ପାଞ୍ଚ ଦିନ, ୨୦୦ କିଲୋମିଟର ଏବଂ ୨୭,୦୦୦ ଟଙ୍କା-ମହାରାଷ୍ଟ୍ରର ବିଡ ଜିଲ୍ଲାରେ ରେମଡେସିଭିର ଇଞ୍ଜେକ୍ସନ ସନ୍ଧାନରେ ରବି ବୋବଡେଙ୍କୁ ବ୍ୟତିବ୍ୟସ୍ତ ହୋଇ ଏତିକି ଖର୍ଚ୍ଚ କରିବାକୁ ପଡ଼ିଥିଲା।

ଚଳିତ ବର୍ଷ ଏପ୍ରିଲ ଶେଷ ସପ୍ତାହରେ ତାଙ୍କର ମାତାପିତାଙ୍କଠାରେ କୋଭିଡ-୧୯ର ଲକ୍ଷଣ ଦେଖାଯିବା ପରେ ଏସବୁ ଆରମ୍ଭ ହୋଇଥିଲା। “ସେମାନଙ୍କର ଖୁବଜୋରରେ କାଶ ହୋଇଥିଲା ଏବଂ ଛାତିରେ ଯନ୍ତ୍ରଣା ସହିତ ସେମାନେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ”, ୨୫ ବର୍ଷୀୟ ରବି ବିଡ୍‌ର ନିମଗାଓଁ ଗ୍ରାମରେ ଥିବା ନିଜର ସାତ ଏକର ଚାଷ ଜମିରେ ଚାଲି ଚାଲି ଯାଉଥିବା ସମୟରେ ଦୁଃଖଦ ଦିନଗୁଡ଼ିକୁ ସ୍ମରଣ କରି କହିଥିଲେ। “ତେଣୁ ମୁଁ ସେମାନଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାକୁ ନେଇଗଲି।”

ଡାକ୍ତର ତୁରନ୍ତ ରେମଡେସିଭିର ପାଇଁ ଲେଖିଦେଲେ-ଏହା କୋଭିଡ-୧୯ ଚିକିତ୍ସା ପାଇଁ ଏକ ଆଣ୍ଟି ଭାଇରାଲ ଔଷଧ ଥିଲା-ବିଡ୍‌ରେ ଏହାର ଅଭାବୀ ଯୋଗାଣ ରହିଥିଲା। “ମୁଁ ପାଞ୍ଚଦିନ ପର୍ଯ୍ୟନ୍ତ ଏଣେତେଣେ ଦୌଡ଼ିଲି”, ରବି କୁହନ୍ତି। “ମୋ ହାତରେ ସମୟ ନଥିଲା ଏବଂ କ’ଣ କରିବାକୁ ହେବ ମୁଁ ଜାଣିନଥିଲି। ତେଣୁ ମୁଁ ଏକ ଆମ୍ବୁଲାନ୍ସ ଭଡ଼ାରେ ଆଣିଲି ଏବଂ ମୋର ମାତାପିତାଙ୍କୁ ସୋଲାପୁରର ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କଲି।” ଯାତ୍ରା କାଳରେ ସେ ଆଶଙ୍କା ମଧ୍ୟରେ ରହିଥିଲେ। “ଆମ୍ବୁଲାନ୍ସରେ ସେହି ଚାରି ଘଣ୍ଟାକୁ ମୁଁ ଜୀବନରେ କେବେ ବି ଭୁଲିପାରିବି ନାହିଁ।”

ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କ ପିତାମାତା-ଅର୍ଜୁନ(୫୫) ଏବଂ ଗୀତା (୪୮)ଙ୍କୁ ସୋଲାପୁର ସହରକୁ ନେଇଯିବା ଲାଗି ୨୭,୦୦୦ ଟଙ୍କା ଦାବି କରିଥିଲା। ଏ ସହର ମାଜାଲଗାଓଁ ତାଲୁକାରେ ଥିବା ସେମାନଙ୍କ ଗ୍ରାମଠାରୁ ୨୦୦ କିଲୋମିଟର ଦୂରରେ ଥିଲା। “ସୋଲାପୁରରେ ମୋର ଜଣେ ଦୂରସମ୍ପର୍କୀୟ ଡାକ୍ତର ଅଛନ୍ତି”, ରବି ବିସ୍ତୃତ ଭାବେ କହିଥିଲେ। “ସେ ଇଞ୍ଜେକ୍ସନ ଯୋଗାଡ଼ କରିଦେବେ ବୋଲି ମୋତେ ପ୍ରତିଶ୍ରୁତି ଦେଇଥିଲେ। ସାରା ବିଡରେ ଲୋକମାନେ ଇଞ୍ଜେକ୍ସନ ପାଇବା ଲାଗି ସଂଘର୍ଷ କରୁଥିଲେ।”

ମୂଳତଃ ଇବୋଲା ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ରେମଡେସିଭିର, ମହାମାରୀର ପ୍ରାରମ୍ଭିକ ସମୟରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଭାବୀ ସାବ୍ୟସ୍ତ ହୋଇଥିଲା। ତେବେ, ନଭେମ୍ବର ୨୦୨୦ରେ ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନ ରେମଡେସିଭିରର ବ୍ୟବହାର ଉପରେ ଏକ “ ସର୍ତ୍ତମୂଳକ ସୁପାରିସ ” ଜାରି କରିଥିଲା। ଡବ୍ଲୁଏଚଓ ପକ୍ଷରୁ କୁହାଯାଇଥିଲା ଯେ ରୋଗର ଗମ୍ଭୀରତା ନିର୍ବିଶେଷରେ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧ ଜୀବନ ରକ୍ଷାକାରୀ ଏବଂ ଅନ୍ୟ ଫଳାଫଳରେ ସୁଧାର ଆଣୁଥିବାର କୌଣସି ପ୍ରମାଣ ନାହିଁ।

କିନ୍ତୁ ଏହି ଆଣ୍ଟିଭାଇରାଲ ଔଷଧକୁ ଚିକିତ୍ସା ମାର୍ଗଦର୍ଶିକାରେ ଆଉ ସାମିଲ କରାଯାଇନାହିଁ, ତେବେ ଏହାକୁ ନିଷିଦ୍ଧ ମଧ୍ୟ କରାଯାଇନାହିଁ ବୋଲି କୁହନ୍ତି, ଭାରତୀୟ ଚିକିତ୍ସକ ସଂଘର ମହାରାଷ୍ଟ୍ର ଚାପ୍ଟରର ପୂର୍ବତନ ସଭାପତି ଡା. ଅବିନାଶ ଭୋଣ୍ଡୱେ । “ପୂର୍ବ କରୋନା ଭୂତାଣୁ ସଂକ୍ରମଣ (ସାର୍ସ-କୋଭ-୧) ଚିକିତ୍ସା ପାଇଁ ରେମଡେସିଭିର ବ୍ୟବହାର କରାଯାଉଥିଲା, ଏବଂ ଏହା ପ୍ରଭାବଶାଳୀ ବୋଲି ଜଣାପଡିଥିଲା,ଏହି କାରଣରୁ ଆମେ ନୂଆ କରୋନା ଭୂତାଣୁ ରୋଗ (ସାର୍ସ-କୋଭ-୨ ବା କୋଭିଡ-୧୯) ଭାରତରେ ପ୍ରଥମେ ଦେଖାଯିବା ପରେ ଆମେ ଏହାକୁ ବ୍ୟବହାର କରିବା ଆରମ୍ଭ କରିଥିଲୁ।”

The farm in Harki Nimgaon village, where Ravi Bobde (right) cultivated cotton, soyabean and tur with his late father
PHOTO • Parth M.N.
The farm in Harki Nimgaon village, where Ravi Bobde (right) cultivated cotton, soyabean and tur with his late father
PHOTO • Parth M.N.

ହରକି ନିମଗାଓଁ ଗ୍ରାମରେ ଥିବା ଚାଷ ଜମି, ଏଠାରେ ରବି ନିଜର ଦିବଙ୍ଗତ ପିତାଙ୍କ ସହିତ କପା, ସୋୟାବିନ ଓ ହରଡ଼ ଚାଷ କରୁଥିଲେ।

ଏହି ଔଷଧର ଗୋଟିଏ କୋର୍ସରେ ପାଞ୍ଚ ଦିନର ଅବଧି ଲାଗି ଛଅଟି ଇଞ୍ଜେକ୍ସନ ସାମିଲ ରହିଛି। “କୋଭିଡ-୧୯ ସଂକ୍ରମଣର ପ୍ରାରମ୍ଭିକ ଦିନରେ ଉପଯୋଗ କରାଗଲେ, ରେମଡେସିଭିର ଶରୀରରେ ଭୂତାଣୁର ଅଧିକ ସଂକ୍ରମଣକୁ ଅଟକାଇ ଦେଇଥାଏ ଏବଂ ଏହା ପ୍ରଭାବୀ ହୋଇପାରେ”, ଡାକ୍ତର ଭୋଣ୍ଡୱେ ବିସ୍ତୃତ ଭାବେ କହିଥିଲେ।

ତେବେ, ଯେତେବେଳେ ସଂକ୍ରମଣ ବୃଦ୍ଧି ପାଇଲା, କଟକଣା ଏବଂ ଔଷଧର ଅଭାବ କାରଣରୁ ବିଡ୍‌ରେ କୋଭିଡ ରୋଗୀଙ୍କ ପାଇଁ ଏହି ଔଷଧର ଘୋର ଅଭାବ ଦେଖାଦେଲା। ରାଜ୍ୟ ସରକାର ଏବଂ ପ୍ରିୟା ଏଜେନ୍ସି ନାମକ ଏକ ଘରୋଇ ଫାର୍ମରୁ ଜିଲ୍ଲାକୁ ଏହି ଔଷଧ ଯୋଗାଣ କରାଯାଉଥିଲା। “ଯେତେବେଳେ ଜଣେ ଡାକ୍ତର ରେମଡେସିଭିର ପାଇଁ ସୁପାରିସ କରିଥାନ୍ତି, ରୋଗୀଙ୍କ ସମ୍ପର୍କୀୟଙ୍କୁ ଏକ ଫର୍ମ ପୂରଣ କରିବାକୁ ହୋଇଥାଏ ଏବଂ ଏହାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିବାକୁ ହୋଇଥାଏ ବୋଲି କୁହନ୍ତି, ଜଣେ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ରାଧାକୃଷ୍ଣ ପାୱାର। “ଯୋଗାଣ ଉପରେ ନିର୍ଭର କରି ଜିଲ୍ଲା ପ୍ରଶାସନ ଏକ ତାଲିକା ପ୍ରସ୍ତୁତ କରିଥାଏ ଏବଂ ସମ୍ପୃକ୍ତ ରୋଗୀଙ୍କୁ ରେମଡେସିଭିର ଯୋଗାଇ ଦିଆଯାଇଥାଏ। ଏପ୍ରିଲ ଓ ମେ ମାସରେ ଏହାର ଯୋଗାଣରେ ଅଭାବ ଦେଖାଦେଇଥିଲା।

ବିଡ ଜିଲ୍ଲାପାଳ ରବୀନ୍ଦ୍ର ଜଗତପଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ରେମଡେସିଭିରର ଚାହିଦା ଓ ଯୋଗାଣରେ ଆକାଶପାତାଳ ତଫାତ ରହିଥିଲା। ଚଳିତ ବର୍ଷ ଏପ୍ରିଲ ୨୩ରୁ ମେ ୧୨ ମଧ୍ୟରେ-ଦେଶରେ କୋଭିଡ ସଂକ୍ରମଣର ଦ୍ୱିତୀୟ ଲହରୀ ଶୀର୍ଷ ଛୁଇଁଥିଲା-ଏହି ସମୟରେ ଜିଲ୍ଲାରେ ୩୮,୦୦୦ ରେମଡେସିଭିରର ଆବଶ୍ୟକତା ପଡ଼ିଥିଲା। ତେବେ, ମାତ୍ର ୫,୭୨୦ ଉପଲବ୍ଧ ଥିଲା, ଯାହାକି ଆବଶ୍ୟକତାର ମାତ୍ର ୧୫ ପ୍ରତିଶତ।

ଅଭାବ କାରଣରୁ ବିଡ୍‌ରେ ରେମଡିସିଭରର ବ୍ୟାପକ କଳାବଜାର ହୋଇଥିଲା। ଗୋଟିଏ ଶିଶି ଇଞ୍ଜେକ୍ସନ ମୂଲ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ୧,୪୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଥିବା ବେଳେ କଳାବଜାରରେ ଏହା ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଟପିଯାଇଥିଲା-ଯାହାକି ଏହାକୁ ୩୫ ଗୁଣା ଅଧିକ ମୂଲ୍ୟବାନ କରି ଦେଇଥିଲା।

ବିଡ ତାଲୁକାର ପାଣ୍ଢାର୍ଯ୍ୟାଚିୱାଡି ଗ୍ରାମରେ ୪ ଏକର ଚାଷ ଜମି ଥିବା ଜଣେ ଚାଷୀ ସୁନୀତା ମାଗାର, ଏହାଠାରୁ ସାମାନ୍ୟ କମ୍‍ ଅର୍ଥ ଖର୍ଚ୍ଚ କରିଥିଲେ। ଏପ୍ରିଲ ତୃତୀୟ ସପ୍ତାହରେ ତାଙ୍କର ୪୦ ବର୍ଷୀୟ ସ୍ଵାମୀ କୋଭିଡ-୧୯ରେ ସଂକ୍ରମିତ ହୋଇଥିବା ବେଳେ ସୁନୀତା ଗୋଟିଏ ଶିଶି ରେମଡେସିଭିର କିଣିବା ଲାଗି ୨୫,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ।  କିନ୍ତୁ ତାଙ୍କର ୬ଟି ଶିଶି ଦରକାର ଥିଲା ଏବଂ ଆଇନଗତ ଭାବେ ସେ ଗୋଟିଏ କିଣିବା ଲାଗି ସକ୍ଷମ ହୋଇଥିଲେ। “ମୁଁ କେବଳ ଇଞ୍ଜେକ୍ସନ ଉପରେ ୧.୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲି”, ସେ କୁହନ୍ତି।

Sunita Magar and her home in Pandharyachiwadi village. She borrowed money to buy remdesivir vials from the black market for her husband's treatment
PHOTO • Parth M.N.
Sunita Magar and her home in Pandharyachiwadi village. She borrowed money to buy remdesivir vials from the black market for her husband's treatment
PHOTO • Parth M.N.

ସୁନୀତା ମାଗାର ଓ ପାଣ୍ଢାର୍ଯ୍ୟାଚିୱାଡି ଗ୍ରାମରେ ଥିବା ତାଙ୍କ ଘର। ସେ ତାଙ୍କ ସ୍ଵାମୀଙ୍କ ଚିକିତ୍ସା ଲାଗି କଳାବଜାରରୁ ରେମଡେସିଭିର କିଣିବା ଲାଗି ଟଙ୍କା ଉଧାର ଆଣିଥିଲେ।

ସୁନୀତା (୩୭) ନିଜର ଇଞ୍ଜେକ୍ସନ ଆବଶ୍ୟକତା ସମ୍ପର୍କରେ ଯେତେବେଳେ ପ୍ରଶାସନ ପାଖରେ ଆବେଦନ କଲେ, ତାଙ୍କୁ କୁହାଗଲା ଯେ ଉପଲବ୍ଧ ହେଲେ ତାଙ୍କୁ ଯୋଗାଇ ଦିଆଯିବ। “ଆମେ ୩-୪ ଦିନ ପର୍ଯ୍ୟନ୍ତ ଅପେକ୍ଷା କଲୁ କିନ୍ତୁ କୌଣସି ଷ୍ଟକ ନଥିଲା। ଆମେ ଅଧିକ ଦିନ ପାଇଁ ଅପେକ୍ଷା କରିପାରିନଥାନ୍ତୁ”, ସେ କୁହନ୍ତି। “ରୋଗୀଙ୍କୁ ଠିକ ସମୟରେ ଚିକିତ୍ସା କରାଯିବାର ଆବଶ୍ୟକତା ରହିଥିଲା। ତେଣୁ ଆମର ଯାହା କରିବାର ଥିଲା କଲୁ।”

ରେମଡେସିଭିର ଖୋଜିବା ଏବଂ ଶେଷରେ କଳାବଜାରରୁ ଏହାକୁ କିଣିବାରେ ସମୟ ବିତିଯିବାରୁ ଭରତ ଦୁଇ ସପ୍ତାହ ପରେ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। “ମୁଁ ବନ୍ଧୁବାନ୍ଧବଙ୍କଠାରୁ ଟଙ୍କା ଉଧାର କରି ଆଣିଥିଲି”, ସୁନୀତା କୁହନ୍ତି। “ପାଖାପାଖି ୧୦ ଜଣ ମୋତେ ସହାୟତା କରିବା ଲାଗି ୧୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ। ମୁଁ ଟଙ୍କା ଓ ମୋ ସ୍ଵାମୀଙ୍କୁ ମଧ୍ୟ ହରାଇଲି। ମୋ ଭଳି ଲୋକମାନେ ଔଷଧ ପାଇବା ଲାଗି ମଧ୍ୟ ସକ୍ଷମ ହୁଅନ୍ତି ନାହିଁ। ଯଦି ଆପଣଙ୍କ ପାଖରେ ଟଙ୍କା କିମ୍ବା ଚିହ୍ନାଜଣା ଅଛି ତା’ହେଲେ ଆପଣ ନିଜ ପ୍ରିୟଜନମାନଙ୍କ ଜୀବନ ବଞ୍ଚାଇପାରିବେ।”

ରେମଡେସିଭିର ସନ୍ଧାନ ବିଡ୍‌ରେ ସୁନୀତାଙ୍କ ଭଳି ଅନେକ ପରିବାରକୁ ବରବାଦ କରି ଦେଇଛି। “ମୋ ପୁଅକୁ ପାଠପଢ଼ା ସହିତ ମୋତେ ଚାଷ କାମରେ ସାହାଯ୍ୟ କରିବାକୁ ହେବ”, ସେ କୁହନ୍ତି। ସେ ଆହୁରି କୁହନ୍ତି ଯେ ଋଣ ପରିଶୋଧ କରିବା ଲାଗି, ତାଙ୍କୁ ଅନ୍ୟମାନଙ୍କ କ୍ଷେତରେ ମଧ୍ୟ କାମ କରିବାକୁ ହେବ। “ମାତ୍ର କିଛି ଦିନ ମଧ୍ୟରେ ଆମ ଜୀବନ ଉପରୁ ତଳକୁ ଖସିଗଲା। କ’ଣ କରିବାକୁ ହେବ ମୁଁ ଜାଣିନାହିଁ। ଏଠାରେ ଅଧିକ କାମର ସୁଯୋଗ ନାହିଁ।”

ବେରୋଜଗାରୀ ଏବଂ ଦାରିଦ୍ର୍ୟ ବିଡ୍‌ର ବହୁସଂଖ୍ୟକ ଚାଷୀ ଓ କୃଷି ଶ୍ରମିକମାନଙ୍କୁ କାମ ସନ୍ଧାନରେ ବଡ଼ ବଡ଼ ସହରକୁ ପଳାୟନ କରିବାକୁ ବାଧ୍ୟ କରିଥାଏ।  ଏ ଜିଲ୍ଲା ମହାରାଷ୍ଟ୍ରର ମରାଠୱାଡ଼ା ଅଞ୍ଚଳରେ ଆସିଥାଏ। ମହାରାଷ୍ଟ୍ରର ସର୍ବାଧିକ ଚାଷୀ ଆତ୍ମହତ୍ୟା ଏହି ଜିଲ୍ଲାରେ ଦେଖିବାକୁ ମିଳିଥାଏ। ଏଠାରେ ବର୍ତ୍ତମାନ ସୁଦ୍ଧା ଏଠାରେ ୯୪,୦୦୦ରୁ ଅଧିକ କୋଭିଡ-୧୯ ସଂକ୍ରମଣ ଓ ୨୫୦୦ମୃତ୍ୟୁ ଘଟି ସାରିଲାଣି। ଜଳବାୟୁ ପରିବର୍ତ୍ତନ, ଜଳାଭାବ ଭଳି ସମସ୍ୟା ଏବଂ କୃଷି ମାନ୍ଦାବସ୍ଥା କାରଣରୁ ଜିଲ୍ଲାର ଲୋକମାନେ ବେଆଇନ ଭାବେ ରେମଡେସିଭିର କିଣିବା ନିମନ୍ତେ ଅଧିକ ଟଙ୍କା ଋଣ କରିବାକୁ ବାଧ୍ୟ ହୋଇଥିଲେ, ଯାହା ସେମାନଙ୍କୁ ଅଧିକ ଋଣଗ୍ରସ୍ତ କରି ପକାଇଥିଲା।

ରାଜ୍ୟ ସରକାରଙ୍କର ଦୂରଦୃଷ୍ଟି ଅଭାବ କାରଣରୁ ରେମଡେସିଭିରର ବେଆଇନ କାରବାର ହୋଇଥିଲା ବୋଲି ଡାକ୍ତର ଭୋଣ୍ଡୱେ କହିଥାନ୍ତି। “ଦ୍ୱିତୀୟ ଲହରୀ ସମୟରେ ଆମେ କୋଭିଡ-୧୯ର ସଂକ୍ରମଣରେ ବୃଦ୍ଧି ଦେଖିପାରିଲୁ। ଏପ୍ରିଲରେ, ଦୈନିକ (ରାଜ୍ୟରେ) ପାଖାପାଖି ୬୦,୦୦୦ ମାମଲା ଚିହ୍ନଟ କରାଯାଉଥିଲା।”

Left: Sunita says that from now on her young son will have to help her with farm work. Right: Ravi has taken on his father's share of the work at the farm
PHOTO • Parth M.N.
Left: Sunita says that from now on her young son will have to help her with farm work. Right: Ravi has taken on his father's share of the work at the farm
PHOTO • Parth M.N.

ବାମ : ସୁନୀତା କୁହନ୍ତି ଯେ ଏବେଠାରୁ ତାଙ୍କର ଛୋଟ ପୁଅକୁ ତାଙ୍କୁ ଚାଷ କାମରେ ସାହାଯ୍ୟ କରିବାକୁ ହେବ। ଡାହାଣ : ଜମିରେ ରବିଙ୍କୁ ତାଙ୍କ ପିତାଙ୍କ ଭାଗର କାମ କରିବାକୁ ହେବ।

ଡାକ୍ତର କୁହନ୍ତି, ହାରାହାରୀ, ୧୦ ପ୍ରତିଶତ କୋଭିଡ ସଂକ୍ରମିତ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିଥାଏ। “ସେମାନଙ୍କ ମଧ୍ୟରୁ, ୫-୭ ପ୍ରତିଶତଙ୍କର ରେମଡେସିଭିର ଆବଶ୍ୟକ ପଡ଼ିଥାଏ।” କର୍ତ୍ତୃପକ୍ଷ ଏହି ଆବଶ୍ୟକତାକୁ ଆକଳନ କରି ଔଷଧ ମହଜୁଦ କରି ରଖିବାର ଆବଶ୍ୟକତା ରହିଥିଲା ବୋଲି ଡାକ୍ତର ଭୋଣ୍ଡୱେ କୁହନ୍ତି। “ଅଭାବ କାରଣରୁ କଳାବଜାର ହେଲା। କ୍ରୋସିନର କଳାବଜାର ହେଉଥିବା ଆପଣ କେବେ ଦେଖିବାକୁ ପାଇବେ ନାହିଁ।”

ରେମଡେସିଭିର ଶିଶି ତାଙ୍କୁ କିଏ ଦେଇଥିଲା ସେ ସମ୍ପର୍କରେ କିଛି କହିବା ଲାଗି ସୁନୀତା ରାଜି ହୋଇନଥିଲେ। ସେ କୁହନ୍ତି : “ଆବଶ୍ୟକତା ସମୟରେ ସେ ମୋର ସହାୟତା କରିଥିଲେ। ମୁଁ ତାଙ୍କ ସହିତ ବିଶ୍ୱାସଘାତକତା କରିବି ନାହିଁ।”

ମାଜାଲଗାଓଁର ଏକ ଘରୋଇ ଡାକ୍ତରଖାନାର ଜଣେ ଡାକ୍ତର ନିଜ ପରିଚୟ ଗୋପନ ରଖି, କଳାବଜାରକୁ ଔଷଧ କିପରି ଗଲା ସେ ସମ୍ପର୍କରେ ସୂଚନା ଦିଅନ୍ତି : “ଇଞ୍ଜେକ୍ସନ ମାଗିଥିବା ରୋଗୀଙ୍କ ତାଲିକା ପ୍ରଶାସନ ନିକଟରେ ରହିଛି। କେତେକ ମାମଲାରେ, ଔଷଧ ପହଞ୍ଚିବା ଲାଗି ଗୋଟିଏ ସମୟରୁ ଅଧିକ ଦିନ ଲାଗିଥାଏ। ଏହି ସମୟରେ, ରୋଗୀ ସୁସ୍ଥ ହୋଇଯାଇଥାଏ କିମ୍ବା ମୃତ୍ୟୁବରଣ କରିଥାଏ। ତେଣୁ ସମ୍ପର୍କୀୟମାନେ ଆଉ ସେ ସମ୍ପର୍କରେ ଅନୁସନ୍ଧାନ କରିନଥାନ୍ତି। ତା’ହେଲେ ସେ ଇଞ୍ଜେକ୍ସନ କୁଆଡ଼େ ଯାଇଥାଏ?

ତେବେ, ଜିଲ୍ଲାପାଳ ଜଗତପ କୁହନ୍ତି ବିଡ୍‌ ଜିଲ୍ଲାରେ ଔଷଧର ବ୍ୟାପକ କଳାବଜାର ହେଉଥିବା ସମ୍ପର୍କରେ ସେ ଅବଗତ ନାହାନ୍ତି।

ବିଡ ସହରରେ ଦୈନିକ କାର୍ଯ୍ୟାରମ୍ଭ ସମ୍ବାଦପତ୍ରରେ କାମ କରୁଥିବା ବାଲାଜି ମାରଗୁଡ଼େ କୁହନ୍ତି କଳାବଜାରରୁ ବେଆଇନ ଔଷଧ କିଣୁଥିବା ଅଧିକାଂଶ ଲୋକଙ୍କର ରାଜନୈତିକ ସମ୍ପର୍କ ରହିଥାଏ। “ଭିନ୍ନ ଭିନ୍ନ ଦଳର ସ୍ଥାନୀୟ ନେତା, କିମ୍ବା ସେମାନଙ୍କ ସହ ସମ୍ପର୍କ ଥିବା ଲୋକମାନେ, ଏହା ପାଇଥାନ୍ତି,” ସେ କୁହନ୍ତି। “ମୁଁ କଥା ହୋଇଥିବା ପ୍ରାୟ ଅଧିକାଂଶ ଲୋକ ଏହା କହିଥିଲେ, କିନ୍ତୁ ସେମାନେ ବିଶେଷ ବିବରଣୀ ଦେଇନଥିଲେ, କାରଣ ସେମାନେ ଭୟଭୀତ ଥିଲେ। ଲୋକମାନେ ଟଙ୍କା ଉଧାର ନେଇଥିଲେ ମଧ୍ୟ ସେମାନେ ଏହାକୁ ପରିଶୋଧ କରିପାରିବେ ନାହିଁ। ସେମାନେ ନିଜର ଜମି ଓ ଗହଣା ବିକ୍ରି କରିଛନ୍ତି। ରେମଡେସିଭିର ପାଇଁ ଅପେକ୍ଷା କରି ବହୁ ଲୋକ ପ୍ରାଣ ହରାଇଛନ୍ତି।”

ଡାକ୍ତର ଭୋଣ୍ଡୱେ କୁହନ୍ତି, କରୋନା ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ସ୍ତରରେ ରୋଗୀର ବ୍ଲଡ ଅକ୍ସିଜେନ ସ୍ତର ହ୍ରାସ ପାଇବା ପୂର୍ବରୁ ରେମଡିସିଭିର ପ୍ରଭାବୀ ସାବ୍ୟସ୍ତ ହୋଇଥାଏ। “ଭାରତରେ ଏହା କେତେକ କ୍ଷେତ୍ରରେ କାର୍ଯ୍ୟ କରିନଥିଲା କାରଣ ଅଧିକାଂଶ ରୋଗୀ ଗୁରୁତର ହୋଇପଡ଼ିବା ପରେ ଡାକ୍ତରଖାନାକୁ ଆସିଥିଲେ।”

ସମ୍ଭବତଃ ରବି ବୋବଡେଙ୍କ ମାତାପିତାଙ୍କ ସହିତ ଏହା ଘଟିଥିଲା।

Ravi is trying to get used to his parents' absence
PHOTO • Parth M.N.

ମାତାପିତାଙ୍କ ଅନୁପସ୍ଥିତିରେ ବଞ୍ଚିବା ଶିଖିବା ଲାଗି ରବି ଚେଷ୍ଟା କରୁଛନ୍ତି।

ରେମଡେସିଭିର ଅଭାବ କାରଣରୁ ବିଡରେ ଏହାର ବ୍ୟାପକ କଳାବଜାର ହୋଇଥିଲା। ଇଞ୍ଜେକ୍ସନର ମୂଲ୍ୟ ରାଜ୍ୟ ସରକାରଙ୍କ ଠାରୁ ପ୍ରତି ଶିଶି ୧,୪୦୦ ଟଙ୍କା ରଖାଯାଇଥିବା ବେଳେ କଳବାଜାରରେ ଏହା ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଚଢ଼ା ଦରରେ ବିକ୍ରି ହୋଇଥିଲା।”

ଆମ୍ବୁଲାନ୍ସ ସେମାନଙ୍କୁ ସୋଲାପୁର ନେଇ ଯିବା ପରେ, ଅର୍ଜୁନ ଓ ଗୀତା ବୋବଡେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଆରପାରିକୁ ଚାଲିଗଲେ। “ଚାରି ଘଣ୍ଟାର ଯାତ୍ରା ସେମାନଙ୍କର ସ୍ଥିତିକୁ ଗମ୍ଭୀର କରି ଦେଇଥିଲା। ରାସ୍ତାଗୁଡ଼ିକ ଭଲ ନଥିଲା, ତେଣୁ ଏହା ନିଶ୍ଚିତ ଭାବେ ସେମାନଙ୍କ ଉପରେ ଖରାପ ପ୍ରଭାବ ପକାଇଲା”, ରବି କୁହନ୍ତି। “କିନ୍ତୁ ମୋ ପାଖରେ ଆଉ କିଛି କରିପାରିବାର ବିକଳ୍ପ ନଥିଲା। ବିଡରେ ରେମଡେସିଭିର ପାଇବା ଲାଗି ମୁଁ ପାଞ୍ଚ ଦିନ ପର୍ଯ୍ୟନ୍ତ ଅପେକ୍ଷା କଲି।

ମାତାପିତା ଆରପାରିକୁ ଚାଲିଯିବା ପରେ, ହର୍କି ନିମଗାଓଁରେ ରବି ବର୍ତ୍ତମାନ ତାଙ୍କ ଘରେ ଏକାକୀ ରହୁଛନ୍ତି। ତାଙ୍କ ବଡ଼ ଭାଇ, ଜଲିନ୍ଦର, ଏଠାରୁ ୧୨୦ କିମି ଦୂର ଜଲନାରେ ରହି କାମ କରୁଛନ୍ତି। “ମୋତେ ଏକୁଟିଆ ଲାଗୁଛି”, ରବି କୁହନ୍ତି। “ମୋ ଭାଇ ଆସି ମୋ ସହିତ ରହିପାରିବେ କିନ୍ତୁ ତାଙ୍କର ଏକ ଚାକିରି ଅଛି। ତାଙ୍କୁ ଜଲନା ଫେରିଯିବାକୁ ହେବ ଏବଂ ମୋତେ ଏକାକୀ ରହିବାକୁ ହେବ।”

ରବି ଚାଷ କାମରେ ତାଙ୍କ ବାପାଙ୍କୁ ସାହାଯ୍ୟ କରିଥାନ୍ତି, ଜମିରେ ସେମାନେ କପା, ସୋୟାବିନ ଓ ହରଡ଼ ଡାଲି ଚାଷ କରିଥାନ୍ତି। “ସେ ଅଧିକାଂଶ କାମ କରିଥାନ୍ତି, ମୁଁ କେବଳ ତାଙ୍କୁ ସହାୟତା କରିଥାଏ”, ଘରେ ତାଙ୍କ ଖଟ ଉପରେ ମନ ଦୁଃଖରେ ବସିଥିବା ରବି କୁହନ୍ତି। ତାଙ୍କ ଆଖିରେ ଏକ ପ୍ରକାର ଭୟ ଥିବା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଖୁବଶୀଘ୍ର ତାଙ୍କ ଉପରକୁ ଅନେକଗୁଡ଼ିଏ ଦାୟିତ୍ୱ ଚାଲି ଆସିଥିଲା। “ମୋ ବାପା ମୋର ନେତା ଥିଲେ। ମୁଁ ତାଙ୍କୁ ଅନୁସରଣ କରୁଥିଲି।”

ଚାଷ ଜମିରେ, ଅର୍ଜୁନ ଫସଲ ବୁଣିବା ଭଳି କାମ କରୁଥିଲେ ଯାହାପାଇଁ ଅଧିକ କୌଶଳର ଆବଶ୍ୟକତା ରହିଛି, କିନ୍ତୁ ରବି ଶ୍ରମ ସଂକ୍ରାନ୍ତ କାର୍ଯ୍ୟ କରୁଥିଲେ। କିନ୍ତୁ ଚଳିତ ବର୍ଷ ବୁଣା ଋତୁ ଜୁନ ମଧ୍ୟ ଭାଗରେ ଆରମ୍ଭ ହୋଇଥିଲା, ରବିଙ୍କୁ ତାଙ୍କ ପିତାଙ୍କ କାମର ଦାୟିତ୍ୱ ନିର୍ବାହ କରିବାକୁ ପଡ଼ିଥିଲା। ଏହା ତାଙ୍କ ପାଇଁ ଅତି କଷ୍ଟକର କାମ ଥିଲା-କାରଣ ଅନୁସରଣ କରିବା ଲାଗି ତାଙ୍କ ପାଖରେ ଜଣେ ନେତା ନଥିଲେ।

ପଛକୁ ଫେରି ଚାହିଁଲେ, ରେମଡେସିଭିରର ସନ୍ଧାନରେ ରବି ଯେପରି ଭାବେ ବ୍ୟାକୁଳ ହୋଇ ପାଞ୍ଚ ଦିନ, ୨୦୦ କିଲୋମିଟର ଏବଂ ୨୭,୦୦୦ ଟଙ୍କା ଖର୍ଚ୍ଚ କରିବା ପରେ ସେ ଯାହା ହରାଇଲେ ତାକୁ ସେ ଜୀବନରେ କେବେ ବି ଭୁଲିପାରିବେ ନାହିଁ।

ଅନୁବାଦ: ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE