ଗୁଗଲ ମ୍ୟାପରୁ ମୁଁ ଜାଣିପାରୁଥିଲି ଯେ ମୁଁ ମୋର ଗନ୍ତବ୍ୟ ନିକଟରେ ପହଞ୍ଚିବାକୁ ଯାଉଛି । କିନ୍ତୁ ମୋର ଯାହା ମନେ ଥିଲା ଆଖପାଖର ପରିବେଶ ତା’ଠାରୁ ଭିନ୍ନ ପ୍ରତୀୟମାନ ହେଉଥିଲା। କାରଣ ସମୁଦ୍ର କୂଳରେ ଥିବା ସେହି ଜୀର୍ଣ୍ଣ ପୁରୁଣା ଘରଗୁଡ଼ିକୁ ମୁଁ ଦେଖିପାରୁନଥିଲି। ସମୁଦ୍ର କୂଳରେ ଭୁଶୁଡ଼ି ପଡ଼ିଥିବା ପୁରୁଣା ଘରର କୌଣସି ଚିହ୍ନ ନାହିଁ, ଯାହାର ସଂଯୋଜନା ମୁଁ ଯେତେବେଳେ ଉପ୍ପଡ଼ା ଆସିଥିଲି ସେଗୁଡ଼ିକ ନିଜ ଫୋନରେ ସେଭ୍‌ କରି ରଖିଥିଲି। ‘‘ଓଃ ସେହି ଘର? ଏହା ଏବେ ସମୁଦ୍ରରେ ଅଛି- ଏଇ ସେଇଠି!’’ ବେପରୁଆ ଭାବେ ବଙ୍ଗୋପସାଗରରୁ ଆସୁଥିବା ଲହଡ଼ି ଆଡ଼କୁ ଇସାରା କରି ଟି. ମରମ୍ମା କହିଥିଲେ ।

ମାର୍ଚ୍ଚ ୨୦୨୦ରେ ଦେଶବ୍ୟାପୀ ଲକଡାଉନର କିଛି ସପ୍ତାହ ପୂର୍ବରୁ ମରମ୍ମା ଓ ତାଙ୍କର ପରିବାର ସଦସ୍ୟମାନଙ୍କ ଫଟୋ ଯେଉଁଠି ମୁଁ ଉଠାଇଥିଲି ସେହି ପୁରୁଣା ଢାଞ୍ଚା କଥା ଏବେ ବି ମୋର ସ୍ପଷ୍ଟ ଭାବେ ମନେ ଅଛି, ତାହା ଏକ ଚମତ୍କାର, ତଥାପି ଅନ୍ଧକାରମୟ ପୃଷ୍ଠଭୂମିକୁ ବ୍ୟକ୍ତ କରୁଥିଲା। । ତାହା ଏକ ସଙ୍କୀର୍ଣ୍ଣ ସମୁଦ୍ର ତଟରେ ବିପଜ୍ଜନକ ସ୍ଥିତିରେ ରହିଥିଲା। ସେଇଟି ଥିଲା ଗୋଟିଏ ବଡ଼ ଘରର କିଛି ବଳକା ଅଂଶ। ଚଳିତ ଶତାବ୍ଦୀର ପ୍ରାରମ୍ଭିକ ବର୍ଷଗୁଡ଼ିକ ପର୍ଯ୍ୟନ୍ତ ମରମ୍ମାଙ୍କ ଯୌଥ ପରିବାର ସେହି ବଡ଼ ଘରେ ରହିଆସୁଥିଲେ ।

‘‘ତାହା ଏକ ବଡ଼ କୋଠା ଥିଲା ଯେଉଁଥିରେ ଆଠଟି କୋଠରୀ ଏବଂ ପଶୁଙ୍କ ପାଇଁ ତିନୋଟି ଗୁହାଳ ଥିଲା। ସେଥିରେ ପ୍ରାୟ ୧୦୦ ଜଣ ଲୋକ ରହୁଥିଲେ’’, ମରମ୍ମା କୁହନ୍ତି । ବୟସର ୫୦ ଦଶକରେ ପହଞ୍ଚିଥିବା ମରମ୍ମା ଏବେ ଜଣେ ସ୍ଥାନୀୟ ନେତ୍ରୀ ଭାବେ ପରିଚିତ, ଏକଦା ସେ ମାଛ ବ୍ୟବସାୟ କରୁଥିଲେ। ୨୦୦୪ ସୁନାମୀର ଠିକ୍ ପୂର୍ବରୁ ଉପ୍ପଡ଼ାରେ ଏକ ବାତ୍ୟା ଆସିଥିଲା ଯେଉଁଥିରେ କୋଠାର ଏକ ବଡ଼ ଅଂଶ ଭାଙ୍ଗି ଯାଇଥିଲା, ଫଳରେ ଏହି ଯୌଥ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ଘରେ ରହିବାକୁ ବାଧ୍ୟ ହୋଇଥିଲେ । ନିକଟସ୍ଥ ଏକ ଘରକୁ ଚାଲିଯିବା ପୂର୍ବରୁ ମରମ୍ମା କିଛି ଦିନ ସେହି ପୁରୁଣା କୋଠାକୁ ବ୍ୟବହାର କରିବା ଜାରି ରଖିଥିଲେ।

ଖାଲି ମରମ୍ମାଙ୍କ ପରିବାର ନୁହେଁ, ସମୁଦ୍ର ମାଡ଼ି ଆସିବା ଯୋଗୁଁ ଉପ୍ପଡ଼ାରେ ପ୍ରାୟ ପ୍ରତ୍ୟେକ ପରିବାରକୁ ସେମାନଙ୍କ ବାସସ୍ଥାନ ବଦଳାଇବାକୁ ପଡ଼ିଛି । ବଞ୍ଚିବାର ଅଭିଜ୍ଞତା ଏବଂ ସମୁଦ୍ରକୁ ଜାଣିବା ଲାଗି ସ୍ଥାନୀୟ ଲୋକମାନଙ୍କର ପ୍ରାକୃତିକ ଅଧ୍ୟୟନକୁ ଆଧାର କରି ସେମାନେ ଘର ବଦଳାଇଥାନ୍ତି । ‘‘କେତେବେଳେ ଲହଡ଼ି ଆଗକୁ ବଢ଼ିବା ଆରମ୍ଭ କରିବ ଏବଂ ଘର ସମୁଦ୍ର ଗର୍ଭକୁ ଚାଲିଯିବ, ତାହା ଆମେ ଜାଣିପାରିଥାଉ। ଏହାପରେ ଆମେ ନିଜ ବାସନକୁସନ ଏବଂ ସବୁକିଛି ଏକାଥରେ ନେଇ ଅସ୍ଥାୟୀ ଭଡ଼ା ଘର ସନ୍ଧାନ କରିବା ଲାଗି ବାହାରି ଯାଉ। ପୁରୁଣା ଘର ସାଧାରଣତଃ ଏକ ମାସ ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲି ଯାଇଥାଏ’’, ଓ. ଶିବା କୁହନ୍ତି । ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିବା ସମୟରେ ସମୁଦ୍ର ଗର୍ଭରୁ ବର୍ତ୍ତିବା ଲାଗି ତାଙ୍କୁ ପ୍ରଥମେ ଘର ଛାଡ଼ିବାକୁ ପଡ଼ିଥିଲା।

T. Maramma and the remains of her large home in Uppada, in January 2020. Her joint family lived there until the early years of this century
PHOTO • Rahul M.

ଟି ମରମ୍ମା ଏବଂ ଜାନୁୟାରୀ ୨୦୨୦ରେ ଉପ୍ପଡ଼ାରେ ଥିବା ତାଙ୍କ ବଡ଼ ଘରର ଅବଶେଷ। ତାଙ୍କର ସଂଯୁକ୍ତ ପରିବାର ଏହି ଶତାବ୍ଦୀର ଆଦ୍ୟ ବର୍ଷଗୁଡ଼ିକ ପର୍ଯ୍ୟନ୍ତ ସେଠାରେ ବାସ କରୁଥିଲେ

*****

ସ୍ଥାନୀୟ ବାସିନ୍ଦାମାନେ କୁହନ୍ତି, ଆନ୍ଧ୍ରପ୍ରଦେଶର ୯୭୫ କିଲୋମିଟର ଉପକୂଳ ଅଞ୍ଚଳ ମଧ୍ୟରେ ଆସୁଥିବା ଉପ୍ପଡ଼ା ପୂର୍ବ ଗୋଦାବରୀ ଜିଲ୍ଲାରେ ଅବସ୍ଥିତ। ଏହି ଅଞ୍ଚଳକୁ ସମୁଦ୍ର କ୍ରମାଗତ ଭାବେ ମାଡ଼ି ମାଡ଼ି ଆସୁଛି ।

ପ୍ରାୟ ୫୦ ବର୍ଷ ପୂର୍ବରୁ ମରମ୍ମାଙ୍କ ପରିବାର ନିଜ ନୂଆ ଘରକୁ ଚାଲି ଯାଇଥିଲା, ଏହା ସମୁଦ୍ର ତଟଠାରୁ ଅନେକ ଦୂରରେ ଅବସ୍ଥିତ ଥିଲା। ଶିବଙ୍କ ଜେଜେବାପା ଓ ମରମ୍ମାଙ୍କ କକା ଓ. ଚିନ୍ନାବାଇ ସ୍ମରଣ କରି କୁହନ୍ତି, ‘‘ଆମେ ସମୁଦ୍ର କୂଳରୁ ଘରକୁ ଚାଲି ଚାଲି ଗଲେ ଗୋଡ଼ ଥକି ଯାଉଥିଲା।’’ ଗଭୀର ସମୁଦ୍ରରେ ମାଛ ମାରି ପେଟ ପୋଷୁଥିବା ଚିନ୍ନାବାଇଙ୍କ ବୟସ ୭୦ କିମ୍ବା ୮୦ ବର୍ଷ ହେବ। ତାଙ୍କର ମନେ ଅଛି ଘର ପାଖରୁ ସମୁଦ୍ର ମଧ୍ୟରେ ରହିଥିବା ସ୍ଥାନ ଏକଦା ଘର, ଦୋକାନ ଏବଂ କିଛି ସରକାରୀ କୋଠାରେ ଭର୍ତ୍ତି ହୋଇ ରହିଥିଲା । ‘‘ଏଇ ସେଇଠି ସମୁଦ୍ର କୂଳ ଥିଲା’’, ଦୂର ଦିଗନ୍ତ ଆଡ଼କୁ ହାତ ବଢ଼ାଇ ଚିନ୍ନାବାଇ କହିଥିଲେ, ଯେଉଁଠି ସନ୍ଧ୍ୟା ଆକାଶରେ କେତେକ ଜାହାଜ ଅଦୃଶ୍ୟ ହୋଇଯାଉଥିଲେ ।

ମରମ୍ମା ପୂର୍ବ କଥା ମନେ ପକାଇ କୁହନ୍ତି, ‘‘ଆମ ନୂଆ ଘର ଏବଂ ସମୁଦ୍ର ମଧ୍ୟରେ ବହୁ ପରିମାଣରେ ବାଲି ରହିଥିଲା’’। “ଯେତେବେଳେ ଆମେ ପିଲା ଥିଲୁ, ଆମେ ବାଲି ଗଦାରେ ଖେଳୁଥିଲୁ ଏବଂ ତା’ ଉପର ଦେଇ ଖସୁଥିଲୁ।’’

ଉପ୍ପଡ଼ାର ଅଧିକାଂଶ ଭାଗକୁ ଏବେ ସମୁଦ୍ର ବୁଡ଼ାଇ ଦେଇଛି, ଯାହା କେବଳ ସ୍ମୃତିରେ ଜୀବନ୍ତ ହୋଇ ରହିଛି ।  ୧୯୮୯ରୁ ୨୦୧୮ ମଧ୍ୟରେ ଉପ୍ପଡ଼ାର ଉପକୂଳବର୍ତ୍ତୀ ଅଞ୍ଚଳ ପ୍ରତ୍ୟେକ ବର୍ଷ ହାରାହାରି ୧.୨୩ ମିଟର ହ୍ରାସ ପାଇଛି। ବିଜୟୱାଡ଼ାସ୍ଥିତ ଆନ୍ଧ୍ରପ୍ରଦେଶ ମହାକାଶ ପ୍ରୟୋଗ କେନ୍ଦ୍ରର ଗବେଷକମାନଙ୍କ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୧୭-୧୮ରେ ୨୬.୩ ମିଟର ସ୍ଥଳଭାଗ ସମୁଦ୍ର ଗର୍ଭରେ ବୁଡ଼ିଯାଇଥିଲା। ଅନ୍ୟ ଏକ ଅଧ୍ୟୟନରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ଚାରି ଦଶନ୍ଧି ମଧ୍ୟରେ କାକିନାଡ଼ା ଉପସହରାଞ୍ଚଳରେ ୬୦୦ ଏକରରୁ ଅଧିକ ସ୍ଥଳଭାଗ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। କାକିନାଡ଼ା ଡିଭିଜନର କୋଠାପଲ୍ଲୀ ମଣ୍ଡଳ ଅଧୀନରେ ଆସୁଥିବା ଉପ୍ପଡ଼ାର ପ୍ରାୟ ଏକ ଚତୁର୍ଥାଂଶ ଭାଗ ସମୁଦ୍ର ଜଳରେ ବୁଡ଼ି ଯାଇଛି । ୨୦୧୪ ଅଧ୍ୟୟନରେ କାକିନାଡ଼ା ଉତ୍ତର ଉପକୂଳରେ ରହୁଥିବା ମତ୍ସ୍ୟଜୀବୀମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୫ ବର୍ଷ ମଧ୍ୟରେ ଅନେକ ଶହ ମିଟର ସମୁଦ୍ର ବେଳାଭୂମି ସଙ୍କୁଚିତ ହୋଇଯାଇଛି ।

Maramma’s old family home by the sea in 2019. It was washed away in 2021, in the aftermath of Cyclone Gulab.
PHOTO • Rahul M.
Off the Uppada-Kakinada road, fishermen pulling nets out of the sea in December 2021. The large stones laid along the shore were meant to protect the land from the encroaching sea
PHOTO • Rahul M.

ବାମ: ୨୦୧୯ ରେ ସମୁଦ୍ର ନିକଟରେ ମରମ୍ମାଙ୍କର ପୁରୁଣା ପାରିବାରିକ ଗୃହ। ଏହା ୨୦୨୧ରେ ଗୁଲାବ ସାମୁଦ୍ରିକ ବାତ୍ୟା ପରେ ଧୋଇ ଯାଇଥିଲା। ଡାହାଣ: ୨୦୨୧ ଡିସେମ୍ବରରେ ଉପ୍ପଡ଼ା –କାକିନଡ଼ା ସଡ଼କ ତଳୁ କେଉଟମାନେ ସମୁଦ୍ରରୁ ଜାଲ ଟାଣି ବାହାର କରୁଛନ୍ତି। ସମୁଦ୍ର କୂଳରେ ଗଦା କରାଯାଇଥିବା ବଡ଼ ବଡ଼ ପଥର ମାଡ଼ି ଆସୁଥିବା ସମୁଦ୍ରଠାରୁ ଜମିକୁ ସୁରକ୍ଷା ଦେବା  ପାଇଁ ଉଦ୍ଦିଷ୍ଟ ଥିଲା

‘‘କାକିନଡ଼ା ସହରଠାରୁ କିଛି କିଲୋମିଟର ଦୂରରେ ଥିବା ଉପ୍ପଡ଼ାରେ ତଟୀୟ କ୍ଷରଣ ଦେଖାଦେବାର ସବୁଠୁ ପ୍ରମୁଖ କାରଣ ହେଉଛି ହୋପ୍‌ ଆଇଲାଣ୍ଡର ବିକାଶ – ଯାହାକୁ ବୈଜ୍ଞାନିକ ଭାଷାରେ ‘ସ୍ପିଟ୍‌’ ବୋଲି କୁହାଯାଏ, ଏହା ୨୧ କିଲୋମିଟର ଲମ୍ବ ଏକ ପତଳା ବାଲୁକା ଶଯ୍ୟା। ଗୋଦାବରୀ ନଦୀର ଏକ ସହାୟକ ନଦୀ ନିଲାରେଭୁ ମୁହାଣରୁ ଏହି ସ୍ପିଟ୍‌ ପ୍ରାକୃତିକ ଭାବେ ଉତ୍ତର ଆଡ଼କୁ ବଢ଼ିଥାଏ’’, ବିଶାଖାପାଟଣାସ୍ଥିତ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ଜିଓ-ଇଞ୍ଜିନିୟରିଂ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ କାକାନି ନାଗେଶ୍ୱର ରାଓ କୁହନ୍ତି । ‘‘ସ୍ପିଟରୁ ବାହାରୁଥିବା ଲହଡ଼ି ଉପ୍ପଡ଼ା ଉପକୂଳରେ ମାଡ଼ ହେଉଛି, ଯାହାଫଳରେ ଏହାର କ୍ଷରଣ ହେଉଛି। ସମ୍ଭବତଃ ଏହା ଗୋଟିଏ ଶତାବ୍ଦୀରୁ ଅଧିକ ସମୟ ପୂର୍ବରୁ ଆରମ୍ଭ ହୋଇଛି, ବାଲୁକାର ଏହି ସ୍ପିଟ୍‌ ପ୍ରାୟ ୧୯୫୦ ଦଶକରେ ନିଜର ବର୍ତ୍ତମାନ ସ୍ୱରୂପ ହାସଲ କରିଛି’’, ପ୍ରଫେସର କୁହନ୍ତି । ସେ ଅନେକ ଦଶନ୍ଧି ହେବ ଆନ୍ଧ୍ରପ୍ରଦେଶ ଉପକୂଳର ଆକାର ଏବଂ ପ୍ରକ୍ରିୟାକୁ ଧ୍ୟାନର ସହକାରେ ଅଧ୍ୟୟନ କରୁଛନ୍ତି ।

ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଦଶନ୍ଧିର ରେକର୍ଡ ଏହା ସୁନିଶ୍ଚିତ କରିଥାଏ ଯେ ଉପ୍ପଡ଼ାରେ ଏହି ଉପକୂଳ କ୍ଷରଣ ଘଟଣା ଏକ ଶତାବ୍ଦୀ ପୂର୍ବରୁ ଚିହ୍ନଟ କରାଯାଇସାରିଥିଲା। ଉଦାହରଣ ସ୍ୱରୂପ, ୧୯୦୭ ମସିହାର ଗୋଦାବରୀ ଜିଲ୍ଲା ଗେଜେଟରେ ଲିଖିତ ରହିଛି ଯେ ୧୯୦୦ ମସିହା ପରଠାରୁ ସମୁଦ୍ରରେ ଉପ୍ପାଦାର ୫୦ ଗଜରୁ ଅଧିକ ଜମି ସମୁଦ୍ର ଗର୍ଭକୁ ଚାଲିଯାଇଛି – ଅନ୍ୟ ଅର୍ଥରେ କହିବାକୁ ଗଲେ, ସେହି ସାତ ବର୍ଷ ମଧ୍ୟରେ ଗାଁରେ ପ୍ରତ୍ୟେକ ବର୍ଷ ହାରାହାରି ସାତ ମିଟର ବେଳାଭୂମି କ୍ଷରଣ ହୋଇଛି ।

ଡକ୍ଟର ରାଓ କୁହନ୍ତି, ‘‘ଉପକୂଳ କ୍ଷେତ୍ର ସାଧାରଣତଃ ଅତ୍ୟନ୍ତ ଗତିଶୀଳ ହୋଇଥାଏ, ଏହା ଜଟିଳ, ବିଶ୍ୱସ୍ତରୀୟ, କ୍ଷେତ୍ରୀୟ ଏବଂ ସ୍ଥାନୀୟ ଘଟଣାର ପାରସ୍ପରିକ କ୍ରିୟା ଦ୍ୱାରା ପ୍ରଭାବିତ ହୋଇଥାଏ। ଉପ୍ପଡ଼ାରେ ଉପକୂଳ କ୍ଷରଣ ବିଭିନ୍ନ କାରଣରୁ ହେଉଛି । ବିଶ୍ୱତାପନ, ମେରୁ ଅଞ୍ଚଳରେ ବରଫ ତରଳିବା ଓ ସମୁଦ୍ର ପତନ ବଢ଼ିବା, ବଙ୍ଗୋପସାଗରରେ ବାରମ୍ବାର ବାତ୍ୟା ହେବା ଆଦି କେତେକ ପ୍ରମୁଖ କାରଣ। ଗୋଦାବରୀ ଉପତ୍ୟାକାରେ ନଦୀବନ୍ଧ ନିର୍ମାଣ କରାଯିବା କାରଣରୁ ନଦୀ ମୁହାଣରେ ପଙ୍କ ବ୍ୟାପକ ପରିମାଣରେ ହ୍ରାସ ପାଇବା ପରିସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି।’’

*****

ଏହାର ଜମି ଧୀରେ ଧୀରେ ସମୁଦ୍ର ଗର୍ଭରେ ଲୀନ ହୋଇଯାଉଥିବା କାରଣରୁ, ଉପ୍ପଡ଼ା କେବଳ ଲୋକମାନଙ୍କ ମନରେ ସ୍ମୃତି ହୋଇ ରହିଯାଉଛି ।

ଗ୍ରାମବାସୀଙ୍କ ମଧ୍ୟରୁ ଜଣେ ମୋତେ ସେମାନଙ୍କର ସ୍ମୃତି ଓ କାହାଣୀରେ ରହିଥିବା ଗାଁର ଏକ ଝଲକ ପାଇଁ ତେଲୁଗୁ ଚଳଚ୍ଚିତ୍ର ନାକୁ ସ୍ୱତନ୍ତ୍ରମ ୱଞ୍ଚିଡ଼ି ଦେଖିବାକୁ କହିଥିଲେ । ୧୯୭୫ରେ ମୁକ୍ତିଲାଭ କରିଥିବା ଏ ଚଳଚ୍ଚିତ୍ରରେ ମୁଁ ଏକ ଭିନ୍ନ ଉପ୍ପଡ଼ା ଦେଖିବାକୁ ପାଇଥିଲି। ଗାଁ ଓ ସମୁଦ୍ର ପରସ୍ପରଠାରୁ ଯଥେଷ୍ଟ ଦୂରରେ ରହିଥିଲା। ଏକ ଭବ୍ୟ ବାଲୁକା ବେଳାଭୂମି ଉଭୟକୁ ଅଲଗା କରୁଥିଲା। ସମୁଦ୍ର ଏବଂ ବାଲୁକା, ସିଙ୍ଗଲ ଫ୍ରେମ ସଟ୍ସରେ କଏଦ ହୋଇଥିଲା। ସମୁଦ୍ର ଉପକୂଳ ଯଥେଷ୍ଟ ଚଉଡ଼ା ଥିଲା ଯାହାଫଳରେ ଚଳଚ୍ଚିତ୍ର ସୁଟିଂ କରୁଥିବା ଦଳ ବିଭିନ୍ନ କୋଣରୁ ସୁଟିଂ କରିପାରିଥିଲେ, ଚଳଚ୍ଚିତ୍ରର ମୁଖ୍ୟ ଦୃଶ୍ୟ ପାଇଁ ପୃଷ୍ଠଭୂମି ତିଆରି କରିପାରିଥିଲେ।

Pastor S. Kruparao and his wife, S. Satyavati, outside their church in Uppada, in September 2019.
PHOTO • Rahul M.
D. Prasad  grew up in the coastal village, where he remembers collecting shells on the beach to sell for pocket money. With the sand and beach disappearing, the shells and buyers also vanished, he says
PHOTO • Rahul M.

ବାମ: ପାଷ୍ଟର ଏସ୍.କୃପାରାଓ ଏବଂ ତାଙ୍କ ପତ୍ନୀ ଏସ୍.ସତ୍ୟବତୀ, ୨୦୧୯ ସେପ୍ଟେମ୍ବରରେ ଉପ୍ପଡ଼ାରେ ଥିବା ସେମାନଙ୍କ ଚର୍ଚ୍ଚ ବାହାରେ ଛିଡ଼ା ହୋଇଛନ୍ତି। ଡାହାଣ: ଡି.ପ୍ରସାଦ ଉପକୂଳବର୍ତ୍ତୀ ଗାଁରେ ବଡ ହୋଇଛନ୍ତି। ସେ ତାଙ୍କର ସାଙ୍ଗମାନଙ୍କ ସହିତ ଶାମୁକା ସଂଗ୍ରହ କରିବାକୁ ଯାଉଥିବା ମନେ ପକାନ୍ତି। ଯାହାକୁ ସେମାନେ ପକେଟ୍ ମନି ପାଇଁ ବିକୁଥିଲେ। ସେ କୁହନ୍ତି ବାଲି ଏବଂ ବେଳାଭୂମି କମ୍ ହେବାରେ ଲାଗିଛି। ଶାମୁକା ଏବଂ କ୍ରେତା ମଧ୍ୟ ହଜିଗଲେଣି

ଉପ୍ପଡ଼ା ଚର୍ଚ୍ଚରେ ପାଦ୍ରୀ ଥିବା ୬୮ ବର୍ଷୀୟ ଏସ. କୃପାରାଓ କୁହନ୍ତି, ‘‘ମୁଁ ଚଳଚ୍ଚିତ୍ରର ସୁଟିଂ ଦେଖିଥିଲି । ସୁଟିଂ ପାଇଁ ଆସିଥିବା କେତେକ କଳାକାର ଏଠାକାର ଗେଷ୍ଟହାଉସରେ ରହିଥିଲେ । ସବୁକିଛି ଏବେ ସମୁଦ୍ର ଗର୍ଭକୁ ଚାଲି ଯାଇଛି । ଏପରିକି ଗେଷ୍ଟହାଉସ ମଧ୍ୟ।’’

୧୯୬୧ରେ ପ୍ରକାଶ ପାଇଥିବା ପୂର୍ବ ଗୋଦାବରୀ ଜିଲ୍ଲା ଜନଗଣନା ପୁସ୍ତିକାରେ ଗେଷ୍ଟହାଉସ ବିଷୟରେ ମଧ୍ୟ ଉଲ୍ଲେଖ ରହିଛି । ‘‘ସମୁଦ୍ର କୂଳଠାରୁ ପ୍ରାୟ ଦୁଇ ଶହ ମିଟର ଦୂରରେ ଏକ ବଙ୍ଗଳା ଥିଲା। ସେଥିରେ ଦୁଇଟି ସୁଟ୍‌ ବିଶିଷ୍ଟ କୋଠରୀ ଥିଲା। ପ୍ରାୟତଃ ଯାତ୍ରୀମାନେ ଆସି ଏଠାରେ ଆରାମଦାୟକ ସମୟ ଅତିବାହିତ କରୁଥିଲେ। ପୂର୍ବରୁ ଥିବା ଏକ ଯାତ୍ରୀ ବଙ୍ଗଳା ସମୁଦ୍ର ଗର୍ଭରେ ଲୀନ ହୋଇଯିବା ପରେ ଏହାକୁ ନିର୍ମାଣ କରାଯାଇଥିଲା।’’ ତେଣୁ ଚଳଚ୍ଚିତ୍ର ଦଳ ଯେଉଁ ଗେଷ୍ଟହାଉସ ନାକୁର ରହିଥିଲେ ତାହା ସମୁଦ୍ରରେ ବୁଡ଼ିଯାଇଥିବା ଦ୍ଵିତୀୟ କୋଠା ଥିଲା ।

ସମୁଦ୍ର ଗର୍ଭରେ ଲୀନ ହୋଇଥିବା କଳାକୃତି ଏବଂ ଢାଞ୍ଚା ପ୍ରାୟତଃ ଅଭିଲେଖ ରେକର୍ଡ ଏବଂ ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ସ୍ଥାନାନ୍ତରିତ ହେଉଥିବା କାହାଣୀରେ ଉଜ୍ଜିବୀତ ହୋଇ ରହିଥାଏ। ବୟସ୍କ ଗ୍ରାମବାସୀମାନେ ସେମାନଙ୍କର ମାତାପିତା କିମ୍ବା ଜେଜେବାପା ଓ ଜେଜେମା’ଙ୍କଠାରୁ ଏକ ବଡ଼ ପଥର- ପେଡ୍ଡା ରାୟୀ ବିଷୟରେ ଶୁଣିଛନ୍ତି, ଯାହାକି ଅନେକ ବର୍ଷ ହେବ ସମୁଦ୍ରରେ ବୁଡ଼ି ରହିଛି । ୧୯୦୭ରେ ପ୍ରକାଶିତ ଗେଜେଟରେ ମଧ୍ୟ ଏପରି କିଛି ବର୍ଣ୍ଣନା ରହିଛି: ‘‘ଉପକୂଳଠାରୁ ପ୍ରାୟ ଅଧା ମାଇଲ ଦୂର ସମୁଦ୍ର ମଧ୍ୟରେ ଥିବା ଭଗ୍ନାବଶେଷ ଏବେ ବି ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଥାଏ। ବସନ୍ତ ଜୁଆର ସମୟରେ ପିଲାମାନେ ମୁଦ୍ରା ଖୋଜିବା ଲାଗି ସେହି ସ୍ଥାନକୁ ଯାଇଥାନ୍ତି ଯାହାକି ବେଳେବେଳେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିବା ସହରରୁ ଭାସି ଆସିଥାଏ।’’

୧୯୬୧ ପୁସ୍ତିକାରେ ମଧ୍ୟ ଭଗ୍ନାବଶେଷ ବିଷୟରେ ଉଲ୍ଲେଖ ରହିଛି : ‘‘ବୟସ୍କ ମତ୍ସ୍ୟଜୀବୀମାନେ କୁହନ୍ତି ଯେ ମାଛ ଧରିବା ଲାଗି ନିଜ ନୌକା କିମ୍ବା ପାଲଟଣା ଡଙ୍ଗାରେ ସମୁଦ୍ର ଭିତରକୁ ଯାଉଥିବା ବେଳେ ଉପକୂଳଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ସେମାନଙ୍କ ଜାଲ କିମ୍ବା ଲାଇନ୍ସ ଅଟ୍ଟାଳିକାର ଶୀର୍ଷ ଭାଗ କିମ୍ବା ଗଛ ଗଣ୍ଡିରେ ଲାଗିଥାଏ। ସେମାନେ ନିଜର ଏହି ଅଭିଜ୍ଞତାରୁ ସମୁଦ୍ର ଗାଁକୁ ଗିଳି ଦେଇଥିବା ଜାଣିପାରିଥାନ୍ତି।’’

ସେବେଠାରୁ ସମୁଦ୍ରର କରାଳ ଗର୍ଭରେ କେବଳ ଗାଁ ନୁହେଁ, ବରଂ ସମ୍ପୂର୍ଣ୍ଣ ବେଳାଭୂମି, ଅସଂଖ୍ୟ ଘର, ଅତିକମ୍‌ରେ ଗୋଟିଏ ମନ୍ଦିର ଏବଂ ଏକ ମସଜିଦ୍‌ ବିଲୀନ ହୋଇଯାଇଛି । ଖାଲି ସେତିକି ନୁହେଁ ୨୦୧୦ରେ ଉପ୍ପଡ଼ାର ସୁରକ୍ଷା ପାଇଁ ପ୍ରାୟ ୧୨.୧୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ୧,୪୬୩ ମିଟର ଲମ୍ବ ‘ଜିଓଟ୍ୟୁବ’କୁ ମଧ୍ୟ ସମୁଦ୍ର ବରବାଦ୍‌ କରି ଦେଇଛି । ଜିଓଟ୍ୟୁବ ଏକପ୍ରକାର ବଡ଼ ଟ୍ୟୁବଲାର କଣ୍ଟେନର ଯେଉଁଥିରେ ବାଲି ଓ ପାଣିର ମିଶ୍ରଣ ଭରି ରହିଥାଏ। ତଟାଞ୍ଚଳ ସୁରକ୍ଷା ଏବଂ ଭୂମି ସୁଧାର ପାଇଁ ଏହାର ଉପଯୋଗ କରାଯାଇଥାଏ। ସ୍ଥାନୀୟ ଅଞ୍ଚଳରେ ବଡ଼ ହୋଇଥିବା ସ୍ୱଳ୍ପକାଳୀନ ମତ୍ସ୍ୟଜୀବୀ ୨୪ ବର୍ଷ ବୟସ୍କ ଡି. ପ୍ରସାଦ କୁହନ୍ତି, “ଗତ ୧୫ ବର୍ଷରେ ମୁଁ ଦେଖିଛି ଦୁଇ ବର୍ଗ ଫୁଟ ଆକାରର ପଥର ଲହଡ଼ି ମାଡ଼ରେ ଘର୍ଷଣ ହୋଇ ମାତ୍ର ଛଅ ଇଞ୍ଚ ରହିଯାଇଛି’’।

Remnants of an Uppada house that was destroyed by Cyclone Gulab.
PHOTO • Rahul M.
O. Chinnabbai, Maramma's uncle, close to where their house once stood
PHOTO • Rahul M.

ବାମ: ଗତ ବର୍ଷ ସାମୁଦ୍ରିକ ଝଡ଼ ଗୁଲାବର ତାଣ୍ଡବରେ ନଷ୍ଟ ହୋଇଥିବା ଗୋଟିଏ ଘରର ଅବଶେଷ। ଡାହାଣ: ଓ.ଚିନ୍ନାବାଇ ମରମ୍ମାଙ୍କ ଦାଦା, ଏକଦା ତାଙ୍କ ଘର ଯେଉଁଠାରେ ଥିଲା ସେହି ନିକଟରେ ଛିଡ଼ା ହୋଇଛନ୍ତି

୨୦୨୧ରେ ମୁକ୍ତି ଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ଉପ୍ପେନା ରେ, ବ୍ୟାପକ ଭାବେ ବଦଳୁଥିବା ଉପ୍ପଡ଼ାର ଚିତ୍ର ରହିଛି । ଏକଦା ସମୁଦ୍ର ବେଳଭୂମିରେ ଥିବା ବଡ଼ ବଡ଼ ପଥର ଓ ଚଟାଣ ସବୁ ଦିନେ ଗାଁକୁ ସୁରକ୍ଷିତ ରଖିବା ଲାଗି କାମରେ ଲାଗୁଥିଲା। ଏ ଚଳଚ୍ଚିତ୍ରରେ ୧୯୭୫ର ଚଳଚ୍ଚିତ୍ରଠାରୁ ଭିନ୍ନ ଦୃଶ୍ୟ ରହିଛି । କ୍ୟାମେରାର ସିଙ୍ଗଲ୍‌ ଫ୍ରେମରେ କଏଦ ହୋଇଥିବା ଦୃଶ୍ୟ ପରିବର୍ତ୍ତେ ଏଥିରେ ଉପରୁ ଉତ୍ତୋଳନ ଯାଇଥିବା ଦୃଶ୍ୟ କିମ୍ବା ଗୋଟିଏ କୋଣରୁ କ୍ୟାମେରାରେ ଉତ୍ତୋଳନ କରାଯାଇଥିବା ଦୃଶ୍ୟ ରହିଛି, ଏହାର କାରଣ ହେଉଛି- ସମୁଦ୍ର ତଟ ନଥିବା କାରଣରୁ କ୍ୟାମେରା ରଖିବା ଲାଗି ସ୍ଥାନାଭାବ ।

ନିକଟରେ ୨୦୨୧ ବାତ୍ୟା ଗୁଲାବ, ସେପ୍ଟେମ୍ବର ଶେଷ ସମୟରେ ଉପ୍ପଡ଼ାର ଉପକୂଳବର୍ତ୍ତୀ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ଏହି ସମୟରେ ସମୁଦ୍ର ଗର୍ଭରେ ଅତିକମ୍‌ରେ ୩୦ଟି ଘର ବିଲୀନ ହୋଇଯାଇଥିଲା। ବାତ୍ୟା ଜାୱାଦ ଡିସେମ୍ବରରେ, ନୂଆ କରି ନିର୍ମାଣ ହୋଇଥିବା ଉପ୍ପଡ଼ା-କାକିନାଡ଼ା ସଡ଼କକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇ ଥିଲା, ଯାହାକି ବ୍ୟବହାର କରିବା ଲାଗି ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇପଡ଼ିଥିଲା।

ଗୁଲାବ ପରେ ଅଶାନ୍ତ ସମୁଦ୍ର ଅକ୍ଟୋବର ପ୍ରାରମ୍ଭରେ ମରମ୍ମାଙ୍କ ପୁରୁଣା ପାରିବାରିକ ଗୃହର ଅବଶିଷ୍ଟାଂଶ ନେଇଗଲା।ସେ ଓ ତାଙ୍କର ସ୍ୱାମୀ ରହୁଥିବା ଘର ମଧ୍ୟ ସମୁଦ୍ରରେ ଧୋଇ ଯାଇଥିଲା।

*****

‘‘(ଗୁଲାବ) ବାତ୍ୟା ପରେ ଆମ ଭିତରୁ ଅଧିକାଂଶ ଲୋକ ଅନ୍ୟମାନଙ୍କ ଗୃହର ଉଚ୍ଚ ବାରଣ୍ଡାରେ ଶୋଇବା ଲାଗି ଏକପ୍ରକାର ବାଧ୍ୟ ହୋଇଥଲୁ’’, ୨୦୨୧ର ପ୍ରଳୟ କଥା ମନେ ପକାଇ ବାଷ୍ପରୁଦ୍ଧ କଣ୍ଠରେ ମରମ୍ମା କହିଥାନ୍ତି।

ବାତ୍ୟା ମାଡ଼ରେ ସେମାନଙ୍କର ପୈତୃକ ଘର ନଷ୍ଟ ହୋଇଯିବା ପରେ ୨୦୦୪ ପରଠାରୁ ମରମ୍ମା ଏବଂ ତାଙ୍କର ସ୍ୱାମୀ. ଟି. ବାବାଇ ଦୁଇଟି ଘରେ ରହିଥିଲେ। ପ୍ରଥମେ ଏକ ଭଡ଼ା ଘର ଓ ପରେ ସେମାନଙ୍କ ନିଜର ଏକ ଘର। ଟି. ବାବାଇ ଗଭୀର ସମୁଦ୍ରରେ ମାଛ ମାରିଥାନ୍ତି। ଗତ ବର୍ଷ ବାତ୍ୟାରେ ସେମାନଙ୍କ ଘର ସମୁଦ୍ର ଗର୍ଭକୁ ଚାଲି ଯାଇଥିଲା। ଏବେ ଏହି ଦମ୍ପତି ନିକଟରେ ଥିବା ଜଣେ ସମ୍ପର୍କୀୟଙ୍କ ଗୃହର ଖୋଲା ବାରଣ୍ଡାରେ ଜୀବନ ନିର୍ବାହ କରୁଛନ୍ତି ।

‘‘ଏକ ସମୟରେ, ଆମର “ଆର୍ଥିକ ସ୍ଥିତି” ଭଲ ଥିଲା (ଋଣ ଦେବା ଯୋଗ୍ୟ ଏବଂ ଅପେକ୍ଷାକୃତ ଭଲ ଚଳଣି ଥିବା)’’, ମରମ୍ମା କୁହନ୍ତି। ବାରମ୍ବାର ବିସ୍ଥାପନ ଏବଂ ପୁନଃନିର୍ମାଣ ସହିତ ସେମାନଙ୍କର ୪ ଝିଅଙ୍କ ବାହାଘର ଖର୍ଚ୍ଚ ପରେ ପରିବାର ସଞ୍ଚୟ ବେଶ୍ ହ୍ରାସ ପାଇଥିଲା।

M. Poleshwari outside her third house; the first two were lost to the sea. “We take debts again and the house gets submerged again”
PHOTO • Rahul M.
M. Poleshwari outside her third house; the first two were lost to the sea. “We take debts again and the house gets submerged again”
PHOTO • Rahul M.

ବାମ: ମରମ୍ମାଙ୍କ ପୁରୁଣା ଘର। ପୁରୁଣା ଘରେ ଆଠଟି ବଖରା ଥିଲା। ସେ କୁହନ୍ତି, 'ପାଖାପାଖି ୧୦୦ ଲୋକ ସେଠାରେ ରହୁଥିଲେ।' ଡାହାଣ: ଏମ୍.ପୋଲେଶ୍ୱରୀ, ତାଙ୍କର ତୃତୀୟ ଘର ବାହାରେ ଛିଡ଼ା ହୋଇଛନ୍ତି; ସେ ସମୁଦ୍ରରେ ତାଙ୍କର ପ୍ରଥମ ଦୁଇଟି ଘର ହରାଇଛନ୍ତି' ସେ କୁହନ୍ତି 'ଆମେ ପୁଣିଥରେ ଋଣ ନେଇ ଘର କଲୁ, ତାହା ପୁଣି ବୁଡ଼ିଗଲା'

ଏଠାକାର ମତ୍ସ୍ୟଜୀବୀ ପରିବାର ମଧ୍ୟରୁ ଗୋଟିଏ ପରିବାରର ସଦସ୍ୟା ଏମ. ପୋଲେଶ୍ୱରୀଙ୍କଠାରେ ମଧ୍ୟ ମରମ୍ମାଙ୍କ ଯନ୍ତ୍ରଣା ପ୍ରତିଫଳିତ ହୋଇଥାଏ। ସେ କୁହନ୍ତି, ‘‘ଆମେ ଲୋକଙ୍କଠାରୁ ଋଣ ନେଇ ଗୃହ ନିର୍ମାଣ କରିଥିଲୁ, କିନ୍ତୁ ସେହି ଘର ବୁଡ଼ିଗଲା। “ଆମେ ପୁଣିଥରେ ଋଣ ନେଇ ଘର କଲୁ, ତାହା ପୁଣି ବୁଡ଼ିଗଲା’’। ସମୁଦ୍ରରେ ପୋଲେଶ୍ୱରୀ ନିଜର ଦୁଇଟି ଘର ହରାଇ ସାରିଲେଣି। ଏବେ ସେ ନିଜର ତୃତୀୟ ଘରେ ରହୁଛନ୍ତି। ପରିବାରର ଖର୍ଚ୍ଚ ତୁଲାଇବା ଏବଂ ଗଭୀର ସମୁଦ୍ରରେ ମାଛ ମାରୁଥିବା ତାଙ୍କ ସ୍ୱାମୀଙ୍କ ସୁରକ୍ଷାକୁ ନେଇ ସେ ସବୁବେଳେ ଚିନ୍ତିତ ଥାଆନ୍ତି। ‘‘ସେ ସମୁଦ୍ରକୁ ଯାଇଥିବା ସମୟରେ ଯଦି ବାତ୍ୟା ହୁଏ ତା’ହେଲେ ସେ ପ୍ରାଣ ହରାଇ ପାରନ୍ତି । କିନ୍ତୁ ଆମେ ଆଉ କ’ଣ କରିପାରିବୁ? ସମୁଦ୍ର ଆମର ଏକମାତ୍ର ଜୀବିକା।’’

ଆୟର ଅନ୍ୟ ସବୁ ଉତ୍ସ ମଧ୍ୟ ଧୀରେ ଧୀରେ ବନ୍ଦ ହୋଇଯାଉଛି। ପ୍ରସାଦଙ୍କର ମନେ ଅଛି, ପିଲାଦିନେ ଜୁଆର କମ୍ ଥିବା ସମୟରେ ସେମାନେ ସମୁଦ୍ର ତଟରେ ଶାମୁକା କିମ୍ବା କଙ୍କଡ଼ା ସଂଗ୍ରହ କରୁଥିଲେ। ସେଗୁଡ଼ିକୁ ବିକ୍ରି କରି ଛୋଟ ଛୋଟ ପକେଟ ଖର୍ଚ୍ଚ ତୁଲାଉଥିଲେ। ବାଲି ଏବଂ ବେଳାଭୂମି ଧୀରେ ଧୀରେ କ୍ଷୟ ହୋଇ ଚାଲିଥିବାରୁ ଶାମୁକା ମଧ୍ୟ ଆଉ ମିଳୁନାହାନ୍ତି, କ୍ରେତାମାନଙ୍କର ମଧ୍ୟ ଆଉ ଦେଖା ମିଳୁନାହିଁ।

ନିଜ ଘର ବାହାରେ ଖରାରେ ଶୁଖା ହୋଇଥିବା ପୁରୁଣା ଶାମୁକା ଆଡ଼କୁ ଚାହିଁ ପୋଲେଶ୍ୱରୀ କୁହନ୍ତି, ‘‘ଆମେ ବିକ୍ରି କରିବା ଆଶା ନେଇ ଏସବୁ ଶାମୁକା ଏକାଠି କରିଥିଲୁ। ଆମେ ଶାମୁକା କିଣିବୁ, ଆମେ ଶାମୁକା କିଣିବୁ – ଡାକି ଡାକି ଲୋକମାନେ ଏଠାକୁ ଆସୁଥିଲେ – ଏବେ ସେମାନେ ପ୍ରାୟତଃ ଆସୁନାହାନ୍ତି ।’’

ସେପ୍ଟେମ୍ବର ୨୦୨୧ ବାତ୍ୟା ପରେ ମରମ୍ମା ଏବଂ ମତ୍ସ୍ୟଜୀବୀ କଲୋନୀର ଆହୁରି ୨୯୦ ଜଣ ବାସିନ୍ଦା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କୁ ପତ୍ର ଲେଖି ସେମାନଙ୍କ ଗାଁ ପ୍ରତି ବୃଦ୍ଧି ପାଉଥିବା ବିପଦ ଓ ସଙ୍କଟ ପ୍ରତି ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ ତାଙ୍କ ପତ୍ରରେ ଦର୍ଶାଇଥିଲେ ଯେ, ‘‘ପୂର୍ବରୁ, ଶ୍ରୀ ୱାଇ. ଏସ. ରାଜଶେଖର ରେଡ୍ଡୀ ଗାରୁ (ପୂର୍ବତନ ମୁଖ୍ୟମନ୍ତ୍ରୀ) ମତ୍ସ୍ୟଜୀବୀଙ୍କ ଗ୍ରାମ ଉପକୂଳରେ ବଡ଼ ବଡ଼ ପଥର ବିଛାଇବାର ବ୍ୟବସ୍ଥା କରାଇଥିଲେ, ଏହା ସେମାନଙ୍କ ଗାଁକୁ ସମୁଦ୍ର ଗର୍ଭରେ ଲୀନ ହେବାରୁ ସୁରକ୍ଷା ଦେଇଥିଲା। ଏହିସବୁ ପଥର ପରବର୍ତ୍ତୀ ଅବସ୍ଥାରେ ଆମକୁ ବାତ୍ୟା ଓ ସୁନାମିଠାରୁ ସୁରକ୍ଷା ଦେଇଥିଲା।

The stretch from the fishing colony to the beach, in January 2020. Much of it is underwater now.
PHOTO • Rahul M.
The Uppada-Kakinada road became unsafe after it was damaged by Cyclone Jawad in December 2021. A smaller road next to it is being used now
PHOTO • Rahul M.

ବାମ: ଜାନୁୟାରୀ ୨୦୨୦ରେ କେଉଟ ବସ୍ତିରୁ ସମୁଦ୍ର ପର୍ଯ୍ୟନ୍ତ ଏହି ରାସ୍ତା। ବର୍ତ୍ତମାନ ଏହାର ଅଧିକାଂଶ ପାଣି ତଳେ। ଡାହାଣ: ୨୦୨୧ ଡିସେମ୍ବରରେ ସାମୁଦ୍ରିକ ଝଡ଼ ଜୱା ଦ ଦ୍ଵାରା ନଷ୍ଟ ହେବା ପରେ ଉପ୍ପଡ଼ା-କାକିନଡ଼ା ସଡ଼କ ଅସୁରକ୍ଷିତ ହୋଇଯାଇଥିଲା। ବର୍ତ୍ତମାନ ଏହା ନିକଟରେ ତିଆରି ହୋଇଥିବା ଏକ ଛୋଟ ସଡ଼କ ଏବେ ବ୍ୟବହାର କରାଯାଉଛି

‘‘ଏବେ ବାରମ୍ବାର ବାତ୍ୟା ହେଉଥିବାରୁ, ଉପକୂଳରେ ଥିବା ବଡ଼ ବଡ଼ ପଥର ସ୍ଥାନାନ୍ତରିତ ହୋଇଯାଇଛି ଏବଂ ବନ୍ଧ ନଷ୍ଟ ହୋଇଯାଇଛି। ପଥରକୁ ବାନ୍ଧି ରଖିଥିବା ରଶି ମଧ୍ୟ ଛିଣ୍ଡି ଯାଇଛି । ତେଣୁ ଉପକୂଳରେ ଧାଡ଼ି ଧାଡ଼ି ହୋଇ ରହିଥିବା କୁଡ଼ିଆ ଓ ଘରସବୁ ସମୁଦ୍ର ଜଳରେ ଏକାକାର ହୋଇଯାଇଛି। ଉପକୂଳରେ ରହୁଥିବା ମତ୍ସ୍ୟଜୀବୀମାନେ ଆତଙ୍କରେ କାଳାତିପାତ କରୁଥିବା,’’ ସେମାନେ ଚିଠିରେ ଦର୍ଶାଇଛନ୍ତି। ବଡ଼ ବଡ଼ ପଥର ଚଟାଣ ଉପକୂଳରେ ରଖିବା ଲାଗି ସେମାନେ ଅନୁରୋଧ କରିଛନ୍ତି।

ତେବେ ଡକ୍ଟର ରାଓ କୁହନ୍ତି, ମାଡ଼ି ଆସୁଥିବା ସମୁଦ୍ରଠାରୁ ଯେ ବଡ଼ ବଡ଼ ପଥର ଖଣ୍ଡ ସ୍ଥାୟୀ ସୁରକ୍ଷା ପ୍ରଦାନ କରିବ, ତାହାର ଖୁବ୍‌ କମ୍ ପ୍ରମାଣ ରହିଛି । ସ୍ଥଳଭାଗକୁ ମାଡ଼ି ଆସୁଥିବା ସମୁଦ୍ରର କ୍ଷମତା ଅଧିକ ଥିବାରୁ ଏଗୁଡ଼ିକ କେବଳ ଅସ୍ଥାୟୀ ସୁରକ୍ଷା ପ୍ରଦାନ କରିପାରିବ। ‘‘ସମ୍ପତ୍ତିକୁ ସୁରକ୍ଷା ଦେବା ଲାଗି ଚେଷ୍ଟା କରନ୍ତୁ ନାହିଁ। ବେଳାଭୂମିକୁ ସୁରକ୍ଷିତ ରଖନ୍ତୁ। ବେଳାଭୂମି ଆପଣଙ୍କ ସମ୍ପତ୍ତିକୁ ସୁରକ୍ଷିତ ରଖିବ’’, ସେ କୁହନ୍ତି। ସେ ଆହୁରି କହିଛନ୍ତି, ‘‘ସମୁଦ୍ରରେ ଅପତଟୀୟ ବାଧା – ଜାପାନର କୈକେ ସମୁଦ୍ର ଉପକୂଳରେ ଲହଡ଼ିକୁ ଭାଙ୍ଗୁଥିବା ବିଶାଳ ପଥର ଢାଞ୍ଚା ଭଳି ବ୍ୟବସ୍ଥା-ଉପ୍ପଡ଼ାରେ ବେଳାଭୂମି କ୍ଷରଣକୁ ରୋକିବାରେ ସକ୍ଷମ ହୋଇପାରିବ।’’

*****

ଗାଁ ଆଡ଼କୁ ସମୁଦ୍ର ମାଡ଼ି ଆସୁଥିବାରୁ, ସାମାଜିକ ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। ୮୦ ଦଶକରେ ବୁଣାକାର ସମୁଦାୟ – ଉପ୍ପଡ଼ାରେ ଉତ୍କୃଷ୍ଟ ରେଶମ ଶାଢ଼ୀ ବୁଣିବା ଲାଗି ପ୍ରସିଦ୍ଧ – ଗାଁ ମୁଣ୍ଡରୁ ଆଭ୍ୟନ୍ତରୀଣ ଇଲାକାକୁ ଚାଲି ଯାଇଛନ୍ତି । ସେଠାରେ ସରକାର ସେମାନଙ୍କୁ କିଛି ଜମି ଆବଣ୍ଟନ କରିଛନ୍ତି । ଅଧିକ ସମୃଦ୍ଧଶାଳୀ ଗ୍ରାମବାସୀ, ବିଶେଷ କରି ଉଚ୍ଚ ଜାତିର ଲୋକମାନେ ମଧ୍ୟ ଧୀରେ ଧୀରେ ସମୁଦ୍ର ଉପକୂଳ ଠାରୁ ଦୂରକୁ ଚାଲି ଯାଉଛନ୍ତି। କିନ୍ତୁ ମତ୍ସ୍ୟଜୀବୀ ସମୁଦାୟଙ୍କ ଜୀବିକା ସମୁଦ୍ର ସହ ଅତୁଟ ଭାବେ ଯୋଡ଼ି ହୋଇ ରହିଥିବାରୁ ଏଠାରେ ପଡ଼ିରହିବା ଅପେକ୍ଷା ସେମାନଙ୍କ ପାଖରେ ଅନ୍ୟ କୌଣସି ଚାରା ନାହିଁ।

ଉଚ୍ଚ ଜାତିର ଲୋକମାନେ ନିରାପଦ ସ୍ଥାନକୁ ପଳାୟନ କରୁଥିବା ଯୋଗୁ ଜାତି ପ୍ରଥା ସହ ଜଡ଼ିତ କେତେକ ରୀତିନୀତି ଏବଂ ପରମ୍ପରା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଉଦାହରଣ ସ୍ୱରୂପ, ପୂର୍ବରୁ ଉଚ୍ଚ ଜାତିର ଲୋକମାନଙ୍କ ପର୍ବପର୍ବାଣୀ ସମୟରେ ମତ୍ସ୍ୟଜୀବୀମାନଙ୍କୁ ନିଜେ ଧରିଥିବା ମାଛ ବାଧ୍ୟତାମୂଳକ ଭାବେ ଦେବାକୁ ପଡ଼ୁଥିଲା। ଏବେ ଆଉ ତାହା କରିବାକୁ ପଡ଼ୁନାହିଁ । ଧୀରେ ଧୀରେ ମତ୍ସ୍ୟଜୀବୀ ସମୁଦାୟର ଲୋକମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରୁଛନ୍ତି । ‘‘ଅଧିକାଂଶ ଲୋକ ସେମାନଙ୍କର ସ୍ୱାଧୀନତା ପାଇଁ ଏପରି କରୁଛନ୍ତି’’, ପାଦ୍ରୀ କୃପାରାଓ କୁହନ୍ତି । ଏଠାକାର ଅଧିକାଂଶ ଲୋକ ଗରିବ ଏବଂ ପଛୁଆ ଜାତି ଭାବେ ବର୍ଗୀକୃତ । ସେମାନେ ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପୂର୍ବରୁ ଅଧିକାଂଶ ସମୟରେ ଜାତିଗତ ଅପମାନର ଶିକାର ହେଉଥିଲେ ବୋଲି କୃପାରାଓ ସ୍ମରଣ କରି କୁହନ୍ତି।

Poleru and K. Krishna outside their home, in 2019. The structure was washed away in 2021 after Cyclone Gulab struck the coast.
PHOTO • Rahul M.
The cyclone also wrecked the fishing colony's church, so prayers are offered in the open now
PHOTO • Rahul M.

ବାମ: କେ.ପୋଲେରୁ ଏବଂ କେ.କ୍ରିଷ୍ଣା ୨୦୧୯ରେ ସେମାନଙ୍କ ଘର ବାହାରେ ଛିଡ଼ା ହୋଇଛନ୍ତି। ଗତ ବର୍ଷ ସାମୁଦ୍ରିକ ଝଡ଼ ଗୁଲାବରେ ଏହି ଘର ଧୋଇ ଯାଇଥିଲା। ଡାହାଣ: ସାମୁଦ୍ରିକ ଝଡ଼ ଦ୍ଵାରା କେଉଟ ବସ୍ତିରେ ତିଆରି ହୋଇଥିବା ଚର୍ଚ୍ଚ ଭାଙ୍ଗି ଯାଇଥିବାରୁ ଏବେ ସେହି ସ୍ଥାନରେ ଖୋଲାରେ ପ୍ରାର୍ଥନା କରାଯାଉଛି

ଚିନ୍ନାବାଇଙ୍କ ପୁଅ ଓ. ଦୁର୍ଗାୟା କୁହନ୍ତି, ‘’୨୦-୩୦ ବର୍ଷ ପୂର୍ବରୁ, ଅଧିକାଂଶ ଗ୍ରାମବାସୀ ହିନ୍ଦୁ ଥିଲେ। ଗାଁରେ ନିୟମିତ ଭାବେ ସ୍ଥାନୀୟ ଦେବୀଙ୍କର ପୂଜା ହେଉଥିଲା। ଏବେ ଗାଁର ପ୍ରାୟତଃ ଲୋକ ଖ୍ରୀଷ୍ଟିଆନ୍‌ ହୋଇସାରିଛନ୍ତି ।’’ ୯୦ ଦଶକରେ ସ୍ଥାନୀୟ ଲୋକମାନେ ଗୁରୁବାର କାମରୁ ଛୁଟି ନେଉଥିଲେ (ସ୍ଥାନୀୟ ଦେବୀଙ୍କ ପୂଜା କରିବା ଲାଗି)। ଏବେ ସେମାନେ ଚର୍ଚ୍ଚରେ ପୂଜା କରିବା ଲାଗି ରବିବାର ଛୁଟି ନେଉଛନ୍ତି। ଗାଁ ଲୋକମାନେ କୁହନ୍ତି, କିଛି ଦଶନ୍ଧି ପୂର୍ବରୁ ଗାଁରେ ହାତ ଗଣତି କେତେଜଣ ମୁସଲମାନ ରହୁଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ ସ୍ଥାନୀୟ ମସଜିଦ୍‌ ସମୁଦ୍ରରେ ବୁଡ଼ିଯିବା ପରେ ଅନ୍ୟତ୍ର ଚାଲି ଯାଇଛନ୍ତି ।

ଯେଉଁ ଲୋକମାନେ ଗାଁରେ ରହିଯାଇଛନ୍ତି, ସେମାନେ ମାଡ଼ି ଆସୁଥିବା ସମୁଦ୍ର ଠାରୁ ବଞ୍ଚି ରହିବାର ସଙ୍କେତ ଓ ଶିକ୍ଷା ହାସଲ କରୁଛନ୍ତି । କେ. କ୍ରିଷ୍ଣା ନାମକ ଜଣେ ମତ୍ସ୍ୟଜୀବୀଙ୍କୁ ମୁଁ ୨୦୧୯ରେ ମୋର ଯାତ୍ରା ସମୟରେ ଭେଟିଥିଲି । ସେ ମୋତେ କହିଥିଲେ, ‘‘ବିପଦ ସମ୍ପର୍କରେ ଆଭାସ ମିଳିଯାଇଥାଏ। ପଥରଗୁଡ଼ିକ ଏକପ୍ରକାର ଅଦ୍ଭୂତ ଘୋଲୁଘୋଲୁ ଶବ୍ଦ କରିଥାନ୍ତି। ପୂର୍ବରୁ (ସମୁଦ୍ର ଢେଉର ଗତି ଅନୁମାନ କରିବା ଲାଗି) ଆମେ ତାରାଗୁଡ଼ିକୁ ଚାହୁଁଥିଲୁ; ସେଗୁଡ଼ିକ ଭିନ୍ନ ଭାବେ ଚମକୁ ଥିଲେ। ଏବେ ମୋବାଇଲ ଫୋନରୁ ଆମେ ସେହି ସଙ୍କେତ ପାଇପାରୁଛୁ।’’ ତାଙ୍କ ପତ୍ନୀ କେ. ପୋଲେରୁ କୁହନ୍ତି, ‘‘ବେଳେବେଳେ ପୂର୍ବ ଦିଗରେ ଥିବା ଚାଷ ଜମି ଆଡ଼ୁ ପବନ ବୋହିଲେ ମତ୍ସ୍ୟଜୀବୀମାନେ ଟଙ୍କାଟିଏ ସୁଦ୍ଧା ପାଆନ୍ତି ନାହିଁ (ସମୁଦ୍ରରେ ମାଛ ପଡ଼ନ୍ତି ନାହିଁ)। ସେମାନେ ଏହା କହିବା ସମୟରେ ଆମେ ତିନି ଜଣ ମତ୍ସ୍ୟଜୀବୀ କଲୋନୀ ମୁଣ୍ଡରେ ଥିବା ତାଙ୍କ କୁଡ଼ିଆରେ ବସି ସମୁଦ୍ର ଲହଡ଼ି ଆଡ଼କୁ ଚାହିଁଥିଲୁ । ଗୁଲାବ ବାତ୍ୟା ସେମାନଙ୍କ କୁଡ଼ିଆକୁ ନଷ୍ଟ କରି ଦେଇଥିଲା ଏବଂ ସେବେଠାରୁ ସେମାନେ ନୂଆ ଘରେ ରହୁଛନ୍ତି ।

ଇତିମଧ୍ୟରେ ମରମ୍ମା, ନିଜ ସମ୍ପର୍କୀୟଙ୍କ ଘର ବାହାରେ ଥିବା ଉଚ୍ଚା ବାରଣ୍ଡାରେ ନିଜର ଦିନରାତି ବିତାଉଛନ୍ତି । ତାଙ୍କ କଣ୍ଠସ୍ୱରର କମ୍ପନ ସେ ସହିଥିବା କ୍ଷତି ଓ ନିରାଶାକୁ ବ୍ୟକ୍ତ କରିଥାଏ। ଥର ଥର କଣ୍ଠରେ ସେ କୁହନ୍ତି, ‘‘ଆମେ ତିଆରି କରିଥିବା ଦୁଇଟି ଘରକୁ ସମୁଦ୍ର ଗିଳି ଦେଇଛି; ଆମେ ଆଉ ଏକ ଘର ତିଆରି କରିପାରିବୁ କି ନାହିଁ ମୁଁ ଜାଣେନା।’’

ଅନୁବାଦ: ଓଡ଼ିଶାଲାଇଭ୍‍

Rahul M.

Rahul M. is an independent journalist based in Anantapur, Andhra Pradesh, and a 2017 PARI Fellow.

Other stories by Rahul M.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE