ପ୍ରିୟ ଭାରତର ପ୍ରଧାନ ବିଚାରପତି,

ଆପଣଙ୍କୁ ଧନ୍ୟବାଦ ଆପଣଙ୍କର ଅତ୍ୟନ୍ତ ପ୍ରାସଙ୍ଗିକ ଅବଲୋକନ ପାଇଁ ଯେ ‘‘ଗଣମାଧ୍ୟମର ପରିଦୃଶ୍ୟରୁ ଅନୁସନ୍ଧାନମୂଳକ ସାମ୍ବାଦିକତାର ଧାରା ଦୁର୍ଭାଗ୍ୟଜନକ ଭାବେ ଲିଭି ଯାଉଛି…ଆମେ ଯେତେବେଳେ ବଡ଼ ହେଉଥିଲୁ, ବଡ଼ ବଡ଼ ସମ୍ବାଦପତ୍ର ମାନେ ବଡ଼ ବଡ଼ ଘୋଟାଲାର ପର୍ଦ୍ଦାଫାସ୍‌ କରିବାକୁ ଆମେ ଉତ୍କଣ୍ଠାର ସହ ଅପେକ୍ଷା କରୁଥିଲୁ । ସମ୍ବାଦପତ୍ରଗୁଡ଼ିକ ଆମକୁ କେବେ ବି ନିରାଶ କରୁ ନ ଥିଲେ ।’’

ଏବେ ସମୟରେ ଗଣମାଧ୍ୟମ ବାବଦରେ ଖୁବ୍‌ କମ୍‌ ଠିକ୍‌ ଶବ୍ଦ କୁହାଯାଇଛି । ଯଦିଓ ଖୁବ୍‌ ସଂକ୍ଷିପ୍ତ ସମୟ ପାଇଁ, ହେଲେ ଆପଣଙ୍କର ପୁରୁଣା ବୃତ୍ତି କ’ଣ ଥିଲା ମନେ ରଖିଥିବାରୁ ଆପଣଙ୍କୁ ଧନ୍ୟବାଦ । ଆପଣ ଯେତେବେଳେ ୧୯୭୯ରେ ଇନ୍ନାଡୁରେ ଯୋଗ ଦେଇଥିଲେ ତା’ର ମାତ୍ର କିଛି ମାସ ପରେ ମୁଁ ସାମ୍ବାଦିକତାରେ ସାମିଲ ହୋଇଥିଲି ।

ଆପଣ ଯେମିତି ନିକଟରେ ଏକ ପୁସ୍ତକ ଉନ୍ମୋଚନ ସମାରୋହରେ ଦେଇଥିବା ବକ୍ତବ୍ୟରେ ମନେ ପକାଇଛନ୍ତି – ସେହି କଠିନ ଦିନଗୁଡ଼ିକରେ, ଆମେ ସକାଳୁ ଉଠୁଥିଲେ ଏବଂ ‘‘ବଡ଼ ଘୋଟାଲାର ପର୍ଦ୍ଦାଫାସ୍‌ କରୁଥିବା ସମ୍ବାଦପତ୍ରଗୁଡ଼ିକର ଉତ୍କଣ୍ଠାର ସହ ଅପେକ୍ଷା କରୁଥିଲେ ।’’ ଆଜିକାଲି ଆମେ ସକାଳୁ ଉଠି, ସାର୍‌, ଦେଖୁଛନ୍ତି ସେହି ଘୋଟାଲାଗୁଡ଼ିକର ପର୍ଦ୍ଦାଫାସ୍‌ କରୁଥିବା ସାମ୍ବାଦିକଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଭଳି କଠୋର ଆଇନରେ ଅଭିଯୁକ୍ତ କରାଯାଉଛି, ଏମିତିକି ଜେଲ୍‌ ପଠାଇ ଦିଆଯାଉଛି । ବା ଏମିତିକି ଧନ ଶୋଧନ ନିବାରଣ ଅଧିନିୟମ (PMLA) ଭଳି ଆଇନର ଭୟାନକ ଦୁରୁପଯୋଗ କରାଯାଉଛି ଯାହାର ଆପଣ ନିକଟରେ କଡ଼ା ସମାଲୋଚନା କରିଛନ୍ତି ।

‘‘ଅତୀତରେ,’’ ଆପଣ ଯେମିତି ଆପଣଙ୍କ ବକ୍ତବ୍ୟରେ କହିଛନ୍ତି, ‘‘ଆମେ ଦୁର୍ନୀତି ଏବଂ ଅସଦାଚରଣ ବାବଦରେ ସମ୍ବାଦପତ୍ରର ରିପୋର୍ଟ ଦେଖିଛନ୍ତି, ଯାହାର ଗମ୍ଭୀର ପରିଣାମ ସାମ୍ନାକୁ ଆସିଛି ।’’ ଅନ୍ୟପଟେ, ଆଜିକାଲି ଏମିତି ଖବର ଲେଖୁଥିବା ସାମ୍ବାଦିକଙ୍କୁ ଗମ୍ଭୀର ପରିଣାମ ଭୋଗିବାକୁ ପଡୁଛି । ଏମିତିକି ସେହିମାନଙ୍କୁ ମଧ୍ୟ ଭୋଗିବାକୁ ପଡୁଛି ଯେଉଁମାନେ ସିଧାସଳଖ ରିପୋର୍ଟିଂ କରୁଛନ୍ତି । ଉତ୍ତରପ୍ରଦେଶର ସେହି ଭୟାନକ ଅତ୍ୟାଚାରରେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ହାଥରସ ଯିବା ସମୟରେ ଗିରଫ ହୋଇଥିବା ସିଦ୍ଦିକି କପ୍ପନ ଏକ ବର୍ଷରୁ ଅଧିକ ସମୟ ଧରି ଜେଲ୍‌ରେ ବନ୍ଦୀ ଅଛନ୍ତି, ସେ ଜାମିନ ପାଇ ପାରୁନାହାନ୍ତି ଏବଂ ନିଜ ମାମଲାକୁ ଗୋଟିଏ କୋର୍ଟରୁ ଆଉ ଗୋଟିଏ କୋର୍ଟକୁ ବୁଲୁଥିବା ଦେଖୁଛନ୍ତି, ଯେତେବେଳେ କି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଦ୍ରୁତ ଗତିରେ ବିଗିଡ଼ିବାରେ ଲାଗିଛି ।

ଆମ ସାମ୍ନାରେ ଏହି ଉଦାହରଣ ସହ, ନିଶ୍ଚିତ ଭାବେ ବହୁତ ସାମ୍ବାଦିକତା – ଅନୁସନ୍ଧାନମୂଳକ ହେଉ ବା ଅନ୍ୟପ୍ରକାରର – ଗାଏବ ହୋଇଯିବ ।

ନ୍ୟାୟମୂର୍ତ୍ତି ରମନା, ଅତୀତର ଦୁର୍ନୀତି ଓ ଘୋଟାଲାର ପର୍ଦ୍ଦାଫାସ୍‌ର ତୁଳନା କରି ଆପଣ ସମ୍ପୂର୍ଣ୍ଣ ସଠିକ୍‌ କହିଛନ୍ତି ଯେ ଆପଣଙ୍କୁ ‘‘ନିକଟ ବର୍ଷମାନଙ୍କରେ ଏଭଳି ପ୍ରକାର ପରିଣାମର କୌଣସି କାହାଣୀ ମନେ ନାହିଁ । ଆମ ବଗିଚାରେ ସବୁକିଛି ଗୋଲାପୀ ଭଳି ଦେଖାଯାଏ । ଆପଣଙ୍କର ନିଜ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ମୁଁ ଆପଣଙ୍କୁ ଛାଡ଼ି ଦେଉଛି।’’

ଆଇନ ଏବଂ ଗଣମାଧ୍ୟମ ଉଭୟ ବିଷୟରେ ଆପଣଙ୍କର ଗଭୀର ଜ୍ଞାନ ଥିବା ଦୃଷ୍ଟିରୁ ଏବଂ ଭାରତୀୟ ସମାଜର ଜଣେ ତୀକ୍ଷ୍‌ଣ ପର୍ଯ୍ୟବେକ୍ଷକ ହୋଇଥିବାରୁ - ମୁଁ ଚାହେଁ, ସାର୍, ଆପଣ ଟିକିଏ ଆଗକୁ ଯାଇ ଏହି କାରଣଗୁଡ଼ିକ ଉପସ୍ଥାପନ କରିଥାଆନ୍ତେ ଯାହା କେବଳ ଅନୁସନ୍ଧାନମୂଳକ ନୁହେଁ, ବରଂ ଅଧିକାଂଶ ଭାରତୀୟ ସାମ୍ବାଦିକତାକୁ ମଧ୍ୟ ଅବିଭୂତ କରିଦେଇଛି । ଯେହେତୁ ଆପଣ ଆମକୁ ଆମର ନିଜ ସିଦ୍ଧାନ୍ତରେ ପହଞ୍ଚିବାକୁ ଆମନ୍ତ୍ରଣ କରିଛନ୍ତି, ମୁଁ ଆପଣଙ୍କର ବିଚାର ପାଇଁ ତିନିଟି ସେଟ୍ କାରଣ ପ୍ରଦାନ କରିପାରିବି କି ?

ପ୍ରଥମ, ଗଣମାଧ୍ୟମ ମାଲିକାନାର ସାଂଗଠନିକ ବାସ୍ତବତା କେତେକ କର୍ପୋରେଟ୍‌ କମ୍ପାନୀଙ୍କ ହାତରେ କେନ୍ଦ୍ରିତ ଅଛି, ଯେଉଁମାନେ ବଡ଼ ଆକାରରେ ଲାଭ ଆୟ କରୁଛନ୍ତି ।

ଦ୍ୱିତୀୟତଃ, ସ୍ୱାଧୀନ ସାମ୍ବାଦିକତା ଉପରେ ସରକାରଙ୍କର ଆକ୍ରମଣ ଏବଂ ନିର୍ମମ ଦମନର ଅଭୂତପୂର୍ବ ସ୍ତର ।

ତୃତୀୟତଃ, ନୈତିକ ତନ୍ତୁର କ୍ଷୟ ଏବଂ କ୍ଷମତାଶାଳୀଙ୍କ ଷ୍ଟେନୋଗ୍ରାଫର ଭାବେ ସେବା କରିବା ପାଇଁ ବହୁ ବରିଷ୍ଠ ବୃତ୍ତିଧାରୀଙ୍କର ଉତ୍ସୁକତା ।

ପ୍ରକୃତରେ, ଜଣେ କଳା ଶିଖାଇବା ବ୍ୟକ୍ତି ଭାବେ ମୁଁ, ମୋର ଛାତ୍ରଛାତ୍ରୀଙ୍କୁ ଚୟନ କରିବାକୁ କହେ ଯେ ଆମ ବୃତ୍ତିରେ ବିଚାରର ଦୁଇଟି ଶ୍ରେଣୀ ମଧ୍ୟରୁ ସେମାନେ କାହା ସହ ସମ୍ପୃକ୍ତ ହେବାକୁ ଚାହିଁବେ – ସାମ୍ବାଦିକତା ନା ଷ୍ଟେନୋଗ୍ରାଫି ?

ପ୍ରାୟ ୩୦ ବର୍ଷ ଧରି, ମୁଁ ତର୍କ କରିଆସିଛି ଯେ ଭାରତୀୟ ଗଣମାଧ୍ୟମ ରାଜନୈତିକ ଦୃଷ୍ଟିରୁ ମୁକ୍ତ କିନ୍ତୁ ଲାଭ ଦ୍ୱାରା ବନ୍ଦୀ । ଆଜି, ସେମାନେ ଲାଭ ଦ୍ୱାରା ବନ୍ଦୀ ରହିଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସ୍ୱାଧୀନ ସ୍ୱର ଦ୍ରୁତ ଗତିରେ ରାଜନୈତିକ ଭାବେ ବନ୍ଦୀ ହେବାରେ ଲାଗିଛନ୍ତି ।

ଏକଥା ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ, ଏମିତି ନୁହେଁ କି, ଯେ ଗଣମାଧ୍ୟମ ସ୍ୱାଧୀନତାର ଭୟଙ୍କର ଅବସ୍ଥା ବିଷୟରେ ଗଣମାଧ୍ୟମ ଭିତରେ ଏତେ କମ୍ ଆଲୋଚନା ହେଉଛି । ଚାରି ଜଣ ଅଗ୍ରଣୀ ବୁଦ୍ଧିଜୀବୀ, ସମସ୍ତେ ସାମ୍ବାଦିକତା ସହ ଜଡ଼ିତ, ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କୁ ହତ୍ୟା କରାଯାଇଛି। ଏମାନଙ୍କ ମଧ୍ୟରେ, ଭେଟେରାନ୍‌ ସାମ୍ବାଦିକା ଗୌରୀ ଲଙ୍କେଶ ଜଣେ ପୂର୍ଣ୍ଣକାଳୀନ ଗଣମାଧ୍ୟମ ବ୍ୟକ୍ତିତ୍ୱ । (ଅବଶ୍ୟ ରାଇଜିଂ କାଶ୍ମୀରର ସମ୍ପାଦକ ସୁଜାତ ବୁଖାରୀ ମଧ୍ୟ ବନ୍ଧୁକଧାରୀଙ୍କ ଗୁଳିର ଶିକାର ହେଲେ)। କିନ୍ତୁ ଅନ୍ୟ ତିନି ଜଣ ସମସ୍ତେ ଗଣମାଧ୍ୟମରେ ନିୟମିତ ଲେଖକ ଓ ସ୍ତମ୍ଭକାର ଥିଲେ । ନରେନ୍ଦ୍ର ଦାଭୋଲକର ଅନ୍ଧବିଶ୍ୱାସ ବିରୋଧରେ ଲଢ଼େଇ କରୁଥିବା ଗୋଟିଏ ପତ୍ରିକାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ ଯାହାକୁ ସେ ପ୍ରାୟ ୨୫ ବର୍ଷ ଧରି ଚଳାଇଥିଲେ । ଗୋବିନ୍ଦ ପାନ୍‌ସାରେ ଏବଂ ଏମ୍‌ ଏମ୍‌ କଲବୁର୍ଗୀ ଥିଲେ ପ୍ରବୀଣ ଲେଖକ ଏବଂ ସ୍ତମ୍ଭକାର ।

ଏହି ୪ ଜଣ ସମସ୍ତଙ୍କର ଏହା ସମାନ ଥିଲା : ସେମାନେ ତର୍କବାଦୀ ଥିଲେ ଏବଂ ସାମ୍ବାଦିକ ମଧ୍ୟ ଥିଲେ ଯେଉଁମାନେ ଭାରତୀୟ ଭାଷାରେ ଲେଖୁଥିଲେ-ଯାହା ସେମାନଙ୍କ ହତ୍ୟାକାରୀଙ୍କ ପ୍ରତି ବିପଦ ବଢ଼ାଇ ଦେଇଥିଲା । ଏହି ଚାରିଜଣଙ୍କର ହତ୍ୟା ରାଜ୍ୟ ବାହାରର ଲୋକଙ୍କ ଦ୍ୱାରା କରାଯାଇଛି, ଯାହା ସ୍ପଷ୍ଟ ଭାବେ ଉଚ୍ଚ ସ୍ତରର ରାଜଭୋଗର ଆନନ୍ଦ ନେଉଥିଲେ । ଏହି ଅଣରାଜ୍ୟ ହତ୍ୟାକାରୀଙ୍କ ତାଲିକାରେ ବହୁ ଅନ୍ୟ ସ୍ୱାଧୀନ ସାମ୍ବାଦିକ ବି ଅଛନ୍ତି ।

ସମ୍ଭବତଃ ସାମ୍ବାଦିକତାର ଦୟନୀୟ ସ୍ଥିତିରେ କିଛି ସୁଧାର ଆସିପାରେ ଯଦି ନ୍ୟାୟପାଳିକା ଏହି ବାସ୍ତବିକତାର ସାମ୍ନା କରିବ ଯେ ସ୍ୱାଧୀନ ଭାରତ ଇତିହାସରେ ଗଣମାଧ୍ୟମର ସ୍ୱାଧୀନତା ସବୁଠାରୁ ନିମ୍ନ ସ୍ତରରେ ଅଛି । ଆପଣ ଯେମିତି ନିଃସନ୍ଦେହ ପେଗାସସ୍‌ ମାମଲାରେ ହେଉଥିବା ଦେଖିଥିଲେ – ଆଧୁନିକ ଟେକ୍ନୋଲୋଜିରେ ସମ୍ପନ୍ନ ରାଜ୍ୟର ଦମନ କ୍ଷମତା – ଜରୁରୀକାଳୀନସ୍ଥିତିର ଦୁଃସ୍ୱପ୍ନକୁ ବି ଛୋଟ କରିଦେଉଛି ।

୨୦୨୦ ମସିହାରେ ଫ୍ରାନ୍ସ ଭିତ୍ତିକ ରିପୋଟର୍ସ ୱିଦ୍‌ଆଉଟ୍‌ ବଡ଼ର୍ସ ଦ୍ୱାରା ପ୍ରକାଶିତ ୱାର୍ଲ୍ଡ ପ୍ରେସ୍ ଫ୍ରିଡମ୍ ଇଣ୍ଡେକ୍ସରେ ଭାରତ ୧୪୨ ର଼୍ୟାଙ୍କ୍‌କୁ ଖସି ଆସିଛି

ଗଣମାଧ୍ୟମ ସ୍ୱାଧୀନତା ନେଇ ଏହି ସରକାରଙ୍କ ଆଭିମୁଖ୍ୟ ବାବଦରେ ଥିବା ମୋର ପ୍ରତ୍ୟକ୍ଷ ଅନୁଭୂତି ମୁଁ ବ୍ୟାଖ୍ୟା କରୁଛି । ଅପମାନଜନକ ୧୪୨ ତମ ରାଙ୍କରେ ଅସନ୍ତୁଷ୍ଟ କେନ୍ଦ୍ର କ୍ୟାବିନେଟ୍‌ ସଚିବ, ଏକ ଇଣ୍ଡେକ୍ସ କମିଟିର ଗଠନ କରିବାକୁ ଆହ୍ୱାନ ଦେଲେ ଯାହା ଭାରତରେ ଗଣମାଧ୍ୟମର ସ୍ୱାଧୀନତା ଉପରେ ସିଧାସଳଖ ରିପୋର୍ଟ ପ୍ରସ୍ତୁତ କରିବ । ଏଥିରେ ଜଣେ ସଦସ୍ୟ ହେବାକୁ କୁହାଗଲା, ମୁଁ ଏହାକୁ ଏହି ପ୍ରତିଶ୍ରୁତି ସହ ସ୍ୱୀକାର କଲି ଯେ WPFI ର଼୍ୟାଙ୍କିଙ୍ଗକୁ ଖଣ୍ଡନ କରିବା ଅପେକ୍ଷା ଆମେ ଭାରତରେ ପ୍ରେସ୍‌ ସ୍ୱାଧୀନତାର ପ୍ରକୃତ ସ୍ଥିତି ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିବୁ।

ଏକ ୧୩ ଜଣିଆ କମିଟିରେ ୧୧ ଜଣ ଅମଲାତନ୍ତ୍ର ଏବଂ ସରକାରୀ ନିୟନ୍ତ୍ରିତ ଅନୁଷ୍ଠାନର ଗବେଷକ ଥିଲେ । ଏବଂ ଯେଉଁ କମିଟି ଗଣମାଧ୍ୟମ ସ୍ୱାଧୀନତା ସମ୍ପର୍କରେ ଅନୁଧ୍ୟାନ କରିବ, ସେଥିରେ ମାତ୍ର ଦୁଇ ଜଣ ସାମ୍ବାଦିକ ଥିଲେ । ଏବଂ ଏହି କମିଟିରେ ଥିବା ସଦସ୍ୟଙ୍କ ମଧ୍ୟରୁ ଜଣେ ସେ ଉପସ୍ଥିତ ଥିବା ଦୁଇଟି ମିଟିଂରେ ଗୋଟିଏ ବି ଶବ୍ଦ କହି ନ ଥିଲେ । ବୈଠକ ସୂଚାରୁ ରୂପରେ ଚାଲିଲା, ଯଦିଓ କେବଳ ମୁଁ ହିଁ ନିଜକୁ କହୁଥିବା ଏବଂ ପ୍ରଶ୍ନ କରୁଥିବା ଦେଖିଲି । ତା’ପରେ କାର୍ଯ୍ୟ ସମୂହ ଦ୍ୱାରା, ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରାଗଲା, ଯାହା ଡ୍ରାଫ୍ଟ ଶବ୍ଦର ଅନୁପସ୍ଥିତି ପାଇଁ ଉଲ୍ଲେଖନୀୟ ଥିଲା । ରିପୋର୍ଟରେ ବୈଠକରେ ଉଠାଯାଇଥିବା ଗମ୍ଭୀର ପ୍ରସଙ୍ଗ ବାବଦରେ କିଛି ଉଲ୍ଲେଖ କରାଯାଇ ନ ଥିଲା । ଏଥିପାଇଁ ମୁଁ ଏଥିରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ନିରପେକ୍ଷ ବା ଅସହମତି ନୋଟ୍‌ ଦାଖଲ କଲି ।

ଥରକରେ, ରିପୋର୍ଟ, କମିଟି ସବୁକିଛି କୁଆଡ଼େ ଗାଏବ ହୋଇଗଲା । ଦେଶର ଶୀର୍ଷ ଅମଲାଙ୍କ ନିର୍ଦ୍ଦେଶରେ ସ୍ଥାପିତ କମିଟି – ଯାହା ସମ୍ଭବତଃ, କେବଳ ଭାରତର ଦୁଇ ଜଣ ଶୀର୍ଷ କ୍ଷମତାଶାଳୀ ବ୍ୟକ୍ତିଙ୍କୁ ରିପୋର୍ଟ ପ୍ରଦାନ କରେ – କୁଆଡ଼େ ଗାଏବ ହୋଇଗଲା । ସୂଚନା ଅଧିକାର ଆଇନରେ ଅନୁସନ୍ଧାନ ବି ଗଣମାଧ୍ୟମ ସ୍ୱାଧୀନତା ଉପରେ ଏହି ରିପୋର୍ଟକୁ ଖୋଜିବାରେ ବିଫଳ ହେଲା ! ଯଦିଓ ମୋ ପାଖରେ ସେହି ‘ଡ୍ରାଫ୍ଟ’ର ଏକ ନକଲ ଅଛି । ମୂଳ ପ୍ରୟାସ ଅନୁସନ୍ଧାନମୂଳକ ସାମ୍ବାଦିକତା ବି ନ ଥିଲା – ଏହା ସାମ୍ବାଦିକତାର ଅନୁସନ୍ଧାନ ଥିଲା, କାରଣ ଏହା ଭାରତରେ କାମ କରୁଥିଲା । ଏବଂ ଏହା ଗୋଟିଏ ଅସହମତି ନୋଟ୍‌ର ବୁନ୍ଦାରେ କୁଆଡ଼େ ଗାଏବ ହୋଇଗଲା ।

ସେହିଭଳି ଅନୁସନ୍ଧାନମୂଳକ ରିପୋର୍ଟିଂ କରିବାକୁ ସାମ୍ବାଦିକତାରେ ଅନେକ ଲୋକ ଅଛନ୍ତି ଯେଉଁ ପ୍ରକାରର ଅନୁସନ୍ଧାନମୂଳକ ରିପୋର୍ଟିଂ ବାବଦରେ ଆପଣ ଆପଣଙ୍କର ଭାଷଣରେ ଉଦାସୀନ ଥିଲେ । ଉଚ୍ଚ ସ୍ଥାନରେ ଖାସ୍‌ କରି ସରକାରରେ ଘୋଟାଲା ଓ ଭ୍ରଷ୍ଟାଚାରର ତଦନ୍ତ  । ଆଜି ଏମିତି ପ୍ରୟାସ କରୁଥିବା ଅଧିକାଂଶ ସାମ୍ବାଦିକ ଯେଉଁ ପ୍ରଥମ ବଡ଼ ପ୍ରତିବନ୍ଧକରେ ପଡ଼ିଯାଆନ୍ତି ତାହା ହେଲା – ନିଜ କର୍ପୋରେଟ୍‌ ମିଡିଆ ମାଲିକଙ୍କ ହିତ, ଯେଉଁମାନେ ସରକାରୀ ଚୁକ୍ତି ଏବଂ ଉଚ୍ଚ ପଦରେ ଆସୀନ ଶକ୍ତିଶାଳୀ ଲୋକଙ୍କ ସହ ଅତି ଘନିଷ୍ଠ ଭାବେ ଯୋଡ଼ି ହୋଇଛନ୍ତି ।

ସେହି ବିଶାଳ ଗଣମାଧ୍ୟମଗୁଡ଼ିକର ମାଲିକମାନେ ପେଡ୍‌ ନ୍ୟୁଜ୍‌ ମାଧ୍ୟମରେ ପ୍ରଚୁର ଅର୍ଥ ଆୟ କରନ୍ତି, ସରକାରୀ ମାଲିକାନା ସମ୍ବଳର ଶୋଷଣ ପାଇଁ ଲାଇସେନ୍ସ ହାସଲ କରନ୍ତି, ସରକାରୀ ଘରୋଇକରଣ ସଂସ୍ଥାଗୁଡ଼ିକ ସେମାନଙ୍କୁ ହଜାର ହଜାର କୋଟିର ସର୍ବସାଧାରଣ ସମ୍ପତ୍ତି ହସ୍ତାନ୍ତର କରନ୍ତି, ଏବଂ ଯେଉଁମାନେ ଶାସକ ଦଳର ନିର୍ବାଚନୀ ଅଭିଯାନ ପାଇଁ ସୁନ୍ଦର ଭାବେ ପାଣ୍ଠି ଦିଅନ୍ତି – ସେମାନେ ନିଜ ଅଂଶୀଦାରଙ୍କୁ ଅସନ୍ତୁଷ୍ଟ କରିବା ନେଇ ସାମ୍ବାଦିକମାନଙ୍କୁ ଅନୁମତି ଦେବା ସମ୍ଭବ ନୁହେଁ । ଏକଦା ଗର୍ବ ଅନୁଭବ କରୁଥିବା ଭାରତୀୟ ବୃତ୍ତିକୁ କେବଳ ଏକ ରାଜସ୍ୱ ଧାରାରେ ସୀମିତ କରିବା ପରେ, ଚତୁର୍ଥ ଇଷ୍ଟେଟ୍‌ ଏବଂ ରିୟଲ ଇଷ୍ଟେଟ୍‌ ମଧ୍ୟରେ ପ୍ରଭେଦକୁ ଦୁର୍ବଳ କରୁଥିବା ଶକ୍ତିମାନଙ୍କର ସେହି ସାମ୍ବାଦିକତା ପ୍ରତି ଭୋକ ନାହିଁ ଯାହା କ୍ଷମତା ବିଷୟରେ ସତ କହିଥାଏ ।

ସାର୍‌, ମୁଁ ଭାବୁଛି ଆପଣ ମୋ ସହ ସହମତ ହେବେ, ଯଦି ମୁଁ କହିବି ଯେ ଏହି ଦେଶର ଜନତାଙ୍କୁ ଏହି ମହାମାରୀ କାଳରେ ସାମ୍ବାଦିକତା ଏବଂ ସାମ୍ବାଦିକଙ୍କର ଯେତିକି ଆବଶ୍ୟକତା ପଡ଼ିଛି ତାହା କେବେ ବି ପଡ଼ିନାହିଁ । ଶକ୍ତିଶାଳୀ ଗଣମାଧ୍ୟମ ସଂସ୍ଥାର ମାଲିକମାନେ ନିଜର ପାଠକ ଓ ଦର୍ଶକଙ୍କ ସମେତ ଜନତାର ସେହି ନିହାତି ଆବଶ୍ୟକତାକୁ କେମିତି ପୂରଣ କଲେ ? ପ୍ରାୟ ୨୦୦୦ରୁ୨୫୦୦ ସଂଖ୍ୟାରେ ସାମ୍ବାଦିକ ଏବଂ ଏହାର ଅନେକ ଗୁଣା ଅଧିକ ସଂଖ୍ୟାରେ ଗଣମାଧ୍ୟମ କର୍ମଚାରୀଙ୍କୁ ବହିଷ୍କାର କରି ।

PHOTO • Courtesy: TMMK
PHOTO • Shraddha Agarwal

ଗଣମାଧ୍ୟମର ଏକ ବୃହତ ବିଭାଗ ଆଜି କୋଭିଡ୍‌-୧୯ ପରିଚାଳନାରେ ଅବ୍ୟବସ୍ଥାର କାହାଣୀକୁ ମନେ ରଖେ ନାହିଁ ଏବଂ କୋଭିଡ୍‌ ମହାମାରୀ ବିରୋଧୀ ଲଢ଼େଇରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା, ବିଶ୍ୱରେ ସବୁକିଛିରେ ଅଗ୍ରଣୀ ହୋଇଥିବା ନେଇ ସରକାରୀ ପ୍ରଚାରକୁ ପ୍ରସାର କରୁଛନ୍ତି

ଜନସାଧାରଣଙ୍କ ସେବା କରିବାର ଆଦର୍ଶ ଲୋପ ପାଇଛି । ୨୦୨୦ରେ ଅର୍ଥନୀତି ଭୁଶୁଡ଼ିବା ଗଣମାଧ୍ୟମକୁ ସରକାରୀ ବିଜ୍ଞାପନ ଉପରେ ପୂର୍ବ ଅପେକ୍ଷା ଅଧିକ ନିର୍ଭରଶୀଳ କରିଦେଲା । ତେଣୁ ଆଜି, ଆମ ଗଣମାଧ୍ୟମର ବୃହତ ଅଂଶ ଅଛି, ଯେଉଁମାନେ କୋଭିଡ୍‌-୧୯ ପରିଚାଳନାଗତ ଅବ୍ୟବସ୍ଥା ସମ୍ପର୍କରେ ନିଜର (ନିଶ୍ଚିତ ଭାବେ କିଛି) ରିପୋର୍ଟକୁ ଭୁଲି ଯାଉଛନ୍ତି ଏବଂ କୋଭିଡ୍‌ ମହାମାରୀ ବିରୋଧୀ ଲଢ଼େଇରେ ଭାରତ ଚମତ୍କାର ପ୍ରଦର୍ଶନ କରିଥିବା, ବିଶ୍ୱରେ ସବୁକିଛିରେ ଅଗ୍ରଣୀ ହୋଇଥିବା ନେଇ ଭାରତ ସରକାର କରୁଥିବା ପ୍ରଚାରକୁ ପ୍ରସାର କରୁଛନ୍ତି ।

ଏହି ସମୟରେ ଅପାରଦର୍ଶୀ ‘ପିଏମ୍‌ କେୟାର୍ସ ଫଣ୍ଡ’ର ଗଠନ ବି ଦେଖାଗଲା । ଏହାର ଶୀର୍ଷକରେ ‘ପ୍ରଧାନମନ୍ତ୍ରୀ’ ଶବ୍ଦ ଅଛି, ନିଜର ୱେବ୍‌ସାଇଟ୍‌ରେ ନିଜର ହିଁ ଦୃଶ୍ୟ ପ୍ରଦର୍ଶିତ କରୁଛି, କିନ୍ତୁ ତର୍କ ଦେଉଛି ଯେ ଏହା ଏକ ‘ସାର୍ବଜନିକ ପ୍ରାଧିକରଣ’ ନୁହେଁ, ନା ଏହା ଆର୍‌ଟିଆଇ ଅଧୀନରେ ଆସୁଛି ଏବଂ ବାସ୍ତବରେ ‘‘ଏହା ଭାରତ ସରକାରଙ୍କ ଏକ କୋଷ ନୁହେଁ ।’’ ଏବଂ ଏହା ଦେଶର କୌଣସି ସଂସ୍ଥା ଦ୍ୱାରା କୌଣସି ଆନୁଷ୍ଠାନିକ ଅଡିଟ୍‌ ଦାଖଲ ପାଇଁ ବାଧ୍ୟ ନୁହେଁ ।

ଏହା ମଧ୍ୟ ସେହି ସମୟ ଥିଲା, ସାର୍, ଯେତେବେଳେ ଏହି ଦେଶର ସ୍ୱାଧୀନ ଇତିହାସରେ କେତେକ ଅତ୍ୟଧିକ ପ୍ରତିକ୍ରିୟାଶୀଳ ଶ୍ରମ ଆଇନକୁ ପ୍ରଥମେ ରାଜ୍ୟ ସରକାରମାନଙ୍କ ଦ୍ୱାରା ଅଧ୍ୟାଦେଶ ଭାବେ, ପରେ କେନ୍ଦ୍ର ଦ୍ୱାରା ‘କୋଡ୍’ ଭାବରେ ଲାଗୁ କରାଗଲା । କେତେକ ଅଧ୍ୟାଦେଶ ଭାରତୀୟ ଶ୍ରମିକମାନଙ୍କୁ ଏକ ଶତାବ୍ଦୀ ପଛକୁ ଠେଲିଦେଲା , ଦିନକୁ ଆଠ ଘଣ୍ଟା-ଶ୍ରମ ଅଧିକାରର ଏହି ସ୍ୱର୍ଣ୍ଣିମ ମାନକକୁ ରଦ୍ଦ କରି ଦିଆଗଲା । ସ୍ୱାଭାବିକ ଭାବେ, ବହୁ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା କର୍ପୋରେଟ୍‌ଙ୍କ ମାଲିକାନାରେ ଥିବା ଗଣମାଧ୍ୟମରେ ଏଥିମଧ୍ୟରୁ କାହାରି ବି ଯାଂଚ ପାଇଁ ଖୁବ୍‌ କମ୍‌ ସ୍ଥାନ ରହିଛି । ଏବଂ ସେମାନଙ୍କ ମଧ୍ୟରୁ ବହୁ ସାମ୍ବାଦିକ ଯେଉଁମାନେ ଏହାକୁ ନେବା ପାଇଁ ଖେଳୁଛନ୍ତି-ସେମାନେ ବେକାର, ଯେଉଁମାନଙ୍କୁ ସେମାନଙ୍କ ଗଣମାଧ୍ୟମ ମାଲିକଙ୍କ ଦ୍ୱାରା ବିଦା କରିଦିଆଯାଇଛି।

ମୋତେ ସମାନ ଭାବେ ଯାହା ଚିନ୍ତିତ କରେ ତାହା ହେଲା ମୁଁ ନ୍ୟାୟପାଳିକାକୁ ଏହି ବିନାଶକୁ ରୋକିବା ଦିଗରେ ପଦକ୍ଷେପ ନେଉଥିବା ଦେଖି ନାହିଁ, ତାହା ସରକାରୀ ଦୁର୍ନୀତି ହେଉ, ସାମ୍ବାଦିକଙ୍କୁ ସାମୁହିକ ଛଟେଇ ଉପରେ ହେଉ, ଶ୍ରମ ଅଧିକାରର ଉଲ୍ଲଂଘନ ଉପରେ ହେଉ, ବା ସମସ୍ତ ପ୍ରକାର ପାରଦର୍ଶୀ ଅଡିଟ୍‌ରୁ ମୁକ୍ତ ପାଣ୍ଠି ସଂଗ୍ରହ କରିବା ପାଇଁ ପ୍ରଧାନମନ୍ତ୍ରୀ ନାମର ଅପବ୍ୟବହାର କରିବା ହେଉ । ମୁଁ ଗଣମାଧ୍ୟମର ଅନ୍ତର୍ନିହିତ ଓ ସାଂଗଠନିକ ଦୋଷକୁ ସମ୍ପୂର୍ଣ୍ଣ ଭାବେ ସ୍ୱୀକାର କରୁଛି ଯାହା ଏହାକୁ ଏଭଳି ସାଲିସ ଏବଂ ଦାତା-ଅନୁକୂଳ ଘଟଣାରେ ପରିବର୍ତ୍ତିତ କରିଦେଇଛି । କିନ୍ତୁ ନିଶ୍ଚିତ ଭାବେ, ଏହି ବିଷୟଗୁଡ଼ିକ ମଧ୍ୟରୁ କେତେକରେ ନ୍ୟାୟପାଳିକାର ହସ୍ତକ୍ଷେପ ସାମ୍ବାଦିକମାନଙ୍କୁ ଭଲ ନିଃଶ୍ୱାସ ନେବାରେ ସାହାଯ୍ୟ କରିପାରିବ କି ?

ସ୍ୱାଧୀନ ଗଣମାଧ୍ୟମ କାର୍ଯ୍ୟାଳୟ ଉପରେ ଚଢ଼ାଉ, ସେମାନଙ୍କ ମାଲିକ ଏବଂ ସାମ୍ବାଦିକଙ୍କୁ ‘ଅର୍ଥ ଲଗାଣକାରୀ’ ରୂପରେ ଡରାଇବା ଏବଂ ଧମକାଇବା, ଏହି ସଂସ୍ଥାଗୁଡ଼ିକର ନିରନ୍ତର ଉତ୍ପୀଡ଼ନ ଏକ ଉଗ୍ର ଗତିରେ ବଢ଼ିଚାଲେ । ନିଶ୍ଚିତ ଭାବେ, ଏଥିରୁ ଅଧିକାଂଶ ମାମଲା ଅଦାଲତରେ ଖାରଜ ହୋଇଯିବ-ସରକାରଙ୍କ ନିର୍ଦ୍ଦେଶ ପାଳନ କରୁଥିବା ଏଜେନ୍ସି କେବଳ ସେତିକି ହିଁ ଜାଣନ୍ତି । କିନ୍ତୁ ସେମାନେ ଏହି ନୀତିରେ କାମ କରୁଛନ୍ତି : ପ୍ରକ୍ରିୟା ହିଁ ଦଣ୍ଡ । ଏଥିରେ ବର୍ଷ ବର୍ଷ ଲାଗିଯିବ, ଆଉ ଓକିଲଙ୍କ ପାଉଣାରେ ବହୁ ଲକ୍ଷ ଟଙ୍କା ଏବଂ ଗଣମାଧ୍ୟମର କେତେକ ସ୍ୱତନ୍ତ୍ର ସ୍ୱର ପାଇଁ ଦେବାଳିଆପଣର ପ୍ରତିଶ୍ରୁତି ଦେବ । ଏମିତିକି ବଡ଼ ଗଣମାଧ୍ୟମ ସଂସ୍ଥାଙ୍କ ଭିତରେ ସେହି ବିରଳ ସ୍ୱାଧୀନ ସ୍ୱର -ଦୈନିକ ଭାସ୍କର – ଉପରେ ବି ଅଣ୍ଡରୱାର୍ଲଡ୍‌ ଆଡ୍ଡା ଭଳି ଛାପା ମରାଗଲା । ବାକି ବହୁତ ଭୟଭୀତ ବଡ଼ ଗଣମାଧ୍ୟମରେ ଏ ବାବଦରେ କୌଣସି ଆଲୋଚନା ହେଲା ନାହିଁ ।

ବୋଧହୁଏ, ସାର୍‌, ନ୍ୟାୟପାଳିକା ଆଇନର ଏହି ସଚେତ ଦୁରୁପଯୋଗକୁ ରୋକିବା ପାଇଁ କିଛି କରିପାରିବ ?

PHOTO • Shraddha Agarwal
PHOTO • Parth M.N.

କୌଣସି ମୁଖ୍ୟସ୍ରୋତ ଗଣମାଧ୍ୟମ ନିଜ ପାଠକ ବା ଦର୍ଶକଙ୍କୁ ଏକଥା କହିବେ କି ଦୁଇ ଜଣ କର୍ପୋରେଟ୍‌ ମହାରଥୀ, ଯାହାଙ୍କ ନାମ କୃଷକମାନେ ପ୍ରତି ସ୍ଲୋଗାନରେ ନିଅନ୍ତି – ସେହି ଦୁଇ ଜଣ ଭଦ୍ରବ୍ୟକ୍ତିଙ୍କର ସମ୍ପତ୍ତିର ମିଳିତ ମୂଲ୍ୟ ପଞ୍ଜାବ ବା ହରିୟାଣାର ମୋଟ ଘରୋଇ ଉତ୍ପାଦଠାରୁ ବହୁ ଗୁଣା ଅଧିକ ଥିଲା?

ନ୍ୟାୟପାଳିକା ନିକଟରେ ପ୍ରତ୍ୟାହୃତ କୃଷି ଆଇନ ପ୍ରସଙ୍ଗରେ ବି ନିଜକୁ ଅଲଗା କଲାନାହିଁ । ମୁଁ କେବେ ଆଇନର ଅଧ୍ୟୟନ କରିନାହିଁ, କିନ୍ତୁ ସର୍ବଦା ଏକଥା ବୁଝିଛି ଯେ ସବୁଠାରୁ ଶୀର୍ଷ ସମ୍ବିଧାନିକ ନ୍ୟାୟାଳୟର ଏକ ମହତ୍ୱପୂର୍ଣ୍ଣ କର୍ତ୍ତବ୍ୟ ହେଲା ଏମିତି ବିବାଦୀୟ ଆଇନର ସାମ୍ବିଧାନିକ ବୈଧତାର ସମୀକ୍ଷା କରିବା । ଏହା ବଦଳରେ ଅଦାଲତ ଏକ କମିଟିର ଗଠନ କଲେ, ତାକୁ କୃଷି ଆଇନ ସଂକଟର ସମାଧାନ ସହ ଏକ ରିପୋର୍ଟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଲେ-ଆଉ ସେବେଠାରୁ ସେହି ରିପୋର୍ଟ ଓ କମିଟି ଉଭୟକୁ ରହସ୍ୟ ମଧ୍ୟକୁ ଠେଲିଦିଆଗଲା ।

ଏଥିସହ, ଏହା କମିଟିର ମୃତ୍ୟୁ ସହ ଅନିର୍ବାଯ୍ୟ ଭାବେ ‘କମିଟି ଦ୍ୱାରା ମୃତ୍ୟୁ’ ଦଣ୍ଡକୁ ଯୋଡ଼ିଦେଲା ।

ପୁଣି, କୃଷି ଆଇନ ସମ୍ପର୍କରେ ‘ମୁଖ୍ୟସ୍ରୋତ’ ଗଣମାଧ୍ୟମରେ ହିତର ସଂଘର୍ଷ ଖୁବ୍‌ ବଡ଼ । ବ୍ୟକ୍ତିଗତ କର୍ପୋରେଟ୍‌ ନେତା ଯିଏ ଏହି ଆଇନରୁ ସର୍ବାଧିକ ଲାଭ ପାଇଥାନ୍ତେ , ସେ ମଧ୍ୟ ଦେଶରେ ସର୍ବବୃହତ୍‌ ଗଣମାଧ୍ୟମ ମାଲିକ । ଯେଉଁ ଗଣମାଧ୍ୟମ ତାଙ୍କ ମାଲିକାନାରେ ନାହିଁ, ସେଠାରେ ସେ ସର୍ବଦା ବଡ଼ ବିଜ୍ଞାପନଦାତା । ଏଥିପାଇଁ ଏହା ଆଶ୍ଚର୍ଯ୍ୟଜନକ ନ ଥିଲା ଯେ ‘ମୁଖ୍ୟସ୍ରୋତ’ ଗଣମାଧ୍ୟମ ନିଜ ସମ୍ପାଦକୀୟରେ ଆଇନ ସପକ୍ଷରେ ଦଲାଲ ଭାବେ କାର୍ଯ୍ୟ କରୁଥିବା ଦେଖାଗଲା ।

ସେମାନଙ୍କ ମଧ୍ୟରୁ କେହି ସେମାନଙ୍କ ପାଠକ ବା ଦର୍ଶକଙ୍କୁ କହିବେ କି ଯେ ଯେଉଁ ଦୁଇ କର୍ପୋରେଟ୍‌ ମହାରଥୀ ଯାହାଙ୍କ ବାବଦରେ ଚାଷୀମାନେ ନିଜର ପ୍ରତ୍ୟେକ ସ୍ଲୋଗାନ୍‌ରେ ନାରା ଦେଉଥିଲେ-ଯେ ସେହି ଦୁଇ ଭଦ୍ରବ୍ୟକ୍ତିଙ୍କ ମୋଟ ସମ୍ପତ୍ତିର ପରିମାଣ ପଞ୍ଜାବ ବା ହରିୟାଣା ରାଜ୍ୟର ମୋଟ ଘରୋଇ ଉତ୍ପାଦଠାରୁ ବହୁ ଗୁଣା ଅଧିକ? ଯେ ଫୋର୍ବସ୍‌ ପତ୍ରିକା ଅନୁସାରେ ସେମାନଙ୍କ ମଧ୍ୟରୁ ଜଣେ ଯେତିକି ବ୍ୟକ୍ତିଗତ ସମ୍ପତ୍ତି ଅର୍ଜନ କରିଥିଲେ, ତାହା ପଞ୍ଜାବ ରାଜ୍ୟର ମୋଟ ଘରୋଇ ଉତ୍ପାଦ ସହ ଟକ୍କର ଦେଉଥିଲା । ନିଶ୍ଚିତ ଭାବେ ଏହି ପ୍ରକାରର ସୂଚନାରୁ ସେମାନଙ୍କ ଦର୍ଶକଙ୍କୁ ଏକ ସୂଚିତ ମତରେ ପହଞ୍ଚିବାର ଭଲ ସୁଯୋଗ ମିଳନ୍ତା ।

ଏବେ ଖୁବ୍‌ କମ୍‌ ସାମ୍ବାଦିକ – ଆହୁରି କମ୍‌ ସଂଖ୍ୟକ ଗଣମାଧ୍ୟମ ସଂସ୍ଥା – ସେହି ପ୍ରକାରର ଅନୁସନ୍ଧାନମୂଳକ ସାମ୍ବାଦିକତା କରିବାର କ୍ଷମତା ରଖନ୍ତି, ଯେଉଁଥିପାଇଁ ଆପଣ ଆପଣଙ୍କ ଭାଷଣରେ ଉଦାସୀନ ଆକାଂକ୍ଷା ବ୍ୟକ୍ତ କରିଛନ୍ତି । ଏବେ ବି ବହୁତ କମ୍‌ ଲୋକ ଅଛନ୍ତି, ଯାହାକୁ ଆମେ ମାନବୀୟ ସ୍ଥିତିର ଯାଂଚ ବୋଲି କହନ୍ତି – କୋଟି କୋଟି ସାଧାରଣ ଭାରତୀୟଙ୍କ ସାମାଜିକ ଓ ଆର୍ଥିକ ସ୍ଥିତି ଉପରେ ରିପୋର୍ଟିଂ କରିବା । ମୁଁ ସେମାନଙ୍କ ମଧ୍ୟରୁ ଜଣେ ଭାବେ ଲେଖୁଛି ଯିଏ ୪୧ ବର୍ଷ ଧରି ସେହି ଧାରାରେ କାର୍ଯ୍ୟ ଜାରି ରଖିଛି ।

କିନ୍ତୁ କେତେକ ଏମିତି ବି ଅଛନ୍ତି ଯେଉଁମାନେ ମାନବୀୟ ସ୍ଥିତିର ଯାଂଚ କରନ୍ତି – ଆଉ ଏହାକୁ ସୁଧାରିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରନ୍ତି – ସେମାନେ ସାମ୍ବାଦିକ ନ ହୁଅନ୍ତୁ ନା କାହିଁକି । ସେହି ଅଣଲାଭକାରୀ ଏବଂ ନାଗରିକ ସାମାଜିକ ସଂଗଠନ ଯାହା ଉପରେ ଭାରତ ସରକାର ଯୁଦ୍ଧ ଘୋଷଣା କରିଛନ୍ତି । ଏଫ୍‌ସିଆର୍‌ଏ ରଦ୍ଦ , ଅଫିସ୍‌ ଉପରେ ଚଢ଼ାଉ, ଆକାଉଣ୍ଟ ବନ୍ଦ କରିଦିଆଯିବା, ଅର୍ଥ ଲଗାଣର ଅଭିଯୋଗ – ଯେତେବେଳ ଯାଏଁ ସେମାନେ ନିପାତ ଓ ଦେବାଳିଆ ହୋଇ ଯାଇନାହାନ୍ତି। ବିଶେଷ ଭାବେ ଜଳବାୟୁ ପରିବର୍ତ୍ତନ, ବାଳ ଶ୍ରମିକ, କୃଷି ଓ ମାନବାଧିକାର ପ୍ରସଙ୍ଗରେ କାର୍ଯ୍ୟ କରୁଥିବା ସମୂହ ଉପରେ ।

ତେଣୁ ଆମେ ସେଠାରେ ଅଛୁ ସାର୍‌, ଗଣମାଧ୍ୟମ ଦୟନୀୟ ସ୍ଥିତିରେ – କିନ୍ତୁ ଯେଉଁ ସଂସ୍ଥାନମାନେ ସେମାନଙ୍କୁ ରକ୍ଷା କରିବା କଥା, ସେମାନେ ବି ଏମିତି କରିବାରେ ବିଫଳ ହେଉଛନ୍ତି । ଆପଣଙ୍କ ଭାଷଣରେ ସେହି ସଂକ୍ଷିପ୍ତ କିନ୍ତୁ ବ୍ୟାବହାରିକ ଟିପ୍ପଣୀ ମୋତେ ଆପଣଙ୍କୁ ଏହି ଚିଠି ଲେଖିବାକୁ ପ୍ରେରଣା ଦେଲା। ଏକଥା ନିଃସନ୍ଦେହ ଯେ ଗଣମାଧ୍ୟମକୁ ଉନ୍ନତ କରିବାର ଆବଶ୍ୟକତା ଅଛି । ମୁଁ ପରାମର୍ଶ ଦେଇପାରିବି କି ଯେ ନ୍ୟାୟପାଳିକା ଏହାକୁ ଉନ୍ନତ କରିବାରେ ସାହାଯ୍ୟ କରିପାରେ – କିନ୍ତୁ ନିଜକୁ ଉନ୍ନତ କରିବାର ବି ଆବଶ୍ୟକତା ରହିଛି ? ମୁଁ ବିଶ୍ୱାସ କରୁଛି ଯେ ସିଦ୍ଦିକି କପ୍ପନ ଜେଲ୍‌ରେ ରହୁଥିବା ପ୍ରତ୍ୟେକ ଅତିରିକ୍ତ ଦିନ ସହ ଆମର ସଂସ୍ଥାନ ଓ ଆମ ସମସ୍ତଙ୍କର କଠୋରତାର ସହ ମୂଲ୍ୟାୟନ କରାଯିବ ।

ଆଦରତାର ସହିତ ଆପଣଙ୍କର,
ପି. ସାଇନାଥ

ପରିପଲବ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଚିତ୍ରିତ : ସୌଜନ୍ୟ, ଦି ୱାୟାର ।

ଏହି ଆଲ୍ଲେଖ୍ୟ ପ୍ରଥମେ ଦି ୱାୟାରରେ ପ୍ରକାଶିତ ହୋଇଥିଲା

ଅନୁବାଦ : ଓଡ଼ିଶାଲାଇଭ୍‍

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE