ଏହା ଠିକ୍‌ ୧୯୯୮ର ଏକ ଆଦୃତ ଚଳଚ୍ଚିତ୍ର,ଏ ବଗ୍‌ସ ଲାଇଫ୍‌ର ପରବର୍ତ୍ତୀ ଅଧ୍ୟାୟ ସଦୃଶ । ମୂଳ ହଲିଉଡ୍‌ ସିନେମାରେ, ଫ୍ଲିକ୍‌ ନାମକ ଗୋଟିଏ ପିମ୍ପୁଡ଼ି, ପିମ୍ପୁଡ଼ି ଦ୍ଵୀପ ବା ‘ଆଣ୍ଟ୍‌ ଆଇଲ୍ୟାଣ୍ଡ’ରେ ରହୁଥିବା ନିଜ ବଂଶଧରମାନଙ୍କୁ ଆକ୍ରମଣକାରୀ ଝିଣ୍ଟିକାମାନଙ୍କ କବଳରୁ ରକ୍ଷା କରିବା ସକାଶେ ବଳିଷ୍ଠ ଯୋଦ୍ଧାମାନଙ୍କୁ ନିୟୋଜିତ କରିବାକୁ ଚାହୁଁଛି ।

ଭାରତରେ ଏହି ଚଳଚ୍ଚିତ୍ରର ବାସ୍ତବଧର୍ମୀ ପରବର୍ତ୍ତୀ ଅଧ୍ୟାୟରେ ଲକ୍ଷ ଲକ୍ଷ କୋଟି କଳାକାର ଅଭିନୟ କରିଛନ୍ତି - ଯେଉଁଥିରୁ ମଣିଷଙ୍କ ସଂଖ୍ୟା ୧୩୦ କୋଟି । ପଙ୍ଗପାଳ ନାଁରେ ସୁପରିଚିତ ସେହି କ୍ଷୁଦ୍ର ଶୃଙ୍ଗ ବିଶିଷ୍ଟ ଆକ୍ରମଣକାରୀ ଝିଣ୍ଟିକାମାନେ ଏ ବର୍ଷ ମେ ମାସରେ ପହଞ୍ଚିଲେ । ପ୍ରତିଟି ପଲରେ ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ଥିଲେ । ସେମାନେ ବିହାର, ଗୁଜରାଟ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶର ପ୍ରାୟ ଅଢ଼େଇ ଲକ୍ଷ ଏକର ଜମିରେ ଚାଷ କରାଯାଇଥିବା ଫସଲ ନଷ୍ଟ କରିଦେଇଥିଲେ ବୋଲି ଦେଶର କୃଷି କମିସନର କହିଛନ୍ତି ।

ଏହି ଉଡ଼ନ୍ତା ଆକ୍ରମଣକାରୀମାନଙ୍କ ପାଇଁ ଜାତୀୟ ସୀମାରେଖା ଅର୍ଥହୀନ ହୋଇପଡ଼େ । ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (FAO) ଅନୁସାରେ, ପଶ୍ଚିମ ଆଫ୍ରିକାରୁ ଭାରତ ପର୍ଯ୍ୟନ୍ତ ୩୦ଟି ଦେଶର ୧ କୋଟି ୬୦ ଲକ୍ଷ ବର୍ଗ କିଲୋମିଟର ଅଞ୍ଚଳରେ ପଙ୍ଗପାଳ ରହିଛନ୍ତି । ଏବଂ ୧ ବର୍ଗ କିଲୋମିଟର ବ୍ୟାପୀ ୪ କୋଟି ପଙ୍ଗପାଳଙ୍କର ଗୋଟିଏ ଛୋଟିଆ ପଲ ଗୋଟିଏ ଦିନରେ ସେତିକି ଖାଦ୍ୟ ଖାଇପାରନ୍ତି ଯେତିକି ୩୫,୦୦୦ ଲୋକ, ୨୦ଟି ଓଟ କିମ୍ବା ଛଅଟି ହାତୀ ଦିନକରେ ଖାଇପାରନ୍ତି ।

ସୁତରାଂ, ଜାତୀୟ ପଙ୍ଗପାଳ ଚେତାବନୀ ସଂଗଠନର ସଦସ୍ୟ ଭାବରେ ପ୍ରତିରକ୍ଷା, କୃଷି, ଗୃହ ବ୍ୟାପାର, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ବେସାମରିକ ବିମାନ ଚଳାଚଳ ଏବଂ ଯୋଗାଯୋଗ ମନ୍ତ୍ରାଳୟର ଅଧିକାରୀମାନେ ସାମିଲ ହେବାରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ।

ହେଲେ, ଏହି ଲେଖାରେ ଆଗକୁ ଆମେ ଦେଖିବା ଯେ, କେବଳ ପଙ୍ଗପାଳମାନେ ହିଁ ଖଳନାୟକ ନୁହଁନ୍ତି । କାରଣ, କୋଟି କୋଟି କୀଟପତଙ୍ଗଙ୍କ ମଧ୍ୟରେ ବିଦ୍ୟମାନ ସୂକ୍ଷ୍ମ ସନ୍ତୁଳନକୁ ବିପଦ ଘେରକୁ ଠେଲି ଦିଆଯାଇଛି । ଭାରତରେ କୀଟ ବିଜ୍ଞାନୀ ଏବଂ ଆଦିବାସୀ ଓ ଅନ୍ୟାନ୍ୟ ଚାଷୀମାନେ ହାନିକାରକ କୀଟମାନଙ୍କୁ ଚିହ୍ନଟ କରୁଛନ୍ତି: ବହୁବିଧ ଏବଂ ବେଳେବେଳେ ବିଦେଶାଗତ ପ୍ରଜାତି ଅନ୍ତର୍ଭୁକ୍ତ । ଜଳବାୟୁ ପରିବର୍ତ୍ତନ କାରଣରୁ ସେମାନଙ୍କ ବାସସ୍ଥଳୀ ନଷ୍ଟ ହୋଇଗଲେ, ଭଲ କୀଟମାନେ- ଅର୍ଥାତ୍‌ ଖାଦ୍ୟ ଉତ୍ପାଦନରେ ସହାୟକ ‘ହିତକର କୀଟ’ମାନେ- ମଧ୍ୟ ହାନିକାରକ କୀଟରେ ପରିଣତ ହୋଇପାରନ୍ତି ।

Even the gentle Red-Breasted Jezebel butterflies (left) are creating a flutter as they float from the eastern to the western Himalayas, staking new territorial claims and unseating 'good guy' native species, while the 'bad guys' like the Schistocerca gregaria locust (right) proliferate too. (Photos taken in Rajasthan, May 2020)
PHOTO • Courtesy: Butterfly Research Centre, Bhimtal, Uttarakhand
Even the gentle Red-Breasted Jezebel butterflies (left) are creating a flutter as they float from the eastern to the western Himalayas, staking new territorial claims and unseating 'good guy' native species, while the 'bad guys' like the Schistocerca gregaria locust (right) proliferate too. (Photos taken in Rajasthan, May 2020)
PHOTO • Rajender Nagar

ଲାଲ ରଙ୍ଗର ଏହି ରେଡ୍‌-ବ୍ରେଷ୍ଟେଡ୍‌ ଜେଜେବେଲ୍‌ ପ୍ରଜାତିର ପ୍ରଜାପତି (ବାମ) ଏବେ ଶିହରଣ ଖେଳାଇ ଦେଇଛନ୍ତି ଏବଂ ପୂର୍ବରୁ ସେଠାରେ ରହିଥିବା ସ୍ଥାନୀୟ ‘ଭଲ କୀଟ’ମାନଙ୍କୁ ବାହାର କରି ନିଜ ପାଇଁ ନୂତନ ଅଞ୍ଚଳ ସୃଷ୍ଟି କରୁଛନ୍ତି । ଅନ୍ୟପକ୍ଷରେ ଶିଷ୍ଟୋସେର୍କା ଗ୍ରେଗାରିଆପ୍ରଜାତିର ପଙ୍ଗପାଳ ଭଳି ‘ଖରାପ କୀଟ’ (ଡାହାଣ) ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । (୨୦୨୦ ମେ ମାସରେ ରାଜସ୍ଥାନରେ ନିଆଯାଇଥିବା ଫଟୋ)

ଅନେକ ପ୍ରଜାତିର ପିମ୍ପୁଡ଼ି ଏବେ ବିପଜ୍ଜନକ କୀଟରେ ପରିଣତ ହେଲେଣି, ତୀବ୍ର ଧ୍ଵନି ସୃଷ୍ଟିକାରୀ ଝିଙ୍କାରିମାନେ ନୂଆ ନୂଆ ଅଞ୍ଚଳରେ ପ୍ରବେଶ କଲେଣି, ସତେଜ କାଠକୁ ଗିଳିଯିବା ପାଇଁ ଅତି ତୀକ୍ଷ୍ଣ ତୁଣ୍ଡ ବିଶିଷ୍ଟ ଉଈମାନେ ଘନ କଳା ଜଙ୍ଗଲରୁ ବାହାରକୁ ଆସିଲେଣି, ଏବଂ ମହୁମାଛିଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଭିନ୍ନ ଋୁତୁରେ କଙ୍କିମାନେ ଦୃଷ୍ଟିଗୋଚର ହେବା ସହିତ ସମସ୍ତ ଜୀବଙ୍କର ଖାଦ୍ୟ ସୁରକ୍ଷା ସ୍ଥିତି ବିପନ୍ନ ହେବାରେ ଲାଗିଲାଣି । ଏମିତି କି ନମ୍ର ସ୍ଵଭାବର ରେଡ୍‌-ବ୍ରେଷ୍ଟେଡ୍‌ ଜେଜେବେଲ୍‌ ନାମକ ଲାଲ ରଙ୍ଗର ପ୍ରଜାପତିମାନେ ବି ଦଳଦଳ ହୋଇ ବାହାରି, ସୁଦୃଶ୍ୟ ଢଙ୍ଗରେ ହିମାଳୟର ପୂର୍ବରୁ ପଶ୍ଟିମକୁ ଆଗେଇଲେଣି ଏବଂ ସେଠାରେ ପୂର୍ବରୁ ଥିବା ସ୍ଥାନୀୟ ପ୍ରଜାତିର ଭଲ ପ୍ରଜାପତିଙ୍କୁ ହଟାଇ ନୂଆ ଇଲାକା ଉପରେ ମାଲିକାନା ଜାହିର କଲେଣି । ସାରା ଭାରତରେ କୀଟମାନଙ୍କର ଏଭଳି ଯୁଦ୍ଧକ୍ଷେତ୍ର ଏବଂ ଯୋଦ୍ଧାମାନେ ଆବିର୍ଭୂତ ହେଲେଣି ।

ସ୍ଥାନୀୟ କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ କାରଣରୁ କେନ୍ଦ୍ରୀୟ ଭାରତର ମହୁ ସଂଗ୍ରହକାରୀମାନଙ୍କୁ ଆର୍ଥିକ କ୍ଷତି ସହିବାକୁ ପଡୁଛି । ମଧ୍ୟ ପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାର ଜଣେ ୪୦ ବର୍ଷୀୟ ଭାରିଆ ଆଦିବାସୀ ବ୍ରିଜ୍‌ କିଷାନ ଭାରତୀ କହନ୍ତି, “ପୂର୍ବରୁ ଏମିତି ଏକ ସମୟ ଥିଲା, ଯେତେବେଳେ ଆମେ ପାହାଡ଼ର ଗଡ଼ାଣିଆ ଚଟାଣରେ ଶହ ଶହ ମହୁମାଛି ବସା ଦେଖି ପାରୁଥିଲୁ । ଆଜିକାଲି ସେ ସବୁ ଦେଖିବା କଷ୍ଟକର ।”

ସେ ଏବଂ ଶ୍ରୀଜହଟ ଗାଁର ଅନ୍ୟ ମହୁ ସଂଗ୍ରହକାରୀମାନେ, ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର । ସେମାନେ ଆଖପାଖର ତୀଖ ପାହାଡ଼ରେ ଚଢ଼ି ମହୁ ସଂଗ୍ରହ କରନ୍ତି ଏବଂ ସେଠାରୁ ୨୦ କିଲୋମିଟର ଦୂର ତାମିଆ ବ୍ଲକ୍‌ ସଦର ମହକୁମାରେ ବସୁଥିବା ସାପ୍ତାହିକ ହାଟରେ ବିକ୍ରି କରନ୍ତି । ମହୁ ସଂଗ୍ରହ ପାଇଁ ପ୍ରତି ସଂଗ୍ରହ ଋତୁରେ ଥରେ ହିସାବରେ (ନଭେମ୍ବର-ଡିସେମ୍ବର ଏବଂ ମେ-ଜୁନ୍‌) ସେମାନେ ବର୍ଷକୁ ଦୁଇଟି ଅଭିଯାନରେ ବାହାରନ୍ତି ଏବଂ ବାହାରେ ବହୁ ଦିନ ବିତାଇ ଦିଅନ୍ତି ।

ଗତ ଦଶ ବର୍ଷ ଭିତରେ ସେମାନଙ୍କ ମହୁର ଦର କୁଇଣ୍ଟାଲ ପିଛା ୬୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି । କିନ୍ତୁ, ବ୍ରିଜ କିଷାନଙ୍କ ୩୫ ବର୍ଷୀୟ ଭାଇ ଜୟ କିଷାନ କହନ୍ତି, “ଆଗରୁ ଏଭଳି ଥରେ ଯାତ୍ରା କଲେ ଆମକୁ ଜଣ ପିଛା ୨୫-୩୦ କୁଇଣ୍ଟାଲ ମହୁ ମିଳିଯାଉଥିଲା, ଆଜିକାଲି ୧୦ କୁଇଣ୍ଟାଲ ମିଳିବା ଭାଗ୍ୟର କଥା । ଜଙ୍ଗଲରୁ ଜାମୁ, ବାହାଡ଼ା, ଆମ୍ବ ଓ ଶାଳ ଭଳି ଗଛର ସଂଖ୍ୟା କମିବାରେ ଲାଗିଛି । ଗଛ କମିବାର ଅର୍ଥ ଫୁଲ କମ ଫୁଟିବ ଏବଂ ତେଣୁ ମହୁମାଛି ଓ ଅନ୍ୟ କୀଟପତଙ୍ଗକୁ କମ୍‌ ଖାଦ୍ୟ ମିଳିବ ।” ଏବଂ ମହୁ ସଂଗ୍ରହକାରୀଙ୍କ ରୋଜଗାର ବି କମିବ ।

Top row: 'Today, bee hives are difficult to find', say honey-hunters Brij Kishan Bharti (left) and Jai Kishan Bharti (right). Bottom left: 'We are seeing  new pests', says Lotan Rajbhopa. Bottom right: 'When bees are less, flowers and fruit will also be less', says Ranjit Singh
PHOTO • Priti David

ଉପର ଧାଡ଼ି:‘ଆଜିକାଲି ମହୁଫେଣା ଖୋଜିବା କଷ୍ଟକର,’ ବୋଲି କହନ୍ତି ମହୁ ସଂଗ୍ରହକାରୀ ବ୍ରିଜ କିଷାନ ଭାରତୀ ଏବଂ ଜୟ କିଷାନ ଭାରତୀ (ଡାହାଣ) ।  ତଳ ବାମ:‘ଆମେ ନୂଆ ନୂଆ କୀଟ ଦେଖୁଛୁ’, କହନ୍ତି ଲୋଟନ ରାଜଭୋପା । ତଳ ଡାହାଣ:‘ମହୁମାଛି କମ୍‌ ଥିଲେ, ଫୁଲ ଓ ଫଳ ବି କମ୍‌ ଥିବ’ ବୋଲି କହନ୍ତି ରଞ୍ଜିତ ସିଂହ

କେବଳ ଫୁଲ ସଂଖ୍ୟା ହ୍ରାସ ହିଁ ଉଦ୍‌ବେଗର କାରଣ ନୁହେଁ । ବେଙ୍ଗାଲୁରୁର ନ୍ୟାସନାଲ ସେଣ୍ଟର ଫର୍‌ ବାୟୋଲୋଜିକାଲ ସାଇନ୍‌ସେସ୍‌ର ଡକ୍ଟର ଜୟଶ୍ରୀ ରତ୍ନମ୍‌ କହନ୍ତି, “ଆମେ ସଂଘଟନ ତାତ୍ତ୍ଵିକ ବିଷମତା ଲକ୍ଷ୍ୟ କରୁଛୁ- ଯାହାର ଅର୍ଥ କୀଟପତଙ୍ଗଙ୍କ ଆବିର୍ଭାବ ଏବଂ ଫୁଲ ଫୁଟିବା ମଧ୍ୟରେ ସଂଗତି ରହୁନାହିଁ ।” ‘ଏନ୍‌ସିବିଏସ୍‌’ର ବନ୍ୟପ୍ରାଣୀ ଜୀବବିଜ୍ଞାନ ଏବଂ ସଂରକ୍ଷଣ କାର୍ଯ୍ୟକ୍ରମର ସହାୟକ ନିର୍ଦ୍ଦେଶକ ଡକ୍ଟର ରତ୍ନମ୍‌ କହନ୍ତି, “ଶୀତୋଷ୍ମ ଅଞ୍ଚଳରେ ବସନ୍ତର ପୂର୍ବ ଆଗମନ କାରଣରୁ ଅନେକ ଗଛ କ୍ଷେତ୍ରରେ ଫୁଲ ଫୁଟିବାର ସମୟ ପାଖେଇ ଆସିଛି, ହେଲେ, ସବୁବେଳେ ପରାଗ ସଙ୍ଗମକାରୀ କୀଟମାନଙ୍କର ଆବିର୍ଭାବ ସେହି ସମୟକୁ ପାଖେଇ ଆସେନାହିଁ । ଏହାର ଅର୍ଥ କୀଟପତଙ୍ଗମାନେ ସେମାନଙ୍କ ପାଇଁ ଆବଶ୍ୟକ ସମୟରେ ଖାଦ୍ୟ ପାଉନାହାନ୍ତି । ଏହି ପରିବର୍ତ୍ତନ ଧାରା ସହିତ ଜଳବାୟୁ ପରିବର୍ତ୍ତନର ତାଳମେଳ ରଖାଯାଇପାରେ ।”

ଏବଂ ଡକ୍ଟର ରତ୍ନମଙ୍କ ଭାଷାରେ, ଯଦିଓ ଆମର ଖାଦ୍ୟ ନିରାପତ୍ତା ସହିତ ସେମାନଙ୍କର ପ୍ରତ୍ୟକ୍ଷ ସଂପର୍କ ରହିଛି, ତଥାପି “ସେମାନଙ୍କ ପ୍ରତି ଆମର ସେମିତି ଆଦର ନାହିଁ, ଯେମିତି କି ଲୋମଶ ସ୍ତନ୍ୟପାୟୀ ପ୍ରାଣୀଙ୍କ ପ୍ରତି ରହିଛି ।”

*****

ମଧ୍ୟ ପ୍ରଦେଶର ହୋଶଙ୍ଗାବାଦ ଜିଲ୍ଲାର କାଟିୟାଦାନା ପଲ୍ଲୀରେ ୫୨ ବର୍ଷୀୟ ରଂଜିତ ସିଂହ ମାର୍ଶକୋଲେ ଆମକୁ କହନ୍ତି, “କେବଳ ମୋ ପିଜୁଳି ଗଛରେ ଫଳ କମ୍‌ ହେଉନି, ଅଁଳା ଓ ମହୁଲ ଗଛରେ ବି । ଆଜିକୁ ଅନେକ ବର୍ଷ ହେଲା ଆଚାର (କିମ୍ବା ଚିରୋଞ୍ଜି) ଗଛରେ ଆଦୌ ଫଳ ଧରିନି ।” ଏଠାରେ, ଗୋଣ୍ଡ ଆଦିବାସୀ ସଂପ୍ରଦାୟର ଏହି ଚାଷୀ ଜଣକ ପିପରିୟା ତହସିଲ ଅନ୍ତର୍ଗତ ମାଟକୁଲି ଗାଁ ପାଖରେ ଥିବା ତାଙ୍କ ପରିବାରର ନଅ ଏକର ଜମିରେ ଗହମ ଓ ଚଣା ଚାଷ କରନ୍ତି ।

ରଂଜିତ ସିଂହ କହନ୍ତି, “ମହୁମାଛିଙ୍କ ସଂଖ୍ୟା କମିଗଲେ, ଫୁଲ ଓ ଫଳ ମଧ୍ୟ କମ୍‌ ହେବ ।”

ପରାଗ ସଙ୍ଗମରେ ସହାୟତା କରୁଥିବା ପିମ୍ପୁଡ଼ି, ମହୁମାଛି, ମାଛି, ବିରୁଡ଼ି, ହକ୍‌ ମଥ୍‌, ପ୍ରଜାପତି, ଭଅଁର ଏବଂ ଅନ୍ୟାନ୍ୟ ଦେଶୀ କୀଟପତଙ୍ଗମାନଙ୍କର ଡେଣା ଓ ପାଦ, ଶୁଣ୍ଢ ଓ ନିଶରେ ହିଁ ଆମ ଖାଦ୍ୟ ସୁରକ୍ଷାର କିଛି ଅଂଶ ନିର୍ଭର କରେ । ଖାଦ୍ୟ ଓ କୃଷି ସଂଗଠନର ଏକ ବୁଲେଟିନ୍‌ ଆମକୁ ଜଣାଇ ଦିଏ ଯେ, ସାରା ବିଶ୍ଵରେ ୨୦,୦୦୦ରୁ ଅଧିକ ପ୍ରଜାତିର କେବଳ ପିମ୍ପୁଡ଼ି ଏବଂ ଏହା ସହିତ ପକ୍ଷୀ, ବାଦୁଡ଼ି ଏବଂ ଅନ୍ୟ ପ୍ରାଣୀମାନଙ୍କର ଅନେକ ପ୍ରଜାତି ପରାଗ ସଙ୍ଗମରେ ସହାୟତା କରନ୍ତି । ସମସ୍ତ ଖାଦ୍ୟ ଶସ୍ୟ ଫସଲର ୭୫ ପ୍ରତିଶତ ଏବଂ ବନ୍ୟ ଉଦ୍ଭିଦର ୯୦ ପ୍ରତିଶତ ଏହି ପରାଗ ସଙ୍ଗମ ଉପରେ ନିର୍ଭର କରେ । ଏବଂ ସାରା ବିଶ୍ଵରେ ଏହା ଦ୍ଵାରା ପ୍ରଭାବିତ ଫସଲର ମୂଲ୍ୟ ୨୩୫ ବିଲିଅନ୍‌ (ଶହ କୋଟି) ଡଲାରରୁ ୫୭୭ ବିଲିଅନ୍‌ ଡଲାର ମଧ୍ୟର ହେବ ବୋଲି ଆକଳନ କରାଯାଇଛି ।

ପିମ୍ପୁଡ଼ି, ମହୁମାଛି, ମାଛି, ବିରୁଡ଼ି, ହକ୍‌ ମଥ୍‌, ପ୍ରଜାପତି, ଭଅଁର ଏବଂ ଅନ୍ୟାନ୍ୟ ଦେଶୀ କୀଟପତଙ୍ଗମାନଙ୍କର ଡେଣା ଓ ପାଦ, ଶୁଣ୍ଢ ଓ ନିଶରେ ହିଁ ଆମ ଖାଦ୍ୟ ସୁରକ୍ଷାର କିଛି ଅଂଶ ନିର୍ଭର କରେ

ଭିଡିଓ ଦେଖନ୍ତୁ: ‘ସବୁ ବୃକ୍ଷ ଓ ଗଛ ବଢ଼ିବା ପାଇଁ କୀଟପତଙ୍ଗଙ୍କ ଉପରେ ନିର୍ଭର କରନ୍ତି ’

ଖାଦ୍ୟ ଶସ୍ୟ ଫସଲ କ୍ଷେତ୍ରରେ ପରାଗ ସଙ୍ଗମରେ ସହାୟତା କରିବା ବ୍ୟତୀତ କୀଟପତଙ୍ଗମାନେ ଜଙ୍ଗଲର ସ୍ଵାସ୍ଥ୍ୟ ବଜାୟ ରଖିବାରେ ମଧ୍ୟ ସହାୟତା କରନ୍ତି । କାରଣ, ସେମାନେ ଭଙ୍ଗା କାଠ ଓ ଜୀବମାନଙ୍କର ମୃତଦେହ ନଷ୍ଟ କରନ୍ତି, ମାଟିକୁ ଉପର ତଳ କରନ୍ତି ଏବଂ ବିଭିନ୍ନ ବିହନକୁ ପୃଥକ କରନ୍ତି । ଭାରତର ବିଭିନ୍ନ ଜଙ୍ଗଲ ନିକଟବର୍ତ୍ତୀ ୧୭୦,୦୦୦ଗାଁରେ ଲକ୍ଷ ଲକ୍ଷ ଆଦିବାସୀ ଓ ଅନ୍ୟାନ୍ୟ ସଂପ୍ରଦାୟର ଲୋକେ ବସବାସ କରନ୍ତି ଏବଂ ସେମାନେ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରନ୍ତି ଏବଂ କାଠ ବ୍ୟତୀତ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ସଂଗ୍ରହ କରି ନିଜେ ବ୍ୟବହାର କରନ୍ତି କିମ୍ବା ବିକ୍ରି କରନ୍ତି । ଏହା ସହିତ ଦେଶର ମୋଟ ୫୩ କୋଟି ୬୦ ଲକ୍ଷ ଗୃହପାଳିତ ପ୍ରାଣୀଙ୍କ ମଧ୍ୟରୁ ଅଧିକାଂଶ ଚରିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରନ୍ତି ।

ତାଙ୍କ ମଇଁଷିମାନଙ୍କୁ ଚରିବା ପାଇଁ ଛାଡ଼ି ଦେଇ ଗୋଟିଏ ଗଛ ଛାଇ ତଳେ ବସିଥିବା ବିଜୟ ସିଂହ ଆମକୁ କହନ୍ତି. “ଜଙ୍ଗଲ ଲୋପ ପାଉଛି ।” ପିପରିୟା ତହସିଲ ଅନ୍ତର୍ଗତ ସିଙ୍ଗାନାମା ଗାଁରେ ଗୋଣ୍ଡ ସଂପ୍ରଦାୟର ଏହି ୭୦ ବର୍ଷରୁ ଅଧିକ ବୟସର ଚାଷୀଙ୍କର ୩୦ଏକର ଚାଷଜମି ଥିଲା ଏବଂ ଦିନେ ସେ ସେଥିରେ ଚଣା ଓ ଗହମ ଚାଷ କରୁଥିଲେ । କିଛି ବର୍ଷ ହେଲା ତାଙ୍କ ଜମି ପଡ଼ିଆ ପଡ଼ିଛି । “ହୁଏତ ଏଠି ପ୍ରବଳ ବର୍ଷା ହୋଇ ସାଙ୍ଗେ ସାଙ୍ଗେ ଚାଲିଯାଏ କିମ୍ବା ଏମିତି ବର୍ଷା ହୁଏ ଯେ ଭୂମି ଓଦା ହୁଏନି ।” ଏବଂ ସେ ମଧ୍ୟ କୀଟପତଙ୍ଗମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦେଖିଛନ୍ତି । “ଏଠି ପାଣି ନାହିଁ ତ ପିମ୍ପୁଡ଼ିମାନେ କୋଉଠି ସେମାନଙ୍କ ବସା କରିବେ ?”

ପିପରିୟା ତହସିଲର ପଚମାଢ଼ି କ୍ୟାଣ୍ଟନମେଣ୍ଟ ଅଞ୍ଚଳର ୪୫ ବର୍ଷୀୟ ନନ୍ଦୁ ଲାଲ ଧୁର୍ବେ ଆମକୁ ଏକ ଘନୀଭୂତ ବୃତ୍ତାକାରରେ ଗଢ଼ି ଉଠିଥିବାବାମି (ସ୍ଥାନୀୟ ଭାଷାରେ ଉଭୟ ଉଈ ହୁଙ୍କା ଓ ପିମ୍ପୁଡ଼ି ବସା) ଦେଖାଇ ଦିଅନ୍ତି । “ବାମି ପାଇଁ ନରମ ମାଟି ଓ ଶୀତଳ ଆର୍ଦ୍ରତା” ଆବଶ୍ୟକ । ହେଲେ ଆମର ଏଠାରେ ଆଉ ବର୍ଷା ଲାଗି ରହୁନାହିଁ ଏବଂ ଏ ଅଞ୍ଚଳରେ ଅଧିକ ଗରମ ହେଉଛି, ତେଣୁ ଆପଣ କଦବା କ୍ଵଚିତ୍‌ ଏଗୁଡ଼ିକ ଦେଖିବାକୁ ପାଆନ୍ତି ।”

ଗୋଣ୍ଡ ଆଦିବାସୀ ସଂପ୍ରଦାୟର ଧୁର୍ବେ, ଜଣେ ମାଳି ଓ ନିଜ ଅଞ୍ଚଳର ପରିବେଶ ସଂପର୍କରେ ସେ ବିସ୍ତୃତ ଜ୍ଞାନ ଅର୍ଜନ କରିଛନ୍ତି  । ସେ ଆହୁରି କହନ୍ତି, “ବେଳେବେଳେ ଖୁବ୍‌ ବେଶୀ ନ ହେଲେ ଖୁବ୍‌ କମ୍‌, ଅଦିନିଆ ଶୀତ କିମ୍ବା ବର୍ଷା ଯୋଗୁଁ ଆଜିକାଲି ସବୁ ଫୁଲ ଫୁଟୁନାହିଁ ଏବଂ ମରିଯାଉଛି । ତେଣୁ ଫଳ ଗଛରେ କମ୍‌ ଫଳ ଫଳୁଛି ଏବଂ କୀଟପତଙ୍ଗମାନଙ୍କୁ କମ୍‌ ଖାଇବାକୁ ମିଳୁଛି ।”

PHOTO • Priti David

ନନ୍ଦୁ ଲାଲ ଧୁର୍ବେ (ବାମ) କହନ୍ତି, ଅଧିକ ଉଷ୍ମ ଏବଂ ଶୁଷ୍କ ଜଳବାୟୁ ଯୋଗୁଁ ଆଜିକାଲି ‘ବାମି’କିମ୍ବା ପିମ୍ପୁଡ଼ି ବସା (ମଝି, ମଧ୍ୟ ପ୍ରଦେଶର ଜୁନାରଦେଓ ତହସିଲରେ) କ୍ଵଚିତ୍‌ ଦେଖାଯାଏ । ‘ଜଙ୍ଗଲ ଲୋପ ପାଇବାରେ ଲାଗିଛି’ ବୋଲି କହନ୍ତି ମଧ୍ୟପ୍ରଦେଶ ପିପରିୟା ତହସିଲର ବିଜୟ ସିଂହ

ସମୁଦ୍ର ପତ୍ତନଠାରୁ ୧,୧୦୦ ମିଟର ଉଚ୍ଚ ସାତପୁରା ବନମଣ୍ଡଳରେ ଅବସ୍ଥିତ ପଚମଢ଼ି, ୟୁନେସ୍କୋର ଏକ ସଂରକ୍ଷିତ ଜୈବମଣ୍ଡଳ ଏବଂ ଏଥିରେ ଅନେକ ଜାତୀୟ ଉଦ୍ୟାନ ଓ ବାଘ ଅଭୟାରଣ୍ୟ ରହିଛି । ସମତଳ ଅଞ୍ଚଳର ଗ୍ରୀଷ୍ମରୁ ମୁକ୍ତି ପାଇବାକୁ ଚାହୁଁଥିବା ଲୋକମାନଙ୍କୁ କେନ୍ଦ୍ରୀୟ ଭାରତର ଏହି ପାର୍ବତ୍ୟାଞ୍ଚଳ ବର୍ଷ ସାରା ଆକର୍ଷିତ କରିଥାଏ । ଅଥଚ, ଯେମିତି କି ଧୁର୍ବେ ଓ ବିଜୟ ସିଂହ ମତ ଦିଅନ୍ତି, ଏ ଅଞ୍ଚଳରେ ବି ତାତି ବଢ଼ିବାରେ ଲାଗିଛି  ଏବଂ ସେମାନଙ୍କ ମତାମତର ସତ୍ୟତା ପ୍ରତିପାଦିତ ହୋଇଛି ।

ବିଶ୍ଵ ତାପନ ସଂପର୍କରେ ପାରସ୍ପରିକ ଭାବ ବିନିମୟ ଲାଗି ଉଦ୍ଦିଷ୍ଟ ନ୍ୟୁୟର୍କ ଟାଇମ୍‌ସର ଏକ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ ୧୯୬୦ରେ ପିପରିୟାର ତାପମାତ୍ରା ବର୍ଷକୁ ୧୫୭ ଦିନ ୩୨ ଡିଗ୍ରୀ ସେଲ୍‌ସିୟସ୍‌ କିମ୍ବା ତାଠାରୁ ଅଧିକ ରହୁଥିଲା । ଏବେ ଗୋଟିଏ ବର୍ଷରେ ଗରମ ଦିନ ସଂଖ୍ୟା ୨୦୧ରେ ପହଞ୍ଚିଛି ।

ଉଭୟ କୃଷକ ଓ ବିଜ୍ଞାନୀମାନେ ଲକ୍ଷ୍ୟ କରୁଥିବା ଏହି ପରିବର୍ତ୍ତନ ଯୋଗୁଁ କୀଟପତଙ୍ଗଙ୍କ ଅନେକ ପ୍ରଜାତି ହ୍ରାସ ପାଉଛି ଏବଂ ଲୋପ ପାଉଛି । ଖାଦ୍ୟ ଓ କୃଷି ସଂଗଠନର ଏକ ରିପୋର୍ଟରେ ସତର୍କ କରାଇ ଦିଆଯାଇଛି, “ବର୍ତ୍ତମାନ ସମୟରେ ଲୋପ ପାଇଯାଉଥିବା ପ୍ରଜାତି ସଂଖ୍ୟା, ମାନବୀୟ ପ୍ରଭାବ ଯୋଗୁଁ ସ୍ଵାଭାବିକ ଭାବରେ ଲୋପ ପାଉଥିବା ସଂଖ୍ୟା ତୁଳନାରେ ୧୦୦ରୁ ୧,୦୦୦ ଗୁଣ ଅଧିକ ।”

*****

ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଛୋଟେଡ଼ୋଙ୍ଗର ସାପ୍ତାହିକ ହାଟରେ ଗୋଣ୍ଡ ଆଦିବାସୀ ସଂପ୍ରଦାୟର ମୁନ୍ନିବାଇ କାଚଲାନ ଆମକୁ କହନ୍ତି, “ବିକିବା ପାଇଁ ମୋ ପାଖରେ ଆଜି ପିମ୍ପୁଡ଼ି ନାହିଁ ।”୫୦ ବର୍ଷରୁ ଅଧିକ ବୟସର ମୁନ୍ନି, ବସ୍ତରର ଜଙ୍ଗଲରୁ ପିଲାବେଳରୁ ହିଁ ଘାସ ଓ ପିମ୍ପୁଡ଼ି ସଂଗ୍ରହ କରିଆସୁଛନ୍ତି । ବିଧବା ମୁନ୍ନିଙ୍କର ଚାରି ଜଣ ଝିଅ ଅଛନ୍ତି ଏବଂ ସେ ଜଣେ ଚାଷୀ । ସେଠାରୁ ନଅ କିଲୋମିଟର ଦୂର ରୋହତାଡ଼ ଗାଁରେ ଥିବା ତାଙ୍କ ଦୁଇ ଏକର ଚାଷଜମିରେ ଯାହା ଚାଷ କରନ୍ତି ତାହା ହିଁ ଖାଇ ଜୀବନଧାରଣ କରନ୍ତି ।

ହାଟରେ ଝାଡୁରେ ବ୍ୟବହୃତ ଘାସ, ପିମ୍ପୁଡ଼ି ବା କେବେ କେମିତି କେଇ କିଲୋ ଚାଉଳ ବିକି ସେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଆବଶ୍ୟକ କରୁଥିବା ୫୦-୬୦ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରନ୍ତି । ଯେଉଁ ଅଳ୍ପ କିଛି ପିମ୍ପୁଡ଼ି ସେ ବିକନ୍ତି ସେଥିରୁ ତାଙ୍କୁ ଅତି ବେଶୀରେ ୨୦ ଟଙ୍କା ମିଳେ ବୋଲି ସେ କହନ୍ତି । କିନ୍ତୁ ଆମେ ଯେଉଁଦିନ ତାଙ୍କୁ ଭେଟିଲୁ, ସେଦିନ ତାଙ୍କ ପାଖରେ ବିକିବା ପାଇଁ ପିମ୍ପୁଡ଼ି ନଥିଲା, କେବଳ ଛୋଟ ଘାସବିଡ଼ାଟିଏ ଯାହା ଥିଲା ।

Top left: The apis cerana indica or the 'bee', resting on the oleander plant. Top right: Oecophylla smaragdina, the weaver ant, making a nest using silk produced by its young one. Bottom left: Daphnis nerii, the hawk moth, emerges at night and helps in pollination. Bottom right: Just before the rains, the winged form female termite emerges and leaves the the colony to form a new colony. The small ones are the infertile soldiers who break down organic matter like dead trees. These termites are also food for some human communities who eat it for the high protein content
PHOTO • Yeshwanth H M ,  Abin Ghosh

ଉପର ବାମ: କରବୀ ଗଛ ଉପରେ apis cerana indicaବା ‘ମହୁମାଛି’ । ଉପର ଡାହାଣ: ନିଜ ପିଲାଛୁଆଙ୍କ ଦ୍ଵାରା ପ୍ରସ୍ତୁତ ରେଶମ ସୂତାରେ ବସା ତିଆରି କରୁଥିବା ତନ୍ତ ପିମ୍ପୁଡ଼ି ବା Oecophylla smaragdina । ତଳ ବାମ:Daphnis neril ବା ହକ୍‌ ମଥ୍‌, ରାତିରେ ବାହାରନ୍ତି ଏବଂ ପରାଗ ସଙ୍ଗମରେ ସହାୟତା କରନ୍ତି । ତଳ ଡାହାଣ: ବର୍ଷାର ଠିକ୍‌ ପୂର୍ବରୁ ଡେଣା ଲାଗିଥିବା ମାଈ ଉଈମାନେ ବସାରୁ ବାହାରି ନୂଆ ବସା ବାନ୍ଧିବାକୁ ଯାଆନ୍ତି । କ୍ଷୁଦ୍ର ଉଈମାନେ ପ୍ରଜନନ ଅକ୍ଷମ ସୈନିକ ଏବଂ ସେମାନେ ମଲା ଗଛ ଭଳି ଜୈବିକ ପଦାର୍ଥକୁ ନଷ୍ଟ କରନ୍ତି । କେତେକ ସଂପ୍ରଦାୟ ଏହି ଉଈମାନଙ୍କୁ ଖାଦ୍ୟ ରୂପେ ଗ୍ରହଣ କରନ୍ତି କାରଣ, ଏଥିରେ ପ୍ରଚୁର ପୁଷ୍ଟିସାର ରହିଥାଏ

ମୁନ୍ନି କହନ୍ତି, “ଆମେ ହଲାଇଙ୍ଗି (ନାଲି ପିମ୍ପୁଡ଼ି) ଖାଉ । ଦିନ ଥିଲା, ଆମେ, ମହିଳାମାନେ, ଏମାନଙ୍କୁ ସହଜରେ ଜଙ୍ଗଲରୁ ପାଇଯାଉଥିଲୁ । ଆଜିକାଲି ଏମାନଙ୍କ ସଂଖ୍ୟା ବହୁତ କମିଯାଇଛି ଏବଂ କେବଳ କେତେକ ବଡ଼ ବଡ଼ ଗଛରୁ ସେମାନେ ମିଳୁଥିବାରୁ ସଂଗ୍ରହ କରିବା କଷ୍ଟକର ହୋଇପଡୁଛି । ପିମ୍ପୁଡ଼ି ଆଣିବାକୁ ଯାଇ ଲୋକେ ଆହତ ହେବେ ବୋଲି ଆମର ଚିନ୍ତା ଲାଗି ରହୁଛି ।”

ଭାରତରେ କୀଟପତଙ୍ଗ ମଡ଼କ ପଡ଼ିବା ଉପରେ । ନ୍ୟାସନାଲ ସେଣ୍ଟର ଫର୍‌ ବାୟୋଲୋଜିକାଲ ସାଇନ୍‌ସେସ୍‌ (NCBS)ର ସହାୟକ ପ୍ରାଧ୍ୟାପକ ଡକ୍ଟର ସଞ୍ଜୟ ସାନେ କହନ୍ତି, “କୀଟପତଙ୍ଗମାନେ ପ୍ରମୁଖ ପ୍ରଜାତି ଅନ୍ତର୍ଭୁକ୍ତ । ଯଦି ସେମାନେ ନିଶ୍ଚିହ୍ନ ହୋଇଯାଆନ୍ତି, ତେବେ ସମଗ୍ର ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ।” ଦୁଇଟି ବନ୍ୟପ୍ରାଣୀ କ୍ଷେତ୍ରୀୟ କେନ୍ଦ୍ରରେ ସେ ହକ୍‌ ମଥ୍‌ ପର୍ଯ୍ୟବେକ୍ଷଣ ଅନୁଧ୍ୟାନ ପ୍ରକଳ୍ପ ଚଳାଉଛନ୍ତି-ଗୋଟିଏ ମଧ୍ୟ ପ୍ରଦେଶର ପଚମଢ଼ିରେ ଏବଂ ଅନ୍ୟଟି କର୍ଣ୍ଣାଟକର ଆଗୁମ୍ବେରେ । “ଉଦ୍ଭିଦ ଜଗତ, ଚାଷବାସ ପଦ୍ଧତି ଏବଂ ତାପମାତ୍ରାରେ ପରିବର୍ତ୍ତନ କାରଣରୁ ସମସ୍ତ ପ୍ରଜାତିର କୀଟପତଙ୍ଗଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ସେମାନଙ୍କ ସଂଖ୍ୟା ସଂପୂର୍ଣ୍ଣ ଭାବେ ଲୋପ ପାଇବାରେ ଲାଗିଛି ।”

ଭାରତୀୟ ପ୍ରାଣୀବିଜ୍ଞାନ ସର୍ଭେ ସଂସ୍ଥା (ZSI)ର ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ରା କହନ୍ତି, “କୀଟପତଙ୍ଗମାନେ ଖୁବ୍‌ କମ୍‌ ବ୍ୟବଧାନରେ ଥିବା ତାପମାତ୍ରା ସହିପାରିବେ । ଏମିତି କି ତାପମାତ୍ରା ୦.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ହେଲେ ବି ସେମାନଙ୍କ ଜୀବନଧାରଣର ପରିବେଶ ସବୁଦିନ ପାଇଁ ଅସନ୍ତୁଳିତ ବା ପରିବର୍ତ୍ତିତ ହୋଇଯାଇପାରେ ।” ଏହି କୀଟବିଜ୍ଞାନୀଙ୍କ ଦ୍ଵାରା ସଂଗୃହୀତ ତଥ୍ୟ ଅନୁସାରେ, ଗତ ତିନି ଦଶନ୍ଧି ଭିତରେ, ଭଅଁର ସଂଖ୍ୟା ୭୦ ପ୍ରତିଶତ ହ୍ରାସ ପାଇଛି ଏବଂ ପ୍ରଜାପତି ଏବଂ କଙ୍କି ସହିତ ଏହା ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ଉପୁଜିଛି ବୋଲି ‘ଇଣ୍ଟରନ୍ୟାସନାଲ ୟୁନିଅନ୍‌ ଫର୍‌ କନ୍‌ଜର୍ଭେସନ୍‌ ଅଫ ନେଚର୍‌’ (IUCN)ର ରେଡ୍‌ ଲିଷ୍ଟ ରେ ଦର୍ଶାଯାଇଛି । ଡକ୍ଟର ଚନ୍ଦ୍ରା କହନ୍ତି, “କୀଟନାଶକ ଔଷଧର ବ୍ୟାପକ ବ୍ୟବହାର ଯୋଗୁଁ ଏହା ମାଟି ଓ ପାଣିରେ ପ୍ରବେଶ କରିଛି ଏବଂ ଦେଶଜ କୀଟପତଙ୍ଗ, ଜଳଜ କୀଟପତଙ୍ଗ ଏବଂ ସ୍ଵତନ୍ତ୍ର ପ୍ରଜାତିକୁ ନଷ୍ଟ କରିବା ସହିତ କୀଟପତଙ୍ଗ ସଂପର୍କିତ ଆମ ଜୈବ ବିବିଧତାକୁ ଧ୍ଵଂସ କରିଛି ।

ମଧ୍ୟପ୍ରଦେଶର ତାମିଆ ତହସିଲ ଅନ୍ତର୍ଗତ ଘାଟିୟା ପଲ୍ଲୀରେ ୩୫ବର୍ଷ ବୟସ୍କ ଜଣେ ମୱାସୀ ଆଦିବାସୀ ସଂପ୍ରଦାୟର ଚାଷୀ ଲୋଟନ ରାଜଭୋପା ଆମକୁ କହିଲେ, “ପୁରୁଣା କୀଟମାନେ ନିଶ୍ଚିହ୍ନ ହୋଇଗଲେଣି, କିନ୍ତୁ ଆମେ ନୂଆ ନୂଆ କୀଟ ଦେଖୁଛୁ । ସେମାନେ ଏତେ ବେଶୀ ସଂଖ୍ୟାରେ ଆସନ୍ତି ଯେ ଆମର ପୂରା ଫସଲକୁ ନଷ୍ଟ କରିଦେଇପାରିବେ ।” ବ୍ୟଙ୍ଗାତ୍ମକ କଣ୍ଠରେ ସେ କହିଲେ, “ଆମେ ସେମାନଙ୍କୁ ଏକ ନୂଆ ନାଁ ଦେଇଛୁ- ଭିନ ଭିନି (ଅଂସଖ୍ୟ) । ଏହି ନୂଆ ପୋକମାନେ ରାକ୍ଷସ ଭଳି, ଆପଣ ଯଦି କୀଟନାଶକ ଦେବେ ତାହେଲେ ସେମାନଙ୍କ ସଂଖ୍ୟା ବହୁଗୁଣ ବଢ଼ିଯିବ ।”

Ant hills in the Satpura tiger reserve of MP. 'Deforestation and fragmentation coupled with climate change are leading to disturbed habitats', says Dr. Himender Bharti, India’s ‘Ant Man’
PHOTO • Priti David
Ant hills in the Satpura tiger reserve of MP. 'Deforestation and fragmentation coupled with climate change are leading to disturbed habitats', says Dr. Himender Bharti, India’s ‘Ant Man’
PHOTO • Priti David

ମଧ୍ୟପ୍ରଦେଶର ସାତପୁରା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ପିମ୍ପୁଡ଼ି ବସା । ‘ଜଙ୍ଗଲ ନଷ୍ଟ ଏବଂ ବିଭାଜନ ପ୍ରକ୍ରିୟାସହିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସେମାନଙ୍କ ବାସସ୍ଥଳୀରେ ବାଧା ଉପୁଜିଛି’, ବୋଲି କହନ୍ତି ଡକ୍ଟର ହିମେନ୍ଦର ଭାରତୀ, ଭାରତର ‘ପିମ୍ପୁଡ଼ି ମାନବ’

ଉତ୍ତରାଖଣ୍ଡର ଭୀମତାଲରେ ଅବସ୍ଥିତ ପ୍ରଜାପତି ଗବେଷଣା କେନ୍ଦ୍ରର ପ୍ରତିଷ୍ଠାତା ୫୫ ବର୍ଷୀୟ ପିଟର ସ୍ମେଟାସେକ୍‌ ମତ ଦେଇଆସୁଛନ୍ତି ଯେ, ବିଶ୍ଵ ତାପନ କାରଣରୁ ହିମାଳୟ ପାର୍ବତ୍ୟାଞ୍ଚଳର ପଶ୍ଚିମରେ ତାପମାତ୍ରା ଓ ଆର୍ଦ୍ରତା ବଢ଼ିବାରେ ଲାଗିଛି । ତେଣୁ ଶୀତ ଋତୁର ବାତାବରଣ ଥଣ୍ଡା ଓ ଶୁଷ୍କ ହେବା ବଦଳରେ ଏବେ ଅଧିକ ଗରମ ଏବଂ ଓଦାଳିଆ ରହୁଛି । ଏହା ଫଳରେ ପଶ୍ଟିମ ହିମାଳୟର ପ୍ରଜାପତିମାନଙ୍କ ବାସସ୍ଥଳୀରେ ପୂର୍ବ ହିମାଳୟ ପ୍ରଜାତିର ପ୍ରଜାପତିମାନେ (ଗରମ ଏବଂ ଆର୍ଦ୍ରତାପୂର୍ଣ୍ଣ ଜଳବାୟୁରେ ବାସ କରିବାରେ ଅଭ୍ୟସ୍ତ) ବସବାସ କରୁଛନ୍ତି ।

ଭାରତ ଜୈବ ବିବିଧତାର ଏକ ପ୍ରମୁଖ କେନ୍ଦ୍ର । ଯେଉଁଠି କି ପୃଥିବୀର ୨.୪ ପ୍ରତିଶତ ଭୂଭାଗ ରହିଛି, ହେଲେ, ବିଶ୍ଵରେ ଦେଖାଯାଉଥିବା ମୋଟ ପ୍ରଜାତିର ୭ରୁ ୮ ପ୍ରତିଶତ ରହିଛନ୍ତି। ଭାରତୀୟ ଜୀବବିଜ୍ଞାନ ସର୍ଭେ ପ୍ରତିଷ୍ଠାନର ଡକ୍ଟର ଚନ୍ଦ୍ରା କହନ୍ତି, ୨୦୧୯ ଡିସେମ୍ବର ସୁଦ୍ଧା ଭାରତରେ କୀଟପତଙ୍ଗ ପ୍ରଜାତି ସଂଖ୍ୟା ଥିଲା ୬୫,୪୬୬ । କିନ୍ତୁ, “ଏହା ଏକ ରକ୍ଷଣଶୀଳ ଆକଳନ । ବାସ୍ତବରେ ସମ୍ଭାବ୍ୟ ସଂଖ୍ୟା ଅତି କମ୍‌ରେ ୪ରୁ ୫ ଗୁଣ ଅଧିକ ହେବ । କିନ୍ତୁ ଚିହ୍ନଟ କରି ନଥିଭୁକ୍ତ କରିବା ପୂର୍ବରୁ ଅନେକ ପ୍ରଜାତି ଲୋପ ପାଇଯିବେ ।”

*****

ପାଟିଆଲାସ୍ଥିତ ପଞ୍ଜାବୀ ବିଶ୍ଵବିଦ୍ୟାଳୟର ବିବର୍ତ୍ତନବାଦୀ ଜୀବ ବିଜ୍ଞାନୀ ତଥା ଭାରତର ‘ପିମ୍ପୁଡ଼ି ମାନବ’ ରୂପେ ସୁପରିଚିତ ଡକ୍ଟର ହିମେନ୍ଦର ଭାରତୀ କହନ୍ତି, “ଜଙ୍ଗଲ ଧ୍ଵଂସ ଏବଂ ବିଭାଜନ ପ୍ରକ୍ରିୟା ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସେମାନଙ୍କ ବସବାସ ଅଞ୍ଚଳରେ ବାଧା ଉପୁଜୁଛି । ଅନ୍ୟ ମେରୁଦଣ୍ଡୀ ପ୍ରାଣୀଙ୍କ ତୁଳନାରେ ପିମ୍ପୁଡ଼ିମାନେ ଚାପଗ୍ରସ୍ତ ପରିସ୍ଥିତିକୁ ଅଧିକ ସୂକ୍ଷ୍ମ ଭାବେ  ଆକଳନ କରିପାରନ୍ତି ଏବଂ ଭୂସ୍ଥିତି ଓ ପ୍ରଜାତିର ବିବିଧତାରେ ବ୍ୟାଘାତ ଜନିତ ସ୍ଥିତି ଆକଳନ ପାଇଁ ସେମାନଙ୍କୁ ବ୍ୟାପକ ଭାବେ ବ୍ୟବହାର କରାଯାଏ ।”

ବିଶ୍ଵବିଦ୍ୟାଳୟର ଜୀବବିଜ୍ଞାନ ଏବଂ ପରିବେଶ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ଭାରତୀ ଭାରତରେ ଦେଖାଯାଉଥିବା ୮୨୮ଟି ବୈଧ ପ୍ରଜାତିର ପିମ୍ପୁଡ଼ି ଏବଂ ସେମାନଙ୍କ ଉପ ପ୍ରଜାତିର ତାଲିକା ସମ୍ବଳିତ ପ୍ରଥମ ଚେକ୍‌ଲିଷ୍ଟ ସଂକଳନ କରିଛନ୍ତି । ସେ ସତର୍କ କରାଇ ଦିଅନ୍ତି ଯେ, “ଅନୁପ୍ରବେଶକାରୀ ପ୍ରଜାତି”ମାନେ ଦେଶଜ ପ୍ରଜାତିମାନଙ୍କୁ ସ୍ଥାନଚ୍ୟୁତ କରୁଛନ୍ତି ଏବଂ ସ୍ଥାନୀୟ ପରିବେଶ ସହ ଅତି ଶୀଘ୍ର ଖାପ ଖୁଆଇ ପାରୁଛନ୍ତି । ସେମାନେ ସ୍ଥାନ ଦଖଲ କରିନେବେ ଏବଂ ବସବାସ କରିବେ ।”

Top left: 'I don’t have any ants to sell today', says Munnibai Kachlan (top left) at the Chhotedongar weekly haat. Top right: 'Last year, these phundi keeda ate up most of my paddy crop', says Parvati Bai of Pagara village. Bottom left: Kanchi Koil in the Niligirs talks about the fireflies of her childhood. Bottom right: Vishal Ram Markham, a buffalo herder in Chhattisgarh, says; 'he land and the jungle now belong to man'
PHOTO • Priti David

ଉପର ବାମ:‘ଆଜି ମୋ ପାଖରେ ବିକିବାକୁ ପିମ୍ପୁଡ଼ି ନାହିଁ’, ଛୋଟେଡଙ୍ଗର ସାପ୍ତାହିକ ହାଟରେ (ଉପର ବାମ) ଏହା କହନ୍ତି ମୁନ୍ନିବାଇ କାଚଲାନ । ଉପର ଡାହାଣ:‘ଗତ ବର୍ଷ ଏହି ଫୁଣ୍ଡି କୀଡ଼ାମାନେ ମୋର ସବୁ ଧାନ ଫସଲ ଖାଇଦେଇଥିଲ’ ବୋଲି କହନ୍ତି ପାଗାରା ଗାଁର ପାର୍ବତୀ ବାଇ । ତଳ ବାମ: ନୀଳଗିରିରେ କାଞ୍ଚି କୋଇଲ କହନ୍ତି ତାଙ୍କ ପିଲାଦିନର ଜୁଳୁଜୁଳିଆ ପୋକ କଥା । ତଳ ଡ଼ାହାଣ: ଛତିଶଗଡ଼ର ଜଣେ ମଇଁଷି ଚରାଳି ବିଶାଲ ରାମ ମାର୍କମ କହନ୍ତି;‘ଏଇ ଜମି ଓ ଜଙ୍ଗଲକୁ ଏବେ ମଣିଷ ଦଖଲ କରିଛି ’

ହୋଶଙ୍ଗାବାଦ ଜିଲ୍ଲାର ପାଗାରା ଗାଁରେ ୫୦ ବର୍ଷରୁ ଅଧିକ ବୟସର ଜଣେ ମୱାସୀ ଆଦିବାସୀ ମହିଳା ପାର୍ବତୀ ବାଇଙ୍କୁ ଲାଗେ ଯେ ଏଣିକି ଦୁଷ୍ଟ ପୋକମାନେ ହିଁ ଜିଣିଯିବେ । ସେ କହନ୍ତି, “ଆଜିକାଲି ଆମର ଏଠି ଏଇ ଫୁଣ୍ଡି କୀଡ଼ା (ଖୁବ ପତଳା ଏବଂ ସୂକ୍ଷ୍ମ ପୋକ) ଦେଖାଯାଉଛନ୍ତି । ଗତ ବର୍ଷ ସେମାନେ ମୋର ଗୋଟିଏ ଏକର ଜମିରୁ ଅଧିକାଂଶ ଧାନ ଫସଲ ଖାଇଦେଇଥିଲେ ।” ସେହି ଋତୁରେ ତାଙ୍କର ୯,୦୦୦ ଟଙ୍କା କ୍ଷତି ହୋଇଥିଲା ବୋଲି ସେ ଅନୁମାନ କରନ୍ତି ।

ପାର୍ବତୀ ବାଇଙ୍କ ଗାଁରୁ ହଜାର କିଲୋମିଟର ଦୂର, ଦକ୍ଷିଣ ଭାରତର ନୀଳଗିରି ପାର୍ବତ୍ୟାଞ୍ଚଳରେ ଉଦ୍ଭିଦ ବିଜ୍ଞାନୀ ଡକ୍ଟର ଅନିତା ଭର୍ଗିଜ୍‌ଙ୍କ ମତରେ, “ପରିବର୍ତ୍ତନର ଧାରାକୁ ପ୍ରଥମେ ବିଭିନ୍ନ ଆଦିବାସୀ ସଂପ୍ରଦାୟ ଚିହ୍ନଟ କରନ୍ତି ।” ନୀଳଗିରିର କୀଷ୍ଟୋନ୍‌ ଫାଉଣ୍ଡେସନରେ ଉପ ନିର୍ଦ୍ଦେଶକ ରୂପେ କାର୍ଯ୍ୟରତ ଡକ୍ଟର ଭର୍ଗିଜ୍‌ କହନ୍ତି, “କେରଳର ମହୁ ସଂଗ୍ରହକାରୀମାନେ ଲକ୍ଷ୍ୟ କଲେ ଯେ apis cerana ମହୁମାଛିମାନେ ଭୂମି ଉପର ବସା ଛାଡ଼ି ଅଧିକ ଗାତୁଆ ଗଛ କୋରଡ଼ରେ ବସା ବାନ୍ଧିଛନ୍ତି ଏବଂ ଆକ୍ରମଣକାରୀ ଭାଲୁ ଓ ମୃତ୍ତିକାର ତାପମାନ ବୃଦ୍ଧିକୁ ଏହାର କାରଣ ଭାବେ ସେମାନେ ନିରୂପଣ କଲେ । ପାରମ୍ପରିକ ଜ୍ଞାନ ସଂପନ୍ନ ସଂପ୍ରଦାୟ ଏବଂ ବିଜ୍ଞାନୀମାନେ ପରସ୍ପର ସହ ବାର୍ତ୍ତାଳାପ କରିବାର ଏକ ଉପାୟ ଖୋଜିବା ନିହାତି ଆବଶ୍ୟକ ।”

ନୀଳଗିରି ଅଞ୍ଚଳରେ ହିଁ, କାଟ୍ଟୁନାୟକନ୍‌ ଆଦିବାସୀ ସଂପ୍ରଦାୟର ୬୨ ବର୍ଷୀୟ କାଞ୍ଚି କୋଇଲ ଖୁସିରେ କହନ୍ତି ତାଙ୍କ ପିଲାଦିନ କଥା । କିଭଳି ରାତି ଅନ୍ଧାରକୁ ଜୁଳୁଜୁଳିଆ ପୋକ (coleopetra) ଆଲୋକିତ କରୁଥିଲା । “ଗଛ ଉପରେ ମିନମିନି ପୁଚି (ଜୁଳୁଜୁଳିଆ ପୋକମାନେ) ରଥ ଭଳି ଦେଖାଯାଆନ୍ତି । ମୋ ପିଲାବେଳେ ସେମାନେ ବହୁ ସଂଖ୍ୟାରେ ଆସନ୍ତି ଏବଂ ଗଛଗୁଡ଼ିକ ଖୁବ ସୁନ୍ଦର ଦିଶେ । ଆଜିକାଲି ଆଉ ସେମାନେ ଦେଖାଯାଉ ନାହାନ୍ତି ।

ତେଣେ, ଛତିଶଗଡ଼ର ଧାମତାରୀ ଜିଲ୍ଲାରେ ଥିବା ଜାବାରା ଜଙ୍ଗଲରେ ୫୦ରୁ ଅଧିକ ବୟସର ଚାଷୀ ବିଶାଲ ରାମ ମାର୍କମ ଜଙ୍ଗଲ ଧ୍ଵଂସ ହେଉଥିବାରୁ ଦୁଃଖପ୍ରକାଶ କରନ୍ତି: “ଏବେ ଜମି ଓ ଜଙ୍ଗଲ ମଣିଷ ଦଖଲରେ ରହିଛି । ଆମେ ନିଆଁ ଜାଳୁ, କ୍ଷେତରେ ଓ ପାଣିରେ ଡିଏପି (diammonium phosphate) ଛିଞ୍ଚୁ । ବିଷାକ୍ତ ପାଣି ଯୋଗୁଁ ପ୍ରତି ବର୍ଷ ମୋର ୭ରୁ୧୦ଟି ବଡ଼ ବଡ଼ ଗୃହପାଳିତ ପଶୁ ପ୍ରାଣ ହରାନ୍ତି । ମାଛ ଓ ପକ୍ଷୀମାନେ ବଞ୍ଚି ପାରନ୍ତି ନାହିଁ ତ ଛୋଟ ଛୋଟ କୀଟପତଙ୍ଗ କେମିତି ବଞ୍ଚିବେ ?

ମୁଖପୃଷ୍ଠ ଫଟୋ: ୟଶୱନ୍ତ ଏଚ୍‌. ଏମ୍‌.

ଏହି ଲେଖା ପାଇଁ ତଥ୍ୟ ସଂଗ୍ରହରେ ବହୁମୂଲ୍ୟ ସାହାଯ୍ୟ ଓ ସହଯୋଗ କରିଥିବା ମହମ୍ମଦ ଆରିଫ ଖାନ୍‌, ରାଜେନ୍ଦ୍ର କୁମାର ମହାବୀର, ଅନୁପ ପ୍ରକାଶ, ଡକ୍ଟର ସବିତା ଚିବ୍‌ ଏବଂ ଭାରତ ମେରୁଗୁଙ୍କୁ ଏହି ସମ୍ବାଦଦାତା ଧନ୍ୟବାଦ ଜଣାଉଛନ୍ତି । ଏହା ସହିତ ତାଙ୍କର ସଦୟ ଭାବରେ ତାଙ୍କ ମତାମତ ଦେଇଥିବା କୀଟବିଜ୍ଞାନୀ ଡକ୍ଟର ମୀନାକ୍ଷୀ ଭାରତୀଙ୍କୁ ମଧ୍ୟ ଧନ୍ୟବାଦ ।

ସାଧାରଣ ଲୋକଙ୍କ ସ୍ଵର ଓ ନିତିଦିନିଆ ଅନୁଭୂତି ଜରିଆରେ ଜଳବାୟୁ ପରିବର୍ତ୍ତନ ଜନିତ ସ୍ଥିତି ଆକଳନ ପାଇଁ UNDP ସହାୟତାରେ ଚାଲିଥିବା PARIର ଦେଶବ୍ୟାପୀ ଖବର ସଂଗ୍ରହ ପ୍ରକଳ୍ପର ଅଂଶବିଶେଷ ।

ଏହି ଲେଖାର ପୁନଃ ପ୍ରକାଶନ ଚାହୁଁଛନ୍ତି କି ? ଦୟାକରି [email protected]କୁ ଲେଖନ୍ତୁ ।  ମେଲ୍‌ର କପି [email protected]ପଠାନ୍ତୁ

ଅନୁବାଦ: ଓଡ଼ିଶାଲାଇଭ୍‍

Priti David

Priti David is a Journalist with the People’s Archive of Rural India, and Editor, PARI Education. She works with educators to bring rural issues into the classroom and curriculum, and with young people to document the issues of our times.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE