ସୁଗି ରାଧାକ୍ରିଷ୍ଣନ କହିଲେ, "ଆଜିକାଲି ଆପଣ ଗୋଟିଏ ଦୋକାନରୁ ସବୁ ଜିନିଷ କିଣି ପାରିବେ। କିନ୍ତୁ ଆମ ଆଦିବାସୀ ସଂପ୍ରଦାୟଗୁଡ଼ିକର ଧାର୍ମିକ କାର୍ଯ୍ୟରେ ଆମ କୋଟା ଆଦିବାସୀ ମହିଳାମାନଙ୍କ ଦ୍ୱାରା ତିଆରି ହୋଇଥିବା ମାଟିପାତ୍ର ହିଁ ବ୍ୟବହାର ହୋଇଥାଏ।" ସୁଗି ରାଧାକ୍ରିଷ୍ଣନଙ୍କ ବୟସ ୬୩ ବର୍ଷ, ଘର ତିରୁଚିଗାଡ଼ି ନାମକ ଆଦିବାସୀ ପଡ଼ାରେ, ଯାହାକୁ ସେ ତିର୍ଚ୍ଚଗାଡ଼ ବୋଲି କହନ୍ତି – କୋଟା ଲୋକଙ୍କ ଗାଁର ନାଁଗୁଡ଼ିକ ସାମାନ୍ୟ ଅଲଗା ଅଲଗା ହୋଇଥାଏ। ଏହି ପଡ଼ା ଗାଁଟି ତାମିଲନାଡ଼ୁ ନୀଳଗିରି ଜିଲ୍ଲା ଉଦ୍ଧଗମଣ୍ଡଲମ୍ ତାଲୁକରେ ଅବସ୍ଥିତ।

ସୁଗି ଘରେ ଥିଲା ବେଳେ କୋଟା ମହିଳାଙ୍କ ପୋଷାକ ପିନ୍ଧନ୍ତି – ଏକ ଧଳା ରଙ୍ଗର ମୋଟା ଚଦର ବାନ୍ଧିଥାନ୍ତି, ଦେଖିବାକୁ କଉପିନି ଭଳି ଯାହାକୁ କୋଟା ଭାଷାରେ କହନ୍ତି ଦୁପିଟ କହନ୍ତି। ଏହା ସହ ଏକ ଧଳା ସାଲ୍ ଯାହାକୁ ବାରାଡ଼ କହନ୍ତି। କୋଟଗିରି ଏବଂ ଅନ୍ୟ ସହରରେ କାମ କଲାବେଳେ, ତିରୁଚାଗଡ଼ିର ମହିଳା ଓ ପୁରୁଷମାନେ ଏହି ପାରଂପରିକ ପୋଷାକ ପିନ୍ଧନ୍ତି ନାହିଁ। କେବଳ ଗାଁକୁ ଫେରିଲେ ପିନ୍ଧନ୍ତି। ସୁଗି ତାଙ୍କ ତୈଳାକ୍ତ କେଶରେ ବେଣି ବାନ୍ଧି ତଳକୁ ଝୁଲାଇ ଦେଇଥିଲେ। ଏହା ତାଙ୍କ ଆଦିବାସୀ ମହିଳାଙ୍କର ସ୍ୱତନ୍ତ୍ର ଶୈଳୀ। ତାଙ୍କ ଘରକୁ ଲାଗିଥିବା ହାଣ୍ଡି ତିଆରି ଶାଳକୁ ଆମକୁ ପାଛୋଟି ନେଲେ।

"ପାତ୍ରଟିଏ କିଭଳି ଗଢାଯିବ, ସେ ନେଇ ମୁଁ ବିଧିବଦ୍ଧ 'ଶିକ୍ଷା' କରିନି। କେବଳ ମୋ ଜେଜେ ମାଙ୍କ ହାତକୁ ଚାହୁଁଥିଲି, ନଜର କରୁଥିଲି କେମିତି ଢଙ୍ଗରେ ସେ ତାଙ୍କ ହାତ ବୁଲୋଉଛନ୍ତି। ଗୋଟିଏ ସିଲିଣ୍ଡର ଆକୃତିର ପାତ୍ରକୁ ଗୋଲାକାର କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗେ। ଏଥିପାଇଁ ପାତ୍ରର ବାହାର ପଟେ ଏକ ଛୋଟ କାଠ ପଟା ସାହାଯ୍ୟରେ ଏବଂ ଭିତର ପଟୁ ଏକ ଚିକ୍କଣ ଗୋଲାକାର ପଥର ଖଣ୍ଡ ସାହାଯ୍ୟରେ ଖୁବ୍ ହାଲକା ଭାବରେ ଆଘାତ କରିବାକୁ ହୁଏ। ଏହା ଦ୍ୱାରା ମଧ୍ୟ ପାତ୍ରଟି ଧୀରେ ଧୀରେ ସୁଖେ। ଯେପରି ପାତ୍ରରେ କୌଣସି ଫାଟ ସୃଷ୍ଟି ନହେବ ତାକୁ ଧ୍ୟାନରେ ରଖି ପଥର ଏବଂ କାଠଖଣ୍ଡକୁ ଏକ ସାଙ୍ଗରେ ଚଲାଇବାକୁ ହୁଏ। ଏମିତି ଏକ ପାତ୍ରରେ ଭାତ ରାନ୍ଧିଲେ ଖୁବ୍ ସୁନ୍ଦର ବାସ୍ନା ହୁଏ। ଛୋଟ ମୁହଁ ଥିବା ପାତ୍ରଗୁଡ଼ିକରେ ସମ୍ଭର ପ୍ରସ୍ତୁତ କରାଯାଏ। ଆପଣ ଏହା ପରୀକ୍ଷା କରିପାରିବେ।"

PHOTO • Priti David
PHOTO • Priti David
PHOTO • Priti David

ଥିରୁଚିଗାଡ଼ିର ମହିଳା ହାଣ୍ଡି ଗଢାଳି, ୬୩ ବର୍ଷୀୟ ସୁଗି ରଧାକ୍ରିଷ୍ଣନ କହନ୍ତି, ସେ ତାଙ୍କ ଜେଜେ ମା’ଙ୍କୁ ଦେଖି ଦେଖି ଏହି କଳା ଶିଖି ଯାଇଛନ୍ତି

ଦକ୍ଷିଣ ଭାରତର ନୀଳଗିରି ପାର୍ବ୍ୟତ୍ୟାଞ୍ଚଳରେ ରହୁଥିବା କେବଳ କୋଟା ଜନଜାତିର ମହିଳାମାନେ ହାଣ୍ଡି ଗଢିବା କାର୍ଯ୍ୟରେ ନିୟୋଜିତ ରହନ୍ତି। ସେମାନଙ୍କ ସଂଖ୍ୟା ଖୁବ୍ କମ୍ – ଜନଗଣନା (୨୦୧୧ ) ଅନୁସାରେ, ନୀଳଗିରି ଜିଲ୍ଲାରେ କେବଳ ୧୦୨ଟି ପରିବାରରେ ୩୦୮ ଜଣ କୋଟା ଜନଜାତି ଅଛନ୍ତି। ତେବେ ଏହି ସଂଖ୍ୟା ୩,୦୦୦ ବୋଲି କୋଟା ସଂପ୍ରଦାୟର ବୟସ୍କମାନେ ଦାବି କରନ୍ତି। (ଏବଂ ଏହାର ଏକ ସଠିକ ସର୍ବେକ୍ଷଣ ପାଇଁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଛନ୍ତି)

ଗାଁ ପାଖ ପଡ଼ିଆରୁ ଏକ ଉତ୍ସବରେ ମାଟି ଆଣିବା ପର୍ବଠାରୁ ଆରମ୍ଭ କରି ଏହାକୁ ଚକଟିବା, ଆକାର ଦେବା ଏବଂ ପୋଡିବା ଆଦି ସବୁ କାମ ଚକରେ ବସୁଥିବା ମହିଳାମାନେ ହିଁ କରିଥାନ୍ତି। ଅତୀତରେ ପୁରୁଷମାନେ କେବଳ ଚକକୁ ସଜେଇବା ଛଡ଼ା ଆଉ ଅଧିକ କିଛି କରୁ ନଥିଲେ। ମହିଳାମାନେ କେବଳ ଧାର୍ମିକ କାର୍ଯ୍ୟ ଉଦ୍ଦେଶ୍ୟରେ ନୁହେଁ, ବରଂ ଖାଇବା ପାଇଁ, ରୋଷେଇ ପାଇଁ, ପାଣି ରଖିବା ପାଇଁ, ଶସ୍ୟ ସାଇତି ରଖିବା ପାଇଁ ପାତ୍ର ଗଢୁଥିଲେ। କିରୋସିନ ଲ୍ୟାମ୍ପ ଏବଂ ହୁକା ମଧ୍ୟ ଗଢୁଥିଲେ। ଏଠାକୁ ପ୍ଲାଷ୍ଟିକ୍ ଏବଂ ଷ୍ଟିଲ ଆସିବା ପୂର୍ବରୁ ପାର୍ବତୀୟମାନେ କେବଳ କୋଟାମାନଙ୍କ ଦ୍ୱାରା ନିର୍ମିତ ମାଟିପାତ୍ର ବ୍ୟବହାର କରୁଥିଲେ।

ଆମ ଦେଶରେ ସାଧାରଣତଃ ହାଣ୍ଡି ଗଢିବା ପୁରୁଷମାନଙ୍କ କାର୍ଯ୍ୟ ହୋଇଥିବା ବେଳେ ଏହା ଏକ ବ୍ୟତିକ୍ରମ। ଏହି ମହିଳା ହାଣ୍ଡି ଗଢାଳିଙ୍କ ସଂପର୍କରେ ଆଉ କିଛି ତଥ୍ୟ ମଧ୍ୟ ରହିଛି। ୧୯୦୮, ମାଡ୍ରାସ ଡିଷ୍ଟ୍ରିକ୍ଟ ଗାଜେଟରରେ ପ୍ରକାଶ ପାଇଥିବା 'ଦି ନୀଳଗିରିଜ୍' ରେ କୋଟାମାନଙ୍କ ସଂପର୍କରେ କୁହାଯାଇଥିଲା: "... ଏମାନେ ଏବେ ଅନ୍ୟ ଜନଜାତିଙ୍କ ପାଇଁ ସଂଗୀତକାର ଏବଂ କାରିଗର। ପୁରୁଷମାନେ ବଣିଆ କାମ, କମାର କାମ, କାଠ କାମ ଏବଂ ଚମଡ଼ା କାମ ଆଦି କରୁଥିବା ବେଳେ ମହିଳାମାନେ ଏକ ପ୍ରକାର ଚକରେ ହାଣ୍ଡି ଗଢୁଛନ୍ତି।"

କୋଟା ସଂପ୍ରଦାୟର ୬୫ ବର୍ଷୀୟ ମଙ୍ଗଲୀ ଶାନମୁଘମ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ପରିଚାଳକ, ଯିଏ ପୁଡୁ କୋଟାଗିରିର ପଡ଼ା ଗ୍ରାମକୁ ଫେରି ଆସିଛନ୍ତି। ସେ ଦୃଢ ଭାବେ କୁହନ୍ତି, ‘‘କେବଳ ଆମ ମହିଳାମାନେ ହାଣ୍ଡି ଗଢିପାରିବେ। ଯଦି ଆମ ଗାଁରେ କେହି ହାଣ୍ଡି କାରିଗର ନାହାନ୍ତି, ତେବେ ଏଥିପାଇଁ ଆମେ ଅନ୍ୟ ଗାଁର ଜଣେ ମହିଳାଙ୍କ ସହାୟତା ନେଇଥାଉ।’’

କୋଟା ସଂସ୍କୃତିରେ ହାଣ୍ଡି ଚଢ଼ିବା ସହ ଧାର୍ମିକ ପରଂପରାର ସଂପର୍କ ରହିଛି। ଦେବତା କାମତ୍ରୟ ଏବଂ ତାଙ୍କ ପତ୍ନୀ ଆୟାନୁରଙ୍କୁ ସମର୍ପିତ ୫୦-ଦିନିଆ ବାର୍ଷିକ ଉତ୍ସବରେ ମାଟି ଉଠାଣ ଆରମ୍ଭ ହୋଇଥାଏ। ଗତବର୍ଷ ଏହି ଉତ୍ସବ ସମୟରେ ସୁଗି ପ୍ରାୟ ୧୦୦ଟି ମାଟି ପାତ୍ର ଗଢିଥିଲେ। ସେ କହନ୍ତି, "ଡିସେମ୍ବର /ଜାନୁଆରୀ ମାସରେ ଅମାବାସ୍ୟା ପରର ପ୍ରଥମ ସୋମବାର ଆରମ୍ଭ ହୁଏ। ମାଟି ଆଣିବା ପାଇଁ ପବିତ୍ର ସ୍ଥାନକୁ ଏକ ଶୋଭାଯାତ୍ରା ବାହାରିଥାଏ। ଶୋଭାଯାତ୍ରାର ଆଗରେ ଥାଆନ୍ତି ମୁଖ୍ୟ ପୂଜକ ଓ ତାଙ୍କ ପତ୍ନୀ। ବାଦ୍ୟକାରମାନେ କୋଲି [ବଂଶୀ], ଟାପିଟ୍ ଏବଂ ଡୋବର [ଢୋଲ] ଓ କୋବ୍ [ତୁରୀ] ବାଦ୍ୟରେ ଏକ ସ୍ୱତନ୍ତ୍ର ଧୁନ୍ ତୋଳନ୍ତି। ଏହାକୁ କହନ୍ତି 'ମନ୍ ଏଟ୍ କୋଡ୍' ['ମାଟି ଆଣ']। ପ୍ରଥମେ କର୍ପମାନ୍ [କଳା ମାଟି] ଏବଂ ପରେ ଆଭାରମାନ [ଧୂସର ମାଟି] ସଂଗ୍ରହ କରାଯାଏ। ବାହାର ଲୋକଙ୍କୁ ଏହା ଭିତରକୁ ଅନୁମତି ଦିଆଯାଏ ନାହିଁ। ପର ଚାରି ମାସରେ ପାତ୍ର ଗଢାଯାଏ। ଶୀତ ଦିନର ଖରା ଏବଂ ପବନ ଏହାକୁ ଶୀଘ୍ର ଶୁଖାଇବାରେ ସହାୟତା କରେ।"

PHOTO • Priti David
PHOTO • Priti David

ଶୀତ ଦିନେ ମହିଳାମାନେ ଶହ ଶହ ପାତ୍ର ଗଢନ୍ତି ସେମାନେ ମାଟି ଆଣନ୍ତି, ଚକଟନ୍ତି, ତାକୁ ଆକାର ଦିଅନ୍ତି ଏବଂ ପୋଡନ୍ତି ଯେତେବେଳେ ପୁରୁଷମାନେ କେବଳ ଚକକୁ ସଜାନ୍ତି

ସମୟ ବଦଳୁଥିଲେ ବି କୋଟା ଗାଁଗୁଡ଼ିକରେ ହାଣ୍ଡି ଗଢିବା ସହ ଆଧ୍ୟାତ୍ମିକ ସଂଯୋଗର ଏହି ପରଂପରା ବଞ୍ଚି ରହିଛି। ସୁଗି କହନ୍ତି, "ଆଜିକାଲି ସାନସାନ ପିଲାମାନେ ଇଂରାଜୀ-ମାଧ୍ୟମ ସ୍କୁଲରେ ପଢିବାକୁ ବହୁ ଦୂରକୁ ଯାଉଛନ୍ତି। ଏସବୁ ଜିନିଷ ଦେଖିବାକୁ ଏବଂ ଶିଖିବାକୁ ତାଙ୍କ ପାଖରେ କୋଉଠି ସମୟ ଅଛି? ତେବେ ବର୍ଷରେ ଥରେ ଗାଁର ସବୁ ମହିଳାମାନେ ଏକାଠି ବସନ୍ତି ଏବଂ ଏହା କରନ୍ତି।" ତଥାପି ଏହି କଳା ଶିଖିବା ପାଇଁ ଝିଅମାନଙ୍କ ପାଖରେ ସମୟ ଅଛି।

ଏହି ମାଟି କାମର ପୁନରୁଦ୍ଧାର ପାଇଁ କୋଟାଗିରିରେ କିଛି ଅଣ-ଲାଭଦାୟକ ସଂଗଠନ କାର୍ଯ୍ୟ କରୁଛନ୍ତି। ନୀଳଗିରି ଆଦିବାସୀ ମଙ୍ଗଳ ସଂଗଠନ ୨୦୧୬-୨୦୧୭ ମସିହାରେ କୋଟା ମହିଳାଙ୍କ ଦ୍ୱାରା ନିର୍ମିତ ୪୦.୦୦୦ ଟଙ୍କାର ଜିନିଷ ବିକ୍ରି କରିଥିଲା। ଏଠାରେ ଥିବା ସାତଟି କୋଟା ବସତିକୁ ମାଟି ଚକଟିବା ମେସିନ୍ କିଣିବାକୁ ସରକାର ସହାୟତା କଲେ ଅଧିକ କିଛି କରି ହୁଅନ୍ତା ବୋଲି ସେମାନଙ୍କର ଧାରଣା ରହିଛି। ଅଧିକ ଟାଣ ଥିବା ମାଟିକୁ ଚକଟିବାରେ ଏହି ମେସିନ୍ ସହାୟକ ହୁଅନ୍ତା ବୋଲି ସୁଗି କହନ୍ତି। କିନ୍ତୁ ସେ ପୁଣି କହନ୍ତି, "ଆମେ କେବଳ ଡିସେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ କାମ କରିପାରିବୁ। ବର୍ଷର ବାକି ସମୟ ମାଟି ବେଶୀ ଶୁଖି ନଥାଏ। ଗୋଟେ ମେସିନ୍ ତାକୁ ବଦଳାଇ ପାରିବନି।"

ଆଦିବାସୀଙ୍କ ପାରିପାର୍ଶ୍ୱିକ ବିକାଶ କ୍ଷେତ୍ରରେ କୋଟାଗିରିରେ କାର୍ଯ୍ୟ କରୁଥିବା କିଷ୍ଟୋନ୍ ଫାଉଣ୍ଡେସନ୍ର ନିର୍ଦ୍ଦେଶିକା ସ୍ନେହଲତା ନାଥ କହନ୍ତି, 'ଏହି ମାଟି କଳାର ପୁନରୁଦ୍ଧାର ଏତେ ସହଜ ନୁହଁ।' ସେ କହନ୍ତି, "ଏହି ହସ୍ତକଳାକୁ ଆଗକୁ ନେବା ପାଇଁ କୋଟା ସଂପ୍ରଦାୟଠାରୁ ଆମେ ଅଧିକ ଆଗ୍ରହ ଆଶା କରୁଥିଲୁ। ତେବେ ମହିଳାମାନେ କେବଳ ଧାର୍ମିକ ଆଚରଣ ଭିତରେ ରହିବାକୁ ଚାହାନ୍ତି। ମୁଁ ଭାବୁଛି ନୂଆ ପିଢିର ମହିଳାଙ୍କୁ ନେଇ ଆଗକୁ ବଢି ହେବ। ଚକ୍ଚକ୍କରି ଏହାର ଆଧୁନିକୀକରଣ ମଧ୍ୟ କରିହେବ, ଏଥିପାଇଁ ଆମେ ପଦକ୍ଷେପ ନେଇଥିଲୁ। ଏହା ସହ ଆଧୁନିକ ବ୍ୟବହାର ସାମଗ୍ରୀ ମଧ୍ୟ ତିଆରି କରିଥିଲୁ।"

ସ୍ୱାମୀ, ପୁଅ ଓ ପରିବାର ସହ ରହୁଥିବା ସୁଗି କହନ୍ତି, ସେ କିଷ୍ଟୋନ୍ ଫାଉଣ୍ଡେସନ ଏବଂ ଟ୍ରାଇଫେଡ୍ (ଟ୍ରାଇବାଲ କୋଅପରେଟିଭ ମାର୍କେଟିଙ୍ଗ ଡେଭେଲପମେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ) ଭଳି ବଜାର ସୃଷ୍ଟି କରୁଥିବା ସଂଗଠନଗୁଡ଼ିକୁ ଗୋଟିଏ ପାତ୍ରକୁ ୧୦୦ ଟଙ୍କାରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିପାରିବେ। କିଛି ଦିନ ପୂର୍ବରୁ ସେ ଅନ୍ୟ ତିନି ଜଣ ମହିଳାଙ୍କ ସହଯୋଗରେ ୨୦୦ଟି ପାତ୍ର ତିଆରି କରିଥିଲେ। ଏଥିରୁ ମିଳିଥିବା ରୋଜଗାର ପରସ୍ପର ମଧ୍ୟରେ ବାଣ୍ଟି ନେଇଥିଲେ। କିନ୍ତୁ ତାଙ୍କ ପରିବାର ଏବଂ ତାଙ୍କ ପଡ଼ାରେ ଥିବା ଅନ୍ୟ ପରିବାରଗୁଡ଼ିକର ବଡ଼ ଆୟ କୃଷିରୁ ଏବଂ କୋଟାଗିରି ଓ ଅନ୍ୟ ସହରରେ କାମ କରିବାରୁ ମିଳିଥାଏ।

ପ୍ରଶ୍ନ ଉଠୁଛି କୋଟାର ଏହି ହସ୍ତ କାରିଗରିକୁ ଆଧ୍ୟାତ୍ମିକତା ସହ ସଂଯୁକ୍ତ କରି ବ୍ୟବସାୟକରଣ କରାଯିବା ଉଚିତ ହେବ ନା ଅଧିକ ଲାଭ ପାଇଁ ଏହାର ଆଧୁନିକୀକରଣ ହେବା ଆବଶ୍ୟକ। ଅବଶ୍ୟ ଏହା ଏକ ଜଟିଳ ପ୍ରଶ୍ନ। ଶାନମୁଘମ କହନ୍ତି, "ପୂର୍ବରୁ ଏହା ବ୍ୟବସାୟ ନଥିଲା। କିନ୍ତୁ ଯଦି ଅନ୍ୟ କେହି [ଅନ୍ୟ ଜନଜାତିର] ଗୋଟିଏ ପାତ୍ର ପାଇଁ ଅନୁରୋଧ କରନ୍ତି ତେବେ ତାଙ୍କ ପାଇଁ ଆମେ ତିଆରି କରୁ। ପ୍ରତି ବଦଳରେ ସେମାନେ ଆମକୁ କିଛି ଶସ୍ୟ ଦିଅନ୍ତି।"

PHOTO • Priti David
PHOTO • Priti David

ଧାର୍ମିକ ବିଧିକୁ ନେଇ ପାତ୍ରର ବଜାର ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଅନ୍ତି ସଂପ୍ରଦାୟର ବୟସ୍କ ମଙ୍ଗଲି ଶାନମୁଘମ (ବାମ) ଓ ରାଜୁ ଲକ୍ଷ୍ମଣ (ଡାହଣ)। ତେବେ କାରିଗରୀର ଆର୍ଥିକ ବିକାଶର କ୍ଷମତା କେତେ ସେ ଦିଗକୁ ମଧ୍ୟ ସେମାନେ ଦେଖନ୍ତି

ସୁଗିଙ୍କ ପାଇଁ ଧାର୍ମିକ ବିଧିର ଗୁରୁତ୍ୱ ସର୍ବାଧିକ। ତଥାପି ଆୟରେ ଏହା ଅଳ୍ପ କିଛି ଯୋଡ଼ୁଛି। ଶାନମୁଘମ ଯେଭଳି କହନ୍ତି, ‘‘ବିଧିର ଦିଗଟି ଅଣ-ବ୍ୟାବସାୟିକ। ଅନ୍ୟ ଦିଗଟି ସାଧାରଣତଃ ଆର୍ଥିକ। ଯଦି ପ୍ରତି ମାସରେ ଏହି ମାଟି ଜିନିଷ ବିକ୍ରି ବାବଦକୁ କିଛି ଟଙ୍କା ମିଳେ, ତେବେ ଅଧିକ ରୋଜଗାର କରି ଆମ ମହିଳାମାନେ ଖୁସି ହେବେ। ଆଜିକାଲି ଅଧିକ ରୋଜଗାର ସ୍ୱାଗତଯୋଗ୍ୟ।’’

ସଂପ୍ରଦାୟର ଅନ୍ୟ ସଦସ୍ୟମାନେ ମଧ୍ୟ ଏଥିରେ ସହମତ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଉପ ପରିଚାଳକ ଭାବେ ୨୮ ବର୍ଷ କାର୍ଯ୍ୟ କରିଥିବା ପୂଜାରୀ ରାଜୁ ଲକ୍ଷ୍ମଣ ଏକ ଆଧ୍ୟାତ୍ମିକ ଆହ୍ୱାନରେ କୋଟଗିରି ଫେରିଛନ୍ତି । ସେ କହନ୍ତି, ‘‘ବ୍ୟବସାୟକରଣ ବା ନୁହେଁ, ତାହା ପାଇଁ ଆମେ ଚିନ୍ତିତ ନୋହୁଁ। କୋଟା ଆଦିବାସୀମାନେ ତାଙ୍କ ଆବଶ୍ୟକତାକୁ ବିନା କାହାର ସାହଯ୍ୟରେ ପୂରଣ କରନ୍ତି। ଆମେ ଆମର ବିଧି ପାଇଁ ମାଟିପାତ୍ର ଆବଶ୍ୟକ କରୁ। ଏହି ଉଦ୍ଦେଶ୍ୟରେ ଆମେ ଏହାକୁ ତିଆରି କରୁଥିବୁ। ବାକି କଥା ଗୁରୁତ୍ୱପୂର୍ଣ୍ଣ ନୁହେଁ।’’

ଅନୁବାଦ କରିବାରେ ସହାୟତା କରିଥିବା କିଷ୍ଟୋନ୍ ଫାଉଣ୍ଡେସନ୍ସଦସ୍ୟ ଏନ୍ . ସେଲଭି ଏବଂ ପରମନାଥନ ଅରବିନ୍ଦ , NAWA ବି . କେ . ପୁଷ୍ପକୁମାରଙ୍କୁ ଲେଖିକା ଧନ୍ୟବାଦ ଦେବାକୁ ଚାହାନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Priti David

Priti David is a PARI reporter and our Education Editor. She works with schools and colleges to bring rural issues into the classroom and curriculum.

Other stories by Priti David