ଏହା ଏକ ଛୋଟ, ଦୁଃସ୍ଥ ଦେଖାଯାଉଥିବା ଆକୃତି। ସତାରା ଜିଲ୍ଲା କାଟଗନ୍ ଗାଁର ଲୋକଙ୍କ ପାଇଁ ଏହା ଏକ ଗର୍ବର ଉତ୍ସ ହେବା କଥା, ଆଉ ସେମାନଙ୍କ ପାଇଁ ସମ୍ଭବତଃ ତାହା ବି ଅଟେ। ସ୍ଥାନୀୟ ପଞ୍ଚାୟତ, ଏହି ଛୋଟ ଘରକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖାଯାଉନାହିଁ। ମହାରାଷ୍ଟ୍ର ସରକାରଙ୍କ ଆଭିମୁଖ୍ୟ ବି ପ୍ରାୟ ସେୟା।

ଏହା ଥିଲା କିମ୍ବଦନ୍ତୀ ସାମାଜ ସଂସ୍କାରକ ଜ୍ୟୋତିବା ଫୁଲେଙ୍କର ପୈତୃକ ଘର, ତାଙ୍କ ଜେଜେ ବାପାଙ୍କ ଘର। ଘର ଛାତରୁ ପ୍ଲାଷ୍ଟର ଖସିପଡିଛି, ମରାମତି ଅଭାବରୁ ଏହା ଅତି ଜରାଜୀର୍ଣ ସ୍ଥିତିରେ ଅଛି। ବହୁ ପ୍ରଚାରିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା)ରେ ଏହାଠାରୁ ଭଲ ଘର ତିଆରି ହେଉଛି। ଏହା ଯଦିଓ ସେହିଭଳି ଦେଖାଯାଉଛି, କିନ୍ତୁ ସେହି  ଶ୍ରେଣୀରେ ଖୁବ୍ ନିମ୍ନ ମାନର ତିଆରି ହୋଇଥିଲା।

ଏହି ଘରକୁ ମରାମତି ଓ ସଫା କରିବାକୁ ଅଧିକ ଖର୍ଚ୍ଚ ହେବ ନାହିଁ, ଖୁବ୍ କମ୍ ବ୍ୟୟ ହେବ। ଏବଂ ମରାମତି ପାଇଁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ଅଛି, ଏହା ପଛରେ ଥିବା ପଞ୍ଚାୟତର ସ୍ମାର୍ଟ ଜିମ୍ନାସିୟମରୁ ସ୍ପଷ୍ଟ ଦେଖାଯାଉଛି। ଏହି ଜରାଜୀର୍ଣ୍ଣ ଘରର ଠିକ୍ ବିପରୀତରେ ରହିଛି ଫୁଲେଙ୍କ ନାଁରେ ଚାଲୁଥିବା ଶିକ୍ଷାନୁଷ୍ଠାନ। ଏହି ଶିକ୍ଷାନୁଷ୍ଠାନର ଗୋଟିଏ ମୁକ୍ତାକାଶ ମଞ୍ଚ ବି ରହିଛି, ଯାହା ରାସ୍ତା ପାଖରେ ଅଛି।

PHOTO • P. Sainath

ଖରାପ ଭାବେ ପ୍ରଦର୍ଶିତ -  ଦେଖନ୍ତୁ ଯେ ଫୁଲେଙ୍କ ନାଁଠାରୁ ପ୍ରାୟୋଜକଙ୍କ ନାଁ ଅଧିକ ସ୍ପଷ୍ଟ ଦେଖାଯାଉଛି


ମୁକ୍ତାକାଶ ମଞ୍ଚର ଶୀର୍ଷରେ ଗୋଟିଏ ବଡ ବୋର୍ଡ ରହିଛି, ଯେଉଁଥିରେ ପ୍ରାୟୋଜକଙ୍କ ନାଁ, ଜନସନ୍ ଟାଇଲ୍ସ, ଇଂରାଜୀ ବଡ ଅକ୍ଷରରେ, ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ନାଁଠାରୁ ବଡ ଆକାରରେ ଲେଖାଯାଇଛି, ଯାହା ଓଲଟା ହେବା କଥା। ଏହା ମଧ୍ୟ ଏକ କର୍ପୋରେଟ୍ ଯୁଗ କଥା କହୁଛି ଯେଉଁଠାରେ ଆଜି ଯଦି ଫୁଲେ ଜୀବିତ ଥାଆନ୍ତେ, ତାଙ୍କୁ ତାଙ୍କର ସମାଜ ସଂସ୍କାର ଅଭିଯାନ ପାଇଁ ସହାୟତା ମାଗିବା ପୂର୍ବରୁ ଗୋଟିଏ ଅର୍ଥ ରୋଜଗାରର ମଡେଲ୍ ଉପସ୍ଥାପନ କରିବାକୁ କୁହାଯାଇଥାନ୍ତା। ଫୁଲେଙ୍କ ମଡେଲ ଅଧିକନ୍ତୁ ନ୍ୟାୟ, ମାନବାଧିକାର, ଶିକ୍ଷା, ଜାତିପ୍ରଥା ବିରୋଧରେ ଲଢେଇ ଏବଂ ସ୍ୱାଭିମାନ ପାଇଁ ଉଦ୍ଧିଷ୍ଟ ଥିଲା। ଜନସନ୍ ଟାଇଲ୍ସ ଭଳି ନୁହେଁ, ଯାହା ଭଦ୍ର ଭାବରେ “ସାରା ବିଶ୍ୱରେ ଜୀବନ ଶୈଳୀର ନୂଆ ପରିଭାଷା ଲେଖୁଥିବା’’ ଦାବି କରୁଛି। ପରିସରରେ ଥିବା ଫୁଲେଙ୍କ ପ୍ରତିମୂର୍ତ୍ତିଙ୍କ ପଛରେ ରହିଛି ତାଙ୍କର ଛୋଟିଆ ପୈତୃକ ଘର, ଯେମିତି ତାର ସ୍ଥିତି ଓ ଗାଁର ଜଟିଳ ପାଣି ସମସ୍ୟାର ପ୍ରତିବାଦ କରୁଛି।

ନିକଟସ୍ଥ ଡ୍ୟାମ ଓ ହ୍ରଦଠାରୁ ମାତ୍ର ୨୦ କିଲୋମିଟର ଦୂରରେ ରହୁଥିଲେ ବି କାଟଗନର ୩,୩୦୦ ବାସିନ୍ଦା ଅତ୍ୟନ୍ତ ଗୁରୁତର ପାଣି ସମସ୍ୟାର ସାମ୍ନା କରୁଛନ୍ତି। ଏହି ଗାଁ ଖାତଭ ତହସିଲ ଅନ୍ତର୍ଭୁକ୍ତ, ଯାହା ସେହି ତିନିଟି ଜିଲ୍ଲାର ୧୩ଟି ତହସିଲ ମଧ୍ୟରୁ ଗୋଟିଏ, ଯେଉଁଠାରେ ଅଞ୍ଚଳ ବାସୀଙ୍କର ପାଣି ଜନିତ ସମସ୍ୟା ବାବଦରେ ଆଲୋଚନା ପାଇଁ ପ୍ରତିବର୍ଷ ଦୁଷ୍କାଳ ପରିଷଦ(ମରୁଡି ପରିଷଦ) ଆୟୋଜିତ ହୁଏ। ପୁରୁଣା ମହାବଳେଶ୍ୱରରେ ଥିବା କ୍ରିଷ୍ଣା ନଦୀର ଉପôତ୍ତି ସ୍ଥଳରୁ ଏହାର ତଳ ଭାଗକୁ ଯାତ୍ରା କରିବା ସମୟରେ ଆମେ କାଟଗୁନ୍  ଯାଇଥିଲୁ।
PHOTO • P. Sainath

ଘର ଭିତରେ ଛାତରୁ ପ୍ଲାଷ୍ଟର ଖସୁଛି। ଡାହାଣ:  ଜ୍ୟୋତିବା ଘରକୁ ପଛ କରି ଛିଡା ହୋଇଛନ୍ତି, ଯେମିତି ସେ ତାଙ୍କ ଘର ଓ କାଟଗନ୍ ଗାଁ ଉଭୟର ଦୟନୀୟ ସ୍ଥିତିର ପ୍ରତିବାଦ କରୁଛନ୍ତିା

ଏହା କେବଳ ଜ୍ୟୋତିବାଙ୍କ ପୈତୃକ ଘର ନୁହେଁ, ଯାହା ଏମିତି ଜରାଜୀର୍ଣ ଅବସ୍ଥାରେ ଅଛି, କାଟଗନ ଗାଁର ବାସିନ୍ଦାମାନେ ବି ସେତେ ଭଲ ଘରେ ରହୁନାହାନ୍ତି। ଗାଁର ଅଧିକାଂଶ ସହରରେ କାମ କରିବାକୁ ଚାଲିଯାଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ଏବେ ଫେରୁଛନ୍ତି।

ମୁମ୍ବାଇରେ ଜଣେ ଫିଲ୍ମ ନିର୍ମାତାଙ୍କର ଡ୍ରାଇଭର ଭାବେ କାମ କରୁଥିବା ଗୌତମ ଜୱାଲେ କହନ୍ତି, “ମୁଁ ମାସକୁ ୧୫,୦୦୦ ଟଙ୍କା ପାଉଥିଲି। ସହର ବାହାରର ଜଣେ ଲୋକ ସେତିକି ଟଙ୍କାରେ କେମିତି ସେଠାରେ ଚଳି ପାରିବ। ଗୋଟିଏ ପଟେ, ମୁଁ ବିଏମଡବ୍ଲୁ ଏବଂ ମର୍ସିଡିସ୍ ବେଞ୍ଚ କାର୍ ଚଳାଉଥିଲି। ଅନ୍ୟପଟେ ମୁଁ ମୋର ମୌଳିକ ଆବଶ୍ୟକତାକୁ ପୂରଣ କରିପାରୁନଥିଲି। ତେଣୁ ମୁଁ ଫେରି ଆସିଲି।’

ସେହି ଜରାଜୀର୍ଣ୍ଣ ଘର ଆଗରେ ହିଁ ଜୱାଲେ ଆମ ସହ କଥା ହେଉଥିଲେ , ଏହାର କାନ୍ଥରେ ଲେଖାଯାଇଛି, “ଫୁଲେ ପରିବାରର ଘର’’। ଏହା ଜ୍ୟୋତିବାଙ୍କର ପୈତୃକ ଘର ଥିଲା। କିନ୍ତୁ ଏହା କଣ ତାଙ୍କ ଜନ୍ମସ୍ଥାନ ଥିଲା ? ତାହା ସ୍ପଷ୍ଟ ନୁହେଁ। ଆମେ ଜାଣିଛୁ ଯେ ଏହା ତାଙ୍କ ଜେଜେବାପାଙ୍କ ସମ୍ପତ୍ତି ଥିଲା। ତେବେ ସେ କେଉଁଠି ଜନ୍ମ ହୋଇଥିଲେ ସେ ନେଇ ବିଭିନ୍ନ ସୂତ୍ରରୁ ଦ୍ୱନ୍ଦ୍ୱାତ୍ମକ ପ୍ରମାଣ ରହିଛି। କେତେକ କହନ୍ତି, ତାଙ୍କ ପରିବାର ଦମନକାରୀ ଅଫିସରମାନଙ୍କର ରୋଷରୁ ବର୍ତ୍ତିବା ପାଇଁ ଏହି ସ୍ଥାନ ଛାଡି ଚାଲିଯିବା ପୂର୍ବରୁ ସେ ଏହିଠାରେ କାଟଗନରେ ଜନ୍ମ ହୋଇଥିଲେ। ଅନ୍ୟ କେତେକ କହନ୍ତି, ସେ ପୁନେ ଜିଲ୍ଲାର ଖାନୱାଡିରେ ଜନ୍ମ ହୋଇଥିଲେ। ଅନ୍ୟ ପ୍ରକାଶିତ ସୂତ୍ର ଅନୁସାରେ ତାଙ୍କ ବାପା ପୁନେକୁ ସ୍ଥାନାନ୍ତରିତ ହେବା ପରେ ସେ ସେହିଠାରେ ହିଁ ଜନ୍ମ ହୋଇଥିଲେ।

ଆମେ ନିଶ୍ଚତ ନୋହୁଁ। ଆମେ କେବଳ ଏତିକି ଜାଣିଛୁ ଯେ କାଟଗନ ଗାଁ ଏବେ ଜ୍ୟୋତିବା ଫୁଲେଙ୍କର ଜ୍ଞାନ, ଶିକ୍ଷା ଓ ନ୍ୟାୟର ତୃଷ୍ଣା ଦ୍ୱାରା ପରିଚାଳିତ ହେଉନାହିଁ। କାଟଗନ୍ ଆଜି ଶୁଷ୍କ ସମୟ ଦେଇ ଗତି କରୁଛି।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

P. Sainath is Founder Editor of the People's Archive of Rural India. He has been a rural reporter for decades and is the author of 'Everybody Loves a Good Drought'.

Other stories by P. Sainath