‘‘ଗୋଟିଏ ବର୍ଷ ମଧ୍ୟରେ ଆମର ଅନେକ ପଶୁଙ୍କୁ ଚିତା ବାଘ ଖାଇ ଦେଇଛନ୍ତି। ସେମାନେ ରାତିରେ ଆସି, ଗୃହପାଳିତ ପଶୁମାନଙ୍କୁ ଝାମ୍ପି ନେଇଥାନ୍ତି,’’ ମେଷପାଳକ ଗୌର ସିଂ ଠାକୁର କହିଥିଲେ। ଏପରିକି ଦେଶୀ ଭୂତିଆ କୁକୁର, ଶେରୁ ମଧ୍ୟ ସେମାନଙ୍କୁ ଘଉଡ଼ାଇ ପାରିନଥାଏ, ସେ ଆହୁରି ସୂଚନା ଦେଇଥିଲେ।

ହିମାଳୟର ଗଙ୍ଗୋତ୍ରୀ ପାର୍ବତ୍ୟାଞ୍ଚଳର ଉଚ୍ଚ ପାହାଡ଼ ଉପରେ ଥାଇ ସେ ଆମ ସହ କଥା ହୋଇଥିଲେ।  ଉତ୍ତରକାଶୀ ଜିଲ୍ଲାର ସୌରା ଗାଁ ଭିତରେ ଏବଂ ପାଖରେ ରହୁଥିବା ସାତଟି ପରିବାରର ଗୃହପାଳିତ ପଶୁଙ୍କୁ ସେ ଚରାଇବା ଲାଗି ଆଣିଥିଲେ। ଗୌର ସିଂହ ସେହି ଗାଁର ବାସିନ୍ଦା ଯାହାକି ୨,୦୦୦ ମିଟର ତଳେ ଅବସ୍ଥିତ।  ଗୋଟିଏ ବର୍ଷରେ ନଅ ମାସ ପର୍ଯ୍ୟନ୍ତ ଗୃହପାଳିତ ପଶୁଙ୍କୁ ଯତ୍ନ ନେବା ଲାଗି ସେ ଏକ ଚୁକ୍ତିନାମା ଅଧୀନରେ ରହିଛନ୍ତି।  ବର୍ଷା ହେଉ ଅବା ବରଫପାତ, ତାଙ୍କୁ ବାହାରକୁ ଯିବାକୁ ହୋଇଥାଏ। ସେ ଗୃହପାଳିତ ପ୍ରାଣୀଙ୍କୁ ଚରାଇଥାନ୍ତି, ଏକତ୍ର କରିଥାନ୍ତି ଏବଂ ସବୁ ଗଣିଥାନ୍ତି।

ପାହାଡ଼ରେ ଏଣେତେଣେ ବୁଲୁଥିବା ପଶୁପଲଙ୍କୁ ଦେଖି ଆଉ ଜଣେ ମେଷପାଳକ ୪୮ ବର୍ଷ ବୟସ୍କ ହରଦେବ ସିଂ ଠାକୁର କହିଥିଲେ, ‘‘ଏଠାରେ ପାଖାପାଖି ୪୦୦ ମେଣ୍ଢା ଏବଂ ୧୦୦ ଛେଳି ଅଛନ୍ତି। ଆହୁରି ବି ଥାଇପାରନ୍ତି।’’ ସଠିକ ସଂଖ୍ୟାକୁ ନେଇ ସେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ନଥିଲେ। ଗତ ୧୫ ବର୍ଷ ହେବ ହରଦେବ ଏହି କାମ କରି ଆସୁଛନ୍ତି। ‘‘କିଛି ମେଷପାଳକ ଦୁଇ ସପ୍ତାହ ପାଇଁ ଆସିଥାନ୍ତି ଏବଂ ପୁଣି ଚାଲିଯାଆନ୍ତି। ଆଉ କିଛି ମୋ ଭଳି ରହିଯାଆନ୍ତି,’’ ସେ କହିଥିଲେ।

ଅକ୍ଟୋବର ମାସ ଥିଲା, ଉତ୍ତରାଖଣ୍ଡରେ ଗଡ଼ୱାଲ ହିମାଳୟ ପର୍ବତମାଳାର ଗଙ୍ଗୋତ୍ରୀ ପାର୍ବତ୍ୟାଞ୍ଚଳରେ ଥିବା ଏକ ତୃଣଭୂମି ‘ଚୁଲିଟପ’ର ଘାସ ଉପର ଦେଇ ଅତିଶୟ ଥଣ୍ଡା ପବନ ବୋହି ଯାଉଥିଲା। ଗୃହପାଳିତ ପ୍ରାଣୀମାନଙ୍କୁ ଘଉଡ଼େଇ ନେଉଥିବା ପୁରୁଷମାନେ ଦେହରେ କମ୍ବଳ ଘୋଡ଼େଇ ହୋଇଥିଲେ। ମେଷପାଳକମାନେ କହିଥିଲେ, ଏହା ଏକ ଭଲ ଚାରଣଭୂମି। ଉପରେ ବରଫ ଶିଖରରୁ ଛୋଟ ଝରଣାଟିଏ ତଳକୁ ବୋହିଯାଇଛି ଯାହାକି ଗୃହପାଳିତ ପଶୁଙ୍କ ପାଇଁ ଏକ ଭଲ ଜଳ ଉତ୍ସ ଭାବେ କାର୍ଯ୍ୟ କରିଥାଏ। ଝରଣାଟି ସର୍ପିଳ ଗତିରେ ପଥର ଚଟାଣ ମଧ୍ୟ ଦେଇ ୨୦୦୦ ମିଟର ତଳକୁ ବୋହି ଯାଇଛି ଏବଂ ତଳେ ଭାଗିରଥୀ ନଦୀର ଶାଖା ଭିଲାଙ୍ଗନା ନଦୀରେ ମିଶିଛି।

Guru Lal (left), Gaur Singh Thakur, and Vikas Dhondiyal (at the back) gathering the herd at sundown on the Gangotri range
PHOTO • Priti David

ଗୁରୁ ଲାଲ (ବାମ) ଏବଂ ଗୌର ସିଂ ଠାକୁର ଓ ବିକାଶ ଧୋଣ୍ଡିୟାଲ (ପଛ) ଗଙ୍ଗୋତ୍ରୀ ପର୍ବତମାଳାରେ ସୂର୍ଯ୍ୟକିରଣ ପଡ଼ିଥିବା ଏକ ସ୍ଥାନରେ ପଶୁମାନଙ୍କୁ ଏକତ୍ରିତ କରିଛନ୍ତି

Sheroo, the Bhutia guard dog, is a great help to the shepherds.
PHOTO • Priti David
The sheep and goats grazing on Chuli top, above Saura village in Uttarkashi district
PHOTO • Priti David

ବାମ: ଭୂତିଆ ସୁରକ୍ଷା କୁକୁର ଶେରୁ, ମେଷପାଳକମାନଙ୍କୁ ବିଶେଷ ସହାୟକ ହୋଇଥାଏ ଡାହାଣ: ଉତ୍ତରକାଶୀ ଜିଲ୍ଲାର ସୌରା ଗ୍ରାମରେ ଚୁଲିଟପ୍‌ ଉପରେ ମେଣ୍ଢା ଓ ଛେଳି ଚରୁଛନ୍ତି

ସୁଉଚ୍ଚ ପାହାଡ଼ ଉପରେ ଶହ ଶହ ଗୃହପାଳିତ ପଶୁଙ୍କୁ ଜଗିବା ଏକ ବିପଜ୍ଜନକ କାର୍ଯ୍ୟ ହୋଇଥାଏ। ଗଛ ଠାରୁ ଉଚ୍ଚ, ବଡ଼ ବଡ଼ ପଥର ଚଟାଣ ଏବଂ ଅସ୍ପଷ୍ଟ ଦୋଳାୟମାନ ପରିଦୃଶ୍ୟରେ ସହଜରେ ଦୁଇ ଗୋଡ଼ିଆ ଓ ଚାରିଗୋଡ଼ିଆ ଶିକାରୀମାନେ ଲୁଚି ରହିଥାନ୍ତି। ଆହୁରି ସେମାନଙ୍କ ପାଖରେ ଥିବା ଛେଳି ଓ ମେଣ୍ଢାମାନେ ଥଣ୍ଡା କିମ୍ବା ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥାନ୍ତି। ‘‘ଆମେ ତମ୍ବୁ ଟାଣି ରହିଥାଉ ଏବଂ ଆମ ଚାରି ପାଖରେ ଗୃହପାଳିତ ପଶୁମାନେ ରହିଥାନ୍ତି। ଆମ ପାଖରେ ଦୁଇଟି କୁକୁର ଅଛନ୍ତି, କିନ୍ତୁ ଚିତାବାଘ ବିଶେଷ କରି ମେଣ୍ଢା ଛୁଆ ଏବଂ ଛେଳି ଛୁଆଙ୍କୁ ଶିକାର କରିଥାଏ,’’ ୫୦ଟି ମେଣ୍ଢାଙ୍କ ପଲକୁ ଜଗୁଥିବା ହରଦେବ କହିଥିଲେ। ଗୌର ସିଂଙ୍କ ପାଖରେ ପ୍ରାୟ ୪୦ଟି ମେଣ୍ଢା ଅଛନ୍ତି।

ମେଷପାଳକମାନେ ଏବଂ ସେମାନଙ୍କର ଦୁଇ ସହାୟକ ଭୋର ୫ଟାରୁ ଉଠି, ମେଁ ମେଁ ରଡ଼ି ଦେଉଥିବା ପଶୁମାନଙ୍କୁ ଚରାଇବାକୁ ନେଇଥାନ୍ତି। ଉଚ୍ଚ ପାହାଡ଼ ଉପରକୁ ସେମାନଙ୍କୁ ନେବା ଲାଗି ବେଶ୍‌ କଷ୍ଟ କରିବାକୁ ପଡ଼ିଥାଏ। ଶେରୁ ଏଥିରେ ବେଶୀ ସହାୟତା କରିଥାଏ, ବିଶେଷ କରି ମେଣ୍ଢାଙ୍କ ପଲକୁ ଘଉଡ଼ାଇବାରେ, ଯାହାଫଳରେ ସମସ୍ତଙ୍କୁ ଠିକ୍‌ ଭାବେ ଖାଦ୍ୟ ମିଳିପାରିବ।

ସବୁଜ ଚାରଣଭୂମି ସନ୍ଧାନରେ ମେଣ୍ଢାପଲଙ୍କୁ ଗୋଟିଏ ଦିନରେ ୨୦ କିଲୋମିଟର କିମ୍ବା ଅଧିକ ଦୂରତା ଅତିକ୍ରମ କରିବାକୁ ହୋଇଥାଏ। ବେଳେ ବେଳେ ଅଧିକ ଉଚ୍ଚସ୍ଥାନକୁ ଯିବାକୁ ପଡ଼େ। ସାଧାରଣତଃ ସ୍ଥାୟୀ ହିମରେଖା ତଳେ ଘାସ ଦେଖିବାକୁ ମିଳିଥାଏ। କିନ୍ତୁ ପ୍ରବାହମାନ ଜଳଧାରା ସହିତ ଏପରି ତୃଣଭୂମି ଖୋଜିବା ଏକ ବିପଜ୍ଜନକ କାର୍ଯ୍ୟ ହୋଇପାରେ। ଘାସ ସନ୍ଧାନରେ, ଅଧିକାଂଶ ସମୟରେ ମେଷପାଳକମାନେ ୧୦୦ କିମି ଉତ୍ତର ଦିଗକୁ, ଭାରତ-ଚୀନ ସୀମା ନିକଟକୁ ଚାଲି ଯାଆନ୍ତି।

Guru Lal, Gaur Singh Thakur, Vikas Dhondiyal and their grazing sheep on the mountain, with snowy Himalayan peaks in the far distance
PHOTO • Priti David

ଗୁରୁ ଲାଲ, ଗୌର ସିଂ ଠାକୁର, ବିକାଶ ଧୋଣ୍ଡିୟାଲ ପାହାଡ଼ ଉପରେ ସେମାନଙ୍କ ମେଣ୍ଢା ଚରାଉଛନ୍ତି, ଦୂରରେ ଅଛି ହିମାଳୟର ବରଫାବୃତ୍ତ ଶିଖର

ପୁରୁଷମାନେ ଛୋଟ ଟେଣ୍ଟରେ ରହିଥାନ୍ତି ଏବଂ ବେଳେବେଳେ ସେମାନେ ଗୃହପାଳିତ ପ୍ରାଣୀଙ୍କ ପାଇଁ ତିଆରି ହୋଇଥିବା ପଥର କୁଡ଼ିଆ– ଚନ୍ନିର ଉପଯୋଗ କରିଥାନ୍ତି। ଏହା ଉପରେ ଛାତ ପାଇଁ ଜରି ପାଲ ବ୍ୟବହୃତ ହୋଇଥାଏ।  ଚାରଣ ଭୂମି ସନ୍ଧାନରେ ସେମାନେ ଯେତିକି ଉପରକୁ ଯାଇଥାନ୍ତି, ସେତିକି କମ୍‌ ଗଛ ଦେଖିବାକୁ ମିଳେ। ତେଣୁ ରୋଷେଇ କରିବା ଲାଗି କାଠ ଜାଳେଣି ସଂଗ୍ରହ କରିବାରେ ସେମାନଙ୍କର ସମୟ ଓ ଶ୍ରମ ବିନିଯୋଗ ହୋଇଥାଏ।

‘‘ବର୍ଷରେ ୯ ମାସ ଆମେ ଘରଠାରୁ ଦୂରରେ ରହିଥାଉ। ଏଠାକୁ ଆସିବା ପୂର୍ବରୁ ଆମେ ଛଅ ମାସ ପର୍ଯ୍ୟନ୍ତ ଗଙ୍ଗୋତ୍ରୀ ନିକଟ ହରସିଲରେ ରହିଥିଲୁ (ଚୁଲିଟପ); ଏଠାରେ ଆମେ ଦୁଇ ମାସ ହେଲା ରହିଛୁ। ଏବେ ଶୀତ ବଢ଼ିଲାଣି ତେଣୁ ଆମମାନଙ୍କୁ ଘରକୁ ଫେରିଯିବାକୁ ହେବ,’’ ଉତ୍ତରକାଶୀ ଜିଲ୍ଲାର ଭଟୱରଜିଲ୍ଲା ସୌର ନିକଟବର୍ତ୍ତୀ ଜମଲୋ ପଡ଼ାର ବାସିନ୍ଦା ହରଦେବ କହିଥିଲେ। ସୌରାରେ ତାଙ୍କ ପାଖରେ ଗୋଟିଏ ବିଘାରୁ କମ୍‌ ଜମି (ଗୋଟିଏ ଏକରର ଏକ ପଞ୍ଚମାଂସ ହେଉଛି ଗୋଟିଏ ବିଘା) ରହିଛି। ତାଙ୍କ ପତ୍ନୀ ଓ ପିଲାମାନେ ସେହି ଜମିରେ ଚାଉଳ ଓ ରାଜମା ଚାଷ କରନ୍ତି, ଯାହାକୁ ସେମାନେ ପରିବାରର ଖାଦ୍ୟ ଭାବେ ଉପଯୋଗ କରିଥାନ୍ତି।

ଶୀତ ଋତୁ ତିନି ମାସ ପର୍ଯ୍ୟନ୍ତ, ବରଫ କାରଣରୁ ଅନ୍ୟତ୍ର ଯିବା ସମ୍ଭବ ହୋଇନଥାଏ। ମେଣ୍ଢାପଲ ଏବଂ ସେମାନଙ୍କ ପାଳକମାନେ ନିଜ ଗାଁରେ କିମ୍ବା ଆଖପାଖ ଅଞ୍ଚଳରେ ରହିଥାନ୍ତି।  ମାଲିକମାନଙ୍କୁ ନିଜ ଗୃହପାଳିତ ପଶୁଙ୍କୁ ଗଣିବା ଏବଂ ସମୀକ୍ଷା କରିବାକୁ ସମୟ ମିଳେ। ଗୃହପାଳିତ ପଶୁଙ୍କୁ ଚରାଇବା ଲାଗି ମାଲିକମାନେ ମେଷପାଳକମାନଙ୍କୁ ମାସିକ ୮,୦୦୦ରୁ ୧୦,୦୦୦ ଟଙ୍କା ପାରିଶ୍ରମିକ ଦେଇଥାନ୍ତି। ଗୋଟିଏ ପଶୁ କ୍ଷତି ହୋଇଥିଲେ, ଏହି ଦରମାରୁ ମାଲିକ ଟଙ୍କା କାଟି ରଖି ଦେଇଥାଏ। ସହାୟକମାନଙ୍କୁ ଭିନ୍ନ ଭାବେ ପାରିଶ୍ରମିକ ଦିଆଯାଏ – ସେମାନଙ୍କୁ ପାରିଶ୍ରମିକ ବାବଦରେ ୫-୧୦ଟି ଛେଳି ମିଳିପାରେ।

Crude stone dwellings called channi, mostly used for cattle, are found across the region.
PHOTO • Priti David
The herders (from left): Hardev Singh Thakur, Guru Lal, Vikas Dhondiyal and Gaur Singh Thakur, with Sheroo, their guard dog
PHOTO • Priti David

ବାମ: ସ୍ଥାନୀୟ ଅଞ୍ଚଳରେ ପଥର ତିଆରି କୁଡ଼ିଆ ଚନ୍ନି ଦେଖିବାକୁ ମିଳିଥାଏ ଯାହାକି ମୁଖ୍ୟତଃ ଗୃହପାଳିତ ପଶୁଙ୍କୁ ରଖିବା ଲାଗି ବ୍ୟବହାର କରାଯାଇଥାଏ। ଡାହାଣ : ମେଷପାଳକ (ବାମରୁ): ହରଦେବ ସିଂ ଠାକୁର, ଗୁରୁ ଲାଲ, ବିକାଶ ଧୋଣ୍ଡିୟାଲ ଏବଂ ଗୌର ସିଂ ଠାକୁର ସେମାନଙ୍କ ରକ୍ଷାକାରୀ କୁକୁର ଶେରୁ ସହ ଠିଆ ହୋଇଛନ୍ତି

ଛୋଟ ସହର ଏବଂ ଏପରିକି ଉତ୍ତରକାଶୀ ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଗୋଟିଏ ଛେଳି କିମ୍ବା ମେଣ୍ଢା ପ୍ରାୟ ୧୦,୦୦୦ ଟଙ୍କାରେ ବିକ୍ରି ହୋଇଥାଏ। ‘‘ସରକାର (କର୍ତ୍ତୃପକ୍ଷ) ଆମ ପାଇଁ କିଛି କରିପାରିବେ, ଆମ ଛେଳି ଓ ମେଣ୍ଢା ବିକ୍ରି ଲାଗି ନିର୍ଦ୍ଦିଷ୍ଟ ସ୍ଥାନର ସ୍ଥାୟୀ ବ୍ୟବସ୍ଥା କରାଯାଇପାରିବ। ଏଥିରୁ ଆମକୁ ଭଲ ଦର ମିଳିବ,’’ ସର୍ଦ୍ଦିରେ ପୀଡ଼ିତ ଗୌର ସିଂ ଆମକୁ କହିଥିଲେ। ସହଜରେ ଚିକିତ୍ସା ସୁବିଧା ମିଳୁନଥିବାରୁ ତାଙ୍କ ଭଳି ମେଷପାଳକମାନେ ସର୍ଦ୍ଦିରୁ ରକ୍ଷା ପାଇବାକୁ ଗୋଟିଏ ବଟିକା ପାଇଁ ପଥଚାରୀଙ୍କ ଉପରେ ନିର୍ଭର କରିଥାନ୍ତି ବୋଲି ସେ କହିଥିଲେ।

ଶିମଲା ଜିଲ୍ଲାର ଦୋଦ୍ରା-କୋଆର ତହସିଲରୁ ଆସିଥିବା ୪୦ ବର୍ଷ ବୟସ୍କ ସହାୟକ ଗୁରୁ ଲାଲ କହିଥିଲେ ଯେ, ‘‘ଏହି କାମ ପାଇବା ଲାଗି ମୁଁ ୨୦୦୦ କିଲୋମିଟରରୁ ଅଧିକ ବାଟ ପାଦରେ ଚାଲି ଚାଲି ହିମାଚଳ ପ୍ରଦେଶରୁ ଏଠାକୁ ଆସିଛି। ମୋ ଗାଁରେ କିଛି କାମ ନାହିଁ।’’ ଦଳିତ ସମୁଦାୟର ଗୁରୁ ଲାଲ ଆହୁରି କହିଥିଲେ ଯେ, ୯ ମାସ ଏହି କାମ କରିବା ପରେ ପାରିଶ୍ରମିକ ଭାବେ ତାଙ୍କୁ ୧୦ଟି ଛେଳି ମିଳିବ। ଘରେ ଥିବା ପତ୍ନୀ ଓ ଦଶ ବର୍ଷର ପୁଅ ପାଖକୁ ଫେରଯିବା ସମୟରେ ଏସବୁ ଛେଳଙ୍କୁ ସେ ବିକ୍ରି କରିଦେବେ କିମ୍ବା ସେମାନଙ୍କୁ ନେଇ ଛେଳି ପାଳନ କରିବେ।

ରୋଜଗାର ନମିଳିବା କାରଣରୁ ହିଁ ହରଦେବ ସିଂ ମେଷପାଳକ ହୋଇଛନ୍ତି। ‘‘ମୋ ଗାଁର ଲୋକମାନେ ମୁମ୍ବାଇରେ ହୋଟେଲ କାମ କରିବାକୁ ଚାଲି ଯାଉଛନ୍ତି। ଏଠାରେ ପାହାଡ଼ ଉପରେ ଶୀତ କିମ୍ବା ଆର୍ଦ୍ରତାର ସମ୍ମୁଖିନ ହେବାକୁ ପଡ଼ିବ। କେହି ଏ କାମ କରିବାକୁ ରାଜି ହେଉନାହାନ୍ତି – ଦିନ ମଜୁରି କାମଠାରୁ ଏହା ଅଧିକ କଷ୍ଟ। କିନ୍ତୁ ମଜୁରି କାମ କେଉଁଠି ମିଳୁଛି?’’ ସେ ପ୍ରଶ୍ନ କରିଥିଲେ।

The shepherds at work, minding their animals, as the sun rises on the Gangotri range in the background
PHOTO • Priti David

ଗଙ୍ଗୋତ୍ରୀ ପର୍ବତମାଳାରେ ସୂର୍ଯ୍ୟୋଦୟ ହେବା ସହିତ ମେଷପାଳକମାନଙ୍କ କାମ ଆରମ୍ଭ ହୋଇସାରିଛି ଏବଂ ସେମାନେ ପଶୁମାନଙ୍କୁ ଚରାଇବା ଆରମ୍ଭ କରି ଦେଇଛନ୍ତି

ଏହି ରିପୋର୍ଟ ପ୍ରସ୍ତୁତ କରିବାରେ ସହାୟତା ପାଇଁ ଅଞ୍ଜଳି ବ୍ରାଉନି ଏବଂ ସନ୍ଧ୍ୟା ରାମଲିଙ୍ଗମଙ୍କୁ ରିପୋର୍ଟର ଧନ୍ୟବାଦ ଜଣାଇଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE