‘ଇଣ୍ଟରନ୍ୟାସନାଲ କମିଶନ ଅଫ୍‌ ଜୁରିଷ୍ଟ୍‌ସ’ (ଆଇନଜ୍ଞମାନଙ୍କର ଅନ୍ତର୍ଜାତୀୟ କମିଶନ) ନାମକ ଏକ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନ ପକ୍ଷରୁ ୨୦୧୯ ମସିହାରେ ପ୍ରକାଶିତ ‘ଲିଭିଂ ଉଇଥ୍‌ ଡିଗ୍ନିଟି’ ବା ‘ଆତ୍ମସମ୍ମାନର ସହ ଜୀବନ’ ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି ଯେ, ବନ୍ଦୀ ଜୀବନ, ବଳପୂର୍ବକ ବିବାହ, ଯୌନ ଉତ୍ପୀଡ଼ନ ଏବଂ ଶାରୀରିକ ହିଂସା ଏବଂ ‘ସୁଧାର ମୂଳକ’ ଉପଚାର ପ୍ରକ୍ରିୟାର ଆଶଙ୍କା ଏବଂ ଅନୁଭୂତି ମଧ୍ୟରେ ସମଲିଙ୍ଗୀ ସଂପ୍ରଦାୟ କାଳାତିପାତ କରିଆସୁଛନ୍ତି।

ଉଦାହରଣ ରୂପେ ମହାରାଷ୍ଟ୍ରର ଠାଣେ ଏବଂ ପାଲଘର ଜିଲ୍ଲାର ବିଧି ଏବଂ ଆରୁଷୀ (ପରିବର୍ତ୍ତିତ ନାମ)ଙ୍କ କଥା ଦେଖନ୍ତୁ। ମୁମ୍ବାଇରେ ଏକତ୍ର ରହିବା ଲାଗି ସେମାନେ ନିଜ ନିଜ ଘର ଛାଡ଼ି ଚାଲିଆସିଲେ। ମୁମ୍ବାଇ ନଗରୀରେ ଘର ଭଡ଼ା ନେଇ ରହିଲେ ବିଧି ଏବଂ ଆରୁଷୀ (ସେମାନେ ପରଲିଙ୍ଗୀ ପୁରୁଷ ବା ‘ଟ୍ରାନ୍‌ସ ମ୍ୟାନ୍‌’ ରୂପେ ନିଜକୁ ପରିଚିତ କରାନ୍ତି)। ଆରୁଷୀ କହନ୍ତି, “ଆମ ଘର ମାଲିକ ଆମ ସମ୍ବନ୍ଧ ସଂପର୍କରେ ଜାଣିନାହାନ୍ତି। ଆମକୁ ଏହା ଲୁଚାଇବାକୁ ପଡ଼ିବ। ଆମେ ଏ ଘର ଛାଡ଼ି ଚାଲିଯିବାକୁ ଚାହୁଁନାହୁଁ।”

ଇଂରାଜୀ ପ୍ରଥମ ଅକ୍ଷରର ଏକତ୍ରୀକରଣ ରୂପରେ ‘ଏଲ୍‌ଜିବିଟିକ୍ୟୁଆଇଏ+’ ନାମରେ ପରିଚିତ ପରଲିଙ୍ଗୀ, ସମଲିଙ୍ଗୀ, ଉଭୟଲିଙ୍ଗୀ, ବିବିଧଲିଙ୍ଗୀ ଏବଂ ଅନୁରୂପ ମହିଳା ଓ ପୁରୁଷମାନଙ୍କୁ କେହି ଘର ଦେବାକୁ ଚାହାଁନ୍ତି ନାହିଁ, ବଳପୂର୍ବକ ଘରୁ ବାହାର କରି ଦିଅନ୍ତି ଏବଂ ସେମାନେ ନିଜ ପରିବାର, ଘର ମାଲିକ, ପଡ଼ୋଶୀ ଏବଂ ପୋଲିସ ଦ୍ୱାରା ଉତ୍ପୀଡ଼ନର ଶିକାର ହୋଇଥାଆନ୍ତି। ସେମାନଙ୍କ ମଧ୍ୟରୁ ଅନେକ ବାସହୀନ ସ୍ଥିତିର ସମ୍ମୁଖୀନ ହୁଅନ୍ତି ବୋଲି ଲିଭିଂ ଉଇଥ୍‌ ଡିଗ୍ନିଟି ରିପୋର୍ଟରେ କୁହାଯାଇଛି।

ସାମାଜିକ କଳଙ୍କର ବୋଝ ତଳେ ଉତ୍ପୀଡ଼ନର ଶିକାର ହୋଇଆସୁଥିବା ଅନେକ ପରଲିଙ୍ଗୀ ବ୍ୟକ୍ତି, ବିଶେଷତଃ ଗ୍ରାମାଞ୍ଚଳରେ ରହିଆସୁଥିବା ଏଭଳି ବ୍ୟକ୍ତିମାନେ ନିରାପଦ ଆଶ୍ରୟ ସନ୍ଧାନରେ ଘର ଛାଡ଼ିବାକୁ ବାଧ୍ୟ ହୁଅନ୍ତି। ପଶ୍ଚିମ ବଙ୍ଗରେ ରହୁଥିବା ପରଲିଙ୍ଗୀ, ଉଭୟଲିଙ୍ଗୀ ବା ବିପରୀତଲିଙ୍ଗୀ ବ୍ୟକ୍ତିମାନଙ୍କ ସଂପର୍କରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ୨୦୨୧ରେ ପ୍ରକାଶିତ ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାଯାଇଛି ଯେ “ସେମାନଙ୍କ ଲିଙ୍ଗଗତ ଭାବକୁ ଲୁଚାଇ ରଖିବା ଲାଗି ପରିବାର ଲୋକେ ବାଧ୍ୟ କରନ୍ତି।” ଏବଂ ପରିବାର, ସାଙ୍ଗସାଥୀ ଏବଂ ସମାଜର ଭେଦଭାବପୂର୍ଣ୍ଣ ବ୍ୟବହାରର ଶିକାର ହୋଇ ଏମାନଙ୍କ ମଧ୍ୟରୁ ପାଖାପାଖି ଅଧା ଲୋକ ଘର ଛାଡ଼ି ପଳାଇ ଯାଇଛନ୍ତି।

“କେବଳ ଏହି କାରଣରୁ ଯେ ଆମେ ଉଭୟଲିଙ୍ଗୀ, ଏହାର ଅର୍ଥ କ’ଣ ଆମର ଇଜ୍ଜତ (ସମ୍ମାନ) ନାହିଁ?” ବୋଲି ପଚାରନ୍ତି ଶୀତଲ ନାମ୍ନୀ ଜଣେ ଉଭୟଲିଙ୍ଗୀ ମହିଳା। ସ୍କୁଲ୍‌ରେ, କାର୍ଯ୍ୟକ୍ଷେତ୍ରରେ, ରାସ୍ତାଘାଟରେ, ପ୍ରାୟ ସବୁ ସ୍ଥାନରେ ବର୍ଷ ବର୍ଷର କଟୁତିକ୍ତ ଅନୁଭୂତିରୁ ‘ ଲୋକେ ଆମକୁ ଏମିତି ଚାହାନ୍ତି ଯେମିତି ଆମେ ପ୍ରେତ ’ ଶୀର୍ଷକ ଲେଖାରେ ସେ ପ୍ରଶ୍ନ କରନ୍ତି, “ଆମକୁ ସମସ୍ତେ କାହିଁକି ଘୃଣା କରିବା ଭଳି ବ୍ୟବହାର କରନ୍ତି?”

PHOTO • Design courtesy: Dipanjali Singh

କୋହ୍ଲାପୁର ର ସାକିନା (ଜଣେ ମହିଳା ଭାବରେ ତାଙ୍କର ସମ୍ଭାବିତ ନାମ) ଜଣେ ମହିଳା ରୂପରେ ବଞ୍ଚିବାକୁ ଚାହୁଁଛନ୍ତି ବୋଲି ନିଜ ପରିବାରକୁ କହିବା ଲାଗି ଚେଷ୍ଟା କଲେ। କିନ୍ତୁ ପରିବାର ଲୋକେ ତାଙ୍କୁ (ସେମାନେ ତାଙ୍କୁ ଜଣେ ପୁରୁଷ ଭାବରେ ଦେଖୁଥିଲେ) ଗୋଟିଏ ଝିଅ ସହିତ ବିବାହ କରିବା ଲାଗି ଜିଦ୍‌ ଧରି ବସିଲେ। “ଘରେ ମୋତେ ଜଣେ ବାପା ଏବଂ ସ୍ୱାମୀ ଭାବରେ ରହିବାକୁ ହୁଏ। ଜଣେ ନାରୀ ରୂପରେ ବଞ୍ଚିବା ପାଇଁ ମୋର ଇଚ୍ଛାକୁ ମୁଁ ପୂରଣ କରିପାରିବି ନାହିଁ। ମୁଁ ଏକ ଦ୍ୱେତ ଜୀବନ ନିର୍ବାହ କରୁଛି – ମନ ଭିତରେ ଜଣେ ନାରୀ ଏବଂ ସମାଜରେ ଜଣେ ପୁରୁଷ ରୂପରେ।”

ଆମ ଦେଶର ବିଭିନ୍ନ ଭାଗରେ ସମଲିଙ୍ଗୀ ବା ଏଲ୍‌ଜିବିଟିକ୍ୟୁଆଇଏ+ ସଂପ୍ରଦାୟର ବ୍ୟକ୍ତିମାନଙ୍କ ପ୍ରତି କୁଂସସ୍କାରମୂଳକ ମନୋଭାବ ରହିଆସିଛି। ଉଦାହରଣ ସ୍ୱରୂପ, ତୃତୀୟ ଲିଙ୍ଗ ରୂପରେ ପରଲିଙ୍ଗୀ ବ୍ୟକ୍ତିମାନଙ୍କ ମାନବିକ ଅଧିକାର ସଂପର୍କିତ ଏକ ଅନୁଧ୍ୟାନ ରିପୋର୍ଟରେ ଦର୍ଶାଯାଇଛି ଯେ, ପରଲିଙ୍ଗୀ ସଂପ୍ରଦାୟର ବ୍ୟକ୍ତିମାନଙ୍କୁ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟସେବା, ଭୋଟ୍‌ଦାନ, ପାରିବାର ଏବଂ ବିବାହ କ୍ଷେତ୍ରରେ ସେହି ସବୁ ଅଧିକାରରୁ ବଞ୍ଚିତ କରାଯାଇଛି, ଯାହା ଜନ୍ମରୁ ନିର୍ଦ୍ଦିଷ୍ଟ ଲିଙ୍ଗ ନିର୍ଦ୍ଧାରିତ ବ୍ୟକ୍ତିମାନଙ୍କୁ ମିଳିଥାଏ।

୨୦୨୩ ଏପ୍ରିଲ ମାସରେ ହିମାଚଳ ପ୍ରଦେଶର ଧର୍ମଶାଳା ସହରରେ ଅନୁଷ୍ଠିତ ପ୍ରଥମ ସ୍ୱାଭିମାନ ପଦଯାତ୍ରା ଅବସରରେ ମଧ୍ୟ କେତେକ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ନବନୀତ କୋଠିୱାଲା। “ଏହା ଠିକ୍‌ ବୋଲି ମୁଁ ଭାବୁନି। ସେମାନେ (ବିବିଧଲିଙ୍ଗୀ ବ୍ୟକ୍ତିମାନେ) ଏଥିପାଇଁ ଲଢ଼େଇ କରିବା ଉଚିତ ନୁହେଁ, କାରଣ ସେମାନେ ଯାହା ଚାହୁଁଛନ୍ତି ତାହା ଅପ୍ରାକୃତିକ - ସେମାନଙ୍କର ପିଲାଛୁଆ କେମିତି ହେବ ?”

ସବୁବେଳେ ଉଭୟଲିଙ୍ଗୀ ବ୍ୟକ୍ତିମାନେ ଭେଦଭାବ ଏବଂ ବାସନ୍ଦ ମନୋଭାବର ଶିକାର ହୋଇଆସୁଛନ୍ତି ଏବଂ ବାସଗୃହ ଓ ଚାକିରି କ୍ଷେତ୍ରରେ ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରାଯାଉଛି। ପାଖାପାଖି ୧୩ ବର୍ଷ ବୟସରେ ନିଜକୁ ଜଣେ ଉଭୟଲିଙ୍ଗୀ ବୋଲି ଜାଣିପାରିଥିବା ରାଧିକା ଗୋସାଭି କହନ୍ତି, “ଆମେ ଭିକ ମାଗିବାକୁ ଚାହୁଁନାହୁଁ, କିନ୍ତୁ ଲୋକେ ଆମକୁ ଚାକିରି ଦିଅନ୍ତି ନାହିଁ। ଦୋକାନୀମାନେ ଆମକୁ ଘଉଡ଼ାଇ ଦିଅନ୍ତି।” ସେ ଆହୁରି କହନ୍ତି, “ଆମେ ନିଜ ପେଟ ପାଇଁ ଖାଦ୍ୟ ଯୋଗାଡ଼ କରିବା ଲାଗି ସବୁକିଛି ସହିଯାଉ।”

ସାମାଜିକ ଅସ୍ବୀକୃତି ଏବଂ ଚାକିରି ସୁଯୋଗ କ୍ଷେତ୍ରରେ ନିଜ ଅଧିକାରରୁ ବଞ୍ଚିତ ହେବା ହିଁ ଉଭୟଲିଙ୍ଗୀ ବ୍ୟକ୍ତିଙ୍କ ପାଇଁ ପ୍ରକୃତ ସମସ୍ୟା। ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀରେ ଆୟୋଜିତ ତୃତୀୟ ଲିଙ୍ଗ ଭାବରେ ସମଲିଙ୍ଗୀ ବ୍ୟକ୍ତିମାନଙ୍କ ମାନବିକ ଅଧିକାର ସଂପର୍କିତ ଏକ ଅନୁଧ୍ୟାନ ର ଫଳାଫଳ ଅନୁସାରେ ୯୯ ପ୍ରତିଶତ ଉତ୍ତରଦାତା ଏକ କିମ୍ବା ଏକାଧିକ ଥର ‘ସାମାଜିକ ଅସ୍ବୀକୃତି’ର ସମ୍ମୁଖୀନ ହୋଇଛନ୍ତି ଏବଂ ପ୍ରାୟ ୯୬ ପ୍ରତିଶତ ‘ନିଯୁକ୍ତି ସୁଯୋଗ’ରୁ ବଞ୍ଚିତ ହୋଇଛନ୍ତି।

PHOTO • Design courtesy: Dipanjali Singh

ଉଭୟଲିଙ୍ଗୀ ବ୍ୟକ୍ତି ରାଧିକା କହନ୍ତି, “ଯଦି ଆମେ କେଉଁଠାକୁ ଯିବାକୁ ଚାହୁଁ, ଆମକୁ ରିକ୍‌ସାଚାଳକମାନେ ନିଅନ୍ତି ନାହିଁ ଏବଂ ଟ୍ରେନ୍‌ ଓ ବସ୍‌ରେ ଆମ ଆଖପାଖରେ ଥିବା ଲୋକେ ଆମକୁ ଅଛୁଆଁ ଭଳି ବ୍ୟବହାର କରନ୍ତି। ଆମ ପାଖରେ କେହି ବସନ୍ତି ନାହିଁ କି ଠିଆ ହୁଅନ୍ତି ନାହିଁ। କିନ୍ତୁ ସେମାନେ ଆମକୁ ଏମିତି ଚାହିଁ ଥାଆନ୍ତି, ସତେ ଯେମିତି ଆମେ ପ୍ରେତାତ୍ମା ଭଳି।”

ସପିଂ ମଲ୍‌ ଏବଂ ରେସ୍ତୋରାଁ ଭଳି ବିଭିନ୍ନ ସର୍ବସାଧାରଣ ସ୍ଥାନରେ ‘ଏଲ୍‌ଜିବିଟିକ୍ୟୁଆଇଏ+’ ସଂପ୍ରଦାୟର ଲୋକେ ଭେଦଭାବ ର ଶିକାର ହୁଅନ୍ତି। ସେମାନଙ୍କୁ ସେଠାରେ ପ୍ରବେଶ କରିବାକୁ ଦିଆଯାଏ ନାହିଁ, କୌଣସି ସେବା ପ୍ରଦାନ କରାଯାଏ ନାହିଁ, ସେମାନଙ୍କ ଉପରେ ଅଯଥା ତୀକ୍ଷ୍‌ଣ ନଜର ରଖାଯାଏ ଏବଂ ବିଭିନ୍ନ ସାମଗ୍ରୀର ଦରଦାମ କ୍ଷେତ୍ରରେ ମଧ୍ୟ ଭେଦଭାବ କରାଯାଏ। କୌଣସି ଶିକ୍ଷାନୁଷ୍ଠାନରେ ଶିକ୍ଷାଗ୍ରହଣ ଶେଷ କରିବା ସେମାନଙ୍କ ଆଗରେ ଅଲଗା ସମସ୍ୟା ସୃଷ୍ଟି କରେ। ମଦୁରାଇର ଦୁଇ କୁମ୍ମି (ପାରମ୍ପରିକ ଗୀତ) ନୃତ୍ୟ-କଳାକାର କେ.ଶ୍ୱେସ୍ଥିକା ଏବଂ ଆଇ.ଶାଲିନ ପରଲିଙ୍ଗୀ ବା କିନ୍ନର ମହିଳା ହୋଇଥିବାରୁ ସେମାନଙ୍କୁ ଉତ୍ପୀଡ଼ନର ଶିକାର ହେବାକୁ ପଡ଼ିଲା ଏବଂ ଫଳସ୍ୱରୂପ ସେମାନଙ୍କୁ ଯଥାକ୍ରମେ ବି.ଏ. ଏବଂ ୧୧ଶ ଶ୍ରେଣୀର ପାଠପଢ଼ା ଅଧାରୁ ଛାଡ଼ିବାକୁ ପଡ଼ିଲା। ପଢ଼ନ୍ତୁ: ମଦୁରାଇର କିନ୍ନର କଳାକାର: ଶୋଷିତ, ନିଃସଙ୍ଗ, ଅସହାୟ

୨୦୧୫ ମସିହାରେ ପ୍ରକାଶିତ ଏକ ସର୍ଭେ (ସମଲିଙ୍ଗୀ ବା କିନ୍ନରମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ ଲାଗି ସୁପ୍ରିମ କୋର୍ଟଙ୍କ ରାୟର ଏକ ବର୍ଷ ପରେ) ରିପୋର୍ଟରେ ଦର୍ଶାଯାଇଛି ଯେ କେରଳର ୫୮ ପ୍ରତିଶତ କିନ୍ନର ସଂପ୍ରଦାୟର ଛାତ୍ରଛାତ୍ରୀ ୧୦ମ ଶ୍ରେଣୀ ପାଠ ଶେଷ କରିବା ପୂର୍ବରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ସ୍କୁଲ୍‌ରେ ଗୁରୁତର ଉତ୍ପୀଡ଼ନ, ସଂରକ୍ଷଣ ବ୍ୟବସ୍ଥାର ଅଭାବ ଏବଂ ଘରେ ଅନୁକୂଳ ପରିବେଶର ଅଭାବ ପ୍ରଭୃତି ଏହାର କାରଣ ବୋଲି ଉଲ୍ଲେଖ କରାଯାଇଥିଲା।

*****

“ମହିଳା ଦଳରେ ଜଣେ ପୁରୁଷ ଖେଳୁଛନ୍ତି’ ଏହିଭଳି ଅନେକ ଶିରୋନାମା ପ୍ରକାଶିତ ହୋଇଥିଲା,” ବୋଲି ମନେ ପକାନ୍ତି ବୋନି ପଲ୍‌ । ସେ ନିଜକୁ ଜଣେ ପୁରୁଷର ପରିଚୟ ଦିଅନ୍ତି, ହେଲେ ପ୍ରକୃତରେ ସେ ଜଣେ ଉଭୟଲିଙ୍ଗୀ ବ୍ୟକ୍ତି। ସେ ଜଣେ ଫୁଟବଲ୍‌ ଖେଳାଳି ଏବଂ ୧୯୯୮ରେ ସେ ଏସୀୟ କ୍ରୀଡ଼ାରେ ଭାଗ ନେବା ପାଇଁ ମନୋନୀତ ଜାତୀୟ ଦଳରେ ସ୍ଥାନ ପାଇଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଲିଙ୍ଗଗତ ପରିଚୟକୁ କେନ୍ଦ୍ର କରି ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଥିଲା।

ମିଳିତ ଜାତିସଂଘର ମାନବିକ ଅଧିକାର ଉଚ୍ଚ ଆୟୁକ୍ତଙ୍କ କାର୍ଯ୍ୟାଳୟ ଅନୁସାରେ ଉଭୟଲିଙ୍ଗୀ ବ୍ୟକ୍ତିମାନଙ୍କର କେତେକ ଲିଙ୍ଗଗତ ବୈଶିଷ୍ଟ୍ୟ (ଯୌନାଙ୍ଗ, ଜନନାଙ୍ଗ ଏବଂ ଗୁଣସୂତ୍ର ସଂରଚନା ବା କ୍ରୋମୋଜୋମ୍‌ ପ୍ୟାଟର୍ନ୍‌ ସମେତ) ନେଇ ଜନ୍ମ ହୋଇଥାଆନ୍ତି। ଏହା ପ୍ରଚଳିତ ପୁରୁଷ ଓ ମହିଳା ଶରୀରର ଲିଙ୍ଗଭେଦ ଅନୁସାରେ କୌଣସିଟି ସହିତ ମେଳ ଖାଏ ନାହିଁ।

PHOTO • Design courtesy: Dipanjali Singh

ବୋନି କହନ୍ତି, “ମୋର ଗୋଟିଏ ଜରାୟୁ, ଗୋଟିଏ ଗର୍ଭାଶୟ ରହିଛି ଏବଂ ତା’ ଭିତରେ ଏକ ପୁରୁଷ ଯୌନାଙ୍ଗ ରହିଛି। ମୋର ଉଭୟ ‘ପକ୍ଷର’ (ପ୍ରଜନନ ଅଙ୍ଗ) ରହିଥିଲା। କେବଳ ଭାରତରେ ନୁହେଁ, ସାରା ପୃଥିବୀରେ ଅନେକ ଲୋକଙ୍କର ମୋ ଧରଣର ଶରୀର ରହିଛି। କ୍ରୀଡ଼ାବିତ୍‌, ଟେନିସ୍‌ ଖେଳାଳି, ଫୁଟବଲ ଖେଳାଳି, ମୋ ଭଳି ଏମିତି ଅନେକ ଖେଳାଳି ଅଛନ୍ତି।”

ବୋନି କହନ୍ତି ଯେ ସମାଜ ଭୟରେ ସେ ତାଙ୍କ ଘର ଛାଡ଼ି ବାହାରକୁ ଯାଆନ୍ତି ନାହିଁ। ଏହି ରିପୋର୍ଟ ରେ ଉଲ୍ଲେଖ କରାଯାଇଛି ଯେ, ଅନେକ ସମୟରେ ‘ଏଲ୍‌ଜିବିଟିକ୍ୟୁଆଇଏ+’ ସଂପ୍ରଦାୟର ସଦସ୍ୟମାନେ ଅନ୍ତର୍ଜାତୀୟ ଆଇନ ଅନୁସାରେ ଏତେ ବେଶୀ ଦୁର୍ବ୍ୟବହାରର ସମ୍ମୁଖୀନ ହୁଅନ୍ତି ଯେ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ଆଶଙ୍କିତ ଅବସ୍ଥାରେ ରହିଥାଆନ୍ତି। ବାସ୍ତବରେ, ୨୦୧୮ ମସିହାରେ ଭାରତରେ ନଥିଭୁକ୍ତ ହୋଇଥିବା ମୋଟ ମାନବିକ ଅଧିକାର ଉଲ୍ଲଂଘନ ମାମଲା ମଧ୍ୟରୁ ୪୦ ପ୍ରତିଶତ ଶାରୀରିକ ଆକ୍ରମଣ ଏବଂ ତା ପଛକୁ ବଳାତ୍କାର ଏବଂ ଯୌନ ଉତ୍ପୀଡ଼ନ ମାମଲା (୧୭ ପ୍ରତିଶତ) ରହିଛି।

କେବଳ କର୍ଣ୍ଣାଟକକୁ ବାଦ୍‌ ଦେଲେ ୨୦୧୪ ମସିହାରୁ ଭାରତର ଅନ୍ୟ କୌଣସି ରାଜ୍ୟ ସରକାର ତୃତୀୟ ଲିଙ୍ଗକୁ ଏକ ପରିଚୟ ରୂପରେ ଆଇନଗତ ମାନ୍ୟତା ଦେବା ଦିଗରେ କୌଣସି ସଚେତନତା ଅଭିଯାନ ଆରମ୍ଭ କରିନାହାନ୍ତି ବୋଲି ଏହି ରିପୋର୍ଟ ରେ ଦର୍ଶାଯାଇଛି। ଉଭୟଲିଙ୍ଗୀ ସଂପ୍ରଦାୟର ଲୋକେ ପୋଲିସ ଦ୍ୱାରା ମଧ୍ୟ ଉତ୍ପୀଡ଼ନର ଶିକାର ହୋଇଆସୁଥିବା ବିଷୟ ଏହି ରିପୋର୍ଟର ପ୍ରମୁଖ ସ୍ଥାନରେ ରହିଛି।

ଭାରତରେ ପ୍ରଥମ ପର୍ଯ୍ୟାୟ କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ, ଯୌନଗତ ପ୍ରଭେଦ ବିଶିଷ୍ଟ ଅନେକ ବ୍ୟକ୍ତି ନିଜ ନିଜର “ନିର୍ଦ୍ଦିଷ୍ଟ ସମସ୍ୟା ଓ ଆବଶ୍ୟକତା ସଂପର୍କରେ ଭଲ ଭାବେ ଜାଣି ନଥିବାରୁ” ଆବଶ୍ୟକତା ମୁତାବକ ସ୍ୱାସ୍ଥ୍ୟସେବା ସୁବିଧା ପାଇପାରିଲେ ନାହିଁ ବୋଲି କରୋନା କ୍ରୋନିକ୍‌ଲସ ରେ ଉଲ୍ଲେଖ କରାଯାଇଛି। PARIର ଲାଇବ୍ରେରୀରେ ଯୌନଗତ ଏବଂ ଲିଙ୍ଗଗତ ସଂଖ୍ୟାଲଘୁ ବିଭାଗ ରେ ଏଭଳି ଅନେକ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶିତ ହୋଇଛି ଯାହାକି ଭାରତରେ ‘ଏଲ୍‌ଜିବିଟିକ୍ୟୁଆଇଏ+’ ସଂପ୍ରଦାୟର ସ୍ୱାସ୍ଥ୍ୟସେବା ସମସ୍ୟାକୁ ଉପସ୍ଥାପନ କରିଛି ଏବଂ ଏସବୁକୁ ବୁଝିବା ଦିଗରେ ଉପାଦେୟ ହୋଇଛି।

PHOTO • Design courtesy: Dipanjali Singh

କୋଭିଡ୍‌-୧୯ ବିଶ୍ୱ ମହାମାରୀ ତାମିଲନାଡୁର ଅନେକ ଲୋକ କଳାକାରଙ୍କ ଜୀବନଧାରାକୁ ବିପ୍ରର୍ଯ୍ୟସ୍ତ କରିଦେଇଥିଲା। ସେମାନଙ୍କ ମଧ୍ୟରୁ ସର୍ବାଧିକ ପ୍ରଭାବିତ ହୋଇଥିଲେ ମହିଳା ଉଭୟଲିଙ୍ଗୀ କଳାକାରମାନେ। ସେମାନଙ୍କ ପାଖରେ ନା କୌଣସି କାମ ଥିଲା, ନା ରୋଜଗାର ଏବଂ ସରକାର ଯୋଗାଇ ଦେଉଥିବା ସହାୟତା ଏବଂ ସୁବିଧା ସୁଯୋଗ ବି ସେମାନଙ୍କ ପାଖରେ ପହଞ୍ଚିପାରୁ ନଥିଲା। ମଦୁରାଇ ସହରର ଉଭୟଲିଙ୍ଗୀ ମହିଳା, ଷାଠିଏ ବର୍ଷ ବୟସ୍କା ଥର୍ମା ଆମ୍ମା କହନ୍ତି, “ଆମର ଏକ ନିର୍ଦ୍ଧାରିତ ଦରମା ନାହିଁ। ଆଉ ଏହି କରୋନା (ବିଶ୍ୱ ମହାମାରୀ) ଆସିବା ଯୋଗୁଁ ଆମେ ଜୀବନଧାରଣର ଯେଉଁ ଅଳ୍ପ କିଛି ରୋଜଗାର ସୁଯୋଗ ଥିଲା, ତାହା ବି ହରାଇଲୁ।”

ବର୍ଷର ପ୍ରଥମାର୍ଦ୍ଧରେ ସେ ମାସକୁ ୮,୦୦୦ରୁ  ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ। ପରବର୍ତ୍ତୀ ଅର୍ଦ୍ଧ ବର୍ଷରେ ସେ କୌଣସିମତେ ମାସକୁ ୩,୦୦୦ ଟଙ୍କା ଲେଖାଏଁ ରୋଜଗାର କରିାପରୁଥିଲେ। ବିଶ୍ୱ ମହାମାରୀ ଜନିତ ଲକ୍‌ଡାଉନ୍‌ କାରଣରୁ ସବୁ ଓଲଟପାଲଟ ହୋଇଗଲା। ସେ କହନ୍ତି, “ମହିଳା ଓ ପୁରୁଷ ଲୋକ କଳାକାରମାନେ ପେନ୍‌ସନ୍‌ ପାଇଁ ସହଜରେ ଆବେଦନ କରିପାରୁଥିଲେ। ହେଲେ ଉଭୟଲିଙ୍ଗୀ ବ୍ୟକ୍ତିଙ୍କ ପାଇଁ ଏହା ଖୁବ୍‌ କଷ୍ଟକର ଥିଲା। ମୋ ଆବେଦନକୁ ଅନେକ ଥର ଅଗ୍ରାହ୍ୟ କରିଦିଆଯାଇଥିଲା।”

ଅନ୍ତତଃ କାଗଜପତ୍ରରେ ତ ସ୍ଥିତି ବଦଳୁଛି। ୨୦୧୯ରେ ସଂସଦରେ ଉଭୟଲିଙ୍ଗୀ ବ୍ୟକ୍ତି (ଅଧିକାରର ସୁରକ୍ଷା) ଆଇନ ଗୃହୀତ ହେଲା। ଯାହା କି ସାରା ଭାରତ ପାଇଁ ପ୍ରଯୁଜ୍ୟ। ଏହି ଆଇନ ଅନୁସାରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍‌ଧ ଶିକ୍ଷା, ସ୍ୱାସ୍ଥ୍ୟ ସେବା, ନିଯୁକ୍ତି କିମ୍ବା ବୃତ୍ତି, ଯାତାୟାତ ଅଧିକାର, ସଂପତ୍ତି କିଣାବିକା, ସରକାରୀ ଅଫିସ୍‌ରେ ପ୍ରତିନିଧିତ୍ୱ କିମ୍ବା ଚାକିରି, କିମ୍ବା କୌଣସି ସାମଗ୍ରୀ, ବାସଗୃହ, ସେବା, ସୁବିଧା, ଲାଭ, ବିଶେଷାଧିକାର କିମ୍ବା ସୁଯୋଗ ହାସଲ ପ୍ରସଙ୍ଗରେ କୌଣସି ଉଭୟଲିଙ୍ଗୀ ବ୍ୟକ୍ତିଙ୍କ ପ୍ରତି କୌଣସି ବ୍ୟକ୍ତି ବା ଅନୁଷ୍ଠାନ ଭେଦଭାବ କରିପାରିବେ ନାହିଁ।

ଲିଙ୍ଗଗତ ପରିଚୟ ଆଧାରରେ କୌଣସି ବ୍ୟକ୍ତିଙ୍କ ପ୍ରତି କୌଣସି ପ୍ରକାର ଭେଦଭାବ ପ୍ରଦର୍ଶନକୁ ସମ୍ବିଧାନରେ ବାରଣ କରାଯାଇଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ମହିଳା ଓ ଶିଶୁମାନଙ୍କ ପ୍ରତି ଭେଦଭାବ କିମ୍ବା ସେମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ବିରୋଧରେ ରାଜ୍ୟ ସରକାରମାନେ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଣୟନ କରିପାରିବେ। ହେଲେ, ବିବିଧଲିଙ୍ଗୀ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ବୋଲି ଏଥିରେ ନିର୍ଦ୍ଦିଷ୍ଟ ଭାବରେ ଉଲ୍ଲେଖ କରାଯାଇନାହିଁ।

ମୁଖପୃଷ୍ଠ ଅଳଙ୍କରଣ: ସ୍ୱଦେଶା ଶର୍ମା ଏବଂ ସିଦ୍ଧିତା ସୋନାବାନେ

ଅନୁବାଦ : ଓଡ଼ିଶାଲାଇଭ୍‍

PARI Library

The PARI Library team of Dipanjali Singh, Swadesha Sharma and Siddhita Sonavane curate documents relevant to PARI's mandate of creating a people's resource archive of everyday lives.

Other stories by PARI Library
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE