ଭାରତର କୃଷି କ୍ଷେତ୍ରରେ ବିପର୍ଯ୍ୟୟ କେବଳ କୃଷିକ୍ଷେତ୍ରରେ ସୀମିତ ହୋଇନାହିଁ।

ଏହା ଏକ ସାମାଜିକ ସଙ୍କଟ। ଏପରିକି ଏହାକୁ ସଭ୍ୟତାର ବିପର୍ଯ୍ୟୟ ବୋଲି କୁହାଯାଇପାରେ, ବୋଧହୁଏ ପୃଥିବୀର ସର୍ବାଧିକ ସଂଖ୍ୟକ କ୍ଷୁଦ୍ର ଚାଷୀ ଓ ମୂଲିଆ ସେମାନଙ୍କର ଜୀବିକାର ସୁରକ୍ଷା ପାଇଁ ଅହରହ ସଂଗ୍ରାମ କରୁଛନ୍ତି। କୃଷି କ୍ଷେତ୍ରରେ ବିପର୍ଯ୍ୟୟ କେବଳ ଜମି ହରାଇବାରେ ସୀମିତ ହୋଇନାହିଁ। ଏହା କେବଳ ମାନବ ଜୀବନ ବା ଉତ୍ପାଦକତା ହାନିର ପରିମାପ ହୋଇନାହିଁ। ଏହା ହେଉଛି ଆମ ନିଜର ମାନବିକତାର ଅବକ୍ଷୟର ଏକ ପରିମାପ। ଆମର ମାନବିକତାର ପରିସର ସଙ୍କୁଚିତ ହୋଇଯାଉଛି। ଆମ୍ଭେମାନେ ଏହି ବେସାହାରା ଲୋକମାନଙ୍କର ବଢ଼ି ଚାଲିଥିବା ଦୁଃଖ ଦେଖି କେବଳ  ନିରବଦ୍ରଷ୍ଟା ସାଜିଛୁ, ଏହାଠାରୁ ଆଉ ଅଧିକ ବଡ ଦୁଃଖର କଥା କ’ଣ ହୋଇପାରେ ଯେ, ଗତ ୨୦ ବର୍ଷ ମଧ୍ୟରେ ୩୦୦,୦୦୦ରୁ ଅଧିକ ସଂଖ୍ୟକ କୃଷକ ଆତ୍ମହତ୍ୟା କରି ମୃତ୍ୟୁବରଣ କରିଛନ୍ତି। ଯେତେବେଳେ କି କେତେକ - ‘ଆଗଧାଡ଼ିର ଅର୍ଥନୀତି ବିଶେଷଜ୍ଞ’- ଆମ ଚାରିପଟର ଏହି ଦୁଃଖ ଦୁର୍ଦ୍ଦଶାକୁ ଉପହାସ କରିଛନ୍ତି, ଏପରିକି  କୌଣସି ବିପର୍ଯ୍ୟୟ ନାହିଁ ବୋଲି ମତ ଦେଇଛନ୍ତି।

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଏବେ ଦୁଇବର୍ଷ ହେଲା ଚାଷୀ ଆତ୍ମହତ୍ୟା ବିଷୟରେ କୌଣସି ତଥ୍ୟ ପ୍ରକାଶ କରିନାହିଁ। ତାହାପୂର୍ବରୁ କିଛି ବର୍ଷ ଧରି, ଅଧିକାଂଶ ରାଜ୍ୟ ଦ୍ୱାରା ଭୁଲ୍ ତଥ୍ୟ ଲଗ୍‌ଇନ୍ କରି ଏଜେନ୍ସିର ଆକଳନକୁ ବହୁଳ ଭାବରେ ବିଭ୍ରାନ୍ତ କରାଯାଇଥିଲା। ଉଦାହରଣସ୍ୱରୂପ ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଅନ୍ୟ କେତେକ ରାଜ୍ୟ ସେମାନଙ୍କ ରାଜ୍ୟରେ ‘ଶୂନ୍ୟ ଚାଷୀ ଆତ୍ମହତ୍ୟା’ ଦାବି କରିଥିଲେ। ୨୦୧୪ ମସିହାରେ, ୧୨ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ‘ଶୂନ୍ୟ ଚାଷୀ ଆତ୍ମହତ୍ୟା’  ଦାବି କରିଥିଲେ। ୨୦୧୪ ଏବଂ ୨୦୧୫ର ଏନ୍‌ସିଆର୍‌ବି ରିପୋର୍ଟରେ ବ୍ୟାପକ ଲଜ୍ଜ୍ୟାହୀନ ତ୍ରୁଟି ସହିତ ପଦ୍ଧତିରେ ବିଭ୍ରାଟ ଦେଖାଯାଇଥିଲା- ଯାହାର ଲକ୍ଷ୍ୟ ଥିଲା ଏହି ସଂଖ୍ୟାକୁ କମ୍ କରିବା।

କିନ୍ତୁ ବାସ୍ତବରେ ଦିନକୁ ଦିନ ଏହା ବଢ଼ି ଚାଲିଛି।

ଏହି ସମୟରେ ଚାଷୀମୂଲିଆଙ୍କର ବିକ୍ଷୋଭ ମୁଣ୍ଡ ଟେକିଲା। ମଧ୍ୟପ୍ରଦେଶରେ ଚାଷୀମାନଙ୍କୁ ଗୁଳିକରି ହତ୍ୟା କରାଗଲା। ମହାରାଷ୍ଟ୍ରରେ  ରାଜିନାମାରେ କୃଷକମାନଙ୍କୁ ଠକି ଦିଆଗଲା। ସବୁଆଡେ ଏହି ବିକ୍ଷୋଭକୁ ଦୃଢ଼ ହସ୍ତରେ ଦମନ କରାଗଲା। ଗ୍ରାମାଞ୍ଚଳରେ ଦିନକୁ ଦିନ କ୍ରୋଧ ଓ ଯନ୍ତ୍ରଣା ପୁଞ୍ଜିଭୁତ ହେଲା। କେବଳ କୃଷକମାନଙ୍କ ମଧ୍ୟରେ ନୁହେଁ, ନରେଗା  ଯୋଜନାରେ ନିଯୁକ୍ତି ପାଇଥିବା ମୁଲିଆମାନଙ୍କୁ ମଧ୍ୟ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଦମନ କରାଗଲା।  ସେମାନଙ୍କ ସହିତ ମତ୍ସ୍ୟଜୀବୀ, ବନବାସୀ, କାରିଗର, ଅଙ୍ଗନୱାଡି କର୍ମୀମାନଙ୍କୁ ମଧ୍ୟ ଶୋଷଣ କରାଗଲା। ସେମାନଙ୍କ ମଧ୍ୟରୁ ଯେଉଁମାନେ ନିଜ ପିଲାଙ୍କୁ ସରକାରୀ ବିଦ୍ୟାଳୟକୁ ପଠାଉଥିଲେ, ସେଠାରେ ଦେଖାଗଲା ଯେ ସରକାର ନିଜେ ନିଜ ବିଦ୍ୟାଳୟର ବିନାଶ କରୁଛନ୍ତି। ଏହା ସହିତ  ସରକାରଙ୍କ ଅଧୀନରେ ଛୋଟମୋଟ ଚାକିରି କରୁଥିବା ଏବଂ ପରିବହନ କ୍ଷେତ୍ର ଓ ସାର୍ବଜନୀନ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ମଧ୍ୟ କୃଷିର ଘରୋଇକରଣ ଯୋଗୁଁ ପ୍ରଭାବିତ ହେଉଛନ୍ତି।

Vishwanath Khule, a marginal farmer, lost his entire crop during the drought year. His son, Vishla Khule, consumed a bottle of weedicide that Vishwanath had bought
PHOTO • Jaideep Hardikar

ବିଦର୍ଭର ଅକୋଲା ଜିଲ୍ଲାର ବିଶ୍ୱନାଥ ଖୁଲେ, ତାଙ୍କର ପୁଅ ବିଶାଳ କୀଟନାଶକ ପାନ କରିଥିଲା। ଚାଷୀ ଆତ୍ମହତ୍ୟା ଦିନକୁ ଦିନ ବୃଦ୍ଧି ପାଉଛି, କିନ୍ତୁ ସରକାର ଏହାର ସଂଖ୍ୟା ସମ୍ପର୍କରେ ମିଛ ତଥ୍ୟ ଦେଉଛନ୍ତି

ଗ୍ରାମାଞ୍ଚଳର ଏହି ବିପର୍ଯ୍ୟୟ ଗାଁଗଣ୍ଡାରେ ସୀମିତ ହୋଇନାହିଁ। ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୧୩-୧୪ ଏବଂ ୨୦୧୫-୧୬ ମଧ୍ୟରେ ଦେଶରେ ନିଯୁକ୍ତିରେ ସ୍ପଷ୍ଟ ଭାବରେ ଅଧୋଗତି ପରିଲକ୍ଷିତ ହୋଇଛି।

୨୦୧୧ ସେନସସରୁ ବୋଧହୁଏ ଏହି ସଙ୍କେତ ମିଳିଛି ଯେ ସ୍ୱାଧୀନ ଭାରତରେ ଆମ୍ଭେମାନେ ବୃହତ୍ତମ ବିପର୍ଯ୍ୟୟ ଜନିତ ଦେଶାନ୍ତରଣ ଦେଖିଛୁ। ହଜାର ହଜାର ଗରିବ ଲୋକଙ୍କର ଜୀବିକା ବିପର୍ଯ୍ୟସ୍ତ  ହେବା କାରଣରୁ ସେମାନେ ନିଜ ଗାଁ ଛାଡ଼ି ଅନ୍ୟ ଗାଁ, ସହର, ନଗର ଏବଂ ବଡ ବଡ଼ ସହରକୁ -  ଜୀବିକା ଅନ୍ୱେଷଣରେ ଚାଲି ଯାଉଛନ୍ତି। ଏପରି କାମ କରୁଛନ୍ତି ଯାହାକି ସେମାନଙ୍କର ବୃତ୍ତି ନୁହେଁ। ୨୦୧୧ ସେନସସ୍‌ରେ ୧୯୯୧ ତୁଳନାରେ ପ୍ରାୟ ୧୫ ନିୟୁତ ବଡ ଚାଷୀଙ୍କ ତାଲିକା ରହିଥିଲା ଏବଂ ଆମେ ବର୍ତ୍ତମାନ ଦେଖୁଛୁ ଯେ ଆମର ବହୁ ସଫଳ କୃଷକ ଏବେ ଘରୋଇ ଭୃତ୍ୟ ଭାବରେ କାମ କରୁଛନ୍ତି। ଏହି ଗରିବ ଲୋକମାନେ ଏବେ ଉଭୟ ସହରାଞ୍ଚଳରେ ଓ ଗ୍ରାମାଞ୍ଚଳର ପ୍ରତିପତ୍ତିଶାଳୀଙ୍କ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। 

ସରକାରଙ୍କ ପାଇଁ ଶ୍ରେଷ୍ଠ ନୀତି ହେଉଛି କର୍ଣ୍ଣପାତ ନ କରିବା। ଗଣମାଧ୍ୟମ ମଧ୍ୟ ସମାନପନ୍ଥା ଅବଲମ୍ବନ କରିଛି।

ଯେତେବେଳେ କି ଗଣମାଧ୍ୟମ ଏହି ସମସ୍ୟାକୁ ନେଇ ହଇଚଇ ସୃଷ୍ଟି କରିବା କଥା ସେମାନେ ଅଧିକାଂଶ କ୍ଷେତ୍ର. କେବଳ ‘ଋଣ ଛାଡ’ ଦାବି କଥା କହିଥାନ୍ତି। କିଛି ଦିନ ଭିତରେ ସେମାନେ ଚାଷୀମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଦାବି (ଏମ୍‌ଏସ୍‌ପି) - ଉତ୍ପାଦନ ମୂଲ୍ୟ (ସିଓପି2) + ୫୦ ଶତକଡ଼ାକୁ ସ୍ୱୀକୃତି ଦେଇଛନ୍ତି। କିନ୍ତୁ ସରକାର ଅଦ୍ୟାବଧି ଏହି ଦାବି କାର୍ଯ୍ୟକାରୀ କରିଛନ୍ତି କି ନା ସେ ବିଷୟରେ ଗଣମାଧ୍ୟମ ମୁହଁ ଖୋଲୁନାହିଁ। ସେମାନେ ମଧ୍ୟ ନ୍ୟାସନାଲ କମିଶନ ଅଫ୍ ଫାର୍ମର୍ସ (ଏନସିଏଫ୍‌: ସ୍ୱାମୀନାଥନ୍ କମିଶନ ଭାବରେ ଜଣାଶୁଣା) ଯେଉଁ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିଷୟରେ ଦର୍ଶାଇଛନ୍ତି ସେ ବିଷୟରେ ମଧ୍ୟ  କେବେବି ଗଣମାଧ୍ୟମରେ ଆଲୋଚନା କରାଯାଇନାହିଁ। ସ୍ୱାମୀନାଥନ କମିଶନଙ୍କର ରିପୋର୍ଟ ସଂସଦରେ ୧୨ ବର୍ଷ ଧରି ଅନାଲୋଚିତ ହୋଇ ରହିଛି। ଏହାସହିତ ଯେତେବେଳେ ଗଣମାଧ୍ୟମ ଋଣଛାଡ ଆବେଦନକୁ ନେଇ ତୁମ୍ବିତୋଫାନ କରୁଛନ୍ତି ସେମାନେ କେବେ ବି ଦର୍ଶାଉନାହାନ୍ତି ଯେ କର୍ପୋରେଟ୍ ଏବଂ ବ୍ୟବସାୟୀଙ୍କ ଆକାଉଣ୍ଟକୁ ବ୍ୟାଙ୍କର କେତେ ପରିମାଣର ସମ୍ପତ୍ତି ବୋହିଯାଉଛି।

ବୋଧହୁଏ ଏହି ଜ୍ୱଳନ୍ତ ବିପର୍ଯ୍ୟୟ ଓ ଏ ସମ୍ପର୍କିତ ସମସ୍ୟାର ମୁକାବିଲା ପାଇଁ ଏକ ବିଶାଳ, ଗଣତାନ୍ତ୍ରିକ ବିକ୍ଷୋଭ ସହିତ ସଂସଦରେ ଏକ ତିନି - ସପ୍ତାହ  ବା ୨୧ ଦିନର ଅଧିବେଶନ ଆୟୋଜନ କରାଯିବାର ସମୟ ଆସିଛି। ଯାହାକି ଉଭୟ ଗୃହର ଏକ ମିଳିତ ଅଧିବେଶନ ହେବ

Two women sitting at Azad maidanIn Mumbai, covering their heads with cardboard boxes in the blistering heat.
PHOTO • Binaifer Bharucha

ଯଦି ଆମେ ମହିଳା ଚାଷୀମାନଙ୍କର ଅଧିକାର ଓ ସମସ୍ୟା ପ୍ରତି ଦୃଷ୍ଟି ଦେବା ନାହିଁ ତେବେ ଆମେ କୃଷି ସମ୍ପର୍କିତ ବିପର୍ଯ୍ୟୟର ସମାଧାନ କରିପାରିବା ନାହିଁ

ସେହି ଅଧିବେଶନ କେଉଁ ନୀତି ଉପରେ ଆଧାରିତ ହେବ? ଭାରତର ସମ୍ବିଧାନର ନୀତି ଉପରେ। ନିର୍ଦ୍ଦିଷ୍ଟ ଭାବରେ କହିଲେ, ରାଜନୀତିର ନିର୍ଦ୍ଦେଶନାମା ନିୟମାବଳି। ଏହି ଅଧ୍ୟାୟ ‘‘ଆୟରେ ଅସମାନତା ସର୍ବନିମ୍ନ ରଖିବା’’ ଏବଂ ‘‘ସ୍ଥିତି, ବ୍ୟବସ୍ଥା, ସୁଯୋଗରେ ଅସମାନତା ଦୁର କରିବା ପାଇଁ ପ୍ରୟାସ...’’ର ଆବଶ୍ୟକତା ବିଷୟରେ ଦର୍ଶାଏ। ଏହି ନୀତି ‘‘ନ୍ୟାୟ, ସାମାଜିକ, ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ସାମାଜିକ ଶୃଙ୍ଖଳାର ଆହ୍ୱାନ ଦିଏ ଯାହାକି ଜାତୀୟ ଜୀବନରେ ସମସ୍ତ ଅନୁଷ୍ଠାନ ପାଳନ କରିବେ।’’

କାର୍ଯ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ପ୍ରତି ଅଧିକାର। ପୋଷଣ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟର ସ୍ତରରେ ଉନ୍ନତି ଆଣିବା ଉତ୍ତମ ଜୀବନଧାରଣ ମାନର ଅଧିକାର। ପୁରୁଷ ଓ ମହିଳାମାନଙ୍କ କ୍ଷେତ୍ରରେ ସମାନ କାମ ପାଇଁ ସମାନ ପାରିଶ୍ରମିକ। ଯଥାର୍ଥ ଓ ମାନବ ଉପଯୋଗୀ କାର୍ଯ୍ୟ ପରିବେଶ। ଏଗୁଡ଼ିକ ମୁଖ୍ୟ ନୀତି ମଧ୍ୟରୁ ଅନ୍ୟତମ। ଉଚ୍ଚତମ ନ୍ୟାୟାଳୟ ଏକାଧିକବାର କହିଛନ୍ତି ଯେ ନିର୍ଦ୍ଦେଶନାମାଗୁଡ଼ିକ ଆମର ମୌଳିକ ଅଧିକାର ପରି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। 

ସ୍ୱତନ୍ତ୍ର ଅଧିବେଶନ ପାଇଁ କାର୍ଯ୍ୟସୂଚୀ ରହିଛି କି? ଏହି ପରିସ୍ଥିତି ସମ୍ପର୍କିତ କେତେକ ପରାମର୍ଶ ଦିଆଯାଇଛି ଏବଂ ଏଥିରେ ଅନ୍ୟାନ୍ୟ ବିଷୟ ଯୋଗ କରାଯାଇପାରେ ବା ସଂଶୋଧନ କରାଯାଇପାରେ:

ଦିନ: ସ୍ୱାମୀନାଥନ କମିଶନ ରିପୋର୍ଟ ବିଷୟରେ ଆଲୋଚନା- ୧୨ ବର୍ଷ ଧରି ପଡ଼ିରହିଛି। ଏହା ଡିସେମ୍ବର ୨୦୦୪ ଏବଂ ଅକ୍ଟୋବର ୨୦୦୬ ମଧ୍ୟରେ ପାଞ୍ଚଟି ରିପୋର୍ଟ ଦାଖଲ କରିଥିଲେ, ଯାହାକି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଅନ୍ତର୍ଭୁକ୍ତ କରେ ଏବଂ କେବଳ ସର୍ବନିମ୍ନ ସହାୟକ ମୂଲ୍ୟରେ ସୀମିତ ନୁହେଁ। ସେଗୁଡ଼ିକ ଅନ୍ତର୍ଭୁକ୍ତ କରେ, ଯେପରିକି ଉତ୍ପାଦକତା, ଲାଭଜନକତା, ଧାରଣ କ୍ଷମତା, ଜ୍ଞାନକୌଶଳ ଏବଂ ଜ୍ଞାନକୌଶଳ ଜନିତ ଚାପ, ଶୁଷ୍କ ଜମିରେ କୃଷି, ମୂଲ୍ୟଜନିତ ଆଘାତ ଏବଂ ସ୍ଥିରତା ଓ ଆହୁରି ଅନେକ ବିଷୟ। ଆମ୍ଭେ ମଧ୍ୟ କୃଷି ସମ୍ପର୍କିତ ଗବେଷଣା ଓ ଜ୍ଞାନକୌଶଳର ଘରୋଇକରଣରେ ପ୍ରତିବନ୍ଧକ ସୃଷ୍ଟି କରିବା ଆବଶ୍ୟକ। ଯେକୌଣସି କାରବାର ପରିବେଶ ପାଇଁ  ବିପର୍ଯ୍ୟୟ ସୃଷ୍ଟି କରିପାରେ। 

ଦିନ: ଲୋକମାନଙ୍କର ମତାମତ: ଏହି ବିପର୍ଯ୍ୟୟର ଶିକାର ହୋଇଥିବା ଲୋକଙ୍କୁ ସଂସଦର କେନ୍ଦ୍ରୀୟ ପ୍ରକୋଷ୍ଠରେ ରହିବାକୁ ଦିଅନ୍ତୁ ଏବଂ ସାରା ଦେଶକୁ ଏହି ବିପର୍ଯ୍ୟୟ ବିଷୟରେ ଅବଗତ କରାନ୍ତୁ, ସେମାନଙ୍କ ସହିତ ତଥା ସେମାନଙ୍କ ପରି ଅଗଣିତ ବ୍ୟକ୍ତିଙ୍କ ସହିତ କ’ଣ ଘଟିଛି ସମସ୍ତେ ଜାଣନ୍ତୁ ଏବଂ ଏହା କେବଳ ଚାଷର କଥା ନୁହେଁ। କିନ୍ତୁ କିପରି ଭାବରେ ସ୍ୱାସ୍ଥ୍ୟ ଓ ଶିକ୍ଷାର ଘରୋଇକରଣ ମଧ୍ୟ ଗ୍ରାମାଞ୍ଚଳର ଗରିବ ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି,  ସବୁ ଗରିବ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ପାଲଟିଛି। ଗ୍ରାମାଞ୍ଚଳରେ ପରିବାରଗୁଡ଼ିକ ଋଣ ଗ୍ରସ୍ତ ହେବାର ଦ୍ରୁତତମ ବା ଦ୍ୱିତୀୟ ଦ୍ରୁତତମ କାରଣ ହେଉଛି ସ୍ୱାସ୍ଥ୍ୟ ସମ୍ପର୍କିତ ଖର୍ଚ୍ଚ।

ଦିନ: ଋଣ ବିପର୍ଯ୍ୟୟ। ଋଣଗ୍ରସ୍ତତା ଏପରି ବଢ଼ିଚାଲୁଛି ଯେ ବିଶ୍ୱାସ କରିହେଉନାହିଁ। ହଜାର ହଜାର ଚାଷୀ ଆତ୍ମହତ୍ୟା କରିବା ଓ ଆଉ କେତେକଙ୍କର ଜୀବନ ଜୀବିକା ବିପର୍ଯ୍ୟସ୍ତ ହେବାର ପ୍ରମୁଖ କାରଣ ହେଉଛି ଋଣ। କେତେକ ନିଜର ସବୁକିଛି ହରାନ୍ତି ଓ ଆଉ କେତେକ ନିଜର ଭାତହାଣ୍ଡି ମନେ କରୁଥିବା ଜମି ହରାଇଥାନ୍ତି। ଆନୁଷ୍ଠାନିକ ଋଣ ବ୍ୟବସ୍ଥାର ନୀତିନିୟମ ଯୋଗୁଁ ସାହୁକାରମାନଙ୍କର ପ୍ରଭାବ ମୁଣ୍ଡ ଟେକୁଛି। 

3 ଦିନ: ଦେଶର ବ୍ୟାପକ ଜଳସଙ୍କଟ। ଏହା ମରୁଡିଠାରୁ ମଧ୍ୟ ଅଧିକ ଭୟଙ୍କର। ଏହି ସରକାର ଜଳର ‘ମୋଳିକ ମୂଲ୍ୟାୟନ’ ନାମରେ ଜଳର ଘରୋଇକରଣ କରିବା ପାଇଁ ବଦ୍ଧପରିକର ମନେ ହେଉଛନ୍ତି। ଆମ୍ଭେମାନେ ମୌଳିକ ଅଧିକାରରେ ଦର୍ଶାଯାଇଥିବା ପାନୀୟ ଜଳର ଅଧିକାର ଚାହୁଁ- ଯେକୌଣସି କ୍ଷେତ୍ରର ମୁଖ୍ୟ ସମ୍ବଳ ଜଳର ଘରୋଇକରଣ ବନ୍ଦ କରାଯାଉ। ସାମାଜିକ ନିୟନ୍ତ୍ରଣ ଏବଂ ସମସ୍ତଙ୍କ ପାଇଁ ସମାନ ପ୍ରବେଶାଧିକାର ବିଶେଷକରି ଭୂମିହୀନଙ୍କ ଅଧିକାର ସୁନିଶ୍ଚିତ କରାଯାଉ।

3 ଦିନ: ମହିଳା କୃଷକମାନଙ୍କର ଅଧିକାର। କୃଷି କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ, ଚାଷଜମିରେ ଅଧିକାଂଶ କାମ କରୁଥିବା ଶ୍ରମିକଙ୍କର ଅଧିକାର- ମାଲିକାନା ଏବଂ ସେମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଦେବା ବ୍ୟତୀତ ସମାଧାନ କରାଯାଇପାରିବ ନାହିଁ। ରାଜ୍ୟ ସଭାରେ, ପ୍ରଫେସର ସ୍ୱାମୀନାଥନ୍ ମହିଳା କୃଷକ ଅଧିକାର ବିଲ୍, 2011 (2013ରେ ଅଚଳ ହୋଇଥିବା) ପ୍ରଚଳନ କରିଥିଲେ, ଯାହାକି ଏବେବି ଏହି ତର୍କର ପ୍ରଥମ ବିଷୟ ହୋଇପାରେ।

3 ଦିନ: ଭୂମିହୀନ, ଉଭୟ ପୁରୁଷ ମହିଳା ମଜୁରିଆଙ୍କର ଅଧିକାର ବିଭିନ୍ନ ଦିଗରେ ଦେଶାନ୍ତରଣର ଚାପ ବୃଦ୍ଧି ପାଉଛି, ଏହି ସଙ୍କଟ କେବଳ ଗାଁର ସମସ୍ୟା ହୋଇ ସୀମିତ ନାହିଁ। ଯେଉଁଠାରେ କି କୃଷିକ୍ଷେତ୍ରରେ କୌଣସି ସାର୍ବଜନୀନ ନିବେଶ ସେମାନଙ୍କର ଅଧିକାର, ଆବଶ୍ୟକତା, ଆଭିମୁଖ୍ୟ ସହିତ କରାଯିବା କଥା।

3 ଦିନ: କୃଷି ବିଷୟରେ ବିତର୍କ। ଆମେ ଆଜିଠାରୁ 20 ବର୍ଷ ପରେ କେଉଁ ପ୍ରକାରର କୃଷି ଆଶା କରିବା? କର୍ପୋରେଟ୍ ଲାଭ ଦ୍ୱାରା ପରିଚାଳିତ? କିମ୍ବା ଗୋଷ୍ଠୀ ବା ପରିବାର ଦ୍ୱାରା ପରିଚାଳିତ, ଯାହା ପାଇଁ କୃଷି ସବୁକିଛି ହୋଇଥାଏ? ଅନ୍ୟ ପ୍ରକାରର ମାଲିକାନା ଏବଂ କୃଷିରେ ନିୟନ୍ତ୍ରଣ ମଧ୍ୟ ରହିଛି, ଯାହା ଉପରେ ଆମେ ଜୋର୍ ଦେବା ଆବଶ୍ୟକ- ଯେପରିକି କେରଳର କୁଡୁମ୍ବଶ୍ରୀ ଆନ୍ଦୋଳନ ପରି ତୀବ୍ର ସଂଘ କୃଷି (ଦଳଗତ ଚାଷ) ପ୍ରୟାସ। ଏବଂ ଆମ୍ଭେମାନେ ମଧ୍ୟ ଭୁସଂସ୍କାରର ଅସମାପ୍ତ କାର୍ଯ୍ୟସୂଚୀରେ ସଂସ୍କାର ଆଣିବୁ। ଉପରୋକ୍ତ ସମସ୍ତ ତର୍କ ବାସ୍ତବରେ ଅର୍ଥପୂର୍ଣ୍ଣ ହେବ- ଏବଂ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ- ଏହାସହିତ ମଧ୍ୟ ସମସ୍ତେ ଆଦିବାସୀ ଏବଂ ଦଳିତ ଚାଷୀ ଓ ମୁଲିଆଙ୍କ ଅଧିକାର ଉପରେ ଧ୍ୟାନ ଦେବା ଆବଶ୍ୟକ।

ଯଦିଓ କୌଣସି ରାଜନୈତିକ ଦଳ ଖୋଲାଖୋଲି ଭାବରେ ଏହି ଅଧିବେଶନର ବିରୋଧ କରିବେ ନାହିଁ, ପ୍ରକୃତରେ ଏହା ଘଟୁ ଏହା କିଏ ସୁନିଶ୍ଚିତ କରିବ? ନିଜେ ଅସହାୟ ସମୁଦାୟ।

Midnight walk to Azad Maidan
PHOTO • Shrirang Swarge

ନାସିକ୍‌ଠାରୁ ମୁମ୍ବାଇ ପର୍ଯ୍ୟନ୍ତ ଚାଷୀମାନଙ୍କର ଯାତ୍ରା ସାରାଦେଶରେ ଚହଳ ପକାଇଥିଲା-କେବଳ ଚାଷୀ ମୂଲିଆ ନୁହନ୍ତି ଏହି ସଙ୍କଟରେ ସର୍ବହରା ହୋଇଥିବା ଅନ୍ୟ ବର୍ଗର ଲୋକେ ମଧ୍ୟ ଏଥିରେ ସାମିଲ୍ ହୋଇଥିଲେ

ଏହି ବର୍ଷ ମାର୍ଚ୍ଚ ମାସରେ, ୪୦,୦୦୦ କୃଷକ ଏବଂ ମଜୁରିଆ ଏହିପରି କେତେକ ଦାବି ନେଇ ନାସିକରୁ ମୁମ୍ବାଇ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପଦଯାତ୍ରା କରିଥିଲେ। କିନ୍ତୁ ଉଦ୍ଧତ ମୁମ୍ବାଇ ସରକାର ଏହି ପଦଯାତ୍ରୀମାନଙ୍କୁ ‘ସହରୀ ମାଓବାଦୀ’ ଆଖ୍ୟା ଦେଇ ସେମାନଙ୍କ ସହ କଥାବାର୍ତ୍ତ କରିବାକୁ ମନା କରିଦେଇଥିଲେ। ଏହାର କିଛି ଘଣ୍ଟା ଭିତରେ ମୁମ୍ବାଇର ରାଜ୍ୟ ବିଧାନସଭା ଚାରିପଟେ ଘେରି ଯାଇଥିଲେ। ଗାଁଗହଳିର ଗରିବ ଲୋକମାନେ ସେମାନଙ୍କ ସରକାର ନିକଟରେ ନିଜର ଅର୍ଜି ରଖିଥିଲେ।

ଅତ୍ୟନ୍ତ ଶୃଙ୍ଖଳିତ ପଦଯାତ୍ରୀମାନେ ମୁମ୍ବାଇରେ ଏକତ୍ରିତ ହୋଇଥିଲେ। କେବଳ ସହରାଞ୍ଚଳର କର୍ମଜୀବୀ ବର୍ଗ ନୁହନ୍ତି, ମଧ୍ୟବିତ୍ତ ଶ୍ରେଣୀ ଏପରିକି କେତେକ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିବିଶେଷ ସମଭାବାପନ୍ନତା ପ୍ରଦର୍ଶନ କରି ସେମାନଙ୍କ ସହ ସାମିଲ୍ ହୋଇଥିଲେ।

ଆମେ ଏହାକୁ ୨୫ ଗୁଣ ଅଧିକ ବଡ ଆକାରରେ ଜାତୀୟସ୍ତରରେ କରିବାକୁ ଚାହୁଁ। ଅସହାୟମାନଙ୍କର ଦୀର୍ଘ ପଦଯାତ୍ରା- ଏହି ଯାତ୍ରା କେବଳ କୃଷକ ବା ମୁଲିଆମାନଙ୍କର ନୁହେଁ, ବରଂ ଏହି ସଙ୍କଟ ଦ୍ୱାରା ବିପର୍ଯ୍ୟସ୍ତ ସମସ୍ତଙ୍କର ଯାତ୍ରା  ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେଉଁମାନେ ଏହାଦ୍ୱାରା ପ୍ରଭାବିତ ହୋଇନାହାନ୍ତି କିନ୍ତୁ ଏହି ସଙ୍କଟରେ ବିପର୍ଯ୍ୟସ୍ତ ମଣିଷମାନଙ୍କ ଦୁଃଖରେ ସମଦୁଃଖି ସେମାନେ ମଧ୍ୟ ଏଥିରେ ସାମିଲ ହେବେ। ସେମାନେ ନ୍ୟାୟ ଓ ଗଣତନ୍ତ୍ରର ଦାବି କରିବେ। ଏହି ପଦଯାତ୍ରା ଦେଶ ବ୍ୟାପୀ ସବୁ ସ୍ଥାନରୁ ଆରମ୍ଭ ହୋଇ ରାଜଧାନୀରେ ମିଳିତ ହେବ। ଲାଲକିଲା ନୁହେଁ ଶୋଭାଯାତ୍ରା ନୁହେଁ ବା ଯନ୍ତର ମନ୍ତରରେ ଧାରଣା ନୁହେଁ। ଏହି ପଦଯାତ୍ରୀମାନେ ସଂସଦ ଘେରାଉ କରିବେ-ସଂସଦକୁ ତାଙ୍କର ଦୁଃଖ ଶୁଣିବା ପାଇଁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଧ୍ୟ କରିବେ। ହଁ, ସେମାନେ ସମଗ୍ର ଦିଲ୍ଲୀରେ ବ୍ୟାପିଯିବେ।


ଏହା କାର୍ଯ୍ୟକାରୀ ହେବା ପାଇଁ କିଛି ମାସ ଲାଗିପାରେ, ଅନେକ ସମସ୍ୟା ଆସିପାରେ। ଚାଷୀ, ମୂଲିଆ ଓ ଅନ୍ୟ ଅନୁଷ୍ଠାନଗୁଡ଼ିକର ବୃହତ୍ତମ ଓ ବ୍ୟାପକ ସମ୍ମେଳନରେ ଏହା ସମ୍ଭବ। ଶାସକ ଦଳର ଏବଂ ସେମାନଙ୍କର ଗଣମାଧ୍ୟମର ଘୋର ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରତି ପର୍ଯ୍ୟାୟରେ ଏହାକୁ ଦୁର୍ବଳ କରିଦେବା ପାଇଁ ଉଦ୍ୟମ ହେବ।

ଏହା ସମ୍ଭବ ହେବ। ଗରିବ ଅସହାୟଙ୍କୁ ଅଣଦେଖା କରନ୍ତୁ ନାହିଁ- ଗଣତନ୍ତ୍ରକୁ ଜୀବନ୍ତ ରଖିଛି ଏହି ଚାଷୀ ମୂଲିଆ ଶ୍ରେଣୀ, ତଥାକଥିତ ଚାଟୁକାର ବର୍ଗ ନୁହେଁ।

ଏହା ଅନ୍ୟତମ ବୃହତ୍ତମ ଗଣତାନ୍ତ୍ରିକ ବିକ୍ଷୋଭ ହେବ- ହଜାର ହଜାର ଲୋକ ସେମାନଙ୍କର ପ୍ରତିନିଧିତ୍ୱ ଦର୍ଶାଇବା ପାଇଁ ଏକାଠି  ହେବେ। ଯଦି ଭଗତ ସିଂ ବଞ୍ଚିଥାନ୍ତେ ଆଜି ସେମାନଙ୍କୁ କହିଥାନ୍ତେ ‘‘ସେମାନେ ବଧିରକୁ ଶୁଣିବା ପାଇଁ, ଅନ୍ଧକୁ ଦେଖିବା ପାଇଁ ଓ ମୁକକୁ କଥା କହିବା ପାଇଁ ବାଧ୍ୟ କରିପାରିବେ’’।

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath