍ତି ହିଁ ଲକ୍ଷ୍ୟ । ଆଉ ବିଭିନ୍ନ ଉପାୟ ସମ୍ବଳିତ ସେହି ପ୍ରକ୍ରିୟା- କିଛିଟା ପୂର୍ବରୁ ବିଦ୍ୟମାନ, କିଛି ଅବ୍ୟକ୍ତ, ଆଉ କିଛି ପରିତ୍ୟକ୍ତ- ଯାହା ଆମ ସମସ୍ତଙ୍କୁ ବିଷାଦଗ୍ରସ୍ତ କରିଥାଏ ।

It was always normal that the words climate change were largely absent in public, or political, discourse. Though human agency-led climate change has long devastated Indian agriculture. The new normal: cut the clean air cacophony
PHOTO • Chitrangada Choudhury
It was always normal that the words climate change were largely absent in public, or political, discourse. Though human agency-led climate change has long devastated Indian agriculture. The new normal: cut the clean air cacophony
PHOTO • P. Sainath

ଏହା ସବୁବେଳେ ସ୍ଵାଭାବିକ ଥିଲା ଯେ ସାର୍ବଜନୀନ କିମ୍ବା ରାଜନୈତିକ ଆଲୋଚନାରେ ଜଳବାୟୁ ପରିବର୍ତ୍ତନ ଶବ୍ଦାବଳି ପ୍ରାୟତଃ ସ୍ଥାନ ପାଉ ନଥିଲା । ଯଦିଓ ମାନବୀୟ ସଂସ୍ଥା ଦ୍ଵାରା ସଂଘଟିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବହୁ ପୂର୍ବରୁ ଭାରତୀୟ କୃଷିର ସର୍ବନାଶ ହୋଇସାରିଛି । ନୂତନ ସ୍ଵାଭାବିକତା: ସ୍ଵଚ୍ଛ ବାୟୁ ପାଇଁ କୋଳାହଳ କମ୍‌ କର

ଉଦାହରଣ ସ୍ଵରୂପ, ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟା (ଯାହାକି ଭାରତର କୃଷିକୁ ବିପର୍ଯ୍ୟସ୍ତ କରିସାରିଛି) କ୍ଷେତ୍ରରେ କୃଷକ ଓ କୃଷି ଶ୍ରମିକମାନଙ୍କ ପ୍ରସଙ୍ଗକୁ ଏକ କାରଣ ରୂପେ ବିଚାରକରା ନଗଲେ ଏବଂ ଯଦି ସେମାନେ ନିଜେ ନିଜକୁ ସ୍ଥାନିତ କରିବା ସହିତ ସେମାନଙ୍କ ସଂଗ୍ରାମକୁ ଏକ କୃଷି-ପରିବେଶଧର୍ମୀ ଆଭିମୁଖ୍ୟ ସହିତ ସଂଲଗ୍ନ ନ କରାନ୍ତି, ତେବେ, ସେମାନଙ୍କ ଆନ୍ଦୋଳନ ଯୋଗୁଁ ଗୁରୁତର ସମସ୍ୟା ଉତ୍ପନ୍ନ ହେବ । ଶ୍ରମିକ ଆନ୍ଦୋଳନ କେବଳ ଅଧିକ ପାଉଣା ପାଇବା ପାଇଁ ଏକ ସଂଗ୍ରାମ ନୁହେଁ, ବରଂ କାରଖାନାର ମାଲିକାନା ହାସଲ ପାଇଁ ରହିଆସିଥିବା ଏକ ପୁରାତନ ଏବଂ ଅସ୍ଵାଭାବିକ ଅନ୍ଵେଷଣ ।

କେତେକ ଲକ୍ଷ୍ୟ ଅତି ସ୍ପଷ୍ଟ: ଉଦାହରଣତଃ ତୃତୀୟ ବିଶ୍ଵ ଉପରେ ଥିବା ଋଣ ବାତିଲ କରିବା । ଭାରତରେ ଆମ ନିଜର ଋଣଗ୍ରସ୍ତ ଚତୁର୍ଥ ବିଶ୍ଵର ପରିସମାପ୍ତି ଘଟାଇବା ।

ବଡ଼ ବଡ଼ କମ୍ପାନୀର ଏକଚାଟିଆ କାରବାରର ଅବସାନ ଘଟାଅ । ସ୍ଵାସ୍ଥ୍ୟ, ଖାଦ୍ୟ ଏବଂ କୃଷି, ଏବଂ ଶିକ୍ଷା କ୍ଷେତ୍ରରୁ ସେମାନଙ୍କୁ ସଂପୂର୍ଣ୍ଣ ରୂପେ ବେଦଖଲ କରି ଏହି ପ୍ରକ୍ରିୟା ଆରମ୍ଭ କର ।

ଉପଲବ୍‌ଧ ସମ୍ବଳର ମୌଳିକ ପୁନଃ ବିତରଣ ସକାଶେ ସରକାରଙ୍କୁ ବାଧ୍ୟ କରିବା ଲାଗି ଆନ୍ଦୋଳନ: କେବଳ ଧନୀ ତାଲିକାର ଶୀର୍ଷରେ ଥିବା ୧  ପ୍ରତିଶତ ଲୋକଙ୍କ ଉପରେ ହେଉନା କାହିଁକି, ସଂପତ୍ତି ଉପରେ ଶୁଳ୍‌କ ଲାଗୁ କରିବା। ପ୍ରାୟତଃ କୌଣସି ଶୁଳ୍କ ପ୍ରଦାନ ନକରି ଖସି ଯାଉଥିବା ବହୁରାଷ୍ଟ୍ରୀୟ କମ୍ପାନୀ ଉପରେ ଶୁଳ୍କ ଲାଗୁ କରିବା । ଏହା ସହିତ, ଗତ କେଇ ଦଶନ୍ଧି ଭିତରେ ଅନେକ ଦେଶ ଯେଉଁ ଶୁଳ୍‌କ ବ୍ୟବସ୍ଥାକୁ ଧୀରେ ଧୀରେ ଉଚ୍ଛେଦ କରିସାରିଛନ୍ତି, ସେହିଭଳି ଶୁଳ୍କ ବ୍ୟବସ୍ଥାର ବିକାଶ ଏବଂ ପୁନର୍ବିନ୍ୟାସ ।

କେବଳ ସାମୂହିକ ଆନ୍ଦୋଳନ ବଳରେ ହିଁ ସ୍ଵାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦେଶବ୍ୟାପୀ ଏକ ସାର୍ବଜନୀନ ବ୍ୟବସ୍ଥା ଲାଗୁ କରିବାକୁ ସରକାରମାନଙ୍କୁ ବାଧ୍ୟ କରାଯାଇପାରିବ । ସ୍ଵାସ୍ଥ୍ୟ କ୍ଷେତ୍ରରେ ନ୍ୟାୟ, ଖାଦ୍ୟ କ୍ଷେତ୍ରରେ ନ୍ୟାୟ ହାସଲ ଲାଗି ଆମେ ସାଧାରଣ ଲୋକଙ୍କ ଦ୍ଵାରା ଆନ୍ଦୋଳନ ଆବଶ୍ୟକ କରୁ । ଏଭଳି କିଛି ପ୍ରେରଣାଦାୟୀ ପନ୍ଥା ଏବେ ବି ରହିଛି, ହେଲେ କମ୍ପାନୀ ପରିଚାଳିତ ଗଣମାଧ୍ୟମରେ ଏହାର ପ୍ରସାରଣ ଉପେକ୍ଷିତ ଅବସ୍ଥାରେ ରହିଛି । 

ଏଠାରେ ହେଉ କି ସାରା ବିଶ୍ଵରେ, ଆମେ ମିଳିତ ଜାତିସଂଘର ମାନବିକ ଅଧିକାର ସଂପର୍କିତ ଘୋଷଣାନାମାରେ ଉଲ୍ଲିଖିତ ସେହି ଅଧିକାର ଉପରେ ଧ୍ୟାନକେନ୍ଦ୍ରିତ କରିବା ଆବଶ୍ୟକ କରୁ, ଯେଉଁଥିରେ କି ସାର୍ବଜନୀନ ଆଲୋଚନାରୁ ଗଣମାଧ୍ୟମକୁ ହଟାଇ ଦିଆଯାଇଛି । ଏହାର ୨୩-୨୮ ଧାରାରେ, ‘ଶ୍ରମିକ ସଂଘ ଗଠନ ଏବଂ ଏଥିରେ ଯୋଗଦାନର ଅଧିକାର’, କାମ କରିବାର ଏବଂ ସମାନ କାମ ପାଇଁ ସମାନ ପାଉଣା, ମାନବିକ ମର୍ଯ୍ୟାଦା ସହ ବଞ୍ଚି ରହିବା ପାଇଁ ଆବଶ୍ୟକ ପାରିଶ୍ରମିକ, ସ୍ଵାସ୍ଥ୍ୟ ସେବା ସମେତ ଆହୁରି ଅନେକ ଅଧିକାର ସଂପର୍କରେ ଉଲ୍ଲେଖ କରାଯାଇଛି ।

ଆମ ଦେଶରେ, ଆମେ ଭାରତୀୟ ସମ୍ବିଧାନର ରାଷ୍ଟ୍ର ପରିଚାଳନା ସଂକ୍ରାନ୍ତ ନିର୍ଦ୍ଦେଶିତ ନୀତି ସମୂହର ଏବଂ ସେଥିରେ ରହିଥିବା – କାମ କରିବାର ଅଧିକାର, ଶିକ୍ଷା ଅଧିକାର, ଖାଦ୍ୟ ଅଧିକାର ଏବଂ ଆହୁରି ଅନେକ ନ୍ୟାୟୋଚିତ ଏବଂ ପ୍ରବର୍ତ୍ତନଯୋଗ୍ୟ ନୀତିର ପ୍ରସାର କରାଇବା ଆବଶ୍ୟକ । ଏହା ହିଁ ଭାରତର ସ୍ଵାଧୀନତା ପାଇଁ ଏକ ସଂଘର୍ଷରୁ ନିଷ୍ପନ୍ନ ସମ୍ବିଧାନର ପ୍ରାଣପିଣ୍ଡ । ବିଗତ ୩୦-୪୦ ବର୍ଷ ମଧ୍ୟରେ ସୁପ୍ରିମ କୋର୍ଟଙ୍କ ଏକାଧିକ ରାୟରେ ଏହା କୁହାଯାଇଛି ଯେ ମୌଳିକ ଅଧିକାର ଭଳି ରାଷ୍ଟ୍ର ପରିଚାଳନାର ନିର୍ଦ୍ଦେଶିତ ନୀତି ସମୂହ ମଧ୍ୟ ଅନୁରୂପ ଭାବରେ ଗୁରୁତ୍ଵପୂର୍ଣ୍ଣ ।
PHOTO • Labani Jangi

ଅଙ୍କନ (ଉପର ଏବଂ ପ୍ରଚ୍ଛଦ): ଲାବଣି ଜାଙ୍ଗି, ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ଏକ ଛୋଟ ସହରର ମୂଳ ବାସିନ୍ଦା, କୋଲକାତାର ସେଣ୍ଟର ଫର୍‌ ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍‌ସେସ୍‌ରେ ବଙ୍ଗାଳୀ ଶ୍ରମିକମାନଙ୍କ ପ୍ରବାସନ ଉପରେ ପିଏଚ୍‌ଡି ଡିଗ୍ରୀ ପାଇଁ ଅଧ୍ୟୟନରତ । ସେ ଜଣେ ଆତ୍ମଶିକ୍ଷିତ ଚିତ୍ରକର ଏବଂ ଭ୍ରମଣ କରିବାକୁ ଭଲ ପାଆନ୍ତି

ବ୍ୟକ୍ତିଗତ ଇସ୍ତାହାର ବଦଳରେ ସେମାନଙ୍କ ସମ୍ବିଧାନ ଏବଂ ଏହା ପାଇଁ ସଂଘଟିତ ସ୍ଵାଧୀନତା ସଂଗ୍ରାମର ଉତ୍ତରାଧିକାରକୁ ଲୋକେ ଅଧିକ ପସନ୍ଦ କରିବେ ।

ବଜାର ବ୍ୟବସ୍ଥା ପ୍ରଚଳନ ଏବଂ ନୈତିକ ମୂଲ୍ୟବୋଧକୁ ନିଶ୍ଚିହ୍ନ କରାଇ ଗତ ୩୦ବର୍ଷ ହେଲା କ୍ଷମତାରେ ରହିଥିବା ପ୍ରତ୍ୟେକ ଭାରତୀୟ ସରକାର ସେହି ସବୁ ନୀତି ଓ ଅଧିକାରକୁ ପ୍ରତିଦିନ ଉଲ୍ଲଂଘନ କରିଆସିଛନ୍ତି । ଦେଶର ଲୋକଙ୍କୁ, ସେମାନଙ୍କ ସଂପୃକ୍ତି, ଅଂଶଗ୍ରହଣ ଏବଂ ନିୟନ୍ତ୍ରଣକୁ ବାଦ ଦେଇ ସମଗ୍ର ‘ବିକାଶ’ ପଥର ଭିତ୍ତି ଗଠିତ ହୋଇଛି ।

ଭବିଷ୍ୟତର ମହାମାରୀ କଥା ଛାଡ଼ନ୍ତୁ, ଲୋକଙ୍କ ଅଂଶଗ୍ରହଣ ବିନା ଆପଣ ବର୍ତ୍ତମାନର ଏହି ସର୍ବବ୍ୟାପୀ ମହାମାରୀ ସହିତ ଲଢ଼ି ପାରିବେ ନାହିଁ । କରୋନା ଭାଇରସ୍‌ ସହ ସଂଘର୍ଷରେ କେରଳର ସଫଳତା ପଛରେ ରହିଥିବା ମୂଳଭିତ୍ତି ହେଉଛି, ସ୍ଥାନୀୟ କମିଟି ଜରିଆରେ ଲୋକଙ୍କ ସଂପୃକ୍ତି, ଶସ୍ତାରେ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଗଢ଼ି ଉଠିଥିବା ସାମୂହିକ ରନ୍ଧାଘରର ନେଟ୍‌ୱର୍କ, ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସହିତ ପୃଥକ୍‌ବାସରେ ରଖି ନିୟନ୍ତ୍ରଣ କରିବା । ଉତ୍ସାହୀ ଲୋକଙ୍କ ଅଂଶଗ୍ରହଣ ଯୋଗୁଁ ଏହି ସବୁ ଉଦ୍ୟମ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଥିଲା । ଏହି ବିଶ୍ଵ ମହାମାରୀର ବିଭୀଷିକାର ସମ୍ମୁଖୀନ ହେବା ସମୟରେ ଏଥିରୁ ଅନେକ କିଛି ଶିକ୍ଷା ଗ୍ରହଣ କରିବାର ଅଛି ।

ନ୍ୟାୟ ଓ ସମତା ସ୍ଥାପନ ଦିଗରେ ଆସ୍ଥା ହିଁ ଯେ କୌଣସି ପ୍ରଗତିଶୀଳ ଆନ୍ଦୋଳନର କେନ୍ଦ୍ରରେ ରହିଥାଏ । ଭାରତୀୟ ସମ୍ବିଧାନରେ ରହିଥିବା-‘ ନ୍ୟାୟ:ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ...’ ସହିତ ଆମ ସମୟରେ ଆମେ ଲିଙ୍ଗଭିତ୍ତିକ ନ୍ୟାୟ ଏବଂ ଜଳବାୟୁ ଭିତ୍ତିକ ନ୍ୟାୟକୁ ସାମିଲ କରିବା ଆବଶ୍ୟକ । ନ୍ୟାୟ ଓ ସମାନତା ହାସଲ ପଛରେ କେଉଁମାନେ ପ୍ରେରକ ଶକ୍ତି ଭାବେ କାର୍ଯ୍ୟ କରିବେ, ସେମାନଙ୍କୁ ଆମ ସମ୍ବିଧାନ ଚିହ୍ନଟ କରିପାରିଥିଲା । ତାହା ବଜାର ନୁହେଁ କି କମ୍ପାନୀ ନୁହେଁ, କିନ୍ତୁ ‘ଆମେ ଜନଗଣ’ ।

ହେଲେ, ବିଶ୍ଵର ସମସ୍ତ ପ୍ରଗତିଶୀଳ ଆନ୍ଦୋଳନର କେନ୍ଦ୍ରରେ ରହିଛି ଏକ ବ୍ୟାପକ ବିଶ୍ଵାସର ଧାରା, ଯାହାକି ଏକ ପ୍ରସ୍ତୁତ ଉତ୍ପାଦ ନୁହେଁ, ବରଂ ଏକ ପ୍ରଚଳିତ କାର୍ଯ୍ୟଧାରା, ଯେଉଁଥିରେ ଅନେକ ବିଫଳତା ରହିଛି ଏବଂ ରହିଛି ଅନେକ ବିଶାଳ ଓ ଅସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ।

ଏ ବର୍ଷ ଜୁନରେ ୯୭ ବର୍ଷରେ ପଦାର୍ପଣ କରିଥିବା କିମ୍ବଦନ୍ତୀ ସ୍ଵାଧୀନତା ସଂଗ୍ରାମୀ କ୍ୟାପ୍‌ଟେନ୍‌ ଭାଉ ଥରେ ମୋତେ କହିଥିଲେ,“ଆମେ ସ୍ଵାବଲମ୍ବନଶୀଳତା ଏବଂ ସ୍ଵାଧୀନତା ପାଇଁ ଲଢ଼ିଲୁ । ଆମେ ସ୍ଵାବଲମ୍ବନଶୀଳତା ହାସଲ କଲୁ ।”

ଆମେ ସେହି ସ୍ଵାବଲମ୍ବନଶୀଳତାର ୭୩ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବା ବେଳେ ସ୍ଵାଧୀନତାର ସେହି ଅସଂପୂର୍ଣ୍ଣ କାର୍ଯ୍ୟସୂଚୀ ପାଇଁ ସଂଗ୍ରାମ କରିବା ଆବଶ୍ୟକ ମନେହୁଏ ।

ଏହି ଲେଖା ପ୍ରଥମେ  ଫ୍ରଣ୍ଟଲାଇନ୍‌ ପତ୍ରିକାରେ ପ୍ରକାଶ ପାଇଥିଲା

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath